Unknown

 

 

 

 

 

 

 

 

 

 

ତୁମେ ଜାଣ କି ?

ଅନୁବାଦ

ଅନନ୍ତ ପଟ୍ଟନାୟକ

 

ସୂଚିପତ୍ର

 

୧.

କେଉଁ ବିଷୟରେ ବହିଟି

ସ୍କୁଲ୍ ବ୍ୟାଗ୍

୨.

ପେନ୍‍ସିଲ୍‍ର କାହାଣୀ

୩.

ନୋଟ୍‍ଖାତାର କାହାଣୀ

୪.

କଲମତ୍ରାସର କାହାଣୀ

୫.

କାଳି କଲମର କାହାଣୀ

ସହରର ରାସ୍ତାରେ

୬.

ଆମ ରାସ୍ତା ତିଆରି ହେଲା କେମିତି

୭.

ମେଟ୍ରୋ

୮.

ଆମ ରାସ୍ତାରେ ମଟର ଗାଡ଼ି ସବୁ

୯.

ନଈ ତୁମକୁ ଭେଟିଲା କିପରି

୧୦.

ଅଦୃଶ୍ୟ ଶ୍ରମିକ

୧୧.

ଚିଠିର ଯାତ୍ରା

୧୨.

ବହୁ ଦୂରର ଅତିଥି

ଜିନିଷପତ୍ର ଆସେ କେଉଁଠୁଁ

୧୩.

ତୁମର ଖେଳ ସାଥୀ

୧୪.

ତୁମ ଘରର କଳଗୁଡ଼ିକ

୧୫.

ଜିନିଷପତ୍ର ଆସେ କେଉଁଠୁଁ

୧୬.

କେଉଁଥିରୁ କ’ଣ

୧୭.

ଚାହା କପ୍‍ଟିଏ, କୋତଟିଏ–ସେ ସବୁର ବନ୍ଧୁବାନ୍ଧବ

୧୮.

ଗୀତଗାଏ ଚକ

୧୯.

ବଢ଼େଇଶାଳରେ କଥାଭାଷା

୨୦.

ପୁରୁଣା ଶ୍ରମିକର ଗୁପ୍ତକଥା

ଅଦ୍ଭୁତ ଭଣ୍ଡାରଘର

୨୧.

କୋଠଚାଷ ଫାର୍ମର ନଈଟି କାମରେ ଲାଗେ କିମିତି

୨୨.

ପଡ଼ିଆ ଜମିରେ ଗହମ ଚାଷହେଲା କିମିତି

୨୩.

ଗହମର ବନ୍ଧୁ ଓ ଶତ୍ରୁ

୨୪.

ଶସ୍ୟର ଯାତ୍ରା

୨୫.

ସହରଟି ରୁଟିପାଏ କିମିତି

ପ୍ରକୃତିର ବର୍ଣ୍ଣମାଳା

୨୬.

ଅଦୃଶ୍ୟ ଜଣକ

୨୭.

ତୁଷାର କଣିକା

୨୮.

ବସନ୍ତ ବିରୁଦ୍ଧରେ ଶୀତର ଲଢ଼େଇ

୨୯.

ପାଣିର ଅସାଧ୍ୟ ସାଧନ

୩୦.

କୁଆପଥର ବୁଲି ବାହାରିଲା

୩୧.

ଯାତ୍ରାର ଶେଷ

ଜଙ୍ଗଲ ଓ ନଈ, ମରୁଭୂମି ଓ ତୃଣଭୂମି

୩୨.

ନଈ ନିଜ ରୂପ ବଦଳାଇଲା

୩୩.

ତୃଣ ଭୂମିର ମାଲିକ କିଏ, ଶାସକ କିଏ

୩୪.

ବୁଢ଼ା ବୈଜ୍ଞାନିକ ଆଉ ଝାଞ୍ଜ ପବନ

୩୫.

ବଣରେ ଗଛ ଆଉ ବୁଦା

୩୬.

ଜଙ୍ଗଲରେ ଲଢ଼େଇ

୩୭.

ଷ୍ଟେପୀ ଭୂମିର ସାହସିକତା

୩୮.

କୁହୁକ ଉଦ୍ୟାନ

୩୯.

ଯାଦୁକର

୪୦.

ପାଞ୍ଚ ଭଉଣୀ

୪୧.

ସେଓଗଛ ଦୁଇଟି

୪୨.

ନାସପାତି ଭଳି ସେଓ ମିଚୁରିନ୍ ସୃଷ୍ଟି କଲେ କିପରି

୪୩.

ଆମର ଉତ୍ସବ

୪୪.

ଉତ୍ସବଟିଏ ଆମର

Image

 

 

 

 

 

 

 

 

 

 

 

 

 

ସ୍କୁଲ୍ ବ୍ୟାଗ୍

 

କେଉଁ ବିଷୟରେ ଏ ବହିଟି

 

ତୁମ ଚାରିପଟେ ଯେଉଁ ଜିନିଷସବୁ ଦେଖିବାକୁ ମିଳେ, ସେଇ ଜିନିଷ ସମ୍ପର୍କରେ ଏ ବହିଟି । ସେଇ ଜିନିଷମାନଙ୍କ ଭିତରୁ ଅନେକଗୁଡ଼ିଏ ତୁମର ପୁରୁଣା ସାଙ୍ଗ–ଏଇ ଯେମିତି ନୋଟ୍‍ଖାତା ଆଉ ପେନ୍‍ସିଲ୍, ଚାହା କପ୍ ଆଉ ଛୁରି, କାମିଜ ଆଉ ଜୋତାହଳକ, କରତ ଆଉ ହାତୁଡ଼ି, ଘଣ୍ଟା ଆଉ ଇଲେକ୍‍ଟ୍ରିକ୍ ବଲ୍‍ବ, ଯେଉଁ ଘରେ ତୁମେ ରହୁଚ ସେଇ ଘରଟି, ଆଉ, ହେଇ, ତୁମ ଘରକୁ ଟପି ସାଇଁକିନି ରାସ୍ତାରେ ଚାଲିଯାଉଚି ଯେଉଁ ମଟରଗାଡ଼ି–ସେଇଟି ।

 

ବହୁତ ଦିନରୁ ତୁମେ ଏଗୁଡ଼ିକୁ ଜାଣ ସତ, ତଥାପି ତୁମେ ପ୍ରକୃତରେ ଭଲ କରି ଜାଣିଚ ତ ?

 

ତୁମେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବ, ତୁମକୁ ଯଦି କୁହାଯାଏ–ତୁମର ନୋଟ୍‍ଖାତାଟି ଜନ୍ମିଥିଲା, ବଢ଼ିଥିଲା ଜଙ୍ଗଲରେ; କାମିଜଟି ବିଲରେ କି ପଡ଼ିଆରେ; ତୁମର ରବର ବୁଟ୍ ହଳକ କରତଗୁଣ୍ଡରେ ତିଆରି; ଆଉ ବୋତାମଗୁଡ଼ିକ ଛେନାରେ; ପାତଳା ଟୁକୁଟୁକୁ ଚାହା କପ୍‍ଟି ଆଉ ଅସନା ଅଡ଼ଢ଼ଙ୍ଗିଆ ବଡ଼ ଇଟାଖଣ୍ଡିକ ଏକା ରକ୍ତର, ଜ୍ଞାତି ଆଉ କୁଟୁମ୍ବ; ପୁଣି ଛୋଟ କୁଆପଥରଟି ଜଣେଇଦେଇପାରେ ଯେ ଆକାଶରେ ଖୁବ୍ ଉପରେ କୋଉ ପବନ କୋଉଆଡ଼େ ବହେ; ଆଉ ଖେଳଣା ଗିଲାସଟି ବୁଝେଇଦେଇପାରେ ଯେ ଜାହାଜର ତଳିପେଟ ସମୁଦ୍ରପାଣିରେ ଅଳ୍ପ ବୁଡ଼ିରହେ କାହିଁକି, କାହିଁକି ତାହା ଓଲଟି ପଡ଼େ ନାହିଁ ।

 

ଦେଖିଲ ତ ଏବେ, ପ୍ରକୃତରେ ତୁମେ ଜାଣ ନାହିଁ ତୁମର ପୁରୁଣା ବନ୍ଧୁଗୁଡ଼ିଙ୍କୁ । ଯେମିତି ଭଲ କରି ଜାଣିପାରିବ, ସେଇଥିପାଇଁ ଲେଖା ହୋଇଚି ଏ ବହିଟି ।

 

ତୁମେ ଯେତେବେଳେ ହାତରେ ରୁଟିଖଣ୍ଡେ ଧର, ସେତେବେଳେ ଆମର ମନେ ହୁଏ, ତୁମେ ଜାଣନ୍ତ କି ଗହମ କେମିତି ଅଟା ହେଲା, ଅଟା କେମିତି ରୁଟି ହେଲା । ତୁମେ ଯେତେବେଳେ ପାଣିକଳର ଟ୍ୟାପ୍‍ଟି ଖୋଲ, ଆମର ମନେ ହୁଏ, ବୁଝନ୍ତ କି ପାଣି କେମିତି କଳକୁ ଆସିଲା ।

 

ଏ ବହିଟିରେ ତୁମେ ପଢ଼ିବାକୁ ପାଇବ, ଯେଉଁ ଜିନିଷସବୁ ତୁମ ପାଖରେ ହାତପାଆନ୍ତିରେ ଅଛି ସେଗୁଡ଼ିକ ବିଷୟରେ କିଛି, ଆଉ ଯେଉଁ ଜିନିଷ ସବୁ ଦୂରରେ ରହିଚି, ସେଗୁଡ଼ିକ ବିଷୟରେବି । ଆମେ ତୁମକୁ ସେମିତି ଗୋଟିଏ ନାହା ବା ବୋଟ୍‍ରେ ବସେଇ ନେଇଯିବୁ, ଯାହା ପାଲ ଉଡ଼େଇ ଉଡ଼େଇ ଓହ୍ଲେଇ ଓହ୍ଲେଇ ଚାଲିବ ଗୋଟିଏ ସିଡ଼ିବାଟରେ, ଆଉ ସେଇ ସିଡ଼ିର ପାହାଚଗୁଡ଼ିକ ପୁଣି ହୋଇଥିବ ପାଣିର ! ଆହୁରିବି ଆମର ସେଇ ନାହାଟି ଧୂଆଁ ଛାଡ଼ି ଛାଡ଼ି ଭାସି ଭାସି ଯିବ ସେମିତି ଏକ ମଣିଷ-ତିଆରି ଦରିଆରେ, ଏଇ ଅଳ୍ପ ଦିନ ଆଗରୁ ଯାହାର ଚିହ୍ନବର୍ଣ୍ଣ କୋଉଠି ନଥିଲା ।

 

ଆମେ ଯିବା ଗୋଟିଏ କୋଠଚାଷ ଫାର୍ମ ଓ ଗୋଟିଏ ସହର ଦେଖିବାପାଇଁ ।

 

ବୁଲିବା ଯାଇ ଗୋଟିଏ ଚମତ୍କାର ଫଳ ବଗିଚାରେ । ନୂଆ ନୂଆ ଅଦ୍ଭୁତ ଫଳରେ ସବୁ ପୂରିଉଠୁଥିବ ସେଇ ବଗିଚାଟି । ତା’ପରେ ଆମେ ଦେଖିବା, କାହାର କାଉଁରୀକାଠି ଲାଗି ଯେମିତି, ନଈ ଉପରେ ମେଲିଯାଇଚି ଗୋଟାଏ ବିରାଟ ଡ୍ୟାମ ।

 

ତୁମେ ହୁଏତ ପଚାରିବସିବ, ଏ ଅଦ୍ଭୁତ ଅଦ୍ଭୁତ କାମସବୁ କରିଚି କିଏ ? ତୁମକୁ ଆମେ କହିବୁ ନିଶ୍ଚୟ–ଯେଉଁ ମହା ମହା କୃତୀ ପୁରୁଷମାନେ ତାହାକୁ ସବୁ ନିର୍ମାଣ କରିଛନ୍ତି, ତାଙ୍କରି କଥା-। ସେମାନେ ଦେଖିବାକୁ ସାଧାରଣ ଲୋକ ଭଳି । କିନ୍ତୁ କି ବଳ ତାଙ୍କର ! ପାହାଡ଼ ପର୍ବତକୁ ଦୋହଲେଇ ଚଳେଇ ଦେଇପାରନ୍ତି ସେମାନେ; କେଡ଼େ କେଡ଼େ ଖରସୁଅର ନଈକୁ ଅଟକେଇଦେଇ ଅଚଳ କରିପାରନ୍ତି ସେମାନେ !

 

ନା, ନା, ଆଗରୁ କିଛି କହିବୁନି ସେ ବିଷୟରେ । ନିଜେ ନିଜେ ତୁମେ ତାହା ପଢ଼ିବାଟାହିଁ ଭଲ । ଆମେ ଖାଲି କହିବାକୁ ଚାହୁଁ, ଯେତେ କଥା ଲେଖିବାକୁ ମନ ହେଉଥିଲା, ଲେଖିପାରିଲୁ ନାହିଁ । ତୁମ ପ୍ରଶ୍ନଭିତରୁ କେତୋଟିର ମାତ୍ର ଉତ୍ତର ଦେଉଛୁଁ । ଅନ୍ୟଗୁଡ଼ିକ ଛାଡ଼ିଯିବାକୁ ବାଧ୍ୟ ହେଲୁଁ । ତେବେ, ଯାହା ବାକି ରହିଲା, ଆର ବହିଟିରେ ତାହା ପୂରଣ କରିବାପାଇଁ ଚେଷ୍ଟା କରିବୁଁ ।

 

ହଁ, ଆଉ ଗୋଟିଏ କଥା–ଏ ବିଷୟଗୁଡ଼ିକ କେମିତି ପଢ଼ିବ ସେଇ ସମ୍ପର୍କରେ । ଦେଖ, ଗୋଟାଏ ରାତିରେ ସବୁଯାକ ପଢ଼ି ଶେଷ କରିଦେବ ନାହିଁଟି ! ସେଗୁଡ଼ିକୁ ଭଲକରି ବୁଝିବାକୁ ହେଲେ ଥରକରେ ଗୋଟିଏ ଯୋଡ଼ିଏ ପଢ଼ିବ; ବେଶି ନୁହେଁ ।

 

କେତେଗୁଡ଼ିଏ ବହି ଅଛି, ଭାରି ସହଜ, ଆଇସ୍‍କ୍ରିମ୍ ଖାଇଲା ଭଳି । ତୁମକୁ ଚୋବେଇବାକୁ ପଡ଼େ ନାହିଁ ଆଦୌ; ପାଟିରେ ପଡ଼ୁ ପଡ଼ୁ ମିଳେଇଯାଏ । କିନ୍ତୁ ଆଉ କେତେଗୁଡ଼ିଏ ବହି ଅଛି, ବାଦାମ ଭଳି । ଯାହାର ଦାନ୍ତ ବେଶ୍ ଶକ୍ତ, ସେ ତାକୁ ଭାଙ୍ଗି ଖାଇପାରେ । ତୁମେ ଆଇସ୍‍କ୍ରିମ୍‍କୁ, ବାଦାମକୁ ଯେମିତି ଭଲ ପାଅ, ବେପରୁଆ ସାହସୀ କାମର ଗପକୁ ଆଉ ବିଜ୍ଞାନ ବିଷୟର ବହିକୁ ସେମିତି ଭଲପାଅ । ତେଣୁ, ଅବଶ୍ୟ ତୁମ ଉତ୍ସାହଟା ଊଣା ହେବନାହିଁ, ଯେତେବେଳେ ଦେଖିବ, ଏ ବହି ଘେନି ମୁଣ୍ଡ ଖେଳାଇବାକୁ ହେବ, ନିଶ୍ଚୟ । କିନ୍ତୁ ଦେଖ, ଏ ବର୍ଷ ଯାହାସବୁ କଠିନ କଠିନ ଲାଗୁଚି, ଆର ବର୍ଷକୁ ତାହା ସବୁ ସହଜ ହୋଇଯିବ, ଠିକ୍ !

Image

 

ପେନ୍‍ସିଲ୍‍ର କାହାଣୀ

 

ସାନଟିଏ ଥିଲ ଯେତେବେଳେ ତୁମ ବଡ଼ଭାଇର ବହିବ୍ୟାଗ୍‍ଟିକୁ ଯାଇ ଘାଣ୍ଟୁଥିଲ; ନାଇଁ-? ସେଥିରୁ ଟାଣିଆଣୁଥିଲ ଭାଇର ପଢ଼ା ବହିଟିକୁ–ଆଉ ଗୋଟି ଗୋଟି କରି ଦେଖୁଥିଲ ଛବିଗୁଡ଼ିକ-। ସବୁଠୁ ତମକୁ ଭାରି ଭଲ ଲାଗୁଥିଲା ସେଇ କାଠଘରଟି, ଯୋଉଥିରେ ଆଦୌ ଝରକା ନଥିଲା-। ଆଗ ଦୁଆରଟି, ଯେଉଁଠି ରହିବା କଥା, ସେଠି ନଥିଲା । ଗୋଟାଏ କାନ୍ଥରେ ରହିବ କ’ଣ, ଥିଲା ଯାଇ ଛାତ ଉପରେ । ଆଉ ସେ ଦୁଆରଟି ଖୋଲିବାପାଇଁ ଏଡ଼ିକି କଷ୍ଟ ହେଉଥିଲା ପୁଣି ତୁମକୁ-! ନୟାନ୍ତ ହୋଇଯାଉଥିଲ ତୁମେ, ନାଇଁ ?

 

ସେ ଘରଟିରେ ଥିଲା ଯୋଡ଼ିଏ ବଖରା : ଗୋଟିଏ ଲମ୍ବା, ଅଣଓସାରିଆ; ଆରଟି ଛୋଟ, ଓସାରିଆ । ଲମ୍ବା ଅଣଓସାରିଆ ଘରଟିରେ ଥିଲେ ସାଙ୍ଗ ଯୋଡ଼ିଏ; ପେନ୍‍ସିଲ୍‍ଟିଏ ଆଉ ଚକ୍ ଚକ୍ ମୁନିଆ ମୁହଁର ନେଳି କଲମଟିଏ । ଛୋଟ ବଖୁରିଟିରେ ଥିଲା ପେନ୍‍ସିଲ୍‍ର ସାଥୀ ଇଣ୍ଡିଆ ରବରଟି । ଚାରିଆଡ଼ ସଫାସୁତୁରା ରଖିବାକୁ ସବୁବେଳେ ତା’ର ମନ । ସେଇଥିପାଇଁ ତା’ ନିଜ ଦେହଟି ସବୁବେଳେ ମଇଳା । କୋଉଠି ଯଦି କ’ଣ ଭୁଲ କରିପକାଉଥିଲା ପେନ୍‍ସିଲ୍, ସାଙ୍ଗେ ସାଙ୍ଗେ କାମରେ ଲାଗିଯାଉଥିଲା ତା’ ସାଥୀ ରବର । ନିଜେ ମଇଳା ହୋଇଯାଉ ପଛେ, ସବୁ ଠିକ୍‍ଠାକ୍ କରିଦେଉଥିଲା ଭୁଲଗୁଡ଼ାକ ପୋଛିପାଛିଦେଇ ।

 

ନୋଟ୍‍ଖାତା କେତୋଟିବି ଥିଲା ସେ ବ୍ୟାଗ୍‍ରେ । ହାଇଁପାଇଁ ହେଉଥିଲ ତୁମେ କୌତୂହଳରେ, କ’ଣ ସେଗୁଡ଼ିକ ଜାଣିବ ବୋଲି । ଭାରି ମନକୁ ପାଉଥିଲା ତମର–ସଳଖ ସୁନ୍ଦର ଗାରଗୁଡ଼ିକ, ଗୋଲ ଗୋଲ ବୃତ୍ତ, ଆଉ କଲମରେ ଭାଇ ଯେଉଁ ସଜାସଜି କରିଥିଲା ବିଚିତ୍ର ଚିତ୍ର, ସେଗୁଡ଼ିକବି ।

 

ଏବେ ତୁମେ ସ୍କୁଲ୍‍ରେ ପଢ଼ିଲଣି–ସ୍କୁଲ୍‍ ପିଲା । ତୁମର ବ୍ୟାଗ୍ ଅଛି; କେତେ ବହି, କେତେ ଖାତା ଅଛି; ପେନ୍‍ସିଲ୍, କଲମ ଆଉ ରବର ଥାଇ ପେନ୍‍ସିଲ୍ ବାକ୍ସ ଅଛି । ପ୍ରତିଦିନ ସ୍କୁଲ୍‍ରେ ଶିଖୁଚ କଲମରେ ଲେଖିବାକୁ ହେବ କେମିତି; କାଗଜର ଧଳା ପଡ଼ିଆରେ ଗାରଗୁଡ଼ିଏ ପଡ଼ି ଯେଉଁ ନେଳି ନେଳି ବାଟ ଫିଟିଛି ସେଥିରେ କଲମକୁ ଠିକ୍‍ମତେ ଚଳେଇବାକୁ ହେବ କେମିତି-। ସବୁବେଳେ ତୁମ କଥା ମାନେ ନାହିଁ କଲମଟା, ନାଇଁ ? ଭାରି ଅମାନିଆ ! ବାଟରେ ଯାଆସ କରିବାପାଇଁ ଯୋଉ ନିୟମ ଅଛି ସେଇ ନିୟମସବୁ ଭାଙ୍ଗେ କଲମଟା । କିନ୍ତୁ ନିୟମ ଭାରି କଡ଼ା ଯେ ! ବାଟ ଛାଡ଼ି ଏଣେତେଣେ ମାଡ଼ିଯିବା ନିୟମବିରୁଦ୍ଧ କଥା ।

 

ବେଳେବେଳେ ଦୋଷ ତୁମର । ତୁମ କଲମରେ ବେଶି କାଳି ହୋଇଗଲେ ସେଇ କାଳି ଝରିପଡ଼େ; କାଗଜରେ ଦାଗ ହୋଇଯାଏ । ତା’ପରେ ତୁମ ବ୍ଲଟିଙ୍ଗ୍ କାଗଜଟିକୁ ଧାଇଁଆସିବାକୁ ପଡ଼େ । ଆଉ, କେଉଁଠି କାହାର ହଠାତ୍ ଦିହମୁଣ୍ଡ ଖରାପ ହେଲେ ଯେମିତି ପହିଲି ଡାକ୍ତରୀ ସାହାଯ୍ୟ ନିଆଯାଏ, ସେମିତି ବ୍ଲଟିଙ୍ଗ୍ କାଗଜର ସାହାଯ୍ୟ ନେବାକୁ ହୁଏ ।

 

ପହିଲେ ପହିଲେ ଯେତେବେଳେ ତୁମେ ଲେଖିଶିଖୁଥିଲ, ସେତେବେଳେ ଖାତାଯାକ ତୁମର ବିଲିବିଲା ହୋଇଯାଉଥିଲା କାଳିରେ । କେତେ ଆକାର ପ୍ରକାରର ଦାଗ ହୋଇଯାଉଥିଲା ସେଥିରେ । କୋଉଠି ଗୋଟାଏ ପୃଷ୍ଠାରେ କଳା ହ୍ରଦଟିଏ ହୋଇଯାଉଥିଲା ତ ଆଉ ଗୋଟାକରେ ମସ୍ତବଡ଼ କଳା ସମୁଦ୍ରଟାଏ ।

 

ପେନ୍‍ସିଲ୍‍ରେ ଲେଖିଲେ ଦାଗ ହୁଏ ନାହିଁ କିନ୍ତୁ । କାରଣ, କାଳିରେ ତ ଆଉ ପେନ୍‍ସିଲ୍ ବୁଡ଼େ ନାହିଁ ! ସେ ଯାହା ହେଉ, ପେନ୍‍ସିଲ୍ କେମିତି ବ୍ୟବହାର କରିବାକୁ ହୁଏ, ଆଜିଯାଏଁ ଶିଖିନାହଁ ତୁମେ । ତୁମେ ତାକୁ କାଟି ମୁନିଆ କରିବାକୁ ବସିଲେ ଥରକେ ଚାରିଭାଗରୁ ଭାଗେ ଉଡ଼ିଯାଏ କୁଆଡ଼େ । ତା’ପରେ ତୁମ ହାତରୁ ଖସିପଡ଼େ । ପେନ୍‍ସିଲ୍ ମୁନଟି ଭାଙ୍ଗିଯାଏ । ପୁଣି ଥରେ କାଟିବସ ତୁମେ ।

 

ଗୋଟିଏ ପେନ୍‍ସିଲ୍ ଅନେକ ଦିନଯାଏ ରହେ ତୁମ ଭାଇର ହାତରେ । କିନ୍ତୁ ତୁମ ହାତରେ ସେଇଟି ସପ୍ତାହକ ଭିତରେ ଛିଡ଼ି ଛିଡ଼ି ଟିକିଏନାକୁ ହୁଏ, ମୁଣ୍ଡା ହୋଇଯାଏ । ଠିକ୍ ସେମିତି ତୁମ ନିବ୍ ପ୍ରତି ତୁମର ଟିକିଏ ଭଲ ମମତା ଥାଆନ୍ତା ! ଦେଖ, ସେଇଟା ଏକପାଖିଆ ଘୋରି ହୋଇଗଲାଣି କେମିତି ! ନିବ୍ ମୁନରେ ଗୋଟାଏ ପାଖ ଭାଙ୍ଗିଯାଇ ଆରପାଖଠୁ ଛୋଟ ହୋଇଗଲାଣି । ଏଇଟିକୁ ଫିଙ୍ଗିଦେବା ବରଂ ଭଲ, ନୁହେଁ ?

 

ଆଚ୍ଛା, ଆମେ କଥା ଦେଇଥିଲୁ ନା, ପେନ୍‍ସିଲ୍ ବିଷୟରେ ତୁମକୁ କିଛି କହିବୁଁ ବୋଲି-?

 

ଆମ ପେନ୍‍ସିଲ୍‍ଟିର ଜନ୍ମ ଆଗରୁ ସାଇବେରିଆରେ ଗୋଟିଏ ସୁନ୍ଦର ପାଇନ୍ ଗଛର ଜନ୍ମ । ବଢ଼ି ବଢ଼ି ଖୁବ୍ ଡେଙ୍ଗା ହୋଇଥାଏ ସେଇଟି । ସେ ତ ସାଧାରଣ ପାଇନ୍ ଗଛ ନୁହେଁ । ତାକୁ କୁହାଯାଉଥାଏ ସାଇବେରିଆ ସିଡ଼ାର । ପାଇନ୍ ଗଛର ଫଳ ବାଦାମ ଭଳି ଠିକ୍ । କେବେ ଖାଇଚ ଭଲା ? ଭାରି ଭଲ ଲାଗେ। ଗୁଣ୍ଡୁଚିମୂଷାଗୁଡ଼ିକ ତା’ପାଇଁ ତ ବାଇ । ସେଗୁଡ଼ିକ ‘ବାଦାମ’ କହିବା ଠିକ୍ ହେବ ନାହିଁ; କାହିଁକି ନା, ପ୍ରକୃତରେ ସେଗୁଡ଼ିକ ମଞ୍ଜି–ପାଇନ୍ ଗଛର ମୁନିଆ ମୁନିଆ କଣ୍ଟାରୁ ବାହାରେ ।

 

ସେହି ଗଛର କାଠ ହାଲୁକା ଆଉ ଟାଣ । ସେଥିରେ ସିନ୍ଧୁକ ପ୍ରଭୃତି ତିଆରି ହୁଏ । ସେ କାଠର ତିଆରି ସିନ୍ଧୁକରେ ପୋକ ଲାଗନ୍ତି ନାହିଁ । ବୋଧହୁଏ ପୋକଗୁଡ଼ାକ ସେହି ସିଡ଼ାର କାଠର ଗନ୍ଧଟାକୁ ସହିପାରନ୍ତି ନାହିଁ ।

 

କିନ୍ତୁ ସାଇବେରିଆ ସିଡ଼ାରର ଗର୍ବ କରିବାର କଥା ଏ ପେନ୍‍ସିଲ୍ ପାଇଁ । କାହିଁକି ନା, ପେନ୍‍ସିଲ୍ ତିଆରି ହୁଏ ସେଇ ସିଡ଼ାର କାଠରେ । ଆଉ ଲକ୍ଷ ଲକ୍ଷ ପିଲା ଲେଖନ୍ତି ସେଇସବୁ ପେନ୍‍ସିଲ୍‍ରେ । ସେଇ ଗଛକୁ ଏତେ ଆଦର, ଏତେ ସମ୍ମାନ କାହିଁକି ଯେ ? କାରଣ ତାକୁ କାଟିକୁଟି ଚାଞ୍ଚିଚୁଞ୍ଚି ସମତୁଲ କରିବା ସହଜ । ସିଡ଼ାର କାଠିଟିଏ ଛୁରିରେ ଯଦି କାଟ, ଦେଖିବ, ତାହା ଦେହ ଆବଡ଼ାଖାବଡ଼ା ବା ଆଁଶଆଁଶୁଆ ହେବ ନାହିଁ ବେଶ୍ ଚିକ୍କଣ ଆଉ ସମତୁଲ ହେବ । କିନ୍ତୁ ଖାଲି କାଠିଖଣ୍ଡିକ ତ ପେନ୍‍ସିଲ୍ ନୁହେଁ । ଖାଲି କାଠିରେ କ’ଣ ତମେ ଲେଖିପାରିବ ?

 

କାଠିଟିକୁ ପେନ୍‍ସିଲ୍ କରିବାକୁ ହେଲେ ତା’ ଭିତରେ ଆଉ କିଛି ଜିନିଷ ଭର୍ତ୍ତି କରିବାକୁ ହୁଏ । ସେଇଥିରେ ସିନା କାଗଜରେ ଦାଗ ପଡ଼େ । ଏଥିପାଇଁ ସବୁଠୁ ବଢ଼ିଆ ଜିନିଷ ହେଉଛି ‘ଗ୍ରାଫାଇଟ୍’ । ଗ୍ରାଫାଇଟ୍, କୋଇଲା ପରି କଳା । ପ୍ରକୃତରେ ଏହା କୋଇଲାର ‘କୁଟୁମ୍ବ’ ! ସାଇବେରିଆରୁବି ଗ୍ରାଫାଇଟ୍ ମିଳେ । ପେନ୍‍ସିଲ୍ ପାଇଁ ସବୁଠୁ ବଳି ଭଲ ଆଉ ଖାଣ୍ଟି ଗ୍ରାଫାଇଟ୍ ଦରକାର । ଯେଉଁଠି ଖରସ୍ରୋତା ନଈସବୁ ଉଞ୍ଚା ଉଞ୍ଚା ପର୍ବତରୁ ବାହାରି ‘ଜଳପ୍ରସାତ’ ଆକାରରେ ଡେଇଁ ଡେଇଁ କେତେ ବଣ ଜଙ୍ଗଲ, କେତେ ଗିରିସଙ୍କଟ, କେତେ ଉପତ୍ୟକା ବାଟେ ବୋହିଯାଉଛି, ସେଇଠି ସବୁ ଖାଣ୍ଟି ଆଉ ଅସଲି ଗ୍ରାଫାଇଟ୍ ଦେଖାଯାଏ । ଏହି ପାର୍ବତ୍ୟ ଅଞ୍ଚଳରେ ବୋତୋଗୋଲ ବୋଲି ଗୋଟାଏ ଗିରିଶ୍ରେଣୀ ଅଛି । ସେଠି ମାଟିତଳେ କାହିଁ କେଉଁ ପାତାଳରେ ଭୂଇଁତଳ ଭଣ୍ଡାର ଘରେ ବହୁତ ପରିମାଣରେ ଲୁଚିଛପି ରହିଛି ଏହି ଚକ୍‍ଚକ୍ ନରମ ଗ୍ରାଫାଇଟ୍ ।

 

ସାଇବେରିଆରୁ ମସ୍କୋ ପ୍ରତିଦିନ ଧାଇଁଛି ଟ୍ରେନ୍‍ସବୁ । ସେଥିରେ ବୁହା ହେଉଛି ଗ୍ରାଫାଇଟ୍ ଆଉ ସିଡ଼ାର କାଠର ଗଡ଼ସବୁ–ପେନ୍‍ସିଲ୍ କାରଖାନାକୁ । ପେନ୍‍ସିଲ୍‍ଟିଏ ତିଆରିପାଇଁ ତୁମର ଲୋଡ଼ା ‘ମାଟି’–ଯେକୌଣସି ମାଟି ନୁହେଁ, ଭଲ କିସମର ମାଟି । ଏଭଳି ମାଟି ଆସେ ୟୁକ୍ରେନ୍‍ରୁ । ତୁମେ ପଚାରିପାର, ମାଟିର କ’ଣ ଦରକାର ? ପେନ୍‍ସିଲ୍ ତ ଆଉ ଇଟା ନୁହେଁ !

 

ପେନ୍‍ସିଲ୍ ଭିତରେ ଯେଉଁ ଗ୍ରାଫାଇଟ୍ ଥାଏ ତାକୁ ଶକ୍ତ ଆଉ ସ୍ଥାୟୀ କରିବାପାଇଁ ମାଟି ଦରକାର ହୁଏ । ଯେତେ ବେଶି ମାଟି ମିଶିବ, ସେତେ ବେଶି ଟାଣରେ ଲେଖିହେବ ପେନ୍‍ସିଲ୍‍ରେ-। ସେଇଥିପାଇଁ କେତେକ ପେନ୍‍ସିଲ୍‍ରେ ଆଉ କେତେକଠୁ ଟାଣରେ ଲେଖାହୁଏ ।

 

ଯଦି କୌଣସି ପେନ୍‍ସିଲ୍‍ରେ “B” ଲେଖାଥାଏ, ତେବେ ବୁଝିବାକୁ ହେବ, ସେ ପେନ୍‍ସିଲ୍ ନରମ ବା ‘କଳା’ । ଯଦି ପେନ୍‍ସିଲ୍‍ ଉପରେ “H” ଲେଖାଥାଏ; ତେବେ ଜାଣିବ, ସେ ପେନ୍‍ସିଲ୍ ଟାଣ । ପେନ୍‍ସିଲ୍‍ଟିରେ ଲେଖିବାକୁ ଚେଷ୍ଟା ନ କରି, ତାକୁ ଖାଲି ଅନାଇଦେଲେ ତୁମେ ଜାଣିପାରିବ ସେଇଟି ନରମା କି ଟାଣୁଆ ।

 

କାଠ, ଗ୍ରାଫାଇଟ୍, ମାଟି–ଏତିକିରେ କ’ଣ ପେନ୍‍ସିଲ୍ ତିଆରି ହୋଇଥାଏ ? ନା, ଆହୁରି ଜିନିଷ ଲୋଡ଼ା ହୁଏ । ପେନ୍‍ସିଲ୍ ତିଆରିରେ ଗୁନ୍ଦ୍‍ଅଠା ଆଉ ଚର୍ବିଭଳି କିଛି ଚିକ୍କଣିଆ ପଦାର୍ଥ ଦରକାର । ଗୁନ୍ଦ୍‍ଅଠାରେ ଗ୍ରାଫାଇଟ୍ ଚୂନାଗୁଡ଼ିକ ବାନ୍ଧି ହୋଇରହେ–ଝର୍‍ଝର୍ ହୋଇ ଖସିପଡ଼େ ନାହିଁ ଆଉ ଚର୍ବି ଲାଗିଲେ ଏହି ଚୂନାଗୁଡ଼ିକ ପେନ୍‍ସିଲ୍ ମୁନବଟେ ସହଜରେ ଚାଲିଆସି କାଗଜ ଉପରକୁ ଯାଏଁ । ଗ୍ରାଫାଇଟ୍ କାଠଟି ଚର୍ବିରେ ଗୋଳାହୋଇ ନଥିଲେ ସେଥିରେ ସ୍ପଷ୍ଟ ଆଉ ସମାନ ଭାବରେ ଲେଖିହୁଏ ନାହିଁ । ଏତିକିରେବି ନୁହେଁ । ରଙ୍ଗିନ ‘ଲ୍ୟାକର’ ବା ଲାଖ ଆଉ ‘ସୁରା’ରେ ପ୍ରସ୍ତୁତ ପୁଟ ଏବଂ ଗୋଟିଏ ଚକ୍‍ଚକ୍ ଧାତୁ ଆଲୁମିନିଅମ୍ ଦରକାର ହୁଏ । ଲ୍ୟାକରରେ ପେନ୍‍ସିଲ୍‍କୁ ରଙ୍ଗିନ କରାଯାଏ–ଆଲୁମିନିଅମ୍‍ ଚକ୍‍ଚକ୍ ଅକ୍ଷରଗୁଡ଼ିକ ଉପରେ ଲାଗେ ।

 

ଧର, ଶେଷରେ ଏଇସବୁ ଦରକାରୀ ଜିନିଷ କାରଖାନାରେ ପହଞ୍ଚିଗଲା । ଏଗୁଡ଼ିକ ଠିକ୍ ଠିକ୍ ଜାଗାରେ ରଖାଯାଏ କେମିତି ? କାଠଗଡ଼ଗୁଡ଼ିକରୁ ସମାନ ମାପର ଚିକ୍କଣ ଛଅକୋଣିଆ କାଠିସବୁ ତିଆରି ହେବ କେମିତି ? ମାଟି ଆଉ ଚର୍ବି ମିଶା ଗ୍ରାଫାଇଟ୍ ତା’ ଭିତରେ ପଶିବ କେମିତି ?

 

ଗ୍ରାଫାଇଟ୍, ମାଟି, କାଠ, ଅଠା, ଚର୍ବି, ଲାଖ, ଆଲୁମିନିଅମ୍‍ରୁ ପେନ୍‍ସିଲ୍ ତିଆରି କରିବାକୁ ହେଲେ ଲୋକଙ୍କୁ କେତୋଟି କୌଶଳ ଆୟତ୍ତ କରିବାକୁ ହୁଏ; କଠିନ ପରିଶ୍ରମ କରିବାକୁ ପଡ଼େ । କାରଣ, ଖାଲି କଞ୍ଚାମାଲରୁ ଛାଏଁ ଛାଏଁ ଜିନିଷ ଗଢ଼ି ହୋଇଥାଏ ନାହିଁ–ମଣିଷର ଶ୍ରମ ବିନା ।

 

କିନ୍ତୁ ଲୋକେ କାମ କରନ୍ତି କେମିତି ? ସେମାନେ ଯଦି ହାତରେ ସବୁ କାମ କରିବସନ୍ତି, ତାହାହେଲେ ତ ଯୁଗଯୁଗ ବିତିଯିବ–ଯଥେଷ୍ଟ ସଂଖ୍ୟାରେ ପେନ୍‍ସିଲ୍ ତିଆରି ହୋଇପାରିବ ନାହିଁ । ଆଉ ଯାହା ବା ତିଆରି ହେବ ସେଥିରେ ବହୁତ ଖର୍ଚ୍ଚା ଲାଗିଯିବ ।

 

କେତେ ବୋଲି କେତେ ସ୍କୁଲ୍‍ ନାହିଁ ! ଗଣିଲ ଦେଖି କେତେ ପିଲା ସେଥିରେ ସବୁ ପଢ଼ନ୍ତି । କୋଟି କୋଟି ପିଲା ! ଆଉ ତାଙ୍କପାଇଁ ଲୋଡ଼ା କୋଟି କୋଟି ପେନ୍‍ସିଲ୍ ।

 

ତେଣୁ ‘କଳ’ ବିନା ପେନ୍‍ସିଲ୍ ତିଆରି କାମ ଚାଲିପାରେନା ।

 

ପେନ୍‍ସିଲ୍ କାରଖାନାକୁ ଗଲେ ତୁମେ ଅନେକ ବଢ଼ିଆ କଳ ଦେଖିବ । ସତେ ଯେମିତି ଭାରି ଚତୁର ସେମାନେ । ଏମିତି ବେଗରେ କାମ କରନ୍ତି ସେମାନେ ଯେ, ପ୍ରତି ଚବିଶିଘଣ୍ଟାରେ ତିରିଶ ଲକ୍ଷ ପେନ୍‍ସିଲ୍ ଗଢ଼ି ଥୋଇଦିଅନ୍ତି । ଗୋଟିକି ଗୋଟି ମୁଣ୍ଡକୁ ମୁଣ୍ଡ ଲଗେଇ ଯଦି ସେଗୁଡ଼ିକ ଧାଡ଼ି କରି ରଖାଯାଏ, ଦେଖିବ, ସେ ପେନ୍‍ସିଲ୍ ଧାଡ଼ିଟା ମସ୍କୋରୁ ଲେନିନ୍‍ଗ୍ରାଦ ଯାଏଁ ଲମ୍ବିଯିବ ।

 

ପେନ୍‍ସିଲ୍ କାରଖାନାର ଗୋଟାଏ ମୁଣ୍ଡରେ ବଡ଼ବଡ଼ ମେସିନ୍‍କୁ ସବୁ ଗ୍ରାଫାଇଟ୍ ମାଟି ସାଙ୍ଗରେ ମିଶାଉଥାଆନ୍ତି । ଆର ମୁଣ୍ଡରେ ତିଆରି ପେନ୍‍ସିଲ୍‍ସବୁ ଦୁଇଟା ଚାରିଟା ଲେଖାଏଁ ବାହାରିପଡ଼ୁଥାଏ, ଆଉ ବାକ୍ସମାନଙ୍କରେ ଭର୍ତ୍ତି ହୋଇଯାଉଥାଏ । ଏତେ ଶୀଘ୍ର କଳ ମୁହଁରୁ ସେଗୁଡ଼ିକ ବାହାରୁଥାଏ ଯେ ତାକୁ ଗଣିବା କାଠିକର ପାଠ !

 

ମାଟି, ଗ୍ରାଫାଇଟ୍ ଆଉ କାଠ ସାଙ୍ଗେ ସାଙ୍ଗେ ପେନ୍‍ସିଲ୍ ପାଲଟେ ନାହିଁ । କାରଖାନା ଭିତରେ କଳରୁ କଳକୁ ସେଗୁଡ଼ିକର ଯାତ୍ରା ଅନବରତ ଚାଲିଥାଏ । ଗୋଟିଏ ରୂପରୁ ଆଉ ଗୋଟିଏ ରୂପ, ଏମିତି କେତେ ରୂପ ହୋଇ ସେମାନେ ଗତି କରୁଥାନ୍ତି । ଗୋଟିଏ କଳରେ ମାଟି ଆଉ ଗ୍ରାଫାଇଟ୍ ଗୁଣ୍ଡ ହୋଇଗଲା ପରେ ଆଉ ଗୋଟିକରେ ଯାଇ ଗୋଟାଳିଆ ମୋଟା ମୋଟା ‘ଛଡ଼’ ଭଳି ହୋଇଯାନ୍ତି । ତା’ପରେ ଲମ୍ବା ଲମ୍ବା “କଳା ସୂତା” ଭଳି ହୁଅନ୍ତି । ପହିଲେ ପହିଲେ ବୁଝାପଡ଼େ ନାହିଁ ଏମିତି ଏତେ ରୂପ ହେବା କ’ଣ ଦରକାର ।

 

କାହିଁକି ହୁଅନ୍ତି ତା’ର କାରଣଟି ଏଇ :

 

ଆଗ ମାଟି ଆଉ ଗ୍ରାଫାଇଟ୍‍କୁ ଚିକ୍କଣ ଭାବରେ ଗୁଣ୍ଡ କରି ସେଥିରେ ଅଠା ମିଶାଯାଏ । ତା’ପରେ ପୁଣି ଗୁଣ୍ଡ କରାଯାଏ । ଏଇଥର ଯେଉଁ ଗୁଣ୍ଡ ବାହାରେ ସେଇ ଗୁଣ୍ଡରୁ ଗ୍ରାଫାଇଟ୍ ଛଡ଼ ତିଆରି ହୁଏ । କିନ୍ତୁ ଗ୍ରାଫାଇଟ୍ ଗୁଣ୍ଡ ଆଉ ମାଟିଗୁଣ୍ଡ ମିଶିଲାବେଳେ ସେଗୁଡ଼ିକ ମଝିରେ ପବନ ଫୋଟକା ଆଉ ମଇଳା କି ଧୂଳିଗୁଣ୍ଡ ରହିଯାଇଥାଏ । ଏଗୁଡ଼ିକ ବାହାର କରି ଦିଆ ନ ଗଲେ ଗ୍ରାଫାଇଟ୍ ଛଡ଼ ମସକା (ଭଙ୍ଗୁର) ହୋଇଯାଏ । ପେନ୍‍ସିଲ୍ ଭିତରେ ଏହି ଛଡ଼ ଭର୍ତ୍ତି ହେଲେ ପେନ୍‍ସିଲ୍‍କୁ ଖାଲି ଥରକୁଥର କାଟି ମୁନିଆ କରିବାକୁ ହେଉଥିବ ।

 

ପବନ ଫୋଟକାମାନଙ୍କୁ ବାହାର କରିଦେବା ଲାଗି ଗୁଣ୍ଡଗୁଡ଼ିକୁ ଖୁବ୍ ଜୋରରେ ଚାପି ରଖାଯାଏ । ଅବଶ୍ୟ ହାତରେ ନୁହେଁ, “ପ୍ରେସ୍” ବା ବଡ଼ବଡ଼ ଚାପାଯନ୍ତ୍ରରେ ଏହି ଚାପିବା କାମ ହୁଏ-। ଚପା ସରିଲା ପରେ ଗୋଟାଳିଆ ମୋଟା ମୋଟା ଛଡ଼ଟିମାନ ବାହାରେ । ଏହାକୁ ମୋଲ୍‍ଡ଼ ବା ଛାଞ୍ଚ କୁହାଯାଏ ।

 

ଏଥିରୁ ପୁଣି ମଇଳା ଓ ଧୂଳି ବାହାର କରାଯାଏ । ଅତି ସରୁ କଳ–ଚାଲୁଣିରେ ପୁଣି ଏହି ଛଡ଼ଗୁଡ଼ିକୁ ଚାପିଦେଲେ ଚାଲୁଣିରେ ମାଇଳାତକ ରହିଯାଏ, ଆଉ ଛୋଟ ଛୋଟ ଗ୍ରାଫାଇଟ୍ ଗୁଣ୍ଡଗୁଡ଼ିକ ସରୁସରୁ କଳା ସୂତା ଭଳି ଚାଲୁଣିରୁ ଗଳି ବାହାରିଆସେ । ଏଇ ସୂତାରୁ ନୂଆ ‘ଛାଞ୍ଚ’ ତିଆରି ହୁଏ । ଏଥରକ ଆଉ ସେଥିରେ ପବନ ଫୋଟକା କି ଧୂଳିମଳି ନଥାଏ । ଏହି ଛାଞ୍ଚରୁ ପେନ୍‍ସିଲ୍ ପାଇଁ ଗ୍ରାଫାଇଟ୍ କାଠି ତିଆରି ହୁଏ ।

 

କିନ୍ତୁ ମୋଟା ଛାଞ୍ଚରୁ ସରୁ କାଠିଟିମାନ ବାହାରେ କେମିତି ? ପ୍ରକୃତରେ କାମଟି ଭାରି ସରଳିଆ । ଛୋଟ କଣା ମୁହଁରେ ଛାଞ୍ଚକୁ ମାଡ଼ିଦିଆହୁଏ । ଏତେ ଛୋଟ ଦ୍ଵାର ବାଟେ ଏମିତି ମୋଟାସୋଟା ଜିନିଷଟାଏ ଗଳିବା ଆଶ୍ଚର୍ଯ୍ୟର କଥା ! କିନ୍ତୁ ଗଳେ; ଆଉ ଗଳିବା ସଙ୍ଗେ ସଙ୍ଗେ ଏହା ଖୁବ୍ ସରୁ ହୋଇଯାଏ ଏବଂ ଲମ୍ବା ସରୁ ସୂତା ଆକାରରେ ବାହାରିଆସେ । ଏଇ ସୂତାକୁ ଖଣ୍ଡଖଣ୍ଡ କରି କାଟି ଦିଆହୁଏ । କିନ୍ତୁ ଏହି ଖଣ୍ଡଟିମାନ ନରମ ଥାଏ । ସେଇ ଅବସ୍ଥାରେ ତାକୁ ପେନ୍‍ସିଲ୍‍ରେ ବ୍ୟବହାର କରାଯାଇପାରିବ ନାହିଁ ? ତାକୁ ଶୁଖାଇ କଳଚୁଲିରେ ସେକି ଟାଣ କରିବାକୁ ହୁଏ । ଏହାପରେ ତା’ ଉପରେ ଚର୍ବି ବୋଳି ଦିଆଯାଏ । ତା’ ନହେଲେ ଲେଖିଲାବେଳେ ସେଗୁଡ଼ିକ ଭଲ ଚାଲିବ ନାହିଁ ।

 

ଦେଖ ! ପେନ୍‍ସିଲ୍ ଭିତରର ଗ୍ରାଫାଇଟ୍ କାଠି ହେବାକୁ ଗ୍ରାଫାଇଟ୍ କେତେ ଥର ରୂପ ପରିବର୍ତ୍ତନ ଘଟେ ।

 

ଏ ସବୁ ଚାଲିଥିଲାବେଳେ ତେଣେ ସେଡ଼ାର କାଠଗୁଡ଼ିକର ବଢ଼ିଆ ଯାତ୍ରା ଚାଲିଥାଏ । ଖୁବ୍ ବେଗରେ କଳଗୁଡ଼ାକ କାଠଗଡ଼ଗୁଡ଼ିକୁ ସମାନ ସମାନ କାଟି କରି ଛୋଟ ଛୋଟ ପଟା କରୁଥାନ୍ତି । ପ୍ରତି ପଟାରେ ଛଅଟି ଲେଖାଏଁ ଖାନ୍ଦି କଟା ହୋଇଥାଏ–ଛଅଟି ଗ୍ରାଫାଇଟ୍ କାଠିପାଇଁ-

 

ଅବଶେଷରେ ସାଇବେରିଆର ଗ୍ରାଫାଇଟ୍ ଆଉ ୟୁକ୍ରେନ୍‍ର ମାଟି ଯାଇ ଭେଟନ୍ତି ସାଇବେରିଆର ସେଡ଼ାରକୁ । ଗ୍ରାଫାଇଟ୍ କାଠିସବୁ ଛୋଟ ଛୋଟ ପଟାରେ ଥିବା ଖାନ୍ଦିରେ ଗୁଳ୍‍କିନି ପଶିଯାନ୍ତି । ଠିକ୍ ସମାନ ମାପର ଖାନ୍ଦି ଥିବା ଆଉ ଗୋଟିଏ ଗୋଟିଏ ପଟା ଆସି ପହିଲି ପଟା ଉପରେ ପଡ଼େ–ଘୋଡ଼ାଣି ପରି ଠିକ୍ । ତା’ପରେ ଦୁଇଟିଯାକ ପଟାକୁ ଅଠାରେ ଯୋଡ଼ିଦିଆଯାଏ ।

 

ହଠାତ୍ ଦେଖାଯାଏ, ଛଅଟା ପେନ୍‍ସିଲ୍ ଲଗାଲଗି ହୋଇ ଶୋଇଛନ୍ତି । ତା’ପରେ ଏଇ ଛଅଟିକୁ ଅଲଗାଅଲଗା କରାଯାଏ–ଯେପରିକି କେହି କାହାରି ଉପରେ ନିର୍ଭର ନ କରି ସ୍ଵାଧୀନ ଭାବରେ ରହିପାରିବେ । ଆଉ ଗୋଟିଏ କଳ ଛୋଟ ପଟାଟିକୁ ଛଅଟି ଛଅଧାରୁଆ କାଠି ଆକାରରେ କାଟିଦିଏ । ପ୍ରତ୍ୟେକର ମଝିରେ ଖଣ୍ଡିଏ ଗ୍ରାଫାଇଟ୍ କାଠିଥାଏ ।

 

ଏହି ଆବଡ଼ାଖାବଡ଼ା ପୁଟ ଲଗା ନ ହୋଇଥିବା କାଠିଟି ପେନ୍‍ସିଲ୍ । ଏତେବେଳେ ଏହା ଆଦୌ ସୁନ୍ଦର ଦିଶେ ନାହିଁ । ସୁନ୍ଦର ହେବାପାଇଁ ପେନ୍‍ସିଲ୍‍କୁ ଆଉ ଅନ୍ୟାନ୍ୟ କଳ ଭିତରକୁ ଯିବାକୁ ହୁଏ । ସେଠି ପେନ୍‍ସିଲ୍ ଚିକ୍କଣ ହୁଏ । ସେଥିରେ ବାର୍ଣ୍ଣିଶ ଲାଗେ । ତା’ପରେ ପେନ୍‍ସିଲ୍‍କୁ ଶେଷକଳକୁ ପଠାଯାଏ । ସେଠି କାଗଜ ପରି ପାତଳା ଆଲୁମିନିଅମ୍ ପଟିଖଣ୍ଡିଏ ପେନ୍‍ସିଲ୍‍ରେ ଗୁଡ଼େଇ ହେଇଯାଏ । ତା’ ଉପରେ ମୋହର ଚାପା ଦିଆଯାଇ ନାଆଁ ଲେଖାହୁଏ ।

 

ପେନ୍‍ସିଲ୍‍ ଉପରେ ଥିବା ଚକ୍‍ଚକ୍ ଅକ୍ଷରଗୁଡ଼ିକରୁ କାରଖାନାର ନାଆଁ ଜଣାଯାଏ ।

 

ଏବେ ପେନ୍‍ସିଲ୍‍ଟିଏ ଜନ୍ମ ହେଲା । ତା’ର ନାଆଁ ଦିଆସରିଲା । ଏଣିକି କାରଖାନାରୁ ବାହାରି ଦୋକାନକୁ ଏବଂ ଦୋକାନରୁ ତୁମ ପେନ୍‍ସିଲ୍ ବକ୍ସକୁ ଯିବାପାଇଁ ସେ ତିଆର ।

 

ପେନ୍‍ସିଲ୍‍ର ମୁଣ୍ଡକୁ ଅନାଅଁ–ଦେଖିବ, ତା’ର ଫାଳ ଦୁଇଟି ଅଠାରେ ଯୋଡ଼ା ହୋଇଛି-। ଏଇଥିରୁ ସୂଚନା ମିଳେ, କାରଖାନାରେ କେତେ ପ୍ରକାର ରୂପ ପରିବର୍ତ୍ତନ କରି ପେନ୍‍ସିଲ୍‍ଟି ଆସିଚି । ବର୍ତ୍ତମାନ ତୁମେ ବୁଝିପାରୁଥିବ ପେନ୍‍ସିଲ୍‍ଟିଏ ତିଆରି କରିବା କେଡ଼େ କଷ୍ଟ-!

 

ତୁମେ ଲେଖିବ, ଆଙ୍କିବ ବୋଲି କେତେ ସୁଦକ୍ଷ ଲୋକ କାମ କରିଛନ୍ତି, ନିଜ ନିଜର ଶ୍ରମ ଦେଇଛନ୍ତି ଭଲା କହିଲ ! ସାଇବେରିଆର କାଠକଟାଳି ଆଉ ଖଣିଶ୍ରମିକ, ୟୁକ୍ରେନ୍‍ରେ ଯେଉଁମାନେ ମାଟି ଖୋଳିଥିଲେ ଆଉ ମସ୍କୋର ପେନ୍‍ସିଲ୍ କାରଖାନାରେ ଯେଉଁ ଶ୍ରମିକମାନେ କାମ କରନ୍ତି । ତା’ ଛଡ଼ା ଆହୁରି କେତେ କେତେ ଲୋକ ! ରେଳବାଇ ଲୋକ, ଯେଉଁମାନେ କଳ ତିଆରି କରନ୍ତି ସେମାନେ, ଲୁହା କାରଖାନାର ଶ୍ରମିକ–ସମସ୍ତେ ଖଟିଛନ୍ତି ତୁମକୁ ପେନ୍‍ସିଲ୍‍ଟିଏ ଦେବାପାଇଁ । କିନ୍ତୁ ପେନ୍‍ସିଲ୍‍ଟିର ଉଦ୍ଭାବନ ହେଲା କେମିତି–ଆମେ ତ କିଛି କହିନାହୁଁ ! ଏବେ ଯେଉଁ ପେନ୍‍ସିଲ୍ ଆମେ ଦେଖିଛୁ, ଆଗକାଳରେ ସେମିତି ପେନ୍‍ସିଲ୍ କେଉଁଠି ଦେଖିବାକୁ ନଥିଲା-। ଚିତ୍ରକରମାନେ ରୁପାର କାଠିରେ ଛବି ଆଙ୍କୁଥିଲେ ଆଉ ସ୍କୁଲ୍‍ପିଲାଏ ସୀମାକାଠିରେ ଲେଖାଲେଖି କରୁଥିଲେ । ସୀମାକାଠିରେ ଲେଖିଲେ କାଗଜ ଉପରେ ଅସ୍ପଷ୍ଟ ଦାଗଟିଏ ପଡ଼େ-। ଏହି କାଠିକୁ ଧରିବାରେ ମଧ୍ୟ ଅସୁବିଧା ହୁଏ । ଏହି ସୀମା କାଠି ଚମଡ଼ା ଖୋଳରେ ରହୁଥିଲା-। ଯେତେବେଳେ ମୁନଟି ମୁଣ୍ଡା ହୋଇଯାଏ, ସେତେବେଳେ ଚମଡ଼ା ଖୋଳଟିର ଅଗରୁ ଟିକିଏ କାଟିଦିଆଯାଏ ।

 

ଜର୍ମାନୀରେ ଏବେ ସୁଦ୍ଧା ପେନ୍‍ସିଲ୍‍କୁ “ସୀମାକାଠି” ବୋଲି କହୁଛନ୍ତି । ଏ କେବଳ ଅଭ୍ୟାସଦୋଷର କଥା । କେହି ଜଣେ ସୀମା ବଦଳରେ ଗ୍ରାଫାଇଟ୍ ବ୍ୟବହାର କରିବା କଥା ଭାବିପାରିଲେ । କିନ୍ତୁ ଅତି ନରମ ଗ୍ରାଫାଇଟ୍‍ରେ ତ କାମ ଚାଲିବ ନାହିଁ । ଉପଯୁକ୍ତ ପ୍ରକାରର ଗ୍ରାଫାଇଟ୍ ପାଇବାପାଇଁ ବହୁତ କାଳ ଲାଗିଗଲା; ଅନେକ କଷ୍ଟବି କରିବାକୁ ପଡ଼ିଲା । ପ୍ରଥମେ ପ୍ରଥମେ ଗ୍ରାଫାଇଟ୍‍ରେ ଗନ୍ଧକ ମିଶାଗଲା । କିନ୍ତୁ ଏଥିରେ ପେନ୍‍ସିଲ୍ ଅତି ମସକା ହେଲା । ଗନ୍ଧକ ବଦଳରେ ମାଟି ବ୍ୟବହାର କରାଗଲାକ୍ଷଣି ପେନ୍‍ସିଲ୍ ତିଆରିର ବାଟ ଫିଟିଲା ।

 

ପେନ୍‍ସିଲ୍ ତିଆରି କଳଗୁଡ଼ିକ ବଡ଼ ଜଟିଳ । ଏହାକୁ ତିଆରି କରିବା କେତେ କଷ୍ଟକର ହୋଇ ନଥିବ ! ଶ୍ରମିକଙ୍କୁ କଳ ସାହାଯ୍ୟ କରିବା ଦରକାର । ତା’ଛଡ଼ା କଳଗୁଡ଼ିକ ତ ପୁଣି ଫେଣ୍ଟିବା, ଘୋରି ଗୁଣ୍ଡକରିବା, ସମତୁଲ କରିବା, ଅଠା ଦେବା ଓ ଫୁଟ ଚଢ଼େଇବା ପ୍ରଭୃତି କାମ କରିବାକୁ ସମର୍ଥ ହେବା ଦରକାର ।

 

ଦେଖିଲ, ପେନ୍‍ସିଲ୍‍ର ଇତିହାସ କେଡ଼େ ଦୀର୍ଘ ! ଏବେ ଏହା ଜାଣିଲା ପରେ ତୁମେ ନିଶ୍ଚୟ ଏହାର ଆହୁରି ଯତ୍ନ ନେବ । ଏହାକୁ ଟିକିଏ ଆଦର ସମ୍ମାନ ଦେଖାଇବ । ତେଣୁ ଯତ୍ନର ସହିତ ପେନ୍‍ସିଲ୍‍କୁ ମୁନିଆ କର, ଅକାରଣରେ କାଟିପକାଅ ନାହିଁ–ମୁନକୁ ଘୋଡ଼େଇ ରଖିବାପାଇଁ ଖୋପଟିଏ କିଣ, ଏହା ହେଲେ ପେନ୍‍ସିଲ୍ ତଳେ ପଡ଼ିଲେବି ଭାଙ୍ଗିଯିବ ନାହିଁ । ଯଦି ଖୋପଟିଏ ତୁମର ନାହିଁ, ତାହାହେଲେ ପେନ୍‍ସିଲ୍‍କୁ ବ୍ୟବହାର କରୁ ନଥିବାବେଳେ ପେନ୍‍ସିଲ୍‍ ବକ୍ସରେ ରଖ । ଅଯତ୍ନରେ ତାକୁ ଏଣେତେଣେ ଫୋପାଡ଼ିଦିଅ ନାହିଁ ।

Image

 

ନୋଟ୍ ଖାତାର କାହାଣୀ

 

ପ୍ରତ୍ୟେକ ବର୍ଷ ସ୍କୁଲ୍‍ରେ ତମର ପଢ଼ାପଢ଼ି ଆରମ୍ଭ ହେବାକ୍ଷଣି ତମେ ତମର ବହି ଆଉ ଖାତାପତ୍ର ଠିକ୍‍ଠାକ୍ କରି ରଖ । ତମେ ଯେ ଏକା ଏମିତି କର, ଏହାତ ନୁହେଁ, ତମ କ୍ଲାସ୍‍ରେ ତମ ପରି ଆଉ କେତେ ପିଲା ଅଛନ୍ତି, ଆଉ ସ୍କୁଲ୍‍ରେ ତମର କେତେ କ୍ଲାସ୍‍ ବା ନାହିଁ ! ତମେ ସମସ୍ତଙ୍କୁ କେମିତି ଲକ୍ଷ୍ୟ କରିପାରିବ ଯେ !

 

କେତେ ବୋଲି କେତେ ସ୍କୁଲ୍ ବା ନାହିଁ ! ଆମ ଦେଶରେ ହଜାର ହଜାର ସହର ଅଛି; ଲକ୍ଷଲକ୍ଷ ଗାଁ ମଧ୍ୟ ଅଛି । ସବୁଠି ତ ସ୍କୁଲ୍‍ ଅଛି । ଏହିସବୁ ସ୍କୁଲ୍‍ରେ କୋଟି କୋଟି ପିଲା ପଢ଼ୁଛନ୍ତି । ସେ ସମସ୍ତଙ୍କର ତ କୋଟି କୋଟି ସଂଖ୍ୟାରେ ବହି ଆଉ ନୋଟ୍‍ଖାତା ଦରକାର । ଏହିସବୁ ବହି ଆଉ ଖାତାକୁ ନେଇ ଯଦି ଗୋଟିକ ପରେ ଗୋଟିଏ ଗଦା କରିଦିଆଯାଏ, କେମିତି ହେବ ? ବିରାଟ କାଗଜପାହାଡ଼ମାନ ଛିଡ଼ା ହୋଇଯିବ ନାହିଁ କି ?

 

ସବୁ ପିଲାଏବି ଗଣା ହୋଇପାରି ନଥିବେ ।

 

ଏଇ କେତେଦିନ ତଳେ ସ୍ତ୍ରୀଲୋକ ଯୋଡ଼ିଏ ଯାଇଥିଲେ ଗୋଟିଏ ସ୍କୁଲ୍‍କୁ । ଯୁବତୀର କାଖରେ ଥାଏ କୁନି ଝିଅଟିଏ ଆଉ ପାକଲାବାଳୀ ବୁଢ଼ୀଟି ଧରିଥାଏ ସାନ ପୁଅଟିର ହାତକୁ ।

 

ଶିକ୍ଷକ ଟିକିଏ ଥଟ୍ଟା କରି କହିଲେ, ଏମିତି ଦୁଧଖିଆ ଛୁଆଗୁଡ଼ିଙ୍କୁ ସ୍କୁଲ୍‍କୁ ଆଣିଲେ କାହିଁକି ଯେ ? ଝିଅଟି ନର୍ସରୀକୁ (ଶିଶୁ-ସେବାନିବାସ) ଆଉ ପୁଅଟି କିଣ୍ଡର୍‍ଗାର୍ଟନ୍‍କୁ ଯିବା ଉଚିତ-।’’

 

ବୁଢ଼ୀଟି କହିଲା, “ନା, ନା ଆମେ ଖୋଦ୍ ଆସିଛୁ ସ୍କୁଲ୍‍ରେ ଭର୍ତ୍ତି ହେବାପାଇଁ । ମୋର ଏଇ ସାଙ୍ଗଟି ଚାହାନ୍ତି ନବମ ଶ୍ରେଣୀରେ ପଢ଼ିବେ, ଆଉ ମୁଁ ପଢ଼ିବି ସପ୍ତମରେ । କହିପାରିବେ ଭଲ, ଆମ ଭଳି ବଡ଼ମଣିଷଙ୍କ ପାଇଁ ସ୍କୁଲ୍‍ ଅଛି କୋଉଠି ?”

 

ଯୁବତୀଟି କହିଲା, “ଆଗରୁ ସ୍କୁଲ୍‍ପଢ଼ା ସାରିବାକୁ ସୁଯୋଗ ପାଇଲୁ ନାହିଁ । ସେଇଥିପାଇଁ ଠିକ୍ କଲୁ ପୁଣି ପଢ଼ା ଆରମ୍ଭ କରିବୁ ଏବେ ।’’

 

“ବଡ଼ମଣିଷଙ୍କ ଲାଗି ଗୋଟିଏ ସ୍କୁଲ୍‍ ବିଷୟ ସେମାନଙ୍କୁ ଜଣାଇଦେଲେ ଶିକ୍ଷକ ସେହି ସ୍କୁଲ୍‍କୁ ଯିବାପାଇଁ ସୁପାରିସ୍ କରିଦେଲେ, ଆଉ କହିଲେ, “ଚମତ୍କାର କଥା ! ପାଠପଢ଼ାରେ ଡେରିଫେରିର ପ୍ରଶ୍ନ ନାହିଁ । ଆଚ୍ଛା କିଏ ତମକୁ ସବୁ କହିଲା, ପୁଣି ସ୍କୁଲ୍‍ରେ ପଢ଼ ବୋଲି ?”

 

ବୁଢ଼ୀଟି ଉତ୍ତର ଦେଲା, ମୋର ଏ ସାଙ୍ଗଟି ଅନେକ ଦିନରୁ ଠିକ୍ କରିସାରିଥିଲେ । ଆଉ ମୋ ଝିଅ ତ ମତେ ସବୁବେଳେ ଖୁଣ୍ଟାଦେଇ କହୁଛି–ହଁଲୋ, ନାତି ତୋର ତ ସ୍କୁଲ୍‍କୁ ବାହାରିଲାଣି; ଆଉ ତୁ ତୋର ପାଠପଢ଼ା ସାରିପାରିଲୁ ନାହିଁ ।’’

 

ଏ ଗପଟି ତମକୁ କାହିଁକି କହିଲୁ ଭଲା, କହିଲ ? କହିଲୁ–ତମକୁ ସବୁ ଦେଖାଇ ଦେବାପାଇଁ ଯେ ଆମ ଦେଶରେ ସମସ୍ତେ ପାଠ ପଢ଼ୁଛନ୍ତି । କିଏ ସ୍କୁଲ୍‍ରେ ପଢ଼ୁଚି ତ କିଏ ବିଶ୍ଵବିଦ୍ୟାଳୟରେ । କେତେକ କାରିଗରି ସ୍କୁଲ୍‍ରେ ପଢ଼ୁଛନ୍ତି ତ ଆଉ କେତେକ ବୈଷୟିକ ସ୍କୁଲ୍‍ରେ । ଆଉ ଦେଖ, କେବଳ ତମରି ଭଳି ପିଲାଙ୍କର ନୁହେଁ, ଏ ସମସ୍ତଙ୍କର ଖାତାପତ୍ର ଦରକାର ।

 

ଖାତା ଖଣ୍ଡେ ଅବଶ୍ୟ ଅତି ସାମାନ୍ୟ ଜିନିଷ । କିନ୍ତୁ ଖାତାଟିଏ ତିଆରି କରିବା କ’ଣ ସହଜ କାମ ? ତୁମେ ହୁଏତ ଜାଣି ନଥିବ, କେମିତି ଆଉ କୋଉଥିରୁ ଖାତାସବୁ ତିଆରି ହୁଏ ।

 

ଖାତାପତ୍ର ତିଆରି ଲାଗି ଆଗ କାମ ଆରମ୍ଭ କରେ କରତ । କିନ୍ତୁ ଖାତା ତିଆରିରେ କରତଟା କ’ଣ କରିବ ? ଖାତାଗୁଡ଼ାକ କ’ଣ କରତରେ ତିଆରି ହୁଏ ?

 

ଜଙ୍ଗଲରେ ଥିବା ଫର୍ (ଦେବଦାରୁ) ଗଛଗୁଡ଼ିକୁ କାଟି ତଳେ ଶୁଆଇଦିଏ କରତ । କିନ୍ତୁ ଫର୍‍ଗଛର ବା କି ସମ୍ପର୍କ ଖାତା ସହିତ ? ଖାତା କ’ଣ ତିଆରି ହୁଏ ଫର୍‍ଗଛରେ ? ହଁ, ତିଆରି ହୁଏ । ପ୍ରଥମେ ଫର୍‍ଗଛ କଟାଯାଏ । ତା’ପରେ ଟାଙ୍ଗିଆରେ ତା’ର ଅଗ ଅଂଶ ଆଉ ମୁନିଆ ମୁନିଆ ଶାଗୁଆ ଡାହିଗୁଡ଼ା ଛେଦିଦିଆଯାଏ । କଣ୍ଟା ଆଉ ଶଙ୍କୁଗୁଡ଼ାକ ଦରକାର ହୁଏ ନାହିଁ ଖାତାରେ । ବଳକାଗୁଡ଼ାକବି ଦରକାର ହୁଏ ନାହିଁ ।

 

ଖାତାସବୁ ତିଆରି ହୁଏ ନାହିଁ ଏଇ କଣ୍ଟା, ଶଙ୍କୁ ବା ବକଳାରେ । ତିଆରି ହୁଏ, ଗଡ଼କାଠରୁ । ଏ କେମିତି କଥା ପୁଣି ? ଗଡ଼କାଠ ତ ଲାଗେ ଘରତୋଳାରେ । ଖାତା ତିଆରିରେ ଲାଗିବ କେମିତି ଯେ ?

 

ଆହା ହା ହା, ଏଇଠି ଟିକିଏ ଭୁଲ ହୋଇଗଲା ତମର । ଗଡ଼କାଠରୁହିଁ ଖାତା ତିଆରି ହୁଏ । ଖାତା ତିଆରିପାଇଁ କାଠଗଡ଼କୁ ପ୍ରଥମେ କରତିବାକୁ ହୁଏ । ତା’ପରେ ଛୋଟ ଛୋଟ ଟୁକୁରା କରିବାକୁ ହୁଏ । କାଠ ଟୁକୁରାର ବା ସମ୍ବନ୍ଧ କ’ଣ ଖାତା ସହିତ ? ଚୁଲି ଜଳାଇବାକୁ ସିନା ଦରକାର ଟୁକୁରା ଟୁକୁରା କାଠ !

 

ଏଇ ଟୁକୁରା କାଠଗୁଡ଼ିକୁ ସିଝାଇ ଦିଆଯାଏ । ସିଝା ହେଲାପରେ ସେଗୁଡ଼ିକ ମଣ୍ଡ ପାଲଟିଯାଏ; ଦିଶେ ଠିକ୍ ପରିଜ୍ ବା ଜାଉ ପରି । କାଠ ଟୁକୁରା ଜାଉ ! କିଏ କାହିଁକି ଇଚ୍ଛା କରିବ ଭଲା ଏ କାଠ-ଜାଉ ରାନ୍ଧିବାପାଇଁ ?

 

ଯାହାର ଦରକାର ସେ ନ ରାନ୍ଧିବ ବା କେମିତି ? ଏଇ ଜାଉ ତିଆରି କରିବାପାଇଁ କାଠ ଟୁକୁରାଗୁଡ଼ିକୁ ନେଇ ଗୋଟିଏ କେଟ୍‍ଲିରେ ଭର୍ତ୍ତି କରାଯାଏ । ତେବେ କଥା କ’ଣ କି, ସେ କେଟ୍‍ଲିଟା ଗୋଟାଏ ମସ୍ତବଡ଼ଘର ଭଳି । ତମ ରୋଷେଇଘରେ ଯେଉଁ କେଟ୍‍ଲିଟା ଅଛି ସେ ତା’ର ପାସଙ୍ଗରେବି ପଡ଼ିବ ନାହିଁ ।

 

ସେଇ ମସ୍ତବଡ଼ କେଟ୍‍ଲିଟାରେ ତ ଓଟ୍‍ଚୂନା ଜମା ନଥାଏ; ଥାଏ ଚୂନା ଚୂନା କାଠ । ସେଥିରେ ଦୁଧ ଢଳା ହୁଏ ନାହିଁ; ଢଳା ହୁଏ ଆସିଡ଼୍ । ଆସିଡ଼୍ ନ ମିଶିଲେ କାଠଚୂନାରୁ ଜାଉ ତିଆରି ହୋଇ ନ ପାରେ ।

 

ଏଇ ଚୂନା କାଠ ବଡ଼ କେଟ୍‍ଲିଟା ଭିତରେ ସିଝିସିଝି ତନ୍ତୁ ଭଳି କେରା କେରା ହୋଇଯାଏ । ଏଗୁଡ଼ିକୁ କାଟିକୁଟି ଗୁଣ୍ଡ କରାହୁଏ । ଏତିକିବେଳେ ଅସଲ ପରିଜ୍ ବା ଜାଉ ଭଳି ହୁଏ; ଅବଶ୍ୟ ସେଟା କାଠରେ ତିଆରି । ତମ ମୁହଁରେ ଗୁଞ୍ଜିଲେବି ତମେ ଏହାକୁ ଖାଇବ ନାହିଁ । କାରଣ ଆଦୌ ଭଲ ଲାଗେ ନାହିଁ ଏ ଜାଉ । ତେବେ, ଏହା ତ ଖାଇବାପାଇଁ ରନ୍ଧା ହୋଇ ନଥାଏ-। ଏଥିରୁ କାଗଜ ତିଆରି ହୁଏ ଯେ !

 

ଜାଉରୁ କାଗଜ ! କିଏ ବିଶ୍ଵାସ କରିବ ଏ କଥା ! ନା, ଯଦି ବିଶ୍ଵାସ ନ କର, ତେବେ ନିଜେ ତମେ ପରଖି ଦେଖିପାର । ମୋଟେ କଷ୍ଟ କାମ ନୁହେଁ । କାଗଜ ଫର୍ଦ୍ଦେ ଧର । ତା’ ଧାରରୁ ଥିର୍‍କିନି ପତଳା କରି ପରସ୍ତଟିଏ ଛଡ଼ାଅ । ତାକୁ ଆଲୁଅ ସାମନାରେ ଧର । ଦେଖିବ ସେଇଟି ଘନପଦାର୍ଥ ନୁହେଁ । ଦିଶେ ଠିକ୍ ପଶମ ବା ପାଟ ପରି, ସତେ ଯେମିତି ବୁଣାହୋଇଥାଏ ଅତି ସରୁସରୁ ଗଣ୍ଠିଗଣ୍ଠିଆ ତନ୍ତୁରେ । ଏଇ ତନ୍ତୁ ସେହି ଫର୍‍ଗଛ କାଠର ତନ୍ତୁ–ବିରାଟ କେଟ୍‍ଲିରେ ସିଝା ହେଲାବେଳେ ଯାହା ବାହାରିଥାଏ ।

 

ଏଥର କାଗଜଟିକୁ ଛିଣ୍ଡେଇ କୁତୁକୁତା କରିଦିଅ । ତା’ପରେ ପାଣିରେ ଭିଜାଅ । ଦେଖିବ, ତନ୍ତୁସବୁ ଅଲଗାଅଲଗା ହୋଇଯାଉଛି, ଆଉ ମଣ୍ଡ ବାହାରିପଡ଼ୁଛି । କାଗଜ କାରଖାନାରେ ଯେଉଁ ମଣ୍ଡରୁ କାଗଜ ତିଆରି ହୁଏ, ଏ ମଣ୍ଡ ଅନେକ ଅଂଶରେ ତା’ରି ଭଳି ।

 

କାଗଜରୁ ମଣ୍ଡ ବାହାର କରିବା ଆଦୌ କଠିନ ନୁହେଁ । କାଗଜକୁ ଖାଲି ପାଟିରେ ପୂରେଇ ଚୋବାଅ–ମଣ୍ଡ ବାହାରିବ । କିନ୍ତୁ ମଣ୍ଡରେ କାଗଜ ତିଆରି ହେବ କେମିତି ?

 

ଏଇ କଥା ଏବେ ତୁମକୁ କହୁଛୁ ।

 

କାଗଜ ତିଆରି କରିବାକୁ ହେଲେ, ଆଗ ଯେଉଁ ମଣ୍ଡ ତିଆରି ହୋଇଥାଏ, ତାକୁ ହଲେଇ ହଲେଇ ଏକାଠି ମିଶେଇ ଫେଣ୍ଟି ଦିଆଯାଏ । ଏହା ଫଳରେ ତନ୍ତୁଗୁଡ଼ିକ ଛନ୍ଦାଛନ୍ଦି ହୋଇଯାଏ–ଭିଡାଭିଡ଼ି ହୋଇ ଗଣ୍ଠି ବାନ୍ଧିଯାଏ । ତା’ପରେ ତାକୁ ଖୁବ୍ ପାତଳା କରି ତଳେ ଗଡ଼େଇ ଦିଆଯାଏ, ଠିକ୍ ସରୁ ଚକୁଳିପିଠା ପିଠଉ ଭଳି । ଫଳରେ ଖଣ୍ଡେ ଛିଣ୍ଡିଛିଣ୍ଡା ଓଦାଳିଆ କାଗଜ ବାହାରେ ।

 

କିନ୍ତୁ କାଗଜ ତ ପୁଣି ଶୁଖିଲା ଆଉ ଟାଣୁଆ ତ ହେବା ଦରକାର । ଏହାର ଅର୍ଥ, ସେଥିରୁ ପାଣି ନିଗିଡ଼ିଯିବା ଆବଶ୍ୟକ । ତେଣୁ ଓଦା କାଗଜ ଫର୍ଦ୍ଦକୁ ଚିପୁଡ଼ି ଶୁଖେଇବାକୁ ହୁଏ ।

 

ଓଃ, ଗୋଟିକ ପରେ ଗୋଟିଏ କେତେ ଘଟନା ଘଟିଯାଏ, ସତେ ! ଫର୍‍ଗଛ କଟା ହୋଇ ଗଡ଼ କରାହୁଏ, ଗଡ଼ସବୁ ଟୁକୁରା ଟୁକୁରା ହୁଏ, ଚୂନା କାଠସବୁ ଜାଉ ହୁଏ, ଜାଉରୁ କାଗଜ ହୁଏ, କାଗଜରେ ଖାତା ତିଆରି ହୁଏ ।

 

ବେଶି ଚେମେଡ଼ା କାଗଜ କରିବା ଦରକାର ହେଲେ ଛିଣ୍ଡାକନାରେ ତାକୁ ତିଆରି କରିବାକୁ ପଡ଼େ । କାଠରେ ସେ ହୋଇପାରିବନାହିଁ । ଏଇ ଛିଣ୍ଡାକନାକୁବି ସିଝାହୁଏ ଗୋଟାଏ ବିରାଟ କେଟ୍‍ଲିରେ । ତେବେ ସେଥିରେ ଆସିଡ଼୍ ପରିବର୍ତ୍ତେ ଆଲକାଲି (ଖାର) ବା ଲାଇମ (ଚୂନ) ମିଶାଯାଏ । ସିଝାକନାକୁ ମନ୍ଥାଯାଇ ମଣ୍ଡ କରାଯାଏ, ଆଉ ସେଥିରୁ ତିଆରି ହୁଏ ଚେମେଡ଼ା କାଗଜ ।

 

ଆଗେ କଳକବଜା ନଥିଲା । ଏହି କାମସବୁ ହାତରେ ହେଉଥିଲା । ପଥରର ମସ୍ତବଡ଼ ଏକ କୁଣ୍ଡଭିତରେ ଛିଣ୍ଡାକନାଗୁଡ଼ିକ ପାଣିରେ ଭିଜାଯାଇ କୁଟାହେଉଥିଲା । ଟିକିଏ ହେଲେ ଯେମିତି କୋଉଠି ବିଣ୍ଡା କି କନାଟୁକୁରା ରହି ନ ଯାଏଁ ମଣ୍ଡ ଭିତରେ–ସେଥିପାଇଁ କୁଟାକୁଟି କାମରେ ଅନେକ ସମୟ ଲାଗୁଥିଲା । ଏହାପରେ ମଣ୍ଡକୁ ଗୋଟାଏ ଚାରିକୋଣିଆ ଛାଞ୍ଚରେ ଢାଳି ଦିଆଯାଉଥିଲା । ଏହି ଛାଞ୍ଚର ତଳପଟେ ଚାଲୁଣି ଭଳି ତାର ଜାଲିସବୁ ଥାଏ । ଛାଞ୍ଚରେ ମଣ୍ଡକୁ ପୂରେଇ ତାକୁ ବହୁତ ବେଳଯାଏ ପାରୁପର୍ଯ୍ୟନ୍ତ ହଲାଇବାକୁ ହୁଏ । ତାର ଜାଲିର ସରୁ ସରୁ କଣାବାଟେ ମଣ୍ଡରୁ ପାଣି ନିଗିଡ଼ିଯାଏ । ଛାଞ୍ଚ ତଳିରେ ରହିଯାଏ ଓଦାଳିଆ କାଗଜ ଫର୍ଦ୍ଦେ । ଛାଞ୍ଚରୁ ଏ ଖଣ୍ଡିକୁ ସାବଧାନରେ କାଢ଼ି ବାହାର କରାଯାଏ । ତା’ ଉପରେ ଖଣ୍ଡେ ଚିକ୍କଣ ପଟା ଚାପା ଦେଇ ସେଇ ପଟା ଉପରେ ଗୋଟାଏ ବଡ଼ ପଥର ଲଦିଦିଆଯାଏ । କିଛି ସମୟ ପରେ କାଗଜଖଣ୍ଡକୁ ନେଇ ଖରାରେ ଶୁଖାଇଦିଆଯାଏ ।

 

ଛାଞ୍ଚ ତଳିରେ ଥିବା ଜାଲି ଉପରେ କାରିଗରମାନେ ତାରରେ ଅକ୍ଷର ସଜେଇ ନିଜର ନାଆଁ, ଗାଁ ଲେଖିଦେଉଥିଲେ । କାଗଜରେ ତାହା ଛାପି ହୋଇଯାଉଥିଲା । ସେଥିରୁ ଲୋକେ ଜାଣିପାରୁଥିଲେ, କିଏ କୋଉ କାଗଜଖଣ୍ଡ ତିଆରି କରିଛି । ଛାଞ୍ଚର ଅନ୍ୟ ଜାଗାମାନଙ୍କ ଅପେକ୍ଷା ଅକ୍ଷରଗୁଡ଼ିକ ଉପରେ କାଗଜମଣ୍ଡ ପତଳା ହୋଇ ଲାଗେ । ଆଲୁଅ ସାମନାରେ କାଗଜ ଫର୍ଦ୍ଦଟିକୁ ଧରିଲେ ସ୍ଵଚ୍ଛ ଅକ୍ଷରରେ ଲୋକେ କାରିଗର ନାଁ ପଢ଼ିପାରନ୍ତି । ମନେହୁଏ ଯେପରିକି ଅକ୍ଷରଗୁଡ଼ିକ ପାଣିରେ ଲେଖା ହୋଇଛି ।

 

ବେଳେବେଳେ ଅକ୍ଷର ବଦଳରେ କାରିଗରମାନେ ପାଣିଛାପାରେ ଗୋଟିଏ ଗୋଟିଏ ଚିହ୍ନ ଦେଉଥିଲେ । ସବୁ କାରିଗରଙ୍କ ପାଣିଛାପା ଚିହ୍ନ ଅଲଗାଅଲଗା ଥିଲା । କାହାର ଗିର୍ଜା ଚୂଡ଼ାଟିଏ ତ କାହାର ଡେଣାଲଗା ସିଂହ, ଆଉ କାହାର ବା ଦସ୍ତାନା–ଏମିତି କେତେକଅଣ ଚିହ୍ନସବୁ-

 

କାଗଜ ତିଆରିରେ ସେତେବେଳେ ବହୁତ ଖର୍ଚ୍ଚ ଲାଗୁଥିଲା । ଏଥିରେ ଆଶ୍ଚର୍ଯ୍ୟ ହେବାର ବା କ’ଣ ଅଛି ? କାଗଜଖଣ୍ଡିଏ ତିଆରି କରିବାକୁ କେତେ କଷ୍ଟ ଯେ ହେଉଥିଲା ! ଶୀଘ୍ର ଶୀଘ୍ର କାଗଜ ତିଆରି କରିବାପାଇଁ ଲୋକେ ନଈର ସାହାଯ୍ୟ ନେଲେ । ଠିକ୍ ବୁଦ୍ଧିଟାଏ ପାଞ୍ଚିଲେ ସେମାନେ । ନଈପାଣି ସାହାଯ୍ୟରେ ଯଦି ଅଟାକଳ ଚଳାଇ ଗହମ ଚୂରା ହୋଇପାରୁଛି, ତାହାହେଲେ ସେଥିରେ ଛିଣ୍ଡାକନାଗୁଡ଼ିକ ମନ୍ଥା ହୋଇପାରିବ ନାହିଁ କାହିଁକି ଓ ଛାଞ୍ଚଗୁଡ଼ାକ ଦୋହଲେଇ ହେବନାହିଁ ବା କାହିଁକି ?

 

ବହୁତ ବର୍ଷତଳେ ମସ୍କୋ ପାଖରେ ଗୋଟାଏ ପାଣି-ଚଳା କଳ ଥିଲା । ସେଇଟି ପାଖ୍‍ରା ନଈକୂଳରେ ଥିଲା ଏବଂ ସେଥିରେ ଗହମ ପେଷା ହେଉଥିଲା । ତାହାର ପାଖରେ ଗୋଟାଏ କାଗଜତିଆରି କଳ ବସିଲା । ସେଇ ପାଣି-ଚଳା କଳର ମାଲିକ କାଗଜ ମିସ୍ତ୍ରିକୁ ସାହାଯ୍ୟ କଲା । କଳଦୁଇଟି ପାଖାପାଖି ରହି ସୁରୁଖୁରୁରେ କାମ କଲା । ଗୋଟିକରୁ ଗାଡ଼ି ଗାଡ଼ି ଅଟା ମଇଦା ବାହାରି ରୁଟିସେକା ଜାଗାକୁ ଚାଲିଲା । ଆଉ ଗୋଟିକରୁ କାଗଜ ବାହାରିଲା–ଲୋକେ ଲେଖାଲେଖି କରିବାକୁ ସୁବିଧା ପାଇଲେ । ଥରେ ବସନ୍ତକାଳରେ ନଈରେ ପ୍ରବଳ ବଢ଼ି ହେଲା । ନଈମଝିରେ ଥିବା ପାଣିରୋକା ବନ୍ଧଟା ଭାଙ୍ଗିଗଲା । ସେଥିରେ କାଗଜକଳଟା ଭୁଶୁଡ଼ିପଡ଼ିଲା । ଏହାପରେ ଆଉ ଗୋଟିଏ କାଗଜ କଳ ବସିଲା–ୟାଉଜା ନଈକୂଳରେ ।

 

ଏବର ଲେନିନ୍‍ଗ୍ରାଦ୍ ସହରକୁ ସେତେବେଳେ ସେଣ୍ଟପିଟର୍ସବର୍ଗ କୁହାଯାଉଥାଏ । ଏହି ସହରଟି ଗଢ଼ାହେଲାବେଳେ ସେଠି ମଧ୍ୟ ଗୋଟିଏ କାଗଜକଳ ବସିଲା । ଏ କାଗଜ କଳଟି ଚାଲୁହେଲାକ୍ଷଣି ଜାର୍ ପ୍ରଥମ ପିଟର ଖବରଟା ଲୋକଙ୍କୁ ଡେଙ୍ଗୁରା ଦିଆଇ ଜଣାଇଦେଲେ । ଡେଙ୍ଗୁରାବାଲା ଜାର୍‍ଙ୍କ ଆଦେଶକୁ ଘୋଷଣା କରି କରି ରାସ୍ତାଯାକ ବୁଲିବୁଲି କହିଲା ଯେ, ଜାର୍‍ଙ୍କ ଆଦେଶରେ ‘ଗ୍ୟାଲି ୟାର୍ଡ଼’ ପଛରେ ଗୋଟିଏ କାଗଜକଳ ବସିଚି । ବିକ୍ରିପାଇଁ ନୌବିଭାଗରେ କାଗଜସବୁ ରହିଛି । ଗ୍ୟାଲି ବୋଲାଉଥିବା ଜାହାଜମାନ ସେଇଠି ତିଆରି ହୁଏ ।

 

ଏ କାଗଜ ବେଶ୍ ମୋଟା ଆଉ ଟାଣୁଆ ହୋଇଥାଏ । ସେଥିରେ ଗୋଟିଏ ନଙ୍ଗର ଚିତ୍ର ପାଣିଛାପାରେ ଦିଆଯାଇଥିଲା । ଏଇ ଚିତ୍ରଟି ନୂଆ ରାଜଧାନୀ ପିଟର୍ସବର୍ଗର ଦୁଇବାହୁ ଭଳି ଦେଖାଯାଉଥାଏ । କିନ୍ତୁ ଏ କାଗଜର ଦାମ୍ ଏତେ ବେଶୀ ହୋଇଥାଏ ଯେ ଅତି ଅଳ୍ପ ଲୋକ ତାକୁ କିଣିପାରୁଥାନ୍ତି ।

 

ଏମିତି ଅବସ୍ଥାରେ ସ୍କୁଲ୍‍ପିଲାଏ କାଗଜ ପାଆନ୍ତେ ବା କୋଉଠୁ ? ସେଥିପାଇଁ ତାଙ୍କର ଖାତାପତ୍ର ହୋଇପାରୁ ନଥାଏ । ତେବେ, କୌଣସିମତେ ସେମାନେ ଲେଖାଲେଖି ଶିଖୁଥାନ୍ତି । ସେମାନେ ସ୍କୁଲ୍‍କୁ ସ୍ଲେଟ୍ ଆଉ ପେନ୍‍ସିଲ୍ ନେଇ ଯାଉଥାନ୍ତି । ଗୋଟାଏ ପ୍ରକାର କଳା ପଥରକୁ ପତଳା ଆଉ ଚିକ୍କଣ କରି ସ୍ଲେଟ୍ ତିଆରି ହୋଇଥାଏ ।

 

ସ୍କୁଲ୍‍ରେ ତମେ କଳାପଟାରେ ଲେଖ । କଳାପଟାଟା ଖୁବ୍ ବଡ଼ । ଗୋଟିଏ କ୍ଲାସ୍‍ପାଇଁ ତମର ଗୋଟିଏ କଳାପଟା ଥିବ । କିନ୍ତୁ ଆଗେ ପ୍ରତ୍ୟେକ ସ୍କୁଲ୍‍ପିଲାର ନୋଟ୍ ଖାତା ପରିବର୍ତ୍ତେ ଗୋଟିଏ ଗୋଟିଏ ଛୋଟ କଳାପଟା ଥିଲା ।

 

କିନ୍ତୁ ଏହି ଛୋଟ କଳାପଟାଗୁଡ଼ିକରେ ଲେଖାଲେଖି କରିବା ଖୁବ୍ ସୁବିଧାଜନକ ନଥିଲା; କାହିଁକି ନା, ଥରେ ଲେଖି ନିଭେଇସାରିଲେ ଯାଇ ପୁଣି ସେଥିରେ ଲେଖାଯାଏ । ଗଲାକାଲି କି ପହରିଦିନ କ’ଣ ପଢ଼ାହୋଇଥିଲା, ବା କ’ଣ ଲେଖାହୋଇଥିଲା, ପିଲାଏ ତା’ ଜାଣିପାରୁ ନଥାନ୍ତି ।

 

କାଗଜ କଥା ଅଲଗା । ତାକୁ ଯାହା ରଖିବାକୁ କୁହାଯାଏ, ସେ ତାହା ବିଶ୍ଵାସରେ ସାଇତି ରଖେ । ଆଗେ ଲୋକେ କହୁଥିଲେ, କାଗଜ ଉପରେ କଲମରେ ଯାହା ଲେଖାଯାଏ କୁରାଢ଼ିରେ ତାକୁ ହାଣି ହୁଏ ନାହିଁ । କାଗଜ ଯେତେବେଳେ ଶସ୍ତା ହେଲା, ସେତେବେଳେ ଯାଇଁ ସବୁ ସ୍କୁଲ୍‍ପିଲାଏ ନିଜ ନିଜର ଖାତା କରିପାରିଲେ । ଆଉ ଯେତେବେଳେ କାଗଜ ତିଆରିପାଇଁ ବଡ଼ବଡ଼ କଳମାନ ଗଢ଼ାହେଲା, ସେତିକିବେଳେ ଯାଇଁ କାଗଜ ଶସ୍ତା ହେଲା ।

 

ଏବେ ବିରାଟ ବିରାଟ କାଗଜକଳମାନ ବସିଛି । ଏହା ମଣିଷକୁ କାଗଜ ତିଆରି କାମରେ ସବୁପ୍ରକାର ସାହାଯ୍ୟ ଦେଉଛି । ଏମିତିକି ଜଙ୍ଗଲରେ ଫର୍‍ଗଛସବୁ ଛିଡ଼ାହୋଇଥିବା ଜାଗାରୁ କଳମାନ ବ୍ୟବହାର ହେଉଛି । ବିଜୁଳିଶକ୍ତିରେ ଚାଳିତ ବଡ଼ବଡ଼ କରତକଳମାନ ଯାଇ ଫର୍‍ଗଛକୁ ସବୁ କାଟିପକାଉଛି । ଆଉ ଗୋଟାଏ କାଠ-ବୁହା କଳ କାଠଗଡ଼ଗୁଡ଼ାକୁ ନେଇ ନଈରେ ପକାଉଛି । ନଈରେ ଗୋଟା ଗୋଟା ହୋଇ ବା ପଟାଳି ଆକାରରେ ସେଗୁଡ଼ିକ ଭାସି ଭାସି ଯାଉଛି । ଭାସି ଭାସି ଯାଇ ସେଗୁଡ଼ିକ କାଗଜକାରଖାନାର କାଠଗୋଲ ତୁଠରେ ଲାଗୁଛି । ସେଠି ଗୋଟାଏ ମସ୍ତବଡ଼ କଳ ସେଗୁଡ଼ିକୁ ପାଣିରୁ ଉଠେଇନେଇ କୂଳରେ ସଜାଡ଼ି ରଖୁଛି । ସେଇଟାର ନାଁ ‘କେବଲ୍‍କ୍ରେନ୍’ ।

 

ତା’ପରେ ସେଇ କାଠଗରଗୁଡ଼ିକୁ କାରଖାନାକୁ ପଠାଇଦିଆଯାଉଛି । ସେଠି ଆଉ କେତେକ କଳର କାମ ଆରମ୍ଭ ହୋଇଯାଉଛି । ଅନେକଗୁଡ଼ିଏ ଧାରଥିବା କଳକରତରେ ସେଗୁଡ଼ିକୁ ଖଣ୍ଡଖଣ୍ଡ କରାଯାଉଛି । କାଠଖଣ୍ଡଗୁଡ଼ିକରୁ ଆଉ ଗୋଟିଏ ବଳକାଛଡ଼ା କଳରେ ବଳକାମାନ ଛଡ଼ାହେଉଛି । ଆଉ ଗୋଟିଏ କଳ ଛେଚି ଛେଚି କାଠଖଣ୍ଡଗୁଡ଼ିକ ଟିକିଟିକି କରୁଛି । ଏହାପରେ ବିରାଟ କେଟ୍‍ଲିରେ ଯାଇ କାଠଗୁଣ୍ଡଗୁଡ଼ିକ ଜମା ହେଉଛି, ଆଉ ସେଥିରେ ସିଝା ହେଉଛି । କାଠଗୁଣ୍ଡରେ ଆଉ ଯାହା ଅଦରକାରୀ ଜିନିଷ ଥାଏ, ତାହାକୁ ବାହାର କରାଯାଇ ଓ ସିଝାମଣ୍ଡକୁ ଧୁଆଯାଇ ସଫା କରାହେଉଛି । ଏହାପରେ କାଗଜମଣ୍ଡ ଆଉ ଗୋଟିଏ କଳରେ ପେଷା ହେଉଛି । ତା’ର ତନ୍ତୁସବୁ ମନ୍ଥିହୋଇ କୁତୁକୁତା ହୋଇଯାଉଛି । ଶେଷରେ ମଣ୍ଡକୁ ଆଉ ଗୋଟିଏ କଳକୁ ପଠାଯାଉଛି ।

 

ଏତେ ବଡ଼ କଳ ତୁମେ ତୁମ ଜୀବନରେ ଦେଖି ନଥିବ । ଏଇ କଳ ଆଉ ଗୋଟିଏ ସାଧାରଣ ଘର ଭିତରେ ଯେଉଁ ତଫାତ୍, ତାହା ଗୋଟିଏ ହାତୀ ଆଉ ଚଢ଼େଇ ପଞ୍ଜୁରୀ ମଧ୍ୟରେ ଥିବା ତଫାତ୍ ଭଳି । ତମେ ଏ କଳର ଗୋଟାଏ ମୁଣ୍ଡରେ ଯଦି ଛିଡ଼ା ହୁଅ, ଆରମୁଣ୍ଡଟି ଦେଖିପାରିବ ନାହିଁ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ; କାରଣ, କେତେଗୁଡ଼ିଏ ଯନ୍ତ୍ର ମିଶି ତିଆରି ହୋଇଚି ଏକ କଳଟି ।

 

ଆଉ ଏଇ କଳ ଭିତରେ ଥିବା ପ୍ରତ୍ୟେକ ଯନ୍ତ୍ରକୁ ଯାହା କୁହାଯାଏ ସେ ତାହା କରେ । ଗୋଟିଏ ମଣ୍ଡକୁ ହଲାଉଥାଏ ଓ ତନ୍ତୁଗୁଡ଼ିକୁ ଏକାଠି ମିଶାଇ ଛନ୍ଦିଛାନ୍ଦି ଦିଏ; ଆଉ ଗୋଟିଏ କାଗଜରୁ ପାଣି ନିଗାଡ଼ିଦିଏ ଓ କାଗଜକୁ ଆଉ ଗୋଟିଏ କଳକୁ ପଠାଏ; ତୃତୀୟ କଳଟି ମନଦେଇ କାମରେ ଲାଗିଯାଏ–ବଡ଼ବଡ଼ ତାତିଲା ଲୁହା ରୋଲର ଭିତରେ ପୂରାଇ କାଗଜକୁ ଇସ୍ତ୍ରୀ ମଡ଼ାଇ ଚିକ୍କଣ କରେ । ଏଥିରେ କାଗଜ ପୂରାପୂରି ଶୁଖିଯାଇ ସମତୁଲିଆ ହୋଇ ବାହାରେ । ଶେଷରେ ବଡ଼ବଡ଼ ନଟେଇରେ କାଗଜ ଗୁଡ଼େଇ ହୋଇ ବିରାଟ ‘ରୋଲ’ ଆକାରରେ ବାହାରେ । କାଗଜ-ମିସ୍ତ୍ରି ଭଲରୂପେ ଜାଣେ ଯେ, ଯେତେ ଶୀଘ୍ର ଯେତେ କାଗଜ ତିଆରି ହୋଇ ଆସି ଏମିତି ଫିତାପରି ଗୁଡ଼େଇ ହେଉଥିବ, ସେତେ ଶୀଘ୍ର ସେତେ କାଗଜ ସବୁ ପିଲାଙ୍କୁ ଯୋଗାଇ ହେବ । ଆମ ଦେଶରେ ତ ଆମେ ସମସ୍ତେ ମିଳିମିଶି ଏକାଠି କାମକରୁ । ପ୍ରତ୍ୟେକେ ଚଞ୍ଚଳ ଚଞ୍ଚଳ କାମ କରି ସମୟ ବଞ୍ଚାଇ ପାରିଲେ ଶୋଭିଏତ୍ ୟୁନିୟନ୍ ଚଞ୍ଚଳ ଉନ୍ନତି କରିବ ଏବଂ ଦିନକୁଦିନ ଆହୁରି ଧନଶାଳୀ, ଆହୁରି ବଳୀୟାନ ହେବ ।

 

କଳମିସ୍ତ୍ରି ଯେତେବେଳେ ଗୋଟିଏ ବୋତାମ ଟିପିଦିଏ, ସେତେବେଳେ ତାହାର ଡାହାଣ ପଟକୁ ମୁହଁ କରି ଗୋଟାଏ ତୀର ବାହାରିଆସେ । ଏହି ତୀରଟି ଦେଖାଇଦିଏ କଳର ଗତିବେଗ । ପ୍ରତି ମିନିଟ୍‍ରେ ୨୭୩ ଗଜ ଲେଖାଏଁ କାଗଜ ସର୍‍ର୍‍କିନା ବାହାରିଆସେ । ଏହାର ଅର୍ଥ–ପ୍ରତି ମିନିଟ୍‍ରେ କାଗଜକଳରୁ ୨୭୩ ଗଜ କାଗଜ ବାହାରେ ।

 

ବିରାଟ କଳଟା ଆହୁରି ଜୋରରେ ଘର୍ଘର କରିଉଠେ । କାଗଜ ଫିତାରୁ ନେଳି ନେଳି ଇଲେକ୍‍ଟ୍ରିକ୍ ଝୁଲସବୁ ଚଡ଼ଚଡ଼ ଶବ୍ଦ କରି ବାହାରୁଥାଏ । କଳ ଶେଷରେ ଥିବା ନଟେଇ ଦେହରେ କାଗଜ ଗୁଡ଼ାଇହୋଇ ବେଳକୁବେଳ ଫୁଲିଉଠୁଥାଏ, ଗଡ଼ି ଗଡ଼ି ବଡ଼ ହୋଇଉଠୁଥିବା ତୁଷାର ପେଣ୍ଡୁ ଭଳି ।

 

କଳମିସ୍ତ୍ରି ଚକିତ ହୋଇ ଭାବେ–ମେସିନ୍‍କୁ ଆହୁରି ବେଗରେ ଚଳେଇ ହେବ ନା ନାହିଁ-

 

“ଆହୁରି ଶୀଘ୍ର” ବୋଲି ଲେଖାଯାଇଥିବା ବୋତାମଟିକୁ ସେ ଟିପିଦିଏ । ଗତିର ବେଗ ଦେଖାଉଥିବା ଯନ୍ତ୍ରଟିରେ ଯେଉଁ ତୀରଚିହ୍ନଟି ଥାଏ, ସେଇଟି ଆହୁରି ଡାହାଣକୁ ଚାଲିଯାଏ । ଚାହୁଁଚାହୁଁ ଏହା ଗୋଟିଏ ଲାଲ ଗାର ପାଖରେ ପହଞ୍ଚେ । ସେଠି ଲେଖାଥାଏ, ୨୯୯ ଗଜ । ଏହି ଗାର ଟପି ତୀରଚିହ୍ନଟି ଆଉ ଆଗକୁ ଯାଇପାରେ ନାହିଁ । ମେସିନ୍ ଏହାଠୁ ବେଶୀ ଚାଲିଲେ କାଗଜଫିତା ଛିଣ୍ଡି ଚିରିଚାରି ଯିବ । ଆଉ ମଟରଗୁଡ଼ାକ ଭାଙ୍ଗି ଚୂରମାର ହେଇଯିବ ।

 

କାମ ସରିଯାଏ । ମିସ୍ତ୍ରି ଆଉ ତାଙ୍କ ସହକର୍ମୀ ସବୁ ଏକାଠି ହୁଅନ୍ତି । ମେସିନ୍‍ର କିପରି କ’ଣ ପରିବର୍ତ୍ତନ କଲେ ତାକୁ ଲାଲଗାର ଡିଆଁଇ ଚଳେଇପାରିବେ, ଏଇ କଥା ବସି ଆଲୋଚନା କରନ୍ତି ।

 

ସେମାନେ ଲାଲଗାରଟି ଟପିପାରିଲେ ତ ? ହଁ, ପାରିଥିଲେ । ଏହାର ଅର୍ଥ ଏବେ ମେସିନ୍‍ସବୁ ଏମିତି ହେଲାଣି ଯେ ମିନିଟ୍‍କୁ ସେଗୁଡ଼ିକ ୩୮୩ ଗଜ କାଗଜ ବାହାର କରିବା ଭଳି ବେଗରେ କାମ କରୁଛି । ଏମିତିକି ଏହାଠୁ ବଳି ଆହୁରି ବେଗରେ ଚାଲିଲାଣି ମଧ୍ୟ ।

 

ଗୋଟିଏ କାଗଜ ବଣ୍ଡିଲ ତ ଆଉ ଗୋଟିଏ ନୋଟ୍‍ ଖାତା ନୁହେଁ । ତାକୁ ତ ଟିକିଏ ହେଲେ ଚଙ୍କେଇ ହେବ ନାହିଁ; ସେଥିରେ ଲେଖିବ କେମିତି ଯେ ? ତାକୁ ଯଦି ଫିଟେଇବାକୁ ଆରମ୍ଭ କରିଦିଅ, ଦେଖିବ, ସେଇଟା ତୁମ ଘରଠୁ ସ୍କୁଲ୍‍ ଯାଏଁ ସମୁଦାୟ ରାସ୍ତାକୁ କାଗଜରେ ଛାଉଣି କରିଦେବ । ଆଉ ସେତେବେଳେ ଖାଲି କାଗଜରାସ୍ତାରେ ଚାଲି ତୁମେ ସ୍କୁଲ୍‍କୁ ଯିବ । ସେଇ କାଗଜ ବଣ୍ଡିଲକୁ ଫର୍ଦ୍ଦ ଫର୍ଦ୍ଦ କରି କାଟି ସଜେଇବାକୁ ହୁଏ; ଏକାଠି ଗୁନ୍ଥି ସିଲେଇ କରିବାକୁ ହୁଏ; ମଲାଟ ମଡ଼ାଇବାକୁ ହୁଏ ତା’ ଉପରେ । ଏହା ହେଲେ ଯାଇଁ ଲେଖାଲେଖି ହୁଏ ସେଥିରେ । କିନ୍ତୁ ଏ ସବୁ କାମକୁ ହାତରେ କରିବାକୁ ଯିବାର ଅର୍ଥ କିଛି ନାହିଁ । କାହିଁକି ନା, କାଗଜ ଯେତେ ଶସ୍ତା ହେଉ ପଛେ, ହାତରେ ଗୋଟି ଗୋଟି କରି ଖାତା ସିଲେଇ କଲେ ବହୁତ ଖର୍ଚ୍ଚ ଲାଗିଯିବ ।

 

ଏଣୁ ପୁଣି ମେସିନ୍ ଦରକାର । ତୁମଭଳି ସ୍କୁଲ୍‍ ପିଲାଙ୍କ ଲାଗି ଖାତା ବାନ୍ଧିବାକୁ ଯେଉଁଭଳି ମେସିନ୍ ଲୋଡ଼ା ସେମିତି ମେସିନ୍‍ବି ତିଆରି ହୋଇଛି, ଆଉ ପୂରାଦମ୍‍ରେ ଏବେ କାମ କରୁଛି ।

 

କାଗଜ କାରଖାନା ସବୁ ବସେ ଜଙ୍ଗଲ ଜାଗାରେ, ବଡ଼ବଡ଼ ନଈକୂଳରେ । ଏଇ ‘କାମା’ ନଈକୂଳରେ ଗୋଟାଏ ବିରାଟ କାଗଜ କାରଖାନା ବସିଛି । କିନ୍ତୁ ଖାତା ତିଆରି ହୁଏ ଯେକୌଣସି ସହରରେ, ଯେକୌଣସି ସମତଳ ଭୂଇଁ, ଷ୍ଟେପି ଅଞ୍ଚଳରେ, ଯେଉଁଠି ଜଙ୍ଗଲ କଥା ଛାଡ଼, ଗୋଟିଏ ବୋଲି ଗଛ ହୁଏତ ନଥାଏ କୋଉଠି । କାଗଜକାରଖାନାରୁ ବଣ୍ଡିଲକୁ ବଣ୍ଡିଲ କାଗଜ ମାଲଗାଡ଼ିରେ ବୋଝେଇହୋଇ ଯାଏଁ ଖାତାକାରଖାନାକୁ । କାଳେ ବର୍ଷା କାକରରେ ଭିଜିଯିବ ସେଥିପାଇଁ ନିବୁଜ ମାଲଡ଼ବା ଭିତରେ ଭର୍ତ୍ତି କରାଯାଇଥାଏ ସେଗୁଡ଼ିକୁ ।

 

କାଗଜକାରଖାନାରେ କାଗଜବଣ୍ଡିଲଗୁଡ଼ାକ ପୂରାପୂରି ତିଆରି ମାଲ୍; କିନ୍ତୁ ଖାତା କାରଖାନାରେ ସେଗୁଡ଼ିକ କଞ୍ଚାମାଲ୍ । ସେଠି ପହଞ୍ଚିବାମାତ୍ରେ କାଗଜ ଆଗ ଫର୍ଦ୍ଦ ଫର୍ଦ୍ଦ ହୋଇ କଟାଯାଏ କାଗଜକଟା କଳରେ । ତା’ପରେ କାମ ଆରମ୍ଭହୁଏ ଖାତାତିଆରି କଳର । ସବୁଥିକି ଧୁରନ୍ଧର କଳ ଏଇଟି । ଏଇଟି ଚାଲୁଥିଲାବେଳେ ଯଦି ଦେଖ, ତୁମେ ଭାବିବ ଯେ ସବୁକଥା ଯେମିତି ବୁଝିପାରୁଛି ଏ କଳଟି । ଅଙ୍କପାଇଁ ଯଦି ଖାତା ଦରକାର, ତେବେ ସେଥିରେ ଆଗ ତଳୁ ଉପର, ଉପର ତଳ, ଆଉ ଡାହାଣ ବାଆଁ, ବାଆଁ ଡାହାଣ ଗାର ପକେଇଯାଉଛି କଳଟି । ଚାରିକଣିଆ ଘରଗୁଡ଼ିକରେ ଭର୍ତ୍ତି କରିଦେଉଛି ଖାତାର ପୃଷ୍ଠାଗୁଡ଼ିକୁ, ଗୋଟିଗୋଟିକିଆ ଛଡ଼ାଛଡ଼ା ଗାର ପକେଇଲାଗିଛି ବଡ଼ବଡ଼ ପିଲାଙ୍କପାଇଁ, ଆଉ ତିନିଟିକିଆ ତେରଛା ଗାରସବୁ ଟାଣିଚାଲିଛି ଛୋଟ ଛୋଟ ପିଲାଗୁଡ଼ିଙ୍କ ପାଇଁ ।

 

ଆଗ ଏଇ ଗାରସବୁ ଟାଣିଯାଉଛି କାଗଜର ଗୋଟାଏ ପଟରେ; ତା’ପରେ କାଗଜକୁ ଓଲଟେଇ ଦେଇ ଗାର ପକାଉଛି ଆରପଟରେ । ଏହାପରେ ବଡ଼ବଡ଼ ଫର୍ଦ୍ଦକୁ କାଟି ଛୋଟ ଛୋଟ କରି ଦେଉଛି, ଆଉ ଗଣି ଗଣି ରଖୁଛି ଛଅ ଛଅ ଖଣ୍ଡ ଲେଖାଏଁ । ଏଇ ଗଣିବାରେ ଆଦୌ ଭୁଲ କରୁନାହିଁ କଳଟା; ସତେ ଯେମିତିକି ଗଣିବା ଶିଖୁଛି ସେ ଅନେକ ଦିନରୁ ।

 

ଛଅଖଣ୍ଡି କଟା କାଗଜ ଥାକ ହୋଇ ଥୁଆହେବାମାତ୍ରେ କଳଟା ତାକୁ ଠେଲି ଦେଉଛି ନିଜର ସାମନାକୁ, ଆଉ ସେହି କଟାକାଗଜ ଥାକଆଡ଼କୁ ସାମ୍ନା ପଟରୁ ଧାଇଁ ଆସୁଛି ମଲାଟ । ଏଇଟିବି ତିଆରି ହୋଇ ଆସୁଛି ଆଉ ଗୋଟିଏ କଳରେ । ଥିର୍‍କିନି ଖସିଯାଇ ମଲାଟଟି ମାଡ଼ିହୋଇଯାଉଛି କାଗଜଥାକ ଉପରେ । ତେବେବି ଖାତା ତିଆରି ସରି ନାହିଁ । ମଲାଟ ଆଉ ତା’ ପେଟତଳର କାଗଜଥାକ ତ ପୁଣି ଅଧାରୁ ଭାଙ୍ଗିହେବା ଦରକାର । କାହିଁକି ନା, ଖାତାକୁ ମଝିରୁ ମେଲାଇଦେଲେ, କାଗଜ ଦି’ ପତ୍ର ମିଶି ଯେମିତି ରହିବା ତାହା ଠିକ୍ ସେମିତି ଥାଏ । ଖାତାକଳ ତ ଗାର ପକେଇପାରେ, କାଗଜକୁ ଭାଙ୍ଗିପାରେ, କାଟିପାରେ; କିନ୍ତୁ ସିଲେଇ କରିବାଟି ଶିଖିନାହିଁ । କାରଖାନାର ଆଉ ଗୋଟିଏ ଘରେ ଆଉ ଗୋଟିଏ ପ୍ରକାର ମେସିନ୍ ଖାତା ସିଲେଇରେ ଲାଗିଯାଏ-। ସେ ଘରେ ବହୁତ ସିଲେଇକଳ ଥାଏ ।

 

ତମ ଘରେ ଥିବା ସିଲେଇକଳରେ ସୂତାରେ ସିଲେଇ ହୁଏ; କିନ୍ତୁ ଖାତା ସିଲେଇ କଳ ସିଲେଇ କରେ ତାରରେ । ଏ ସିଲେଇକଳ ଚାଲୁ ହେବାକ୍ଷଣି ଖାତାରେ ଏକ ସମୟରେ ଚାରୋଟି ଜାଗା ପୋଡ଼ି କଣା କରିଦିଏ; ଆଉ ଚାରୋଟି ଚକ୍‍ଚକ୍ ତାର ଗଳେଇ ସିଲେଇକରେ । ଏଇ (ଷ୍ଟେପ୍‍ଲ୍) ତାରକୁ ତମେ ଅନେକଥର ଦେଖିବନି । ଖାତାର ପତ୍ରଗୁଡ଼ିକୁ ଏଗୁଡ଼ିକ ଏକାଠି ଜାବୁଡ଼ି ଧରନ୍ତି । ତମେ ଯେତେବେଳେ ଖାତାର ମଝି ପତ୍ରଟିକୁ ଛିଣ୍ଡେଇ କାଗଜ ଉଡ଼ାଜାହାଜ ତିଆରି କରିବାକୁ ମନ କର, ସେତେବେଳେ ଏ ଷ୍ଟେପ୍ଲସବୁ କାଗଜକୁ ଜୋରରେ କାମୁଡ଼ି ଧରନ୍ତି; ସତେ ଯେମିତି ସେଗୁଡ଼ିକ କହୁଥାନ୍ତି, “ଏଃ, ଛାଡ଼ ! ହାତ ଛାଡ଼ ! ନଷ୍ଟ କରେ ନା ତମ ଖାତା !”

 

ସକାଳୁ ସଞ୍ଜଯାଏଁ କାମ ଚାଲିଥାଏ ଖାତାକାରଖାନାରେ । ଗୋଟିଏ ସ୍କୁଲ୍‍ ଛଅ ମାସରେ, ଏମିତିକି ବର୍ଷକରେ ଯେତେ ଖାତା ବ୍ୟବହାର କରେ, ଗୋଟିଏ କାରଖାନା ଦିନକରେ ତାହାଠୁଁ ବେଶୀ ଖାତା ତିଆରି କରିଦିଏ ।

 

ହେଇ, ଦେଖ ! କେଡ଼େ ନିର୍ମଳ ନୂଆ ଖାତାଟିଏ ତମ ଟେବୁଲ ଉପରେ ତମ ସାମ୍ନାରେ; ବେଶ୍ ଚୁପ୍‍ଚାପ୍ ଆରାମରେ ଶୋଇଚି ଯେମିତି । ଟିକିଏ ହେଲେ କାହିଁକି କହନ୍ତା ଭଲା–କେମିତି ଦିନେ ଫର୍‍ଗଛଟିଏ ଥିଲା ସେ, ଆଉ ତା’ର ଡାଳରୁ ଡାଳକୁ ଡେଉଁଥିଲା ଛୋଟ ଗୁଣ୍ଡୁଚିମୂଷାଟି ! ନା, ଖାତାଟି କହିପାରିବ ନାହିଁ, କେମିତି ନଈରେ ଭାସି ଭାସି ଆସିଥିଲା ଫର୍‍ଗଛଟି, କେମିତି ସେଇଟି ସିଝା ହୋଇଥିଲା ବିରାଟ କେଟ୍‍ଲିରେ, କେମିତି କେତେ କଳ ଭିତରେ ପଶିଚି ଆଉ ସମୁଦାୟ ଦେଶ ଟପିଆସିଚି କେତୁଟା ଦିନରେ । ଏଇଥିରୁ ବୁଝ, ଫର୍‍ଗଛଟା ଖାତା ହେବା ଆଗରୁ କେତେ ସାହସିକ କାମସବୁ କରିଆସିଥିବ । ଏଣିକି ଖାତାର ଭାଗ୍ୟ ତମ ହାତରେ ।

 

ତୁମେ ସେଥିରେ ସୁନ୍ଦର ସୁନ୍ଦର କବିତା ବେଶ୍ ସଫାସୁତୁରା ଗୋଲ ଗୋଲ ଅକ୍ଷରରେ ଉତାରି ପାର । ଏହା ହେଲେ ତୁମର ନୀରବ ଖାତାଟି କଥା କହିବ ଗୁଣୁଗୁଣୁ ଗୀତର ଛନ୍ଦରେ । ଯିଏ ତାକୁ ଉଠେଇନେବ, ତା’ ଆଗରେ ଖାତାଟି ଆବୃତ୍ତି କରିବ ତମେ ଯାହା ଲେଖିଥିବ, ସେଇ ପଦକୁ ସବୁ । ସ୍କୁଲ୍‍ରେ ଭଲ ପଢ଼ାପଢ଼ି ଲେଖାଲେଖି କରିବାରେ, ଆଉ କେତେକେତେ କଥା ଜାଣିବାରେ ଭାରି ସାହାଯ୍ୟ କରିବ ତମକୁ ଏ ଖାତାଟି ।

Image

 

Unknown

କଲମତ୍ରାସର କାହାଣୀ

 

କୋଉ ସ୍କୁଲ୍‍ପିଲା ବା ସ୍ଵପ୍ନ ନ ଦେଖେ ଚକ୍‍ଚକ୍ ନୂଆ କଲମତ୍ରାସଟିକି !

 

ଅବଶ୍ୟ ଛୁରି ତ ଅନେକ ପ୍ରକାରର ଅଛି । ଗୁଡ଼ିଏ ଭାରି ସାଧାସିଧା, ଗୋଟିଏ ପାଖରେ ଧାର ଥାଏ ସେଥିରେ । ଆଉ କେତେଗୁଡ଼ିଏ ଛୁରି ଅଛି–ସେଥିରେ ଥାଏ ଠିପି-କଢ଼ା ପେଚ, ପେଚକଷ, ଆଉ ଦୁଇ ପାଖରେ ଧାର ଓ ଗୋଟିଏ ଉହା । ଏମିତିକା ଛୁରିଟିଏ ଯଦି ଥାଏ ତମର, ତେବେ ସମସ୍ତେ ତମକୁ କହିହେଉଥିବେ କିଛିହେଲେ କିଛି ଘରର କାମ କରିବାକୁ ।

 

ଗୋଟାଏ ସକେଟ୍ ଲଗେଇବେ ବାପା । ଡାକ ପଡ଼ିବ ତାଙ୍କର–ଆରେ, ପେଚକଷ କାହିଁ-? ହେଇ ଯେ, ତୁମରି କଲମତ୍ରାସରେ ଅଛି । ଗୋଟିଏ ଟିଣ ଖୋଳିବେ ମାଆ । କାହିଁରେ, ଟିଣ-ଖୋଲା କାହିଁ ? ତୁମରି କଲମତ୍ରାସରେ ଅଛି ଯେ । ନା, ଛୁରି ତ ନୁହେଁ ଏଇଟି । ଗୋଟିଏ ସର୍ବକୁଶଳୀ କାରିଗର ଏ ।

 

ଏମିତି କି ଗୋଟିଏ ବା ଦୁଇଟି ଧାର ଥିବା ଅତି ସାଧାସିଧା ଧରଣର ଛୁରିବି ନିହାତି ଅକାମିକା ନୁହେଁ । ସେଥିରେ ପେନ୍‍ସିଲ୍ କଟାଯାଇପାରିବ । ଆଳୁରୁ ଚୋପା ଛଡ଼ାଯାଇପାରିବ । ଆଉ ଦକ୍ଷ ଲୋକ ହାତରେ ଥିଲେ ତ ତା’ ସାହାଯ୍ୟରେ କାଠପଟାରୁ ଜାହାଜଟିଏ ଗଢ଼ିହେବା । ବାଉଁଶକଣିରୁ ସୁଷୁରି ତିଆର କରିହେବ । ସେଥିରେ ଯେ ଖାଲି ଗଛରୁ ଡାଳ କାଟିହେବ, ଏମିତି ନୁହେଁ ବଳକା ଉପରେ ନାନା ରକମର କମକୁଟ ଚିତ୍ରମାନ ଆଙ୍କିହେବ ।

 

ମଣିଷପାଇଁ ଛୁରିକୁ କଠିନ ପରିଶ୍ରମ କରିବାକୁ ପଡ଼େ । କିନ୍ତୁ ଛୁରିଟିଏ ବାହାର କରିବା ଆଗରୁ ମଣିଷକୁବି ଭାରି କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ଜଣେ ହେଲେ ଏମିତି କାରିଗର ନାହିଁ, ଯିଏ ଏକା ଏକା ଆଦ୍ୟରୁ ଶେଷ ଯାଏଁ ଛୁରିଟିଏ ଗଢ଼ିପାରିଥିବା ! କାରଣ ବହୁତ ଲୋକ ଲାଗନ୍ତି ଛୁରିଟିଏ ଗଢ଼ିବାପାଇଁ । ଆଗ ଲୁହାଖଣିରୁ ଲୁହାପଥର ବାହାର କରନ୍ତି ଖଣି-ଖୋଳାଳିମାନେ ! ସେଇ ଲୁହାପଥରକୁ ନେଇ ବଡ଼ବଡ଼ କଳଚୁଲିରେ ତରଳେଇ ସେଥିରୁ ଢଳେଇଲୁହା ବାହାର କରନ୍ତି ଢଳେଇ ଶ୍ରମିକସବୁ । ଇସ୍ପାତମିସ୍ତ୍ରିମାନେ ଢଳେଇ ଲୁହାରୁ ପୁଣି ଇସ୍ପାତ ତିଆର କରନ୍ତି । ଧାତୁକାରିଗରମାନେ ସେଇ ଇସ୍ପାତକୁ ସବୁ ଧାର କରନ୍ତି, ଆଉ ସେଥିରେ ତିଆରି କରନ୍ତି ନାନା ଜାତିର ଛୁରି । ଏମାନେ ସମସ୍ତେ ଅଲଗାଅଲଗା ସ୍ଥାନରେ ରହି କାମ କରନ୍ତି-। ଏଣୁ କେବେହେଲେ କେହି କାହାର ମୁହଁ ଦେଖିବାକୁ ପାଆନ୍ତିନାହିଁ । କିନ୍ତୁ ସମସ୍ତଙ୍କ କାମର ଲକ୍ଷ୍ୟ ଗୋଟିଏ । ଜଣେ ଠାଏ କାମ ଆରମ୍ଭ କରିଦିଏ । ସେ ଯେଉଁଠି କାମଟିକୁ ଛାଡ଼େ, ଆଉ ଜଣେ ସେଇଠୁଁ ତାକୁ ଧରେ । ଶେଷରେ ତୃତୀୟ ଜଣକ କାମଟିକୁ ପୂରା କରିଦିଏ ।

 

ଉରାଲ ଅଞ୍ଚଳରେ “ମାଗ୍‍ନିତ୍‍ନାୟା” ବୋଲି ଗୋଟିଏ ପର୍ବତ ଅଛି । ସେଠି କି ଦିନ କି ରାତି ସବୁବେଳେ ତୁହାକୁତୁହା ତୋପ ଫୁଟିଲା ଭଳି ଶବ୍ଦ ବାହାରୁଥାଏ । କାରଣ ଖଣି-ଖୋଳାଳିମାନେ ଡିନାମାଇଟ୍ ସାହାଯ୍ୟରେ ପର୍ବତ ଫଟାଇ ଚକ୍‍ଚକ୍ ଲୁହାପଥର ସଂଗ୍ରହ କରୁଥାନ୍ତି-

 

ପର୍ବତର ଗଡ଼ାଣିଆ ଜାଗାରେ ଭଉଁରିଆ ରାସ୍ତାରେ ଅନବରତ ଗଡ଼ି ଗଡ଼ି ଚାଲିଛି ବିରାଟ ବିରାଟ ମେସିନ୍‍ମାନ । ସେଇ ମେସିନ୍‍ଗୁଡ଼ିକ ଭିତରୁ ପ୍ରତ୍ୟେକଟିରେ ରହିଛି ଗୋଟିଏ ଲେଖାଏଁ ଲମ୍ବା ଲମ୍ବା ହାତ । କୁକୁରଦାନ୍ତଭଳି ମୁନିଆ ମୁନିଆ ଲୁହାଦାନ୍ତର କୋରଣା ଲାଗିଛି ସେ ହାତ ଅଗରେ ।

 

ଖଣି-ଖୋଳା ଯନ୍ତ୍ରର ଚାଳକଟି ବସିଛି ଛୋଟ ଗୋଟିଏ କ୍ୟାବିନ୍‍ରେ । ଥରେ ଗୋଟିଏ ଲିଭର ଟାଣୁଛି ତ ଆଉଥରେ ଆଉ ଗୋଟିଏ; ଆଉ ଖୋଳା-ଯନ୍ତ୍ରଟି ତା’ କଥା ମାନି ଲମ୍ବା ହାତକୁ ତା’ର ନୁଆଁଇଦେଇ ବା ଉପରକୁ ଟେକି, କେତେବେଳେ ଡାହାଣକୁ ଢଳୁଚି ତ କେତେବେଳେ ବାଆଁକୁ । ଆଉ, ଗୋଟିଏ ପାଖକୁ ଢଳି ଏହା ଆଗ ଖୋଳି କୋରିପକାଉଛି-ଲୁହାପଥରକୁ, ଆଉ ତାକୁ ବୋହିନେଉଛି ନିକଟରେ ଛିଡ଼ା ହୋଇଥିବା ରେଳଡ଼ବାକୁ । ସେତିକିବେଳେ ଚାଳକଟି ବଦଳେଇଦଉଛି ଲିଭରଟିକୁ । ଏହା ଫଳରେ କୋରଣାଟା ମେଲା ହୋଇଯାଉଛି-ପାଟି ଆଁ ହେଲାଭଳି; ଡବା ଭିତରେ ଅଜାଡ଼ି ହୋଇଯାଉଛି ଲୁହାପଥରସବୁ । ଆଉ ଖୋଳା-ଯନ୍ତ୍ରଟା ପୁଣି ବୁଲିପଡ଼ିଛି ଆଉ ଅଧିକ କୋରି ଦାନ୍ତେଇ ଆଣିବାପାଇଁ ।

 

ଶେଷରେ ପୂରାପୂରି ଲୁହାପଥରରେ ଭର୍ତ୍ତି ହୋଇଯାଉଛି ମାଲଡ଼ବାଟି । ଆଉ ବିଦ୍ୟୁତ୍‍ଟ୍ରେନ୍ ଏଇ ଡବାଗୁଡ଼ିକୁ ନେଇ ଛୁଟୁଛି କାରଖାନାଆଡ଼କୁ । କାରଖାନାରେ ଉଚ୍ଚ ଦୁର୍ଗ ଭଳି ଧାଡ଼ି ହୋଇ ଛିଡ଼ା ରହିଛି ବ୍ଲାଷ୍ଟ–ଫର୍ଣ୍ଣେସ୍ ବା କଳଚୁଲିସବୁ ।

 

ମାଲଡ଼ବାଗୁଡ଼ିକ ଲୁହାପଥରକୁ ନେଇ ଅଜାଡ଼ିଦେଉଛି ଗୋଟାଏ ପ୍ରକାଣ୍ଡ କାହାଳୀ ଭିତରେ । କାହାଳୀବାଟେ ଗଳି ସେଇ ଲୁହାପଥରସବୁ ଯାଇ ପଶୁଛି କୁଣ୍ଡଗୁଡ଼ିକରେ । ସଙ୍ଗେ ସଙ୍ଗେ ସେଇ କୁଣ୍ଡଗୁଡ଼ିକ ଛାଏଁ ଛାଏଁ ଅଣେଇହୋଇ ଉଠିଯାଉଛି ଚୁଲି ଉପରକୁ ।

 

ଗୋଟାକ ପରେ ଗୋଟାଏ କୁଣ୍ଡଗୁଡ଼ାକ ଏମିତି ଉପରକୁ ଉଠି ବ୍ଲଷ୍ଟ ଫର୍ଣ୍ଣେସ୍ ଭିତରେ ଢାଳିଦେଉଛି ତା’ର ଯାହା ଯାହା ଦରକାର । ସେଗୁଡ଼ିକ ହେଲା; ଲୁହାପଥର, କାଲ୍‍ସିୟମ କାର୍ବୋନେଟ୍ ଆଉ କୋକ୍ ବା ପୋଡ଼ା କୋଇଲା । ଏଇ କୋକ୍ ବା ପୋଡ଼ା କୋଇଲା ଠିକ୍ କୋଇଲା ପରି କଳା, କାରଣ ଏହା ସେଇ କୋଇଲାରୁ ତିଆରି । ଲୁହାପଥରକୁ ତରଳେଇ ଢଳାଲୁହାରେ ପରିଣତ କରିବାପାଇଁ ଏହି କୋକ୍ ଓ କଲ୍‍ସିୟମ କାର୍ବୋନେଟ୍ ଦରକାର ହୁଏ ।

 

ଚୁଲି ଭିତରେ ଉତ୍ତାପ ଏତେ ପ୍ରଚଣ୍ଡ ଯେ, ସେଥିରେ ପଥରବି ତରଳିଯାଏଁ । ଅଭ୍ର ଛାଆଣି ଛୋଟ ଜଳାକବାଟିରେ ଯଦି ତୁମେ ନିରିଖିକରି ଅନାଅ, ଦେଖିବ, ନିଆଁରେ ପାଚି ଧଳା ହୋଇଯାଇଛି କୋକ୍‍ଗୁଡ଼ିକ ଆଉ ତାହା ଉପରେ ଥୋପାଥୋପା ହୋଇ ଝର ଝର ଗଡ଼ିଚାଲିଛି ଜଳନ୍ତା ତରଳା ଧାତୁ । ପ୍ରତି ଚାରି ଘଣ୍ଟାରେ ଜଣେ ଶ୍ରମିକ ଗୋଟାଏ ବୋତାମ ଟିପିଦିଏ । ସଙ୍ଗେ ସଙ୍ଗେ ଗୋଟାଏ ଶକ୍ତିଶାଳୀ ନ୍ୟୁମ୍ୟାଟିକ୍ ହାତୁଡ଼ି ଯାଇ ଚୁଲିତଳ ପାଖରେ ଥିବା ଗାତକୁ ଯେଉଁ କାଦୁଅ-ବିଣ୍ଡା ମୁଦି ରଖିଥାଏ ତାକୁ ଭାଙ୍ଗିଦିଏ ।

 

ହଠାତ୍ ଜଳନ୍ତା ନିଆଁ ଝୁଲଗୁଡ଼ିକ ଛିଞ୍ଚାଡ଼ି ଆଖି ଝଲସାଇ ବାହାରିଆସେ ଗୋଟାଏ ତରଳା ଧାତୁର ସୁଅ, ଆଉ ତା’ପାଇଁ ଆଗରୁ ତିଆରି ଥିବା ଗୋଟିଏ ନାଳୀରେ ପ୍ରବଳ ବେଗରେ ଚାଲେ । ଦେଖାଯାଏ, ସତେ ଯେମିତି ତରଳା ନିଆଁର ନଈ ଛୁଟିଛି । କିନ୍ତୁ ଏହା ନିଆଁ ନୁହେଁ, ତରଳ ଧାତୁର ସ୍ରୋତ–ଢଳେଇ ଲୁହା । ଏହି ନିଆଁ ସୁଅ ଚୁଲିରୁ ଯାଇ ଅଜାଡ଼ିହୋଇ ପଡ଼େ ଚକ-ଲଗା ଗୋଟାଏ ବିରାଟ ବାଲଟି ଭିତରେ । ସଙ୍ଗେ ସଙ୍ଗେ ଇଞ୍ଜିନ୍‍ଟାଏ ପଛରୁ ଆସି ଏହାକୁ ଠେଲିନିଅ କାରଖାନାର ଢଳେଇ ବିଭାଗକୁ ।

 

ଏହାପରେ ଚୁଲିର ଗାତମୁହଁକୁ ପୁଣି ବନ୍ଦ କରିଦିଆଯାଏ । ଶ୍ରମିକ ଜଣେ ଆଉ ଗୋଟିଏ ବୋତାମ ଟିପିଦେଲାକ୍ଷଣି ଗୋଟାଏ ଇଲେକ୍‍ଟ୍ରିକ୍ କମାଣ ଗାତମୁହଁକୁ ବଡ଼ କାଦୁଅ ପିଣ୍ଡୁଳାଟାଏ ଗୁଳିମାରିଲା ଭଳି ଫିଙ୍ଗେ । ଏଥିରେ ଗାତମୁହଁଟି ନିବୁଜ ହୋଇଯାଏ ।

 

ଢଳେଇ ଲୁହାକୁ ଖୋଲା–ଚୁଲି ଫର୍ଣ୍ଣେସ୍‍କୁ ନିଆଯାଏ । ସେଇଠାରେ ସେଥିରୁ ଇସ୍ପାତ ତିଆରି ହୁଏ । ଏହି ଖୋଲା-ଚୁଲି ଫର୍ଣ୍ଣେସ୍‍ରେ ବ୍ଲାଷ୍ଟ ଫର୍ଣ୍ଣେସ୍ ଭଳି ଛୋଟ ଝରକାଟିଏ ଥାଏ । ତମେ ଯଦି ଉଙ୍କିମାରି ସେଥିରେ ଅନାଅ, ଆଖିକୁ ଭାରି କଷ୍ଟ ହେବ; କାରଣ, ସେଇ ଅଗ୍ନିକୁଣ୍ଡରେ ଅଗ୍ନିର ହ୍ରଦ ସୃଷ୍ଟି ହୋଇଯାଇଥିବ । ସେଥିରେ ନିଆଁର ଢେଉମାନ ଉଠୁଥିବ । ଜଳନ୍ତା ଶିଖାମାନ ଅଗ୍ନିକୁଣ୍ଡରେ ଲହଲହ ହୋଇ ନାଚୁଥିବ । ସେଇ ନିଆଁ ହ୍ରଦ ଭିତରକୁ ସବୁ ପ୍ରକାରର ଭଙ୍ଗାତୁଟା ଲୁହା, ଯଥା : କଳକବଜା, କଳଙ୍କିଲଗା ଚକପାତିଆ, ଛଡ଼, ଦଣ୍ଡା ପ୍ରଭୃତି ଅଦରକାରୀ ଲୁହାଟୁକୁରାମାନ ପକାଯାଏ ।

 

ଥରକର ଘଟଣା :

 

ଗୋଟାଏ ଅଳିଆଗଦାରେ ପୁରୁଣା ଲୁହାଚକଟାଏ ପଡ଼ିଥାଏ । ଦେଖିଲେ ଜଣାଯାଉଥାଏ, କେବେହେଲେ ତାହା ଆଉ କୌଣସି କାମରେ ଲାଗିବ ନାହିଁ । କିନ୍ତୁ ଏହା କାରଖାନାକୁ ନିଆହେଲା, ଆଉ ଫର୍ଣ୍ଣେସ୍ ଭିତରେ ପଡ଼ିଲା । ତରଳ ଢଳେଇଲୁହାରେ ଆଉ କେତେ ଭଙ୍ଗାରୁଜା ଲୁହାଜିନିଷ ସାଙ୍ଗରେ ପଡ଼ି ଏହା ତରଳିଗଲା–ଚାହାକପ୍‍ରେ ଚିନିଟେଳାଏ ପରି-। ଏଣୁ କେତେକ ଜିନିଷର ଯାହା ଶେଷ ଭଳି ଦିଶେ ପ୍ରକୃତରେ ତାହା ଅନ୍ୟ କେତେକ ଜିନିଷପାଇଁ ଆରମ୍ଭ ମାତ୍ର ।

 

ଢଳେଇ ଲୁହା, ଲୁହାପଥର ଓ ଭଙ୍ଗାରୁଜା ଲୁହା ଟୁକୁରାରୁ ନୂଆ ଚକ୍‍ଚକ୍ ସ୍ଥିତିସ୍ଥାପକ ଇସ୍ପାତ ତିଆରି ହୁଏ ନିଆଁ କୁଣ୍ଡ ବା ଫର୍ଣ୍ଣେସ୍ ଭିତରେ । ଆଉ ସେହି ଇସ୍ପାତରୁ ତିଆରି ହୁଏ ନାନା କିସମର ଜିନିଷ, ଯଥା : ଛୁରି, କୁରାଢ଼ି, କରତ, ରେଳଧାରଣା, କଡ଼ି, କଳକବଜା, ଯନ୍ତ୍ରପାତି ପ୍ରଭୃତି-। ତେବେ ନୂଆ ହୋଇ ପ୍ରସ୍ତୁତକୁ ଇସ୍ପାତ ଛୁରି ଅବସ୍ଥାରେ ପହଞ୍ଚିବାକୁ ଅନେକ ବାଟ ଅତିକ୍ରମ କରିବାକୁ ହୁଏ ।

 

ଆଗ ତରଳ ଇସ୍ପାତକୁ ଢଳାଯିବ ଛାଞ୍ଚରେ । ସେଇ ତତଲା ଇସ୍ପାତ ଶୀତଳ ହୋଇଗଲେ ପିଣ୍ଡଲୁହା ପାଲଟିବ । ପୁଣି ସେହି ଲୁହାପିଣ୍ଡକ ତତେଇବାକୁ ହେବ, ତାହା ପାଚି ପାଚି ଲାଲ୍ ହେବାଯାଏ । ତା’ପରେ ତାକୁ ରୋଲିଙ୍ଗ–ପିନ୍‍ରେ ଗଡ଼େଇ ଗଡ଼େଇ ଖଳି ଭଳି କରିବାକୁ ହେବ । ଏହି କାମଟି ହୁଏ ‘ରୋଲିଙ୍ଗ ମିଲ୍’ ନାମକ ବଡ଼ବଡ଼ ମେସିନ୍‍ରେ । ସେଥିରେ ଯୋଡ଼ିଏ ରୋଲର ଘୂରୁଥିବ । ତାହାରି ଭିତରେ ଯାଇ ପଶିବ–ଲାଲ୍ ଚକ୍‍ଚକ୍ ତାତିଲା ଲୁହାପିଣ୍ଡ । ଏହି ରୋଲର ଦୁଇଟା ରୋଲିଫ ପିନ୍ ଭଳି; କେବଳ କାଠର ନୁହେଁ, ଲୁହାର, ଆଉ ଆକୃତିରେ ଖୁବ୍ ବଡ଼-। ରୋଲର ଦୁଇଟିର ମଝିରେ ଲୁହାପିଣ୍ଡ ଆଗକୁ ପଛକୁ ହୋଇ କେତେ ଥର ଗଡ଼ିଲା ପରେ ଚଟକା ହୋଇଯିବ । ଆଉ ଗୋଟିଏ ରୋଲିଙ୍ଗ-ମିଲ୍ ସେଇ ଚଟକା ଇସ୍ପାତକୁ ଇସ୍ପାତ ଚାଦରରେ ପରିଣତ କରିଦେବ ।

 

ଘରେ, ତମେସବୁ କଇଁଚିରେ କାଗଜ କାଟ । କାରଖାନାରେ ସେମିତି ଗୋଟିଏ କଇଁଚି-କଳ ଅଛି; ସେଥିରେ ଇସ୍ପାତ କଟାଯାଏ । ଇସ୍ପାତ ଚଦର ସବୁ କଟା ହୋଇ ଲମ୍ବା ଲମ୍ବା ପାତ ଭଳି ହୁଏ । ତାକୁ ପୁଣି ଖଣ୍ଡଖଣ୍ଡ କରି କଟାଯାଏ । ଏଇ ଇସ୍ପାତଗୁଡ଼ିକ କିନ୍ତୁ ଏପର୍ଯ୍ୟନ୍ତବି ପେନ୍‍ସିଲ୍‍କଟା ଛୁରିର ଆକୃତି ଧରିନାହିଁ । ଏହାର ଧାର ନଥାଏ । ଛୋଟ ଡାଳଟିଏ ତ ଦୂରର କଥା, କାଗଜ ଖଣ୍ଡେବି ଏଥିରେ କଟାଯାଇପାରେ ନାହିଁ । ଏହି ଛୋଟ ଇସ୍ପାତ ଖଣ୍ଡରୁ ଛୁରି ତିଆରି କରିବାକୁ ହେଲେ ଏହାକୁ ସମ୍ପୂର୍ଣ୍ଣ ଏକ ଅଲଗା ରୂପ ଦେବାକୁ ହୁଏ ।

 

ଆଗକାଳରେ କମାରମାନେ ନିଜ ନିଜ ଶାଳରେ ଛୁରି, କଟୁରି, ଖଣ୍ଡା ପ୍ରଭୃତି ଗଢ଼ୁଥିଲେ-। ଇସ୍ପାତ ଖଣ୍ଡେ ନିଆଁରେ ତତାଯାଏ । ତାହା ପାଚି ପାଚି ଲାଲ ପଡ଼ିଯାଏ, ଆଉ ନରମ ହୋଇଯାଏ । ତା’ପରେ କମାର ଶଣ୍ଡୁଆଶିରେ ନେଇ ତାକୁ ନେହି ଉପରେ ରଖେ । କମାରର ସାହାଯ୍ୟକାରୀ ଜଣେ ସେତେବେଳେ ଗୋଟାଏ ଓଜନିଆ ବଡ଼ ହାତୁଡ଼ି ଧରି ଛିଡ଼ା ହୋଇଥାଏ-। କମାର ନିଜେବି ହାତରେ ଛୋଟ ହାତୁଡ଼ିଟିଏ ଧରିଥାଏ । ତତଲା ଲୁହାର ଯେଉଁଠି ବଡ଼ ହାତୁଡ଼ିରେ ପାହାର ବସାଇବାକୁ ହେବ, ତାହା ସେ ସେହି ଛୋଟ ହାତୁଡ଼ିରେ ପିଟି ଦେଖାଇଦେଉଥାଏ ଆଉ ତା’ର ସାହାଯ୍ୟକାରୀ ଜଣକ ଦୁମ୍‍କରି ବଡ଼ ହାତୁଡ଼ିରେ ପାହାର ପକାଉଥାଏ’ ।

 

“ଏକ !’’ ଛୋଟ ହାତୁଡ଼ିରେ ପାହାର ବସେ ।

 

“ଦୁଇ !” ଦୁମ୍‍କରି ଉତ୍ତର ଦିଏ ବଡ଼ ହାତୁଡ଼ି ।

 

ଲାଲ୍ ଟହଟହ ତାତିଲା ଇସ୍ପାତଖଣ୍ଡକ ଚଟା ହୋଇଯାଇ ଠିକ୍ ରୂପ ଧରେ ।

 

ସେକାଳରେ ଏହା ଖୁବ୍ କଠିନ କାମଥିଲା । ଏଥିପାଇଁ ହାତର କୌଶଳବି ଲୋଡ଼ା ହେଉଥିଲା । ଖଣ୍ଡେ ଇସ୍ପାତରୁ ଧାରୁଆ ଛୁରିଟିଏ କରିବା ଏତେ ସହଜ କାମ ନୁହେଁ ।

 

ଏବେ ଏହି କାମ ହେଉଛି ମେସିନ୍‍ରେ । ଗୋଟିଏ ମେସିନ୍ ହାତୁଡ଼ି ଆଉ ନେହି ଉଭୟର ସ୍ଥାନ ନେଇଛି । ସେଥିରେ ଥିବା ନେହି ଉପରେ ଚେପ୍‍ଟା ଇସ୍ପାତଖଣ୍ଡେ ଆଗ ରଖିଯାଉଛୁ ଛୁରି ଆକୃତିର ଗୋଟାଏ ଖୋପ ଭିତରେକମାର ମେସିନ୍‍ଟି ଚଳାଇବାମାତ୍ରେ ବଡ଼ ହାତୁଡ଼ିଟି ଦାଉକିନି ଜୋରରେ ପଡ଼ୁଚି ଯାଇ ଇସ୍ପାତଖଣ୍ଡକ ଉପରେ । ଏହା ଫଳରେ ଇସ୍ପାତଟି ଆହୁରି ଚେପ୍‍ଟା ହୋଇ ଚାରିଆଡ଼େ ଓସାରି ହୋଇଯାଉଚି, ଆଉ ଖୋପରେ ଭରିଯାଉଚି । ବଡ଼ ହାତୁଡ଼ିରେ ମଧ୍ୟ ଖୋପଟିଏ ଅଛି । ଚାରିପଟୁ ଇସ୍ପାତଖଣ୍ଡକ ଚିପି ହୋଇଯିବା ଫଳରେ ସେଇ ଖୋପର ରୂପ ନେବା ଛଡ଼ା ତା’ର ଆଉ ଅନ୍ୟ ଗତି ନାହିଁ ।

 

ଏତିକିବେଳେ ଅବଶ୍ୟ ଟିକିଏ ଅଡ଼ୁଆ ଅବସ୍ଥା ଦେଖାଦିଏ । ଖୋପରେ ଚିପି ହୋଇଯିବାମାତ୍ରେ ଇସ୍ପାତର ଧାରଗୁଡ଼ିକ ଚାରିଆଡ଼କୁ ମେଲି ହୋଇଯାଉଛି; ସତେଯେମିତି ପଳାଇଯିବାକୁ ଚେଷ୍ଟା କରୁଚି; ଆଉ ଯାଉଚି ମଧ୍ୟ । କାରଣ, ହାତୁଡ଼ି ଆଉ ନେହି ଭିତରେ ଥିବା ସରୁ ଫାଙ୍କରେ ଇସ୍ପାତର ଧାର ଟିକେ ଟିକେ ପଦାକୁ ବାହାରିପଡ଼େ । ଫଳରେ ଧାର ଛେତରା ହୋଇଯାଏ ଏବଂ ତାକୁ କାଟି ସମାନ କରିବାକୁ ହୁଏ । ଏହାପରେ ଧାରକୁ ଦୃଢ଼ ଓ କଠିନ କରିବାପାଇଁ ‘ଟେମ୍ପର’ କରାଯାଏ । ସେଥିପାଇଁ ଏହାକୁ ଅତିମାତ୍ରାରେ ତତାଇଦିଆଯାଏ ଓ ସଙ୍ଗେ ସଙ୍ଗେ ଶୀତଳ କରିଦିଆଯାଏ । ହୁଏତ ଏହା ଅତି ଶକ୍ତ ଓ ଭଙ୍ଗୁର ହୋଇଯାଇପାରେ; ବ୍ୟବହାର ହେଲାବେଳେ ଟିକକରେ ଭାଙ୍ଗିଯାଇପାରେ । କିନ୍ତୁ ଏହା ଘଟିବା ତ ଉଚିତ ନୁହେଁ । ଏଣୁ ଛୁରିକୁ ଶକ୍ତ ଓ ନମନୀୟ (ନହକା) କରିବାକୁ ହେବ । ଏଥିପାଇଁ ଆଗଭଳି ଅତିମାତ୍ରାରେ ନୁହେଁ, କିନ୍ତୁ କିଛି ପରିମାଣ ତତେଇବାକୁ ହୁଏ ଓ ଧୀରେ ଧୀରେ ଥଣ୍ଡା କରିବାକୁ ହୁଏ ।

 

ଏବେ ଦେଖିପାର, ଛୁରିଟିଏ କେତେ ଅବସ୍ଥା ମଧ୍ୟରେ ଗତି କରିବା ଦରକାର, ଯେପରିକି ତାହା ନଇଁ ନ ଯାଇ କି ଭାଙ୍ଗି ନ ଯାଇ ସବୁ ବାଧାବିପତ୍ତି ଅତିକ୍ରମ କରିପାରିବ ।

 

କିନ୍ତୁ, ଏତିକିରେ ମଧ୍ୟ କଥା ସରୁନାହିଁ । ଛୁରିଟିକୁ ଶାଣପଥରରେ ଘୋରି, ଶିରୀଷ କାଗଜ ଗୁଣ୍ଡା ଘଷି ଚିକ୍କଣ ଓ ପାଲିସ୍ କରିବାକୁ ହେବ ।

 

ଶେଷରେ ଛୁରିଟି ପ୍ରସ୍ତୁତ ହେଲା । କିନ୍ତୁ ଏହାର ତ ପୁଣି ସଙ୍ଗୀ ଲୋଡ଼ା : ଛୋଟ ଛୁରିଟିଏ, ଠିପିଖୋଲା ପେଚ, ଆଉ ପେଚକସ୍‍ଟିବି ! ସେଗୁଡ଼ିକ ଯୋଡ଼ିଏ ଇସ୍ପାତ ପାତିଆରେ ତିଆରି ଖୋଳ ରହିବା ଦରକାର । ଏହାଛଡ଼ା ଅଖ ଭଳି ଯୋଡ଼ିଏ ପିନ୍ ମଧ୍ୟ ଦରକାର, ଯହିଁରେ ଛୁରି ଦିଓଟି, ଠିପିଖୋଲା ପେଚ, ପେଚକସ୍ ଲାଗିରହିବ । ତମେ ଯଦି ଚାହଁ, ଗୋଟିଏ ଛୁରିପାତିକୁ ତା’ ଘରଭିତରେ ରଖିପାର, କିମ୍ବା ତାକୁ ବାହାର କରିପାର ।

 

ଛୁରି ଦୁଇଟି ଯଦି କଥା ମାନିବା ଦରକାର ଏବଂ ଲୋଡ଼ା ନଥିଲାବେଳେ ଯଦି ବାହାରକୁ ମୁହଁ କାଢ଼ିବା ଉଚିତ ନୁହେଁ, ତାହାହେଲେ ଯୋଡ଼ିଏ ‘ସ୍ପ୍ରିଙ୍ଗ୍‍’ ସେଥିରେ ଥିବା ଆବଶ୍ୟକ । ତୁମେ ଯେତେବେଳେ ଟିପରେ ଟିପିଦେବ, ସେତେବେଳେ ଏହା ବନ୍ଦ ହୋଇଯିବ; ଆଉ କାମକୁ ଡାକରା ଆସିଲେ ଖୋଲିବ ।

 

ଛୁରିର ଭିବିନ୍ନ ଅଂଶଗୁଡ଼ିକ ତିଆରି ହୋଇଗଲା । ଏବେ ସେଗୁଡ଼ିକ ଏକାଠି ହୋଇ ଖଞ୍ଜା ହେବା ଦରକାର । ଅଲଗାଅଲଗା ରହିଲେ ସେଗୁଡ଼ିକ କୌଣସି କାମରେ ଲାଗିବେ ନାହିଁ । କିନ୍ତୁ ଏକାଠି ମିଶିଲେ ଗୋଟିଏ କଲମତ୍ରାସ ପାଲଟିବେ ।

 

ଏତିକିରେ କ’ଣ ଛୁରି କଥାଟି ସରିଲା ?

 

ନା, ଏ ତ ଆରମ୍ଭ ମାତ୍ର !

 

ତମେ ଆଉ ତମ ଛୁରି ଅନେକ ଅଡ଼ୁଆ ଅବସ୍ଥାରେ ଏକାଠି ରହିବ । କେଉଁଦିନ ତମେ ଲମ୍ବା ଗସ୍ତରେ ଗଲାବେଳେ ତାକୁ ସଙ୍ଗରେ ନେଇ ଚାଲିବ । ସେଠି ତମକୁ ତମ୍ଵୁ ପକାଇବାରେ, ବନଶୀଖଡ଼ା ତିଆରିରେ କିମ୍ବା କ୍ୟାମ୍ପ୍‍କୁ ଫେରିବା ସକାଶେ ଗଛ ବକଳରେ ଚିହ୍ନ ଦେବାରେ ସାହାଯ୍ୟ କରିବ । ଘରେ ସେ ହେବ ତମର ସବୁଠୁ ବିଶ୍ଵାସୀ ବନ୍ଧୁ; ଆଉ ସବୁବେଳେ ରହିଥିବ ତମ ସଙ୍ଗରେ, ହୁଏତ ପକେଟ୍‍ରେ ନଇଲେ ବହି ବ୍ୟାଗ୍‍ରେ ।

 

କେତେ ରୂପରେ ଛୁରିଟି ତମକୁ ସାହାଯ୍ୟ କରିପାରେ । କିନ୍ତୁ ତମେ ତାହାର ଭଲ ଯତ୍ନ ନେବା ଉଚିତ । ସନ୍ତସନ୍ତିଆ ଓଦା ଜାଗା ତା’ପାଇଁ ଭଲ ନୁହେଁ । ସେମିତି ଜାଗାରେ ରହିଲେ ଛୁରିର ଦେହ ଖରାପ ହୁଏ । ସେଥିରେ କଳଙ୍କି ଲାଗିଯାଏ । ଯେଉଁ ଛୁରି କାମ କରିପାରେ, ସେଇଭଳି କାମ ତାକୁ ଦିଅ । ତାକୁ ଲୁହାକଟାରେ ଲଗାଅ ନାହିଁ । ସେଥିପାଇଁ ଉହା ଅଛି, କରତ ଅଛି । ସେଥିରେ ଖୋଳାଖୋଳି କର ନାହିଁ । କାରଣ, ପଥରରେ ବାଜିଲେ ସେଇଟି ଭାଙ୍ଗିଯିବ । ସ୍କୁଲ୍‍ ଡେସ୍‍କ୍ ଖୋଳି ଅଙ୍କାଅଙ୍କି କରନାହିଁ । ମନେରଖ କାରିଗରମାନେ କାମରେ ଲଗାଇବା ପାଇଁ ଛୁରି ଗଢ଼ିଛନ୍ତି; ଜିନିଷପତ୍ର ନଷ୍ଟ କରିବାପାଇଁ ନୁହେଁ । ତମେ ଯଦି ତମ ଛୁରିଟିର ଯତ୍ନ ନିଅ ଏବଂ ତାକୁ ଭଲ ଭାବରେ ରଖ, ତେବେ ଏହା ତମ କାମରେ ସଚ୍ଚୋଟ ଭାବରେ ଲାଗି ସେ ତମ ଋଣ ପରିଶୋଧ କରିଦେବ ।

Image

 

କାଳି କଲମର କାହାଣୀ

 

ପ୍ରତ୍ୟେକ ଦିନ ତମେ ସ୍କୁଲ୍‍କୁ ଯାଅ; କଲମ ସାହାଯ୍ୟରେ କେତେ ବିଷୟ ଲେଖ । କିନ୍ତୁ କେବେ ଭଲା ଭାବିଚ, ଏହି କଲମଟି ଆସିଲା କୋଉଠୁ ? କାଳି ଆଉ ଦୁଆତ ବା ଆସିଲା କୋଉଠୁ ?

 

ଦିନ ଥିଲା, ଯେତେବେଳେ କଲମସବୁ ଆସୁଥିଲା ହଂସମାନଙ୍କଠାରୁ, ଆଉ କେହି କେବେ ଶୁଣି ନଥିଲେ ଶାଗୁଆ କି ନାଲି କାଳିର ନାଆଁ । ତ୍ରିଲଭଙ୍କର ଗୋଟିଏ କାହାଣୀରେ ଅଛି–ହଂସମାନେ କୁଆଡ଼େ ଭାରି ଗର୍ବ କରନ୍ତି ଯେ ସେମାନଙ୍କର ପୂର୍ବପୁରୁଷମାନେ ରୋମ ସହରକୁ ରକ୍ଷା କରିଥିଲେ । ହଂସମାନେ ସତ କହନ୍ତି କି ନାହିଁ, ଏହା କହିବା ବଡ଼ କଠିନ । ତେବେ ଆଉ ଗୋଟିଏ କଥା ଅଛି, ଯୋଉଥିପାଇଁ ଆମେ ସେମାନଙ୍କ ପାଖରେ ଋଣୀ । ସେଇଟି ହେଉଛି, ଶହ ଶହ ବର୍ଷ ଧରି ଆମ ପୂର୍ବପୁରୁଷମାନେ ହଂସଙ୍କ ପରରେ ଲେଖୁଥିଲେ । ଅନେକ ଭଲ ଭଲ ବହି ସେହିସବୁ ପରକଲମରେ ଲେଖା ହୋଇଛି ।

 

ତମେ ଯଦି ହଂସ ପରଟିଏ ନେଇ କାଳିରେ ବୁଡ଼ାଅ, ଆଉ ସେଥିରେ ଲେଖିବାକୁ ଚେଷ୍ଟା କର, ତେବେ ତମେ ସବୁ କାଳି ବାଲୁ ବାଲୁ କରିବସିବ । କିନ୍ତୁ ଆଗେ ଲୋକେସବୁ ଲେଖିଥିଲେ ସେଥିରେ କେମିତି ? ଜାଣିଚ ନା, ପରଗୁଡ଼ିକ ପ୍ରଥମେ କାଟି ମୁନିଆ କରୁଥିଲେ ସେମାନେ । ଆଉ ଏଇଥିପାଇଁ ଦେଖା ଦେଇଥିଲା, ଛୁରି । କେବେ କ’ଣ ଆଶ୍ଚର୍ଯ୍ୟ ହୋଇ ଭାବିନାହଁ, ତୁମ ଛୁରିକୁ ‘କଲମତ୍ରାସ’ କାହିଁକି କହନ୍ତି, ପେନ୍‍ସିଲ୍-କଟା ଛୁରି କହନ୍ତି ନାହିଁ କାହିଁକି ? ତମେ ତ ଏଥିରେ କଲମ କାଟୁନ, ନା କ’ଣ ? ଏଥିରେ ତମେ ପେନ୍‍ସିଲ୍ କାଟୁଚ, ନା, ନାହିଁ ? କଥା କ’ଣ କି, ଯୋଉ ଯୋଉ ଜିନିଷପାଇଁ, ଯୋଉ ଯୋଉ ନାଆଁ ଦିଆଯାଇଥାଏ, ସେଇ ସେଇ ଜିନିଷଗୁଡ଼ିକ ପୂରାପୂରି ବଦଳିଗଲେବି ସେଇ ନାଆଁସବୁ ଅନେକ ଦିନ ଯାଏଁ ରହିଯାଏ । ଏହିପରି ଭାବରେ ‘କଲମତ୍ରାସ’ ନାଆଁଟି ରହିଯାଇଛି ।

 

ଆଗ କାଳରେ କଲମତ୍ରାସ ବ୍ୟବହାର କରାଯାଉଥିଲା ପରର ଅଗଟିକୁ ତେରେଛେଇ କାଟିବାପାଇଁ, ଆଉ ସେଥିରୁ ମୁନ ବାହାର କରି ତାକୁ କଲମ ରୂପ ଦେବାପାଇଁ । ମୁନଟିକୁ ପୁଣି ମଝିରୁ ଚିରିଦିଆଯାଉଥିଲା, ଯେମିତି କି କାଳି ସେଥିରୁ ଥୋପାକୁ ଥୋପା ଗଡ଼ିପଡ଼ିବ ନାହିଁ କି ତା’ ଇଚ୍ଛା ଅନୁସାରେ ଯାଇ କାଗଜକୁ ବିଲିବିଲା କରିପାରିବ ନାହିଁ ।

 

ତମର ଇସ୍ପାତ କଲମ–ନିବ୍‍ଟାବି ଏମିତି ଢଙ୍ଗରେ ତିଆରି ହୋଇଛି । ଏହା ଟିକେ ବଙ୍କା କରାଯାଇଥିବାରୁ କାଳି ଏଥିରେ ଅଟକି ରହିପାରୁଛି । ତମେ ଯେତେବେଳେ ଏହାକୁ କାଗଜରେ ମାଡ଼ିଦେଉଛ ସେତେବେଳେ ଏହାର ଚିରା ମୁହଁଟା ଟିକେ ମେଲିଯାଉଛି, ଆଉ ସେଇ ଫଟ ବାଟେ କାଳି କାଗଜ ଉପରକୁ ବହିବାରେ ଲାଗୁଛି । ମୋଟା ଗାରଟିଏ ଟାଣିବାକୁ ହେଲେ ତମକୁ ବେଶୀ କିଛି କରିବାକୁ ହେବ ନାହିଁ; ଖାଲି ମୁନଟିକୁ ଟିକିଏ ଶକ୍ତ କରି ମାଡ଼ିଦେବାକୁ ହେବ । ଏହାପରେ ଫାଟଟି ଟିକେ ବେଶି ମେଲିହୋଇଯିବ, ଆଉ କାଗଜ ଉପରକୁ ଅଧିକା କାଳି ଗଡ଼ିଯିବ ।

 

ତମକୁ ଆଉ ଏବେ କଲମ ମୁନିଆ କରିବାକୁ ହେଉ ନାହିଁ, କାରଣ କିଣିବାବେଳୁ ଏହା ମୁନିଆ । ଆଗେ କିନ୍ତୁ ଲୋକଙ୍କର ବହୁତବେଳ ଯାଉଥିଲା କଲମ ମୁନିଆ କରିବାରେ । ଏଇଟିବି ନିହାତି ସହଜ କାମ ନଥିଲା । କାହିଁକି ନା, ପରର ମୁନଟିକୁ ଠିକ୍ ମଝିରୁ ଫଟେଇବାକୁ ଆଉ ଫାଳ ଦୁଇଟିକୁ ସମାନ ଆକୃତିର କରିବାକୁ ପଡ଼ୁଥିଲା । ସେଇ ପରକଲମଗୁଡ଼ିକବି ଚଞ୍ଚଳ ମୁଣ୍ଡା ହୋଇଯାଉଥିଲା । ଅବଶ୍ୟ ମୁଣ୍ଡା ହେଲାରୁ ତାକୁସବୁ ଫିଙ୍ଗି ଦିଆହେଉଥିଲା । ସେଥିପାଇଁ ଦୁଆତ ପାଖରେ ସବୁବେଳେ ନୂଆ ପରଟିଏ ଯୋଗାଡ଼ କରି ରଖିବାକୁ ହେଉଥାଏ । ଏହା ଛଡ଼ା ସରୁ ସରୁ ଶୁଖିଲା ବାଲିରେ ଭର୍ତ୍ତି ଡବାଟିଏବି ପାଖେପାଖେ ନ ରଖିଲେ ଚଳୁ ନଥିଲା ।

 

କାହିଁକି, ଜାଣ ?

 

କାଳି ଶୀଘ୍ର ଶୁଖୁ ନଥିଲା । କେହି ଜଣେ ଗୋଟିଏ ପୃଷ୍ଠା ଲେଖି ସାରିଲା ପରେ କାଳିତକ ଶୁଖାଇବାପାଇଁ ସେଥିରେ ବାଲି ଛିଞ୍ଚୁଥିଲେ । ତା’ପରେ ବାଲିତକ ଫୁଙ୍କି ଉଡ଼ାଇଦେଇ ନୂଆ ପୃଷ୍ଠାରେ ଲେଖିବା ଆରମ୍ଭ କରୁଥିଲେ । ଅନେକ ସମୟରେ ଚିଠି ସାଥିରେ ବାଲିସବୁ ଯାଇ ପଶୁଥିଲା ଲଫାଫା ଭିତରେ । ଲଫାଫା ଉଠାଇଲାମାତ୍ରେ ଖସ୍‍ଖସ୍ ଶବ୍ଦ ହେଉଥିଲା ।

 

ସେତେବେଳର କାଳିବି ଆମେ ଏବେ ବ୍ୟବହାର କରୁଥିବା କାଳି ଭଳି ନଥିଲା । ଲେଖାଗୁଡ଼ିକ ଦେଖାଯାଉଥିଲା ଧୂସରିଆ, ସତେ ଯେମିତି ତାହା ଲେଖାହୋଇଥାଏ କଡ଼ା ଚାହା ପାଣିରେ । ଲେଖାଗୁଡ଼ିକ କଳା କଳା ରୂପ ଧରି ସହଜରେ ପଢ଼ିହେଲା ଭଳି ହେବାପାଇଁ କିଛି କାଳ ଲାଗିଥିଲା ।

 

ଆଗକାଳରେ କାଳି ତିଆରି ହେଉଥିଲା ବିଷାକ୍ତ ଓକ୍-ସେଓ ଫଳର ରସରେ । ପ୍ରକୃତରେ ଏହି ଫଳଗୁଡ଼ିକ ସେଓ ନୁହେଁ କି ଏହାକୁ ସେଓ କୁହାଯାଇ ନ ପାରେ । ଏଗୁଡ଼ିକ ଛୋଟ ଛୋଟ କଳା ଗୋଟାଳି ଭଳି, ଓକ୍ ଗଛ ଓ ଅନ୍ୟାନ୍ୟ ଗଛର ପତ୍ରରେ ଦେଖାଯାଏ ।

 

କାଳିବାଲାର ଦୋକାନରେ ଓକ୍-ଫଳ ଛଡ଼ା ଆଉ କେତେକ ଜିନିଷବି ଥାଏ । ବଡ଼ବଡ଼ କାଚ ବଏମ୍‍ରେ ସୁନ୍ଦର ଚିକ୍‍ଚିକ୍ ସବୁଜ ରଙ୍ଗର ଦାନାଗୁଡ଼ିଏ ଥାଏ । ସେଥିରେ କାଗଜପଟି ମରାହୋଇ ତା’ପରେ “ଲୁହା କଷ” ବୋଲି ଲେଖାହୋଇଥାଏ ।

 

ପ୍ରଥମେ କାଳିବାଲା ଓକ୍‍ଫଳଗୁଡ଼ିକ ପାଣିରେ ସିଝାଏ । ତା’ପରେ ସେଇ ସବୁଜ ଦାନାଗୁଡ଼ିକ ପାଣିରେ ଗୋଳାଇ ସେଥିରୁ କିଛି ତହିଁରେ ମିଶାଏ । ସେଇ ତରଳ ପଦାର୍ଥ ସଙ୍ଗେ ସଙ୍ଗେ କଳା ପାଲଟିଯାଏ ଓ କାଳି ତିଆରି ହୋଇଯାଏ । କାଳି ଯେମିତି ବେଶି ପାଣିଆ ନହୁଏ, ଆଉ କାଗଜରେ ଚପି ନ ଯାଏଁ ସେଥିଲାଗି ତହିଁରେ ସେ କିଛି ଶିରୀଷ ଅଠା ମିଶାଇ ଦିଏ ।

 

ମାତ୍ର ତମେ ଯେଉଁ କାଳିରେ ଲେଖୁଛ, ତାହା ଏମିତି ରୀତିରେ ପ୍ରସ୍ତୁତ ହେଉନାହିଁ । ଏହା ପ୍ରସ୍ତୁତ ହେଉଛି ରଙ୍ଗରୁ; ପୁଣି ଛୋଟ ଦୋକାନରେ ନୁହେଁ, ଗୋଟିଏ ଗୋଟିଏ ବିରାଟ ରସାୟନ କାରଖାନାରେ । ଖଣ୍ଡେ କାଗଜରେ ତମେ ଯେତେବେଳେ କିଛି ଲେଖୁଛ ସେତେବେଳେ କାଳି କଳା ପଡ଼ିବାଯାଏଁ ତମକୁ ଅପେକ୍ଷା କରିବାକୁ ହେଉନାହିଁ; କାରଣ ତମେ ଲେଖିବା ସଙ୍ଗେ ସଙ୍ଗେ ଏହା କଳା ହୋଇ ବାହାରୁଛି ।

 

ରଙ୍ଗକୁ ଆଗ ପାଣିରେ ଗୋଳେଇ ମିଳେଇ ଦିଆଯାଏ । ଆଉ ତାହା ଯେମିତି ବେଶି ପାଣିଆ ହୋଇ ନ ଯାଏଁ, ସେଥିଲାଗି ତହିଁରେ ଶିରୀଷ ଅଠା ମିଶାଯାଏ । ବୋତଲ ଭିତରେ କାଳି ଯେମିତି ଫିମ୍ପି ମାରି ନ ଯାଏଁ ସେଥିପାଇଁ ସେଥିରେ ଆସେଟିକ୍ ଆସିଡ଼୍ ଦିଆହୁଏ । ଏହି ଆସିଡ଼୍ ଫିମ୍ପିକୁ ଖାଇଯାଏ ।

 

ପୂର୍ବକାଳରେ କାଳିବାଲାମାନେ କାଳି ତିଆରି କାମ ହାତରେ କରୁଥିଲେ । ଏଣୁ ତାଙ୍କ ହାତ ସବୁବେଳେ କଳା ହୋଇ ରହୁଥିଲା । ଏବେ ମେସିନ୍, ଲୋକଙ୍କୁ ସାହାଯ୍ୟ କରୁଛି । ଗୋଟିଏ ଫେଣ୍ଟିବା ମେସିନ୍ ବଡ଼ବଡ଼ କୁଣ୍ଡରେ କାଳି ଗୋଳେଇ ମିଶାଉଛି, ଆଉ ବୋତଲରେ ଭର୍ତ୍ତି କରୁଥିବା ମେସିନ୍ ତାହାକୁ ନେଇ ଗୋଟି ଗୋଟି କରି ବୋତଲରେ ପୂରଉଛି ।

 

ରସାୟନ କାରଖାନାରେ ସବୁ ପ୍ରକାର ରଙ୍ଗ ତିଆରି ହେଉଛି ।

 

“ରସାୟନ କାରଖାନାରେ କେଉଁଥିରୁ ରଙ୍ଗ ତିଆରି ହୁଏ ଯେ ?”–ଏ କଥା ତମେ ପଚାରିପାର ।

 

ନୀଳ ରଙ୍ଗ ତିଆରି ହୁଏ ନିପଟ କଳା କୋଇଲାରୁ ।

 

କିନ୍ତୁ ସବୁଜ ରଙ୍ଗଟି ?

 

ସବୁଜ ରଙ୍ଗବି ସେଇ ନିପଟ କଳା କୋଇଲାରୁ ତିଆରି ହୁଏ ।

 

ବେଶ୍, ତେବେ ବାଇଗଣି ରଙ୍ଗ କଥା କ’ଣ ?

 

ବାଇଗଣି ରଙ୍ଗବି ତିଆରି ହୁଏ ସେଇ ନିପଟ କଳା କୋଇଲାରୁ ।

 

ସବୁଜ, ନେଳି, ବାଇଗଣି–ସବୁ ରଙ୍ଗ ସେଇ କୋଇଲାରୁ, ନିର୍ଧୁମ୍ କଳା କୋଇଲାରୁ ତିଆରି ହୁଏ କେମିତି ଯେ ?

 

ରସାୟନବିତ୍‍ମାନେ ଏ କାମ କରିପାରନ୍ତି–ଏମିତିକି ଏହାଠୁ ବଳି ଆହୁରି ଆଶ୍ଚର୍ଯ୍ୟଜନକ କାମବି କରିପାରନ୍ତି ।

 

ଏ ଦିଗରେ ପ୍ରଥମେ କାମ ଆରମ୍ଭ କରନ୍ତି କୋଇଲା ଖଣି–ଖୋଳାଳିମାନେ । ସେମାନେ ଅତି ଗହିରିଆ ଖଣିମାନଙ୍କରୁ କୋଇଲା ଖୋଲି ବାହାର କରନ୍ତି । ରେଳବାଇ ଲୋକେ ତାକୁ ଆଣି କାରଖାନାରେ ପହଞ୍ଚାଇଦିଅନ୍ତି । ସେଠାରେ ରସାୟନବିତ୍‍ମାନେ କଳା କୋଇଲାରୁ ବାହାର କରନ୍ତି କଳା ଆଲକାତରା । ଆଉ ତା’ପରେ ବାହାର କରନ୍ତି ଗୋଟିଏ ପ୍ରକାରର ତରଳ ପଦାର୍ଥ, ଯାହାର କୌଣସି ବର୍ଣ୍ଣ ନଥାଏ; ତାହା ଦିଶେ ପାଣି ପରି ।

 

ରସାୟନବିଦ୍ୟା ଗୋଟିଏ ଅଦ୍ଭୁତ ବିଜ୍ଞାନ । ଏହା କଳା ପଦାର୍ଥକୁ ବର୍ଣ୍ଣହୀନ କରିପାରେ, ଆଉ ବର୍ଣ୍ଣହୀନ ପଦାର୍ଥକୁ ରଙ୍ଗିନ କରିଦେଇପାରେ ।

 

ଆଗକାଳରେ କାଳି ରଙ୍ଗ ସବୁ ପ୍ରସ୍ତୁତ ହେଉଥିଲା ଗଛପତ୍ରରୁ । ଏବେ କିନ୍ତୁ ରଙ୍ଗ ସବୁ ତିଆରି ହେଉଛି କୃତ୍ରିମ ଉପାୟରେ । ଆଗେ ଲୋକେ କଲମ ପାଉଥିଲେ ହଂସଙ୍କଠୁ । ଏବେ ତାହା ତିଆରି ହେଉଛି କାରଖାନାମାନଙ୍କରେ । ମାଟିତଳେ ରହିଛି ଲୁହାପଥର । ଲୁହାପଥରରୁ ପ୍ରସ୍ତୁତ ହେଉଛି ଇସ୍ପାତ । ଏହି ଇସ୍ପାତକୁ କାରଖାନାମାନଙ୍କରେ ଗଡ଼େଇ ଗଡ଼େଇ ପରିଣତ କରାଯାଉଛି ପତଳା ଚାଦର ରୂପରେ, ଆଉ ଇସ୍ପାତଚାଦରକୁ ପଠାଇଦିଆହେଉଛି କଲମ କାରଖାନାକୁ । ଏହିଠାରେ ଏହା ଅନେକ ଭାବରେ ବଦଳିବାରେ ଲାଗୁଛି ।

 

ଗୋଟିଏ ମେସିନ୍ ଇସ୍ପାତ ଚାଦରଗୁଡ଼ିକ କାଟି ସରୁ ସରୁ ପାତିଆ କରିଦେଉଛି । ଆଉ ଗୋଟିଏ ମେସିନ୍ ପୁଣି ସେଇ ପାତିଆଗୁଡ଼ିକ କଣା କଣା କରି କାଟି ସେଥିରୁ ଆହୁରି ସରୁ ସରୁ ଟିକିଟିକି ଖଣ୍ଡମାନ ବାହାର କରୁଛି । ଲମ୍ବା ଇସ୍ପାତ-ପାତିଆଟି କଣାରେ ଭର୍ତ୍ତି ହୋଇଗଲା ପରେ ତାହା ଆଉ କୌଣସି କାମରେ ଲାଗୁନାହିଁ । ଏଣୁ ପୁଣି ତରଳା ହେବାଲାଗି ତାକୁସବୁ ପଠେଇ ଦିଆହେଉଛି ଇସ୍ପାତ–କାରିଗରଙ୍କ ପାଖକୁ । ପାତିଆରୁ କଟା ହୋଇ ବାହାରିଥିବା ଟିକିଟିକି ଇସ୍ପାତ-ପାତଖଣ୍ଡଟିମାନଙ୍କରୁ ତିଆରି ହେଉଛି ନିବ୍ । ଏହି ଟିକିଟିକି ଇସ୍ପାତଖଣ୍ଡଟିମାନ ନିବ୍ ପରି ଦିଶେ ସତ, କିନ୍ତୁ ଏଥିରେ ତମେ ଲେଖାଲେଖି କରିପାରିବ ନାହିଁ । କାରଣ, ଏହା ଚଟକା ଥାଏ । ଏହା ଉପରଦେଇ କାଳି ଗଡ଼ିପଡ଼ିବ । ବୁନ୍ଦାଏ କାଳି ଯେମିତି ଏଥିରେ ରହିପାରିବ, ସେଥିଲାଗି ଏହାକୁ ବଙ୍କେଇବାକୁ ହୁଏ । ମୁନଟିକୁ ମଧ୍ୟ ଫଟେଇ ଛୋଟ ଫାଟଟିଏ କରିବାକୁ ପଡ଼େ–ଛୋଟ ବାଟଟିଏ ଫଟା ହୁଏ କାଳିପାଇଁ ।

 

ଏ ସବୁ ହୁଏ ମେସିନ୍‍ରେ । କାରଣ, କଲମତ୍ରାସରେ ଇସ୍ପାତ ମୁନଟିକୁ ଧାରୁଆ କରିବା ଓ ଫଟେଇବା ତ ଏକାବେଳକେ ଅସମ୍ଭବ ।

 

ଏ ସବୁ ହେଲାପରେ ନିବ୍‍ଟିକୁ କଳଚୁଲିରେ ତତାଯାଏ । ପାଚି ଲାଲ ପଡ଼ିଗଲେ ଏହାକୁ ନେଇ ବୁଡ଼ାଇଦିଆଯାଏ ଥଣ୍ଡା ପାଣିରେ ବା ତେଲରେ । ଏପରି କଲେ ନିବ୍‍ଟି ଟାଣ ହୁଏ । ଏହାପରେ ଏଥିରୁ କଳଙ୍କି ଛଡ଼ାଯାଇ ତା’ ଉପରେ ନିକେଲ୍‍ର ପଟ ଦିଆଯାଏ, ଯେପରିକି ଆଉ କେବେ କଳଙ୍କି ନ ଲାଗିବ ସେଥିରେ ।

 

ଏ ସବୁ ଅତି ଶୀଘ୍ର ଶୀଘ୍ର ହୋଇଯାଏ ମେସିନ୍‍ରେ । ପୁଳାକୁ ପୁଳା ଟିକିଟିକି ଇସ୍ପାତଖଣ୍ଡଟିମାନ ସବୁବେଳେ ଚାଲିଥାନ୍ତି ଗୋଟିଏ ମେସିନ୍‍ରୁ ଆଉ ଗୋଟିଏ ମେସିନ୍‍କୁ, ଆଉ ଯାଉଁ ଯାଉଁ ରୂପ ବଦଳେଇବାରେ ଲାଗିଥାନ୍ତି । ଶେଷରେ କାରଖାନାର ମାର୍କାମରା ଚକ୍‍ଚକ୍ କଲମ-ନିବ୍ ହୋଇ ବାହାରନ୍ତି ସେଗୁଡ଼ିକ । ଏହିସବୁ ମେସିନ୍ ବାହାରିଛି, ଯେମିତି ତମେ ପରକଲମ ବ୍ୟବହାର କରିବା ବଦଳରେ ଇସ୍ପାତ ନିବ୍‍ରେ ଲେଖିପାରିବ, ସେଇଥିପାଇଁ ।

 

ଲେନିନ୍‍ଗ୍ରାଦ୍‍ର ୟୁନିୟନ୍ କାରଖାନାରେ ପ୍ରତ୍ୟେକ ଦିନ ଏତେ ନିବ୍ ତିଆରି ହେଉଛି ଯେ, ଯେତେ ନିବ୍ ଦରକାର ତାହା ପୂରଣ ହୋଇ ବାହାରକୁ ପଠାଇବାପାଇଁ ବଳିପଡ଼ୁଛି ।

 

ବାଲିଡ଼ବା ବଦଳରେ କାଳି ଶୁଖେଇବାପାଇଁ ତମର ଏବେ ଗୋଟାଏ ବିଶେଷ ଧରଣର କାଗଜ ଅଛି । ଏହି ଛପାକାଗଜ (ବ୍ଲଟିଙ୍ଗ୍ ପେପର୍) ନିଜେ ଗୋଟିସୁଦ୍ଧା କାଳିରେ ଭିଜି ଜୁଡ଼ୁବୁଡ଼ୁ ହୋଇଗଲେବି ଯେକୌଣସି ଆକୃତିର କାଳିବୁନ୍ଦାକୁ ଶୁଖାଇଦିଏ ।

 

ଆରେ, ଆମେ ତ ତମର କାଳିନିଭା ରବର କଥା ଭୁଲିଯାଇଛୁ ! ପୂର୍ବେ ରବରଗଛର ରସରୁ ରବର ତିଆରି ହେଉଥିଲା । ରବରଗଛ ତ କେବଳ ଗ୍ରୀଷ୍ମମଣ୍ଡଳରେ ଥିବା ଦେଶଗୁଡ଼ିକରେ ହୁଏ । ତେଣୁ ଏବେ କରତଗୁଣ୍ଡରୁ କାଠସୁରା ପ୍ରସ୍ତୁତ ହେଉଛି ଏବଂ ଏହି ସୁରାସାର ବା ତେଲରୁ ରବର ତିଆରି ହେଉଛି ।

 

ଲୋକଙ୍କର ଯାହାସବୁ ଲୋଡ଼ା ସେଗୁଡ଼ିକ ଆଉ ବଣବିଲରୁ ଖୋଜିଲୋଡ଼ି ଆଣିବାକୁ ହେଉନାହିଁ । କଲମ ଆଉ ହଂସଙ୍କଠୁ ନ ଆଣି ଲୋକେ ନିଜେ ନିଜେ ତାହା ତିଆରି କରୁଛନ୍ତି ଓକ୍‍ଫଳ ବ୍ୟବହାର ନ କରି କାଳି ପ୍ରସ୍ତୁତ କରୁଛନ୍ତି । ଆଉ ନିକଟରେ କେଉଁଠି ଗ୍ରୀଷ୍ମମଣ୍ଡଳୀୟ ରବରଗଛ ନଥିଲେବି ସେମାନେ ରବର ତିଆରି କରିପାରୁଛନ୍ତି ।

 

ଆଗକାଳରେ ଗୋଟିଏ ଚାଟଶାଳି ପିଲା ଯଦି ଆଜି ତମର ଡେସ୍‍କ୍ ଆଉ ବହିବ୍ୟାଗ୍ ଭିତରକୁ ଅନେଇଦିଅନ୍ତା, ତେବେ ସେ ସେଥିରେ ପରକଲମ ବଦଳରେ ଲୁହା ନିବ୍, ସିଲଟଖଡ଼ି ବଦଳରେ ଗ୍ରାଫାଇଟ୍‍ ପେନ୍‍ସିଲ୍, ସିଲଟ ବଦଳରେ ନୋଟ୍‍ଖାତା, ବାଲିଡ଼ବା ବଦଳରେ ବ୍ଲଟିଙ୍ଗ୍ ପେପର୍, କଳା କୋଇଲାରୁ ତିଆରି ନୀଳ କାଳି, ଆଉ କରତଗୁଣ୍ଡରୁ ତିଆରି ରବର ଦେଖି ନିଶ୍ଚୟ ତାଟକା ହୋଇଯାନ୍ତା ।

 

ପ୍ରକୃତରେ ସେ ଆହୁରି ଆଶ୍ଚର୍ଯ୍ୟ ହୋଇଯାନ୍ତା–ଯଦି ଦେଖିବାକୁ ପାଆନ୍ତା । ଫାଉଣ୍ଟେନ୍ ପେନ୍‍ଟିଏ ! ଭାବିଲ ଟିକେ–କଲମଟିଏ, କିନ୍ତୁ ତାକୁ ପ୍ରତି ମିନିଟ୍‍ରେ କାଳିଘଡ଼ିରେ ବୁଡ଼ାଇବାକୁ ପଡ଼ୁନାହିଁ; ନିଜ ପେଟ ଭିତରେ ଅଛି ତା’ କାଳିଘଡ଼ି ! ତମେ କାଳିବୋତଲରେ ତାକୁ ବୁଡ଼ାଇବାମାତ୍ରେ ସେ ସିଧାସଳଖ ସେଥିରୁ କାଳି ପିଇବା ଆରମ୍ଭ କରିଦିଏ ! କିନ୍ତୁ ପିଏ କେମିତି ? ସେ ତ ଜିଅନ୍ତା ପ୍ରାଣୀ ନୁହେଁ ।

 

ଉତ୍ତରଟି ଭାରି ସରଳ ।

 

ଫାଉଣ୍ଟେନ୍ ପେନ୍ ଭିତରେ ଥିବା କାଳିଘଡ଼ିଟି ରବରରେ ତିଆରି; ଠିକ୍ ଆଖିରେ ଔଷଧ ପକାଇବାର ‘ଡ୍ରପର’ ଭଳି । ତୁମେ କଲମରେ ଯେତେବେଳେ କାଳି ପୂରାଅ, ଛୋଟ ରବର ନଳୀଟିକୁ ଆଗ ଚିପି ସେଥିରୁ ପବନ ବାହାର କରିପକାଅ । ଯେତେବେଳେ ଚିପିବା ବନ୍ଦ କରିଦିଅ, ଶୂନ୍ୟ ନଳୀଟା ସିଧା ହୋଇଯାଏ, ଆଉ କାଳି ସେଥିକି ଓଟାରିହୋଇ ଉଠିଆସେ ।

 

 

ରବରନଳୀ ଭିତରକୁ କାଳି ଉଠେ କୋଉ କାରଣରୁ ? ବୋତଲର କାଳି ଉପରେ ବାହାରର ବାୟୁଚାପ ଥାଏ । ଶୂନ୍ୟ ରବରନଳୀ ଭିତରକୁ ଏହି ବାୟୁଚାପ ଯୋଗେ କିଛି କାଳି ଠେଲିହୋଇ ଉପରକୁ ଉଠେ ।

 

ଆଉଥରେ ତମ ବହିବ୍ୟାଗ୍ ଭିତରକୁ ଅନାଅ । ତମର ସବୁ ପୁରୁଣା ସାଙ୍ଗସାଥୀ ସେଠି ଅଛନ୍ତି–ନୋଟ୍‍ଖାତା, କଲମ, ପେନ୍‍ସିଲ୍, ରବର ଆଉ କଲମତ୍ରାସ । ଆଗେ ତମେ ଏମାନଙ୍କ ବିଷୟରେ ଯାହା ଜାଣିଥିଲ, ତାହାଠୁ ଭଲକରି ବେଶି ଜାଣିଲଣି । କାରଣ, ତମେ ଏବେ ଜାଣିଲଣି, ସେଗୁଡ଼ିକ ତମ ବହିବ୍ୟାଗ୍‍ରେ ପହଞ୍ଚିବା ଆଗରୁ କେତେ ବାଟ ଦେଇ ଗତି କରି ଆସିଛନ୍ତି ।

 

ସେମାନେ ଆସିଛନ୍ତି ନାନା ଦିଗରୁ, ନାନା ଅଞ୍ଚଳରୁ; ଆସିବାବେଳେ ପୁଣି ଏତେ ବଦଳି ବଦଳି ଆସିଛନ୍ତି ଯେ, ସେମାନେ କିଏ କେଉଁଥିରେ ତିଆରି, ଏହା କହିବା କଷ୍ଟ ।

 

ସେମାନଙ୍କର ଏହି ପରିବର୍ତ୍ତନସବୁ ପାଇଁ ଦାୟୀ କିଏ ? ତମର ବହିବ୍ୟାଗ୍‍ରେ ପହଞ୍ଚିବାଯାଏ ସେମାନଙ୍କର ଦୀର୍ଘ ଯାତ୍ରାପଥରେ କିଏସବୁ ତାଙ୍କୁ ପଠାଇଛନ୍ତି ? ଦେଶଯାକର କେତେ କାମଧନ୍ଦାର କେତେ ବ୍ୟବସାୟର ଲୋକେ ଏହା ସମ୍ଭବ କରିଛନ୍ତି । ଘରେ, ସ୍କୁଲ୍‍ରେ, ରାସ୍ତାରେ ଯେଉଁ ଜିନିଷପତ୍ର ତମକୁ ଚାରିଆଡ଼ୁ ଘେରି ରହିଛି, ସେ ସବୁ ତିଆରି ହୋଇଛି ମଣିଷର ଶ୍ରମରେ ।

Image

 

 

 

 

 

 

 

 

 

 

 

 

 

ସହରର ରାସ୍ତାରେ

 

ଆମ ରାସ୍ତା ତିଆରି ହେଲା କେମିତି

 

ଆମ ରାସ୍ତାଟି ଭାରି ସୁନ୍ଦର । ସହରର ମୁଣ୍ଡଆଡ଼କୁ, ବାହାର ପଟ କରରେ ଥିଲେ ମଧ୍ୟ ଏହା ସହରର ମଝାମଝି ଜାଗାର ଆଉ ଯେକୌଣସି ରାସ୍ତା ଭଳି ଠିକ୍ । ଘରଗୁଡ଼ିକ ବେଶ୍ ଡେଙ୍ଗା ଡେଙ୍ଗା; ଭାରି ବଢ଼ିଆ । ସେଗୁଡ଼ିକର ଚାରିପଟେ ବଡ଼ବଡ଼ ଅଗଣା । ସେଥିରେ ଖେଳପଡ଼ିଆ ଅଛି, ଗଛଲତା ଅଛି । ଛୋଟ ଛୋଟ ବୁଦାଗୁଡ଼ିଏ, ଆଉ ନାନା ଜାତି ଫୁଲର କିଆରି ଅଛି । ବେଞ୍ଚ୍‍ମାନ ପଡ଼ିଛି ।

 

ଆମ ଗଳିର ୭-୧୭ ନମ୍ବର ଘରଟି ସବୁଠାରୁ ବଡ଼ । ହେଲେ, ୧-୫ ନମ୍ବର ଘରଟିବି ବେଶ୍ ବଡ଼ । ଧଳା ଧଳା ଚକତିର ଲେଖା ହୋଇଛି ଏହି ନମ୍ବରଗୁଡ଼ିକ, ଆଉ ଝୁଲୁଛି ନେଳି ନେଳି ବତୀଗୁଡ଼ିକ ତଳରେ । ସେଗୁଡ଼ିକର ଭାଷା ଯଦି ତୁମେ ବୁଝନ୍ତ, ଦେଖନ୍ତ, ମନ ମୋହିଲା ଭଳି ଗପ କହନ୍ତେ ସେମାନେ । ସେମିତିକା ଗପ ଅଛି ସେଗୁଡ଼ିକର ।

 

ସାଧାରଣରେ ଗୋଟିକ ପରେ ଗୋଟିଏ କରି ନମ୍ବର ଦିଆଯାଇଛି ଘରଗୁଡ଼ିକରେ । ଗଳିର ଗୋଟାଏ ପଟେ ଅଛି ବିଯୋଡ଼ ସଂଖ୍ୟାଗୁଡ଼ିକ–୧,୩,୫,୭,୯ ପ୍ରଭୃତି, ଆଉ ଆରପଟରେ ଅଛି ଯୋଡ଼ ସଂଖ୍ୟାସବୁ–୨,୪,୬,୮,୧୦ । କିନ୍ତୁ ସବୁ ଘରଗୁଡ଼ିକର ଦୁଇ ଦୁଇଟା ନମ୍ବର ଅଛି–୧,୫,୭-୧୭,୧୯-୨୫ ଇତ୍ୟାଦି ।

 

ଏହା ହେଲା କେମିତି ?

 

ଗପଟି ଖୁବ୍ ଲମ୍ବା । ସମୟ ଲାଗିବ କହିବାକୁ ।

 

କେତେବର୍ଷ ହେଲାଣି, ଛୋଟ ଛୋଟ କାଠ ଘରଗୁଡ଼ିଏ ଥାଏ ସେଇଠି, ଯେଉଁଠି ଏବେ ଛିଡ଼ା ହୋଇଛି ବଡ଼ବଡ଼ ନୂଆ ଘରସବୁ । କାହିଁ କୋଉ କାଳରୁ ଏମିତିକା ଛୋଟ କାଠ ଘରଗୁଡ଼ିକ ରହି ଆସିଥାଏ ପୃଥିବୀରେ, ଚାରିଆଡ଼େ । କିନ୍ତୁ ଦିନ ଆସିଲା ଯେତେବେଳେ ବୁଢ଼ା ହୋଇଗଲେ ସେମାନେ ବେଳକୁ ବେଳ, ଆଉ ଲୋକଙ୍କ କାମରେ ଲାଗିବା କାଠିକର ପାଠ ହେଲା ତାଙ୍କ ପକ୍ଷରେ । ସେମାନଙ୍କ ଭିତରୁ ଗୋଟିକର କାନ୍ଥସବୁ ପୋପରା ହୋଇଗଲା ତ ଆଉ ଗୋଟିକର ଛାତ ଭୁଶୁଡ଼ି ପଡ଼ିଲା; ବର୍ଷା ଆଉ ବରଫ ଆଗରେ ଛିଡ଼ା ହୋଇ ଲଢ଼ିପାରିଲେ ନାହିଁ ସେମାନେ । ତୃତୀୟ ଘରଟିର ଦାଣ୍ଡ ପା’ ଭାଗଟା ଶଢ଼ିଗଲା ହୁଏତ । ଦି’ ଦି’ଟା ପାହାଚ ଡେଇଁବାକୁ ପଡ଼ିଲା ଲୋକଙ୍କୁ, ସେ ଘରେ ପଶିବାପାଇଁ । ପିଲାଏ ଏଥିକି ପରବାୟ କଲେ ନାହିଁ ସତ, କିନ୍ତୁ ବୁଢ଼ାବୁଢ଼ାମାନେ ଅଭିଯୋଗ କଲେ–‘‘ଏଠି ବେକ ଭାଙ୍ଗିଯିବ, ମୁଣ୍ଡ ଫାଟିଯିବରେ ବାବା !”

 

ପୁରୁଣାକାଳିଆ ଲୋକଙ୍କ ଭିତରୁ କାହାରି କାହାରି ସାଥିରେ ଯଦି କଥାବାର୍ତ୍ତା ହୁଅ, ସେମାନେ କହିବେ, ଛୋଟ ଛୋଟ କାଠ ଘରଟିମାନଙ୍କରେ ଯୋଉମାନେ ରହୁଥିଲେ, କି କଷ୍ଟରେ ଚଳୁଥିଲେ ସେମାନେ । ସହରର ମଝିରେ, ପ୍ରଧାନ ପ୍ରଧାନ ରାସ୍ତାରେ ଖାଲି କେତୋଟି ଯାହା ଥିଲା ସୁନ୍ଦର ସୁନ୍ଦର ଘର । ବଡ଼ବଡ଼ ଖୋଲା ବଖୁରିଟିମାନ ଥିଲା ସେଥିରେ । ବିଜୁଳିବତୀ ଆଉ ପାଣିକଳ ଥିଲା ତହିଁରେ । ଗୋଟିଏ ଗୋଟିଏ ପରିବାର ଚଳିବା ଲାଗି ଯେଉଁ ଫ୍ଲାଟ୍‍ଗୁଡ଼ିକ ଥିଲା, ତାହାର ଭଡ଼ା ପୁଣି ଏତେ ବେଶି ହୋଇଥାଏ ଯେ, ଶ୍ରମିକମାନେ କେବେହେଲେ ସେଇ ଭଡ଼ା ଦେଇ ପାରୁ ନଥାନ୍ତି ।

 

ବଡ଼ ବଡ଼ ରାସ୍ତାରେ ଗଲେ ପ୍ରାୟ ସବୁବେଳେ ଯେକୌଣସି ଲୋକର ଆଖିରେ ପଡ଼ୁଥାଏ ଝରକାରେ ଆଉ ଫାଟକ–ଖୁଣ୍ଟିରେ ଲାଗିଥିବା ଶାଗୁଆ ରଙ୍ଗର କାର୍ଡ଼ଗୁଡ଼ିକ ସେଥିରୁ ଜଣାଯାଉଥାଏ, ସେଇ ଘରସବୁ ଭଡ଼ା ଦିଆଯିବ ।

 

ଆମ ଗଳିର ଘରଗୁଡ଼ିକରେ ଲୋକେ ଏମିତି ଖୁନ୍ଦାଖୁନ୍ଦି ହୋଇ ରହିଥାନ୍ତି ଯେ ନିଃଶ୍ଵାସ ମାରିବାକୁ ଜାଗା ନଥାଏ । ଗୋଟିଏ ଗୋଟିଏ ଛୋଟ ଗୁମ୍ଫା ବା ବିଲୁଆଗାତ ଭଳି ବଖରାରେ ଚଳୁଥାନ୍ତି ଦି’ ଦି’ଟି ପରିବାର; ଆଉ ପରିବାର ଦୁଇଟିକୁ ଅଲଗା କରି ରଖିଥାଏ ଅତି ନିକୁଚ୍ଛିଆ କନା ପରଦା ଖଣ୍ଡେ । ବେଳେବେଳେ ଅବସ୍ଥା ଏହାଠୁ ବଳିବି ଖରାପ ଥାଏ । ଚାରିକୋଣିଆ ଘରଟିର ପ୍ରତି କୋଣରେ ରହୁଥାନ୍ତି ଜଣେ ଜଣେ ଭଡ଼ାଟିଆ ଲୋକ । ସବୁବେଳେ ଗୋଳମାଳ, ହୋହା । ନିଃଶ୍ଵାସ ରୁନ୍ଧ ହୋଇଯାଉଥାଏ ସେଥିରେ ।

 

ପିଲାଏ ସବୁ ସେଇ ଘରଗୁଡ଼ିକରେ ରହି ରୋଗା ରୋଗା, ଶୁଖିଲା ସେମଟା ହୋଇଯାଇଥାନ୍ତି । ତାଙ୍କପାଇଁ ଜାଗା ନଥାଏ କୋଉଠି ଖେଳିବାକୁ । ଅଳିଆରେ ଭର୍ତ୍ତି ହୋଇଥାଏ ଅଗଣାଗୁଡ଼ିକ । ନିହାତି ଅସନା । ଖୋଲା ମଇଳା ଖାତଗୁଡ଼ିକରୁ କଦର୍ଯ୍ୟ ଦୁର୍ଗନ୍ଧ ବାହାରୁଥାଏ ସବୁବେଳେ । ରାସ୍ତାଗୁଡ଼ାକ କଚ୍ଚା । ଶରତ ଋତୁରେ ସେଥିରେ ଯିବାଆସିବା କରିବା ଅସମ୍ଭବ । ପାଣିସବୁ ବୁହାହୋଇ ଆସୁଥାଏ ଶିକା ବାହୁଙ୍ଗିରେ ଝୁଲାହୋଇ ମାଠିଆରେ । ନଈକୂଳର ଚିକିଟା କାଦୁଅରେ ଗୋଡ଼ ଖସିଯିବା, ଆଉ ପାଣିତକ ଇଡ଼ିଯିବା ଅତି ସହଜ ଘଟଣା ହୋଇଥାଏ । ବିଜୁଳିବତୀର ନାଆଁଗନ୍ଧ ନଥାଏ କୋଉଠି । ସଞ୍ଜବେଳେ ଲୋକେ ଘେରି ବସିଯାଆନ୍ତି ଟିଣ ଡିବିରି ପାଖରେ । ସେଥିରୁ ଯେତେ ଆଲୁଅ ବାହାରୁ ନଥାଏ ସେତେ ବାହାରୁଥାଏ କଳା ଧୂଆଁଗୁଡ଼ାକ ।

 

ଏମିତିକା ଅବସ୍ଥା ଥାଏ ରୁଷରେ ସେତେବେଳେ । କ୍ଷମତା ଥାଏ ଛୋଟ ଛୋଟ କଳମାଲିକ ଆଉ ଜମିଦାରମାନଙ୍କ ହାତରେ । ସେଇମାନେ ରହୁଥାନ୍ତି ସହର ମଝିରେ ଫାଙ୍କା ଜାଗାରେ–ବଗିଚାଘେରା ବଡ଼ବଡ଼ କୋଠାଘରମାନଙ୍କରେ । କିନ୍ତୁ ଦିନେ ରୁଷର ଶ୍ରମିକମାନଙ୍କ ହାତକୁ କ୍ଷମତା ଆସିଲା–ସେମାନେ ହେଲେ ନିଜ ନିଜର ପ୍ରଭୁ । ସେମାନେ ଆରମ୍ଭ କରିଦେଲେ ସହରଗୁଡ଼ିକ ନୂଆ ରୂପରେ ଗଢ଼ିବାକୁ । ଯିଏ କାମ କଲା, ସିଏ ଭଲ ଭାବରେ ଚଳିଲା, ଭଲ ଘରେ ରହିପାରିଲା । ଏବେ ଅନେକ ସହର ଏତେ ବଦଳିଯାଇଛି ଯେ ସେଗୁଡ଼ିକ ଆଉ ଚିହ୍ନି ହେଉ ନାହିଁ ।

 

ଅନେକ ଦିନ ମସ୍କୋଠୁ ଦୂରରେ ରହିଲା ପରେ ଏବେ ଯେଉଁମାନେ ଫେରୁଛନ୍ତି, ସେମାନେ ଆଉ ଆଖିକି ବିଶ୍ଵାସ କରିପାରୁନାହାନ୍ତି । କାହିଁକି ନା ନୂଆ ନୂଆ ବଡ଼ବଡ଼ କୋଠାମାନ ପରୀରାଇଜରେ କାହାଣୀ ଭଳି ସହରର ଚାରିଆଡ଼େ ମୁଣ୍ଡ ଟେକି ଉଠୁଚି । ସନ୍ଧ୍ୟାହେଲେ ଅନ୍ଧାରିଆ ଆକାଶରେ ଝଲସି ଉଠୁଚି ବିରାଟ ଜଳନ୍ତା ‘ତ୍ରିଭୁଜ’ମାନ । ବେଳେବେଳେ ସେଗୁଡ଼ିକ ଘୂରୁଛି–ଡାହାଣକୁ ନଇଲେ ବାଆଁକୁ । ସେଗୁଡ଼ିକର ତଳେ ତଳେ ଠିକ୍ ଆଖି ଝଲସେଇ ଜଳକା କରିଦେଉଛି ଅସରାକୁ ଅସରା ସ୍ଫୁଲିଙ୍ଗ ସବୁ ଆଉ ବିଦ୍ୟୁତ୍‍ର ଚମକମାନ । ପାଖପାଖ ଘରଗୁଡ଼ିକର ଝରକାକୁ ଝଲସାଇ ଦେଉଛି–ନେଳି ନେଳି ଆଲୁଅରେ ।

 

କ’ଣ ହେଉଛି ଯେ ସେଠି ?

 

ଅସୁର ଭଳି ବିରାଟ କୋଠାମାନ ଉପରକୁ ମୁଣ୍ଡ ଟେକି ଉଠୁଚି ।

 

ଜଳନ୍ତା ତ୍ରିଭୁଜଗୁଡ଼ିକ ହେଉଚି କ୍ରେନ୍‍ଗୁଡ଼ିକର ବାହିରେ ଥିବା ବିଜୁଳି ଆଲୁଅ । କ୍ରେନ୍‍ରେ ଉପରକୁ ଉଠୁଚି ଇସ୍ପାତର ଖୁଣ୍ଟି ଆଉ ବିରାଟ ବିରାଟ ଲୁହାକଡ଼ି । କୋଠା ଘରଟିର ଇସ୍ପାତ ଫ୍ରେମ୍ ଯେତିକି ଯେତିକି ଉଞ୍ଚା ହେଉଚି କ୍ରେନ୍‍ଟି ସେତିକି ଉପରକୁ ଉପରକୁ ଉଠୁଚି । ଯେତେବେଳେ ସାହସୀ ଲୋକସବୁ ସୁଦକ୍ଷ ହାତରେ ଝଳାଇ ମିଶାଉଛନ୍ତି ଲୁହାକଡ଼ିଗୁଡ଼ିକ ବହୁତ ଉଚ୍ଚରେ ସେତିକିବେଳେ ନୀଳ ଆଲୁଅ ଚମକି ଉଠୁଚି ।

 

କାହାରି ଯଦି ମନ ହେଉଥାଏ ଘରର ‘ଲୁହାକଙ୍କାଳ’ଟିକୁ ଦେଖିବାପାଇଁ, ତେବେ ଆଉ ତା’ ଡେରି କରିବା ଚଳିବ ନାହିଁ; କାରଣ ସେଥିରେ ଇଟା ଖଞ୍ଜା ହୋଇଗଲେ ଆଉ ତାହା ଦେଖାଯିବ ନାହିଁ । ଖୁଣ୍ଟିଗୁଡ଼ିକର ମଝିରେ ଇଟା କାନ୍ଥନିଗୁଡ଼ିକ ବଢ଼ି ବଢ଼ି ଉପରକୁ ଉଠିବ । ପରେ ପୁଣି କୋଠାଘରର ବାହାରପଟ ଇଟା ଉପରେ କମକୂଟ କାମର ଖଣ୍ଡଖଣ୍ଡ ପଥର ଛାଆଣି ହୋଇଯିବ ।

 

ଗୋଟିଏ ସାଧାରଣ ଯୋଜନା ଅନୁସାରେ ମସ୍କୋ ସହର ତିଆରି ହେଉଛି । ଶୋଭିଏତ ସରକାରଙ୍କ ହାରା ଡାକରା ପାଇ ନିର୍ମାଣ କାରିଗରମାନେ ଏହି ଯୋଜନାଟି ତିଆରି କରିଛନ୍ତି ।

 

ଅଣଓସାରିଆ ବଙ୍କାଢ଼ଙ୍କା ରାସ୍ତା ଆଉ ଅମୁହାଁ ଗଳିଗୁଡ଼ିକ ବଦଳରେ ନୂଆ ନୂଆ ଓସାରିଆ ରାସ୍ତା ସବୁ ଚଢ଼ା ଗଲାଣି । ସେଥିରେ ରହୁଚି ଉଞ୍ଚା ଉଞ୍ଚା ପକ୍କାଘର, ଧାଡ଼ି ଧାଡ଼ି ଗଛ.....ଆଉ ତୁମ ଘରର ଚଟାଣ ଭଳି ଚିକ୍କଣ ଆଉ ସଫାସୁତୁରା ଚଲା-ରାସ୍ତା ସବୁ । କାଳ କାଳ ଧରି ଧୀରେ ଧୀରେ ଗଢ଼ିଉଠିଥିବା ଏଭଳି ଗୋଟାଏ ବଡ଼ ସହରକୁ ପୁଣି ଥରେ ନୂଆ କରି ଗଢ଼ିବା ସହଜ କାମ ନୁହେଁ । ତେବେ ଏଣିକି ବର୍ଷକୁ ବର୍ଷ ପୁରୁଣା ଛୋଟ ଛୋଟ ଘରଗୁଡ଼ାକ କମି କମି ଆସୁଚି । ଦିନେ ପାଳି ପଡ଼ିଲା ଆମ ସାହିଟିର ।

 

ତମେ ସେତେବେଳେବି ଖୁବ୍ ସାନଟିଏ ହୋଇଥାଅ । ତମର ମନେ ନଥିବ–ଶ୍ରମିକ ସବୁ ଆସି କୋଡ଼ିଏବର୍ଷ ଭିତରେ କେମିତି ସବୁ ବଡ଼ବଡ଼ କୋଠାତକ ତୋଳି ଛିଡ଼ା କରିଦେଲେ । ସେମାନେ କାମ କରୁଥିବାବେଳେ ଭାରି ମଜା ଲାଗୁଥାଏ ଦେଖିବାକୁ ।

 

ପହିଲେ କାମ ଆରମ୍ଭ କରିଦେଲେ ମାଟିଖୋଳା ଶ୍ରମିକମାନେ । ମୂଳଦୁଆ ପାଇଁ ଆଗ ଗାତ ଖୋଳିଲେ ସେମାନେ । କାହିଁକି ନା, ସିଧାସଳଖ ଆଉ ଘରଟିଏ ତମେ ଛିଡ଼ା କରେଇ ପାରିବନି ଭୂଇଁ ଉପରେ ! ଘରଟା ଭାରି ଓଜନିଆ ଜିନିଷ ଆଉ ଭୂଇଁ ଭାରି ନରମା । ତମେ ଯଦି ମୂଳଦୁଆ ନ ପକେଇ ଘରତୋଳା ଆରମ୍ଭ କରିଦିଅ ତେବେ ଏହା ତଳକୁ ଦବି ଯିବ ଆଡ଼ବାଙ୍କିଆ ହୋଇ । କିଛିଦିନ ଭିତରେ ଆଉଜିପଡ଼ିବ ଆଉ ଫାଟିଯିବ ଏକାବେଳକେ । ଏମିତିକା ଘର ଶେଷରେ ଭୁଶୁଡ଼ି ପଡ଼ିବ ନିଶ୍ଚୟ ।

 

ଏହା ଯେମିତି ନ ଘଟେ ସେଥିପାଇଁ ଘର ତୋଳା ହୁଏ ମୂଳଦୁଆ ଉପରେ । ଶକ୍ତ ଭାବରେ ଆଗ ମୂଳଦୁଆ ପଡ଼େ–ଇଟାରେ, ବଡ଼ବଡ଼ ପଥରରେ, ନଇଲେ କଙ୍କ୍ରିଟ ବୋଲାଉଥିବା କୃତ୍ରିମ ପଥରରେ । ମୂଳଦୁଆ ପକାଇଲାବେଳେ ମିସ୍ତ୍ରିମାନେ ବହୁତ ଭାବିଚିନ୍ତି କାମ କରନ୍ତି । କାରଣ ମୂଳଦୁଆଟି ଅଣଓସାରିଆ ହୁଏ ତେବେ ଏହା ଘରକୁ ସମ୍ଭାଳି ପାରିବ ନାହିଁ । କିନ୍ତୁ ଖାଲି ମୂଳଦୁଆ ଓସାରିଆ ହେଲେ ତ ହେବ ନାହିଁ । ଏହା ଗହିରିଆ ହୋଇ ଖୋଳା ହେବା ଦରକାର । ଖୁବ୍ ଟାଣୁଆ ଆଉ ଚିପି ହୋଇ ରହିଥିବା ତଳ ପରସ୍ତ ମାଟିରେ ଏହାର ପହିଲି ଗାନ୍ଥନିଟା ରହିବା ଉଚିତ; ଉପର ପରସ୍ତ ଫସକା ମାଟିରେ ନୁହେଁ, । ଉପର ପରସ୍ତ ମାଟିକୁ ବିଶ୍ଵାସ ନାହିଁ । କାରଣ ଏଥିରେ ବର୍ଷଣା ପାଣି ଥାଏ; ବରଫ ତରଳିବା ପାଣିବି ପଶି ରହିଯାଇଥାଏ । ଶୀତଦିନ ଆରମ୍ଭରେ ତୁଷାର ପଡ଼ିବାମାତ୍ରେ ମାଟିରେ ଯେଉଁ ପାଣି ଥାଏ ତାହା ବରଫ ପାଲଟିଯାଏ । ଏହି ବରଫ ମୂଳଦୁଆକୁ ଠେଲିବାରେ ଲାଗିଯାଏ । ଏହା ଫଳରେ ସମୁଦାୟ ଘରଟା ଦୋହଲିଯାଏ ।

 

ମିସ୍ତ୍ରିମାନେ ଏସବୁ ଜାଣନ୍ତି । ସେଇଥିପାଇଁ ଏତେ ଗହିରିଆ କରି ସେମାନେ ମୂଳଦୁଆ ଖୋଳନ୍ତି । ଏଣୁ ପ୍ରତି କାନ୍ଥଟିପାଇଁ କଠିନ ଶକ୍ତ ଶୁଖିଲା ମାଟି ଉପରେ ପଥରର ଟାଣୁଆ ଗାନ୍ଥନି ଦେବାକୁ ପଡ଼େ ।

 

ବହୁତ ଦିନ ଆଗେ ଘରତୋଳା ଶ୍ରମିକମାନେ କୋଡ଼ିକାଙ୍କରେ ମାଟି ଖୋଳୁଥିଲେ । ମାଟି ଟାଣୁଆ କି ପଥୁରିଆ ପଡ଼ିଲେ ସେମାନେ ଶାବଳ ବା ଗଇଁତି ବ୍ୟବହାର କରୁଥିଲେ । ଏ କାମ ଭାରି କଠିନ ଥିଲା । ବହୁତ ସମୟବି ଲାଗୁଥିଲା ସେଥିରେ । ବିଶେଷରେ ବଡ଼ କୋଠାଘରଟିଏ ପାଇଁ ମୂଳଦୁଆ ଖୋଳାରେ ଅନେକ ଦିନ ବିତିଯାଉଥିଲା । ଏବେ ଏଥିପାଇଁ ଏକ୍‍ସକ୍ୟାଭେଟର’ ବୋଲି ଗୋଟାଏ ଶକ୍ତିଶାଳୀ ମେସିନ୍ ବାହାରିଚି । ଏହା ଶ୍ରମିକମାନଙ୍କୁ ସାହାଯ୍ୟ କରୁଚି ଖୁବ୍ । ଆମ ସାହିରେ ଘର ତୋଳା ହେଲାବେଳେ ଏ ମେସିନ୍‍ଟା ଗୋଟାଏ ପ୍ରକାର ଫାଉଡ଼ା ସାହାଯ୍ୟରେ ଗାତ କରି ଛେଲାକୁ ଛେଲା ମାଟି କୋରି କୋରି କାଢ଼ିପକାଉଥାଏ । ସେ ପ୍ରକାରର ଗୋଟାଏ ଫାଉଡ଼ା କଥା କେହି କେବେ ସ୍ଵପ୍ନରେ ଭାବିଥିଲା ଭଲା ଆଗରୁ ? ଏଇ ଫାଉଡ଼ର ଦାନ୍ତ ଅଛି । ଏଇ ଲୁହା ଦାନ୍ତରେ ଏହା ମାଟିକୁ ଆଗ କାମୁଡ଼ି ଧରେ । ସେଥିରୁ ପୁଳାଏ ଲେଖାଏଁ ନେଇ ପାଖରେ ଅପେକ୍ଷା କରିଥିବା ଲରିରେ ଭର୍ତ୍ତି କରେ । ଏମିତିକା ଫାଉଡ଼ା ଯୋଗେ କାମ କରିବାରେ ଆଉ ଫାଙ୍କ ନଥାଏ କେଉଁଠି । ଗୋଟିଏ ଲରି ଭର୍ତ୍ତି ହୋଇଗଲା ପରେ ଚାଲିଯାଏ-। ସଙ୍ଗେ ସଙ୍ଗେ ଆଉ ଗୋଟାଏ ଖାଲି ଲରି ଆସି ଠିଆ ହୁଏ ଏକ୍‍ସକ୍ୟାଭେଟର ପାଖରେ-। ଶ୍ରମିକମାନଙ୍କର କାମ ହେଉଚି ଗାତର କରଗୁଡ଼ିକୁ ମାଠି ସମାନ କରିଦେବା, ଆଉ ତଳଟାକୁ ଚାଞ୍ଛି ସମତୁଲ କରିବା ।

 

ଠିକ୍ ସମୟରେ ସେମାନେ ତାଙ୍କର କାମ ସାରିଦେଲେ । ତା’ପରେ ଶକ୍ତିଶାଳୀ ଖୋଳେଇ ଯନ୍ତ୍ରକୁ ନେଇ ଅନ୍ୟ ଗୋଟିଏ ଅଂଶକୁ ବାହାରିଗଲେ । ସେଠି ଆଉ ଗୋଟିଏ ଘରପାଇଁ ଗାତ ଖୋଳା ଆରମ୍ଭ କରିଦେଲେ ।

 

ସେତେବେଳକୁ କଙ୍କ୍ରିଟ ଗଢ଼ାଳିମାନେ ପ୍ରଥମ ସ୍ଥାନରେ ମୂଳଦୁଆ ଗଢ଼ାରେ ଲାଗିଯାଇଥାନ୍ତି । ସେମାନେ ସାଙ୍ଗରେ ଆଣିଥାନ୍ତି କଙ୍କ୍ରିଟ ଗୋଳାଇବାପାଇଁ ଗୋଟାଏ ଶକ୍ତିଶାଳୀ ଯନ୍ତ୍ର । ଏଇ କଳରେ କଙ୍କ୍ରିଟ ବା କୃତ୍ରିମ ପଥର ତିଆର ହୁଏ । ଏକପ୍ରକାର ପାଉଁଶିଆ ଚୂନା ଅଛି, ତାକୁ କହନ୍ତି ‘ସିମେଣ୍ଟ’ । ଏହି ସିମେଣ୍ଟ, ବାଲି ଆଉ ଗୋଡ଼ିରୁ କଙ୍କ୍ରିଟ ଢଳା ହୁଏ । କଙ୍କ୍ରିଟଗୋଳେଇ ମେସିନ୍ ଏଗୁଡ଼ିକୁ ପାଣିରେ ଗୋଳେଇ ମିଶାଏ । ଏମିତି ଭାବରେ ଫେଣ୍ଟେ ଯେ ତାହା ପିଠାଖଳି ଭଳି ଅଠାଳିଆ ହୋଇଯାଏ ।

 

ପଥର ତ ଟାଣ ହେବା ଦରକାର । କଥାରେ କହନ୍ତି, ପଥର ଭଳି ଟାଣ । କିନ୍ତୁ ନୂଆ ମିଶା ହୋଇଥିବା କଙ୍କ୍ରିଟ ଏତେ ନରମା ଥାଏ ଯେ ତାକୁ ଯେକୌଣସି ଆକାର ଦିଆଯାଇପାରେ । ଧର, ତମେ ଯଦି ଗୋଟାଏ ଖାଲି କାଠ ବାକ୍ସକୁ କଙ୍କ୍ରିଟରେ ଭରପୂର କରିଦିଅ ଆଉ ତାକୁ ଶକ୍ତ ହେବାକୁ ଛାଡ଼ିଦିଅ ତେବେ ତମେ ଠିକ୍ ବାକ୍ସ ଆକୃତିର ପଥର ଖଣ୍ଡେ ପାଇବ ।

 

ବିଶେଷ କିଛି ବୁଝେଇବାର କଥା ନାହିଁ । ମନେପକାଅ, ଓଦା ବାଲିରେ ତୁମେ ଯେଉଁ ପିଠାମାନ ଗଢ଼ୁଥିଲ, ସେଗୁଡ଼ିକ କେମିତି ଠିକ୍ ଛାଞ୍ଚ ଅନୁସାରେ ଗଢ଼ିହୋଇଯାଉଥିଲା । ବାଲିପିଠାଗୁଡ଼ିକର ଆୟୁଷ ଥିଲା ନିହାତି କମ୍ । ଟିକକ ପରେ ସେଗୁଡ଼ିକ ଫିଟିଯାଉଥିଲା ।

 

କିନ୍ତୁ କଙ୍କ୍ରିଟ ଖଣ୍ଡ କଥା ଅଲଗା । ସମୟ ଯେତିକି ଯେତିକି ଗଡ଼ି ଯାଉଥିବ, ଏହା ସେତିକି ସେତିକି ଅଧିକରୁ ଅଧିକ ଟାଣ ହେଉଥିବ ।

 

ଆମ ଗଳିରେ କଙ୍କ୍ରିଟ ଗଢ଼ାଳିମାନଙ୍କର କାମକୁ ଯଦି ତୁମେ ଲକ୍ଷ୍ୟ କରିଥାନ୍ତ, ଏହା ତମେ ସାଙ୍ଗେ ସାଙ୍ଗେ ଦେଖିପାରିଥାନ୍ତ । ମୂଳଦୁଆ ପାଇଁ ସେମାନେ କାଠର ଗୋଟାଏ ଛାଞ୍ଚ କରିଥାନ୍ତି । ସେଥିରେ ‘କଙ୍କ୍ରିଟ’ ଭର୍ତ୍ତି କରିଦେଇ ସେମାନେ ଦ୍ଵିତୀୟ ଜାଗାକୁ ଚାଲିଗଲେ । ସେଠି ଶ୍ରମିକମାନେ ସେତେବେଳକୁ ମୂଳଦୁଆ ଖାତ ଖୋଳିସାରିଥାନ୍ତି । ସେଇ ଦ୍ଵିତୀୟ ଜାଗାଟିର ମୂଳଦୁଆରେ କଙ୍କ୍ରିଟ ଚଢ଼ାଳିମାନେ ନିଜ କାମରେ ଲାଗିପଡ଼ିଲେ, ଆଉ ଖୋଳାଳି ଶ୍ରମିକମାନେ ତୃତୀୟ ଜାଗାକୁ ଚାଲିଗଲେ ।

 

ଏମିତି ଭାବରେ ଘରତୋଳା ଶ୍ରମିକମାନେ ଦଳକ ପଛରେ ଦଳ କାମ କରିଚାଲିଥାନ୍ତି ଗଳି ତମାମ । ଆଗ ଆସୁଥାନ୍ତି ଖୋଳାଳି–ଶ୍ରମିକ ସବୁ । ତା’ପରେ କଙ୍କ୍ରିଟ ଗଢ଼ିଳି ଆଉ ତା’ପରେ ଇଟା ଗଢ଼ାଳିମାନେବି ସାଙ୍ଗରେ ସାହାଯ୍ୟକାରୀ ଯନ୍ତ୍ର ଆଣିଥାନ୍ତି । ଗୋଟାଏ କି ବିରାଟ ଯନ୍ତ୍ର ସେଇଟା । ସେଇଟା ଦଶମହଲା କୋଠାରୁ ବଳି ଉଞ୍ଚା; କିନ୍ତୁ ହାତ ତା’ର ଗୋଟିଏ । ତେବେ ସେଇ ହାତଟା ମଣିଷ ହାତର କୋଡ଼ିଏ ଗୁଣ ଲମ୍ବା । ଏକାଥରକେ ଉଠାଏ ୪୦୦ ଇଟା, ନଇଲେ ୧୨ ଖଣ୍ଡ ବଡ଼ବଡ଼ ପଥରରେ ତିଆରି ଧାଡ଼ିଏ ପାହାଚ ବା ୧୫ ଟନ୍ ଓଜନର ଗୋଟାଏ ପୂରା କାନ୍ଥ ।

 

ଏଇ ଅସୁରଟାକୁ କହନ୍ତି ଟାୱାର ‘କ୍ରେନ୍’ । ଏହାର ମଝିରେ କାଚର ଗୋଟିଏ ଛୋଟ ‘ପଞ୍ଜୁରୀ’ ଥାଏ । ସେଇଥିରେ ଏହାର ଚାଳକ ବସେ । ସେ ଏତେ ଉଚ୍ଚରେ ଥାଏ ଯେ ତଳୁ ଅନେଇଲେ ଅତି ଛୋଟ ଦିଶେ । ସେ ଲିଭର ଛୁଇଁଲାକ୍ଷଣି ବିରାଟ କ୍ରେନ୍‍ଟା ଘର ପାଖେପାଖେ ଗତି କରିବାକୁ ଆରମ୍ଭ କରେ । ତା’ପରେ ସେ ଗୋଟିଏ ବୋତାମ ଟିପିଦିଏ । ଏଥିରେ କ୍ରେନ୍‍ର ହାତଟା ଝୁଲିଝୁଲି ଆଗେଇଯାଏ ଘରଆଡ଼କୁ; ଇଟା ଭର୍ତ୍ତି ଗୋଟାଏ ବାକ୍ସକୁ ଟେକିନିଏ ଉପରକୁ । ସବା ଉପରମହଲାରେ ଇଟା ବାକ୍ସଟି ପହଞ୍ଚିବାମାତ୍ରେ ଶ୍ରମିକମାନେ ସେଥିରୁ ଇଟା ଖଲାସ କରିବାରେ ଲାଗିଯାଆନ୍ତି ।

 

ଆଗେ ଲୋକଙ୍କୁ ବୋଝକୁ ବୋଝ ଇଟା ନିଜେ ନିଜେ ବୋହିବାକୁ ପଡ଼ୁଥିଲା । ରୁଷରେ ଆଗେ ସେଇ ଇଟାବୁହାଳିଙ୍କୁ କହୁଥିଲେ । ଛେଳି ‘ବୁହାଳି’ କାରଣ ସେମାନେ ଇଟା ବୋହୁଥାନ୍ତି ଗୋଟିଏ ଛେଳି ଭିତରେ; ଅବଶ୍ୟ ଜିଅନ୍ତା ନୁହେଁ । କାଠ ତିଆରି ଛେଳିରେ ସେତେବେଳେ ଇଟାସବୁ ଥାକଥାକ କରି ରଖାଯାଉଥିଲା ଗୋଟିଏ ଠେଲାଗାଡ଼ିରେ । ସେଇ ଠେଲାଗାଡ଼ିରେ ଥାଏ ଯୋଡ଼ିଏ ବଙ୍କୁଲି ହାତ, ଠିକ୍ ଛେଳି ଶିଙ୍ଗ ଭଳି । ଏଥିପାଇଁ ସେ ଠେଲାଗାଡ଼ିକୁ ସମସ୍ତେ ଛେଳି ବୋଲି କହୁଥିଲେ । ଟେବୁଲ ଉଞ୍ଚର କାଠଘୋଡ଼ିଆ ଉପରେ ଖଞ୍ଜା ହୋଇଥାଏ ‘ଛେଳିଟି’ । ତା’ ନ ହୋଇଥିଲେ ଇଟା ବୁହାଳିକୁ ତଳୁ ନେଇ ବୋଝେଇ କରିବାକୁ ପଡ଼ୁଥାନ୍ତା ଇଟାଗୁଡ଼ିକ । ଏହା କରିବା ଆହୁରି କଷ୍ଟକର ହେଉଥାନ୍ତା । କାଠଛେଳିରେ ୩୦ ଖଣ୍ଡ ଇଟା ସଜାଇ ଗଦା କରିସାରିଲାପରେ ବୁହାଳି ସେଇଟିକୁ ଉଠେଇ ଏମିତି ଭାବରେ ପିଠିରେ ପକେଇଦିଏ ଯେ, ବଙ୍କୁଲି ହାତ ଦୁଇଟା କୁହୁଣ୍ଡା ପରି ଜାବୁଡ଼ିଧରେ ତା’ର କାନ୍ଧକୁ । ଲୋକଟା ବଳୁଆ ଆଉ ଫୂର୍ତ୍ତିବାଲା ହେବା ଦରକାର । ତା’ ନହେଲେ କାଠଛେଳିଟିକୁ ପିଠିଉପରେ ପକେଇଲାବେଳେ ତା’ ଓଜନରେ ନିଜେ ଭାଙ୍ଗିପଡ଼ୁଥାନ୍ତା ।

 

ଇଟାବୋଝକୁ ପୁଣି ଦୋହଲୁଥିବା ପଟାଚାର ଉପରେ ପଡ଼ି ଚାରିମହଲା ପାଞ୍ଚମହଲା ଉପରକୁ ବୋହିନେବାକୁ ପଡ଼ୁଥାଏ ।

 

ଏମିତି ଥାଏ ସେତେବେଳର ଅବସ୍ଥା । କିନ୍ତୁ ଆମ ଗଳିରେ ଯେତେବେଳେ ଘରତୋଳାରେ ଲାଗିଥାନ୍ତି ସେମାନେ, କେଉଁଠି ଗୋଟିଏ ହେଲେ କାଠଛେଳି ଦେଖିବାକୁ ମିଳେ ନାହିଁ ସେତେବେଳେ । ଲୋକେ କାହିଁକି ଅକାରଣରେ ଅଣ୍ଟାପିଠି ଭାଙ୍ଗନ୍ତେ ଯେ, ମେସିନ୍ ତାଙ୍କପାଇଁ ସହଜରେ ଇଟାବୁହା କାମ ତୁଲେଇ ନେଉଛି ?

 

ରାଜମିସ୍ତ୍ରିମାନେ ବେଗି ବେଗି କାମ କରୁଥାନ୍ତି । ବିଶେଷରେ ଟୋକାଟିଏ ଜୋର୍‍ସୋର୍‍ରେ କାମ କରୁଥାଏ । ଦିନେ ବଡ଼ିସକାଳୁ କାମକୁ ଆସି ଦେଖେ ଯେ ଗତରାତିରେ ସେ ଯେଉଁ ଇଟାତକ ଖଞ୍ଜିସାରିଥିଲା, ସେଇ ଗାନ୍ଥନିର ଉପର ଥାକରେ ଗୋଟିଏ ପତାକା ଝୁଲୁଛି । ଆଉ ସେଇ ପତାକାରେ ଲେଖାହୋଇଚି–

 

ସବୁଠୁ ବଢ଼ିଆ ଇଟାଯୋଡ଼ାଳିକୁ ଅଭିନନ୍ଦନ !

 

ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଗଲା ସେ । ଟିକିଏ ରହି ସେ ତା’ ସାହାଯ୍ୟକାରୀ ଲୋକଟିକୁ ଡାକି କହିଲା–ଚାଲ, ‘‘ଆରମ୍ଭ କରିଦେବା, ଚାଲ । ସେମାନେ ଯଦି ଏଇକ୍ଷଣି ପତାକାଟିକୁ କାଢ଼ିନିଅନ୍ତି, କେଡ଼େ ଅପମାନିଆ କଥା ହେବ କହିଲ !” ତା’ପରେ ସେମାନେ ଲାଗିପଡ଼ିଲେ ଆହୁରି ଜୋର୍‍ସୋର୍‍ରେ । ଆହୁରି ଭଲ ଭାବରେ କାମ କଲେ । ଚାହୁଁଚାହୁଁ କେଡ଼େ ବେଗରେ ଉଠିଲା କାନ୍ଥଟା । ଦିନ ଶେଷବେଳକୁ ଟୋକା ଶ୍ରମିକ କାନ୍ଥଟିକୁ ଅନାଇଦେଇ ଦେଖିଲା ଯେ ସବାଉପର ଥାକ ଗାନ୍ଥନି ପାଖରୁ ପତାକାଟି ଯାଇ କାହି ତଳେ ରହିଲାଣି !

 

ତହିଁ ଆରଦିନ ସେ ଯେତେବେଳେ ପୁଣି କାମକୁ ଆସିଲା, ଦେଖିଲା, ସେ ପତାକାଟି ପୁଣି ଉଠିଯାଇଚି ଇଟା ଗାନ୍ଥନିର ସବା ଉପରଧାଡ଼ିକୁ । ଏମିତିକା ଚାଲିଲା ସେଇଦିନଠୁ; ଦିନଯାକ ସେ ଲାଗିପଡ଼ିଥାଏ ପତାକାକୁ ଟପି ଯେତେଦୂର ପାରିବ ଗାନ୍ଥନିର ଉପରକୁ ଉପରକୁ ଉଠେଇବ; ଆଉ ତା’ ଆରଦିନ ସକାଳେ ଆସି ଦେଖେ, ପତାକାଟି ସବା ଉପର ଧାଡ଼ିକୁ ଉଠି ତାକୁ ଚାହିଁ ରହିଚି ଯେମିତି ! ଏମିତି ଭାବରେ ସେ ଆଉ ପତାକା, ଦିହିଁଙ୍କି ଦିହିଁ ଏକାଠି ଦିନେ ପହଞ୍ଚିଲେ ଯାଇ ଛାତ ପାଖରେ । ସେତେବେଳକୁ ଯୁବକ ଶ୍ରମିକଟିର ନାଆଁ ବାଜିଯାଇଥାଏ ଚାରିଆଡ଼େ । ସମୁଦାୟ ଗଳିଟିରେ ବିଖ୍ୟାତ ହୋଇଯାଇଥାଏ ସେ ଭଲ ରାଜମିସ୍ତ୍ରି ହିସାବରେ ।

 

ରାଜମିସ୍ତ୍ରିର କାମ କିଛି ସହଜ କାମ ନୁହେଁ । ଛୋଟ ଛୋଟ ଇଟାଗୁଡ଼ିକୁ ଏକାଠି ଖଞ୍ଜି ଗୋଟିଏ ମସ୍ତବଡ଼ଘର ଠିଆ କରିବା ଥଟ୍ଟାର କଥା ନୁହେଁ । ଜ୍ଞାନ ଆଉ ଦକ୍ଷତା ନଥିଲେ ଏହା କରାଯାଇପାରେନା । ଇଟାଗୁଡ଼ିକ ନିର୍ଭୁଲ ଭାବରେ ଖଞ୍ଜାହେବା ଦରକାର । ତା’ ନହେଲେ କାନ୍ଥସବୁ ଭୁଶୁଡ଼ିପଡ଼ିବ ।

 

ବାକ୍ସଗଢ଼ାଳି କାରିଗର ତା’ କାମର ବିଭିନ୍ନ ଅଂଶଗୁଡ଼ିକୁ ଯୋଡ଼ିବାପାଇଁ ଗୁନ୍ଦ୍‍ଅଠା ବ୍ୟବହାର କରେ । ଦରଜି ବ୍ୟବହାର କରେ ସୂତା । ବଢ଼େଇ ବ୍ୟବହାର କରେ କଣ୍ଟା । କିନ୍ତୁ ରାଜମିସ୍ତ୍ରି ବ୍ୟବହାର କରେ ‘ମଟାର’ ବା ଚୂନମସଲା । ଏହି ‘ମଟାର’ ଜିନିଷଟି ହେଉଛି ସିମେଣ୍ଟ ବା ଚୂନରେ ବାଲି ଓ ପାଣି ମିଶାଯାଇ ତିଆରି ହୋଇଥିବା ଅଠାଳିଆ ପର୍ଦାଥ । ଏଇ ଚୂନମସଲାକୁ ଦୁଇଟି ଇଟାର ଯୋଡ଼େଇ ଫାଙ୍କରେ ଦିଆଯାଏ । ସମୟ ଯେତିକି ଗଡ଼େ ଏହା ସେତିକି ଶକ୍ତ ହେବାରେ ଲାଗେ; ଆଉ ଇଟାଦୁଇଟିକୁ ଏମିତି ବାନ୍ଧିରଖେ ଯେ ତାକୁ ଟାଣି ଅଲଗା କରିବା ଅସମ୍ଭବ ।

 

ରାଜମିସ୍ତ୍ରି ଛୋଟ ଫାଉଡ଼ା ଭଳି ଗୋଟିଏ କରଣୀ ସାହାଯ୍ୟରେ ପୁଳିଏ ଚୂନମସଲା ନେଇ ଇଟାଥାକ ଉପରେ ସମାନ କରି ବୋଳିଦିଏ । ତା’ ଉପରେ ପରସ୍ତେ ଇଟା ଖଞ୍ଜିଖାଞ୍ଜି ବସାଏ । ସେ ଖୁବ୍ ନଜର ରଖିଥାଏ, ଯେପରି ତଳପରସ୍ତ ଆଉ ଉପର ପରସ୍ତ ଇଟାଗୁଡ଼ିକ ଠିକ୍ ସମାନ ଭାବରେ ଗୋଟିକ ଉପରେ ଗୋଟିଏ ନ ରହେ; ଯେପରି ଉପର ପରସ୍ତର ପ୍ରତ୍ୟେକ ଇଟାର ମୁଣ୍ଡ ତଳ ପରସ୍ତର ପ୍ରତ୍ୟେକ ଇଟାର ମଝାମଝିରେ ରହେ ।

 

କାନ୍ଥଟିଏ ଭଲଭାବରେ ଯଦି ଗଢ଼ାହୋଇଥାଏ, ତେବେ ଶହଶହ ବର୍ଷ ଯାଏଁ ରହେ । ଏମିତିକି କେତେକ ପୁରୁଣା କୋଠା ହଜାରବର୍ଷ ହେଲା ସେମିତି ଠିଆ ହେଇ ରହିଚି ।

 

ରାଜମିସ୍ତ୍ରିମାନେ ସେତେବେଳେ କାନ୍ଥଗଢ଼ାରେ ଲାଗିଥାନ୍ତି ସେତେବେଳେ ଅନ୍ୟ ଶ୍ରମିକମାନେ ଘରଭିତରେ ମଝି କାନ୍ଥମାନ ଛିଡ଼ା କରାଉଥାନ୍ତି, ଛାତରେ କଡ଼ି ପକାଉଥାନ୍ତି, ଘରର ଚଟାଣ ଠିକ୍ କରୁଥାନ୍ତି, ଛାତର ତଳପାଖ ମାଠୁଥାନ୍ତି, ପାଣିକଳ ଖଞ୍ଜୁଥାନ୍ତି, ଟେଲିଫୋନ୍ ବସଉଥାନ୍ତି । ଘରେ ବିଜୁଳି ତାର ଲଗାଉଥାନ୍ତି । ଆଉ ‘ରଡ଼ିଏଟେର’ ବା ଉତ୍ତାପହ୍ରାସକାରୀ ଆକାଶତାରମାନ ଲଗାଉଥାନ୍ତି । ଏମିତି ଭାବରେ ଘରଟି ପୂରାପୂରି ଛାତଯାଏଁ ଗଢ଼ାହୋଇଯାଏ । ତା’ପରେ କାମପଡ଼େ ଛାତ ପକାଳିଙ୍କର । ଅନ୍ୟ ଶ୍ରମିକମାନେ ଚାଲିଯାଆନ୍ତି ନିଜ ନିଜ କାମ ଅନୁସାରେ ପରବର୍ତ୍ତୀ ସ୍ଥାନଗୁଡ଼ିକୁ । ମାଟିଖୋଳାଳିମାନେ ଯାଇ ଆରମ୍ଭ କରିଦେଉଥାନ୍ତି ଚତୁର୍ଥ ଘରପାଇଁ ମୂଳଦୁଆ ଖୋଳା । କଙ୍କ୍ରିଟପକାଳିମାନେ ଯାଇ ଢାଳୁଥାନ୍ତି ତୃତୀୟ ଘରଟିର ମୂଳଦୁଆ । ଗାନ୍ଥନିଗଢ଼ାଳି ମିସ୍ତ୍ରିମାନେ ଯାଇ ଗଢ଼ିବାରେ ଲାଗିଯାଉଥାନ୍ତି ଦ୍ଵିତୀୟ ଘରଟିର କାନ୍ଥସବୁ । ଆଉ ତେଣେ ଛାତପକାଳିମାନେ ବ୍ୟସ୍ତ ରହିଥାନ୍ତି ପ୍ରଥମଟିର ଛାତପକାରେ ।

 

ଛାତପକାଳିଙ୍କ ପରେ ଆସନ୍ତି ପଲସ୍ତରା କଲାବାଲା ଓ ରଙ୍ଗ ଦେଲାବାଲା ମିସ୍ତ୍ରିସବୁ । ଆଉ ସେମାନଙ୍କ ପରେ ଆସନ୍ତି–ଏ ଧାଡ଼ିର ସବାପଛରେ ଆସୁଥାଆନ୍ତି ସେମାନେ–ସେଇ ଲୋକେ ସବୁ, ଯାହାଙ୍କପାଇଁ ତିଆରି ହୋଇଥାଏ ଘରଗୁଡ଼ିକ । କିନ୍ତୁ କିଏ ସେମାନେ ? ସେମାନେ ମଧ୍ୟ ସେଇ ଶ୍ରମିକ–ଯେଉଁମାନେ ଘର ଗଢ଼ୁଥାଆନ୍ତି ତାଙ୍କରି ପରି ଠିକ୍–ରାଜମିସ୍ତ୍ରି, ଇସ୍ପାତ କାରିଗର, ଶିକ୍ଷକ, ଡାକ୍ତର, କଳମିସ୍ତ୍ରି (ଫିଟର୍) ଛପାକଳ ଶ୍ରମିକ, ବିଜ୍ଞାନୀ ଆଉ ଇଞ୍ଜିନିୟର୍ ।

 

ଏଇ ନୂଆ ବାସିନ୍ଦାମାନେ ଆସିଲେ ଲରିରେ ନିଜର ଚୌକି, ଟେବୁଲ, ଟୁଲ୍, ବାକ୍ସ ଆଲମାରି, ଆଲଣା, ଖଟ, ବିଛଣା, ବାସନକୁସନ, କପ୍ ଥାଳିଆ, ବହିପତ୍ର, କୁଣ୍ଢେଇ ଖେଳଣା, ସବୁ ବୋଝେଇ କରି । କିଏ ଆଣିଲା ବିଲେଇଟିଏ ତ କିଏ ଆଣିଲା କୁକୁରଟିଏ । ଆଉ ଜଣେ କିଏ ଆସିଲା ପଞ୍ଜୁରୀରେ ଚଢ଼େଇଟିଏ ନେଇ । ତା’ପରେ ଦେଖାଗଲା, ପ୍ରଥମ ଘରଟିର ସବା ଉପରମହଲାରେ ଗୀତ ଗାଉଛି ସୁନ୍ଦର ଛିଟିଛିଟିଆ ସୁନେଲି ଚଢ଼େଇଟିଏ–ଗୋଲ୍ଡ଼୍ ଫିଞ୍ଚ୍, ଆଉ ବିଲେଇଟି ବସି ଖରା ପୋଉଁଚି ତଳମହଲା ଝରକା ପିଣ୍ଡିରେ । ସେତେବେଳକୁ ବିଜୁଳି ତାର ଲାଗୁଥାଏ ଦ୍ଵିତୀୟ ଘରଟିରେ । ତୃତୀୟଟିରେ ଚାଲିଥାଏ ଛାତର ତଳପାଖ ପଲସ୍ତରା କାମ । ଚତୁର୍ଥଟିରେ ଛାତ ପଡ଼ୁଥାଏ । ପଞ୍ଚମଟିରେ ଉଠୁଥାଏ କାନ୍ଥଗୁଡ଼ିକ, ଷଷ୍ଠଟିରେ ମୂଳଦୁଆ ପଡ଼ୁଥାଏ-। ସପ୍ତମଟିରେ ମୂଳଦୁଆ ଗାତ ଖୋଳା ହେଉଥାଏ । ଆଉ କେତେକ ସେତେବେଳେ ମାପିଚୁପି ଠିକ୍ କରୁଥାନ୍ତି କେଉଁଠି ମୂଳଦୁଆ ପକେଇବେ ଅଷ୍ଟମ ଘରଟିପାଇଁ ।

 

ଏବେ ଆମ ଗଳିରେ ବାରଟି ମସ୍ତ ବଡ଼ବଡ଼ଘର ଦି’ ଧାଡ଼ିରେ ଛିଡ଼ା ହୋଇଚି । ପ୍ରଥମ ଘରଟି ସବୁଠୁ ପୁରୁଣା । ଏହାର ତିଆରି ଆରମ୍ଭ ହୋଇଥିଲା ଆଗ, ସରିଚି ଆଗ । ଦ୍ଵାଦଶ ଘରଟି ସବୁଠୁ ନୂଆ । ସେଠି ରହିବାପାଇଁ ଏଇ ଏବେ ମାତ୍ର ଲୋକେ ଆସିବାକୁ ଆରମ୍ଭ କରିଛନ୍ତି ।

 

ଅଗଣାଗୁଡ଼ିକରେ ଫୁଲ ଫୁଟିଚି । ପିଲାଏ ମାତିଛନ୍ତି ଭଲିବଲ ଖେଳରେ । ପ୍ରତି ଘରେ ଉପରମହଲାମାନଙ୍କୁ ଯିବାପାଇଁ ଲିଫ୍‍ଟ୍ ରହିଛି । ସୁନ୍ଦର ଚକ୍‍ଚକ୍ ମଟରଗାଡ଼ି ସବୁ ଧାଡ଼ିବାନ୍ଧି ଥୁଆ ହୋଇଚି ରାସ୍ତାକରରେ । ବିଶ୍ୱାସ କରିହୁଏ ନାହିଁ ସତରେ, ଏଇ ଅଳ୍ପଦିନ ତଳେ ଏ ଘରଗୁଡ଼ାକ ଥିଲା ଖାଲି କାଗଜରେ–ଲମ୍ବା ଲମ୍ବା ଓଜନିଆ ବହଳିଆ କାଗଜ ଉପରେ । ସେଥିରେ ନିର୍ମାଣ କାରିଗରମାନେ ଆଙ୍କିଥାନ୍ତି ଘରଗୁଡ଼ିକର ନକ୍ସା, ସେଗୁଡ଼ିକର ବାହାରର ଆକାର ପ୍ରକାର ଆଉ ଭିତରର ଗଢ଼ଣଭଙ୍ଗୀ ।

 

ଏବେ ତୁମେ ବୁଝିପାରୁଥିବ, ଆମ ଗଳିରେ ଘର ନମ୍ବରଗୁଡ଼ିକ ଏମିତି ଅଦ୍ଭୁତ କାହିଁକି । ଆଗରେ ୧,୩ ଓ ୫ ନମ୍ବର ଥିବା ତିନୋଟି ଛୋଟ ଘର ସ୍ଥାନରେ ଏବେ ଛିଡ଼ା ହୋଇଚି ମସ୍ତବଡ଼ଘରଟାଏ । ତା’ର ନମ୍ବର ରଖାଯାଇଚି ୧-୫ । ଆଉ ଛଅଟି ଛୋଟ ଘରର ନମ୍ବର ଥିଲା ୭,୯,୧୧,୧୩,୧୫ ଓ ୧୭ । ଏଗୁଡ଼ିକ ଉଭେଇଯାଇଚି; ଆଉ ତା’ ଜାଗା ଦାଖଲ କରିଚି ଗୋଟିଏ ମସ୍ତବଡ଼ ଲମ୍ବାଧାଡ଼ି ଘର । ଏହାର ନମ୍ବର ରଖାଯାଇଚି ୭-୧୭ ।

 

ଦିନେ ପିଲାଟିଏ ଆଉ ମଝାମଝି ବୟସର ଲୋକ ଜଣେ ଆସିଲେ ଆମ ଗଳିକୁ । ସେମାନେ ଅଟକିଲେ ଆସି ୧-୫ ନମ୍ବର ଘର ପାଖରେ । ଲୋକଟି କହିଲା, ‘‘ଦେଖୁଚୁ ତୁ ଏ ବଡ଼ଘରଟିକୁ ? ଏଇଟି ମୋର ।” ସେମାନେ ଆଗେଇଲେ ଟିକିଏ–ଛିଡ଼ା ହେଲେ ଯାଇ ତା’ପର ୬-୧୭ ନମ୍ବର ଘର ମୁହଁରେ । ଲୋକଟି କହିଲା, ‘‘ଦେଖୁଚ ତ ଏ ବଡ଼ଘରଟିକି ? ଏଇଟି ମୋର-।” ପୁଣି ଆଗେଇଲେ ସେମାନେ । ଅଟକିଲେ ଯାଇ ତା’ପର ଘରଟିର ସାମନାରେ । ପୁଣି ସେମିତି କହିଲା ଲୋକଟି, “ଏଇଟିବି ମୋର । ଆଉ ରାସ୍ତା ସେପଟେ ସିନେମା ଘର ପାଖରେ ସେ ଯେଉଁ ଘରଟି, ସେଇଟିବି ମୋର । ମତେ ଲାଗୁଚି, ଏ ଗଳିରେ ସବୁ ଘର ତ ମୋ’ରି !’’ ପିଲାଟି ଆଶ୍ଚର୍ଯ୍ୟ ହୋଇଗଲା । “ଥଟ୍ଟା କରୁଚ ନା, କ’ଣ ?’’ କହିଲା ସେ, ‘‘କେହି ଭଲା ଏତେଗୁଡ଼ାଏ ଘରେ ଏକ ସମୟରେ ରହିପାରେ ?’’ ଲୋକଟି ହସିଉଠିଲା, ଆଉ କହିଲା, ‘‘ଏଥିରୁ କେବଳ ଗୋଟିକରେ ମୁଁ ରହେ । କିନ୍ତୁ ସବୁଯାକ ଘର ପଲସ୍ତରା କରିଚି ମୁଁ । ସେଇଥିପାଇଁ ଏ ବାଟରେ ଯେତେବେଳେ ଯାଏଁ ଅନେଇଦେଲେ ମନଟି ପୂରିଉଠେ ମୋର । କାହିଁକି ନା, ଏ ସବୁ ମୋ’ରି ଘର ।”

 

ଉପରେ ଗୋଟିଏ ଚାରିକୋଣିଆ ଖାଲି (ଫାଙ୍କା) ଘର ଦେଖୁଚ । ତା’ ଭିତରେ ତୁମେ ଏଇ କଥାଟିର ନାଆଁ ଲେଖିଦେଇପାରିବ । କିନ୍ତୁ ତା’ ପୂର୍ବରୁ ତୁମକୁ ସାତଟି ପ୍ରଶ୍ନର ଉତ୍ତର ଦେବାକୁ ହେବ, ଆଉ ସାତୋଟି ‘ଧନ୍ଦା’ର ସମାଧାନ ବାହାର କରିବାକୁ ହେବ । ଉତ୍ତରଗୁଡ଼ିକ ସଂକ୍ଷିପ୍ତ ହେବ ଯେମିତି । କାରଣ, ଚାରିକୋଣିଆ ଘରଟିରେ ବେଶି ଜାଗା ନାହିଁ ଯେ ! ଏହା ଛଡ଼ା ସାତଟିଯାକ ପ୍ରଶ୍ନର ଉତ୍ତର ହେବ ପୁଣି ସମାନ ଗୋଟିଏ । ପ୍ରଶ୍ନ ହେଲା :

 

କେଉଁଠି ଆଦୌ ବର୍ଷାହୁଏ ନାହିଁ କି ବରଫ ପଡ଼େ ନାହିଁ ?

 

କେଉଁଠି ଶୀତଦିନଟି ଉଷୁମ ଓ ଖରାଦିନଟି ଥଣ୍ଡା ?

 

କେଉଁଠି ରାତିଟି ଠିକ୍ ଦିନ ଭଳି ଉଜ୍ଜ୍ୱଳ ?

 

କେଉଁଠି ଲୋକଙ୍କ ମୁଣ୍ଡଉପରେ ନଈ ବହିଯାଉଚି ?

 

କେଉଁଠି ଖାଲି ଯିବାଆସିବାର ଲୋକ ଦେଖାଯାନ୍ତି, ଆଉ ସ୍ଥାୟୀ ବାସିନ୍ଦା ମୋଟେ ନାହାନ୍ତି ?

 

କେଉଁଠି କଣ୍ଟା ନଥିବା ଘଣ୍ଟାଗୁଡ଼ିକ ସମୟ ଜଣାଇ ଦିଏ ?

 

କେଉଁଠି ପାହାଚଗୁଡ଼ିକ ଆପଣା ଛାଏଁ ଚାଲୁଥାଏ, ଆଉ ଦୁଆରଗୁଡ଼ିକ ଆପେଆପେ ଖୋଲିଯାଏ ? ତୁମେ ବୋଧହୁଏ ଜାଣିସାରିବଣି ଉତ୍ତରଟିଏ । ଏଇ ସାତଟିଯାକ ପ୍ରଶ୍ନର ଉତ୍ତର ହେଉଚି ଗୋଟିଏ । ଆଉ ସେଇ ଉତ୍ତରଟି ହେଉଚି–“ମେଟ୍ରୋରେ” । ମେଟ୍ରୋ ହେଉଚି ମସ୍କୋର ମାଟିତଳର ରେଳପଥ । ତାହାହେଲେ ଏବେ ଜାଣିଲ, ଏଇ କଥାଟିର ନାଆଁ କ’ଣ ହେବା ଉଚିତ ।

 

ଯିଏ ମସ୍କୋ ଯାଏଁ, ସିଏ ନିଶ୍ଚୟ ମେଟ୍ରୋଟିକୁ ଦେଖେ । ତମେ ଯଦି କେବେ ମସ୍କୋ ଯାଇ ନଥାଅ, ତଥାପି ଶୁଣିଥିବ ମସ୍କୋର ଏଇ ମାଟିତଳର ସହର କଥା । ଏଇ ମାଟିତଳ ସହରଟିରେ ଅଛି ନିଜର ସ୍ଵତନ୍ତ୍ର ରାସ୍ତା, ଆଉ ଶଙ୍ଖ ମଲମଲ ପଥରର ବଡ଼ବଡ଼ କୋଠାଘର ସବୁ । ମାଟିତଳ ରାସ୍ତାରେ ସଦାବେଳେ ପ୍ରାୟ ଛୁଟିଛି ଦ୍ରୁତଗାମୀ ଇଲେକ୍‍ଟ୍ରିକ୍‍ ଟ୍ରେନ୍; ସୁଡ଼ଙ୍ଗଗୁଡ଼ିକ ପଡ଼ିଚି ଗୋଟିଏ କୋଠାରୁ ଆଉ ଗୋଟିକୁ । ମାଟିତଳ ରାଜ୍ୟର ସବୁକଥା ପୂରାପୂରି ଅଲଗା । ମାଟି ଉପରେ ଦିନଗୁଡ଼ିକ ଚାଲିଯାଏ; ରାତି ଆସେ । କିନ୍ତୁ ତଳେ–ସବୁବେଳେ ଆଲୁଅ । କେବେହେଲେ ତମେ କହିପାରିବ ନାହିଁ, ଏଇକ୍ଷଣି ସକାଳ କି ସଞ୍ଜ ।

 

ଏଇ ମାଟିତଳ ଆଲୁଅ ଆସୁଚି କୋଉଁଠୁ ? ଥରେ ଅନେଇଦେଇ ଏ କଥା କହିବା କଷ୍ଟ-। ଗୋଟିଏ ବଡ଼ କୋଠାରେ ହୁଏତ ଆଲୁଅ ସୁଅ ପରି ବହି ଆସୁଚି ଛାତ ଉପରୁ । ଚାରିଆଡ଼େ ଦିନ ଭଳି ଉଜ୍ଜ୍ୱଳ, କିନ୍ତୁ କାହିଁ ଗୋଟିଏ ହେଲେ ବତୀ ଦେଖାଯାଉନାହିଁ କେଉଁଠି । ଏମିତି ମଜାରେ ଲୁଚିରହିଚି ସେଗୁଡ଼ିକ । ଆଉ ଗୋଟିଏ କୋଠାରେ ଶଙ୍ଖ ମଲମଲ ପଥରର ବଡ଼ବଡ଼ ପଲମ ଭିତରୁ ଆଲୁଅ ଉଠି ବିଞ୍ଚିହୋଇ ପଡ଼ୁଛି ଝରଣାରୁ ପାଣି ବାହାରିଲା ପରି । ତୃତୀୟ କୋଠାଟିରେ ଧାଡ଼ି ଧାଡ଼ି ହୋଇ ଖୁବ୍ ଉଚ୍ଚକୁ ଉଠିଚି ସ୍ଫଟିକ ବତୀସବୁ । ଚତୁର୍ଥଟିରେ ମାଳମାଳ ହୋଇ ଫୁଲମାଳ ପରି ବତୀଗୁଡ଼ିକ ଗୁଡ଼େଇ ହୋଇ ରହିଚି ଛାତର ଗମ୍ବୁଜଗୁଡ଼ିକରେ । ବିଦ୍ୟୁତ୍ ତରଙ୍ଗସବୁ ବତୀଗୁଡ଼ିକ ଭିତରକୁ ଅନବରତ ଧାଇଁଚି ଅସଂଖ୍ୟ ତାରବାଟରେ; ମାଟିତଳର ଅନ୍ଧାରକୁ ପଛରୁ ତଡ଼ି ତଡ଼ି ନେଉଚି ଯେମିତି । ମାଟିତଳର ଏଇ ସହରରେ କେବେହେଲେ ଟୋପାଏ ବର୍ଷାହୁଏ ନାହିଁ କି ଟିକିଏ ହେଲେ ବରଫ ପଡ଼େ ନାହିଁ । କେବେହେଲେ ଏଠି ଗରମ ଲାଗେନାହିଁ କି ଥଣ୍ଡା ଲାଗେନାହିଁ ।

 

ବାହାରେ ମାଟି ଉପରେ ତୁଷାରର ଝଡ଼ ଉଠେ । ଲୋକେ କୋଟ୍‍ର କଲରଗୁଡ଼ିକୁ ଟେକିଦେଇ, କାନ ଉପରକୁ ଟୋପିଗୁଡ଼ିକ ଟାଣିଆଣି ଦୌଡ଼ନ୍ତି । କିନ୍ତୁ ମେଟ୍ରୋରେ ସବୁ ସ୍ଥିର, ସବୁ ଶାନ୍ତ । ଏଇକ୍ଷଣି କାଲୁଆ କମ୍ପିଲା ହାତରେ ଯଦି ବାହାରୁ ଆସି ନଥାଅ, ତେବେ ତମେ କେବେହେଲେ ଜାଣିପାରିବ ନାହିଁ ଏଇଟା ଶୀତଦିନ ବୋଲି ।

 

ଖରାଦିନେ କିନ୍ତୁ ଅବସ୍ଥା ହୁଏ ଓଲଟା । ବାହାରେ ଗରମ ଆଉ ଗୁଳିଗୁଳି କିନ୍ତୁ ମେଟ୍ରୋ ଭିତର ଭାରି ଥଣ୍ଡା । ଏଠି ‘ପାଣିପାଗ’ ମଣିଷକୁ ମାନି ଚଳେ । ଏଇ ମେଟ୍ରୋରେ ପବନ ବେଶ୍ ସତେଜ ଓ ନିର୍ମଳ । ଏଠାରେ ଲାଗିଥିବା ଭେଣ୍ଟିଲେଟର ନାମକ ମେସିନ୍ ସାହାଯ୍ୟରେ ମାଟିତଳ ସହରକୁ ପବନ ପଠାଯାଏ ।

 

ମସ୍କୋର ପାର୍କ୍ ଆଉ ଛକଗୁଡ଼ିକରେ ପଥରର ବାକ୍ସମାନ ରଖାଯାଇଚି । ପ୍ରତ୍ୟେକ ବାକ୍ସର ଦୁଇ ପାଖରେ ଦୁଇଟି ଲେଖାଏଁ ଜାଲିଲଗା ଝରକା ଅଛି । ସେ ଜାଲି ପୁଣି ଏଡ଼େ ସରୁ ଯେ, ଅନେଇଲେ ତା’ ଭିତରବାଟେ କିଛି ଦେଖିପାରିବ ନାହିଁ କି ବାକ୍ସ ଭିତରୁ କେଉଁଠୁଁ ମହୁମାଛିର ଗୁଣୁଗୁଣୁ ଭଳି ଶବ୍ଦ ଆସେ, ଜାଣିପାରିବ ନାହିଁ ।

 

ଏଇ ବାକ୍ସ ହେଉଚି ମେଟ୍ରୋର ମୁହଁ ଆଉ ନାକ । ପରଦାଲଗା ଝରକା ବାଟେ ଏହା ସତେଜ ଆଉ ପରିଷ୍କାର ପବନ ଟାଣିନିଏ । ସେଥିପାଇଁ ପଥରର ଏ ବାକ୍ସ ସବୁ ଗଢ଼ା ହୋଇଚି ଖୋଲା ଜାଗାମାନଙ୍କରେ, ଗଛଗୁଡ଼ିକ ପାଖରେ କି ଗହଳିଆ ଘାସ ପଡ଼ିଆ ପାଖରେ । ପଥର ବାକ୍ସରେ ପାଣିପବନ ଯାଏଁ ଗୋଟାଏ ଗହିରିଆ କୂଅ ଭିତରକୁ । ସେଇଠି ଯାଇ ପହଞ୍ଚେ ଶକ୍ତିଶାଳୀ ଯନ୍ତ୍ର ଭେଣ୍ଟିଲେଟରରେ । ଏଇଥିରୁହିଁ ଆସେ ଗୁଞ୍ଜନ ଶବ୍ଦଟିଏ । ଭେଣ୍ଟିଲେଟରରେ ଶୋଷିନେଉଥାଏ ପବନକୁ ଆଉ ତାକୁ ପଠାଉଥାଏ ମାଟିତଳ ଷ୍ଟେସନ୍‍କୁ । ସେଠି ଆଉଗୁଡ଼ିଏ ଭେଣ୍ଟିଲେଟର ଅପରିଷ୍କାର ପବନକୁ ଭୂଇଁ ଉପରକୁ ଛାଡ଼ୁଥାଏ ।

 

କିନ୍ତୁ ମେଟ୍ରୋ ଖରାଦିନେ ଥଣ୍ଡା ଆଉ ଶୀତଦିନେ ଉଷୁମ ରହେ କାହିଁକି ? ଶୀତଦିନେ ବାହାରେ ଯେତେବେଳେ ଶୀତ ପଡ଼େ, ଷ୍ଟେସନ୍‍ଗୁଡ଼ିକ ମଝିରେ ଠାଆକୁ ଠାଆ କେତୋଟି ଷ୍ଟେସନ୍‍ରେ ପବନ ଶୋଷି ଟାଣି ନିଆହୁଏ । ଆଉ ତାକୁ ବୁଲାଣି ସରୁ ସୁଡ଼ଙ୍ଗବାଟରେ ଆଉ ଗୋଟିଏ ଷ୍ଟେସନ୍‍କୁ ପଠାଇଦିଆଯାଏ । ପବନ ବୁଲାଣି ବାଟରେ ଯିବାକୁ ସମୟ ଲାଗେ । ସେଇ ସମୟରେ ତାହା ଉଷୁମ ହୋଇଯାଏ । ଖରାଦିନେ ପରିଷ୍କାର ସତେଜ ପବନ ମାଟିତଳକୁ ଛଡ଼ାଯାଏ । ମାଟିତଳେ ତାହା ଗରମ ହୋଇଗଲେ ତାକୁ ମଝିରେ ମଝିରେ ସେଇ ଷ୍ଟେସନ୍‍ମାନଙ୍କ ବାଟେ ଉପରକୁ କାଢ଼ି ନିଆହୁଏ ।

 

ମାଟିତଳ ସହରରେ ପବନ ଚଳାଚଳ କାମରେ ରେଳଗାଡ଼ି ସବୁବି ସାହାଯ୍ୟ କରେ । ରେଳଗାଡ଼ିଗୁଡ଼ିକ ଯେତେବେଳେ ଜୋରରେ ସୁଡ଼ଙ୍ଗ ପଥରେ ଛୁଟେ, ସେତେବେଳେ ଅପରିଷ୍କାର ବନ୍ଦ ପବନକୁ ସାମାନରୁ ଠେଲିଠେଲି ନିଏ । ମାଟିତଳେ ତ ପବନ ଆଉ କେଉଁଆଡ଼କୁ ଖେଳେଇ ହୋଇ ଯାଇପାରେ ନାହିଁ । ବାଧ୍ୟ ହୋଇ ଠେଲା ଖାଇଲେ ଉପରକୁ ଉଠେ; ବିଶେଷ ଧରଣର ତିଆରି ହୋଇଥିବା ପବନନଳୀ ବାଟରେ ବାହାରିଯାଏ । ଏଇଥିପାଇଁ ମେଟ୍ରୋଟି ସବୁବେଳେ ଲୋକରେ ଭରପୂର ହୋଇ ରହିଥିଲେବି କେବେହେଲେ ରୁନ୍ଧି ହେଲାଭଳି ଲାଗେ ନାହିଁ ।

 

ଭୂଇଁତଳ ରେଳଗାଡ଼ିସବୁ ଯାଆସ କରେ ଖୁବ୍ ବେଗରେ । କେହି ସେଗୁଡ଼ିକ ପୂରାବେଗରେ ଧାଇଁବାରୁ ଅଟକାଏ ନାହିଁ ଓ କୋଉଠି କିଛି ବାଧା ନଥାଏ ବାଟରେ । ଭୂଇଁ ଉପରେ ଯାଆସ କରନ୍ତି ବସ୍‍ରେ ଟ୍ରାମ୍‍ରେ, ଟ୍ରଲି-ବସ୍‍ରେ । ଟ୍ରାମ୍‍ଟିଏ ତିନି ମାଇଲ ଗଲାବେଳକୁ କି ବସ୍ ଓ ଟ୍ରଲିବସ୍ ଚାରିମାଇଲ ଟପିଲା ଆଗରୁ ମେଟ୍ରୋଗାଡ଼ି ଦଶମାଇଲ ଦୂରକୁ ଯାଇସାରିଥାଏ-

 

ପ୍ରତିଦିନ କେତେ ଲୋକ ‘ମେଟ୍ରୋ’ ବ୍ୟବହାର କରନ୍ତି ଭଲା ? ‘ମେଟ୍ରୋ’ ରେଳଗାଡ଼ିମାନଙ୍କରେ ଥାଏ ଛଅଟି ଯାଏଁ ବଡ଼ବଡ଼ ଡବା । ପ୍ରତି ଡବାରେ ଅଛି ଦୁଇଶହ ଲୋକଙ୍କପାଇଁ । ତମେ ଯଦି ଗଣିପାର, ତେବେ ଗୋଟିଏ ପୂରା ରେଳଗାଡ଼ିରେ କେତେ ଲୋକ ଯାଉଛନ୍ତି ସହଜରେ ଜାଣିପାରିବ । ତେବେ ଭୂଇଁତଳେ କେତୋଟି ଟ୍ରେନ୍ ଚାଲୁଚି ଯେ ?

 

ଟ୍ରେନ୍‍ଗୁଡ଼ିକୁ ଗଣିବାକୁ ହେଲେ ତମକୁ ଆଗ ଦେଖିବାକୁ ହେବ, କେତେ ଚଞ୍ଚଳ ଗୋଟିକ ପରେ ଗୋଟିଏ ଯାଆସ କରୁଚି ସେଗୁଡ଼ିକ । ଏ ଦିଗରେ ପ୍ରତି ଷ୍ଟେସନ୍‍ରେ ଥିବା ଘଣ୍ଟାଗୁଡ଼ିକହିଁ ତୁମକୁ ସାହାଯ୍ୟ କରିବ । ଏଇ ଘଣ୍ଟାଗୁଡ଼ିକ ବିଶେଷ ଧରଣର । ସେଥିରେ କଣ୍ଟା ନଥାଏ । ତଥାପି ସେଗୁଡ଼ିକ ନିର୍ଭୁଲ ଭାବରେ ସମୟ ଜଣାଇଦିଅନ୍ତି । ଷ୍ଟେସନ୍‍ରୁ ଟ୍ରେନ୍‍ଟିଏ ଚାଲିଗଲାପରେ କାନ୍ଥରେ ଥିବା ବଡ଼ ଘଣ୍ଟାଟି ସେକେଣ୍ଡକୁ ସେକେଣ୍ଡ ଟିକ୍‍ଟିକ୍ କରିବାକୁ ଆରମ୍ଭ କରିଦିଏ । ସେଇଥିରୁ ଲୋକେ ଧରିପାରନ୍ତି–ଶେଷ ଟ୍ରେନ୍‍ଟି ଷ୍ଟେସନ୍‍ ଛାଡ଼ିଲା କେତେବେଳେ, ଆଉ ଆର ଟ୍ରେନ୍‍ଟି ଆସି ପହଞ୍ଚିବ କେତେବେଳେ ।

 

ପ୍ରତି ପାଞ୍ଚ ସେକେଣ୍ଡରେ ଘଣ୍ଟା ମୁହଁରେ ଥିବା ସଂଖ୍ୟାଗୁଡ଼ିକ ଗୋଟିକ ପରେ ଗୋଟିଏ ଆଲୁଅରେ ଝଲସିଉଠେ; ସତେ ଯେମିତି ସେଗୁଡ଼ିକ ଗୋଟିଏ ବୃତ୍ତରେ ଦଉଡ଼ୁଥାନ୍ତି : ୫,୧୦,୧୫,୨୦ ଏମିତିକା ୬୦ ଯାଏଁ । ୬୦ ସଂଖ୍ୟାଟି ଝଲସିଉଠିବା ସାଙ୍ଗେ ସାଙ୍ଗେ ଗୋଟାଏ ମସ୍ତବଡ଼ “୧” ଘଣ୍ଟ ମୁହଁର ମଝିରେ ଦେଖାଦିଏ । ଏହାର ଅର୍ଥ, ଶେଷ ଟ୍ରେନ୍‍ଟି ଚାଲିଯିବା ପରେ ମିନିଟିଏ ଗଡ଼ିଗଲାଣି । ଆଉ ୬୦ ସେକେଣ୍ଡ ପରେ ଏମିତି ‘‘୨’’ ସଂଖ୍ୟାଟି ଝଲସିଉଠେ । କିନ୍ତୁ ମଜାର କଥାଟି ହେଉଚି–ଏଇ ଦୁଇ ସଂଖ୍ୟାଟି ଝଲସି ଉଠିବା ଆଗରୁ ଆର ଟ୍ରେନ୍‍ଟି ଆସି ପହଞ୍ଚିଯାଏ ଷ୍ଟେସନ୍‍ରେ, ଏବଂ ଯାତ୍ରୀମାନଙ୍କୁ ସବୁ ଗୋଟେଇ ନେଇ ବାହାରିଯାଏ ନିଜ ବାଟରେ । ତେବେ ଘଣ୍ଟାଟି ପୁଣି ସେକେଣ୍ଡ ଗଣିବାକୁ ଆରମ୍ଭ କରିଦିଏ ।

 

ବାରଶହ ଲେଖାଏଁ ଯାତ୍ରୀ ଥାଆନ୍ତି ପ୍ରତି ଟ୍ରେନ୍‍ରେ, ଆଉ ପ୍ରତି ଦୁଇ ମିନିଟ୍‍ରେ ଗୋଟାଏ ଲେଖାଏଁ ଟ୍ରେନ୍ ଆସେ । ବେଳେବେଳେ ଏହାଠାରୁ କମ୍ ସମୟ ଭିତରେ ସବୁ ଟ୍ରେନ୍ ଆସେ । ଏଣିକି ତ ତାହାହେଲେ ତୁମେ ଜାଣିପାରିବ, ପ୍ରତିଦିନ କେତେ ଲୋକ ‘ମେଟ୍ରୋ’କୁ ବ୍ୟବହାର କରନ୍ତି । ଅବଶ୍ୟ ଏହା ନିହାତି ସହଜିଆ ଅଙ୍କ ନୁହେଁ । ପ୍ରତ୍ୟେକ ଲୋକ ଯଦି ଅନ୍ତତଃ ଥରେ ଲେଖାଏଁ ମେଟ୍ରୋ ରେଳପଥର ଗୋଟାଏ ମୁଣ୍ଡରୁ ଆର ମୁଣ୍ଡକୁ ଯାଏଁ, ତେବେ ଦେଖିବ, ଯୋଡ଼ିଏ ଦିନରେ ମସ୍କୋ ସହରର ସମସ୍ତ ବାସିନ୍ଦା ମେଟ୍ରୋରେ ଯାଇପାରିଛନ୍ତି । ଦୁଇ ମାସରେ ସମୁଦାୟ ରୁଷଦେଶର ପ୍ରତ୍ୟେକ ଲୋକ ଏମିତି ମେଟ୍ରୋରେ ଥରେ ଲେଖାଏଁ ଯାଇପାରିବେ । ଆଉ ଯୋଡ଼ିଏ ବର୍ଷରେ ପୃଥିବୀ ଗୋଟାକର ପ୍ରତ୍ୟେକ ଲୋକ ଗୋଟିଏ ଥର ଅନ୍ତତଃ ଯାଇପାରିବ-

 

ଭୂଇଁତଳେ ଟ୍ରେନ୍‍ର ଗତିର ବେଗ ହେଉଚି :

 

ପ୍ରତି ଦୁଇ ମିନିଟ୍‍ରେ ଗୋଟିଏ ଟ୍ରେନ୍ ।

 

କିନ୍ତୁ ସେଗୁଡ଼ିକ ମୁହାଁମୁହିଁ ବାଡ଼େଇ ହୋଇ ନ ଯାଆନ୍ତି କେମିତି । ଟ୍ରେନ୍‍ସବୁ ପଛରୁ ଆସି ଆଗରେ ଥିବା ଟ୍ରେନ୍‍ ଉପରେ ଚଢ଼ି ନ ଯାଆନ୍ତି କେମିତି ? ତା’ର କାରଣ, ପ୍ରତି ଟ୍ରେନ୍‍ରେ ଜଣେ ଲେଖାଏଁ ‘ମଟର’ ଚାଳକ ଥାଆନ୍ତି । ଯେଉଁ ବୋତାମଟି ଟିପିଦେଲେ ଟ୍ରେନ୍‍ଟି ଚାଲେ ବା ଅଟକେ ସେଇ ବୋତାମଟି ଉପରୁ ଟିପ କେବେହେଲେ ଖସେ ନାହିଁ । ମଟରଚାଳକ ଝରକା ବାଟେ ଅନେଇଥାନ୍ତି । ଆଗରେ ଲାଲ ସଂକେତ ଦେଖିବାମାତ୍ରେ ସାଙ୍ଗେ ସାଙ୍ଗେ ‘ମଟର’ଟିକୁ ବନ୍ଦ କରିଦିଅନ୍ତି । ଫଳରେ ଟ୍ରେନ୍‍ଟି ରହିଯାଏ । କିନ୍ତୁ ଏହି ଲାଲ ସଂକେତଟି ଦେଖାଏ କିଏ ? ଲୋକଟିଏ ଥାଏ ଏଥିପାଇଁ ? ନା, ନା, ଲୋକବାକ କେହି ନଥାନ୍ତି । ଏଇ ସଂକେତଟି ଦିଏ ଆଗରେ ଯାଉଥିବା ଟ୍ରେନ୍‍ଟି ନିଜେ ।

 

ଟ୍ରେନ୍‍ଟି ଏମିତି କୌଶଳରେ ତିଆରି ଯେ, ଲାଲ ବା ସବୁଜ ଆଲୁଅର ସଂକେତ କେମିତି ଦେଖେଇବ, ସତେ ଯେମିତି ଜଣାଥାଏ । ଲାଲ ଆଲୁଅର ଅର୍ଥ ହେଉଚି, ଆଗରେ ରେଳ ଲାଇନ୍ ଉପରେ ଗାଡ଼ି ଅଛି । ସବୁଜ ଆଲୁଅ ଅର୍ଥ ହେଉଚି ବାଟ ସାଫ୍ ଅଛି; ପଛଗାଡ଼ି ଯାଇପାରେ ଅବାଧରେ । କିନ୍ତୁ ମଟରଚାଳକ ଯଦି କାମରେ ତ୍ରୁଟି କରେ, ଆଉ ଗାଡ଼ିଟି ଲାଲ ସଂକେତ ନ ମାନି ମାଡ଼ିଯାଏ, ତେବେ ?

 

ନା ଏମିତି କଦାପି ଘଟିପାରେନା ।

 

‘ମେଟ୍ରୋ’ର ମଟରଚାଳକମାନେ ଖୁବ୍ ଅଭିଜ୍ଞ ଓ ନିର୍ଭରଯୋଗ୍ୟ ଲୋକ । ସେମାନେ ଜାଣନ୍ତି, ଅନେକ ଲୋକଙ୍କର ଜୀବନ ସକାଶେ ସେମାନେ ଦାୟୀ । କିନ୍ତୁ ମଟରଚାଳକ ତ ପୁଣି ଅସୁସ୍ଥ ହୋଇଯାଇପାରେ । ତା’ ନିଜ ଦୋଷରୁ ନହେଲେବି ତ ସଂକେତଟାକୁ ବାରି ନ ପାରେ ! ଏହା ଫଳରେ ଟ୍ରେନ୍‍ର ଦଶା କ’ଣ ହେବ ଯେ ? ଠିକ୍ ଏମିତିକା ଜରୁରୀ ଅବସ୍ଥା ଲାଗି ଗୋଟାଏ ଏମିତି ଚମତ୍କାର ମେସିନ୍ ବାହାରିଚି । ଏହାର ନାମ ‘ସ୍ଵୟଂକ୍ରିୟ ଗତି’ । ଏଇ ପ୍ରକାର ଅଚାନକ ପରିସ୍ଥିତି ପାଇଁ ସେଇଟି ତିଆରି । ଏହା ବସ୍ତୁତଃ ଇଲେକ୍‍ଟ୍ରିକ୍ ପ୍ରହରୀ, ସବୁବେଳେ ସତର୍କ ଏ । ଗୋଟିଏ ଟ୍ରେନ୍‍ର ପହିଲି ଡବାଟି ଯଦି ଲାଲ ସଂକେତ ଟପି ଚାଲିଯାଏ, ତେବେ ଏହି ‘ସ୍ଵୟଂକ୍ରିୟ ଗତି’ ଯନ୍ତ୍ରଟି ସଙ୍ଗେ ସଙ୍ଗେ ଟ୍ରେନ୍‍ର ଗତିକୁ ମନ୍ଥର କରିଦେବ, ଆଉ ତାକୁ ଅଟକାଇଦେବ । ସତେ ଯେମିତି ଏହା ଟ୍ରେନ୍‍ଟିକୁ କହିବ, “ରହ ଯାଅନା !’’

 

ଯାତ୍ରୀମାନେ କେମିତି ନିରାପଦରେ ଆଉ ସୁରୁଖୁରୁରେ ମେଟ୍ରୋରେ ଯାଆସ କରିପାରିବେ, ସେଥିପାଇଁ ସବୁପ୍ରକାର ବ୍ୟବସ୍ଥା ଖଞ୍ଜାଯାଇଛି ଓ ସେହି ଦୃଷ୍ଟିରୁ ସବୁ କାମ କରାଯାଉଛି । ତୁମେ ଯେତେବେଳେ ଟ୍ରେନ୍‍ରେ ଚଢ଼ି କେଉଁଠିକୁ ଯାଅ, ସେତେବେଳେ ଷ୍ଟେସନ୍ ମାଷ୍ଟର ଯେ ଟ୍ରେନ୍‍ଟିର ଗତିବିଧି ଉପରେ ଲକ୍ଷ୍ୟ ରଖିଥାଆନ୍ତି, ଏକଥା ତୁମେ ଜାଣବି ନାହିଁ । ସେ ହେଉଛନ୍ତି ଏକମାତ୍ର ଲୋକ ଯିଏ ଟ୍ରେନ୍‍ଗୁଡ଼ିକର ଗତିବିଧି ଠିକ୍ କରନ୍ତି । ତମେ ଷ୍ଟେସନ୍‍ଠୁ ବହୁତ ଦୂରରେ ଅଛ । କିନ୍ତୁ ସେହି ଷ୍ଟେସନ୍ ମାଷ୍ଟର ତମ ଟ୍ରେନ୍‍ଟିକୁ ଦେଖିପାରୁଥିବେ; ଭୂଇଁତଳ ସୁଡ଼ଙ୍ଗରେ ଏହା କେମିତି ଛୁଟୁଥିବ, ଲକ୍ଷ୍ୟ କରୁଥିବେ । କିନ୍ତୁ ଲୋକ କ’ଣ ଭୂଇଁ ଭିତର ଦେଇ କିଛି ଦେଖିପାରେ ? ହୁଁ, ଯେମିତି ଜଣାଯାଉଛି ଏବେ, ଦେଖିପାରେ । ସେଇଥିପାଇଁ ସିନା ଟ୍ରେନ୍‍ଟିର ପ୍ରେରକ, ଯିଏକି ସବୁ ଟ୍ରେନ୍‍ର ଦାୟିତ୍ଵରେ ଥାଆନ୍ତି, ସେ ଲୋକଜଣକ ବସିରହିଥାଆନ୍ତି, ଯେଉଁ ଷ୍ଟେସନ୍‍ରେ ଟ୍ରେନ୍‍ଟି ଅଟକିବ ସେଇ ଟ୍ରମିନାଲ ବା ‘ଯାତ୍ରାଶେଷ’ ଷ୍ଟେସନ୍‍ରେ, ଆଲୁଅର ଉଜ୍ଜ୍ୱଳ ଗୋଟିଏ କାନ୍ଥ ମାନଚିତ୍ର ସାମନାରେ । ସେଇ ମାନଚିତ୍ରରେ ଥାଏ କେତେକେତେ ବିଭିନ୍ନ ଧରଣର ରେଳପଥ, କେଉଁଠି କେଉଁଠି କେତେ ଜାଗାରେ ରେଳରାସ୍ତାର ଛକ ସବୁ, ସେଠି ରେଳରାସ୍ତା କଟାକଟି ହୋଇ ପଡ଼ିଥାଏ ବିଭିନ୍ନ ଦିଗକୁ । ଆହୁରିବି ଥାଏ ସଂକେତ ଆଲୁଅଗୁଡ଼ିକ, ଇଲେକ୍‍ଟ୍ରିକ୍ ସ୍ୱିଇଚ୍ ସବୁ । ଏସବୁ ଦେଖା ହୋଇଥାଏ କେତେକେତେ ରଙ୍ଗିନ ରେଖା ଆଉ ଚିହ୍ନରେ । ଏଇଥିରେ ସେ ଥରେ ଆଖି ବୁଲାଇଆଣି ଦେଖିପାରନ୍ତି କେଉଁଠି କେଉଁଠି କେମିତି ଅବସ୍ଥାରେ ଟ୍ରେନ୍‍ଗୁଡ଼ିକ ଅଛି । ଏହାଛଡ଼ା ପ୍ରତ୍ୟେକ ଟ୍ରେନ୍‍ ଆଗତୁରା ଖବର ପଠାଏ, ‘‘ମୁଁ ଆସୁଛି !”

 

ଏଇ ପ୍ରେରକ ଲୋକଟି ନିଜେ ଅଫିସ୍‍ରେ ବସି ରାସ୍ତାଗୁଡ଼ିକର ସ୍ଵିଚ୍‍କୁ ନିୟନ୍ତ୍ରଣ କରନ୍ତି-। ଆଉ ଦରକାର ହେଲେ ଟ୍ରେନ୍‍ଟିଏ ଯେଉଁ ଲାଇନ୍‍ରେ ଆସୁଥାଏ, ସେ ଲାଇନ୍‍ରୁ ଅନ୍ୟ ଲାଇନ୍‍କୁ ମୁହାଁଇ ଦିଅନ୍ତି । ଦୂରରୁ ସେ ଟ୍ରେନ୍‍ଗୁଡ଼ିକ ଯାଆସ ନିୟନ୍ତ୍ରଣ କରନ୍ତି–ସତେ ଯେମିତି ତାଙ୍କର ହାତ ଦୁଇଟି ମାଇଲ ମାଇଲ ଲମ୍ବ । ଏଥିରେ ତାଙ୍କୁ ସାହାଯ୍ୟ କରେ ବିଦ୍ୟୁତ୍‍ଶକ୍ତି । ବିଦ୍ୟୁତ୍ ତରଙ୍ଗ ତାରରେ ତାରରେ ଷ୍ଟେସନ୍‍କୁ ଧାଏଁ । ସେଠି ପହଞ୍ଚି ଏହା ପ୍ରେରକଙ୍କ ଅଫିସ୍‍ରେ ମାନଚିତ୍ରକୁ ଆଲୋକିତ କରିଦିଏ । ସେହି ବିଦ୍ୟୁତ୍ ତରଙ୍ଗ ପୁଣି ପ୍ରେରକଙ୍କ ଆଦେଶକୁ ସ୍ୱିଚ୍‍କୁ ପଠାଇ ଟ୍ରେନ୍‍ଟିକୁ ଗୋଟିଏ ଲାଇନ୍‍ରୁ ଅନ୍ୟ ଲାଇନ୍‍କୁ ମୁହାଁଇଦିଏ ।

 

ମେଟ୍ରୋଟି କେତେ ଅଦ୍ଭୁତ ସତେ ! ଅଳ୍ପ କେଇ ମିନିଟ୍ ଭିତରେ ତା’ର ସବୁକଥା କହିବା କଷ୍ଟ ।

 

ଡବାଗୁଡ଼ିକ ଛାଏଁ ଛାଏଁ ଯୋଡ଼ିହୋଇ ଟ୍ରେନ୍‍ ପାଲଟିଯାନ୍ତି । ଡବାର ଦୁଆରଗୁଡ଼ିକ ଆପେଆପେ ମେଲା ହୁଅନ୍ତି, ପୁଣି ବୁଜିହୁଅନ୍ତି । ସେଠି ପାହାଚସବୁ ଛାଏଁ ଛାଏଁ ଲୋକଙ୍କୁ ଉପରୁ ତଳକୁ ତଳୁ ଉପରକୁ ନିଆଅଣା କରନ୍ତି । ଆଉ ଏଇ ଚଳନ୍ତା ପାହାଚସବୁ ନିଦା ପଦାର୍ଥ ନୁହନ୍ତି–ଏଗୁଡ଼ିକ ଗୋଟିଏ ଶିକୁଳିରେ ଗୋଟିଗୋଟିକିଆ କଡ଼ା ଭଳି ଗୁନ୍ଥା ଅଲଗାଅଲଗା ପାହାଚ । ପ୍ରତ୍ୟେକଟି ପାହାଚ ଗଡ଼ି ଗଡ଼ି ଚାଲିଥାଏ ଗୋଟିଏ ଧରାବନ୍ଧା ବାଟରେ ରୋଲର ବା ଗଡ଼ାଣିଗୁଡ଼ିକ ଉପରେ, ଏକ ଛୋଟ ୱାଗେନ ଭଳି । ପାହାଚଗୁଡ଼ିକ ଛନ୍ଦାହୋଇଥାଏ ଶିକୁଳିରେ । ସେଇ ଶିକୁଳି ତାକୁ ଟାଣିନିଏ ଉପରକୁ । ପାହାଚଗୁଡ଼ିକ ଗୋଟିକ ପରେ ଗୋଟିଏ ହୋଇ ସବା ଉପରେ ପହଞ୍ଚିଲାକ୍ଷଣି ଉପରଚଟାଣ ସଙ୍ଗେ ସଙ୍ଗେ ସମାନ ହୋଇଯାନ୍ତି । ସତେ ଅବା ଉଭେଇ ଯାଆନ୍ତି ଏକାବେଳକେ । କିନ୍ତୁ ସେଗୁଡ଼ିକ ଆଖିପିଛୁଳାକେ ତଳକୁ ଖସିବାକୁ ଲାଗନ୍ତି ପୁଣି ନୂଆ ନୂଆ ଯାତ୍ରୀମାନଙ୍କୁ ତଳୁ ଉପରକୁ ଉଠାଇଆଣିବାପାଇଁ । ପାହାଚଗୁଡ଼ିକର କରେ କରେ ହାତରେ ଧରିବାପାଇଁ ଲୁହାବାଡ଼ ଥାଏ । ତାହାବି ପାହାଚ ସଙ୍ଗେ ସଙ୍ଗେ ଯାଏଁ ଆଉ ଆସେ; ସବୁବେଳେ ପାହାଚ ସାଥିରେ ସମାନ ଭାବରେ ଥାଏ । କିନ୍ତୁ ଏ ସବୁ ଗୋଟାଏ ମସ୍ତ ଭେଳିକି । ଏଠି ସବୁ ଛାଏଁ ଛାଏଁ ହୋଇଯାଏ । ଲୋକଙ୍କର ହାତଗୋଡ଼ ଲାଗୁନାହିଁ, କିଛି ସାହାଯ୍ୟ ଲୋଡ଼ା ହେଉନାହିଁ । ଅସଲରେ ଏହା ଏକ ଇନ୍ଦ୍ରଜାଲ । କାହିଁକି ନା, ସ୍ଵୟଂକ୍ରିୟ ଯନ୍ତ୍ରକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡ଼େ ।

 

ମେଟ୍ରୋରେ ବହୁତ ବଢ଼ିଆ ବଢ଼ିଆ ଅଦ୍ଭୁତ ଯନ୍ତ୍ରମାନ କାମ କରୁଚି । ଆଉ ମେଟ୍ରୋଟି ଗଢ଼ା ହେବାରେବି ଆହୁରି ଅନେକ ଧରଣର ଯନ୍ତ୍ର ଲାଗିଥିଲା । ମେଟ୍ରୋର ମେସିନ୍‍ଗୁଡ଼ିକ ଦେଖି ଆଶ୍ଚର୍ଯ୍ୟ ହୋଇଯିବା ଅପେକ୍ଷା ଆମର ସେଇ ଲୋକଙ୍କ କଥା ଭାବିବା ଉଚିତ, ଯେଉଁମାନେ ଏସବୁ ତିଆରି କରିଥିଲେ; ଯେଉଁମାନେ ଭୂଇଁତଳ ସହରଟି ଗଢ଼ିଥିଲେ । ତମେ କ’ଣ ଭାବୁଚ, ଏଡ଼େ ଏଡ଼େ ବିରାଟ କୋଠା ଆଉ ସୁଡ଼ଙ୍ଗସବୁ ଭୂଇଁ ତଳେ ତଳେ ଗଢ଼ିବା ଖୁବ୍ ସହଜ ହୋଇଥିବ-? ଆଉ ତାହା ପୁଣି ଖାଲି ଫାଙ୍କା ଭୂଇଁ ତଳରେ କି ପଡ଼ିଆ ବା ଅନାବାଦୀ ଜମି ତଳରେ ନୁହେଁ, ମସ୍ତ ବଡ଼ବଡ଼ ଘରଗୁଡ଼ାକ ତଳରେ, ମସ୍କୋର ଠିକ୍ ରାସ୍ତାଘାଟ ତଳରେ ?

 

ସେମାନଙ୍କୁ ସୁଡ଼ଙ୍ଗ ଖୋଳି ବାହାର କରିବାକୁ ପଡ଼ିଥିଲା, କେଜାଣି କେତେ ପର୍ବତ ପ୍ରମାଣେ ବାଲି, ମାଟି, ଆଉ ପଥର; ବାହାର କରିବାକୁ ପଡ଼ିଥିଲା ସିଧାସଳଖ ମସ୍କୋ ସହରଟିର ତଳରୁ । ସେତେବେଳେ ସେମାନଙ୍କୁ ସାବଧାନ ରହି ଯନ୍ତ୍ର ନେଇ ଦେଖିବାକୁ ପଡ଼ିଥିଲା–ଉପରେ ବାଟଘାଟ କେଉଁଠି ନଷ୍ଟ ନହୁଏ ଯେମିତି, ପାଣି ପାଇପ୍ କି ଗ୍ୟାସ୍ ପାଇପ୍‍ରେ ଟିକେ ଆଞ୍ଚ ଲାଗି କିଛି କ୍ଷତି ନ ଘଟେ ଯେମିତି । ଇଲେକ୍‍ଟ୍ରିକ୍ ଓ ଟେଲିଫୋନ୍ ତାର ଛିଡ଼ି ନଯାଏଁ ଓ କାଟି ନ ଯାଏଁ ଯେମିତି । କେତେକ ଜାଗାରେ ମସ୍କୱା ନଈର ତଳେ ତଳେ ରେଳରାସ୍ତା ପକେଇବାକୁ ହୋଇଥିଲା ସେମାନଙ୍କୁ । ଏଇଥିଯୋଗୁଁ କୁହାଯାଏ ଯେ ଲୋକଙ୍କ ମୁଣ୍ଡ ଉପରେ ଏବେ ନଈ ବହିଯାଉଚି ।

 

କିନ୍ତୁ କାରିଗରମାନଙ୍କ ପାଇଁ ସବୁଠୁ ଅକଳିଆ ପଡ଼ିଥିଲା, ଯେତେବେଳେ ସେମାନଙ୍କୁ ଆୟତ୍ତରେ ଆଣିବାକୁ ପଡ଼ିଥିଲା ଭୂଇଁତଳର ନଈଗୁଡ଼ିକୁ; ଉପରେ ବହିଯାଉଥିବା ନଈଗୁଡ଼ିକ ନୁହେଁ-। ଭୂଇଁତଳ ନଈସବୁ ଧୋଇନେଉଥିଲା ବାଲି ଆଉ କାଦୁଅ ମାଟିକୁ । ତା’ପରେ ପାଣିଘେରରେ ଥିବା ବାଲି ତରଳିଆ ହୋଇ ବୋହିବାକୁ ଆରମ୍ଭ କରୁଥିଲା । ଏହା ଫଳରେ, କାମ ଚାଲିଥିଲାବେଳେ ମାଟି ଦବିଯାଇ କୋରଡ଼ିଆ ହୋଇଯାଇଥିଲା । ଅନେକ ଜାଗାରେ କାରିଗରମାନଙ୍କୁ କାମ ଆରମ୍ଭ କରିବା ପୂର୍ବରୁ ପମ୍ପ୍ କରି ପାଣି କାଢ଼ିବାକୁ ପଡ଼ୁଥିଲା–ଏମିତିକି ପାଣି ସଙ୍ଗେ ଲଢ଼ିବାପାଇଁ ସେମାନଙ୍କୁ ପବନର ସାହାଯ୍ୟ ନେବାକୁ ହୋଇଥିଲା । ବଡ଼ବଡ଼ ପାଇପ୍‍ରେ ପବନ ପମ୍ପ୍ କରି ଭର୍ତ୍ତି କରାଯାଉଥିଲା । ତା’ ଫଳରେ ପାଣି ଠେଲି ହୋଇଯାଉଥିଲା–ବାଲିକୁ ସମୟ ମିଳୁଥିଲା ଶୁଖିବାପାଇଁ । ଫଳରେ ତିଆରି ହେଉଥିବା ସୁଡ଼ଙ୍ଗ ଭିତରୁ ବାଲି କାଢ଼ିବା ସହଜ ହେଉଥିଲା ।

 

ତା’ପରେ ସେମାନେ ପାଣି ସଙ୍ଗେ ଯୁଝି ତାକୁ ହଟେଇବାପାଇଁ “ହିମାଳ” ବା ବରଫକୁ ବ୍ୟବହାର କରିଥିଲେ । ଗୋଟାଏ ଅତି ଥଣ୍ଡା ତରଳ ପଦାର୍ଥକୁ ସେମାନେ ପମ୍ପ୍ କରି ଛାଡ଼ିଥିଲେ ଓଦା ବାଲି ଉପରେ, ସେଇ ବାଲିକୁ ଜମାଟ ବନ୍ଧେଇଦେଇ ଟାଣ କରିବାପାଇଁ । ଏଇ ଟାଣ ବାଲିରେ କାମ କରିବା ସହଜ ହୋଇଥିଲା, କାରଣ ଏହା ବୋହିଯିବା ଫଳରେ ଅଟକି ଯାଉ ନଥିଲା ।

 

ଦେଖିଲ ତ କେଡ଼େ ସାହସୀ, କେଡ଼େ ଚତୁର, କେଡ଼େ କୌଶଳୀ ଥିଲେ ସେଇ ଇଞ୍ଜିନିୟର୍ ଆଉ ଶ୍ରମିକମାନେ, ଯେଉଁମାନେ ମସ୍କୋର ରାସ୍ତାଘାଟର ତଳେ ତଳେ ଗଢ଼ିଥିଲେ ଏଇ ଚମତ୍କାର ଭୂଇଁତଳ ସହର “ମେଟ୍ରୋ” !

 

ଶେଷରେ ଅନ୍ତତଃ ‘‘ମେଟ୍ରୋ’’ ଶବ୍ଦଟି ଆଉ ତା’ର ‘ଜନ୍ମ’ ବିଷୟରେ ପଦେଅଧେ କହିବା ଉଚିତ ହେବ ।

 

ଆମର ନିତିଦିନିଆ କଥାବାର୍ତ୍ତାରେ ଆମେ ଅନେକ ସମୟରେ ଲମ୍ବାଲମ୍ବା ଶବ୍ଦକୁ ଛୋଟିଆ ସରଳିଆ କରିଦେଉ । ‘‘ମେଟ୍ରୋ” ଭାଗ୍ୟରେ ତାହାହିଁ ଘଟିଚି । ଏହାର ପୂରା ନାମଟି ହେଉଚି ‘‘ମେଟ୍ରୋପଲିଟାନ୍” । ଏହି ଲମ୍ବା ଶବ୍ଦଟି ଆସିଚି ଆଉ ଗୋଟିଏ ଲମ୍ବା ଶବ୍ଦ ‘‘ମେଟ୍ରୋପଲିସ୍”ରୁ । ଆଉ ‘ମେଟ୍ରୋପଲିସ୍‍’ର ଅର୍ଥ ହେଉଛି, ପ୍ରଧାନ ସହର, ରାଜଧାନୀ ।

 

‘ମେଟ୍ରୋ’ ହେଉଚି ପ୍ରଧାନ ସହରର ରେଳରାସ୍ତା ।

Image

 

ଆମ ରାସ୍ତାରେ ମଟରଗାଡ଼ିସବୁ

 

କେତେ ମଟରଗାଡ଼ି ଚାଲିଚି ରାସ୍ତାରେ ! ଗୋଟିକ ପରେ ଗୋଟିଏ ଛୁଟିଚି କି ଜୋରରେ ! ୟାର ଶେଷ ନାହିଁ ନା କ’ଣ ? ହେଇ, ଏଠି ଗୋଟିଏ ‘ପୋବେଦା’, ସେଠି ଛୋଟିଆ ‘ମସ୍କଭିଚ’ଟିଏ । ଏଥିରେ ଜମାରୁ ଚାରିଜଣ ବସନ୍ତି; କିନ୍ତୁ ଗୋଟିଏ ଗ୍ୟାଲନ୍ ଗ୍ୟାସ୍‍ରେ ଏ ଗାଡ଼ିଟି ବହୁତ ଦୂର ଯାଏଁ । ଆରେ, ସେଇ ବଡ଼ ଗାଡ଼ିଟି ଆଉସବୁ ଗାଡ଼ିକୁ ପଛରେ ପକାଇ ଆଗେଇଗଲା, ସେଇଟାର ନାଁ କ’ଣ ମ ? ଏଇଟି ଗୋଟିଏ ସାତ ସିଟ୍‍ବାଲା ‘କିସ–୧୧୦’ । ମଟରଗାଡ଼ିଗୁଡ଼ିକ ଦ୍ରୁତବେଗରେ ଧାଇଁଥାନ୍ତି ସତ । କିନ୍ତୁ ଛକ ପାଖରେ ଯେତେବେଳେ ଟ୍ରାଫିକ୍ ଆଲୁଅ “ରହ” !ବୋଲି କହିଦିଏ, ସେତେବେଳେ ଏମାନଙ୍କୁ ଥମିଯିବାକୁ ପଡ଼େ ।

 

ଟ୍ରାଫିକ୍ ଆଲୁଅ ଅବଶ୍ୟ କଥା କହିପାରେ ନାହିଁ, କେବଳ ସଂକେତ ଦିଏ । ଏଥିରେ ଗୋଟିକ ଉପରେ ଗୋଟିଏ, ତିନୋଟି ଆଲୁଅ ଥାଏ : ଲାଲ, ହଳଦିଆ ସବୁଜ ।

 

ଲାଲ ଆଲୁଅର ଅର୍ଥ : ‘‘ରହ ! ରାସ୍ତା ବନ୍ଦ ।’’ ସବୁଜ ଆଲୁଅର ଅର୍ଥ : ‘‘ଯାଅ ! ରାସ୍ତା ଖୋଲା ଅଛି ।’’ ଆଉ ହଳଦିଆ ଆଲୁଅର ଅର୍ଥ : ‘‘ଯାଅ ନାହିଁ ! ଖୋଲା ଅଛି କି ବନ୍ଦ ଅଛି ମୁଁ ତୁମକୁ କହିବି ।”

 

କ’ଣ କହିବାକୁ ହେବ, ଟ୍ରାଫିକ୍ ଆଲୁଅ ଜାଣେ କେମିତି ? ସେ କ’ଣ ତା’ର ତିନୋଟି ଆଖିରେ ଦେଖିପାରେ, ଆଗରେ ରାସ୍ତା ସାଫ୍ ଅଛି କି ନାହିଁ ? ନା, ଦେଖିପାରେନା । ଛକ କୋଣରେ କାଚଘର ଭିତରେ ଯେଉଁ ପୁଲିସ୍‍ଟି ବସିଚି, ସେଇ ତା’ପାଇଁ ଦେଖେ । ସେ ଠିକ୍ ଆଲୁଅଟି ଜଳେଇ ଯାନବାହନ ଚଳାଚଳ ସଂକେତକୁ ନିୟନ୍ତ୍ରଣ କରେ । ମଟରଗାଡ଼ିଗୁଡ଼ିକ ପାଳି ଅନୁସାରେ ଗୋଟିକ ପରେ ଗୋଟିଏ ଯିବାଲାଗି ସେ ହିଁ ଅନୁମତି ଦିଏ । ପ୍ରଥମେ ଛାଡ଼େ ଆମ ଗଳିଆଡ଼ୁ ଯାଉଥିବା ମଟରଗାଡ଼ିଗୁଡ଼ିକ, ତା’ପରେ ପାଖ ରାସ୍ତାରୁ ଆସୁଥିବା ଗାଡ଼ିକୁ ସବୁ । ଯଦି ପୁଲିସ୍ ନଥାନ୍ତା କି ଟ୍ରାଫିକ୍ ଆଲୁଅ ନଥାନ୍ତା, ତେବେ ମଟରଗାଡ଼ିଗୁଡ଼ିକ ମୁହାଁମୁହିଁ ବାଡ଼େଇ ହୋଇଯାଉଥାନ୍ତେ ।

 

କେତେଗୁଡ଼ିଏ ମଟରଗାଡ଼ି ଅଛି, ପୁଲିସ ସେଗୁଡ଼ିକୁ ପାଳି ନ ପଡ଼ୁଣୁ ଛାଡ଼ିଦିଏ । ଏହି ମଟରଗାଡ଼ିସବୁ “ସାଇରେନ” ବଜାଇ ବଜାଇ ଅତି ଦ୍ରୁତଗତିରେ ଛୁଟେ, ଆଉ ସଂକେତ ଆଲୁଅ ପାଖରେ ଅଟକେ ନାହିଁ । ଏଥିରୁ ଗୋଟିକରେ ଲେଖାଥାଏ “ଆମ୍ବୁଲାନ୍‍ସ୍” । ତମେ ସେଇ ଗାଡ଼ିଟିର ଝରକାବାଟେ ଦେଖିପାରିବ, ସେଥିରେ ଷ୍ଟ୍ରେଚର୍‍ଟିଏ ଅଛି । ଆଉ ତା’ପରେ ରୋଗୀ ଲୋକଟିଏ ଶୋଇରହିଛି । ଦେହରେ ଧଳା ଜାମା ପିନ୍ଧି ଜଣେ ଡାକ୍ତର ସେ ରୋଗୀଟି ପାଖରେ ବସିଛନ୍ତି । ଆମ୍ବୁଲାନ୍‍ସ୍ ଗାଡ଼ିକୁ କାହିଁକି ସମସ୍ତେ ଆଗ ବାଟ ଛାଡ଼ିଦିଅନ୍ତି ଯେ ? ଯେତେ ଶୀଘ୍ର ସମ୍ଭବ ରୋଗୀ ଲୋକଟିକୁ ଡାକ୍ତରଖାନା ନେବାକୁ ହେବ, ଏଇଥିପାଇଁ ।

 

ହେଇଟି, ଆଉ ଗୋଟିଏ ମଟରଗାଡ଼ି–ଏହାକୁ ଆଉସବୁ ଗାଡ଼ି ବାଟ ଛାଡ଼ିଦେଲେ । କାଇଁ, ୟା ଉପରେ ତ କିଛି ବୋଲି କିଛି ତ ଲେଖା ହୋଇନାହିଁ । ହେଲେ, ତମେ ୟାକୁ ସଙ୍ଗେ ସଙ୍ଗେ ଚିହ୍ନିପାରିବ ନିଶ୍ଚୟ ! ଖାଲି ନିଆଁ ଲିଭା ଇଞ୍ଜିନ୍‍ଗୁଡ଼ିକ ନିଆଁ ପରି ଲାଲ । ତାକୁ ଚିହ୍ନି ନ ହେବ କେମିତି ଯେ ? ତା’ ଛଡ଼ା ଚକ୍‍ଚକ୍ ଲୁହାଟୋପି ପିନ୍ଧା ନିଆଁ ଲିଭାଳିମାନେ ଗାଡ଼ିର ବାଡ଼ାକୁ ଧରି ଠିଆ ହୋଇଥିବେ ଏଥିରେ ପୁଣି ମସ୍ତବଡ଼ ପାଣିପକା ପାଇପ୍‍ଟାଏ ଆଉ ଲମ୍ବା ନିଶୁଣିଟାଏବି ଥୁଆ ହୋଇଥିବ ।

 

ଦମକଳକୁ ବାଟ ଛାଡ଼–ସବୁ ଠିକ୍ ଅବାଧରେ ଯିବାର ଅଧିକାର ଅଛି ତା’ର । କାହିଁକି ନା, ଘରଟାଏ ପୋଡ଼ି ପାଉଁଶ ହୋଇଯିବା ଆଗରୁ ନିଆଁକୁ ଲିଭେଇବାକୁ ହେବ ଯେମିତି ହେଲେ । ସେଇଥିପାଇଁ ଏଡ଼େ ବେଗରେ ଯାଏଁ ଏବଂ ସେଇଥିଲାଗି ଯେତେବେଳେ ତୁମେ ଦେଖ କେହି ଜଣେ ଭାରି ତରବର ହେଉଚି, ତାକୁ ତୁମେ କହ, ‘‘କ’ଣ କୋଉଠି ନିଆଁ ଲାଗିଚି କି ?”

 

କେତେ ଗାଡ଼ି ଆମ ରାସ୍ତାରେ ଯାଉଚି, ଆଉ ପ୍ରତ୍ୟେକଟି କୌଣସି ନା କୌଣସି ଜାଗାକୁ ଯାଏଁ ନିଶ୍ଚୟ । ହେଇ, ଏଠି ଗୋଟିଏ ଲରି–ତା’ କରରେ ଲେଖାହୋଇଚି “ରୁଟି” । ଜଳଖିଆ ଆଲମାରି ଭଳି ଥାକଗୁଡ଼ିଏ ଅଛି ଏଥିରେ, ଆଉ ତଟକା ଉଷୁମ ପାଉଁରୁଟିରେ ଭର୍ତ୍ତି କାଠର ଡାଲାସବୁ ଥୁଆହୋଇଛି ଏହି ଥାକଗୁଡ଼ିକରେ । ହେଇଟି ଆଉ ଗୋଟାଏ ଲରି–ଏଥିରେ ଲେଖାହୋଇଚି ‘‘ମାଛ” । ଏଥିରେ ମାଛ ଭର୍ତ୍ତି ହୋଇଚି । ହେଇ ଗୋଟିଏ ଅଳିଆବୁହା ଗାଡ଼ି । ରାସ୍ତା ଆଉ ଅଗଣାଗୁଡ଼ିକ ପରିଷ୍କାର ରହିବାରେ ସାହାଯ୍ୟ କରେ ଏଇଟି । ଲୋକେ ଦରପୋଡ଼ା ସିଗାରେଟ ମୁଣ୍ଡି ଆଉ ଛିଣ୍ଡା କାଗଜପତ୍ର ପକାନ୍ତି ରାସ୍ତାକଡ଼ର ମଇଳା ଟିଣ ଓ ଅଳିଆ ଟୋକେଇରେ । ଅଳିଆବୁହା ଗାଡ଼ି ପହଞ୍ଚିଗଲେ ତହିଁରେ ଲାଗିଥିବା ବଡ଼ ଡଙ୍କି ଭିତରେ ଅଳିଆଗୁଡ଼ାକ ଅଜାଡ଼ି ଦିଆହୁଏ । ଡଙ୍କିଟି ଅଳିଆରେ ପୂର୍ଣ୍ଣ ହୋଇଗଲେ ସେ ତାକୁ ଫିଙ୍ଗିଦିଏ ଗାଡ଼ି ଭିତରକୁ ।

 

ଆଉ ଗୋଟାଏ ଧରଣର ଆମ୍ବୁଲାନ୍‍ସ୍‍ବି ଅଛି । ଏଇଟା ଜଖମ ହୋଇଥିବା ମଟରଗାଡ଼ି ପାଇଁ; ରୋଗିଣା ଲୋକଙ୍କପାଇଁ ନୁହେଁ । ବେଳେବେଳେ ଟ୍ରାମ୍‍ଟାଏ କି ଟ୍ରଲିବସ୍‍ଟିଏ ରାସ୍ତା ମଝିରେ ଅଟକି ରହିଥାଏ । କାହିଁକି ସେଇଟା ପଡ଼ିରହିଚି ଯେ ? ମୁଣ୍ଡ ଉପରର ତାରରେ କେଉଁଠି କ’ଣ ଗଣ୍ଡଗୋଳ ହୋଇଯାଇଛି ନିଶ୍ଚୟ । ତାକୁ ସଜାଡ଼ି ଠିକ୍ କରିବାକୁ ହେବ । କିନ୍ତୁ ଏତେ ଉଚ୍ଚକୁ ଲୋକ ଉଠିବ କେମିତି ?

 

ଏଇଭଳି ଅବସ୍ଥାରେ ଉଦ୍ଧାର କରିବାକୁ ଆସେ ‘‘ପହିଲି କାରିଗରି-ସାହାଯ୍ୟ’’ ଗାଡ଼ି । ଏଇ ଗାଡ଼ିରେ ଥାଏ ଗୋଟାଏ ମୋଟା ଖୁଣ୍ଟି–ଆଉ ସେ ଖୁଣ୍ଟ ଅଗରେ ଥାଏ ‘କାଉବସା’ ଭଳି ଲୁହାପାତରେ ଗଢ଼ା ବାକ୍ସଟିଏ । ଏଇ “କାଉବସା” ପିଣ୍ଡି ଉପରେ ଛିଡ଼ା ହୋଇଥାଏ କାରିଗରଟିଏ । ତାର ଖଞ୍ଜାଖଞ୍ଜିରେ ଧୁରନ୍ଧର ସେ । ହଠାତ୍ ସେ “ଖୁଣ୍ଟି”ଟି ବଢ଼ିବାକୁ ଆରମ୍ଭ କରିଦିଏ; ପିଣ୍ଡି ଆଉ କାରିଗରଟିକୁ ଘେନି ମଞ୍ଚଟି ଉପରକୁ ଉଠେ । ତମେ ଜାଣିବା ଆଗରୁ କାରିଗରଟି ଯାଇ କେତେବେଳେ ତାର ପାଖରେ ପହଞ୍ଚି ଯୋଡ଼ି ଯୋଡ଼ି ମରାମତି କାମରେ ଲାଗିଯାଇଥାଏ ।

 

ଆଉ ଗୋଟିଏ ପ୍ରକାର ଗାଡ଼ି ଅଛି; ସେ ରାସ୍ତାରୁ ବରଫ ସଫାକରେ । ଗଲାବର୍ଷର ମସ୍କୋର ରାସ୍ତାମାନଙ୍କରେ ବହୁତ ବରଫ ପଡ଼ିଥିଲା । ବଡ଼ିଭୋରରୁ ଯାଇ ସେବାକାରୀ ଲୋକେସବୁ ବରଫ ସଫା କରୁଥାନ୍ତି ହାତରେ କୋଡ଼ିକୋଦାଳ ଧରି । କିନ୍ତୁ ତୁହାକୁ ତୁହା ବର୍ଷା ଚାଲିଥାଏ ଜୋରରେ । ଯାନବାହନ ଚଳାଚଳରେ ବାଧା ଆସୁଥାଏ । ପାଦଚଲା ଲୋକେବି ସହଜରେ ରାସ୍ତା ଟପି ଯାଇପାରୁ ନଥାନ୍ତି । ତେଣୁ ଲୋକେ ଠିକ୍ କଲେ, ଗୋଟାଏ ଚମତ୍କାର କୋଦାଳର ସାହାଯ୍ୟ ନେବେ । ଏଇ ଚମତ୍କାର କୋଦାଳଟି କାମ କଲାବେଳେ ତମେ ଦେଖିଚ କି କେବେ ? ଏହା ରାସ୍ତାରେ ଚାଲିଥାଏ, ଛାଏଁ ଛାଏଁ ବଡ଼ବଡ଼ କୋଦାଳ ପରି ହତାରେ ସବୁ ବରଫକୁ ଖୋଳିପକାଏ, ଆଉ ସଙ୍ଗେ ସଙ୍ଗେ ତାକୁ ସେଇ ଗାଡ଼ି ଭିତରକୁ ଫିଙ୍ଗିଦିଏ । ଖରାଦିନ ତମାମ ଏଇ ‘ବରଫ ଲଙ୍ଗଳ’ର ଲମ୍ବା ଛୁଟି । ସେତେବେଳକୁ ଏହା ଥାନରେ ଆସି ଦେଖାଦିଏ ପାଣିଗାଡ଼ିସବୁ । ଏଇ ଗାଡ଼ି ରାସ୍ତାମାନଙ୍କରେ ପାଣି ଛିଞ୍ଚି ତାକୁ ଧୋଇଦିଏ । ଏହାବି ମସ୍ତବଡ଼ ଗାଡ଼ି । ଏହା ରାସ୍ତାରେ ଯାଉଥିଲାବେଳେ ଏହାର ଦି’ କରରେ ଥିବା ଯୋଡ଼ିଏ ଝରଣାରୁ ଝରଝର ହୋଇ ପାଣି ଝରିପଡ଼ୁଥାଏ ।

 

ସତେ ଆମ ରାସ୍ତାଟି ଭାରି ସୁନ୍ଦର ! ଡେଙ୍ଗା ଡେଙ୍ଗା ଲିଣ୍ଡେନ୍‍ଗଛଗୁଡ଼ିକ ଧାଡ଼ି ଧାଡ଼ି ହୋଇ ରହିଚି ଚଲାବାଟରେ ଧାରେ ଧାରେ । ଏଡ଼େ ଡେଙ୍ଗା ସେଗୁଡ଼ିକ ଯେ ଅନେଇଦେଲେ ମନେହୁଏ, ସତେ ଯେମିତି କେଉଁ ଅନାଦି କାଳରୁ ସେମାନେ ଜନ୍ମିଛନ୍ତି ସବୁ ସେଠି । କିନ୍ତୁ ଆମ ପଡ଼ାର ସମସ୍ତେ ଜାଣନ୍ତି ଯେ ସେଗୁଡ଼ିକ ନୂଆ ହୋଇ ଆସିଚନ୍ତି ।

 

ଆଗେ କ’ଣ ଗଛଲତାସବୁ ସ୍ଵପ୍ନରେ ସୁଦ୍ଧା ଭାବିପାରୁଥିଲେ ଯେ ନିଜେ ନିଜର ସ୍ଥାନ ବଦଳେଇପାରିବେ ? ଏବେ କିନ୍ତୁ ଦରକାର ପଡ଼ିଲେ ବଡ଼ବଡ଼ ଲରିରେ ସେମାନଙ୍କୁ ନିଆଯାଇ ଅନ୍ୟ ସ୍ଥାନରେ ଲଗାଇ ଦିଆଯାଇପାରୁଛି । ଏମିତି କି ଖରାଦିନେ ଜୁନ୍ କି ଜୁଲାଇରେ ଗଛସବୁ ଯେତେବେଳେ ଭାଙ୍ଗିପଡ଼ୁଥାଏ ଫୁଲପତ୍ରରେ, ସେତେବେଳେବି ସେଗୁଡ଼ିକୁ ଉଠାଇ ନିଆଯାଏ ଅକ୍ଳେଶରେ । ଅତି ଯତ୍ନରେ ବା ଚାରିପାଖରେ ଥିବା ମାଟି ସହିତ ଆଗ ଉପୁଡ଼ା ହୁଏ ଗଛଟି । ଫୁଲକୁଣ୍ଡରେ ଫୁଲଗଛ ରଖାଗଲା ଭଳି ବଡ଼ ଖୋଲା କାଠ ବାକ୍ସରେ ରଖାଯାଏ ଖୁବ୍ ଯତ୍ନରେ–ଯେମିତିକି ଚେରଟିଏ ନଷ୍ଟ ହୁଏ ନାହିଁ କି ମୂଳରେ ଥିବା ମାଟିତକ ହୁଗୁଳା ହୋଇ ଖସିପଡ଼େ ନାହିଁ । ତେବେ ଲିଣ୍ଡେନ୍‍ଗଛ ତ ଆଉ ଫୁଲଗଛପରି ଛୋଟ ନୁହେଁ ! ଏହା ଯେମିତି ବଡ଼, ସେମିତି ଓଜନିଆ-। ଏହା ଉଠାଯାଇପାରେ କେମିତି, ପୁଣି ଆଉ ଠାଆରେ ଗାତ ଭିତରେ ପୂରାହୁଏ କେମିତି ଯେ-?

 

ଏତିକିବେଳେ କାମପଡ଼େ ଟ୍ରକ୍‍ରେ ଲଦା ହୋଇଥିବା କ୍ରେନ୍‍ର । ଏହି କ୍ରେନ୍‍ଟି ଗଛକୁ ଲରି ଉପରୁ ଟେକି ଉଠାଇନିଏ । ଆଉ ଧୀରେ ଧୀରେ ଖସାଇଦିଏ ଗାତ ଭିତରକୁ । ଦଳକୁ ଦଳ ଲୋକ ଜମାହୋଇ ଦେଖନ୍ତି–ଏଇ ଚଳନ୍ତା କ୍ରେନ୍‍ର ଚାଳକ କେଡ଼େ ଯତ୍ନରେ ଏଇ କାମଟି କରୁଥାଏ, ଯେମିତିକି କେଉଁଥିରେ ଟିକିଏ ହେଲେ ବାଡ଼େଇ ହୋଇ ନ ଯାଏଁ ଗଛଟି ।

 

ଏହିପରି ଭାବରେ ଗଛଟିର ନୂଆ ‘‘ଘର” ହେଲା ଏକ ଜନଗହଳି ରାସ୍ତାରେ । ଅଥଚ ଏଇ ଆଜି ସକାଳେ ଗଛଟି ରହିଥିଲା–ସହରଠୁ ମାଇଲ ମାଇଲ ଦୂରରେ ଏକ ନିରୋଳା ବଣଭୂଇଁରେ କେଉଁଠି ।

 

ବେଶି ଦିନର କଥା ନୁହେଁ । ଆମ ରାସ୍ତାର କଡ଼େ କଡ଼େ ଗାତ ଖୋଳି ପାଇପ୍‍ସବୁ ବସାଉଥିଲେ ସେମାନେ । ଏହି ପାଇପ୍‍ସବୁ ବସାଉଥିଲେ ସେମାନେ ଭୂଇଁ ଉପରେ ବୋହିଯାଉଥିବା ଛୋଟ ପାଣି ସୁଅଟିକୁ ବୋତଲରେ ପୂରେଇଲା ଭଳି ଭୂଇଁତଳେ ବନ୍ଦ କରି ରଖିଦେବାପାଇଁ । ଏବେ ଏହା ଠିକ୍ ଯନ୍ତାରେ ପଡ଼ିଚି ଯେମିତି, ବନ୍ଦ ହୋଇ ରହିଚି ଅନ୍ଧାରୁଆ ଜେଲଘର ଭଳି ଭୂଇଁ ତଳେ ତଳେ ବିରାଟ ବିରାଟ ନଳା ଭିତରେ । ଆଉ ଏଣିକି ଲୋକଙ୍କ ବାଟ ରୋକିପାରୁନି କେଉଁଠି ।

 

ଏଇ ନଳାଗୁଡ଼ିକ ଏତେ ବଡ଼ବଡ଼ ଯେ ସେଗୁଡ଼ିକ ଭିତରେ ତୁମେ କୋଉଠି ହେଲେ ମୁଣ୍ଡ ନୁଆଁଇ ସିଧାସଳଖ ଯାଇପାରିବ । ଯେଉଁ କ୍ରେନ୍ ଗଛଗୁଡ଼ିକୁ ଗୋଟିଏ ଜାଗାରୁ ଉପାଡ଼ିନେଇ ଆଉ ଗୋଟିଏ ଜାଗାରେ ଲଗାଇଥିଲା, ସେଇ କ୍ରେନ୍ ସାହାଯ୍ୟରେହିଁ ଏଇ ନଳାସବୁ ବସିଥିଲା । ଏହି କ୍ରେନ୍ ପ୍ରକାଣ୍ଡ ନଳାଟିକୁ ଟେକିନେଇ ଯେଉଁଠି ତାର ବସିବାର କଥା, ଠିକ୍ ସେଇଠି ବସାଉଥିଲା । କେଡ଼େ କୌଶଳୀ ଆଉ ବଳୁଆ ସେ କ୍ରେନ୍ !

 

ଏବେ ତମ ପାଦତଳକୁ ଅନାଅ । ରାସ୍ତାଟି ପକ୍କା କରାହୋଇଥିଲା ମେସିନ୍‍ରେ । ହେଇ, ବର୍ତ୍ତମାନ ସେଠି ସେମାନେ ପିଚୁଗୋଳା ଗୋଡ଼ି ପକାଉଛନ୍ତି ରାସ୍ତାରେ । ରାସ୍ତାରେ ଏଇ କାମ କରି କରି ଚାଲିଚି ଗୋଟିଏ ‘କମ୍ବାଇନ୍’ ମେସିନ୍; ଅନେକ କାମ ସେ ଏକାଏକା କରିପାରୁଚି । ଏହା ରାସ୍ତା ଉପରେ ସମାନ କରି ବିଛେଇ ଦେଉଚି ପରସ୍ତେ ଗରମ ପିଚୁଗୋଳା ଗୋଡ଼ି, ତା’ ଉପରେ ମାଡ଼ି ମାଡ଼ି ତାକୁ ଛେଚି ଛେଚି ଗୋଟାଳିଆ ଆଉ ଟାଣ କରିଦେଉଚି–ତା’ପରେ ଷ୍ଟ୍ରୀମରୋଲର୍ ଗଡ଼ାଇ ତାକୁ ଚିକ୍କଣ ଆଉ ସମତୁଲ କରିଦେଉଚି ।

 

ଥିର୍‍କିନି ଓଲଟେଇଦେଇ ବୋଝେଇ ଜିନିଷକୁ ଢାଳିଦେଉଥିବା ଛୋଟ ଟ୍ରକ୍‍ଟିଏ ଧାଁ ଦଉଡ଼ ଲଗେଇଚି, ପିଚୁଢ଼ଳା କମ୍ବାଇନ୍‍ଟି ପାଖକୁ । ଯାଇ ଥୋଡ଼ାଏ ଗରମ ପିଚୁ ଅଜାଡ଼ିଦେଇ ଚାଲିଯାଉଚି ଆଉ ଥୋଡ଼ାଏ ଆଣିବାପାଇଁ । ଏବେ ରାସ୍ତା ଉପରେ ହେଇଟି ବାମ୍ଫ ଉଠୁଚି ଗରମ ପିଚୁରୁ । କିନ୍ତୁ ଏହା ଯେ ଚାହୁଁଚାହୁଁ ଥଣ୍ଡା ହୋଇଯିବ, ଟାଣ ହୋଇଯିବ । ତେଣୁ ଏହାକୁ ସଙ୍ଗେ ସଙ୍ଗେ ଛେଚି ଗୁଣ୍ଡା କରି ଖେଳେଇଦେବାକୁ ହେବ ସମାନଭାବରେ–ଯେମିତିକି ରାସ୍ତାରେ ଖାଲଢ଼ିପ ମୋଟେ ରହିବ ନାହିଁ କେଉଁଠି । ଏହା ନହେଲେ ମଟରଗାଡ଼ିଗୁଡ଼ିକ ରାସ୍ତାରେ ସହଜରେ ଯାଇପାରିବ ନାହିଁ । ଗାଡ଼ିଗୁଡ଼ିକ ଲାଗି ରାସ୍ତାଟି ସମତୁଲ ଖାଲି ନୁହେଁ, ଚିକ୍କଣ ହେବାବି ଦରକାର ।

 

ରାସ୍ତାକୁ ଚିକ୍କଣ କରିବାପାଇଁ ଇସ୍ତ୍ରୀ ଲାଗେ ? ହଁ ଲାଗେ । ରାସ୍ତାକାମ ଲାଗି ଗୋଟାଏ ବିଶେଷ ରକମର ‘ଇସ୍ତ୍ରୀ’ ତିଆରି ହୋଇଚି । ଏହା ଗୋଟାଏ ବିରାଟ ଇସ୍ପାତ ରୋଲର । କିନ୍ତୁ ତମେ ଏକାଏକା ଏହାକୁ ଗଡ଼େଇପାରିବ ନାହିଁ କେବେହେଲେ । ଶକ୍ତିଶାଳୀ ‘ମୋଟର’ଟାଏହିଁ ଏହାକୁ ଚଳେଇପାରେ । ତମେ ନିଶ୍ଚୟ ଦେଖିଥିବ–ଷ୍ଟ୍ରୀମରୋଲର୍ କାମ କଲାବେଳେ ତୁମେ ନିଶ୍ଚୟ ଦେଖିଥିବ–କେମିତି ଅସାଣ୍ଡୁଆ, କେଡ଼େ କଦର୍ଯ୍ୟ ଦିଶେ ସେଇଟା । ଏହାହିଁ ଗରମ ପିଚୁଗୋଳା ଗୋଡ଼ି ଉପରେ ଆଗକୁ ପଛକୁ, ପଛକୁ ଆଗକୁ ଯାଉଥାଏ ଆସୁଥାଏ, ଆଉ ‘ଇସ୍ତ୍ରୀ’ କରୁଥାଏ ରାସ୍ତାକୁ ।

 

ଆଉଥରେ ଆମ ରାସ୍ତାଟିକୁ ଦେଖିବା । ମେସିନ୍ ସାହାଯ୍ୟ ବିନା ଏମିତିକା ରାସ୍ତାଟିଏ ଗଢ଼ିବା କେଡ଼େ କଷ୍ଟକର ନ ହେବ, କହିଲ ! ମେସିନ୍‍ହିଁ ଶ୍ରମିକମାନଙ୍କୁ ସାହାଯ୍ୟ ଦେଇଚି ଘରତୋଳାରେ, ମେସିନ୍‍ହିଁ ଗୋଟିଏ ଥାନରୁ ଆଣି ସହଜରେ ରୋଇଚି ବଡ଼ବଡ଼ ଗଛଗୁଡ଼ିକ, ମେସିନ୍‍ହିଁ ଗୋଡ଼ି ପକାଇ ତିଆରି କରିଚି ରାସ୍ତା, ଆଉ ସେହି ମେସିନ୍‍ହିଁ ପୁଣି କାର୍ ଓ ଲରି ରୂପରେ ଧାଉଁଚି ପିଚୁଢ଼ଳା ରାସ୍ତାଉପରେ ।

Image

 

ନଈ ତୁମକୁ ଭେଟିଲା କିପରି

 

ଘରେ ତୁମେ ପାଣିକଳର ‘ଟ୍ୟାପ୍’ଟିକୁ ମୋଡ଼ିଦିଅ ଆଉ ତା’ ତଳେ କପ୍‍ଟିଏ ଧର । ଟ୍ୟାପ୍ ପଛରେ କ’ଣ ଗୋଟାଏ ଘଳ ଘଳ ଶବ୍ଦ ହୁଏ, ଆଉ ଟିକକ ପରେ ପରିଷ୍କାର ଥଣ୍ଡା ପାଣିର ଧାରଟିଏ ବୋହିଆସେ କପ୍ ଭିତରକୁ ।

 

ପାଣି ଆସିଲା କୋଉଠୁ ଯେ ? ତମେ ହୁଏତ ସଙ୍ଗେ ସଙ୍ଗେ କହିବ–ନଈରୁ । କିନ୍ତୁ ନଈଟି ତ କାହିଁ କେତେ ଦୂରରେ ତମ ଘରଠୁ । ପାଣି ଆସି ଟ୍ୟାପ୍‍ରେ ପହଞ୍ଚିଲା କେମିତି ? ପୁଣି ପାଞ୍ଚମହଲା ଉପରକୁ ବା ଉଠିଲା କେମିତି ? ଏ କଥାଟି ହେଉଚି ପାଣିର ଏଇ ଆସିବା ବିଷୟରେ-

 

ପାଣି କେମିତି ପାଇପ୍‍କୁ ଆସେ, ଏକଥା କିଏ ନ ଜାଣେ ? ତମେ ଟ୍ୟାପ୍‍ଟି ଖୋଲିଦିଅ, ଆଉ ପାଣି ବୋହିଆସେ ଗଳ ଗଳ ହୋଇ । କିନ୍ତୁ ପାଇପ୍ ଭିତରକୁ ପାଣି ଯାଏଁ କେମିତି ?

 

ସହରଠୁଁ ବହୁତ ଦୂରରେ ନଈବନ୍ଧରେ ଗୋଟାଏ ଅଦ୍ଭୁତ ଗମ୍ବୁଜ ଅଛି । ପାଣି ପତ୍ତନଠାରୁ ତଳେ ଅଛି ତା’ର ଝରକାଗୁଡ଼ିକ । କି ଦିନ କି ରାତି ସବୁବେଳେ ପାଣି ଭୁସ୍ ଭୁସ୍ ହୋଇ ପଶୁଥାଏ ସେଇ ଝରକାଗୁଡ଼ିକର ଛଡ଼ ଫାଙ୍କ ବାଟେ । ତା’ ପାଖରେ କେତେ ପ୍ରକାର ମାଛ ପହଁରୁଥାନ୍ତି, ଆଉ ଉଙ୍କିମାରି ଚାହୁଁଥାନ୍ତି ଗମ୍ବୁଜ ଭିତରକୁ । କିନ୍ତୁ ଭିତରକୁ ପଶିପାରନ୍ତି ନାହିଁ ମୋଟେ । ଝରକା ଛଡ଼ସବୁ ଅଟକେଇ ରଖେ ସେମାନଙ୍କୁ । ଛଡ଼ଗୁଡ଼ିକର ପଛରେ ସରୁ ସରୁ ଜାଲିର ପର୍ଦ୍ଦା ଲାଗିଥାଏ । ଏମିତିକି ସବୁଠୁଁ ଛୋଟ ଛୁଆ ମାଛବି ଗଳିପାରନ୍ତି ନାହିଁ ସେଇ ବାଟରେ-

 

ଅବଶ୍ୟ ଖୁବ୍ ମଜାର କଥା ହୁଅନ୍ତା, ଯଦି ପ୍ରତି ଥର ତମେ ରୋଷେଇଘର ପାଣିକଳ ଟ୍ୟାପ୍‍ଟିକୁ ଖୋଲିବାକ୍ଷଣି ମାଛଟିଏମାନ ପାଉଥାନ୍ତ । ବେଶି କିଛି ନାହିଁ; ଖାଲି ପାଣିକଳ ତଳେ ତାଉଆଟିଏ ଧରିଲେ ଖାଇବାବେଳକୁ ମାଛ ଚୁଡ଼ୁଚୁଡ଼ା ଟିକେ ହୋଇଯାଉଥାଆନ୍ତା । କିନ୍ତୁ ଏସବୁ ଖାଲି ମନ ଡାକିବା କଥା । କାରଣ, ମାଛ କେବେହେଲେ କୌଣସି ବାଟରେ ଟ୍ୟାପ୍ ଭିତରକୁ ଆସିପାରିବ ନାହିଁ । ତାହାହେଲେ ପାଇପ୍‍ର ବାଟ ବନ୍ଦ ହୋଇଯିବ ଯେ !

 

ଘାସପତ୍ର, କାଠିକୁଟା କେତେକଅଣ ବା ଭାସି ଭାସି ଯାଏଁ ନାହିଁ ନଈରେ । କିନ୍ତୁ ଗମ୍ବୁଜର ଝରକା ଛଡ଼ ଆଉ ଜାଲି ପର୍ଦ୍ଦା ଏଇ ଅଲୋଡ଼ା ଅତିଥିଗୁଡ଼ିଙ୍କୁ ଦୂରରେ ରଖେ ।

 

ଚାରିଆଡ଼ କେଡ଼େ ନୀରବ, କେଡ଼େ ନିର୍ଜନ । ବେଳେବେଳେ ନଈକୂଳର ଟହଲଦର ପହରାବାଲାଟି ଆସି ବୁଲିଯାଏ ବନ୍ଧ ଉପରେ । କେତେବେଳେ କେମିତି ଘୋଡ଼ାରେ ବସିକରି ଆସେ । ନଈ ଇଲାକାରେ ଆଇନ ଶୃଙ୍ଖଳା ରଖେ ସେ । ସେଠି ନିୟମ ସବୁବି ଭାରି କଡ଼ା । ପହଁରିବା କି ନାହାରେ ଖେଳିବା ମନା । କେହି ଲୁଗା କାଚିପାରିବେ ନାହିଁ କି ଗାଈଗୋରୁଙ୍କୁ ଚରିବାପାଇଁ ଛାଡ଼ିପାରିବେ ନାହିଁ ନଈକୂଳରେ । ଏମିତିକି ଯାଆସ କରିପାରିବେ ନାହିଁ ବନ୍ଧ ଉପରେ ।

 

କାହିଁକି ଏତେ କଡ଼ା ଆଇନ ସେଠି ? ନଈଟିକୁ ରକ୍ଷା କରିବାପାଇଁ । କିନ୍ତୁ ନଈକୁ କ’ଣ ରକ୍ଷା କରିବାକୁ ହେବ ମ ? ତାକୁ କ’ଣ କିଏ ଚୋରେଇ ନେଇଯାଉଚି ? ଅବଶ୍ୟ ତା’ ନୁହେଁ । କିନ୍ତୁ କେହି ତା’ ଭିତରକୁ ଅଳିଆ ଫୋପାଡ଼ିପାରନ୍ତି, ତାକୁ ଗୋଳିଆ କି ମଇଳା କରିପାରନ୍ତି । ଏହିସବୁ ଲୋକଙ୍କ ଦାଉରୁ ତାକୁ ରକ୍ଷା କରିବାକୁ ହୁଏ । ନଈରେ ମଇଳା ପଶିଲେ ତ ପାଣିକଳ ଭିତରକୁ ଯିବ । ତମେ ଯଦି ସେଇ ମଇଳା ପାଣି ପିଅ, ତାହାହେଲେ ରୋଗରେ ପଡ଼ିବ ।

 

କିନ୍ତୁ ପାଣିକି ଖାଲି ଲୋକେ ଯେ ଗୋଳିଆ କରନ୍ତି, ତା’ ନୁହେଁ । ନଈ ନିଜେ ଘାଉଁରେଇ ହୋଇବି ପାଣିକୁ ଗୋଳିଆ କରେ । ଏହା କୂଳ ଖାଏ । ଫଳରେ କୂଳରୁ ବାଲି, ମାଟି ଆଉ ମଇଳା ଧୋଇନିଏ । ବିଶେଷତଃ ବସନ୍ତଋତୁରେ ନଈ ବେଶି ଗୋଳିଆ ହୋଇଉଠେ । କାରଣ ସେତେବେଳେ ଛୋଟ ଛୋଟ କେତେ ପାଣିଧାର ଚାରିଆଡ଼ୁ ମାଡ଼ି ଆସି ଅଜାଡ଼ି ହୋଇପଡ଼ନ୍ତି ନଈରେ । ଆସିଲାବେଳେ ବାଟରେ ଯାହା ଯେଉଁଠି ପାଆନ୍ତି ସବୁ ଗୋଟେଇ ଆଣିଥାନ୍ତି ସାଥିରେ । ବେଳେବେଳେ, ବସନ୍ତ କାଳର ବଢ଼ି ସମୟରେ, କି ଘଡ଼ଘଡ଼ି ସହ ଦି’ଚାରି ଅସରା ଛେଚା ବର୍ଷା ପରେ ନଈପାଣି ଠିକ୍ କଫି ଭଳି ଖଇରିଆ କି ଦୁଧ ଭଳି ଧଳା ହୋଇଯାଏ । ଦୁଃଖର କଥା, ସେଭଳି କଫି କି ଦୁଧ ଆମର ବିଶେଷ କାମରେ ଲାଗେ ନାହିଁ ।

 

କଳକାରଖାନାର ଯନ୍ତ୍ରପାତିରେ ବ୍ୟବହୃତ ହେବାପାଇଁ ପାଣି ପୂରାପୂରି ବିଶୁଦ୍ଧ ପୂରାପୂରି ନିର୍ମଳ ନହେଲେ ଚଳେ । କିନ୍ତୁ ପିଇବାପାଇଁ କି ଲୁଗା ଧୋଇବାପାଇଁ ପରିଷ୍କାର ପାଣି ଲୋଡ଼ା । ସେଥିପାଇଁ ପାଣିକୁ ବିଶୋଧନ କରିବାକୁ ହୁଏ । ବଡ଼ବଡ଼ ଶକ୍ତିଶାଳୀ ପମ୍ପ୍‍ସବୁ ଟାୱାରକୁ ପାଇପ୍‍ଯୋଗେ ପାଣିକୁ ପଠାନ୍ତି ବିଶୋଧନ କେନ୍ଦ୍ରକୁ । ନଈରୁ ଟ୍ୟାପ୍‍କୁ ଯିବା ବାଟରେ ପାଣିକୁ ଏଇଠି ଗତି ମନ୍ଥର କରି ରହି ରହି ଯିବାକୁ ହୁଏ ।

 

ଯେତେବେଳେ ନଈ ଜୋରରେ ବହେ, ସୁଅର ତୋଡ଼ ଏଡ଼େ ପ୍ରବଳ ହୁଏ ଯେ ତାହା ପୁଳାକୁ ପୁଳା ମାଟି, ବାଲି, ପଙ୍କ ଭସାଇନେଇଯାଏ । ଏମିତିକି ପାହାଡ଼ିଆ ନଈସବୁ ବଡ଼ବଡ଼ ପଥରଖଣ୍ଡକୁ ପାହାଡ଼ରୁ ଖସେଇନେଇ ଅତି ଦ୍ରୁତ ବେଗରେ ଗଡ଼ି ଗଡ଼ି ଛୁଟେ ନଈଆଡ଼କୁ । କିନ୍ତୁ ନଈକୁ ଯେତେବେଳେ ଧୀରମନ୍ଥର ଗତିରେ ଯିବାକୁ ପଡ଼େ, ସେତେବେଳେ ସେ ଏଇସବୁ ସମ୍ପତ୍ତିକୁ ଛାଡ଼ି ଦେଇଯାଏ । ବିଶୋଧନ କେନ୍ଦ୍ରରେ ପାଣି ଧୀରେ ଧୀରେ ଗତି କରେ ଗୋଟାଏ ଦୋମହଲା କୋଠା ଉଚ୍ଚର ବିରାଟ ଟ୍ୟାଙ୍କ୍ ବା କୁଣ୍ଡ ଭିତରଦେଇ । ଯେତେ ଯାହା ଏହା ସାଥିରେ ବହିଆଣିଥାଏ, ତାହାସବୁ ବସିଯାଏ ଟ୍ୟାଙ୍କ୍‍ର ତଳିରେ । ଏଇ ମଇଳା ବସିବା କାମଟି ଯେତିକି ଶୀଘ୍ର ଶୀଘ୍ର ହୁଏ, ସେଥିପାଇଁ ପାଣିରେ ଗୋଟିଏ ପ୍ରକାରର ‘ଦ୍ରବ୍ୟ’ ମିଶାଇଦିଆଯାଏ । ତାହା ସାଙ୍ଗେ ସାଙ୍ଗେ ପତଳା ପତଳା ଧଳା ଧଳା ମାଛକାତି ଭଳି ହୋଇଯାଏ–ମଇଳାକୁ ସବୁ ଶୀଘ୍ର ତଳକୁ ବସାଇଦିଏ । ତମେ ଟ୍ୟାଙ୍କ୍ ଭିତରକୁ ଅନେଇଲେ ମନେହେବ ସତେ ଯେମିତି ପାଣିର ତୁଷାର ବର୍ଷି ଯାଇଚି । ସେଗୁଡ଼ିକ ତଳକୁ ଖସିବାବେଳେ ମଇଳାକୁ ସବୁ ସାଙ୍ଗରେ ନେଇଯାଏ । ଟ୍ୟାଙ୍କ୍‍ରୁ ବାହାରିଲାବେଳେ ପାଣି ଟିକିଏ ମେଘୁଆ ମେଘୁଆ ଦିଶେ, ଏମିତିକି ବେଳେବେଳେ ସଫା ଦିଶିପାରେ; କିନ୍ତୁ ଏ ପାଣି ବିଷୟରେ ମନକୁ ମନ କିଛି କଳ୍ପନା କରିଯିବା ଚଳିବ ନାହିଁ । ଅଣୁବୀକ୍ଷଣ ଯନ୍ତ୍ରରେ ଆମେ ସେ ପାଣିକୁ ଚାହିଁଲେ ଦେଖିବା, ପ୍ରତ୍ୟେକ ବୁନ୍ଦାରେ ଗୁଡ଼ିଏ ଗୁଡ଼ିଏ ବାସିନ୍ଦା ଅଛନ୍ତି । ସବୁଠୁ ସାନ ଯେଉଁଗୁଡ଼ିକ, ସେଗୁଡ଼ିକ ‘କମା’ କି ‘ଡ୍ୟାସ୍’ ପରି । ସେଗୁଡ଼ିକୁ କୁହାଯାଏ ବ୍ୟାକ୍‍ଟେରିଆ ବା ଜୀବାଣୁ ।

 

ପାଣି ଟାୱାର ଝରକାର ଛଡ଼ ଆଉ ଜାଲିପର୍ଦ୍ଦାସବୁ ମାଛ, ଘାସପତ୍ର, କୁଟାକାଠିକୁ ଭିତରକୁ ଛାଡ଼ି ନଥିଲା । କିନ୍ତୁ ଖାଲି ଆଖିରେ ଯାହା ସବୁ ଦେଖାଯାଏ ନାହିଁ, ସେସବୁ ଜିନିଷକୁ ରୋକି ପାରି ନଥିଲା । ଅଥଚ ଏଇ ଅତି ଛୋଟ ଛୋଟ ଜୀବାଣୁଗୁଡ଼ିକ ପାଣି ଟାୱାର ଭିତରକୁ ନ ଆସି ବାହାରେ ରହିବା ଉଚିତ । କାରଣ ବେଳେବେଳେ ଏଇ ଜୀବାଣୁମାନଙ୍କ ଭିତରେ କେତେକ କ୍ଷତିକାରକ ଜୀବାଣୁ ଥାଆନ୍ତି; ସେମାନେ ଲୋକଙ୍କୁ ଭୀଷଣ ରୋଗରେ ପକାନ୍ତି ।

 

କେମିତି କ’ଣ କରାଗଲେ ଏଇ ଜୀବାଣୁସବୁ ଆଉ ପାଇପ୍ ଭିତରେ ପଶିପାରିବେ ନାହିଁ-? ସେମାନେ ତ ଅଦୃଶ୍ୟ ଶତ୍ରୁ । କେମିତିକା ବାଡ଼ି ପକାଇ ତାଙ୍କୁ ଅଟକାଇ ହେବ ? ମାଛଙ୍କୁ ସିନା ବାହାରେ ଅଟକାଇଦେବା ସହଜ । ସେଥିପାଇଁ ତ ଜାଲିବାଡ଼ ହେଲେ ଚଳିବ । କିନ୍ତୁ ଜୀବାଣୁସବୁକୁ ରୋକିବା ଭଳି ଏତେ ସରୁ ଜାଲିବାଡ଼ କ’ଣ ଆମେ ତିଆରି କରିପାରିବା ? ସେମାନେ ହେଲେ ଖାଲି ଆଖିରେ ଦେଖାଯାଉଥାନ୍ତେ ! ହଁ, ସରୁ ଜାଲିବାଡ଼ ତିଆରି ହୋଇପାରିବ, କିନ୍ତୁ ଲୁହାଛଡ଼ରେ ନୁହେଁ । ଏହା ତିଆରି ହୋଇପାରିବ ବାଲି ଆଉ ସରୁ ସରୁ ଗୋଡ଼ିରେ ।

 

ଯେଉଁ ପାଣି ଟ୍ୟାଙ୍କ୍‍ରେ ଜମା ହୋଇ ରହିଲା ତାକୁ ପୁଣି ପମ୍ପ୍ କରି ନେଇ ଗୋଟାଏ ବଡ଼ ଘରେ ଭର୍ତ୍ତି କରାଯାଏ । ସେଇ ଘରଟିର ଚଟାଣରେ ଧଳା ଟାଇଲ୍‍ସବୁ ବିଛାହୋଇଚି । ଘରଟିର ମଝିରୁ ଗୋଟାଏ ଗଳିଆ ବାଟ ଫିଟିଚି । ଏଇ ଗଳିବାଟର ଦି’କରରେ ଅଛି ଛୋଟ ଛୋଟ ଚାରିକୋଣିଆ ପୋଖରୀ ଭଳି କୁଣ୍ଡ ବା ପାଣିଭଣ୍ଡାର । ଏହି ଛୋଟ ପୋଖରିଆର ତଳେ ସରୁ ସରୁ କଣା ଅଛି । ସେଇ ବାଟରେ ପାଣି ବାହାରିଯାଇପାରେ । ତା’ପରେ ବିଛା ହୋଇଚି ପରସ୍ତେ ସରୁ ଗୋଡ଼ି, ଆଉ ତା’ ଉପରେ ଅଛି ବହଳିଆ ହୋଇ ପରସ୍ତେ ବାଲି । ପାଣି ଆଗ ସିଧାସଳଖ ଭେଦିଯାଏ ବାଲିରେ । ଯେତେ ଯାହା ଅସନା ମଇଳା ଆଉ ଜୀବାଣୁ ସବୁ ଛାଣିହୋଇ ରହିଯାଆନ୍ତି ବାଲିରେ । ଜୀବାଣୁଗୁଡ଼ିକ ବାଲି ରେଣୁଠାରୁ ଅନେକ ଗୁଣରେ ସାନ । ଯୋଡ଼ିଏ ବାଲିରେଣୁ ମଝିରେ ଯେଉଁ ଫାଙ୍କ ରହେ ଜୀବାଣୁଟିଏ ପାଇଁ ତ ତାହା ବେଶ୍ ଗୋଟାଏ ପ୍ରଶସ୍ତ ଖୋଲା ଫାଟକ-। ତାହାହେଲେ ଜୀବାଣୁକୁ ଏଇ ଫାଟକ ପାଖରେ ଅଟକାଇ ଭିତରେ ରଖେ କିଏ ?

 

ଘଟଣାଟା ଏଇୟା । ନଈପାଣି ଯେତେବେଳେ ବାଲିରେ ଭେଦିବାକୁ ଲାଗେ, ଆଗ ପ୍ରତ୍ୟେକଟି ବାଲିରେଣୁ ଉପରେ ଏହା ଜୀବାଣୁ ଆଉ ଶିଉଳିର ଗୋଟିଏ ପତଳା ସରୁ (ଫିଲ୍ମ) ପକାଇଦିଏ । ଯେଉଁ ଜୀବାଣୁସବୁ ପଛରେ ଆସନ୍ତି, ସେମାନେ ବାଲିରେଣୁଗୁଡ଼ିକ ଭିତରେ ଅଙ୍କାବଙ୍କା ବାଟରେ ବୁଲି ବୁଲି ଯାଉଁ ଯାଉଁ ଏଇ ସଜୀବ ଫିଲ୍ମରେ ଲାଖିଯାଆନ୍ତି । କଥାଟା ଅଦ୍ଭୁତ ଲାଗୁଚି, ନା ? ପ୍ରକୃତରେ କିନ୍ତୁ ଏଇ ଉପାୟରେ ନିଜେ ଜୀବାଣୁସବୁ ପାଣିରୁ ଜୀବାଣୁ ସଫା କରିବାରେ ସାହାଯ୍ୟ କରନ୍ତି ।

 

ଯେଉଁଠି ପାଣି ଛଣା ହୁଏ ସେ ଘରଟି ଭାରି ନିରୋଳା, ଆଉ ପୂରାପୂରି ଫାଙ୍କା । ପୋଖରିଆଗୁଡ଼ିକ କେଡ଼େ ଥିର, ଆଦୌ ହଲଚଲ କିଛି ହେଉ ନଥାଏ କୋଉଠି । ସେଠି କିଛି କାମ ଚାଲିଛି ବୋଲି ମୋଟେ ଜାଣି ହେଉ ନଥିଲା । ଲୋକଟିଏ ଅତି ସଫାସୁତୁରା ପୋଷାକ ପିନ୍ଧି ପାଦରେ ଫେଲଟ୍ ଚଟି ମାଡ଼ି ଯାଆସ କରୁଚି ଆଗକୁ ପଛକୁ; ଦୁଆରମୁହଁରେ ରଖିଆସିଚି ଜୋତାହଳକ–ସେଥିରେ ରାସ୍ତାର ଧୂଳି ଆଉ ମଇଳା ଲାଗିଥିବ । ତମେ ଭାବିବ, ସେ ପୋଖରିଆରେ ପାଣି ଦେଖି ତନ୍ମୟ ହୋଇ ଚାହିଁଚି; ପ୍ରକୃତରେ କିନ୍ତୁ ସେ ତତ୍ତ୍ଵ ନେଇ ଦେଖୁଛି, ସବୁ ଠିକ୍ ଅଛି ନା ନାହିଁ । ପାଣି ଯଦି ଅତି ଧୀରେ ଧୀରେ ଭେଦୁଥାଏ, ତେବେ ବୁଝିବାକୁ ହେବ ଯେ ବାଲିତକ ମଇଳା ଧରିଗଲାଣି । ତହୁଁ ଲୋକଟି ଗୋଟିଏ ପଟା ପାଖକୁ ଯିବ । ସେଥିରେ ବହୁତ ବୋତାମ ଲାଗିଚି । ସେ ଗୋଟିଏ ବୋତାମ ଟିପିଦେବ । ସଙ୍ଗେ ସଙ୍ଗେ କେତୋଟି ପାଇପ୍ ବନ୍ଦ ହୋଇଯିବ ଓ ଆଉ କେତୋଟି ଖୋଲିଯିବ । ପାଣି ଆଉ ଦୂଷିତ ପୋଖରିଆଟିକୁ ବୋହିବ ନାହିଁ, ବୋହିବ ଆଉ ଗୋଟିଏ ସଫା ପୋଖରିଆକୁ ।

 

ପାଣି ଏଇ ବଡ଼ଘରଟିକୁ ବାହାରିଗଲାବେଳେ ବେଶ୍ ସଫା ଦିଶୁଚି ହୁଏତ; କିନ୍ତୁ କେତେକ ଜୀବାଣୁ କୌଣସି ଉପାୟରେ ଚାଲିଆସିଚନ୍ତି ସେଥିରେ । ବିଶୋଧନ କେନ୍ଦ୍ରର ଗୋଟିଏ ବଖରାରେ କେତୋଟି ଟେବୁଲ ଉପରେ ଅଣୁବୀକ୍ଷଣ ଯନ୍ତ୍ର ଓ ଆଉ କେତେ ଯନ୍ତ୍ର ଥୁଆହୋଇଚି । ଗବେଷଣା କାରିଗରମାନେ ଆଲଖାଲା ଭଳି ଧଳା ଘୋଡ଼ଣି ପୋଷାକ ପିନ୍ଧି ଲାଗିପଡ଼ିଛନ୍ତି ପାଣିକୁ ପରୀକ୍ଷା କରି ଦେଖିବାରେ । ସେମାନେ ନିଶ୍ଚିନ୍ତଭାବରେ ଜାଣିବାକୁ ଚାହୁଁଛନ୍ତି, ପାଣିରେ ମଣିଷର ଅଦୃଶ୍ୟ ଶତ୍ରୁ ଭିତରୁ ଆଉ କେତୋଟି ଆସିଯାଇନାହାନ୍ତି ତ ! ଗୋଟିଏ କାରିଗର ଅଣୁବୀକ୍ଷଣ ଯନ୍ତ୍ରରେ ଏମିତି ଗୋଟିଏ ଶତ୍ରୁର ସନ୍ଧାନ ପାଇଲେ ସେ ସଙ୍ଗେ ସଙ୍ଗେ ଗବେଷଣାଗାରର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କୁ ଜଣାଇଦିଏ ।

 

ନଈ ଜଗୁଆଳିମାନଙ୍କୁ କୁହାଯିବ, ଦେଖ, କିଏ କୋଉଠି ପାଣିକୁ ଦୂଷିତ କରିଚି । ହୁଏତ କିଏ କୌଣସି ରୋଗୀର ଲୁଗାପଟା ନଈସୁଅର ଉପର ଅଞ୍ଚଳରେ କୋଉଠି ଧଆଧୋଇ କରିଚି; ଆଉ ପାଣିରେ ସେଥିରୁ ଚାଲିଆସିଚି ସଂକ୍ରାମକ ରୋଗର ଜୀବାଣୁ ।

 

ଏଇ ଗୁପ୍ତ ଶତ୍ରୁକୁ ନିପାତ କରିବାପାଇଁ କ୍ଲୋରିନ ବୋଲି ଗୋଟାଏ ପ୍ରକାର ହଳଦିଆ ରଙ୍ଗର ବିଷ ପାଣିରେ ମିଶାଇଦିଆଯାଏ । ଅଳ୍ପ ଟିକିଏ ନାଁକୁ ! ବେଶି ପରିମାଣରେ ମିଶେଇ ଦିଆଗଲେ ତାହା କ୍ଷତିକାରକ ହେବ । ଲୋକେ ପାଣି ପିଇଲାବେଳେ କ୍ଲୋରିନର ଗନ୍ଧ ପାଇବେ ନାହିଁ । କିନ୍ତୁ ଜୀବାଣୁ ନାଶ କରିବାପାଇଁ ଏଥିରୁ ଟିକିଏ ହେଲେ ଯଥେଷ୍ଟ ।

 

ଏମିତି ଭାବରେ ପାଣି ଶେଷରେ ବିଶୋଧନ କେନ୍ଦ୍ରରୁ ବାହାରିଲା । ଏଥର ଏହା ପିଇବାପାଇଁ ବେଶ୍ ନିର୍ମଳ । ସହରରେ ଯେଉଁ ଲୋକେ ଏହି ପାଣି ଚାହାନ୍ତି, ତାଙ୍କ ପାଖରେ ଏହା ପହଞ୍ଚିବ କେମିତି ? ଏହାତ ସହରଠୁ ବହୁତ ଦୂରରେ । ପୁଣି ସହରର କୋଠାଗୁଡ଼ାକବି ଖୁବ୍ ଉଚ୍ଚ-। ପାଣି ଏତେ ବାଟ ଯିବ କେମିତି, ପୁଣି ଏତେ ଉଚ୍ଚକୁ ଉଠିବ ବା କେମିତି ?

 

ପାଣି ଯେତେବେଳେ ଛାଏଁ ଛାଏଁ ଅବାଧରେ ବହେ, ସେତେବେଳେ ଏହା ନିଜ ଓଜନରେ ଚାଳିତ ହୋଇ ଜଳଆଡ଼କୁ ଗଡ଼ୁଥାଏ । ତମେ ତ ଜାଣ, ପାହାଡ଼ ଉପରେ ଚଢ଼ିବାଠୁ ପାହାଡ଼ରୁ ଓହ୍ଲେଇବା କେଡ଼େ ସହଜ ! ଏଇ ରୀତିରେ ପାଣି ଗୋଟିଏ ଛୋଟ ଝରରୁ ବହେ ଗୋଟିଏ ଗିରିନଈକୁ, ସେଥିରୁ ଯାଇ ପଡ଼େ ବଡ଼ ନଈରେ । ତା’ପରେ ଗଡ଼ି ଗଡ଼ି ଚାଲେ ତଳକୁ ତଳକୁ–ଚାଲେ ଏମିତି ସବାତଳରେ ପହଞ୍ଚିବାଯାଏଁ । ଏଇ ସବାତଳଟି ହେଇଚି ସମୁଦ୍ର । କିନ୍ତୁ ପାଇପ୍ ପାଣିକୁ ଯେ ଉପରମୁହାଁ ହୋଇ ଯିବାକୁ ହେବ; ତଳମୁହାଁ ନୁହେଁ । ଯିବାକୁ ହେବ ସହରଆଡ଼କୁ, ସମୁଦ୍ରଆଡ଼କୁ ନୁହେଁ । ଏହାକୁ ଯେଉଁଠିକି ଯିବାପାଇଁ କୁହାଯିବ ସେଠିକି ଯିବାକୁହିଁ ପଡ଼ିବ । ସବୁଠୁ ସରଳିଆ ସହଜିଆ ବାଟ ଧରିଲେ ଚଳିବନି ମୋଟେ । ଦରକାର ପଡ଼ିଲେ ଏହାକୁ ଦଶମହଲା କୋଠା ଉପରକୁ ଉଠିବାକୁ ହେବ ।

 

ପାଣିକୁ ବାଧ୍ୟ କରାଯିବ ଉପରମୁହାଁ ହୋଇ ଉଠିବାକୁ ! ଏହା ଛାଏଁ ଛାଏଁ ଏତକ କରିବ ନାହିଁ । ଏଇଥିପାଇଁ ବିଶୋଧନ କେନ୍ଦ୍ରରୁ ପାଣିକୁ ପଠାଯାଏ ଆଉ ଗୋଟିଏ କେନ୍ଦ୍ରକୁ । ଏହାକୁ କୁହାଯାଏ “ପମ୍ପ୍ କେନ୍ଦ୍ର” ।

 

ବିରାଟ ବିରାଟ ପମ୍ପ୍‍ଯୋଗେ ପାଣି ଭୂଇଁତଳ ପାଇପ୍ ଭିତର ଦେଇ ଚାଲେ । ଏହି ପାଇପ୍‍ଗୁଡ଼ିକ ଆକାରରେ ଖୁବ୍ ବଡ଼ ଆଉ ଲମ୍ବରହିଥାଏ ମାଇଲ ମାଇଲ ଦୂରକୁ । ଏହି ପାଇପ୍‍ରେ ଯାଇ ପାଣି ପହଞ୍ଚେ ସହରରେ; ସତେ ଯେମିତି ଭୂଇଁତଳ ନଈରେ ପାଣି ଚାଲିଚି । ସହରରେ ପହଞ୍ଚିଲା ପରେ ଏହା ଖେଳେଇ ହୋଇ ପଶେ ଛୋଟ ଛୋଟ ଆକୃତିର ଶାଖା ପାଇପ୍‍ରେ । ଛୋଟ ନଈଟିଏ ବହିଯାଏ ବଡ଼ ନଈକୁ । ଏଠି କିନ୍ତୁ ଗତିଟା ଓଲଟା । ଗୋଟିଏ ବଡ଼ ନଈରୁ ଛୋଟ ଛୋଟ ନଈଗୁଡ଼ିଏ ବାହାରି ଗତି କରେ ଚତୁର୍ଦ୍ଦିଗକୁ । ଏଇ ଛୋଟ ଧାରସବୁ ପାଇପ୍‍ରେ ବନ୍ଦୀ ହୋଇ ବହିଯାଏ ପ୍ରତ୍ୟେକ ଘରକୁ, ଉଠେ ପୁଣି ଘରର ଉପରମହଲାକୁ ।

 

ତମେ ଟ୍ୟାପ୍‍ଟିଏ ଖୋଲିଦେଲାମାତ୍ରେ ପାଣି ଗବ୍‍ଗବ୍ ହୋଇ ବାହାରେ । ପାଣି ଏତେ ଅଥୟ ହୁଏ କାହିଁକି ବାହାରିବାକୁ ? କାରଣ ପମ୍ପ୍ କେନ୍ଦ୍ରର ବଡ଼ବଡ଼ ପମ୍ପ୍‍ସବୁ ତା’ ଉପରେ ଚାପ ପକାଇ ତାକୁ ଘନଘନ ଠେଲିବାରେ ଲାଗିଥାଏ । ତେବେ କେତେବେଳେ ତ ପୁଣି ଏଇ ପମ୍ପ୍‍ଗୁଡ଼ିକର ମରାମତି ଦରକାର ହୁଏ ! ସେତେବେଳେ କଣ ଘରକୁସବୁ ଆଉ ପାଣି ଯୋଗାହୁଏ ନାହିଁ ?

 

ନା, ସେମିତି କିଛି ଘଟେ ନାହିଁ । କାରଣ ଏଭଳି ଜରୁରୀ ଅବସ୍ଥା ଲାଗି ଆଗରୁ ପାଣି ଟାୱ୍ୟାରରେ ପାଣି ସାଇତା ହୋଇ ରହିଥାଏ । ତମେ ପାଣି–ଟାୱ୍ୟାରରେ ଦେଖିଥିବ–ଯାହା ଉପରେ ଗୋଲ ଗୋଲ ଘରସବୁ ଥାଏ । ସେଇ ଘରକୁ ଯିବାପାଇଁ ନିଶୁଣି ଭଳି ସରୁ ପାହାଚ ପଡ଼ିଥାଏ । ବେଳେବେଳେ ସେ ପାହାଚରେ ଚଢ଼ି ସେଇ ଘର ଭିତରକୁ ଯାଇ ସବୁ ଦେଖିବାକୁ ନିଶ୍ଚୟ ତମର ମନ ହେଉଥିବ । ସେ ଘରେ ଥାଏ, ପାଣିରେ ଭର୍ତ୍ତି ଗୋଟାଏ ବିରାଟ ଗୋଲାକାର ଟ୍ୟାଙ୍କ୍ । ଏହା ଠିକ୍ ଗୋଟାଏ ଛୋଟ ପୋଖରୀ ଭଳି–ସତେ ଯେମିତି ଥାଏ ଘର ଉପରେ କି ଗଛ ଅଗରେ କେଉଁଠି ! ଟାୱ୍ୟାର ଏଡ଼େ ଉଚ୍ଚ ହୋଇ ତିଆରି ହେବାର କାରଣ ହେଉଛି, ବହୁତ ଚାପ ପକାଇ ପାଣିକୁ ତଳକୁ ଦାବିହେବ ଏବଂ ଫଳରେ ପାଣି ତେଣେ ଘରର ଉପରମହଲାକୁ ସହଜରେ ଉଠିପାରିବ ।

 

ବୁଝ ଏବେ, କାହିଁ କୋଉଠୁ ଗାଁ ଗହଳରୁ କି ବନସ୍ତରୁ ନଈ କେମିତି ଆସୁଛି ତମ ନିକଟକୁ । କିନ୍ତୁ ମଜାର କଥା ହେଉଚି, ମାଛ, ପାଣିଶିଉଳି, ଲଟିଝଟି, ଅଳିଆ କି ଜୀବାଣୁ–କିଛି ବୋଲି କିଛି ନାହିଁ ସେଥିରେ । ପାଣି ଆସୁଚି ତୁମ ଦୁଆରମୁହଁକୁ, କିନ୍ତୁ ତା’ର ଆଗର ନିଜତ୍ଵ ନାହିଁ ଟିକିଏ । ଏତେବେଳେ ଏହା ଏକାବେଳକେ ବିଶୁଦ୍ଧ ଆଉ ନିର୍ମଳ । ଏହା ବୋହିଆସୁନାହିଁ ନିଜର ଖିଆଲ ଅନୁସାରେ । ଏତେ ବାଧ୍ୟ ହୋଇସାରିଚି ସେ, ତମେ ଚାହିଁବା ଅନୁସାରେ ଏହା ସୁରୁସୁରୁ ହୋଇ ବହିବ କିମ୍ବା ଭୁସ୍ ଭୁସ୍ ହୋଇ ପଡ଼ିବ ।

 

ପାଣିକୁ ପୋଷା ମନେଇ ତୁମ ପାଖକୁ ସହଜରେ ଅଣା ହୋଇନାହିଁ । ନଈକୂଳରେ ଟହଲଦାର ଓ ଘୋଡ଼ସବାର ଜଗୁଆଳ ଆଗ ଜଗି ରହିଲେ ପାଣିକୁ । ଡାକ୍ତର ଓ ଗବେଷଣା–କାରିଗରମାନେ ଦେଖିଲେ ପରୀକ୍ଷା କରି । ଇଞ୍ଜିନିୟର୍ ଆଉ ପାଣିକଳ ମିସ୍ତ୍ରିମାନେ ଗଢ଼ିଲେ ଲମ୍ବା ଲମ୍ବା ପାଇପ୍ ଆଉ ଗଢ଼ି ଠିଆ କରେଇଲେ ପାଣିକଳ କେନ୍ଦ୍ରସବୁ ଠାଆକୁ ଠାଆ ରାସ୍ତା କରରେ ।

 

ବେଳେବେଳେ ନଈ ପାଣି କି ହ୍ରଦପାଣି ବଦଳରେ ଭୂଇଁତଳ ପାଣିବି ବ୍ୟବହାର କରାଯାଏ । ଏଭଳି କ୍ଷେତ୍ରରେ ପାଣିସ୍ତର ପର୍ଯ୍ୟନ୍ତ କଳଯୋଗେ ମାଟିରୁ କୋରି କୋରି ନଳକୂଅ ସବୁ କରାଯାଏ । ଅନେକ ସମୟରେ ଦେଖାଯାଏ, ପାଣି ଥାଏ ଖୁବ୍ ଗଭୀରରେ–ବହଳିଆ ବହଳିଆ ପରସ୍ତକୁ ପରସ୍ତ ଗୋଡ଼ି, ବାଲି ଆଉ ପଙ୍କତଳରେ କେଉଁଠି । ଯେଉଁ ଗାତ ଖୋଳା ହୁଏ, ସେଥିରେ ପାଇପ୍‍ସବୁ ଭର୍ତ୍ତି କରିଦିଆଯାଏ । ପାଣି ଯଦି ଖୁବ୍ ଗଭୀରରେ ଥାଏ, ତେବେ ପମ୍ପ୍ ସବୁ ଭର୍ତ୍ତି କରାଯାଏ ତା’ ଭିତରେ । ଏଇ ପମ୍ପ୍ ସାହାଯ୍ୟରେ ତଳୁ ଉଠେଇ ଅଣାହୁଏ ପାଣିକୁ ।

 

ଏ ସବୁ କାମ ଏଡ଼େ ସରଳିଆ ବା ସୁରୁଖୁରିଆ ନୁହେଁ । ଏଥିପାଇଁ ଶିକ୍ଷାଦୀକ୍ଷା ଆଉ ଶକ୍ତିସାମର୍ଥ୍ୟ ଆବଶ୍ୟକ । ଏବେ, ଯେତେବେଳେ ତୁମେ ପାଣି ପିଇବାକୁ ଯିବ କି ଗାଧୋଇବସିବ, ସେତେବେଳେ ଭାବିଲେ ଧାରଣା କରିପାରିବ–ପାଇପ୍‍ସବୁ ଖଞ୍ଜା ହୋଇଚି କାହିଁକି, ଆଉ ଖାଲି ଟ୍ୟାପ୍‍ଟିଏ ଖୋଲିଦେଲେ ତମେ କାହିଁ କେଉଁଠୁଁ କେଉଁ ନଈରୁ କି ଭୂଇଁଗର୍ଭରୁ ଯେଉଁ ପାଣିକୁ ନିଜ ପାଖକୁ ଡାକି ଆଣି ପାରୁଚ, ସେଇ ପାଣିମୁନ୍ଦିକ ତମକୁ ଯୋଗାଇବାଲାଗି କେତେକେତେ ଲୋକ କି ଝାଳନାଳ ହୋଇ ଖଟି ନଥିବେ !

Image

 

Unknown

ଅଦୃଶ୍ୟ ଶ୍ରମିକ

 

ଶ୍ରମିକଟିଏ ଅଛି, ତାକୁ କେହି କେବେ ଦେଖିନାହାନ୍ତି; କିନ୍ତୁ ସମସ୍ତେ ଜାଣନ୍ତି । ଆଖି ପିଞ୍ଛୁଡ଼ାକେ ସେ ଯେ କ’ଣ ନ କରିପାରେ, ଏମିତି କିଛି ନାହିଁ ।

 

ସକାଳୁ ବିଛଣାରୁ ଉଠୁ ଉଠୁ ତୁମେ ଡାକ ଛାଡ଼, “ଆରେ, ଚାହାପାଇଁ ପାଣି ଗରମ କର-।’’ ପାଞ୍ଚ ମିନିଟ୍‍ରେ କେଟ୍‍ଲିରେ ପାଣି ଫୁଟିବାକୁ ଆରମ୍ଭ କରିଦିଏ ଟକମକ ହୋଇ । ତମେ କହ, “ଆରେ, ପରିଜ୍ (ଜାଉ ଟିକିଏ ତିଆରି କର ।’’ ତମେ ଜାଣିବା ଆଗରୁ ପରିଜ୍ ରନ୍ଧା ଆରମ୍ଭ ହୋଇଯାଏ । ତମର ବରଂ ସେଥିକି ଟିକେ ଆଖି ରଖିବା ଦରକାର, ନଇରେ ପୋଡ଼ିଯିବ ଯେ-! ତମର ପୋଷାକପତ୍ର ଇସ୍ତ୍ରୀ କରିବାକୁ ପଡ଼ିଲା, ଏଇ ଶ୍ରମିକଟି ମୁହୂର୍ତ୍ତକରେ ତା’ କରିଦେବ-। ସୂର୍ଯ୍ୟ ବୁଡ଼ିଗଲେ, ଅନ୍ଧାର ହୋଇଆସିଲା । ଏଇ ଶ୍ରମିକଟି ସଙ୍ଗେ ସଙ୍ଗେ ଆଲୁଅ ଜଳେଇଦେବ-। ଧର, ତମ ପାଖକୁ କେହି ଆସିଛନ୍ତି ଭେଟିବାକୁ । ଦୁଆର ବନ୍ଦ ଅଛି । ଏ ପୁଣି କିଣିକଣିକା ସ୍ଵରରେ ଡାକିବ ତୁମକୁ, “ଆସ, ଶୀଘ୍ର ଆସ, ଦୁଆର ଖୋଲ ।’’ ଏ ସଦାବେଳେ ତମ ପାଖେପାଖେ ଥିଲେବି ତମକୁ ଆଦୌ ବିରକ୍ତ ଲାଗିବ ନାହିଁ । ଏ ଗୀତ ଗାଇପାରେ, କଥା କହିପାରେ । ତମ ମନକଥା ଏତେ ବୁଝେ ଏ, ଆଉ ଏଡ଼େ ବାଧ୍ୟ ଏ ! ଅମାନିଆ ହୁଏ ନାହିଁ ଆଦୌ । ତାକୁ ତୁଣ୍ଡ ଖୋଲି କିଛି କହିବା ଦରକାର ନାହିଁ । ଖାଲି ତମେ ହାତଟି ହଲେଇଲେ ହେଲା । ତମେ କ’ଣ ଚାହୁଁଚ, ଠିକ୍ ଧରିପାରିବ ଏ, ଆଉ ସଙ୍ଗେ ସଙ୍ଗେ ଲାଗିପଡ଼ିବ ତାକୁ ପୂରଣ କରିବାପାଇଁ । ଘରେ ତମକୁ ସବୁ ପ୍ରକାର ସାହାଯ୍ୟ କରେ; ରାସ୍ତାରେବି ଠିକ୍ ଏମିତି ସବୁବେଳେ ନିହାତି ଦରକାରୀ ।

 

ଧର, ତମର ଯିବାର ଅଛି ସହରର ଆରମୁଣ୍ଡକୁ । ଚାଲି ଚାଲି ଗଲେ ଦିନୁଟିଏ ବିତିଯିବ, ଆଉ ପୂରାପୂରି ଥକିପଡ଼ିବ ତୁମେ ସେଠି ପହଞ୍ଚିଲାବେଳକୁ । କିନ୍ତୁ ଏ ଶ୍ରମିକଟି ତମକୁ ସେଠି ନେଇ ପହଞ୍ଚେଇଦେବ ଜମା ପନ୍ଦର ମିନିଟ୍ ଭିତରେ । ୟାର ହାତଗୁଡ଼ିକ ସୁନାର, ଯଦିଓ ପ୍ରକୃତରେ ହାତ ନାହିଁ ୟାର । ଘରତୋଳା ଜାଗାରେ ଏ ଉପରକୁ ଇଟା ଉଠାଏ, କମାର ଭଳି ଲୁହା ଜିନିଷ ଗଢ଼େ, କାରଖାନାରେ ଇସ୍ପାତକୁ କାଟିକୁଟି ଠିକ୍ କରେ, କଳରେ ଅଟା ମଇଦା ପେଷେ, ଆଉ ଜୋତାକାରଖାନାରେ ଜୋତା ସିଲେଇରେ ସାହାଯ୍ୟ କରେ ଲୋକଙ୍କୁ । ସବୁବେଳେ ତମ ଆଜ୍ଞା ମାନିବାକୁ ତିଆର ଏ, ଆଉ ତମେ ଡାକିବାମାତ୍ରେ ହାଜର ହୋଇଯିବ । ଦିନରାତି ସବୁବେଳେ କାମ କରିବାକୁ ପ୍ରସ୍ତୁତ ଏ ।

 

ଏମିତି ଚଟାପଟ କଥା ମାନି ଅବିଶ୍ରାମ କାମକଲାବାଲା ଏଇ ଶ୍ରମିକଟି କିଏ ? ୟାର ନାଆଁ କ’ଣ ? କୋଉଠୁ ଆସିଚି ଏ ? ୟାକୁ କହନ୍ତି, “ବିଦ୍ୟୁତ–ସ୍ରୋତ ।’’ ଆଉ କୋଉଠୁ ଆସିଛି ଏ, କହିବାକୁ ଯାଉଚୁ ଏବେ, ଶୁଣ !

 

ଆଗ ଅନାଅ ଟିକେ ଗୋଟିଏ ଇଲେକ୍‍ଟ୍ରିକ୍ ଇସ୍ତ୍ରୀ, ଗୋଟିଏ ଇଲେକ୍‍ଟ୍ରିକ୍ କେଟ୍‍ଲି, ଗୋଟିଏ ଇଲେକ୍‍ଟ୍ରିକ୍ ତାତିଲା–ଥାଳିଆ କି ଗୋଟିଏ ଇଲେକ୍‍ଟ୍ରିକ୍ ଟେବୁଲ୍ ଲ୍ୟାମ୍ପକୁ । ଅନାଅ, ଏ ଜିନିଷଗୁଡ଼ିକ ଭିତରୁ କାହାରି କାହା ସହିତ କିଛି ସମ୍ବନ୍ଧ ନାହିଁ, ଅଥଚ ସମସ୍ତଙ୍କର ଗୋଟିଏ ସାଧାରଣ ଗୁଣ ଅଛି । କ’ଣ ସେଇଟି ?

 

ପ୍ରତ୍ୟେକର ଗୋଟିଏ ଲେଖାଏଁ ଲମ୍ବା ଲାଞ୍ଜ ଅଛି–ଏହାକୁ କୁହାଯାଏ ‘ଫ୍ଲେକ୍‍ସ’ ବା ନହକା ତାର । ଏଇ ଫ୍ଲେକ୍‍ସ ବାଟେ ବିଦ୍ୟୁତ-ସ୍ରୋତ ଗତି କରେ । ତମ ଡେସ୍‍କ୍‍ର ଡ୍ର’ସବୁ ଖୋଜି ଦେଖ, ଫ୍ଲେକ୍‍ସ ବା ଏଇ ବିଦ୍ୟୁତ ତାର ପାଉଚ କି ନାହିଁ । ପାଅ ଯଦି, ତା’ ଦେହରୁ ପୋଷାକଟି କାଢ଼ । ଏହା ସବୁବେଳେ ସୂତା କୋଟ୍ ଆଉ ତା’ ତଳେ ରବର କାମିଜ ପିନ୍ଧିଥାଏ । କାମିଜଟି କାଢ଼ି ସାରିବା ପରେ ତା’ର ଦୌଡ଼ିଟିକୁ ଦେଖିବ । ସରୁ ସରୁ ତମ୍ବାତାରଗୁଡ଼ିକ ଏକାଠି ମୋଡ଼ା ହୋଇ ଏଇଟି ତିଆରି ହୋଇଥାଏ । ବିଦ୍ୟୁତ୍‍ସ୍ରୋତ ଏଇ ତାରଗୁଡ଼ିକ ବାଟେ ଲ୍ୟାମ୍ପକୁ ବା କେଟ୍‍ଲିକୁ ଯାଏଁ-

 

ଏ ତାରଗୁଡ଼ିକ ଉପରେ ରବର କାମିଜ ଥାଏ–ବିଦ୍ୟୁତସ୍ରୋତ ଯେମିତି ଚଗଲା ହୋଇ ଏଣେତେଣେ ମାଡ଼ି ନ ଯାଏ ତାହା ଦେଖିବାପାଇଁ । ତମେ ଯଦି କୋଉଠି କେବେ ଦେଖ ଯେ ଏଇ ଘୋଡ଼ଣି ନଥିବା ଫ୍ଲେକ୍‍ଟିଏ କୋଉଠି ଚଳନ୍ତି ବିଦ୍ୟୁତ ସ୍ରୋତରେ ଲାଗିଛି, ତେବେ ଭଲ କରି ମନେରଖ, କେବେହେଲେ ଛୁଇଁବ ନାହିଁଟି ! ଛୁଇଁ ଦେଲେ ଏକ ସେକେଣ୍ଡରେ ଏକ ସ୍ରୋତ ତାରରୁ ଯାଇ ତୁମ ହାତରେ ଚରିଯିବ; ତୁମ ଦେହ ବାଟେ ଗୁଳି ଭଳି ପଶିଯିବ ଭୂଇଁରେ ଆଉ ସାଙ୍ଗେ ସାଙ୍ଗେ ତମକୁ ଏମିତି ଦୋହଲାଟାଏ ଦେବ ଯେ, ପସ୍ତେଇ ହେଉଥିବ କାହିଁକି ଏ ତାର ଛୁଇଁଲି ବୋଲି । ପ୍ରକୃତରେ ଏ ବିଦ୍ୟୁତ୍ କାମୁଡ଼ା ଭାରି ଟାଣ, ଯଦିଓ ଆଖିକୁ ଦେଖାଯାଏ ନାହିଁ ଆଦୌ । କିନ୍ତୁ ଫ୍ଲେକ୍‍ସ ଉପରେ ଯଦି ରବର ଘୋଡ଼ଣି ଥାଏ, ତେବେ ବିଦ୍ୟୁତ୍ ସ୍ରୋତକୁ ଡରିବାର କିଛି ନାହିଁ-। କାରଣ ଏହା ରବରକୁ ଭେଦିପାରିବ ନାହିଁ ।

 

ତେବେ ତାରଗୁଡ଼ିକ ଭିତରକୁ ଏ ସ୍ରୋତ ଯାଏଁ କେମିତି ? ପ୍ରଥମେ ଏହାକୁ ଅନେକ ବାଟରୁ ଆସିବାକୁ ପଡ଼େ । ଗୋଟାଏ ବୈଦ୍ୟୁତିକ କେଟ୍‍ଲି କି ବୈଦ୍ୟୁତିକ ଇସ୍ତ୍ରୀରେ ଯେଉଁ ଫ୍ଲେକ୍‍ସ ଲାଗିଥାଏ, ତାହା ତ ଅତି ଛୋଟ ଗଳିଟିଏ ଭଳି । ତମେ ଯେତେବେଳେ ଗୋଟିଏ ସକେଟରେ ପ୍ଲଗ୍‍ଟିଏ ଲଗେଇଦିଏ, ସେତେବେଳେ ତୁମେ ଏଇ ଛୋଟ ଗଳିଟିକୁ ଗୋଟିଏ ବଡ଼ ରାସ୍ତା ସାଙ୍ଗରେ ଯୋଡ଼ିଦେଲେ ବୋଲି ଜାଣ । ଏଇ ବଡ଼ ରାସ୍ତାଟି ହେଉଚି ଘର କାନ୍ଥେ କାନ୍ଥେ ଯେଉଁ ତାର ଲାଗିଥାଏ, ଆଉ ସେଇଠି ପୁଣି ଉଭେଇ ଯାଇଥାଏ । ଏହା ଲମ୍ବି ଯାଇ ଲାଗିଥାଏ ଗୋଟିଏ ଚୀନାମାଟିର ‘ଫ୍ୟୁଜ୍’ରେ ଆଉ ତା’ପରେ ‘ମିଟର୍‍’ରେ ।

 

ମିଟର୍‍ଟି କ’ଣ ଯେ ? ମିଟର୍‍ ହେଉଛି ଗୋଟାଏ ‘ମାପ’ । କେତେ ପରିମାଣର ବିଦ୍ୟୁତ୍ ସ୍ରୋତ ଇସ୍ତ୍ରୀରେ, ଲ୍ୟାମ୍ପରେ ଓ କେଟ୍‍ଲିରେ ବ୍ୟବହାର କରାଗଲା ଏହା ମାପି ଜଣାଇଦିଏ ମିଟର୍‍-। ଫ୍ୟୁଜ୍ ହେଉଛି ଗୋଟିଏ ପହରାବାଲା । ସବୁ ଯେତେବେଳେ ଠିକ୍‍ଠାକ୍ ଅବସ୍ଥାରେ ଥାଏ, ସେତେବେଳେ ବିଦ୍ୟୁତ ସ୍ରୋତ କିଛି କ୍ଷତି କରେ ନାହିଁ । କିନ୍ତୁ କୋଉଠି ଯଦି ତାର ଟିକିଏ ଛିଡ଼ିତୁଟି ଯାଏଁ, ତେବେ ବିଦ୍ୟୁତ ସ୍ରୋତ ସେଇଠି ଜଳିଉଠି ଘରେ ନିଆଁ ଲଗେଇ ଦେଇପାରେ-। ସେତିକିବେଳେ ଜଗୁଆଳି ଫ୍ୟୁଜ୍‍ଟା କହିଉଠେ–“ରହ ! ବାଟ ଛାଡ଼ିବି ନି ମୁଁ ତତେ ।’’ ଏ କଥା କେମିତି କହିପାରେ ଫ୍ୟୁଜ୍‍ଟା ?

 

ଶୁଣ ! ତମ (ଘର) ‘ଫ୍ଲାଟ୍’ରେ ପଶିବାପାଇଁ ଯେ ବିଦ୍ୟୁତ୍ ସ୍ରୋତକୁ ଆଗ ଫ୍ୟୁଜ୍ ଭିତରର ଛୋଟ ତାରବାଟେ ଆସିବାକୁ ହୁଏ । ବିଦ୍ୟୁତ୍ ସ୍ରୋତ ଅତି ବେଶି ତାତିଗଲେ ଏଇ ଛୋଟ ତାରଟି ଜଳିଯାଏ । ଏହା ହେଲେ ସ୍ରୋତକୁ ଆଉ କୁଆଡ଼େ ଯିବାକୁ ବାଟ ନଥାଏ, କାରଣ ତାରଟି ପୋଡ଼ିଯିବାଦ୍ଵାରା ତା’ ବାଟଟି ଉଭେଇ ଯାଇଥାଏ । ତେଣୁ ସତେ ଯେମିତି ଫ୍ୟୁଜ୍ ତାକୁ କହିଦେଉଥାଏ, “ଦେଖ ! ଇସ୍ତ୍ରୀକୁ, କେଟ୍‍ଲିକୁ ତୁ ଯେତେ ଇଚ୍ଛା ସେତେ ତତଉଥାଆ ପଛେ, ତତେ କିନ୍ତୁ ତାରଗୁଡ଼ିକ ପୋଡ଼ିଦେବାକୁ ବାଟ ଛାଡ଼ିବି ନାହିଁ । ସେ ଅପକର୍ମ କରିବାପାଇଁ ତ ମୁଁ ତତେ ଘରେ ଆଣି ପୂରେଇନି !’’

 

କିନ୍ତୁ ଘର ଭିତରକୁ ବିଦ୍ୟୁତସ୍ରୋତ ଆସେ କେମିତି ? ଏହା ଆସେ ମାଟିତଳରୁ । ରାସ୍ତାରେ ଯାଆସ କରୁଥିବା କାର୍, ଟ୍ରାମ୍, ଟ୍ରଲିବସ୍ କଥା ସମସ୍ତେ ଜାଣନ୍ତି । କିନ୍ତୁ ରାସ୍ତା ତଳେ ତଳେ, ଆମ ପାଦ ତଳରେ ଠିକ୍ କ’ଣ ଘଟୁଚି ସଦାବେଳେ, ତା’ ସମସ୍ତେ ଜାଣନ୍ତି ନାହିଁ ।

 

ନିର୍ମଳ ପାଣି ନୀରବରେ ବହିଚାଲିଚି ନଈରୁ ଭୂଇଁତଳର ଅନ୍ଧକାର ଭିତରେ । ଏହା ଯେତେବେଳେ ଯାଇ ପହଞ୍ଚୁଚି ଘରଗୁଡ଼ିକ ପାଖରେ, ଉଠୁଚି ଉପରକୁ, ମହଲାକୁ ମହଲା–ଯେମିତିକି ଲୋକେ ସହଜରେ ଗାଧୋଇପାରିବେ, ରନ୍ଧାରନ୍ଧି କରିପାରିବେ, ଲୁଗାପଟା, ବାସନକୁସନ ଧୁଆଧୋଇ କରିପାରିବେ । ବର୍ଷଣପାଣି ପାଇଁ ଆଉ କେତେକ ପାଇପ୍ ଖଞ୍ଜା ହୋଇଚି ରାସ୍ତା ତଳରେ–ପ୍ରଧାନ ପାଣିପାଇପ୍ ପାଖରେ । ବେଳେବେଳେ ପ୍ରବଳ ବର୍ଷା ହୋଇଯାଏ ସହରରେ । ମନେହୁଏ, ସତେ ଯେମିତି ସହରଟା ପାଣିରେ ଉବେଇଟୁବେଇ ହୋଇ ବୁଡ଼ିଯିବ, ଆଉ ରାସ୍ତାଗୁଡ଼ାକ ନଈ ପାଲଟିଯିବ । ପ୍ରକୃତରେ କିନ୍ତୁ ବର୍ଷା ଛାଡ଼ୁ ନ ଛାଡ଼ୁଣୁ ସବୁଯାକ ବର୍ଷଣପାଣି ଉଭେଇଯାଏ କୁଆଡ଼େ । ଆଉ ଅସରାକୁ ଅସରା ବର୍ଷାରେ ଗାଧୋଇ କଳା ଚିକ୍‍ଚିକ୍ ହୋଇ ଝଟକୁଥାଏ ପିଚୁ ରାସ୍ତାଗୁଡ଼ିକ ।

 

ଏଇ ବର୍ଷଣପାଣିଯାକ ଯାଏଁ କୁଆଡ଼େ ? ଏହା ଛୋଟ ଛୋଟ ନାଳୀବାଟେ ବହିଯାଏ ରାସ୍ତାରେ ଥିବା ବଡ଼ବଡ଼ ନର୍ଦ୍ଦମାକୁ । ସେଠୁ ଜାଲିଦିଆ କଣାବାଟେ ଯାଇ ଭୁସ୍ ଭୁସ୍ ଗଳିପଡ଼େ ଭୂଇଁତଳର ପାଇପ୍‍ଗୁଡ଼ିକ ଭିତରକୁ । ଏହି ପାଇପ୍‍ସବୁ ସାଙ୍ଗେ ସାଙ୍ଗେ ସେଇ ପାଣିକୁ ପୁଣି ପଠାଇଦିଅନ୍ତି ତା’ର ଉଚିତ ଜାଗା ନଈକି । ସହରର ରାସ୍ତାଗୁଡ଼ିକୁ ଯେ ସବୁବେଳେ ଶୁଖିଲା ରଖିବାକୁ ହେବ ।

 

ଆଉ କେତେକ ଭୂଇଁତଳିଆ ପାଇପ୍ ଅଛି, ସେଥିରେ ଜାଳେଣି ଗ୍ୟାସ୍ ଯାଏଁ ତମର ରୋଷେଇଘରର ଷ୍ଟୋଭ୍ ବା ଚୁଲିକୁ । ସେଇ ଗ୍ୟାସ୍ ଜଳିଲେ ତା’ର ନୀଳ ଶିଖା ଦେଖ ତମେ, ତମର ରୋଷେଇଘରେ । ସେଇ ଗ୍ୟାସ୍ ଆସେ ବହୁତ ଦୂରରୁ; ମସ୍କୋ ସହରକୁ ଆସେ କାହିଁ ଯାଇ ଭଲ୍‍ଗା ନଈକୂଳରୁ । ସେଠି ସାରାତୋଭ ବୋଲି ଗୋଟିଏ ସହର ପାଖରେ ସେଇ ଗ୍ୟାସ ବାହାରେ ମାଟି ତଳରୁ; ଆଉ ଶହ ଶହ ମାଇଲ ଲମ୍ବ ଇସ୍ପାତ ପାଇପ୍‍ରେ ପଠାଯାଏ ମସ୍କୋକୁ ।

 

ମସ୍କୋର ରାସ୍ତାଗୁଡ଼ିକରେ ଯାନବାହନର ଚଳାଚଳ ବହୁତ । କିନ୍ତୁ ତାହାଠୁ ବଳି ଅଧିକ ଚଳାଚଳ ଭୂଇଁତଳରେ ।

 

ଭୂଇଁତଳର କେତେକ ରାସ୍ତା ବିଶେଷ ଭାବରେ କେବଳ ବିଦ୍ୟୁତ୍‍ସ୍ରୋତ ପାଇଁହିଁ ତିଆରି ହୋଇଚି । ସେଗୁଡ଼ିକ ତମ ଘରେ ଲାଗିଥିବା ସରୁ ତାର ଭଳି ନୁହେଁ; ସେଗୁଡ଼ିକ ପାଇପ୍ ଭଳି ମୋଟା ମୋଟା କେବୁଲ୍ । ବହୁତଗୁଡ଼ିଏ ତମ୍ବା ତାରରେ ତିଆରି ସେଗୁଡ଼ିକ । ଏଇ ତାରରେ ସବୁ ପିନ୍ଧା ହୋଇଥାଏ ଟାଣୁଆ ଟାଣୁଆ ଧାତୁଦ୍ରବ୍ୟର ଖୋଳ ଆଉ ଆଲକାତରା ବା ପିଚୁର କାଗଜ । ଏହାସବୁ ଯେ ବିଦ୍ୟୁତ୍‍ସ୍ରୋତକୁ କେବଳ ଅଲଗା କରି ରଖେ, ତା’ ନୁହେଁ, କେବୁଲ୍‍ଗୁଡ଼ିକ କ୍ଷୟକ୍ଷତିରୁବି ରକ୍ଷା କରେ ।

 

ଟେଲିଫୋନ୍ କଥାବାର୍ତ୍ତା ପଠାପଠି ପାଇଁ ଯେଉଁ ବିଦ୍ୟୁତ୍‍ସ୍ରୋତଟି ନିର୍ଦ୍ଦିଷ୍ଟ ଥାଏ ସେଇ ସ୍ରୋତଟି ଯାଏଁ ଗୋଟିଏ କେବଲ୍‍ରେ । ଏହିପରି ଆଉ ଗୋଟିଏ କେବୁଲ୍ ପଠାଏ ଟେଲିଗ୍ରାମ୍ । ତୃତୀୟଟିରେ ଯେଉଁ ସ୍ରୋତ ଯାଏଁ, ତାହା ପ୍ରତି ଘରେ ଆଲୁଅ ଜଳେଇଦିଏ, ଇସ୍ତ୍ରୀ ତତାଇ ଦିଏ, କେଟ୍‍ଲିରେ ପାଣି ଗରମ କରେ, ରାସ୍ତାରେ ଟ୍ରଲିବସ୍‍ଗୁଡ଼ିକୁ ଆଉ କଳକାରଖାନାର ମେସିନ୍‍ସବୁକୁ ଚଳାଏ ।

 

ଏଇ କାମ କରୁଥିବା ବିଦ୍ୟୁତ୍‍ସ୍ରୋତ ଭୂଇଁତଳିଆ କେବଲ୍ ଭିତରକୁ ଯାଏଁ କେମିତି ? ଅଳ୍ପକରେ କହିଲେ, ଏଇ ବିଦ୍ୟୁତ୍‍ସ୍ରୋତ ଆଗ ଜନ୍ମ ହୁଏ ବିଦ୍ୟୁତ୍‍ଶକ୍ତିକେନ୍ଦ୍ରରେ । ସେଇ କେନ୍ଦ୍ରରୁ ଏହା ଭୂଇଁତଳ ଓ ଭୂଇଁ ଉପର ବାଟରେ ସବୁ ଶାଖା ପ୍ରଶାଖା ମେଲି ଚାରିଆଡ଼କୁ ଖେଳେଇ ହୋଇ ମୁହାଁଇଯାଏ ଘରଗୁଡ଼ିକୁ, କାରଖାନାଗୁଡ଼ିକୁ, ଟ୍ରାମ୍ ଆଉ ଟ୍ରଲିବସ୍‍କୁ ।

 

ବିଦ୍ୟୁତ୍‍ଶକ୍ତିକେନ୍ଦ୍ରକୁ ଯିବାପାଇଁ ଯଦି କେବେ ତମେ କୋଉଠି ସୁବିଧା ପାଅ, ତେବେ ପ୍ରଥମେ ଦେଖିବ, ଗୋଟାଏ ବିରାଟ ହଲ୍ ଘର; ଛାତି ତା’ର ବହୁତ ଉଚ୍ଚ; ଏତେ ଲମ୍ବା ଯେ ଶହେ ପାହୁଣ୍ଡ ଗଲେବି ତମେ ଘରର ସେମୁଣ୍ଡରେ ପହଞ୍ଚିପାରିବ ନାହିଁ । ଷ୍ଟୋଭ୍‍ରେ ଯେମିତି ନିଆଁପାଇଁ ଖୋପ ବା ବାକ୍ସ ଥାଏ, ସେମିତିକା ବଡ଼ବଡ଼ ଆକାରର ଖୋପ ବା ଚୁଲି ଧାଡ଼ିଏ ଥାଏ ସେଇ ବିରାଟ ଘରଟିରେ । ଏଇ ଘରର ଆରପାଖର କାନ୍ଥଯାକ ଭର୍ତ୍ତି ହୋଇଥାଏ କାଚର ଓ ଚକ୍‍ଚକ୍ କେତେ ଧାତୁରେ ତିଆରି ନାନା ରକମର ଯନ୍ତ୍ରପାତି କାଚର ପ୍ୟାନେଲ୍ ବା ତକ୍ତା ତଳେ ତଳେ ଡାହାଣକୁ ଓ ବାଆଁକୁ ଦେଖିବ, ଯନ୍ତ୍ରଗୁଡ଼ିକର ହାତ ଭଳି କଣ୍ଟାସବୁ ଅନବରତ ଘୂରୁଥିବ । କାନ୍ଥର ତଳ ଅଂଶରେ ଲମ୍ବା ଧାଡ଼ିଏ ବୋତାମ ଆଉ ଗୋବସବୁ ରହିଚି । ଏଇମାନଙ୍କ ସାହାଯ୍ୟରେ କଣ୍ଟାଗୁଡ଼ିକୁ ନିୟନ୍ତ୍ରଣ କରାଯାଏ ।

 

ଏଇ ଯନ୍ତ୍ରପଟାର ସାମନାରେ ଥିବା କାନ୍ଥ ପାଖରେ ସବୁବେଳେ ଜଣେ ଅପରେଟର୍ ବା ଚାଳକ ଛିଡ଼ା ହୋଇଥାଏ । କଣ୍ଟାଗୁଡ଼ିକ ଉପରେ ସେ ଆଖି ରଖିଥାଏ । ମଝିରେ ମଝିରେ ସେ ବୋତାମଟିଏ ଟିପିଦିଏ ବା ଛୋଟ ଗୋବରୁ ଗୋଟିଏ ମୋଡ଼ିଦିଏ । ଦେଖିଲେ ଜଣାଯିବ, ସତେ ଯେମିତି ସେ ଗୋଟାଏ ବଡ଼ ମଟରଗାଡ଼ିର ଡ୍ରାଇଭର କି ଜାହାଜର ମଙ୍ଗଆଳ ଭଳି ମେସିନ୍ ଚଲାଉଚି । କ’ଣ ଚଳାଉଚି ସେ ? ସେ ଚଳାଉଚି ନିଆଁ, ପାଣି ଆଉ ପବନକୁ । ଚୁଲିରେ ଡହଡ଼ହ ହୋଇ ଜଳୁଚି ନିଆଁ; ନିଆଁ ଉପରେ ବିରାଟ ବିରାଟ ବୟେଲରରେ ଟକମକ ହୋଇ ଫୁଟୁଚି ପାଣି; ଆଉ ମସ୍ତବଡ଼ ଏକ କଳ ଭାତି ସାହାଯ୍ୟରେ ପବନ ଉପରକୁ ଉଠି ପାଇପ୍‍ବାଟେ ଯାଉଚି ଚୁଲି ଭିତରକୁ ।

 

ପବନ ଲୋଡ଼ା ହୁଏ କାହିଁକି ?

 

ଚୁଲିରେ ଆହୁରି ପ୍ରବଳ ଭାବରେ ନିଆଁକୁ ତେଜି ହୁତ୍‍ହୁତ୍ ଜଳେଇ ରଖିବାପାଇଁ ?

 

ନିଆଁ ଲୋଡ଼ା ହୁଏ କାହିଁକି ?

 

‘ବୟେଲର’ରେ ପାଣି ଫୁଟେଇବା ପାଇଁ ।

 

ପାଣି ଫୁଟେଇବା ଲୋଡ଼ା ହୁଏ କାହିଁକି ?

 

ଏହା ବାଷ୍ପ ପାଲଟିବ ବୋଲି ।

 

ବାଷ୍ପରେ କ’ଣ ହେବ ?

 

ବାଷ୍ପକୁ ପାଇପ୍‍ବାଟେ ପଠାହୁଏ ଆଉ ଗୋଟିଏ ଲମ୍ବା ଉଞ୍ଚା ହଲ୍ ଘର ଭିତରକୁ । ସେଇ ହଲ୍‍ରେ ଥାଏ ଶକ୍ତିଶାଳୀ ବାଷ୍ପୀୟ ‘ଟର୍ବାଇନ୍’ ସବୁ । ଏ ଟର୍ବାଇନ୍ ଗୋଟାଏ ଧରଣର ମେସିନ୍ । ତା’ ଭିତରେ ଚକଟିଏ ଥାଏ, ଆଉ ଏ ଚକର ଧାରେ ଧାରେ ଲାଗିଥାଏ ଇସ୍ପାତର ଧାରୁଆ ପାତିଆ । ଗୋଟାଏ ବଡ଼ ଷ୍ଟିମ୍ ଟର୍ବାଇନ୍‍ର ଚକର ଧାରେ ଧାରେ ଏମିତିକା ହଜାର ହଜାର ପାତ ଲାଗିଥାଏ ।

 

ବୟେଲରରୁ ଟର୍ବାଇନ୍‍କୁ ବାଷ୍ପସବୁ ଯେଉଁ ଓସାରିଆ ପାଇପ୍‍ରେ ଯାଏଁ, ସେଇ ପାଇପ୍ ପାଖକୁ ଚାଳକଟି ଯିବ; ସେଠି ପହଞ୍ଚି ଖୁବ୍ ଆସ୍ତେ ଆସ୍ତେ ଖୋଲିବ ଭଲ୍‍ଭ୍‍ଟିକୁ । ଏଇ ଭଲ୍‍ଭ୍ ହେଉଚି ଗୋଟିଏ ପ୍ରକାରର ତାଲା–ଦିଶେ ଠିକ୍ ‘ଟ୍ୟାପ୍’ପରି । ତମେ ଯଦି ଏହାକୁ ଖୋଲିଦେବ, ତେବେ ପାଇପ୍‍ରୁ ବାଷ୍ପସବୁ ବାହାରି ଆସିବ; ଯଦି ଏହାକୁ ବନ୍ଦ କରିଦେବ, ତେବେ ଆଉ ବାଷ୍ପ ବାହାରିପାରିବ ନାହିଁ । ଏହି ବାଷ୍ପକୁ ଯେତେବେଳେ ଖୋଲି ଦିଆଯାଏ, ଏହା ସୁଉ ସୁଉ ଶବ୍ଦରେ ପଶେ ଟର୍ବାଇନ୍ ଭିତରେ । ସେଠି ପହଞ୍ଚିଲାବେଳକୁ ଠିକ୍ ୟା ବାଟରେ ସାମନାସାମନି ଥାଏ ଇସ୍ପାତ ପାତିଆଗୁଡ଼ିକ । ବାଷ୍ପ ଯାଇ ବାଡ଼େଇ ହୋଇଯାଏ ପ୍ରଥମେ ଗୋଟିଏ ପାତିଆରେ, ତା’ପରେ ଆଉ ଗୋଟିକରେ, ତା’ପରେ ପୁଣି ଆଉ ଗୋଟିକରେ–ଏମିତି ସବୁ ପାତିଆରେ । ଏଇଥିରେ ଘୂରିବାକୁ ଲାଗେ ଟର୍ବାଇନ୍‍ର ଚକଟି, ଆଉ ସୁନ୍ଦର ଘୁଁ ଘୁଁ ଶବ୍ଦ ତହିଁରୁ ବାହାରେ । ଚକ ଘୂରିଲେ ଯେଉଁ ଶବ୍ଦ ଶୁଣାଯାଏ ତାହା ହେଉଚି ଏଇ ଶବ୍ଦ । ଟର୍ବାଇନ୍ ଭିତରକୁ ବାଷ୍ପ ଅଜାଡ଼ି ହୋଇ ପଡ଼ିଥାଏ, ବାଡ଼େଇ ହୋଇଯାଉଥାଏ ପାତିଆଗୁଡ଼ିକରେ; ଫଳରେ ଅଧିକରୁ ଅଧିକ ବେଗରେ ଘୂରୁଥାଏ ଚକଟି, ଆଉ ଟର୍ବାଇନ୍‍ଟି କ୍ରମେ ଅଧିକ ଉଚ୍ଚ ସ୍ଵରରେ ଗୀତ ବୋଲିବାରେ ଲାଗିଥାଏ ।

 

ତମେ ତ ନିଶ୍ଚୟ କେବେ କାଗଜର ପିନ୍-ଚକି (ବା ତାଳପତ୍ରର ପବନଚକି) କରିଥିବ । ତମେ ଯେତେବେଳେ ସେଇ ଚକିର ପଖାଗୁଡ଼ିକୁ ଫୁଙ୍କ ସେତେବେଳେ ତାହା ଘାଇଁ ଘାଇଁ ହୋଇ ଘୂରିବାରେ ଲାଗେ । କିନ୍ତୁ କାଗଜର ପିନ୍-ଚକି ତ ଖେଳଣାଟିଏ । ଏହା ଖେଳିବାପାଇଁ ତିଆରି; କୌଣସି କାମପାଇଁ ତ ନୁହେଁ । କିନ୍ତୁ ବାଷ୍ପୀୟ ଟର୍ବାଇନ୍ ଭାରି କଠିନ କାମକଲାବାଲା । ତା’ ପାଖକୁ ଲାଗି ଆଉ ଗୋଟିଏ ବଡ଼ ମେସିନ୍ ଥାଏ, ତାକୁ କୁହାଯାଏ ‘ଜେନେରେଟର୍‍’ ବା ଉତ୍ପାଦକ-। ଏହା ଭିତରେବି ଗୋଟାଏ ଚକ ଅଛି । ତେବେ ଏହାର ଚକଟି ଟର୍ବାଇନ୍‍ର ଚକଠୁଁ ପୂରାପୂରି ଅଲଗା ଧରଣର । ଟର୍ବାଇନ୍‍ର ଚକ ଘୂରିଲେ ଜେନେରେଟର୍‍ର ଚକଟି ଘୂରେ; ଆଉ ଏହି ଜେନେରେଟର୍ ଭିତରର ଚକଟି ଘୂରିଲେ ବିଦ୍ୟୁତ୍‍ସ୍ରୋତ ଉତ୍ପନ୍ନ ହୁଏ । ତାରସବୁ ଏହି ସ୍ରୋତକୁ ବିଭିନ୍ନ ଘର ଆଉ କାରଖାନା ଭିତରକୁ ଓ ବିଦ୍ୟୁତଚାଳିତ ରେଳଗାଡ଼ି ପାଖକୁ ବହିନିଅନ୍ତି-

 

ଆମେ ତାହାହେଲେ ଶେଷରେ ଆବିଷ୍କାର କଲେଁ–ବିଦ୍ୟୁତସ୍ରୋତ ଜନ୍ମ ହୁଏ କେଉଁଠି ଓ ଦେଖିପାରିଲୁଁ, ଏକାବେଳେକେ ଏତେ ରାସ୍ତାରେ ଆଲୁଅ ଦେବାପାଇଁ,

 

ଟ୍ରଲିବସ୍‍ମାନ ଚଳାଇବାପାଇଁ, ଆଉ ଘରତୋଳା ଜାଗାରେ ଗଦାକୁ ଗଦା ଇଟା ଉପରକୁ ଉଠାଇବାପାଇଁ ଏହା ଶକ୍ତି ପାଏ କେଉଁଠୁଁ ।

 

ଚୁହ୍ଲା ଭିତରେ କୋଇଲା ଯଦି ଜଳି ନଥାନ୍ତା, ତେବେ ବାଷ୍ପ ଆଦୌ ବାହାରି ନଥାନ୍ତା; ବାଷ୍ପ ଯଦି ବାହାରି ନଥାନ୍ତା, ଟର୍ବାଇନ୍ ଚକ ଘୂରି ନଥାନ୍ତା; ଟର୍ବାଇନ୍ ଚକ ଯଦି ଘୂରି ନଥାନ୍ତା, ତେବେ ଜେନେରେଟର୍ କାମ କରି ନଥାନ୍ତା; ଜେନେରେଟର୍ ଯଦି କାମ କରି ନଥାନ୍ତା, ତେବେ ବିଦ୍ୟୁତ୍‍ଶକ୍ତି କେନ୍ଦ୍ରରୁ ବିଦ୍ୟୁତସ୍ରୋତ ଉତ୍ପନ୍ନ ହୋଇ ନଥାନ୍ତା ।

 

କେତେଗୁଡ଼ିଏ ବିଦ୍ୟୁତ୍‍ଶକ୍ତି କେନ୍ଦ୍ର ଟର୍ବାଇନ୍ ବାଷ୍ପ ବଦଳରେ ପାଣିଯୋଗେ ଚାଲେ । ଗୋଟାଏ ମସ୍ତବଡ଼ ପାଣିଭଣ୍ଡାରରୁ ଓସାରିଆ ବିରାଟ ପାଇପ୍‍ରେ ପାଣି ଆସି ଅଜାଡ଼ି ହୋଇ ପଡ଼େ ଓ ଟର୍ବାଇନ୍‍ ଚକର ପାତିଆଗୁଡ଼ିକରେ ବାଡ଼େଇ ହୋଇ ଚକଟିକୁ ଘୂରାଏ । କିନ୍ତୁ ୟା କଥା ଆଉ ଗୋଟିଏ ଗପରେ କହିବା ।

 

ଏବେ, ତମେ ଯେତେବେଳେ ତମର କେଟ୍‍ଲି କି ଲ୍ୟାମ୍ପ୍‍ପାଇଁ ପ୍ଲଗ୍‍ଟିଏ ଲଗେଇବ, ସେତେବେଳେ ଠିକ୍ ଧାରଣା କରିପାରିବ ଅଦୃଶ୍ୟ ସ୍ରୋତ ଆସେ କୋଉଠୁ, ଆଉ ବିଦ୍ୟୁତ୍ ଶକ୍ତି କେନ୍ଦ୍ରରୁ ବାହାରି ତମ କୋଠରୀରେ ପହଞ୍ଚିବା ପାଇଁ କେତେ ବାଟ କେମିତି ଆସେ ସେ ।

Image

 

ଚିଠିର ଯାତ୍ରା

 

କ’ଣଟିଏ ଠକ୍‍କିନି ହେଲା । ଦୁଆରବାଟେ ଥିର୍‍କିନି ଗଳିଆସିଲା ନୂଆ ଅତିଥିଟିଏ । ମୁହୂର୍ତ୍ତକ ପାଇଁ ଫିକାଳିଆ ଆଲୁଅ ଟିକେ ଚକ୍‍କିନି ଘରଭିତରକୁ ପଶିଆସିଲା । ସେଠି ଠୁଳ ହୋଇଥାନ୍ତି କେତେ ଜାତିର ଲୋକ; ସମସ୍ତଙ୍କ ମୁହଁ ଉଜ୍ଜ୍ଵଳ କରିଦେଲା ସେ ଆଲୁଅଟିକ । କି ଅଦ୍ଭୁତ ସେ ଘରଟା ସତେ ! ଗୋଟିଏ ହେଲେ ଝରକା ନଥାଏ କୋଉଠି । ଦୁଆରଟା ପୁଣି ଛାତ ଉପରେ । ଚଟାଣଟା ଏମିତି ତିଆରି ଯେ ତାକୁ ଘରତଳୁ ଖସାଇ ଆଣି ହେବ । ସେଠି ଯେଉଁମାନେ ରୁଣ୍ଡ ହୋଇଥାନ୍ତି, ସେମାନେ ସମସ୍ତେବି ଦିଶୁଥାନ୍ତି ଅଦ୍ଭୁତ । ଅନେକେ ପିନ୍ଧିଥାନ୍ତି ଧଳା, ନେଳି, ପିକା ନାଲି ଆଉ ବାଇଗଣି ରଙ୍ଗର କାଗଜ ପୋଷାକ । ହଁ, ଘରଟା ପୁଣି ଏଡ଼ିକି ଛୋଟ ଯେ, ସତେ ଯେମିତି ଟିକି କୁଡ଼ିଆଟିଏ । ତମେ ବୋଧହୁଏ ଅନୁମାନ କରିସାରିବଣି ଯେ ଆମେ ଯାହା କଥା କହୁଚୁ, ସେ ହେଉଚି ରାସ୍ତାକଡ଼ର ନିହାତି ମାମୁଲି ଚିଠିବାକ୍ସ–ଆଉ ସେଇ ଘରଟିର ଚାରି କାନ୍ଥ ଭିତରେ ଯେଉଁମାନେ ଜମା ହୋଇଥାନ୍ତି ସେମାନେ ସବୁ ମଣିଷ ନୁହଁନ୍ତି, ଚିଠି ।

 

କେତେକେତେ ରଙ୍ଗର କାଗଜକୁର୍ତ୍ତାମାନ ପିନ୍ଧିଥାନ୍ତି ସେ ଚିଠିଗୁଡ଼ିକ ଆଉ ସେମାନଙ୍କ ଦେହରେ ମଣ୍ଡି ହୋଇଥାଏ ସୁନ୍ଦରିଆ ଡାକଟିକଟସବୁ । ସେଇ ଟିକଟମାନଙ୍କରେ ରହିଥାଏ କେତେକେତେ ବିଜ୍ଞାନୀ, ଲେଖକ, ବୈମାନିକ ଓ ଖଣିମଜଦୁର ପୁଣି ଜାହାଜ ଆଉ ଉଡ଼ାଜାହାଜ ଛବି । ଗୋଟିଏ ଲଫାଫାରେ ଆଦୌ ଡାକ ଟିକଟ ନଥାଏ । ବୋଧହୁଏ ଏଇ ଚିଠିଯାତ୍ରୀଟି ଧରି ନେଇଥାଏ ସେ ବାଟ ମୁଣ୍ଡରେ ପହଞ୍ଚିଲେ କିଏ ହେଲେ ଜଣେ ତା’ପାଇଁ ମାହାସୁଲତକ ଦେଇଦେବ-

 

ଲଫାଫା ଫିଟା ନ ହୋଇବି ଭିତର ଚିଠିଗୁଡ଼ିକର ଗୁଣଗ୍ରାମ ବାରି ହୋଇପଡ଼ୁଥାଏ । ବେପାରୀ ଚିଠିଗୁଡ଼ିକ ସହଜରେ ଚିହ୍ନି ହୋଇ ଯାଉଥାଏ; କାରଣ, ତା’ ଉପରର ଠିକଣା ଟାଇପ୍ କରାଯାଇଥାଏ । ପିଲାଙ୍କ ହାତଲେଖା ଚିଠି ଉପରେ ଠିକଣାର ବହୁତ ବନାନ ଭୁଲ ଥାଏ । ପୋଷ୍ଟ୍‍କାର୍ଡ଼୍‍ଗୁଡ଼ିକ ତ ଯେଉଁ କଥା କେବଳ ଜଣକୁ କହିବାପାଇଁ ଖୁବ୍ ବିଶ୍ଵାସରେ ଭାର ନେଇଥାନ୍ତି ସେଇ କଥା ସାରା ଦୁନିଆକୁ ଜଣେଇଦେବାପାଇଁ ତିଆରି ହୋଇ ରହିଥାନ୍ତି । ହଁ ହେ, ଏମିତିକା ସେଗୁଡ଼ାକ–ନିହାତି ଡବଡ଼ବା ଖୋଲା ପ୍ରକୃତି ତାଙ୍କର । କିନ୍ତୁ ଲଫାଫାସବୁ ଗୁପ୍ତ କଥାକୁ ବେଶ୍ ଲୁଚେଇ ରଖିଥାନ୍ତି । ତାଙ୍କୁ ଚାହିଁଦେଇ ତୁମେ କେବେହେଲେ କହିପାରିବ ନାହିଁ, ସେମାନେ ଭଲ ଖବର ନେଉଛନ୍ତି କି ଖରାପ ଖବର ନେଉଛନ୍ତି ।

 

କୌଣସି ଗୋଟିଏ ହେଲେ ଚିଠି ଆଉ ଗୋଟିକ ସାଙ୍ଗରେ ସମାନ ନଥାଏ । ଗୋଟିଏ ଘରେ ଗୋଟିଏ ଛାତତଳେ ରୁଣ୍ଡ ହୋଇଥିଲେ କ’ଣ ହେବ, ସେମାନେ ସବୁ ଥାଆନ୍ତି ମୁହୂର୍ତ୍ତକର ବାଟଚଲା ସଙ୍ଗୀ । କାରଣ, ସେମାନେ ତ ଆସିଥାନ୍ତି ବିଭିନ୍ନ ଦିଗରେ କିଏ କୁଆଡ଼େ ଖେଳେଇ ହୋଇଯିବା ପାଇଁ । କେତେକ ଯିବେ ନଈନାଳ ଡେଇଁ, ସାତ ସମୁଦ୍ର ପାରି ହୋଇ, କେତେ ଅଗନାଅଗନି ବନସ୍ତ, କେତେ ଆକାଶଛୁଆଁ ପାହାଡ଼ ଟପି କାହିଁ କେଉଁ ଦୂର ଦେଶକୁ । କିନ୍ତୁ ଆଉ କେତେକଙ୍କୁ ପଠାହୋଇଥାଏ ସେଇ ଏକା ସହରର ଆଉ ଗୋଟିଏ ଗଳିକୁ ଯିବାପାଇଁ ।

 

ଠୁନ୍‍ଠାନ୍ ଠୁନ୍‍ଠାନ୍ ଘନଘନ ବାଜିବାରେ ଲାଗିଥାଏ ଦୁଆରଟା; ଆଉ ଟିକି କୁଡ଼ିଆଟିରେ ଗୋଟିଏ ପରେ ଗୋଟିଏ ଲେଖାଏଁ ପହଞ୍ଚିବାରେ ଲାଗିଥାନ୍ତି ନୂଆ ନୂଆ ଅତିଥିସବୁ । ସେମାନେ ଅଣନିଃଶ୍ଵାସୀ ହୋଇଉଠିଲାବେଳକୁ ହଠାତ୍ ତାଙ୍କ ପାଦତଳରୁ ଖସିଗଲା ଚଟାଣଟା । ସମସ୍ତେ ଏକାବେଳେ ଅଜାଡ଼ି ହୋଇ ପଡ଼ିଲେ ଡାକବାଲାର ବ୍ୟାଗ୍‍ରେ । ଡାକବାଲା ବାକ୍ସତଳେ ଆଗରୁ କେତେବେଳେ ରଖିଦେଇଥିଲା ବ୍ୟାଗ୍‍ଟି । କେବଳ ଗୋଟିଏ ଚକଚକିଆ ଛବିବାଲା ପୋଷ୍ଟ୍‍କାର୍ଡ଼୍‍ କେମିତି ଲାଖିଗଲା କାନ୍ଥ ଦେହରେ । ତା’ ବୋଲି ତାକୁ କ’ଣ କେହି ଭୁଲିଯାଉଚି ? ଡାକବାଲା କୁଡ଼ିଆ ଭିତରେ ହାତ ପୂରେଇ ଅଣ୍ଡାଳିଦେଲା ଚାରିପାଖ; ତା’ ସାଙ୍ଗରେ ଯେତେ ଲୁଚକାଳି ଖେଳିଲେବି ସେ ଠିକ୍ ଧରିନେଲା ତାକୁ । ଏଇଠୁ ଆରମ୍ଭ ହେଲା ଚିଠିଗୁଡ଼ିକର ଯାତ୍ରା । ଡାକବ୍ୟାଗ୍‍ଟିକୁ ରଖାହେଲା ଗୋଟିଏ ମଟର ଭ୍ୟାନ୍‍ରେ, ସେମିତିକା ଆଉ କେତେକେତେ ବ୍ୟାଗ୍ ସାଙ୍ଗରେ ତାକୁ ନିଆଗଲା ଡାକଘରକୁ-

 

ଆମେ ଯେତେବେଳେ ଚିଠି ବାକ୍ସରେ ଚିଠି ପକାଉଁ, ସେତେବେଳେ କ’ଣ ଭାବୁଁ ତା’ କେମିତି ଯାଇ ପହଞ୍ଚିବ ଲକ୍ଷ୍ୟସ୍ଥାନରେ ? ନା, ସେଥିପାଇଁ ମୋଟେ ମୁଣ୍ଡ ବଥାଏ ନାହିଁ ଆମର । ଆମେ ଜାଣୁ, ଲଫାଫା ଉପରେ ଦି’ଧାଡ଼ି ଲେଖିଦେବା ହେଉଛି ଆମର କାମ । ତାହାହେଲେ ଚିଠିଟି ଆଉ ହଜିଯିବ ନାହିଁ କୋଉଠି–ସାଇବେରିଆର କାହିଁ କେଉଁ ନିଘଞ୍ଚ ବଣକୁ କି କକେସସ୍ ପର୍ବତମାଳାର କୌଣସି ଛୋଟ ଉପତ୍ୟକା ଅଞ୍ଚଳକୁ ଯାଉଯାଉ ପଛେ ସେ । ପ୍ରକୃତରେ ସେଇ ଦି’ଧାଡ଼ି ଲେଖା, ଯାହାକୁ ଆମେ ଠିକଣା ବୋଲି କହୁ, ସେତକ ନିର୍ଭୁଲ ଭାବରେ ଲେଖାହୋଇଥିଲେ କୁହୁକ ଭଳି କାମ କରେ; ଚିଠିଟି ନିଶ୍ଚୟ ଯାଇ ପହଞ୍ଚିବ ଠିକଣା ଜାଗାରେ ।

 

ଚିଠି ବାଟ ପାଏ କେମିତି ? ଡାକଘରେ ଯେଉଁମାନେ କାମ କରନ୍ତି ସେଇମାନେ ତାକୁ ବାଟ ପାଇବାରେ ସାହାଯ୍ୟ କରନ୍ତି । ସେମାନେ ଚିଠିଗୁଡ଼ିକୁ ଗୋଟି ଗୋଟି କରି ବାଛି ଦେଖନ୍ତି, କେଉଁଟି କୁଆଡ଼କୁ ଯିବ । ଡାକଘରେ ଗୋଟାଏ ମସ୍ତବଡ଼ କୋଠରୀରେ କାନ୍ଥଯାକ ପାରାଖୋପ ଭଳି ଖୋପମାନ ଥାଏ । ସେଗୁଡ଼ିକ ଦିଶେ ଖୋଲାମୁହାଁ ବାକ୍ସ ପରି । ସେଥିରୁ ପ୍ରତ୍ୟେକଟିରେ ରଖାଯାଏ ଗୋଟିଏ ଗୋଟିଏ ଦିଗକୁ ସାଙ୍ଗ ହୋଇ ଯିବାଲାଗି ଥିବା ଚିଠିଗୁଡ଼ିକ । ଉଦାହରଣସ୍ୱରୂପ, ଲେନିନ୍‍ଗ୍ରଦ୍‍କୁ ଯାଉଥିବା ଚିଠି ଏବଂ ମସ୍କୋ ଆଉ ଲେନିନ୍‍ଗ୍ରାଦ୍ ମଝିରେ ଥିବା ଷ୍ଟେସନ୍‍ସବୁର ଚିଠି ରହେ ଗୋଟିଏ ଖୋପରେ । ଏକା ଦିଗରେ ଯାଉଥିବା ଚିଠିସବୁକୁ ପୁଡ଼ିଆ ପୁଡ଼ିଆ କରି ବନ୍ଧାଯାଏ । ସେଇ ପୁଡ଼ିଆଟିମାନଙ୍କୁ ନେଇ ଭର୍ତ୍ତି କରାଯାଏ ବ୍ୟାଗ୍‍ରେ । ବ୍ୟାଗ୍‍ଗୁଡ଼ିକୁ ଜଉମୁଦ ଦିଆଯାଇ ବନ୍ଦ କରାଯାଏ । ସେଇ ବ୍ୟାଗ୍‍ଗୁଡ଼ିକୁ ନେଇ ‘କନଭେୟର ବେଲ୍‍ଟ’ ବା ବୁହାଳି କଳରେ ଥୁଆ ହୁଏ । ବାହାରେ ଅପେକ୍ଷା କରୁଥାଏ ଡାକଘର ମୋଟରଗାଡ଼ି । ବ୍ୟାଗ୍‍ସବୁ ଯାଇ ଛାଏଁ ଛାଏଁ ଲଦିହୁଏ ସେଥିରେ । ଏକା ସାଙ୍ଗରେ ଏକା ଆଡ଼ର ଯାତ୍ରୀମାନଙ୍କୁ ଷ୍ଟେସନ୍‍କୁ ନେଇ ରେଳରେ ରଖିଦିଆଯାଏ । ତା’ପରେ ସିଟି ବାଜେ, ରେଳଇଞ୍ଜିନ୍ ଝଣଝଣ କରିଉଠେ, ଧୂଆଁ ଛାଡ଼ି ଷ୍ଟେସନ୍‍ରୁ ବାହାରିଯାଏ ଟ୍ରେନ୍‍ ।

 

ରେଳରେ ଯାଉଥିବା ଲୋକଙ୍କ ଭିତରୁ କେହି କେହି ମୁହଁ କାଢ଼ି ଅନାଇ ରହନ୍ତି ବାହାରକୁ; କିଏ କିଏ ବା ପଢ଼ିବସନ୍ତି । କେତେକ ପୁଣି ଆରମ୍ଭ କରିଦିଅନ୍ତି ଘୁମେଇବାକୁ । କିନ୍ତୁ ଡାକଡ଼ବାରେ ଥିବା ଲୋକମାନଙ୍କର ଫୁରୁସତ୍ ନଥାଏ ବାହାରକୁ ଅନାଇବାପାଇଁ କି ଢୁଳେଇବାପାଇଁ । ସେମାନେ ଲାଗିଥାନ୍ତି ଚିଠିଗୁଡ଼ିକୁ ବାଛି ନିର୍ଦ୍ଦିଷ୍ଟ ଖୋପଟିମାନଙ୍କରେ ସଜେଇ ରଖିବାରେ–ଯେମିତି କି ଗୋଟିଏ ହେଲେ ସେଥିରୁ ନିଜ ଷ୍ଟେସନ୍ ଭୁଲିଯିବ ନାହିଁ । ଯେଉଁସବୁ ଚିଠି ଏକା ଷ୍ଟେସନ୍‍ରେ ଓହ୍ଲେଇବା କଥା, ସେ ସବୁକୁ ଗୋଟିଏ ଗୋଟିଏ ବ୍ୟାଗ୍‍ରେ ରଖାଯାଇଥାଏ ।

 

ଅଗନାଅଗନି ବନସ୍ତ ଭିତରେ କେଉଁଠି ଗୋଟିଏ ଛୋଟ ଷ୍ଟେସନ୍‍ରେ ଟ୍ରେନ୍‍ ଅଟକେ; ତା’ ପୁଣି ମୋଟେ ମିନିଟିକ ପାଇଁ । ଡାକବାଲାଟିଏ ଆଗରୁ ଆସି ଅପେକ୍ଷା କରିଥାଏ ସେଠି । ଚିଠିଥଳିଟି ବଢ଼େଇଦିଆହୁଏ ତା’ ହାତକୁ, ନଇଲେ ଫିଙ୍ଗିଦିଆଯାଏ ପ୍ଲାଟ୍‍ଫର୍ମ୍ ଉପରକୁ; ସେ ଗୋଟେଇନିଏ ଟିକିଏ ପରେ । ଷ୍ଟେସନ୍‍କୁ ଲାଗି ଡାକଘର । ଚିଠିଥଳି ସେଇଠି ଫିଟେ ଆଉ ଚିଠିଗୁଡ଼ିକ କଢ଼ା ହୁଏ । ଘଣ୍ଟାଏ ଖଣ୍ଡେ ପରେ ଦେଖିବ, ଚିଠିଗୁଡ଼ିକ ଧରି ଡାକବାଲା ଗାଁ ଗାଁ ସାହି ସାହି ବୁଲି ବାଣ୍ଟୁଛି । ପିଲାଏ ସବୁ ଖୁସିରେ ତାକୁ ବେଢ଼ିଯାଇ ପାଟି କରନ୍ତି–“ଏଇ, ଆମ ଖବରକାଗଜ ଆସିଚିରେ !” “ଆମର ଚିଠିପତ୍ର କ’ଣ ଅଛି ?”

 

ଧର, ତାଙ୍କ ଭିତରୁ ଗୋଟିଏ ପିଲା ଖବରକାଗଜଟି ଛଡ଼ା ମସ୍କୋରୁ ଆସିଥିବା ଗୋଟାଏ ବେଶ୍ ଓଜନିଆ ‘ମୋଟା’ ଲଫାଫା ଧରି ଚାଲିଲା ଘରକୁ । ଏଥିରେ ତା’ ସାଙ୍ଗସାଥୀଙ୍କ ଈର୍ଷା ଦେଖିବ କ’ଣ ! ସେମାନେ ଠିକ୍ ବୁଝିପାରନ୍ତି–ପିଲାଟି ଚିଠି ପାଇଚି ତା’ ବଡ଼ଭାଇଠୁଁ, ସେଇ ଯିଏ ମସ୍କୋରେ ପଢ଼େ, ଛାତ୍ରଟିଏ । ଚାହୁଁଚାହୁଁ ଦୁଇଦିନ ଗଡ଼ିଯାଏ । ଯେତିକି ଓଜନର ମୋଟା ଲଫାଫାଟି ପାଇଥାଏ ପିଲାଟି, ତା’ଠୁଁ ଆହୁରି ବେଶୀ ଓଜନିଆ ମୋଟା ଲଫାଫାଟିଏ ବାହାରିପଡ଼େ ଓଲଟା ଦିଗରେ–ଆଗ ଚିଠିଟି ଯେଉଁଠୁ ଆସିଥିଲା ସେଇଠିକି । ସେଥିରେ ଭର୍ତ୍ତି ହୋଇଥାଏ ପିଲାଟିର ବଉଁଶଯାକ ସମସ୍ତଙ୍କର ଚିଠି ।

 

ସେଇ ଚିଠିଟି ଗାଁ ଡାକ ବାକ୍ସରୁ ଚାଲେ ଗାଁ ଡାକଘରକୁ, ସେଠୁ ଟ୍ରେନ୍‍ର ଡାକଡ଼ବାକୁ, ଟ୍ରେନ୍‍ରୁ ଓହ୍ଲେଇ ଅପେକ୍ଷା କରିଥିବା ଡାକମଟରକୁ । ସେଥିରେ ଚଢ଼ି ଧାଏଁ ମସ୍କୋର ବଡ଼ ଡାକଘରକୁ । ସେଇ ଲଫାଫା ଉପରେ ଲେଖା ହୋଇଥାଏ ।

 

ନିକୋଲାଇ ସର୍ଗେୟେଭ

ପ୍ଲଟ୍ ୩୭

୪୦, ଲେନିନ୍‍ଗ୍ରାଦ୍ ହାଇୱେ

ମସ୍କୋ–୪୦

 

ଗାଁରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି । କିନ୍ତୁ ମସ୍କୋରେ ନିକୋଲାଇ ସର୍ଗେୟେଭକୁ ପାଇବା ସହଜ ନୁହେଁ । ସେଠି କେତେ ରାସ୍ତା, କେତେ ଗଳି । ପ୍ରତି ରାସ୍ତା ଆଉ ଗଳିରେ କେତେ ବଡ଼ବଡ଼ କୋଠା, ପ୍ରତି କୋଠାରେ କେତେ ମହଲା, ପ୍ରତି ମହଲାରେ କେତେ ଲୋକ ଯେ ହାଉଜାଉ ସେଠି ସବୁବେଳେ !

 

ଗାଁ ଡାକବାଲା ଭଳି ମସ୍କୋର ବଡ଼ ଡାକଘରର ଡାକବାଲାଙ୍କୁ ଯଦି ଟ୍ରେନ୍‍ରୁ ଓହ୍ଲାହେଲାକ୍ଷଣି ଚିଠିଗୁଡ଼ିକ ବାଣ୍ଟିବାକୁ ଦିଆଯାଏ, ସେମାନେ କେବେ ଭଲା ସେ ସବୁ ବାଣ୍ଟି ପାରିବେ ? ସହରରେ ଦିନଯାକ ବୁଲିବୁଲି ଥକିପଡ଼ିବେ; ଥରେ ସୁଦ୍ଧା ସହରର ଏ ମୁଣ୍ଡରୁ ସେ ମୁଣ୍ଡକୁ ଯାଇପାରିବେ ନାହିଁ । ମସ୍କୋର ଗୋଟିଏ ମୁଣ୍ଡରୁ ଆଉ ଗୋଟିଏ ମୁଣ୍ଡ ଅନେକ, ଅନେକ ମାଇଲ ଦୂର ।

 

ତେଣୁ ଏ କାମକୁ ସହଜ କରିବାପାଇଁ ମସ୍କୋ ସହରକୁ କେତୋଟି ଅଞ୍ଚଳରେ ଭାଗ କରାଯାଇଛି । ପ୍ରତି ଅଞ୍ଚଳରେ ଗୋଟିଏ ଲେଖାଏଁ ଡାକଘର ବସାଯାଇଛି । ଚିଠି ଉପରେ ଯଦି ଠିକଣାରେ ଲେଖାଥାଏ “ମସ୍କୋ–୪୦” ତେବେ ସେ ଚିଠିଟିକୁ ମସ୍କୋର ୪୦ ନମ୍ବର ଡାକଘରକୁ ଆଗ ପଠାଯାଏ; ସେଇ ଡାକଘର ଅଞ୍ଚଳରେ ଅଛି ଲେନିନ୍‍ଗ୍ରଦ୍ ହାଇୱେ ।

 

ସବୁଦିନେ ଦେଶର ଚାରିଆଡ଼ୁ ହଜାର ହଜାର, ଲକ୍ଷ ଲକ୍ଷ ଚିଠି ଧରି ଟ୍ରେନ୍‍ସବୁ ଆସି ପହଞ୍ଚେ ମସ୍କୋରେ । ଚିଠିସବୁ ଗଦା ହେଉଚି ପର୍ବତ ଭଳି । ଏ ଚିଠିଗଦା ଭିତରୁ ଖଣ୍ଡକୁ ଖଣ୍ଡ ଚିଠି ଅଲଗା କରି ଶୀଘ୍ର ଶୀଘ୍ର ବଛା ହୋଇ ଠିକ୍ ଲୋକଙ୍କ ପାଖରେ ପହଞ୍ଚିପାରିବ କେମିତି ?

 

ଟିକିଏ ହେଲେ ସମୟ ନାହିଁ ନଷ୍ଟ କରିବାକୁ । କିଏ ଜାଣେ କେଉଁ ଚିଠିଟି କେଡ଼େ ଜରୁରୀ ହୋଇଥିବ ! ଥରେ ଭାବିଦେଖ, ଜାଣେ କିଏ ଲେଖିଚି–“ମୁଁ ୫ ତାରିଖ ଦିନ ଉପରବେଳା ୩ଟାରେ ମସ୍କୋ ବାଟେ ଯିବି । ଷ୍ଟେସନ୍‍ରେ ମତେ ଭେଟିବ ।” ଧର, ତମେ ଏହି ଚିଠିଟି ପାଇଲ ୬ ତାରିଖରେ । ସେତେବେଳକୁ ମସ୍କୋ ଛାଡ଼ି ଟ୍ରେନ୍‍ଟି ବହୁଦୂର ଚାଲିଯାଇଥିବ ।

 

ତେଣୁ ଡାକଘରେ ଚିଠିଗୁଡ଼ିକ ପଡ଼ିରହିବା କେବେହେଲେ ଠିକ୍ ହେବ ନାହିଁ । ସେଗୁଡ଼ିକର ବଛାବଛି ଚଞ୍ଚଳ ସାରିଦେଇ ସାଙ୍ଗେ ସାଙ୍ଗେ ବିଭିନ୍ନ ଡାକ ଅଞ୍ଚଳକୁ ପଠାଇଦେବା ଦରକାର ।

 

ସବୁଠି ମେସିନ୍ ସାହାଯ୍ୟ କରୁଚି ମଣିଷକୁ । ଡାକଘରେବି ମେସିନ୍ ଯୋଗୁଁ କାମସବୁ ସହଜରେ ସଅଳ ସଅଳ ଶେଷ ହୋଇପାରୁଚି । ଗୋଟିଏ ମେସିନ୍ ଅଛି, ସେ ଚିଠିରେ ମୋହର ମାରେ । ଏହା ଏଡ଼େ ବେଗରେ କାମ କରେ ଯେ ଘଣ୍ଟାକୁ ୩୦ ହଜାର ଚିଠି ଉପରେ ମୋହର ମାରିଦିଏ । କିନ୍ତୁ ସବୁଠୁ ବଳି ଅତି ଅଦ୍ଭୁତ ହେଉଚି ‘ବଛାବଛି’ ମେସିନ୍‍ଟି; ଯେ ଆଗ ବିଭିନ୍ନ ଡାକ-ଅଞ୍ଚଳପାଇଁ ଚିଠିଗୁଡ଼ିକ ବାଛି ଅଲଗା କରିଦିଏ । ଏହା ଏତେ ବଡ଼ ଯେ ବଖରାଏ ଘର ମାଡ଼ିବସେ-। ଚିଠିବଛାଳିମାନେ ଏହି ମେସିନ୍‍ର ଗୋଟିଏ ପାଖରେ ବସନ୍ତି । କାନ୍ଥରେ ଥିବା ଖୋପଗୁଡ଼ିକର ନମ୍ବର ଅନୁସାରେ ଏହି ମେସିନ୍‍ର ବୋତାମସବୁରେ ନମ୍ବର ଦିଆଯାଇଛି । ଧର, ଜଣେ ଚିଠିବଛାଳି ଭାବରେ ମସ୍କୋ ୪୦ ଠିକଣାର ଚିଠିଟି ପଡ଼ିଲା । ସେ ତାକୁ ନେଇ ମେସିନ୍‍ରେ ଗଳାଇଦେଲେ ୪୦ ନମ୍ବର ବୋତାମଟି ଟିପିଲା । ଚିଠିଟି ମେସିନ୍ ବାଟେ ଯାଇ ଠିକ୍ ଖୋପଟିରେ ପଡ଼ିଯିବ ।

 

ଏହାପରେ ଆରମ୍ଭ ହୁଏ ବନ୍ଧାବନ୍ଧି ମେସିନ୍‍ର କାମ । ଗୋଟିଏ ଡାକ ଅଞ୍ଚଳକୁ ଯାଉଥିବା ଚିଠିଗୁଡ଼ିକୁ ବିଡ଼ା ବିଡ଼ା କରି ବାନ୍ଧିଦିଏ ଏହି ମେସିନ୍ । ଅଳ୍ପ କେଇଟି ମିନିଟ୍ ପରେ ଦେଖାଯାଏ–ଡାକଥଳିରେ ଭର୍ତ୍ତି ହୋଇ ସେଇ ଚିଠିବିଡ଼ାଗୁଡ଼ିକ ଚାଲେ ଲେନିନ୍‍ଗ୍ରାଦ୍ ହାଇୱେକୁ । ସେଠାର ଆଞ୍ଚଳିକ ଡାକଘରେ ଚିଠିଗୁଡ଼ିକ ଆହୁରି ଥରେ ବଛାହୁଏ ସାହି ଆଉ ଗଳି ଅନୁସାରେ । ପ୍ରତ୍ୟେକ ଡାକବାଲା ପାଇଁ ନିର୍ଦ୍ଦିଷ୍ଟ ହୋଇ ରହିଥାଏ ସାହି କେତୋଟି । ସେଇ ସାହିର ଅନ୍ଦିସନ୍ଧି ଭଲରୂପେ ଜାଣିଥାଏ ସେ; ଏମିତିକି ଅନ୍ଧାରରେ ଯାଇ ସେ ଠିକ୍ ଜାଗାରେ ପହଞ୍ଚିଯାଇପାରେ ଅକ୍ଳେଶରେ ।

 

ଏମିତି ଗାଁରୁ ଚିଠିଟିଏ ଯାଇ ଶେଷରେ ହାଜର ହେଲା ଲକ୍ଷ୍ୟସ୍ଥଳରେ–ସର୍ଗେୟେଭ ବୋଲି ଛାତ୍ରଟି ଯେଉଁ ଫ୍ଲାଟ୍‍ରେ ଥାଏ, ସେଇ ଘର ଦ୍ଵାର ମୁହଁରେ ଲାଗିଥିବା ଚିଠିବାକ୍ସରେ ।

 

‘ଡାକ’ କଥାଟି ଆମର ନିତିଦିନିଆ କାରବାରରେ ଏପରି ମିଶିଯାଇଚି ଯେ ଆମେ ତାକୁ ଗୋଟିଏ ସ୍ଵତଃସିଦ୍ଧ ଘଟଣା ବୋଲି ଧରିନେଇଛୁ । ଆମେ ଜାଣୁ, ଜଣକ ପାଖକୁ ଚିଠିଟିଏ ଡାକରେ ପଠାଇଲେ ନିଶ୍ଚୟ ସେଇଟି ତା’ ପାଖରେ ପହଞ୍ଚିବ । ଯଦି ସେ ଲୋକଟି ରେଳରାସ୍ତା ପାଖରୁ ଦୂରରେ ଥିବ ତେବେ ଚିଠିଟି ରେଳ ଷ୍ଟେସନ୍‍ରୁ ଡାକ ମଟରରେ ପଠାଯିବ । ଯଦି ଗୋଟାଏ ବଡ଼ ହ୍ରଦ କି ସମୁଦ୍ର ପାରିହେବାକୁ ଥିବ ତେବେ ସେ ଚିଠିଟି ନାହା କି ଜାହାଜରେ ଯିବ । ଏମିତି କେତେ ଜାଗା ଅଛି ଯେଉଁଠିକି ମଟର, ଟ୍ରେନ୍‍, ନାହା କି ଜାହାଜ ଯାଇପାରିବ ନାହିଁ ଆଦୌ । ସେଠିକି ଚିଠିଟି ଉଡ଼ାଜାହାଜରେ ଉଡ଼ି ଉଡ଼ି ଚାଲିଯିବ । ପୃଥିବୀର ଉତ୍ତର ଅଞ୍ଚଳରେ ଅତି ଛୋଟ ଦ୍ଵୀପଟିମାନଙ୍କରେ ଥିବା ଲୋକେବି ନିଜ ଘରୁ ଚିଠି ପାଉଛନ୍ତି, ଆଉ ଘରକୁ ଚିଠି ଲେଖିପାରୁଛନ୍ତି ।

 

ଆମ ଦେଶଟି ଅତି ବିରାଟ; କିନ୍ତୁ ଡାକ, ଟେଲିଫୋନ୍, ଟେଲିଗ୍ରାମ୍ ଯୋଗେ ଏହାର ସବୁ ଅଞ୍ଚଳ, ସବୁ ସହର ସବୁ ଗାଁ ଆଜି ଗୋଟିଏ ଅଦେଖା ସୂତାରେ ଯେମିତି ଛନ୍ଦା ହୋଇଯାଇଛି-। ଏବେ କ’ଣ ଆମେ ବିଶ୍ଵାସ କରିପାରିବା, ଏଭଳି ଦିନ ଥିଲା ଯେତେବେଳେ କି ଲୋକଙ୍କ ଭିତରେ ଦୂର ଦୂରାନ୍ତରକୁ ଚିଠି ଦିଆନିଆ ଅତି କଷ୍ଟକର ଥିଲା ? ଏବେ ଆମେ ବହିରେ ଖାଲି ପଢ଼ୁଛୁ–ଅକ୍‍ଟୋବର ବିପ୍ଳବ ପୂର୍ବରୁ ରୁଷରେ କେଉଁଠି ହେଲେ ଗାଁ ଡାକବାଲା ନଥିଲେ, ଗାଁ କଥା ପଚାରେ କିଏ, ଏମିତି କି ଛୋଟ ସହରରେବି ଡାକବାକ୍ସଟିଏ ଗୋଟାଏ ବିଚିତ୍ର ଜିନିଷ ଥିଲା-। ଗାଁରୁ କେହି ଚିଠିଟିଏ ଦେବାକୁ ବାହାରେ ତାଙ୍କୁ ଗାଁ ନିକଟର ସହରକୁ ଯିବାକୁ ପଡ଼ିଥିଲା-। ଯେଉଁ ଅଞ୍ଚଳରେ ସବୁ ରେଳରାସ୍ତା ନଥିଲ ନାହା କି ଜାହାଜ ଚଳାଚଳର ସୁବିଧା ନଥିଲା, ସେଠିକି ସେତେବେଳେ ଚିଠିଗୁଡ଼ିକୁ ଉଡ଼ାଜାହାଜ କି ମଟରରେ ତ ନିଆ ଯାଉ ନଥିଲା; ସେତେବେଳେ ଡାକ ନିଆଅଣା ହେଉଥିଲା ଘୋଡ଼ା କି ଓଟ ପିଠିରେ କିମ୍ବା ବଲ୍‍ଗା ହରିଣ ବା କୁକୁର ଟଣା ସ୍ଲେଜ୍ ଗାଡ଼ିରେ । ସେତେବେଳେ ଯଦି କେହି ସୁଦୂର ଉତ୍ତରାଞ୍ଚଳକୁ କି କୌଣସି ମରୁରାଜ୍ୟକୁ ବହୁତ ଦିନପାଇଁ ଯାଉଥିଲା, ତେବେ ତା’ର ପରିବାର ଲୋକେ ତା’ ବିଷୟରେ କିଛି ଖବର ପାଉ ନଥିଲେ–ସେ ବଞ୍ଚିଛି କି ମଲାଣି ଜାଣିପାରୁ ନଥିଲେ ।

 

ଆଉ ଟିକିଏ ଅତୀତକୁ ଯଦି ଆମେ ଆଖି ଫେରାଇବା । ତେବେ ଦେଖିବା ଆଉ କିଛି କାଳ ପୂର୍ବେ ରାଜଧାନୀରେବି ଡାକଘରଟିଏ ଗୋଟାଏ ଅତି ଅପୂର୍ବ ଘଟଣା ପରି ଥିଲା । ଶହେବର୍ଷ ଆଗେ ମସ୍କୋରେ ଗୋଟିଏ ହେଲେ ଚିଠି ବାକ୍ସ ନଥିଲା । ସେଠି କାହାର ଯଦି ଚିଠିଟିଏ ଡାକରେ ପକେଇବା ଦରକାର ପଡ଼ୁଥିଲା ତେବେ ସେ ଯାଉଥିଲା ସାହିର ତେଜରାତି ଦୋକାନକୁ । ସେଇ ଦୋକାନର ସାମ୍ନା ଦ୍ଵାରମୁହଁରେ ଲେଖା ହୋଇଥାଏ, “ସହରର ଡାକଘର ପାଇଁ ଏଠି ଚିଠି ନିଆଯାଏ ।” ଚିଠିଟିଏ ଡାକଘରକୁ ପଠାଇଦେବାପାଇଁ ଦୋକାନୀକୁ ୨୦ କପେକ୍ ଦେବାକୁ ପଡ଼ୁଥିଲା । ଡାକବାଲା ସବୁ ଦିନକୁ ତିନିଥର ଲେଖାଏଁ ଆସୁଥିଲେ; ଚିଠିଗୁଡ଼ିକୁ ଦୋକାନମାନଙ୍କରୁ ସଂଗ୍ରହ କରିନେଉଥିଲେ । ଏଇ ଡାକବାଲାମାନେ ଏଡ଼େ ବଢ଼ିଆ ଦିଶୁଥିଲେ ଯେ ସେମାନଙ୍କୁ ଦେଖିଲେ ଆଖି ଖୋସି ହୋଇଯାଉଥିଲା । ମୁଣ୍ଡରେ ତାଙ୍କର ଉଞ୍ଚା ଉଞ୍ଚା ଚମତ୍କାର ଚମଡ଼ାର ଟୋପି । ସେଥିରେ ପୁଣି ଖଞ୍ଜା ହୋଇଥାଏ ତମ୍ବାର ଦୋ’ମୁଣ୍ଡିଆ ଇଗଲ ଚଢ଼େଇ । ଆଉ ତାଙ୍କ ଅଣ୍ଟାରେ ଲାଗିଥିବା ବେଲ୍‍ଟରେ ଝୁଲୁଥାଏ ତରବାରିମାନ । ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଡାକ ନେଇ ଗଲାବେଳେ ଡାକବାଲାମାନଙ୍କୁ ସାଙ୍ଗରେ ତରବାରି ନେବାକୁ ପଡ଼ୁଥିଲା । ଏଣୁ ଅନୁମାନ କରିହେବ, ଡାକବାଲାଟିର ଚିଠି ନିଆଅଣା କାମ ଆଦୌ ନିରାପଦ ନଥିଲା ସେତେବେଳେ । ସହରରେ ବାହାରକୁ ଡାକ ପଠାଯାଉଥିଲା ବଡ଼ବଡ଼ ଘୋଡ଼ାଗାଡ଼ିରେ, ଆଉ ସେଇ ଗାଡ଼ିକୁ ଟାଣୁଥିଲେ ତିନିତିନିଟି ଘୋଡ଼ା । ରାସ୍ତାଗୁଡ଼ାକ ଏଡ଼େ ଖରାପ ଥିଲା ଯେ ଡାକବାକ୍ସର ଉପରେ ବସିଥିବା ବିଚାରା ଡାକବାଲାଟି ସବୁବେଳେ କଚି ହୋଇ, ଉଠୁପଡ଼ ହୋଇ କୌଣସିମତେ ଜୀବନ ରଖି ଯାଆସ କରୁଥିଲା । ବିଶେଷରେ ପାଗ ଯେତେବେଳେ ଖରାପ ହେଉଥିଲା କି ଗ୍ରୀଷ୍ମଦିନରେ ବରଫ ତରଳିବାକୁ ଆରମ୍ଭ କରିଦେଉଥିଲା, ସେତେବେଳେ ତ ଡାକବାଲାଟିର କଷ୍ଟ କହିଲେ ନ ସରେ । ଚିଠିଗୁଡ଼ିକର ଅବସ୍ଥା ଯେ ଭଲ ଥିଲା, ଏହାବି ନୁହେଁ । ଅନେକ ସମୟରେ ସେଗୁଡ଼ାକ ହଜିଯାଉଥିଲା କିମ୍ବା ପଠାହେବାର କେତେ ସପ୍ତାହ ପରେ ଯାଇ ଲକ୍ଷ୍ୟଜାଗାରେ ପହଞ୍ଚୁଥିଲା । ଏଣୁ ଲୋକେ କୌଣସି ଗୋଟିଏ ଖବର ପାଇଲାବେଳକୁ ତାହା ଏତେ ପୁରୁଣା ହୋଇଯାଉଥିଲା ଯେ ତାହା ଆଉ ଖବର ଭଳି ଲାଗୁ ନଥିଲା ।

 

ଏଇ ଅତୀତ କାଳର କଥା ଆମକୁ ଟିକେ ମନେରଖିବାକୁ ପଡ଼ିବ । ତାହାହେଲେ ଆମେ ଏବର ‘ଡାକ ପ୍ରଣାଳୀ’ କଥା ଭଲଭାବରେ ଗ୍ରହଣ କରିପାରିବୁ, ପସନ୍ଦ କରିପାରିବୁ । ଆଉ ଦୂର ଦୂରାନ୍ତ ସହରରୁ କି ଗାଁରୁ ଚିଠିପତ୍ରସବୁ ଯେଉଁ ହଜାର ହଜାର ଡାକ-କର୍ମଚାରୀଙ୍କର ଦ୍ରୁତ ଆଉ ଦକ୍ଷ କାମ ଯୋଗେ ପ୍ରତିଦିନ ଆମ ଦ୍ଵାରମୁହଁରେ ଆସି ପହଞ୍ଚୁଛି, ଯାହା ଯୋଗୁଁ ସତେ ଅବା ସେଇ ସ୍ଥାନଗୁଡ଼ିକ ସାକ୍ଷାତ୍‍ରେ ଆସି ଆମ ପାଖରେ ଦେଖାଦେଉଛି, ସେହି ଦକ୍ଷ କାମକୁ ଆମେ ପ୍ରକୃତରେ ହୃଦୟଙ୍ଗମ କରିପାରିବୁ ।

Image

 

ବହୁଦୂରର ଅତିଥି

 

ରାତି ପାହିଲେ ନୂଆବର୍ଷ ! ଚାରିଆଡ଼େ ଉତ୍ସବର ଆୟୋଜନ ଆରମ୍ଭ ହୋଇଯାଇଛି । ଗୋଟିଏ କାରଖାନାର ବିରାଟ କ୍ଲବ୍‍ଘର ମଝିରେ ଆସି ରଖାହେଲା ଗୋଟିଏ ଫର୍‍ଗଛ । ଗଛର ଅଗଟି ଘରର ଛାତ ଦେହରେ ଲାଗିଥାଏ । ଏଡ଼େ ଡେଙ୍ଗା ଫର୍‍ଗଛଟିଏ ମିଳିଲା କେଉଁଠୁଁ ? ମିଳିଲା ଜଙ୍ଗଲରୁ, ଯେଉଁଠି ବେଶ୍ ଶାନ୍ତିରେ ଥିଲା ସେଇଟି । କେବେହେଲେ ସ୍ଵପ୍ନରେ ସୁଦ୍ଧା ସେ ଭାବି ନଥିଲା ଯେ ତା'ର ବହଳିଆ ଶାଗୁଆ ଶାଗୁଆ ଛୁଞ୍ଚି ଭଳି ମୁନିଆ ପତ୍ର ଗହଳିରେ ନାନାରଙ୍ଗର ଆଲୁଅସବୁ ଝଲମଲ କରିଉଠିବ, ଆଉ ଲାଲ କାଚର ଛୋଟ ଛୋଟ ବଲ୍‍ଗୁଡ଼ିଏ ଚକ୍‍ଚକ୍ କରିବ; ପୁଣି ମୂଳରୁ ଶିଖଯାଏ ତା’ର ଦେହଗୋଟାକ ଛାଇ ହୋଇଯିବ ସୁନେଲି ରୁପେଲି ଜରିର ସୂତାରେ–କି ସୁନ୍ଦର କୌତୁକିଆ ଖେଳଣା ସବୁ ଝୁଲିବ ତା’ର ଡାଳଗୁଡ଼ିକରେ । କେବେହେଲେ ସେଇ ଫର୍‍ଗଛଟି କଳ୍ପନା କରି ନଥିଲା, କେଡ଼େ ବଡ଼ ଲମ୍ବା ଧଳା ଦାଢ଼ିଟାକୁ ଓହଳେଇଦେଇ 'ତୁଷାର ଅଜା' ଆସି ଛିଡ଼ାହେବ ତା'ର ସେଇ ଗଣ୍ଡି ପାଖରେ, ଠିକ୍ ଯେଉଁଠି ଦିନେ କେବଳ ଠେକୁଆଗୁଡ଼ିକ ଖେଳୁଥିଲେ ଆଉ ସାନ ସାନ ଧଳା ଧଳା ଛତୁଟିମାନ ଫୁଟୁଥିଲା । ସତେ କେମିତି ବା ସେ ଜାଣିପାରିଥାନ୍ତା ଯେ ଗିର୍ଜାର ଗମ୍ବୁଜ ଭଳି ଗୋଜିଆ ହୋଇଉଠିଥିବା ତା’ର ଅଗ ଡାଳିଟିରେ ବିରାଟ ଗୋଟିଏ ପାଞ୍ଚ ଶାଖିଆ ଉଜ୍ଜ୍ଵଳ ତାରା ଝଲସି ଉଠିବ ?

 

କି ମଜାରେ ତମେ ତୁମ ସାଙ୍ଗସାଥୀ ମେଳରେ ସେଇ ଗଛର ଚାରିପଟେ ଘୂରି ଘୂରି ଖେଳିଲ–କେତେ ଡେଇଁଲ, ନାଚିଲ, ଗୀତ ଗାଇଲ ! ଆଉ ନୂଆବର୍ଷର ଭୋଜି ଉତ୍ସବଟା ସରିଲା ପରେ ଯେତେବେଳେ ଘରକୁ ଯିବାକୁ ହେଲା, କି ଖରାପ ଲାଗିଲା ତୁମକୁ ! ତେବେ ଏଇଟା ସତ, ଖାଲି ହାତରେ ଘରକୁ ଫେରିଲ ନାହିଁ ତମେ । ଗୋଟି ଗୋଟି କରି ସବୁ ପିଲାଙ୍କୁ ଛୋଟ ଛୋଟ ଲାଲ ସେଲୋଫେନ୍‍ର ମୁଣିଟିମାନ ଦିଆହେଲା । ପ୍ରତ୍ୟେକ ମୁଣିରେ କେତେ ମଜାର ଜିନିଷ ସବୁ ଥିଲା ! ସେଥିରେ ଥିଲା ଗୋଟାଏ ବଡ଼ ଲାଲ ସେଓ । ବହୁତ ଦୂରରୁ ଆସିଥିଲା ସେଇଟି । ଖରାଦିନେ ପ୍ରକାଣ୍ଡ ସେଓ ଗଛର ପତ୍ରଗହଳରେ ଲୁଚିରହିଥିଲା ସେଇଟି । ଆଉ ସେ ସେଓ ଗଛଟି ଥିଲା ଗୋଟିଏ ଫଳ ବଗିଚାରେ ବରଫ ଟୋପିଲଗା ଉଞ୍ଚା ପର୍ବତ ତଳରେ ଠିକ୍ । ଗଛଟି ଯଦି ଛୋଟ ହୋଇଥାନ୍ତା ତେବେ ବଡ଼ବଡ଼ ସେଓଗୁଡ଼ିକର ଭାର ସହିପାରି ନଥାନ୍ତା ଆଦୌ । ସେଇ ଜାଗାରେ ଏତେ ସେଓ ଫଳେ ଯେ, ସେଓକୁ ଲଗାଇ ଗୋଟାଏ ସହରର ନାଁବି ଦିଆହୋଇଚି । କାଜାକ୍ ଭାଷାରେ 'ଆଲମା-ଆଟାର ଅର୍ଥ 'ସେଓର ଜନକ' । ଆଲ୍‍ମା-ଆଟା ସହରଟି କାଜାକ୍‍ସ୍ଥାନର ରାଜଧାନୀ ।

 

ମସ୍କୋଠୁ ଆଲମା-ଆଟା ବହୁତ ଦୂର ନୂଆବର୍ଷ ଉତ୍ସବ ସକାଶେ ମସ୍କୋରେ ଆସି ପହଞ୍ଚିବାପାଇଁ ସେଓଗୁଡ଼ିକୁ ସପ୍ତାହେ ଆଗରୁ ଆଲମା-ଆଟାରୁ ବାହାରିବାକୁ ପଡ଼ିଥିଲା । ସେମାନେ ରେଳଗାଡ଼ିରେ ବୁହା ହୋଇ ଆସିଥିଲେ କେତେ ମରୁଭୂମି, କେତେ ସମତଳ ପ୍ରଦେଶରେ, କେତେ ବଣଜଙ୍ଗଲ, କେତେ ପାହାଡ଼ ପର୍ବତ ଉପରେ । ସେମାନେ ଆସୁଥିବାବେଳେ ଷ୍ଟେସନ୍‍ରେ କେଉଁଠି ଟ୍ରେନ୍‍ଟି ଅଟକିଲେ ସେଠାର ଲୋକେ କହନ୍ତି "ଆଃ, କି ଚମତ୍କାର ବାସନା ! ଏ ଡବାଗୁଡ଼ାକରେ ସେଓ ଅଛି ନିଶ୍ଚୟ ।"

 

ତମେ ଯେଉଁ ଛୋଟ ଲାଲ ସେଲୋଫେନ୍ ମୁଣିଟି ପାଇଥିଲ ସେଥିରେ ଥିଲା ଗୋଟିଏ ଖଟା କମଳା ବା ନାରଙ୍ଗୀ । ଏଇଟିବି ଆସିଥିଲା ବହୁତ ଦୂରରୁ–କୃଷ୍ଣ ସାଗରକୂଳରୁ । ତାହା ଏମିତି ଗୋଟିଏ ସ୍ଥାନ, ସେଠି ଶୀତ କ’ଣ କେହି ଜାଣନ୍ତିନାହିଁ; ସେଠି ସବୁବେଳେ ଉଷୁମ ହଟ୍‍ହାଉସ୍‍ର ଉଷୁମ ପରି । ସେଇଥିପାଇଁ ସେଠି କାଗଜିଲେମ୍ବୁ ଆଉ ନାରଙ୍ଗୀ ଟଭା ଇତ୍ୟାଦି ଗଛ ସ୍ଵଚ୍ଛନ୍ଦରେ ବଢ଼େ । ଏ ଗଛଗୁଡ଼ିକ ବେଶି ଥଣ୍ଡା ସହିପାରେ ନାହିଁ । ସେଓ ବା ଅଙ୍ଗୁର ବୁଦା ଭଳି ଲେମ୍ବୁ ଆଉ ନାରଙ୍ଗୀ ଟଭା ଗଛ କେବେ ପତ୍ର-ଝଡ଼ା ଦିଏନାହିଁ । ସବୁବେଳେ ସବୁଜ ପତ୍ରରେ ଭରିହୋଇଥାଏ । ସେଠି ପାହାଡ଼ଗୁଡ଼ିକର ଢାଲୁ ଜାଗାମାନଙ୍କରେ ଧାଡ଼ି ଧାଡ଼ି ହୋଇ ବୁଦିବୁଦିକିଆ ଚାହାଗଛସବୁ ଲାଗିଥାଏ । ଏହି ଚାହାବୁଦାଗୁଡ଼ିକର ପତ୍ରରୁ ଚାହା ତିଆରି ହୁଏ । କମଳା, ଲେମ୍ବୁ, ନାରଙ୍ଗୀ ଟଭା, ଆଉ ଡାଳିମ୍ବ ଗଛରେ ଭରପୂର ମାଳକୁ ମାଳ ତୋଟାସବୁ ସେଠି ରହିଛି । ଡାଳିମ୍ବ ଗଛଗୁଡ଼ିକରେ ଯେତେବେଳେ ଫୁଲ ଫୁଟେ, ଲାଗେ ସତେ ଯେମିତି ଲାଲ ଆଲୁଅଗୁଡ଼ିଏ ଖଞ୍ଜା ହୋଇ ରହିଛି ପତ୍ରଗହଳିରେ । ଲେମ୍ବୁଗଛର ଫୁଲଗୁଡ଼ିକ ଦିଶେ ନାଲିଆସିଆ, ଆଉ କମଳା ଫୁଲଗୁଡ଼ିକ ଛାଇ ହୋଇଯାଏ ଠୋପାକୁ ଠୋପା ଧଳା ମହମ ଭଳି । ଫଳଫୁଲରେ ଲଦିହୋଇ ଗଛଗୁଡ଼ିକର ଡାହିସବୁ ନଇଁପଡ଼ିଲାବେଳେ କି ଚମତ୍କାର ବାସନା ଚାରିଆଡ଼େ ଚହଟିଯାଏ ! ଗୋଟିଏ ଗୋଟିଏ କମଳା କି ନାରଙ୍ଗ ଗଛରେ ଯେତେ ଫଳ ଧରେ ସେଥିରେ ଗୋଟାଏ ଗୋଟାଏ ଟ୍ରକ୍ ଭର୍ତ୍ତି ହୋଇଯିବ ।

 

କିଛି ବିସ୍କୁଟ୍‍ବି ଥିଲା ସେଇ ଛୋଟ ନାଲି ମୁଣିରେ । ସେଗୁଡ଼ିକ ପ୍ରସ୍ତୁତ ହୋଇଥିଲା ମସ୍କୋର ଗୋଟିଏ ବିସ୍କୁଟ୍ କାରଖାନାରେ । ମଇଦାରେ ତିଆରି ସେଗୁଡ଼ିକ । ସେ ମଇଦା ପୁଣି ତିଆରି ହୋଇଥିଲା ଯେଉଁ ଗହମରୁ ସେଇ ଗହମ ଆସିଥିଲା ଗୋଟିଏ କୋଠଚାଷ କ୍ଷେତରୁ । ବେଶ୍ ଟାଣୁଆ ଟାଣୁଆ ଟଫି ଆଉ ଚକୋଲେଟ୍‍ବି ଥିଲା ସେଇ ଛୋଟ ବ୍ୟାଗ୍‍ରେ । ସେଗୁଡ଼ିକ ତିଆରି ହୋଇଥିଲା ଗୋଟିଏ ମିଠେଇ କାରଖାନାରେ । ଭାବିଲ ଦେଖି, ତୁମେ ଯେଉଁ ସେଓ, ବିସ୍କୁଟ୍, ନାରଙ୍ଗ, ଟଫିକୁ ଏତେ ଭଲପାଅ, ସେଗୁଡ଼ିକ ତୁମର ଛୋଟ ନାଲି ବ୍ୟାଗ୍‍ରେ ଏକାଠି ଆସି ପଶିବା ପୂର୍ବରୁ କେତେକେତେ ଲୋକ କାମ କରିଛନ୍ତି ସେଥିପାଇଁ !

 

ତମେ କଳ୍ପନା କରିପାରିବ ଭଲା, ତମକୁ ଯଦି ଏକାଏକା ଗହମକୁ ଚୁରି ମଇଦା କରିବାକୁ ପଡ଼େ, ବିସ୍କୁଟ୍ ତିଆରିପାଇଁ ଲହୁଣୀ ମନ୍ଥିବାକୁ ହୁଏ, ଟଫି ସକାଶେ ବିଟ୍‍ରୁ ଚିନି ବାହାର କରିବାକୁ ପଡ଼େ, ଆଲମା–ଆଟାରାରେ ସେଓଗଛଗୁଡ଼ିକୁ ଦେଖାଚାହାଁ କରିବାକୁ ହୁଏ, ଆଉ କୃଷ୍ଣ ସାଗରକୂଳରେ ଥିବା ଗଛମାନଙ୍କରୁ ନାରଙ୍ଗ ତୋଳିବାକୁ ପଡ଼େ, ତେବେ କେମିତି ଲାଗିବ ତମକୁ-? ଏକା ସମୟରେ ତମକୁ ଯାଇ କେତେ ଜାଗାରେ ରହିବାକୁ ହେବ, ଆଉ ତମର ଯୋଡ଼ିଏ ହାତରେ ନୁହେଁ, ହଜାର ହଜାର ହାତରେ କାମ କରିବାକୁ ହେବ । ପାରିବ ତ ?

 

କିନ୍ତୁ ତମକୁ ସେସବୁ କରିବାକୁ ପଡ଼ୁନାହିଁ । ତମପାଇଁ କାମ କରିବା ସକାଶେ ମାଳୀ ଅଛନ୍ତି, ରୁଟିସେକାଳି, ମିଠେଇବାଲା, ରାନ୍ଧୁଣିଆ ଅଛନ୍ତି; ରେଳବାଇର କେତେକେତେ ଲୋକ ଅଛନ୍ତି । ତମକୁ ଯେଉଁ ସୁନ୍ଦର ସୁନ୍ଦର ଫଳ ଆଉ ମିଠେଇ ଦିଆଯାଇଥିଲା, ସେସବୁ କେତେକେତେ ଜାଗାରୁ ଅଣାଯାଇଥିଲା ମସ୍କୋକୁ । ଶେଷରେ ସେସବୁ ଆଶ୍ରୟ ପାଇଥିଲେ ଗୋଟିଏ ମସ୍ତବଡ଼ ଖାଦ୍ୟ ଭଣ୍ଡାରରେ । ତମେ ତ କେତେ ଥର ଏମିତିକା ଖାଦ୍ୟ ଭଣ୍ଡାରକୁ ଯାଇଥିବ ନିଶ୍ଚୟ । ସେଇ ଭଣ୍ଡାରର ଫଳ ବିଭାଗଟି କେମିତି ମହମହ ବାସେ ! ସେଇ ବାସନା ଯେମିତି ଭାସିଆସିଥାଏ କାହିଁ ତ୍ରିମିୟା, କାହିଁ କକେସସ୍, ଆଲମାଆଟା ଆଉ ତାସକେନ୍ଦର ଫଳବଗିଚାଗୁଡ଼ିକରୁ । ଶୀତଦିନେ ସେଇଠି ସେ ବିରାଟ ଫର୍‍ଗଛଟିକୁ ଦେଖି ତମେ ତାଟକା ହୋଇଯାଇଥିଲ, ନା !

 

ତୁମେ ଖାଦ୍ୟଭଣ୍ଡାରଟିର ସବୁ ବିଭାଗ ଦେଖିଥିବ–'ମାଉଁସ ବିଭାଗ', ଫଳ ବିଭାଗ, ରୁଟିସେକା ବିଭାଗ । କିନ୍ତୁ ସେତିକି ଦେଖିଥିଲେ ଭଣ୍ଡାରଟିର ମୋଟେ ଅଧେ ଅଂଶ କଥା ଜାଣିଥିବ-। ତା’ର ଆଉ ଅଧେ ଅଂଶ ଅଛି । ଖରିଦଦାରମାନେ ତାକୁ ଦେଖିବାକୁ ପାଆନ୍ତିନାହିଁ ।

 

ତମେ ଯେତେବେଳେ ତମ ମାଆଙ୍କ ସାଙ୍ଗରେ ଭଣ୍ଡାରଟିରେ ବୁଲୁଥିଲ, ସେତେବେଳେ କ’ଣ ଧାରଣା କରିପାରିଥିଲ–ସେଠି ତମ ପାଦତଳରେ ଠିକ୍ ଆଉ ଗୋଟିଏ ଭଣ୍ଡାର ଅଛି ବୋଲି-? ମାଟିତଳ ଭଣ୍ଡାର ସେଇଟି । କାଉଣ୍ଟର ପାଖରେ ଯାହାସବୁ ବିକ୍ରି ହୁଏ, ସେଗୁଡ଼ିକ ପ୍ରଥମେ ତଳଘରୁ ବିକାଳିମାନଙ୍କ ପୋଖକୁ ପଠାଯାଇଥାଏ । ଘରମାନଙ୍କରେ ଲୋକଙ୍କର ଯାଆସପାଇଁ ଯେମିତି ଉଠାପାହାଚ ବା ଲିଫ୍‍ଟ୍‍ ଅଛି, ଭଣ୍ଡାରେବି ସେମିତି ସେଓ, ନାସପାତି, ମଇଦା, ଚିନି, ଲହୁଣୀ, ମାଉଁସପାଇଁ ଉଠପାହାଚ ଅଛି । ଭଣ୍ଡାରଘର ଉପରମହଲାରେ କାଉଣ୍ଟର ବା କାରବାର ଥାକରୁ ଜିନିଷପତ୍ର ଯେତେବେଳେ ଖାଲି ହୋଇଯାଏ ସେତେବେଳେ ଏଇ ଉଠାପାହାଚ ବୋହିଆଣେ ଝୁଡ଼ିକୁ ଝୁଡ଼ି, ପିମ୍ପାକୁ ପିମ୍ପା ଢାବଲକୁ ଢାବଲ ଖାଦ୍ୟ ଜିନିଷ । ପୁଣି ମାଉଁସ ଦୋକାନତଳେ ଠିକ୍ ଅଛି ମାଟିତଳ ମାଉଁସ ବିଭାଗ, ମାଛ ଦୋକାନତଳେ ମାଟିତଳ ମାଛ ଭଣ୍ଡାର-। ଏମିତି ସମୁଦାୟ ଭଣ୍ଡାରଟିର ପ୍ରତି ବିଭାଗର ତଳେ ତଳେ ବହିଚି ସେଇ ବିଭାଗର ମାଟିତଳ ଭଣ୍ଡାରଗୁଡ଼ିକ ।

 

ତମେ ଯଦି ମାଟିତଳ ମାଉଁସ ଭଣ୍ଡାରକୁ ଯାଅ, ତମକୁ ଲାଗିବ ଜୁନ୍‍ମାସ ମଝିରେ ଶୀତଋତୁଟା ହଠାତ୍ ପହଞ୍ଚିଗଲା ଯେମିତି ! ଦେଖିବ, କାନ୍ଥକୁ ଲାଗିଲାଗି ରହିଥିବା ‘ପାଇପ୍‍’ଗୁଡ଼ାକ ଦେହରେ ବସିଯାଇଚି ଧଳା ଧଳା ତୁଷାର ଚୂନା ଆଉ ନିଃଶ୍ଵାସ ମାରିଲାକ୍ଷଣି ବା ରିବ ଶୀତଦିନ ଭଳି ବାମ୍ଫ ବାହାରିବ ମୁହଁରୁ । ସେଠି ଏତେ ଥଣ୍ଡା କାହିଁକି ଯେ ? ଏ ଥଣ୍ଡା 'ମେସିନ୍-ତିଆରି' ଥଣ୍ଡା-। ଘରେ ତମର ଘରକୁ ଗରମ ରଖିବାପାଇଁ ଉଷୁମ ବାଷ୍ପର ପାଇପ୍‍ମାନ ଅଛି, କିନ୍ତୁ ମାଟିତଳ ଭଣ୍ଡାରରେ ପାଇପ୍‍ଗୁଡ଼ିକ ଖଞ୍ଜା ହୋଇଛି ଭଣ୍ଡାରଟିକୁ ହେମାଳ ରଖିବାପାଇଁ । ଗୋଟାଏ ପ୍ରକାର ତରଳ ଥଣ୍ଡା ପଦାର୍ଥ ଜଳ ସାହାଯ୍ୟରେ ପମ୍ପ୍ କରାଯାଇ ଏଇ ପାଇପ୍‍ଗୁଡ଼ିକରେ ଛଡ଼ାଯାଏ । ତା’ ଫଳରେ ଆଗପାଖର ପବନ ଥଣ୍ଡା ରହେ ।

 

ଭଣ୍ଡାରଟିର ଉପରମହଲାରେ ବହୁତ ଲୋକଙ୍କର ଯାଆସ ଲାଗିଥାଏ । କାଉଣ୍ଟରର ପଛ ପାଖରେ ଥାଆନ୍ତି ବିକାଳିମାନେ ଆଉ ସାମନା ପାଖରେ ବିକାଳିମାନେ । କିନ୍ତୁ ମାଟିତଳ ଭଣ୍ଡାରରେ ବେଶି ଲୋକ ନଥାନ୍ତି । କାରଣ ସେଠି ବିକାଳି ଆଉ ବିକାଳିଙ୍କ କଥା ତ ନଥାଏ । ତେବେ ସେଠି ଯେ ସଦାବେଳେ କାମ ଚାଲି ନଥାଏ, ଏହା ନୁହେଁ । ସେଇଠି ତ ପୁଣି ଖାଦ୍ୟ ଜିନିଷ ପ୍ରସ୍ତୁତ ହୁଏ ବିକ୍ରିପାଇଁ । ସେଠି ଚିନି ଓଜନ ହୁଏ, ମାଉଁସ କଟା ହୁଏ, ଫଳ ସବୁ ବଛାବଛି ହୋଇ ପ୍ରକାରକୁ ପ୍ରକାର ସଜାସଜି ହୋଇରହେ । ଥାକକୁ ଥାକ ଝୁଡ଼ିକି ଝୁଡ଼ି ଧଳା ସେମିଜ ପିନ୍ଧି ସ୍ତ୍ରୀଲୋକଟିଏ ନାରଙ୍ଗ ଆଉ ଟଭାଗୁଡ଼ିକୁ ଗୋଟି ଗୋଟି କରି ସଜାଡ଼ି ରଖେ ଛୋଟ ଛୋଟ କଣାଥିବା କାଠପଟା ଉପରେ । ଛୋଟ ଛୋଟ ନାରଙ୍ଗ ବ ଟଭାଗୁଡ଼ିକ ଗଳିପଡ଼େ କଣା ବାଟରେ; କିନ୍ତୁ ବଡ଼ଗୁଡ଼ିକ ରହିଯାଏ ଉପରେ । ଏମିତି କ’ଣ ନାରଙ୍ଗ ଆଉ ଟଭା ଧରି ଖୁସିରେ ଖେଳୁଥାଏ ସେ ? ନା, ଏଇ ଉପାୟରେ ସେ ଆକାର ଅନୁସାରେ ସେଗୁଡ଼ିକୁ ସାନ ବଡ଼ ଅଲଗାଅଲଗା କରି ବାଛେ । ଖାଲି ଆଖିରେ ଦେଖି ସାନ ବଡ଼ ଧରିହୁଏ ନାହିଁ । ସେଇଥିପାଇଁ ମାପିଚୁପି ସେଗୁଡ଼ିକୁ ବଛାଯାଏ । ବଡ଼ବଡ଼ ନାରଙ୍ଗ ଆଉ ଟଭାର ଦାମ୍ ଯେ ବେଶି !

 

‘ଡେୟାରି’ ବିଭାଗରେ ଦେଖିବ ଟିକିଟିକି ପଞ୍ଜୁରୀଟିମାନଙ୍କରେ ରଖାଯାଇଥାଏ ଅଣ୍ଡାଗୁଡ଼ିକ । ପ୍ରତି ପଞ୍ଜୁରୀ ତଳେ ଲାଗିଥାଏ ଇଲେକ୍‍ଟ୍ରିକ୍ ବଲ୍‍ବ । ସେଇ ବଲ୍‍ବ ଆଲୁଅରେ ସାଙ୍ଗେ ସାଙ୍ଗେ ଜାଣିହୁଏ ଅଣ୍ଡା ଭଲ ଅବସ୍ଥାରେ ଅଛି ନା ପଚି ଯାଇଛି ।

 

ମାଛ, ମାଉଁସ ଛେନା ଲହୁଣୀ, ସେଓ ନାସପାତି, ଅଙ୍ଗୁର ଡାଳିମ୍ବ ସବୁ ଆଗ ପରୀକ୍ଷା କରି ଦେଖାଯାଏ ମାଟିତଳ ଘରେ । ବାଟରେ ଆସୁ ଆସୁ ଯଦି ସେଥିରୁ ଯାହା ପଚିଶଢ଼ି ଯାଇଥାଏ, ତାକୁ ଆଉ ଉପରମହଲାକୁ ବିକ୍ରିପାଇଁ ପଠାଯାଏ ନାହିଁ । ଆଗ ଦେଖାଯାଏ ସେଗୁଡ଼ିକର ଉପର ରଙ୍ଗ ଠିକ୍ ଅଛି ନା ନାହିଁ; ତା’ର ସ୍ଵାଦ ତା’ର ‘ବାସନା’ ଠିକ୍ ଅଛି ନା ନାହିଁ । ଯଦି ଦରକାର ପଡ଼େ ତେବେ ଲାବୋରେଟୋରୀକୁ ପଠାଯାଏ ଅଧିକ ପରୀକ୍ଷାପାଇଁ । ଲାବୋରେଟୋରୀରେ ନାନାପ୍ରକାର ଯନ୍ତ୍ରପାତି ଅଛି । ମଣିଷର ନାକ ଆଉ ଜିଭଠୁଁ ବଳି ଆହୁରି ସୂକ୍ଷ୍ମରେ ଆଉ ସହଜରେ ସେଥିରେ ବାସନା ଓ ସ୍ଵାଦ ବାରିହୁଏ । ଏଣୁ ସେଥିରେ ମୁହୂର୍ତ୍ତକରେ ଜଣାପଡ଼େ–ଦୁଧରେ କି ଲହୁଣୀରେ ଅଦୃଶ୍ୟ ଛତିଆ ଫୁଲିଲାଣି କି ନାହିଁ, ତାହା ଆମ୍ବିଳା ହୋଇ ମହିଆ ବାସିଲାଣି କି ନାହିଁ-। ଏହା ହୋଇଥିଲେ ତାହା ଆଉ ଯେଉଁ ଜିନିଷ ସାଙ୍ଗରେ ମିଶିବ ତାକୁ ନଷ୍ଟ କରିଦେବ । ମାଟିତଳ ଭଣ୍ଡାର ସଦାବେଳେ ହେମାଳିଆ ଥିବା ଯୋଗୁଁ ସେଥିଭିତରକୁ ଛତିଆ କି ନାନାପ୍ରକାର ଜୀବାଣୁ ପଶିପାରନ୍ତି ନାହିଁ । କାରଣ ହେମାଳ ତାଙ୍କ ଦେହରେ ଯାଏଁ ନାହିଁ ।

 

ଘୋର ଶୀତଋତୁରେ ତମେ କେବେ ଅତି ହେମାଳ ଷ୍ଟ୍ରବେରି କୋଳି କି ମଟର ଖାଇଚ-? ଖାଇଥିବ ନିଶ୍ଚୟ । କିନ୍ତୁ ତମେ କ’ଣ ସେତେବେଳେ ଥରେ ଭାବି ଦେଖିଚ–ଜାନୁଆରୀ ମାସରେ ତମେ ଯାହାକୁ ଖାଇଲ ତାହା ଫଳିଥିଲା (ଜୁନ୍) ଜୁଲାଇ ମାସରେ ? କେବଳ ହେମାଳ ତାକୁ ସବୁ ତମ ଲାଗି ତଟକା କରି ରଖିଥିଲା । ସେଥିରେ ଗୋଟିଏ ଅଦୃଶ୍ୟ ଜୀବାଣୁକୁ ପୂରେଇ ଦେଇ ନଥିଲା, ଆଉ ତମଲାଗି ସତେ ଯେମିତି ଗ୍ରୀଷ୍ମଋତୁଟିକୁ ସଜକରି ଲମ୍ବେଇ ଦେଇ ରଖିଥିଲା ଶୀତଋତୁର ମଝାମଝି ଯାଏଁ ।

 

ଜୀବାଣୁଗୁଡ଼ିକ ପ୍ରାଣପଣେ ଚେଷ୍ଟା କରନ୍ତି ଭଣ୍ଡାର ଭିତରେ ପଶିବାପାଇଁ । ମାଛିଗୁଡ଼ାକର ପାଦରେ ଲାଖିଯାଇ, ନଇଲେ ପବନରେ ଉଡ଼ି ଉଡ଼ି ଯାଇ ଭଣ୍ଡାରରେ ହାଜର ହେବାକୁ ବାଟ ଉଣ୍ଡନ୍ତି । ତେଣୁ ଖାଦ୍ୟ ଜିନିଷକୁ ସବୁବେଳେ ଘୋଡ଼େଇ ରଖାଯାଏ । ଏହା ହେଲେ ମାଛି ତାକୁ ଛୁଇଁ ପାରନ୍ତି ନାହିଁ । କିନ୍ତୁ ଖାଦ୍ୟ ପଦାର୍ଥ ତ ପୁଣି ଖରିଦଦାରମାନଙ୍କ ଆଖିରେ ଦିଶିବା ଦରକାର । ସେମାନେ ନ ଦେଖିଲେ କିଣିବାକୁ ମନ କରିବେ କାହିଁକି ? ସେଥିପାଇଁ କାଉଣ୍ଟରରେ ଗୋଟିଏ କାଚବାକ୍ସ ଭିତରେ ତାକୁ ରଖାଯାଏ । ଏଣୁ ଲୋକ ସହଜରେ ତାକୁ ଦେଖିପାରନ୍ତି, ଅଥଚ ସେଥିରେ ମାଛି ବସି ପାରେନାହିଁ ।

 

ଏବେ ଯେଉଁଠି ବଡ଼ ଭଣ୍ଡାରଟି ଅଛି, ଅନେକ ଦିନ ଆଗେ, ସେଠି ଛୋଟ ଦୋକାନଟିଏ ଥିଲା । ତା’ର ଝରକାର ଗୋଟିଏ ପଟାରେ ଲେଖାଥିଲା–“ତେଜରାତି ଜିନିଷ ।” ଥାକକୁ ଥାକ ରୁଟି ପାଖରେ ଥୁଆହୋଇଥିଲା ଲମ୍ବା ଲମ୍ବା ସାବୁନଖାଡ଼ି । ସେହି ଏକା ଜାଗାରେ ବିକ୍ରି ହେଉଥିଲା ମହମବତୀ ଆଉ ଛୋଟ ଛୋଟ ପିଠାସବୁ, ଆଉ ଅଙ୍ଗୁରରସ, ସେଓରସ ବା ସେଓମଦର ପିମ୍ପା । ପାଖରେ ରଖାଯାଇଥିଲା ଛୋଟ ଛୋଟ ସମୁଦ୍ର ମାଛ ଭର୍ତ୍ତି ହୋଇଥିବା ଟିଣ ସବୁ । ସମୁଦାୟ ଦୋକାନରେ ଅନବରତ ମାଛି ଭଣଭଣ ହେଉଥିଲେ । ଖରିଦଦାର କିଛି ଜିନିଷ କିଣିବା ସାଙ୍ଗେ ସାଙ୍ଗେ ମାଗଣାରେ ଉପହାର ଭଳି ପାଉଥିଲେ ମାଛିରୁ ଥୋଡ଼ାଏ ଲେଖାଁ । ତମେ ଯଦି ସେତେବେଳେ ରୁଟିଟିଏ କିଣିଥାନ୍ତ, ସେଥିରେ ନିଶ୍ଚୟ ମାଛିଟିଏ ପାଇଥାନ୍ତ । ତମେ ଯଦି ସେଓରସ ଢୋକେ ପିଇଥାନ୍ତ, ତମ କପ୍‍ରେ ନିଶ୍ଚୟ ମାଛିଟାଏ ଦେଖିଥାନ୍ତ । ଚିନିର ତ କଥା ନାହିଁ–ପଲକୁ ପଲ ତାକୁ ଆବୋରି ଭଣଭଣ ହେଉଥିଲେ ସଦାବେଳେ ।

 

ସେଇ ମାଛିଗୁଡ଼ାକର ତ ଭୋଜିମଉଛା ବିଶେଷ ଭାବରେ ଚାଲିଥିଲା ଝରକା ପାଖରେ-। କାରଣ ସେଠି ଶୁଖୁଆ ଥୁଆହେଉଥିଲା । ଶଢ଼ା ବନ୍ଧାକୋବି, ଆଉ ନାନାପ୍ରକାର ଆଚାର ମାଛି ରୋଗକୁ ଡାକି ଆଣେ–ଦୋକାନୀ ଏହା ଜାଣିଥିଲେବି ଖାଦ୍ୟ ଜିନିଷକୁ ଆଦୌ ଘୋଡ଼େଇ ରଖୁ ନଥିଲା କି ସେଥିପାଇଁ ଟିକିଏ ହେଲେ ତା’ ମୁଣ୍ଡ ବଥାଉ ନଥିଲା । କେବଳ ଗୋଟିଏ ଚିନ୍ତା ଥିଲା ତା’ ମୁଣ୍ଡରେ–ଦିନକୁଦିନ କେମିତି ବେଶିରୁ ବେଶି ଲାଭ କରିବ ।

 

ଏବେ କିନ୍ତୁ ଦୋକାନଗୁଡ଼ିକ ଚାଲୁଚି ପୂରାପୂରି ଅଲଗା ରାତିରେ । କାରଣ ଦେଶର ସରକାର ଖରିଦଦାର ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରୁଛି, ସେଥିପ୍ରତି ଆଖି ରଖିଛି ପ୍ରତି ମୁହୂର୍ତ୍ତରେ ।

 

ତେଣୁ ଛୋଟ ତେଜରାତି ଦୋକାନ ଆଉ ନାହିଁ । ଏମିତିକି ତାହା ଯେଉଁ ଦିମହଲା ଇଟାଘରେ ଥିଲା, ସେ ଘରର ଚିହ୍ନବି ନାହିଁ । ତା’ ଜାଗାରେ ଏବେ ଛିଡ଼ା ହୋଇଚି ଗୋଟିଏ ସୁନ୍ଦର ଉଚ୍ଚ ନୂଆ ଧରଣର କୋଠାଘର । ତା’ର ତଳମହଲାଟି ହୋଇଚି ଖାଦ୍ୟଭଣ୍ଡାର ।

 

ଜୀବାଣୁସବୁ ଯେ କେବଳ ମାଛିର ପାଦ ବା ଗୋଡ଼ବାଟେ ଭଣ୍ଡାରରେ ପଶନ୍ତି, ଏହା ନୁହେଁ । ଲୋକେବି ତାଙ୍କୁ ନିଜ ନିଜ ହାତରେ ନିଜ ନିଜ ଲୁଗାପଟା ପୋଷାକପତ୍ରରେ ଆଣନ୍ତି । କିନ୍ତୁ ଏହା ବୋଲି ତମେ ତ ଆଉ ପ୍ରତ୍ୟେକ କିଣାଳିଙ୍କୁ ପ୍ରତ୍ୟେକ ଥର ହାତ ଧୁଆଉ ନଥିବ । ତେବେ ତାକୁ ଖାଦ୍ୟପଦାର୍ଥ ଛୁଆଁଇ ଦିଆଯାଇ ନ ପାରେ, ଏ ବ୍ୟବସ୍ଥା କରିପାରିବ । ଏଇଥିପାଇଁ ଗୋଟିଏ ନିୟମ ଅଛି ଯେ ଭଣ୍ଡାରର କର୍ମଚାରୀମାନେ ଥରକୁଥର ଚିକ୍କଣ କରି ହାତ ଧୋଇବେ । ଗୋଟାଏ ଦିଗରୁ ଦେଖିଲେ ପ୍ରକୃତରେ ସେମାନେ ଡାକ୍ତରଖାନା କର୍ମଚାରୀଙ୍କ ଭଳି । କାରଣ ସେମାନେବି ଗୋଟିଏ ଧଳା ଘଟାଟୋପି ପିନ୍ଧନ୍ତି, ଆଉ ଟୋପି ଲଗାନ୍ତି । ପୁଣି ସତକୁସତ ଭଣ୍ଡାରରେ ଜଣେ ଡାକ୍ତର ଥାଆନ୍ତି । ତାଙ୍କ କାମ ହେଉଛି–ଜୀବାଣୁଗୁଡ଼ାଙ୍କ ବିରୁଦ୍ଧରେ ଦକ୍ଷତାର ସହିତ ଯୁଦ୍ଧ ଚାଲିଚି କି ନାହିଁ ଏହା ଦେଖିବା ।

 

ଏ ଯାହା ହେଉ, ବଡ଼ ଭଣ୍ଡାରଟି କିନ୍ତୁ ଗୋଟିଏ ଡାକ୍ତରଖାନା ଭଳି ନୁହେଁ; ବରଂ ଗୋଟିଏ ବଡ଼ କାରଖାନା ପରି । ସେଠି ଶହ ଶହ ଲୋକ କାମ କରନ୍ତି ଆଉ ଅନେକ ମେସିନ୍ ଚାଲୁଥାଏ । ପ୍ରାୟ ସବୁବେଳେ ମଟରଗାଡ଼ିସବୁ ଯାଆସ କରୁଥାନ୍ତି, ଖାଦ୍ୟ ଜିନିଷ ଆଣି ଉତ୍ତାରୁଥାନ୍ତି । ସେଥିରୁ ଗୋଟିକରେ ଲେଖାଥାଏ ‘ରୁଟି’ ତ ଆଉ ଗୋଟିକରେ ‘ମାଂସ’ ପୁଣି ଆଉ କେଉଁଟିରେ “ତେଜରାତି ଜିନିଷ ।’’ ବଡ଼ବଡ଼ ଢାବଲ ଓ କ୍ରେଟ, ପମ୍ପା ଓ ବସ୍ତାସବୁ ରାସ୍ତା ଉପରୁ ଅଜାଡ଼ି ହୁଏ ଚଳନ୍ତି ‘ବେଲ୍‍ଟ’ ବା ବୁହାଳିକଳ ଉପରେ, ସେଇ କଳ ତାକୁସବୁ ସଙ୍ଗେ ସଙ୍ଗେ ଘେନିଯାଏ ମାଟିତଳର ଗୋଦାମ ଘର ଭିତରକୁ । ସେଓ ଭର୍ତ୍ତି ହୋଇଥିବା ଖୋଲା ଢାବଲ ଛାଏଁ ଛାଏଁ ଥୋଇ ହୋଇଯାଏ ଗୋଟାଏ ପ୍ରଶସ୍ତ ଆଉ ଶକ୍ତ ଚଳନ୍ତି ବେଲ୍‍ଟରେ । ତାହା ସାଙ୍ଗେ ସାଙ୍ଗେ ଚାଲିଯାଏ ସେଓ ଗୋଦାମକୁ । କଳରେ ଛାଏଁ ଛାଏଁ କାଟି ହୋଇଯାଏ ରୁଟିର କରଗୁଡ଼ିକ । ଉପରମହଲାରେ ଛାଏଁ ଛାଏଁ ହିସାବଖାତାରେ ଛାପି ହୋଇଯାଏ ବିକ୍ରି ଖରିଦର ହିସାବସବୁ । ତମେ ଦେଖିଥିବ ବୋଧହୁଏ–ପାଣ୍ଠିରକ୍ଷକ ଗୋଟିଏ ରେଜିଷ୍ଟର ବହିର ବୋତାମ ଟିପୁଥାଏ । ସେଇ ତହବିଲ ରେଜିଷ୍ଟର ଗୋଟାଏ ପ୍ରକାର ମେସିନ୍ । ସେଥିରେ ‘ଚେକ୍‍ଟିଏ’ ସଙ୍ଗେ ସଙ୍ଗେ ଛପା ହୋଇଯାଏ, କାଗଜ ରୋଲର୍‍ରୁ ସେଇଟି କାଟିହୋଇଯାଏ ଏବଂ ତାହା ଆପେଆପେ ‘ସଟ୍’ ବାଟେ ବାହାରି ପଡ଼େ । ଏ କାମ କଲାବେଳେ ରେଜିଷ୍ଟର କଳଟି ମଧ୍ୟ ଯେଉଁ ଟଙ୍କାପଇସା ମିଳୁଥାଏ ତା’ ଉପରେ ଦୃଷ୍ଟି ରଖିଥାଏ, ତା’ର ‘ବାଟ’ ଜଗିଥାଏ । ଏଇ କଳର ଉପରେ ଛୋଟ କାଚ ଝରକାଟିରେ ଖରିଦଦାର ଯାହା କିଣିଲା, ତାହାର ନିର୍ଭୁଲ ପରିମାଣ ଦେଖା ଯାଉଥାଏ ।

 

ତମେ ପଚାରିପାର–ଜିନିଷପତ୍ର ଯେଉଁଥିରେ ଓଜନ ହୁଏ ସେଇ ତରାଜୁସବୁ କାମକରେ କେମିତି ? ଏହାବି ଗୋଟାଏ ବଢ଼ିଆ, ଭାରୀ ଚତୁର ମେସିନ୍ । ଏଥିରେ ବଟକରା ଆଦୌ ନଥାଏ, ଅଥଚ ଏହା ଭଣ୍ଡାର କର୍ମଚାରୀ ଆଉ ଖରିଦଦାରଙ୍କୁ ଠିକ୍ ଜଣେଇଦିଏ କେତେ ପରିମାଣର ଜିନିଷ ଓଜନ କଲା । ଏହା ଜଣାଇବା ପାଇଁ ଏଥିରେ ଘଣ୍ଟାକଣ୍ଟା ଭଳି ଯୋଡ଼ିଏ ତୀର ଆଉ ଘଣ୍ଟାର ‘ଡାୟାଲ’ ଭଳି ମୁହଁ ଅଛି । ଗୋଟିଏ ସାମନାରେ, ଗୋଟିଏ ପଛରେ । ଭଣ୍ଡାର କର୍ମଚାରୀ ତରାଜୁ ଉପରେ କିଛି ଜିନିଷ ଥୋଇଦେବାକ୍ଷଣି ତୀର ଦୁଇଟି ଗତି କରିବାକୁ ଆରମ୍ଭ କରେ । ଯଦି ଦେଖ ଏହା ଅଟକିଲା ‘୪୦୦’ରେ, ତେବେ ବୁଝିବା ଯେ ଏହା ଓଜନ କଲା ୪୦୦ ଗ୍ରାମ୍ ।

 

ଭଣ୍ଡାରରେ ଦିନଯାକ କାମ ଲାଗିଥାଏ । ରୁଟି, ଦୁଧ, ଲହୁଣୀ, ସେଓ, ଚିନି ପ୍ରଭୃତି ନେଇ ସୁଅ ପରି ଟ୍ରକ୍‍ସବୁ ଆସେ ରେଳଷ୍ଟେସନ୍‍ରୁ, ବନ୍ଦରରୁ, କାରଖାନାରୁ ।

 

ଯେତେ ଯାହା ମାଟିରୁ ରସ ଆହରଣ କରି ବଢ଼େ, ବର୍ଷାପାଣି ପାଇ ବଞ୍ଚେ ସୂର୍ଯ୍ୟର ଉତ୍ତାପରେ ପୋଖତ ହୁଏ, ପାଚେ ଆଉ ଯେତେ ଯାହା ଶହ ଶହ ହଜାର ହଜାର ଲୋକଙ୍କ ଶ୍ରମରେ ପ୍ରସ୍ତୁତ ହୁଏ, ଉତ୍ପନ୍ନ ହୁଏ, ସବୁ ଆସେ ଦେଶର ସମସ୍ତ ଅଞ୍ଚଳରୁ ଜମା ହୁଏ ମାଟିତଳର ଗୋଦାମଘରେ ସମସ୍ତଙ୍କ ପାଇଁ ।

Image

 

 

 

 

 

 

 

 

 

 

 

 

 

ଜିନିଷପତ୍ର ଆସେ କେଉଁଠୁଁ

 

ତୁମର ଖେଳସାଥୀ

 

ତୁମେ ଆଉ ଛୋଟପିଲାଟିଏ ନୁହ । ପ୍ରତିଦିନ ବଡ଼ିସକାଳୁ ଉଠୁଚ, ସ୍କୁଲ୍‍କୁ ଯାଉଚ । ତମ ବହିପତ୍ର, ତମର ଖାତା ଆଉ ରଙ୍ଗୀନ ପେନ୍‍ସିଲ୍‍ଗୁଡ଼ିକୁ ନିଆଅଣା କରିବ । ସାଜିସୁଜି ରଖାଥୁଆ କରିବା ଜାଣିଲଣି । ସେସବୁର ଯତ୍ନ ନେଲଣି । ଏବେ ଆଉ ତମର ସେଇ ପୁରୁଣା ସାଙ୍ଗସାଥୀ ଖେଳଣାଗୁଡ଼ିକ ପ୍ରାୟ ମନେପଡ଼ୁନାହାନ୍ତି । କେତେଦିନ ହେଲାଣି ସେସବୁ ଯାଇ ଟେବୁଲ ଆଲମାରିର ସବାତଳ ଥାକରେ ତାଲା ପଡ଼ି ରହିଲେଣି । ସେଠି ସେସବୁ ଗଦା ହୋଇ ରହିଛନ୍ତି–ସେଇ ତମର କାଠର ଖେଳଣା, ଘରତିଆରି ଇଟାଗୁଡ଼ିକ, ତମର ନଟ, ଲୋଟଣି ମାଙ୍କଡ଼ଚିତ୍‍ମରା କାଚଗିଲାସଟି, ବନ୍ଧଭଙ୍ଗା କରେଇଟା ଆଉ ତମର ସେଇ ଅତି ଆଦରର ଚାବିଦିଆ ମଟରଗାଡ଼ିଟି । କିନ୍ତୁ ଦେଖ, ସାଙ୍ଗସାଥୀଙ୍କୁ ଛାଡ଼ିଦେବା, ତାଙ୍କ ମେଳରୁ ଚାଲିଆସିବା ଭଲ ନୁହେଁଟି ! ଏବେବି ସେମାନେ ଭାରି କାମ ଦେବେ, ସାହାଯ୍ୟ କରିବେ ।

 

ବହିଟିଏ ଭଳି ତାଙ୍କ ଭିତରୁ ଗୋଟିଏ ଗୋଟିଏ ଖେଳଣା ବେଳେବେଳେ ତମକୁ ଅନେକ କଥା ଜଣେଇଦେବ, ଶିଖେଇଦେବ ! ତମେ କେବେ ସମୁଦ୍ରରେ ଜାହାଜଟିଏ ଦେଖିଚ ! ସବୁଠୁଁ ବଳି ବଡ଼ ଆଉ ଉଞ୍ଚା ଉଞ୍ଚା ଲହଡ଼ିଗୁଡ଼ାକ ତାକୁ ଓଲଟେଇ ପାରନ୍ତି ନାହିଁ । ଖୁବ୍‍ ହେଲେ ତାକୁ ଦୋହଲାନ୍ତି, ପାଣି ଉପରେ ଗଡ଼େଇତଡ଼େଇ ନଚାନ୍ତି । କିନ୍ତୁ ତମେ ଯେତେବେଳେ ଛୋଟ କାଗଜ ଡଙ୍ଗାଟିଏ ତିଆରି କର, ଆଉ ତାକୁ ନେଇ କେଉଁଠି କେଉଁ ଖାଲ ପାଣିରେ କି ଛୋଟ ପାଣି ଧାରରେ ଛାଡ଼ିଦିଅ, ସେତେବେଳେ ଦେଖ, ତାହା ପ୍ରାୟ ଓଲଟିପଡ଼େ । ଏମିତି ହୁଏ କାହିଁକି ଯେ ? ତମେ ଟିକିଏ ତମର ଲୋଟଣି କଣ୍ଢେଇକୁ କିଛି ପଚାରିନାହଁ କି ତାକୁ ଦେଖି କିଛି ଭାବି ନାହଁ ବୋଲି-। ସେ ଲୋଟଣିବନ୍ଧ କଣ୍ଢେଇଟି ଏଡ଼େ ଜବରଦସ୍ତ କେମିତି ଯେ ! ତାକୁ ଯେତେ ତଳକୁ ଦାବିଲେବି ଓଲଟବନ୍ଧଟାଏ ଭାଙ୍ଗି ପୁଣି ଛିଡ଼ା ହୋଇଯାଏ । ଏହାର କାରଣ, ତା’ ମୁଣ୍ଡଟି ଫମ୍ପା, ଆଉ ତା’ର ବଇଠିରେ ଖଣ୍ଡେ ଓଜନିଆ ଧାତୁଜିନିଷ ଅଛି । ଜାହାଜଟି ଠିକ୍ ଏଇ ଓଲଟବନ୍ଧ କଣ୍ଢେଇ ଭଳି-। ତେବେ ଏହା ଗୋଟିଏ ଅତି ପ୍ରକାଣ୍ଡ ଜିନିଷ ! ଜାହାଜ ସମୁଦ୍ରରେ ଲହଡ଼ି ଧକ୍କାରେ ଯେମିତି ଓଲଟିବ ନାହିଁ, ସେଥିପାଇଁ ଜାଣିଶୁଣି ତା’ ତଳ ଜାଗାରେ ପେଟ ଭିତରେ ବହୁତ ବହୁତ ଓଜନିଆ ମାଲ୍ ଖୁନ୍ଦା ହୋଇଥାଏ; ଆଉ ଯେଉଁଗୁଡ଼ିକ ଅତି ହାଲୁକା ଧରଣର ଜାହାଜ ବା 'ୟାଟ୍‍ସ', ସେଗୁଡ଼ିକର ପେଟତଳିଟା ଗଢ଼ା ହୋଇଥାଏ ଢଳେଇ ଲୁହାରେ ବା ସୀସାରେ । ସେଥିପାଇଁ କେବେହେଲେ ସମୁଦ୍ରରେ ଜାହାଜ ଓଲଟି ପଡ଼ି ନାହିଁ ।

 

ତୁମର ପୁରୁଣା ଖେଳଣାଗୁଡ଼ିକ ଭିତରେ ଆଉ ଗୋଟାଏ ଜବରଦସ୍ତ ଏକଜିଦିଆ ଖେଳଣା ଅଛି,–ସେଇଟି ହେଉଛି ତମର ନଟୁ ! ଏହାକୁ ଯଦି ତମେ ଘୂରାଅ, ଏହା ନିଜର ଗୋଟିଏ ପାଦରେ ଛିଡ଼ା ହୋଇ ଅନେକବେଳ ଯାଏଁ ଘାଇଁ ଘାଇଁ ହୋଇ ଘୂରେ । ଘୂରିଲାବେଳେ ଯଦି ଏହାକୁ ଆସ୍ତେକିନା ଠେଲିଦିଅ, ଏହା ଯେମିତି ରାଗିଯାଇ ଘୁଉଁ ଘୁଉଁ ହେବ, ନିଜକୁ ପୁଣି ସଳଖେଇ ନେବ ଆଉ ବଳ ତୁଟିବାଯାଏ ଘୂରିବାରେ ଲାଗିବ । ତୁମକୁ ଆଶ୍ଚର୍ଯ୍ୟ ଲାଗିବଣି, ନଟୁ ଗୋଟାଏ ଆଉ କି କାମରେ ଆସିବ ଯେ ! ଏହାର ତ କାମ ନାଚିବା, ଘୂରିବା–ଏତିକି ! କିନ୍ତୁ କି ବୁଢ଼ା କି ପିଲା ସମସ୍ତେ ଏହାକୁ ଭଲ ପାଆନ୍ତି, ସମସ୍ତେ ଖାତିର କରନ୍ତି । ବିଜ୍ଞାନୀମାନେ ତ ନଟୁ ଘେନି ଅନେକ ବହି ଲେଖିଛନ୍ତି । ଏହି ନଟୁ ସାହାଯ୍ୟରେ ଇଞ୍ଜିନିୟର୍‍ମାନେ ବହୁତ ଚମତ୍କାର ମେସିନ୍ ଆଉ ଯନ୍ତ୍ରପାତିମାନ ଗଢ଼ିଛନ୍ତି । ଗୋଟାଏ କଥା ଖେଦ; ଇଞ୍ଜିନିୟର୍‍ମାନେ ଗୋଟାଏ ପ୍ରକାଣ୍ଡ ଜାହାଜ ଭିତରେ ମସ୍ତବଡ଼ ଅତି ଓଜନିଆ ନଟୁଟିଏ ଖଞ୍ଜିଲେ; ସେଇ ନଟୁଟିକୁ କଳଯୋଗେ ଘୂରାଇଲେ । ସେଇଟି ଘୂରିବାକ୍ଷଣି ଜାହାଜଟି ଆଉ ଲହଡ଼ି ଉପରେ ପ୍ରାୟ ଦୋହଲିଲା ନାହିଁ, ଗଡ଼େଇ ତଡ଼େଇ ହୋଇ ନାଚିଲା ନାହିଁ । ନଟୁଟି ସଳଖ ହୋଇ ଛିଡ଼ା ବାଗରେ ରହିଲା–ଜାହାଜକୁ ଦୋହଲିବାରୁ ରକ୍ଷା କଲା ।

 

ଏମିତିକା ଆଉ ଗୋଟିଏ ଘଟଣା । ଥରେ ଜଣେ ଉଦ୍ଭାବକ ଗୋଟିଏ ରେଳଡ଼ବା ଆଉ ଇଞ୍ଜିନ୍ ତିଆରି କଲେ, ତାକୁ ଗୋଟିଏ ରେଳପହିଆ (ଯୋଡ଼ିଏ ନୁହେଁ, ଗୋଟିଏ ରେଳ ଲାଇନ୍‍ରେ) ଛାଡ଼ିଲେ । ତାହା ସେହି ଗୋଟିଏ ଲାଇନ୍‍ରେ ଗଡ଼ି ଗଡ଼ି ଚାଲିଲା, ଓଲଟି ପଡ଼ିଲା ନାହିଁ । କିନ୍ତୁ ଓଲଟି ପଡ଼ିଲା ନାହିଁ କାହିଁକି ? କାରଣ, ସେ ଡବା ଭିତରେ ବଡ଼ ନଟୁଟାଏ ଅନବରତ ଘୂରୁଥିଲା ।

 

ତୁମର ପୁରୁଣା ଖେଳଣାଗୁଡ଼ିକୁ ଘାଣ୍ଟିଘୁଣ୍ଟି ଦେଖିଲେ, ନିଶ୍ଚୟ ଗୋଟାଏ ଗଡ଼ିଲା ଚକ ଆଉ ଛୋଟ ବାଡ଼ି ଖଣ୍ଡେ ପାଇବ । ମନେପକାଅ, କେମିତି ଚକଟିକୁ ଗଡ଼େଇ ଗଡ଼େଇ ତମେ ଦୌଡ଼ୁଥିଲ ତା’ ପଛରେ, ଦୌଡ଼ୁଥିଲ ବାଟଘାଟରେ ସବୁଠି; ଏମିତିକି ଅବାଟରେବି । କିନ୍ତୁ ତା’ ପଛରେ ଦୌଡ଼ୁ ଦୌଡ଼ୁ ଯେତେବେଳେ ତାକୁ ବାଡ଼ିରେ ବାଡ଼େଇବା ବନ୍ଦ କରିଦେଉଥିଲ, ସେତେବେଳେ ତାହା ପଡ଼ିଯାଉଥିଲା । କିନ୍ତୁ ବାଡ଼ିରେ ତାକୁ ଠେଲୁଥିବାଯାଏଁ ସୁରୁଖୁରୁରେ ତାହା ଗଡ଼ି ଗଡ଼ି ଧାଉଁଥିଲା । ଲୋକେ ଏଇ ଚକାକୁବି କାମରେ ଲଗାଇଛନ୍ତି । ସାଇକେଲ ଚକ, ଏମିତିକା ଖେଳ-ଚକାଠୁଁ ଅଲଗା ନୁହେଁ । ତାକୁ ସିଧାସଳଖ ଛିଡ଼ାବାଗରେ ଗଡ଼େଇ ରଖିବାପାଇଁ ସବୁବେଳେ ପେଡ଼ାଲ ମାରି ତାକୁ ଆଗକୁ ଠେଲିବାକୁ ହୁଏ ।

 

ଆରେ, ବଡ଼ ଅଦ୍ଭୁତ ତ ! ତୁମ ଖେଳଣା ଗଦାରେ ଚାବିଦିଆ ମଟରଗାଡ଼ିଟା ପଡ଼ିଛି ଯେ, ହଜିହୁଜି ଯାଇନି । ତମେ ଟିକିଟିଏ–କୁନିଟିଏ ଥିଲାବେଳେ ତୁମକୁ ଏଇଟି ଉପହାର ମିଳିଥିଲା-। କେହି ଦେଇଥିଲା ଖୁସିରେ । ମନେପକାଅ, ଏଇଟି କେମିତି ତୁମ ହାତରୁ ଘୁଉଁକିନି ଶବ୍ଦ କରି ଗୁଳି ଭଳି ସାମ୍ନା କାନ୍ଥଆଡ଼କୁ ଛିଟିକି ଯାଉଥିଲା । ଭାରି ଜବରଦସ୍ତ ଥିଲା ସେ, ଆଉ କାହାକୁ ବାଟ ଛାଡ଼ୁ ନଥିଲା । ବେଳେବେଳେ ସିଧା ଛୁଟୁଥିଲା ଟେବୁଲଆଡ଼କୁ । ଆଉ କିଏ ହୁଏତ ବୁଲିକରି ଯାଉଥାନ୍ତା; କିନ୍ତୁ ଏ ମଟରଗାଡ଼ି ଧାଉଁଥିଲା ଏକମୁହାଁ ହୋଇ–ଟେବୁଲଟାକୁ ଯେମିତି କହୁଥିଲା, "ଯା, ଘୁଞ୍ଚି ଯା ! ନଇଲେ ଚଢ଼ିଯିବି ତୋ ଉପରେ, ଓଲଟେଇଦେବି ତତେ । ଟେବୁଲବି କ’ଣ କମ୍ ଜବରଦସ୍ତ, କମ୍ ଟାଣୁଆ ଥିଲା ? ତା’ ମନରେ ଟିକିଏ ହେଲେ ଭୟ ହୁଅନ୍ତା ? ଆଣ୍ଟିକରି ଛିଡ଼ା ହୋଇ ରହୁଥିଲା ବେପରୁଆ ଭାବରେ; ଆଉ ସବୁବେଳେ ସେଇ ଏକା ପ୍ରକାରର ଶୋଚନୀୟ ଘଟଣା ଘଟୁଥିଲା । ମଟରଗାଡ଼ିଟା ଯାଇ ଧାଇଁକିନି ପିଟି ହୋଇଯାଉଥିଲା ଟେବୁଲର ଗୋଟିଏ ଗୋଡ଼ରେ, ଆଉ ଓଲଟି ପଡ଼ୁଥିଲା ସେଇଠି ସାଙ୍ଗେ ସାଙ୍ଗେ । କିନ୍ତୁ ଏହା ବୋଲି ଯେ ସେ ହାର ମାନି ଯାଉଥିଲା, ତାହା ନୁହେଁ । ଚିତ୍‍ପଟାଙ୍ଗ ହୋଇ ଚଟାଣଟାରେ ପଡ଼ିରହିଲେ କ’ଣ ହେଲା, ଚକଗୁଡ଼ାକ ତାର ଉପରକୁ ଚାହିଁ ଘାଇଁ ଘାଇଁ ହୋଇ ଘୂରୁଥିଲା ପବନରେ–ଠିକ୍ ଭଅଁର ପୋକଟାଏ ଓଲଟିଗଲେ ଯେମିତି ହୁଏ, ସେମିତି; ଥମ୍ ପଡ଼ୁଥିଲା, ପୂରାପୂରି ବଳ ତୁଟିଲା ପରେ । ଥରେ ଗୋଟିଏ ଆକସ୍ମିକ ଦୁର୍ଘଟଣାରେ ମଟରଗାଡ଼ିଟି ଗୋଟିଏ ଚକ ହରେଇ ବସିଲା । ପୁଣି ଯେଉଁ ସ୍ପ୍ରିଙ୍ଗ୍‍ ବା ତାର ଲାଗିଥିଲା ସେଥିରେ, ସେଇଟା ପୁଣି ଏତେ ବେଶୀ ଚାବି ଦିଆହୋଇ ମୋଡ଼ାହେଲା ଯେ, ଭାଙ୍ଗିଗଲା ମଝିରୁ କେଉଁଠି । ତା'ପରେ ଦଉଡ଼ିରେ ଟଣା ହେଲେ ତା’ ଟିକିଏ ଚାଲବୁଲ କରୁଥିଲା ।

 

ତଥାପି, ଏମିତିକା ରୋଗିଣା ଅଦଢ଼ ଜିନିଷବି କାମରେ ଲାଗିପାରେ । ତମେ ଯଦି ତାକୁ ଖଣ୍ଡଖଣ୍ଡ କରି ଦେଖ, ତା' ଭିତରରୁ ଅନାଅ, ବୁଝିବ, ତାହା କେମିତି ଚାଲେ । ସେତିକି ନୁହେଁ; ସେଇଥିରୁ ମୋଟାମୋଟି ଗୋଟାଏ ଧାରଣା କରିପାରିବ–ଘଣ୍ଟା ଭିତରଟା କ’ଣ, ଘଣ୍ଟା ତିଆରି ହୁଏ କେମିତି ।

 

ଗୋଟିଏ ଘଣ୍ଟା ଆଉ ଚାବିଦିଆ ମଟରଗାଡ଼ି ଭିତରେ ସମ୍ବନ୍ଧ ଭାରି ଜୋର; ଏମିତି କିଛି ଫରକ ନାହିଁ । ଘଣ୍ଟାରେ ସ୍ପ୍ରିଙ୍ଗ୍‍ ଥାଏ, ତମର ସେଇ ମଟରଗାଡ଼ି ଭଳି । ଘଣ୍ଟାରେ ଚାବି ଦେଲେହିଁ ତାହା ଚାଲେ । ସ୍ପ୍ରିଙ୍ଗ୍‍ଟା ବଡ଼ କୌଶଳୀ, ବଡ଼ ଚାଲାକ । ତାକୁ ଯେତେ ଇଚ୍ଛା ସେତେ ମୋଡ଼, ତା’ କିନ୍ତୁ ଠିକ୍ ଫିଟି ଫିଟି ଯାଉଥିବ, ଜମା ମୋଡ଼ିହେବ ନାହିଁ । କିନ୍ତୁ ଜବରଦସ୍ତ ବା ଏକଜିଦିଆ ଜିନିଷକୁ କେମିତି ଜବତ କରି କାମରେ ଲଗେଇହେବ, ଲୋକଙ୍କୁ ଏହା ବେଶ୍ ମାଲୁମ । ସେଥିପାଇଁ ସ୍ପ୍ରିଙ୍ଗ୍‍କୁ କହନ୍ତି: "ବେଶ୍ ତେବେ, ମନ ହେଉଚି ଯଦି ମୋଡ଼ି ନ ହୁଅ, ଥରକୁଥର ଫିଟିଯାଉଥା ପଛେ; କିନ୍ତୁ ସେତେବେଳେବି ତ ତୁ କିଛି କିଛି ହେଲେ କାମ କରିପାରିବୁ । ହେଇ, ଗୋଟିଏ ଛୋଟ ଦାନ୍ତଲଗା ଚକ ଦେଖ୍ ! ଏଇଥିରେ ଗୁରେଇ ହୋଇ ବୁଲିପାରିବୁ ତୁ ! ତୁ ବୁଲିଲାବେଳେ ଏଇ ଚକଟି ଆଉ ଗୋଟିଏ ଚକରେ ବାଜି ଘଷିହେବ, ତାକୁ ଘୂରେଇବ, ଆଉ ସେଇ ଚକଟି ଘଣ୍ଟାର କଣ୍ଟା ଦିଓଟିକୁ ଚଳେଇବ । ଶେଷରେ ସେଇ କଣ୍ଟା ଦିଓଟି ବୁଲି ବୁଲି ଜଣାଇବ ସମୟ ।"

 

ଗୋଟିଏ ଲୋଚାକୋଚା ନାଲିଆ ବ୍ୟାଗ୍ ପଡ଼ିଚି ତୁମ ଖେଳଣା ଗଦାରେ । ତା'ର ଟୋକା ବୟସରେ ସେଇଟି ଥିଲା ଗୋଟିଏ ସୁନ୍ଦର ବେଲୁନ । କେମିତି ତାକୁ ପାଇଥିଲ ମନେ ଅଛି-? ଥରେ ତମେ ବାପାଙ୍କ ସାଙ୍ଗରେ ବୁଲି ଯାଇଥିଲ; ଦେଖିଲ, ରାସ୍ତାର ଗୋଟିଏ କଣରେ କିଏ ଜଣେ ବେଲୁନ ବିକୁଚି । ତା' ମୁଣ୍ଡ ଉପରେ ନାଲି, ନେଳି, ହଳଦିଆ ରଙ୍ଗର ବେଲୁନଗୁଡ଼ିକ ସତେ ଯେମିତି ମେଘ ଭଳି ଢାଙ୍କି ରହିଚି । ତମେ ଭାବିଲ, ଆରେ ଟିକିଏ ପବନରେ ତ ଲୋକଟି ଉଡ଼ିଯିବ କୁଆଡ଼େ ବୋଲି କୁଆଡ଼େ ! ତମେ କ’ଣ କଲା ନା, ନିଜପାଇଁ ବାଛିବୁଛି ସବୁଠୁ ସୁନ୍ଦରିଆ ବେଲୁନଟି କିଣିଲ । ସେଇଟି ଯେମିତି ଉଡ଼ି ନ ପଳାଏ, ସେଥିପାଇଁ ତାକୁ ନେଇ ତୁମ କୁର୍ତ୍ତା ବୋତାମରେ ବାନ୍ଧିଲ । ଘରକୁ ଫେରି ତାକୁ ଯେମିତି ଫିଟେଇଦେଇଚ, ସେମିତି ସେଇଟି ଏମିତି ଖସି ଛୁ' ହେଲା ଯେ, ତୁମେ ତ ଏକାବେଳକେ ତାଟକା ହୋଇଗଲ ।

 

ସେଇଟି ପୁଣି ତଳକୁ ଚଟାଣକୁ ଯିବ କ’ଣ, ଉଠିଲା ଉପରକୁ–ଛାତକୁ ତ ଯାଇ ଛୁଏଁ ନ ଛୁଏଁ । ଟେବୁଲ ଉପରେ ଚୌକି ଥୋଇ ସେଥିରେ ଚଢ଼ି କେତେ କଷ୍ଟରେ ହାତ ବଢ଼େଇ ଧରିଲ ପୁଣି କେତେ ସମୟ ପରେ । ତୁମକୁ ସବୁ ବତେଇଲେ, ବେଲୁନଟିକୁ ଦୌଡ଼ିରେ ବାନ୍ଧି ଘର ଭିତରେ ଝୁଲେଇଦିଅ, ଆଉ ରାତିରେ ତାକୁ ଝରକା ବାଟେ ବାହାରକୁ ଛାଡ଼ । ଖୋଲା ସତେଜ ପବନ ପାଇଲେ ବେଶି ସମୟ ବଞ୍ଚିପାରିବ ସେଇଟି । ଏହା ସବୁ କରିବି ସକାଳୁ ଦେଖିଲ, ବେଲୁନଟି ଜାକି ହୋଇଯାଇଛି ଟିକିଏ । ମନଟା ଫିକା ପଡ଼ିଗଲା । ଆଉ ତାହା ଉଚ୍ଚରେ ଉଡ଼ିପାରିଲା ନାହିଁ । ବଲ୍ ଭଳି ତା’ ଖାଲି ଟେବୁଲରୁ ଖଟକୁ, ଖଟରୁ ଚଟାଣକୁ–ଏମିତି ଏଣେତେଣେ ଯାଇ ଡେଇଁ ଡେଇଁ ଧକ୍କା ଖାଇଲା । ବେଳକୁ ବେଳ କେମିତି ସୁକୁଟି ଛୋଟରୁ ଛୋଟ ହେବାରେ ଲାଗିଲା । ସେତେବେଳେ ତମେ ବୁଝିପାରିଲ ନାହିଁ–ବେଲୁନଟି ଉଡ଼ିପାରୁଥିଲା, ପୁଣି ହଠାତ୍ କାହିଁକି ତା'ର ବଳ ଖସିଗଲା, ଆଉ ଉଡ଼ିପାରିଲା ନାହିଁ । ଏବେ ତମେ ବଡ଼ ହୋଇଗଲଣି, ସହଜରେ ଏ କଥାଟି ବୁଝିପାରିବ ।

 

ବେଲୁନ ଭିତରେ ଗୋଟାଏ ପ୍ରକାରର ଗ୍ୟାସ୍ ଭର୍ତ୍ତି କରାଯାଇଥାଏ । ସେଇ ଗ୍ୟାସ୍ ପବନଠୁଁ ହାଲୁକା । ସେଇଥିପାଇଁ ପାଣିରେ ସୋଲ ଠିପି ଭାସିଲା ପରି ବେଲୁନ ପବନରେ ଭାସେ, ଉପରକୁ ଉଠେ । କିନ୍ତୁ ଅତି ଛୋଟ କଣାବାଟରେ ଗ୍ୟାସ୍ ଯଦି ପଳାଇଯାଏ, ତେବେ ବେଲୁନଟି ନିଶ୍ଚୟ ସେମିଟି ଲୋଚେଇଯିବ, ଆଉ ଉଡ଼ିପାରିବ ନାହିଁ ।

 

ତୁମ ବେଲୁନଟି ତ ଛାତକୁ ଟପି ଆହୁରି ଉଚ୍ଚରେ ଉଡ଼ିପାରି ନଥିଲା । କିନ୍ତୁ ଏମିତି ସବୁ ବେଲୁନ ଅଛି, ଯାହା ଖୁବ୍ ଉଚ୍ଚରେ ଉଡ଼େ । ସେଥିଲାଗି ବିଜ୍ଞାନୀମାନଙ୍କ ପାଖରେ ସେଗୁଡ଼ିକ ଭାରି ଦରକାରୀ । ଏଇଭଳିଆ ବେଲୁନରେ ଗୋଟିଏ ଯନ୍ତ୍ରପାତି ବକ୍ସ ବନ୍ଧା ହୋଇଥାଏ । ଏହାକୁ ଉପରକୁ ଛାଡ଼ିଦିଆଯାଏ । ଚାହୁଁଚାହୁଁ ଏହା ଏତେ ଉପରକୁ ଯାଏଁ ଯେ, ଆଉ ଖାଲି ଆଖିରେ ଦେଖିହୁଏ ନାହିଁ । ବିଜ୍ଞାନୀ ବସିଥାନ୍ତି ତାଙ୍କର ପଢ଼ାପଢ଼ି ଘର ଭିତରେ । କିନ୍ତୁ ବେଲୁନରେ ଲାଗିଥିବା ଯନ୍ତ୍ରପାତି ବକ୍ସରୁ ବେତାର ରେଡ଼ିଓ ଯୋଗେ ତାଙ୍କ ପାଖରେ ପାଣିପାଗ ଖବର ଆସି ପହଞ୍ଚେ । ସେଇ ଯନ୍ତ୍ରପାତି ଜଣେଇଦିଏ–ପାଗଟା ଥଣ୍ଡା, ଓଦାଳିଆ କି ଶୁଖିଲା ଅଛି ।

 

ବେଲୁନ ଏତେ ଉଚ୍ଚକୁ ଉଠେ ଯେ ମଣିଷ କି ପକ୍ଷୀ କେହି କେବେ ସେତେ ଉଚ୍ଚକୁ ଯାଇ ନାହାନ୍ତି । ଅତି ଉଚ୍ଚରେ ଭାରି ଥଣ୍ଡା, ନିଃଶ୍ୱାସ ମାରିବାକୁ ଭାରି କଷ୍ଟ ହୁଏ । କାରଣ, ସେଠି ପ୍ରଚୁର ପବନ ନଥାଏ । ଯନ୍ତ୍ରପାତିଗୁଡ଼ିକ ତ ଆଉ ନିଃଶ୍ୱାସ ନିଅନ୍ତି ନାହିଁ, ତେଣୁ ଲୋକଙ୍କୁ ପଠା ନ ଯାଇ ସେଇଗୁଡ଼ିକୁହିଁ ଉପରକୁ ପଠାଯାଏ । ତେବେ ଅତି ଉଚ୍ଚକୁ ଗଲାପରେ ବେଲୁନସବୁ ଛାଁକୁ ଛାଁ ଫାଟିଯାଏ । ବିଜ୍ଞାନୀମାନେ ଏ କଥା ଜାଣନ୍ତି । ତେଣୁ ସେମାନେ ଏମିତି କୌଶଳ କରିଥାନ୍ତି ଯେ, ଯନ୍ତ୍ରବାକ୍ସଟି ତଳେ ଖସିପଡ଼ି ଚୂନ୍‍ଚୂନା ହୁଏ ନାହିଁ । ସେଇଟି ଖସିବାକୁ ଆରମ୍ଭ କରିବାମାତ୍ରେ ତା' ଉପରେ ଥିବା ଗୋଟିଏ ପାରାସ୍ୟୁଟ ବା ଆକାଶଛତା ଖୋଲିଯାଏ । ଏହା ଫଳରେ ଯନ୍ତ୍ରବାକ୍ସଟି ଧୀରେ ଧୀରେ ପବନରେ ଭାସି ଭାସି ତଳକୁ ଓହ୍ଲାଏ । ବେଳେବେଳେ ସେଇ ବକ୍ସସବୁ ବିଲରେ କି ପଡ଼ିଆରେ ଖସେ, ନଇଲେ ବା ତୋଟାରେ କି ବଣରେ କେଉଁଠି ଆସି ଗଛ ଡାଳରେ ଲାଖିଯାଏ । କିନ୍ତୁ କେହିହେଲେ ସେଗୁଡ଼ିକର ଗତି ଲକ୍ଷ୍ୟ କରୁଥାଏ, ତାକୁ ସବୁ ଉଦ୍ଧାର କରି ଆଣେ । ବେଳେବେଳେ ପିଲାଏ କୋଳି ତୋଳି କି ଛତୁ ତୋଳି ଯାଇଥାନ୍ତି । ସେମାନେ ଗୋଟିଏ ଗୋଟିଏ ମଜାର ବାକ୍ସ ପାଆନ୍ତି । ଘରକୁ ଫେରି ତାକୁ ଓଲଟେଇପାଲଟେଇ ନିରିଖି ନିରିଖି ଦେଖନ୍ତି । ଖଣ୍ଡେ କାଗଜଟୁକୁରା ତା’ ଭିତରେ ଗୁଞ୍ଜା ହୋଇଥାଏ । ସେଥିରେ ଲେଖାଥାଏ–ବାକ୍ସକୁ କୋଉଠିକି ପଠେଇବାକୁ ହେବ । ପିଲାଏ ବଡ଼ଙ୍କ ଜରିଆରେ ସେଇ ବାକ୍ସକୁ ସବୁ ସେଠିକି ପଠାଇଦିଅନ୍ତି । ଏହି ଭାବରେ ଯନ୍ତ୍ରଗୁଡ଼ିକ ଯୋଉଠୁ ଆକାଶ ଯାତ୍ରାରେ ବାହାରିଥାନ୍ତି, ସେଇଠିକି ପୁଣି ଫେରିଆସନ୍ତି ।

 

ତୁମ ଛୋଟ ବେଲୁନଟିର ଆଉ କେତେ ବନ୍ଧୁବାନ୍ଧବ ଅଛନ୍ତି । ସେଗୁଡ଼ିକ ଏତେ ବଡ଼, ଆଉ ଏତେ ବଳୁଆ ଯେ ଲୋକଙ୍କୁବି ସାଥିରେ ଉଠାଇ ନେଇ ପାରନ୍ତି । ସେଗୁଡ଼ିକ ଦେହରେ ଗୋଟିଏ ଗୋଟିଏ ବଡ଼ ଟୋକେଇ ବା ଛୋଟ ଛୋଟ ଝରକା ଥିବା କେବିନ୍ ବା ବାକ୍ସ ଭଳି ଛୋଟ ଘର ଲାଗିଥାଏ; ସେଥିରେ ଲୋକେ ବସନ୍ତି ।

 

ଥରେ ତୁମେ ଗୋଟିଏ ଗୁଡ଼ି ତିଆରି କରିଥିଲ । ତା'ର କେତେକ ଅଂଶ ତୁମ ଆଲମାରି ଡ୍ର' ତଳେ ଅଛି । ସେଇ ଗୁଡ଼ିଟି ତିଆରି କଲାବେଳେ ତୁମେ କାଠି କେତୋଟି ବ୍ୟବହାର କରିଥିଲ । ସେଥିରେ ଫ୍ରେମ୍ ଗଢ଼ିଥିଲ, ଆଉ ଗୁଡ଼ିର ଲାଙ୍ଗୁଡ଼ପାଇଁ ଛିଣ୍ଡାକନା ଯୋଗାଡ଼ କରିଥିଲ । ମନେପଡ଼ୁଚି ତ ଗୁଡ଼ି ଉଡ଼ାଇବାରେ ତୁମର ସଙ୍ଗୀ ଜଣେ ତୁମକୁ କେମିତି ସାହାଯ୍ୟ କରୁଥିଲା ? ସେ ଆଗ ଯାଇ ଛିଡ଼ା ହେଉଥିଲା ଗୁଡ଼ିଟି ଧରି । ତମେ ଲଟେଇରୁ ସୂତା ଫିଟେଇ ଫିଟେଇ ଆଗକୁ ଆଗକୁ ଦୌଡ଼ୁଥିଲ । ପ୍ରଥମେ ପ୍ରଥମେ ଗୁଡ଼ିଟି ଉଡ଼ିବାକୁ ଅମଙ୍ଗ ହେଉଥିଲା । ଏହା ଘୁଷୁରି ହୋଇ ଯାଇ ଲାଞ୍ଜରେ ବଣବୁଦାକୁ ଧରିପକାଉଥିଲା । ତଳୁ ଉପର, ଉପରୁ ତଳ କେତେଥର ଡିଆଁଡେଇଁ କରୁଥିଲା । କିନ୍ତୁ ତା'ପରେ ପରେ ଠିକ୍, ଦେହରେ ତାହାର ପବନ ବାଜିଲାକ୍ଷଣି, କେମିତି ଖେଳି ଖେଳି ଲାଳାୟିତ ଭଙ୍ଗୀରେ ସୁରୁଖୁରୁରେ ଉଠୁଥିଲା । ତୁମ ମୁଣ୍ଡ ଉପରକୁ ଟପି ଘର ଉପରକୁ, ଗଛ ଉପରକୁ । ସେତେବେଳେ ପୁଣି ଏତେ ଜୋରରେ ଟାଣୁଥିଲା ତୁମକୁ, ତା' ସାଙ୍ଗରେ ତାଳ ରଖିବାପାଇଁ ତମେ ସେତେ ଚଞ୍ଚଳ ସୂତା ଭୁଞ୍ଜେଇ ପାରୁ ନଥିଲ, ଭିଡ଼ିଓଟାରି ହେଉଥିଲ । ତଳେ ତମେ ଦୌଡ଼ୁଥିଲ, କିନ୍ତୁ ତୁମକୁ କେଡ଼େ ଖୁସି ଲାଗୁ ନଥିଲା ! ତୁମର ମନେ ହେଉଥିଲା, ସତେ ଯେମିତି ତୁମେ ଉଡ଼ି ଉଡ଼ି ଚାଲିଚ ଗୁଡ଼ି ସାଥିରେ–କାହିଁକି ନା ନିଜେ ତମେ ତିଆର କରିଥିଲ ତାକୁ ।

 

ଜାଣିଚ ନା, ଗୁଡ଼ି କେତେ ସାହାଯ୍ୟ କରିଚି ବିଜ୍ଞାନକୁ ! ପୃଥିବୀ ଉପରେ ଅନେକ ଉଚ୍ଚରେ କ’ଣ ସବୁ ଘଟୁଚି, ଏହା ତ ପୁଣି ଜାଣିବା ଦରକାର । ଏହା ଜାଣିବା ଦିଗରେ ପ୍ରଥମେ ପ୍ରଥମେ ଏହା ବହୁତ ବାଟ ଦେଖେଇଚି, ବହୁତ ସାହାଯ୍ୟ କରିଚି ମଣିଷକୁ; ବିଶେଷରେ ବିଜ୍ଞାନୀମାନଙ୍କୁ । ସେତେବେଳକୁ ରେଡ଼ିଓ ବା ବେତାର ବାହାରି ନଥାଏ । ବିଜ୍ଞାନୀମାନେ 'ସ୍ୱୟଂକ୍ରିୟ' ବା ଛାଁକୁ ଛାଁ କାମ କରୁଥିବା ଲେଖାଲେଖି ଯନ୍ତ୍ର ଖଞ୍ଜିଦେଉଥାନ୍ତି ଗୁଡ଼ି ଦେହରେ । ଗୁଡ଼ି ଉପରକୁ ଉଠିଲା ପରେ ସେଇଥିରେ ଆପେଆପେ ଠାରରେ ଲେଖି ହୋଇଯାଉଥାଏ କେଉଁଠି କେତେବେଳେ କେତେ ଟେମ୍ପରେଚର୍ ବା ତାପାଙ୍କ ଥାଏ; ଆଉ ଆବହମଣ୍ଡଳର ଚାପ କେଉଁଠି କେତେ ପରିମାଣରେ ଲଘୁ କି ଗୁରୁ ଆକାରରେ ଥାଏ । ଗୁଡ଼ି ଓହ୍ଲେଇଲା ପରେ ବିଜ୍ଞାନୀମାନେ ଯାଇ ତା’ର ଏଇ ଛାଁକୁ ଛାଁ ଲେଖା 'ଡାଇରି' ଖୋଲୁଥାନ୍ତି ଆଉ ସେଥିରେ କ’ଣ ସବୁ ଠାରଠୁରରେ ଲେଖାହୋଇଥାଏ, ତାହା ପଢ଼ୁଥାନ୍ତି ।

 

ଆଉ ଗୋଟିଏ ଦିଗରେବି ଗୁଡ଼ି ଭାରି କାମରେ ଲାଗିଥିଲା । ଉଡ଼ାଜାହାଜ ତିଆରିରେ ଏହା ବେଶ୍ ସାହାଯ୍ୟ ଯୋଗେଇଥିଲା । ଲୋକେ ଆଗ ଏହାକୁ ଅନେଇ ଅନେଇ ଭାବିଲେ–"ଏହା ତ ପବନଠୁ ଓଜନିଆ ! ପବନରେ ଉଡ଼ୁଛି ! ଖାଲି ବେଲୁନରେ ଟୋକେଇ ଝୁଲେଇ ସେଥିରେ ଉପରକୁ ଉଠିବା କାହିଁକି ? ଗୁଡ଼ି ପରି କିଛି ତିଆରି କରି ତା’ ସାହାଯ୍ୟରେ ଉଡ଼ିବା ନାହିଁ କାହିଁକି-?’’ ଏହା ଭାବି ଲୋକେ ଏଇ ସମସ୍ୟା ତୁଟାଇବାରେ ଲାଗିପଡ଼ିଲେ । କେତେକେତେ ପ୍ରକାର 'ଗୁଡ଼ି ପରି’ ଫ୍ରେମ୍ ତିଆରି କଲେ । କେତେ ଗବେଷଣା, କେତେ ପରୀକ୍ଷା ଚଳାଇଲେ । ଶେଷରେ ସେମାନେ ପ୍ରସ୍ତୁତ କରିପାରିଲେ 'ଗ୍ଲାଇଡ଼ର' ବା 'ଭସାଣିଆ' ଉଡ଼ାଜାହାଜ, ଆଉ ତା'ପରେ ପ୍ରକୃତ ଭଲ ଉଡ଼ାଜାହାଜ । ଭସାଣିଆ ଉଡ଼ାଜାହାଜ ଠିକ୍ ଉଡ଼ାଜାହାଜ ଭଳି, କିନ୍ତୁ ସେଥିରେ ଇଞ୍ଜିନ୍ ନଥାଏ–ପବନ ନହେଲେ କି ପବନ ନଥିଲେ, ତାହା ଉଡ଼ିପାରେ ନାହିଁ । ପବନ ବଳରେ ତାହା ଉପରକୁ ଉଠେ, ଆକାଶରେ ଭାସି ଭାସି ରହେ । ଏହା ନହେଲେ ଉପରକୁ ଉଠେନାହିଁ । କିନ୍ତୁ ଏରୋପ୍ଲେନ୍ ବା ଉଡ଼ାଜାହାଜରେ ଇଞ୍ଜିନ୍ ଥାଏ । ଏହି ଇଞ୍ଜିନ୍ ଯୋଗେ ତା’ର 'ପ୍ରପେଲର' ଚାଲେ-। ଏହି ପ୍ରପେଲର ହେଉଛି ପଙ୍ଖା ଭଳି, କିନ୍ତୁ ପ୍ରକୃତରେ ଉଡ଼ାଜାହାଜର ଅସଲ ପେଚ ବା ଚାବି–ଏହାହିଁ ତାକୁ ଆଗକୁ ଟାଣେ ।

 

ତମର ଖେଳଣାଗଦା ଭିତରେ ଯେତେ ତମର 'ଖେଳଣା–ଇଟା' ଅଛି, ସେତେ ବୋଧହୁଏ ଆଉ କୌଣସି ଖେଳ ଜିନିଷ ନାହିଁ । ସେଇ ଇଟାଗୁଡ଼ିକ ପୁଣି କେତେ ରଙ୍ଗର, କେତେ ଆକୃତିର ! ମନେପକାଅ–ସେଗୁଡ଼ିକରେ ତମେ କେତେ ଘର, କେତେ ଦୁର୍ଗ, ତୋଳୁ ନଥିଲ ! ପ୍ରଥମେ ପ୍ରଥମେ ତମେ ଘରଗୁଡ଼ିକ ଯେତେବେଳେ ଉଞ୍ଚା ଉଞ୍ଚା, ଡେଙ୍ଗା ଡେଙ୍ଗା, କରିବାକୁ ବସୁଥିଲ, ସେତେବେଳେ ତାହା ସବୁ ଆଖି ପିଞ୍ଛୁଡ଼ାକେ ଭୁଶୁଡ଼ି ପଡ଼ୁଥିଲା । ତମେ ଛୋଟ ଛୋଟ ଇଟା ଉପରେ ବଡ଼ବଡ଼ ଇଟା ଥୋଉଥିଲ, ଆଉ ତାହା ପୁଣି ଅଢ଼େଇଆ ଦେଢ଼େଇଆ ବଙ୍କାଢ଼ଙ୍କା କରି କଣରେ । ତା'ପରେ ତମେ ଘରତିଆରିର ଅସଲ ଉପାୟ ପାଇଗଲ । ବାରମହଲା 'ଦୁର୍ଗ', 'ଗମ୍ବୁଜ' ବା କୋଠାମାନ ତିଆରି କରି ସମସ୍ତଙ୍କୁ ଚମକେଇ ଦେଲ । ସେ ବାରମହଲା ଦୁର୍ଗ ବା କୋଠା, ଆଉ ସେତେବେଳେ ଟଳି ପଡ଼ିଲା ନାହିଁ–ସେତେବେଳକୁ ତମେ ଇଟାଗୁଡ଼ିକୁ କେମିତି ଖଞ୍ଜିବାକୁ ହେବ, 'ଗମ୍ବୁଜ' ବା ଦୁର୍ଗଟିକୁ କେମିତି ସ୍ଥିର ଆଉ ଅଟଳ କରିବାକୁ ହେବ, ତାହା ସବୁ ଶିଖି ସାରିଥିଲ ।

 

ବଡ଼ବଡ଼ କୋଠାଘର, ଉଞ୍ଚା ଉଞ୍ଚା ଆକାଶଛୁଆଁ 'ଦୁର୍ଗ', ଗମ୍ବୁଜ ଓ ସ୍ତମ୍ଭ ସବୁ ଏବେ ଗଢ଼ାହେଉଚି । ଏହାକୁ ସବୁ ଯେଉଁମାନେ ଗଢ଼ୁଛନ୍ତି, ସେମାନେ ଆଗ ଠିକ୍‍ରୂପେ ଦେଖୁଛନ୍ତି, ଏଗୁଡ଼ିକ ପ୍ରକୃତରେ ମଜବୁତ ଆଉ ଟାଣ ହେଉଛି କି ନାହିଁ ।

 

ତମର ଆହୁରି ଅନେକ ପ୍ରକାରର ଖେଳଣାବି ଥିଲା । ସେଥିରୁ ଅଧିକାଂଶ ତମେ ନିଜେ ତିଆରି କରିଥିଲ, ନାହିଁ ? ସେଗୁଡ଼ିକରୁ କିଛି ଆଉ ନାହିଁ କହିଲେ ଚଳେ । ତମର ମନେଥିବ, ତମେ ପିନ୍‍କଣ୍ଟାରେ କାଗଜ ଲଗେଇ ତାକୁ 'ଚକି' ଭଳି କରି ଗୋଟିଏ ଡାଙ୍ଗ କି ବାଡ଼ି ଆଗରେ ତାକୁ ଖଞ୍ଜିଥିଲ, ତାକୁ ପବନମୁହାଁ କରିଥିଲ । ପବନ ବୋହିଲାମାତ୍ରେ ସେଇ ‘କାଗଜ-ଚକି' ବା 'କାଗଜ-ପଙ୍ଖା' ଜୋରରେ ଘୂରୁଥିଲା । ସେହି କାଗଜଚକି ଦେଖେଇଦିଏ, ପ୍ରକୃତ 'ଉଇଣ୍ଡମିଲ' ବା 'ପବନଚାଳିତ କଳ'ର ପଙ୍ଖାଗୁଡ଼ିକୁ ପବନ କେମିତି ଚଳାଏ, ଆଉ 'ବାଷ୍ପ' ବଳରେ କେମିତି ଟର୍ବାଇନ୍ ଭିତରର ଚକଟା ଘୂରେ ।

 

ଦେଖ, ଖେଳଣାଗଦାରୁ ଆଉ କୋଉ ଖେଳଣା ପାଇପାରିବ–ସେଇ ଖେଳଣା ପୁଣି ତମକୁ କିଛି ଶିଖେଇ ପାରିବ, ଜଣେଇ ପାରିବ, ନା ନାହିଁ ?

Image

 

ତୁମ ଘରର କଳଗୁଡ଼ିକ

 

କଳକବଜା, ଯନ୍ତ୍ରପାତି ଯେ ଖାଲି ବାଟଘାଟରେ କି କାରଖାନାମାନଙ୍କରେ ଥାଏ, ଏହା ନୁହେଁ, ତମ ଘରେବି ଥାଏ । ଭଲ କରି ଆଖି ବୁଲେଇ ଦେଖ, ନିଜ ଘରକୁ ତମର ! ହେଇ ଝରକା କତିରେ ଟେବୁଲ ଉପରେ ଅଛି ସିଲେଇ କଳଟିଏ । ତାକୁ କେମିତି ଚଳେଇବାକୁ ହୁଏ, ତମ ମାଆଙ୍କୁ ଜଣା । ତା’ର ଅଶ୍ରାନ୍ତ ମୃଦୁ ଗୁଞ୍ଜନଟିକ ଶୁଣୁ ଶୁଣୁ ବେଳେବେଳେ ତମର ଆଖି ମୁଜି ହୋଇ ଆସିଥିବ ନିଶ୍ଚୟ; କେତେଥର ଶୋଇପଡ଼ିଥିବ ବୋଧହୁଏ । ଅବଶ୍ୟ ଏହି କଳଟି ଅନେକ ସମୟରେ ଆଗରୁ ଟିକିଏ ସତର୍କ ନ କରେଇ, ନଜଣେଇ ଚୁପ୍ ହୋଇଯାଏ କେମିତି ! ସତେ ଅବା ଅଚଳ ହୋଇଯାଏ ! କିନ୍ତୁ ଥାଏ ଥାଏ ହଠାତ୍ ଧାଇଁବାକୁ ଲାଗେ ଯେମିତି–ଧାଉଁ ଧାଉଁ ତା’ର ଗତିର ବେଗ ବା ଦ୍ରୁତିଟା ଏତିକି ପ୍ରଖର ହୋଇ ଉଠେ ପୁଣି ! ତା’ର ତୁନି ପଡ଼ିବା ମୁହୂର୍ତ୍ତଟି ତମକୁ ଉଠେଇ ଦିଏ, ସାଙ୍ଗେ ସାଙ୍ଗେ ପୁଣି ତା’ର ଗୁଞ୍ଜନଟି ଆରମ୍ଭ ହୋଇଯାଇ ଥିରକିନି ଶୁଆଇପକାଏ ତମକୁ । ସକାଳେ ତମେ ଦେଖ, ମାଆ ତମପାଇଁ ନୂଆ କାମିଜଟିଏ ତିଆରି କରି ସାରିଛନ୍ତି । ବୁଝ ଏବେ, ସିଲେଇ କଳଟି ଗୁଣୁଗୁଣୁ ହୋଇ ଗୀତ ଗାଉ ନଥିଲା, ଗୁଞ୍ଜନ କରୁ ନଥିଲା ତୁଚ୍ଛାଟାକୁ ଖାଲି–କାମ କରୁଥିଲା ତୁମରିପାଇଁ ।

 

କେତେ ଜାତିର ମଟରଗାଡ଼ି ଦେଖୁଚ ରାସ୍ତାରେ, କିଏ କୋଉ କିସମର ପଚାରିଲେ କହିଦେବ ଚଟ୍‍କିନି । ସିଲେଇକଳଟା ତମ ଆଖିରେ କିଛି ନୁହେଁ, ତମ ମନରେ କିଛି ପ୍ରଭାବ ପକାଏ ନାହିଁ । କିନ୍ତୁ ତମ ଜେଜେମା, ପଣ-ଜେଜେମା ସିଲେଇକଳଟିକୁ ବିଚାରୁଥିଲେ ଗୋଟାଏ ଅତି ଅଦ୍ଭୁତ ଅଲୌକିକ 'ଉଦ୍ଭାବନ' ବୋଲି । ନା, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତାଙ୍କ ଅମଳରେ ଏଇଟା ଥିଲା ଗୋଟାଏ ବଡ଼ ଜିନିଷ–କେଡ଼େ ଚଞ୍ଚଳ, ଛାଏଁ ଛାଏଁ କେମିତି, ସିଲେଇ କରିଦେଉଥିଲା ଜମାପଟାସବୁ ।

 

ତମେ ଯେତେବେଳେ ହାତରେ ସିଲେଇ କରି ବସ, ଗୋଟିଏ କାମିଜ କି ଚାଦରର ଧଳା ଆଉ ଚିକ୍କଣ ଲିନେନ କପଡ଼ାର 'ରାସ୍ତାରେ' ଛୁଞ୍ଚିଟା ତମର ଠିକ୍ ଯାଆସ କରେ ନାହିଁ, ଅଟକି ଯାଏଁ, ଅକସ ଭାଙ୍ଗେ । ଏଣୁ, ହାତ ସିଲେଇର ଛୁଞ୍ଚିଟିକୁ କେବେହେଲେ ସିଲେଇକଳ ସାଙ୍ଗରେ ତୁଳନା କରିହେବ ନାହିଁ । ଗୋଟିଏ ମଟରଗାଡ଼ି ଆଉ ଗୋଟିଏ ପଦଚାରୀ ଲୋକ ଭିତରେ ଯେତିକି ତଫାତ୍, ଏ ଖାଲି ଛୁଞ୍ଚି ଆଉ ସିଲେଇକଳ ଭିତରେ ସେତିକି ତଫାତ ।

 

ମାଆଙ୍କୁ ସାହାଯ୍ୟ କରିବାପାଇଁ ତାଙ୍କର ଏଇ ସିଲେଇକଳର ଚକଟିକୁ କେବେ ଘୂରେଇଚ ଭଲା ? ଘୂରେଇଥିଲେ ଜୋରରେ ଘୂରେଇ ନଥିବ ନିଶ୍ଚୟ ! ତଥାପି, ଦେଖିଥିବ, ଛୁଞ୍ଚିଟି କେମିତି ଉପରୁ ତଳ ଉପରୁତଳ ହୋଇ ନାଚେ, ଆଉ ସୂତାଗୁଲିଟା ଘୂରୁଥାଏ ଭଉଁରୀ ଖାଇ–ସାଙ୍ଗେ ସାଙ୍ଗେ ସୂତା ଭୁଞ୍ଜାଉଥାଏ ଛୁଞ୍ଚିରେ । ଜାଣିଚ ନା, ପ୍ରତି ସେକେଣ୍ଡରେ ଛୁଞ୍ଚିଟି ଉପରୁତଳ ତଳୁଉପର ହୋଇ ଡିଏଁ ଦଶଥର, ଆଉ ସୂତା ଗଳେଇ ଗଳେଇ ସିଲେଇ କରେ ଦଶୋଟି ଜାଗାରେ, ସିଲେଇ କରେ ଦଶଠି । ଡିଏଁ, ଡିଏଁ, ଡେଉଁଥାଏ ଖାଲି–ତମେ ଜାଣିବା ଆଗରୁ କେତେବେଳେ ଯାଇ ଡେଉଁ ଡେଉଁ ପହଞ୍ଚି ଯାଇଥାଏ କନା ବା ଚାଦରଟିର ଧାରରେ । ତମେ ଅନେଇଲାବେଳକୁ କ’ଣ ମୋଡ଼ି ଯିବାକୁ ଆରମ୍ଭ କରିଥାଏ ଆଗରୁ ଅଚଲା, ଅମଡ଼ା ବାଟରେ ।

 

ସିଲେଇ କଳରେ ଏମିତି ସିଲେଇ କରିବାଟା ଭାରି ସହଜ । ଖାଲି ଥରେ ଶିଖିଗଲେ ହେଲା । କିନ୍ତୁ ସିଲେଇକଳଟି ଉଦ୍ଭାବନ କରିବା କ’ଣ ସହଜ ଥିଲା ଏମିତି ?–ନା !

 

ଧାରଣା କରିପାରୁଚ ଭଲା, କେତେ ଛୋଟ ଛୋଟ କଳକବଜା ଅଛି ସିଲେଇକଳରେ ? ସେଇ ଛୋଟ କଳକବଜାଗୁଡ଼ିକୁ କୁହାଯାଏ ମେସିନର ପାର୍ଟ୍‍ସ୍ ବା ଅଂଶ ତମେ ଚକଟିକୁ ବୁଲାଇବାମାତ୍ରେ ସେଗୁଡ଼ିକ ଚାଲିବାକୁ ଆରମ୍ଭ କରନ୍ତି, ଚାଲୁ ହୁଅନ୍ତି, କାମରେ ଲାଗନ୍ତି ଠିକ୍ ହଜାର ହଜାର ଟିକିଟିକି ହାତୁଟିମାନ ଆଉ ଆଙ୍ଗୁଳିଗୁଡ଼ିକ ପରି ! ସବୁଠୁ ବଳି କୌତୁଳିଆ ଅଂଶଟି ହେଉଚି–ଚକ୍‍ଚକ୍ କଣ୍ଡା ବା ଶଟଲ୍‍ଟି । ଲୁହାର ଆଙ୍ଗୁଳିଗୁଡ଼ିଏ ଏହାକୁ ଆଉ ଏହା ଭିତରେ ଥିବା ସୂତାଗୁଳିରୁ ସୂତା କେରିକୁ ବାଟ କଢ଼ାଏ, ଚଳାଏ । ଛୁଞ୍ଚି ଆଉ କଣ୍ଡ ଏକାଠି ମିଶି କାମ କରନ୍ତି, ଏକାଠି ଏକସମୟରେ ଥରକୁ ଗୋଟିଏ ନୁହେଁ, ଦୁଇଟି ସୂତାସରିରେ ଲୁଗାପଟା କନା-କପଡ଼ା ଉପରେ ସିଆଁସେଇଁ ଚଳାନ୍ତି । ଏଡ଼େ ଦ୍ରୁତ ବେଗରେ କାମ କରନ୍ତି ଯେ, ଖାଲି ଥରେ ଅନାଇଦେଲେ ମୋତେ ବାରି ହେବେ ନାହିଁ । କିନ୍ତୁ, ନିରିଖି ନିରିଖି କଷ୍ଟକରି ଦେଖିଲେ,–ଦେଖିପାରିବ ।

 

ଛୁଞ୍ଚି ଆଗ ଗଳିଯାଏ କପଡ଼ାରେ, ତା'ପରେ ସୂତାଖିଅଟିକୁ ଟାଣିନିଏ ତଳକୁ, ସାଙ୍ଗେ ସାଙ୍ଗେ ଉପରକୁ ଉଠେ, ଆଉ ସୂତାଖିଅଟିକୁ ଟାଣିଆଣେ ଉପରକୁ । ଏତିକିରେ ତିଆର କରିଦିଏ ଫାଶଟିଏ । କଣ୍ଡାଟି ନଥିଲେ ଛୁଞ୍ଚି ଖାଲି ତଳକୁ ଯାଇ କପଡ଼ାରେ ଚଳୁଥାନ୍ତା, ଉପରକୁ ଉଠୁଥାନ୍ତା, 'ଶୂନ୍ୟରେ ଫାଶ ପକାଉଥାନ୍ତା' । ଯେଉଁ କଳ ଖାଲି ସିଏଁ, ଆଉ ଯାହା ସିଏଁ ତାକୁ ଫିଟେଇ ନଷ୍ଟ କରେ, ସେ କଳ ତ ନିହାତି ଅକାମି । ସେଇଥିପାଇଁ ଛୁଞ୍ଚି ସାଙ୍ଗରେ ଦରକାର କଣ୍ଡାଟିଏ । କଣ୍ଡାଟି ଛୁଞ୍ଚିକୁ ଫାଶ ଫିଟେଇବାକୁ ସୁବିଧା ଦିଏ ନାହିଁ–କଣା ଫଟେଇବାରେ ବାଧାଦିଏ । ଛୁଞ୍ଚି ଫାଶଟିଏ, ଫାଶକଣାଟିଏ, କରିଦେବା ସାଙ୍ଗେ ସାଙ୍ଗେ କଣ୍ଡାଟି ତାକୁ ଆଉ ଗୋଟିଏ ସୂତାରେ ଧରିପକାଏ । ଛୁଞ୍ଚି 'ଫାଶଟିକୁ' ଟାଣି ଆଣିବାକୁ ବାହାରିଲାବେଳେ ଥକିଯାଏ, ଅଟକିଯାଏ–ପାରେ ନାହିଁ । କାରଣ କଣ୍ଡା ଦ୍ଵିତୀୟ ସୂତାଟି ସେତେବେଳକୁ ତାକୁ ଧରିସାରିଥାଏ ଶକ୍ତ କରି,–କପଡ଼ାରୁ ତାକୁ ଖସେଇ ଦିଏ ନାହିଁ ଟିକିଏ ହେଲେ । ଏମିତି ଭାବରେ ଛୁଞ୍ଚି ଆଉ କଣ୍ଡା କାମ କରନ୍ତି ଯୋଡ଼ିଏ ସରି ସୂତାରେ-! ନିଜ ନିଜ ଭିତରେ ସଙ୍ଗତି ରଖି ବେଶ୍ ମିଳିମିଶି ଚାଲନ୍ତି ସେମାନେ, ଆଉ ସିଲେଇ କରନ୍ତି ଦୁଇଟିଯାକ ସୂତାରେ । ଛୁଞ୍ଚିଟି ଖାଲି ତଳୁ ଉପର, ଉପରୁତଳ ହେଉଥାଏ । ଫାଶ ତିଆରି କରି, ପୁଣି ସେଇ ଫାଶକୁ ଟାଣିଟୁଣି ଆଣ୍ଟ କରି କରି, ତା' ତଳେ ତଳେ ଆଗକୁ ପଛକୁ, ପଛକୁ ଆଗକୁ ଅନବରତ ତେଣେ ଚାଲିଥାଏ କଣ୍ଡାଟି, ଆଉ ଟାଣ କରି ଧରି ରଖୁଥାଏ ଫାଶଟିକୁ ।

 

ତମ ଘରର ସିଲେଇକଳଟି ତ ଛୋଟ, ତା’ର 'ଭାଇ ଭଉଣୀ' ଅନେକ ବଳୁଆ ବଳୁଆ ମୋଟର ଯୋଗେ ଚାଲନ୍ତି ସେମାନେ, କାରଖାନାରେ ସବୁ କାମ କରନ୍ତି ଆଉ ପ୍ରତ୍ୟେକଙ୍କର କାମ ଅଲଗାଅଲଗା । ତାଙ୍କ ଭିତରୁ କିଏ ପୋଷାକପତ୍ର କୁର୍ତ୍ତା ପ୍ରଭୃତି ସିଲେଇ କରେ ତ କିଏ ସେଥିରେ ସବୁ ବୋତାମ ଲଗାଏ, ଆଉ କିଏ ବୋତାମ ଲାଗି 'କାଜ' ବା ‘‘ଘରା’’ କରେ ତ କିଏ ପୋଷାକପତ୍ରଗୁଡ଼ିକ ବାନ୍ଧିବୁନ୍ଧି ସଜାଡ଼ି ଦିଏ । ଗୋଟିଏ ପ୍ରକାରର ସିଲେଇ କଳ ଅଛି–ସେଥିରେ ଖାଲି ପଶମ ବା ଲୋମ କୁର୍ତ୍ତାମାନ ସିଲେଇ ହୁଏ । ଆଉ ଗୋଟିଏ ପ୍ରକାରରେ ଚମଡ଼ା ଜୋତା, ବୁଟ୍ ପ୍ରଭୃତି ସିଆଁ ହୁଏ । ଏମିତିକି ପୁଣି ଆଉ କେତୋଟିରେ ଅଖା ବସ୍ତା ସିଲେଇ ହୁଏ; କେଉଁଟି ପୁଣି ମୋଟା ବହଳିଆ 'କ୍ୟାନ୍‍ଭାସ'ର ଥଳି ଆଦି ସିଲେଇ କରେ ।

 

ଖାଲି ସିଲେଇ କଳ ଯେ ଆମର ଘର କାମରେ ଲାଗେ, ଏହା ନୁହେଁ । ଆଉ ଆଉ କଳସବୁବି ଆମକୁ 'ଖଟନ୍ତି'–ଏଇ ଯେମିତି 'ଭାକ୍ୟୁଅମ୍ କ୍ଲିନର’'–"ଶୂନ୍ୟେ ଶୂନ୍ୟେ ଅଳିଆସଫା-କଳ" ବା ଅଳିଆ ଶୋଷାକାଳ ! ଏଇଟି ଦିଶେ ଗୋଟାଏ ଅଦ୍ଭୁତ ଜନ୍ତୁ ପରି । କେଡ଼େ ବଡ଼ ଲମ୍ବ ଗଣ୍ଡିଟିଏ, ଦେହଟାଏ ସତେ ୟାର ! ଏଇ ଅଦ୍ଭୁତ 'ଦୈତ୍ୟ'ଟା ଚଟାଣରେ ଗାଲିଚା କି ସତରଞ୍ଜି ଉପରେ ଉପରେ ଘର ଘର ହୋଇ ଚାଲେ, ଆଉ ତା’ର ଦେହବାଟେ ଧୂଳି ଶୋଷି ନିଏ ! ଧୂଳିମୟ ପବନର ସତେ ଅବା ତା’ର ଦେହ ଭିତରେ ଥିବା ପଙ୍ଖା ଯୋଗେ ନିଃଶ୍ୱାସ ମାରେ । ଏଣୁ ଜୋରରେ ଶବ୍ଦ ହୁଏ । 'ଭାକ୍ୟୁଅମ୍ କ୍ଲିନର୍' କିମ୍ବା ‘ଶୂନ୍ୟରେ ଧୂଳିଶୋଷା କଳ ଭିତରେ 'ଧୂଳି'ସବୁ ଯନ୍ତାରେ ପଡ଼ିଲା ପରି ରହେ ! କିନ୍ତୁ ନିର୍ମଳ ପବନ, କଳବାଟେ ତା’ର ଆରମୁଣ୍ଡରେ ବାହାରୁଥାଏ । ଘରେ ଝାଡ଼ୁ ବା ଛାଞ୍ଚୁଣିରେ ଧୂଳି କଢ଼ା ହେବା ଆମେ ଜାଣୁ । ଶହ ଶହ ବର୍ଷ ହେଲା ଏହି ଆଦିମ ପନ୍ଥାରେ ଘରଓଳିଆ ଚାଲିଛି । କିନ୍ତୁ ଗୋଟାଏ ବଡ଼ କ୍ଲବ୍‍ଘର ହୋଟେଲ କି ବହୁତ ବଡ଼ କୋଠରୀ ଥିବା ପକ୍କାଘରସବୁ ଓଳେଇ ଶୀଘ୍ର ସଫା କରିବା ସହଜ କଥା ନୁହେଁ, ଏହା ଗୋଟାଏ ସମସ୍ୟା । ଏହି କ୍ଷେତ୍ରରେ ଏହି ଧୂଳିଶୋଷା କାଳର ଗୌରବ ବେଶୀ ।

 

ମେଟ୍ରୋ ବା ମାଟିତଳ ଘର, ଷ୍ଟେସନ୍ ପ୍ରଭୃତି ଓଳେଇବା ହେଉଚି, ଏହି 'ଭାକ୍ୟୁଅମ୍ କ୍ଲିନର୍‍ର ବଡ଼ କାମ । ସେଥିପାଇଁ ସେଠି ଏଗୁଡ଼ିକର ଆକୃତି ଖୁବ୍ ବିରାଟ । ମାଟିତଳ ବଡ଼ବଡ଼ ଘରେ ଏଗୁଡ଼ିକ ଘଡ଼ଘଡ଼ ଶବ୍ଦ କରି ଚାଲେ, ଆଉ ଯେଉଁ ବାଟରେ ଯାଏଁ, ତା’ର ଚଟାଣକୁ ଚିକ୍କଣ କରି ଓଳେଇ ଦିଏ । ଏହା ଫଳରେ ସେଠି ମଳିଧୂଳି କିଛି ରହେ ନାହିଁ, ସବୁ ଉଭେଇ ଯାଏଁ ।

 

ଆମ ଘରର ଆଉ ଗୋଟିଏ କଳ କଥା ଏଥର ଦେଖାଯାଉ । ଏ କଳଟି 'ଟାଇପ୍‍ ରାଇଟର' ବା 'ଅକ୍ଷରଲେଖା' କଳ ।

 

ତମେ ଯେତେବେଳେ କଲମରେ ଲେଖ, ସେତେବେଳେ ଅକ୍ଷରଗୁଡ଼ିକ କି ଧାଡ଼ିଗୁଡ଼ିକ ତମ କଥା ମାନନ୍ତି ନାହିଁ, ଆଡ଼ବାଙ୍କରେ ଗତି କରନ୍ତି । ସେଥିରେ ପୁଣି କାଗଜରେ ଯଦି ରୁଲ୍‍ ବା ଗାର ପଡ଼ି ନଥାଏ, ତେବେ ଧାଡ଼ିଗୁଡ଼ିକ କୋଉଠି ଉପରକୁ ତ କୋଉଠି ତଳକୁ ମାଡ଼ି ଯାଆନ୍ତି; ଅକ୍ଷର ସବୁ ଆଗକୁ ପଛକୁ ଢଳନ୍ତି । 'ଠ' ବା 'ଅ'ଟାଏ ଯଦି କୋଉଠି ବେଶ୍ ମାଉଁସିଆ ହୁଏତ ଆଉ କୋଉଠି ଉପାସିଆ, ଧୋଡ଼କା ଦିଶେ ।

 

କିନ୍ତୁ ଧାଡ଼ିଗୁଡ଼ିକୁ ସଳଖ କରି ଟାଣେ ଟାଇପ୍‍ ରାଇଟର । ଏକା ଉଞ୍ଚର ଏକା ଆକୃତିର 'ଅ' ବା 'ଠ'ଗୁଡ଼ିକୁ ସଜାଇପାରେ ଗୋଟିଏ ସୈନ୍ୟ ଶ୍ରେଣୀରେ ସୈନ୍ୟଙ୍କ ପରି । ଆମେ ଜାଣୁ, ଜଗିରଖି, ଯନ୍ତ୍ରର ସହିତ ଗୋଟି ଗୋଟି କରି, ପ୍ରତି ଅକ୍ଷରର ରୂପରେଖ ଆଙ୍କିବାକୁ ହୁଏ କଲମରେ-। କିନ୍ତୁ 'ଟିପ' ମାରିଦେଲେ ଅକ୍ଷରଟିଏ ମୁହୂର୍ତ୍ତକରେ ଲେଖିଦିଏ ଟାଇପ୍‍ ରାଇଟର, ଆଉ, କାଗଜଟିକୁ ଘୁଞ୍ଚେଇଦେଇ ଛୋଟ ଘଣ୍ଟି ବଜେଇ ଟିକକ ପରେ ସଂକେତ ଦିଏ–"ଦେଖ, ଧାଡ଼ି ସରି ଆସିଲା, ଆଉ ଗୋଟିଏ ଧାଡ଼ି ଆରମ୍ଭ କର !"

 

ତମକୁ ଯଦି କଳକବଜା ଭଲ ଲାଗୁଥିବ, ତେବେ ତମେ ନିଶ୍ଚୟ ଦେଖି ସାରିଥିବ ଏଇ ମେସିନର ମୂଳ 'ଯନ୍ତ୍ରଟି' ଚାଲେ କେମିତି; ଆଉ ଛବିଟି କେମିତି ଗୋଟିଏ ଅତି ଛୋଟ ବଙ୍କାଳିଆ ହାତୁଡ଼ିଟିକୁ ନେଇ 'ବାଡ଼େଇ ଲାଗେ' ଗଜରେ । ହୁଏତ, ବେଳେବେଳେ ତମେ ପଚାରୁଥିବ ନିଜକୁ,–"ମୂଳ ଯନ୍ତ୍ରଟିକୁ ଚଳଉଚି କ’ଣ ! ମଟରଗାଡ଼ିର 'ମୋଟର' ଅଛି, ଘଣ୍ଟାର 'ସ୍ପ୍ରିଙ୍ଗ୍‍' ଅଛି, କିନ୍ତୁ ଟାଇପ୍‍ ରାଇଟରର କି ଇଞ୍ଜିନ୍ ଅଛି ଯେ ! ଅତି ବେଶୀ ହେଲେ, "କ୍ୟାରେଜ୍" ବା ମୂଳ ବାହକ-ଯନ୍ତ୍ରଟିକୁ ବାଆଁ ଘୁଞ୍ଚେଇ ଚଳେଇ ଦେବାପାଇଁ, ଆଙ୍ଗୁଠିରେ ଗୋଟିଏ ଚାବିକୁ ଛୁଇଁଦେବାକୁ ପଡ଼ୁଚି !" କିନ୍ତୁ ତମେ ଜାଣ ଭଲା, ଟାଇପ୍ ରାଇଟରର ସ୍ପ୍ରିଙ୍ଗ୍‍ ଅଛି, ଠିକ୍ ଘଣ୍ଟା ଭଳି ! ଏଇ ସ୍ପ୍ରିଙ୍ଗ୍‍ ଆଉ ତମ ହାତର ଦଶୋଟି ଆଙ୍ଗୁଳି ମିଶି ଟାଇପ୍ ରାଇଟର ବା ଅକ୍ଷରଲେଖା କଳଟିର ଛୋଟ ଛୋଟ ହାତୁଡ଼ିଗୁଡ଼ିକୁ 'ଟପ୍‍ଟପ୍' କରି ଚଳାନ୍ତି, ଆଉ କାଗଜଟିକୁ ଘୁଞ୍ଚେଇ ଘୁଞ୍ଚେଇ ନିଅନ୍ତି । ତମଠୁ କେତେ ଚଞ୍ଚଳ, ଆଉ କେତେ ଗୁଣରେ ସୁନ୍ଦର କରି ଅକ୍ଷରଗୁଡ଼ିକ ଲେଖେ ଟାଇପ୍ ରାଇଟର ! ତେବେ, ଟାଇପ୍ ରାଇଟରବି ଭୁଲ କରେ । ତମେ ଯଦି ଇଂରାଜୀରେ "Cow" ଶବ୍ଦଟିରେ 'o' ଜାଗାରେ 'a' ବନାନ୍ କର ତେବେ ତାହା ଭୁଲ କରି "Caw" ଲେଖିଦେବ । ଏମିତି ଓଡ଼ିଆରେ 'ଜ' ଏଇ ବର୍ଗ୍ୟ 'ଜ'ର ଜାଗାରେ, ଅନ୍ତସ୍ଥ 'ଯ' ଲେଖିଦେବ ବା 'ଗାଈ' ର ଦୀର୍ଘ 'ଈ' ଜାଗାରେ ହ୍ରସ୍ୱ 'ଇ' ଲେଖିଦେବ । କାରଣ ଲେଖାକଳଟି ଯେତେ ଚାଲାକ ହେଲେବି, ଏବେ ମଧ୍ୟ ବନାନ୍ କରିବା ଜାଣିନାହିଁ ।

 

ଯେଉଁ ଘରେ ବା ପରିବାରରେ 'ଗ୍ୟାସ୍' ଓ 'ଇଲେକ୍‍ଟ୍ରିସିଟି' ବା 'ବିଦ୍ୟୁତ୍' ଅଛି, ସେଇ ଘରେ ଆଉ ଯୋଡ଼ିଏ କଳ ବା 'ଯନ୍ତ୍ର' ଦେଖିବାକୁ ମିଳେ । ସେଗୁଡ଼ିକୁ କୁହାଯାଏ "ମିଟର୍‍" । କେମିତି ଲେଖିବାକୁ ହୁଏ, ସେ ଯନ୍ତ୍ର ଦୁଇଟି ଜାଣନ୍ତି ନାହିଁ । କିନ୍ତୁ କେମିତି ଗଣିବାକୁ ହୁଏ, ଜାଣନ୍ତି, ଭଲ କରି ଜାଣନ୍ତି । ଆଉ ସବୁଠୁ ମଜାର କଥା, ସେଇ ଗଣିବାରେ ଆଦୌ ଭୁଲ କରନ୍ତି ନାହିଁ । ଇଲେକ୍‍ଟ୍ରିକ୍ ବା ବିଦ୍ୟୁତ୍ ମିଟର୍‍ଟି ଠିକ୍ 'ବାଟ' ଧରି ଲକ୍ଷ୍ୟ ରଖିଥାଏ–ଘରେ କେତେ ପରିମାଣର ବିଦ୍ୟୁତ୍-ତରଙ୍ଗ ବ୍ୟବହୃତ ହେଲା ! ଆଉ ଗ୍ୟାସ୍ ମିଟର୍‍ଟି ଦେଖୁଥାଏ–କେତେ ପରିମାଣର 'ଗ୍ୟାସ୍' ଜଳାହେଲା । ତମେ ଇଲେକ୍‍ଟ୍ରିକ୍ ଆଲୁଅ କି ଗ୍ୟାସ୍‍କୁ 'ଜଳାଇବା ପାଇଁ' ଖୋଲିଦେବା ସାଙ୍ଗେ ସାଙ୍ଗେ ମିଟର୍‍ ଦୁଇଟି ତାହା ନିର୍ଭୁଲ ଭାବରେ ଜାଣନ୍ତି । ତମେ ଯଦି ଇଲେକ୍‍ଟ୍ରିକ୍ ମିଟର୍‍ର ଅତି ପାଖରେ କାନ ଦିଅ, ଶୁଣିବ, ଅତି ଅସ୍ପଷ୍ଟ ଟୁକ୍ ଟୁକ୍ ଶବ୍ଦ ସେଥିରୁ ବାହାରୁଥିବ । ତା' ହେଉଛି, 'ମିଟର୍‍' ଭିତରେ ଥିବା 'ଇଲେକ୍‍ଟ୍ରିକ୍ ମୋଟର’ର ଶବ୍ଦ । ଆଲୁଅ ଜଲିଲାବେଳେ ତମେ ଯଦି ମିଟର୍‍ରେ ଲାଗିଥିବା ଛୋଟ କାଚ ଝରକା ବାଟେ ଅନାଅ, ଦେଖିବ, ମଟର ଭିତରେ ଗୋଟିଏ ଛୋଟ 'ଚକ' ଘୂରୁଥିବ । ସେଇ ଚକଟିରେ ଗୋଟିଏ 'ଲାଲ' ଚିହ୍ନ ଥିବ । ତମେ ଯଦି ଲୁହାରେ ଠିପିଦେଇ ତାକୁ ବନ୍ଦ କର, 'ପ୍ଲଗ୍' ଦିଅ, ତେବେ ଚକଟି ପ୍ରଖର ବେଗରେ ଘୂରିବ, ଆଉ ଝରକାବାଟେ ଲାଲ ଦାଗଟି ଘନଘନ ଆସି ଦେଖାଦେଇ ଯାଉଥିବ । ଏହା ଅର୍ଥ, ମୋଟରଟି ଆହୁରି ଜୋରରେ ଚାଲିଚି, ଏଇ କଥା ଜାଣିହେବ । ମୋଟରଟି ଚାଲିଥିଲାବେଳେ ପୁଣି ଛୋଟ ଝରକାଟି ପଛରେ ଅଙ୍କ ବା ସଂଖ୍ୟା ସବୁ ଗୋଟିକ ପରେ ଗୋଟିଏ ବାହାରୁଥିବ । ଏହି ସଂଖ୍ୟାଗୁଡ଼ିକ ଦେଖାଇଦିଏ, କେତେ ପରିମାଣରେ ବିଦ୍ୟୁତ୍ ତରଙ୍ଗ ବ୍ୟବହାର ହୋଇ ସରିଲା ।

 

'ଗ୍ୟାସ୍ ମିଟର୍‍' ଚାଲେ କେମିତି ? ଏଇଟି କିନ୍ତୁ, ତମେ ନିଜେ ଦେଖିପାରିବ ନାହିଁ; କାରଣ, ଚାରିଆଡ଼ୁ ନିବୁଜ ହୋଇ ରହିଥାଏ । ଏହା ନ ହୋଇଥିଲେ ଗ୍ୟାସ୍‍ସବୁ ରୋଷଘରକୁ ଖେଳିଯିବ, ଚାରିଆଡ଼େ ଘୋଟି ଯାଇ ସମସ୍ତଙ୍କୁ ବିଷାକ୍ତ କରିଦେବ, ବିଷରେ ଘାରିଦେବ । ତେବେ, ଗ୍ୟାସ୍‍ମିଟରରେବି ଗୋଟାଏ ଛୋଟ ଝରକା ଅଛି, ସେଥିରେ ତମେ 'ତୀର' ଚାରୋଟି ଛୋଟ 'ଡାୟାଲ' ବା 'ଘୂରା ମୁହଁ' ଦେଖିପାରିବ,–ଧାଡ଼ି ହୋଇ ଚାରୋଟି ସାନ ସାନ ଘଣ୍ଟା ଠିଆ ହେଲାଭଳି ଦିଶିବ । ସେଇ ତୀରଗୁଡ଼ିକ ଚକ୍ରାକାରରେ ବୁଲି ବୁଲି ଦେଖାଇ ଦିଏ, କେତେ ପରିମାଣ ଗ୍ୟାସ୍ ଜଳିଲା ।

 

କିନ୍ତୁ ଏ ତୀର କେତୋଟିକୁ ଚଳାଏ କ’ଣ ? ଗୋଟାଏ କିଛି ଜାଣିବାକୁ ତମର ଆଗ୍ରହ ହେଲେ ତମେ ତା' ଭିତରକୁ ଅନାଅ, ଟିକିନିଖି କରି ଦେଖିବାକୁ ଚାହଁ, ସେଇଟି କ’ଣ, ଚାଲିଚି କେମିତି । ତମେ ଯଦି ଏମିତି ରାତିରେ ଗୋଟିଏ ଗ୍ୟାସ୍ ମିଟର୍‍ ଭିତରକୁ ଅନାଅ । ଯୋଡ଼ିଏ 'ବେଲୋ' (bellows) ବା ତାଉ ଦେଖିବ, କନସର୍ଟିନାର (ହାତ ହାରମୋନିୟମ୍) ତାଉ ପରି । ଗ୍ୟାସ୍ ସେଇ 'ତାଉ' ଦୁଇଟି ଭିତରେ ଗଲାବେଳେ ସେ ଦୁଇଟି ଉପରେ ଚାପ ପକାଏ । ସେଥିରେ ଗୋଟିଏ କି ଦୁଇଟିଯାକ ଫୁଲିଉଠେ । ଏ ଅଦ୍ଭୁତ କନସର୍ଟିନା ବା ହାରମୋନିୟମ୍ ବଜା ଦରକାର ହୁଏ କାହିଁକି ? ଖୁସିରେ ? ନା ! ଏଇ ଉପାୟରେ 'ଗ୍ୟାସ୍'ର ପରିମାଣ ମପାଯାଏ, ଆଉ ଡାୟାଲରେ ତୀରଗୁଡ଼ିକ ଗୋଲେଇ ବୁଲି ବୁଲି ଗତି କରନ୍ତି ।

 

ଆମେ ଘଣ୍ଟା କଥା ଅନେକଥର ଦେଖିଲୁଣି । ଟିକିଏ ଭାବିଲେ ଦେଖିବ, "ଘଣ୍ଟା"ବି ଗୋଟିଏ "ମିଟର୍‍" । ଏହା ସମୟ "ମାପେ" । ସ୍ପ୍ରିଙ୍ଗ୍‍ ଯୋଗୁଁ 'କଗ୍ ହ୍ୱିଲସ୍' ବା 'ଦାନ୍ତଲଗା ଚକଗୁଡ଼ିକ' ଘୂରେ, ଆଉ ସେଗୁଡ଼ିକ ଘୂରିବା ହେତୁ କଣ୍ଟା ଚାଲେ । କିନ୍ତୁ ଘଣ୍ଟାରେ ଗୋଟିଏ ପେଣ୍ଡୁଲମ୍ ବା ଦୋଳକ ଥାଏ । ଏଇଟି ନଥିଲେ ଅସଲ ମୂଳ ସ୍ପ୍ରିଙ୍ଗ୍‍ଟି ମୁହୂର୍ତ୍ତକରେ ଖୋଲି ହୋଇଯିବ ଆଉ ଗୁଡ଼େଇ ହୋଇ ରହିବ ନାହିଁ । କାରଣ, ଦୋଳକଟି ସବୁବେଳେ ଆଗକୁ ପଛକୁ ହୋଇ ଝୁଲେ । ପ୍ରତି ଝୁଲଣରେ ଦାନ୍ତଲଗା ଚକଗୁଡ଼ିକର ଗତିକୁ ରୋକେ । ଏଇଥିପାଇଁ ଘଣ୍ଟାରେ ବଙ୍କା ପ୍ଲେଟ୍ ବା ଥାଳିଆ ଭଳି ପାତ ଥାଏ । ଏହା ଜାହାଜର ଲଙ୍ଗର ପରି ଦିଶେ । ଏଣୁ ୟାକୁ ଇଂରେଜୀରେ ଆଙ୍ଗ୍‍କର କୁହାଯାଏ । ପେଣ୍ଡୁଲମ୍ ବା ଦୋଳକଟି ଝୁଲିବା ସଙ୍ଗେ ସଙ୍ଗେ ଲଙ୍ଗରଟି ଦୋହଲୁଥାଏ । ଲଙ୍ଗରରେ ବାଆଁ ଓ ଡାହାଣ ପଟେ ଥିବା ଚଟୁ (ପ୍ୟାଲେଟ୍) ଦୁଇଟି ଖସି ପଳାଇ ଯାଉଥିବା 'ବାଟକଟା ଚକା' (escape wheel) ଚାକର ଦାନ୍ତଗୁଡ଼ିକ ମଝିରେ ଗୋଟିକ ପରେ ଗୋଟିଏ କରି ଓଲଟ ରୀତିରେ ଆସି ପହଞ୍ଚେ । ଏହା ଯାଉଥାଏ, ଆସୁଥାଏ ।

 

ଘଣ୍ଟାର ଦାନ୍ତଲଗା ଚକଗୁଡ଼ିକୁ ଯେଉଁ ଚକଟି ଠିକ୍ କରି ଚଳାଏ, ସେଇ ଚକକୁ ଏସ୍‍କେପ୍ ହ୍ୱିଲ ବା ବାଟକଟା ଚକ କୁହାଯାଏ ।–ବଡ଼ବଡ଼ ପେଣ୍ଡୁଲମ୍ ବା ଦୋଳକଲଗା କାନ୍ଥଘଣ୍ଟା ସବୁ ଏମିତି ଗଢ଼ାଯାଏ ।

 

ଛୋଟ ଘଣ୍ଟାରେ କିନ୍ତୁ ଦୋଳକ ବଦଳରେ ଟିକି ଚକଟିଏ ଥାଏ । ସେଥିରେ ଲାଗିଥାଏ ବାଳଭଳି ସରୁ ସ୍ପ୍ରିଙ୍ଗ୍‍ଟିଏ । ଏହି ସ୍ପ୍ରିଙ୍ଗ୍‍ଟି ମୋଡ଼ିହେଉଥାଏ, ଗୁଡ଼େଇ ହେଉଥାଏ ଥରକୁଥର, ଆଉ ସେଇଥିରେହିଁ ଟିକି ଚକଟି ସବୁବେଳେ ଗତି କରୁଥାଏ ପଛକୁ ଆଗକୁ ଏହି ଚକଟିରେ ଥାଏ ସାନ ଲଙ୍ଗରଟି । ଚକଟି ଚାଲିଲାରୁ ଏଇ ଲଙ୍ଗରଟି ଏକର ସେକର ଝୁଲିବାକୁ ଲାଗେ । ସେଥିରେ ଥରେ ବାଆଁ ପଟ ଚଟୁଟି (ପ୍ୟାଲେଟ୍) ଓ ଆଉଥରେ ଡାହାଣ ପଟ ଚଟୁଟି ତଳକୁ ନୁଏଁ, ଆଉ ଏମିତି ନଇଁପଡ଼ି ପଳାଉଥିବା “ବାଟକଟା” ଚକଟିକୁ ରୋକେ । ଏଇ କାରଣରୁ ଘଣ୍ଟାଟି ଶବ୍ଦ କରେ ଟିକ୍‍ଟିକା ଯେତେବେଳେ–ପଳାଉଥିବା ବାଟକଟା (ଏସ୍‍କେପ୍) ଚକର ଦାନ୍ତରେ ଯାଇ ଲଙ୍ଗରଟିର ବାଆଁ ଚଟୁଟି ବାଡ଼େଇ ହୋଇଯାଏ, ସେତେବେଳେ ଘଣ୍ଟା କହେ “ଟିକ୍”–ଆଉ ଯେତେବେଳେ ଡାହାଣ ପଟ ଚଟୁଟି ବାଡ଼େଇ ହୋଇଯାଏ, ସେତେବେଳେ କହେ “ଟକ୍” !

 

ଘଣ୍ଟା ବିନା ମୁହୂର୍ତ୍ତେ ଏବେ ଚଳିହେବ ନାହିଁ । ତମେ ସ୍କୁଲ୍‍କୁ ଠିକ୍‍ବେଳେ ଯାଇପାରିବ ନାହିଁ । ଡେରି ହୋଇଯିବ । ରାତିରେ କେତେବେଳେ ଶୋଇବ, ଜାଣିପାରିବ ନାହିଁ । ସିନେମା କି ଥିଏଟର ଦେଖିବାପାଇଁ କାହିଁ କେତେ ଆଗରୁ ଯାଇ ପହଞ୍ଚିଯିବ କିମ୍ବା ସମସ୍ତେ ତାହା ସବୁ ଦେଖି ଫେରିଲାବେଳକୁ ଯାଇ ମୁହଁ ଦେଖେଇବ । ଘଣ୍ଟା ବିନା ସୁରୁଖୁରୁରେ କୌଣସିଠି କିଛି ବୋଲି କିଛି କାମ ହୋଇପାରିବ ନାହିଁ । ଟ୍ରେନ୍‍ସବୁ ଧରାବନ୍ଧା ନିୟମରେ ନ ଚାଲି, ଯେତେବେଳେ ଇଚ୍ଛା ସେତେବେଳେ ବା ସବୁବେଳେ ଯାଆସ କରିବ । କାରଖାନାର କଳକବଜା ସବୁ ପୂରାପୂରି ବେନିୟମରେ, ବିଶୃଙ୍ଖଳାରେ ଚାଲିବ । ଘଣ୍ଟା ନଥିଲେ ଅବସ୍ଥା କ’ଣ ହେବ, ଏବେ ଆମ ପକ୍ଷରେ ତାହା କଳ୍ପନା କରିବା କଷ୍ଟକର । ଆମର ଜୀବନ ଆଜି ଘଣ୍ଟାର ଟିକ୍‍ଟିକ୍ ଶବ୍ଦ ସାଥିରେ ବନ୍ଧା । ତମେ ସକାଳୁ ଉଠୁଚ ଯେତେବେଳେ, ତମର ‘ସତର୍କ ଘଣ୍ଟା’ (ଆଲାର୍ମ ବେଲ୍) କହୁଚି–‘‘ଉଠ ! ବିଛଣା ଛାଡ଼ !” ତମେ ସେତେବେଳକୁ ନିଘୋଡ଼ ନିଦରେ ଘୁଙ୍ଗୁଡ଼ିମାରୁଚ; ଯେତେବେଳକୁ କି ରେଡ଼ିଓରେ ମଧ୍ୟରାତ୍ରର ଧ୍ଵନିଟିକ ଭାସି ଆସୁଚି କ୍ରେମଲିନ୍ ଘଣ୍ଟାରୁ ।

 

ଘଣ୍ଟା ଯୋଗୁଁ ଆମର ସମୟ ବଞ୍ଚୁଚି, ନଷ୍ଟ ହେଉନାହିଁ । ସମୟକୁ ଆମେ ମାପିଚୁପି ଦେଖିପାରୁଚୁ । ଗୋଟିଏ କଥା ଅଛି–“ପଇସାଟିଏ ବଞ୍ଚିବା ମାନେ ପଇସାଟିଏ ମିଳିଲା ବା ରୋଜଗାର ହେଲା ।” ଏହାକୁ ଟିକିଏ ବଦଳେଇ କୁହାଯାଇପାରେ–“ମିନିଟ୍‍ଟିଏ ବଞ୍ଚିବା ମାନେ ମିନିଟ୍‍ଟିଏ ମିଳିଲା ।” ତମେ ଯଦି ଏଠି ମିନିଟ୍‍ଟିଏ ବଞ୍ଚେଇ ପାରିଲ, ଆଉ ସେଠି ମିନିଟ୍‍ଟିଏ ଆଗରୁ ଗୋଟିଏ କାମ କରିସାରିଲ, ତେବେ, ତମେ ଜାଣିବା ଆଗରୁ ଏମିତି ରୀତିରେ ଯାଇ ଯାଇ ମିନିଟ୍ କେତୋଟି ବଳେଇ ବଳେଇ ଦିନ ଶେଷବେଳକୁ ଗୋଟିଏ ‘ଘଣ୍ଟା’ ବଞ୍ଚେଇ ପାରିଥିବ । ଏଇଟି ହୋଇଥିବ ତୁମର ଅସଲ ସଞ୍ଚୟ । ବର୍ଷକୁ ଚାହିଁ ହିସାବ କଲେ, ଦେଖିବ ଏମିତି ପ୍ରତିଦିନ ଘଣ୍ଟାଏ ଲେଖାଁ ବଞ୍ଚି ବଞ୍ଚି କେତେ ସପ୍ତାହ କି କେତେ ମାସ ହୋଇଥିବ ଶେଷକୁ–ପାଞ୍ଚବର୍ଷ, ହୁଏତ ପୂରା ଗୋଟିଏ ବର୍ଷ କି ବେଶୀ ବଳିପଡ଼ିଥିବ ତମ ଅଜାଣତରେ ।

 

ଘରେ ବା କେତେ ପ୍ରକାର କଳ କି ଯନ୍ତ୍ରପାତି ନଥାଏ ! ଆମେ କ’ଣ ସେଗୁଡ଼ିକୁ ଆଲୋଚନା କଲେ ? ନା ! କେତୋଟି ସେଥିରୁ ଛାଡ଼ି ଯାଇଚୁ । କେତେ କଳ ଅଛି, ଯାହା ତମେ ଯୋଉଠି ଅଛ ସେଇଠି ଥିଲେବି, ତମକୁ ଶହ ଶହ କିଲୋମିଟର ଦୂରକୁ ନେଇଯିବା ସେଠିଯାଇ ମୁହୂର୍ତ୍ତକରେ ତମ କଥାକୁ ପହଞ୍ଚାଇ ଦେବ । ତମେ ଘରେ ଥିବ; ଅଥଚ ସେହି କଳ ଯୋଗୁଁ ଆଉ ଗୋଟିଏ ସହରରେ ଥିବ ତମ ସାଙ୍ଗସାଥୀଙ୍କ ସାଥିରେ କଥାବାର୍ତ୍ତା ହୋଇପାରିବ । ନହେଲେ, ଦେଶର ଆରମୁଣ୍ଡରେ କୋଉଠି ଗୀତନାଚର ବାଦ୍ୟବୃନ୍ଦ ବାଜୁଥିଲେ ବା ସଙ୍ଗୀତ ହେଉଥିଲେ, ଅକ୍ଳେଶରେ ତାହା ଶୁଣିପାରିବ ।

 

ତମେ ନିଶ୍ଚୟ ଅନୁମାନ କରିସାରିବଣି, ଏଇ ଯନ୍ତ୍ରଗୁଡ଼ିକ କ’ଣ ! ଗୋଟିଏ ହେଉଛି ‘ଟେଲିଫୋନ୍’, ଆରଟି ହେଉଚି ତମର ସାଥୀ ରେଡ଼ିଓ’ ! ବଡ଼ ହେଲେ ଜାଣିବ, ଟେଲିଫୋନ୍ ଆଉ ରେଡ଼ିଓ ଚାଲେ କେମିତି ! ସେଗୁଡ଼ିକ ଭାରି ଜଟିଳ, ନଟଖଟିଆ । ତାକୁ ସବୁ ଜାଣିବାକୁ ହେଲେ, ତମକୁ “ପଦାର୍ଥ ବିଜ୍ଞାନ” ବୋଲି ଗୋଟିଏ ବିଜ୍ଞାନ ପଢ଼ିବାକୁ ହେବ ।

 

ତମେ ଯେତେବେଳେ ଟେଲିଫୋନ୍‍ରେ ଗୋଟିଏ ‘ସଂଖ୍ୟା’କୁ ‘ଡାୟାଲ’ କର ବା ଘୂରାଅ, ସେତେବେଳେ ଟେଲିଫୋନ୍ ‘ଏକ୍‍ସଚେଞ୍ଜ’ ବା ‘ବିନିମୟ କେନ୍ଦ୍ର’ରେ ଗୋଟାଏ ‘ଅଟୋମ୍ୟାଟିକ୍’ ବା ‘ସ୍ଵୟଂକ୍ରିୟ ମେସିନ୍’ ଛାଏଁ ଛାଏଁ କାମ କରେ । ତାହା ତମେ ଯେଉଁ ସଂଖ୍ୟାଟି ଘୂରାଇଥାଅ, ସେଇ ସଂଖ୍ୟାଟି ସାଙ୍ଗରେ ସମ୍ପର୍କ ସ୍ଥାପନ କରେ, ସେଇ ସଂଖ୍ୟାରେ ତମ ଟେଲିଫୋନ୍‍ଟିକୁ ଯୋଡ଼ିଦିଏ ।

 

ରେଡ଼ିଓଟି ହୁଏତ ‘ନିଖୁଣ’ ଅବସ୍ଥାରେ ଥିବ, ତା’ର କୋଉଠି କିଛି ଖରାପ ହୋଇ ନଥିବ-। ଅଥଚ, ତମେ ଇଚ୍ଛା କଲେବି, ଗଳ୍ପଟିଏ କି ବ୍ୟାଣ୍ଡ୍‍ବାଜାଟିଏ ଶୁଣିପାରିବ ନାହିଁ । କାରଣ ରେଡ଼ିଓ ବ୍ୟବସ୍ଥାରେ “ରେଡ଼ିଓ ଷ୍ଟେସନ୍‍”ର ଭୂମିକା ବହୁତ । ରେଡ଼ିଓ ଷ୍ଟେସନ୍‍ର ଷ୍ଟୁଡ଼ିଓରୁ (ରେଡ଼ିଓ କେନ୍ଦ୍ରର ବେତାର ଘରୁ) ତ ପୁଣି ତମ ଘରକୁ ସଙ୍ଗୀତ, ନାଟକ କି ଗଳ୍ପ, ବେତାରରେ ପଠାଯାଏ !

Image

 

ଜିନିଷପତ୍ର ଆସେ କେଉଁଠୁଁ

 

ତମର ଚାହାକପ୍ ଓ ଥାଳିଆ, ତମର ଟେବୁଲ, ଆଉ ଇଲେକ୍‍ଟ୍ରିକ୍ ବଲ୍‍ବ–କେଉଁଠୁଁ ଆସେ ଜାଣ ? ଉଡ଼ାଜାହାଜ, ମଟରଗାଡ଼ି, ଟେଲିଫୋନ୍ ଆଉ ରେଳଇଞ୍ଜିନ୍‍ର ଜନ୍ମ ଘଟିଥିଲା ବା କୋଉଠି ?

 

କାରଖାନା ବା ଫ୍ୟାକ୍‍ଟରିରେ !

 

ଅତି ସରଳ, ସହଜ ଜିନିଷଟିଏ ତିଆରି କରିବାପାଇଁ ତୁମର ଯନ୍ତ୍ରପାତିଗୁଡ଼ିଏ ଆବଶ୍ୟକ । ହାତୁଡ଼ିଟିଏ କି କରତଟିଏ ବିନା ତମେ କେବେହେଲେ ଗୋଟିଏ ଟେବୁଲ କି ବହି ଆଲମାରି ଗଢ଼ି ପାରିବ ନାହିଁ । ଗୋଟିଏ ମଟରଗାଡ଼ି କି ରେଳଇଞ୍ଜିନ୍‍ଟିଏ ଗଢ଼ିବାପାଇଁ କେତେ ବଡ଼ବଡ଼, କେତେ ଜଟିଳ ଯନ୍ତ୍ରପାତି ବା ମେସିନ୍ ସବୁ ଯେ ଲୋଡ଼ା, ଅନୁମାନ କର ! ହାତୁଡ଼ିଟିଏ କି କରତଟିଏ ତମେ ଯେକୌଣସି ବଢ଼େଇଶାଳରେ, ଏମିତିକି, ତମ ନିଜ ଘରେ ପାଇପାରିବ । କିନ୍ତୁ ତମେ ଯଦି ମୋଟରଗାଡ଼ି ଆଉ ରେଳଇଞ୍ଜିନ୍ ସବୁ ଯେଉଁ ମେସିନ୍‍ରେ ତିଆରି ହୁଏ, ତାହା ଦେଖିବାକୁ ଚାହଁ, ତେବେ ତମର ଗୋଟିଏ ବଡ଼ କାରଖାନା ବା ଫ୍ୟାକ୍‍ଟରିକୁ ଯିବା ଉଚିତ । ଏମିତିକା ବଡ଼ ଫ୍ୟାକ୍‍ଟରିଟିଏ ଦେଖିବାକୁ ଯଦି ସୁବିଧା ପାଅ, ତେବେ ସେଠି ଅନେକ ଚମତ୍କାର କଳକବଜା, ମେସିନ୍ ଦେଖିବ; ସେଗୁଡ଼ିକ ଲୋକଙ୍କୁ କେମିତି ସାହାଯ୍ୟ କରେ ଜାଣିପାରିବ । ଦେଖିବ, ମସ୍ତ ବଡ଼ବଡ଼ କତୁରି ସବୁ କାଗଜ ଭଳି ଲୁହା ପାତଗୁଡ଼ିକୁ କାଟି ପକାଉଚି । ଅଦ୍ଭୁତ ଧରଣର ହାତୁଡ଼ିଟାଏ ଆପଣା ଛାଏଁ ଲୁହାକୁ ପିଟି ସେଥିରେ ଜିନିଷ ଗଢ଼ୁଚି । ‘କହ୍ନାର’ ବା କାରିଗରି–ମିସ୍ତ୍ରି ଖାଲି ଆଖି ରଖି ତା’ର ଗତିବିଧି ଲକ୍ଷ୍ୟ କରୁଚି । ସେଠି ଗୋଟାଏ ‘ଚୁଲି’ ବା ‘ଫର୍ଣ୍ଣେସ’ ଅଛି–ଗୋଟାଏ ଯାଦୁକରୀ ଚୁଲି ଯେମିତି ସେଇଟା । ତାହା ଛାଏଁ ଛାଏଁ ନିଜକୁ ନିଜେ ‘ଜାଲି’ ତତଉଚି, ନିଜର ‘ଦ୍ଵାର’ଗୁଡ଼ିକ ଖୋଲୁଚି ଓ ବନ୍ଦ କରୁଚି । ସେହି ଫର୍ଣ୍ଣେସ ଉପରେ ଜଳୁଚି ଯୋଡ଼ିଏ ଆଲୁଅ । ଗୋଟିଏ ନାଳି, ଆରଟି ନେଳି । ଫର୍ଣ୍ଣେସ ବା ଚୁଲିଟି ଥଣ୍ଡା ପଡ଼ିବାକୁ ଆରମ୍ଭ କଲେ, ନେଳି ଆଲୁଅଟି ଚକ୍‍କିନି ଜଳି ଉଠେ । ଯଦି ତାହା ବେଶୀ ତାତିଯାଏ, ତେବେ ନାଲି ଆଲୁଅଟି ଝଲସି ଉଠେ ! ଚୁଲି ବା ଫର୍ଣ୍ଣେସଟି ଏଇ ଉପାୟରେ ଷ୍ଟୋକର ଜାଳେଣିକୁ ଜଣେଇଦିଏ–“ମୁଁ ତାତିଗଲି, ମୁଁ ଥଣ୍ଡା ହେଲି” !

 

ଗୋଟିଏ ଫ୍ୟାକ୍‍ଟରି ବା କାରଖାନାରେ ପ୍ରତ୍ୟେକ କାମ ଏମିତି ଭାବରେ ଚାଲେ ଯେ, ଶ୍ରମିକମାନଙ୍କ ଖଟେଣି ଭାରି ସହଜ, ଭାରି ଉଶ୍ଵାସିଆ ହୋଇଯାଏ । ଧର, ତଳ ମହଲାକୁ କେତେଗୁଡ଼ିଏ ଅଂଶ ବା ପାର୍ଟ୍‍ସ୍ ପଠାଇବାକୁ ହେବ । ସେଗୁଡ଼ିକୁ ଗୋଟିଏ ଢାଲୁ ବା ଗଡ଼ାଣିଆ ଲମ୍ବା ଡାଲାରେ ରଖିଦିଆଯାଏ । ଗୋଟିକ ପରେ ଗୋଟିଏ, ସେସବୁ ଗଡ଼ି ଗଡ଼ି ଖସି ଖସି ଯାଏଁ ପାହାଡ଼ିଆ ବାଟରେ ତମେ ତଳକୁ ଖସି ଖସି ଗଲାଭଳି । ଗୁଡ଼ିଏ ‘ରୋଲର୍‍’ରେ ତିଆରି ରାସ୍ତାଟିଏ, ତଳେ ସେଗୁଡ଼ିକୁ ଅନେଇ ରହିଥାଏ । ସାମାନ୍ୟ ଟିକେ ଠେଲା ପାଇ ସେଇ ଅଂଶଗୁଡ଼ିକ ନେଇ ରୋଲର୍ ରାସ୍ତାଟି ପଡ଼ି ଦୌଡ଼େ ଫ୍ୟାକ୍‍ଟରିରେ ଛୋଟ ଛୋଟ “ଇଲେକ୍‍ଟ୍ରିକ୍ ପ୍ଲାଟ୍‍ଫର୍ମ୍” ବା ବିଦ୍ୟୁତ୍ ଚଟାଣ ଥାଏ, ସେଗୁଡ଼ିକରେ ଚକ ଲାଗିଥାଏ । ଓଜନିଆ ‘ଅଂଶଗୁଡ଼ିକ’ ବହିନେବା ପାଇଁ ସେସବୁ ତିଆରି–ଠିକ୍ ଛୋଟ ଛୋଟ ଟ୍ରଲିଗୁଡ଼ିଏ । ଷ୍ଟାର୍ଟ୍‍ର ବା ଚାଳକ ଯନ୍ତ୍ରଟିକୁ ଶ୍ରମିକ ଚଳାଇ ଦିଏ । ତାହା ସବୁ ପିଚୁ ରାସ୍ତାରେ ଛୁଟେ । ସେଥିରେ ଚଢ଼ିଯିବାକୁ ତମକୁ ଭାରି ମଜା ଲାଗିବ, ନାହିଁ-?

 

ସବୁଠୁ ବୋଧହୁଏ ବେଶୀ ମଜା ଲାଗିବ, ମନ ହରିନେବ, ମୋଟର ତିଆରି କାରଖାନା-! ତମେ ସେଠି ଦେଖିବ, ପ୍ରକାଣ୍ଡ ଏକ ହଲ୍ ବା ଭବନ, ଚାରିଆଡ଼େ ମେସିନ୍‍ରେ ଭର୍ତ୍ତି । ସେ ମେସିନଗୁଡ଼ିକୁ ସେଠି ଦେଖିଲେ ମନେ ହେବ, ସତେ ଯେମିତି ସେ ସବୁ କୋଉ ସହରର ଗୁଡ଼ିଏ ଘର !

 

ସେଇ ମେସିନ୍‍ଗୁଡ଼ିକ ମଣିଷଠୁ ଉଞ୍ଚ । ମଣିଷର ହାତ ଯୋଡ଼ିଏ, ମେସିନ୍‍ର ହାତ କିନ୍ତୁ ବହୁତ ! ଆଉ, ତା’ର ପ୍ରତ୍ୟେକ ହାତରେ ଯନ୍ତ୍ର । ମେସିନ୍-ମେସିନ୍ ମଝିରେ ବାଟ ଅଛି, ଠିକ୍ ସହରରେ ରାସ୍ତା ବା ଗଳି ପରି । ତିଆରି ହେଲାପରେ ମୋଟରଗାଡ଼ିର ଅଂଶଗୁଡ଼ିକ ଗୋଟିଏ ଲମ୍ବ ଧାଡ଼ିରେ ଏଇ ବାଟରେ ଯାଏଁ–ଯାଏଁ ଇଲେକ୍‍ଟ୍ରିକ୍ ଗାଡ଼ିରେ, ‘ରୋଲର୍’ ରାସ୍ତାରେ–ତା’ପରେ ଗଡ଼ିଯାଏ ଗଡ଼ାଣିଆ ଢାଲୁ ଡାଲାରେ ।

 

ସେଇ ‘ଅଂଶ’ଗୁଡ଼ିକ ‘ମେସିନ୍-ସହର’ଟିର ପ୍ରଧାନ ରାସ୍ତାଆଡ଼କୁ ଗଡ଼ି ଗଡ଼ି ଯାଏଁ ସତ, କିନ୍ତୁ ପ୍ରତି ‘ମେସିନ୍’ ପାଖରେ ଟିକିଏ ଟିକିଏ ଅଟକେ–କୁଣିଆ ଘରେ ମୁହଁ ମାରିବାପାଇଁ ଏଇ ଅଟକିଲାବେଳେ, ଯେମିତି ଅଂଶଗୁଡ଼ିକର କୋଉଠି ଧାରଗୁଡ଼ିକ କଟା ହୋଇ ସମତୁଲ ହୁଏ, ଚକିରେ ଚପା ହେଲାଭଳି ଚପା ହୁଏ, କେଉଁଠି ତାହା କୁନ୍ଦରେ ବସେ, ରନ୍ଦା ମରାହୁଏ, କେଉଁଠି ପୁଣି ଚିକ୍କଣ ବା ପାଲିସ୍ କରାଯାଏ । ପ୍ରତ୍ୟେକ ମେସିନ୍ ପାଖରେ ଜଣେ ଜଣେ ଶ୍ରମିକ ଥାଆନ୍ତି । ଲେଦ୍ ମେସିନ୍ ପାଖରେ ‘କୁନ୍ଦକାରୀ’ ମିଲିଙ୍ଗ୍ ବା ଧାରକଟା ମେସିନ୍ ପାଖରେ ‘ମିଲର’, ଧାରକଟାଳି ଭଅଁର ପାଖରେ ‘ଭଅଁରିଆ’ ବା ଛିଦ୍ରକାରୀ ଥାଆନ୍ତି ।

 

ଶ୍ରମିକଟି ବୋତାମଟିଏ ଟିପିଦେଲାମାତ୍ରେ ଭଅଁର କାମ ଆରମ୍ଭ କରେ । ଏହା ଆଗ ଶକ୍ତ ଭାବରେ ଧାତୁପତ୍ର ବା ଧାତୁ ଜିନିଷଟିକୁ ‘ଜାବୁଡ଼ି’ ଧରେ; ଯେମିତି ଏହା ଆଦୌ ହଲଚଲ ହେବ ନାହିଁ କି ଖସିଯିବ ନାହିଁ । ଇସ୍ପାତ-ଭଅଁର ସବୁ ନଇଁ ଆସେ ଉପରୁ, ଆଉ ଗୋଟିଏ ସେକେଣ୍ଡରେ ମୋଟରଗାଡ଼ି ‘ଅଂଶଗୁଡ଼ିକୁ’ ଫୋଡ଼ି ତିଆର କରିଦିଏ, ସମାନ ଆକୃତିର ଗୋଲ ଗୋଲ କଣା । ଶ୍ରମିକଟି ଟିପିଦିଏ ଆଉ ଗୋଟିଏ ବୋତାମ–ଭଅଁରଗୁଡ଼ିକ ଉଠିଯାଏ ଉପରକୁ ।

 

ଏମିତି ପ୍ରତ୍ୟେକ ‘ଅଂଶ’ ମେସିନ୍ ରାସ୍ତାରେ ଗଡ଼ି ଗଡ଼ି ଚାଲେ; ଯାଉଁ ଯାଉଁ ବଦଳେଇଯାଏ ନିଜର ରୂପକୁ । ମେସିନ୍ ସହରଟିର ମୁଖ୍ୟ ରାସ୍ତାରେ ପହଞ୍ଚିଲାବେଳକୁ ଏହାର ରୂପ, ଠିକ୍ ମାପର ହୋଇ ଠିକ୍ ଆକୃତି ଧରି ସାରିଥାଏ ।

 

ଖଣ୍ଡେ ବୋଲି ‘ଧାତୁ’–ତାହା ଗଢ଼ି ହୋଇ ମୋଟର ଗାଡ଼ିର ଅଂଶ ହୁଏ । ଧାରଣା କରିପାରୁଚ ଭଲା, ଜଣେ ଲୋକ କେତେ କଥା ଜାଣିଲେ, କେତେ ଚତୁର ଆଉ ଦକ୍ଷ ହେଲେ, ଏଇ ବଡ଼ବଡ଼ ଅତି ଜଟିଳ ମେସିନ୍‍ଗୁଡ଼ିକ ଚଳାଇ ପାରିବ । ପ୍ରତ୍ୟେକ ଅଂଶ ଯେମିତି ହେବାର କଥା, ସେମିତି ତ ଗଢ଼ା ହେବା ଆବଶ୍ୟକ । ଏହା ଛଡ଼ା ଗଢ଼ାଗଢ଼ି କମ୍ ଅତି ଶୀଘ୍ର ନ ସରିଲେ ଅନର୍ଥକ ସମୟ ନଷ୍ଟ ହେବ ଯେ !

 

ସୋଭିଏତ ରୁଷରେ ବହୁତ ସୁଦକ୍ଷ ଶ୍ରମିକ ଅଛନ୍ତି, ସେମାନଙ୍କର ନାଆଁ ସମସ୍ତଙ୍କୁ ଜଣା-। ଆଗରୁ ଏକାବେଳକେ ଅଜଣା, ଅଶୁଣା ‘ବେଗ’ରେ କିନ୍ତୁ ସେମାନେ ମେସିନ୍ ସବୁ ଚଳାନ୍ତି-

 

ତମ ଖେଳଣା ଇଟାଗୁଡ଼ିକ ଖଞ୍ଜି ତମେ ଯେମିତି ‘ଘର’ କର, ସେମିତି ଭିନ୍ନ ଭିନ୍ନ ଅଂଶଗୁଡ଼ିକ ଯୋଡ଼ି ସେମାନେ ‘ମୋଟର ଗାଡ଼ି’ତିଆର କରନ୍ତି । ସେଥିପାଇଁ ମେସିନ୍ ସହରର ମୁଖ୍ୟ ରାସ୍ତା କରରେ ଆହୁରି ଗୋଟିଏ ‘ରାସ୍ତା’ ଲମ୍ବିଯାଇଚି–ତାହା ହେଉଚି, “ଏକାଠି ଯୋଡ଼ାଯୋଡ଼ି ବା ଖଞ୍ଜାଖଞ୍ଜି ବା ଆସେମ୍ଳି ଲାଇନ୍ ।” ତାହା ହେଉଚି ପ୍ରକୃତରେ ଗୋଟିଏ ଚକଲଗା, ଇସ୍ପାତରେ ତିଆରି, ଖୁବ୍ ଓସାରିଆ, କନ୍‍ଭେୟର ବେଲ୍‍ଟ ବା ବାହକ ବଳୟ ! ତା’ର ଚକଗୁଡ଼ିକ ‘ରେଲ୍’ ବା ଲୁହା ଲାଇନ୍‍ରେ ଗଡ଼ି ଗଡ଼ି ଚାଲେ, ଇସ୍ପାତି ବେଲ୍‍ଟ ବଳୟଟିକୁ ଚଳାଏ । ତାହା ସାଧାରଣ ରାସ୍ତାରେ ଚାଲେ ନାହିଁ, ଥାଏ ଚୁପ୍‍ଚାପ୍ ହୋଇ ଅଚଳ । ଦେଖିବ, ଯାନବାହନ ଯା-ଆସ କରେ ସେଥିରେ–ପ୍ରକୃତରେ ସେ ଇସ୍ପାତି ରାସ୍ତାରେ ଯାନବାହନଗୁଡ଼ିକ ଚାଲେ ନାହିଁ, ଥାଏ ଅଚଳ ହୋଇ–ଚାଲେ ରାସ୍ତା !

 

ଆସେମ୍ଳି ବା ‘ଯୋଡ଼ାଯୋଡ଼ି ଲାଇନ୍‍’ର ଆରମ୍ଭରେ ଥାଏ ଚାରିକୋଣିଆ (ଆୟତକାର) ଫ୍ରେମ୍ ବା କଙ୍କାଳ । ଏହା ଦେଖିବାକୁ ଆଦୌ ମୋଟରଗାଡ଼ି ଉଞ୍ଚ ନୁହେଁ । ଏଇ ଫ୍ରେମ୍‍ଟି ଗତି କରେ ଗୋଟିଏ ଶ୍ରମିକ ପାଖରୁ ଆଉ ଗୋଟିଏ ଶ୍ରମିକ ପାଖକୁ । ଆଉ, ପ୍ରତ୍ୟେକ ଶ୍ରମିକ ହାତ ଲଗେଇ କିଛି ହେଲେ କିଛିକାମ “କରେ” ଏଇ ଫ୍ରେମ୍‍ରେ । ଜଣେ ଆଗ ଚକ ଯୋଡ଼ି ସଜାଡ଼ି ଦିଏ ତ ଆଉ ଜଣେ ପଛଚକ ଖଞ୍ଜିଦିଏ, ଆଉ ଜଣେ ଲଗେଇଦିଏ ଷ୍ଟିଅରିଂ ବା ସଂଚାଳକ ଚକଟି । ଚତୁର୍ଥ ଜଣକ ତା’ ଭିତରେ ଖଞ୍ଜିଦିଏ ମୋଟର ବା ଇଞ୍ଜିନ୍ । ଆସେମ୍ଳି ବା ଯୋଡ଼ାଯୋଡ଼ି ଲାଇନ୍‍ର ଶେଷ ମୁଣ୍ଡ ଧରିଲାବେଳକୁ ଫ୍ରେମ୍‍ଟି ପୂରାପୂରି ପାଲଟି ଯାଏଁ ଗୋଟିଏ ମୋଟରଗାଡ଼ି–ଏଇ ଯେମିତି ତମେ ଦେଖ ରାସ୍ତାରେ ସବୁ ! ଏଇ ଅବସ୍ଥାରେ ପହଞ୍ଚି କନ୍‍ଭେୟର ବେଲ୍‍ଟର ବା ବାହକ ବଳୟରେ ଗଡ଼ିଯିବା ପାଇଁ ପ୍ରସ୍ତୁତ ହୋଇଯାଏ । ଷ୍ଟିଅରିଂ ଚକ ପଛପଟେ ଯାଇ ବସିପଡ଼େ ଡ୍ରାଇଭର ବା ଚାଳକ ଜଣେ । ଆଉ ଚକ୍‍ଚକ୍ ନୂଆ ମୋଟରଗାଡ଼ିଟି ଫ୍ୟାକ୍‍ଟରି ଛାଡ଼ି ବାହାରେ ତା’ର କାମର ଜୀବନ ଆରମ୍ଭ କରିବାପାଇଁ ।

 

ମୋଟର ଗାଡ଼ିଟିଏ ସଜାଡ଼ି ଠିକ୍‍ଠାକ୍ କରିବାପାଇଁ ଲୋକେ କି କଠିନ ପରିଶ୍ରମ ନ କରନ୍ତି ! ମୋଟର ଗାଡ଼ିଟି ତିଆରି ହୋଇ ସାରି ତାଙ୍କୁ ସେଇ ପରିଶ୍ରମର ମୂଲ୍ୟ ଦିଏ, ତାଙ୍କ ସେବାରେ, ତାଙ୍କରି କାମରେ, ଲାଗେ ।

 

କେତେ ରକମର ମେସିନ୍ ! ସେଗୁଡିକ ଯେମିତି ଚଟପଟ କାମରେ, ସେମିତି ଦକ୍ଷ ଆଉ ଚାଲାକ୍ ! ବିଜ୍ଞାନୀ ଆଉ ଉଦ୍ଭାବକମାନେ ଅନବରତ ଲାଗି ପଡ଼ିଛନ୍ତି, ନୂଆ ନୂଆ ପନ୍ଥା ବାହାର କରି କେମିତି ସେଗୁଡ଼ିକୁ ଆହୁରି ଚଞ୍ଚଳ ଚଞ୍ଚଳ କାମ କରେଇ ପାରିବେ, ସେଗୁଡ଼ିକଦ୍ଵାରା କେମିତି ଆହୁରି ପ୍ରଚୁର ପରିମାଣରେ ଜିନିଷପତ୍ର ତିଆରି କରିବ । ତାହା ଦେଖିବେ । ସେହି ବିଜ୍ଞାନୀ ଆଉ ଉଦ୍ଭାବକମାନେ ନୂଆ ନୂଆ ଉପାୟ ବାହାର କରୁଛନ୍ତି, ଯେଉଁଥିରେ, କି ଚାଷୀ କି କଳକାରଖାନାରେ ଶ୍ରମିକ କି ମାଟିତଳେ କାମ କରୁଥିବା ଖଣି ଶ୍ରମିକ କି ‘ଚାରା’ ଉପରେ ଚଢ଼ି ଗାନ୍ଥନି ଗଢ଼ୁଥିବା ରାଜମିସ୍ତ୍ରୀ ସମସ୍ତଙ୍କ କାମ, ଆହୁରି ସହଜ, ଆହୁରି ହାଲୁକା ହେବ ।

 

କିନ୍ତୁ ମେସିନ୍ ବା କଳ ଯେତେ ଭଲ ହେଉ ପଛେ, ମଣିଷର ସାହାଯ୍ୟ ନ ନେଇ କାମ କରିପାରିବ ତ ? ମେସିନ୍‍ର ତ ଆଉ ମନ କି ବୁଦ୍ଧି ନାହିଁ, ମସ୍ତିଷ୍କ ନାହିଁ ! ତାକୁ ଯିଏ ଚଳାଏ, ତା’ର ଦାୟିତ୍ଵରେ ସେ ଥାଏ–ସେହି ଲୋକହିଁ ତା’ପାଇଁ ଭାବେ, ଚିନ୍ତାକରେ, ବୁଦ୍ଧି ଖଟାଏ । ସବୁଠୁଁ ବଳି ଭଲ ମେସିନ୍‍ଟାଏ ଖରାପ ଲୋକର ହାତରେ ପଡ଼ିଲେ ନିହାତି ନିକମା ହୋଇଯିବ, ଅଳସୁଆ ପାଲଟିବ । କିନ୍ତୁ ଯେଉଁ ଲୋକ ତା’ର ଗତିବିଧି ଜାଣେ, ତାକୁ ଦେଖାରଖା କରି ହେପାଜତ କରେ, ସେଇ ଲୋକର ଯତ୍ନରେ ତାହା ଦିନକୁଦିନ ଭଲରୁ ଭଲ କାମ ଦେବ ।

 

ଜିନିଷଗୁଡ଼ାକ ଯଦି କଥା କହିପାରୁଥାନ୍ତେ, ତେବେ ଗୋଟିଏ ମୋଟରକାର, କି ଲେଦ୍‍ଇଞ୍ଜିନ୍, ଗୋଟିଏ ଟାଇପ୍ ରାଇଟର କି ରେଡ଼ିଓର ପ୍ରତ୍ୟେକ ଛୋଟ ଛୋଟ ଅଂଶବି ତମକୁ ଭାରି ମଜାର ମଜାର ଗପ ଶୁଣାଇ ପାରନ୍ତେ–ସେମାନେ କେମିତି ଗୋଟିଏ ଶ୍ରମିକ ପାଖରୁ ଆଉ ଗୋଟିଏ ଶ୍ରମିକି ପାଖକୁ ଯାଆନ୍ତି, ଏମିତି କେତେ ଶ୍ରମିକଙ୍କ ହାତ ଦେଇ ଫ୍ୟାକ୍‍ଟରି ଭିତରେ ଗତି କରି ଆସିଲେ, ତାହା ତମ ଆଗରେ ବର୍ଣ୍ଣନା କରନ୍ତେ ! ଗୋଟିଏ ଅଂଶ ଅନ୍ତତଃ କହିପାରନ୍ତା, ତାକୁ ଗଢ଼ିବାପାଇଁ ଶ୍ରମିକମାନେ ଝାଳନାଳ ହୋଇ କେତେ ବା ନ ଖଟିଛନ୍ତି ! କିଏ ଅତି ଚଞ୍ଚଳ ଗଢ଼ିବା କାମ ହାସଲ କରିପାରିବ, ଆଉ ଦିନକୁ ସବୁଠୁ ବେଶୀ ସଂଖ୍ୟାରେ ତା’ଭଳି ଅଂଶମାନ ତିଆରି କରିପାରିବ, ସେଥିପାଇଁ, ନିଜ ନିଜ ଭିତରେ ଜୋର୍‍ସୋର୍‍ରେ କି ପ୍ରତିଯୋଗିତା ନ ଚଳେଇଛନ୍ତି ! ତେବେ ତାଙ୍କର ଏହି ‘ପ୍ରତିଯୋଗିତା’ର ଅର୍ଥ ନୁହେଁ କିଏ ଆଗ କାମଟା ହାସଲ କରିଦେଲା, କିଏ ‘ପହିଲା ନମ୍ବର’ ହେଲା । ଏହାର ଅସଲ ଅର୍ଥ ହେଉଛ–ପ୍ରତ୍ୟେକ ଶ୍ରମିକଙ୍କୁ ଉତ୍ସାହ ଯୋଗାଇବା–ସେ ଯେମିତି ନିଜ କାମରେ ଆଗୁଆ ହେବା ସଙ୍ଗେ ସଙ୍ଗେ ଯେଉଁ ଶ୍ରମିକସବୁ ପଛରେ ପଡ଼ୁଥିବେ ତାଙ୍କୁ ସାହାଯ୍ୟ କରି, ଶିଖେଇ ମଣେଇ ‘ଆଗୁଆ’ କରେଇପାରିବ, ସେଥିଲାଗି ତା’ ମନରେ ବଳ ଓ ସାହସ ଦେବା ।

 

ଆମ ଶ୍ରମିକମାନଙ୍କର ପ୍ରତିଯୋଗିତା ବିଷୟରେ ଗୋଟାଏ ବିରାଟ ପୋଥି ଲେଖାଯାଇପାରେ,–ସେମାନେ ପରସ୍ପରକୁ ସାହାଯ୍ୟ କରୁଛନ୍ତି, କାମଧନ୍ଦା ଘେନି ନିଜର ଜ୍ଞାନ ଆଉ ଦକ୍ଷତା ବଢ଼ାଉଛନ୍ତି, ଆଉ ସେଥି ସଙ୍ଗେ ସଙ୍ଗେ ଉଦ୍ଭାବନ କାର୍ଯ୍ୟରେ, ବୁଦ୍ଧିରେ, କୌଶଳରେ, ଅଧ୍ୟବସାୟରେ, ନିଜ ନିଜ ଭିତରେ ପ୍ରତିଯୋଗିତାରେ ଲାଗିଛନ୍ତି ।

 

ଆମ ଚାରିପଟେ କେତେ ପ୍ରକାରର ଜିନିଷ ବା ନାହିଁ ! ଆମକୁ ଚାରିଆଡ଼େ ଅନେକ ଚିଜ ଘେରି ରହିଛି । ସେଥିରୁ ପ୍ରତ୍ୟେକଟିରେ କେତେ ଶ୍ରମ, କେତେ ବୁଦ୍ଧି ଖର୍ଚ୍ଚ ହୋଇଥିବ, କଳନା କରିପାରିବ ? ଭାବି ଦେଖ ! ଲୁହା, କାଠ, ମାଟି, କାଚ, ଗହମ, କପା, ପଶମ, ଚମଡ଼ା ଆଉ ରବର–ଏସବୁ ଯନ୍ତ୍ରପାତି, ଟେବୁଲ୍, ଚୌକି, କପ୍ ଥାଳିଆ, ମିଠେଇ ପିଠା, ଲୁଗାପଟା, ପୋଷାକପତ୍ର, ଘରଦ୍ଵାର, ମୋଟରଗାଡ଼ି, ଜୋତା, କାମିଜ ଆଦିରେ ପରିଣତ ହେବା ଆଗରୁ ହାତକୁ ହାତ ହୋଇ, କେତେ ହାତରେ, କେତେ ପରିବର୍ତ୍ତନ ଭିତରେ ଗତି କରି ଆସୁଛି । ପ୍ରତ୍ୟେକ ପରିବର୍ତ୍ତନ, ମ୍ୟୁଜିକ୍ ବା କୁହୁକ ଭଳି । କିନ୍ତୁ ‘କୁହୁକ’ ତ ଥାଏ ପରୀ–କାହାଣୀରେ ! ମୋଟରଗାଡ଼ିଟିଏ ଗଢ଼ିବାରେ, କାଠରୁ ଖାତାଟିଏ କି ମାଟିରୁ ‘ଚୀନା ବାସନ’ ବା କପ୍‍ଟିଏ ତିଆରି କରିବାରେ ଯେ ନିହାତି ଦରକାର ବହୁତ ଜ୍ଞାନ, ବହୁତ ଦକ୍ଷତା !

 

ପ୍ରକୃତରେ, ମୋଟରଗାଡ଼ି, ଉଡ଼ାଜାହାଜ, ଖାତାପତ୍ର, ଚୀନା ବାସନ, ଟେଲିଫୋନ୍, ରେଳଇଞ୍ଜିନ୍, କ୍ରେନ୍ ଆଉ ଇସ୍ପାତକଟା କତୁରି ଆଦି କେଜାଣି କେତେ ଜିନିଷ–ବିଜ୍ଞାନ ବଳରେ ଆଉ କଠିନ ପରିଶ୍ରମରେହିଁ ତିଆରି ହେଉଛି ସିନା ।

Image

 

Unknown

କେଉଁଥିରୁ କ’ଣ

 

ସବୁ କଥା ଜାଣିବାକୁ ତମର ଇଚ୍ଛା । ଭାରି କୁତୂହଳୀ ତମେ ! ଯେତେବେଳେ କୋଉଠି କ’ଣ ଦେଖ, ସାଙ୍ଗେ ସାଙ୍ଗେ ପଚାର, “ଏଇଟି କୋଉଥିରେ ତିଆରି ?” ବେଳେବେଳେ ତମର ଏମିତି ପ୍ରଶ୍ନର ଉତ୍ତର ଦେବା ସହଜ,–ଯେମିତି, ଟେବୁଲଟି କାଠରେ ତିଆରି, ବଲ୍‍ଟି ରବର ତିଆରି-! କିନ୍ତୁ କେତେଗୁଡ଼ାଏ ଜିନିଷ ଅଛି, ଯେଉଁଗୁଡ଼ିକ ଯେଉଁ ପଦାର୍ଥରେ ତିଆରି ସେହି ପଦାର୍ଥ ସହିତ ଆଦୌ ସମାନ ଦିଶେ ନାହିଁ । ମାଠିଆଟିଏ ସହିତ ମାଟିକୁ ତୁଳନା କରି ହେବ କି ? ମାଠିଆ ତ ମାଟି ପରି ନୁହେଁ । ତମେ ଜାଣିଥିବ, ମାଟିକୁ ଓଦା କରି, ଚକଟି ଆଗ ‘ମାଠିଆ’ ଆକୃତି ଦେବ, ମାଠିଆ ଛାଞ୍ଚରେ ପକାଇବ । ତା’ପରେ ତାକୁ ନେଇ କୁମ୍ଭାରଭାଟିରେ ପୋଡ଼ିବ । ପୋଡ଼ା ହେଲାପରେ ମାଠିଆଟି ଆଉ ଶୁଖିଲା କି ଓଦା ମାଟି ଭଳି ଦିଶିବ ତ ?

 

ବହିଟିଏ କ’ଣ ଫର (ଦେବଦାରୁ ଜାତିର) ଗଛ ଭଳି ଦିଶେ ? ତମ ମୁଣ୍ଡରେ କେବେହେଲେ ପଶି ନଥିବ–ତମ ମାଆଙ୍କର ସବୁଠୁଁ ବଳି ବଢ଼ିଆ ସିଲ୍କ ପୋଷାକ ଆଉ ତମର ଅତି ମନଲାଖି ବହି, ଏ ଦୁଇଟିଯାକ ତିଆରି ହୋଇଛି ‘ଫରଗଛ’ କାଠରୁ ! ତମ ରବର ବୁଟ୍‍ଜୋତା କଥା କ’ଣ ? ତମେ ଭଲା ବିଶ୍ଵାସ କରିବ, ଯଦି କୁହାଯାଏ–ସେ ବୁଟ୍ ହଳକ ତିଆରି ହୋଇଚି କରତ କାଠଗୁଣ୍ଡିରେ ? କିନ୍ତୁ ତମେ ଯଦି ଗୋଟିଏ ରାସାୟନିକ କାରଖାନାକୁ ଯାଅ, ଦେଖିବ, କରତଗୁଣ୍ଡିରୁ “ସୁରାସାର” (ମଦ୍ୟ ବା ଆଲ୍‍କୋହଲ–alcohol) ଆଉ ସେଇ କାଠ ସୁରାସାର ବା ଆଲ୍‍କୋହଲରୁ ରବର ବାହାରୁଚି କେମିତି ! ରୁଷରେ ଗୋଟାଏ କିସମର “ଡାଣ୍ଡେଲିଆନ୍’’ ହଳଦିଆ ରଙ୍ଗର ଫୁଲ ଅଛି । ତାକୁ କହନ୍ତି “କକ୍ ସାଘିଜ୍” । ସେଇ ଫୁଲଗଛରୁ ଓ ଆଉ କେତୋଟି ଉଦ୍ଭିଦର ‘ରସ’ରୁ ପୁଣି ରବର ବାହାରେ ! କୃତ୍ରିମ ସିଲ୍କ ଯେଉଁଥିରେ ତିଆରି ହୁଅ, ତା’ର ମୂଳ ପଦାର୍ଥ ହେଉଚି କାଠ । ପ୍ରକୃତ ବା ଅସଲି ସିଲ୍କ କିନ୍ତୁ ତିଆରି ହୁଏ ଟସର ପୋକର ଖୋସାରୁ ।

 

ଆଉ କେତେ ପ୍ୟାକ୍‍ଟିର ଅଛି, ଶିଳ୍ପ ଅନୁଷ୍ଠାନ ଅଛି, ସେଠିକି ଯଦି ଯାଅ, ଦେଖିବ, କୋଇଲା ବା ତେଲରୁ ପ୍ରସ୍ତୁତ ହେଉଛି ‘ପ୍ଲାଷ୍ଟିକ୍’ । ଆଉ ସେଇ ପ୍ଲାଷ୍ଟିକ୍‍ରେ ଗଢ଼ା ହେଉଚି ଟେଲିଫୋନ୍, କପ୍ ଥାଳିଆ, ପାନିଆ, ବୋତାମ, ଇଲେକ୍‍ଟ୍ରିକ୍ ସ୍ୱିଚ୍ ପ୍ରଭୃତି, ଅନେକ ଅନେକ ଜିନିଷ । ଆହୁରି ଦେଖିବ, ‘କାଠ’ କି ‘ତେଲ’ରୁ ସେଠି ବାହାରୁଥିବ କୃତ୍ରିମ ‘ଚମଡ଼ା’ ଆଉ ତମର ଖାଇବା ଛେନା ବଦଳି ପାଲଟି ଯାଉଥିବ କୃତ୍ରିମ ପଶମ ବା ଉଲ୍ !

 

ଉଦାହରଣରୂପେ ତମ କାମିଜ କଥା ଧର । ଏଇଟି ଥାଏ ତମ ଦେହରେ । ଏହାଠୁ ବଳି ତମର ନିକଟତମ ଜିନିଷ ଆଉ କ’ଣ ହୋଇପାରେ ? ତମର କୋଟ୍, ମୋଜା, ଦସ୍ତାନା–ଏସବୁ ତ ତମର ବନ୍ଧୁ; ଶୀତଋତୁରେ ଗରମ ରଖନ୍ତି ତମକୁ । କିନ୍ତୁ ଏଗୁଡ଼ିକ ଆସିଚି କୋଉଠୁ, ତିଆରି ହୋଇଚି କୋଉଥିରେ, ଆଉ ତିଆରି ହୋଇଚି ବା କେମିତି ? ତମେ ବୋଧହୁଏ କେବେ ଏସବୁ ଭାବି ନାହଁ !

 

ଆଜିକୁ ଅନେକ ଯୁଗ ହେଲାଣି, ଦିନଥିଲା ଯେତେବେଳେ ପୃଥିବୀରେ କୋଉଠି ଘରଦ୍ଵାର ନଥିଲା, ଲୋକେ ସବୁ ଗୁମ୍ଫାରେ, ନହେଲେ ବା କୁଡ଼ିଆରେ ବାସ କରୁଥିଲେ । ସେମାନେ ସେତେବେଳେ ଛାଲ-ଚମଡ଼ାକୁ ସିଇଁ ତାକୁ ଅଙ୍ଗରଖା କରି ପିନ୍ଧୁଥିଲେ । ଲୁହା ଛୁଞ୍ଚି ବଦଳରେ ମୁନିଆ ହାତତିଆରି ଛୁଞ୍ଚି ବ୍ୟବହାର କରୁଥିଲେ । ସେତେବେଳେ ଲୋକେ ଲୁହା ଦେଖି ନଥିଲେ, ଚିହ୍ନି ନଥିଲେ, କି ତା’ର ବ୍ୟବହାର ଜାଣି ନଥିଲେ ।

 

ଘରେ ତମର ମାଆଙ୍କର ସିଲେଇ ଟେବୁଲ ଉପରେ ଛୁଞ୍ଚି, ସୂତା ଆଉ ଯାହା ସିଆଁ ହେବ ତାହା କଟା ହୋଇ, ଥୁଆ ହୋଇଥାଏ । କିନ୍ତୁ ଏ ସମସ୍ତଙ୍କର ବୟସ ସମାନ ନୁହେଁ–ଏମାନେ ଗୋଟିଏ ‘ଯୁଗର’ ନୁହନ୍ତି । ସୂତାଠୁଁ କି କନାଠୁଁ ଛୁଞ୍ଚି ବହୁତ ‘ପୁରୁଣା’, ତା’ର ବୟସ ସବୁଠୁ ବେଶୀ । ହଜାର ହଜାର ବର୍ଷ ବିତିଗଲା ପରେ ଲୋକେ ଚମଡ଼ା ପରିବର୍ତ୍ତେ ଅନ୍ୟ ଜିନିଷରେ ନିଜର ପୋଷାକପତ୍ର ତିଆରି କରିବା ଶିଖିଥିଲେ ।

 

‘ତନ୍ତୁ’ଜାତୀୟ କିଛି ବୁଣାବୁଣି କରିବାପାଇଁ ସେମାନେ ଆଗ ‘ସୂତା’ ବଳିଥିଲେ । ତା’ପରେ ସୂତା କାଟିଥିଲେ ଅରଟରେ । କିନ୍ତୁ ସେଥିପାଇଁ ତ ପୁଣି ଲୋଡ଼ା ପଡ଼ିଥିବ ପଶମ ବା ଉଲୁ ! ବଣୁଆ ମେଣ୍ଢାଗୁଡ଼ିକୁ ଯେତେବେଳେ ସେମାନେ ପୋଷା ମନେଇ ଗୃହପାଳିତ କରିଥିଲେ, ସେତେବେଳେ ବୁଝିପାରିଥିଲେ ଯେ, ମେଣ୍ଢା ମାରି ତା’ର ଛାଲ ଉତାରି ସେଥିରେ ପୋଷାକପତ୍ର କରିବା ଅପେକ୍ଷା ଆଉ ଏକ ଭଲ ଉପାୟରେ ପୋଷାକପତ୍ର କରାଯାଇପାରେ । ସେମାନେ ଦେଖିଥିଲେ, ଗୋଟିଏ ମେଣ୍ଢା ଦେହରୁ ଥରେ ମାତ୍ର ଚମଡ଼ା ମିଳୁଛି । କିନ୍ତୁ ପ୍ରତିବର୍ଷ ତ ତା’ ଲୋମ କାଟି ସେଥିରେ ପୋଷାକପତ୍ର କରିହେବ । ମେଣ୍ଢାଟିକୁ ଆଉ ବଳି ଦେବାକୁ ହେବ ନାହିଁ । ସେମାନେ ଆହୁରି ପରୀକ୍ଷା କରି କରି କାଳକ୍ରମେ ଲକ୍ଷ୍ୟ କରିଥିଲେ, ସରୁ କି ମୋଟା ଯେମିତି ପ୍ରକାରର ଆବଶ୍ୟକ, ସେମିତି ପ୍ରକାର ସୂତା କାଟି ହେବ ଉଲ୍‍ରେ ଆଉ ସେହି ସୂତାରେ ତିଆର କରିହେବ ନାନା ଧରଣର ଜିନିଷ । ତମେ ବୋଧହୁଏ ଦେଖିଥିବ, ଡାକୁଡ଼ିରେ ସୂତା କଟା ହୁଏ କେମିତି । ସୂତାକଟାଳି ଆଉ ଉଲ୍ ମେଞ୍ଚାଏ ଧରେ, ସେଥିରୁ ଟାଣି ଟାଣି ଲମ୍ବା ଲମ୍ବା କେତେକ ତନ୍ତୁ ବାହାର କରେ, ତାକୁ ଆଙ୍ଗୁଠିରେ ବଳେ, ଆଉ ତା’ପରେ ତାକୁ ଗୁଡ଼େଇଲା ଗେତାକୁଡ଼ିରେ । ତାକୁଡ଼ିର ମଝିଟି ମୋଟା, ଦିମୁଣ୍ଡ ସରୁ । ଗୋଳେଇ କାଠି ଖଣ୍ଡିଏ ଏଇଟି ! ଏହାର କାମ ହେଉଚି, ‘ସୂତା’ ବଳିବା । ସୂତା ଯେତେ ବଳା ହୁଏ ସେତେ ଟାଣ ଆଉ ଚିକ୍କଣ ହୁଏ, ସମତୁଲ ହୁଏ । ତମେ ଯଦି ମେଞ୍ଚାଏ ଉଲ୍‍ରୁ ‘ତନ୍ତୁ’ କେଇଟି ଓଟାରି ଆଣ, ଦେଖିବ, ତାହା ଛିଡ଼ିଯିବ । ସୂତାକଟାଳି ତେଣୁ ଡାକୁଡ଼ିକୁ ଘୂରାଏ, ସେଥିରେ ସୂତା ଗୁଡ଼ାଇ ଗୁଡ଼ାଇ ଦେଉଥାଏ । ପୁରୁଣାକାଳିଆ ତନ୍ତୁଟିଏ କେମିତି-? ଯଦି ଦେଖିବାକୁ ଚାହଁ, ତେବେ ଗୋଟିଏ ମ୍ୟୁଜିୟମ୍‍କୁ ଯାଅ, ସେଠି ପୁରୁଣା ଜିନିଷ ସବୁ ରଖାଯାଇଚି ।

 

ହାତତନ୍ତ ଭାରି ସରଳିଆ ଜିନିଷ–ସେଥିରେ ନଟଖଟ କିଛି ନାହିଁ । ସେଇଟି ଚାରିଖଣ୍ଡ ଗୋଲେଇ କାଠର ଗୋଟିଏ ‘ଫ୍ରେମ୍’ ପରି ଠିକ୍ । ତଳ ଉପର କାଠି ଦୁଇଖଣ୍ଡି ମଝିରେ, ଧାଡ଼ିକୁ ଧାଡ଼ି, ବେଶ୍, ଶକ୍ତ ଭାବରେ ଟଣା ସୂତା ଲାଗିଥାଏ ସେଥିରେ । ସେହି ଧାଡ଼ିକୁ ଧାଡ଼ି ସୂତା ଭିତରେ ‘ଆନୁପ୍ରସ୍ଥିକ’ ବା ‘ଛକିକଟା’ ରୀତିରେ ସୂତା ଗଳାଯାଇ ଲୁଗାକପଡ଼ା ବୁଣାହୁଏ । କାଇଁଶରେ, ବାଉଁଶପାତିଆରେ, ବେତରେ, ଟୋକେଇ ବାଉଁଶିଆ ବୁଣାହେବା ଦେଖିଥିବ ନିଶ୍ଚୟ ! ଲୁଗାପଟା ଠିକ୍ ସେଇଭଳି, ସେଇ ରୀତିରେ ବୁଣାହୁଏ । ଇଚ୍ଛା କଲେ, ତମେ ନିଜ ତନ୍ତଟିଏ ତିଆରି କରିପାରିବ । ଚାରିଗୋଡ଼ିଆ ‘ଷ୍ଟଲ୍’ଟାଏ ଓଲଟେଇ ରଖ ! ତା’ର ଗୋଡ଼ ଗୋଡ଼ ଭିତରେ ଲମ୍ବା ବାଗରେ ସରୁ ସୂତୁଲି ବା ଦୌଡ଼ି ବାନ୍ଧ ! ଏହା ହେବ ଯାହା କୁହାଯାଏ, “ଟାଣି” ବା ଇଂରେଜୀରେ ୱାର୍ପ (warp); ଏହା ଭିତରେ ଆଡ଼ବାଗରେ ସୂତା ଗଳେଇ ଗଳେଇ ନିଅ, ଏହାକୁ କୁହାଯାଏ ‘ଭରଣି’ ବା ‘ଉଫ୍’ । ଏହା କରିବାପାଇଁ ତମକୁ ସୂତାଖିଏ ଏକ, ତିନି, ପାଞ୍ଚ, ଏମିତି ଗୋଟି ଗୋଟି ‘ଟାଣି’ ସୂତା ଭିତରେ ଆଡ଼ବାଗରେ ଗଳେଇବାକୁ ହେବ ଏବଂ ଦୁଇ, ଚାରି, ଛଅ ଏମିତି ଗୋଟି ଗୋଟି ‘ଟାଣି’ ସୂତା ଉପରେ ପୁଣି ସେଇ ସୂତାଖିଅକୁ ଉଠେଇ ଉଠେଇ ସେମିତି ଆଡ଼ବାଗରେ ଟେକି ଟେକି ଟାଣି ଟାଣି ନେବାକୁ ହେବ । ଏମିତି କଲା ପରେ, ତମ ଗୋଟିଏ ସୂତା ‘ବୁଣଟ’ ଦେଖିବ । ଏହା ଟିକିଏ ଆବୁରୁଜାବୁରୁଆ ହେବ–ତୁଳା କି ଉଲ୍ କପଡ଼ା ଭଳି ହେବ ନାହିଁ । ତେବେ ସେଥିରେ ଯାଏଁ ଆସେ କ’ଣ ? ତମେ ତ ଆଉ ସେଥିରେ କାମିଜ କୁର୍ତ୍ତା କରିବ ନାହିଁ ! କଥା ହେଉଚି, ‘ବୁଣଟ’ କେମିତି ହୁଏ, ସେଇଟି ବୁଝିବା । କ’ଣ ଗୋଟିଏ ଜିନିଷ ଆଲୁଅ ସାମନାରେ ଧର-! ଦେଖିବ, ସେଥିରେ ‘ବୁଣଟ’ ଅଛି–ସୂତା ବା ତନ୍ତୁର ଛକିକଟା ରହିଚି ।

 

କେହି ଅବଶ୍ୟ ଲୁଗାକଳରେ ବା ଫ୍ୟାକ୍‍ଟରିରେ ‘ଷ୍ଟୁଲ୍’ ପକେଇ ଲୁଗା ବୁଣେ ନାହିଁ । ଲୁଗାକପଡ଼ା କଳରେ ବା ଫ୍ୟାକ୍‍ଟରିରେ ବଡ଼ବଡ଼ ଇଲେକ୍‍ଟ୍ରିକ୍ ତନ୍ତ ଅଛି, ତା’ର ଦି’ ପାଖରେ ବିରାଟ ବିରାଟ ରୋଲର୍ ରହିଚି । ଗୋଟିଏ ରୋଲର୍ ତନ୍ତକୁ ସୂତା ବା ତନ୍ତୁ ଯୋଗାଇ ଦିଏ । ଆଉ ଆର ରୋଲର୍‍ଟିରେ ବୁଣଟ କପଡ଼ା ଯାଇ ଗୁଡ଼େଇ ହୋଇଯାଏ । ଆଗକୁ ପଛକୁ, ପଛକୁ ଆଗକୁ ହୋଇ, ଖୁବ୍ ଦ୍ରୁତ ବେଗରେ ଚାଲୁଥିବା କଣ୍ଡାର ଆଡ଼ବାଗରେ ଭରଣି ହେଉଥାଏ ସୂତା ।

 

ଗୋଟିଏ କଣ୍ଡାରୁ ସୂତାତକ ସରିଗଲା ପରେ ଛାଏଁ ଛାଏଁ ଆଉ ଗୋଟିଏ କଣ୍ଡାରେ ସୂତା ଭର୍ତ୍ତି ହୋଇ ଚାଲିଆସେ । ଯଦି ସୂତାଖିଏ କୋଉଠି ଛିଡ଼ିଯାଏ, ତେବେ ତନ୍ତ ଆପେଆପେ ବନ୍ଦ ହୋଇଯାଏ; ଶ୍ରମିକ ଜଣେ ଆସି ତାକୁ ଗଣ୍ଠି ପକେଇ ଯୋଡ଼ିବା ଯାଏଁ ଅପେକ୍ଷା କରେ ।

 

ଏକା ସମୟରେ ବହୁତ ଶ୍ରମିକ ଅନେକ ମେସିନ୍ ଚଳାନ୍ତି । ସେମାନେ ସମସ୍ତେ ସମାନ ଗର୍ବର ସହିତ କହି ପାରିବେ, “ଯେଉଁ ଲୁଗା ବୁଣୁଛୁ, ତାକୁ ହଜାର ହଜାର ଲୋକ ପିନ୍ଧିବେ ।”

 

ସୂତାବି କଟା ହେଉଚି, ଭାରି ଜୋର୍‍ସୋର୍‍ରେ ଚାଲୁଥିବା କଳରେ । ଏହା ନହେଲେ ସମସ୍ତଙ୍କ ପାଇଁ ଲୁଗାକପଡ଼ା–ସୂତା ଯୋଗାଇବା ଅସମ୍ଭବ ହୁଅନ୍ତା । ତମେ ନିଜେ ଅନୁମାନ କଲ ଦେଖି, ପିଲା ଛୁଆ, ବୁଢ଼ା, ଦରବୁଢ଼ା ସମସ୍ତଙ୍କ ପୋଷାକପତ୍ର ଲୁଗାପଟା ପାଇଁ କେତେ ସୂତା ନିହାତି ଦରକାର । ଏକା ସୋଭିଏତ ରୁଷରେ ଏତେ ଲୋକ ଅଛନ୍ତି ଯେ, ତାଙ୍କୁ ଗୋଟି ଗୋଟି କରି ତ ଗଣିବା କାଠିକର ପାଠ । ଏଇଥିପାଇଁ ଏତେ ବଡ଼ବଡ଼ ସହରରେ ଏତେ ସୂତାକଟା କଳ ଓ ଲୁଗାବୁଣା କଳ ବସିଚି । ଏହିସବୁ ‘ମିଲ୍’ ବା ଲୁଗାକପଡ଼ା ଫ୍ୟାକ୍‍ଟରିରେ ଉଲ୍, କ୍ଷୀରୋଦରି ପାଟ, ତୁଳା, ପଶମ ବା ସିଲ୍କର ‘ସୂତା’ କଟାଯାଇ ସେଥିରେ ନାନା ଧରଣର ‘କନା’ ବୁଣା ହେଉଚି । ତାକୁ ପୁଣି ରଙ୍ଗ କରାଯାଉଚି, ଚିତ୍ର କରାଯାଉଚି । ସେଥିରୁ କେଉଁ ଥାନଟି ମୋଟା, କେଉଁଟି ସରୁ ବା ମଝିଲା ‘ମୋଟସରୁ’ କିସମର ହେଉଚି; କେଉଁ କପଡ଼ା ପୁଣି ଖରାଦିନ ପାଇଁ, କେଉଁଟି ବା ଶୀତଦିନ ପାଇଁ !

 

ତମ ନିଜ କାମିଜଟିକୁ ଅନାଅ ! କେଉଁଥିରେ ତିଆରି ସେଇଟି, ତୁଳାରେ ? ତୁଳା ଆସେ କେଉଁଠୁଁ, ମିଳେ କେଉଁଠି ? ସୋଭିଏତ୍ ରୁଷରେ କେତେକ ଅଞ୍ଚଳରେ ଗ୍ରୀଷ୍ମ ଋତୁ ବେଶ୍ ବଡ଼ ହୁଏ, ଲମ୍ବା ହୁଏ । ଖରାବି ଟାଣୁଆ ହୁଏ । ସେଠି ବିଲରେ ଗୁଡ଼ିଏ ଗୁଡ଼ିଏ ବୁଦିବୁଦିକିଆ ଗଛ ବା ଉଦ୍ଭିଦ ଦେଖାଯାଏ । ସେଥିରେ ଅଦ୍ଭୁତ ଅଦ୍ଭୁତ ଫଳଧରେ । ସେହି ଫଳଟିମାନ ଗୋଟିଏ ଗୋଟିଏ ମଞ୍ଜିପେଡ଼ି । ସେଇ ମଞ୍ଜିପେଡ଼ିରେ ମଞ୍ଜିଗୁଡ଼ିକୁ ଘୋଡ଼େଇ ରହିଥାଏ ନରମ ନରମ ଖାସୁଖାସୁଆ ବାଳ ! ବୁଦିବୁଦିକିଆ ଗଛଗୁଡ଼ିକ ହେଉଚି କପାଗଛ ! କପାମଞ୍ଜିରେ ଲାଗିଥିବା ବାଳବାଳୁଆ ଚିଜ ହେଉଚି ତୁଳା । ଏ ତୁଳାରୁ ତେବେ ଲୁଗା ହୁଏ କେମିତି ? ଆଗ ମଞ୍ଜିଗୁଡ଼ିକରୁ ‘ବାଳ’କୁ ସବୁ ଅଲଗା କରିବାକୁ ପଡ଼େ । ତା’ପରେ ସେଇ ‘ବାଳ’ ବା ତୁଳାକୁ ଭିଣି, ସଜେଇ, ସମାନ ଓ ଚିକ୍କଣ କରାଯାଏ; ପାନିଆ ଓ ବ୍ରୁଶ୍‍ରେ ବାଳ କୁଣ୍ଡେଇ ସଜେଇଲା ଭଳି ଠିକ୍ । ଲୁଗା କଳରେ ଏହି ପାନିଆ ଓ ବ୍ରୁଶ୍‍ରେ ଥାଏ, ଏହାକୁ କହନ୍ତି ଭିଣା । ଏଥିରେ ଥାଏ ଲୁହାର ‘ରୁମ’ ବା ‘ଦାନ୍ତ’ । ଏହା ଚାଲେ ‘ମେସିନ୍’ରେ ।

 

ତୁଳାଭିଣା ହୋଇ ‘ସାଉଁଳା’ ହୋଇ ସାରିଲା ପରେ ତାକୁ ପୂରେଇ ଦିଆଯାଏ ଗୋଟିଏ ମେସିନ୍‍ରେ । ସେଥିରେ ତାହା ବଳି ହୋଇ ‘ବଳଣା’ ପାଲଟେ ଓ ମେସିନ୍‍ରେ ଆଉ ଗୋଟିଏ ମୁହଁ ବାଟେ ଫିତା ବା ବହଳିଆ ରିବନ ଭଳି ବାହାରେ । ସେଇ ବଳଣା କେଡ଼େ ଫାସୁକା ହୋଇ ନଥାଏ-! ସେଥିରୁ କିନ୍ତୁ ବାହାରେ ଟାଣୁଆ ସୂତା । କେତେଗୁଡ଼ିଏ ବଳଣା ବା ତୁଳା ରିବନ ଏକାଠି ଯୋଡ଼ି ହୁଏ । ତାକୁ ଟାଣି ଟାଣି ସରୁ କରାଯାଏ ସୂତୁଲି ଭଳି, କୁହାଯାଏ ‘ସରୁବଳଣା’ । ଆହୁରି ଶକ୍ତ କରିବାପାଇଁ ତାକୁ ଆହୁରି ବଳାଯାଏ ବା ମୋଡ଼ାଯାଏ । ଏସବୁ ହୁଏ “ସ୍ଵଂୟକ୍ରିୟ” ତାକୁଡ଼ିରେ, ମେସିନ୍‍ରେ । ମେସିନ୍‍ରେ ତାକୁଡ଼ି ଲାଗିଥାଏ ହଜାର ହଜାର । ସେଥିରେ ସୂତା କଟା ହେଲାବେଳେ ସମୁଦାୟ ମିଲ୍‍ଟା ଶବ୍ଦ କରେ–ସତେ ଯେମିତି ଗୋଟାଏ ପ୍ରକାଣ୍ଡ ମହୁଫେଣା-

 

ଏହାପରେ ‘ସୂତା’କୁ ନିଆଯାଏ ବୁଣାକଳକୁ । ଦେଖିଲୁ ତ, ଲୁଗାକପଡ଼ା ବୁଣାବୁଣି ହୁଏ କେମିତି ! ଶେଷରେ ଲୁଗାକପଡ଼ା ବୁଣାହୋଇ ତିଆରି ହୋଇଯାଏ । ଏହା ଜମାରୁ ସୁନ୍ଦର ଦିଶେ ନାହିଁ; କେମିତି ହଳଦିଆସିଆ ହୁଏ ରଙ୍ଗରେ । ଏମିତିକା କପଡ଼ାରେ ତ ତମେ କେବେ କାମିଜ କରିବ ନାହିଁ ! ଏହି ଧୁଲେଇ ହୋଇ ଆଖିଦୃଶିଆ, ଆଉ ତମ ମନଲାଖି ହେବା ଆବଶ୍ୟକ ନାହିଁ ? ତେଣୁ ଏହାକୁ ଧୁଲେଇ ଆଉ ରଙ୍ଗ କଳକୁ ନିଆହୁଏ । ସେଠି ଏହା ସଫା ହୁଏ, ରଙ୍ଗ ହୁଏ, ଛିଟ ଛିଟ ହୁଏ, ଗାରିଗାରିଆ ହୁଏ, କେତେ ରୂପରେ ଚକଚକିଆ କରାଯାଏ । କାରଖାନାରେ ଚିତ୍ରକାରମାନେ ଅଛନ୍ତି । ସେମାନେ ନୂଆ ନୂଆ ରଙ୍ଗର, ନୂଆ ରୂପରେଖର ବା ଡିଜାଇନରେ ଛବି ଆଙ୍କି ତିଆରି କରନ୍ତି । ତମେ କାଗଜରେ ରବର ଷ୍ଟାମ୍ପ୍ ବା ମୋହର ଦିଆଯିବା ଦେଖିଥିବ । ‘ମିଲ୍’ରେ ସବୁ ସେମିତିକା ଠିକ୍ ବଡ଼ବଡ଼ ତମ୍ବା ରୋଲର୍ ଷ୍ଟାମ୍ପ୍ ବା ମୋହର ଥାଏ । ଏହା ଗୋଲ ପଟା ଭଳିଆ ନୁହେଁ, ବେଲଣା କାଠି ପରି ଆକାରରେ । ଚକଟା ଅଟା ବା ଦଳା ମଇଦା ଉପରେ ବେଲଣା କାଠି ଗଡ଼ାଇଲା ପରି ଏହି ରୋଲର୍ ଷ୍ଟାମ୍ପ୍‍କୁ କପଡ଼ା ଥାନ ଉପରେ ଗଡ଼ା ହୁଏ, ଅବଶ୍ୟ ଏହାକୁ ଗଡ଼ାଏ ମେସିନ୍ । ସେଇଥିରେହିଁ ଯେଉଁ ରଙ୍ଗର ଚିତ୍ର ଛପା ହେବାକୁ ଥାଏ, ତାହା ଛପାଯାଏ । ତେବେ ଏହା ଖୁବ୍ ସୁବିଧାରେ ହୁଏ ନାହିଁ । ତେଣୁ ରୋଲର୍ ଉପରେ ଥାନଟିକୁ ଟାଣି ନିଆଯାଏ । ଏହା କରେ ସେଇ ମେସିନ୍ ।

 

ଛପା ଲୁଗାକପଡ଼ା ଦୋକାନକୁ ସବୁ ପଠାଯାଏ, ସେଠି ବିକ୍ରି ହୁଏ । କେତେକ ସେଥିରେ କାମିଜ କରନ୍ତି ଓ କେତେକ ଅନ୍ୟ ପୋଷାକପତ୍ର କି ରୁମାଲ କରନ୍ତି । ଏମିତି ଶାଢ଼ି ଓ ଲୁଗାର ଧଡ଼ି ସବୁ ଭିନ୍ନ ଭିନ୍ନ ଭାବରେ ଛପାଯାଏ । ତମେ ଦେଖିଥିବ, ତମ କାମିଜର ନେଳି ଡୋରିଆ କନା ଆଉ ତମ ଭଉଣୀର ସେମିଜ ବ୍ଲାଉଜ୍‍ର ଡୋରିଆ କନା, ସମାନ । ତମ ମାଆ ଗୋଟିଏ ଥାନରୁ କାଟି ଦୁଇଟିଯାକ ତିଆରି କରିଥିବେ !

 

ଏ ହେଉଚି ତମ କାମିଜର କାହାଣୀ । ପୁରୁଣା ପୋଥିରେ ଗୋଟିଏ ଲେଖା ଅଛି, ‘କାମିଜ’ ଜନ୍ମିଥିଲା ବିଲରେ । ପ୍ରକୃତରେ କଥାଟି ସତ । କାରଣ କାମିଜ ତିଆରି ହୁଏ ତୁଳାରୁ, ଆଉ ତୁଳା ବାହାରେ କପାରୁ, କପା ଉପୁଜେ ବିଲରେ ! ଆସ, ଟିକିଏ ଅତି ପୁରୁଣାକାଳ କଥା ପକେଇବା–ସେଇ ଯୋଉ କାଳରେ ପୋଷାକପତ୍ର ତିଆରି ହେଉଥିଲା ପଶୁ–ଚମଡ଼ାରେ । ଲୋକେ ଏବେ ମଧ୍ୟ ‘ଚମଡ଼ା’ ପୋଷାକ ପିନ୍ଧୁଛନ୍ତି । କିନ୍ତୁ ସେଗୁଡ଼ିକ ସେ କାଳରେ ଲୋକେ ଯେମିତି ତିଆରି କରୁଥିଲେ, ସେମିତି ଆଉ ତିଆରି ହେଉନାହିଁ । ତମେ ଜାଣିଚ କି ନାହିଁ କେଜାଣି, ତମର ଶୀତଦିନିଆ ହ୍ୟାଟ୍ (ଟୋପି) ଆଉ ଶୀତଦିନିଆ ଗରମ କୋଟ୍‍ର ‘ବେକ’ ବା ‘କଲର’ ଠେକୁଆ ଚମରେ ତିଆରି । ତମ ପାଦରେ ତ ପଶୁଚମଡ଼ାର “ଘୋଡ଼ଣି” ! ଜାଣିଚ, ଏଇ ଘୋଡ଼ଣି ବା ଜୋତା ଚମଡ଼ାରେ ତିଆରି । ଆଉ ଏ “ଚମଡ଼ା” ମିଳେ ବାଛୁରୀ ବା ଛେଳିର ଛାଲରୁ ।

 

କଥାଟା ସାଫ ହେଉନାହିଁ, ନାହିଁ ? ପଶୁ–ଛାଲଟା ତମ ଜୋତା, ଚଟି, କି ଶୀତଦିନିଆ କୁରୁତା–ଚମଡ଼ା ପାଲଟେ କେମିତି ? ପ୍ରକୃତରେ ଛାଲ ଆଉ ଚମଡ଼ା ରୂପରେ ଫରକ । ଛାଲରେ ଥାଏ ରୁମ; କିନ୍ତୁ ଚମଡ଼ାରେ ଗୋଟିଏ ବୋଲି ରୁମ ଦେଖିବାକୁ ପାଇବ ନାହିଁ ।

 

କଞ୍ଚା ଛାଲରେ କେବେହେଲେ ଜୋତା ସିଆଁ ଯାଇପାରିବ ନାହିଁ । କାରଣ, ଏହା ଶକ୍ତ ନୁହେଁ, ନରମ କି ଚିକ୍କଣ ନୁହେଁ । ପବନ ବାଜିଲେ ଏହା ଶଢ଼ିବାକୁ ଆରମ୍ଭ କରିଦିଏ । ଶୁଖାହେଲେ ଧରୁ ଧରୁ ଭାଙ୍ଗି ଚୂନ୍‍ଚୂନା ହୋଇଯିବ । ସେଥିପାଇଁ ‘ଚମଡ଼ା’ ହେବାକୁ ହେଲେ, ଛାଲ ସବୁ ଟ୍ୟାନେରି ବା ଚମଡ଼ାକଷା ଜାଗାରେ ଆଗ କଷା ହୁଏ ।

 

ଅନ୍ୟ ଯେକୌଣସି କାରଖାନା ପରି ଏଇ ଚମଡ଼ାକଷା କାରଖାନା ବା ଟ୍ୟାନେରିରେ ଅନେକ ପ୍ରକାର କଳକବଜା ବା ମେସିନ୍ ଥାଏ । ଛାଲଟିକୁ ନରମା କରାଯିବା ପାଇଁ ଧୁଆ ଯାଏଁ, ଭିଜା ଯାଏଁ, ତା’ପରେ ତାକୁ ଚଞ୍ଛା ଯାଇ ‘କ୍ଷାର ଦ୍ରବ୍ୟ’ ସଲ୍ୟୁଶନ ବା ରାସାୟନିକ ଖାର ପାଣିରେ ଓଦା କରାହୁଏ । ଏହା ଫଳରେ ସେଥିରୁ ରୁମଗୁଡ଼ାକ ସହଜରେ ବାହାରିଯାଏ । ରୁମ ବାହାରିଗଲେ ଏହାକୁ ‘ଅରୁଚିଆ’ ଛାଲ କୁହାଯାଏ । ଏ ଅବସ୍ଥାରେବି ଏହା ଜିନିଷପତ୍ର ଉପଯୋଗୀ ଚମଡ଼ା ବା ଲେଦର୍ ହୋଇ ନଥାଏ । ଏହାକୁ ‘ଟାଣ’ ଓ କଠିନ କରିବାପାଇଁ ‘ଟ୍ୟାନ୍’ ବା କଷ କରାଯାଏ । ଏହାର ଅର୍ଥ, ଓକ୍‍ଗଛ ଛେଲିରୁ ବା ଅନ୍ୟ ସେଭଳି କୌଣସି ପଦାର୍ଥରୁ ତିଆରି ସଲ୍ୟୁସନ ବା ଦ୍ରବ୍ୟରେ ଏହାକୁ ବୁଡ଼େଇ ଦିଆହୁଏ । ସେଇ ଦ୍ରବ୍ୟ ଏଥିରେ ଭେଦି ଚରିଥାଏ ।

 

ଅନେକ ସମୟରେ ଚମଡ଼ା ‘କ୍ରୋମିୟମ’ ‘ଲୁଣ’ରେ କଷା ହୁଏ । ଏହି ‘ଲୁଣ’ ଦେଖିବାକୁ ଶାଗୁଆ । ଚମଡ଼ାକୁବି ଏହା ଶାଗୁଆ କରିଦିଏ । ଏଣୁ ଏହାକୁ ଆମେ କ୍ରୋମିୟମ ଚମଡ଼ା ବା ଲେଦର୍ କହୁଁ । ତମେ ଜାଣିଥିବ ବୋଧହୁଏ, କ୍ରୋମିୟମ ଚମଡ଼ା ବୁଟ୍ ଜୋତା ତିଆରିରେ ଲାଗେ । କିନ୍ତୁ କ୍ରୋମିୟମ ଚମଡ଼ାକୁ ଏଥିପାଇଁ ରଙ୍ଗ କରାଯାଇଥାଏ, ନଇଲେ ଶାଗୁଆ ରଙ୍ଗର ବୁଟ୍ କେହି ପିନ୍ଧିବେ ନାହିଁ । ଏହି ଚମଡ଼ାକୁ ରଙ୍ଗ କରାଗଲା ପରେ, ଶୁଖାଇ ଦିଆହୁଏ ଓ ପାଲିସ୍ କରାଯାଏ । ଏତିକିରେ “ଚମଡ଼ା-କଷାଳିଙ୍କ” (ଟ୍ୟାନରଙ୍କ) କାମ ସରେ । ସେମାନେ ତାକୁ ପଠାଇ ଦିଅନ୍ତି ଜୋତା–ଫ୍ୟାକ୍‍ଟରିକୁ । ସେଠି ତାହା ଗୋଟିଏ ଶ୍ରମିକ ପାଖରୁ ଆଉ ଗୋଟିଏ ଶ୍ରମିକ ପାଖକୁ, ଗୋଟିଏ ମେସିନ୍‍ରୁ ଆଉ ଗୋଟିଏ ମେସିନ୍‍କୁ–ଏମିତି କେତେ ଶ୍ରମିକଙ୍କ ହାତରେ, କେତେ ମେସିନ୍ ବାଟରେ ଗତି କରେ । ଶ୍ରମିକମାନଙ୍କୁ ଜୋତା ହଳେ ତିଆରିରେ ସାହାଯ୍ୟ କରେ ଅନେକ ଧରଣର ମେସିନ୍ । ଗୋଟିଏ ମେସିନ୍ “ରୂପରେଖ” ବା “ଡିଜାଇନ୍” ଅନୁସାରେ ‘ଚମଡ଼ା’ କାଟେ, ଆଉ ଗୋଟିଏ ଟାଣି ଠିକ୍‍ରୂପେ ଓସରାଇ ଦିଏ କାଠରେ ବା ଲୁହାରେ ଗଢ଼ା ମଣିଷପାଦର ଛାଞ୍ଚ ଉପରେ । ତୃତୀୟଟି ଖାଲି ସିଇଁବାରେ ଲାଗେ । ଚତୁର୍ଥଟି, ସେଥିରେ ଗୋଇଠି ବା ‘ତଳି’ ଖଞ୍ଜେ । ପଞ୍ଚମଟି ଫିତା ଗଳିବାପାଇଁ କଣା କରୁଥିବା ‘ରନ୍ଧ୍ରକାରୀ’ ମେସିନ୍‍ରେ ‘ଘରା’ କରେ ଆଉ ଷଷ୍ଠଟି ପାଲିସ୍ ଲଗାଇବାରୁ ତାହା ଚକ୍‍ଚକ୍ କରେ ।

 

ଶେଷରେ, ତମର ନୂଆ ଜୋତାହଳକ ତିଆରି ହୋଇଯାଏ କେଡ଼େ ମଜବୁତ, କେଡ଼େ ନରମ, ଆଉ କେଡ଼େ ସୁନ୍ଦର ନହୁଏ ଜୋତାହଳିକ ! ହୁଏତ ତମ ମନକୁ ପାଏ, ନଇଲେ ଆଉ କାହାକୁ ଭଲ ଲାଗେ ! !

Image

 

ଚାହା କପ୍‍ଟିଏ, କୋତଟିଏ, ସେସବୁର ବନ୍ଧୁବାନ୍ଧବ

 

ମାଟିର କୋତ ବା ବଡ଼ ମାଠିଆଟିଏ, ଏମିତି କିଛି ସୁନ୍ଦର ନୁହେଁ ଦେଖିବାକୁ; ବରଂ ଆହୁରି କଦର୍ଯ୍ୟ ଦିଶେ–ଗୋଟିଏ ବେଶ୍ ଚିକ୍କଣଚାକଣ ସରୁ ଚାହାକପ୍ କି ଲମ୍ବାନାକିଆ ଥନ୍ତଲପେଟିଆ ‘ଚାହା ରଖା ପାତ୍ରଟି’ ପାଖରେ । ତେବେ ମାଠିଆ ସାଥିରେ ଚାହାକପ୍ କି ଚାହାପାତ୍ରର ଭେଟ ହୁଏ କମ୍, ଭେଟ ହୁଏ ନାହିଁ କହିଲେ ଚଳେ ! ଚୀନାମାଟିରେ ଚାହାପାତ୍ରଟି, ତା’ର ଚିନିପାତ୍ର ଓ କେତେକେତେ ଛୋଟବଡ଼ କପ୍ ଥାଳିଆ ପ୍ରଭୃତି ବଉଁଶଯାକର ସମସ୍ତଙ୍କୁ ଘେନି ଗୋଟିଏ ଅତି ଚମତ୍କାର ଘରର ଉପରମହଲାରେ ଥାଏ । ସେ ଘରଟି ଅବଶ୍ୟ ‘ଚୀନା ବାସନ ରଖ’ ଆଲମାରି ! କିନ୍ତୁ ମାଠିଆଟି ତ ଅତି ତଳିହା ନୀଚ ଶ୍ରେଣୀର, ରୋଷଘର ଦ୍ଵାର ମୁହଁ ଡେଇଁ ପଦାକୁ କେବେହେଲେ କେବେବି ଗୋଡ଼ କାଢ଼ିପାରେ ନାହିଁ । ଚାହା–ପାତ୍ରଟି କି, ସୁନ୍ଦର ସୁନ୍ଦର କପ୍‍ଗୁଡ଼ିକ ଚୀନା ବାସନ ଆଲମାରି ଥାକରେ ରହନ୍ତି ବୋଲି ଯେ ମାଠିଆକୁ ଦେଖିଲେ ଗର୍ବରେ ମୁହଁମୋଡ଼ିଦେବେ, ନାକ ଟେକିବେ, ଏହା ମୋଟେ ଠିକ୍ ନୁହେଁ । କାରଣ, ମାଠିଆଟି ତାଙ୍କରି ଜ୍ଞାତି, ତାଙ୍କରି ବନ୍ଧୁ । କହିବାକୁ ଗଲେ, ତାଙ୍କ ବଂଶର ସବୁଠୁ ବଳି ପୁରୁଣାକାଳିଆ ମରହଟ୍ଟିଆ ବୁଢ଼ା ।

 

ପ୍ରକୃତରେ ଭାରି ବଡ଼ ଏଇ ବଂଶଟା ! ଚାହାପାତ୍ର ଆଉ ଥାଳିଆ, ଇଟା ଆଉ ଛାତର ଟାଇଲ୍, ଟେଲିଫୋନ୍ ଖୁଣ୍ଟିରେ ଧଳା ଚିଜ ବିଦ୍ୟୁତ୍‍ରୋକା ଇନ୍‍ସୁଲେଟର, ଚୀନାମାଟିର ବାସନ, ଡାକ୍ତରୀ ଦୋକାନରେ ରାସାୟନିକ କାରଖାନାରେ କି ଲାବୋରେଟରିରେ ଚୀନା ଖଲ, ‘ବୌଲ୍’, କୁଣ୍ଡ, ଟୁକୁଣା, ତାଟିଆ, ମ୍ୟୁଜିୟମ୍‍ଗୁଡ଼ିକରେ ବଡ଼ବଡ଼ ଚିତ୍ରବିଚିତ୍ର ଫୁଲଦାନି, ଘରକଣରେ କି ଠଣାରେ ଚୀନାମାଟିର ମୂର୍ତ୍ତିସବୁ–ଏମିତି ଆହୁରି କେତେକେତେ ପଦାର୍ଥ ମାଟିରେ ଗଢ଼ା, ମାଟିରେ ତିଆରି । ସେସବୁର ପହିଲି ସାବକ ପୁରୁଷର ହେଉଚନ୍ତି ହାଣ୍ଡି, ପଲମ ପ୍ରଭୃତି ମାଟିର, ରୋଷେଇଶାଳର ଜିନିଷ ।

 

ହଜାରେ ବର୍ଷ ତଳେ କେହି ଚୀନା ଚାହାପାତ୍ରର ନାଆଁବି ଶୁଣି ନଥିଲେ–କାରଣ, ସେତେବେଳକୁ ପୋର୍ସେଲିନ୍ ବା ଚୀନାମାଟିର ଆବିଷ୍କାର ହୋଇ ନଥିଲା । ଅଥଚ, ଚାରିଆଡ଼େ ବହୁତ ପ୍ରକାରର ମାଟିର ହାଣ୍ଡିମାଠିଆ, ବାସନକୁସନ ହାଉଯାଉ ହେଉଥିଲା । ବିଜ୍ଞାନୀମାନେ ଏବେ ଯେତେବେଳେ ପୁରୁଣା ବସବାସ ଜାଗାର ଧ୍ୱଂସାବଶେଷ ଢିଅଫିଅ କି ପୁରୁଣା ସମଧିମାନ ଖୋଳୁଛନ୍ତି, ସେତେବେଳେ ସେମାନେ ପ୍ରାୟ ‘ସେକାଳର’ ଭଙ୍ଗା ହାଣ୍ଡିମାଠିଆ, ଘଡ଼ି, ପତୁଲିର ଅଂଶ ବା ଖପରା ପାଉଛନ୍ତି । ଏମିତିକି ବେଳେବେଳେ ନିଖୁଣ ଆକାରରେ ଥିବା ହାଣ୍ଡିମାଠିଆ, ଝରି, ପଲମ, ସରା ପ୍ରଭୃତି ହାବୁଡ଼ୁଛନ୍ତି । ପୁରୁଣା ଜିନିଷଗୁଡ଼ିକ ଭିତରେ ଏ ସବୁ ହେଉଛି ସେ ସମୟର ଚଳନ୍ତି ରୋଷେଇବାସର ଉପକରଣ । କାହିଁ କେଉଁ ଦୂର ଅତୀତରେ ସେହିଗୁଡ଼ିକହିଁ ବ୍ୟବହାର ହେଉଥିଲା; ସେତେବେଳେ ଏବର ଚୀନା ବାସନ–ଆଲମାରିର ‘ବାସିନ୍ଦା’ ସବୁ ଜନ୍ମି ନଥାନ୍ତି–ତାଙ୍କର ଚିହ୍ନବର୍ଣ୍ଣ ନଥାଏ । ସେ ସମୟରେ କଣ୍ଟା ଚାମୁଚ ନଥାଏ–ଛୁରି ସବୁ ତିଆରି ହେଉଥାଏ ପଥରରେ । କାରଣ, ‘ଲୁହା’ କ’ଣ ମାଲୁମ ନଥାଏ କାହାକୁ ବୋଲି କାହାକୁ ।

 

ତମେ ଜାଣିଥିବ, ପୁରୁଣା କୀର୍ତ୍ତିର ‘ଧ୍ଵଂସାବଶେଷ’ ତିଅମାନ ଖୋଳି ବାହାର କରିବାପାଇଁ ଦାୟିତ୍ଵ ନେଇଛନ୍ତି କେତେକ ବିଜ୍ଞାନୀ । ସେମାନେ ଖଣ୍ଡେ ଅଧେ ସେହି କାଳର ଖରାପ କି ହାଣ୍ଡିମାଠିଆ ଗୋଟିଏ କିଛି ଦେଖିଲେ, ଏକାବେଳେକେ ମାତି ଉଠନ୍ତି ଖୁସିରେ । ତାଙ୍କ ପାଦ ଆଉ ତଳେ ଲାଗେ ନାହିଁ । ଯାହା ପାଆନ୍ତି, ତାକୁ ଟିକିନିଖି କରି ସବୁ ଦିଗରୁ ଉଖାରିନିଖାରି ପରୀକ୍ଷା କରନ୍ତି । ଖପରାଗୁଡ଼ିକୁ ଦେଖି ଯୋଡ଼ାଯୋଡ଼ି କରି ଅନୁମାନ କରନ୍ତି,–ପୂରା ହାଣ୍ଡିଟି କି ମାଠିଆଟିର ଆକୃତି କେମିତି ହୋଇଥିବ ସେତେବେଳେ–ହୁଏତ ସେତେବେଳେ ସେଇଟି ଏକମାତ୍ର ଘରକରଣା ‘ସମ୍ପତ୍ତି’ ହୋଇଥିବ, କେଉଁ ପୁରୁଣା ଶିକାରୀର କି ମାଛ ଧରାଳି ପରିବାରର ।

 

କେତୋଟି ଖପରାରେ ଟିପଚିହ୍ନ ବା ଆଙ୍ଗୁଠି ଦାଗ ଦେଖାଯାଏ । ଏହା ଦେଖିଲେ ବିଜ୍ଞାନୀମାନେ ଭାବନ୍ତି ଯେ, ସେମାନେ ଗୋଟାଏ ବଢ଼ିଆ କଥା ଆବିଷ୍କାର କଲେ । କାରଣ, ସେ ଆଙ୍ଗୁଠି ଦାଗରୁ ସେମାନେ ବାରି ପାରନ୍ତି, କେଉଁ ଯୁଗର ଲୋକଙ୍କ ହାତରେ ତାହା ଗଢ଼ା ହୋଇଥିବ, କିଏ ତାହା ବ୍ୟବହାର କରୁଥିବେ, କାହା ହାତସବୁ ସେଥିରେ ବାଜିଥିବ–ପୋଡ଼ା ହେବା ଆଗରୁ କଞ୍ଚା ଥିଲାବେଳେ ସେଥିରେ ଯେଉଁ ହାତ ଲାଗିଥିବ, ସେଇ ହାତର ଦାଗ ରହି ଯାଇଥିବ ନିଶ୍ଚୟ !

 

ଏବେ ବିଜ୍ଞାନର କେତେ ଜାତିର ବିଭାଗ ଖୋଲିଛି । ଆମେ ଦେଖିଚୁ, ସେଥିରୁ ଗୋଟିଏ ହେଉଚି ଟିପଚିହ୍ନ ବା ଆଙ୍ଗୁଠି ଦାଗ ବିଭାଗ । ତମେ ଜାଣିଥିବ କି ନାହିଁ–କାହାର ଟିପଚିହ୍ନ ସାଥିରେ କାହାର ଟିପଚିହ୍ନ ମିଳେ ନାହିଁ । ଦୁଇଜଣଙ୍କ ଟିପଚିହ୍ନ କେବେ ଏକା ପରି ହୁଏ ନାହିଁ । ଏଣୁ ଏହି ବିଜ୍ଞାନ ବଳରେ ଆମେ ଜାଣୁଚୁ, ଆଗେ ଅତି ପୁରୁଣା ଅମଳରେ ସ୍ତ୍ରୀଲୋକମାନେ ହାଣ୍ଡିମାଠିଆ ଗଢ଼ୁଥିଲେ, ରନ୍ଧାବଢ଼ା ଓ ନିଜର ଖାଇବାପିଇବା ଜିନିଷ ରଖାରାଖି ପାଇଁ ନାନା ରକମର ‘ପାତ୍ର’ ସବୁ ତିଆରି କରୁଥିଲେ ।

 

ରୁଷରେ ଗୋଟିଏ ପୁରୁଣା ଢଗ ଅଛି–“ହାଣ୍ଡିମାଠିଆ ଦିଅଁଦେବତା ପୋଡ଼ନ୍ତି ନାହିଁ ।” ଏହା ଅର୍ଥ–କଠିଣିଆ କାମ ଦେଖିଲେ ତମେ ଘାବରେଇଯିବା ବା ଡରିବା ଉଚିତ ନୁହେଁ । ଏ କଥାଟି ସେତେବେଳୁ ଲୋକମୁହଁରେ ଚଳି ଆସୁଛି; କାରଣ ହାଣ୍ଡିମାଠିଆ ଗଢ଼ିବା ଓ ତାକୁ ସବୁ ପୋଡ଼ିବା ସହଜ କାମ ନଥିଲା ! ସେଥିପାଇଁ ଆଗ ଦରକାର ହେଉଥିଲା–ଠିକ୍ ଧରଣର ଅଠାଳିଆ ବା ଚିକିଟା ମାଟି । ଏହାକୁ ନେଇ ଲୋକେ ପାଣିରେ ବତୁରଉଥିଲେ । ତା’ପରେ ଥରକୁଥର ଦଳିଚକଟି ଦେଖୁଥିଲେ, ସେଥିରେ ଯେମିତି ଗୋଡ଼ି, ପଥର, ଟେକା କି ଗୋଟାଳିଆ ମାଟି କୋଉଠି କିଛି ରହି ଯାଇ ନଥିବ । ସେଇ ଚିକିଟା ମାଟିକୁ ବଳି ବଳି କେତେଗୁଡ଼ିଏ ସମାନ ଆକୃତିର ସାପ ପରି ଲମ୍ବା କରୁଥିଲେ–ରଖିଥିଲେ ନେଇ ଗୋଟିଏ ପଟା ଉପରେ, ‘ଚେକି’ ‘ଚେକି’ କରି, ମୋଡ଼ାଭଳି କରି, ଗୋଟିଏ ଉପରେ ଗୋଟିଏ ଲେଖାଏଁ ଏମିତି କେତେଗୁଡ଼ିଏ ସଜଉଥିଲେ ଦେଉଳିଆ ଭାବରେ । ସବୁଠୁ ଶକ୍ତ କାମ ହେଉଥିଲା, ସେଗୁଡ଼ିକର ବାହାର ଭିତର ମାଠିମୁଠି ସମତୁଲ କରିବା ଆଉ ମଝିରେ ମଝିରେ ଥିବା ‘ସନ୍ଧି’ ମାରିବା । ଏ କାମ ସରିଲା ପରେ ସେଇ ମାଟିରେ ‘ଗୋଲ’ ଚେପ୍‍ଟା ପିଣ୍ଡୁଳାଟିଏ ଗଢ଼ି ଲଗେଇ ଦେଉଥିଲେ । ସେଇଟି ଥିଲା ‘ତଳି !’ ପାତ୍ରଟି ଗଢ଼ା ହୋଇ ଯାଉଥିଲା ଏମିତି ! ଘରଣୀ ସ୍ତ୍ରୀଲୋକେସବୁ ମୁନିଆ ବାଡ଼ିଟିଏ କି ହାଡ଼ର ଚିରୁଣୀ ଧରି କଞ୍ଚା ଓଦାଳିଆ ପାତ୍ରରେ ଗାର ଟାଣୁଥିଲେ ବସିବସିକା ।

 

ଏହିଭଳି ରୀତିରେ ଯେକୌଣସି ପାତ୍ର ଉପରେ ସଳଖ ସଳଖ ବା ଢେଉଢ଼େଉକା ଗାରଗୁଡ଼ିଏ ପଡ଼ି ଅଙ୍କା ହେଉଥିଲା ‘ଡିଜାଇନ୍’ । ଏତକ ନ ସରିବା ଯାଏଁ ପାତ୍ରଟିର ଗଢ଼ାଗଢ଼ି ସରୁ ନଥିଲା । ତା’ପରେ ତାକୁ ଶୁଖାଇ ଦିଆଯାଉଥିଲା ଖରାରେ । କିନ୍ତୁ ଶୁଖିଲା ପାତ୍ରଟିରେ ପାଣି ରଖିଲେ, ପାତ୍ରଟି ମିଳେଇ ଯିବ ଯେ, ପୁଣି ମେଞ୍ଚାଏ କାଦୁଅ ପାଲଟି ଯିବ । ସେଥିପାଇଁ ଶୁଖି ସରିଲା ପରେ, ପୋଡ଼ା ହେଉଥିଲା ପାତ୍ରଟି । ପୋଡ଼ା ହେଲାବେଳେ କିନ୍ତୁ ମଜାର ପରିବର୍ତ୍ତନ ଘଟୁଥିଲା ପାତ୍ରଟିର । ତା’ର ନରମା ଦେହଟା ଟାଣ ହୋଇଯାଉଥିଲା, ପଥର ଭଳି । ପଥର ତ ଆଉ ପାଣିରେ ମିଳେଇଯିବ ନାହିଁ ! ତେବେ, ଏହା ପୋଡ଼ାପୋଡ଼ି କାମଟି ଜଗିରଖି କରିବାକୁ ପଡ଼ୁଥିଲା । ଟିକିଏ ଅସାବଧାନ ହେଉଥିଲେ, ତାହା ଚଡ଼ଚାଡ଼ ଫାଟି ଆଁଆଁ କରୁଥିଲା, ନଇଲେ ଭାଙ୍ଗି ଚୂନ୍‍ଚୂନା ହୋଇଯାଉଥିଲା ।

 

ଶେଷରେ ‘ପୋଡ଼ା’ ପାତ୍ରଟିର ଜୀବନ–‘ଯାତ୍ରା’ ଆରମ୍ଭ ହେଉଥିଲା । ରନ୍ଧାରନ୍ଧି ପାଇଁ ତିଆରି ହୋଇଥିଲେ, ସେଇଟିକୁ ପଠାହେଉଥିଲା ଚୁଲିମୁଣ୍ଡକୁ । ସେଥିରେ ରନ୍ଧା ହେଉଥିଲା ଝୋଳ, ସିଝା ହେଉଥିଲା ମାଂସ । ସେତେବେଳେ ତାହା ଆଜିକାଲିର ହାଣ୍ଡିମାଠିଆ ପରି ଏଡ଼େ ସୁନ୍ଦର, ଏଡ଼େ ଚିକ୍କଣ କି ସମତୁଲ ନଥିଲା । ଗୋଟାଏ ପଟମୋଟା ହେଲେ ଅନ୍ୟଠି ପୁଳାଏ ବାହାରି ପଡ଼ୁଥିଲା, ଫନ୍ଦଟା ହେଉଥିଲା ବଡ଼ ଅସମାନିଆ । ଏଥିରୁ ବୁଝିପାରିବ ଯେ, ସେତେବେଳେ ‘କୁମ୍ଭାର’ ଚକ ଦେଖା ନଥିଲା । ପାତ୍ରକୁ ସେଥିରେ ବସାଇ କେମିତି ଗଢ଼ିବାକୁ ହେବ, କେହି ଜାଣି ନଥିଲେ ।

 

କୁମ୍ଭାରଚକଟି ବାହାରିଥିଲା, ଏହାର ଅନେକ ଅନେକ ଦିନ ପରେ । ଯେତେବେଳେ ବହୁତ ବହୁତ ସଂଖ୍ୟାରେ ହାଣ୍ଡିମାଠିଆ ଲୋଡ଼ା ହେଲା, ଲୋକେ ନାନା ଧନ୍ଦାରେ ଲାଗିଲେ, ନିଜେ ନିଜେ ସେତେବେଳେ ସମସ୍ତେ ଆଉ ସେଗୁଡ଼ିକ ତିଆରି କରି ନ ପାରି, ଅନ୍ୟ ଉପରେ ନିର୍ଭର କଲେ । ସେଥିପାଇଁ ଥୋକେ ଖାଲି ହାଣ୍ଡିମାଠିଆ ଗଢ଼ିଲେ, ହାଣ୍ଡିମାଠିଆ ଗଢ଼ା ତାଙ୍କର କାମ ହେଲା । ଲୋକେ ଧାନ, ଗହମ, ବିରି, ମୁଗ ଆଦି ଶସ୍ୟ କି ଦୁଧ ବା ମହୁ ବଦଳ ଦେଇ ହାଟବାଟରେ ତାହାସବୁ କୁମ୍ଭାରମାନଙ୍କଠୁ କିଣିଲେ ।

 

ଦିନକୁଦିନ ତେଣେ ଫସଲ ବଢ଼ିବା ପ୍ରଚୁରରୁ ପ୍ରଚୁର ହେଲା । ଗୃହପାଳିତ ପଶୁବି ପଲକୁ ପଲ ବଢ଼ିବାକୁ ଲାଗିଲେ । ଏହା ଫଳରେ ହାଣ୍ଡିମାଠିଆ ବେଶୀ ବେଶୀ ଲୋଡ଼ା ହେଲା । ‘କୁମ୍ଭାର’ର ବ୍ୟବସାୟ ବୃଦ୍ଧି ପାଇଲା । ଶୀତ ଦିନରେ ବିଲବାଡ଼ି କାମ ନଥାଏ । ସେହି ସମୟରେ ସେ ଏସବୁ ଗଢ଼ି ଗାଁର ସମସ୍ତଙ୍କୁ ଯୋଗାଇଲା ।

 

ତା’ ଗାଁ ନିକଟରେ ସହରଟିଏ ଥିଲେ, ସେ ତା’ର ଚିତ୍ରବିଚିତ୍ର, ହାଣ୍ଡିମାଠିଆ, ଘଡ଼ି ପତୁଲିଗୁଡ଼ିକୁ ମୁଣ୍ଡେଇ ନେଇ ବା ଛୋଟ ନାହାରେ ବୋଝେଇ କରି ନେଇ ବିକ୍ରି କରୁଥାଏ ।

 

ସେତେବେଳେ ଆବଡ଼ାଖାବଡ଼ା ରାସ୍ତାରେ ବଦଳଗାଡ଼ିରେ କି ମଇଁଷିଗାଡ଼ିରେ ଲଦି ସେଗୁଡ଼ିକୁ ନେବା ଅପେକ୍ଷା, ନାହାରେ ନେବା ନିରାପଦ ହେଉଥାଏ । ନଇଲେ ତ ଟିକିଏ ହଲଚଲ, ଉଠାପଡ଼ାରେ ସେଗୁଡ଼ିକ ଚୂନା ହୋଇ ଯାଉଥାନ୍ତା ।

 

କୁମ୍ଭାରସବୁ କିଛିଦିନ ପରେ କାମ କରୁଁ କରୁଁ ଭାବିଚିନ୍ତି ବାହାର କଲେ ‘ହାଣ୍ଡିଗଢ଼ା ଚକ’–ଏଥିରେ ସୁରୁଖୁରୁରେ ଆଉ ଶୀଘ୍ର ଶୀଘ୍ର ହାଣ୍ଡିମାଠିଆ ଗଢ଼ାଗଢ଼ି କାମ ଚାଲିଲା ।

 

ପ୍ରଥମେ ଏଇ ଚକଟିର ଗଢ଼ଣ କଥା ଦେଖ !–ଗୋଟିଏ ବେଞ୍ଚ୍ ବା କାଠର ‘ତକ୍ତା’ ଧାରରେ ସଳଖା ଛୋଟ ହୋଇ କାଠର ଛୋଟ ଖିଲ ବା କିଳାଟିଏ ଟାଣ କରି ପୋଡ଼ା ଯାଏଁ । ଏହି ‘ମେରୁ’ ଖୁଣ୍ଟିର ଚାରିପାଖରେ ଗୋଟିଏ ଓଜନିଆ ‘କାଠ–ଚକ’ ଲାଗେ । ଗୋଡ଼ ଫରକଟା କରି କୁମ୍ଭାର ବେଞ୍ଚ୍ ଉପରେ ବସେ ବା ତା’ ପାଖରେ ଛିଡ଼ା ହୁଏ । ବାଆଁ ହାତରେ ଚକଟିକୁ ଘୂରାଏ, ଡାହାଣ ହାତରେ ଓଦା ମାଟି ପୁଳାକୁ ହାଣ୍ଡିମାଠିଆ, ଘଡ଼ିପତୁଲି, ସରା, କପ୍ ପ୍ରଭୃତି ରୂପରେ ଗଢ଼େ-। କୁଣ୍ଡ ବା ହାଣ୍ଡିଟିକୁ ଆଉ ଘୂରାଇବାକୁ ପଡ଼େ ନାହିଁ–ଯେମିତି ପଡ଼ୁଥିଲା ‘ଚକ’ ବାହାରି ନଥିଲାବେଳେ । ହାଣ୍ଡିଟି ଛାଏଁ ଛାଏଁ ଚକରେ ବସି ବୁଲେ ଆଉ କୁମ୍ଭାରର ଧୀରସ୍ଥିର ହାତ ବାଜି ବାଜି ଗୋଲ ଆଉ ସମତୁଲ ହେବାରେ ଲାଗେ । କୁମ୍ଭାରଚକ ଆଜିଯାଏ ରହିଚି । ଅବଶ୍ୟ ତା’ର ରୂପଭେକ କିଛି ଅଂଶରେ ବଦଳିଛି । ଏବେ ତାହା ‘ଟ୍ରେଡ଼୍‍ଲ’ ବା ପାଦଚଳା ପାଦଘୂରା କଳ ଯୋଗେ ‘ଚାଲିଚି’ ଘୂରୁଚି । ଆଉ ତାକୁ ହାତରେ ଚଳେଇବାକୁ ପଡ଼ୁନି ।

 

ଅନେକ ଦିନ ତଳେ ରୁଷରେ ଏମିତି କୁମ୍ଭାରଚକ ଥିଲା । ସୋଭିଏତ୍ ବିଜ୍ଞାନୀମାନେ କିଏଭ୍ ଆଉ ସ୍ମୋଲେନ୍‍ସ୍‍କ ଅଞ୍ଚଳରେ ସମାଧିମାନ ଖୋଳି ଖୋଳି ସେଥିରୁ କେତେ ମାଟି ‘ପାତ୍ର’ ପାଇଛନ୍ତି । ସେଇ ପାତ୍ରଗୁଡ଼ିକ ହଜାରେ ବର୍ଷ ଆଗର କୁମ୍ଭାରଚକରେ ଗଢ଼ା ।

 

କେତେଠି କୁମ୍ଭାରଭାଟିର କେତେ ଅଂଶ ଏବେବି ରହିଚି । ଅତି ଆଗ କାଳରେ ‘ଘରଣୀ’ମାନେ ଖୋଲା ଜାଗାରେ ନିଆଁଜାଳି ବା ବଡ଼ବଡ଼ ଉଞ୍ଚାଚୁଲିରେ ହାଣ୍ଡିମାଠିଆ ପୋଡ଼ୁଥିଲେ-। ପରେ କିନ୍ତୁ କୁମ୍ଭାରମାନେ ଆଉ ଗୋଟିଏ ବଢ଼ିଆ କାମିକା ଚୁଲି ବାହାର କଲେ–ସେଇ ଚୁଲି ହେଲା ‘ଭାଟି’ । ଭଙ୍ଗା ହାଣ୍ଡିମାଠିଆ ସାଙ୍ଗରେ ସେ କାଳର ପୋଡ଼ା ମାଟି କଣ୍ଢେଇବି ମିଳୁଚି-। ମାଟିରେ ଗଢ଼ା ସୁସିର୍ ‘ଠକ୍‍ଠକି’, ଘୋଡ଼ା, ମେଣ୍ଢା ଦାଢ଼ିଆ ଦାଢ଼ିଆ ମଣିଷମୁହାଁ ପଶୁ–ଏଇସବୁ ହେଉଚି ସେଇ ଖେଳଣା ।

 

ଆଶ୍ଚର୍ଯ୍ୟର କଥା, ଏଇ ଭାଙ୍ଗୁଣିଆ ମାଟି ଘୋଡ଼ା, ମାଟି-ସୁସିର୍ ଆଦି ଖେଳଣା ଶହ ଶହ ବର୍ଷ ହେଲା ପରସ୍ତକୁ ପରସ୍ତ ମାଟିତଳେ ପୋତି ହୋଇ ସେମିତି ରହି ପାରିଚି !

 

କେଉଁଠି କେବେ ‘କୁମ୍ଭାରଚକ’ ଆଉ ‘ଭାଟି’ ସବା ଆଗେ “ବାହାରିଥିଲା”, କେହି କହି ପାରିବେ ନାହିଁ । ଖୁବ୍ ସମ୍ଭବ, ଏହା ଗୋଟିଏ ବୋଲି ଦେଶରେ କେଉଁଠି ଦେଖାଦେଇ ନଥିଲା । ଅନେକ ଶତାବ୍ଦୀ ପରେ, ଚୀନାମାଟି ବା ପୋର୍ସେଲିନ୍ ପରି ଏହା ଏକ ସମୟରେ ଅନେକ ଦେଶରେ ଦେଖାଦେଇଥିଲା । ଏଠି କୁହାଯାଇପାରେ ଯେ, ପୋର୍ସେଲିନ୍ ବା ଚୀନାମାଟିରେ ହାଣ୍ଡିମାଠିଆ ତିଆରି ଅଲଗାଅଲଗା ଜାଗାରେବି ଆରମ୍ଭ ହୋଇଥିବ । ଚୀନର ଲୋକେ ଏହାକୁ ପ୍ରଥମେ ହୁଏତ ଆବିଷ୍କାର କରିଥିବେ । ଏଣୁ ଏହାକୁ ଚୀନାମାଟି କୁହାଯାଉଛି ।–ଚୀନାମାନେ “କେଓଲିନ୍” ବୋଲି ଗୋଟିଏ ପ୍ରକାର ଧଳା ମାଟି ସାଙ୍ଗରେ ପଥର ଚୂନା କରି ମିଶାଇଥିଲେ । ସେଥିରେ ପାଣି ଗୋଳାଇ ତାକୁ ଚକଟି ଥିଲେ । ସେହି “ଚୀନା–ମାଟି”କୁ ନେଇ କୁମ୍ଭାରଚକରେ ରଖି ଘଡ଼ିପତୁଲି ଗଢ଼ିଥିଲେ । କିନ୍ତୁ ସେମାନେ ପରୀକ୍ଷା କରି ଦେଖିଥିଲେ, ଧଳା ମାଟି ଓ ପଥରଗୁଣ୍ଡି-ମିଶା ମାଟିର ହାଣ୍ଡିମାଠିଆ, ବାସନକୁସନ ପୋଡ଼ା ହେବାପାଇଁ ବେଶୀ ପରିମାଣରେ “ତାତି” ‘ତାପାଙ୍କ’ (ଟେମ୍ପରେଚର୍) ଦରକାର; ବେଶୀ ତାତି ପାଇ ପୋଡ଼ା ହେଲେ ଯାଇ ତାହା “ପୋର୍ସେଲିନ୍” ପାଲଟିବ । ତମେ ଜରରେ ଦେହର ତାତି ଦେଖିବାପାଇଁ ଯେଉଁ ଥର୍ମୋମିଟର ବ୍ୟବହାର କର, ଦେଖିବ, ସେଥିରେ ପରେନ୍‍ହିଟ୍ ମାପ ଅନୁସାରେ ୧୦୮ ଡିଗ୍ରୀଯାଏଁ ତାପାଙ୍କ ଉଠେ, ତାତି ଜଣାଯାଏ । ମାତ୍ର ପୋର୍ସେଲିନ୍ ଭାଟିରେ ଏହି ତାତିର ଅଙ୍କ ବା ତାପାଙ୍କ ୨୭୩୨ ଡିଗ୍ରୀଯାଏଁ ନ ଉଠିଲେ ନ ଚଳେ । ଏହି ‘ତାତି ବା ତାପର ଅଙ୍କ’ ଆମର ସାଧାରଣ ଚଳନ୍ତି ଥର୍ମୋମିଟରରେ ମପା ଯାଇ ପାରିବ ନାହିଁ । କାରଣ, ଆଖିପିଞ୍ଛୁଡ଼ାକେ ଏତେ ତାତିରେ କାଚ ତରଳି ଯିବ । ପାରଦ ବା ‘ମର୍କରି’ଟିକ ବାଷ୍ପ ହୋଇ ଉଭେଇ ଯିବ । ଏଣୁ ଚୀନାମାଟି ବା ପୋର୍ସେଲିନ୍ କେମିତି କେତେ ପରିମାଣରେ କେଓଲିନ୍ ଓ ପଥରଗୁଣ୍ଡିରେ ତିଆରି ହେବା ଉଚିତ ଓ ତାହା ପୁଣି କେତେ ‘ତାତି’ ପାଇ ପୋଡ଼ା ହେବା ଠିକ୍–ଏହା ହେଉଚି ଅସଲ କଥା-। ଏଥିକି ଆଖି ନ ରଖିଲେ, ଚୀନାମାଟିର ପାତ୍ରସବୁ ‘ଅତି ବେଶୀ’ ତାତିରେ ହୁଏତ ତରଳି ଯିବ, ନହେଲେ ବଙ୍କାଢ଼ଙ୍କା ହୋଇ ବିଚିତ୍ର ରୂପ ଧରିବ ।

 

ପୋର୍ସେଲିନ୍ ଯେଉଁ ମାଟିରେ ତିଆରି ହୁଏ, ସେଇ ମାଟି ଦଳି ହୁଏ ନାହିଁ–ମାଟିକୁ ତ ହାତରେ ଦଳିହୁଏ, ମନ୍ଥିହୁଏ; ପୋର୍ସେଲିନ୍‍କୁ କିନ୍ତୁ ଧାରୁଆ ଶକ୍ତ ଛୁରିରେବି କାଟି ହେବ ନାହିଁ । ତମେ ଜାଣିଥିବ, ମାଟି ଜିନିଷଗୁଡ଼ିକରେ ସରୁ ସରୁ ‘ଛିଦ୍ର’ ବା ବାଲିଝର ଥାଏ । ଏହା ସୃଷ୍ଟି ହୋଇଥାଏ ସେଇ ଜିନିଷଗୁଡ଼ିକ ପୋଡ଼ା ହେଲାବେଳେ । ତାତି ପାଇ ସେଥିରୁ ଜଳୀୟ ଅଂଶ ବାଷ୍ପ ହୋଇ ବାହାରିଯାଏ ବା ଏହା ଫଳରେ ‘ମାଟି’ କଣିକା (ପାର୍ଟିକ୍ଳସ)ଗୁଡ଼ିକର ମଝିରେ ମଝିରେ ‘ବାଟ’ ବା ସରୁ ସରୁ କଣାମାନ ହୋଇଥାଏ । ‘ପୋର୍ସେଲିନ୍’ କିନ୍ତୁ ନିଆଁରେ ତାତିବା ଆଗରୁ ‘ଟାଣୁଆ’ ହୋଇ ସାରିଥାଏ । ତା’ପରେ, ତାହା ଏତେ ଖୁନ୍ଦାଖୁନ୍ଦି ହୋଇ ଏମିତି ମିଞ୍ଜିହୋଇ ରହିଥାଏ ଯେ, ସେଥିରେ ଗୋଟିଏ ହେଲେ ଛିଦ୍ର କେଉଁଠି ନଥାଏ । –ମାଟି ସ୍ଵଚ୍ଛ ନୁହେଁ, ପୋର୍ସେଲିନ୍ ସ୍ଵଚ୍ଛ ।

 

“ଧଳାମାଟିରୁ ପୋର୍ସେଲିନ୍ ହୁଏ”–ଚୀନାମାନେ ଏହି ଚମତ୍କାର କଥାଟିକୁ ଲୁଚେଇ ରଖିଥିଲେ ଅନେକ ଦିନ । ସେମାନେ ପୋର୍ସେଲିନ୍ ତିଆରିର ରହସ୍ୟଟିକୁ ଜଣାଇ ଦେଉ ନଥିଲେ, ବାହାରେ କାହାକୁ ବୋଲି କାହାକୁ । କାରଣ, ତାଙ୍କର ଡର ଥିଲା, ଅନ୍ୟମାନେ ଜାଣିଗଲେ କାଳେ ପୋର୍ସେଲିନ୍ ତିଆର କରିବେ; ଚୀନାମାନେ ତାକୁ ‘ବିକି’ ଯେଉଁ ଲାଭ ପାଉଛନ୍ତି, ତାହା ଆଉ ପାଇବେ ନାହିଁ । ପୋର୍ସେଲିନ୍ କପ୍ ଆମର ନୀତିଦିନିଆ ବ୍ୟବହାର ଜିନିଷ । କିନ୍ତୁ ଦିନ ଥିଲା, ଯେତେବେଳେ ତା’ର ଦାମ ଥିଲା ପ୍ରାୟ ତା’ରି ଓଜନର ସୁନା ! ଏତେ “ଦୁର୍ଲଭ” ଥିଲା ଯେ, କାଁଭାଁ କେଉଁଠି ଦେଖିବାକୁ ମିଳୁଥିଲା କି ନାହିଁ । ତେଣୁ ସେତେବେଳେ ୟୁରୋପର ଧନୀ ଘରର ଫେସନବାଲି ସ୍ତ୍ରୀମାନେ ନିଜ ହାରରେ ଭଙ୍ଗା କପ୍‍ର ଖଣ୍ଡେ ଖଣ୍ଡେ ହୀରାନୀଳା ପଦକ ପରି ଝଲାଇ ପିନ୍ଧୁଥିଲେ, ତାକୁ ମସ୍ତ ‘ବଡ଼ଲୋକି’ ଆଉ ସଉକିନି ଚିହ୍ନ ବୋଲି ମଣୁଥିଲେ । ‘ପୋର୍ସେଲିନ୍ ତିଆରି କରିବା’, ଖଣିରୁ ସୁନା ଖୋଳି ବାହାର କରିବା’ ଭଳି ଏତେ ଲାଭଜନକ ଥିଲା ! ସେଥିପାଇଁ ଚୀନା ସରକାରୀ କର୍ମଚାରୀମାନେ ପୋର୍ସେଲିନ୍ କାରଖାନାକୁ କାହାକୁ ଛାଡ଼ୁ ନଥିଲେ–ବିଦେଶୀ ଲୋକଙ୍କୁ ତ ତା’ର ସୀମା ମଡ଼େଇ ଦେଉ ନଥିଲେ । ଅନେକ ଦେଶର କୁମ୍ଭାରମାନେ ପୋର୍ସେଲିନ୍ ତିଆରିର ରହସ୍ୟ ଜାଣିବାକୁ କେତେ କଳକୌଶଳରେ କେତେ ପ୍ରକାର ଚେଷ୍ଟା କରିବି ସଫଳ ହୋଇପାରିଲେ ନାହିଁ । ପ୍ରାୟ ଦୁଇଶହ ବର୍ଷ ତଳେ, ଦିର୍ମିତ୍ରି ଭିନୋଗ୍ରାଦଭ୍ ବୋଲି ରୁଷର ଜଣେ କାରିଗର ଏଇ ରହସ୍ୟଟି ବାହାର କରିବାପାଇଁ ଲାଗି ପଡ଼ିଲେ ।

 

ଏହାର ଅଳ୍ପ ଦିନ ଆଗରୁ ରୁଷ୍ ସରକାର ଜର୍ମାନୀରେ ‘ଗୁନ୍‍ଗର୍’ ବୋଲି ଜଣେ ‘କୁମ୍ଭାର’ଙ୍କୁ ଡକେଇ ପୋର୍ସେଲିନ୍ ତିଆରି କରିବା ଲାଗି କହିଥାନ୍ତି, କାରଣ ସେ ଶପଥ କରି ଜଣେଇଥାନ୍ତି ଯେ, ପୋର୍ସେଲିନ୍ ତିଆରିର କୌଶଳ ତାଙ୍କୁ ମାଲୁମ । ଏଣୁ ହଜାର ହଜାର ପାଉଣ୍ଡ ଓଜନର ମାଟି ତାଙ୍କୁ ରୁଷ୍ ସରକାର ଯୋଗେଇଦେଲେ ସେ ଗୋଟାକ ପରେ ଗୋଟାଏ ଖାଲି ‘ଭାଟି’ ତିଆରି କଲେ, ଅଜସ୍ର ଟଙ୍କା ଆଉ ସମୟ ନଷ୍ଟ ହେଲା । ଶେଷରେ ଦିନେ ସେ ଜଣେଇଦେଲେ, “ନା, ପୋର୍ସେଲିନ୍ ତିଆରି ଜାଣେନା ।” ସେତିକିରେ ଲାଜରେ ଅପମାନରେ ଜର୍ମାନୀକୁ ଫେରିଗଲେ । ତାଙ୍କ ପାଖରେ ସାହାଯ୍ୟକାରୀ ଭାବରେ କାମ କରୁଥିଲେ ଭିନୋଗ୍ରାଦଭ୍-। ସେ ଠିକ୍ କଲେ, ଚେଷ୍ଟା କରି ଦେଖିବେ । ଯେଉଁ ‘ରହସ୍ୟ’ଟି ସେ ଜାଣି ନଥାନ୍ତି, ସେଇ ରହସ୍ୟଟି ତାଙ୍କୁ ମାଲୁମ–ଏ କଥା କହି ସେ ଗର୍ବ ଦେଖାଇ ହେଲେ ନାହିଁ । କିନ୍ତୁ ସେ ଥିଲେ ଜଣେ ବଡ଼ ବିଦ୍ୱାନ, ପଣ୍ଡିତ ଲୋକ । ବୁଢ଼ୀ ଘଟାଇ କାମ କରୁଥାନ୍ତି । ଏଣୁ ସେ ଏହି ପୋର୍ସେଲିନ୍ ତିଆରି ସମସ୍ୟାର ସୂତ୍ର ବାହାର କରିବାକୁ ଲାଗି ପଡ଼ିଲେ । ସେତେବେଳେ ତାଙ୍କର ଜଣେ ଅତି ଘନିଷ୍ଠ ବିଜ୍ଞାନୀ ବନ୍ଧୁ ଥାଆନ୍ତି । ତାଙ୍କ ନାଆଁ ମିଖାଏଲ ଲୋମୋନୋସୋଭ୍ । ସେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଭୂତତ୍ତ୍ଵରେ ଯେମିତି ପଣ୍ଡିତ ଥିଲେ, ସେମିତି କବିତା ରଚନା କରି ମଧ୍ୟ ନାଆଁ ଅର୍ଜିଥିଲେ । ଗୋଟାଏ ‘ବିଶ୍ଵବିଦ୍ୟାଳୟର’ ଜ୍ଞାନ ଥିଲା ତାଙ୍କଠି । ଲୋମୋନୋସୋଭ୍ ତାଙ୍କ ବନ୍ଧୁଙ୍କୁ ଭାରି ଶ୍ରଦ୍ଧା କରୁଥାନ୍ତି, ବନ୍ଧୁଙ୍କ କଥା ମାନୁଥାନ୍ତି ଏବଂ ତା’ର ଉଚିତ ମୂଲ୍ୟ ଦେଉଥାନ୍ତି । କିନ୍ତୁ ଜାର୍ ସରକାରର ଅଫିସରମାନେ ଭିନୋଗ୍ରାଦଭ୍‍ଙ୍କୁ ଥଟ୍ଟା କରୁଥାନ୍ତି । ସେ ଜଣେ ବିଜ୍ଞ ଓ ସାହସୀ ଲୋକ ଥିବାରୁ ତାଙ୍କୁ ଜମା ଦେଖି ପାରୁ ନଥାନ୍ତି ।

 

ପରୀକ୍ଷା ପରେ ପରୀକ୍ଷା ଚଳାଇ ଭିନୋଗ୍ରାଦଭ୍ ଶେଷରେ ଦିନେ ପୋର୍ସେଲିନ୍ ତିଆରର ସୂତ୍ର ପାଇଲେ । ମାତ୍ର ନାଆଁ ନେଲେ ଜାର୍‍ର ମନ୍ତ୍ରୀଗୁଡ଼ାକ ! ଆଉ ଉପହାର ପାଇଲେ ସେଇମାନେ, ବହୁତ !! ଭିନୋଗ୍ରାଦଭ୍‍ଙ୍କ ପାଖରେ ସିନା ସେମାନେ କୃତଜ୍ଞ ହେବାର କଥା ! ଓଲଟି ତାଙ୍କୁ ସେମାନେ ଗୋଟିଏ ଟେବୁଲରେ ବାନ୍ଧି ପକେଇଲେ, ହୁକୁମଦେଲେ–“ଯାହା ସବୁ ଏ ବିଷୟରେ ଜାଣିଚ, ଯେଉଁ ସୂତ୍ର ଆବିଷ୍କାର କରିଚ, ତାହା ଚୁପ୍‍ଚାପ୍ ଲେଖିଦିଅ ।’’ ଏହି ସମୟରୁ ଅନେକ ବର୍ଷ ବିତିଗଲାଣି । ଭିନୋଗ୍ରାଦଭ୍‍ଙ୍କର ଏହି ‘ଭାଗ୍ୟର’ କଥା, ଆମକୁ ଏବେ ବୁଢ଼ୀ ଅସୁରୁଣୀ ଗପ ଭଳି ଲାଗୁଚି ।

 

ତମେ ଶୁଣିଛ କି ନାହିଁ, ବିଜ୍ଞାନୀ ଓ ଶ୍ରମିକମାନଙ୍କୁ ସୋଭିଏତ୍ ରୁଷରେ ସମସ୍ତେ ସମାନ ଭାବରେ ଭଲପାଆନ୍ତି, ଶ୍ରଦ୍ଧା ଦେଖାନ୍ତି, ସମ୍ମାନ କରନ୍ତି । ସୋଭିଏତ୍ ରୁଷର ପାର୍ସେଲିନ୍ କାରଖାନାମାନଙ୍କରେ ଏବେ ସାନ ସାନ କଫି କପ୍‍ଠୁ ଆରମ୍ଭ କରି ଆଠ ଦଶ ଫୁଟ୍ ଉଞ୍ଚା ପାତ୍ର ବା କଳସୀମାନ ଗଦାକୁ ଗଦା ପାହାଡ଼ପ୍ରମାଣେ ତିଆରି ହେଉଚି । ତମେ ଜାଣିଥିବ, ଗଲା ମହାଯୁଦ୍ଧରେ ବିଜୟ ହାସଲ ଦିନଟିକୁ ‘ବିଜୟ ଦିବସ’ କୁହାଯାଏ । ‘ଦ୍ଵିତୀୟ ବିଜୟ ଦିବସ’ଟିକୁ ମନେରଖିବା ପାଇଁ ସୋଭିଏତ୍‍ର ଶ୍ରମିକମାନେ ମସ୍ତବଡ଼ ପୋର୍ସେଲିନ୍ “ପାତ୍ର” ତିଆର କରିଥିଲେ । ଏହି ଚମତ୍କାର ପାତ୍ରଟିର ନାଆଁ ଦେଇଥିଲେ–“ବିଜୟ” । କିନ୍ତୁ ଏହା କେଉଁଠି ତିଆରି ହୋଇଥିଲା, ଜାଣ ? ଲୋମୋନୋସୋଭ୍ ପୋର୍ସେଲିନ୍ କାରଖାନାରେ । ଅନେକ ବର୍ଷ ତଳେ ଏଇ କାରଖାନାଟି ପ୍ରତିଷ୍ଠା କରିଥିଲେ ସେଇ ଭିନୋଗ୍ରାଦଭ୍ । ତେବେ, ଏବର ପୋର୍ସେଲିନ୍ କାରଖାନା ‘ଲୋମୋନୋସୋଭ୍ ଓ ଭିନୋଗ୍ରାଦଭ୍’ କାମ କରୁଥିବା ଅତି ଛୋଟ କାରଖାନାଠାରୁ ପୂରାପୂରି ଅଲଗା । ଏକେ ତ ପୋର୍ସେଲିନ୍ କାରଖାନାରେ କାମସବୁ ତୁଲଉଚି ‘ମେସିନ୍’ । ଶକ୍ତିଶାଳୀ ବିଚକ୍ଷଣ ମେସିନ୍ ସବୁ ଚୀନାମାଟି ବାସନକୁସନ, ହାଣ୍ଡିମାଠିଆ, କୁଣ୍ଡ, ସୁରେଇ ଆଦି ତିଆରିର କାମକୁ କେଡ଼େ ସହଜିଆ, ସରଳିଆ, କରିଦେଇଚି ସତେ ! ସେ ସବୁରେ ‘ଉତ୍ପାଦନ’ ବଢ଼େଇ ଦେଇଚି ବହୁତ । ଧଳାମାଟି ଓ ପଥର ଭଳି “କଞ୍ଚାମାଲ” ପୋର୍ସେଲିନ୍‍କୁ ଗୁଣ୍ଡ କରୁଚି, ତାକୁ ଅନ୍ୟ ଜିନିଷରେ ମିଶାଇ ଛାଣୁଚି, ପାଣିରେ ମିଶେଇ ଗୋଳଉଚି, ଆଉ ଭିନ୍ନ ଭିନ୍ନ ‘ରୂପ’ ଦେଇ ଗଢ଼ୁଛି । ଅତି କୁତ୍ସିତ ହଂସ ବା ବତକ ଛୁଆ ଯେମିତି କେଇଟା ଦିନରେ ସୁନ୍ଦର ‘ହଂସ’ ପାଲଟିଯାଏ, ସେମିତି କେତେକେତେ ଶତାବ୍ଦୀ ପରେ କୁତ୍ସିତ ବଙ୍କାଢ଼ଙ୍କା ହାଣ୍ଡିମାଠିଆଗୁଡ଼ାକ, କେତେ ଦକ୍ଷ ହାତରେ, କେତେ ମସ୍ତିଷ୍କର ବୁଦ୍ଧିରେ, ବଢ଼ି ବଢ଼ି, ବିକାଶ ପାଇ, ଏବେ ପରିଣତ ହୋଇଚି, ବରଫ ଭଳି ଧଳା ଚକ୍‍ଚକ୍ ରୂପରେ ! ପ୍ରକୃତରେ କହିଲେ–ହଂସ ଭଳି ଠିକ୍ ! ତୁଚ୍ଛା ମାଟିପୁଳାଏ ନା ? –ହୋଇଚି ପୋର୍ସେଲିନ୍ !

Image

 

ଗୀତ ଗାଏ ଚକ

 

ଟ୍ରେନ୍‍ରେ ଗଲାବେଳେ ‘ଚକାଗୁଡ଼ିକର ଗୀତରେ’ ଆମ ଭିତରୁ କାହାର କାହାର ଆଖି ମାଡ଼ି ମାଡ଼ି ହୋଇପଡ଼େ, କିଏ ବା ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରେ ! ପ୍ରକୃତରେ ଚକଗୁଡ଼ିକ ରେଳଲାଇନ୍‍ରେ ଯାଇ ବାଜୁଥାଏ–‘ପିଆନୋ ବା ହାରମୋନିୟମ୍’ର ପରଦାଗୁଡ଼ିକରେ ଆଙ୍ଗୁଠି ଲାଗି ବାଜିଲା ଭଳି । ଗୋଟିଏ ଏକସୁରିଆ ରୀତିରେ ସେଥିରୁ ଯେଉଁ ‘ଧ୍ୱନି’ ବାହାରେ, ତାହା ଏତେ ଉଶ୍ଵାସିଆ କରିଦିଏ ମୁଣ୍ଡକୁ, ଏମିତି ଶାନ୍ତି ଆଣିଦିଏ ଆମର ସଦାବେଳିଆ ଅଶାନ୍ତ ଦେହରେ ଯେ, ଆମେ ଢଳେଇପଡ଼ୁ, ହାଇମାରୁ ! –ସତେ ଯେମିତି ଶୁଆଉ ଶୁଆଉ ଆମକୁ, ଚକଗୁଡ଼ିକ ଡାକି-ଡାକିକା କହେ–

 

“ରାତି ହେଲା, ରାତି ହେଲା ! ଶୋଇପଡ଼, ଶୋଇପଡ଼ ! ଶୋଇପଡ଼ ଭଲରେ ଟିକେ ! ଭୋର ଭୋରରୁ ଯାତ୍ରା ସରିବ ତମର, ଯେଉଁଠି ପହଞ୍ଚିବାର କଥା ପହଞ୍ଚିବ ସେଠି ! –ଦେଖ ! ଆମେ, ଏଇ ଚକଗୁଡ଼ିକ ମ ! ଆମେ ଯଦି ନଥାନ୍ତୁ, ତମେ ତେବେ ପିଠିରେ ବୁଜୁଳା ପକେଇ ଧାଉଁଥାନ୍ତ, ପାଦ ଘୋଷାରି ଘୋଷାରି, ଥକିଲା ହୋଇ ଚାଲୁଥାନ୍ତ ସଡ଼କରେ–ଖରାଦିନେ ବୁଡ଼ିଯାଉଥାନ୍ତ, ପୋତିହୋଇ ପଡ଼ୁଥାନ୍ତ ଧୂଳିରେ, ପୁଣି ଗୋଟି ସୁଦ୍ଧା ଭିଜି ଯାଉଥାନ୍ତ । ହଠାତ୍ ଯେତେବେଳେ ଘଡ଼ଘଡ଼ି–ଚଡ଼ଚଡ଼ି ମାରି ଆସୁଥାନ୍ତା ଅସରାକୁ ଅସରା ବର୍ଷା । ଶୀତଦିନରେ ହେମାଳିଆ ବରଫଝଡ଼ରେ ଅନ୍ଧ ପାଲଟୁଥାନ୍ତ ସବୁ । ରାସ୍ତାଘାଟ କିଛି ବୋଲି କିଛି ଦିଶୁ ନଥାନ୍ତା ଆଗରେ । କିନ୍ତୁ ଏବେ ? ଆମେ ସଦାବେଳେ ଖଟୁଚୁ ତମକୁ ! ଚାଲିଚୁ ଘଡ଼ଘଡ଼ ହୋଇ ! –ଯେମିତିକି ପାହୁଣ୍ଡେବି ଚାଲିବାକୁ ହେବ ନାହିଁ ତମକୁ ! ଶୁଅ, ଗାଢ଼ ନିଦରେ, ନିଦକରେ ଶୁଆଆମେ ତମକୁ ବହି ନେଇଯିବୁ–କେତେ ବିଲ, କେକେ ବଣ, କେତେ ପଡ଼ିଆ ଭିତରେ, କେତେକେତେ ଟାଙ୍ଗି ପାହାଡ଼ ଉପରେ–ଖଟ୍‍ଖଟ୍ ହୋଇ ଆମେ ପାର ହୋଇଯିବୁ କେତେକେତେ ନଈର ପୋଲ–ଆମେହିଁ ଧାଇଁବୁ ପୁଣି ପାହାଡ଼ ତଳେ ତଳେ ସୁଡ଼ଙ୍ଗ ଭିତରେ । ଆଉ, ତମକୁ ଭେଟିବାପାଇଁ ଯେତେବେଳକୁ ଷ୍ଟେସନ୍‍କୁ ଆସିଥିବେ ତୁମର ବନ୍ଧୁବାନ୍ଧବ ଆପଣାର ଲୋକସବୁ, ସେତେବେଳେ ଆମେ ଠିକ୍‍ମତେ ତମକୁ ପହଞ୍ଚାଇଦେବୁ ତାଙ୍କ ପାଖରେ,–ହଁ, ମ,–ତମକୁ ଟେକିଦେବୁ ତାଙ୍କ ହାତରେ ।”

 

ଚକ ଗୋଟାଏ ଅତି ସରଳିଆ ଜିନିଷ । ଆମେ ‘ଚକ’ସବୁ ଦେଖିବାରେ ଏତେ ଅଭ୍ୟସ୍ତ, ସହଜରେ କଳ୍ପନା କରିପାରିବୁ ନାହିଁ,–ଅନେକ ଅନେକ ଯୁଗ ତଳେ, ଏମିତି ଦିନ ଥିଲା, ଯେତେବେଳେ ‘ଚକ’ ବୋଲି ପଦାର୍ଥଟିଏ ନଥିଲା କେଉଁଠି; ପୁଣି ଏମିତି ଦିନ ଥିଲା, ଯେତେବେଳେ ଲୋକେ ‘ପାଦ’ରେ ଯିବା ବଦଳରେ ଘୋଡ଼ାରେ ଚଢ଼ି ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଗଲେ ନାଚି ଉଠୁଥିଲେ, ଖୁସିରେ । କାରଣ, ଘୋଡ଼ାରେ ଚଢ଼ି ଗଲାବେଳେ ବହୁତ ଜିନିଷପତ୍ର ନେଇପାରୁଥିଲେ ସାଙ୍ଗରେ ସେମାନେ; ଆଉ ଗୋଟିଏ ଘୋଡ଼ାରେ ଜିନିଷ ଲଦି; ତାଙ୍କୁ ଝପଟଉ ଥିଲେ ନିଜେ ଚଢ଼ିଲା ଘୋଡ଼ାର କରେ କରେ ଠିକ୍ । ଭାରତରେ ‘ଥୋରିଆ’ ବଳଦ ପରି, ଏଇ ଦ୍ଵିତୀୟ ଘୋଡ଼ା ମୁହଁରେ ଲାଗି ରହୁଥିଲା ଲଗାମ ବା କଳୀୟାର । ଆଉ ଏ ଘୋଡ଼ାକୁ କୁହାଯାଉଥିଲା, “ବୋଝେଇ–ଘୋଡ଼ା” ବା “ଥୋରିଆ ଘୋଡ଼ା” । ବୋକଚା, ଗଣ୍ଠିଲି ବନ୍ଧାବନ୍ଧି ହୋଇ ଲଦା ହେଉଥିଲା, ଝୁଲୁଥିଲା ୟାରି ପିଠିରେ । ବାପ ପୁଅକୁ ସାଙ୍ଗରେ ନେଲାବେଳେ, ପୁଅଟି ବସୁଥିଲା ବାପ ପଛରେ–କୁଣ୍ଢେଇ ଜାବୁଡ଼ି ଧରୁଥିଲା ବାପକୁ–ଅଧାଅଧି ଓହଳୁ ଥିଲା ବାପା ଅଣ୍ଟାରେ,–ତା’ କରମପଟିରେ ବନ୍ଧା ହୋଇ !–ନଇଲେ ଖସିପଡ଼ୁଥାନ୍ତା ଯେ !

 

ଶେଷରେ, ଚକ ଆଉ ଗାଡ଼ି କଥା ଲୋକଙ୍କ ମନରେ ପଶିଲା କେମିତି, ପଚାରିପାର ତମେ ! ‘ଗାଡ଼ି’ଗୁଡ଼ିକ ତ ଆଉ ହଠାତ୍ ଦେଖା ଦେଇ ନଥିବ ! –ତମେ ଭାବିବଣି ! –ଗାଡ଼ିର ସବୁଠୁ ଅସଲ ଅଂଶ ହେଉଚି, ଚକ ! ଚକ, ଆଗ ଗଢ଼ା ହୋଇଥିବ ନିଶ୍ଚୟ ! –ନା, ଚକଠୁ ଗାଡ଼ିର ଜନ୍ମ ଘଟିନି । ଯଦି “ଦଣ୍ଡା”, “ଚକ”, କି “ଅଖ” ବା “ଫଳି” କଳିକରନ୍ତି, କିଏ ତାଙ୍କ ଭିତରେ ସବୁଠୁ ପୁରୁଣା, ଏହା ଦେଖେହେବା ପାଇଁ, ତେବେ, ଦେଖିବାକୁ “ଧନୁଶର” ଭଳି ‘ଦଣ୍ଡା’ ନିଶ୍ଚୟ ଯୁକ୍ତିରେ ସମସ୍ତଙ୍କୁ ବଳିଯିବ । କାରଣ, ପହିଲି ଗାଡ଼ିଟି ତିଆରି ହୋଇଥିଲା, ଯୋଡ଼ିଏ ବଡ଼ବଡ଼ ମୋଟା ମୋଟା “ଧନୁଶର” ଭଳି ‘ଦଣ୍ଡା’ରେ ! ଆଗ ଯୋଡ଼ିଏ ଲମ୍ବ ‘ଖୁଣ୍ଟ’ ଭଳି ‘ଦଣ୍ଡା’ ପଡ଼ୁଥିଲା ଘୋଡ଼ା ବା ବଳଦଙ୍କ ବେକରେ । ଘୋଡ଼ା ବା ବଳଦ ଆଗେଇଲାବେଳେ ସେ ‘ଖୁଣ୍ଟ’ ଦୁଇଟି ଘୋଷାରି ହେଉଥିଲା ପଛେ ପଛେ ତାଙ୍କର । ଏହି ‘ଖୁଣ୍ଟ’ ଦୁଇଟିରେ “ଜୁଆଳି” ଭଳି ଆଡ଼ି ବାଗରେ ରହୁଥିଲା ଆଉ ଗୋଟିଏ ଖୁଣ୍ଟି ବା ବାଉଁଶ–ଥଳି, ଗାଣ୍ଠିଲି, ବୋକଚା, ବସ୍ତା ପ୍ରଭୃତି ବନ୍ଧାହୋଇ ଲଟକା ହେଉଥିଲା ସେଥିରେ । ଧାନ ଗହମ ଆଦି ଅମଳ କରାଯାଇ ବିଲରୁ ଓହଳାହୋଇ ଅଣା ହେଉଥିଲା ଏମିତି ଉପାୟରେ । ଏବେ ମଧ୍ୟ “କ୍ୟାନାଡ଼ାର ଭାରତୀୟ” ବା “ଆଦିମ ଅଧିବାସୀମାନେ” ଏହି ରୀତିରେ ଜିନିଷପତ୍ର ବୁହାବୋହି କରନ୍ତି–ଯୋଡ଼ିଏ ଦଣ୍ଡାରେ ସେମାନେ ଘୋଡ଼ା ବା ବଡ଼ କୁକୁର ଯୋଚି ଦିଅନ୍ତି ।

 

ଆଜିକୁ ଦି’ଶହ ବର୍ଷ ହେବ, “ଲେପିଓଗୀନ୍” ବୋଲି ଜଣେ ଆବିଷ୍କାରକ ରୁଷର ଉତ୍ତର ଅଞ୍ଚଳରେ ବହୁତ ବୁଲାବୁଲି କରୁଥାନ୍ତି । ତାଙ୍କର କାମ ଥାଏ, କେଉଁଠି କ’ଣ ଜିନିଷପତ୍ର, ଗଛବୁରୁଛ ଅଛି କି ଲୋକବାକ ଅଛନ୍ତି, ଖୋଜାଖୋଜି ବାହାର କରିବା ! ସେ ଦିନେ ବୁଲୁ ବୁଲୁ ‘କୋମୀ’ ଜାତିର ଲୋକଙ୍କୁ ହାବୁଡ଼ି ଗଲେ । ସେମାନେ ସମସ୍ତେ ଆଦିବାସୀ, ସେମାନଙ୍କ ବିଷୟରେ କହିବାକୁ ଯାଇ ଲେପିଓଗୀନ୍ ଲେଖିଛନ୍ତି–“ଏଇ କୋମୀ ଲୋକେ ‘ଗାଡ଼ି’ କ’ଣ କେବେ ଦେଖି ନାହାନ୍ତି କି ଜାଣନ୍ତି ନାହିଁ । ଯେତେବେଳେ ଖୁବ୍ ଭାରୀ ଭାରୀ ବୋଝ ସବୁ ନିଆଅଣା କରିବାକୁ ପଡ଼ୁଛି ସେତେବେଳେ ଏମାନେ ବରଫ ଉପରେ ଘୋଷାରି ଘୋଷାରି ହୋଇ ଯାଉଥିବା ‘ସ୍ଲେଜ୍’ ବା ‘ସ୍ଲେ’ ଗାଡ଼ି ବ୍ୟବହାର କରୁଛନ୍ତି; ନଇଲେ, ଆଗ ଯୋଡ଼ିଏ ଖୁଣ୍ଟକୁ ଯୋଡ଼ିଯାଉଁଳି କରି ବାନ୍ଧି ଦେଉଛନ୍ତି । ସେଥିରେ ଦି’ ଚାରି ହଳ ଛୋଟ ଛୋଟ ଖୁଣ୍ଟକୁ ‘କଇଁଚିଆ’ ପକାଇ ବା ଆଡ଼ବାଗରେ ଠିଆ ଠିଆ ଛକିକଟା ଢଙ୍ଗରେ ଛନ୍ଦି ଦେଉଛନ୍ତି, ସେଇ ଅଜବ୍ ଗାଡ଼ିରେ ଜିନିଷପତ୍ର ଲଦି ତାକୁ ଓଟାରି ଓଟାରି ନେଉଛନ୍ତି ।’’

 

ପ୍ରଥମେ ପ୍ରଥମେ ଏମିତିକା “ଦୁଇଖୁଣ୍ଟିଆ ଶଗଡ଼”ର ଦଣ୍ଡା ଥିଲା ସଳଖା ! ସେଥିରେ କିନ୍ତୁ ଅସୁବିଧା ହେଲା ବହୁତ । କାରଣ, ଯାଉ ଯାଉ ତାହା ଖାଲଖମାରେ ଗଳି ପଡ଼ିଲା ବା ଢିପଢ଼ିପଣାରେ ଅଟକି ଗଲା । ଲୋକେ ଏହା ଦେଖି ଦଣ୍ଡାଗୁଡ଼ିକର ଶେଷମୁଣ୍ଡଗୁଡ଼ିକୁ ‘ମୋଡ଼ି’ ବଙ୍କେଇ ଦେବାପାଇଁ ଠିକ୍ କଲେ–ଧୀରେ ଧୀରେ ତାହାବି ବଦଳି ବଦଳି ‘ନିଶୁଣି’ ଭଳି ହେଲା, ଶେଷରେ ପହିଲି ‘ସ୍ଲେଜ୍’ ରୂପରେ ଦେଖା ଦେଲା । କିନ୍ତୁ ସ୍ଲେଜ୍ ବା ସ୍ଲୋ ସିନା ବରଫ ଉପରେ ସୁରୁଖୁରୁରେ ଚାଲିଲା, ଖରାଦିନରେ ଘାସରେ କି ବାଲିରେ ‘ଘୋଷାରି’ ହୋଇ ଗଲାବେଳେ ଅଟକି ଅଟକି ଗଲା–ମୋଟେ ଚଞ୍ଚଳ ଯାଇ ପାରିଲା ନାହିଁ । ସେଥିପାଇଁ ହଳେ ବଳଦ ନଇଲେ ଘୋଡ଼ା ଯୋଚାହେଲେ ସେଥିରେ । ତଥାପିବି ତାଙ୍କ ପକ୍ଷରେ ସ୍ଲେଜ୍‍କୁ ଟାଣିବା କଷ୍ଟକର ହେଲା–ସେମାନେ ଥକି ଥକି ପଡ଼ିଲେ; ଅଥଚ ଘୋଡ଼ା କି ବଳଦ କେଡ଼େ ବଳୁଆ ବା ନୁହନ୍ତି ! ସେଇଥିପାଇଁ ତ କଥାରେ ଅଛି–“ବଳଦ ପରି କି ଘୋଡ଼ା ପରି ବଳୁଆ ।’’

 

ଏଇଭଳି ପୁରୁଣା ଗାଡ଼ିସବୁ କି ପୁରୁଣା ଜିନିଷପତ୍ର ଦେଖିବାପାଇଁ ଆମେ ତ ଆଉ ସବୁଠି ସବୁବେଳେ ମାଟି ଖୋଳୁ ନାହୁଁ ! କାରଣ ଏମିତି କେତେକ ଜାଗା ଅଛି, ଯେଉଁଠି ଏବେ ମଧ୍ୟ ପୁରୁଣାକାଳିଆ ଜିନିଷର ଚଳଣ ଅଛି । ଶୁଣାଯାଏ, ଆଫ୍ରିକାର କୂଳରୁ ବେଶୀ ଦୂରରେ ନୁହେଁ, ‘ମାଡ଼ିଏରା’ ଦ୍ଵୀପରେ ଏବେ ମଧ୍ୟ ଚାଷୀମାନେ ଖରାଦିନେ ‘ସ୍ଲେଜ୍’ ବ୍ୟବହାର କରନ୍ତି । ଦିନମାନ ସେଠି ପ୍ରଚଣ୍ଡ ଖରାରେ ‘ସବୁ’ ଜଳେ । କେହି କେବେ ବରଫ ବା ତୁଷାର ଦେଖି ନଥିବେ । ତଥାପି, ସେଇ ଖରାରେ ଚାଷୀମାନେ ସ୍ଲେଜ୍ ଚଳାଇ ଚାଲନ୍ତି । ବଳଦଗୁଡ଼ିକ ଯେତେବେଳେ ଝାଳନାଳ ହୋଇ ଜିନିଷ-ବୋଝେଇ ଗାଡ଼ି ଟାଣନ୍ତି–କେଁକଟର ହୋଇ ଗାଡ଼ିଗୁଡ଼ିକ ଘୋଷାରି ହୋଇ ଚାଲେ । ସେତେବେଳେ ଚାଷୀମାନେ ବେଶ୍ ଆରାମରେ ବସି ଥାଆନ୍ତି ।

 

–‘ଗାଡ଼ି’ରେ ଚକ ଲାଗିଲା କେବେ ?

 

ଆଗ କାଳରେ ଲୋକେ ଜାଣିପାରିଥିଲେ ଜିନିଷପତ୍ର କିଛି ଗଡ଼ାଇ ଦେବା ଯେତେ ସହଜ, ତାକୁ ଟାଣି ଟାଣି ନବା ସେତେ ସହଜ ନୁହେଁ । କାଠଗରଟିଏ କି ପିମ୍ପାଟାଏ ଟିକିଏ ଠେଲା ପାଇଲେ ଗଡ଼ିଯାଏ । ତେଣୁ ‘ପଥର ଖଣ୍ଡେ’ ‘ଘରତୋଳା’ ଜାଗାକୁ ନେବାକୁ ହେଲେ ଲୋକେ ତା’ ତଳେ କାଠଗରଟିଏ ‘ଗଡ଼ା’ (ରୋଲର୍) ଭାବରେ ରଖିଦେଉଥିଲେ । ତଳେ ‘ଗଡ଼ା’ଟିଏ ଦିଆ ନ ଗଲେ ‘ପଥର ଖଣ୍ଡକ’ ଟିପେ ଘୁଞ୍ଚୁ ନଥିଲା, ‘ଗଡ଼ା’ଟିଏ ଲାଗିଲେ ଯାଇ ଲୋକଙ୍କ କଥା ମାନୁଥିଲା । ଠେଲାହେଲେ କି ଦଉଡ଼ି ଲାଗି ଟଣା ହେଲେ ‘ଗଡ଼ା’ ଉପରେ ଥାଇ ଏହା ଆଗ ‘ହଲଚଲ’ ହେଉଥିଲା–ତା’ପରେ ଘୁଞ୍ଚିବାକୁ ଲାଗୁଥିଲା । ସତେ ଯେମିତି ଏକା ଜିଇଁ ଉଠୁଥିଲା । ଏମିତି ‘ଗଡ଼ା’ ବା ‘ରୋଲର୍’ରୁ ଖୁବ୍ ସମ୍ଭବ ‘ଚକ’ ଧାରଣା ଲୋକଙ୍କ ମୁଣ୍ଡରେ ପଶିଥିବ । ଅବଶ୍ୟ ‘ରାତିରାତି’ ଏହା ଘଟି ନଥିବ କି ବର୍ଷେ ଦି’ବର୍ଷ’ରେ ଦେଖା ଦେଇ ନଥିବ । ଅନେକ ଶତାବ୍ଦୀରେ ଏହି ‘ଧାରଣା’ ପ୍ରକୃତରେ ରୂପ ପାଇଥିବ ।

 

କିନ୍ତୁ ଖାଲି ନିଶୁଣିଆ “ଦଣ୍ଡା-ଗାଡ଼ି”ଟିଏ ଯଦି ରୋଲର୍ ବା ଗଡ଼ା କେତୋଟି ଉପରେ ରଖାଯାଏ–ତେବେ ଖୁବ୍ ବଳୁଆ ବଳଦ କି ଘୋଡ଼ା ହଳେବି ତାକୁ ଟାଣି ପାରିବେ ନାହିଁ, ଥକି ଯିବେ-। ଏଣୁ ‘ରୋଲର୍’ଗୁଡ଼ିକ ହାଲୁକା କରିବା ଆବଶ୍ୟକ ହୋଇଥିବ । ଲୋକେ ପ୍ରତ୍ୟେକଟି ରୋଲର୍ ବା ଗଡ଼ାକୁ ମଝି ବା କେନ୍ଦ୍ର ଆଡ଼କୁ ସରୁ ଆଉ ମୁଣ୍ଡଆଡ଼କୁ ଓସାରିଆ କରିଥିବେ । ଏହି ରୀତିରେ ଗତି କରି ସେମାନେ ଯୋଡ଼ିଏ ଲେଖା ‘ନିଦା’ (ଖାଲି ପଟାର) ଚକ ତିଆରି କରିଥିବେ ଓ ମଝିରେ ସେଇ ‘କାଠଗଡ଼ା’ ଭଳି ଅଖଟିଏ ଖଞ୍ଜି ଥିବେ । ଏହି ସମୟରେ ଯୋଡ଼ିଏ ଦଣ୍ଡା ଉପରେ ଆଡ଼ବାଗରେ ‘ବତା’ ବା ‘କାଠି’ ଦିଆଯାଇ ଚକ ଉପରେ ଥୁଆ ହୋଇଥିବ । ସେଥିରେ ‘ଚାନ୍ଦୁଆ’ ବା ‘ଆଢ଼େଣୀ’ ଟଣା ହୋଇଥିବ ! ଏହା କେଡ଼େ ଅଡ଼ଢ଼ଙ୍ଗିଆ, ‘ଆଖାଡ଼ୁଆ’ ହୋଇ ନଥିବ !

 

ସେତିକିବେଳେ ଚକଗୁଡ଼ିକ ନୂଆ ହୋଇ ନିଜର କେଁଏ କେଁଏ ଡାକରେ ଗୀତ ଗାଇଥିବେ–କି କଦର୍ଯ୍ୟ କି ଭୟାଙ୍କାରିଆ ବିକଟାଳିଆ କେଁଏ କେଁଇଆ କାନ୍ଦଣା ବା ବାହୁନା ହୋଇ ନଥିବେ ସତେ ! ଘୋଡ଼ା କି ବଳଦ ହଳେ ଶଗଡ଼ ଟାଣିଲାବେଳେ ବହୁତ ଦୂରରୁ ଶୁଣା ଯାଇଥିବ, ଚକ ଦୁଇଟିର ଏଇ କେଁକଟର କି ଗାଁଗଁଅ ଶବ୍ଦ ! ଧୀରେ ଧୀରେ ଲୋକେ ଜାଣିପାରିଥିବେ ଦୁଇ ଚକିଆ ଶଗଡ଼ରୁ ଚାରି ଚକିଆ ଶଗଡ଼ ଆହୁରି ସୁବିଧାର–ତେଣୁ ଚାରି ଚକିଆ ଗାଡ଼ି ଦେଖା ଦେଇଥିବ–ଆଉ କେତେ ବର୍ଷ ପରେ ।

 

“ଷ୍ଟେପି” ବା ତୃଣମୟ ଅଞ୍ଚଳରେ ଗୋଟିଏ ଉଞ୍ଚ, “ସମାଧି–ସ୍ତୂପ” ଖୋଳୁ ଖୋଳୁ ବିଜ୍ଞାନୀମାନେ ଥରେ ଚାରି ଚକିଆ ତାଟିଲଗା ନିବୁଜିଆ ଗାଡ଼ି ଦେଖିଥିଲେ । ତା’ର ଚକଗୁଡ଼ିକ ଥିଲା ମୋଟା ମୋଟା, ଓଜନିଆ, ଆଉ ନିଦା କାଠର; ଉପର ଘୋଡ଼ଣି ଦିଶୁଥିଲା ଗୋଲ; କାଠର କୁଡ଼ିଆଟିଏ ଭଳି ତା’ର ସାମନାରେ ଥିଲା ଦ୍ଵାର–ମୁହଁଟିଏ । ଷ୍ଟେପିର ଯାଯାବରମାନେ ଯେତେବେଳେ ଗୋରୁଗାଈ ଛେଳିମେଣ୍ଢା ନେଇ ‘ଗୋଟିଏ ଗୋଚାରଣ’ ଜାଗାରୁ ଆଉ, ଗୋଟିଏ ଗୋଚାରଣ ଜାଗାକୁ ଯାଉଥିଲେ, ସେତେବେଳେ ସେମାନେ ଏମିତି ଶଗଡ଼ ଗାଡ଼ିରେ ବସି ଆଶ୍ରା ନେଉଥିଲେ । ଏଇ ଅସାଣ୍ଢୁଆ ଗଡ଼ିଗୁଡ଼ିକ ଗୋରୁ ଗାଈ ପଲ ପଛରେ ଓଜନିଆ ଚକରେ କେଁକଟର ହୋଇ ହୋଇ ଧୀରେ ଧୀରେ ଯାଉଥିଲା ଗଡ଼ିଗଡ଼ିକା ଅଟକି ଅଟକି ଅବଶ୍ୟ ପୁରୁଷ ଲୋକେ ଏମିତିକି ସାତ ବରଷରୁ ବଡ଼ ପିଲାଏ ଗୋରୁଗାଈ ପଲକୁ ଅଡ଼େଇ ଅଡ଼େଇ ଯାଉଥିଲେ ଘୋଡ଼ାରେ, ମାତ୍ର ଶଗଡ଼ ଭଳି ଚଳନ୍ତା ଘରଗୁଡ଼ିକରେ ଯାଉଥିଲେ ମାଇପେ ଓ ଛୋଟ ଛୋଟପିଲା-

 

ଏବେ ତୁମେ ବୁଝିବଣି, ଗାଡ଼ି–ଡବା” ସବୁ କେମିତି ଆଗ ତିଆରି ହୋଇଥିବ ! କିନ୍ତୁ କଳ୍ପନା କରିପାରୁଛ ଭଲା ଚକାଗୁଡ଼ିକ ଆଜିକାଲିକା ଚକଭଳି ହେବାପାଇଁ ଥରକୁଥର କେତେ ବଦଳି ବଦଳି ନୂଆ ନୂଆ ରୂପ ଧରିଥିବ ।

 

ଲୋକେ ଦେଖିଥିବେ, ଚକଗୁଡ଼ିକ “ଶକ୍ତ” ହେବା ଆଉ କିଛିଦିନ ଲାଗି “ସ୍ଥାୟୀ” ହେବା ଆବଶ୍ୟକ । ଏହା ନହେଲେ ଅନେକ ଦୂର ଗଲେ ତା’ ଚଞ୍ଚଳ ଘୋରି ହୋଇଯିବ, ‘ତେଣୁ ସେମାନେ ତମ୍ବାପାତିଆ ଗୁଡ଼ାଉଥିବେ ଚକର ‘ପହି’ ବାରିସରେ ତାଙ୍କୁ ଆଣ୍ଟି ଦେଇଥିବେ ତମ୍ବା-କଣ୍ଟାରେ । ଏହିଥିରୁ ଜାଣିପାରିବ ଏଇଟି କେଉଁ କାଳର ଘଟଣା ହୋଇଥିବ । ଏହା ଅର୍ଥ, ସେତେବେଳକୁ ‘ଲୁହା’ କ’ଣ ‘ବାହାରି’ ନଥିବ । ଗୋଟିଏ ମଜାର କଥା ତମେ ପଚାରିପାର; ଚକର “ନିଦାପଣ” କଟିଲା କେମିତି, ସେଥିରେ ‘ଅର’ ଖଞ୍ଜା ହେଲା କେବେ ? ଟିକିଏ ଭାବିଲେ ବୁଝିପାରିବ, ତମ୍ବା ପାତିଆ ନାଲ ଭାବରେ ବେଢ଼ା ହେଲାପରେ ‘ଚକଗୁଡ଼ିକ ଭାରୀ’ ହୋଇଥିବ । ତେଣୁ ତାକୁ ‘ଉଶ୍ଵାସିଆ’ ବା ହାଲୁକା କରିବାପାଇଁ ତା’ର ନିଦା ଦେହଟିକୁ ଖଣ୍ଡଖଣ୍ଡ କରି କାଟି ଲୋକେ ତାକୁ ଫାଙ୍କଫାଙ୍କ କରିଥିବେ । ତା’ପରେ ‘ଅଖରେ’ ଚକଟି ଲାଖି ରହିବା ଲାଗି ପହି ଓ ଅଖକୁ ଯେଉଁ ଛଡ଼ା ଛଡ଼ା ଅଂଶଗୁଡ଼ିକ ରହିଯାଇଥିବ ତାହା ‘ଅର’ ହୋଇଥିବ । ପରେ ପୁଣି ଅଲଗାଅଲଗା ଭାବରେ କଟା ହୋଇ ଆଜିକାଲି ଅର ଭଳି ଯୋଡ଼ା ହୋଇଥିବ । ଶେଷରେ ଚକଟିରେ ଅଖ, ଅର, ତୁମ୍ବ, ପହି ପ୍ରଭୃତି ଏବର ଭଳି ଠିକଣା ଆକାରରେ ଦେଖା ଦେଇଥିବ ।

 

ତେବେ ‘ଚକ’, ଆଜିକାଲିକା ପରି ରୂପ ଧରି ଯେ ସେତେବେଳେ ହଠାତ୍ ସମସ୍ତଙ୍କଠୁ ଆବର ପାଇଥିବ, ଏହା ନୁହେଁ । କାହିଁକି ନା,–ଅନେକ ଦିନଯାଏ ଲୋକେ ଭଲ ପାଉଥିଲେ ଘୋଡ଼ାରେ ଚଢ଼ି ଯା-ଆସ କରିବାକୁ, ଥୋରିଆ ବଳଦ ବା ଥୋରିଆ ଘୋଡ଼ାରେ ଜିନିଷପତ୍ର ଲଦି ନିଆଅଣା କରିବାକୁ । କାରଣ, ଚକାଗୁଡ଼ିକରବି ବେଳେବେଳେ ମୁଣ୍ଡ ବିଗିଡ଼ି ଯାଉଥିଲା । ସେଗୁଡ଼ାକ ‘ବେଆଡ଼ା’, ବଗୁଲିଆ ହୋଇ ବୋଝ ବୋହିବେ କ’ଣ, ଓଲଟି “ବୋଝ” ହେଉଥିଲେ ଲୋକର । ଏମିତି ଧୀରେସୁସ୍ଥେ କେଁକଟର ହୋଇ ଚାଲୁଥିଲେ ଯେ, ଚଢ଼ିଲା ଲୋକ ବ୍ୟସ୍ତ ହୋଇ ଉଠୁଥିଲା । ସେଥିପାଇଁ ତେଲ ଦେବା ଦରକାର ହୋଇ ପଡ଼ିଲା । ଚକଗୁଡ଼ାକବି କାଦୁଅରେ ଲାଖି ଯାଉଥିଲା, ଭୂଷା ବାଲିରେ ଗଳି ପଡ଼ୁଥିଲା । ଏଣୁ ସେଗୁଡ଼ାକ ସଦାବେଳେ ଲୋଡ଼ିଲା–ଆବଡ଼ାଖାବଡ଼ା ହୋଇ ନଥିବା, ଖାଲଖମା ନଥିବା ଭଲ ଚିକ୍କଣ ରାସ୍ତା ! କିନ୍ତୁ ସେତେବେଳେ ଭଲ ରାସ୍ତା ବା ଥିଲା କୋଉଠି ? ଲୋକ ଯା-ଆସରେ ପଦଚିହ୍ନ ପଡ଼ି ପଡ଼ି ଯାହା ବାଟ ଫିଟୁଥିଲା ! ସେଇ ତ ଥିଲା ରାସ୍ତା !–ଗୋଡ଼ି ବିଛା ହୋଇ ସେଗୁଡ଼ିକ ‘ପକ୍କା’ ହେବା ତ ଦୂରର କଥା, ‘କଚ୍ଚା ସଡ଼କ’ ହୋଇବି ଦେଖା ଯାଉ ନଥିଲା ।

 

ତେବେ କାଳକ୍ରମେ ଲୋକଙ୍କ ଦୃଷ୍ଟି ପଡ଼ିଲା ‘ରାସ୍ତା’ ଉପରେ । ଜଙ୍ଗଲ କାଟି ସେମାନେ ସଡ଼କ ତିଆରି କଲେ,–ସେ ପଙ୍କ କାଦୁଅରୁ ରାସ୍ତାଗୁଡ଼ିକୁ ରକ୍ଷା କରିବାପାଇଁ ଆଗ ପାଣିଯିବା ସକାଶେ ‘କାଜ’ (କଜୱେ) ବା ମାହାର ମାନ କଲେ । ବହୁତ ବହୁତ ବର୍ଷ ବିତିଗଲା; ତା’ପରେ ଯାଇ ସଡ଼କର ରୂପ ଚିକ୍କଣିଆ ହେଲା । ଦୁଇଶହ ବର୍ଷତଳେ ତମେ ଯଦି ଜନ୍ମିଥାନ୍ତ, ଦେଖିଥାନ୍ତ, ସେତେବେଳେ ଯେଉଁ ରାସ୍ତା ଥିଲା, ତା’ ଏତେ ଖରାପ ଥିଲା ଯେ, ସେଥିରେ ‘ଗାଡ଼ି ଭାଙ୍ଗି ଗୁଣ୍ଡ ଗୁଣ୍ଡା ହୋଇଯାଉଥିଲା ।

 

ତମେ ଜାଣିଚ, ରୁଷରେ ଆଗେ ଭାରତ ଭଳି ବଡ଼ବଡ଼ ‘ଜମିଦାର’ ‘ରାଜରାଜୁଡ଼ା’ ଥିଲେ-। ସେମାନେ ନିଜ ନିଜ ‘ପଲ୍ଲୀ’–ଉଆସରୁ ବାହାରି ‘ମସ୍କୋ’କୁ ଯାଉଥିଲେ । ଚକକିଆ ଘୋଡ଼ାଗାଡ଼ିରେ ଯୋଚା ହେଉଥିଲେ ଛଅ ଛଅଟା ଘୋଡ଼ା ! ଆଉ, ସେଇ ‘ଗାଡ଼ି’ ପଛରେ ଓ ଆଗରେ ‘ସଇସ’ମାନେ ଚାଲୁଥିଲେ, ଅଧିକା ଘୋଡ଼ା କେତୋଟିକୁ ସାଙ୍ଗରେ ଧରି, ଅଡ଼େଇ ଅଡ଼େଇ । ଜମିଦାରମାନେ ଜାକଜକମ ଲାଗି ଏହା କରାଉଥିଲେ, ନୁହେଁ, ଏମିତିକା କରାଯିବା ଦରକାର ପଡ଼ୁଥିଲା । କାରଣ, ଗାଡ଼ିରେ ଲାଗିଥିବା ଘୋଡ଼ା ଛୋଟା କି ଖବିରା ହେଲେ ଏଇ ବଳକା ଘୋଡ଼ା ସେଥିରେ ଯୋଚା ହେଉଥିଲେ–ଏହାଛଡ଼ା ପାଳି ଅନୁସାରେ ‘ଘୋଡ଼ା’ବି ବଦଳୁ ଥିଲେ । ସଡ଼କରେ କାଦୁଅ କି ଭୁଷାବାଲି ପଡ଼ିଲେ ଅଧିକା ଘୋଡ଼ା ଲାଗି ତାକୁ ଟାଣୁଥିଲେ-। ସେତିକି ନୁହେଁ, ଜମିଦାରଙ୍କ ସଇସମାନେ ମଧ୍ୟ ଚକ ପେଲୁଥିଲେ; ଗୁଡ଼ାଏ ହୋହୋ ପାଟିତୁଣ୍ଡ କରି ଗାଡ଼ିକୁ ପଙ୍କରୁ ଉଠାଉଥିଲେ ! ଏବେବି ଭାରତର ଗାଁଗହଳରେ ବର୍ଷାଦିନିଆ କଚ୍ଚା ସଡ଼କରେ ତମ ଭିତରୁ କିଏ କ’ଣ ଏହା କେବେ ଦେଖୁନ ?

 

କିନ୍ତୁ ‘‘ପଥର ବା ଗୋଡ଼ି’’ ରାସ୍ତା ତିଆରି ହେଲାପରେ ଏ ଅବସ୍ଥା ବଦଳିଗଲା । ‘ଡାକ’ ଗାଡ଼ି ସବୁ ପକ୍କା ରାସ୍ତାରେ ବହୁତ ବେଗରେ ଧାଇଁଲେ, ମାଇଲଖୁଣ୍ଟି ଆଉ ଗଛବୁରୁଛକୁ ସବୁ ବିଜୁଳି ଭଳି ଟପି ଯିବାକୁ ଲାଗିଲେ ! ଚକଗୁଡ଼ିକର ସଡ଼କଗୁଡ଼ିକ ସହିତ ବନ୍ଧୁତା ବଢ଼ିଲା । କିନ୍ତୁ ଏ ବନ୍ଧୁତା ଆହୁରି ‘ଘନ’ ହେଲା, ଯେତେବେଳେ ରେଳରାସ୍ତାମାନ ତିଆରି ହେଲା, ଚକ ସବୁ ସେଥିରେ ପାଣି ପରି ଗଡ଼ି ଗଡ଼ି ଚାଲିଲେ !

 

ଉରାଲ ଗିରିମାଳାରେ ‘ନିଝ୍‍ନି ତାଗିଲ୍’ ବୋଲି ଗୋଟିଏ ସହର ଅଛି । ତା’ର ଗୋଟିଏ ରାସ୍ତାରେ ନାଆଁ ଅଦ୍ଭୁତ–“ଡଙ୍ଗା ବା ନାହା ଗଳି !’’ ଏମିତି ନାଆଁଟା କାହିଁକି ଯେ ? ଭୂଇଁରେ ତ ଆଉ ନାହା ଚାଲେ ନାହିଁ ! ପ୍ରକୃତରେ କିନ୍ତୁ ଦିନେ ଏଇ ବାଟରେ “ଭୂଇଁ-ଡଙ୍ଗା” ଯା-ଆସ କରୁଥିଲା-। ସେଇଥିପାଇଁ ଏ ନାଆଁ ! ତେବେ ସେଦିନର ସେଇ ‘ଭୂଇଁ-ଡଙ୍ଗା’ ଏବର ବାଷ୍ପୀୟ ବା “ଷ୍ଟିମ୍ ଇଞ୍ଜିନ୍” ଏଇ ଯାହା କଥାଟା !

 

ସେଇ ଷ୍ଟିମ୍ ବା ବାଷ୍ପୀୟ ଇଞ୍ଜିନ୍‍ଗୁଡ଼ିକ ଥିଲା କେମିତି ଅତି ଛୋଟ ଛୋଟ, ଆଡ଼ଢ଼ଙ୍ଗିଆ, ଚାରିଚକିଆ । ଧୂଆଁ ଛାଡ଼ିବାପାଇଁ ସେଗୁଡ଼ିକ ଥିଲା, ଜିରାଫ୍ ବେକ ଭଳି ଲମ୍ବା ଲମ୍ବା ସରୁ ସରୁ ବେକ । ରେଳଲାଇନ୍ ଉପରେ ଝଣର ଝଣର ହୋଇ ଚାଲୁଥିଲା ସେଗୁଡ଼ିକ–ପଛଡ଼ବାଗୁଡ଼ିକରେ ସାଢ଼େ ତିନି ଟନ୍‍ର ମାଲ୍ ବା ଚାଳିଶ ଜଣ ସରିକି ଯାତ୍ରୀ ବା ପାସେଞ୍ଜର, ବୋହି ବୋହି ଚାଲୁଥିଲା, ବେଶ୍ ଖୁସିବାସିଆ, ମନମଉଜିଆ ରୀତିରେ ଦୋହଲି ଦୋହଲି ।

 

ଆଗର “ଦୁଇ ଦଣ୍ଡା” ବାଡ଼ିରୁ ଯେ ସେଇ ବାଷ୍ପୀୟ ଇଞ୍ଜିନ୍‍ର ଜନ୍ମ ! ତମେ ଏହା ବିଶ୍ଵାସ କରିବ ଭଲା ? ତାହା ସିଧାସଳଖ ସେଇ ପୁରୁଣାକାଳିଆ ଶଗଡ଼ର ନାତି କି ଅଣନାତି ! ‘ଚକ’ ସବୁ ଜନ୍ମ ହେବା ଆଗରୁ ‘ଦୁଇ ଦଣ୍ଡା’ର ଗାଡ଼ି ପ୍ରଥମେ ଦେଖା ଦେଇଥିଲା, ମନେଥିବ ତମର ! ଶେଷରେ ଯେତେବେଳେ ‘ଶଗଡ଼’ ଗାଡ଼ି ‘ଷ୍ଟିମ୍ ଇଞ୍ଜିନ୍’ ପାଲଟିଲା, ଷ୍ଟିମ୍ ଇଞ୍ଜିନ୍ ରୂପରେ ଦେଖାଦେଲା, ସେତେବେଳେ ଆଉ, ଦୁଇଟି ଦଣ୍ଡା ଗୋଟାଏ ଜୁଆଳିର ଦରକାର ପଡ଼ିଲା ନାହିଁ । କାରଣ, ଘୋଡ଼ା କି ବଳଦ ତ ଆଉ ସେଇ ଷ୍ଟିମ୍ ଇଞ୍ଜିନ୍‍କୁ ଟାଣିଲେ ନାହିଁ । ଚକର କିନ୍ତୁ ମାନ ସମ୍ମାନ ବଢ଼ିଲା, ତା’ର ଆସନ ଉଚ୍ଚ ହେଲା । ଆଗରୁ ଜଣାଶୁଣା ନଥିବା ଚିକ୍କଣିଆ ରାସ୍ତା ତିଆରି ହେଲା ସେଇ ଇଞ୍ଜିନ୍‍ପାଇଁ । “ତାଗିଲ୍” ରେଳପଥଟି ଗଢ଼ାହେଲା,–ମୋଟେ ଅଧ ମାଇଲିଏ ଲମ୍ବର-। ୟେଫିନ୍ ଚେରେପ୍ୟାନଭ୍ ଓ ମିଖାଏଲ–ଏଇ ବାପପୁଅ ଶ୍ରମିକ ଦି’ଜଣ ତିଆରି କଲେ ସେଇ ରାସ୍ତା–ଏମିତି କିଛି ଆଖିଦୃଶିଆ ହେଲାନାହିଁ ସତ, ତେବେ ତାହାହିଁ ହେଲା ରୁଷର ପହିଲି ରେଳରାସ୍ତା ।

 

ଏବେ ସୋଭିଏତ୍ ରୁଷରେ ରେଳପଥ ହେଉଛି ୬୨, ୧୦୦ ମାଇଲ । ଏହା ପୁଣି ବଢ଼ିବାରେ ଲାଗିଛି । ଏହା ରେଳପଥଗୁଡ଼ିକର ଶାଖାପ୍ରଶାଖା ମେଲି ଗଲାଣି ଉତ୍ତର–ଦକ୍ଷିଣ, ପୂର୍ବ–ପଶ୍ଚିମ ସବୁ ଦିଗରୁ, ଅତି ଦୂରଦୂରାନ୍ତ ସହରକୁ । ଖାଲି ଯେ ବିରାଟ ବିରାଟ ଷ୍ଟିମ୍-ଇଞ୍ଜିନ୍ ସବୁ ମାଲଡ଼ବାମାନ ବୋହି ଘୋର ଗର୍ଜନରେ ଦିଗ କମ୍ପାଇ ରେଳପଥରେ ଧାଇଁଚି, ଏହା ନୁହେଁ–ସେଇ ଇଞ୍ଜିନ୍‍ର ନୂଆ ନୂଆ ଯୁବକ ‘ବନ୍ଧୁ’ ପୁଣି ଦେଖାଦେଇଛନ୍ତି । ସେମାନେ ସବୁ ବିଦ୍ୟୁତ୍ ଆଉ ଡିଜେଲ ଟ୍ରେନ୍ ଦୌଡ଼ରେ ପ୍ରତିଯୋଗିତା ଚଳାଇଛନ୍ତି ସେଇ ପୁରୁଣା ଇଞ୍ଜିନ୍ ସାଥିରେ !

 

ଲୁହାର ଚକସବୁ ଏବେ ଚିକ୍କଣ ଇସ୍ପାତ ଲୁହାର ରେଳରାସ୍ତାରେ ସାଇଁସାଇଁ ସର ସର ହୋଇ ଛୁଟୁଛି ତୀର ବେଗରେ । ଛୁଟିଲାବେଳେ ଗୀତ ଗାଉଛି, ମନଖୁସିରେ–ଆଖି ପତାଗୁଡ଼ିକ ନୁଆଁଇ ଦେଇ ପାସେଞ୍ଜରମାନଙ୍କର, ଚୁପ୍‍ଚାପ୍ ଶୁଆଇ ପକାଉଚି ସେମାନଙ୍କୁ ।

Image

 

ବଢେଇଶାଳରେ କଥାଭାଷା

 

ଏ ବହିଟିରୁ ଅନେକ କଥା ପଢ଼ିଲଣି, ଅନେକ କଥା ଜାଣିଲଣି ! ନାଇଁ ? କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ପରୀ ଗପ କି ବୁଢ଼ୀମା କାହାଣୀ ହାବୁଡ଼ିନ ! ତେଣୁ ପରୀ ଗପଟିଏ କହୁଛୁ, ଶୁଣ ! –ନା ! ଉଁହୁଁ ! ଏଇଟି ତ ଗୋଟାଏ ଚମତ୍କାର “ଅନଳ–ଚଢ଼େଇ” ବା “ଡାଗନ୍” ଗପ ନୁହେଁ । ଏଇଟି ଆମର ନିତିଦିନିଆ କାଇବାରୀ ଜିନିଷଗୁଡ଼ିକର ଗପ–ଏଇ ଯେମିତି କରତଟିଏ, କୁରାଢ଼ିଟିଏ ଆଉ ରନ୍ଦାଟିଏ । ଏମାନଙ୍କ କାହାଣୀ !

 

ଦିନେ ଗୋଟାଏ ଭାରି ଚହଳ ପଡ଼ିଗଲା, ହୋହା ଶୁଭିଲା, ବଢ଼େଇଶାଳରେ । ସର୍‍ସର୍ କର୍‍କର୍ ହେଲେ କରତଗୁଡ଼ାକ । ସେଁ ସେଁ ହେଲେ ଉହାଟିମାନ–ଠକ୍‍ଠାକ୍ ହେଲେ କୁରାଢ଼ି ସବୁ । ଆଉ ଦୁମ୍‍ଦାମ୍ ଭୁସ୍‍ଭାସ୍ ପଡ଼ିଲେ ଉଠିଲେ ହାତୁଡ଼ିଗୁଡ଼ାକ, ମୁଗୁରଗୁଡ଼ାକ–ଛେଚିହେଲେ, ପିଟିହେଲେ ଖାଲି । ଏଇ ହତିଆରଗୁଡ଼ାକ ଏମିତି ଆତପାତିଆ ସତେ ବାଧା ଦେବାକୁ ଲାଗିଲେ ପରସ୍ପରକୁ–ଦାବିଦୁବି ଦେଇ ବୁଡ଼ାଇଦେବାକୁ ବସିଲେ ପରସ୍ପରର ସ୍ଵରକୁ । –ଗୋଟି ଗୋଟି ହୋଇ ଦେଖେଇବାକୁ ବାହାରିଲେ–“ବଢ଼େଇଶାଳାରେ ଯଦି କାହାର କିଛି ଚାରୁଇ ଥାଏ, ଟାଣପଣ ଥାଏ, ତେବେ ତା’ ଅଛି “ମୋର” ଏ ବଢ଼େଇଶାଳରେ ମୁଁ ବଡ଼, ମୁଁ ବଢ଼ିଆ !’’

 

“ମୁଁ ଚୋବାଇପକାଏ,–ଚୋବାଇପକାଏ ଟିକିଟିକି କରି । ଗୁଣ୍ଡୁଗୁଣ୍ଡା କରି ଚୋବାଇପକାଏ ଯାହା ପାଏ”–ଗୋଟିଏ ‘ପଟା’ ଉପରେ କାମ କରୁ କରୁ କଥାକଥାକେ କରତ ଗୁଣ୍ଡିଗୁଡ଼ାକୁ ଥୁଥୁ କରି କାଢ଼ି ପକାଉଁ ପକାଉଁ ଗାଇହେଲା କରତଟି–“ଆଉ ମୋର ଶହେ ଶହେ ଦାନ୍ତ–ଛୁରି ପରି ଧାରୁଆ, ଛୁରି ପରି ମୁନିଆ ।’’

 

“କାଟ୍ କାଟ୍ କାଠ କାଟ୍ ! ପକା ଚୋଟେ, ମାର ଚୋଟେ !’’–ଗଉଁଆ ଗୁମାନିଆ ଗଳାରେ ହସି ହସି କହିଦେଲା କୁରାଢ଼ିଟା–“ଦେଖରେ ! ଡୋଳା କାଢ଼ି, ଦେଖ୍ ! ଗୋଟାଏ ଲେଖାଁ ପାହାରରେ କେମିତି ଦି’ ଦିଫାଳ କରୁଚି, ମୁଁ ଇଆ, ଇଆ, ମୋଟା ଖୁଣ୍ଟିଗୁଡ଼ାକୁ, କାଠଗରଗୁଡ଼ାକୁ ।”

 

ସାଇଁସାଇଁ ହୋଇ ଆଗକୁ ପଛକୁ, ପଛକୁ ଆଗକୁ ଛୁଟିଲା ଖାଲି ରନ୍ଦାଟା; ଥରକୁଥର ଦୋହଲାଇ ଫିଙ୍ଗି ଫିଙ୍ଗି ଚାଲିଲା; ପଟାରୁ ଉଞ୍ଛି ଉଞ୍ଛି ବାହାର କରି ଲାଗିଲା ମୋଡ଼ିମୋଡ଼ିକିଆ ତମ ବାପାଙ୍କ ଗାଲର ରୂଢ଼ ଭଳି ‘ଉଞ୍ଛ’ଗୁଡ଼ାକ ।

 

ହସ୍ ହସ୍ ହୋଇ କହିହେଲା କୁରାଢ଼ି ପାଖରେ–“ଆରେ, ଆରେ କି ବାହାପିଆଟାରେ ତୁ ! କି ଫୁଟାଣିରେ ତୋର ! ସବୁଠୁ ବଳି ‘ମୋଟାଳିଆ’ କାମ କରୁ ନା ତୁ ! ସେଇଥିପାଇଁ ଗୋଟାଏ ‘ମୋଟା’ ଧରଣର କାମ ଦେଖିଲେ ସମସ୍ତେ କହିପକାନ୍ତି–ଏଃ, କୁରାଢ଼ିରେ ହୋଇଚି ଏଇଟା ।’ ତୁ ବଢ଼େଇଟାଏ, ଯୋଡ଼ାଯୋଡ଼ି କାମର ମିସ୍ତ୍ରି ନୋହୁଁ ତୁ । ଏମିତିକି ‘ଯୋଡ଼େଇ’ମିସ୍ତ୍ରିର ବେଞ୍ଚ୍ ପାଖବି କେହି ମଡ଼ାନ୍ତି ନାହିଁ ତତେ ! ଦେଖ ! ରନ୍ଦା କଥା ଦେଖ...ମୁଁ ରନ୍ଦାଟିଏ ଯେ–କେଡ଼େ ସମତୁଲ, କେଡ଼େ ଚିକ୍କଣ କରିଦିଏ ପଟାଟିକୁ–ଠିକ୍ ସିଲ୍କ ଭଳି !”

 

ଉତ୍ତର ଦେଲା କରତଟି–“କୋଉଥିପାଇଁ ଏତେ ପାଟି, ଏତେ ବଢ଼େଇରେ ତୋର ! ଆମେ କରତସବୁ ଯଦି ଜଙ୍ଗଲକୁ ଯାଇ ଗଛ କାଟି ନଥାନ୍ତୁ, ତୋର କି କାମ ଥାଆନ୍ତା ଯେ ? କରତ ବିନା ତୁ ତ ଘରଟିଏ ଗଢ଼ିପାରିବୁ ନାହିଁ ଟେବୁଲଫେବୁଲ କଥା ତ ଛାଡ଼ ! ବଢ଼େଇଶାଳରେ ତେଣୁ ସବୁଠୁ ମୋର ଦର ବେଶୀ । ସେଇଥିପାଇଁ ମୋପାଇଁ କେଡ଼େ ଗର୍ବ ମାଲିକର ! ମୋର ଯତ୍ନ ନିଏ ସେ, ମୋତେଇ ଆଦର କରେ । ମୋତେ କିଣି ସାରିଲା ପରେ ସେ ଆଗ କ’ଣ କରିଥିଲା, ଜାଣୁ ? –ମୋ ଦାନ୍ତଗୁଡ଼ିକୁ ବାଆଁକୁ ଡାହାଣକୁ, ବାଆଁକୁ ଡାହାଣକୁ, ଏମିତି ଗୋଟି ଗୋଟି କରି, ଢଳେଇ ଢଳେଇ, ଅଣେଇ ଅଣେଇ, ଉହାରେ ଘଷି ଘଷି, ସଜେଇ ଥିଲା, ମତେ ପୁଣି ଖଞ୍ଜିଥିଲା ପଟାରେ–କାମ କରିବାପାଇଁ ଯେମିତି ସହଜ ହେବ ମୋତେ, ବୁଝିଲୁ । କହୁଥିଲୁ–ଠିକ୍ କହୁଥିଲା–କରତର ଦାନ୍ତଗୁଡ଼ିକ ସଜଡ଼ା ହୋଇଗଲେ ସେଗୁଡ଼ିକ କାଠ ଭିତରେ ଅନେକ ଦୂର ପଶିଯାଏ–ସରଳରେ ଯା-ଆସ କରେ; ସୁରୁଖୁରୁରେ ଆଗକୁ ପଛକୁ, ପଛକୁ ଆଗକୁ ହୋଇ କାଠ ଭିତରେ ଖସି ଖସି ଗଳି ଗଳି ଯାଇ ଚିରାଚିରି କାମ ଚଳାଏ ।”

 

“ଦୁମ୍‍ଦାମ୍, ଭୁସ୍‍ଭାସ୍ ! ଦୁମ୍‍ଦାମ୍ ଭୁସ୍‍ଭାସ୍ !” ହାତୁଡ଼ିଟା କରତର ଲମ୍ବା ବକ୍ତୃତାରେ ବାଧା ଦେଇ ପିଟି ହେବାକୁ ଲାଗିଲା । –“ଆରେ ଜାଣିଚ ନା ! ମୋଠୁଁ ବଳି କ’ଣ ତମ ପାଟି ବଡ଼-? ‘ଧାଉଁ ଧାଉଁ’ କରି ‘ଦୁମ୍‍ଦାମ୍’ କରି ଡାକ ଛାଡ଼େ ମୁଁ, ଆଉ ସହଜରେ କେମିତି ଏକାବେଳେକେ ଦବେଇଦିଏ ତମ ସମସ୍ତଙ୍କ ପାଟିକୁ । ବୁଝିଲ–ଏହା ମାନେ–ଏଠି ‘ମାଲିକ’ ମୁଁ–ହାକିମ ମୁଁ-! ଅବଶ୍ୟ ମୁଁ ଅନେକ ଜାତିର, ମୋ ରୂପ ଅନେକ । ଏଇ ମୋର ଭାଇ ଦୁଇଟିଙ୍କ କଥା ଦେଖ–ତୋଟିକୁ କୁହାଯାଏ “ମୁଗୁର’’ ଆଉ ଗୋଟିକୁ ‘ବଡ଼ ବା ହାତୁଡ଼ି ବା ସ୍ଲେଜ୍–ହ୍ୟାମର (ଜବର ହାତୁଡ଼ି) ।’’ ଦୁହେଁ ମୋରିଜାତିର ମୋରିକୁଟୁମ୍ବର । କିନ୍ତୁ ଦୁହିଁଙ୍କ ଚରିତ୍ର, ଦୁହିଁଙ୍କ ରୂପଗୁଣ ଅଲଗା-। ଗୋଟିଏ ନରମା, ଆରଟି ଶକ୍ତ । ‘ମୁଗୁର’ ଭାଇଟା ମୋର ତିଆରି ହୋଇଚି କାଠରେ–ସେଇଟା ଖାଲି କାମ କରେ ବଟାଳି ଉପରେ–ବଟାଳି ମୁଣ୍ଡକୁ ଛେଚିଛେଚିକା । –ବଡ଼ଭାଇ ଜବର ହାତୁଡ଼ିଟା କିନ୍ତୁ ଲୁହାର–ଇସ୍ପାତ ଲୁହାର । ବଢ଼େଇଶାଳରେ ତା’ପାଇଁ ଥାନ କାହିଁ ? ତା’ର ଲେଡ଼ା କୁମ୍ଭାରଶାଳ-। କୁମ୍ଭାରଶାଳର ‘ହାତୁଡ଼ି-ପିଟାଳି’ ଲୋକଟି ଯେତେବେଳେ ତାକୁ ଧରି ପିଟେ, ନିଆଁରେ ପଡ଼ି ପାଚି ଲାଲ ହୋଇଥିବା ଲୁହା ଉପରେ,–ତାକୁ ଏକାବେଳକେ ଚଟକା ପାତଳା କରିଦିଏ କାକରା ପିଠା ପରି ! ଇଃ, କି ବଳ ତା’ର, ସେଇ ମୋ ଭାଇ, ବଡ଼ଭାଇ ହାତୁଡ଼ିଟାର ମ !”

 

“ଆରେ, ଆମ ବଉଁଶଟା କୋଉ କମ୍ ବା ! ମସ୍ତବଡ଼ କୁଟୁମ୍ବ ଆମର ।” କହି ଉଠିଲା କରତଟି–“ଜାଣିଚ ଭଲା, ଆମେ ସବୁ କେତେ ରକମର ଭଳି କି ଭଳି କରତ ? ଏଇ ଦେଖ–ମୋତେ କହନ୍ତି “ଆଡ଼–କରତ” କାହିଁକି ନା, କାଠର ମୌଳିକ ତନ୍ତୁର ବା (crystals) ଦାନାର ମୁହଁ ଯେଉଁ ଦିଗକୁ ଥାଏ ତା’ର ଆଡ଼–ବାଗରେ ମୁଁ ଚିରାଚିରି କାମ କରେ–ଖାସୁଖାସୁଆ ଅଚିକ୍କଣିଆ ଦିଗରେ ଓଲଟାରେ ଚାଲେ । ମୋର କିନ୍ତୁ ଗୋଟାଏ ଭାଇ ଅଛି, ତାକୁ ଡାକନ୍ତି “ଚିରା–କରତ” ! ଆମେ ଦୁହେଁ ଯାଆଁଳା ଭାଇ ପରି; ଖାଲି ଦାନ୍ତଗୁଡ଼ିକୁ ଛାଡ଼ିଦେଲେ, ଆଉ ସବୁଥିରେ ସମାନ । ଆମ ବଂଶର ସାନ କୁନି ଛୁଆଟି ହେଉଛି ଛୋଟ ‘‘ସରୁ–କରତ’’ । ଏହା ଖାଲି ‘ପ୍ଲାଏଉଡ଼୍’–ଅତି ପତଳା, ପଟା, ଯୋଡ଼େଇରେ ତିଆରି ଚାରିକୋଣିଆ ତନ୍ତୁର କାଠ)–ଚିରେ । ଏସବୁ ଛଡ଼ା, ବିରାଟ ବିରାଟ କରତମାନ ଅଛି–ସେଗୁଡ଼ିକ “ଠିକ୍–କରତ”–କାଠଗରଗୁଡ଼ିକୁ କି ହଣାହୋଇଥିବା ଗଛ ଗଣ୍ଡିକୁ ଚିରେ, ସେଥିରୁସବୁ ପଟା ବାହାର କରେ । ତମେ ଯଦି କେବେ କେଉଁଠି ‘କରତକଳ’କୁ ଯାଅ, ଦେଖିବ, ବଡ଼ବଡ଼ ଗରକାଠସବୁ ମସ୍ତ ବଡ଼ବଡ଼ ବେଲଣା କାଠି ଭଳି ଗୋଲ ଆଉ ଲମ୍ବା ଲୁହାର–କରତକଳର–ବାକ୍ସ ଭିତରକୁ ଗରଗୁଡ଼ିକ ଗୋଟିଏ ମୁହଁରେ ପଶିଯାଏ; ସେଇ କରତ-କଳ–ବାକ୍ସରେ କରତି ହୁଏ–ତମ ପେନ୍‍ସିଲ୍-କଟା କଳରେ ପେନ୍‍ସିଲ୍ କଟା ହେଲାଭଳି–ଆଉ ଗୋଟିଏ ମୁହଁରେ ତାହା ପଟା ହୋଇ ବାହାରି ପଡ଼େ–ତମ ପେନ୍‍ସିଲ୍-କଟା କଳରେ ଅବଶ୍ୟ ଆଉ ଗୋଟାଏ ମୁହଁରେ ପେନ୍‍ସିଲ୍‍ଟି ବାହାରେ ନାଇ–ଏଇ ଯା’ ତଫାତ୍ ।

 

“ମୋ ବଂଶ ତ ଆହୁରି ବଡ଼”–ଛାତି ଫୁଲେଇ କହିଦେଲା ରନ୍ଦା–‘‘ମୋର ଏତେ ଭାଇ ଯେ, ମୁଁ ସେମାନଙ୍କୁ ଆଜିଯାଏ ପ୍ରାୟ ଗଣି ପାରେ ନାହିଁ, ଗଣୁଗଣୁ କେତୋଟିଙ୍କୁ ଛାଡ଼ିଯାଏ । ସେଥିରୁ ଗୋଟିକୁ କୁହାଯାଏ ‘ମାଠେଣି ରନ୍ଦା’ ଆଉ ଗୋଟିକୁ ‘ଦେ ହରି ରନ୍ଦା’ ।’’ ତୃତୀୟଟିକୁ “ଖୋଳେଇ ବା ହଳୁଆ ରନ୍ଦା”, ଚତୁର୍ଥଟିକୁ ଡକାଯାଏ ବଡ଼ ଯୋଡ଼େଇ ରନ୍ଦା ବା ଜ୍ୟାକ୍‍ପ୍ଲେନ୍.....”

 

“ଚୁପ୍ କର !” –‘ତୋ’ କିନି ପାଟି କରି ଉଠିଲା, ଗର୍ଜନ ଛାଡ଼ିଲା ଆଉ ଗୋଟାଏ ଅଡ଼ଢ଼ଙ୍ଗିଆ ମୁହାଁ କୁରାଢ଼ି ! –‘‘ଛୋଟ ରନ୍ଦା ଖୋଳେଇ ରନ୍ଦା, କୋରେଇ ରନ୍ଦା ଏଇଥିରୁ ଗୁଡ଼ାଏ ନାଆଁରେ ଆମେ ଭଳିଯିବୁ ଯେମିତି–ମାନିଯିବୁ ତମକୁ ବଡ଼ ବୋଲି । ହଇରେ, ମୋତେ କିଏ ନ ଜାଣେରେ ? ମୋ ନାଆଁ କୁରାଢ଼ି ନୁହେଁ–କୁରାଢ଼ିର ଭାଇ ମୁଁ, ବାରିସି ! ସତେ ଯେମିତି କେହି ଜାଣିନ ମୋତେ !–ଅତି ସାଧାରଣିଆ କାମ କରେ ମୁଁ, କିନ୍ତୁ କରେ ଭଲ ଭାବରେ । ମୋଟାରୋଟା କରି କିଛି ଯଦି କାଟି ଛେଲେଇବାକୁ ବା ଫଟେଇବାକୁ ହୁଏ, ତେବେ ଆଗ ସମସ୍ତେ ମୁହାନ୍ତ ମୋ କାଖକୁ–“କାଇଁ ସେ ବାରିସିଟା କାହିଁ ?–କେତେ ନେହୁରା ହୁଅନ୍ତି ମୋତେ !

 

“କେଡ଼େ ଅଭଦ୍ର, ଅସଣ୍ଠଣା, ମୁହଁଖୋରରେ ଏଇଟା !” ସରସର ତରତର ହୋଇ ମତାମତ ଦେଇ ଘଷିହେଲା ରନ୍ଦା ।–“ସବୁବେଳେ ଖାଲି କଥା ଉପରେ କଥା–କୁହାଇ ଦେବନି କିଛି । ହଁ, କ’ଣ କହୁଥିଲିଟି–କେତେ ଭାଇ ମୋର, ନାଇଁ ? ଆଜି ପ୍ରତ୍ୟେକଙ୍କର କାମ କେମିତି ଅଲଗା ! ମାଠେଣି ରନ୍ଦା, ଲମ୍ବା ଲମ୍ବା ପଟାକୁ ସବୁ ସମତୁଲ କରେ, ଚିକ୍କଣ କରେ ସେଇଥିପାଇଁ ଦେହଟି ତା’ର ଲମ୍ବା । କମ୍ପାସ ରନ୍ଦା ବା ଆମ ରନ୍ଦା, ଆବଡ଼ାଖାବଡ଼ା ପଟାରୁ ‘ଖାଲଢ଼ିପ’ ବଙ୍କାଢ଼ଙ୍କାସବୁ ଉଞ୍ଛି ଆଞ୍ଚି ଠିକ୍ କରିବାରେ ଓସ୍ତାଦ ! ଆଉ, ହଳୁଆ ରନ୍ଦା, ପଟା ଉପରେ ଥିବା ସରୁସରୁ “ସରି”ରେ ବା ସିଆରରେ ଚାଲେ ଖୁରୁଖୁରୁ ହୋଇ । ଯେତେ ଚେଷ୍ଟା କରୁ, ଆଉ କୌଣସି ସାଧାରଣ ରନ୍ଦା ସେମିତି ସେ ବାଟରେ ଯା-ଆସ କରିପାରିବ ନାହିଁ । ଆଉ ବଡ଼ ଖୋଳେଇର.....”

 

“ଇସ୍ ଛିଃ, କି ଦିହଚିଡ଼ାଟାଏ ହୋ” ! ବାଧା ଦେଇ କହି ଉଠିଲା ଉହାଟା–‘‘ଆରେ ସତ ଏଇଟି ଯେ, ରନ୍ଦା ଆଉ କରତ ଦୁହିଁଙ୍କି ଦୁହେଁ ତୁମେ ଖୁବ୍ ଦରକାରୀ, ଖୁବ୍ କାମିକା–କିନ୍ତୁ ଜାଣିଚ ନା, ଆମେ ଉହାସବୁ ଆହୁରି ବେଶୀ ଦରକାରୀ, ବେଶି କାମିକା ତମଠୁ ! –ଯେଉଁ କାମଟି ତମେ ସବୁ କରି ନ ପାରି ଛାଡ଼ ଯାଅ, ସେଇଟି କିଏ ତୁଲାଏ ? –ତୁଲାଉ ଆମେ ! କାମରେ ପ୍ରକୃତ ଶୋଭା ଆଣେ ମୁଁ, କାହିଁକି ନା, ତମେ ସବୁ ଯେବେ ଯେଉଁଠି ଯାହା ଖାରୁଖାରୁଆ କରି ରଖିଯାଅ, ଛୁଇଁପାର ନାହିଁ, ସେଠି ମୁଁ ଯାଇ ଲାଗିଯାଏ କାମରେ–ବେଶ୍ ସୁତୁରା କରିଦିଏ–ଚିକ୍କଣ କରିଦିଏ, ପାଲିସ୍ କରିଦିଏ ସେଇ କାମକୁ ।’’

 

“ଅନାରେ ! ଆମ କାରିଗରଙ୍କୁ ଅନା ! ମୁହଁରେ ଲାଜ ଥାଆନ୍ତା ହେଲେ !” କାଇଁକିନି ହେଲା କରତଟା, ତା’ପରେ ହଠାତ୍ ତୁନି ପଡ଼ିଗଲା, ବନ୍ଦ କରିଦେଲା କଥା କହିବା–ବନ୍ଦ କରିଦେଲା ଚିରାଚିରି । –ମୁହୂର୍ତ୍ତେ ପରେ କହିଲା–“ଏଃ, ଦାନ୍ତଗୁଡ଼ାକ କେମିତି ଭାରି ବନ୍ଥଡ଼ା ହୋଇଗଲାଣି । ପ୍ରକୃତରେ ଗୋଟାଏ ଅତି ଟାଣୁଆ କାଠଟାଏ, ହାବୁଡ଼ରେ ପଡ଼ିଚି । ଦେବଦାରୁ କି ପାଇନ୍ ପଟା ଚିରିବା ସହଜ, କିନ୍ତୁ ଶାଳ ପିଆଶାଳ, ଓକ୍ କାଠ ! ଆରେ ବାପ୍‍ରେ ! କେଡ଼େ ଶକ୍ତ ଯେ, ଅତି ଧାରୁଆ ଦାନ୍ତକୁବି ଓଲଟେଇ ବେବ, ବନ୍ଥଡ଼ା କରିଦେବ । ଉହା ଭାଇ ମ ! –ଏ ଉହା ଭାଇ ! ଦାନ୍ତଗୁଡ଼ାକୁ ଟିକେ ଘଷି ଘଷି ଧାରୁଆ କରି ଦେ’ ତ ।’’

 

“ଦେଖିଲ, ଉହା କେମିତି ଦରକାରୀ–” ଖୁଞ୍ଚା ଦେଇ ଜଣେଇ ହେଲା ଉହା, ଆଉ ସାଙ୍ଗେ ସାଙ୍ଗେ ଧାର କରିବାରେ ଲାଗିଗଲା କରତର ଦାନ୍ତ ବା ମୁନଗୁଡ଼ାକୁ ।

 

ଏକ–ଦୁଇ, ଏକ–ଦୁଇ–ଏମିତିକା ଘଷି ହୋଇ ହୋଇ, ମାଜି ମାଜି ଚାଲିଲା କରତର ଧାଡ଼ିକଯାକ ଦାନ୍ତରେ ।

 

“ବୁଝ ଏଥର ! ମୋତେ ଛାଡ଼ି କାଠ–ପାତିଆଟାଏବି କରତି ପାରିବ ନାଇଁ କରତଟା ।’’

 

କ’ଣ ଗୋଟାଏ ମାଉଁସଛିଡ଼ା ରାଗୁଆ ଉତ୍ତର ଦେବ, କରତଟା ଏହା ଭାବିଥାଏ କି ନାହିଁ, ବଢ଼େଇଟି ଥିଲା ଥିଲା ତାକୁ ତଳେ ଥୋଇ ଦେଇ ଉଠେଇଲା ବଟାଳିଟିକୁ ! ବଟାଳିର କି ଆନନ୍ଦ !

 

“ଦେଖରେ ସବୁ ଛତରାଏ ଦେଖ ! ଏଥର ପାଳି ପଡ଼ିଲା ମୋର ! କେହି ଭଲା ତୁମେ ନିହାଣ ମାରି ଜାଣ, ବଟାଳି ମାରି ଜାଣ ? ଅନା, ମୋତେ ଅନା ଏବେ !”

 

“ମୋତେ ଛାଡ଼ି ଗତି ନାଇଁରେ ତୋର–ବେଶି ବାଟ ଯିବୁ ନାଇଁ ତୁ ?” ତାକୁ ଚେତେଇ ଦେଲା ହାତୁଡ଼ିଟି । ସେତେବେଳକୁ ହାତୁଡ଼ିଟିକୁ ଡାହାଣ ହାତରେ ଧରି ସାରିଥାଏ ବଢ଼େଇ । “ରଃ, ଏଥର, ସମାଳ !” –ଏତିକି କହି ବଟାଳି ମୁଣ୍ଡରେ ବସେଇ ଲାଗିଲା ପାହାର ଉପରେ ପାହାର ।

 

“ଓ, ହୋହୋ ! ମଲି, ମଲି, ମଲି ! ରକ୍ଷାକରରେ, ରକ୍ଷାକର ମତେ ।’’ –ବିକଳରେ ରଡ଼ି ଛାଡ଼ୁଥାଏ ବଟାଳିଟା ! –“ହେ, ହେ ! ଏଡ଼େ ଜୋରରେ ପିଟ୍ ନାହିଁ, ମାର୍ ନାହିଁ ଭଲା–ମୋ ମୁଣ୍ଡଟା, ମୋ ‘ବେଣ୍ଟ’ଟା ଫଟେଇଦେବୁ, ଛତୁ କରିଦେବୁ ଯେ, ହେ,-ହେ !”

 

“ହୁଁ ! କ’ଣ କହିଲୁ ଅଳସୁଆଟା ! ଏଡ଼େ ଗଧଟାଏ ତୁ ଯେ, କଷି କରି ତତେ ମାଡ଼ ନ ଚଢ଼େଇଲେ ତୁ କ’ଣ ଚଙ୍କିବୁ କାମ କରିବୁ ? କାଠଟିକୁ କାମୁଡ଼ିକୁ କି ଆଞ୍ଚୁଡ଼ିବୁ ! ଟିକିଏ ହେଲେ କଳବଳ ଥାଆନ୍ତା ତୋର ! ଆରେ ହେ ଲୁହାକଣ୍ଟାଗୁଡ଼ାକ ! ତମେ ସବୁ ସେଠି–ତମ ବୁଢ଼ାଆଙ୍ଗୁଠିଗୁଡ଼ାକୁ ହଲଉଚ, ମୋଡ଼ୁଚ, ବଙ୍କଉଚ କ’ଣ ବେ ସେଠି ? ଯା, ଧାଡ଼ିବାନ୍ଧି ଠିଆ ହୋଇ ରହି ଯା !” –ପାରୁପର୍ଯ୍ୟନ୍ତେ ବଳ ଖଟେଇ ପଟାରେ ଗୋଟିକି ଗୋଟି ଲୁହାକଣ୍ଟା ଲଗେଇ ଦେଇ ଆଗ ପିଟିବାକୁ ଆରମ୍ଭ କରିଦେଲା ହାତୁଡ଼ିଟା । କଣ୍ଟାଗୁଡ଼ିକର ଯେ କ’ଣ କିଛି କହିବାକୁ ଥାଇପାରେ, କିଏ ବା କାନ ଦେଉଛି ସେଥି କି–ପ୍ରତି କଣ୍ଟା ତ ନିଜ ନିଜ ଦୁଃଖରେ ଚପ୍ ! ଏଡ଼େ ଜୋରରେ ଏମିତି ଫାଜିଲଙ୍କ ପରି ପିଟିବାରେ ଲାଗିଲା ହାତୁଡ଼ିଟା, ହଠାତ୍ ଗୋଟିଏ କଣ୍ଟା ବଙ୍କେଇଗଲା ଅଧାରୁ, ହାତୁଡ଼ିଟା ଅଟକିଗଲା ଶୂନ୍ୟରେ–ଆଖି ପିଞ୍ଛୁଡ଼ା ପଡ଼ି ନଥିବ ତା’ର–ଏତିକିବେଳେ ପାଟିତୁଣ୍ଡ କରି ଓଜର କରିବାପାଇଁ ଟିକେ ମଉକା ମିଳିଗଲା କଣ୍ଟାଗୁଡ଼ାକୁ ।

 

“ଆରେ ବାପରେ ବାପ୍ ! କି ଭୟଙ୍କର, କି ଭୟଙ୍କର ହୋ !’’ ପାଟି କରି ଉଠିଲେ ସେମାନେ ସମସ୍ତେ–“କେଡ଼େ ଆଇନ ବିରୋଧୀ କାମ ଏ ! ଆମକୁ ସଳଖା ବାଗରେ ‘ପିଟିବାର କଥା । କ’ଣ କରୁଛ ନା, ପିଟୁଚ କରୁଆ କରି !”

 

“ଚୁପ୍‍କର ! ସବୁ ଠିକ୍‍ଠାକ୍ ହୋଇଯିବ, ଠିକ୍ ଗଳିଯିବ–ଲାଖି ରହିବ ।’’ ଆଶ୍ଵାସ ଦେଲା ହାତୁଡ଼ି–“ତମକୁ ଦୁମ୍‍ଦାମ୍ ପିଟି ଗଳେଇ ଦେଇଚି ସେ, ଦେଉ ! ଦେଖ ! ପୁଣି ଉପାଡ଼ି ବାହାର କରି ଆଣିପାରେ ମୁଁ–କହି ନିଜର ଦି’ କେନିଆ ବଙ୍କା ପଟଟାକୁ ବୁଲେଇ ଦେଇ ଖପ୍‍କିନି ଧରି ପକେଇଲା ବଙ୍କା କଣ୍ଟାଟିକୁ, ମୁଣ୍ଡରୁ ଠିକ୍ ତା’ର–ସେକେଣ୍ଡଟିଏ ଯାଇଥିବ କି ନାହିଁ, ପଟାରୁ ଝିଙ୍କି ଆଣିଲା ପଦାକୁ । ଦି’ ପାହାରରେ ସିଧା କରିଦେଲା ବଙ୍କା ଅଣ୍ଟାକୁ କଣ୍ଟାଟିର–ତା’ପରେ ପୁଣି ଗଳେଇ ଦେଲା ପଟା ଭିତରେ ।

 

“ସବୁଠୁ ବଡ଼ ମୁଁ, ବଳୀୟାର ମୁଁ ! –ସବୁଠୁ ବଡ଼ ମୁଁ, ବଳୀୟାର ମୁଁ’’ –ପଟାରେ କଣ୍ଟାଗୁଡ଼ିକୁ ଗଳାଉ ଗଳାଉ କୋମନ୍ଦ ହୋଇ ଫୁଲେଇ ହେଲା ହାତୁଡ଼ି ।

 

ହଠାତ୍ ଗୋଟାଏ ଗମ୍ଭୀରିଆ ଥରଥରିଆ ବୟସ୍କ ଗଳାର ସ୍ଵର ଶୁଭିଲା–“ଏଃ, ଏତେ ଟାଣ ଏତେ ଗର୍ବ କାହିଁକିରେ ? ନିଜପାଇଁ ଏତେ ନିଶ୍ଚିନ୍ତ ହେଉଚୁ କ’ଣ ? ଦେଖ, ବହୁତ ପାଟିତୁଣ୍ଡ କରୁଚୁ ତୁ !” ଏ ସ୍ଵରଟି ଥିଲା, ବୁଢ଼ା ବଢ଼େଇର ଚଷମା-କାଚହଳକର । ବୁଢ଼ାର ନାକଦଣ୍ଡାରେ ବେଶ୍ ଗୋଡ଼ ଝୁଲେଇ, ବଙ୍କେଇ ହୋଇ ବସି ଅନେକ ରହିଥିଲେ ଗୋଟିଏ ଚୁପ୍‍ଚାପ୍‍ ଧୀରସ୍ଥିର ମୁହୂର୍ତ୍ତକୁ–ଅନେଇ ରହିଥିଲେ ଯେତେବେଳେ କି ଦି’ଚାରିପଦ କଥା କହି ପାରିବେ ସେମାନେ । ଠିକ୍ ସେଇଆ କଲେ–ବୁଢ଼ା ବଢ଼େଇଟି ଯେତେବେଳେ ଟିକିଏନାକୁ ଅଟକିଯାଇ ତଳେ ଥୋଇଦେଲା ହାତୁଡ଼ିଟିକୁ !

 

“କାଇଁକି ଏମିତି ଉଦ୍‍ବାର୍ଯ୍ୟ ହୋଇ କଳି କରୁଚରେ ?’’ ଚଷମାହଳକ ଆରମ୍ଭ କଲେ ପୁଣି କହିବାକୁ–“ତମେ ସମସ୍ତେ କ’ଣ ଗୋଟିଏ କୁଟୁମ୍ବର ନୁହ । ମୂର୍ଖଗୁଡ଼ାକ ! କେବେ ତ ବହି ଖଣ୍ଡେ ପଢ଼ୁନାହଁ, ବୁଦ୍ଧି ହେଲେ ଥାଆନ୍ତା ମୁଣ୍ଡରେ ! ଜାଣିଚଟିକି–ମାଲିକ ଆଉ ମୁଁ, କେତେ ବହି ପଢ଼ିଚୁ ! କେତେ ବଡ଼ବଡ଼, କେତେ ଛୋଟ ଛୋଟ ବହି ! ଏଁ ! ଏମିତିକି ତମ ସମସ୍ତଙ୍କ ବିଷୟରେବି ଗୋଟାଏ ବହି ପଢ଼ିସାରିଛୁ । ଜାଣ ! ସେଥିରେ ଅଛି ସମସ୍ତେ ତମେ ଆସିଛ ପଥରରୁ-। –ପଥର ହେଉଚି ତମର ପୂର୍ବପୁରୁଷ !”

 

“କ’ଣ କହିଲ ! ପଥରରୁ ?” ବାରିସିଟାର ଦେହ ଜଳିଗଲା–ଚିଡ଼ି ଉଠିଲା ସେ-। –“କ’ଣ, ଦିଶୁନାହିଁ ତମକୁ କି ଚକ୍‍ଚକ୍ ଇସ୍ପାତରେ ଗଢ଼ା ମୁଁ, ଆଉ ବେଣ୍ଟଟା ମୋର କେମିତି ଟାଣୁଆ ଲୁହାଭଳି କାଠରେ ତିଆରି ?”

 

“ଏମିତି ଅହଂକାରିଆ ହୁଅନାରେ, ତୁଚ୍ଛାକୁ ବଡ଼େଇ କାଢ଼ ନା !” ଉତ୍ତର ଦେଲେ ଚଷମାହଳକ ! “ତୁ ଲୁହାରେ ତିଆରି ସତ, କିନ୍ତୁ ତୋର ଜେଜେର ଅଣଜେଜେ, ପଣଜେଜେ, ପୁଣି ସେଇ ପଣଜେଜେର ପଣଜେଜେ, ଗଢ଼ାହୋଇଥିଲେ ପଥରରେ, ବୁଝିଲୁ ! କେଜାଣି କେତେ ଶହ ବର୍ଷ ବିତିଗଲା, ସେତେବେଳେ କେହି ଶୁଣି ନଥିଲେ ‘ଲୁହା କ’ଣ, ଇସ୍ପାତ କ’ଣ ! ବାରିସି, କୁରାଢ଼ିରେ କିଛି ହଣାହଣି କଟାକଟି କରିବା ଆଗରୁ, ସେ କାଳର ‘ମରହଟ୍ଟିଆ’ କାରିଗରମାନେ ବ୍ୟବହାର କରୁଥିଲେ ମୁନିଆ ମୁନିଆ, ଧାରୁଆ ଧାରୁଆ ପଥର’ । ପରେ ଧରାଧରି କରିବାକୁ ସହଜ ହେବ ବୋଲି ସେଥିରେ ସବୁ ବେଣ୍ଟ ଭଳି କାଠ ବାଉଁଶ ନେଇ ବାନ୍ଧୁଥିଲେ ସେମାନେ । ହାତୁଡ଼ିସବୁ ସେତେବେଳେ ଗଢ଼ା ହେଉଥିଲା ପଥରରେ ଆଉ କରତଗୁଡ଼ାକ–”

 

“ନା, ନା, ମିଛ ! ମିଛ ! ତମ କଥାରେ ବିଶ୍ଵାସ ନାହିଁ ଜମାରୁ ।’’ –କେଁ କେଁ ହୋଇ ଅପମାନିଆ ସ୍ଵରରେ ପାଟିକଲା କରତ ! ‘‘ପଥରରେ କେହି କେବେ କିଛି କରତି ପାରେନା !”

 

“ପାରେନା କାହିଁକି ? ସାଧାସିଧା ସମତଳିଆ ପଥରରେ କରତି ପାରେନା, ନିଶ୍ଚୟ ! କିନ୍ତୁ ଗୋଟାଏ ‘ଆବଡ଼ାଖାବଡ଼ା’ ‘ଦାନ୍ତିଆ’ ପଥରରେ ବେଶ୍ କରତି ପାରିବ ! ପଥରକୁ ସବୁ ମୁନିଆ ଓ ‘ଦାନ୍ତିଆ’ କରିବାପାଇଁ ଲୋକେ ସେତେବେଳେ ଲାଗିପଡ଼ି ବହୁତ ଖଟୁଥିଲେ । ଯାହା ତିଆରି କରୁଥିଲେ, ତାହା କରତି ହେଉ ନଥିଲା ସତ, ତେବେ, ସେଥିରେ କିଛି ତ ହେଲେ କରତି ହେଉଥିଲା !”

 

“କଥାଟା ଯଦି ଏହା ହୁଏ, ତେବେ ସମସ୍ତଙ୍କଠୁ ତ ମୋର ଗୁରୁତ୍ଵ ବେଶୀ !”–ଧୀରେ ଧୀରେ କହିଲା ଶାଣ ବା ଶାହାଣପଥରଟା । –“ବୟସରେ ସମସ୍ତଙ୍କଠୁ ବଡ଼ ମୁଁ, ଆଉ କୋଉ କାଳର ପୋଖତ, ପହିଲି ଶ୍ରମିକ ମୁଁ ! ସେତେବେଳେ ଗଢ଼ା ହୋଇଥିଲି ପଥରରେ ମୁଁ, ଏତେବେଳେ ସେମିତି ଅଛି ମୁଁ ।” –ଏତିକି କହି ବାରିସିଟିକୁ ଧାର କରୁ କରୁ ଅସରାକୁ ଅସରା ନେଳି ନେଳି ଉଜ୍ଜ୍ଵଳ ସ୍ଫୁଲିଙ୍ଗ ବା ନିଆଁ କଣାଗୁଡ଼ାଏ ଝରେଇ ଝରେଇ ଜୋରରୁ ଜୋର ଘୂରିବାକୁ ଲାଗିଲା ‘ଶାହାଣ’ ପଥରଟା !

 

“ଏଃ, ଇଏ ପୁଣି ସବୁଠୁ ବଡ଼–ୟାର ପୁଣି ‘ଗୁରୁତ୍ଵ’ ଦେଖି, ତୁ ପହିଲି ଶ୍ରମିକ ନୋହୁ !” ଆପତ୍ତି କଲେ, ଗୁଉଁଗୁଉଁ ହୋଇ କହିଲେ, ଚଷମାହଳକ–“ଆମ ମାଲିକ ଯେତେବେଳେ କାମ କରିବାକୁ ଆସିଲେ ଏଠିକି, ତାଙ୍କ ପକେଟରୁ ଆଗ ବାହାର କଲେ ଆମକୁ, ପୋଛିପାଛି ସଫା କଲେ ଆଉ ତା’ପରେ ନାକ ଉପରେ ନେଇ ବସେଇଲେ ଆଦରରେ । ତେଣୁ ମାନ୍ୟଗଣ୍ୟ ଲୋକଙ୍କ ତାଲିକା ଉପରେ ଆଗ ଆଖି ପଡ଼ିଲା ଆମର । ତମେ ସବୁ କହିପାର ସେଇଟା ଗୋଟାଏ ‘ବୁଲେଟିନ୍’ ବା ‘ଖବର ଜଣା ବୋଡ଼୍’–କାରଣ ସେଥିରେ ଲେଖା ଅଛି ଏଇ ବଢ଼େଇ କାରଖାନାର ବଢ଼ିଆ ବଢ଼ିଆ ଶ୍ରମିକଙ୍କର ନାଆଁ ।’’

 

“ତେବେ ତ ମୋ ନାଆଁ ଥିବ ସେଥିରେ ?” –କରତଟି କହିଲା ତରବରରେ–“କାହିଁକି ନା, ମୁଁ ଉ ତ ଆଗ ବୁଲେଟିନ୍ ବୋଡ଼୍‍ପାଇଁ କାଠ ଚିରିଥିଲି ।”

 

“ନା, ନା, ମୋ ନାଆଁ ଅଛି ସେଥିରେ !”–ରନ୍ଦା କହିଲ ଅସମ୍ଭାଳ ହୋଇ–“ମୁଁ ତ ଆଗ କାଠରେ ରନ୍ଦା ମାରିଚି !”

 

“ନା !” –ହାତୁଡ଼ି କି ଆଉ ଧୈର୍ଯ୍ୟ ଧରେ ? ସେ ବି କହିଲା–“ନା ! କାନ୍ଥରେ କଣ୍ଟା ମାରିବାରୁ ସିନା ବୋର୍ଡ଼୍‍ଟା ଝୁଲିଚି–ସଭିଙ୍କଠୁ ବଢ଼ିଆ ମୁଁ–”

 

“ନା, ନା ! ଭୁଲ ! ଭୁଲ ଧାରଣା ସବୁ ତମର ସମସ୍ତଙ୍କର !” –ଥିରି ଥିରି ବୁଝେଇଲେ ଚଷମାହଳକ–“ସେଥିରେ ନାଆଁଟିଏ ଲେଖା ଅଛି ସତ, କିନ୍ତୁ ତା’ କୋଉ ହାତହାତିଆରର ନାଆଁ ନୁହେଁ, ଗୋଟିଏ ଲୋକର ନାଆଁ ସେଇଟି ! ଗୋଟିଏ ମଣିଷର ନାଆଁ, ପ୍ରକୃତରେ ମଣିଷ ବିନା କାହାର ଆମର ମୂଲ୍ୟ କ’ଣ ଯେ ! ମଣିଷ ସିନା ଭାବିଚିନ୍ତି ଆମକୁ ‘ବାହାର’ କରିଛି, ଉଦ୍ଭାବନ କରିଛି, ଆମକୁ ଗଢ଼ିଛି, ବ୍ୟବହାର କରୁଛି । ସମ୍ମାନ ତାଲିକାକୁ ଅନାଅ–ଦେଖ, ଅଛି ୱାସିଲି ପେକ୍ରୋଭଙ୍କ ନାଆଁ–ବଢ଼େଇଶାଳର ଶ୍ରେଷ୍ଠ ଶ୍ରମିକ ସେ ! ‘ମାଲିକ’ର ଛାତ୍ର ସେ–ଆଗେ ତାଙ୍କୁ ସମସ୍ତେ ସଂକ୍ଷେପରେ ଡାକୁଥିଲେ “ଭାସିଆ” ବୋଲି । ସେତେବେଳେ ସେ ଛୋଟ ଥିଲେ ନିହାତି, ଅଳ୍ପ ବୟସର ! ଏବେ କିନ୍ତୁ ମାନଥାନ ଦେଖାଇ ତାଙ୍କୁ ଡାକୁଛନ୍ତି “ଭାସିଲି” । ଜଣେ ଯାହାକୁ ତିନିଦିନରେ ଉପୁଜାଏ, ତିଆର କରେ, ସେ ତାକୁ ଦିନକରେ ତ କରନ୍ତି, ତାହାଠୁ ବଳି ଅଧିକା କରନ୍ତି–ଅଧିକା ଉପୁଜାନ୍ତି, କାରଣ ସେ “ପରିଶ୍ରମୀ !’’ –ଖାଟନ୍ତି ବହୁତ !”

 

ତା’ପରେ ସବୁ ହାତହତିଆର ଏକାବେଳକେ ଏକସ୍ଵରରେ କହି ଉଠିଲେ–“ଆମେ ଜାଣୁ, ଭଲ କରି ଜାଣୁ ତାକୁ, ସେ ଆମକୁ ସବୁ ଦେଖିପାରେ ଖୁବ୍, ଆମର ଯତ୍ନ ନିଏ ସବୁବେଳେ । କାମଟିଏ ସରିଲା ପରେ ବଡ଼ ହେପାଜତରେ ରଖେ ଆମକୁ, ଠିକ୍ ସମୟରେ ସେ ‘ଦାଢ଼’ କରେ, ଶାଣଦିଏ, ମରାମତି କରେ ଆମକୁ । ଆଉ ଆମେ ସବୁ ବା କାହିଁକି ଋଣୀ ହୁଅନ୍ତେ ତା’ ପାଖରେ ? ଆମେବି ‘କାମ’ରେ ଋଣ ଶୁଝିଦେଉଁ । ତା’ ହାତରେ ଥିଲେ କରତଟି ପଟା ଚିରେ–ସତେ ଯେମିତି ‘ଲହୁଣୀ’ ପୁଳିଏ କାଟେ ସେ ! ରନ୍ଦାଟା ଆଗକୁ ପଛକୁ ଚାଲେ ନାହିଁ, କୋଉଠି ଅଟକେ ନାହିଁ, ଲାଗେ ନାହିଁ ଆଦୌ–ଉଡ଼େ ଯେମିତି !”

 

“ମାଲିକବି ତାକୁ ଯେତେ ପ୍ରଶଂସା କରିବା କଥା ସେତେ ପ୍ରଶଂସା କରିପାରୁନାହାନ୍ତି !” ଶେଷରେ ମତ ଦେଲେ ଚଷମା ହଳକ–“କାରଣ ସେ ଯେତେବେଳେ ସମ୍ମାନ ତାଲିକାରେ ଦେଖିଲେ ‘ଭାସିୟା’ର ନାଆଁ–ସେତେବେଳେ କହି ଉଠିଲେ–‘ଆରେ, ବାଃ, ଅବଧାନଙ୍କୁ (ଶିକ୍ଷକଙ୍କୁ) ଟପିଗଲା ଯେ ! ଏବେ ତ ତାକୁ ଜମାରୁ କୋଡ଼ିଏବର୍ଷ ହୋଇନି–ଅଥଚ କାରଖାନା ଗୋଟାକରେ ସେ ହେଉଛି ସବୁଠୁ ବଢ଼ିଆ, ସବୁରି ଭିତରେ ଶ୍ରେଷ୍ଠ–ଶ୍ରମିକଟିଏ !”

Image

 

ପୁରୁଣା ଶ୍ରମିକର ଗୁପ୍ତକଥା

 

ସମୟ ଥିଲା, ଯେତେବେଳେ ସୁଦକ୍ଷ ଶ୍ରମିକସବୁ ନିଜ ନିଜ କାମଧନ୍ଦାରେ ରହସ୍ୟଟିକ ଲୁଚେଇ ରଖୁଥିଲେ; ସାଙ୍ଗସାଥୀ କି ଆଖପାଖର ଲୋକଙ୍କୁବି କିଛି ଫିଟେଇ କହୁ ନଥିଲେ । ଧର, ଗୋଟାଏ ‘ଆଲୟ’ (alloy) ବା ‘‘ମିଶ୍ରଧାତୁର ପଦାର୍ଥ’’ ପ୍ରସ୍ତୁତ ହୁଏ କିପରି, ସେଥିରେ କି ଉପାଦାନ ରହେ ! ଜଣେ ବିଶେଷଭାବରେ ସୁଦକ୍ଷ ଶ୍ରମିକଙ୍କୁ ଏହା ସବୁ ଲେଖି ରଖିବାକୁ ପଡ଼ୁଥିଲା–ଧର, ‘ପୋର୍ସେଲିନ୍’ (ଚୀନାମାଟି)ରେ କି କି ବିଭିନ୍ନ ଗୁଣର ଜିନିଷ କେତେକେତେ ପରିମାଣରେ ମିଶିଲା–ଏହା ସବୁ ଟିପି କାହାକୁ ଜଣାଇବାକୁ ହେଉଥିଲା । ତେବେ ସେ କ’ଣ କରୁଥିଲା ଜାଣ ? ସେହି ‘ଉପାଦାନ’ଗୁଡ଼ିକୁ ସେଗୁଡ଼ିକର ଚଳନ୍ତି ଡାକ ନାଆଁରେ ଲେଖୁ ନଥିଲା । ଉପାଦାନଗୁଡ଼ିକ ଯଦି, ସୁନା କି ରୁପା ହୁଏ, ତେବେ ସେ ଠାରଠୁରରେ ଲେଖୁଥିଲା–‘ସୁନା’ ବଦଳରେ ‘ସୂର୍ଯ୍ୟ’ ‘ରୁପା’ ବଦଳରେ ‘ଜହ୍ନ’ ଏମିତି ‘‘ବାଲି’’ ବଦଳରେ ‘ଗନ୍ଧକ’ କି “ଲବଣ” । ଆହୁରି କେତେକ ଚଳନ୍ତି ଶବ୍ଦକୁବି ସେ ଲେଖୁଥିଲା ଅତି ଅଦ୍ଭୁତ ଭାବରେ । ଏହାକୁ ଅତି ଅଳ୍ପ ଲୋକ ବାରିପାରୁଥିଲେ, କାରଣ, ସେମାନେ ଏ “ଠାର”ତକ ଆଗରୁ ଶିଖୁଥିଲେ । ଏହି ‘ଶବ୍ଦଗୁଡ଼ିକୁ’ ପୁଣି ସେ ନିଜ ମାତୃଭାଷାରେ ନେଉ ନଥିଲା, ନେଉଥିଲା କାହିଁ କେଉଁ କାଳରୁ; ଲୋକେ ଭୁଲିଭାଲି ଯାଇଥିବା ଅତି ପୁରୁଣା ଅଚଳନ୍ତି ଭାଷାରୁ ! ଏହିଭଳି ‘ଜଟିଳ’ ଶବ୍ଦଗୁଡ଼ିକ ଛଡ଼ାବି ଆଉ କେତେ ପ୍ରକାରର ‘କୁଟିଳ’ ଠାରଠୁର, ସଙ୍କେତ ପ୍ରତୀକ ବା ‘ଚିହ୍ନ’ ସବୁ ସେ ବ୍ୟବହାର କରୁଥିଲା । ତା’ରି ଭଳି ‘କାରିଗର’ ଯିଏ, ସେହି କେବଳ ଜିନିଷ ତିଆରିର ଏହି ‘ଠାରଠୁରିଆ’ ସେଗୁଡ଼ିକ ବୁଝିପାରୁଥିଲେ । ଏଗୁଡ଼ିକ ସବୁବେଳେ ସେମିତି ପୋଥିପତ୍ରରେ ସ୍ଥାନ ପାଉଥିଲା ସଙ୍କେତ ବା ପ୍ରତୀକ ଆକାରରେ–ଯେମିତି ପାଣିର ପ୍ରତୀକ ବା ଚିହ୍ନ ଥିଲା–ମୁଣ୍ଡତଳକୁ, ତଳ ଉପରକୁ, ଏମିତିକା ଗୋଟିଏ ତ୍ରିଭୁଜ–ଆଉ ନିଆଁର ପ୍ରତୀକ ବା ଚିହ୍ନ ଥିଲା–ଆଉ ଗୋଟିଏ ତ୍ରିଭୁଜ, ଯାହାର ଡାହାଣପଟ ଭୁଜ ବା ବାହୁଟି ଟେକି ହୋଇ ରହିଥିଲା ଉପରକୁ । ଲବଣ ବା ଲୁଣ କହିଲେ ବୁଝାଉଥିଲା–ଗୋଟିଏ ଛୋଟ ବୃତ୍ତ ଆଉ ତା’ ଭିତରେ ଗାରଟିଏ–ଏଇ ଚିହ୍ନ । ସୁନାର ପ୍ରତୀକ ଥିଲା ବୃତ୍ତଟିଏ, ଆଉ ତା’ କେନ୍ଦ୍ରରେ ଗୋଟିଏ ବିନ୍ଦୁ । ରୁପା ବୋଲି ଜଣାପଡ଼ୁଥିଲା ‘ଅର୍ଦ୍ଧ ଚନ୍ଦ୍ର’ଟିଏ (ଶୁକ୍ଳପକ୍ଷ ଦ୍ଵିତୀୟାର ଜହ୍ନ ଭଳି) । ଆଉ, ‘ତମ୍ବା’ର ଚିହ୍ନଟ ହେଉଥିଲା ଗୋଟିଏ ବୃତ୍ତ ଓ ତା’ ଭିତରେ ଛକିଟିଏ । ବେଳେବେଳେ ବେଶୀ ଚାଲାଖ ଚତୁର କାରିଗର ଏମିତି ସବୁ ଚିହ୍ନ ବା ପ୍ରତୀକ ତା’ ମନରୁ ବାହାର କରି ବ୍ୟବହାର କରୁଥିଲା ଯେ, ସେଗୁଡ଼ିକର ଅର୍ଥହିଁ ଖାଲି ଧରିପାରୁଥିଲା– ।

 

ଆଜିକି ତିନିଶହ ବର୍ଷ ତଳର କଥା ହେବଣି । ଇଟାଲିର ଜଣେ ବୁଢ଼ା କାରିଗର ରଙ୍ଗୀନ ବା ସଚିତ୍ର (stained) କାଚ ତିଆରିର ଗୋଟିଏ ନୂଆ ପ୍ରଣାଳୀ ବା ଉପାୟ ବାହାର କରିଥାନ୍ତି ! ସେ ସେହି ପ୍ରଣାଳୀରେ ସୁନ୍ଦର ସୁନ୍ଦର କାଚବାସନ, ଫୁଲଦାନି, ଝରି, ଗିଲାସ ପ୍ରଭୃତି ତିଆରି କରି ବିକୁଥାନ୍ତି । କ୍ରମେ ତାଙ୍କର ଏହି କାଚଜିନିଷଗୁଡ଼ିକ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଲା । ଲୋକେ ଦେଖିଲେ, ଗୋଟିଏ ଫୁଲଦାନି କି ଗୋଟିଏ ‘ଝରି’ ବା ‘ପାନପାତ୍ର’ର ‘ମୁଠା’ରେ (ହ୍ୟାଣ୍ଡଲ୍)ରେ କାଚର ଶାଗୁଆପତ୍ର ଆଉ ଲତା, ସେଥିରେ ପୁଣି ଚମତ୍କାର ରଙ୍ଗୀନ ଫୁଲ, ସବୁ ଡାଳରେ ଖଞ୍ଜି ହୋଇ ରହିଛି । କିଏ ବା ଆଶ୍ଚର୍ଯ୍ୟ ହୋଇ ନଥାନ୍ତା ! ପ୍ରକୃତରେ ସେମାନଙ୍କର ସମସ୍ତଙ୍କ ଆଖି ଝଲସି ଗଲା । ସମସ୍ତେ ସେହି କାରିଗରଙ୍କ ପାଖକୁ ଧାଇଁଲେ–ତାଙ୍କର ନାଆଁ ଇଟାଲି ଡେଇଁ, କାହିଁ କେତେ ଦୂରର ଅନ୍ୟାନ୍ୟ ରାଜ୍ୟର ଲୋକଙ୍କ କାନରେ ଯାଇ ବାଜିଲା । ଅନ୍ୟ କାରିଗରମାନେ ଲାଗିପଡ଼ିଲେ କେମିତି ସେହି ବୁଢ଼ା କାରିଗର ଭଳି ସୁନ୍ଦର ସୁନ୍ଦର ରଙ୍ଗୀନ କାଚ ତିଆରି କରିବେ ! କିନ୍ତୁ ନାଃ, କେହି ପାରିଲେ ନାହିଁ । ସେମାନେ ସମସ୍ତେ ବୁଢ଼ାଠୁଁ ଏ କାଚ ତିଆରିର ରହସ୍ୟଟିକ ଜାଣିବେ ବୋଲି ତାକୁ ବହୁତ ଟଙ୍କାପଇସା, ଧନଦରବ ଯାଚିଲେ । କେତେ ପ୍ରକାରରେ ତା’ର ହାତଓଠ ଧରି କହିଲେ–ନ୍ୟାୟ ଅନ୍ୟାୟ କେତେ କଳକୌଶଳ କଲେ । ବୁଢ଼ାଠୁ କେମିତି ‘କଲମ’ ଜ୍ଞାନଟିକ ପାଇବେ । କିନ୍ତୁ ବୁଢ଼ା ଏତେ ଧୂର୍ତ୍ତ, ଯେ କିଛି ଇଲମ ଦେଲା ନାହିଁ, କିଛି ବିତେଇଲା ନାହିଁ-। ସମସ୍ତେ ନିରସ୍ତ ହୋଇ ରହିଥାନ୍ତି–ସେତେବେଳକୁ ବୁଢ଼ାର ପୁଅଟିଏ ଥାଏ । ସେ ଆସି ଦରବୁଢ଼ା ହୋଇସାରିଥାଏ । ସେଇ ପୁଅକୁବି ବୁଢ଼ା ରହସ୍ୟଟିକ ଫିଟେଇ କହି ନଥାଏ–କହି ନଥାଏ, କାଳେ ତାହା ବାହାରେ ଫୁଟି ପଡ଼ିବ; ସମସ୍ତେ ଜାଣିଯିବେ । ବୁଢ଼ାର କାରଖାନାରେ ତା’ର ପୁଅ କାମ କରୁଥାଏ, ବୁଢ଼ାକୁ ସାହାଯ୍ୟ କରୁଥାଏ । ହେଲେ କ’ଣ ହେବ, ବୁଢ଼ା ଯେତେବେଳେ ରଙ୍ଗୀନ କାଚପାଇଁ ‘‘ମସଲା” ବା ‘ମିଶ୍ର ପଦାର୍ଥ’ ତିଆରି କରିବାକୁ ବାହାରୁଥାଏ, ସେତେବେଳେ ଯାଇ ଗୋଟିଏ ଅଲଗା କୋଠରୀରେ ବସୁଥାଏ; ଭିତରୁ କବାଟ କିଳି ଦେଉଥାଏ, ପୁଅକୁବି ସେ ଘରକୁ ଛାଡ଼ୁ ନଥାଏ । ପୁଅ ବେଶୀ ଅଳିଝଳି କଲେ କହୁଥାଏ–‘‘ଆରେ, ଟିକେ ରହ ! ଧୈର୍ଯ୍ୟ ଧର-! ଏମିତି ତରବର କାହିଁକି ହେଉଛୁ । ବେଶୀ ଦିନ ତ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ-। ତତେ କହିବିନି ତ କାହାକୁ କହିବି ? ମରିବା ଆଗରୁ ସବୁ କହିଯିବି, ସବୁ ବତେଇଦେଇ ଯିବି-। ତୁ ଗୋଟାଏ ମସ୍ତବଡ଼ ଲୋକ ହୋଇ ଉଠିବୁ । ଚାରିଆଡ଼େ ତୋର ନାଆଁ ହେବ । ମୋର ଯେତେ ଯାହା ଧନସମ୍ପତ୍ତି ସବୁ ତ ତୋର, ତୁ ପାଇବୁ । କିନ୍ତୁ ତୋର ଅସଲ ଧନ ହେବ ଏହି ଛୋଟ ବହି ଖଣ୍ଡିକ, ବୁଝିଲୁ ! ଏହାରି ବଳରେ ଯାହା ଚାହିଁବୁ ତାହା କରିପାରିବୁ ।’’ ଏତିକି କହି ସେ ଦିନେ ପୁଅକୁ ତା’ର ଗୋଟିଏ ବାଦାମୀ ରଙ୍ଗର ଚମଡ଼ା ବହି ଦେଖେଇଲା । ସେଇ ବହିର ପୃଷ୍ଠାଗୁଡ଼ିକ ଅତି ଅଦ୍ଭୁତ ଅଦ୍ଭୁତ ଠାରଠୁର ଚିହ୍ନରେ ବା ପ୍ରତୀକରେ ଭର୍ତ୍ତି ହୋଇଥାଏ । ଆଉ ସେଗୁଡ଼ିକର ଅର୍ଥ ମାଲୁମ ଥାଏ କେବଳ ବୁଢ଼ାକୁ । ବୁଢ଼ା ନିଜେବି ଥରକୁଥର ବଦଳାଉଥାଏ, ନୂଆ ନୂଆ ପ୍ରତୀକ ବାହାର କରୁଥାଏ । ତାହା ଫଳରେ ସେଗୁଡ଼ିକ ଦିନକୁଦିନ ଆହୁରି ‘କୁଟିଳ’ ବା କିଟିମିଟିଆ ଆଉ ଆହୁରି ରହସ୍ୟମୟ ହୋଇ ଉଠୁଥାଏ ।

 

କେତେବେଳେ କେମିତି ପ୍ରତୀକଗୁଡ଼ିକର ‘ମର୍ମ’ କ’ଣ ବୁଝିବାପାଇଁ ପୁଅ, ବାପାକୁ ପଚାରି ହେଉଥାଏ ! କିନ୍ତୁ ପ୍ରତିଥର ବୁଢ଼ା ଉତ୍ତର ଦେଉଥାଏ–‘‘ରହ, ଅପେକ୍ଷା କର ! ଏମିତି ତରବର କାହିଁକି ?’’ ଦିନେ ସତକୁସତ ବେଳ ଆସିଲା, ବୁଢ଼ା ବେମାରିରେ ପଡ଼ିଲା, କତରା ଧରିଲା-। ପୁଅ ଭାବିଲା ସମୟ ହୋଇଗଲା, ବୁଢ଼ା ଗୁପ୍ତକଥା ବା ରହସ୍ୟଟିକ ନିଶ୍ଚୟ କହିଦେବ-।’ ବୁଢ଼ା କିନ୍ତୁ ଭାରୀ ଜିଦିଆ ! ଆଗପରି ଜବାବ ଦେଲା–“ଆରେ, ମୁଁ କ’ଣ ମରିଯାଉଚି ! ରଃ ! ଆଗ ମୁଁ ଭଲ ହୋଇଯାଏ, ଉଠେ !” ପ୍ରକୃତରେ କିନ୍ତୁ ବୁଢ଼ାକୁ ବଡ଼ରୋଗଟାଏ ଗ୍ରାସିଥାଏ । ଶେଷରେ ଦିନ ଆସିଲା, ବୁଢ଼ା ବୁଝିଲା, ଆଉ ସେ କତରା ଛାଡ଼ି ଉଠିବ ନାହିଁ । ପୁଅକୁ ପାଖକୁ ଡାକି ସେ ବହିଖଣ୍ଡିକ ଆଣିବାକୁ କହିଲା; ତା’ପରେ ପୃଷ୍ଠାଗୁଡ଼ିକ ଓଲଟେଇଗଲା । “ଶୁଣ, ମନଦେଇ ଭଲ କରି ଶୁଣ ।” ପୁଅକୁ ଆସ୍ତେକିନା କହିଲା ବୁଢ଼ା ! ‘‘ଗୋଟି ଗୋଟି କରି ସବୁ କହିଯାଉଚି, ଶୁଣ-!’’ ହଠାତ୍ ଯାହା କେହି କେବେ ଭାବି ନଥିବ, ଆଶଙ୍କା କରି ନଥିବ, ତାହାହିଁ ଘଟିଲା । ହୁଏତ ବୁଢ଼ାର ‘ସ୍ମୃତିଶକ୍ତି’ ଲୋପ ପାଇଗଲା–କିଛି ମନେପଡ଼ିଲା ନାହିଁ; କିମ୍ବା ଦୃଷ୍ଟିଶକ୍ତି ଚାଲିଗଲା, କିଛି ତାକୁ ଦିଶିଲା ନାହିଁ । ନିଜେ ସେ ଜୀବନଯାକ ଯାହା ଠାରଠୁରାରେ ବା ‘ପ୍ରତୀକ’ ଆକାରରେ ଲେଖିଥିଲା, ତାକୁ ସବୁ ଉଚ୍ଚାରଣ କରି ପଢ଼ିପାରିଲା ନାହିଁ କି ସେଗୁଡ଼ିକର ଅସଲ ‘ମାନେ’ କ’ଣ ହେବ, ମନେପକାଇ ପାରିଲା ନାହିଁ, ବୁଝିପାରିଲା ନାହିଁ । ଅନେକ ଦିନ ଧରି ଯାହାକୁ ସେ ସମସ୍ତଙ୍କ ପାଖରୁ ଏମିତିକି ପୁଅ ପାଖରୁ ‘ରହସ୍ୟ’ ବୋଲି ଲୁଚେଇ ରଖିଥିଲା, ଏବେ ତାହା ସବୁ ତା’ ନିଜ ପାଖରେ ‘ରହସ୍ୟ’ ହୋଇଗଲା ।

 

“ରହ, ଅପେକ୍ଷା କର ! ଧୈର୍ଯ୍ୟଧର ତରତର ହୁଅନା !” ଟୁପୁଟୁପୁ ହୋଇ ଶୁଖିଲା ଗଳାରେ ପୁଣି ବୁଢ଼ା ସେଇ ପୁରୁଣା କଥା ପଦକ ଘୋରତେଇ ହେଲା–ସେଇ ଯାହା ସେ ସହସ୍ର ଥର କହିସାରିଥାଏ ଆଗରୁ । ତେବେ, ଏଥର ସ୍ଵର ତା’ର ଥରି ଥରି ଉଠିଲା । ବିଛଣା ପାଖରେ ଅଧୀର ଭାବରେ ଛିଡ଼ା ହୋଇଥାଏ ପୁଅ; ଅନେଇଥାଏ, ବୁଢ଼ା ମୁହଁରୁ ଗୁପ୍ତ କଥାଟି ବାହାରିବ ! ବୁଢ଼ା ପୁଅ ଆଡ଼କୁ ଅନେଇ ପାରିଲା ନାହିଁ, ଆଖି ବୁଲେଇ ନେଲା । ମନକୁ ମନ ଫୁସ୍‍ଫୁସ୍ କରି, ନିଜକୁ କ’ଣ କହି କହି, ମୁଣ୍ଡ ହଲେଇ ହଲେଇ ଗରଗର ଫଣଫଣ ହୋଇ ପୃଷ୍ଠା ପରେ ପୃଷ୍ଠା ଓଲଟଉଥାଏ । ନାଃ ! କିଛି ବୋଲି କିଛି ମନେପଡ଼ୁ ନଥାଏ, ଧରିପାରୁ ନଥାଏ ସେ । ନିଜେ ସେ କ’ଣ ଲେଖିଥାଏ, ବୁଝିପାରୁ ନଥାଏ ଟିକିଏ ହେଲେ !

 

“ଅପେକ୍ଷା କର ! –ଟିକିଏ ବିଶ୍ରାମ କରେଁ–ଥକିଗଲିଣି ! ତା’ପରେ ସବୁ କହିବି !” –ଏତିକି କହି ବୁଢ଼ା ବିଶ୍ରାମ କଲା, ଆଖି ବୁଜିଲା ଯେ ବୁଜିଲା, ଚିରଦିନ ପାଇଁ । ପୁଅ ଏକାବେଳକେ ତାଟକା ହୋଇଗଲା–ବୋକା ପାଲଟିଗଲା–ହତାଶରେ ଭାଙ୍ଗିପଡ଼ିଲା । ଯାହା ଧନସମ୍ପତ୍ତି ପାଇଥିଲା–ବୁଢ଼ା ଜୀବନଯାକ ଖଟି ଯାହା ସଂଚୟ କରିଯାଇଥିଲା–ତାକୁ ସେ ପାଗଳଙ୍କ ପରି ଅଳ୍ପ ଦିନରେ ଖର୍ଚ୍ଚ କରି ଉଡ଼େଇଦେଲା । ଶେଷରେ ତା’ ପାଖରେ ରହିଲା ସମ୍ବଳ ହୋଇ ସେଇ ଚମଡ଼ା ଟିପାଖାତା ବା ବହିଖଣ୍ଡିକ । ତାକୁବି ସେ ଖୁସିରେ ବିକି ଦେଇଥାନ୍ତା ! କିନ୍ତୁ ପଇସାଟିଏ ଦେଇ କିଏ ବା ତାକୁ କାହିଁକି କିଣିଥାନ୍ତା ? କାରଣ କିଏ ବା ଏଡ଼େ ବୋକା ହୋଇଥାନ୍ତା ଯେ, ଯାହାକୁ କେବେହେଲେ କେହି ପଢ଼ି ପାରି ନଥାନ୍ତା, ତାକୁ ନେଇ ଖାଲି ସାଇତିଥାନ୍ତା ?

 

ଇଏ ତ ଅନେକ ଦିନର ଘଟଣା । କିନ୍ତୁ ଏବେବି ଏମିତି କେତେ ଲୋକ ଅଛନ୍ତି, ସେମାନେ ମନେରଖିଛନ୍ତି–ଆଗେ କେମିତି କାରିଗରମାନେ ନିଜ ନିଜ କାମର ଗୁମରଟିକ ଫିଟଉ ନଥିଲେ, ନିଜ ଦକ୍ଷତା ବା ବିଚକ୍ଷଣତାର ଅସଲ ମରମଟିକ କାହାକୁ କହୁ ନଥିଲେ, ସମସ୍ତଙ୍କଠୁ ଲୁଚେଇ ରଖୁଥିଲେ ।

 

ଏ ସମ୍ପର୍କରେ ମସ୍କୋର ଗୋଟିଏ କାରଖାନାର ଜଣେ ବୁଢ଼ା ଲୁହା–ଢଳେଇ ଶ୍ରମିକଙ୍କ କଥା ଦେଖାଯାଉ ! ଥରେ ଏଇ ଶ୍ରମିକଙ୍କୁ କୁହାଗଲା, ‘‘ତମେ ଇସ୍ପାତ ଢଳେଇ କେମିତି ଶିଖିଲ, ପିଲାଙ୍କୁ ଟିକିଏ କୁହ !’’ ସେ ସେମାନଙ୍କୁ କହିଥିଲେ–

 

ଅନେକ ବର୍ଷ ହେଲାଣି, ଜଣେ ଖୁବ୍ ପୋଖତ ଇସ୍ପାତ–ଢଳେଇ ମିସ୍ତ୍ରିଙ୍କ ପାଖରେ ମୁଁ କାମ ଶିଖୁଥାଏ । ସେତେବେଳକୁ ଆଖପାଖ ଅଞ୍ଚଳରେ ତାହାର ଭାରି ନାଆଁ ଡାକ । ଲୋକେ କହୁଥାନ୍ତି–ତାଙ୍କରବି ଗୋଟାଏ କ’ଣ ଗୁପ୍ତକଥା ଥାଏ, କାମର ଗୁମର ଥାଏ । ସେଇଟିକୁ ସେ କେବେ କାହାକୁ କହୁ ନଥାନ୍ତି ! କାମକୁ ଗଲାବେଳେ ହଳେ ନେଳିଚଷମା ଲଗେଇବା ତାଙ୍କର ଅଭ୍ୟାସ ଥାଏ । କାରଖାନାରେ ପହଞ୍ଚି ଫର୍ଣ୍ଣେସ ବା ଚୁଲିକୁ ଆଗ ଗୋଟିଏ ଛୋଟ ଗଳି–ଝରକା ବାଟେ ନିରେଖି କରି ଚାହାନ୍ତି । କିନ୍ତୁ ଯାହା ଦେଖନ୍ତି, ତାହା ତାଙ୍କ ମନରେହିଁ ରହେ–କେବେ କାହା ଆଗରେ ଫିଟେନାହିଁ । ଲୋକେ ଏଭଳି ଭାରିବାର କାରଣ ହେଉଚି, ସେ ଫର୍ଣ୍ଣେସକୁ ‘ଏକାଗ୍ରଭାବରେ’ ଟିକିଏ ଅନେଇ ଦେବା ସାଙ୍ଗେ ସାଙ୍ଗେ ଜାଣିପାରୁଥାନ୍ତି–କେଉଁଠି କ’ଣ କରିବାକୁ ହେବ ! ତାଙ୍କ ଛାତ୍ର ବା ନୂଆଶିଖାଳିକୁ କହନ୍ତି–‘‘ସେଥିରେ ଆଉ କିଛି ଚୂନ ମିଶାଅ !” କିନ୍ତୁ କାହିଁକି ଚୂନ ମିଶାଇବାକୁ ହେବ, ଏଇ କଥାଟି ଜଣାନ୍ତି ନାହିଁ । କେହି ପଚାରିଦେଲେ, ଓଲଟି ରାଗି ଉଠନ୍ତି । ତେଣୁ ଆମେ ସବୁ ଡରି ଡରି ଥାଉ, କିଛି ଆଉ ପଚାରୁନାହିଁ । ଥରେ ବିଚାରିଲି, ବୁଢ଼ାର ‘ଗୁପ୍ତକଥା’ ଯେମିତି ହେଉ ବାହାର କରିବି । ପ୍ରଥମେ ଭାବିଲି, ବୁଢ଼ାର ସେଇ ଅଦ୍ଭୁତ ନେଳି ଚଷମା ହଳକରେ ନିଶ୍ଚୟ କିଛି କ୍ଷମତା ଅଛି । ତା’ ବଳରେ ବୁଢ଼ା ସବୁ ବାରିପାରୁଛି । ଏହା ନହେଲେ, ବୁଢ଼ା ତାକୁ ସବୁବେଳେ ପିନ୍ଧୁଥାନ୍ତା କାହିଁକି ? ତେଣୁ–ଦିନେ ବୁଢ଼ା ନଥାଏ, ବାହାରକୁ ଯାଇଥାଏ । ଯୋଗକୁ ଟେବୁଲ ଉପରେ ‘ଅଦ୍ଭୁତ’ ଚଷମାଟି ଛାଡ଼ି ଯାଇଥାଏ । ତାକୁ ଲଗେଇ ଫର୍ଣ୍ଣେସର ସେଇ ଛୋଟ ରହସ୍ୟମୟ ଝରକା ପାଖକୁ ଗଲି । ଆଗରୁ ଅନେକ ଥର ସେ ଝରକାବାଟେ ଖାଲି ଆଖିରେ ଅନେଇବାକୁ ଚେଷ୍ଟା କରି ନଥାଏ, ନୁହେଁ । କିନ୍ତୁ ସିଧାସଳଖ ବୈଶାଖର ଦିପହରିଆ ସୂର୍ଯ୍ୟକୁ ଅନେଇବା ଭଳି ଫର୍ଣ୍ଣେସକୁ ଚାହିଁବା ଭାରି କଷ୍ଟକର ! ତାତିଲା, ଝଲସିଲା, ଡହକିଲା, ଶିଖା, ଆଖି ଅନ୍ଧ କରିଦିଏ ! କେବେହେଲେ ମୁଁ ଅନେଇପାରେ ନାହିଁ । ବୁଢ଼ା ପାଖରେ ଥରେ ହସି ହସି କହେ–‘‘ସବୁ ଖାଇବାକୁ ଭଲେଇ, ହାଇଁପାଇଁ କେଡ଼େ ବିଲେଇ !”

 

କିନ୍ତୁ ନେଳି ଚଷମା ପିନ୍ଧି ଯେବେବେଳେ ଅନେଇଦେଲି–କ’ଣ ହେଲା ଜାଣ ! ଆଖିକି ତ କଷ୍ଟ ହେଲା ନାହିଁ, ତାତି ଆଉ ଝଲସରେ ଡୋଳା ଦିଇଟା, କି ମୁହଁଟା ପୋଡ଼ି ପୋଡ଼ି ଗଲା ନାହିଁ-। ବେଶ୍ ଘୋଡ଼େଇ ହୋଇ ରହିଲା ଆଖି ଦି’ଟା ! ତେଣୁ ଫର୍ଣ୍ଣେସ ଭିତରେ କ’ଣ ହେଉଛି, ସହଜରେ ଧରିପାରିଲି । ଦେଖିଲି–ଧଳା’ ‘ଧଳା’ ଶିଖାଗୁଡ଼ାକ ଭିତରେ ଟକମକ ହୋଇ ଫୁଟୁଚି ତରଳା ଲୁହା–ପାଚି ଲାଲ ପଡ଼ିଯାଉଛି ଭଙ୍ଗାତୁଟା ଲୁହାସବୁ–ତରଳି ଯାଉଚି, ଆଉଟି ହେଉଚି । ଚଷମା ଲଗେଇ ଦେଖିବାରୁ ସିନା ଫଣ୍ଣେସ ଭିତରେ ଏସବୁ କ’ଣ ହେଉଚି, ବାରିପାରିଲି; କିନ୍ତୁ ସେତିକିରେ ‘ଇସ୍ପାତ’ କେମିତି ଢଳେଇ ହୋଇ ବାହାରେ ଜାଣିପାରିଲି ନାହିଁ !

 

ଏତିକିବେଳେ ଠିକ୍, ଫେରିଲେ–କୁଆଡ଼େ ଯାଇଥିଲେ ବୁଢ଼ାମିସ୍ତ୍ରି–ମୋର ଗୁରୁ । ଫର୍ଣ୍ଣେସକୁ ଅନେଇ ‘ଚମତ୍କାର’ ଲୁହାତରଳା ଦେଖି, ମୁଁ ନିଜକୁ ପାସୋରି ପକେଇଥାଏ । ଏତେ ଭୋଳ ହୋଇଯାଇଥାଏ ଯେ, ବୁଢ଼ା ଆସି କେତେବେଳେ ଠିକ୍‍ ମୋ ପଛରେ, ଠିଆ ହେଲାଣି, ଜାଣିପାରିଲି ନାହିଁ । ‘‘ହୁଁ ଆଚ୍ଛା ! ବେଶ୍ !” ବୁଢ଼ା କହି ଉଠିଲା–‘‘ତ୍ରିଲଭଙ୍କ ଗପର ମାଙ୍କଡ଼ ଭଳି ତୁ ! ଚଷମା ପିନ୍ଧି ବେଶି ସିଆଣା ହେଇଯାଉଚୁ ନାଇଁ ? କିନ୍ତୁ, କାଇଁ ତା’ବି ତ ନୁହେଁ !”

 

କିନ୍ତୁ ଏଥର କି ମୁଁ ହଟେ ? ଗୁପ୍ତକଥାଟି ବାହାର କରିବାପାଇଁ ମନେ ମନେର ପ୍ରତିଜ୍ଞା କରିଥାଏ, ଆଗରୁ ଦେଖିଥାଏ–ବୁଢ଼ା ଅନେକ ସମୟରେ ଛୋଟ ଟିପାଖାତାରେ କ’ଣ ସବୁ ଲେଖେ-

 

ଭାବିଲି, ଥରେ ସେ ଟିପାଖାତା ହାତରେ ପଡ଼ନ୍ତା କି ! ନିଶ୍ଚୟ ବୁଢ଼ା ସେଥିରେ ସବୁ ଲେଖିରଖିଛି–କେଉଁ ଉପାଦାନରୁ କେତେ ପରିମାଣ ଯୋଗେଇଦେବାକୁ ହେବ, ଆଉ ଇସ୍ପାତ କେମିତି ବାହାର କରିବାକୁ ହେବ । ଭାଗ୍ୟକୁ, ବୁଢ଼ା ଦିନେ ଟିପାଖାତାଟି ଗଳେଇପକେଇଲା । ସେଇଟିକି ଉଠେଇନେଇ, ତରତର ହୋଇ ପଢ଼ିଗଲି । ଧରିନେଲି ରହସ୍ୟ ମାଲୁମ ହୋଇଗଲା । କିନ୍ତୁ ଏ କ’ଣ–ଛୋଟ ଟିପାଖାତାଟି ଭର୍ତ୍ତି ହୋଇଯାଇଚି ଗୁଡ଼ାଏ ଗୁଡ଼ାଏ ‘ସଂଖ୍ୟା’ରେ–ଆଉ, ଅଦ୍ଭୁତ ଅଦ୍ଭୁତ ଠାର-ଚିହ୍ନ ବା ପ୍ରତୀକରେ ! ଯେତେ ଚେଷ୍ଟା କଲିବି ବିନ୍ଦୁଟିଏବି ସେଥିରୁ ବୁଝିପାରିଲି ନାହିଁ; କାହାରି ଅର୍ଥ କିଛି ଠଉରେଇ ପାରିଲି ନାହିଁ । ବୁଢ଼ା ଏ ‘ସୂତ୍ରକୁ’ ଭାରି ଗୁରୁତ୍ଵ ଦେଉଥିବ । ସେଇଥିପାଇଁ ଜାଣିଶୁଣି ଏମିତି ପ୍ରତୀକମାନ ବ୍ୟବହାର କରିଚି, ଯାହା ନିଜେ ସେ ଖାଲି ବୁଝୁଥିବ, ଆଉ କେହି ଧରିପାରିବେ ନାହିଁ । କାହିଁକି କେଜାଣି ସେଇ ଦିନଠୁ ମୋର ଜିଦି ବଢ଼ିଗଲା–ବୁଢ଼ା ଯାହା କଲା, ତାକୁ ମୁଁ ଆହୁରି ଟିକିନିଖି କରି ଲକ୍ଷ୍ୟକଲି । ବୁଢ଼ା ବେଳେବେଳେ ତରଳାଧାତୁରୁ ଟିକିଏ ଟିକିଏ ଆଣି ପରୀକ୍ଷା କରି ଦେଖେ, ଇସ୍ପାତ ପ୍ରସ୍ତୁତ ହେଲାଣି କି ନାହିଁ ବାରେ–ତାକୁ ଦେଖିଦେଲାମାତ୍ରେ କହେ, ସେଥିରେ ଆଉ କିଛି ରାସାୟନିକ ଦ୍ରବ୍ୟ ମିଶିବା ଦରକାର କି ତାକୁ ଥଣ୍ଡା କରାଯିବାବେଳ ଆସିଗଲାଣି । ବୁଢ଼ା ପରୀକ୍ଷା କରିସାରି ତରଳାଧାତୁ ବା ଲୁହାକୁ ଫିଙ୍ଗିଦିଏ । ମୁଁ ତାକୁ ଗୋଟେଇପୋଟେଇ ଘରକୁ ନିଏ । ସମୟ ପାଇଲାକ୍ଷଣି ଦେଖେଁ, ଗୋଟିଏ ଥରର ‘ତରଳାଧାତୁ ବା ‘ତରଳା ଲୁହା’ ଆଉ ସବୁ, ଅନ୍ୟ ଥରର ‘ଢଳେଇ’ ଲୁହାଠୁ ଫରକ କେମିତି ଓ କାହିଁକି ।”

 

–ଏମିତି ବର୍ଷ ପରେ ବର୍ଷ ବିତିଲା, ଏଇ ଶିକ୍ଷାନବିସ୍ ଛାତ୍ରଟି ନିଜେ ଗୋଟିଏ ଦକ୍ଷ ଲୁହାତଳେଇ ଶ୍ରମିକ ହୋଇ ଉଠିଲା । ଲୁହା କାରଖାନାରେ ସମସ୍ତେ କହିଲେ,–‘‘ନିକୋଲାଇ ଇଭାନୋଭିଚ୍ ତା’ ନିଜ ବୟସର ସାଙ୍ଗସାଥୀଙ୍କ ତୁଳନାରେ କେତେ ବେଶୀ ବେଶୀ, କେଡ଼େ ଭଲ, ଭଲ ଇସ୍ପାତ ତିଆର କରିପାରୁଚି ।’’

 

ଥରେ ଢଳେଇ-ଶ୍ରମିକମାନେ ମିଳି ଆଲୋଚନା କଲେ–ଢଳେଇକାମର ପ୍ରଣାଳୀ କେମିତି ଆହୁରି ଭଲ ହେବ, ଚଞ୍ଚଳ ଚଞ୍ଚଳ ବେଶୀ ଲୁହା ଉତ୍ପାଦନ କରିହେବ ! ଭେଣ୍ଡିଆ ଶ୍ରମିକଟିଏ ଥିଲା, କହିଲା–ନିକୋଲାଇ ଇଭାନୋଭିଚ୍‍ଙ୍କୁ ପଚରାଯାଉ ! ମୋର ଅନୁମାନ, ସେ ନିଶ୍ଚୟ କିଛି ସୂତ୍ର ପାଇଛନ୍ତି । କାରଣ, ଫର୍ଣ୍ଣେସଟା ସବୁବେଳେ ତାଙ୍କ କଥା ମାନୁଚି ।

 

“ମୋର କିଛି ରହସ୍ୟ ଫହସ୍ୟ ନାହିଁ, ଚୋରାଲୁଚା କଥା କ’ଣ କିଛି ଜାଣେନା ମୁଁ”–ଉତ୍ତରରେ ଜଣାଇଥିଲେ ନିକୋଲାଇ ଇଭାନୋଭିଚ–‘‘ଅବଶ୍ୟ ମୋର ଅଭିଜ୍ଞତା ହେଲାଣି, ଜ୍ଞାନବି କିଛି ବଢ଼ିଚି । ଅଧିକା କିଛି ଇଲମ ପାଇଛି । ଆଗେ ପୋଖତ ଢଳେଇଶ୍ରମିକ ସବୁ ଏ ବିଷୟ କାହାକୁ କହୁ ନଥିଲେ, ଲୁଚେଇ ଛପେଇ ରଖୁଥିଲେ । କିନ୍ତୁ କାହିଁକି ଏ ରାତି ଧରୁଥିଲେ ଜାଣ ? ସେମାନେ ଭାବୁଥିଲେ–ସେମାନେ ଯାହା ଜାଣନ୍ତି, ତାହା ଯଦି କହିଦିଅନ୍ତି, ତାହାହେଲେ ଅନ୍ୟ ଶ୍ରମିକମାନେ ତାଙ୍କରି ଭଳି ଦକ୍ଷ ହୋଇ ଉଠିବେ; ଫଳରେ ସେମାନଙ୍କର ନାଆଁ ବୁଡ଼ିଯିବ, ଆଉ କେହି ତାଙ୍କୁ ମାନିବେ ନାହିଁ, ଉଚ୍ଚ ହାରରେ ମଜୁରୀବି ମିଳିବ ନାହିଁ । ଏମିତିକି ତାଙ୍କ କାମ ବା ଚାକିରିବି ଚାଲିଯିବ ।

 

ଏବେ କିନ୍ତୁ–ସୋଭିଏତ କଳକାରଖାନାରେ ସୁଦକ୍ଷ ଶ୍ରମିକମାନେ ବେଶୀ ସମ୍ମାନ ପାଉଛନ୍ତି, ଯଦି ସେମାନେ ନିଜେ ଭଲଭାବରେ କାମ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶିଖେଇ ତାଲିମ କରିପାରୁଛନ୍ତି । ମତେ କେତେ ଦୁଃଖ କଷ୍ଟ ସହି ସବୁ ଜାଣିବାକୁ ପଡ଼ିଥିଲା । କିନ୍ତୁ ତମ ଅମଳରେ ଏଣିକି, ସେ ଭୟ ତ ନାହିଁ । ସେଭଳି ବାଧା ସବୁ ନାହିଁ । ତମେ ଶିଖିବାକୁ ଚାହିଁଲେ, ଯାହା ଜାଣେ, ଶିଖାଇବି । ତମ ସାଙ୍ଗରେ ମିଶି ତମଠୁବି କିଛି ଜାଣିବି ।”

 

ମସ୍କୋର ଏହି ବୁଢ଼ା ଢଳେଇ ଶ୍ରମିକ ଯେ, ଅନ୍ୟ ଶ୍ରମିକମାନଙ୍କୁଠୁ ଅଲଗା, ଏହା ନୁହେଁ-। କାରଣ, ଏବେ ସବୁ ଶ୍ରମିକ ଏକାଠି ମିଳିମିଶି ନିଜ ନିଜର ଜ୍ଞାନ ଓ ଅଭିଜ୍ଞତା ବିଷୟରେ ଚର୍ଚ୍ଚା କରୁଛନ୍ତି, ପରସ୍ପରକୁ ଶିଖାଉଛନ୍ତି, ପରସ୍ପରଠୁ ଶିଖୁଛନ୍ତି ।

 

ଆଉ ଗୋଟିଏ, ଏମିତିକା ଘଟଣା କଥା ଦେଖାଯାଉ–

 

ଫ୍ୟାକ୍‍ଟରିଟିଏ, ସେଥିରେ ‘କଳ’ ବା ଯନ୍ତ୍ରପାତି ତିଆରି ହୁଏ ।

 

ସେଇ ଫ୍ୟାକ୍‍ଟରିରେ କାମ କରୁଥାନ୍ତି ଯୋଡ଼ିଏ ଯୁବତୀ । ଜଣଙ୍କ ନାଆଁ ନାଦ୍ୟା, ଆରଜଣଙ୍କ ନାଆଁ ଶ୍ଵେତା । ପିଲାଦିନରୁ ସାଙ୍ଗ ସେମାନେ । ଏକାଠି ଟେକ୍‍ନିକାଲ ବା କାରିଗରୀ ସ୍କୁଲ୍‍ରେ ପଢ଼ୁଥିଲେ । ଫ୍ୟାକ୍‍ଟରିରେ କାମରେ ଏକା ସମୟରେ ପଶିଥିଲେ ଟର୍ଣ୍ଣର ବା କୁନ୍ଦକାରିଣୀ ଲେଦ୍‍ଚାଳିକା ଭାବରେ ଯିଏ ଲୁହାବନ୍ଦକରନ୍ତି ଯୋଡ଼ିଏ ଲେଦ୍ ମେସିନ୍‍ରେ ପାଖାପାଖି କାମ କରୁଥାନ୍ତି । ଦିନେ ନାଦ୍ୟା ଶ୍ଵେତାକୁ କହିଲା–‘ଏଠି ସମସ୍ତେ ପ୍ରତିଯୋଗିତା’ ଚଳେଇଚନ୍ତି କାମରେ, କିଏ ଆଗ ବେଶୀ କାମ ଭଲ ଭାବରେ କରିପାରିବ । ଆ ଆ ଆମରବି ପ୍ରତିଯୋଗିତା ଆରମ୍ଭ କରିବା । ଦେଖିବା ଦିନକୁ କିଏ ବେଶୀ କଳ ‘ପାର୍ଟ୍‍ସ ବା କଳର ଅଂଶ ଯନ୍ତ୍ରପାତିମାନ ତିଆର କରିପାରୁଛି ।”

 

ଦିହିଁଙ୍କି ଦିହେଁ ଏହା ଠିକ୍ କଲେ–ଜୋର୍‍ସୋର୍‍ରେ କାମରେ ଲାଗିଲେ । ଟିକିଏ ହେଲେ ସମୟ ନଷ୍ଟ କରୁ ନଥାନ୍ତି । ପହିଲି ଦିନରେ ନାଦ୍ୟା କାମରେ ବଳିଗଲା । ତା’ ହାତ ଭାରି ଫୁର୍ତ୍ତି, ଆଉ ଠିକଣାବି । ଯେତେ ଚେଷ୍ଟା କଲେବି ଶ୍ଵେତା ତା’ର ସମକକ୍ଷ ହୋଇପାରିଲା ନାହିଁ । କେମିତି ନାଦ୍ୟାକୁ ଟପିବ, ଏଇଆ ଖାଲି ଭାବି ଭାବି ଥରେ ରାତିଟାଏ କଟେଇଦେଲା । ତହିଁ ଆରଦିନ ଅନ୍ୟମାନେ ଆସିବା ଆଗରୁ ଫ୍ୟାକ୍‍ଟରିକୁ ଆସି କାମ ଆରମ୍ଭ କରିଦେଲା । ପୋଛିପାଛି ଚିକ୍କଣ କଲା, ନିର୍ମଳ କଲା ଲେଦ୍‍ଟିକୁ । ସାମନାରେ ଝାଡ଼ିଝୁଡ଼ି ସଜେଇ ରଖିଲା ଯନ୍ତ୍ରପାତିଗୁଡ଼ିକୁ–କାଳେ ମନ ଚଗଲବଗଲ ହେବ, ସେଥିପାଇଁ କାମବେଳେ ଭୁଲରେ ସୁଦ୍ଧା ନାଦ୍ୟା ଆଡ଼କୁ ଚାହିଁଲା ନାହିଁ । ଲେଦ୍‍ରେ ଗୋଟିଏ କିଛି କଳକବଜା ଗଢ଼ା ହୋଇଗଲାବେଳକୁ ଶ୍ଵେତା ଆଉ ଗୋଟିଏ ଭୁଞ୍ଜେଇବା ପାଇଁ ସଜେଇ ରଖୁଥାଏ । ତାକୁ ଭାରି ଭଲ ଲାଗୁଥାଏ । ଲେଦ୍‍ଟା ଆଗ ତୁଳନାରେ ଖୁବ୍ ବେଗରେ ଚାଲିଲା । ସନ୍ଧ୍ୟାବେଳେ ଦୁହେଁ ଦୁହିଁଙ୍କର ଦିନମାନରେ ତିଆରି ଜିନିଷର ହିସାବ ନେଲେ-। ଶ୍ଵେତା ଏତେ କଠିନ ପରିଶ୍ରମ କଲେବି ନାଦ୍ୟା ପଛରେ ପଡ଼ିଲା । କେତୋଟି ସଂଖ୍ୟାର (ଧର, ଦଶଟି) ତିଆରି ଜିନିଷକୁ ନେଇ ଶ୍ଵେତା ଗୋଟିଏ ଏକକ ବା ୟୁନିଟ୍ ଠିକ୍ କରିଥାଏ । ମୋଟ ତିଆରି କରୁଥିବା ଜିନିଷ କେତେ ସମୟ ମଧ୍ୟରେ କେତେ ଉତ୍ପନ୍ନ ହେଲା, ଏହି ମାପ ଅନୁସାରେ ହିସାବ କରୁଥାଏ । ନାଦ୍ୟା କିନ୍ତୁ ଠିକ୍ କରିଥାଏ ଦେଢ଼ୋଟି ଏକକର ଜିନିଷ । ଏହା ମାନେ– ଧର, ଶ୍ଵେତା ଘଣ୍ଟାକେ ଦଶଟି ଜିନିଷ ତିଆରି କଲେ, ନାଦ୍ୟା ତିଆରି କରିବ ୧୫ଟି–ଏହା ସ୍ଥିର କରିଥାଏ ନାଦ୍ୟା ! ଏହି ‘ମନ’ ଅନୁସାରେ ପ୍ରତ୍ୟେକ ଶ୍ରମିକ ଦିନକୁ ସବୁଠୁ ଋଣା ହେଲେବି କେତେ କାମ କରିବ, ତାହା ଧାର୍ଯ୍ୟ ହୋଇଥାଏ । ଶ୍ଵେତା ମନରେ ସୁଖ ନଥାଏ । ପୁରୁଣା ଶ୍ରମିକ ଜଣେ, ତା’ ପାଖକୁ ଆସି ପଚାରିଲା–‘‘ତମେ ଏତେ ଶୁଖିଲା ଦିଶୁଚ କାହିଁକି ? ମୁହଁ ଝାଉଁଳି ପଡ଼ିଛି ତମର ? ତମେ ନାଦ୍ୟା ପଛରେ ପଡ଼ିଯାଇଚ ବୋଲି ନା କ’ଣ ? କଥାଟା ଯଦି ଏଇଆ, ତମେ ତାକୁ ପଚାରୁନ–ସେ ଏତେ କରିପାରୁଚି କେମିତି ?”

 

“ସେ କାହିଁକି ମତେ ଶିଖେଇବ ଯେ ? ଆମେ ‘ପ୍ରତିଯୋଗିତା କରୁଚୁ ପୁଣି ।”

 

ପୁରୁଣା ‘ଟର୍ଣ୍ଣର’ ବା ‘କୁନ୍ଦକାରୀ’ ଆଉ ଲେଦ୍-ଚାଳକ ଜଣେ କହିଲା–‘‘ମତେ ଲାଗୁଚି ଜାଣିଶୁଣି ତୁମେ ବୋକିଙ୍କ ପରି ହେଉଚ । ତମ ଦୁହିଁଙ୍କର ସ୍ଵାର୍ଥ ଆଉ ଇଚ୍ଛା ତ ସମାନ, ନା ନୁହେଁ ? ନାଦ୍ୟା ଭଳି ଆମେ ଯେତେ ଶ୍ରମିକ ପାଇବୁ, ସେତେ ଶୀଘ୍ର ଆମ ଫ୍ୟାକ୍‍ଟରି ଭଲ ଆଡ଼କୁ ଯିବ–ସବୁଠୁ ଭଲ ଫ୍ୟାକ୍‍ଟରିଗୁଡ଼ିକ ସାଙ୍ଗରେ ସମସ୍କନ୍ଧ ହେବ । ଆଉ ଆମେ ସେତେ ଶୀଘ୍ର କଳକବଜା ଯୋଗେଇ ପାରିବୁ ଦେଶକୁ ।”

 

ଶ୍ଵେତା, ତା’ର ପରାମର୍ଶ ଶୁଣିଲା । କାମ ସରିଲା ପରେ ନାଦ୍ୟା ପାଖକୁ ଯାଇ ପଚାରିଲା–‘‘ନାଦ୍ୟା, ଦିନକୁ ତୁ ଏତେ କେମିତି ତିଆର କରିପାରୁଛୁ, ମତେ ଟିକିଏ କହିବୁ ନାହିଁ ?”

 

“ଆରେ ବାଃ, କହିବି ନାଇଁ କାହିଁକି ? –ସତେ ମ ଭାରି ଖୁସି ଲାଗୁଛି–ଏମିତି ପଚାରିଲୁ ତୁ !” ନାଦ୍ୟା ହସି ହସି ଉତ୍ତର ଦେଲା–“ତୋତେ କହିବି ବୋଲି ଭାବିହେଉଥିଲି, କେମିତି କହିବି, ସାହସ ପାଉ ନଥିଲା, କାଳେ ଭୁଲ ବୁଝିବୁ–ଦେଖ ଆଜି କାମ ପରେ ଦୁହେଁ କିଛି ସମୟ ଏଠି ରହିଯିବା, ସବୁ କଥା ତୋତେ ଦେଖେଇଦେବି, ବୁଝେଇଦେବି ।”

 

ପରେ ଶ୍ରମିକମାନେ ଦେଖିଲେ, ଦିନକୁଦିନ ଶ୍ଵେତାର କାମ ଅଧିକରୁ ଅଧିକ ହେଉଛି–ତା’ର ତିଆରି ମାଲ ବଢ଼ିବାରେ ଲାଗିଛି । ସବୁଠୁ ବେଶୀ ଦ୍ରୁତ ବେଗରେ ଚାଲୁଚି ତା’ର ଲେଦ୍ ମେସିନ୍ । ଶ୍ଵେତାର ‘କଟାକଟି’ ଯନ୍ତ୍ର ତଳରୁ ଠିକ୍ ଧାତୁଦ୍ରବ୍ୟର ଉଞ୍ଛାଉଞ୍ଛି ଗୁଣ୍ଡଗୁଡ଼ିକ ଉଡ଼ୁଛି ସବୁବେଳେ । ଶ୍ଵେତା ଚାହୁଁଚାହୁଁ ଅଳ୍ପ ଦିନରେ ନାଦ୍ୟାର ସମକକ୍ଷ ହୋଇ ତାକୁ ଟପି ଆଗେଇଲା । କାରଣ ଶ୍ଵେତା ଦିନକୁ ଦୁଇଟି ଏକକର କାମ କଲା । ଏତିକିବେଳେ ନାଦ୍ୟା କହିଲା–“ଏଥର ମତେ ଶିଖେଇବା ପାଳି ତୋର । ମତେ ଲାଗୁଛି, ତୁ ନୂଆ ବାଟ କିଛି ବାହାର କରିଚୁ । ଆଉ ମୁଁ, ତୋ ସାଙ୍ଗ ଧରି ପାରୁନି ।”

 

ସେହି ଦିନଠାରୁ ଦୁହେଁ ଦୁହିଁଙ୍କୁ ସାହାଯ୍ୟ କରି କାମ କଲେ । ଜଣେ ପଛରେ ପଡ଼ିଗଲେ, ଆରଜଣକ ତାକୁ ସାହାଯ୍ୟ ଦେଲା, ତାକୁ ଧରି ଉପରକୁ ଉଠେଇଲା । ସୋଭିଏତ କଳକାରଖାନାର ଶ୍ରମିକମାନେ, ଏମିତି ବହୁତ ଘଟଣା କହିବେ ।

 

ଆମ ଦେଶରେ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଶିଖାଉଛନ୍ତି, ସାହାଯ୍ୟ ଦେଉଛନ୍ତି । କେହି କାହାଠୁ କିଛି ଲୁଚାଉନାହାନ୍ତି । କେହି ନିଜର ଜ୍ଞାନ ଓ ଅଭିଜ୍ଞତାକୁ ନିଜର ଗଣ୍ଠିଧନରୂପେ ରଖୁନାହାନ୍ତି । କାରଣ, ସମସ୍ତେ କାମ କରୁଛନ୍ତି ସମାନ ଉଦ୍ଦେଶ୍ୟରେ, ସମାନ ଲକ୍ଷ୍ୟ ହାସଲପାଇଁ-

Image

 

Unknown

ଅଦ୍ଭୁତ ଭଣ୍ଡାର ଘର

 

ଗୋଟିଏ ଚମତ୍କାର ଭଣ୍ଡାର ଘର ଅଛି, ଆମର ଏଇ ପୃଥିବୀରେ । ଗ୍ରୀଷ୍ମଋତୁରେ ସେଠି ଯଦି ବସ୍ତାଏ ଶସ୍ୟ ରଖିଦିଅ, ହେମନ୍ତଋତୁବେଳକୁ ତାହା କୋଡ଼ିଏ ବସ୍ତା ହୋଇଥିବ । ଏମିତି, ଗୋଟାଏ ଝୁଡ଼ି ଆଳୁ କୋଡ଼ିଏ ଝୁଡ଼ି ହୋଇଥିବ; ମୁଠାଏନାକୁ ମଞ୍ଜି ଗଦାକୁ ଗଦା କାକୁଡ଼ି, ମୂଳା ବିଲାତିବାଇଗଣ କି ଗାଜର ପାଲଟିଥିବ !

 

କେବେ ଭଲା ସେଇ ମଞ୍ଜି ଦେଖିଚ, ଯାହାର ଦୁଇଟି ଛୋଟିଆ ଡେଣା ଥାଏ, ସେଇ ଯାହାକୁ ତମେ ଯଦି ଫୁଙ୍କିଦିଅ, ଉଡ଼ିଯାଏ କୁଆଡ଼େ ? ସେଇ ଡେଣାଲଗା ମଞ୍ଜିଗୁଡ଼ିକ ଭିତରୁ ଗୋଟିଏ ଯଦି ଉଡ଼ିଯାଇ ଭଣ୍ଡାରଘରେ ପଶେ ଆଉ କିଛି ସମୟ ରହେ, ତେବେ ଦେଖିବ, ଯେଉଁଠି ମଞ୍ଜିଟି ଯାଇ ପଡ଼ିଥିବ, ସେଇ ସ୍ଥାନରେ ଗୋଟିଏ ମସ୍ତବଡ଼ ‘ଛାଇଦିଆ’ ଗଛ ଉଠିବ ।

 

ଏ କ’ଣ ଗୋଟାଏ ପରୀଗପ ? ନା, ପରୀଗପ ନୁହେଁ, କିମିଆ କଥା ନୁହେଁ । ପ୍ରକୃତରେ ଚମତ୍କାର ଭଣ୍ଡାରଘରଟି ଅଛି । ତମେ ହୁଏତ ଅନୁମାନ କରିସାରିବଣି, ଏଇଟିକୁ କ’ଣ କହନ୍ତି । ଏହାକୁ କହନ୍ତି ମାଟି । ତମେ ହୁଏତ ଟେବୁଲ ପାଖରେ ବସିଚ, ଏ ବହିଟି ପଢ଼ୁଚ । ଟେବୁଲ ଓ ବହି ଉଭୟ ଗୋଟିଏ ଗଛରୁ ବାହାରିଛନ୍ତି । ଆଉ ଗଛଟି ବାହାରିଥିଲା ଗୋଟିଏ ମଞ୍ଜିରୁ-। ମଞ୍ଜିଟି ପଡ଼ିଥିଲା ମାଟିରେ । ତମ କାମିଜଟି ତିଆରି ଛଣପଟ ତନ୍ତୁରେ–ଆଉ ଛଣପଟ ଆସିଥିଲା ‘ମାଟିରୁ’–ଛଣପଟ ଗଛ ଉପୁଜିଥିଲା ମାଟିରେ ଦିନେ ପୋତା ହୋଇଥିବା ଗୋଟିଏ ମଞ୍ଜିରୁ-

 

ଗ୍ରୀଷ୍ମଋତୁରେ ଭଣ୍ଡାରଘରଟିର ତାଲା ଫିଟେ । ମୁନିଆ ଆଉ ଧାରୁଆ ହଳରେ ଚାଷ ହୁଏ ତା’ର କ୍ଷେତଗୁଡ଼ିକ ! ତା’ପରେ ସେଥିରେ ବୁଣାଯାଏ ମଞ୍ଜି ବା ବିହନ ।

 

ଏହାପରେ ତାଲାପଡ଼େ, ବନ୍ଦ ହୁଏ ଭଣ୍ଡାରଘରଟି । ମାଟିରେ ଘୋଡ଼େଇ ଦିଆଯାଏ ବିହନଗୁଡ଼ିକ ! ଆଳୁ ଆଉ ଚାରାଗଛ ସବୁବି ରଖାହୁଏ ଏହି ଭଣ୍ଡାରଘରଟିରେ । ହେମନ୍ତ ଋତୁରେ ମାଲିକ ଆସେ, ଭଣ୍ଡାରଘରଟି ଖୋଲେ । ତାହାପାଇଁ ଯାହା ସବୁ ରହିଥାଏ, ତାହା ଦେଖେ; ସଂଗ୍ରହ କରିନିଏ । ସେତେବେଳେ ସେ କ’ଣ ଦେଖେ ଆଉ ସଂଗ୍ରହ କରେ, ଜାଣ ? ଗଦାକୁ ଗଦା ଧାନ, ଗହମ, ଆଳୁ, କାକୁଡ଼ି, ତରଭୁଜ, ମକା, ଗାଜର, ମୂଳା, କୋବି, କେତେକଅଣ ଏମିତି !

 

ଏଇ ଅଦ୍ଭୁତ ଭଣ୍ଡାରଘରଟି ମାନିଥାଏ କିନ୍ତୁ ଗୋଟିଏ ଭଲ ମାଲିକକୁ ! ଅଳସୁଆ ମାଲିକପାଇଁ ଏହା କିଛି ହେଲେ ସଞ୍ଚୟ କରି ରଖେ ନାହିଁ । ଅଳସୁଆ ମାଲିକ ଆସିଲେ, ହେମନ୍ତ ଋତୁରେ ଧାନ, ଗହମ, ଆଳୁ, କୋବି କି ଅନ୍ୟ ପନିପରିବା ବଦଳରେ ପାଏ ବାଳୁଙ୍ଗାଗୁଡ଼ାଏ, ବଣୁଆ ଘାସପତ୍ର କି ଲଟିଝାଟିଗୁଡ଼ାଏ ! ଏଇ ବାଳୁଙ୍ଗା, ଏଇ ଘାସପତ୍ର ସବୁ ଭଣ୍ଡାରଘରକୁ ଆସିଥାଏ କେମିତି, ଜାଣ ? ଆସିଥାଏ ବୁଣାବୁଣି ରୁଆରୋଇବେଳେ । ଅଳସୁଆ ନିକମା ମାଲିକଟି, ବିଲ ଚାଷ କରି ନଥାଏ ଭଲ କରି; ମଞ୍ଜିଗୁଡ଼ିକ ବୁଣିବା କି ପୋତିବା ଆଗରୁ ବାଛିବୁଛି ଦେଖି ନଥାଏ ଠିକ୍ କରି । ସେ ଭଲ ବିହନ ସାଙ୍ଗରେ ଖରାପ ବିହନ ମିଶାଇ ପୁଣି ଦେଇଥାଏ ଅନ୍ଧଙ୍କ ଭଳି । ଆଉ ବାଳୁଙ୍ଗାଗୁଡ଼ାକ କ’ଣ ସେଥିରେ କମ୍ ଖୁସି ହୁଅନ୍ତି ! “ଧାନ, ଗହମ”ର ଅସଲ ବିହନ ପରି ସେସବୁର ବିହନ ବୁଣାହେଲାରୁ ସେମାନେ କଅଁଳ ଛନଛନ ହୋଇ ବଢ଼ନ୍ତି ସେଗୁଡ଼ାକ-। କିନ୍ତୁ ସେମାନେ ପ୍ରକୃତ ଧାନ, ଗହମର ଗଛଗୁଡ଼ିକୁ ଚିପି ଅଣନିଃଶ୍ଵାସୀ କରି ଦିଅନ୍ତି । ନିଜେ ସବୁ ପାଣି ଆଉ ଆଲୁଅତକ ମାରି ନେଇ ପ୍ରକୃତ ଧାନ, ଗହମ ଗଛଗୁଡ଼ିକୁ ଶୋଷରେ, ଭୋକରେ ଆଉ ଥଣ୍ଡାରେ ରଖି ଦିଅନ୍ତି । ସେଇ ବାଳୁଙ୍ଗା ବଣୁଆ ଗଛଗୁଡ଼ାକର ବାରିବଗିଚାରେ ବଢ଼ିବା ହେଉଛିବି ଗୋଟାଏ ମସ୍ତ ଗୁଣ ! ପନିପରିବା କିଆରିରୁ ମଧ୍ୟ ସେଗୁଡ଼ିକୁ ଉପୁଡ଼ା ହୋଇ ବଛାଯିବା ଦରକାର-। କିନ୍ତୁ ଅଳସୁଆ ମାଲିକ ଟିକିଏ ହେଲେ ସେ କଥା ଭାବେ ନାହିଁ ! ଏଣୁ ଶେଷରେ ସେ ଯାହା ପାଏ, ତାହା ସେଇ ବାଳୁଙ୍ଗା, ଅଗାଡ଼ି, ଘାସପତ୍ର, ଲଟିଝାଟି ଛଡ଼ା ଆଉ କ’ଣ ହୁଅନ୍ତା ଯେ ?

 

ପରିଶ୍ରମୀ ମାଲିକ କଥା କିନ୍ତୁ ପୂରାପୂରି ଅଲଗା । ସେ ସବୁବେଳେ ନିଜ ଜମିବାଡ଼ି, ଧନସମ୍ପତ୍ତି ଦେଖାରଖା କରେ, ତା’ର ଯତ୍ନ ନିଏ, ତାକୁ ବଢ଼େଇକୁଢ଼େଇ ନିଜେ ଖୁସି ହୁଏ, ଅନ୍ୟକୁ ଖୁସି କରାଏ । ଏଣୁ ବୁଣାବୁଣି ପାଇଁ ସେ ଆଗ ଭଲ ବିହନ ବାଛେ । ମାଟିରେ ଖତସାର ଦିଏ, ତାକୁ ଗହିରିଆ କରି ଦୋରସ୍ତଭାବେ ହଳ କରେ । ଆଉ ଫସଲ ଠିକ୍ ପାଚିବା ସାଙ୍ଗେ ସାଙ୍ଗେ ତାକୁ ଅମଳ କରେ–ତା’ର ଗୋଟିଏ ହେଲେ ଶସ୍ୟ ନଷ୍ଟ ହୁଏ ନାହିଁ । ଭଲ ମାଲିକ ଯିଏ, ସିଏ କିଆରିରେ ବା ବାରିରେ କେଉଁଠି ଘାସପତ୍ର ରଖିଦିଏ ନାହିଁ, ବାଳୁଙ୍ଗାଗୁଡ଼ାକୁ ନିର୍ମୂଳ କରିଦିଏ । ପ୍ରକୃତରେ ଦେଖିଲେ, ସେ ସବୁବେଳେ ବାଳୁଙ୍ଗା, ଅନାବନା ବଣୁଆ ଘାସଲଟି ବିରୁଦ୍ଧରେ ଯୁଦ୍ଧ ଚଳାଏ–ସେଗୁଡ଼ିକ ତା’ର ଭଗାରି ! ସେଥିପାଇଁ ସେ ଧାନ, ଗହମ, ଆଳୁ, କୋବି, ଆଦି ଯାହା ଯେତେ ପରିମାଣରେ ପାଏ, ଅଳସୁଆ ମଠୁଆ ମାଲିକ ତାହାର କାଣିଚାଏବି ପାଏ ନାହିଁ ।

 

ଏସବୁ ଦେଖାଇଦେଉଛି ଯେ, ଭଣ୍ଡାରଘରଟି ଯେଡ଼େ ବଢ଼ିଆ ଯେଡ଼େ ଚମତ୍କାର ହେଉ ପଛେ ତମେ ତା’ ସାଥିରେ ମିଶି ‘ତମ କାମ’ ନ କଲେ ତମକୁ ତା’ ଅଦ୍ଭୁତ କିଛି ଦେଇପାରିବ ନାହିଁ-! ତମେ ଯଦି ତମ ପଡ଼ୋଶୀମାନଙ୍କ ସାଙ୍ଗରେ ମିଶି ଏକାଠି କାମ କର, ତେବେ ଆଶ୍ଚର୍ଯ୍ୟଜନକ ଫଳ ପାଇବା ଡେରି ହେବ ନାହିଁ ।

 

ଆଜକୁ ଅନେକ ବର୍ଷ ହେଲାଣି, ରୁଷରେ ଅକ୍‍ଟୋବର ବିପ୍ଳବ ଆଗରୁ ଗାଆଁ ଗହଳରେ ଚାଷୀ ଲୋକେ ସବୁ ବଡ଼ ଦୁଃଖରେ ଥିଲେ, ବଡ଼ କଷ୍ଟରେ ଜୀବନ କଟାଉଥିଲେ । ଚାଷୀଙ୍କର ଜମିବାଡ଼ି ଆଦୌ ନଥିଲା । କାହାର କାହାର ବା ଅତି ଅଳ୍ପ ଥିଲା । କାରଣ, ଜମିଦାରମାନେ ସବୁ ମାଡ଼ି ବସିଥିଲେ । କୌଣସି ଗୋଟିଏ ଚାଷୀର ହଳଟିଏ କିଣିବାକୁ ପଇସା ନଥିଲା–ମଞ୍ଜ ବୁଣା-କଳ କି ଶସ୍ୟକଟା ମେସିନ୍ କିଣିବା ତ କାଇଁ କେଉଁ ଦୂରର ଥିଲା । ଧର, ତା’ ଭାଗ୍ୟରେ ଯଦିବା ସେମିତି କଳଟିଏ ଜୁଟି ଯାଇଥାନ୍ତା, ତଥାପି ସେ ତାକୁ ନେଇ କ’ଣ କରିବ, ଜାଣିପାରି ନଥାନ୍ତା–କାରଣ ଭୂଇଁ ଚାଖଣ୍ଡଙ୍କରେ ହଳଟିଏ ବୁଲାଇଥାନ୍ତା କେମିତି ? ଘୋଡ଼ା କି ବଳଦ ଛିଡ଼ା ହେବାକୁ ତ ତା’ ଜମି ବିଶ୍ଵାସ କୁଳଉ ନଥିଲା ! ଚାଷୀ ସେତେବେଳେ ଅଗାଡ଼ିମିଶା ଖରାପ ବିହନ ନେଇ ବିଲରେ ବୁଣୁଥିଲା । ବିହନ ବାଛିବାପାଇଁ ମେସିନ୍ ବା ଥିଲା କେଉଁଠି ! ବଡ଼ବଡ଼ ଜମିଦାର, ‘କୁଲାକ୍’ ବୋଲାଉଥିବା ଅତି ବଡ଼ବଡ଼ ଚାଷୀ କେଇ ଜଣ ଚାଷ–ଉପଯୋଗୀ କେତୋଟି ପୁରୁଣାକାଳିଆ କଳ କିଣି ପାରୁଥିଲେ । ସେଇମାନଙ୍କରହିଁ ସେଥିପାଇଁ ପଇସାବଳ ଥିଲା-

 

କିନ୍ତୁ ଏ ଅବସ୍ଥା ବଦଳିଗଲା । ଜମିସବୁ ‘ସରକାରୀ’ ହେଲା, ‘‘ରାଷ୍ଟ୍ରୀୟ ସମ୍ପତ୍ତି’’ ହେଲା, ଜଣ ଜଣଙ୍କର ‘ଦଖଲ’ରେ ରହିଲା ନାହିଁ କି ଜଣେ ଜଣେ ଲୋକ ଗୁଡ଼ାଏ ଗୁଡ଼ାଏ ଜମିର ମାଲିକ ହୋଇ ବସିଲେ ନାହିଁ । ଚାଷୀମାନଙ୍କର ଛୋଟ ଛୋଟ କିଆରିଗୁଡ଼ିକ ମିଶି ଗୋଟିଏ ଗୋଟିଏ ବଡ଼ବଡ଼ ‘ଚକ’ ହେଲା–ସେଗୁଡ଼ିକ ‘କୋଠଚାଷୀ’କୁ ଜମି ଗଲା । ସୋଭିଏତ ସରକାର କୋଠଚାଷୀମାନଙ୍କୁ ସାହାଯ୍ୟ ଦେବାପାଇଁ ବାହାରିଲେ; ଚାଷ ଉପଯୋଗୀ ଯନ୍ତ୍ରପାତି ଓ ଟ୍ରାକ୍‍ଟର୍ ଯୋଗାଣ କେନ୍ଦ୍ରମାନ ଖୋଲିଲେ, କୋଠଚାଷୀମାନଙ୍କୁ ତାହାସବୁ ଯୋଗାଇବାକୁ ଲାଗିଲେ ।

 

ଏହି ଟ୍ରାକ୍‍ଟର୍-କେନ୍ଦ୍ରଗୁଡ଼ିକରେ ଅନେକ ଶକ୍ତିଶାଳୀ ମେସିନ୍ ରହୁଚି । ‘କୋଠଚାଷ’ ସଂଗଠନମାନ ସେସବୁ ନେଇ ଆବଶ୍ୟକମତେ ବ୍ୟବହାର କରୁଛି ।

 

ସେହି ମେସିନ୍‍ଗୁଡ଼ିକ ଭିତରୁ ଗୋଟିଏ ହଳକରେ ତ ଅନ୍ୟଟି ବିହନ ବୁଣେ ଆଉ ଗୋଟିଏ ଫସଲ କାଟେ, ପୁଣି ଶସ୍ୟ ବାଡ଼େଇ ‘ଶସ୍ୟ’ ଅମଳ କରି ଗଦାକରେ ଆଉ ଗୋଟିଏ । କେବଳ ଅମଳ ହୋଇଗଲେ ତ କାମ ସରେ ନାହିଁ ! ଅମଳ ଧାନଗହମରେ ବହୁତ ଧୂଳିମାଟି, କୁଟାକାଠି, ନାନାପ୍ରକାର ଗୁଣ୍ଡଫୁଣ୍ଡ ଥାଏ, ତେଣୁ ଗୋଟିଏ ପାଛୁଡ଼ାପାଛୁଡ଼ି ମେସିନ୍ ଅମଳ ହୋଇଥିବା ଧାନଗହମକୁ ଉଡ଼ାଏ; ସେଥିରୁ ତଷୁ, ଅଗାଡ଼ି ବାହାର କରିଦିଏ–ବଡ଼ ଚାଲୁଣିରେ ସେଗୁଡ଼ିକ ଗଡ଼େଇ କାଠିକୁଟାକୁ ଅଲଗା କରେ । ଆଉ ଗୋଟିଏ କଳ ଅଛି, ସେଥିରେ ‘ବାଳୁଙ୍ଗା’ ଧାନଗହମ ଅଗାଡ଼ି ପ୍ରଭୃତିର ବିହନ, ଭଲ ଧାନ ଗହମରୁ ଅଲଗା ହୋଇଯାଏ । ବିଲବାଡ଼ିକୁ ହଳ ନେବାବେଳ ଆସିଗଲେ, ଟ୍ରାକ୍‍ଟର୍–ଟଣା ମସ୍ତ ବଡ଼ବଡ଼ ହଳ ଟ୍ରାକ୍‍ଟର୍ କେନ୍ଦ୍ରରୁ ଅଣାଯାଏ–କଟାକଟି ଓ ଅମଳ ସମୟ ପହଞ୍ଚିବାକ୍ଷଣି ଠିକ୍ ! ଚାଷୀ ସବୁବି ଧାରରେ କଟା, ଅମଳ ଓ ଉଡ଼ାଉଡ଼ି ପାଇଁ ଥିବା “କମ୍ବାଇନ” ‘ବହୁମୁଖ’ ଅମଳକାରୀ କଳମାନ ମପାଇ ପଠାନ୍ତି । ଏହି ମେସିନ୍‍ଟା ସବୁଠୁ ବଳି ଚତୁର ଆଉ କାମିକା । କାରଣ, ଏକାଥରକେ ଏହା ଅନେକ କାମ ତୁଲାଏ–ଏହା ଧାନ କି ଗହମ କାଟେ, ଅମଳ କରେ, ଉଡ଼ାଏ ଆଉ ତାକୁ ନେଇ ବସ୍ତାରେ ପୂରାଏ ।

 

ମନକୁ ଘେନିଲା ଭଳିଆ କେତେ ପ୍ରକାରର ମେସିନ୍ ବାହାରିଲାଣି ସତେ ! ଆଗେ ଆଳୁ ମଞ୍ଜିମାନ କିଆରିରେ ସବୁ ପୋତା ହେଉଥିଲା, ହାତରେ । ଏବେ କିନ୍ତୁ ଇଞ୍ଜିନିୟର୍‍ମାନେ ଆଳୁଲଗା ମେସିନ୍ ବାହାର କରିଛନ୍ତି । ଏ ମେସିନ୍‍ଟି ବିଲରେ ଚାଲିଲାବେଳେ ସିଆର କାଟି କାଟି ଯାଏଁ; ଆଉ ସଙ୍ଗେ ସଙ୍ଗେ ଗୋଟିଏ ବାକ୍ସରୁ ଗୋଟି ଗୋଟି କରି ଆଳୁମଞ୍ଜି ଗଳେଇ ସିଆରରେ ପକାଏ ଓ ତା’ ଉପରେ ମାଟି ଚଢ଼େଇ ତାକୁ ପୁଣି ଘୋଡ଼େଇଦିଏ ! ତଳି ରୋଇବାକୁବି ମେସିନ୍ ତିଆର ହେଲାଣି । ଏହା ଥରେ ଆଗେଇ ଯାଏଁ, ଛଅଟି ତଳି ସିଆରରେ ପୋତିଦିଏ, ସାଙ୍ଗେ ସାଙ୍ଗେ ସେଥିରେ ଟୋପିଏ ଟୋପିଏ ‘ଜନମ ପାଣି’ବି ଦେଇଯାଏ ! ଏହାପରେ ଆଉଥରେ ଆଗେଇ ଏମିତି ଆଉ ଛଅଟି ତଳି ରୁଏ, ଛଅଟି ଛୁଆଙ୍କୁ ଏକାବେଳକେ ହେପାଜତ କରି ଦେଖାରଖା କରିବା କ’ଣ କମ୍ କଥା ! କି ବଢ଼ିଆ ‘ଧାଈମା’ ବା ନର୍ସ ଏ କଳଟା !

 

କଳକାରଖାନାର ଶ୍ରମିକମାନେବି ତେଣେ ବହୁତ ନୂଆ ନୂଆ ଦରକାରୀ ମେସିନ୍ ତିଆରି କରିବାରେ ଲାଗିଛନ୍ତି–ବର୍ଷକୁ ବର୍ଷ ଏହି ମେସିନ୍‍ଗୁଡ଼ିକ ସକାଶେ ଚାଷୀଙ୍କ ଖଟଣି ହାଲୁକ ଓ ସରଳିଆ ହେଉଛି । ଆଗେ ଚାଷୀଟିଏ ଜାଣିପାରୁ ନଥିଲା–ଜମିବାଡ଼ିର ଆୟ ଆମଦାନିରୁ ସେ ବର୍ଷକଯାକ ଖାଇପିଇ ଚଳିପାରିବ କି ନାହିଁ,–ଫସଲ ତା’ର ଭଲ ହେବ କି ନାହିଁ । ଏବେ ଲୋକେ ଆଉ ‘ପ୍ରକୃତି’ ହାତକୁ ଅନେଇ ବସୁନାହାନ୍ତି–ସେ ତାଙ୍କୁ କ’ଣ ହାତ ଟେକି ଦାନ ଦେବ ତାହାକୁ ଚାହିଁ ଚାହିଁ ଦକଦକ ହେଉନାହାନ୍ତି । ସେମାନେ ପ୍ରକୃତିଠୁ ସବୁ ଟାଣିଟୁଣି ଆଦାୟ କରୁଛନ୍ତି । ପ୍ରକୃତରେ ଯାହା ଦେବାର କ୍ଷମତା ଅଛି, ତାହା ସେ ଲୋକଙ୍କୁ ନ ଦେଇ ରହିପାରୁ ନାହିଁ ! କାରଣ, ସେମାନେ ଏବେ ଜମିରେ ସାର ଦେଉଛନ୍ତି, ଖତ ପକାଉଛନ୍ତି, ତାକୁ ଉର୍ବର କରୁଛନ୍ତି । ସେଥିରେ ନୂଆ ନୂଆ କିସମର ଭଲ ଭଲ ଗୁଣର ବିହନ ପକାଉଛନ୍ତି, ତଳି ରୋଉଛନ୍ତି । ଜଳ–ଜମିଗୁଡ଼ିକରୁ ପାଣି ବାହାର କରି ଦେଉଛନ୍ତି । ଆଉ ମରୁଭୂମିଗୁଡ଼ିକରେ ପାଣି ମଡ଼ାଉଛନ୍ତି । ସେମାନଙ୍କର ଏହି ଶ୍ରମର ଓ ‘ଫଳ’ ଖୁସି ମନରେ ଛନଛନ ହୋଇ ଯୋଗେଇ ଦେଉଛି ମାଟି ! ସେହି ଅଦ୍ଭୁତ ଭଣ୍ଡାରଘରଟି, ଆମର ଏଇ ପୃଥିବୀରେ ! ତାଙ୍କ ପାଖରେ ଏହା ଉପହାର ପରି ଅଜାଡ଼ି ଦେଉଛି କୁଢ଼କୁ କୁଢ଼ ଧାନ, ଗହମ, ରବିଫସଲ, ଗଦାକୁ ଗଦା ସେଓ, ନାସପାତି, କାକୁଡ଼ି, ତରଭୁଜ, ମକାଭଳି କେତେ ଜାତିର ରସୁଆଳିଆ ଫଳ ଆଉ ଆଳୁ, କୋବି ଆଉ କେତେ ପନିପରିବା, ପୁଣି କପା ଛଣପଟ ପ୍ରଭୃତି କେତେ ପ୍ରକାରର ଜିନିଷ !

Image

 

କୋଠଚାଷ ଫାର୍ମର ନଈଟି

 

କାମରେ ଲାଗିଲା କେମିତି ।

 

ଗୋଟିଏ ଗାଁ ମଝିରେ ବହିଯାଉଥାଏ ଛୋଟ ନଈଟିଏ । ନଈଟିର ଗୋଟିଏ ପାଖ ଉଞ୍ଚା ଆଉ ତିଖ; ଆରପାଖଟି ନୁଆଁଣିଆ । । ଉଞ୍ଚା ପାଖରେ ଧାଡ଼ିଏ ଘର, ନୀଚା ପାଖରେବି ଧାଡ଼ିଏ । ଖରାଦିନ ଲୋକେ ପାଣିକାଦୁଅ ଭିତରେ ପଶି ଏପଟୁ ସେପଟୁ ପାରିହୁଅନ୍ତି । ଶୀତଦିନେ ନଈଟିର ପାଣି ବରଫ ପାଲଟିଯାଏ । ସେଇ ବରଫ ଉପରେ ଲୋକେ ଯା-ଆସ କରନ୍ତି, ଶୀତଦିନ ଛଡ଼ା ଅନ୍ୟ ଦିନରେ ପ୍ରାୟ ସବୁବେଳେ ନଈଟି ମନ ଖୁସିରେ କୁଳୁକୁଳୁ ହୋଇ ଅତି ତରତରରେ ଧାଉଁଥାଏ–ସେକେଣ୍ଡକ ପାଇଁ କେବେହେଲେ ଅଟକେ ନାହିଁ । ସତେ ଯେମିତି ତା’ର ବହୁତ କାମ ! ମୁହୂର୍ତ୍ତେ ଫୁରୁସତ୍ ନେବାକୁ ତର ନାହିଁ ! ହେଲେ, ତା’ର ଏତେ ଧାଁ ଧପଡ଼ରୁ, ଏତେ କୁଳୁକୁଳୁ, ଝୁରୁଝୁରୁ ଡାକହାକରୁ ଲୋକେ ବିଶେଷ କିଛି ଉପକାର ପାଉ ନଥାନ୍ତି ।

 

ବେଳେବେଳେ ପିଲାଏ ଯାଇ ଘଣ୍ଟାଘଣ୍ଟା ଧରି ମାଛ ଧରନ୍ତି ନଈରେ, କିନ୍ତୁ ଯାହା ପାଆନ୍ତି ତା’ ବେଳେବେଳେ ବିଲେଇ ଛୁଆଟିକୁ ଅଣ୍ଟେନାହିଁ; ଏଡ଼ିକି ଛୋଟ ସେ ମାଛ । ଖରାଦିନେ ନଈର ପାଣି ମୁନ୍ଦିକ ତଳକୁ ଖସିଯାଏ, ଯେ ଭଲ ପହଁରାଳିମାନେ କୋଉଠି ପହଁରିବେ ବୋଲି ଜାଗା ପାଆନ୍ତି ନାହିଁ । କିନ୍ତୁ ବସନ୍ତ ଋତୁରେ ବରଫ ତରଳିଲେ ନଈର ପାଣି ଦିନକୁଦିନ ଫୁଲିଉଠେ–ଦି’ କୁଳ ଖାଏ ! ଉଞ୍ଚା ପାଖଟିରେ ଥିବା ଲୋକେ ଏଥିକି ନଜର ଦିଅନ୍ତି ନାହିଁ ଆଦୌ । କିନ୍ତୁ ନୀଚା ପାଖର ଲୋକେ ହନ୍ତସନ୍ତ ହୁଅନ୍ତି । ସେପଟେ ବଢ଼ିପାଣି ହୁହୁ ହୋଇ ମାଡ଼ିଯାଏ, ଖାଲବିଲ ପଡ଼ିଆ ସବୁ ହ୍ରଦ ପାଲଟିଯାଏ । ଘର ଆଉ ଗଛବୃଛ ସବୁ ଦିଶନ୍ତି ଛୋଟ ଛୋଟ ଟାୟ ଭଳି । ଲୋକେ ନିଜ ନିଜ ଘରଦୁଆର ମୁହଁରୁ ଡଙ୍ଗାରେ ବସି କି ହାଣ୍ଡି ଭେଳାରେ ଚଢ଼ି ବାହାରନ୍ତି ପଦାକୁ । ଯା-ଆସ କରନ୍ତି ସାହିସାହିକୁ ପଦରକୁ ।

 

ଏଇ ଗାଁଟିର କୋଠରେ ଚାଷ ହେଉଥାଏ, ଲୋକେ ଏକାଠି ମିଳିମିଶି ଚାଷ କରୁଥାନ୍ତି । ଏଣୁ ସୁରୁଖୁରୁରେ ଗୋଟିଏ ‘କୋଠଚାଷ’ ବ୍ୟବସ୍ଥାଟିଏ ଗଢ଼ି ଉଠିଥାଏ । ସମସ୍ତେ କିଛି ହେଲେ କିଛି କାମରେ ଲାଗିଥାନ୍ତି; କେବଳ ନଈଟି କିଛି ନ କରି ମନ ଇଚ୍ଛା ଖେଳୁଥାଏ । ବୟସ୍କ ଲୋକେ ସମସ୍ତେ କୋଠ ବିଲବାଡ଼ିରେ କାମ କରୁଥାନ୍ତି–ପିଲାଏ ସ୍କୁଲ୍‍କୁ ଯାଉଥାନ୍ତି, ପଢ଼ୁଥାନ୍ତି, ଖେଳୁଥାନ୍ତି; ଘର ପାଇଟିରେ ସାହାଯ୍ୟ କରୁଥାନ୍ତି, ବଣବୁଦାକୁ ଯାଇ ଛତୁ ତୋଳୁଥାନ୍ତି, କୋଳି ପାରୁଥାନ୍ତି ! ଘୋଡ଼ା ବଳଦଗୁଡ଼ିକ ନଡ଼ାକୁଟା, ଜାଳେଣି କାଠ, ଖତ ଗୋବର କି ଆଉ ସେମିତି କେତେ ଜିନିଷ ବୁହାବୋହି କରୁଥାନ୍ତି, ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ । ଗାଈ ଦୁଧ ଦେଉଥାଏ, ମେଣ୍ଢା ପଶମ ଦେଉଥାଏ । ପ୍ରତିବର୍ଷ ସେଓ, ନାସପାତି ଗଛସବୁ ତୋଟାବଗିଚାରେ ବଡ଼ବଡ଼ ମିଠା ରସୁଆଳିଆ ଫଳସବୁ ଅଜାଡ଼ି ଦେଉଥାନ୍ତି ଲୋକଙ୍କ ପାଖରେ । ବିଲବାଡ଼ି ତୋଟା, ବଗିଚା, ବଣ, ପଡ଼ିଆସବୁ ଲାଗିଥାଏ ଲୋକଙ୍କ ସେବାରେ । ସେସବୁ ବିନା କୋଠଚାଷୀମାନେ ଗହମ, ବୁଟ, ଯଅ, କୋବି କି ଛଣପଟ କିଛି ପଡ଼ି ନଥାନ୍ତେ କେବେହେଲେ । ଘର ତୋଳିବାକୁ କି ଜାଳିବାକୁ କାଠ ଖଣ୍ଡେବି ମିଳୁ ନଥାନ୍ତା କାହାରିକୁ । ତେଣୁ ସମସ୍ତେ ଯିଏ ଯାହା କାମରେ ସବୁବେଳେ ବ୍ୟସ୍ତ ଥାଆନ୍ତି ! ନଈଟି କେବଳ କାହାକୁ ନ ଚାହିଁ, କାହା କଥା ନ ଭାବି, ବେପରୁଆ ଭାବରେ ଲଙ୍ଗଳା ଫୁଙ୍ଗୁଳା ହୋଇ ଚାଲିଥାଏ ଦିନଗୁଡ଼ିକୁ ବିତେଇଦେଇ, ତୁଚ୍ଛାରେ !

 

ଦିନେ କୋଠଚାଷୀମାନେ ଏକାଠି ବସି ବିଚାର କଲେ, କେମିତି ଏ ନଈଟାକୁ କାମରେ ଲଗାଇବାକୁ ହେବ । କିନ୍ତୁ ନଈଦ୍ଵାରା କି କାମ ହେବ ଯେ ? ଆରେ ! ଏହାକୁ ତ ଯାହା କୁହାଯିବ, ସେ ତା’ କରିବ । ଅସଲ କଥା ହେଉଚି, କେମିତି କାମରେ ଲାଗିବାକୁ ହେବ, ଏଇଟି ତାକୁ ଶିଖାଇବାକୁ ହେବ ଆଗ । ତା’ପରେ ତ ଏହା ପ୍ରତ୍ୟେକଙ୍କର ଗଣ୍ଠିଧନ ହୋଇ ଉଠିବ । ନଈଟି ତ ଘରକରଣା କାମରେ ସାହାଯ୍ୟ କରିପାରିବ, ଗୋ-ପାଳନ କେନ୍ଦ୍ରରେ ଗାଈ ଦୁହିଁପାରିବ, ଜମିବାଡ଼ି ହଳ କରିପାରିବ, ବାଡ଼ିବଗିଚାରେ ପନିପରିବା କିଆରିକୁ ପାଣି ଯୋଗାଇପାରିବ । ଏସବୁ ଛଡ଼ା ତ ଆହୁରି କେତେ କାମ କରିପାରିବ । ଦେଖ, ଏହାଦ୍ଵାରା ରାଇ (ମାଣ୍ଡିଆ) ଅମଳ କରେଇ ହେବ, କାଠଗରମାନ କରତି ହେବ, ଅଟାକଳରେ ଗହମ ପେଷିହେବ, ମେଣ୍ଢାଙ୍କ ଦେହରୁ ପଶମ କଟେଇହେବ । ଆଉ ଏ ତ ଗୀତ ଗାଇପାରିବ, ପୁଣି ଆମକୁ କେତେ କାହାଣୀବି ଶୁଣାଇପାରିବ ।

 

ପ୍ରକୃତରେ, ତମେ ଯଦି ଟିକେ ନଈକୁ ଭଲକରି ଦେଖ, ତାହାହେଲେ ବୁଝିପାରିବ ଯେ ଏହା ଭାରି ବଳୁଆ । ବସନ୍ତକାଳରେ (ବରଫ ତରଳା ପରେ) ଯେତେବେଳେ ନଈ ଫୁଲିଉଠେ, ସେତେବେଳେ ବଡ଼ବଡ଼ କାଠ ମୁଣ୍ଡିଆମାନ ଅକ୍ଳେଶରେ ବୋହି ନେଇଯାଏ, ସତେ ଯେମିତି ସେଗୁଡ଼ିକ ଅତି ସରୁ ସରୁ ଛୋଟ ଛୋଟ କାଠପାତିଆ । ସେତେବେଳେ ତମେ ଯଦି ପହଁରି ପହଁରି ନଈ ପାର ହେବାକୁ ଚାହଁ, ତମକୁ ସୁଅ ବିରୁଦ୍ଧରେ ଲଢ଼ିବାକୁ ହେବ; ନହେଲେ ସେ ତମକୁ ତଳକୁ ତଳକୁ କାହିଁ କୁଆଡ଼େ ଭସାଇନେବ । ନଈର ଏତେ ବଳ–ଅଥଚ ତାହା କାମରେ ଲାଗିବ ନାହିଁ, ନଷ୍ଟ ହେଉଥିବ–ଏହା ଭାବିଲେ ଆଗ ଖରାପ ଲାଗିବ !

 

କିନ୍ତୁ ନଈକୁ କାମରେ ଲଗାଇବାକୁ ହେବ କେମିତି ? ଆଗ ଏହାର ଗତି ବନ୍ଦ କରିବାକୁ ପଡ଼ିବ; ଏହାକୁ କହିବାକୁ ହେବ–“ଦେଖ୍, ଆମେ ଯାହା କହୁଚୁଁ ଆଗେ କର ! ତା’ପରେ ତୋ ମନଇଚ୍ଛା ନିଜ ବାଟରେ ଯାଇପାରୁ ତୁ !”

 

କିନ୍ତୁ ନଈକୁ ଧରିହେବ କେମିତି–ରୋକି ହେବ କେମିତି ?

 

ଗୋଟାଏ ଉଞ୍ଚା କାନ୍ଥ ପକାଇ ତାକୁ ବନ୍ଦ କରିହେବ । ଏଇ କାନ୍ଥର ନାଆଁ ‘ବନ୍ଧ’ ବା ‘ଡ୍ୟାମ’ । କିନ୍ତୁ ନଈ ଯଦି ଡ୍ୟାମ ଭାଙ୍ଗେ, ତେବେ ? ତେବେ ଆଉ କ’ଣ ? ବନ୍ଧ ଏମିତି ତିଆରି ହେବା ଉଚିତ ଯେମିତିକି ତାହା ନଈର ଯେତେ ଇଚ୍ଛା ସେତେ ସୁଅ ତୋଡ଼ ସହିପାରିବ । ଆଗ ଯୋଡ଼ିଏ କାନ୍ଥ ହେଲାଭଳି ଦୁଇଧାଡ଼ି ବଡ଼ବଡ଼ ଶକ୍ତ କାଠ ବାଉଁଶ ଖୁଣ୍ଟି ପୋତାହୁଏ । ଦି’ଧାଡ଼ି ଖୁଣ୍ଟି ମଝିରେ ଥିବା ଖାଲି ଜାଗାରେ କାଦୁଅ ପଙ୍କ ଭର୍ତ୍ତି କରିଦିଆଯାଏ । କାରଣ, କାଦୁଅ ପାଣିକୁ ସୁରୁସୁରୁ ହୋଇ ବୋହିଯିବାରୁ ରୋକିଦିଏ । ସେଥିପାଇଁ ସେଇ କାଦୁଅ ଭର୍ତ୍ତି କାନ୍ଥ ଦୁଇଟି ‘ପାଣି-ନିରୋଧୀ’ କାନ୍ଥ ହୁଏ । କିନ୍ତୁ ଗୋଟାଏ ଫାଟକ ବା ବାଟ ନଥାଇ ଡ୍ୟାମ ତିଆରି ହେବା ଉଚିତ ନୁହେଁ । କାରଣ, ବସନ୍ତ ଋତୁରେ ବିଲ ବାରି ପଡ଼ିଆରେ, ବଣ ଜଙ୍ଗଲରେ ବରଫ ଯେତେବେଳେ ତରଳେ, ଚାରିଆଡ଼େ ଛୋଟ ଛୋଟ ପାଣିଧାର, ଝର ଓ ନାଳିମାନ ସୃଷ୍ଟି ହୋଇଯାଏ । ସେଇଗୁଡ଼ିକ ଆସି ନଈରେ ପଡ଼େ ନଈର ପାଣି ଫୁଲିଉଠେ, ଡ୍ୟାମ ବା ବନ୍ଧ ଡିଏଁ । ଏମିତିକି ତାକୁ ଭାଙ୍ଗି ଭସାଇନିଏ । ଏହା ଯେମିତି ନ ଘଟେ, ଅର୍ଥାତ୍, ବଢ଼ିବେଳେ ଯେମିତି ବନ୍ଧ ଭୁଶୁଡ଼ି ନ ଯାଏଁ ସେଥିପାଇଁ ‘ଡ୍ୟାମ’ରେ ‘ସ୍ଲୁଇସ’ ଫାଟକ ବା “ଲକ୍” ଥିବା ଦରକାର । ଯେତେବେଳେ ପାଣି ଛାଡ଼ିବା ଦରକାର ହୁଏ ସେତେବେଳେ ଏହାକୁ ଖୋଲିଦିଆହୁଏ । କୋଠଚାଷୀମାନେ ଠିକ୍ ଏଇୟା କଲେ । ସେମାନେ ଗାଁଠୁ ଅଳ୍ପ ଦୂରରେ ଗୋଟିଏ ଭଲ ସୁବିଧାଜନକ ଜାଗା ବାଛିଲେ । ସେଇଠି ନଈ ଉପରେ ଗୋଟିଏ ଡ୍ୟାମ ତିଆରି କଲେ ।

 

ଆଗ ଭଳି, ଛୋଟ ଛୋଟ ପାଣିଧାରଗୁଡ଼ିକ, ନାଳିଗୁଡ଼ିକ ମାଟି ତଳର ଝରଗୁଡ଼ିକ, ଆଉ ବର୍ଷାଣା ପାଣି ନଈରେ ଯାଇ ପଡ଼ିଲା–‘ଡ୍ୟାମ’ ଆଡ଼କୁ ବୋହି ଚାଲିଲା । କିନ୍ତୁ ବନ୍ଧ ଟପି ଆଉ ଯାଇପାରିଲା ନାହିଁ, କାରଣ, କବାଟିଗୁଡ଼ିକ ବନ୍ଦ ଥିଲା । ଖୁଣ୍ଟଗୁଡ଼ିକୁ ନଈ ଦୋହଲେଇ ହୁଗାଳିବାକୁ ଚେଷ୍ଟା କଲା; କିନ୍ତୁ ପାରିଲା ନାହିଁ । ସେଗୁଡ଼ିକ ନଈ ଗର୍ଭରେ ଭାରି ଗଭିରିଆ ହୋଇ ପୋତା ହୋଇଥିଲା; ତେଣୁ ପାଣି ତୋଡ଼କୁ ବେଶ୍ ସମ୍ଭାଳିଗଲା । ଏହା ଦେଖି ନଈବି ବୁଦ୍ଧି ପାଞ୍ଚିଲା-। କାଠ ପଟା ଭିତରେ, କାନ୍ଥ ଦେହରେ କୋଉଠି ଫାଟ ଅଛି ଖୋଜିହେଲା । କିନ୍ତୁ ଯେଉଁ ଲୋକେ ଏ ‘ଡ୍ୟାମ’କୁ ତିଆରି କରିଥିଲେ ସେମାନେ ବନ୍ଧରେ କୋଉଠି ଟିକିଏ କଣା କି ଫାଟ ରଖି ନଥିଲେ-। ପାଣି ଫୁଲି ଫୁଲି ଉପରକୁ ଉଠିଲା; କିନ୍ତୁ ବକ୍ଷର ଢାଲୁରେ ପହଞ୍ଚି ପାରିଲା ନାହିଁ ।

 

ତେବେ ପାଣି କୁଆଡ଼େ ଗଲା ? ନଈ ଭିତରେ ବାଟ ନ ପାଇ ଏହା କୂଳଆଡ଼କୁ ମୋହିଁଲା–ଦି’କୂଳ ଟପି ଆଖପାଖ ଗାଁ ଗଣ୍ଡା ଆଡ଼କୁ ଧାଇଁଲା । ଡ୍ୟାମ ସାମନାରେ ସେତେବେଳକୁ ପାଣି ରୋକିହୋଇ ଗୋଟାଏ ବିରାଟ ହ୍ରଦ ହୋଇଯାଇଥାଏ । ବନ୍ଧ ଆରପଟେ କିନ୍ତୁ ପାଣି ଥାଏ ଅତି ଅଳ୍ପ ।

 

ଏଇ ନଈଟି ତ କେଜାଣି କେଉଁ ଯୁଗର । ଏହାର ଲମ୍ବା ଜୀବନ କାଳଯାକ ଯେତେବେଳେ ଇଚ୍ଛା ସେତେବେଳେ ସେ କୂଳ ଲଙ୍ଘି ଗାଁ ଗଣ୍ଡା ଭସାଇ ନେଉଥିଲା । କିନ୍ତୁ ହଠାତ୍ ଦିନେ ଲୋକେ କହିଲେ–“ରହ !” ତା’ପରେ ତାକୁ କ’ଣ ସବୁ କରିବାକୁ ହେବ, ଆଦେଶ ଦେଲେ ସେମାନେ । ସେମାନେ ଭଲରୂପେ ଜାଣିଥିଲେ, ନଈକି ବହୁତ ଦିନ ବନ୍ଦୀ କରି ରଖିବା କଷ୍ଟକର; କାରଣ ଏହାର ପାଣି ନିଶ୍ଚୟ ବଢ଼ିବହିଁ ବଢ଼ିବ–ଦିନେ ‘ଡ୍ୟାମ’ଟପି ସମୁଦ୍ରଆଡ଼କୁ ମୋହିଁଯିବ । ଏହାହିଁ ଯଦି ହେବ, ତେବେ ଏତେ ଆଡ଼ମ୍ବରରେ ବନ୍ଧ ପକାଇବା ଆଦି କାମ କରିବାକୁ ବାହାରିଲେ କାହିଁକି ସେମାନେ ? ‘ନଈ’କି ଯନ୍ତାରେ ପକାଇ ବାନ୍ଧିରଖି ସେମାନେ ଚାହିଁଲେ ତାହା ନିଜ ବାଟରେ ନିଜ ଧାରାରେ ଗତି କରିବା ଆଗରୁ କିଛିହେଲେ କାମ କରିଯାଉ । ସେଇ ବିରାଟ ହ୍ରଦରୁ ଡ୍ୟାମ କଡ଼ରେ ବୁଲାଇ ଗୋଟିଏ ନାଳ ଖୋଲିଲେ ସେମାନେ । ତାକୁ ମୁହାଁଇଦେଲେ ନଈର ଅଳ୍ପ ପାଣିଥିବା ଅଂଶଟିକୁ । ସେ ସେଇଠୁ ତାହା ଗତି କଲା ସମୁଦ୍ର ଆଡ଼କୁ । ନାଳ ଉପରେ ଗୋଟିଏ ଚମତ୍କାର ଚକଲଗା ମେସିନ୍ ଆଣି ରଖିଲେ । ସେଇ ମେସିନ୍‍କୁ କୁହାଯାଏ “ଟର୍ବାଇନ୍” । ତାହା ଥିଲା ପାଣି ଟର୍ବାଇନ୍‍କୁ ଚଳାଏ । ନୂଆ ବାଟ ପାଇ ନଈପାଣି ଏତେ ଖୁସି ହୋଇଗଲା ଯେ ଏକାବେଳକେ ଅନ୍ଧଙ୍କ ଭଳି ଭୁସ୍‍ଭୁସ୍ ହୋଇ ଧାଇଁଲା–ଆଉ ସିଧାସଳଖ ଯାଇ ପଡ଼ିଲା ଯନ୍ତାରେ, ସେଇ ଟର୍ବାଇନ୍ ଚକରେ । ପୂରାବେଗରେ ଯାଇ ଲମ୍ଫ ଦେଲା ପାଣି–ଆଉ ସେଇଥିରେହିଁ ଘିର୍ ଘିର୍ ହୋଇ ଘୂରିବାରେ ଲାଗିଲା ଚକଟି ।

 

ଲୋକେ ଠିକ୍ ଏହାହିଁ ଚାହିଁଥିଲେ । ନଇଲେ ସେମାନେ ବହୁତ ଦୂରରୁ ମାହାଳିଆକୁ କାହିଁକି ଟର୍ବାଇନ୍‍ଟିକୁ ବୋହି ବୋହି ଆଣିଥାନ୍ତେ ? କାଠର ଗୋଟିଏ ଛୋଟ ବିଦ୍ୟୁତ୍ କେନ୍ଦ୍ର ଟର୍ବାଇନ୍ ଚାରିପଟେ ଘେରାଇ କରି ବସାଇଲେ । ସେଠି ସେଥିରେ ବିଦ୍ୟୁତ୍ ଉତ୍ପାଦନ କରୁଥିବା ‘ଜେନେରେଟର୍’ ବା ବିଦ୍ୟୁତ୍ ଉତ୍ପାଦନ କଳଟିଏ ସ୍ଥାପନ କଲେ । ଏହା ଫଳରେ ବିଦ୍ୟୁତ୍ ତରଙ୍ଗ ଉତ୍ପନ୍ନ ହେଲା । କିନ୍ତୁ ଅତି ଜୋରରେ, ଅତି ବେଗରେ ନ ଚାଲିଲେ ତ ଏ ମେସିନ୍ ଯୋଗେ ବିଦ୍ୟୁତ୍ ଉତ୍ପନ୍ନ ହୋଇପାରେ ନାହିଁ । ଆମେ ଜାଣୁ, କେହି ତ ହାତରେ ଏ ମେସିନ୍‍କୁ ଏମିତି ଜୋରରେ ଚଳାଇ ପରି ନଥାନ୍ତା ! ସେଥିପାଇଁ ଦରକାର ଥିଲା ଟର୍ବାଇନ୍‍ର । ପାଣି ଘୂରେଇବାରେ ଲାଗିଲା ଟର୍ବାଇନ୍ ଚକକୁ । ଆଉ ଟର୍ବାଇନ୍ ଚଳାଇଲା ଜେନେରେଟର୍ ମେସିନ୍‍କୁ ! କେତେକେତେ ତାରରେ କେତେ ବିଲବାଡ଼ି ପଡ଼ିଆ ଉପରେ ଚାଲିଲା ବିଦ୍ୟୁତ୍ ତରଙ୍ଗ । କୋଠଚାଷୀମାନେ ଲମ୍ବା ଲମ୍ବା ଖୁଣ୍ଟିମାନ ଧାଡ଼ି ଧାଡ଼ି କରି ପୋତିଥାନ୍ତି । ସେଇଥିରେ ବନ୍ଧା ହୋଇଥାଏ ତାରଗୁଡ଼ିକ ।

 

କିନ୍ତୁ ବିଦ୍ୟୁତ୍ ଗଲା କୁଆଡ଼େ ? ବିଦ୍ୟୁତ୍‍ଶକ୍ତି କେନ୍ଦ୍ରରୁ ଏହା ସିଧା ସିଧା ଚାଲିଲା କୋଠଚାଷ ଫାର୍ମକୁ । ତା’ପରେ ଓହ୍ଲେଇଲା ଯାଇ ପ୍ରତ୍ୟେକଙ୍କ ଘରେ । କେଉଁଠି ପହଞ୍ଚିଯାଇ ଇଲେକ୍‍ଟ୍ରିକ୍‍ କେଟ୍‍ଲିରେ ପାଣି ତତେଇଲା ତ ଆଉ କେଉଁଠି କାହା ଘରକୁ କାହିଁ କେଉଁ ଦୂର ଦୂରାନ୍ତରୁ ବହି ଆଣିଲା ସଙ୍ଗୀତର ମୂର୍ଚ୍ଛନା, ବାଦ୍ୟବୃନ୍ଦର ଧ୍ୱନି । କେଉଁଠି ଏହା ଇଲେକ୍‍ଟ୍ରିକ୍ ଇସ୍ତ୍ରୀ ଜରିଆରେ ପୋଷାକପାତ୍ର ଇସ୍ତ୍ରୀ କଲା ତ କେଉଁଠି କେଉଁ ଘରକୁ ଯାଉଁ ଯାଉଁ ଅଟକିଗଲା ‘ଡାୟାରି ଫାର୍ମ’ ପାଖରେ–ଗାଈ ଦୁହାଁରେ ସାହାଯ୍ୟ କଲା ଗୋପାଳିକାମାନଙ୍କୁ । ସେଠି ଇଲେକ୍‍ଟ୍ରିକ୍ କଳଟିଏ ଚାଲୁ ହେବାକ୍ଷଣି ଏହା ନିଜେ ନିଜେ ଗାଈ ଦୁହିଁବା ଆରମ୍ଭ କରିଦେଲା, ଆଉ କେଡ଼େ ଶୀଘ୍ର ଶୀଘ୍ର ଦୁହିଁଲା ସତେ ! ଏହି ‘ଡାୟାରି ଫାର୍ମ’ ବା ଗୋ-ପାଳନ କେନ୍ଦ୍ରରେ ସବୁ ବ୍ୟବସ୍ଥା ବଦଳିଗଲା । ଜଣେ ଗୋପାଳିକା ଏକ ସମୟରେ ଯୋଡ଼ିଏ ଦୁଧ ଦୁହାଁ ଇଲେକ୍‍ଟ୍ରିକ୍ ମେସିନ୍ ଲଗାଇ ଦୁହିଁଲା ଦୁଇଟି ଗାଈଙ୍କୁ । ଏ ସବୁଠୁ ବଳି ଆହୁରି ଆଶ୍ଚର୍ଯ୍ୟଜନକ କାମ କଲା ବିଦ୍ୟୁତ୍‍ଶକ୍ତି । ଇଲେକ୍‍ଟ୍ରିକ୍ କଇଁଚି ସାହାଯ୍ୟରେ ଏହା ପଶମ କାଟି ବାହାର କଲା ମେଣ୍ଢାଙ୍କ ଦେହରୁ, ଅଟା ପେଷିଲା କଳରେ, ଆଉ ଗରକୁ ଗର କାଠ କରତିଲା କରତକଳରେ ।

 

ଏଥର ନଈକାମରେ ଭାରି ଖୁସି ହେଲେ, ଗର୍ବ କଲେ କୋଠଚାଷୀସବୁ । ‘‘ଆମ ନଈଟି ଭାରି ଚମତ୍କାର ସତେ !” –କୁହାକୋହି ହେଲେ ସମସ୍ତେ–‘‘ରାତିରେ ଏହା ଯୋଗେଇଦେଉଚି ଆଲୁଅ, ରେଡ଼ିଓରେ ବହିଆଣୁଚି ଦୁନିଆଯାକର ଖବର, ତା’ରି ଯୋଗୁଁ ଆମେ ଏବେ ସହଜରେ ଦେଖିପାରୁଛୁ ସିନେମା–କାହିଁକି ନା, ରେଡ଼ିଓ ଆଉ ଫିଲ୍ମପାଇଁ ତ ବିଦ୍ୟୁତ୍‍ଶକ୍ତି ନିହାତି ଦରକାର ।’’

 

ସେହିଦିନଠୁଁ କୋଠଚାଷ କାମରେ ଆନନ୍ଦରେ ଖଟୁଛି ନଈଟି । ଆଉ ଅମାନିଆ ହୋଇ ଏଣେତେଣେ ବହିଯାଉନାହିଁ । ତମେ ପଚାରିପାର, ଏ କୋଠଚାଷ ହେଉଚି କେଉଁଠି ? ପୃଥିବୀର ଶେଷ ମୁଣ୍ଡରେ କେଉଁଠି ନୁହେଁ ନିଶ୍ଚୟ ! ଏମିତି ତ ଅନେକ କୋଠଚାଷ ଫାର୍ମ ଅଛି ସୋଭିଏତ ରୁଷରେ । ଏମିତିବି ଲୋକେ ଅନେକଠି ନଈକି ସବୁ ନିଜ କାମରେ ଖଟେଇଛନ୍ତି; ଉପକାର ପାଉଛନ୍ତି ବହୁତ । ଯେଉଁଆଡ଼େ ଯାଅ, ଦେଖିବ, କାମ କରୁଛି ବିଦ୍ୟୁତ୍‍ଶକ୍ତି । ଆଗେ ସହର ଆଉ ଗାଁ ଭିତରେ ଏତେ ତଫାତ୍ ଥିଲା ଯେ, କାହାରି କାହା ସହିତ କେଉଁଠି ମେଳ ନଥିଲା । ସହର ଆଉ ଗାଁ ଭିତରେ ଗୋଟିଏ ସାଧାରଣିଆ ଗୁଣ ବା ରୂପ ବୋଲି କିଛି ଦେଖିବାକୁ ମିଳୁ ନଥିଲା । ସେତେବେଳେ ତମେ ଯେଉଁ ଇଚ୍ଛା ସେ ଗାଁକୁ ଯଦି ଯାଇଥାନ୍ତ, ଦେଖିଥାନ୍ତ ସବୁବେଳେ ସବୁଠି ସେଇ ଏକ କଥା–ବଙ୍କାଢ଼ଙ୍କା ଆବୁଡ଼ାଖାବୁଡ଼ା ଛୋଟ ଛୋଟ ଅନ୍ଧାରିଆ ଗଳି, ଲଟିଝାଟିର ବାଡ଼, ଛପର ଚାଳିଆ, କୁଡ଼ିଆଘର, କଳା କଳା ଅସନା ଗାଧୁଆଘର, କାଦୁଅରେ ଗଳିପଡ଼ିଥିବା ଶଗଡ଼, ଆଉ କେଁ କେଁୟାଁ ପୋପରା ତେଣ୍ଡାଲଗା କାଠ ଫନ୍ଦର କୂଅ ! ରାତିରେ କେଉଁଠି କେମିତି କଦବା ବା ତମକୁ ଦିଶିଥାନ୍ତା, ଝରକା କତିରେ କିରୋସିନି ବତୀ । କିନ୍ତୁ ରାସ୍ତାରେ ଘୋର ଅନ୍ଧାର । ଜହ୍ନ ଯଦି ବାଟୋଇ ଲୋକଙ୍କୁ ବାଟ କଢ଼ଉ ନଥାନ୍ତା, ତେବେ ସେ ହଜିହାଜି ଯାଉଥାନ୍ତେ ନିଶ୍ଚୟ ! ତମେ ଯଦି ବିଲଆଡ଼କୁ ଯାଇଥାନ୍ତ, ଦେଖିଥାନ୍ତ, କେଉଁଠି ହଳିଆ ତା’ର ସମୁଦାୟ ବଳ ଲଗେଇ ମାଡ଼ି ଧରିଚି ଲଙ୍ଗଳଟିକୁ, ଆଉ ପ୍ରାଣପଣେ କେଞ୍ଚିକାଞ୍ଚି ପାଟି କରୁଚି ହାଡ଼କଙ୍କାଳ ଦୋହଲୁଥିବା ଘୋଡ଼ା ବା ବଳଦ ଉପରେ । ଆଉ କେଉଁଠି ଭେଟିଥାନ୍ତ ବାଉଁଶ ଟୋକେଇ କି ପତ୍ର ଟୋକେଇରୁ ବିହନ ନେଇ ମୁଠାକୁ ମୁଠା ଛିଞ୍ଚି ବୁଣୁଚି ବିହନବୁଣାଳି । ଶେଷରେ ପୁଣି କେଉଁଠି ହାବୁଡ଼ିଥାନ୍ତ ଶସ୍ୟକଟାଳିମାନଙ୍କର ପିଠି ବଙ୍କା ହୋଇଯାଉଚି, ହାଡ଼ ନଇଁ ପଡ଼ୁଚି, ଯେତେବେଳେ ସେମାନେ ଏକା ଗୃହରେ ଦାଆରେ କାଟିବାରେ ଲାଗିଛନ୍ତି ଗୋଛାକୁ ଗୋଛା ଗହମ ବା ଧାନ ।

 

ଏବେ ଆମର ନୂଆ ଗାଁଗୁଡ଼ିକରେ କାଠଲଙ୍ଗଳ ବଦଳରେ ଚାଲିଚି, ଟ୍ରାକ୍‍ଟର୍-ଟଣା ଲଙ୍ଗଳ । ପତ୍ର ଟୋକେଇ ବେତ ଟୋକେଇ ବଦଳରେ କାମ କରୁଛି ବିହନବୁଣା କଳ; ଆଉ ଦାଆ ପରିବର୍ତ୍ତେ ଧାନ କି ଗହମ କାଟୁଚି ଅମଳକାରୀ ଯନ୍ତ୍ର । ସୋଭିଏତ ଗାଁଗୁଡ଼ିକରେ ଏବେ ଖେଳିଯାଉଚି ନୂଆ ଜୀବନ ! ଆଗେ ଶୀତଋତୁର ସଞ୍ଜବେଳେ ଗାଁର ପିଲାଏ ସବୁ, ଗାଁର ଯୁବକ ଯୁବତୀସବୁ ରୁଣ୍ଡ ହେଉଥିଲେ ଗୋଟିଏ ମାତ୍ର ଘରେ, ଯେଉଁଠି ଜଳାହେଉଥାଏ କିରାସିନି ବତୀଟିଏ-। ଏବେ ସୋଭିଏତ ଗାଁଗୁଡ଼ିକ ଝଲକୁଚି ବିଦ୍ୟୁତ୍ ଆଲୁଅରେ–ଭରିଯାଇଚି କ୍ଲବ୍‍ରେ, ସ୍କୁଲ୍‍ରେ, ଲାଇବ୍ରେରିରେ ।

 

ପଡ଼ିଆ ଜମିରେ ଗହମ ଚାଷ ହେଲା କେମିତି ?

 

ଗୋଟିଏ ଗାଁଠୁ ଖଣ୍ଡେ ଦୂରରେ ବହୁତ ଅନାବାଦି ଜମି ଥାଏ । ଦିନେ ସେଠି ଜଙ୍ଗଲଟାଏ ଥିଲା । ଯେତେବେଳର କଥା କୁହାଯାଉଚି, ସେତେବେଳକୁ କେତେଗୁଡ଼ିଏ ଥୁଣ୍ଟା ଗଛ, ଗଛର ମୂଳ, କେତୋଟି ଚାରାଗଛ ବା ବୁଦିବୁଦିକିଆ ଲଟିଝାଟି ଛଡ଼ା ସେଠି ଆଉ ନିଘଞ୍ଚ ଜଙ୍ଗଲ ବୋଲି କିଛି ନଥାଏ । ଏମିତିକି ସେଠି ପୁଣି ଏଡ଼େ ଏଡ଼େ ପଥର ମୁଣ୍ଡିଆଟାମାନ ଥାଏ ଯେ, ପିଲାଏ ଲୁଚକାଳି ଖେଳିଲାବେଳେ ସେସବୁର ପଛରେ ଲୁଚନ୍ତି; ସେଠି ଖେଳିବାରେ ମାତି ଭାରି ମଜା କରନ୍ତି ।

 

ଏତେ ଜମି ଯେ ପଡ଼ିଆ ପଡ଼ିଥାଏ, ସେକଥା କ’ଣ କେବେ ତାଙ୍କର ଆଖିରେ ପଡ଼ୁଥାଏ-? ତାଙ୍କର ସେଥିରେ ଯାଏଁ ଆସେ ବା କ’ଣ ? କିନ୍ତୁ ବୟସ୍କ ବୁଢ଼ା ବୁଢ଼ା ମୁରବିମାନେ ସେ ବିଷୟରେ ଭାବୁଥାନ୍ତି । ସେମାନେ ଦେଖିଥାନ୍ତି ଯେ, ସେ ଜମିରେ କିଛି ବୋଲି କିଛି ଫସଲ ହେବନାହିଁ । ତେବେ ସେମାନେ ବୁଝିଥାନ୍ତି ଯେ, ଏତେଗୁଡ଼ାଏ ଜମି ପଡ଼ିଆ ପଡ଼ିବା ଠିକ୍ ନୁହେଁ-। ମାତ୍ର ଏକାବେଳେକେ ପଥୁରିଆ ଟାଙ୍ଗରା ଭୂମିକୁ ଚାଷଉପଯୋଗୀ କରି ବଦଳେଇଦେବା ତ ସହଜ କାମ ନୁହେଁ ! ସେଥିପାଇଁ ତ ବହୁତ ପରିଶ୍ରମ ଲୋଡ଼ା ! ଥୁଣ୍ଟା ଗଛଗୁଡ଼ିକୁ, ଗଛର ମୂଳକୁ ସବୁ ଖୋଳି ଉପାଡ଼ିବାକୁ ହେବ । ପଥରମୁଣ୍ଡାଗୁଡ଼ାକ ଖୋଳି ବାହାର କରିବାକୁ ହେବ-। ଆଉ ଲଟିଝଟି ବୁଦିବୁଦିକିଆ ଜଙ୍ଗଲକୁ କାଟି ସଫା କରିବାକୁ ହେବ । ବେଳେବେଳେ ଗଛର ମୂଳ ବା ଗଣ୍ଡିଗୁଡ଼ିକ ଏତେ ବଡ଼ବଡ଼ ଯେ, ସେଗୁଡ଼ିକୁ କାଢ଼ି ବାହାରକୁ ଝିଙ୍କି ଆଣିବା କଷ୍ଟକର । ଆଉ ଏମିତି ପଥରମୁଣ୍ଡାଟାମାନ ଅଛି, ବିଶେଷରେ ଏମିତି ଭାବରେ ଅଧେ ଅଧେ ତାହା ପୋତି ହୋଇ ପଡ଼ିଚି ଯେ, ତାକୁ ସହଜରେ ଚଙ୍କେଇ ହେବନାହିଁ ।

 

ଦିନେ ଗୋଟିଏ ଅଦ୍ଭୁତ ଘଟଣା ଘଟିଲା । ପିଲାଏ ଦେଖିଲେ, କେତୋଟି ମେସିନ୍ ଆସି ସେ ଜମିରେ ପହଞ୍ଚିଯାଇଛି । ଗୁଡ଼ିଏ ଶ୍ରମିକବି ବୁଲାବୁଲି କରୁଛନ୍ତି । ସେଇ ମେସିନ୍‍ଗୁଡ଼ାକ ଭଳି ଗୋଟିଏ ସୁଦ୍ଧା ପିଲାଏ କେବେ ଆଗରୁ ଦେଖି ନଥାନ୍ତି । ଗୋଟିଏ ମେସିନ୍ ସାମନାରୁ ଦିଶୁଥାଏ ଟ୍ରାକ୍‍ଟର୍ ପରି । କିନ୍ତୁ ତା’ ପଛରେ କ’ଣ ଗୋଟାଏ ଏମିତି ଲାଗିଥାଏ, ଯେଉଁଥିରେ କି ଥାଏ ଘୂରନ୍ତା ଫିତା ଚକ ଆଉ ବିରାଟ ଏକ ଇସ୍ପାତ ଲୁହାର ଲଟେଇ । ଏହି ଲଟେଇରେ ମସ୍ତବଡ଼ ଲମ୍ବା ତମ୍ବା ତାର । ସେଇ ଟ୍ରାକ୍‍ଟର୍ ଭଳି ମେସିନ୍‍ଟା ଗଡ଼ି ଗଡ଼ି ଚାଲିଲା ନିକଟରେ ଥିବା ଗଛର ଗଣ୍ଡି ଆଡ଼କୁ ! ଅଟକିଗଲା ସେଇଠି ଯାଇ ! ଶ୍ରମିକଟିଏ କୁରାଢ଼ିରେ ଆଗ ଦି’ଚାରି ଚୋଟ ପକାଇ ଗଛଗଣ୍ଡିଟିରେ ଗୋଟାଏ ଖୋପ ବା ତିନିକୋଣିଆ ଠଣା କରିଦେଲା । ତା’ପରେ ଗୋଟାଏ ଶିକୁଳି ଗଛ ଗଣ୍ଡିଟିରେ ଏମିତି ଭାବରେ ଗୁଡ଼ାଇଦେଲା ଯେ, ତାହା ସହଜରେ ଲାଖି ରହିଲା ସେହି ଖୋପରେ । ଗୋଟାଏ ନାହା କି ପଟତନକୁ କୂଳରେ ବଡ଼ କିଳାରେ ବାନ୍ଧିଲା ଭଳି ବାନ୍ଧିଲା ନେଇ ଟ୍ରାକ୍‍ଟର୍ ପରି ମେସିନ୍‍ଟିକୁ ।

 

ପିଲାଏ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି–ଟ୍ରାକ୍‍ଟର୍‍ଟାଏ ଏମିତି ଗଛରେ ବନ୍ଧା ହେଲା କାହିଁକି ? ସେଇଟା କ’ଣ ପଳାଇଥାନ୍ତା ଯେ ତାକୁ ଏମିତି ବନ୍ଦ କରି ଦିଆଗଲା ? ଏତିକିବେଳେ ତେଣେ କିନ୍ତୁ ଶ୍ରମିକଟି ଲଟେଇରେ ଗୁଡ଼ା ହୋଇଥିବା ତାରର ଗୋଟିଏ ମୁଣ୍ଡରେ ଫାଶଟିଏ ପକାଇଥାଏ । ସେଇଟିକୁ ନେଇ ସେ ଗଳେଇଦେଲା ଆଉ ଗୋଟିଏ ଗଛ ଗଣ୍ଡିରେ । ସବୁ ଠିକ୍‍ଠାକ୍ ହୋଇଗଲା ପରେ ସେ ପାଟି କରି ଜଣାଇଦେଲା–“ଚଲାଅ” ! ଟ୍ରାକ୍‍ଟର୍-ଚାଳକ ଗୋଟାଏ ଲିଭର ଟାଣିଲା–ଚାବି ମୋଡ଼ିଲା । ହଠାତ୍ ‘ଦାନ୍ତମୟ’ ଚକଗୁଡ଼ାକ ଘଣ୍ଟା ଭଳି ଘୂରିବାକୁ ଆରମ୍ଭ କରିଦେଲେ । ଗୋଟିଏ ଚକ ଘୂରି ଘୂରେଇଲା ଆଉ ଗୋଟିଏ ଚକକୁ–ସବୁ ଚକ ମିଶି ଘୂରେଇଲେ ଲଟେଇକୁ; ଫଳରେ ଗୁଡ଼େଇ ହେବାକୁ ଲାଗିଲା ଲମ୍ବା ତାରଟା । ଏହି ଲମ୍ବା ତାର ଟାଣିହୋଇ ଓଟାରି ହେବ ସଙ୍ଗେ ସଙ୍ଗେ ଗଛଗଣ୍ଡିଟାକୁ ଭିଡ଼ିବାକୁ ଆରମ୍ଭ କରିଦେଲା ଜୋରରେ । ପିଲାଏ ଭାବୁଥାନ୍ତି, ଏତେ ଟଣାରେ ତାରଟା ଯେତେ ଶକ୍ତ ହେଉପଛେ ଛିଡ଼ିଯିବ ନିଶ୍ଚୟ । ତେବେ ସେମାନେ ଏଥର ବୁଝିଲେ, ଟ୍ରାକ୍‍ଟର୍‍ଟା ଗଛ ଗଣ୍ଡିରେ ସେମିତି ବନ୍ଧା ହୋଇଥିଲା କାହିଁକି । ତାହା ଯଦି ବନ୍ଧାହୋଇ ନଥାନ୍ତା, ଗଛଗଣ୍ଡିଟାକୁ ଝାଙ୍କିଲାବେଳେ କେବେହେଲେ ଦୃଢ଼ ଭାବରେ ଠିଆହୋଇ ରହିପାରି ନଥାନ୍ତା ।

 

ଗୋଟିକ ପରେ ଗୋଟିଏ କରି ଚେରଗୁଡ଼ିକ ଛିଡ଼ିଛାଡ଼ି ଯାଇ ଉପୁଡ଼ିଲା । ଗଛଗଣ୍ଡିଟା ଦୋହଲିଲା–ସତେ ଯେମିତି ଜୀବନ୍ତ କିଛି ସେଇଟା ! ବର୍ଷ ବର୍ଷ ଧରି ଚେରରେ ମାଟି କାମୁଡ଼ି ରହିଥିଲା । ଏତେ ଦିନ ପରେ ଜନ୍ମଭୂଇଁରୁ ତଡ଼ା ହେଲା । ପୁଳାକୁ ପୁଳା ଛେଲାକୁ ଛେଲା ମାଟି ଖସୁଥାଏ ଚେରଗୁଡ଼ାକରୁ–ତଳେ ଦେଖାଦେଲା ଗୋଟାଏ ବିରାଟ ଅନ୍ଧାରିଆ ଗାତ । ମେସିନ୍‍ଟି ଗଛଗଣ୍ଡିଟାକୁ ଝିଙ୍କି ହଲେଇ ବାହାର କରିସାରିବାମାତ୍ରେ, ମେସିନ୍‍ର ଯେଉଁ ଅଂଶଟିକୁ ଶ୍ରମିକମାନେ କହନ୍ତି ‘ଉଇଞ୍ଚି’ ବା ‘କପିକଳ’ ସେଇଟିର ଚକଗୁଡ଼ିକ ଘୂରିଲା ନାହିଁ ।

 

ଗଛମୂଳ ଉପୁଡ଼ା ମେସିନ୍‍ଟା ମୁହୂର୍ତ୍ତଟିଏବି ନଷ୍ଟ କଲା ନାହିଁ–ଆଗେଇଲା ଆଉ ଗୋଟିଏ ଗଛମୂଳ ପାଖକୁ । ଖରାପ ପୋକଖିଅ ଦାନ୍ତଗୁଡ଼ିକୁ ଉପାଡ଼ିଲା ଭଳି ଏମିତି ଏହା ଉପାଡ଼ି ଚାଲିଲା ଗୋଟାକୁ ଗୋଟା ଗଛଗଣ୍ଡିଗୁଡ଼ାକୁ । ଅଧଘଣ୍ଟା ମଧ୍ୟରେ ହୁଗାଳି ଝିଙ୍କି ଆଣିଲା ଦଶଟି ମୂଳ-

 

ପିଲାଙ୍କର କୌତୂହଳଟା ଟିକେ କମିଯିବା ପରେ ପରେ ସେମାନେ ଅଥୟ ହୋଇ ଉଠିଲେ । ପଥରମୁଣ୍ଡାଗୁଡ଼ିକୁ ଖୋଳିତାଡ଼ି ବାହାର କରୁଥାଏ ଆଉ ଗୋଟିଏ ମେସିନ୍ । ତାକୁ ଦେଖିବାପାଇଁ କିଲିବିଲି ହୋଇ ଧାଇଁଲେ । ଲୋକେ ମନେପକାଇ କହନ୍ତି–ଅନାବାଦି ଜମିଟାରେ କେଉଁକାଳରୁ ଗୋଟାଏ ପାଉଁଶିଆ ମୁଣ୍ଡିଆ ଥିଲା । ତାହା ମାଟିରେ ଏତେ ପୋତିହୋଇ ରହିଥିଲା ଯେ, ତା’ର ଗୋଲ ମୁଣ୍ଡଟା ବା ତାଳୁର ଚଟାଣଟା ଖାଲି ଉପରକୁ ଦିଶୁଥିଲା । ପଥର-ଖୋଳା ମେସିନ୍ ଗଡ଼ି ଗଡ଼ି ଚାଲିଲା ସେଇ ମୁଣ୍ଡିଆ ପାଖକୁ । ତା’ର ଲମ୍ବା ଲମ୍ବା ବଙ୍କା ବଙ୍କା ଶଣ୍ଡୁଆଶି ଭଳି ଇସ୍ପାତ ଦାନ୍ତରେ ଆଗ କାମୁଡ଼ି ଧରିଲା ମୁଣ୍ଡିଆଟାକୁ । ତା’ପରେ ସେହି ଟ୍ରାକ୍‍ଟର୍‍ଟାକୁ ଡ୍ରାଇଭର ଚଳେଇଦେଲା ଆଗକୁ ଗୋଟାଏ ପିଠା ଉପରୁ କିସ୍‍ମିସ୍‍ଟିଏ ଖୋଳି ଆଣିଲା ଭଳି ସୁର୍‍କିନା ହୁଗୁଳି ମାଟି ଭିତରୁ ଖସିଆସିଲା ପଥର ମୁଣ୍ଡିଆଟି ।

 

ପିଲାଏ ଏହାପରେ ଧାଇଁଲେ ତୃତୀୟ ମେସିନ୍‍ଟି ଦେଖିବାପାଇଁ । ତାଙ୍କୁ ଭାରି ଖୁସି ଲାଗୁଥାଏ । ଗୋଟିକଠୁ ଆରଟି ବେଶୀ ମଜାଦାର ମନେ ହେଉଥାଏ । ସେମାନେ ପ୍ରତ୍ୟେକଟି ନ ଦେଖନ୍ତେ କେମିତି ? ଏଣୁ ସେମାନେ ଧାଇଁଯାଇ ଦେଖିଲେ–ଗୋଟିଏ କ୍ୟାଟରପିଲର ବା ସଁବାଳୁଆ ଟ୍ରାକ୍‍ଟର୍‍ର ତିନିକୋଣିଆ ଆକୃତିର ବଣବୁଦାକଟା ଛୁରିଟାକୁ ଠେଲି ଠେଲି ବା ଚଳେଇ ଚଳେଇ ଚାଲିଥାଏ । ସେ ଛୁରିଟା ଦିଶୁଥାଏ ନାହାର ମଙ୍ଗ ଭଳି–ଧନୁ ପରି ପ୍ରାୟ ଲାଗିଥାଏ ସଁବାଳୁଆ ଟ୍ରାକ୍‍ଟର୍‍ର ସାମନାରେ । ନଈରେ ନାହାର ଧନୁ ପରି ବଙ୍କା ମଙ୍ଗଟା ପାଣି କାଟି କାଟି ଚାଲେ, କିନ୍ତୁ ବଣବୁଦାକଟା ଛୁରିଟାକୁ ଯିବାକୁ ପଡ଼େ ଝାଟିଲଟି ଘାସପତ୍ର ଭିତରେ । ତାହା କିନ୍ତୁ ବେଶ୍ ବେପରୁଆ ବେଖାତିର ଭାବରେ ଗତି କରୁଥାଏ, ଆଉ ଗହଳିଆ ବୁଦିବୁଦିକିଆ ଜଙ୍ଗଲଟାକୁ କାଟି କାଟି ପଛେ ପଛେ ନିଜର ରାସ୍ତାଟାଏ ଫିଟାଇ ଯାଉଥାଏ । ବିରାଟ ଫାଉଡ଼ା ବା ରେକଗୁଡ଼ିଏ ଛୁରିଟିର ପଛେ ପଛେ ଠିକ୍ କାମ କରୁଥାଏ–ଦାନ୍ତରେ ସବୁ ସାଉଁଟି ଆଣି ଗଦା କରି କରି ଯାଉଥାଏ ।

 

ଏମିତି ଭାବରେ ଉପୁଡ଼ା ହୋଇଗଲା ଗଛଗଣ୍ଡିଗୁଡ଼ାକ, ଖୋଳା ହୋଇ ବାହାର କରାଗଲା ପଥରମୁଣ୍ଡା ସବୁ, ଆଉ ସଫା ହୋଇଗଲା ବଣବୁଦା ଯେତେ ଯାହା ସେଠି ଥିଲା ଅନେକ ଦିନରୁ । ତା’ପରେ ଅନାବାଦି ପଡ଼ିଆ ଜମିଟା ଦିଶିଲା ପ୍ରକୃତରେ ଅନାବାଦି ଜମିଭଳି । କାରଣ, ସେଠି ଅନ୍ଧାରୁଆ ଗାତଗୁଡ଼ିଏ ଠାଆକୁ ଠାଆ ଆଁ କରିବା ଛଡ଼ା ଆଉ ଗଛ ବୁଦାଟାଏବି ରହିଲା ନାହିଁ ।

 

ତହିଁ ଆରଦିନ ପିଲାଏ ପୁଣି ବାହାରିଲେ ସେଇ ଅନାବାଦି ଜମିଆଡ଼େ–ଆଉ କ’ଣ ହେବ ଦେଖିବାପାଇଁ । ତାଙ୍କର ତ ମନ ଲାଗିଥାଏ । ସେମାନେ ଯାଇ ପହଞ୍ଚିଲାବେଳକୁ ଶ୍ରମିକମାନେ କାମରେ ମଜ୍ଜିଯାଇଥାନ୍ତି । ଟ୍ରାକ୍‍ଟର୍‍ଟାଏ ଭୂଇଁଟାକୁ ଆଡ଼ବାଗରେ ଚଷି ଲାଗିଥାଏ ବିରାଟ ଗୋଟାଏ ଲଙ୍ଗଳରେ । କି ଲଙ୍ଗଳ ସତେ ! ଟାଙ୍ଗରା ପଥୁରିଆ ଭୂଇଁରେ ଢିମା ପଥର ଭର୍ତ୍ତି ହୋଇଥାଏ ଠାଆକୁ ଠାଆ । କେତେ ଗଛଚେରବି ଲାଖି ରହିଥାଏ ଅଧା ଉପୁଡ଼ା ହୋଇ । ଏ ସବୁକୁ ଯେମିତି ଆଦୌ ଖାତିର ନଥାଏ ଲଙ୍ଗଳଟାର । ଟିକିଏ ହେଲେ ଚିନ୍ତା କି ଦକ ନଥାଏ ତା’ ମନରେ । ତିନୋଟି ଛୁରିରେ ଆଗ ପାଉଁରୁଟି କାଟିଲା ଭଳି ଗାର ପକେଇ (ସିଆର କାଟି) ଯାଉଥାଏ ଭୂଇଁ ଉପରେ । ତିନୋଟି ‘ଲଙ୍ଗଳ ଲୁହା’ ତା’ପରେ ମାଟି ଖୋଳି ଖୋଳି ଯାଉଥାଏ ପରସ୍ତକୁ ପରସ୍ତ ସେଇ ଗାରଟଣା ଜାଗାମାନଙ୍କରେ । ସଙ୍ଗେ ସଙ୍ଗେ ପୁଣି ତିନୋଟି କୋଡ଼ି ବା ଫାଉଡ଼ା ଭଳି ମାଟି-କଢ଼ା-ପଟା ପରସ୍ତକୁ ପରସ୍ତ ମାଟି ଓଲଟେଇ କରକୁ କର ଆଉଜେଇ ଟେକି ଟେକି ମିଶେଇ ଯାଉଥାଏ ବିଜୁଳି ଭଳି ଗତିରେ । ଏଣୁ ଟ୍ରାକ୍‍ଟର୍‍ର କଳଲଙ୍ଗଳ ପଛରେ ତିଆରି ହୋଇଯାଉଥାଏ ବେଶ୍ ଗହିରିଆ ଗହିରିଆ ସିଆରଗୁଡ଼ିଏ ।

 

ଏତେବେଳକୁ କୋଠଚାଷୀମାନେ ଆସି ଜୁଟିଯାଇ ଆନନ୍ଦରେ ଦେଖୁଥାନ୍ତି ଟ୍ରାକ୍‍ଟର୍–ଚାଷ । ଏମିତିକି ଅତି ବୁଢ଼ା ଅଥର୍ବ ଲୋକେବି ଛୋଟେଇ ଛୋଟେଇ ଘୋଷାରି ହୋଇ ପହଞ୍ଚିଯାଇଥାନ୍ତି । ଅନାବାଦି ଟାଙ୍ଗର ଭୂଇଁଟା ଏତେ ଗଭିରିଆ ହୋଇ ଚଷିହୋଇଯାଉଚି, ଏହା ଦେଖି ସମସ୍ତଙ୍କର ଆଖି ଖୋସି ହୋଇଯାଉଥାଏ ବିସ୍ମୟରେ । ଅନାବାଦି ଉଠିଆ କରିବା କାମ ଶେଷ ହୋଇଗଲା ଶରତ୍ ଋତୁରେ ।

 

ବସନ୍ତ ବା ଗ୍ରୀଷ୍ମଋତୁ ଆରମ୍ଭବେଳକୁ ଆଉ କେତେଗୁଡ଼ିଏ ଅଲଗା ଧରଣର ମେସିନ୍ ଆସି ପହଞ୍ଚିଲା କୋଠଚାଷ ଫାର୍ମରେ । ସେଗୁଡ଼ିକ ଭିତରେ ଟ୍ରାକ୍‍ଟର୍‍ଟିଏ ଥିଲା ଅବଶ୍ୟ; କିନ୍ତୁ ସେଇଟି ଏଥର ଲାଗିଲା ବିଦା ହେବାରେ । ସେଇ ବିଦାରେ ଧାରୁଆ ଧାରୁଆ ମୁନ ଥାଏ–ସେଥିରେ ମାଟି ଫସଫସିଆ ଝରୁଝରୁ ହୋଇ ଯାଉଥାଏ । ଉପର ମାଟି ତଳେ ଚାଷ ହୋଇଥିବା ମାଟି ଉପରେ ଘୋଡ଼େଇ ହୋଇ ପଡ଼ୁଥାଏ । ଏହା ଫଳରେ ଚାଷ ହୋଇଥିବା ତଳ ମାଟି ଆଉ ଶୁଖିଯିବାର ଭୟ ରହୁ ନଥାଏ ।

 

ଅଳ୍ପ କିଛିଦିନ ପରେ, ସେଇ ଜମିରେ ଅନାବନା ଘାସ ଲଟି ଉଠିଲା । କିନ୍ତୁ ଯେଉଁ ଜମିରେ ବିହନ ବୁଣା ହେବା କଥା, ସେଥିରେ ଘାସ ରହିବା ତା’ ଉଚିତ ନୁହେଁ । ତେଣୁ ଆଉ ଡେରି ନ କରି ଆଉ ଗୋଟାଏ କଳ କାମରେ ଲାଗିଗଲା । ତା’ର ଥାଏ ମୁନିଆ ମୁନିଆ ଲୁହାଦାନ୍ତ । ସେଇଟି ଖଞ୍ଜା ହେଲା ଟ୍ରାକ୍‍ଟର୍‍ରେ । ଆଉ ଚାହୁଁଚାହୁଁ ତାହା ଜମିରେ ବୁଲି ଉପାଡ଼ି ସଫା କରିଦେଲା ଘାସଗୁଡ଼ିକୁ ।

 

ବୁଣାବୁଣି ପାଇଁ ଏଥିରେ କୋଠଚାଷୀମାନେ ପାଦ ପକେଇଲେ ପୂରାପୂରି ନୂଆ ଜମିରେ । କେତେକେତେ ବର୍ଷରୁ ଅଳସୁଆ ହୋଇ ଶୋଇ ରହିଥିଲା ଜମିଟା । ଏଥର ଚେଇଁ ଉଠିଲା–କାମରେ ଆସିଲା ସମସ୍ତଙ୍କର–ଏଥର ପଡ଼ିଆ ନ ହୋଇ ଉଠିଆ ହେଲା ବିଲ !

 

ସେଇ ବିଲରେ ସେମାନେ ଏବେ ବିହନ ବୁଣା କଳ ସାହାଯ୍ୟରେ ଗହମ ବୁଣା ଆରମ୍ଭ କଲେ । ଏହି କଳଟି ବିଲରେ ଚାଲିଲାବେଳେ ଏହାର ଚବିଶଟି ଛୋଟ ଛୋଟ କଟର ବା ଛୁରି ଚବିଶଟି ଲେଖାଏଁ ସିଆର କାଟି କାଟି ଯାଉଥାଏ । ଛୁରି ବା ଛତିକଣ୍ଟାଗୁଡ଼ିକ ପ୍ରକୃତରେ ଛୋଟ ଛୋଟ ଲୁହା କାହାଳି ଭଳି–ପ୍ରତ୍ୟେକର ମୁଣ୍ଡ ବା ଅଗଟି ମୁନିଆ । ସେଥିରେ ମାଟି କାଟି ହୋଇ ସରୁ ସରୁ ସିଆର ହୋଇଯାଉଥାଏ । ତେଣେ କଳଟିରେ ଗୋଟିଏ ବାକ୍ସରେ ବିହନ ବା ମଞ୍ଜି ଭର୍ତ୍ତି ହୋଇ ରହିଥାଏ । ସେଗୁଡ଼ିକ ଛତିକଣ୍ଟାର କାହାଳିଗୁଡ଼ିକରେ ଗଳି ଗଳି ପଡ଼ୁଥାଏ ଓ ସେଇ କାହାଳି ବାଟେ ଯାଇ ସିଆରରେ ହାଜର ହେଉଥାଏ । କଳ ଚାଲିବା ସଙ୍ଗେ ସଙ୍ଗେ ଏହି ବିହନସବୁ ଝରପାଣି ପରି ଝରି ଝରି ଚାଲିଥାଏ । କଣ୍ଟାଗୁଡ଼ିକ ଆଗ ମାଟିରେ ପଶିଯାଇ ତାକୁ ଟିକେ ଖେଳେଇ ଘାଣ୍ଟିଦେବାକ୍ଷଣି ସେଗୁଡ଼ିକ ମାଟିରେ ଘୋଡ଼େଇ ହୋଇଯାଉଥାଏ । ଗୋଟିଏ ବିହନ ବାକ୍ସରେ ପ୍ରାୟ ବସ୍ତାଏ ଖଣ୍ଡେ ବିହନ ରହିଥାଏ ।

 

ଗ୍ରୀଷ୍ମକାଳ ନିକଟେଉ ଆସିବା ସଙ୍ଗେ ସଙ୍ଗେ ଗହମ ବିହନସବୁ ଗଜା ଦେଲା, ଦି’ ଦି’ ପତ୍ର ଧରିଲା । ଗଛସବୁ ବଢ଼ିବାକୁ ଲାଗିଲା । ଅମଳ ସମୟରେ ଲୋକଙ୍କୁ ସାହାଯ୍ୟ କରିବାପାଇଁ ପୁଣି କେତେଗୁଡ଼ିଏ ମେସିନ୍ ଆସି ପହଞ୍ଚିଲା । ଆଗେ ଗହମ ଦାଆରେ କଟା ହେଉଥିଲା । ବାଡ଼ିରେ ବାଡ଼ିଆ ହୋଇ ଅମଳ ହେଉଥିଲା । ଏଥିରେ ଯେମିତି ବହୁତ ସମୟ ଲାଗୁଥିଲା, ସେମିତି ଚାଷୀଙ୍କର ହାଡ଼ ଭାଙ୍ଗିଯାଉଥିଲା କଠିନ ପରିଶ୍ରମରେ । କିନ୍ତୁ ଏବେ ଆଉ ଗୋଟାଏ ଅତିକାୟ ମେସିନ୍ ଆସି ଦେଖାଦେଲା । ତାକୁ କୁହାଯାଏ “କମ୍ବାଇନ୍–ହାର୍ଭେଷ୍ଟର୍” ବା ‘ମିଳିତ ଶସ୍ୟକଟା–ଅମଳକାରୀ କଳ’ । ଏହା ଆସିଲା କଟାକଟିରେ ଆଗ ସହାୟ ହେବାପାଇଁ । ଏହି କଳଟିର ଗୋଟିଏ ପାଖରେ ଥାଏ ସୂତା ରିଲ୍ ବା ଲଟେଇ ଭଳି ଲମ୍ବା ଜିନିଷଟିଏ । ତାହା ଦିଶୁଥାଏ ପବନଚକି କଳର ଅଝାଲ ବା ପଖା ଭଳି ଲମ୍ବାଳିଆ । ଏହା ଗହମ କେରାକୁ କେରା ଧରି କଟାଳିକଳଆଡ଼କୁ ନୁଆଁଇ ମୁହାଁଇ ଦେଉଥାଏ । କଳ ଭିତରେ ଆଗକୁ ପଛକୁ ସାଇଁସାଇଁ ହୋଇ ଚାଲୁଥାଏ ଦାଢ଼ିଆ ଦାଢ଼ିଆ ଛୁରି । ସେଇଥିରେ କାଟି ହୋଇଯାଉଥାଏ କେଣ୍ଡା କେଣ୍ଡା ଗହମ । ସେଗୁଡ଼ିକ ଯାଇ ପଡ଼ୁଥାଏ ସେଇ ଅମଳକାରୀ ମେସିନ୍ ଭିତରେ; ସେଠି ଗୋଟିଏ କେଣ୍ଡାଝଡ଼ା କଳରେ ଝାଡ଼ିହୋଇ ଗହମ ସବୁ ଶିଷାଗୁଡ଼ିକରୁ ଅଲଗା ହୋଇଯାଉଥାଏ ।

 

ସେଇ ଅମଳକାରୀ ମେସିନ୍‍ରେ ଗୋଟିଏ ମଞ୍ଚ ଭଳି ସ୍ଥାନରେ ଛିଡ଼ା ହୋଇଥାଏ ମେସିନ୍‍ଚାଳକ ବା ଅପରେଟର୍ । ସଞ୍ଚାଳକ ଚକଟିକୁ ବୁଲେଇ ବୁଲେଇ କଟାଳି ମେସିନ୍‍ଟିକୁ ସେ ପ୍ରାୟ ସଦାବେଳେ ନିୟନ୍ତ୍ରଣ କରୁଥାଏ । ସେ ଗୋଟିଏ ଫିତା ବା ଦଉଡ଼ି ଟାଣିଦେବାମାତ୍ରେ ଗୋଛାଏ ଲେଖାଏଁ ନଡ଼ା ବା କୁଟା ବିଲରେ ଖସିପଡ଼ୁଥାଏ । ଆଉ ଅମଳ ହୋଇଯାଇଥିବା ଗହମତକ ଗୋଟିଏ ପାଇପ୍ ବା ନଳିବାଟେ ଯାଇ ଅମଳକାରୀ ମେସିନ୍‍କୁ ଲାଗି ଚାଲୁଥିବା ଟ୍ରକ୍‍ରେ ଅଜାଡ଼ି ହେଉଥାଏ । ଏହି ଅମଳ ଗହମଗୁଡ଼ିକ ଏତେ ଜୋରରେ ଏମିତି ଗଳଗଳ ହୋଇ ଢାଳି ହେଉଥାଏ ଯେ, ଗୋଟାକ ପରେ ଗୋଟାଏ ଟ୍ରକ୍ ଚାହୁଁଚାହୁଁ ସେଥିରେ ଭର୍ତ୍ତି ହୋଇଯାଉଥାଏ-। ଏଣୁ ଅମଳପାଇଁ ଗୁଡ଼ାଏ ଟ୍ରକ୍ ଲୋଡ଼ା ହୋଇଥାଏ ।

 

କୋଠଚାଷୀମାନେ ଏଥର ନିଜର ପୁରୁଣା ଜମିରୁ କେବଳ ନୁହେଁ, ଏହି ନୂଆ ଉଠିଆ ଜମିରୁ ପ୍ରଚୁର ଗହମ ଅମଳ କଲେ । ଏ ଜମିକୁ ଆଉ ଅନାବାଦି ପଡ଼ିଆ ବୋଲି କେହି କହିଲେ ନାହିଁ । ଗହମ ଗଦା ଦେଖି ପିଲାଙ୍କର କି ଖୁସି !

Image

 

ଗହମର ବନ୍ଧ ଓ ଶତ୍ର

 

ଗହମ ଗୋଟିକର ଶତ୍ରୁ କୋଟିଏ ! ତା’ର ଯଦି ସେମିତି ବଳୀୟାର ବନ୍ଧୁ ନଥାନ୍ତେ, ତେବେ ତାହା ଆଜିଯାଏ ବଞ୍ଚି ନଥାନ୍ତା । ଗହମର ସେଇ ଶତ୍ରୁ ଆଉ ବନ୍ଧୁଙ୍କ ବିଷୟରେ ଟିକିଏ ଖବର ନିଆଯାଉ ।

 

ଅମାରରେ ବା କୋଠିରେ ଗହମ ପହଞ୍ଚିବାବେଳକୁ ଭୀଷଣଭାବେ ଡକାୟତ ସବୁ ତାକୁ ଛକି ରହିଥାନ୍ତି । ତାଙ୍କ ଭିତରେ ସବୁଠୁଁ ବଡ଼ ଆଉ ଭୟଙ୍କର ଡକାୟତ ହେଉଚି ପାହାଡ଼ିଆ ମୂଷା । ନିକଟରେ ଥିବା କେଉଁ ଘରୁ ଆସି ଅମାରତଳେ ଗାତ ଖୋଳି ସେ ଆଗରୁ ବସା ବାନ୍ଧିଥାଏ । ଅନେକ ଦିନ ତଳେ ସେ ଗ୍ରୀଷ୍ମକଟିବନ୍ଧ ଅଞ୍ଚଳରୁ ବା ଗରମ ଅଞ୍ଚଳରୁ ଶୀତପ୍ରଧାନ ରୁଷକୁ ଆସିଥିଲା । ସେଥିପାଇଁ ସେ ଥଣ୍ଡା ସହିପାରେ ନାହିଁ । ଗରମ ଦେଶରୁ ଆସିଥିବା ହେତୁରୁ ତା’ର ରୁମ୍‍ବି ପତଳା । କାନ ଆଉ ଲାଙ୍ଗୁଡ଼ରେ ରୁମ୍ ନଥାଏ କହିଲେ ଚଳେ । ଶୀତଦିନରେ ଯେଉଁଠି ଉଷୁମ ପାଏ, ସେଇଠି କାହା ଘରେ ସେ ଲୁଚିଛପି ରହେ । ଖରାଦିନେ ତା’ ପଲ୍ଲୀଘର ଅମାରଆଡ଼କୁ ମୁହାଁଏ । ସେଠି ଭୋଜନଟା ମିଳେ ଭଲ । ଏମିତି ଲୋକଙ୍କଠୁ ଦୂରେଇ ଦୂରେଇ ଚଳେ ସେ । ଲୋକେ ଘର ତୋଳନ୍ତି, ଥଣ୍ଡାରୁ ରକ୍ଷା ପାଇବାପାଇଁ ତାକୁ ଉଷୁମ ରଖନ୍ତି । ସେମାନେ ଗହମ ରୁଆନ୍ତି, ଅମଳ କରନ୍ତି । ଆଉ ପାହାଡ଼ିଆ ମୂଷା ଚୁପ୍‍ଚାପ୍ ଯାଇ କେଉଁଠି ଘରେ ବସା ବାନ୍ଧେ, ନିଆଁ ପୁଏଁ, ଦେହକୁ ଉଷୁମ ରଖେ । ଆଉ ଯେଉଁ ଗହମ କି ଧାନ ସେ ବୁଣି ନଥାଏ, ରୋଇ ନଥାଏ କି ଅମଳ କରି ନଥାଏ, ତାକୁ ଆନନ୍ଦରେ ବସି ଖାଏ ।

 

ଅମାର ମୁହଁରେ ଆଉ ଗୋଟିଏ ଶତ୍ରୁବି ଟାକି ରହିଥାଏ, ଲୁଙ୍ଗ ଲୁଙ୍ଗ ହେଉଥାଏ । ସେଇଟି ହେଉଚି, ଛୋଟ ଗାତୁଆ ମୂଷା । ଶୀତଦିନେ ସେ ବି କେଉଁଠି କାହା ଘରେ ଲୁଚିଥାଏ । ତେଣୁ ତାକୁ କହନ୍ତି ଘରୋଇ ମୂଷା । ଖରାଦିନେ ସେ ଚାଲିଯାଏ ବାରି ବଗିଚାକୁ । ସେଠି ଗାତ ଖୋଳି ରହେ । ତା’ ଭାଇ ବିଲମୂଷାବି ଏଇ ରୀତି ଧରେ । ଶରତ୍ ଆଉ ହେମନ୍ତ ଋତୁରେ ଏମାନେ ଯାଇ ବସବାସ କରନ୍ତି ଅମାରରେ । କାରଣ, ଥଣ୍ଡା ରହେ ଦୂରରେ ଆଉ ଗହମ ରହେ ହାତ ପାଖରେ ।

 

ଗହମର ତୃତୀୟ ଶତ୍ରୁ ହେଉଚି, ଆଉ ଗୋଟିଏ ଛୋଟ ଜୀବ–ତା’ର ନାକଟା ଭାରି ଲମ୍ବା । ଗୋଟାଏ କିସମର ପୋକ ଏଇଟି–ଶସ୍ୟପୋକ । ଗୋବର ପୋକ ଭଳି ଆକୃତିରେ । ଅମାର ଚଟାଣରେ କଣା କି ଫାଟରେ ସେ ରହେ । କାରଣ, ତାକୁ ଶୁଖିଲା ଆଲୁଅମୟ ଜାଗା ଭଲ ଲାଗେ ନାହିଁ । ସବୁଠୁ ଅନ୍ଧାରୁଆ, ଅସନା ଜାଗାରେ ସେ ରହେ । ସେଇଠି ଅନାଇଁଥାଏ କେବେ ଶସ୍ୟସବୁ ଅମଳ ହୋଇ ଆସିବ ଅମାରକୁ । ଯାହା କରିବାକୁ ଇଚ୍ଛା କରୁଥାଏ, ତାହା ଯଦି ସେ କରିପାରୁଥାନ୍ତା, ତେବେ ସବୁ ଶସ୍ୟତକ ପୂରାପୂରି ନଷ୍ଟ ହୋଇଯାଆନ୍ତା । କାରଣ, ତା’ କୁଟୁମ୍ବଟା ଯେମିତି ବଡ଼, ସେମିତି ଦୁନିଆଗିଳା ପେଟୁ । ତା’ ସ୍ତ୍ରୀ ଗୋଟିଏ ଗହମ ରୁଆରେ କଣାଟିଏ କରେ, ସେଠି ଡିମ୍ବ ଦିଏ । ତା’ପରେ ଆଉ ଗୋଟିଏ ଗହମ ପାଖକୁ ଯାଏଁ । ଏମିତି ଅତି କମ୍ ଦୁଇଶହଟି ଗହମରେ ଡିମ୍ବ ଦେଇ ବୁଲେ । ଏହାର ଅର୍ଥ, ଦୁଇଶହଟି ଶସ୍ୟ ନଷ୍ଟ ହୁଏ–ସେଇ ଡିମ୍ବଗୁଡ଼ିକ ଫୁଟେ । ସେଥିରୁ ଛୋଟ ଛୋଟ ପୋକଟିମାନ ବାହାରି ସେଇ ଶସ୍ୟକୁ ଖାଇ ଏକାବେଳକେ ଭିତରୁ ଝିଞ୍ଜାରି ଦିଅନ୍ତି ।

 

ଏତିକିରେ ଯେ ଶତ୍ରୁସଂଖ୍ୟା ସରିଯାଏ, ଏହା ନୁହେଁ । କେତେ ଅନାବନା ଘାସର ବିହନ ଗହମ ସାଙ୍ଗରେ ମିଶି ଅମାର ଭିତରକୁ ଯାଏଁ । ଗହମ ଯେତେବେଳେ ପିଲାଟିଏ ହୋଇଥାଏ, ଶିଷା ଦୋଳିରେ ଝୁଲୁଥାଏ, ବଢ଼ୁଥାଏ, ସେତେବେଳେ ଘାସ ତା’ର ପାଣିଟୋପାକ, ତା’ର ସୂର୍ଯ୍ୟ କିରଣଟିକ ଜବରଦସ୍ତ ଛଡ଼ାଇନେବାକୁ ଚେଷ୍ଟା କରିଥାଏ । ଏଣୁ ଏଇ ଘାସ ଭିତରେ ସୁଆଁ, ବାଳୁଙ୍ଗା, ବଣୁଆ ଯଅ, କୁଜିଗେଣ୍ଡାଭଳି ମୋଡ଼ିମୋଡ଼ିକା ଘାସ ପ୍ରଭୃତି ଠିକ୍ ଶସ୍ୟ ଭଳି ଦିଶେ । ଏଥିଭିତରୁ ଯଅ ବଣୁଆ ନ ହୋଇ ଚାଷ ହେଲେ ଆମେ ଖାଉଁ । ଏହା ଖୁବ୍ ପୃଷ୍ଟିକାରକ ହୁଏ । କିନ୍ତୁ ବଣୁଆ ଯଅ କେଉଁ କାମରେ ଲାଗେନାହିଁ । ଏହା ଗହମକୁ ନଷ୍ଟ କରେ । ତମେ ଦେଖିଥିବ ସୋରିଷ କି ଗହମ କିଆରିରେ ମାଣ୍ଡିଆଭଳି କୁନି ଶାମୁକାପରି ମୋଡ଼ିମୋଡ଼ିକା ଘାସ ଜନ୍ମେ । ଫୁଲଗୁଡ଼ିକ ତା’ର ବେଶ୍ ନାଲିଆ ନାଲିଆ; ପତ୍ରଗୁଡ଼ିକ ସରୁଆ ସରୁଆ ମୋଡ଼ିମୋଡ଼ିକା । ଏହା ବଣୁଆ ଯଅଠୁ ଅଧିକ କ୍ଷତି କରେ; କାରଣ, ଏହାର ମଞ୍ଜି ଭାରି ବିଷାକ୍ତ ।

 

ପାହାଡ଼ିଆ ମୂଷା, ଘରୋଇ ମୂଷା, ବିଲ ମୂଷା, ଗୋବର ପୋକ, ବଣୁଆ ଅନାବନା ଘାସ, ସୁଆଁ, ଯଅ ପ୍ରଭୃତି କେତେ ଶତ୍ରୁ ଗହମର !

 

କିନ୍ତୁ ଏ ସମସ୍ତଙ୍କଠୁଁ ବଳି ଚତୁର ହେଉଚି, ଆହୁରି ଗୋଟିଏ ଅତି ଛୋଟରୁ ଛୋଟ ପୋକ । ଏହାକୁ କୁହାଯାଏ ‘କାଳି’ପୋକ । ଏହା ଏଡ଼େ ଟିକିଟିକି କାଳିବୁନ୍ଦା ପରି ଯେ ସହଜରେ ବାରିହୁଏ ନାହିଁ । ଗହମ ବିଲରେ ଫଲ ଉଡ଼େଇ ଛନଛନେଇ ଉଠିଲାବେଳେ ଏହା ତାକୁ ଆମନ୍ତ୍ରଣ କରେ । ଏଣୁ ଏହାକୁ ଗୋଟାଏ ଶସ୍ୟରୋଗ ବୋଲି ଧରାଯାଏ । ଏହା ରୋଗର ଜୀବାଣୁ ପରି ପବନରେ ଭାସି ଭାସି ଆସେ–ଏଡ଼େ ଅଦୃଶ୍ୟ ! ଏହାର ଧୂଳିରେଣୁ ପରି ଏକକୋଷୀ ଅଂଶ ଯାଇ ପଡ଼େ ଗହମ ଫୁଲରେ । ସେଇଠି ତା’ର ଚେର ମାଡ଼େ, ଲମ୍ବା ଲମ୍ବା ସରୁ ସରୁ ସୂତା ଖିଅ ବାହାରେ-। ଗହମ କେଣ୍ଡାରେ ଦେଖାଦେବାମାତ୍ରେ ଏଇ ସୂତାସବୁ ଗଳିଯାଏ ସେଥିରେ, ତାକୁ ଖାଇଯାଇ ଏକାବେଳକେ ରୋଗଣା କରିଦିଏ ।

 

ଏତେ ଶତ୍ରୁ ଭିତରେବି ଶସ୍ୟ ବଞ୍ଚିଚି–ଯୁଗଯୁଗ ଧରି ବଞ୍ଚିଚି । କାରଣ ଏହାର ଗୋଟିଏ ବଡ଼ ରକ୍ଷାକାରୀ ଅତି ଘନିଷ୍ଠ ବନ୍ଧୁ ଅଛି ।

 

ପାହାଡ଼ିଆ ବଡ଼ ମୂଷା କି ଟିକି ମୂଷାଟିଏ ଯେତେବେଳେ ଏହାକୁ ଛକି ଅନେଇଁ ବସିଥାଏ ଅମାର କି ଖଳାରେ, ସେତେବେଳେ ସେ ଦେଖେ ଚିନିଦିଆ ଲହୁଣୀଗୋଳା ରୁଟି କି ପିଠା କିଏ ରଖିଥାଏ ତା’ପାଇଁ । ସେ ଖୁସି ହୋଇଯାଏ–ବଡ଼ ଭୋଜିଟିଏ ମିଳିଲା ବୋଲି । କିନ୍ତୁ ସେଥିରେ ବିଷ ଗୋଳା ହୋଇଥାଏ । ଆଉ ଭୋଜିଫୋଜି ହୋଇପାରେ ନାହିଁ । ଏଣୁ ଶସ୍ୟ ଅମଳ ହୋଇ ଅମାରରେ ପଶିଲାବେଳକୁ ଏଇ ରୀତିରେ ମୂଷା ସବୁ ନିପାତ ହୋଇଯାଆନ୍ତି । ଅସହାୟ ଶସ୍ୟକୁ ତେବେ ରକ୍ଷା କରେ କିଏ ? ରକ୍ଷା କରେ ତା’ର ଏକମାତ୍ର ବନ୍ଧୁ କୋଠଚାଷୀ ।

 

ଗୋବରପୋକ ବା ଶସ୍ୟପୋକ ଖତମ ହୁଏ ଏମିତି ଅନେକ ଆଗରୁ । ବିଲରୁ ଗହମ ଅମାରକୁ ଆସିବାରେ ଡେରିଥାଏ, ଗୋଟିଏ ଛାଞ୍ଚୁଣି ଆଉ ଓଦାଳିଆ ପବନ କାମରେ ଲାଗିଯାଆନ୍ତି-। ଗୋବରପୋକ ତ ନିର୍ମଳ ପବନ ଆଉ ସଫାସୁତୁରାକୁ ନାକ ଟେକେ । କିନ୍ତୁ କିଏ ସେ ଅମାରର ଦୁଆର ଝରକା ଖୋଲି ସେଥିରେ ପରିଷ୍କାର ପବନ ଖେଳେଇଥାଏ, କିଏ ସେ ଅମାରକୁ ଓଲେଇ କଣା ଓ ଫାଟ ବୁଜି ସଫାସୁତୁରା କରିଥାଏ ? ସେହି ବନ୍ଧୁ ସେ–କୋଠଚାଷୀ ।

 

ଗୋବରପୋକ ବା ଶସ୍ୟପୋକକୁ ଏକାବେଳକେ ମୂଳପୋଛ କରିଦେବାପାଇଁ ସେ ଅମାରଘରର କାନ୍ଥରେ, ଚଟାଣରେ, ତଳ ଛାତରେ ପିଚକାରିମାରି ତରଳ କଷ୍ଟିକ୍ ସୋଡ଼ା ଛିଞ୍ଚିଦିଏ-। କିନ୍ତୁ ତାକୁ ଅସଲ କଷ୍ଟ ଭୋଗିବାକୁ ପଡ଼େ ବଣୁଆ ଅନାବନା ସୁଆଁ, ଜହର ମଞ୍ଜିଗୁଡ଼ିକୁ ନିକାଲିବାରେ । ସେଇ ମଞ୍ଜିସବୁ ଯେମିତି ଭାବିଥାନ୍ତି, “ଆମେବି ଶସ୍ୟ । ଆମକୁ ତମେ ଗହମରୁ ଅଲଗା ବିଚାରିଲେ ଚଳିବ ନାହିଁ ।” କିନ୍ତୁ ଚାଷୀ ଠିକ୍ ଜାଣେ, ଗହମ କି ଧାନ ଭଳି ଦିଶିଲେବି ସେଗୁଡ଼ିକ ଆଦୌ ତାହା ନୁହଁନ୍ତି । ବଣୁଆ ଯଅଟା ଗହମଠୁ ଲମ୍ବା, ସୁଆଁ ଧାନଠୁ ଗେଡ଼ା-। ଗେଣ୍ଡି ଶାମୁକା ଭଳି ମୋଡ଼ିମୋଡ଼ିକିଆ ଘାସ ଆହୁରି ଛୋଟ । ତେବେ, ପର୍ବତପ୍ରମାଣ ଗହମ ଗଦାରୁ ସେସବୁ ଅଲଗା ହୁଏ କେମିତି ? ସେ ଗଦାରେ ତ ସେମାନେ ଆରାମରେ ଲୁଚିଥାଆନ୍ତି-। ଅମାରକୁ ଯିବା ପୂର୍ବରୁ ଗହମ ବା ଧାନକୁ ଗୋଟାଏ ମେସିନ୍‍କୁ ପଠାଯାଏ । ଫାର୍ମରେ ଥିବା ପିଲାଏ ଏ ମେସିନ୍ ଦେଖିଥିବେ । ଏ ମେସିନ୍‍ଟିକୁ କୁହାଯାଏ କଳ-ଚାଲୁଣି ବା ଶସ୍ୟଉଡ଼ା କଳ-

 

ଏହି କଳ ଉପରେ ଶସ୍ୟକୁ ଅଜଡ଼ାଯାଏ । କଳ ଭିତରେ ଗୋଟିଏ ପଙ୍ଖା ଚାଲୁଥାଏ । ତାହାର ପଖାଗୁଡ଼ିକ ଜୋରରେ ଘୂରି ଘୂରି ପବନକୁ କାଟୁଥାଏ; ପବନ ଖେଳି ଖେଳି ଯା-ଆସ କରୁଥାଏ । ସେଇ ପବନରେ ଧୂଳି, କୁଟା ଆଉ ଅତି ହାଲୁକା ଘାସମଞ୍ଜି, ବାଳୁଙ୍ଗା ବିହନସବୁ ଉଡ଼ିଯାଏ । ଗହମଗୁଡ଼ିକ ଓଜନିଆ । ସେଗୁଡ଼ିକ ଚାଲୁଣିରେ ପଡ଼େ । ଚାଲୁଣିଟା ଆଗକୁ ପଛକୁ ହୋଇ ଚାଲୁଥାଏ । ସେଥିରେ ଅସଲ ଶସ୍ୟତକ ବାଛି ହୋଇଯାଏ, ଗୋଡ଼ିମାଟି ରହିଯାଏ ଚାଲୁଣିରେ । ଆଉ ଚାଲୁଣିର କଣାବାଟେ ଶସ୍ୟଗୁଡ଼ିକ ଗଳିପଡ଼େ ।

 

ବଣୁଆ ଯଅ ଆଉ ମୋଡ଼ିମୋଡ଼ିକିଆ କଙ୍କଡ଼ାମଞ୍ଜି ସମ୍ପର୍କରେ କ’ଣ କରାଯାଏ ? ସେଗୁଡ଼ିକ ପବନରେ ଉଡ଼ି ଯାଆନ୍ତି ନାହିଁ–ଶସ୍ୟ ସାଙ୍ଗରେ ଚାଲୁଣିରେ ଗଳିପଡ଼ନ୍ତି । ସେଥିପାଇଁ ଚାଲୁଣି ତଳେ ଆଉ ଗୋଟିଏ ଶସ୍ୟବଛାଳି ସ୍ଵତନ୍ତ୍ର ଧରଣର ଚାଲୁଣି ଥାଏ । ସେଥିରେ ପ୍ରତିଟି ଶସ୍ୟ ଲମ୍ବ ଅନୁସାରେ ମାପିହୋଇ ତାହା ଅସଲ କି ନୁହେଁ, ଧରାପଡ଼େ । ଏହି ବଛାଳି କଳଟି ଦେଖିବାକୁ କେମିତି ? କେଉଁ ଶସ୍ୟଦାନାଟି ଛୋଟ କି ଲମ୍ବ ବୋଲି ଏହା ବାରେ କେମିତି ? ଏହାର ତ ଆଖି ନାହିଁ ନିଶ୍ଚୟ । ଏହି କଳଟିକୁ ଜାଣିବାକୁ ହେଲେ ଗୋଟିଏ ଏଥିରୁ ନିଜେ ଦେଖିବା ଭଲ । ବାହାରକୁ ଏହା ମୃଦଙ୍ଗ ଭଳି ଦିଶେ । ଲୁହାରେ ତିଆରି ଏଇ ମୃଦଙ୍ଗ ଭଳି କଳଟିରେ ବିଭିନ୍ନ ଆକାରର ଖୋପମାନ ଥାଏ । ଏହାକୁ ସବୁ କୋଠରୀ କୁହାଯାଏ । ଲମ୍ବ ଦାନାଗୁଡ଼ିକ ଗୋଟିଏ ପ୍ରକାରର ଖୋପରେ ରହିପାରେ; ଛୋଟ ଦାନାଗୁଡ଼ିକ ଆଉ ଗୋଟିଏ ପ୍ରକାର ଖୋପରେ ରହେ । ଶସ୍ୟସବୁ ଢାଳିହେଲାବେଳେ ଚାଲୁଣିରୁ ଆସି ଏହି ପିମ୍ପାରେ ପଶେ । ଲମ୍ବ ଦାନାଗୁଡ଼ିକ ଆଗ ଲମ୍ବ ଖୋପରେ ଲାଗେ, ତା’ପରେ ଛୋଟଗୁଡ଼ିକ । ପିମ୍ପାଟା ସେତେବେଳେ ଅନବରତ ଘୂରୁଥାଏ । ଲମ୍ବ ଦାନାରେ ଭର୍ତ୍ତି ଲମ୍ବ ଖୋପଗୁଡ଼ିକ ଉପରକୁ ଉଠିଲାବେଳେ ଦାନାସବୁ ତଳେ ଗୋଟାଏ ଡାଲାରେ ପଡ଼େ–ସେଇ ଡାଲାରୁ ଖସିଯାଇ ବଛାବଛି ଉଡ଼ାଉଡ଼ି ଯନ୍ତ୍ରଟିରୁ ବାହାରକୁ ଚାଲିଯାଏ । ବଣୁଆ ଯଅ ଗୋଟାଏ ଠାଆରେ ଗଦା ହୁଏ । କଙ୍କଡ଼ାମଞ୍ଜି ଆଉ ଗୋଟିଏ ସ୍ଥାନରେ ଜମା ହୁଏ । ଗହମ ତ ଅଲଗା ଜାଗାରେ କୁଢ଼େଇ ହୋଇଯାଉଥାଏ ! ପ୍ରକୃତରେ ଏହି ଉଡ଼ାଉଡ଼ି ବଛାବଛି କଳ ନ ଦେଖିଲେ ଏହା ବିଷୟରେ ସ୍ପଷ୍ଟଭାବରେ ଧାରଣା କରିହେବ ନାହିଁ । ଥରେ ଯଦି ଦେଖିବାକୁ ସୁବିଧା ପାଅ, ତେବେ ସହଜରେ ଏହାର ଗଢ଼ଣ ଓ କାମର ରୀତି ବୁଝିପାରିବ ।

 

କାଳିପୋକର ଆକ୍ରମଣରୁ–ସେଇ ବିଷମ ଶସ୍ୟରୋଗରୁ ଶସ୍ୟକୁ ରକ୍ଷା ମିଳେ କେମିତି-? ଆମେ ଦେଖିଛେ, ମାଈ କାଳିପୋକ ଗହମରେ ଡିମ୍ବ ଦିଏ । ତାହା ପୁଣି ଏତେ ସରୁ ଯେ, ଆଖିକି ଦିଶେ ନାହିଁ । ଏଇ ପୋକ ଯଦି ବିହନରେ ପଶେ, ତେବେ ସେ ବିହନ ଖତିରା ହୋଇଯାଏ-। ତେଣୁ ଚାଷୀମାନେ ବିହନଗୁଡ଼ିକୁ ନେଇ ଗରମ ପାଣିରେ ପକାନ୍ତି । ଗରମରେ ସେଇ ଡିମ୍ବଗୁଡ଼ିକ ଆଉ ପୋକସବୁ ମରିଯାଆନ୍ତି । ତା’ପରେ ବିହନ ଶୁଖା ହୁଏ ।

 

ଏମିତିଭାବରେ କୋଠଚାଷୀ ମୂଷା, ଗୋବର ପୋକ, କଙ୍କଡ଼ାମଞ୍ଜି, ସୁଆଁ, ବଣୁଆ ଯଅ, କାଳିପୋକ ବିରୁଦ୍ଧରେ ଯୁଦ୍ଧ ଚଳାଇ ତାଙ୍କୁସବୁ ନିର୍ମୂଳ କରେ । ସେମାନେ ତାକୁ ବୁଦ୍ଧିରେ ବା ଚତୁରତାରେ ବଳିଯିବାକୁ ବସିଥାଆନ୍ତି । କିନ୍ତୁ ମଣିଷ ତାଙ୍କୁ ସହଜରେ ଜବତ କରେ ।

 

ଅମାରରୁ ଗହମ ନିଆଯାଇ ବିଲରେ ବୁଣା ହେଲାପରେବି ପୁଣି ତା’ ଉପରେ ବିପତ୍ତି ପଡ଼େ । ଆହୁରି ଭୟଙ୍କର ଶତ୍ରୁ ସବୁ ମାଡ଼ିଆସନ୍ତି । ବିଲ ମାଟି ଚାଷ ହୋଇ, ବିଦା ଦିଆଯାଇ, ଖତସାର ଖାଇ ଫସଫସିଆ ଝୁରୁଝୁରିଆ ହୋଇଯାଇଥାଏ ।

 

ବିହନସବୁ ସେଇ ମାଟି ଭିତରେ ପଡ଼ି, ପ୍ରଥମେ ପ୍ରଥମେ କେମିତି ନିଦ ମଳମଳ ଅବସ୍ଥାରେ ରହନ୍ତି । ତାଙ୍କୁ ତନ୍ଦ୍ରା ଘାରିଥାଏ ଯେମିତି । ଶୀଘ୍ର କିନ୍ତୁ ସେମାନେ ଚେଇଁ ଉଠନ୍ତି, ଚଞ୍ଚଳ ହୁଅନ୍ତି । ମାଟିତଳ ପାଣିରେ ଫୁଲି ଫୁଲି ଉଠନ୍ତି, ଆଉ ସରୁ ସରୁ ଛୋଟ ଛୋଟ ଶାଖା ମେଲନ୍ତି । ଛୋଟ ଛୋଟ ଚେରରେ ମାଟିତଳ ପାଣି ବା ଆର୍ଦ୍ରତାଟିକ ଶୋଷନ୍ତି । ତା’ପରେ କୁଆଁ ଦେଇ ଉପରକୁ ବାହାରନ୍ତି, ଆଲୁଅ ଖୋଜି ହୁଅନ୍ତି । ଏଥିପାଇଁ ପ୍ରତ୍ୟେକଟିର ଟିକିଟିକି ଶାଗୁଆ ପତ୍ରଟିମାନ ସୂର୍ଯ୍ୟଆଡ଼କୁ ଢଳେ । ଗୋଟିକ ପରେ ଗୋଟିଏ କରି ନୂଆ ନୂଆ ପତ୍ର କଅଁଳେ–ଚାହୁଁଚାହୁଁ ସମୁଦାୟ କିଆରି ଶାଗୁଆ ଶାଗୁଆ ବୁଆରେ ପୂରିଯାଏ ।

 

ଏତିକିବେଳେ ଶତ୍ରୁ ପହଞ୍ଚିଯାଇ ଆକ୍ରମଣ ଆରମ୍ଭ କରନ୍ତି । ଧାଡ଼ିକି ଧାଡ଼ି ଗହମ ମଝିରେ ଘାସ, ସୁଆଁ ଯଅ, ବାଳୁଙ୍ଗା ଗଛ ଦେଖାଦିଏ । ଗହମଗଛ ବଢ଼ିବା ଆଗରୁ ସେଗୁଡ଼ିକ ଡାଳପତ୍ର ମେଲି ବଢ଼ିଯାଏ । ଚାଷୀ ବଛାବଛିରେ ଲାଗେ; ତାକୁସବୁ ଉପାଡ଼େ ।

 

ଗହମର ଚେରଗୁଡ଼ିକ ତେଣେ ଧୀରେ ଧୀରେ ଟାଣ ହେଉଥାଏ । ଗଛଗୁଡ଼ିକ ଶୀତ ଦେଶରେ ଶୀତଦିନ ପାଇଁ ବଳ ସଞ୍ଚୟ କରିବାକୁ ବାହାରେ । କାରଣ, ସେଠାରେ ଗହମ ଉପରେ ତୁଷାର ପଡ଼ିବ; ତାହା ହେମାଳ ହୋଇଯିବ ।

 

ଖାଲି ତୁଷାର ବା ବରଫ ନୁହେଁ; ଶୀତଋତୁରେ କୁହୁଡ଼ି ଆସି ପହଞ୍ଚେ । ଏଇ କୁହୁଡ଼ି ପ୍ରକୃତରେ ଗହମ ଗଛର ଭଗାରି । କୁହୁଡ଼ିରେ ଛୋଟ ଛୋଟ କଅଁଳ ପତ୍ରଗୁଡ଼ିକ ମୁରୁକୁଟେଇ ଯାଆନ୍ତି, କଳା ପଡ଼ିଯାଆନ୍ତି । ବରଫ ଆସି ବରଂ ସେଗୁଡ଼ିକୁ ଚାଦର ଭଳି ଘୋଡ଼େଇପକେଇ ରକ୍ଷା କରିଦିଏ । ପ୍ରଥମେ ଗହମଗଛ ଦେହରେ ଯେତେବେଳେ ତେଜ ଆସୁଥାଏ, ବଳ ପଶୁଥାଏ, ସେତେବେଳେ ପବନ ବହି କୁହୁଡ଼ିକୁ ସାହାଯ୍ୟ କରେ; ବରଫ ଚାଦରଟାକୁ ଚିରିଚାରି ଉଡ଼ାଇଦିଏ । ବରଫକୁ କେଉଁ ଖାଲକୁ କି ନାଳକୁ ଠେଲିଦିଏ । ଶୀତଋତୁବେଳକୁ ଅବଶ୍ୟ ଗଛଗୁଡ଼ିକ ଟାଣ ହୋଇଥାଏ । ତଥାପି, ତା’ ପକ୍ଷରେ ନିଜ ଦେହରେ ତେଜ ବା ଗରମ ଧରି ରଖିବା ସହଜ ହୁଏ ନାହିଁ । ଦିନକୁଦିନ ହେମାଳ ପ୍ରବଳ ହୁଏ । ରାତିଯାକ ବରଫ ପବନ ମଞ୍ଜ ଥରାଇ ବହେ । ଗହମ ଗଛର ଶେଷ ମୁହୂର୍ତ୍ତ ଆସିଯାଏ । ତଥାପି, ଚାଷୀ ଦମ୍ଭ ହରାଏ ନାହିଁ । ତାକୁ ରକ୍ଷା କରିବାପାଇଁ ପ୍ରାଣପଣେ ଲାଗିପଡ଼େ ।

 

ଚାଷୀ ତ ଆଉ ପବନକୁ କହିପାରେ ନା, “ବନ୍ଦ ହୁଅ !” କୁହୁଡ଼ିକୁ ହୁକୁମ ଦେଇପାରେନା, “ଯା, ବାହାରି ଯା !” କାମରେ କିନ୍ତୁ ଠିକ୍ ସେ ଏହାହିଁ କରେ । ବିଲରେ ହିଡ଼ବାଡ଼ ଟେକେ, ବର୍ଷାଦିନେ ଗ୍ରୀଷ୍ମ ଅଞ୍ଚଳ ଦେଶର କ୍ଷେତରେ ଯେପରି ହିଡ଼ ଟେକାଯାଏ, ସେମିତି ପ୍ରାୟ । ଡାଳପତ୍ରରେ ବରଫ ରୋକିବାପାଇଁ ବାଡ଼ ପକାଏ, କୁଟା ଛାଆଣି କରେ, ସୂର୍ଯ୍ୟମୁଖୀ ଫୁଲ ଗଛର ଡାହିମାନ ସଜାଏ । ସେ ଦେଶଗୁଡ଼ିକରେ ବାଉଁଶ ମିଳେ ନାହିଁ । ଏଣୁ ପବନ ଯେତେ ଜୋରରେ କହିଲେ ମଧ୍ୟ ବାଧା ପାଏ । ସେ ଯେଉଁ ଦିଗକୁ ମୁହାଁଉ ପଛେ, ବାଡ଼ଗୁଡ଼ିକ ତାକୁ ବାଟ ଛାଡ଼େ ନାହିଁ-

 

ବସନ୍ତ ବା ଗ୍ରୀଷ୍ମଋତୁର ଆରମ୍ଭଟା ଆସି ପହଞ୍ଚେ; ବରଫ ତରଳେ । ବରଫ ପାଣି ମାଟିରେ ଶୋଷି ହୋଇଯାଏ; ଚାଷୀ ଖୁସି ହୁଏ । ବିଲରେ ବରଫ ପଡ଼ିଥିବା ହେତୁରୁ ଗହମଗଛ ଶେଷ ହୋଇଯାଇ ନଥାଏ; ମୁରୁକୁଟିଆ ମାରି କଳା ପଡ଼ି ନଥାଏ । ସେଇ ବରଫ ତରଳିବାରୁ ପାଣି ମିଳେ; ସେଇ ପାଣି ଜମା ହୋଇ ରହିଥାଏ ।

 

କିନ୍ତୁ ଗ୍ରୀଷ୍ମ ସାଙ୍ଗରେ ଆସେ ତାତି । ଷ୍ଟେପି ବା ତୃଣାଞ୍ଚଳଆଡ଼ରୁ ତାତିଲା ଓ ଶୁଖିଲା ପବନ ବହେ; ଗହମଗଛ ଶୋଷରେ ହାଇଁପାଇଁ ହୁଏ । ତା’ର ପାଣି ଲୋଡ଼ା ହୁଏ ପ୍ରଚୁର ପରିମାଣରେ । ଏତେବେଳକୁ ଗଛ ଆହୁରି ବଢ଼ି ସାରିଥାଏ, କେଣ୍ଡା ଧରିଥାଏ । ଚାଷୀ ବର୍ଷାକୁ ଅନେଇ ରୁହେ । ଦେଖେ, ବର୍ଷା ନହେଲେ ଗହମଗଛ ଶେଷ ହୋଇଯିବ ।

 

ଧର, ଆକାଶରେ ବଉଦ ଦେଖାଗଲା ନାହିଁ, ଟୋପିଏ ବୋଲି ବର୍ଷା ହେବାର ଆଶା ରହିଲା ନାହିଁ । ଚାଷୀ କ’ଣ ଗହମଗଛଗୁଡ଼ିକୁ ଶୋଷରେ ମରିବାକୁ ଦେବ ? ନା, ପୁଣି ସେ ଅଣ୍ଟା ଭିଡ଼େ, ତାକୁ ରକ୍ଷା କରେ । ସେ ଆକାଶରୁ ଯାହା ପାଏ ନାହିଁ, ତାହା ଭୂଇଁ ଭିତରୁ ଯୋଗାଡ଼ କରେ-। କାଳେ ବର୍ଷା ହେବ ନାହିଁ, ଏହା ଭାବି ଆଗରୁ ଖାଲରେ କି ଟୁବ୍‍ରେ, କେଉଁଠି ଝରଣା ପାଖରେ ଥିଲେ, ପାଣି ବନ୍ଧେଇ ରଖିଥାଏ । ନଇଲେ ଝରଣାରୁ ପାଣି ନିଏ । ବିଲରେ ମାହାର କାଟି ପାଣି ଛାଡ଼େ । ପାଣି ଗଛଗୁଡ଼ିକ ମୂଳରେ ଯାଇ ପହଞ୍ଚେ । ଏତେବେଳକୁ ଗଛଗୁଡ଼ିକ ଆହୁରି ଡେଙ୍ଗା ଆଉ ଝାମ୍ପୁଲା ହୋଇଥାଏ । କେଣ୍ଡାଗୁଡ଼ିକ ସୁନେଲି ଶସ୍ୟଦାନାରେ ଭାଙ୍ଗି ଭାଙ୍ଗି ପଡ଼ୁଥାଏ-। ଅମଳ ସମୟ ଆସେ । କିନ୍ତୁ ଏ କ’ଣ ? ହଠାତ୍ ଆକାଶ ଅନ୍ଧାର କରି ମାଳକୁ ମାଳ ମେଘ ଘୋଟିଲା ଯେ-! ଯେତେବେଳେ ନିହାତି ଅଦରକାରୀ, ସେତେବେଳେ ବର୍ଷା ହେବାର ଭୟ ହୁଏ । ଟିକିଏ ଡେରି କଲେ କି ମନ୍ଥର ହେଲେ ଆଉ ଗହମ କଟା ହୋଇପାରିବ ନାହିଁ । ବର୍ଷାରେ ବିଲ ଆଉ ଗଛ ଜୁଡ଼ୁବୁଡ଼ୁ ହୋଇଯିବ । ବର୍ଷାରେ ଏମିତି ଯଦି କେବେ ପାଚିଲା କେଣ୍ଡା ଭିଜେ, ତେବେ ସେଥିରୁ ଛୋଟ ଛୋଟ ଶାଖା ବାହାରିବ । କେଉଁଠି ହୁଏତ ଗଛ ଫିମ୍ପି ମାରିଯିବ । ତେଣୁ ମୁହୂର୍ତ୍ତେ ଡେରି ନ କରି କମ୍ବାଇନ୍ ବା ଅମଳକାରୀ ମେସିନ୍ ଆଣି ଚାଷୀ ତରବରରେ ଅମଳ କାମରେ ଲାଗେ-

 

ସୁନେଲି ଗହମ କିଆରିରେ ଅମଳକାରୀ କଳଟା ଚାଲେ । ସତେ ଯେମିତି ସୂର୍ଯ୍ୟ କିରଣରେ ଉଜ୍ଜ୍ଵଳ ସମୁଦ୍ରରେ ଜାହାଜଟାଏ ପାଲ ଉଡ଼ାଇ ଆଗଉଥାଏ । ଏହି ଯନ୍ତ୍ରଚାଳକଟି ଛୋଟ ପତାକାଟିଏ ହଲେଇବାକ୍ଷଣି ଟ୍ରକ୍‍ଟିଏ ଅମଳକାରୀ କଳ ପାଖରେ ପହଞ୍ଚେ । ସେଥିରେ ନିର୍ଝର ଭଳି ଝରିପଡ଼େ ଅମଳ ଗହମଗୁଡ଼ାକ ।

 

ଗୋଟିଏ ଦାନା ଗହମ ବିହନରୁ ଅନେକ କେଣ୍ଡା ବାହାରେ; ପ୍ରତି କେଣ୍ଡାରେ ଅସଂଖ୍ୟ ଗହମଦାନା ଝୁଲୁଥାଏ । ଏଣୁ ଗହମ ତା’ର ମାଲିକ ଓ ରକ୍ଷକ ପାଖରେ ଋଣୀ ହୁଏ ନାହିଁ; ତାକୁ ବହୁଗୁଣରେ ଗହମ ଦେଇ ପୁରସ୍କୃତ କରେ !

 

ଭଲଭାବରେ ସେକା ହୋଇଥିବା ପାଉଁରୁଟି ଖଣ୍ଡେ ଖାଇଲାବେଳେ ତୁମର ଚାଷୀମାନଙ୍କ ପାଖରେ କୃତଜ୍ଞତା ଜଣାଇବା ଉଚିତ । ତା’ର ଧୈର୍ଯ୍ୟ ଆଉ ଏକନିଷ୍ଠ କାମ ଯୋଗୁଁ ତୁମେ ରୁଟି ପାଅ ।

 

ଆଉ ଗୋଟିଏ କଥା ମନେରଖିବା ଆବଶ୍ୟକ । ଗହମର ଆଉ ଜଣେ ବନ୍ଧୁ ଓ ମିତ୍ର ଅଛନ୍ତି–ସେ ହେଉଛନ୍ତି ‘ବିଜ୍ଞାନୀ’ । ସେଇ ବିଜ୍ଞାନୀମାନେ ତା’ କଥା ସବୁବେଳେ ବିଚାରନ୍ତି । ସେମାନେ ଦିନରାତି ଖଟି ଖଟି ତା’ ସଂକ୍ରାନ୍ତ ସମସ୍ୟାଗୁଡ଼ିକ ବିଭିନ୍ନ ଉପାୟରେ ଓ ରୀତିରେ ସମାଧାନ କରିବାରେ ଲାଗିଥାନ୍ତି । ସୋଭିଏତର ବିଜ୍ଞାନୀମାନଙ୍କ ସମ୍ମୁଖରେ ପ୍ରଶ୍ନ ହେଉଚି–କ’ଣ କଲେ ବେଶି ଗହମ ଆମଦାନୀ କରିହେବ । ସେମାନେ ଏବେ ଅନେକ ସମସ୍ୟାର ସମାଧାନ କଲେଣି; ଗହମ ପାଚିବାକୁ ଯେତେ ସମୟ ଆବଶ୍ୟକ, ସେତିକି ସମୟର ବେଗ ବା ଗତିକୁ ବଢ଼ାଇଦେଲେଣି । ତେଣୁ ଷ୍ଟେପି ଅଞ୍ଚଳଆଡ଼ୁ ଶୁଖିଲା ପବନ ବହିବା ଆଗରୁ ଗହମ ପାଚି ପୋଖତ ହୋଇପାରୁଚି–ଅମଳ ହୋଇପାରୁଚି । ଉତ୍ତରାଞ୍ଚଳ ପାଇଁ ସେମାନେ ଗୋଟାଏ ‘ସହିଷ୍ଣୁ’ ଓ ଶକ୍ତ କିସମର ଗହମ ଗବେଷଣା କରି ବାହାର କରିଛନ୍ତି । ବୁଣାର ସ୍ଵତନ୍ତ୍ର ନୂଆ ପ୍ରଣାଳୀ ବା ସୂତ୍ର କାଢ଼ିଛନ୍ତି । ଏହା ସାଇବେରିଆ ଅଞ୍ଚଳର ଅତି ଭୟଙ୍କର ଶୀତଋତୁକୁବି ପ୍ରତିରୋଧ କରିପାରୁଛି ।

Image

 

ଶସ୍ୟର ଯାତ୍ରା

 

ରୁଟି ତିଆରି ହେଉଛି କେଉଁଥିରେ ?

 

ଅଟାରେ ।

 

ଅଟା ଆସେ କେଉଁଥିରୁ?

 

ଶସ୍ୟରୁ ।

 

ଶସ୍ୟ ଅଟା ପାଲଟେ କେମିତି ?

 

ଶସ୍ୟକୁ ଅଟାକଳରେ ବହୁତ ବାଟ ଅତିକ୍ରମ କରିବାକୁ ପଡ଼େ ।

 

ଏହାପରେ ତାହା ଅଟା ହୁଏ ।

 

ଥରେ ଗୋଟିଏ ଷ୍ଟେସନ୍‍ରେ ଟ୍ରେନ୍‍ଟିଏ ଲାଗିଲା । ସେଥିରେ ଏତେ ଯାତ୍ରୀ ଥାଆନ୍ତି ଯେ, ଗୋଟି ଗୋଟି କରି ସେମାନଙ୍କୁ କେବେହେଲେ ଗଣା ଯାଇ ପାରି ନଥାନ୍ତା । ବିଭିନ୍ନ ଜାଗାରୁ ସେମାନେ ଆସିଥାନ୍ତି । କିନ୍ତୁ ଯୋଡ଼ିଏ ମଟରଛୁଇଁ ମଞ୍ଜି ଭଳି କାହିଁକି, ବହୁତ ମଟର ଭଳି ସେମାନେ ଦେଖିବାକୁ ରୂପରେ ସମସ୍ତେ ସମାନ । ଟ୍ରେନ୍‍ଟି ଷ୍ଟେସନ୍‍ରେ ଅଟକିଲା ପରେ ତା’ର ଡବା ଦ୍ଵାରଗୁଡ଼ିକ ଖୋଲିଦିଆଗଲା । ସେଥିରୁ ଯାତ୍ରୀମାନଙ୍କୁ ବାହାରି ଆସିବାକୁ କୁହାଗଲା । ଯାତ୍ରୀସବୁ ଠେଲାଠେଲି ହୋଇ ବାହାରିପଡ଼ିଲେ । ଯେତେହେଲେ ତ ସେମାନେ ସେଇ ଷ୍ଟେସନ୍‍ରେ ଅତିଥି ! ତାଙ୍କୁ ସବୁ ପାଛୋଟି ନିଆଗଲା କେମିତି ? ସାଧାରଣ ଯାତ୍ରୀଙ୍କୁ ଯେମିତି ନିଆଯାଏ; ସେଇ ରୀତିରେ ତାଙ୍କୁ କେତେକ ଲୋକ ଯାଇ ଷ୍ଟେସନ୍‍ରେ ଭେଟିଲେ–ହୋଟେଲକୁ ନେଲେ । ସେଇ ଶସ୍ୟ-ଯାତ୍ରୀଗୁଡ଼ିକ ପାଇଁ ଅଲଗା ହୋଟେଲ ଥାଏ । ତାକୁ କହନ୍ତି ଶସ୍ୟ-ଉଠାଳି କଳ । ଷ୍ଟେସନ୍‍ଠୁ ମାଟି ତଳେ ତଳେ ‘ମେଟ୍ରୋ’ ଭଳି ଗୋଟିଏ ସୁଡ଼ଙ୍ଗରାସ୍ତା ପଡ଼ିଥାଏ । ସେଇ ଲମ୍ବା ସୁଡ଼ଙ୍ଗବାଟରେ ଶସ୍ୟ ଯାତ୍ରୀସବୁ ଚାଲିଲେ । ସୁଡ଼ଙ୍ଗର ସେ ମୁଣ୍ଡରେ ତାଙ୍କ ଗାଡ଼ି ବଦଳିଲା । ବାଲଟି ଭଳି ବୁହାଳି କଳରେ ସେମାନେ ଯାଇ ଦଳକୁ ଦଳ ଡଙ୍କା ସାହାଯ୍ୟରେ ଭର୍ତ୍ତି ହେଲେ । ସେଠୁ ସେମାନଙ୍କୁ ସେହି ବୁହାଳିକଳ ହୋଟେଲର ଉପରମହଲାକୁ ନେଇଗଲା । ସେଇଟି ହୋଇଥାଏ ଗୋଟିଏ ଗମ୍ବୁଜ ଭଳି, ଆଉ ଖୁବ୍ ଉଞ୍ଚା–ଏତେ ଉଞ୍ଚା ଯେ, ଦଶମାଇଲ ଦୂରରୁ ତାହା ଲୋକଙ୍କ ଆଖିରେ ପଡ଼ୁଥାଏ । ଏମିତି ପୁଣି ସେଇଟି ଛିଡ଼ାହୋଇ ରହିଥାଏ ଯେ, ମନେ ହେଉଥାଏ ସତେ ଯେମିତି ରାକ୍ଷସଟାଏ ସାଧାରଣ ଲୋକଙ୍କୁ ଅନେଇଥାଏ ତଳକୁ ମୁହଁକରି ।

 

ଏଇ ନୂଆ ଆଗନ୍ତୁକମାନଙ୍କୁ ଏତେ ଉଞ୍ଚାକୁ–ସବା ଉପରମହଲାକୁ ନିଆଗଲା କାହିଁକି ଯେ ? ନିଆଗଲା, ସେମାନେ ସେଠୁ ଅକ୍ଳେଶରେ ଆପଣା ଆପଣା ବାଟ ଆପେ ଧରିପାରିବେ । କାରଣ, ସେହିଠୁ ସେମାନେ ଛାଏଁ ଛାଏଁ ତଳକୁ ଅଜାଡ଼ି ହୋଇ ପଡ଼ନ୍ତି, ଆଉ ତାଙ୍କପାଇଁ ପ୍ରସ୍ତୁତ ହୋଇ ରହିଥିବା ଖୋଲରିଗୁଡ଼ିକୁ ଖେଳେଇହୋଇ ବାଣ୍ଟିବୁଣ୍ଟି ହୋଇ ଚାଲିଯାଆନ୍ତି । ଏହି ଖୋଲରିଗୁଡ଼ିକ ଭିତରୁ କେତୋଟି ଚାରିକୋଣିଆ, ତମ ଘରର ବଖରାଗୁଡ଼ିକ ପରି, ଆଉ କେତୋଟି ଗୋଲ । ମଜାର କଥା ହେଉଚି, ଶସ୍ୟଯାତ୍ରୀମାନେ ଏହି ଖୋଲରିରେ ଛାତ ବାଟରେ ସବୁ ପଶନ୍ତି, ଆଉ ଚାଲିଯାଆନ୍ତି ତଳକୁ–ଚଟାଣକୁ । ଗୋଲ ଗୋଲ ଖୋଲରିଗୁଡ଼ାକ ଏତେ ଓସାରିଆ, ଆଉ ସେଗୁଡ଼ିକର ଛାତ ଏତେ ଉଞ୍ଚା ଯେ ଅନେକଗୁଡ଼ିଏ ଟ୍ରେନ୍ ବୋଝେଇହୋଇ ଆସିଥିବା ଶସ୍ୟ-ଯାତ୍ରୀର ଏଥିରୁ ପ୍ରତ୍ୟେକଟିରେ ଜାଗା ପାଇପାରନ୍ତି । ଏହି ହୋଟେଲରେ ଶସ୍ୟ-ଯାତ୍ରୀମାନେ ଚୁପ୍‍ଚାପ୍ ରହନ୍ତି, ଆଉ ପେଷାକଳକୁ ଯିବାପାଇଁ ତାଙ୍କର ପାଳି ପଡ଼ିବା ଯାଏଁ ଅପେକ୍ଷା କରନ୍ତି । ପେଷାକଳଟା ନିକଟରେ, ହୋଟେଲକୁ ଲାଗି; ଏଣୁ ତାଙ୍କୁ ଯିବାପାଇଁ ଅସୁବିଧା ହୁଏ ନାହିଁ । ପେଷାକଳକୁ ଗଲେ ସେମାନଙ୍କର ଅବସ୍ଥା କ’ଣ ହୁଏ, ତମେ ହୁଏତ ପଚାରିପାର । ଅବସ୍ଥା ହେବ ଆଉ କ’ଣ, ସେମାନେ ସେଠାରେ ପେଷା ହୁଅନ୍ତି । ଅବଶ୍ୟ, ଏହି ଶସ୍ୟ ପେଷା ହେବାର ବିଭିନ୍ନ ପ୍ରଣାଳୀ ଅଛି । ଷ୍ଟେସନ୍‍ରୁ ଆସିଥିବା ଶସ୍ୟଗୁଡ଼ିକ ହୋଟେଲରୁ ବାହାରି ଦିନେ ଏମିତି ଗୋଟିଏ ଅଟାକଳରେ ପଶିଲେ, ପେଷା ହେଲେ । ସେମାନେ ପେଷା ହେଲେ ଅବଶ୍ୟ ଏଇ ଗୋଟିଏ ପ୍ରଣାଳୀରେ–କଳରେ ।

 

ଆଗେ କିନ୍ତୁ ଗହମ ବା ଯେକୌଣସି ଶସ୍ୟ ପେଷା ହେଉଥିଲା ହାତରେ, ଚକି ସାହାଯ୍ୟରେ । ତମେ ଦେଖିଥିବ, ଚକିରେ ଦୁଇଟି ଗୋଲ ସମତୁଲ ପଥର ଥାଏ । ଗୋଟିଏ ତଳେ ପଡ଼ିଥାଏ–ସେଥିରେ ଗହମ, ବିରି କି ମୁଗ ରଖାଯାଏ । ତା’ ଉପରେ ଆର ପଥରଟିକୁ ଲଦି ଦିଆଯାଏ । ତଳେ ପଡ଼ିଥିବା ଚକି ମଝିରେ ଗୋଟିଏ ଛୋଟ ଖୁଣ୍ଟି ପୋତା ହୋଇଥାଏ । ସେଇଟିକୁ କହନ୍ତି ‘ମାଣିଖୁଣ୍ଟି’ । ଉପର ପଥରଟିର ମଝିରେ ଯୋଡ଼ିଏ କଣାଥାଏ । ଗୋଟିକରେ ସେଇ ଖୁଣ୍ଟିଟି ଗଳେ, ଆରଟିରେ ଗହମ ଆଦି ଶସ୍ୟ ପୂରାଯାଏ । ଉପର ପଥରଟିକୁ ହାତରେ ଧରି ବୁଲାଇବାପାଇଁ ଆଉ ଗୋଟିଏ ଖୁଣ୍ଟି ଥାଏ । ଏହି ଖୁଣ୍ଟିକୁ ଧରି ଶସ୍ୟପେଷାଳିମାନେ ଚକି ଘୂରାନ୍ତି । ଗାଁର ସ୍ତ୍ରୀଲୋକମାନେ ସକାଳୁ ଏହି ଶସ୍ୟ ପେଷିବା କାମରେ ଲାଗନ୍ତି–ସମୁଦାୟ ଗାଁଟି ଘର୍‍ଘର୍ ଶବ୍ଦରେ ପୂରିଯାଏ । ଏବେ କେତେକ ଦେଶରେ ଏହି ରୀତି ଚାଲିଚି ।

 

କିନ୍ତୁ ଗୋଟିଏ ଚକିରେ ଦିନକୁ ଖୁବ୍ ହେଲେ ସେଇ ଦିନକମାନିଆ ଦରକାର ଅଟାତକ ପେଷା ହୋଇପାରୁଥାଏ; ତାହାଠୁଁ ତ ଆଉ ବେଶି ପେଷା ହେବା ସମ୍ଭବ ହେଉ ନଥାଏ । କିନ୍ତୁ ଯେତେବେଳେ ସହରସବୁ ବସିଲା, ବସ୍ତି ବଢ଼ିଲା, ଗୋଟିଏ ଗୋଟିଏ ସ୍ଥାନରେ ବହୁତ ଲୋକ ବିଭିନ୍ନ କାମରେ ବ୍ୟସ୍ତ ରହି ଚଳପ୍ରଚଳ ହେଲେ, ସେତେବେଳେ ସମସ୍ତଙ୍କ ପାଇଁ ଚକିପେଷା ଅଟା ଆବଶ୍ୟକ ପରିମାଣରେ ଯୋଗାଡ଼ କରିହେଲା ନାହିଁ । ଏଣୁ ରୁଟି ତିଆରି ବାଧା ପାଇଲା । ରୁଟିସେକାଳିମାନେ ତାହା ଯୋଗାଇପାରିଲେ ନାହିଁ । ତେଣୁ, ସେମାନେ ବଡ଼ବଡ଼ ଚକିମାନ ଗଢ଼ିଲେ । ସେଥିରେ ବଡ଼ବଡ଼ ମାଣିଖୁଣ୍ଟି କିଳା ଆଉ ଘୂରାଖୁଣ୍ଟ ଲଗାଇଲେ । ଦୁଇ ତିନି ଜଣ ଲେଖାଏଁ ଏକାଠି ମିଳି ଏଇ ବଡ଼ବଡ଼ ଚକିକୁ ସବୁ ଘୂରାଇଲେ । ଏଥିରେ ବିଶେଷ କିଛି ଅଧିକା ଶସ୍ୟ ଚୂରା ହୋଇପାରିଲା ନାହିଁ । ପରେ ପୁଣି ସେମାନେ ସେହି ଚକିକୁ ଆଉ ଟିକେ ବଡ଼ କଲେ । ତେଲଘଣା ଭଳି ଜୁଆଳି କାଠ ଘୂରାଖୁଣ୍ଟିରେ ଲଗାଇଲେ । ସେଥିରେ ବଳଦ, ନଇଲେ ଘୋଡ଼ା ଯୋଚିଲେ । ତାଙ୍କଦ୍ଵାରା ସେଇ ଅତିବଡ଼ ଚକଟିମାନଙ୍କୁ ଘୂରେଇଲେ । ଏହା ଫଳରେ, ଦିନକୁ କେତୋଟି ଲେଖାଏଁ ବସ୍ତା ଅଟା ପେଷା ହୋଇପାରିଲା । ତଥାପି, ଏ ଅଟା ଅଣ୍ଟିଲା ନାହିଁ; ପାଉଁରୁଟି ଲାଗି ଅଟାର ଚାହିଦା ମେଣ୍ଟାଇ ପାରିଲା ନାହିଁ ।

 

ତେଣୁ ଲୋକେ ଚାହିଁଲେ ଘୋଡ଼ା ବା ବଳଦଙ୍କଠୁ ଆହୁରି ବଳୁଆ, ଆହୁରି ଟାଣୁଆ ସାହାଯ୍ୟକାରୀ । ସେମାନେ ଦିନେ ଖୋଜି ଖୋଜି ଏମିତି ଗୋଟିଏ ସାହାଯ୍ୟକାରୀ ପାଇଲେ । ତା’ର କାମ ଗୁଡ଼ାଏ ଗୁଡ଼ାଏ ଘୋଡ଼ା ଆଉ ବଳଦଙ୍କ କାମକୁ ବଳିଗଲା, ଆଉ ତା’ପାଇଁ କିଛି ଖାଦ୍ୟ ଲୋଡ଼ା ହେଲା ନାହିଁ । ଏଣୁ ତା’ର ଖାଇବା ଖର୍ଚ୍ଚ ପଡ଼ିଲା ନାହିଁ । କିନ୍ତୁ ଏ ଗୋଟାଏ କେମିତିଆ ପ୍ରକାରର ଶ୍ରମିକ ଥିଲା ଯେ ? ତାକୁସବୁ କ’ଣ ବୋଲି ଡାକୁଥିଲେ ? ଡାକୁଥିଲେ ‘ପାଣି !’ ଆଶ୍ଚର୍ଯ୍ୟ ହୁଅନା । ମଣିଷ କାମ କରେ ହାତରେ; ଘୋଡ଼ା କି ବଳଦ କାମ କରେ ଗୋଡ଼ରେ । ପାଣିର ହାତ ନାହିଁ କି ଗୋଡ଼ ନାହିଁ, କିନ୍ତୁ ଲୋକେ ତାକୁ ଶିଖେଇଦେଲେ କେମିତି ଅଟା ପେଷିବାକୁ ହେବ । ସେମାନେ ନଈରେ ପାଣିରୋକା ବନ୍ଧ ପକାଇଲେ । ସେଇ ବନ୍ଧ ପାଖରେ ଗୋଟିଏ ପୋଖରୀ କଲେ । ବନ୍ଧ ପାଖରେ ଶଗଡ଼ଚକ ଭଳି କାଠର ବଡ଼ ଚକ ବା ଶଗଡ଼ି ତିଆରି କଲେ । ପାଖରେ ସେଇଠି ସେଇ ବଡ଼ ଚକ ବସେଇଲେ । ଶଗଡ଼ିର ରିମ୍ ବା ଗୋଲେଇର ଚାରିପଟେ ଖାଲୁଆ କୋଡ଼ି ଭଳି କାଠର ଡଙ୍ଗାସବୁ ଲଗାଇଲେ । ଗୋଟିଏ ଚଟକା ଢାଲୁ ସରୁଆ ପହଣିରେ ପୋଖରୀରୁ ପାଣି ବହିଆସି ଜଳପ୍ରପାତରେ ପଡ଼ିଲା ଭଳି, ଗୋଟିକ ପରେ ଗୋଟିଏ ସେହି ଡଙ୍କିଗୁଡ଼ିକ ଭିତରେ ପଡ଼ିଲା । ପାଣି ଭର୍ତ୍ତି ହେଲାପରେ ସେଗୁଡ଼ିକ ଓଜନିଆ ହୋଇ ତଳକୁ ସେମିତି ଗୋଟିକ ପରେ ଗୋଟିଏ ଖସିବାକୁ ଲାଗିଲା । ଏହା ଫଳରେ, ଚକଟି ଘିର୍ ଘିର୍ ହୋଇ ଘୂରିଲା । ଗୋଟିଏ ପାଣିଭର୍ତ୍ତି ଡଙ୍କି ଚକର ତଳଦେଶକୁ ଆସିବାବେଳକୁ ଅଣେଇ ହେଲାବେଳେ ସେଥିରୁ ପାଣି ବାହାରିଯାଉଥାଏ । ଖାଲି ହୋଇ ତାହା ପୁଣି ଉପରକୁ ଉଠୁଥାଏ ଓ ପାଣିରେ ଭର୍ତ୍ତି ହୋଇସାରି ତଳକୁ ଖସୁଥାଏ । ଏମିତି ଭାବରେ ପାଣି-ଟଣା ଚକି ଚାଲିଲା ।

 

ଏହି ପାଣିଟଣା ଅଟାକଳରେ ହାତବୁଲା ଚକି ଭଳି ବଡ଼ବଡ଼ ପଥର ଦୁଇଟି ଥାଏ । ତଳ ପଥରରେ ମେରୁ ବା ମାଣିଖୁଣ୍ଟି ଆଉ ଉପର ପଥରରେ ଦୁଇଟି କଣା ଥାଏ । ଏହି କଣାରୁ ଗୋଟିକରେ ମେରୁ ଗଳେ, ଆରଟିରେ ଶସ୍ୟ ଢଳାଯାଏ । ଦୁଇଟି ଚକି ପଥରର ମଝିରେ ସାମାନ୍ୟ ଫାଙ୍କ ରହୁଥାଏ ପଥର ଦୁଇଟି ସାମାନ୍ୟ ଆବଡ଼ାଖାବଡ଼ା ଥିବାରୁ ସେଥିରେ ଶସ୍ୟଗୁଡ଼ିକ ରଗଡ଼ି ହୋଇ ଆଗ ଫାଟିଯାଉଥାଏ; ତା’ପରେ ଚୂରିହୋଇ ଚିକ୍କଣିଆ ଚୂନାରେ ପରିଣତ ହେଉଥାଏ । ପାଣିଟଣା ଅଟାକଳ ଚାଲିଲାବେଳେ ପାଣିର ଗବ୍‍ଗବ୍ ଶବ୍ଦଟା ଶୁଣିବାକୁ ଭାରି ମଜା ଲାଗେ । ତେଣୁ ତାହା ଶୁଣିବାପାଇଁ ଲୋକେ ବେଳେବେଳେ ଯାଇ ସେଠି ରୁଣ୍ଡ ହେଉଥାନ୍ତି, ଧଳା ଧଳା ଫେଣ ଓ ପାଣି ଝର୍‍ଝରି ଦେଖି ଖୁସି ମନରେ ଗୀତ ତିଆରି କରି ଗାଉଥାଆନ୍ତି–

 

ଗିଜ୍ ଗିଜ୍ କରି କେତେ

ପାଣି ଖେଳେ ଭଉଁରି,

ଘର୍‍ଘର୍ ନାଦେ ତା’ର

କଳଟିକୁ ଘାଉଁରି ।

ଘଡ଼୍ ଘଡ଼୍ ଘଡ଼୍ ଘଡ଼୍

ଚକ ଚାଲୁଥାଏରେ–

ଚକମକ ଜଳକଣା

ଛିଟିକାଇଯାଏରେ !

 

ପାଣିଟଣା କଳ ତିଆରି କରିବା ଯେଉଁମାନଙ୍କର ପେଶା ବା ବେଉସା ହୋଇଥାଏ, ସେମାନଙ୍କୁ ଲୋକେ ଭାରି ଆଦର କରୁଥାନ୍ତି, ଆଉ ସେମାନଙ୍କୁ ରୁଷରେ ଡାକୁଥାନ୍ତି “ପାଣିକଳ ଶ୍ରମିକ” । ପାଣିଟଣା ଅଟାକଳ ବସିବାପାଇଁ ସବୁ ନଈରେ ସୁବିଧା ହେଉ ନଥାଏ । ଏଣୁ ସୁବିଧାଜନକ ନଈଟିଏ ଠିକ୍ କରିବାବି ବଡ଼କଥା ହୋଇଥାଏ । ଅଥଚ ତେଣେ ପ୍ରାୟ ପ୍ରତି ଗାଁର ଲୋକେ ଅଟାକଳଟିଏ କେମିତି ନିଜ ଗାଁରେ ବସୁ, ଏଥିପାଇଁ ବିକଳ ହେଉଥାନ୍ତି ।

 

ଏଭଳି ଗୋଟିଏ ପଦାର୍ଥ ଅଛି, ଯାହା କେଉଁଠି ନ ମିଳେ, ଏମିତି ନୁହେଁ । ବଣଜଙ୍ଗଲରେ, ପାହାଡ଼ ପର୍ବତରେ, ବିଲବାଡ଼ି ପ୍ରଭୃତି ସବୁଠି ତାକୁ ଆମେ ଭେଟୁଁ । ସେଇଟି ହେଉଚି–ବାୟୁ । ବାୟୁର ତରଙ୍ଗ ଅଛି–ପାଣିର ତରଙ୍ଗ ଭଳି । ବାୟୁର ତରଙ୍ଗ ଯେତେବେଳେ ଜୋରଦାର୍ ହୁଏ, ସେତେବେଳେ ଝଡ଼ ଉଠେ, ପବନ ଜୋରରେ ବହେ, ଶସ୍ୟସବୁ ବିଲରେ ନଇଁ ପଡ଼େ ବଣଜଙ୍ଗଲରେ ବଡ଼ବଡ଼ ଗଛସବୁ ଦୋହଲେ, ସମୁଦ୍ରରେ । ହାଜର ପାଲଗୁଡ଼ିକ ଫୁଲିଉଠେ-। ବାୟୁର ତରଙ୍ଗରେ ଏତେ ଏତେ କାମ ଯଦି ହୋଇପାରେ, ସେଥିରେ ତେବେ ଚକିରେ ଅଟାପେଷା କାମ ହୋଇପାରିବ ନାହିଁ କାହିଁକି ? ଲୋକେ ଏହି କଥା ଚିନ୍ତା କଲେ । ଏହି ସମସ୍ୟାଟିକୁ ସମାଧାନ କରିବାକୁ ଚେଷ୍ଟା କରି ଶେଷରେ ପବନଚଳା ଅଟାକଳ ଉଦ୍ଭାବନ କଲେ । ତମେ ଯଦି ଦୂରରୁ କେବେ ଗୋଟିଏ ପବନଚଳା ଅଟାକଳକୁ ଅନାଅ, ତେବେ ଦିଶିବ ସତେ ଯେମିତି ଜୀବନ୍ତ ସେଇଟି । ତା’ର ହଲୁଥିବା ପାଲ ବା ଅଝାଲ ସବୁ ସତେ ଯେମିତି ପ୍ରତି ମୁହୂର୍ତ୍ତରେ ଉଡ଼ି ପଳାଇବାକୁ ବାହାରୁଛି । ପ୍ରକୃତରେ ସେହି ପାଲଗୁଡ଼ିକର ଉଡ଼ିପଳାଇବାର କୌଣସି କାରଣ ନାହିଁ । କାରଣ, ସେଗୁଡ଼ିକର କାମ ହେଉଚି–ଅଟାକଳକୁ ଚଳାଇବା, ଗହମ ପେଷେଇବା । ତା’ ଛଡ଼ା ପବନଚଳା ଅଟାକଳର ପାଲଗୁଡ଼ିକୁ ତ ତାହା ନିଜେ ଉଡ଼ାଇ ଘୂରାଏ ନାହିଁ, ଗତି କରାଏ ନାହିଁ-! ସେଗୁଡ଼ିକ ଉଡ଼େ ଆଉ ଘୂରେ ପବନରେ । ଯେତେବେଳେ ସେସବୁ ଚୁକ୍ତିଦେଇ ଘୂରେ, ସେତେବେଳେ ଚକି-ପଥର ତେଣେ ଅଟାକଳ ଭିତରେ ବୁଲେ । କିନ୍ତୁ ବଡ଼ ଖାମ୍‍ଖିଆଲ, ବଡ଼ ମନୁଆସେ । ନଈ ସବୁବେଳେ ଗୋଟିଏ ଦିଗକୁ ବହେ । କିନ୍ତୁ ପବନ ? ପବନ ବହେ କେବେ ଦକ୍ଷିଣରୁ ତ କେବେ ଉତ୍ତରରୁ । ସେଥିପାଇଁ ପବନଚକା ଅଟାକଳଟିର ମୁହଁକୁ ପବନଆଡ଼କୁ ରଖିବାକୁ ହୁଏ, ତା’ପରେ ଦଉଡ଼ିରେ ପାଲଗୁଡ଼ିକୁ ଟାଣିକରି ବାନ୍ଧିବାକୁ ହୁଏ ଗୋଟିଏ ଶକ୍ତ ଖୁଣ୍ଟରେ, ଯେମିତି କି ପାଲଗୁଡ଼ିକ ତୁଚ୍ଛାଟାରେ ଖାଲି ଘୂରି ହେବ ନାହିଁ । ଏଣୁ ଗୋଟିଏ ପବନଚଳା ଅଟାକଳ ପାଖରେ ଏମିତି ଅନେକ ଖୁଣ୍ଟି ପୋତା ହୁଏ । ତଥାପି ଏମିତି ସମୟ ଆସେ ଯେତେବେଳେ ପବନ ଜିଦ୍ ଧରି ଠିକ୍ କରିବ ସେ ବହିବାଟା ବନ୍ଦ ରଖିବ । ସେତେବେଳେ ପବନଚଳା ଅଟାକଳର ଘୂରିବାଟା ମନ୍ଥରରୁ ମନ୍ଥର ହୋଇଆସେ । ଶେଷରେ, ଏକାବେଳକେ ବନ୍ଦ ହୋଇଯାଏ, ଆଉ କେହି କେବେ କହିପାରିବ ନାହିଁ, ପୁଣି ଏହା କେବେ ନିଦରୁ ଉଠିବ, ପୁଣି ଥରେ କାମ କରିବ ।

 

ଏଣୁ ସବୁବେଳେ ପେଷାପେଷି କାମ ଭଲ ହୁଏ ନାହିଁ । ନଈ ନଥିଲେ ପାଣିଟଣା ଅଟାକଳ ଚାଲେ ନାହିଁ କି ପବନର ମନ ନହେଲେ ପବନଚଳା ଅଟାକଳ ଚଙ୍କେ ନାହିଁ ।

 

ଏବେ ଲୋକେ ଏମାନଙ୍କଠୁଁ ବଳି ବହୁତ ଗୁଣରେ ବେଶି ବିଶ୍ଵାସୀ ଶ୍ରମିକଟିଏ ପାଇଛନ୍ତି-। ସେଇଟି ହେଉଚି, ଇଲେକ୍‍ଟ୍ରିସିଟି ବା ବିଦ୍ୟୁତ୍‍ଶକ୍ତି । ତେଣୁ ସବୁଠୁ ବଡ଼ବଡ଼ ଅଟାକଳ ଏବେ ଆଉ ପାଣିଟଣା କି ପବନଚଳା କଳ ନୁହେଁ । ସବୁ ବିଦ୍ୟୁତ୍‍ଚଳା ଅଟାକଳ ।

 

ପ୍ରକୃତରେ ଏବର ଅଟାକଳ ଗୋଟାଏ ବିରାଟ ଫ୍ୟାକ୍‍ଟରି ବା କାରଖାନା । ସେଥିରେ ଶହ ଶହ ମେସିନ୍ ଚାଲିଛି । ଗୋଟାଏ ବିଦ୍ୟୁତ୍‍ଶକ୍ତି କେନ୍ଦ୍ରରୁ ବିଦ୍ୟୁତ୍‍ଶକ୍ତି ସେହି ମେସିନ୍‍କୁ ସବୁ ଯୋଗାହୁଏ । ସେଥିରେ ମେସିନ୍‍ଗୁଡ଼ିକ ଚାଲେ ।

 

ତମର ମନେଥିବ ଶସ୍ୟ ହୋଟେଲ କଥା । ସେଇ ଶସ୍ୟ ହୋଟେଲରୁ ଗୋଟିଏ ଢଙ୍କା ପୋଲ ବା ସୁଡ଼ଙ୍ଗ ଭଳି ନଳୀରେ ଶସ୍ୟସବୁ ବିଦ୍ୟୁତ୍‍ଚଳା ଅଟାକଳ କାରଖାନାର ପାଞ୍ଚମହଲା ଉପରକୁ ଯାଆନ୍ତି । ସେଇଠି ଦ୍ଵାରମୁହଁ ବା ପ୍ରବେଶପଥରେ ସେଇ ଅତିଥିମାନଙ୍କୁ ଆଗ ପରୀକ୍ଷା କରାଯାଏ–କାଳେ ଆଉ କିଏ ଗଳିଗୁଞ୍ଜି କି ଧମକଧକା ଦେଇ ତାଙ୍କ ଭିତରେ ପଶିଯାଉଥିବେ–ଏଇ ଲୁହା କଣ୍ଟାଟାଏ କି ଅନ୍ୟ କେଉଁ ଧାତୁର ଗୋଟାଏ ଦି’ଟା ଟୁକୁରା ।

 

ଆଚ୍ଛା, କେବେ ଦେଖିଚ ଭଲା, ଚୁମ୍ବକ କେମିତି ଲୁହାକୁ ଟାଣେ ? ଦେଖି ନଥାଅ ଯଦି, ଚୁମ୍ବକ ଖଣ୍ଡେ ଲୁହାକଣ୍ଟା ଉପରେ ଧରିଲେ ଦେଖିବ, ଲୁହାକଣ୍ଟାଗୁଡ଼ିକ ଟାଣିହୋଇଯାଇ ଲାଖିଯିବ ସେଥିରେ–ସେଇ ଚୁମ୍ବକରେ । କେତେଗୁଡ଼ିଏ ଝୁଲିବ ଯାଇ ମୁଣ୍ଡ ପଟରେ, କେତେଗୁଡ଼ିଏ ଝୁଲିବ ତଳପଟରୁ ।

 

ଘରେ କାହାର ବା ଛୋଟ ଚୁମ୍ବକଟିଏ ଥାଇପାରେ । କିନ୍ତୁ ଅଟାକଳରେ ବଡ଼ ଖଣ୍ଡେ ଥାଏ । ଏହା ଶସ୍ୟ ଯିବା ବାଟରେ ଆଡ଼ବାଗରେ ଖଞ୍ଜାହୋଇଥାଏ । ଶସ୍ୟଗୁଡ଼ିକ ସାଙ୍ଗରେ ଲୁଚିଛପି ପଶିଯାଉଥିବା କଣ୍ଟାଗୁଡ଼ିକୁ ଧରିପକାଏ ଟାକୁକିନି “ଶସ୍ୟସବୁ” ଖସି ଖସି ଓହ୍ଲାନ୍ତି ପାଞ୍ଚମହଲାରୁ ଚାରିମହଲାକୁ, ଚାରିମହଲାରୁ ତିନିମହଲାକୁ, ତିନିମହଲାରୁ ଦି’ମହଲାକୁ । ପ୍ରତି ମହଲାରେ କଳ-ଜଗୁଆଳି ସବୁ ଥାଆନ୍ତି । ସେମାନେ ଶସ୍ୟଗୁଡ଼ିକୁ ପରୀକ୍ଷା କରି ଦେଖୁଦେଖୁ ସତେ ଯେମିତି କହୁଥାନ୍ତି–“କିଏ ଯାଉଚରେ ସେଠି” ? କାରଣ, ସେମାନେ ବଡ଼ବଡ଼ ଝୁଲା ଯାନ୍ତ୍ରିକ ଚାଲୁଣିରେ କେଉଁଠି ସେମାନେ ବାଲିଗରଡ଼ା, ଗୋଡ଼ିମାଟି ଚଲେଇ ବାହାର କରିଦିଅନ୍ତି ତ କେଉଁଠି କୁଲାରେ ଉଡ଼ାଇଲା ଭଳି ଜୋରରେ ପବନ ବୁହାଇ ଶସ୍ୟରୁ ସବୁ ଧୂଳିବାଲି, କୁଟା, କାଗଜ ଉଡ଼ାଇ ଝାଡ଼ିଦିଅନ୍ତି ।

 

ଗହମ କି ଧାନ ସାଥିରେ କେମିତି ବଣୁଆ ଘାସ, ସୁଆଁ ଆଦି ବିଲରେ ଉଠେ, ଆଉ ସେଇ ବଣୁଆ ଘାସ, ସୁଆଁ କଙ୍କଡ଼ ପ୍ରଭୃତିର ମଞ୍ଜିସବୁ କେମିତି ଗହମ କି ଧାନରେ ମିଶିକରି ରହେ–ସେହି ହେତୁରୁ ତାକୁ ସବୁ ମୂଳପୋଛ କରିବାପାଇଁ କେମିତି ଚାଷୀମାନେ ଅନବରତ ଲଢ଼େଇ ଚଳାନ୍ତି–ଏହା ତମେ ଜାଣିଚ । ସେଇ ଘାସମଞ୍ଜି, ସୁଆଁ, କଙ୍କଡ଼ ପ୍ରଭୃତି ଯଦି ଅଟା କି ମଇଦାରେ ମିଶି ରହେ, ତେବେ ତାହା ପିତା ଲାଗିବ; ଏମିତିକି ବିଷାକ୍ତ ହୋଇଯିବ । ତେଣୁ, ଚାଷୀ ସେମାନଙ୍କ ବିରୁଦ୍ଧରେ ଯେଉଁ ଲଢ଼େଇ ଚଳାଏ । ସେହି ଲଢ଼େଇ ଅଟାକଳରେବି ଚାଲୁରହେ । ସେଇ ସୁଆଁ, ଘାସମଞ୍ଜି, କଙ୍କଡ଼ ପ୍ରଭୃତି ମେସିନ୍ ପାଖରେ ଧରାପଡ଼ନ୍ତି । କଳ ସେମାନଙ୍କୁ ବାଛିବୁଛି ବାହାର କରିଦିଏ ।

 

ପରିଷ୍କାର ହୋଇ ପରୀକ୍ଷିତ ହେଲାପରେ ଶସ୍ୟ ଯାଇ ଶେଷରେ ପହଞ୍ଚେ ପ୍ରଥମ ମହଲାରେ । ସେଠୁ ଆଉ ଗୋଟିଏ ବାଲଟି ଲଗା ବୁହାଳି ଯନ୍ତ୍ର ବା କନ୍‍ଭେୟର ସାହାଯ୍ୟରେ ପୁଣି ଉଠେ ଉପରକୁ । ଆହୁରି ଥରେ ଏମିତି ତଳଉପର ହୁଏ । ଆଉ ସେତେବେଳେବି ବାଟରେ ସବୁ ମେସିନ୍ ପାଖରେ ରହିଯାଏ । ଏହାପରେ ତା’ ଦେହରୁ ପୋଷାକପତ୍ର ଓହ୍ଲାଇ ଦିଆଯାଏ–ତା’ର ବାହାରର ଜାମା ବା ଜ୍ୟାକେଟକୁ କାଢ଼ିନିଆହୁଏ, ପାଣିରେ ବୁଡ଼େଇ ଗାଧୋଇ ଦିଆଯାଏ । ଶେଷରେ ଶୁଖାହୁଏ । ଶୁଖିଗଲା ପରେ ତାହାକୁ ଟିକିଏନାକୁ ଓଦା ବା କାଉଁଦା-କାଉଁଦା କରି ଅଲଗା କରି ରଖିଦିଆଯାଏ–ପୁଣି ଟିକିଏ ଶକ୍ତ ହେବାଯାଏ । ଏହିସବୁ ସ୍ତରରେ ଗତି କରିସାରିଲା ପରେ ତାହା ପେଷା ହେବାପାଇଁ ପ୍ରସ୍ତୁତ ହୁଏ ।

 

ଏହି ଅଟାକଳରେ ଚକିପଥର ନାହିଁ; ଅଛି, ବଡ଼ବଡ଼, ମୋଟ ମୋଟ ରୋଲର୍ । ସେଗୁଡ଼ିକ ସାଧାରଣ ରୋଲର୍ ବା ରୋଲିଙ୍ଗ୍ ପିନ୍ ଭଳି ଦିଶେ । କିନ୍ତୁ ତା’ଠାରୁ ବଡ଼, ଖୁବ୍ ଲମ୍ବା, ଆଉ ଢଳେଇ ଲୁହାରେ ତିଆରି । ଦୁଇଟିଯାକ ରୋଲର୍ ବିଭିନ୍ନ ଦିଗକୁ ବିଭିନ୍ନ ବେଗରେ ଗତିକରେ । ଦୁଇଟି ମଝିରେ ଥିବା ଅତି ସରୁ ଫାଙ୍କ ଜାଗାରେ ଶସ୍ୟସବୁ ଅଜାଡ଼ି ହୋଇପଡ଼େ । ଏହାପରେ ସେଗୁଡ଼ିକ ରଗଡ଼ିହୁଏ, ଚୂରି ହୋଇଯାଏ ।

 

ଆଗେ, ଯେତେବେଳେ ପାଣିଟଣା କି ପବନଚଳା ଅଟାକଳମାନ ଚାଲୁଥିଲା, ସେତେବେଳେ କଳଚାଳକ ବା ଚୂରାଳିମାନେ ଗୋଡ଼ଠୁଁ ମୁଣ୍ଡ ପର୍ଯ୍ୟନ୍ତ ଅଟାଚୂନାରେ ଗାଧୋଇ ପଡ଼ୁଥିଲେ ଧୋବ ଫରଫର ଦିଶୁଥିଲେ । ତାଙ୍କର ନିଶ, ଦାଢ଼ି, ପତା, ଭୂରୁ, ମୁଣ୍ଡ ବାଳ ଆଦି ସବୁ ଅଟାମୟ ଧବଳ ରୂପ ଧରିବାକୁ ପଡ଼ୁନାହିଁ । କାରଣ, ଏମିତି ବିଶେଷ ଧରଣର ମେସିନ୍‍ସବୁ ଖଞ୍ଜା ହୋଇଛି, ଯେଉଁଥିରେ କି ଅଟା ବା ମଇଦାର ଗୁଣ୍ଡଗୁଡ଼ିକ ଶ୍ରମିକଙ୍କ ଦେହରେ ପଡ଼ିବା ଆଗରୁ ଶୋଷି ହୋଇଯାଏ, ପବନରେ ରହିପାରେ ନାହିଁ । ଏଣୁ, ସେ ଗୁଣ୍ଡସବୁ ଆଉ ନାକରେ, ପାଟିରେ ପଶିଯାଏ ନାହିଁ ।

 

ଏବର ଅଟା ଫ୍ୟାକ୍‍ଟରି ଯେକୌଣସି ଅନ୍ୟ ଫ୍ୟାକ୍‍ଟରି ଭଳି । ଏହାର ଜେଜେବାପ ପରି ସେକାଳର ଶିଉଳିଲଗା ବିଚିତ୍ର ପାଣିଟଣା କି ପବନଚଳା କଳ ସହିତ ଟିକିଏହେଲେ ମେଳନାହିଁ । ଆମେ ପେଷାକଳ ବା ଚୂରାକଳ ଶବ୍ଦ ବ୍ୟବହାର କରୁଛୁ ସତ, କିନ୍ତୁ ପେଷାପେଷି, ରଗଡ଼ାରଗଡ଼ି କାମ ଭିନ୍ନ ଭିନ୍ନ ରୀତିରେ ହେଉଛି । ଶସ୍ୟ ଦାନା ଆଗ କେତେଥର ଚାଲୁଣିରେ ଚଲାଯାଉଚି, ଅନ୍ୟ ଜଳଗୁଡ଼ିକରେ ପାଛୁଡ଼ା ଯାଉଚି, ଉଡ଼ା ହେଉଚି । ପରେ ପେଷା ଯାଉଚି । ତା’ପରେ ତୁଷ ବା ଭୁଷି ବାହାର କରି ଦିଆହେଉଚି । ଶେଷରେ, ବିଭିନ୍ନ କିସମର ଅଟା ଓ ମଇଦା ତିଆରି ହେଉଚି ।

 

ଶେଷ ମେସିନ୍‍ର ପୂର୍ବ ମେସିନ୍‍ଟି ଗୋଟାଏ ହାତୀପରି । ଏହି ହାତୀଭଳି ମେସିନ୍‍ର ଶୁଣ୍ଢରେ ବସ୍ତା ଲଟକେଇ ଦିଆଯାଏ । ଲିଭର ବା ଚାବିଟାଏ ମୋଡ଼ିବାମାତ୍ରେ ସେଥିରେ ସୁରୁ ସୁରୁ ହୋଇ ଅଟା ଏକ ସେକେଣ୍ଡରେ ଭର୍ତ୍ତି ହୋଇଯାଏ । ବସ୍ତା ଖୋଲି ରହିଲେ ଅଟା ବୁଣିଯିବ । ସଙ୍ଗେ ସଙ୍ଗେ ଗୋଟାଏ ସିଲେଇକଳରେ ସେଇ ବସ୍ତା ମୁହଁ ସିଲେଇ ହୋଇଯାଏ । ସିଲେଇକଳଟା ପ୍ରାୟ ତମ ଘରର ସିଲେଇକଳ ପରି ।

 

ଏକ, ଦୁଇ, ତିନି....ଏମିତି କରି ଗୋଟିଏ ପରେ ଗୋଟିଏ ବସ୍ତା ଅଟାଭର୍ତ୍ତି ହୋଇ, ସିଲେଇ ହୋଇଚାଲେ–କଳରେ କଳରେ ଅଟା କାରଖାନାର ପାଖରେ ଥିବା ଗୋଦାମକୁ, ଗୋଦାମରୁ ପାଉଁରୁଟି ତିଆରି କଳ ବା ସେକାସେକି କଳକୁ ।

 

ଏଥର ବୁଝ, କୋଠଚାଷ କ୍ଷେତରୁ ବାହାରି ଶସ୍ୟକୁ କେତେ ବିଚିତ୍ର ବାଟରେ, କେତେ ନୂଆ ନୂଆ ଅନୁଭୂତି ପାଇ ଗତି କରିବାକୁ ପଡ଼େ–ବେକରି ବା ରୁଟିସେକା କଳକୁ । ଏହା କେତେବେଳେ ଯାଏଁ ମାଟିତଳକୁ, ପୁଣି ଉଠେ ମାଟି ଉପରକୁ–ବହୁତ ଉଚ୍ଚକୁ । କଥାରେ ଯାହା କହନ୍ତି, ପ୍ରକୃତରେ ଏହା “ଗତି କରେ ନିଆଁପାଣି ଭିତରେ ।”

 

ହଜାରେ ପାଣିଟଣା କି ପବନଚଳା ଅଟାକଳ ଯେତେ ଅଟା ପେଷୁଥିଲା, ଏବେ ଗୋଟିଏ ଅଟାକଳ ତା’ଠୁ ଯଥେଷ୍ଟ ବେଶି ପେଷୁଚି । ଏହାଛଡ଼ା, ହଜାରେ ପୁରୁଣାକାଳିଆ କଳରେ ନିକୁଚ୍ଛପକ୍ଷେ ହଜାରେ ଲୋକଙ୍କୁ ଖଟିବାକୁ ହେଉଥିଲା । ଏବେ ଗୋଟିଏ ଅଟା କାରଖାନାରେ ପ୍ରାୟ ପଚାଶ ଖଣ୍ଡେ ଲୋକ କାମ କରନ୍ତି । ଆଉ ଏହି ଶ୍ରମିକମାନଙ୍କର ପୋଷାକପତ୍ର କି ଦିହମୁଣ୍ଡ ଅସନା ହେଉନାହିଁ, ଅଟା ମଇଦାରେ ବୁଡ଼ିଯାଉନାହିଁ । ପୁଣି, ଏମାନଙ୍କୁ ଯେ ବେଶି କଠିନ ହାଡ଼ଭଙ୍ଗା କାମ କରିବାକୁ ହେଉଛି, ଏହାବି ନୁହେଁ । କାରଣ, ଏମାନେ ଯେଉଁ ମେସିନ୍ ଚଳାଉଛନ୍ତି, ସେହି ମେସିନ୍‍ଗୁଡ଼ିକ ଟିକିନିଖି ପ୍ରାୟ ସବୁ କାମ ସହଜରେ ତୁଲାଉଛନ୍ତି ।

 

ସହରଟି ରୁଟି ପାଏ କେମିତି ?

 

ପୃଥିବୀରେ ଅନେକ ଲୋକ ପାଉଁରୁଟି ଖାଆନ୍ତି । କିନ୍ତୁ ସେମାନଙ୍କ ଭିତରୁ ଅଧିକାଂଶ ଜାଣି ନଥିବେ, ପାଉଁରୁଟି କେମିତି ତିଆରି ହୁଏ, କେମିତି ସେକା ହୁଏ । ତମେ କ’ଣ ହେଲେ ସହଜରେ ଅନୁମାନ କରିପାରିବ–କି ଅଡ଼ୁଆ, କି କଷ୍ଟକର କାମ ସେଇଟା ? କେତେବେଳେ ତାପମାତ୍ରା ବେଶି ଥାଏ, କେତେବେଳେ ପୁଣି କମ୍ । କେତେବେଳେ ଯନ୍ତନି ବା ଖଳି ସେକାହେବା ସମୟରେ ଫୁଲେ ନାହିଁ, ଫୁଲି ଉପରକୁ ଉଠେ ନାହିଁ । କେତେବେଳେ ପୁଣି ଅତି ଚଞ୍ଚଳ ସୁଉକିନି ବାହାରି ଆସେ, ଖଳିତିଆରି ବା ମଇଦା ଦଳା ଡାଲା ଭିତରୁ । ଭାରି ଖାମ୍‍ଖିଆଲି ସେ । କାରଣ କେଉଁଦିନ ଏହା ସେକିହୋଇବି କଞ୍ଚା ରହିଯାଏ ଭିତରେ, ଆଉ ଦିନେ ହୁଏତ ଏହାର ଉପର ପରସ୍ତଟା ପୋଡ଼ିଯାଏ ପୂରାପୂରି ।

 

ଆଗେ ଘରଣୀମାନେ ଘରେ ଘରେ ପାଉଁରୁଟି ତିଆରି କରୁଥିଲେ । ଏବେ ମଧ୍ୟ ଗୋଟିଏ ପ୍ରକାରର ସେହି ଦେଶୀୟ ଚୁଲି ବା ଷ୍ଟୋଭ୍‍ରେ ରୁଷରେ କେଉଁଠି କେଉଁଠି ପାଉଁରୁଟି ତିଆରି ହେଉଛି । ପ୍ରଥମେ ଗୋଟାଏ ତସଲା ବା ଚଟାଳିଆ କରେଇ ବା ତାତୁଆ ଥାଳିରେ ମାଇପେ ପାଣି ଭର୍ତ୍ତି କରନ୍ତି, ସେଥିରେ ଆବଶ୍ୟକମତେ ଲୁଣ ପକାନ୍ତି, ଆଉ ‘ଏଷ୍ଟ’ ବା ‘ମଦକାଣ୍ଟି’ ବା ସେହି ଜାତୀୟ ଜିନିଷ ମିଶାନ୍ତି । ଏହାପରେ ଅଳ୍ପ ଅଳ୍ପ କରି ମଇଦା ସେଥିରେ ପକେଇ ଫେଣ୍ଟନ୍ତି । ଯନ୍ତନି ବା ଖଳି ନ ହେବାଯାଏ ଫେଣ୍ଟା ବନ୍ଦ କରନ୍ତି ନାହିଁ । ତା’ପରେ ସେଇ କରେଇ ବା ତସଲାକୁ ଢାଙ୍କିଦେଇ ଗରମ ଜାଗାରେ ରଖିଦିଅନ୍ତି ।

 

ଗରମ ପାଇ ଖଳି ଫୁଲିବାକୁ ଲାଗେ । ଏହା ଏମିତି ବଢ଼ି ଫୁଲେ କାହିଁକି ? ଏହା ତ କିଛି ଜୀବନ୍ତ ନୁହେଁ । ତେବେ, ଖଳିଟା ଜୀବନ୍ତ ନୁହେଁ ସିନା, ତା’ ଭିତରେ ଥିବା ଏଷ୍ଟ୍ ବା ମଦକାଣ୍ଟି ଜିନିଷଟା ସଜୀବ । କାରଣ, ଟିକିଏ ଏଷ୍ଟ୍ ହେଉଚି ପ୍ରକୃତରେ ଅତି ଛୋଟ ଛୋଟ ଗୋଲ୍ ଗୋଲ୍ ଛତୁର ଜୀବକୋଷରୁ ମେଞ୍ଚିଏ । ଯେଉଁ କାଚଦ୍ଵାରା ଦେଖିଲେ ଅତି ଛୋଟ ଜିନିଷ ବଡ଼ ଦେଖାଯାଏ ସେହି ମ୍ୟାଗ୍‍ନିଫାଇଙ୍ଗ୍ କାଚ ଜରିଆରେ ଦେଖିଲେବି, ଏହି ଛତୁ ଜୀବକୋଷଗୁଡ଼ିକ ଏତେ ସାନ ଯେ, ସେଥିରୁ ଗୋଟିକୁ ଦେଖିହେବ ନାହିଁ । ଗୁଡ଼ିଏ ମ୍ୟାଗ୍‍ନିଫାଇଙ୍ଗ୍ କାଚର ମୋଟରେ ଯେଉଁ ଶକ୍ତି ହେବ, ସେହି ଶକ୍ତି ଅଣୁବୀକ୍ଷଣ ଯନ୍ତ୍ରରେ ଥାଏ । ଏଣୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ସେଲ୍ ବା ଛତୁର ଜୀବକୋଷଗୁଡ଼ିକ ଦେଖାଯାଇପାରେ । କିନ୍ତୁ ଅନେକ ଛତୁଜୀବକୋଷ ଯେତେବେଳେ ମେଞ୍ଚାଟିଏ ହୋଇ ରହିଥିବ, ସେତେବେଳେ ସେହି ମେଞ୍ଚାଟିକୁ ଟିକେ ସହଜରେ ବାରିହେବ । ସେହି ଜୀବକୋଷଗୁଡ଼ିକ ତାଙ୍କର ନିଜର ବିଶେଷ ପ୍ରଣାଳୀରେ ନିଃଶ୍ଵାସ ନିଅନ୍ତି ଓ ଛାଡ଼ନ୍ତି–ମଣିଷ କି ପଶୁପକ୍ଷୀ ନିଃଶ୍ଵାସ ନେଲା ଭଳି ଅବଶ୍ୟ ନୁହେଁ । ସେମାନେ ଖଳି ଭିତରେ ପଶିବାମାତ୍ରେ ନିଜ ସାଧ୍ୟମତେ ନିଃଶ୍ଵାସ ମାରନ୍ତି–ଆମେ ଯେମିତି ବେଶି ଧାଇଁ ଧାଇଁ ଯାଉଥିଲେ ବା ଧାଇଁସାରି ଛିଡ଼ା ହୋଇଗଲେ ନିଃଶ୍ଵାସ ମାରୁ ସେମିତି । ସେମାନେ ଜୋରରେ ଜୋରରେ ନିଃଶ୍ଵାସ ମାରିବା ହେତୁ ପାଣିଫୋଟକାମାନ ସୃଷ୍ଟି ହୁଏ–ଅର୍ଥାତ୍, ଖଳି ଭୁରଭୁରେଇ ଉଠେ, ଫୁଲିବାକୁ ଲାଗେ ।

 

ତେଣୁ ଏହି ଛତିଆ ଫିମ୍ପିକୁ ଗରମ ରଖିବା ଦିଗରେ ଯତ୍ନ ନେବାକୁ ହୁଏ । ସେଥିପାଇଁ ଖଳି–ତସଲାଟିକୁ କନାରେ ଘୋଡ଼େଇ ଗରମ ଜାଗାରେ ରଖାଯାଏ । ଖଳି ଫୁଲିଉଠିଲା ପରେ ଘରର ସ୍ତ୍ରୀଲୋକମାନେ ତାକୁ ଚକଟି ବା ମନ୍ଥି ସେଥିରେ ପାଉଁରୁଟିମାନ ଗଢ଼ନ୍ତି, ସେଇ ଗଢ଼ା କଞ୍ଚା ପାଉଁରୁଟିକୁ ନେଇ ଲମ୍ବା ହାତଥିବା ଓସାରିଆ ଜାଲିଚଟୁ ଉପରେ ରଖନ୍ତି । ଜାଲିଚଟୁଟିକୁ ବଡ଼ ଚୁଲି ଭିତରେ ପୂରାଇ ଦିଅନ୍ତି । ପିଲାଏ ସକାଳୁ ଉଠି ମୁହଁ ଧୋଇଲାବେଳକୁ ପାଉଁରୁଟି ତିଆରି ହୋଇ ଖାଇବାପାଇଁ ଟେବୁଲ୍ ଉପରକୁ ଆସିଯାଏ । ତା’ର ବାସନାରେ ସେମାନଙ୍କ ଜିଭରୁ ଲାଳ ବହେ, ସଲସଲେଇ ଉଠେ ନାକପୁଡ଼ା ।

 

ଚମତ୍କାର ଉତୁରେ ପାଉଁରୁଟିଟି ! ଭିତରଟି ତା’ର ଓଦାଳିଆ, ଛୋଟ ଛୋଟ ପବନ ଫୋଟକାରେ ଭରା । କାରଣ, ଇଏଷ୍ଟ ତାକୁ ‘ସ୍ପଞ୍ଜ୍’ ବା ଜଳଶୋଷକ ପଦାର୍ଥ ଭଳି କରିଦିଏ । ତା’ର ଉପର ଖୋଳଟି ଖାଇବାକୁ ଭାରି ମିଠା, ଚିନି ଶିରା ଭଳି ଠିକ୍ ! ପ୍ରକୃତରେ ଏହାକୁ ଚିନିଶିରାର ଶୁଖିଲା ପାଗ କୁହାଯାଇପାରେ । କାରଣ, ପାଉଁରୁଟି ଯେତେବେଳେ ଚୁଲିରେ ଥାଏ, ସେତେବେଳେ ସବୁଠୁ ବେଶି ତାତି ପାଏ ତା’ର ଉପରଟି । ସେଇଠି ଚିନିତକ ପୋଡ଼ି କଳାଆସିଆ ବାଦାମୀ ପଡ଼ିଯାଏ, ଆଉ ଟାଣୁଆ ପାଗର ଶିରା ହୋଇଯାଏ । କିନ୍ତୁ ପାଉଁରୁଟିରେ ଚିନି ଆସେ କେଉଁଠୁଁ ? ଖଳିରେ କ’ଣ ଚିନି ଦିଆଯାଏ ? ନା, ଖଳିରେ ଷ୍ଟାର୍ଚ୍ଚ ବା ଶ୍ଵେତସାର ଥାଏ । ସେହିଥିରୁ ଚିନି ବା ‘ଶର୍କରା’ ତାତି ପାଇଲେ ପାଗ ହୋଇଯାଏ ।

 

ଆଗେ ପାଉଁରୁଟି ସିନା ହାତରେ ତିଆରି ହେଉଥିଲା ବା କେହି କେଉଁଠି ଏବେବି ପୁରୁଣାକାଳିଆ ରୀତିରେ ଏହା ସେକାସେକି କରୁଥିବେ । ଏବେ କିନ୍ତୁ, ସାଧାରଣତଃ ଏହା ତିଆରି ହେଉଛି କେମିତି ?

 

ତମ ଟେବୁଲ ଉପରେ ପାଉଁରୁଟିଟିଏ ଥୁଆ ହୋଇଛି–ଏହା ଆସିଲା କେଉଁଠୁଁ ?

 

ଦୋକାନରୁ ।

 

ଦୋକାନକୁ ଆସିଲା କେମିତି ? ଭ୍ୟାନ୍ ବା ବନ୍ଦ ମଟରଗାଡ଼ିରେ ଆଣି ପହଞ୍ଚେଇ ଦେଇଗଲା ସେଇ ଗାଡ଼ିର ଡ୍ରାଇଭର । ସହରଟିରେ ଏମିତି ବହୁତ ମଟରଗାଡ଼ି ଅଛି; ସେଗୁଡ଼ିକ ଉପରେ ବଡ଼ବଡ଼ ଅକ୍ଷରରେ ଲେଖା ହୋଇଛି “ରୁଟି” । ଏହି ମୋଟରଗାଡ଼ିର ଭିତର ଦିଶେ ଗୋଟିଏ ଜଳଖିଆ ଆଲମାରି ଭଳି । ତା’ର ଥାକରେ ସବୁ କାଠ–ଡାଲାରେ ରୁଟି ରଖାଯାଇଥାଏ ।

 

କିନ୍ତୁ ମୋଟରଗାଡ଼ି ପାଉଁରୁଟି ପାଏ କେଉଁଠୁଁ ?

 

ଆଣେ ଆଧୁନିକ ଧରଣର ରୁଟି ତିଆରି କାରଖାନାରୁ । ଆମେ ଜାଣୁ, ସହର ଗୋଟାଏ ମସ୍ତ ରାକ୍ଷସ ଭଳି । ପ୍ରତିଦିନ ଏହା ଯେତେ ରୁଟି ଖାଏ, ତାହାକୁ ଯଦି ସଜେଇ ରଖାଯାଏ, ତେବେ ତାହା ଗୋଟାଏ ପାଞ୍ଚ ଦଶ ମହଲା ଘର ଉଞ୍ଚର ହେବ–ଗୋଟିଏ ଘରଭଳି ରୁଟି ହୋଇଯିବ । ଏଭଳି ଗୋଟାଏ ରୁଟି ତିଆରି କରିବାକୁ ତମକୁ ଘର ପରି ତସଲା ବା ପରାତ ତିଆରି କରିବାକୁ ପଡ଼ିବ ।

 

କଳ୍ପନା କରିପାରୁଛ ଭଲା, କେଡ଼େ ବଡ଼ ଜାଲିଚଟୁ ଦରକାର ହେବ ? ଆଉ କେଡ଼େ ବଡ଼ବଡ଼ ହାତ ? ରାକ୍ଷସରୂପୀ ପାଉଁରୁଟି ପାଇଁ ରାକ୍ଷସରୂପୀ ଜାଲିଚଟୁ ହେଲେ ଯେ ଚଳିଯିବ, ତାହାବି ନୁହେଁ । ଚୁଲିଟା ସେମିତି ଆହୁରି ବଡ଼ ନହେଲେ ରାକ୍ଷସରୂପୀ ପାଉଁରୁଟି ପଶିବ କେମିତି ସେଥିରେ ? କିନ୍ତୁ ପୃଥିବୀରେ ଜଣେ ହେଲେ କାହାରି ଏଭଳି ଅସୁରିଆ ପାଉଁରୁଟି ସେକିବାପାଇଁ ହାତ ନାହିଁ । ତେବେ ପ୍ରତ୍ୟେକଙ୍କର ‘ମୁଣ୍ଡ’ ଅଛି, ଯେଉଁ ମୁଣ୍ଡ ଚିନ୍ତା କରେ, ବୁଦ୍ଧିପାଞ୍ଚେ, କଳକୌଶଳ ବାହାର କରେ । ଏହି ‘ମୁଣ୍ଡ’ ବଳରେ ଲୋକେ ରାକ୍ଷସ ପରି ସହରଟି ଲାଗି ରାକ୍ଷସିଆ ରୁଟିସେକା କଳ ଉଦ୍ଭାବନ କରିସାରି ତାକୁ କାମରେ ଖଟାଇଛନ୍ତି ।

 

ଏହି ରାକ୍ଷସ ରୁଟିସେକା କଳରେ ପାଉଁରୁଟି ତିଆରି ସମ୍ପର୍କୀୟ ଟିକିନିଖି ସବୁ କାମ ଛାଏଁ ଛାଏଁ ହୋଇଯାଏ–ସତେ ଯେମିତି କିଏ ଯାଦୁକାଠି ଛୁଆଇ ସବୁ କାମ ଆଖି ପିଛୁଡ଼ାକେ କରିଦିଏ । ଏହି ରୁଟିସେକା କଳ ଥିବା କାରଖାନାରେ ଅଟା କି ମଇଦା ଥର ଥରକେ ଗୋଟିଏ ଯୋଡ଼ିଏ ବସ୍ତାରେ ଆସେ ନାହିଁ–ଆସେ ଶହ ଶହ ବସ୍ତାରେ, ଗୋଟାକୁ ଗୋଟା ଟ୍ରେନ୍‍ରେ ବୋଝେଇ ହୋଇ । ଟ୍ରେନ୍ ଆସି ଲାଗେ କାରଖାନା ପାଖରେ । ସେଠି ଡବାରୁ ବସ୍ତାସବୁ ଆପେଆପେ ଲମ୍ବା ଡାଲା ବାଟରେ ଖସି ଖସି ଆସେ ଗୋଦାମର ଗହ୍ମୀରି ଭିତରକୁ । ସେଠାରେ ଦେଖାଯାଏ, ବସ୍ତାଗୁଡ଼ିକ ସାଥିରେ କେବଳ ନୁହେଁ, ମଇଦା ସାଙ୍ଗରେବି ଲୁହାତାର ଟିକେ, କାଠିକୁଟା, ବୋତାମ କି କଣ୍ଟା ମିଶିକରି ଆସିଥାଏ । ଏଭଳି ଅଲୋଡ଼ା କୁଣିଆଗୁଡ଼ିକୁ ତ ଦ୍ଵାର ମଡ଼େଇଦେବା ଉଚିତ ନୁହେଁ । ଏମାନେ ଯଦି ରୁଟି ସାଙ୍ଗରେ ରହି ସେକିହୋଇଯାଆନ୍ତି, ରୁଟି ଖାଇବା ଲୋକର ଅବସ୍ଥା ଅଠାଠିକ୍ ହେବ । ହୁଏତ ତା’ ତଣ୍ଟିରେ କାଠିଟାଏ କି କଣ୍ଟାଟାଏ ଲାଗିଯିବ, ନଇଲେ ବୋତାମ ବାଜି ଦାନ୍ତଟାଏ ଭାଙ୍ଗିଯିବ । କିନ୍ତୁ ଏତେ ଏତେ ବସ୍ତା ଭିତରୁ ସେଗୁଡ଼ିକୁ ଧରି ବାହାର କରିବାକୁ ହେବ କେମିତି ? ପ୍ରତି ବସ୍ତା ତ ଆଉ ଘାଣ୍ଟି ଦେଖିହେବ ନାହିଁ । ପରୀକ୍ଷା କରି ଦେଖିବାର ଗୋଟାଏ ସହଜ ଉପାୟ ଅଛି । ବସ୍ତାଗୁଡ଼ିକରୁ ମଇଦାକୁ ଆଗ ଗୋଟାଏ ବଡ଼ କାହାଳୀ ବାଟେ ଗୋଟାଏ ଖଣି ପରି ମସ୍ତବଡ଼ ଗାତ ବା କୁଣ୍ଡରେ ଢଳାଯାଏ । ଏତିକିବେଳେ ଏହା ଉପରେ କଟକଣା ପ୍ରୟୋଗ କରାଯାଏ । ପ୍ରଥମେ ଏହା ହାବୁଡ଼େ ଚୁମ୍ବକକୁ ସେଥିରେ ମଇଦାର ତ କିଛି ହୁଏ ନାହିଁ, ଅଲୋଡ଼ା ଲୁହାଜାତିର କୁଣିଆତକ ବାଟରେ ଅଟକି ରହନ୍ତି । ମଇଦା ସୁରୁଖୁରୁରେ ନିଜ ରାସ୍ତାରେ ଯାଏଁ । କିନ୍ତୁ ଯେଉଁ କାଠପାତିଆ, ବୋତାମ ଆଦି ଚୁମ୍ବକରେ ଟଣାହୋଇ ରହନ୍ତି ନାହିଁ, ତାଙ୍କୁ ରୋକାଯାଏ କେମିତି ? ଏଥିପାଇଁ ସରୁ ଚାଲୁଣିରେ ମଇଦା ସବୁ ଚଲାଯାଏ, ଖେଳିଆହୋଇ ସେଥିରୁ କାଠିକୁଟା ପ୍ରଭୃତି ବଛା ହୁଏ । ତା’ପରେ ଏହା ଚାଲିଯାଏ ମାଟିତଳର ଆଉ ଗୋଟିଏ ଭଣ୍ଡାର ଘରକୁ । ସେଠି ଅପେକ୍ଷା କରେ ପୁଣି ଡକରା ହେବାଯାଏ ।

 

ମଇଦାକୁ ନେବାପାଇଁ ଆସନ୍ତି କେଉଁମାନେ ? ଲୋକେ ? ନା, ଲୋକେ ନୁହନ୍ତି । ଗୋଟିକ ପରେ ଗୋଟିଏ ହତା-ଲଗା ମୋଟରଗାଡ଼ି ପହଞ୍ଚେ, ଉପରୁ ଓହ୍ଲାଏ ତଳକୁ, ଭଣ୍ଡାରଘର ଗହ୍ମୀରି ମୁହଁ ପାଖକୁ । ସେଗୁଡ଼ିକ ଆସେ ମଣିଷର ହାତରେ ଠେଲାହୋଇ କି ଟଣାହୋଇ ନୁହେଁ, ‘ବାଲଟି-ବୁହାଳି’ କଳ ବା କନ୍‍ଭେୟରରେ । ଛାଏଁ ଛାଏଁ ହତାକୁ ହତା ମଇଦା ଭଣ୍ଡାରଘରୁ ଯାଇ ଭର୍ତ୍ତି ହୁଏ, ଆଉ ଛାଏଁ ଛାଏଁ ଉପରକୁ ଉଠେ ।

 

‘ମେଟ୍ରୋ’ରେ ଏସ୍‍କ୍ୟାଲେଟ ଚଲାପ ହାଚରେ ଯାତ୍ରୀମାନେ ଯା-ଆସ କଲାଭଳି ଗୋଟିକ ପରେ ଗୋଟିଏ ମଇଦା ବାଲଟି ଉପରକୁ ଉଠେ, ଖାଲି ହେଲେ ତଳକୁ ଖସେ, ପୁଣି ଉଠେ । ମଇଦାତକ ଉପରେ ପହଞ୍ଚିବାକ୍ଷଣି ସୁଅପରି କହିବାକୁ ଆରମ୍ଭ କରେ–ପଡ଼େ ଯାଇଁ ବଡ଼ବଡ଼ ପିମ୍ପା ବା କୁଣ୍ଡରେ । ସେଥିରେବି ବେଶି ସମୟ ରହେ ନାହିଁ । କାରଣ, ସେଠି ନୂଆ ମଇଦା ପହଞ୍ଚିଲାବେଳକୁ ପୁରୁଣାତକ କୁଣ୍ଡର ତଳେ ଥିବା କଣାବାଟେ ବାହାରି ଯାଇଥାଏ ।

 

ବାହାରିଯାଇଥାଏ କେଉଁଠିକି ?

 

ବାହାରିଯାଇଥାଏ ନୂଆ ଏକ ଲମ୍ବା ଜୀବନଯାତ୍ରାରେ ।

 

ଏଣିକି ତାକୁ ପାଉଁରୁଟି ରୂପ ଧରିବାକୁ ହେଲେ ଅନେକ ବାଟରେ ଅନେକ ପରିବର୍ତ୍ତନ ଭିତରେ ଯିବାକୁ ହେବ ।–ଖଳି ହେବାକୁ ପଡ଼ିବ, ମୋଟାଳିଆ, ମାଉଁସିଆ ହୋଇ ଚତରା ହେବାକୁ ପଡ଼ିବ ।

 

ରୁଟିସେକା କାରଖାନା ଗୋଟାଏ ବଡ଼ ଡାକ୍ତରଖାନା ଭଳି ଲାଗେ; ଫ୍ୟାକ୍‍ଟରି ବା କାରଖାନା ଭଳି ମନେ ହୁଏ ନାହିଁ । ସେଠି ଯେଉଁ ଶ୍ରମିକମାନେ କାମ କରନ୍ତି, ସେମାନେ ଡାକ୍ତରଖାନାର ନର୍ସ ବା ସେବିକାମାନଙ୍କ ପରି ପୋଷାକପତ୍ର ଉପରେ ଢିଲା, ଆଲଖାଲା ଭଳି ଧଳା ବେଢ଼ଣମାନ ପିନ୍ଧନ୍ତି, ଆଉ ମୁଣ୍ଡରେ ଧଳା ଟୋପିସବୁ ଲଗାଇଥାନ୍ତି । ବାହାରୁ କେହି ଏହି ରୁଟି କାରଖାନା ଭିତରକୁ ଗଲେ, ତାଙ୍କୁବି ଏମିତି ଧଳା ବେଢ଼ଣ ପିନ୍ଧିବାକୁ ହୁଏ । ଏହାର କାରଣ କ’ଣ ଅନୁମାନ କରୁଛ ? ପାଉଁରୁଟିଟିମାନ ଗୋଟିଏ ଗୋଟିଏ ଇଟା ଆକୃତିର ସତ, ଇଟା ତ ନୁହେଁ-! ସେଗୁଡ଼ିକ ପରିଷ୍କାର ରହିବା ଉଚିତ । ତା’ ନହେଲେ କିଏ ତାକୁ ପାଟିରେ ଦେବ ଯେ ?

 

ରୁଟି କାରଖାନାର ଶ୍ରମିକମାନଙ୍କ କାମ କ’ଣ ପଚାରିପାର ! ପ୍ରଥମେ ସେମାନେ ମଇଦା ଓଜନ କରନ୍ତି । ସେଠି ଯେଉଁ ତରାଜୁସବୁ ଥାଏ, ତାହା ପୁଣି ବିଶେଷ ଧରଣର । ସେଥିରେ ଆପେଆପେ ମଇଦାର ଓଜନ ଚାଲେ । ଯେତିକି ଦରକାର ଠିକ୍ ସେତିକି ପରିମାଣର ଓଜନ ହୋଇଯାଏ । ଟିକିଏ କେଉଁଠି ଭୁଲ୍‍ଭାଲ୍ ହୁଏ ନାହିଁ । ସେ ତରାଜୁଗୁଡ଼ାକ କଥା କହିପାରନ୍ତି ନାହିଁ, କିନ୍ତୁ ଯୋଡ଼ିଏ ବାକ୍ୟ ମାଲୁମ ତାକୁ । ଗୋଟିଏ ହେଉଛି–ଆମେ ଓଜନ କରୁଛୁ ଓ ଆରଟି ହେଉଛି–ହୋଇଗଲା । ତରାଜୁରେ ମଇଦା ଝରିପଡ଼ିଲାବେଳେ ଛୋଟ ଆଲୁଅଟିଏ ଜଳିଉଠେ । ସେଇଟି କହେ, ଆମେ ଓଜନ କରୁଛୁ । ହଠାତ୍ ଆଲୁଅଟି ଲିଭିଯାଏ, ଜଣାଇଦିଏ, ହୋଇଗଲା ।

 

ତରାଜୁରେ ଆଗ ତଉଲ ହୁଏ ଗୋଟିଏ ତସଲା ବା କୁଣ୍ଡ ଲାଗି ଯେତିକି ମଇଦା ଦରକାର, ସେତିକି । ଏହି ତସଲାଗୁଡ଼ିକବି ଘର ତସଲା ପରି ନୁହେଁ । ଏଥିରୁ ଗୋଟିଏ ଗୋଟିଏ ଏତେ ଭାରି, ଏମିତି ବଡ଼ ଯେ, ପୃଥିବୀରେ ସବୁଠୁ ବଳି ବଳୁଆ ପହିଲିମାନ ତାକୁ କେବେହେଲେ ଟେକିପାରିବ ନାହିଁ । ଏଥିରେ ଯଦି ଚକ ଲାଗି ନଥାନ୍ତା, ଏହା କେବେହେଲେ ଗୋଟିଏ ସ୍ଥାନରୁ ଚଙ୍କି ପାରୁ ନଥାନ୍ତା । ଭାବିଲ ଦେଖି, ତମ ଘରେ ଯଦି ସବୁ ବାସନକୁସନ, ଡେକ୍‍ଚି, କରେଇରେ ଚକ ଲାଗେ, ସେଗୁଡ଼ିକ ଆପେଆପେ ତମେ ଚାହିଁଲାମାତ୍ରେ ତମ ପାଖକୁ ଯା-ଆସ କରନ୍ତି, ଆଉ ତମ ମାଠିଆଗୁଡ଼ିକ ଛାଏଁ ଛାଏଁ ନିଜ ନିଜର ଚକଗୋଡ଼ରେ ଯାଇ ପାଣି ବହିଆଣନ୍ତି, କେତେ ସୁବିଧାର, କେତେ ମଜାର କଥା ହେବ ! ନାଇଁ ?

 

ଯାହାହେଉ, ସେ ଖଳି-ତସଲାସବୁ ଯାଏଁ କୁଆଡ଼େ ? ଯାଏଁ ଆଗ, ଖଳିରେ ଯେଉଁ ରୁଟି ମସଲା ମିଶିଲେ ତାହାକୁ ଆମ୍ବିଳେଇ ଫମ୍ପେଇ ଦିଏ, ସେଇ ମସଲା ଆଣିବାପାଇଁ । ତା’ପରେ ଯାଏଁ ତରାଜୁ ପାଖକୁ । ସେଠୁ ମଇଦା ନେଇ ବାହାରିଯାଏ ପାଣି ଆଉ ଲୁଣ ଆଣିବାକୁ ରୁଟି ତିଆରିପାଇଁ ଏହି ଜିନିଷଗୁଡ଼ିକ ତ ନିହାତି ଦରକାର । ଏସବୁ ଆଣିସାରିଲା ପରେ ପହଞ୍ଚେ ଯାଇ ଗୋଟାଏ ବିଶେଷ ଧରଣର ହାତ ପାଖରେ । ଏ ହାତ ଇସ୍ପାତର, ମଣିଷର ନୁହେଁ । ଏହା ପାଉଁରୁଟିର ଉପାଦାନଗୁଡ଼ିକୁ–ସେହି ଜିନିଷକୁ ସବୁ ଫେଣ୍ଟି ମିଶାଏ । ତସଲାଟା ଲୁହା ହାତ ପାଖରେ ପହଞ୍ଚିବାମାତ୍ରେ ତାହା ଗୋଟିଏ ଜାଗାରେ ରହି ଚକା ଚକା ଭଉଁରୀ ଖେଳେ, ଘୂରିବାକୁ ଲାଗେ । ଲୁହା ହାତଟା ତଳୁ ଉପରକୁ, ଉପରୁ ତଳକୁ ଚାଲେ–ତସଲାର ଭିତର କରକୁ ମଇଦା ଲାଗିଯାଉଥିଲେ ଆମ୍ପୁଡ଼ି ଆମ୍ପୁଡ଼ି ଛଡ଼ାଏ, ଆଉ ଦଳି ଦଳି ଖଳି ତିଆର କରେ–ଠିକ୍ ଜଣେ ଓସ୍ତାଦ ରୁଟିଗଢ଼ାଳି ପରି । ବୁଝୁଚ ତ କେତେ ଲୋକ କଠିନ କାମରୁ ରକ୍ଷା ପାଆନ୍ତି ଏଇ ଗୋଟିଏ କଳ ଯୋଗେ ?

 

ଫେଣ୍ଟାଫେଣ୍ଟି କଳଟି ନିଜ କାମ କରିସାରିଲା ପରେ, ସତେ ଯେମିତି ଫୁରୁସତ୍ ପାଏ । ତସଲାକୁ ପଠାଇଦିଆଯାଏ ଆଉ ଗୋଟିଏ ଜାଗାକୁ । ସେ ଜାଗାଟି ବେଶ୍ ଲମ୍ବା ଚଉଡ଼ା ଆଉ ଗରମ । ସେଠି ଯାଇ ଅପେକ୍ଷା କରି ସତେ ଯେମିତି ଢୁଳଉଥାନ୍ତି ତସଲାଗୁଡ଼ିଏ । ପ୍ରକୃତରେ ଢୁଳଉ ନଥାନ୍ତି, ଚୁପ୍‍ଚାପ୍ ଅସଲ କାମଟି କରୁଥାନ୍ତି । ନା, ଅସଲ କାମ ଚାଲିଥାଏ ସେଗୁଡ଼ିକ ଭିତରେ ।

 

କାରଣ, ଭିତରେ ଭିତରେ ସେତିକିବେଳେ ଫୁଲିବାରେ ଲାଗିଥାଏ ଖଳି । ଇଏଷ୍ଟ ରହି କାମ କରୁଥାଏ ଅଦେଖାରେ । ସେଇ ଛତୁ ଜୀବକୋଷର ନିଃଶ୍ଵାସରେ ଭୁଡ଼ୁକି ଉଠୁଥାଏ, ଆଉ ଖଳି ଫାମ୍ପିଉଠି ମେଲି ଫିଟି ଫିଟି ଯାଉଥାଏ ସବୁଆଡ଼କୁ । ଠିକ୍ ସମୟରେ ଖଳିତକ ଫୁଲି ଉଠିଲା ପରେ ପୁଣି ତାହାର ଯାତ୍ରା ଆରମ୍ଭ ହୁଏ । କାରଖାନାରେ ସବୁ କାମ ତ ଧରାବନ୍ଧା ନିୟମରେ ଚାଲେ । ଏଣୁ ଡେରିଡ଼ୁରା ହୁଏ ନାହିଁ ।

 

ଖଳି ଯାଏଁ ଏବେ କେଉଁଠିକି ? ଯାଏଁ ଛୁରି ପାଖକୁ ଚିରୁଡ଼ା ଚିରୁଡ଼ା ହୋଇ କଟା ହେବାପାଇଁ । କିନ୍ତୁ ତସଲାରୁ ଖଳି ବାହାରିବ ଯେମିତି, ସେଥିପାଇଁ ବହୁତ ଖୁସାମତ, ବହୁତ କୁହାବୋଲା ଲୋଡ଼େ । ନିଜ ଇଚ୍ଛାରେ ସେ ବାହାରେ ନାହିଁ, ଏଣୁ ତସଲାକୁ ଉଗୁଡ଼ାଇବାକୁ ପଡ଼େ । ଖଳିର ଆଉ କିଛି ବୁଦ୍ଧିବଳ ପାଏ ନାହିଁ । କୁନ୍ଥେଇ କୁନ୍ଥେଇ କାଦୁଆ କାଦୁଆ ହୋଇ ତସଲାରୁ ବାହାରି ମୋଡ଼ି ମୋଡ଼ି ହୋଇ ପଶେ ଗୋଟାଏ ବଡ଼ କାହାଳୀରେ, ସେଇ କାହାଳୀ ବାଟେ ବାହାରେ ଧଳା ସାପଟାଏ ପରି । ଏତିକିବେଳେ ଛୁରି ଲାଗେ ତା’ କାମରେ । ସେଇ ଖଳିର ସାପୁଆ ଦେହଟାକୁ ଖଣ୍ଡଖଣ୍ଡ କରି କାଟେ । ଏଇ ଲମ୍ବା କଞ୍ଚା ଖଳି କିନ୍ତୁ ଅସଲ ରୁଟି ନୁହେଁ । କେହି ଏହାକୁ ଜିଭରେ ସୁଦ୍ଧା ମାରନ୍ତି ନାହିଁ । ଏହି ଖଣ୍ଡଗୁଡ଼ିକୁ ପଶିବାକୁ ହୁଏ ସମାନ ସାଇଜର ଟିଣରେ ସବୁ–ସେକା ହେବାପାଇଁ । ସେଗୁଡ଼ିକୁ ପିନ୍ଧିବାକୁ ହୁଏ ଟିଣର ପୋଷାକ ଯେମିତି । ଏଇ ରୁଟିଟିଣ ଭିତରକୁ ସୁଦକ୍ଷ ଶ୍ରମିକମାନେ ଏମିତି ଶୀଘ୍ର ଶୀଘ୍ର ଏଡ଼େ ବେଗରେ ଖଣ୍ଡକୁ ଖଣ୍ଡ ଖଳି ପକାନ୍ତି ଯେ, ତମେ ଦେଖିଲେ ଆଖି ବୁଜିହୋଇଯିବ । ଖାଲି ଶୁଣିବ ଛପ୍ ଛପ୍ ଶବ୍ଦଟା ।

 

ତା’ପରେ ଖଳି ଭର୍ତ୍ତି ଟିଣଗୁଡିକ ଛାଏଁ ଛାଏଁ ଚାଲନ୍ତି ଚୁଲି ମୁହଁକୁ । ଗୋଟାଏ ଲମ୍ବା ଓସାରିଆ ଚଟକା ଲୁହାପଟି ସେଗୁଡ଼ିକୁ ଦୋଳି ପରି ଡାଲାରେ ବସାଇ ବହି ନିଅନ୍ତି । ସତେ ଯେମିତି ଛୁଆଗୁଡ଼ିଏ–ସେଇ ଟିଣଗୁଡ଼ିକ । ଗୋଟାଏ ବେଶ୍ ଉଷୁମୁଳିଆ ଗଳି ବାଟରେ ଧୀରେ ଧୀରେ ଗତି କରେ ସେଇ ରୁଟିଟିଣବୁହା ଲୁହାପଟି । ଧୀରେ ଧୀରେ ଯିବା ହେତୁରୁ ଟିଣ ଭିତରେ ଖଳିତକ ଫୁଲି ଫୁଲି ଉଠୁଥାଏ ଗରମ ପାଇ । ଚୁଲି ପାଖରେ ପହଞ୍ଚିବାବେଳକୁ ଏହା ଟିଣର ଫନ୍ଦ ଛୁଇଁ ସେଇ ଆକୃତିର, ସେଇ ସାଇଜର ହୋଇଥାଏ । ଟିଣଗୁଡ଼ିକ ଗୋଟିଏ ଗୋଟିଏ ସାଇଜ ଓ ଆକୃତିର । ଏଣୁ ରୁଟିସବୁ ଗୋଟିଏ ସାଇଜର ଓ ରୂପର ହୁଏ । ଚୁଲିଟା ଦୋ’ମହଲା କୋଠାଘର ଉଞ୍ଚ । ସେଇଥିରେ ଯାଇ କଞ୍ଚା ରୁଟିତକ ପଶେ । ଚୁଲିରେ ସେକି ହୋଇ ବାଦାମୀ ରଙ୍ଗ ଧରେ । ସିଝି ଶୁଖିଯାଇ ଝୁରୁଝୁରିଆ ମୁସୁମୁସିଆ ହୁଏ, ଖୋଳି ବାନ୍ଧେ ।

 

ସେକା ରୁଟି ଚୁଲିର ଆଉ ଗୋଟିଏ ମୁହଁରେ ଆଗେଆଗେ ପଦାକୁ ବାହାରେ । କେତେବେଳେ ଯଦି ଗୋଟିଏ ଟିକିଏ ଅଟକି ଅଟକିଯାଏ, ତେବେ ତାକୁ ଖସେଇଦେଇ କାଢ଼ିଅଣାଯାଏ । ପୁଣି ପରୀକ୍ଷା କରାଯାଇ ଦେଖାଯାଏ ରୁଟିର ପୋଡ଼ ଠିକ୍ ହୋଇଛି କି ନାହିଁ । ତା’ପରେ ଛୋଟ ଛୋଟ ଟ୍ରଲିରେ ଥାକରେ ଯାଇ ରହେ । ଥଣ୍ଡା ହୁଏ । ଗରମ ଅବସ୍ଥାରେ ଦୋକାନକୁ ପଠାଯାଏ ନାହିଁ–କାଳେ ବାଟରେ ପଡ଼ି ଭାଜିଯିବ କି କଞ୍ଚାଳିଆ ରହିଯାଇ ନାଆଁ ପକାଇବ । ଏତେବେଳକୁ ସୁଅ ପରି ଆସି ରୁଟିଗାଡ଼ିସବୁ ଫ୍ୟାକ୍‍ଟରି ପାଖରେ ପହଞ୍ଚୁଥାଏ । ସେଗୁଡ଼ିକର ପଛ ଦ୍ଵାରଗୁଡ଼ିକ ଫିଟେଇ ଦିଆଯାଏ । ଗାଡ଼ି ଭିତରେ ଥିବା ଥାକରେ ସବୁ ଡାଲାକୁ ଡାଲା ରୁଟି ରହିଯାଏ । ଏହାପରେ ରୁଟି ଚାଲେ ଦୋକାନକୁ । ତା’ର ଯାତ୍ରା ସରି ସରି ଆସେ । ଦୋକାନରୁ ପଶେ ତମର ସଉଦା ଥଳିରେ, ସଉଦା ଥଳିରୁ ଯାଇ ବସେ ତମ ଥାଳିରେ । ତା’ପରେ ତ କାଟିକୁଟି ହୋଇ ତମ ପାଟିରେ ହାଜର ହୁଏ ଟାକୁକିନି ।

Image

 

ପ୍ରକୃତିର ବର୍ଣ୍ଣମାଳା

 

ତମେ ବର୍ଣ୍ଣମାଳା ଶିଖି ରାସ୍ତାଘାଟରେ ଯେଉଁଠି ଯାହା ଲେଖାହୋଇଛି, ତାହା ପଢ଼ିପାରୁଚ । ତମେ କ’ଣ ଔଷଧପାଇଁ କେବେ ବାଳକଟା ସେଲୁନ୍‍କୁ କିମ୍ବା ବାଳକାଟିବାପାଇଁ ଡାକ୍ତର ଦୋକାନକୁ ଯିବ ? ତମକୁ ଯଦି ଗଳିର ନାଆଁ, ଘରର କି “ପ୍ଲଟ୍‍”ର ନମ୍ବର ବତାଇ ଦିଆଯାଇ କେଉଁଠିକି ପଠା ହୁଏ, ଠିକଣା ନିର୍ଭୁଲ ଥିଲେ ତମେ ଅକ୍ଳେଶରେ ନିଜର ବାଟ ପାଇପାରିବ, ସେଠିଯାଇ ପହଞ୍ଚିପାରିବ ।

 

ବର୍ଣ୍ଣମାଳା ଜାଣିଲେ ଭାରି ସୁବିଧା ହୁଏ । ସବୁବେଳେ ସାହାଯ୍ୟ କରିବାକୁ ଏହା ଯେମିତି ସାଙ୍ଗରେ ଥାଏ । ଇଂରେଜୀ ବର୍ଣ୍ଣମାଳାରେ ମାତ୍ର ଛବିଶଟି ଅକ୍ଷର ଅଛି । ଓଡ଼ିଆରେ ୪୯ଟି । ତମେ ଏହି ଅକ୍ଷରଗୁଡ଼ିକ ଭଲକରି ଶିଖିଲେ, ଖୁବ୍ ବଡ଼ବଡ଼ ବହି ପଢ଼ିପାରିବ, ଦୁନିଆ ବିଷୟରେ ଅନେକ କଥା ଜାଣିପାରିବ ।

 

ପୃଥିବୀର ସବୁ ବିଦ୍ୱାନ ଲୋକେ ଆଗ ଅକ୍ଷରଚିହ୍ନାରୁ ପାଠପଢ଼ା ଆରମ୍ଭ କରିଥିଲେ ।

 

କିନ୍ତୁ ଆଉ ଗୋଟିଏ ପ୍ରକାରର ବର୍ଣ୍ଣମାଳା ଅଛି । ଯିଏ ପ୍ରକୃତରେ ଦି’ଚାରି କଥା ଜାଣି ଶିକ୍ଷିତ ହେବାକୁ ଚାହେଁ, ତାକୁ, ଯେମିତି ହେଉ ଏଗୁଡ଼ିକ ଆଗ ପଢ଼ିବାକୁ ହେବ । ଏହି ବର୍ଣ୍ଣମାଳା ହେଉଛି ପ୍ରକୃତିର । ଏଥିରେ ହଜାର ହଜାର ସଂଖ୍ୟାରେ ଅକ୍ଷର ଅଛି । ଆକାଶରେ ଥିବା ପ୍ରତ୍ୟେକ ନକ୍ଷତ୍ର ଗୋଟିଏ ଗୋଟିଏ ଅକ୍ଷର । ରାସ୍ତାର ପ୍ରତ୍ୟେକ ଗୋଡ଼ି ଗୋଟିଏ ଗୋଟିଏ ଅକ୍ଷର । ଅଶିକ୍ଷିତ ଅଜ୍ଞ ଲୋକର ଆଖିରେ ସବୁ ନକ୍ଷତ୍ର ସମାନ । କିନ୍ତୁ ଯିଏ ନକ୍ଷତ୍ରଗୁଡ଼ିକଙ୍କ ବିଷୟରେ ଦି’କଥା ଜାଣିଚି, ସେ ସେମାନଙ୍କ ଭିତରୁ କେତୋଟିର ନାଆଁ କହିପାରିବ–ଗୋଟିଏ ନକ୍ଷତ୍ର କେମିତି ଆଉ ସମସ୍ତଙ୍କଠୁ ଅଲଗା, ଏହି ସବୁ ତମକୁ ଜଣେଇଦେଇପାରିବ । କେତେଗୁଡ଼ିଏ ଅକ୍ଷର ମିଶି ଗୋଟାଏ ନକ୍ଷତ୍ର ମଣ୍ଡଳୀ ହୁଏ ।

 

ଯୁଗଯୁଗ ହେଲା ନାବିକମାନେ ଏହି ‘ନକ୍ଷତ୍ର-ପୋଥିଟିକୁ ପଢ଼ିଆସୁଛନ୍ତି । ସମୁଦ୍ରରେ ଯିବାବେଳେ ଯେତେବେଳେ ସେମାନଙ୍କର ବାଟ ଦେଖିବା ଆବଶ୍ୟକ ହେଉଛି, ସେତେବେଳେ ସେମାନେ ଆଗ ଏହି ବହିଟିକୁ ଚାହୁଁଛନ୍ତି । ନକ୍ଷତ୍ର ସବୁକୁ ଲକ୍ଷ୍ୟ କରୁଛନ୍ତି । ଏହା ନ କଲେ ସେମାନେ ଠିକ୍ ବାଟରେ ଯାଇପାରିବେ ନାହିଁ । କାରଣ, ସମୁଦ୍ରରେ ତ ଆଉ କାହାର ଯା-ଆସର ଚିହ୍ନ ରହେ ନାହିଁ । ସ୍ଥଳଭାଗରେ ରାସ୍ତାରେ ଯେମିତି ବାଟକରରେ କି ଛକମୁଣ୍ଡରେ ଖୁଣ୍ଟିରେ ସଂକେତ ଦିଆଯାଇଥାଏ–ଉତ୍ତର ଦିଗକୁ, ଆଉ ଛବିରେ ଗୋଟିଏ ଅଙ୍ଗୁଳି ନିର୍ଦ୍ଦେଶ ଦେଉଥାଏ ସେଇଆଡ଼କୁ–ସମୁଦ୍ରରେ ସେମିତି ତ କିଛି ବ୍ୟବସ୍ଥା ନାହିଁ । ସେମିତି ବ୍ୟବସ୍ଥା କିଛି ଥିଲେବି ନାବିକମାନେ ତା’ ଉପରେ ନିର୍ଭର କରିବେ ନାହିଁ, ତାକୁ ବେଶି ଦରକାର ମଣିବେ ନାହିଁ । କାରଣ ସେମାନଙ୍କ ପାଖରେ ନକ୍ଷତ୍ରକୁ ଚାହିଁ ଠିକ୍ ରାସ୍ତା ଧରିବାକୁ ଗୋଟିଏ ଯନ୍ତ୍ର ଥାଏ । ଏଇଟି ହେଉଛି “କମ୍ପାସ” । ଏଥିରେ ଚୁମ୍ବକ କଣ୍ଟାଥାଏ । ଏହାର ମୁହଁ ସବୁବେଳେ ଉପରକୁ ଥାଏ । ନାବିକମାନଙ୍କ ପାଖରେ, ଧର କୌଣସି କାରଣରୁ ଏଇ ଯନ୍ତ୍ରଟି କେତେବେଳେ ନାହିଁ । ସେମାନେ ସେତେବେଳେ ଆକାଶକୁ ଚାହାନ୍ତି । କୋଦାଳ ଭଳି ଗୋଟିଏ ନକ୍ଷତ୍ରପୁଞ୍ଜ ଦିଶେ, ତାକୁ ଖୋଜି ଠଉରାନ୍ତି । କାରଣ ସେଇ ନକ୍ଷତ୍ରପୁଞ୍ଜରେ ଅଛି ଧ୍ରୁବତାରା । ଏଇଠି ସବୁବେଳେ ଉତ୍ତର ଦିଗରେ ଥାଏ । ଏଣୁ ସେମାନେ ଏହି ଧ୍ରୁବତାରାକୁ ଦେଖି ଆଗ ଦିଗ ଠିକ୍ କରନ୍ତି ।

 

ଆକାଶ–ପୋଥିରେ ମେଘଗୁଡ଼ିକବି ଗୋଟିଏ ଗୋଟିଏ ଅକ୍ଷର । ସେମାନେ କେବଳ ବର୍ତ୍ତମାନର କଥା କହନ୍ତି ନାହିଁ, ଭବିଷ୍ୟତର କଥାବି କହନ୍ତି । ଖରା ଝଲମଲ ଦିନରେ ମଧ୍ୟ ସେମାନେ ସୂଚେଇ ପାରନ୍ତି–ଝଡ଼ ଉଠିବକି ନାହିଁ, ପାଗ ମେଘୁଆ ହେବ କି ନାହିଁ, ଝଡ଼ ବର୍ଷା ଆରମ୍ଭ ହୋଇଯିବ କି ନାହିଁ ।

 

ଆକାଶରେ ଯଦି ତୁଳା କି ପଶମ ପରି ମେଞ୍ଚି ମେଞ୍ଚି ହୋଇ ମେଘସବୁ ଭାସେ, ଯିଏ ପ୍ରକୃତିର ବର୍ଣ୍ଣମାଳା ପଢିପାରେ, ସେ କହିଦେବ ଯେ, ଘମାଘୋଟିଆ ମେଘର ଧାର ସେଗୁଡ଼ିକ । ନିକଟରେ ଘୋର ବର୍ଷା ହେବ, ପାଗ ଭଲ ରହିବ ନାହିଁ, ଝଡ଼ିବର୍ଷା ଲାଗିରହିବ–ଏହିସବୁର ଆଗତୁରା ସୂଚକ ସେଗୁଡ଼ିକ ।

 

ଖରାଦିନରେ କେବେକେବେ ଦୂରରେ ମେଘଗୁଡ଼ିକ ଧଳା ଧଳା ପାହାଡ଼ ଭଳି ଦେଖାଯାନ୍ତି । ଜଣାଯାଏ, ସେଠି ଯେମିତି ଜମା ହେଉଥାନ୍ତି । ତା’ପରେ ଆଖିରେ ପଡ଼େ ସେଇ ପାହାଡ଼ିଆ ମେଘଗୁଡ଼ିକ ଭିତରୁ ଗୋଟିକର କର ବା ଧାର କେମିତି ବଦଳୁଛି, କେମିତି ମୁନିଆ ମୁନିଆ ଧାରୁଆ ଧାରୁଆ ହେଉଚି । ତା’ ଫଳରେ ସେଇ ମେଘଟା ଦିଶୁଚି କମାରର ନିହାଇ ଭଳି ।

 

ଉଡ଼ାଜାହାଜଚାଳକମାନେ ଜାଣନ୍ତି, ‘‘ମେଘ-ନିହାଇ” ହେଉଚି ଝଡ଼ର ଆଗା । ସେଥିପାଇଁ ସେମାନେ ଏହି ମେଘ ପାଖରୁ ଦୂରେଇ ରୁହନ୍ତି, ସତର୍କ ହୋଇଯାନ୍ତି । ସେଇ ମେଘ ସଙ୍ଗରେ ଏମିତି ଜୋରରେ ପବନ ହୁଏ ଯେ, ଯଦି ଉଡ଼ାଜାହାଜଟି ତା’ ଭିତରେ ପଡ଼ିଯାଏ, ତେବେ ତାହା ଚୂନା ହୋଇଯିବ ।

 

ଚଢ଼େଇମାନେ ଆକାଶରେ ଉଡ଼ିବୁଲନ୍ତି, ଆମେ ଜାଣୁ । ସେମାନଙ୍କ ଗତିବିଧି ଯଦି ଆମେ ଲକ୍ଷ୍ୟ କରୁ, ଅନେକ ବଢ଼ିଆ ବଢ଼ିଆ ଦରକାରୀ କଥା ଜାଣିପାରିବୁ । ଚାତକ ବା ଭରତିଆ ଭଳି ସ୍ଵଲୋ ଗୋଟିଏ ପକ୍ଷୀ ଏହି ପକ୍ଷୀ । ଉଚ୍ଚରେ ଉଡ଼ିବା ଦେଖାଗଲେ ଜଣାଯାଏ, ପାଗ ଶୁଖିଲା ହେବ । ରୁଷରେ ଓ ଉତ୍ତରାଞ୍ଚଳ ଦେଶଗୁଡ଼ିକରେ ଯେତେବେଳେ ଡାମରାକାଉ ଦେଖାଦିଏ, ସେତେବେଳେ ସହଜରେ ଜଣାଯାଏ ଯେ, ବସନ୍ତଋତୁ ଆରମ୍ଭ ହେବାକୁ ଆଉ ଡେରି ନାହିଁ । ସାରସମାନେ ସବୁ ଚାଲିଗଲା ପରେ ବେଶ୍ ବାରିହୁଏ, ଖରାଦିନ ସରିଲା । ସେଥିପାଇଁ “କ୍ୟାଲେଣ୍ଡର” କି ପାଞ୍ଜି ଦେଖିବା ଲୋଡ଼ା ହୁଏନାହିଁ ।

 

ଶରତ୍ କାଳର ଗୋଟିଏ ସ୍ଵଚ୍ଚ ନିର୍ମଳ ଦିନ । ଚାରିଆଡ଼ ବେଶ୍ ଶାନ୍ତ, ନୀରବ । ସୂର୍ଯ୍ୟ ଉଜ୍ଜ୍ୱଳ । ଖରା ଝଲମଲ କରୁଛି ଚାରିଆଡ଼େ । ହଠାତ୍ ସେଇ ଶାନ୍ତ ନିରବତାକୁ ଭାଙ୍ଗିଦେଇ ଗୋଟିଏ ଅଦ୍ଭୁତ ଆତଙ୍କମୟ ଶବ୍ଦ ବାଜିଉଠିଲା ଆକାଶରେ । ସତେ ଯେମିତି କାହିଁ କେଉଁ ଊର୍ଦ୍ଧ୍ୱରୁ ଆକାଶରେ କିଏ କାହାକୁ କୁହାଟ ମାରି ଡାକିଉଠିଲା ତୁହାକୁ ତୁହା । ବେଳକୁ ବେଳ ଶବ୍ଦ ନିକଟରୁ ନିକଟ ହେଲା, ପ୍ରବଳରୁ ପ୍ରବଳ ହେଲା । ଶେଷରେ ବୁଢ଼ିଆଣୀ ଜାଲ ଭଳି କିଛି ଦେଖାଦେଲା–ଭାସି ଭାସି ବୁଲୁଚି ପବନରେ । ବୁଢ଼ିଆଣୀ ଜାଲ ଆହୁରି ପାଖେଇ ଆସିଲା । ଏବେ ତମେ ସେଠି ଥିଲେ ଦେଖିପାରିଥାନ୍ତ, ସେଇଟି ବୁଢ଼ିଆଣୀ ଜାଲ ନୁହେଁ, ଲମ୍ବ ଲମ୍ବ ବେକ ଥିବା ପକ୍ଷୀଗୁଡ଼ିଏ । ବର୍ଚ୍ଛାର ମୁନ ଭଳି ଆକୃତି କରି ଗୋଟିଏ ତ୍ରିଭୁଜ ପରି ରହି ସେମାନେ ଉଡ଼ିଆସିଲେ । ଉଡ଼ିଆସିବା ସଙ୍ଗେ ସଙ୍ଗେ ତ୍ରିଭୁଜଟିକୁ ସଳଖା କରିଦେଲେ ଯେମିତି ସେମାନେ ବାହାରିଥାନ୍ତି ଦିଗ୍‍ବଳୟ ଆଡ଼କୁ, ଚାଲୁଥାନ୍ତି ସୁଦୂର ବନଭୂମି ଆରପଟରେ ଉଜ୍ଜ୍ଵଳ ଦିଶୁଥିବା ସୂର୍ଯ୍ୟଙ୍କ ଦିଗକୁ । ଚାହୁଁଚାହୁଁ ସେମାନେ ଗୋଟିଏ ବୁଢ଼ିଆଣୀ ଜାଲ ପାଲଟି ଗଲେ ଯେମିତି ! ଜାଲଟି ପୁଣି ଅଦୃଶ୍ୟ ହୋଇଗଲା ସେକେଣ୍ଡକରେ । ଆକାଶରେ ମିଳେଇଗଲା ସେଇଟି । ଖୁବ୍ ହେଲେ ତମେ ଖାଲି ଶୁଣିପାରିଥାନ୍ତ ସ୍ଵରଗୁଡ଼ିଏ–ତମକୁ କେବଳ କହୁଥିବା, ବିଦାୟ ! ବିଦାୟ ! ଆମେ ଫେରିବୁ ପୁଣି ବସନ୍ତରେ ।

 

କେତେକେତେ ଚମତ୍କାର କଥା ଅଛି ସତେ ! ତମେ ସେଗୁଡ଼ିକ ଜାଣିପାରିବ ଆକାଶପୋଥିରୁ ।

 

ଆମ ପାଦତଳରୁ ଭୂଇଁଟିବି ଗୋଟିଏ ପୋଥି । କମ୍ ସଇସ, କମ୍ ମନୋହର ନୁହେଁ ସେଇଟି । ତେବେ, ତମେ ତାହାକୁ ପଢ଼ିଜାଣିବା ଦରକାର ।

 

ଧର, ଜଣେ ଶ୍ରମିକ କେଉଁଠି ଗୋଟିଏ ମୂଳଦୁଆ ଖୋଳୁଛି । ଗଇଁତିଟି ତା’ର ଗୋଟିଏ ଧୂସରିଆ ପଥରରେ ବାଡ଼େଇ ହୋଇଗଲା । ତମ ଆଗରେ ସେଇଟା ଗୋଟିଏ ପଥର ଖାଲି; କିନ୍ତୁ ପ୍ରକୃତିର ବର୍ଣ୍ଣମାଳା ଯିଏ ଚିହ୍ନିଚି, ସେ ସାଙ୍ଗେ ସାଙ୍ଗେ କହିବ, ଏଇଟି ଗୋଟିଏ ଚୂନା ପଥର । ଏହା ଗଢ଼ିହୋଇଚି ଅସଂଖ୍ୟ ସାମୁଦ୍ରିକ ଶାମୁକାରେ । ଏହା ଗଢ଼ାହୋଇଚି କେତେକେତେ ଲକ୍ଷ ଲକ୍ଷ ବର୍ଷତଳରେ କେଜାଣି, କେହି ତାହା ସଠିକଭାବରେ ଗଣନା କରି କହିପାରିବେ ନାହିଁ । ଏଥିରୁ ଜଣାପଡ଼ୁଛି, ଏହି ପଥର ଯେଉଁଠି ବାହାରିଲା, ଯେଉଁଠି ସହରଟି ଛିଡ଼ା ହୋଇଚି, ସେଠି ସେଇ ଲକ୍ଷ ଲକ୍ଷ କି କୋଟି କୋଟି ବର୍ଷ ଆଗେ ଥିଲା ସମୁଦ୍ର ।

 

କେବେ ତମେ ଜଙ୍ଗଲ ଭିତରେ ଯାଉଁ ଯାଉଁ ହଠାତ୍ ଗୋଟାଏ ମସ୍ତବଡ଼ ମୁଗୁନି ପଥରର ମୁଣ୍ଡିଆ ଦେଖିଲ । ତା’ ଦେହଯାକ ଶିଉଳି । ଏ ମୁଣ୍ଡିଆଟା ଜଙ୍ଗଲ ଭିତରକୁ ଆସିଲା କେମିତି ? କିଏ ଏତେ ବଳିୟାର ଥିଲା ଯେ, ଏହାକୁ ବଣ ଭିତରକୁ ଟାଣି ଆଣିପାରିଲା ? ଏହା ଜଙ୍ଗଲ ଭିତରେ ପଶିଲା ବା କେମିତି ?

 

ପ୍ରକୃତିର ବର୍ଣ୍ଣମାଳା ଯିଏ ପଢ଼ିଚି, ସେ କହିଦେବ–ଏଇ ମୁଗୁନି ପଥର ମୁଣ୍ଡିଆକୁ ଲୋକେ ଆଣିନାହାନ୍ତି, ଆଣିଚି ତୁଷାରସ୍ରୋତ । ଉତ୍ତରଅଞ୍ଚଳରୁ ବରଫର ସ୍ରୋତ ଯେତେବେଳେ ବିପୁଳ ବିକ୍ରମରେ ପ୍ରବଳବେଗରେ ବହିଆସିଥିଲା ସେତେବେଳେ ତାହା କେତେକେତେ ପର୍ବତ ଫଟାଇ ଶିଳାଖଣ୍ଡମାନ ଠେଲି ଠେଲି ଭସାଇ ଆଣିଥିଲା ନିଜ ସଙ୍ଗରେ । ଏହା ଘଟିଥିଲା କାହିଁ କେଉଁ କାଳରେ, ଯେତେବେଳେ ଜଙ୍ଗଲର କି ତରୁତୃଣର ଚିହ୍ନବର୍ଣ୍ଣ ନଥିଲା କେଉଁଠି । ଅନେକ ଯୁଗ ପରେ ମୁଣ୍ଡିଆଟି ପଖାରେ ଦେଖାଦେଇଥିଲା ଜଙ୍ଗଲ, ଦେଖାଦେଇଥିଲା ବୃକ୍ଷଲତା ।

 

ପ୍ରକୃତିର ବର୍ଣ୍ଣମାଳା ଚିହ୍ନିବାକୁ ହେଲେ ତମକୁ ପିଲାଦିନୁ ବଣ ବିଲ ପଡ଼ିଆରେ ବୁଲି ସବୁ ବିଷୟରେ ସନ୍ଧାନ ନେବାକୁ ହେବ । ଯାହା ସବୁ ଦେଖିବ, ତାକୁ ଯତ୍ନର ସହିତ ପରୀକ୍ଷା କରିବାକୁ ହେବ । ଯଦି ଏମିତି କିଛି ଭେଟ, ଯାହା କ’ଣ ବୋଲି ତମେ ବୁଝିପାରିବ ନାହିଁ, ତମକୁ ତାହା ଜାଣିବାପାଇଁ ସେଇ ବିଷୟରେ ଲେଖା ବହିଟିଏ ଖୋଜିବାକୁ ପଡ଼ିବ । ଏହା ଛଡ଼ା ସେ ବିଷୟରେ ଯିଏ କିଛି ଜାଣିଥିବେ, ତାଙ୍କୁ ପଚାରିବାକୁ ହେବ–“ଏଇଟିକି ପଥର ? ଏଇଟି କି ଜାତିର ଗଛ ? ଏଇ ଚଢ଼େଇଟିର ନାଁ କ’ଣ ? ବରଫରେ ବାଟ ଫିଟିଲା କେମିତି, ବରଫ ଉପରେ ତାହାର ଚିହ୍ନସବୁ ରହିଯାଇଛି କେମିତି ?’’

 

ଅଳସୁଆ, ଘରପଶା ଲୋକ କେବେହେଲେ ପ୍ରକୃତିର ବର୍ଣ୍ଣମାଳା ଶିଖିପାରିବ ନାହିଁ । ଗୋଟିଏ ପିଲା କେବଳ ପରୀ ଗପ, ଅସୁର ଗପ, ଜଳକନ୍ୟା ଗପ ଓ ଯାଦୁକର ଗପ ପ୍ରଭୃତି କାହାଣୀମାନ ପଢ଼ୁଥାଏ । ପରୀ ଗପ କି ସେମିତି କିଛି କାହାଣୀ ପଢ଼ିବା ଯେ ଭୁଲ, ତା’ ନୁହେଁ । କିନ୍ତୁ ଦୁଃଖର କଥା ହେଉଚି, ସେ ପିଲାଟି ସବୁଠୁ ବଳି ଯେଉଁଟି ବେଶୀ ଚମକପ୍ରଦ, ବେଶି ମନମୋହିଲା ଭଳି ବହି, ସେଇଟି କେବେ ପଢ଼ିବାକୁ ଚାହିଁଲା ନାହିଁ କି କେବେହେଲେ ଫିଟେଇ ସେଥିରୁ ଦି’ଅକ୍ଷର ଚିହ୍ନିବାକୁ ଚେଷ୍ଟା କଲା ନାହିଁ । ସେ ବହିଟି କ’ଣ, ତାହା ତମେ ଜାଣ–ପ୍ରକୃତିର ପୋଥି । ତେଣୁ ଗୋଟିଏ ଗଛ ଆଉ ଗୋଟିଏ ଗଛଠୁ କେମିତି ଅଲଗା, ଗୋଟିଏ ଚଢ଼େଇ ଆଉ ଗୋଟିଏ ଚଢ଼େଇ ସହିତ କେମିତି ସମାନ ନୁହେଁ କି ଏକ ଜାତିର ନୁହେଁ, ଏହା ସେ ଜାଣି ନଥାଏ । ଏ ସମ୍ପର୍କରେ କିଛି କହିପାରୁ ନଥାଏ । ଥରେ ତା’ ସଙ୍ଗୀମାନେ ତାକୁ କୋଳି ତୋଳି ଯିବାକୁ ଡାକିଲେ । ରସୁଆଳିଆ ଲାଲ ଲାଲ କୋଳିଗୁଡ଼ିଏ କେତୋଟି ବୁଦାରେ ଦେଖି ମନ ତା’ର ଖୁସିରେ ନାଚିଉଠିଲା । ଭାବିଲା, କେବେ ତ ସେ କୋଳି ତୋଳିବାକୁ ଯାଇନାହିଁ । ଆଜି ସେ ଅନେକଗୁଡ଼ିଏ ତୋଳିନେବ । ଟୋକେଇଏ ଖଣ୍ଡେ କୋଳି ତୋଳି ସାରି ଘରକୁ ବାହାରିଲା । ଏଡ଼େ ସୁନ୍ଦର କୋଳି ଦେଖିଲେ କାହାର ବା ଲୋଭ ନ ହେବ ? ବାଟରେ ଯାଉଁ ଯାଉଁ ସେଥିରୁ ଦୁଇ ତିନିଟା ପାଟିରେ ପକେଇଲା । ଟିକିଏ ପରେ ତା’ ଦେହ କେମିତି ଅସୁଖ ଲାଗିଲା, ପେଟ ଟାଣିଲା । ଭାଗ୍ୟକୁ ବାନ୍ତି ହୋଇଗଲା, ନଇଲେ ଦେହଟାଯାକ ବିଷାକ୍ତ ହୋଇଯାଇଥାନ୍ତା । ଜୀବନରେ ଆଉ ସେ କେବେ ସେଇ କୋଳି ଛୁଇଁନାହିଁ । କୋଳି ଭିତରେ କେଉଁଟି ଭଲ, କେଉଁଟି ଖରାପ ପ୍ରକୃତିହିଁ ତାକୁ ଶିଖାଇଦେଲା । କିନ୍ତୁ ପ୍ରକୃତି ବଡ଼ କଡ଼ା ଶିକ୍ଷୟିତ୍ରୀ । ଯେଉଁମାନେ ତ ବହି ପଢ଼ନ୍ତି ନାହିଁ, ତାକୁ ସେ ଶକ୍ତ ଦଣ୍ଡ ଦିଏ । ସେ ପିଲାଟି ଯଦି ବଡ଼ମଣିଷଙ୍କ ସାଙ୍ଗରେ କି ତା’ର ସାଙ୍ଗସାଥୀ ପିଲାଙ୍କ ସହିତ ବଣକୁ ଅନେକ ସମୟରେ ଯାଆସ କରୁଥାନ୍ତା, ତେବେ ସେମାନେ ତାକୁ ଆଗରୁ ବଢ଼େଇଦେଇଥାନ୍ତେ, ଯେଉଁ କୋଳିଗୁଡ଼ିକ ସେ ଲୋଭରେ ତୋଳିଥିଲେ, ସେଗୁଡ଼ିକ ବିଷାକ୍ତ କୋଳି-

 

ଥରେ ତାକୁ ସାଙ୍ଗସାଥୀମାନେ ଆସି ଡାକିଲେ, ଆ ଟିକିଏ ବଗିଚାରୁ ଅନାବନା ଘାସଲଟି ଉପୁଡ଼ାଉପୁଡ଼ିରେ ଆମକୁ ସାହାଯ୍ୟ କରିବୁ । ସେ କେତେ ଆଳରେ ଖସିଯିବାକୁ ଚାହିଁଲା, ଶେଷରେ ସାଙ୍ଗପିଲାଙ୍କ ଜିଦ୍ ଦେଖି କହିଲା–“ରହ ଏ ଗପଟା ପଢ଼ୁଛି, ଶେଷ କରିଦିଏ ।” “ବେଶ୍, ତେବେ ତୋପାଇଁ ଦି’ଟା ପଟାଳି ଛାଡ଼ିଦେବୁ, ତୁ ତାକୁ ସଫା କରିବୁ ।” ପିଲାଟି ଗପପଢ଼ା ସାରି ବଗିଚାକୁ ଗଲା । ସେ କେଉଁଟି ଅନାବନା ଘାସର ମୂଳ, ଆଉ କେଉଁଟି ଗାଜର ଗଛର ଚେର, ଚିହ୍ନି ନଥାଏ । ସେ ଅନାବନା ଘାସର ମୂଳ ବୋଲି ଗାଜରତକ ଉପଡ଼ିଦେଲା, ଆଉ ଘାସଛେରାତକ ଛାଡ଼ିଦେଲା ।

 

ସାଥୀ ପିଲାଏ ଆସି ଯେତେବେଳେ ତା’ର ଏ କାମ ଦେଖିଲେ ତାକୁ ତ ଆଚ୍ଛାକରି ଦିପଦ ଶୁଣେଇଲେ; ତା’ ମାଆବି ତାକୁ ବହେ ଗାଳିଦେଲେ । ଆଉ ସମସ୍ତେ ଅନେକ ଦିନଯାଏ ଚିଡ଼େଇବାକୁ ଲାଗିଲେ । ପିଲାଟିର ଆଖିଯୋଡ଼ିକ ସୁନ୍ଦର, ଖୁବ୍ ତେଜୀୟାନ । କିନ୍ତୁ କେମିତି କେଉଁ ଜିନିଷକୁ ଦେଖିବ, ତା’ ସେ ଜାଣି ନଥାଏ । ତେଣୁ ସେ ଜଙ୍ଗଲରେ ଯେତେ ବୁଲିଲେ ମଧ୍ୟ ସବୁ ଦେଖିବି କିଛି ଦେଖି ପାରୁ ନଥାଏ । ଚଢ଼େଇବସା ପାଖରେ ବୁଲୁଥାଏ; କିନ୍ତୁ ସେଇଟି କ’ଣ ତାକୁ ଜାଣିପାରୁ ନଥାଏ । ଝିଙ୍କକାଠିଗୁଡ଼ାଏ ମାଡ଼ିପକାଇଲା ପରେ ଯାଇଁ ସେ ଝିଙ୍କକୁ ଦେଖିପାରେ । ବରଫ ଉପରେ କେଉଁଟି କୁକୁରର ପାଦଚିହ୍ନ ଆଉ କେଉଁଟି ଠେକୁଆର, ଏହା ବାରିବା ତ ଆହୁରି ଦୂରର କଥା ।

 

ଥରେ ବସନ୍ତ ଋତୁ ଆରମ୍ଭ ହୋଇଯାଇଥାଏ, ସେ ବଣ ଭିତରକୁ ଗଲା ବୁଲିବାପାଇଁ । ବାଟହୁଡ଼ିଲା । ଆଉ କେଉଁ ପିଲା ହୋଇଥିଲେ, ନିଶ୍ଚୟ ମନେରଖିଥାନ୍ତା ତା’ର ଘରଟା ଦକ୍ଷିଣଆଡ଼େ–ଯେଉଁଆଡ଼େ ସୂର୍ଯ୍ୟ ଥାଏ । ସୂର୍ଯ୍ୟକୁ ମେଘ ଘୋଡ଼େଇଛି ବୋଲି ଚିନ୍ତା କରିବାର କିଛି ନାହିଁ । ସୂର୍ଯ୍ୟ ନଥିଲେବି ଉତ୍ତର କେଉଁଟି, ଦକ୍ଷିଣ କେଉଁଟି ତମେ ଠିକ୍ ବାରିପାରିବ । ରୁଷ ଭଳି ଶୀତପ୍ରଧାନ ଦେଶରେ ପ୍ରତ୍ୟେକ ଗଛ ଦେହର ଉତ୍ତରପଟେ ଶିଉଳି ବସିଥାଏ, ଆଉ ଦକ୍ଷିଣପଟେ ଆଗ ବରଫ ତରଳେ, ତା’ପରେ ଯାଇଁ ଉତ୍ତରପଟେ ବରଫ ପାଣି ହେବାକୁ ଆରମ୍ଭ କରେ । କାରଣ, ସୂର୍ଯ୍ୟକିରଣ ସେପଟକୁ ଯାଇପାରେ ନାହିଁ ।

 

ଯେଉଁମାନେ ‘ପ୍ରକୃତି ପୋଥି’ ପଢ଼ିଜାଣନ୍ତି, ସେମାନଙ୍କ ପାଇଁ ତା’ର ବର୍ଣ୍ଣମାଳା ଲେଖାହୋଇଚି । ପିଲାଟି ମୂଳର ଗୋଟିଏ ସୁଦ୍ଧା ଅକ୍ଷର ଶିଖି ନଥାଏ । ଏଥିପାଇଁ ସେ ବାଟ ଭୁଲି ଅଡ଼ୁଆରେ ପଡ଼ିଲା । ସଞ୍ଜଯାଏ ବଣରେ ବୁଲିବୁଲି ଶେଷରେ ଆଉ ଗୋଟାଏ ଅଜଣା ଗାଁରେ ପହଞ୍ଚିଲା । ସେଠି ରାତିଟେ କଟେଇବା ଛଡ଼ା ତା’ର ଅନ୍ୟ ଉପାୟ ନଥିଲା । ସେତେବେଳେ ତା’ ଘରେ କି ଅବସ୍ଥା ହେଉଥିବ, କଳ୍ପନା କରିପାରୁଛ ତ ? ତା’ ମାଆଙ୍କର ଆଉ ଚେତା ନଥାଏ–କାନ୍ଦିକାନ୍ଦି ଡୋଳା ବାହାରିପଡ଼ିଥାଏ ଯେମିତି । କାରଣ, ସେ ଭାବିଥାନ୍ତି, ହେଟାବାଘ ପୁଅକୁ ଖାଇଗଲା ନିଶ୍ଚୟ ।

 

ଏମିତିକା ପିଲା ବିଷୟରେ ଆଉ କିଛି କହି ଜାଗା ନଷ୍ଟ କରିବା ଉଚିତ ନୁହେଁ । ତମେ କେବେ ତା’ ଭଳି ହେବନାହିଁ । ସବୁ ଟିକିନିଖି କରି ଦେଖ, ସବୁ ପରୀକ୍ଷା କରି ବୁଝ ! ତମେ ଯେତେବେଳେ ବଡ଼ ହେବ, ପାଠ ପଢ଼ି ଇଞ୍ଜିନିୟର୍, ବିମାନଚାଳକ, ଜାହାଜଚାଳକ, କ୍ୟାପ୍‍ଟେନ୍ କି କୃଷିବିଜ୍ଞାନୀ ହେବ, ଦେଖିବ, କାଗଜରେ ଛାପା ଯେକୌଣସି ବହିର ପାଠ ଭଳି ପ୍ରକୃତିପୋଥିର ପାଠ ତମକୁ ଯେତିକି ସ୍ପଷ୍ଟ, ପ୍ରାଞ୍ଜଳ ଲାଗିବ, ସେତିକି ମୁଗ୍ଧ କରିବ ।

Image

 

ଅଦୃଶ୍ୟ ଜଣକ

 

ତୁମେ କ’ଣ ଭାବୁଚ, ଅଦୃଶ୍ୟ ଜୀବଗୁଡ଼ିକ ଖାଲି ପରୀ ଗପ ବା ବୁଢ଼ୀ ଅସୁରୁଣୀ, କି ବୁଢ଼ୀମା ଗପରେ ଥାଆନ୍ତି ? ଏହା ଯଦି ଭାବୁଥାଅ, ଆଗ ଉପରକୁ ଟିକେ ଆକାଶକୁ ଅନାଅ । ଦେଖିବ, ମେଘଗୁଡ଼ିଏ ଭାସିଯାଉଚି କେମିତି କେତେ ଉଚ୍ଚରେ । କ’ଣ ଗୋଟାଏ ଯେମିତି ଠେଲିଦେଉଚି ସେଗୁଡ଼ିକୁ । କିନ୍ତୁ କ’ଣ ସେଇଟି ? ଅଦୃଶ୍ୟ ଜଣକ ନିଶ୍ଚୟ ! ଏ ଯେତେବେଳେ ବିଲ ଉପରେ ଯାଏଁ, କେଉଁଠି କିଆରିକୁ କିଆରି ଗହମ ନଇଁପଡ଼େ, ନମସ୍କାର ଜଣାଏ ଯେମିତି । ପୁଣି ଏ ଯେତେବେଳେ ଜଙ୍ଗଲ ଭିତରେ ଯାଏଁ, ସେତେବେଳେ ଆପେଆପେ ଯେମିତି ମୁଣ୍ଡ ନୁଆଁଇ ଦିଅନ୍ତି ଗଛଗୁଡ଼ିକ । ଏଇ ଆଜି ସକାଳେ ଏହା ଚିରିପକେଇ ଉଡ଼େଇନେଲା ଲୁଗାପଟା ପୋଷାକପତ୍ରଗୁଡ଼ାକ–ବାହାର ଅଲଗୁଣିରେ ଶୁଖିଥିଲା ଯେଉଁଠି ସବୁ । ଖସେଇପକାଇଲା ଟୋପିଟିକୁ ଗୋଟିଏ ପିଲାମୁଣ୍ଡରୁ । ଟେବୁଲରୁ ଉଡ଼େଇ ନେଇଗଲା ଖବରକାଗଜଟାଏ, ଆଉ ଉଡ଼େଇ ଉଡ଼େଇ କଚାଡ଼ିଦେଲା ନେଇ ଘରଚଟାଣ ଉପରେ । ଆସିବା ଆଗରୁ କାହାରି ଟିକେ ଅନୁମତି ଲୋଡ଼ି ନଥିଲା, କାହାକୁ ଟିକେ କିଛି ପଚାରି ନଥିଲା । ଏମିତିକି ଦୁଆରେ ଖଡ଼୍ ଖଡ଼୍‍ବି କରି ନଥିଲା । ପ୍ରକୃତରେ ଏହା ଦୁଆରବାଟେ ଆସି ନଥିଲା ଆସିଥିଲା ଝରକା ବାଟେ ।

 

ଶରତ୍‍କାଳରେ ଏହା ଘାଉଁରେଇ ଘାଉଁରେଇ ଉଡ଼େଇନିଏ ଶୁଖିଲା ପତ୍ରଗୁଡ଼ିକୁ । ପିଟିଦିଏ ନେଇ ତଳେ କେଉଁଠି । ଧୂଳିଗୁଡ଼ାକ ମନ୍ଥି ବାଡ଼ିରେ ବାଡ଼େଇଲା ଭଳି ବାଡ଼େଇ ବାଡ଼େଇ ଉପରକୁ ଉଠାଏ, ଆଉ ଛାଟିଦିଏ ନେଇ ଲୋକଙ୍କ ଆଖିକୁ ସବୁ । କେତେ ତୃଣମୟ ଅଞ୍ଚଳ, କେତେ ନଈନାଳ, କେତେ ବନପର୍ବତ, କେତେ ସମୁଦ୍ର ଉପରେ ଯାଏଁ, ଆଉ କେତେ ରୋମାଞ୍ଚକର ଘଟଣା ହାବୁଡ଼େ । କେତେ ଦୁଃସାହସିକତା ଦେଖାଏ ଏଇ ଯାତ୍ରାବେଳରେ । ପୁଣି ଏଇ ‘ଅଦୃଶ୍ୟ’ ଜଣକ ବହିଆଣେ ଉତ୍ତରରୁ ଥଣ୍ଡା, ଦକ୍ଷିଣରୁ ତାତି । ସେତିକି ନୁହେଁ, ଏଇ ପୁଣି ବହିଆଣେ ସମୁଦ୍ରରୁ ବର୍ଷା, ଆଉ ମରୁଭୂମିରୁ ଧୂଳି । ଫୁଲେଇ ଫୁଲେଇ ନଚେଇଦିଏ କ୍ରୀଡ଼ାନୌକାଗୁଡ଼ିକର ପାଲ ଆଉ ଘୂରାଏ ଯାଇ ‘ପବନ-ଚଳା’ ଅଟାପେକ୍ଷା କଳକୁସବୁ ଶସ୍ୟ ଚୂରିବାପାଇଁ ।

 

ତମେ ନିଶ୍ଚୟ ବୁଝିସାରିବଣି, ଏଇ ଅଦୃଶ୍ୟ ଜଣକ କିଏ । ଏହା ହେଉଚି ପବନ, ପୃଥିବୀ ଉପରେ ଅବିଶ୍ରାମ ଅଦୃଶ୍ୟଭାବରେ ବହୁଚି ଯେଉଁ ବାୟୁର ସ୍ରୋତ ।

 

ତମେ ଏବେ ଯେଉଁ ବିଷୟରେ କିଛି ପଢ଼ିବ, ସେଇ ବିଷୟଟି ହେଉଛି ଏଇ ପବନର ଅସାଧ୍ୟ-ସାଧନ ବା ସାହସିକ କାମ ସମ୍ପର୍କରେ ।

 

ଉତ୍ତରରେ କାହିଁ ଯାଇଁ କେଉଁଠି ବରଫ ରାଜ୍ୟରେ ବସବାସ କରୁଥିଲା ଏଇ ବାୟୁ । ଏହାର ନାଆଁ ଉତ୍ତରବାୟୁ । ଅନେକ ସମୟରେ ଏହା ବହେ ବରଫାବୃତ୍ତ ବିସ୍ତୃତ ଅଞ୍ଚଳରେ । ବହିଲାବେଳେ ନିଜ ବାଟରୁ ଓଳାଇ ନେଇଯାଏ ତୁଷାରକୁ । ବେଳେବେଳେ ଏହା ସୃଷ୍ଟି କରେ ତୁଷାରରେଣୁର ମେଘ ! ଆଉ ତା’ପରେ ବରଫାବୃତ୍ତ ପଡ଼ିଆ ଉପରେ ଗୋଡ଼ାଏ ଧୂଳି ପଛରେ । ତୁଷାରରାଜ୍ୟରେ ଆଉ କେଉଁ ଖେଳ-ସାଥୀ ଏମିତି ସୁଯୋଗ ପାଇପାରିବେ କି ?

 

ଓଃ, ଉତ୍ତରରେ କି ଶୀତ ! ସୂର୍ଯ୍ୟ ବେଶୀ ଉପରକୁ ଉଠେ ନାହିଁ କି ବେଶିବେଳ ଯାଏଁ ରହି ଆଲୋକ ବା ଉତ୍ତାପ ଦିଏ ନାହିଁ । ଛୋଟ ଦିନଟିରେ ଟିକେ ଉଷୁମ ପାଇବାକୁ ବେଳ ପାଏନାହିଁ ଅଦୃଶ୍ୟ ଜଣକ । ରାତିରେ ଅବସ୍ଥା ଆହୁରି ଖରାପ ହୁଏ । ତୁଳା ଭଳି ମେଘର ରେଜେଇ ତଳେ କୁବୁରିକାବୁରି ହୋଇ ପଶିଯିବାକୁ ଏହାକୁ କେବେହେଲେ ସୁଯୋଗ ମିଳେନାହିଁ । ରାତିଗୁଡ଼ିକ ସାଧାରଣତଃ ହୁଏ ମେଘହୀନ, ତାରକାମୟ । ସକାଳ ହେଲାବେଳକୁ କାଲୁଆ ମାରି ବେଶ୍ ବରଫ ପାଲଟି ଯାଇଥାଏ ଅଦୃଶ୍ୟ ଜଣକ । ରାତିରେ ଅବସ୍ଥା ଆହୁରି ଖରାପ ହୁଏ । ତୁଳା ଭଳି ମେଘର ରେଜେଇ ତଳେ କୁବୁରିକାବୁରି ହୋଇ ପଶିଯିବାକୁ ଏହାକୁ କେବେହେଲେ ସୁଯୋଗ ମିଳେନାହିଁ । ରାତିଗୁଡ଼ିକ ସାଧାରଣତଃ ହୁଏ ମେଘହୀନ, ତାରକାମୟ । ସକାଳ ହେଲାବେଳକୁ କାଲୁଆ ମାରି ବେଶ୍ ବରଫ ପାଲଟି ଯାଇଥାଏ ଅଦୃଶ୍ୟ ଜଣକ ।

 

ଏମିତି ଗୋଟିଏ ଦିନ ଆସିଥିଲା, ଯେତେବେଳେ ବରଫରାଜ୍ୟରୁ କୌଣସିମତେ କୌଶଳ କ୍ରମେ ଖସି ପଳାଇଆସିଥିଲା ଅଦୃଶ୍ୟ ଜଣକ, ଆଉ ତା’ପରେ ବାହାରିପଡ଼ିଥିଲା ଦକ୍ଷିଣମୁହଁ ଯାତ୍ରାରେ ।

 

ଏହାର ଯାତ୍ରାପଥ ସମୁଦ୍ରର ଉପରେ । ଉତ୍ତରର ବରଫାବୃତ୍ତ ଅଞ୍ଚଳର ଜମାଟବନ୍ଧା ବରଫପାଣି ଅପେକ୍ଷା ସମୁଦ୍ର ପାଣିରେ ଉତ୍ତାପ ବେଶି । ଅଦୃଶ୍ୟ ଜଣକ ସେହି ଉଷୁମପାଣି ଉପରେ ଦ୍ରୁତବେଗରେ ବହେ । ଏତିକିବେଳେ ଧୀରେ ଧୀରେ ତା’ ଦେହ ତରଳିବାକୁ ଲାଗେ; ଆଉ ସେ ନିଜର କେତେ ଖେଳ ଆରମ୍ଭ କରିଦିଏ–କେତେକେତେ ଜିନିଷ ସାଥିରେ । ଆଗ ପାଣିକୁ ଟାଣେ–ଲହଡ଼ି ଉଠାଏ । ଆଉ ଯେତିକି ଜୋରରେ ଯେତିକି ପ୍ରଖର ବେଗରେ ବହେ, ସେତିକି ଜୋରରେ ଉପରକୁ ଡିଆଁ ମାରିବାକୁ ବସେ ଲହଡ଼ି ବା ଢେଉଗୁଡ଼ିକ । ସେଇ ଲହଡ଼ି ବା ଢେଉସବୁ ଧାଡ଼ିବାନ୍ଧି ଗତି କଲାବେଳେ ଅଦୃଶ୍ୟଟି ହଠାତ୍ ସେଗୁଡ଼ିକ ମୁଣ୍ଡରୁ ଟୋପିକୁ ସବୁ କାଢ଼ିନେବାକୁ ଛିନ୍‍ଛତର କରିଦିଏ; ସୃଷ୍ଟି କରେ ଧଳା ଧଳା ଫେଣ ।

 

ବେଳେବେଳେ ଏହା ହାବୁଡ଼ିଯାଏ ଗୋଟାଏ ଦି’ଟା ଜାହାଜ କି ଜାହାଜ ଭେଳା । ସେଗୁଡ଼ିକର ଧାଡ଼ି ଧାଡ଼ି ଚିମିନିରୁ ଯେଉଁ ଧୂଆଁ ବାହାରେ ସେଥିରେବି ଯାଇ ଲୋଟିଯାଏ, ବନ୍ଧ ଭାଙ୍ଗେ । ସେଇ ଜାହାଜସବୁରେ ଆଉ ଅନେକ ଜାଗାରେ ନିଜ କରାମତି ଦେଖାଏ । ଜାହାଜର ଚଟାଣ ବା ଡେକ୍‍ଗୁଡ଼ିକୁ ଥରକୁଥର ଧୋଇବାରେ ଲାଗେ ସମୁଦ୍ର ଲହଡ଼ିର ପିଚକାରିମାନ ଧରି । ନାବିକମାନେ କେତେ କଷ୍ଟରେ ବିଣ୍ଡା ମାରି ଡେକ୍‍କୁ ଏହି ପିଚକାରି ଆକ୍ରମଣରୁ ରକ୍ଷା କରିବାପାଇଁ ଚେଷ୍ଟା କରନ୍ତି । କିନ୍ତୁ ତାଙ୍କ ଚେଷ୍ଟାକୁ ଅନେକ ସମୟରେ ଭଣ୍ଡୁର କରିଦିଏ । ଏମିତିକି ବେଳେବେଳେ ଜଣେ ଅଧେ ଯାତ୍ରୀଙ୍କୁ ଜାହାଜ ଉପରୁ ସମୁଦ୍ରକୁ ଠେଲିଦେଇ ଭସାଇନେବାକୁ ବସେ । ଯୋଗକୁ ସେ ଜାହାଜର ଲୁହାବାଡ଼ ଧରିପକାଇ ରକ୍ଷା ପାଇଯାନ୍ତି ।

 

ଅଦୃଶ୍ୟ ଜଣକ ନିଜ ମନଇଚ୍ଛା ଚାଲେ–ଜାହାଜକୁ ଦୋହଲେଇ ଦୋହଲେଇ ସଁ ସଁ ହୋଇ ତାକୁ ଆଘାତ କରି କରି ଜୋରରେ । ବରଫ ରାଜ୍ୟ ଛାଡ଼ିଲାବେଳେ ଏହା ଗୋଟିସୁଧା ଜମାଟ ବାନ୍ଧିଥାଏ, କିନ୍ତୁ ସମୁଦ୍ର ଉପରେ ବହି ଖାଲି ତରଳେ ନାହିଁ, ସମୁଦ୍ର ଭିତରୁ ଯେଉଁ ଅଦେଖା ‘ପାଣିକୁହୁଡ଼ି’ ଜନ୍ମେ ସେଇ କୁହୁଡ଼ିରୁ କିଛି କିଛି ପାଣି ନେଇ ସଞ୍ଚିବାରେ ଲାଗେ । ପାଣିକୁହୁଡ଼ିଟା ଧୀରେ ଧୀରେ ଘନ କୁହୁଡ଼ିରେ ପରିଣତ ହୁଏ । ସେଥିରୁ ଜଳକଣା ବା ପାଣି ଟୋପାକୁ ଟୋପା ଝରେ; ତାକୁସବୁ ନେଇ ପାଗଳଙ୍କ ପରି ଛୁଟେ ‘ଅଦୃଶ୍ୟଟି’, ଆଉ ବିଛେଇ ଖେଳେଇ ଦିଏ ପାଣି ଉପରେ–ସେଇଥିରେ ଘୋଡ଼େଇପକାଏ ସୂର୍ଯ୍ୟକୁ ।

 

କେଉଁଠି କେବେ ସମୁଦ୍ର ଉପରେ ଏହା ସିଧାସଳଖ ବହିଯାଇ ପିଟି ହୋଇଯାଏ ଉଡ଼ାଜାହାଜ ଦେହରେ । ସତେ ଯେମିତି ବିମାନ ଭଳି ଗୋଟିଏ ଖେଳନା ପାଇ ଏତେ ଖୁସି ହୋଇଯାଏ ଯେ ତାକୁ ଉଠାଏ, ପକାଏ, ନଚାଏ; ଧଳା ଧଳା କୁହୁଡ଼ି ଚାଦରରେ ଗୁଡ଼େଇଦିଏ ତାକୁ-। ବିମାନଚାଳକର ପ୍ରଥମ ଚିନ୍ତା ହୁଏ, କେମିତି ସେତ କୁହୁଡ଼ିରୁ ମୁକୁଳିବ । ସେ ବିମାନକୁ ଉପରକୁ ଉପରକୁ ଉଠାଇବାରେ ଲାଗେ । ତଳେ ରହିଯାଏ ତୁଷାରଧବଳ କୁହୁଡ଼ିର ଚାଦରଟି-। ବହୁତ ଉପରକୁ ଉଠିଲାପରେ ବିମାନର ଇଞ୍ଜିନ୍‍ ବା କକ୍‍ପିଟ୍‍ରେ ପଡ଼େ ସୂର୍ଯ୍ୟର କିରଣ, ଝଲମଲ ହୋଇ-

 

‘ଅଦୃଶ୍ୟ ଗୋଟିକ’ ଛୁଟିଚାଲେ ପ୍ରବଳ ବେଗରେ । ତଥାପି ତାକୁ ଯିବାକୁ ଥାଏ ଅନେକ ବାଟ । ଅନେକ ସମୟ ଲାଗେ କୂଳ ଧରିବାକୁ । କୂଳରେ ପହଞ୍ଚି ଏହା ସେହି ସମୁଦ୍ରକୂଳିଆ ସହରଗୁଡ଼ିକର ଗଳିକନ୍ଦିରେ, ରାସ୍ତାଘାଟରେ ଭର୍ତ୍ତି କରିଦିଏ “ମୋଟର ଦାନା”ର ଝୋଳ ଭଳି ବହଳିଆ କୁହୁଡ଼ି । ରାସ୍ତାଘାଟର ଆଲୁଅଗୁଡ଼ାକ ମିଞ୍ଜି ମିଞ୍ଜି ହୋଇ ଚାଲିଲା ଭଳି ଦିଶେ ସେଇ କୁହୁଡ଼ିରେ । ମଟରଗାଡ଼ି ଡ୍ରାଇଭର ସବୁ ଘନଘନ ହର୍ଣ୍ଣ ବଜାଇ ଲାଗନ୍ତି, ଲୋକଙ୍କୁ ଆଉ ଅନ୍ୟ ଗାଡ଼ିବାଲାଙ୍କୁ ସତର୍କ କରିଦେବା ପାଇଁ । କାରଣ ଚାରିଆଡ଼େ ଏମିତି କୁହୁଡ଼ି ଘୋଟିଯାଇଥାଏ ଯେ, ଗାଡ଼ିଗୁଡ଼ିକ କଥା ଛାଡ଼, ନିଜର ହାତବି ବାରିହୁଏ ନାହିଁ ସେଥିରେ । ‘ଅଦୃଶ୍ୟଟି’ କିନ୍ତୁ ସେଥିପ୍ରତି ଭ୍ରୂକ୍ଷେପ ନ କରି–କାହାର ସୁବିଧା ଅସୁବିଧା କଥା ନ ବିଚାରି ଖେପିଚାଲେ ସ୍ଥଳଭାଗର ଭିତରକୁ ଭିତରକୁ । ତାକୁ କେହି ଦେଖିପାରନ୍ତି ନାହିଁ; କିନ୍ତୁ ସମୁଦ୍ରରୁ ସେ ଯାହା ନେଇଥାଏ, ତାହା ଦେଖିପାରନ୍ତି ସ୍ପଷ୍ଟଭାବରେ । ଏତେବେଳକୁ ଛୋଟ ଛୋଟ ଜଳକଣାଟିମାନ ଏକାଠି ହୋଇ ପୁଞ୍ଜିବାନ୍ଧି ବଡ଼ବଡ଼ ହୋଇଥାଏ । ଏଣୁ ସ୍ଥଳଭାଗ ଉପରେ ସବୁରି ସାମନାରେ ଓହଳି ଆସେ ଘମାଘୋଟିଆ ମେଘ ।

 

ହଠାତ୍ ଚମକି ଉଠେ ବିଜୁଳି । ଚାରିଆଡ଼େ କମ୍ପିଉଠେ ଘଡ଼ଘଡ଼ ଶବ୍ଦରେ । ନଈନାଳରେ କେଉଁଠି ପିଲାଏ ପହଁରୁଥାନ୍ତି । ଅଦୃଶ୍ୟଟିର ରଡ଼ିରେ କିଲିବିଲି ହୋଇ ଦୌଡ଼ନ୍ତି ଘରକୁ । ସେମାନେ ଠିକ୍ ବୁଝିପାରନ୍ତି–ଅଦୃଶ୍ୟଟି ଆସିଗଲା, ଝଡ଼ ହେବ ଏଥର । ଅଦୃଶ୍ୟଟିବି ଡେରି ନ କରି ସମୁଦ୍ରପାଣିରୁ ବହେ ଢାଳିଦିଏ ବିଲ ବଣ ପଡ଼ିଆ ଉପରେ । ଟିକିଏନାକୁ ଅଟକି ପୁଣି ଧାଏଁ ଦକ୍ଷିଣମୁହାଁ ହୋଇ ।

 

ତେଣେ, ଦକ୍ଷିଣରେ ତା’ରି ଭଳି ଆଉ ଏକ ମହାବଳୀୟାର ଉଠିସାରିଥାଏ; କଡ଼ମଡ଼ କରି ଡାକ ଛାଡ଼ି ମାଡ଼ିଆସୁଥାଏ ଅନ୍ଧଙ୍କ ପରି । ତା’ ନାଆଁ ଦକ୍ଷିଣାପବନ ।

 

ଭେଟ ହୋଇଯାଏ ଦୁହିଁଙ୍କର ।

 

ଦୂରରୁ କିନ୍ତୁ ଟିକେ ଆଗ କଥାବାର୍ତ୍ତା ହୁଅନ୍ତି, ରଡ଼ି ଦେଇ କ’ଣସବୁ ଆଲୋଚନା କରନ୍ତି–ଯୁକ୍ତିତର୍କ କରନ୍ତି ଯେମିତି ନିଜ ନିଜ ଭିତରେ ।

 

କିଏ କାହାକୁ ବାଟ ଛାଡ଼ିବ ଯେ ! କିଏ ବା ବଳବିକ୍ରମରେ କାହାଠୁ ଊଣା ? ଚାହୁଁଚାହୁଁ ଆକାଶରେ ହୁଙ୍କାରଦେଇ ଆରମ୍ଭ କରିଦିଅନ୍ତି ଲଢ଼େଇ । ଦୁହିଁକି ଦୁହେଁ, ଦୁଇଟା ପ୍ରକାଣ୍ଡ ଦୈତ୍ୟ ଭଳି ଯେତେବେଳେ ପିଟାପିଟି ମରାମରି ଗଡ଼ାଗଡ଼ି ହୁଅନ୍ତି, ସେତେବେଳେ ଯୋଡ଼ା ସାହସୀ ହେଲେବି କିଏ ବା ଭରସି କରି ପାଖ ମାଡ଼ିବ ତାଙ୍କର ! ତେଣୁ ସମସ୍ତେ ଯିଏ ଯୁଆଡ଼େ ଛାଟିପିଟିହୋଇ ପଳାନ୍ତି; ଯେତେଦୂର ପାରନ୍ତି, ଦୂରରେ ରୁହନ୍ତି । ସେମାନେ ଯେତେବେଳେ ପାଇକାଳି ବାଗରେ ଘେର ଖାଆନ୍ତି, ଘୂରିଘୂରି ଧରାପରା ହୁଅନ୍ତି, ସେତେବେଳେ ଯେଉଁ ଝଡ଼ ସୃଷ୍ଟିହୁଏ, ସେଥିରେ କୁଟା ଖଣ୍ଡିକବି ନବଖଣ୍ଡ ହୋଇଯାଏ । କେତେ ବଡ଼ବଡ଼ ଗଛ ଯେ ଉପୁଡ଼ିପଡ଼େ, ଚାଳକମାନେ ଆଗରୁ ସାବଧାନ ନଥିଲେ କେତେ ଜାହାଜ ଯେ ଅତଳ ସମୁଦ୍ରରେ ବୁଡ଼ିଯାଏ, କେତେ ବିମାନ ଯେ ଆକାଶରେ ଉଡ଼ୁ ଉଡ଼ୁ ଖଣ୍ଡଖଣ୍ଡ ହୋଇଯାଏ–ତାହା ସବୁ କଳ୍ପନା କରିପାରିବ ଭଲା ?

 

ଝଡ଼ ଉଠୁଚି, ହୋଇ ନିକଟେଇ ଆସିଲା–ଲୋକେ ଏତକ ଜାଣିବା ସାଙ୍ଗେ ସାଙ୍ଗେ ସତର୍କ ହୋଇଯାଆନ୍ତି । ଅଦୃଶ୍ୟ ଦୁଇଟି ଯେତେ ଜୋରରେ ଆସନ୍ତୁ ପଛେ, ତାଙ୍କଠୁ ବଳି ବହୁତ ଗୁଣ ବେଗରେ ରେଡ଼ିଓ ଟେଲିଗ୍ରାଫ୍ ତାର ‘ଝଡ଼ ଉଠୁଚି’–ଏହି ଖବରଟାକୁ ଚାରିଆଡ଼େ ସମସ୍ତଙ୍କ ପାଖରେ ପହଞ୍ଚେଇ ଦିଅନ୍ତି ।

 

ଟେଲିଗ୍ରାମ୍‍ସବୁ ଜଣାଏ–‘‘ନାବିକମାନେ ସାବଧାନ ରହ, ଝଡ଼ ଆସୁଛି”, ‘‘ମାଛଧରାଳିସବୁ, ପୋଢ଼ୁଅ କି ମାଛଧରା ନାହା ତମର ଫିଟାଅ ନାହିଁ କୂଳରୁ, ଝଡ଼ ଉଠୁଚି ।’’ ‘‘ହେ ବିମାନଚାଳକସବୁ, ଦେଖ, ସତର୍କ ରହ, ଝଡ଼ ଆସିଲା”, ‘‘ହେ ଚାଷୀ ! ନଡ଼ାକୁଟା ଯାହା ଅଛି ଚଞ୍ଚଳ ଗଦାମାରିଦିଅ ଝଡ଼ ଆସିବାକୁ ଆଉ ଡେରି ନାହିଁ ।’’

 

କିନ୍ତୁ ଅଦୃଶ୍ୟ ଦୁଇଟିର ଗତିବିଧି ବାରେ କିଏ ? କିଏ ଆଗରୁ ଲକ୍ଷ୍ୟ କରି ଜାଣିପାରେ–କୁଆଡ଼େ ଯିବେ, କେଉଁଠି ଆଉ କେତେବେଳେ ସଂଘର୍ଷରେ ପଶି ମଲ୍ଲଯୁଦ୍ଧରେ ମାତିବେ ଦିହିଁଙ୍କି ଦିହେଁ ?

 

ଏହା ବାରିପାରେ, ଆଗରୁ ଲକ୍ଷ୍ୟ କରି ଜାଣିପାରେ, ପାଣିପାଗ ବିଜ୍ଞାନୀ । ତୁମକୁ ‘ପାଣିପାଗ-ବିଜ୍ଞାନୀ’ ଶବ୍ଦଟି ଅଡ଼ୁଆ ଲାଗୁଥିବ । ଇଂରେଜୀରେ ଏହାକୁ ମିଟିଓରୋଲଜିଷ୍ଟ କୁହାଯାଏ-। ‘ମିଟିଓର’ ଅର୍ଥ ଉଲ୍କା । ଉଲ୍କା ସମ୍ପର୍କରେ ସନ୍ଧାନ କରେ ଯିଏ ସେ ମିଟିଓରୋଲଜିଷ୍ଟା କିନ୍ତୁ କାଳକ୍ରମେ ଏହାର ଅର୍ଥ ଟିକେ ବଦଳିଛି । ଯିଏ ଆବହମଣ୍ଡଳ ବିଷୟରେ କିଛି ଜାଣେ, ବିଶେଷରେ ପାଣିପାଗ ବିଷୟରେ ଜ୍ଞାନ ଲାଭ କରିଥାଏ, ସେଇ ମିଟିଓରୋଲଜିଷ୍ଟ ହୁଏ । ତେଣୁ ଏହାର ଅର୍ଥ ମୋଟାମୋଟି ଭାବରେ ‘ପାଣିପାଗ ବିଜ୍ଞାନୀ’ ଧରାଯାଇପାରେ । ଏହି ପାଣିପାଗ-ବିଜ୍ଞାନୀମାନେ ଆମର ବନ୍ଧୁ, ଆମର ସାଥୀ । ସେମାନେ ପାଣିପବନର ଗତିବିଧି ଲକ୍ଷ୍ୟ କରିବାପାଇଁ ନିଯୁକ୍ତ ହୁଅନ୍ତି । ସେମାନଙ୍କର କାମ କରିବା କେନ୍ଦ୍ରସବୁ ଥାଏ–ପାହାଡ଼ ପର୍ବତରେ, ସମତଳ ଭୂଇଁରେ, ସମୁଦ୍ର ମଝିରେ, ଦ୍ୱୀପଗୁଡ଼ିକରେ, ମରୁଭୂମିରେ, ଉତ୍ତରାପବନର ବାସସ୍ଥଳୀ ବରଫ ରାଜ୍ୟରେ, ଆଉ ତା’ର ଶତ୍ରୁ ଦକ୍ଷିଣାପବନର ରାଜତ୍ଵସ୍ଥଳୀରେ । ସେହିସବୁ ଜାଗାରେ ଥାଏ ପାଣିପାଗ କେନ୍ଦ୍ର । ସେହିଠାରେ ଥାଇ ବିଜ୍ଞାନୀମାନେ ପାଗ ପରିବର୍ତ୍ତନ ପ୍ରତି ଦୃଷ୍ଟି ରଖନ୍ତି, ଅଦୃଶ୍ୟ ଦୁଇଟିର ଗତିବିଧିକୁ ଲକ୍ଷ୍ୟ କରନ୍ତି । ସେଇ ପାଣିପାଗ-ବିଜ୍ଞାନୀମାନଙ୍କର ସହାୟକସବୁ ଥାଆନ୍ତି । ସେହି ସହାୟକଗୁଡ଼ିକ ଭିତରୁ ୱେଦରକକ୍ ବା ‘ପବନବାରେଣି ଚକି’ ଗୋଟିଏ । ମଞ୍ଚାରେ ଚଢ଼େଇଟିଏ ପରି ଏହା ଥାଏ ଅତି ଉଚ୍ଚରେ, ଖୁମ୍ବ ଉପରେ । ଏହାର ପତ୍ର ବା ଆଙ୍ଗୁଠିଗୁଡ଼ିକ ପବନରେ ବାଜି ଘରେ । ସେଇଥିରୁ ଜଣାପଡ଼େ ପବନ କେଉଁଆଡ଼ୁ ଆସୁଛି, କେଉଁଆଡ଼କୁ ବହୁଛି । ଆଉ ଗୋଟିଏ ସହାୟକ ହେଉଛି ଥର୍ମୋମିଟର ବା ତାପ ମାପିବା ଯନ୍ତ୍ର । ଏଇଟି ଦେଖାଏ ପବନଟା ଥଣ୍ଡା କି ଗରମ, ଏଣୁ ପାଗ କେତେଦୂର ଥଣ୍ଡା, କେତେଦୂର ଗରମ । ପୁଣି ଆଉ ଗୋଟିଏ ସାହାଯ୍ୟକାରୀ ହେଉଚି ହାଇଡ଼୍ରୋମିଟର । ଏହା ଜଳୀୟଅଂଶ ବା ଆର୍ଦ୍ରତା ମାପିବା ଯନ୍ତ୍ର-। ଏହା ଜଣାଇଦିଏ ବାୟୁରେ ଆର୍ଦ୍ରତା କେତେ ପରିମାଣରେ ଅଛି, ପୁଣି କେତେଦୂର କି ପୂରାପୂରି ତାହା ଶୁଖିଲା କି ନୁହେଁ । ଚତୁର୍ଥ ସହାୟକଟି ହେଉଚି, ବର୍ଷଣା ପାଣି ମାପିବା ଯନ୍ତ୍ର-। ଏହା ଦେଖାଇଦିଏ କେଉଁଠି କେତେ ପରିମାଣରେ ବର୍ଷା ହେଲା । ପଞ୍ଚମଟି ହେଉଛି ବାରୋମିଟର ବା ଅବହମାନ ଯନ୍ତ୍ର । ଏହା ସୂଚେଇଦିଏ ବାୟୁର ଚାପ । ଏହାର କଣ୍ଟାଟି ଯଦି ଡାହାଣକୁ ମୁହଁ କରି ଜଣାଯାଏ ପାଗ ଭଲ ହେବ; ଯଦି ବାଆଁକୁ ଗତିକରେ, ଜଣାଯାଏ, ପାଗ ଖରାପ ହେବ, ଝଡ଼ ହେବ ।

 

ସୋଭିଏତ ରୁଷରେ ଅନେକ ପାଣିପାଗ କେନ୍ଦ୍ର ଅଛି । ସେଥିରେ ସବୁବେଳେ ଉକ୍ତ ଯନ୍ତ୍ରଗୁଡ଼ିକରେ ପାଣିପାଗ ଲକ୍ଷ୍ୟ କରାଯାଏ । ଯାହାସବୁ ପ୍ରତ୍ୟେକ ଯନ୍ତ୍ରରୁ ଜଣାପଡ଼େ ତାହାକୁ ସଙ୍ଗେ ସଙ୍ଗେ ଟେଲିଗ୍ରାଫ୍‍ଦ୍ଵାରା ମସ୍କୋକୁ ପଠାଯାଏ । ଏହି କାମ ପ୍ରାୟ ଚବିଶିଘଣ୍ଟା ଚାଲିଥାଏ । ମସ୍କୋରେ ଗୋଟାଏ ଖୁବ୍ ଉଞ୍ଚ ଲାଲ ଇଟାର କୋଠାଘର ଅଛି । ତା’ର ସବାଉପରେ ଛୋଟ ମିନାରଟିଏ । ସେଠି ଅଛି ପବନବାରେଣି ଯନ୍ତ୍ର ଓ ଆଉ ଗୋଟିଏ ପ୍ରକାର ଘୂର୍ଣ୍ଣନ ଯନ୍ତ୍ର । ଏଇଟି ଜଣେଇଦିଏ ପବନ କେତେ ଜୋରରେ ବହୁଛି, ତା’ର ବେଗ କ’ଣ । ମସ୍କୋର ଏହି ଲାଲ କୋଠାଟି ହେଉଚି କେନ୍ଦ୍ରୀୟ ପାଣିପାଗ ବ୍ୟୁରୋର ଅଫିସ୍ । ଏଠି ଥିବା ପାଣିପାଗ-ବିଜ୍ଞାନୀମାନେ ସବୁ ପାଣିପାଗ କେନ୍ଦ୍ର ସହିତ ସମ୍ପର୍କ ରଖନ୍ତି । ସେମାନଙ୍କ ସାମନାରେ ପାଣିପାଗ ମାନଚିତ୍ର ଥାଏ-। ସେଥିରେ ସେମାନେ ବର୍ଷା ଅଞ୍ଚଳ, ଖରା ଅଞ୍ଚଳ, ଶୀତ ଅଞ୍ଚଳ ପ୍ରଭୃତି ଚିହ୍ନଦେଇ ଅଲଗାଅଲଗା କରି ଦେଖାଇଥାନ୍ତି । ଯନ୍ତ୍ରଗୁଡ଼ିକ ଯେଉଁ ମାପର ଖବରମାନ ଯୋଗାଏ, ତାହାକୁ ପଢ଼ି, ମିଳେଇ, ହିସାବରେ ଦେଖି, ପାଣିପାଗ ବିଷୟରେ ଭବିଷ୍ୟତ ବାଣୀ କରନ୍ତି ।

 

ସେମାନେ ଯେତେବେଳେ ଆଜିର ପାଣିପାଗ ରେଖା–ଚିତ୍ରକୁ ଗଲା କାଲିର ରେଖାଚିତ୍ର ସଙ୍ଗେ ମିଳେଇ ଦେଖନ୍ତି, ସେତେବେଳେ ସେମାନଙ୍କ ଆଖିରେ ଧରାପଡ଼େ ଦେଶର ପ୍ରତ୍ୟେକ ଅଞ୍ଚଳରେ ପାଣିପାଗ କେମିତି କେତେ ବଦଳିଚି । ଏହି ପାଣିପାଗ ପରିବର୍ତ୍ତନ ଘେନି ପ୍ରାଞ୍ଜଳ ଛବିଟିଏ ଯେପରି ତାଙ୍କ ଆଗରେ ଆଙ୍କିହୋଇଯାଏ । ତେଣୁ ଆସନ୍ତାକାଲିର ପାଣିପାଗ ସମ୍ବଦ୍ଧରେ ଆଗତୁରା କିଛି କହିବ ସେମାନଙ୍କ ପକ୍ଷରେ ଆଉ କଠିନ ହୁଏ ନାହିଁ ।

 

ତମେ ରେଡ଼ିଓ ବଜାଇବାକୁ ଯାଇ ଶୁଣିଥିବ ସଙ୍କେତ ସ୍ଥଳରେ ବା ପାଣିପାଗ କେନ୍ଦ୍ର ଅଫିସ୍‍ରେ–ସମୟ ସନ୍ଧ୍ୟା ୭ଟା, ଆଜିର ପାଣିପାଗ ଖବର; ଡିକ୍‍ସନ ଦ୍ଵୀପରେ–୪୦ ଫାରେନହିଟ୍–୧.୪୦ ୟାକୃତ୍‍ସ୍କରେ ଆଉ ୧୮୦ ମସ୍କୋରେ, ଆସନ୍ତାକାଲି ପାଗ ମେଘୁଆ ହେବ, ପବନ ଜୋର ହେବ । ଲକ୍ଷ୍ୟ କଲେ ଖବରକାଗଜଗୁଡ଼ିକରେ ପାଣିପାଗର ଖବର ପାଇବ । ଏହିଥିରୁ ଧାରଣା କରିବଣି ନିଶ୍ଚୟ–ପ୍ରତିଦିନ ପାଣିପାଗ ସଂକ୍ରାନ୍ତ ଆଗତୁରା ଖବର ଖବରକାଗଜ ଓ ରେଡ଼ିଓରେ ପ୍ରଚାରିତ ହୁଏ, ବିଶେଷ ବିଶେଷ କର୍ମକେନ୍ଦ୍ରକୁ ଟେଲିଫୋନ୍ ଟେଲିଗ୍ରାଫ୍ ଯୋଗେ ଜଣାଇଦିଆଯାଏ ।

 

ଆଉଥରେ ଟିକିଏ ପଛକୁ ଫେରି ଅଦୃଶ୍ୟ ଦୁଇଟିଙ୍କ କଥା ଦେଖାଯାଉ । ଧର, ଉତ୍ତରା ଆଉ ଦକ୍ଷିଣା ଦୁଇ ରାକ୍ଷସଙ୍କ ଭିତରେ ଲଢ଼ାଲଢ଼ିର ମୁହୂର୍ତ୍ତଟା ଆସିବା ଉପରେ–ଧରାଧରି ହେଲେଣି, ଖାଲି ଗଡ଼ାଗଡ଼ି ହୋଇନାହାନ୍ତି । କିନ୍ତୁ ଲୋକଙ୍କୁ ଆଗରୁ ଏ ସମ୍ପର୍କରେ ସତର୍କ କରିଦିଆଯାଇଛି । ତେଣୁ ଚାଷୀମାନେ ତରବରରେ ପାଳଗଦା ଦେବାରେ ଲାଗିଛନ୍ତି । ବିମାନଚାଳକମାନେ ବ୍ୟସ୍ତ ହୋଇ ବିମାନଗୁଡ଼ିକୁ ଆକାଶରୁ ଓହ୍ଲାଇଆଣି ବିମାନ ରହିବା ଜାଗାରେ ରଖିଦେଲେ । ମାଛଧରାଳିମାନେ କୂଳରେ ପୋଢ଼ୁଅ, ଡଙ୍ଗା ବାନ୍ଧିପକେଇଲେ । ଝଡ଼ ଚାଲିଯିବା ଯାଏଁ ସମସ୍ତେ ଅପେକ୍ଷା କରିବେ ।

 

ଆଖିପିଛୁଳାକେ ଉତ୍ତରା ଦକ୍ଷିଣାର ଯୁଦ୍ଧ ଆରମ୍ଭ ହୋଇଗଲା । ଦକ୍ଷିଣା ଯେତେବେଳେ କୁଦା ମାରି ଚଢ଼ିଗଲା ଉତ୍ତରାର କାନ୍ଧ ଉପରେ ସେତେବେଳେ ଅସମ୍ଭାଳ ରାଗରେ ଥରିଉଠିଥିଲା ଉତ୍ତରା । ଆକାଶରେ ଖୁବ୍ ଉଚ୍ଚରେ ଦେଖାଦେଲା ମେଘ । ସମୁଦାୟ ଆକାଶରେ ଘୋଟିଗଲା ଯେମିତି–ଦିଗନ୍ତ ଯାଏଁ ବ୍ୟାପୀ ରହିଲା ଗୋଟିଏ ଶୁଭ୍ରସର ଭଳି–ପରଦା ଭଳି, ବେଳକୁ ବେଳ ନିବିଡ଼ରୁ ନିବିଡ଼ କଳାରୁ କଳା ହେଲା ମେଘ ।

 

ତା’ପରେ ଦୂରରେ, ବହୁତ ଦୂରରେ ଦେଖାଦେଲା ପାଉଁଶିଆ ରଙ୍ଗର ମେଘର କାନ୍ଥଟାଏ ଯେପରି, ମାଡ଼ି ମାଡ଼ି ଆସିଲା କି ପ୍ରବଳ ବେଗରେ ସତେ–ବଣବିଲ ପଡ଼ିଆ ଉପରେ ନଇଁ ଆସିଲା, ଘୋଡ଼େଇ ପକେଇଲା ବଣ ଆଉ ପାହାଡ଼ ପର୍ବତକୁ, ଧାଇଁଲା ଯେମିତି ବିଲରେ ପଡ଼ିଆରେ । ଟପ୍‍ଟପ୍, ଝରକା କାଚରେ ଆସି ବାଜିଲା ପହିଲି ଟୋପାଗୁଡ଼ିକ–ଛେତରେଇ ଛିଟିକି ପଡ଼ିଲା ଆଖପାଖକୁ । ଆମକୁ ଟିକେ ଘର ଭିତରକୁ ଛାଡ଼–ଡାକ ପକାଇଲା ଯେମିତି । ସେଗୁଡ଼ିକ ପଛରେ ତୁହାକୁ ତୁହା ମାଡ଼ିଆସିଲା କେଜାଣି କେତେ ଟୋପା ବିଛୁଡ଼ି ହୋଇ ପଡ଼ିଲା ଛାତ ଉପରେ, ପତ୍ରଗୁଡ଼ାକ ଉପରେ, ପର୍କ ବେଞ୍ଚ୍‍ରେ, ରାସ୍ତାରେ, ଘାଟରେ । ଜଣାଗଲା ଯେମିତି ଝଡ଼ିପାଗଟିଏ ଆରମ୍ଭ ହୋଇଗଲା । କିନ୍ତୁ ଧୀରେ ଧୀରେ ଅଲଗାଅଲଗା ହୋଇଗଲେ ମେଘସବୁ, ସଫା ହୋଇଗଲା ଆକାଶ, ଆଉ ବେଶ୍ ଗରମ ଲାଗିଲା ଦେହକୁ । ଏହାର ଅର୍ଥ, ଅଦୃଶ୍ୟ ଦୁଇଟିର ଯୁଦ୍ଧରେ ଜିତାପଟ ନେଲା ଦକ୍ଷିଣା । ସେ ନିଜର ଶତ୍ରୁ ଉତ୍ତରରେ ରାଜ୍ୟ ଭିତରକୁ ପଶିଯାଇ ଅଧିକାର କରିନେଲା ଅନେକ ଅଞ୍ଚଳ । କିନ୍ତୁ ତା’ର ବିଜୟଟା କେତେବେଳେ ଯାଏଁ ?

 

ଉତ୍ତରା ତ ଆଉ ପରାଜୟ ମାନି ରହନ୍ତା ନାହିଁ । ଏହା ଘେରଦେଇ ବୁଲିପଡ଼ି ଚାଲିଗଲା ଦକ୍ଷିଣାର ପଛକୁ । ତା’ପରେ ହେମାଳ ପର୍ବତଟାଏ ଯେମିତି ଅଜାଡ଼ି ହୋଇ ପଡ଼ିଲା ଦକ୍ଷିଣା ଉପରେ । ଦକ୍ଷିଣାକୁ ଦାବିଦେବାକୁ ପ୍ରାଣବିକଳରେ ଉପରକୁ ଉଠିଗଲା ସେ । ହଠାତ୍ ଆକାଶ ପୂରିଉଠିଲା ବିରାଟ ବିରାଟ ମେଘଖଣ୍ଡରେ । କି ଭୟଙ୍କର ଶକ୍ତିରେ ମାତିଉଠିଲା ଝଡ଼ଟାଏ; ଅସ୍ତବ୍ୟସ୍ତ କରି ଓଲଟପାଲଟ କରିଦେଲା । ‘ପୃଥ୍ୱୀକୁ’ ବା ! ମଡ଼ମାଡ଼୍ କରି ଭାଙ୍ଗିପକାଇଲା ମହା ମହା ବୃକ୍ଷର ଡାଳଗୁଡ଼ାକ ତଳୁ ଉଠେଇ ଆଣି ଛିଡ଼ା କରେଇଦେଲା ଧୂଳିର ସ୍ତମ୍ଭଗୁଡ଼ାଏ । ଘାଉଁରେଇ ଘାଉଁରେଇ ତଳେ କଚାଡ଼ିବାକୁ ଲାଗିଲା କୁଟାକାଠି, ପତ୍ର, ଯାହା ଯେଉଁଠି ପାଇଲା । ଯୋଗକୁ ଲୋକଙ୍କୁ ସତର୍କ କରିଦିଆଯାଇଥିଲା । ଆଗରୁ ସେମାନେ ପ୍ରସ୍ତୁତ ଥିଲେ ସବୁ ଦାଉଧକ୍‍କା ସହିବାପାଇଁ ।

 

ତେବେ, ଏଠି ଜୟ ହାସଲ କଲା କିଏ ? ଜୟ ହାସଲ କଲା ଉତ୍ତରା । ଏହା ଅବାଧରେ ଏଥର ଛୁଟିଲା ସ୍ଥଳଭାଗ ଉପରେ ଆହୁରି ଭିତରକୁ । ପହଞ୍ଚିଲା ଯାଇ ଉରାଲ ପର୍ବତଶ୍ରେଣୀ ପାଖରେ । ନାଃ, ତାକୁ ଅଟକେଇ ପାରିଲେ ନାହିଁ ସେମାନେ । କାରଣ ଏହା ଦକ୍ଷିଣକୁ ବୁଲିପଡ଼ି ବାଟ କାଟି ତାଙ୍କୁ ଆଡ଼େଇ ରଖି କାସ୍ପିଆନ ହ୍ରଦ ଡେଇଁ ମୁହାଁଇଗଲା ମରୁଭୂମି ଆଡ଼କୁ । ତା’ପରେ କି ପରିବର୍ତ୍ତନ ଘଟିଲା ଏହାର ସତେ ! ଏହା ଥିଲା ଆର୍ଦ୍ର ସମୁଦ୍ରବାୟୁ କିନ୍ତୁ ମରୁଭୂମିରେ ପହଞ୍ଚି ହେଲା ଉତ୍ତପ୍ତ, ଶୁଷ୍କ ଧୂଳିମୟ । ଏତେବେଳେ ପରାଜିତ ଦକ୍ଷିଣାଠୁ ପୃଥକ୍ ବୋଲି ଏହା ବାରିହେଲା ନାହିଁ ଆଉ ।

 

ଏମିତି ଏଇ ଉତ୍ତରା ଆଉ ଦକ୍ଷିଣା ଅଦୃଶ୍ୟ ଦୁଇଟି ସଦାବେଳେ ଘୂରିବୁଲୁଚନ୍ତି ସମୁଦାୟ ପୃଥିବୀ ଉପରେ । କେଉଁଠି ବର୍ଷା, କେଉଁଠି ଝଡ଼, କେଉଁଠି ତୁଷାର, କେଉଁଠି କୁହୁଡ଼ି, କେଉଁଠି ଶୁଷ୍କତା, ରୁକ୍ଷତା ଆଣୁଛନ୍ତି ନିଜ ନିଜର ବିଚିତ୍ର ଗତି ଆଉ କ୍ରିୟାକର୍ମ ବଳରେ ।

 

ତେଣୁ ତୀବ୍ର ଦୃଷ୍ଟି ରଖିଛନ୍ତି ସେ ଦୁହିଁଙ୍କ ଉପରେ ପାଣିପାଗ-ବିଜ୍ଞାନୀମାନେ, ସତର୍କ କରିଦେଉଛନ୍ତି ଚାଷୀଙ୍କୁ ଆଗାମୀ ଝଡ଼ କୁହୁଡ଼ି ସମ୍ପର୍କରେ–ବିମାନଚାଳକଙ୍କୁ କୁହୁଡ଼ି ଆଉ ରେଳଚାଳକଙ୍କୁ ରେଳଧାରଣାରେ ତୁଷାରପାତ ସମ୍ପର୍କରେ ।

Image

 

Unknown

ତୁଷାର କଣିକା

 

ଅନେକ ଦିନତଳେ ଗୁଡ଼ିଏ ତୁଷାରକଣା ବେଶ୍ ହସଖୁସରେ ବସବାସ କରି ରହିଥାନ୍ତି । ସେମାନଙ୍କର ଜନ୍ମ ହୋଇଥାଏ ପୃଥିବୀଠାରୁ ବହୁତ ଉଚ୍ଚରେ ତୁଷାର ମେଘ ଭିତରେ । ଜନ୍ମ ହେବାପରେ ପରେ ଠିକ୍ ବଢ଼ିବାକୁ ଲାଗିଲେ–ଘଣ୍ଟାକୁ ଘଣ୍ଟା ସୁନ୍ଦର ଆଉ ସୁକୁମାର ହୋଇ ଉଠିଥିଲେ ସେମାନେ । ଏକାଭଳି ଦିଶୁଥିଲେବି, ଏକା ମାଆ ପେଟର ଭଉଣୀଗୁଡ଼ିଏ ଭଳି, ପ୍ରତ୍ୟେକେ ପିନ୍ଧିଥିଲେ ଅଲଗାଅଲଗା ମନୋହାରୀ ପୋଷାକ । ସେଥିରୁ ଗୋଟିଏ ଦିଶୁଥାଏ ଛ’କେନିଆ ତାରା ଭଳି, ଆଉ ଗୋଟିଏ ଛ’ପାଖୁଡ଼ିଆ ଫୁଲ ପରି । ପୁଣି ତୃତୀୟଟି ଚକ୍‍ଚକ୍ କରୁଥାଏ ଛ’ଭୁଜିଆ ଅତି ଦାମିକା ପଥର ଭଳି ।

 

ତୁଷାରକଣାଗୁଡ଼ିକ ବଢ଼ି ଉଠିବା ସଙ୍ଗେ ସଙ୍ଗେ ଦଳ ବାନ୍ଧି ବାହାରିପଡ଼ିଲେ ପୃଥିବୀ ଆଡ଼କୁ; ଭାସି ଭାସି ଆସି ଉପରୁ ଖସିବାକୁ ଲାଗିଲେ ତଳକୁ । ସେମାନଙ୍କ ସଂଖ୍ୟା ଏତେ ବେଶି ଥାଏ ଯେ କେହି ତାଙ୍କୁ ସହଜରେ କେବେ ଗଣି ପାରି ନଥାନ୍ତି । ପୃଥିବୀ ପାଖକୁ ଆସି ତା’ର ଖୁବ୍ ନିକଟରେ ଭାସି ଭାସି ଖେଳିବାକୁ ଲାଗିଲେ ସେମାନେ । କିନ୍ତୁ ପବନ ତାଙ୍କୁ ଓହ୍ଲେଇ ଦେଲାନାହିଁ ତଳକୁ । ତାଙ୍କୁ ଘୂରେଇ ଘୂରେଇ ଘାଉଁରେଇ ଘାଉଁରେଇ ନଚେଇଲା ଖାଲି, ଗୋଟାଏ ଉନ୍ମାଦ ନୃତ୍ୟରେ । ଏହା ସତ୍ତ୍ୱେ, ସେମାନେ ଧୀରସ୍ଥିର ରହି ସୁଅଭଳି ଉପରୁ ତଳକୁ ଓହଳିପଡ଼ି କୌଣସିମତେ ପହଞ୍ଚିଗଲେ ପୃଥିବୀ ଉପରେ; ଚୁପ୍‍ଚାପ୍ ଭୂମି ଉପରେ ବସିଲେ ସୁନ୍ଦରୀ ନାରୀମୂର୍ତ୍ତିଗୁଡ଼ିଏ ପରି । ଆଉ ସାବଧାନ ଭାବରେ ଲକ୍ଷ୍ୟ ରଖିଲେ, ସେମାନଙ୍କ ଚମତ୍କାର ଗାଉନଗୁଡ଼ିକ ମାଡ଼ିମକଚି ହୋଇ ନ ଯାଏଁ ଯେମିତି ।

 

କେତେଗୁଡ଼ିଏ ତୁଷାରକଣା ଆସି ବସିପଡ଼ିଲେ, କ୍ଷେତମାନଙ୍କରେ ଶସ୍ୟ କଟା ହୋଇଗଲାପରେ ଯେଉଁ ମୂଳଗୁଡ଼ିକ ଥାଏ, ତାହା ଉପରେ । ଆଉ କେତେକ ବିଛଣାଟିମାନ ପାଇଗଲେ ଜଙ୍ଗଲରେ, କେଉଁଠି ଗଛଡ଼ାଳରେ, କେଉଁଠି ଗଛତଳରେ । କେତେ ପୁଣି ଯାଇ ଶୋଇପଡ଼ିଲେ କୋଠା ଛାତ ଉପରେ । ତାଙ୍କ ଭିତରେ ଅଣହୁସିଆର କେତେକ ଯେ ନଥିଲେ, ଏମିତି ନୁହେଁ । ସେଇ ଓଲମୀଗୁଡ଼ିକ ଯାଇ ସିଧା ସିଧା ବସି ପଡ଼ିଲେ ଗାଁ ଗଣ୍ଡାର କି ସହର ବସ୍ତିର ରାସ୍ତାଘାଟର ମଝିରେ । ଏଥିପାଇଁ ଭାଗ୍ୟ ଯାହା ହେଲା ତାଙ୍କର, ତାହା ଗାଆଣୀ ଗାଇବ ନାହିଁ । କାହିଁକିନା, ସକାଳ ହେଲାକ୍ଷଣି ଲୋକ ଯା-ଆସ ଆମ୍ଭେ ହୋଇଗଲା । ଟ୍ରକ୍, ମୋଟର ଧାଇଁଲେ । ଏଥିରେ ସେଇ ଓଲମୀଗୁଡ଼ିକଙ୍କର ଅବସ୍ଥା ଅତି ଦୁଃଖର ନ ହୁଅନ୍ତା କେମିତି ଯେ ? ସେଇ ତୁଷାରଫୁଲ ଆଉ ତୁଷାରତାରାଗୁଡ଼ିକ କେତେ ପାଦତଳରେ, କେତେ ଚକ ତଳରେ ଚକଟିହୋଇ ପେଷିହୋଇ ତରଳିଗଲେ, ଏକାବେଳେକେ ନିଜତ୍ଵ ହରାଇ ମିଶିଗଲେ କୁଟାକାଠି ପଙ୍କକାଦୁଅରେ-। ସହରୀ ତୁଷାରକଣାଗୁଡ଼ିକ ବିରୁଦ୍ଧରେ ରୀତିମତ ଚାଲିଲା ଗୋଟାଏ ବିରାଟ ଅଭିଯାନ-। ସେମାନେ ଓଳିଆ ହେଲେ, ମେସିନ୍ ସାହାଯ୍ୟରେ ଖୋଳତଡ଼ା ହେଲେ, ଦିନ ଦିପହରବେଳକୁ ସହରର କଳା କଳା ଚିକ୍କଣ ପିଚୁରାସ୍ତାଗୁଡ଼ିକ ଝକ ଝକ ଦେଖାଗଲା । ଶୀତକାଳରେ ଶେଷ ଚିହ୍ନଟିକ ପୋଛି ହୋଇଗଲା ସେସବୁଥିରୁ । ରାସ୍ତାଘାଟରୁ ତୁଷାର ସଫା କରାଯିବା ନିହାତି ଦରକାର, ଏଣୁ ସେ କାମ ସପକ୍ଷରେ ଯୁକ୍ତି ଅଛି । କାରଣ ତୁଷାରକଣାଗୁଡ଼ିକ ରାସ୍ତାଘାଟରେ ବସିତହିରେ ଟ୍ରଲି ଆଉ ବସ୍, ଟ୍ରାମ୍‍ଗୁଡ଼ିକର ଗତିକୁ ଅଟକେଇ ମନ୍ଥର କରିଦେବେ; ମୋଟରକାରଗୁଡ଼ିକର ଗୋଡ଼ ଖସେଇ ଓଲଟେଇ ପକେଇବେ ।

 

କୋଠଚାଷୀମାନେ କିନ୍ତୁ ସ୍ଵାଗତ କଲେ ତୁଷାରକଣାଗୁଡ଼ିକୁ । କାରଣ ଶରତ୍‍କାଳରେ କେବେ ଯାଇ ବର୍ଷ ହୋଇଥିଲା । ଏଇକ୍ଷଣି ଆଉ ରାସ୍ତାରେ ପାଣିକାଦୁଅ ନାହିଁ । ସେମାନେ ନିଜ ନିଜ ଗାଡ଼ିରୁ ସବୁ ଚକଗୁଡ଼ିକ କାଢ଼ି ତା’ ବଦଳରେ ପଟା–ମଲ ଭଳି ପଟା ଯୋଡ଼ିଲେ । ଆଉ ତୁଷାର ପଡ଼ି ପଡ଼ି ଚିକ୍କଣ ହୋଇଥିବା ରାସ୍ତା ଉପରେ ଏଇ ଗାଡ଼ିରେ ଚଢ଼ି ସୁଡ଼୍‍କିନି ଖସି ଖସି ଯାଇ ଆସି ପାରିଲେ । ପିଲାଏ ତେଣେ ଲାଗିଗଲେ ବରଫ ପେଣ୍ଡୁ କରିବାରେ ହଜାର ହଜାର ଝୁରୁଝୁରିଆ ସୁରୁସୁରିଆ ତୁଷାରଫୁଲ ଆଉ ତୁଷାରତାରାଙ୍କୁ ଚକଟି ସେଥିରେ ତିଆର କଲେ ତୁଷାର ମଣିଷ । କୌଣସି ଆନନ୍ଦ ଉପହାର ତ ଆଉ ଆକାଶରୁ ଛାଏଁ ଛାଏଁ ଗଳିପଡ଼େ ନାହିଁ । ଏହି ତୁଷାରରେ ପେଣ୍ଡୁ କି ମଣିଷ ଗଢ଼ିବାରେ ଲାଗି ନିଃଶ୍ଵାସ ମାରି ପାରୁ ନଥାନ୍ତି ଯେମିତି ସେମାନେ । କିଏ ଜାଣେ, ସେଇ ଶୁଭ ଉପହାରଗୁଡ଼ିକ ଗଢ଼ା ହେଉ ହେଉ କେଉଁ ମୁହୂର୍ତ୍ତରେ ବା ତରଳି ନ ଯିବ-

 

କିନ୍ତୁ ତୁଷାରକଣିକାଗୁଡ଼ିକ ରକ୍ଷା ପାଇଲେ ସଞ୍ଜରେ, ଯେତେବେଳେ ଆକାଶରେ ଘୋଟିଆସିଲା ବହଳିଆ କୁହୁଡ଼ି । ପିଲାଗୁଡ଼ିଙ୍କୁ ତାହା ସୁ ସୁ ଶବ୍ଦରେ ଶିରିଶିରେଇ ଦେଇ ଘରକୁ ଫେରାଇଦେଇ ଶୁଆଇପକାଇଲା ଗରମ ବିଛଣାରେ । ସକାଳେ ଯେତେବେଳେ ନିଦରୁ ଉଠିଲେ ସେମାନେ, ଦେଖିଲେ, ଚତୁର୍ଦ୍ଦିଗ ଧଳା ହୋଇଯାଇଛି । ଗରମ ବୁଟ୍ ଜୋତା ତଳରେ ଦଳିଚକଟି ହେଲା ରାସ୍ତାଗୁଡ଼ିକ, କିନ୍ତୁ ତାକୁ ସମତୁଲ କରିଦେଇଗଲା ସ୍ଲେଗାଡ଼ିର ପଟାମଇ ଭଳି ଦଣ୍ଡାଗୁଡ଼ିକ । ଭାରି ମଜା ଲାଗୁଥାଏ, ତୁଷାରକଣିକାଗୁଡ଼ିକ ଯେତେବେଳେ ପାଦତଳରେ ଝୁରଝୁର ସୁରସୁର ହେଉଥାଏ, ଆଉ ସ୍ଲେର ପଟାମଇଗୁଡ଼ିକ ଖରଖର ସରସର ହୋଇ ଧାଉଁଥାଏ । କେହି ସେତେବେଳେ ଭାବୁ ନଥାନ୍ତି ଯେ ତୁଷାରଫୁଲଗୁଡ଼ିକର ପାଖୁଡ଼ା ଆଉ ତୁଷାର ତାରାଗୁଡ଼ିକରେ ରଶ୍ମି ବା କିରଣସବୁ ଫାଟି ଫାଟି ଯିବା ଫଳରେ ସେଇ ଖରଖର ସରସର ଶବ୍ଦଟି ହେଉଥାଏ ।

 

ଯେଉଁ ତୁଷାରକଣିକାଗୁଡ଼ିକ ବିଲରେ କି ପଡ଼ିଆରେ ଯାଇ ଆରାମରେ ଶୋଇଥାନ୍ତି, ପ୍ରକୃତରେ ଶାନ୍ତିରେ ଥାଆନ୍ତି ସେମାନେ । ସେମାନଙ୍କ କଥା କେହି କେବେ ପଚାରୁ ନଥାନ୍ତି । ଚାଷୀମାନେ ଜାଣିଥାନ୍ତି ଯେ ତୁଷାରକଣିକାଗୁଡ଼ିକ ଏକାଠି ହୋଇ ଗୋଟିଏ ଚାଦର ଭଳି ବିଛେଇ ହୋଇଯିବେ । ସେମାନେ ଶୀତଋତୁରେ ଛୋଟ ଛୋଟ ଦି’ ଦି’ ପତୁରିଆ କଅଁଳ ଗହମ ବୁଦାଗୁଡ଼ିକ ଘୋଡ଼େଇଦେଇ ସେଗୁଡ଼ିକ କୁହୁଡ଼ି ଦାଉରୁ ରକ୍ଷା କରିବେ । କିନ୍ତୁ ତାହା ବା ହୋଇପାରିଲା କେଉଁଠି-? ହୁଏତ ସମୁଦାୟ ଶୀତଋତୁଟି ସେମାନେ, ସେଇ ତୁଷାରକଣିକାମାନେ, ସେମିତି ବିଲରେ କୁନି କୁନି ସୁନ୍ଦରୀ ଝିଅଟିମାନ ଭଳି ଶୋଇରହି କଟେଇପାରିଥାନ୍ତେ । ତାଙ୍କ ସାଙ୍ଗରେ ବାଦ କଲା ପବନ-। କୁଆଡ଼ୁ ବୁଲି ବୁଲି ଆସି; ଡେଇଁପଡ଼ିଲା ତାଙ୍କ ଉପରେ । ବିଲଯାକ ସୁଉ ସୁଉ ହୋଇ ନାଚି ଅସ୍ତବ୍ୟସ୍ତ କରିଦେଲା ସେମାନଙ୍କୁ । ନିଦରୁ ତାଙ୍କୁ ଉଠାଇ ଛେଚି କଚାଡ଼ି ଉଡ଼ାଇ ନେଇ ଏଣେତେଣେ ବିଞ୍ଛୁଡ଼ିଦେଲା ଅତି ନିର୍ଦ୍ଦୟ ଭାବରେ ତୁଷାରକଣିକାଗୁଡ଼ିକ ଅସହାୟ ହୋଇ ବିଲରେ ଖାଲି ଘାଉଁରେଇ ହୋଇଥାନ୍ତେ ହୁଏତ । କିନ୍ତୁ ଯୋଗକୁ ପାଖରେ ଗୋଟାଏ ନାଳ ଦେଖି ଚୁପ୍‍କିନି ଖସି ପଳେଇଲେ ସେଥିଭିତରକୁ । ଟିକିଏ ଥୟ ଧରିଲେ ମୁଣ୍ଡ ଗୁଞ୍ଜିବାକୁ ନିରୋଳା ଜାଗାଟିଏ ପାଇଁ; ଭାବିଲେ, ଆଉ ଟିକିଏ ଶୋଇବେ ଶାନ୍ତିରେ ।

 

କିନ୍ତୁ ହାୟରେ ! ନାଳ ଭିତରେ ତାଙ୍କ ଅବସ୍ଥା ଆଗ ଅପେକ୍ଷା ଆହୁରି ଖରାପ ହେଲା । ବିଲରେ ଥିଲାବେଳେ ତ ଅନ୍ତତଃ ଖୁନ୍ଦାଖୁନ୍ଦି ହୋଇ ରହୁ ନଥିଲେ । ନାଳ ଭିତରେ ଏମିତି ଠେସିହୋଇ ରହିଲେ ଯେ ଅଣନିଃଶ୍ଵାସୀ ହୋଇଉଠିଲେ । ଏହା ଛଡ଼ା, ପ୍ରତି ମିନିଟ୍‍ରେ ପୁଣି ନୂଆ ନୂଆ ତୁଷାରକଣିକା ଜୀବନ ବିକଳରେ ପଳେଇଆସି ପହଞ୍ଚିଥାନ୍ତି । ଏକାଠି ଖୁନ୍ଦିହୋଇ କେମିତି ଟାଣୁଆ ହୋଇଉଠିଲେ ସମସ୍ତେ । ଏତେ ଠେଲାଠେଲି ହେଉଥାନ୍ତି । ଯେ ତାଙ୍କର ପାଖୁଡ଼ାଗୁଡ଼ିକ ଓ ରଶ୍ମିଗୁଡ଼ିକ ଭାଙ୍ଗି ଚୂନାଚୂନା ହୋଇଗଲା । ଆଉ ତାଙ୍କୁ ଗୋଟି ଗୋଟି କରି ଅଲଗା ଭାବରେ କେହି ଦେଖିବାକୁ ପାଇଲା ନାହିଁ । ଭଙ୍ଗାରୁଜା ଦେହଟିମାନ ଧରି ଏକାଠି ଖୁନ୍ଦିହୋଇ ପଥୁରିଆ ପଡ଼ିଗଲେ ସେମାନେ ।

 

ଏତିକିବେଳେ ଚାଷୀମାନେ ଠିକ୍ କଲେ, ନାଃ, ଏଥର କିଛି ନ କଲେ ପବନଟା ବିଲରୁ ତୁଷାରକୁ ସବୁ ଉଡ଼େଇନେବ–ଗହମବୁଆଗୁଡ଼ିକ ତ କୁହୁଡ଼ିରେ ନଷ୍ଟ ହୋଇଯିବ । ତା’ ଛଡ଼ା ବସନ୍ତ ଆସିବା ସଙ୍ଗେ ସଙ୍ଗେ କ୍ଷେତ୍ରରେ ଯେଉଁ ତୁଷାରଜଳ ଟୋପିଏ ଟୋପିଏ ମିଳିଥାନ୍ତା, ତାହା ଆଉ ମିଳିବ ନାହିଁ । କାରଣ ସବୁ ତୁଷାରକଣିକା ଯାଇ ନାଳରେ ପଶିଲେ ଯେ ! ତେଣୁ ସେମାନେ ପବନକୁ ବନ୍ଧବାଡ଼ ଦେଇ ରୋକିବା ଲାଗି ବାହାରିପଡ଼ିଲେ । ଉଞ୍ଚା ଉଞ୍ଚା ହିଡ଼ ଗଢ଼ି ତୁଷାରକଣିକାଗୁଡ଼ିକ ସମ୍ଭାଳିଲେ, ବିଲରେ ନିରାପଦରେ ରଖିଲେ ।

 

ଯେଉଁ ତୁଷାରକଣିକାଗୁଡ଼ିକ ଜଙ୍ଗଲରେ ଆଶ୍ରୟ ନେଇଥିଲେ, ସବୁଠୁ ବଳି ଭଲ ଭାଗ୍ୟ ପଡ଼ିଲା ସେଇମାନଙ୍କର । କାରଣ ଗଛଗୁଡ଼ିକ ସେଠି ପବନକୁ ଆପଟ ହେଲେ । ତୁଷାରକଣିକାଗୁଡ଼ିକର ଯେମିତି ନିଦ ନ ଭାଙ୍ଗେ, ସେଥିପାଇଁ ଜାଗତିଆର ରହିଲେ । ପବନକୁ ବାଧାଦେଲେ । ବଣଜଙ୍ଗଲ ଭିତରଟି ସବୁବେଳେ ବଡ଼ ଶାନ୍ତ, ବଡ଼ ସ୍ନିଗ୍ଧ । ବେଳେବେଳେ କେବଳ ଜନ୍ତୁଜୁନ୍ତା । ଗୋଟାଏ ଦୁଇଟା କେଉଁଠି ଖୁସ୍‍ଖାସ ହୋଇ ଯା-ଆସ କରନ୍ତି । ସେମାନଙ୍କର ପାଦଚିହ୍ନ ପଡ଼େ ତୁଷାରଶଯ୍ୟା ଉପରେ । ଏହାହିଁ ଘଟିଲା ସିନା, ଆଉ କେହି କିଛି ଗୋଳମାଳ କଲେ ନାହିଁ ସେଠି । ନରମ ନରମ ତୁଳା ବା ଧଳା ପଶମ ଭଳି ତୁଷାରକଣିକାସବୁ ଗଛଗୁଡ଼ିକ ସନ୍ଧିରେ ବହଳରୁ ବହଳ ହୋଇ ବସିଲା । ବିଲରେ ଯେତେବେଳେ ଆଣ୍ଠୁଏ ବହଳରେ ତୁଷାର, ସେତେବେଳେ ବଣରେ ଯଦି ତମେ ସ୍ଲେ’ରେ ନ ଯାଇ ଖାଲି ପାଦରେ ମାଡ଼ିଯାଇଥାନ୍ତ ନିଶ୍ଚୟ ତୁଷାରଭିତରେ ଅଣ୍ଟାଯାଏ ପୋଡ଼ିହୋଇ ପଡ଼ିଥାନ୍ତ ।

 

ବଣରେବି ବିଚାରୀ ତୁଷାରକଣିକାଗୁଡ଼ିକୁ ରକ୍ଷା ମିଳିଲା ନାହିଁ । ସେଠିବି ସେମାନେ ଟିକିଏ ଶାନ୍ତି ପାଇଲେ ନାହିଁ କି ନିଜର ପୋଷାକପତ୍ର ନିର୍ମଳ ରଖିପାରିଲେ ନାହିଁ । ତେବେ ତାଙ୍କର ଅବସ୍ଥା କ’ଣ ହେଲା, କ’ଣ ବା ଭୋଗିଲେ ସେମାନେ ? ବସନ୍ତଋତୁ ଆସିବାଯାଏ ଅପେକ୍ଷା କଲେ ଏହାର ଉତ୍ତର ପାଇବ । ଏଣୁ ଅପେକ୍ଷା କର ଟିକିଏ ।

Image

 

ବସନ୍ତ ବିରୁଦ୍ଧରେ ଶୀତର ଲଢ଼େଇ

 

ଶୀତଋତୁ ଗୋଟାକଯାକ ପ୍ରାୟ ତୁଷାର ପଡ଼େ । ରହି ରହି ତୁଷାର ଝଡ଼ ଉଠେ । ରାସ୍ତାଘାଟ ଦେଖାଶୁଣା କରୁଥିବା ଲୋକ ଭଳି ଝୁରୁ ଝୁରୁ ତୁଷାରକଣାଗୁଡ଼ିକୁ ଉଡ଼େଇ ଓଳେଇ ନେଇ ଅଜାଡ଼ିଦିଏ କେଉଁଠି କେଉଁ ପାହାଡ଼ ଉପତ୍ୟକାରେ, କେଉଁଠି କେଉଁ ଗଳିରେ, ଗୋହିରିରେ, ଖାତରେ କି ନାଳିରେ । କିନ୍ତୁ ଧୀରେ ଧୀରେ ଦିନ ବଢ଼େ; ଆକାଶରେ ସୂର୍ଯ୍ୟ ଉଠେ ଉପରରୁ ଉପରକୁ । ଆଉ ଅଜସ୍ର କିରଣ ତାଳି ଝଲମଲ କରେ । ଅନେକବେଳ ଯାଏଁ, ଆକାଶରେ ରହଣି ସମୟଟା ତା’ର ବଢ଼ି ବଢ଼ି ଯାଏଁ ପ୍ରତ୍ୟେକ ଦିନ । ତେଣେ ରାସ୍ତାଘାଟରୁ ସଫା ହୋଇଯାଉଥାଏ ତୁଷାରସବୁ । କିନ୍ତୁ ବିଲଗୁଡ଼ିକ ସେତେବେଳ ପର୍ଯ୍ୟନ୍ତବି ଦିଶୁଥାଏ ବଗ ଭଳି ଧଳା । କାରଣ, ସେଠି ସୂର୍ଯ୍ୟକିରଣର ତେଜକୁବି ବାଧା ଦିଏ, ପ୍ରତିରୋଧ କରେ ତୁଷାର । ନିଜର ଛାତିରେ ସୂର୍ଯ୍ୟକିରଣର ପ୍ରତିବିମ୍ବ ଧରି ଦର୍ପଣ ଭଳି ଝଲସିଉଠେ । ସିଧାସଳଖ ତାକୁ ଅନେଇ ବା କଷ୍ଟକର ହୁଏ ସେତେବେଳେ । ହଠାତ୍ କିନ୍ତୁ ସୂର୍ଯ୍ୟର ସଖାଭାବରେ ଆସି ଦେଖାଦିଏ ଦକ୍ଷିଣା ପବନ । ସଙ୍ଗରେ ଘେନି ଆସିଥାଏ ଉଷ୍ଣତା, ଘେନି ଆସିଥାଏ ସେହି ଅଞ୍ଚଳରୁ ସବୁ ଯେଉଁଠି ଶୀତକୁ ହଟାଇଦେଇ ଜୟଧ୍ଵଜା ଉଡ଼ାଇଥାଏ ଗ୍ରୀଷ୍ମ । ସେଇ ଦକ୍ଷିଣା ପବନଟି ପହଞ୍ଚିବାକ୍ଷଣି ଆରମ୍ଭ ହୋଇଯାଏ ତୁଷାର ବିରୁଦ୍ଧରେ ଯୁଦ୍ଧ । ଗୋଟିଏ ପଟରେ ତୁଷାର ଏକା, ଅନ୍ୟ ପଟରେ ସୂର୍ଯ୍ୟ ଆଉ ଦକ୍ଷିଣା ବପନ । ସୂର୍ଯ୍ୟ ନିଜର କିରଣରେ ତୁଷାରକୁ ଭେଦ କରେ; ଦକ୍ଷିଣା ପବନ ତାହା ଉପରେ ଉଷ୍ଣତା ଖେଳାଇଦିଏ । ଏଥିରେ କି ତୁଷାର ନ ତରଳି ରହିପାରେ କେବେହେଲେ ? ପ୍ରଥମେ ହଟିଯାଇ ତରଳିବାକୁ ଲାଗେ ବିଲରେ ସବୁ । କାରଣ, ସେଠି ଖୋଲା ପଡ଼ିଆରେ ଯୁଦ୍ଧ କରିବାକୁ ସହଜ ହୁଏ-। ସୂର୍ଯ୍ୟକୁ ଆଉ ଦକ୍ଷିଣା ପବନକୁ । ତୁଷାର ତରଳିବା ସଙ୍ଗେ ସଙ୍ଗେ ଭୂଇଁତଳରୁ ମୁହଁ କାଢ଼ି ଅନାଏ ଶାଗୁଆ ଶାଗୁଆ ଘାସ, ଗହମର ବୁଆ । କିନ୍ତୁ ସୂର୍ଯ୍ୟ ଆଉ ଦକ୍ଷିଣା ଯେତେବେଳେ ଏକାଠି ହୋଇବି ତୁଷାରକୁ ପାହାଡ଼ ଉପତ୍ୟକା ଭିତରୁ, ଖାତଖମା ଗୋହିରି କି ନାଳିରୁ ତଡ଼ିବାକୁ ଯାଆନ୍ତି, ସେତେବେଳେ ସେମାନଙ୍କୁ ବହୁତ ହଲାପଟା ହେବାକୁ ପଡ଼େ । କାରଣ, ସେଠି ଜୋରରେ ଆସ୍ଥାନ ମାଡ଼ି ବସିଥାଏ ତୁଷାର । ମାଟି କାମୁଡ଼ି ଲାଖିରହିଥାଏ ଅଠାରେ ଲାଗିଲା ଭଳି ।

 

ଆଉ ତୁଷାରର ଆଗ ରୂପଟି ରହେ ନାହିଁ । ଏଣୁ ତୁଷାର ଭଳି ଧଳା, ଏଇ କଥାଟିର ମର୍ମବି ଉଭେଇଯାଏ । କାରଣ, ଆଉ ତାହା ଧଳା ବେଶରେ ନଥାଏ । ବୁଢ଼ା ହେଲାବେଳକୁ ଅବଶ୍ୟ ତା’ ଦେହର ଉପରଟା ଶୁଖିଲା ଆଉ ଶକ୍ତ ହୋଇଥିଲା । ସେଥିରେ ବହୁତ ମଳି ବସିଥିଲା-। କେମିତିକା ମାଟିଆ ପାଉଁଶିଆ ଦିଶୁଥିଲା, ଆଉ ତା’ର ପିଲାଦିନର ସେଇ ନରମା ନରମା ତୁଳା ପରି ଚକଚକିଆ ତାରାପୁଞ୍ଜର ରୂପ ନଥିଲା । ତଥାପି, ପ୍ରାଚୀନପଣିଆରେ ମୁରବିଗିରି ଦେଖାଇ ସେତେବେଳେ ଏହା ପହିଲି ବସନ୍ତକୁବି ବେଖାତିର କରିଥିଲା; ପାଞ୍ଜ ଯାହା କହିଥିଲା ତାହା ଶୁଣି ନଥିଲା । କିନ୍ତୁ ସବୁ କଥାର ତ ପୁଣି ଦୁନିଆରେ ସ୍ଥାନକାଳ ଅଛି !

 

ଚାହୁଁଚାହୁଁ ସୂର୍ଯ୍ୟ ଆଉ ପବନକୁ ସାହାଯ୍ୟ କରିବାପାଇଁ ପୁଣି ଏକ ବନ୍ଧୁ ଆସି ପହଞ୍ଚିଯାଏ । ଏହା ହେଉଛି ବସନ୍ତକାଳର ଉଷୁମୁଳିଆ ବର୍ଷା । ତୁଷାର ଶକ୍ତ ସାଞ୍ଜୁ ଭଳି ଟାଣୁଆ ଦେହରେ ଏହି ବର୍ଷାର ଟୋପାଟିମାନ ଜୋରରେ ବାଡ଼େଇ ହୁଏ, ତା’ ଭିତରକୁ ଗଳିଯାଏ, ଦେହଯାକ କଣାମୟ କରିଦିଏ । ସେଇ ବର୍ଷା ଟୋପାଗୁଡ଼ିକ ନାଳି ଭିତରେ ପଶି ତୁଷାରର ଶକ୍ତ ଚମଡ଼ା ତଳେ ତଳେ ଯାଇ ଜମା ହୁଏ । ଛୋଟ ଛୋଟ ଧାରରେ ପରିଣତ ହୋଇ ବହିଯିବାକୁ ବାହାରେ । ସେତେବେଳ ଯାଏଁ କିନ୍ତୁ ତୁଷାରର ଉପରଟା ଆଗ ପରି ଟାଣ ଥାଏ । କିନ୍ତୁ ହେଲେ କ’ଣ ହେବ, ଆଉ ତା’ର ରକ୍ଷା ପାଇବାର ଉପାୟ ନଥାଏ । ଆଉବି ତା’ର ରକ୍ଷକ କେହି ନଥାନ୍ତି । ଦେହ ଭିତରଟା ପାଣି ଫାଟିଥାଏ । ତଳ ପରସ୍ତ ତୁଷାର ତରଳି ସାରିଥାଏ । ଶେଷରେ, ତା’ର ଉପରର କଠିନ ଆବରଣବି ଭାଙ୍ଗିଯାଏ । ତାହାର ମଇଳାସଆ, ମାଟିଆ, ବୁଢ଼ା ରୂପଟା ପୂରାପୂରି ବଦଳେ । ସେ ହୁଏ ଗୋଟିଏ ଖରଖରି ଝରଝରି ଝରଣାର ଧାର । କୁଳୁକୁଳୁ ହୋଇ ବହି ଚାଲେ ସେ ।

 

ତୁଷାରକଣିକାଟି ସୁନ୍ଦର । କିନ୍ତୁ ଯେଉଁ ପାଣିଟେ ପାଟିରେ ବସନ୍ତକାଳୀନ ଆକାଶର ପ୍ରତିବିମ୍ବ ଉକୁଟିଉଠେ, ସେଇ ସ୍ଵଚ୍ଛ ପାଣିଟୋପାଟି କ’ଣ କମ୍ ସୁନ୍ଦର ?

 

ମନେରଖ, ସବାଶେଷରେ ସୂର୍ଯ୍ୟ ଆଉ ଦକ୍ଷିଣା ପବନ ଆଗରେ ହାର ମାନେ ବଣ ଜଙ୍ଗଲ ତୁଷାର । ସେଠି ଡେଙ୍ଗା ଡେଙ୍ଗା ପାଇନ୍ ଆଉ ଫର୍‍ଗଛସବୁ ଗୋଟିଏ ଗୋଟିଏ ଦୁର୍ଗ ପରି ଛିଡ଼ା ହୋଇ ତାକୁ ପବନରୁ ରକ୍ଷା କରନ୍ତି ଆହୁରି କିଛିଦିନ ଯାଏଁ । ସେଇ ଗଛଗୁଡ଼ିକର ଶାଗୁଆ ଶାଗୁଆ ଗହଳିଆ ଛୁଞ୍ଚି ଭଳି ପତ୍ରଗୁଡ଼ାକୁ ଭେଦିପାରେ ନାହିଁ ସୂର୍ଯ୍ୟକିରଣ । ଏମିତିକି ସେସବୁରେ ପଡ଼ି ତା’ର ବୁଦ୍ଧି ବଣା ହୋଇଯାଏ । ବାଟ ହୁଡ଼େ ଅନେକ ସମୟରେ ।

 

ତେବେ, ସେଇ ଜଙ୍ଗଲରେବି ତୁଷାର ଚିତ୍‍ପଟାଙ୍ଗ ହୁଏ–ପ୍ରଥମେ ଗଛବୃଚ୍ଛହୀନ ଫାଙ୍କା ଫାଙ୍କା ଜାଗାରେ, ପରେ ନିଘଞ୍ଚ ଜଙ୍ଗଲରେ । ସୂର୍ଯ୍ୟ ଓ ପବନ ଫାଙ୍କା ଜାଗାରେ ଆଗ ପଶନ୍ତି । ବଡ଼ବଡ଼ ଗଛର ଗଣ୍ଡିଗୁଡ଼ାକୁ ଧୀରେ ଧୀରେ ଉତ୍ତାପ ଦିଅନ୍ତି । ବିଶେଷରେ ସୂର୍ଯ୍ୟ ଦିନମାନ ସେଇ ଗଣ୍ଡିଗୁଡ଼ାକୁ ଗରମ କରିବାରେ ଲାଗେ–ସକାଳୁ ସଞ୍ଜଯାଏଁ ପ୍ରଥମେ ଏ କରରୁ, ତା’ପରେ ସେ କରରୁ । ଏହା ଫଳରେ ପ୍ରତି ଗଛର ଗଣ୍ଡି ପାଖରେ ତୁଷାର ତରଳିଯାଇ ମନ୍ଦାକୁ ମନ୍ଦା ପାଣି ଜମିରହେ ।

 

ଏମିତିଭାବରେ ସୂର୍ଯ୍ୟ, ପବନ ଆଉ ବର୍ଷ ତୁଷାରକୁ ଆକ୍ରମଣ କରି ତାକୁ ହଟାଇ ତା’ପଛେ ପଛେ ଧାଆଁନ୍ତି । ତାକୁ ପାହାଡ଼, ଉପତ୍ୟକା, ଗୋହିରି ପ୍ରଭୃତିରେ ଆଉ ନିବିଡ଼ ଜଙ୍ଗଲରୁ ତଡ଼ିନିଅନ୍ତି । ତୁଷାର ସେତେବେଳକୁ ଅଥର୍ବ ଓ ଅଳସୁଆ ପାଲଟିସାରିଥାଏ । ଶେଷରେ ବିଲବାଡ଼ିର ସିଆର ବାଟେ ନଳା ଆଉ ଶଗଡ଼ସରିରେ, କେତେ ଗିରିଦାରୀରେ ଛୋଟ ଛୋଟ ଧାରଟିମାନ ହୋଇ ପ୍ରଖର ବେଗରେ ଧାଏଁ ନଈଆଡ଼କୁ ।

Image

 

ପାଣିର ଅସାଧ୍ୟ ସାଧନ

 

ବରଫ ତରଳିବାରୁ ଝରଣାର ଧାର କୂଳ ଡେଇଁଲା । ଏହା ଏତେ ଓସାରିଆ ହୋଇଗଲା ଯେ, ତାକୁ ସହଜେ ଚିହ୍ନିହେଲା ନାହିଁ । ପାଣିସୁଅରେ ଧଳା ଧଳା ବଡ଼ବଡ଼ ମୁଣ୍ଡା ବରଫ ଭାସୁଥାଏ । ଭାସୁ ଭାସୁ ଖଣ୍ଡକ ଦେହରେ ଖଣ୍ଡେ ଧକ୍କା ଖାଏ, ବାଡ଼େଇହୁଏ, ଭଉଁରୀ ଖେଳେ; କେତେବେଳେ ପାଣିରେ ଅଧେ ବୁଡ଼ିଯାଇ ବାକି ଅଧକ ଅଣେଇ ହୋଇପଡ଼େ । କେତେବେଳେ ଏକାବେଳକେ ଓଲଟିପଡ଼େ । ଖଣ୍ଡେ ଯଦି କେଉଁଠି କୂଳରେ ଲାଗିରହିଲା, ଆଉ ଗୁଡ଼ିଏ ଆସି ତାକୁ ଠେଲିଲେ, ମୁନିଆ ମୁନିଆ କଣାରେ କେଞ୍ଚିଲେ । ଶୀତଦିନ ବରଫ ଯେତେବେଳେ ଛେନା ଭଳି ବିଛେଇ ହୋଇ ପଡ଼ିଥିଲା, ସେତେବେଳେ ତା’ ଉପରେ ସ୍ଲେ’ଗାଡ଼ିମାନ ଚାଲି ଚାଲି ଗୁଳା ଫିଟିଯାଇଥିଲା । ଏବେ ତାକୁ ଦେଖି ମନେ ହେଉଚି, ସତେ ଯେମିତି କେଉଁଠି କେଉଁ ରାସ୍ତାରୁ ଖଣ୍ଡେ ଛିଡ଼ିଆସି ଭାସି ଭାସି ଚାଲିଚି ସୁଅରେ । ଏହା ମୁଣ୍ଡା ମୁଣ୍ଡା ବରଫମାନ ଝରଣାରୁ ଯାଇ ବଡ଼ବଡ଼ ନଈରେ ପଶିଲା । ନଈ ତାକୁ ନେଇ ହାଜର କଲା ସମୁଦ୍ରରେ । ଏହା ଭିତରେ ଅବଶ୍ୟ ସେଗୁଡ଼ିକ ଖଣ୍ଡକୁ ଖଣ୍ଡ ତରଳି ପାଣି ହୋଇଯାଉଥାଏ । ଶେଷରେ ଏମିତି ଗୋଟିଏ ସମୟ ଆସିଲା, ଯେତେବେଳେ ସ୍ପଷ୍ଟ ଦେଖାଗଲା, ନଈରେ ଆଉ କେଉଁଠି ବରଫ ନାହିଁ । ଏଣିକି ନଈ ଦୃଷ୍ଟି ଫେରାଇଲା ନିଜର କୂଳଆଡ଼କୁ ।

 

ସମୁଦ୍ରରେ ପଡ଼ିବାକୁ ହେଲେ ନଈକୁ ବହୁତ ବାଟ ଯିବାକୁ ହୁଏ; କେତେ ସାହସିକ କାମ ଦେଖାଇ ଅସାଧ୍ୟ ସାଧନ କରିବାକୁ ହୁଏ । ଏହା କୂଳ ଖାଇଯାଏ, ଆଖପାଖ ଅଞ୍ଚଳକୁ ପାଣିରେ ବୁଡ଼ାଏ, ବଡ଼ବଡ଼ ପଥରଖଣ୍ଡକୁ ଚୂନା କରିଦିଏ, ସାଙ୍ଗରେ କେତେ ବାଲି, କେତେ ମାଟି ବୋହିନିଏ, ଆଉ ସେସବୁ ନେଇ ଗଦେଇଦିଏ ସ୍ତୂପ ଆକାରରେ ଠାଆକୁ ଠାଆ, ସୃଷ୍ଟିକରେ କେତେ ବାଲିବନ୍ତ ଆଉ ଦ୍ଵୀପ । କିନ୍ତୁ ଲୋକେ ନଈଠୁ ଚାଲାକ୍ । ନଈ ବାଲିମାଟି ବହିନେବ, ଏହା ସେମାନେ ସହ୍ୟ କରନ୍ତି ନାହିଁ; ଛକନ୍ତି ତାକୁ । ସେମାନେ ବିଚାରନ୍ତି, ପଟୁ ଜମାହୋଇ ନଈ ଅଗହିରିଆ ନ ହେଉ । ଏହା ବିଚାରି ସେମାନେ ବିରାଟ ବିରାଟ ଭାସମାନ ଯନ୍ତ୍ର ନଈ ଗର୍ଭକୁ ପଠାନ୍ତି । ସେହି କଳଗୁଡ଼ିକ ନଈଗର୍ଭକୁ ଆହୁରି ଗଭୀର କରେ–ଖୋଳେଇ ଯନ୍ତ୍ରରେ ପଟୁମାଟି ଆଉ ବାଲି କାଢ଼ି ଉପରକୁ ଉଠେଇଆଣେ । ଏହି କଳଗୁଡ଼ିକୁ କହନ୍ତି ‘ଡ୍ରେଜର’ ।

 

ନଈସୁଅର ଶକ୍ତି ତ କମ୍ ନୁହେଁ ! ତାକୁବି ଲୋକେ କାମରେ ନ ଲଗେଇବେ କାହିଁକି ? ତେଣୁ ସେଥିରେ ଜଙ୍ଗଲରୁ କାଠ ପଠାନ୍ତି ଭେଳାରେ । ନାହାସବୁ ବୋଝେଇ କରି ଜିନିଷପତ୍ର ବହିନିଅନ୍ତି ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ । ନଈରେ ଡ୍ୟାମ ବା ପାଣିରୋକା ବନ୍ଧ ଗଢ଼ି ତା’ ପାଖରେ ଛିଡ଼ା କରାନ୍ତି ବିଦ୍ୟୁତ୍ ଶକ୍ତିର ଉତ୍ପାଦନ କେନ୍ଦ୍ରସବୁ । ସୋଭିଏତ ରୁଷରେ ଏମିତି ଛୋଟବଡ଼ ବହୁତ ଜଳବିଦ୍ୟୁତ୍ କେନ୍ଦ୍ର ଅଛି । କେତେଗୁଡ଼ିଏ ଅତି ବଡ଼ବଡ଼ ଜଳବିଦ୍ୟୁତ୍ କେନ୍ଦ୍ରରୁ ବିଦ୍ୟୁତ୍‍ଶକ୍ତି ପଠାଯାଏ ଅନେକ କଳକାରଖାନା, କୋଠଚାଷ ଫାର୍ମ, ରେଳବାଇ କେନ୍ଦ୍ର, ସହର ଓ ପଲ୍ଲୀ ଅଞ୍ଚଳକୁ । କିନ୍ତୁ କେତୋଟି ଏତେ ଛୋଟ ଜଳବିଦ୍ୟୁତ୍ କେନ୍ଦ୍ର ଅଛି ଯେ, ତାହା କେବଳ ଗୋଟିଏ ଗୋଟିଏ କୋଠଚାଷ ଫାର୍ମକୁ ବିଦ୍ୟୁତ୍‍ଶକ୍ତି ଯୋଗାଏ ।

 

ଏହାଛଡ଼ା ନଈକୁ ଆହୁରି ଅନେକ ଆଦେଶ ପାଳନ କରିବାକୁ ପଡ଼େ । ସମୁଦ୍ରରେ ପହଞ୍ଚିବା ପୂର୍ବରୁ ତାକୁ ଆହୁରି କେତେକ କାମରେ ପଠାଯାଏ । ତାକୁ କୁହାଯାଏ, “ଯାଆ, ବଡ଼ବଡ଼ ପାଣି–ପାଇପ୍ ବାଟରେ ଯାଇ ପ୍ରତି ଘରେ ପହଞ୍ଚି ପାଣି ଦେଇ ଆ । ଆଉ ଯା, ଇଞ୍ଜିନ୍‍ର ବୟେଲର ଭିତରେ ପଶ୍, ନିଆଁରେ ସିଝି ବାଷ୍ପ ହୁଅ–ଭାରୀ ଭାରୀ ଟ୍ରେନ୍‍ଗୁଡ଼ିକ ରେଳଧାରଣା ଉପରେ ଦ୍ରୁତବେଗରେ ଟାଣି ନେ ।” କେବଳ ଏତିକି ତ ନୁହେଁ; ଏହାକୁ ପୁଣି ନିର୍ଦ୍ଦେଶ ଦିଆହୁଏ, “ରାସାୟନିକ ଯନ୍ତ୍ରଭିତରେ ପଶି ନାନାପ୍ରକାର ବୈଜ୍ଞାନିକ କାର୍ଯ୍ୟରେ ସାହାଯ୍ୟ କର ! କଳକାରଖାନାକୁ ଯା, ପାଣିଟାଙ୍କି ଭରଣା କର ! ହେଇ, ମୋଟରଗାଡ଼ି ତାତିଗଲାଣି, ତା’ର ରାଡ଼ିଏଟର ଉପରେ ଢାଳିହୋଇ ତାକୁ ଶୀତଳେଇ ଦେ ! ଦେଖ, ପ୍ରତ୍ୟେକ ଦିନ ରାସ୍ତାଗୁଡ଼ାକ ଧୋଇଧାଇ ସଫା ରଖି ନିଆଁ ଲିଭାଇବାକୁ ସବୁବେଳେ ପ୍ରସ୍ତୁତ ରହ ।”

 

ଏବେ ଦେଖ ! ଶୀତଋତୁରେ ତୁଷାର କଣିକାଟିଏ ହୋଇ କେଉଁଠି କେଉଁ ଗହନ ବନସ୍ତରେ ପଡ଼ିଥିଲା ପାଣି ଟୋପାଏ । ଶେଷରେ ତାହା ପହଞ୍ଚିଲା କେତେ ବିଚିତ୍ର ବାଟରେ ଯାଇ ସମୁଦ୍ରରେ । ସମୁଦ୍ର ସତେ ଯେମିତି ତାକୁ ଅନେଇଥିଲା–ସଙ୍ଗେ ସଙ୍ଗେ ନିଜର ପ୍ରବଳ ସୁଅରେ ତାକୁ ମିଶେଇ ଆଗେଇ ନେଇ ଚାଲିଲା କାହିଁ କେଉଁ ଦୂର ଦୂରାନ୍ତର ଦକ୍ଷିଣକୁ । ସେଠି ସୂର୍ଯ୍ୟ ଦେଖାଦିଏ ଠିକ୍ ମୁଣ୍ଡଉପରେ । ତା’ର ତପ୍ତ ରଶ୍ମିରେ ସେହି ପାଣି ଟୋପାକ କେତେବେଳେ ପୁଣି ବାଷ୍ପ ହୋଇ ଉଠିଲା ଉପରକୁ । ଏଥର ପୁଣି ଚାଲିଲା ପବନରେ । କି ମଜାରେ ପବନ ତାକୁ ବହିନେଲା କୂଳ ଆଡ଼କୁ । ସେଠି ପୁଣି ଯାଇ ତାହା ଝରିପଡ଼ିଲା ଭୂଇଁ ଉପରେ ବର୍ଷା ହୋଇ, କୁଆପଥର ହୋଇ ।

 

କୁଆପଥର ବୁଲି ବାହାରିଲା

 

ଛୋଟ କୁଆପଥରଟିଏ ଭୂଇଁ ଉପରେ ପଡ଼ିଲା । ତଳେ ପଡ଼ି ବଲ୍ ପରି ଉପରକୁ ଉଠିଲା; ପୁଣି ତଳେ ପଡ଼ିଲା ଟିକିଏ ଦୂରରେ ।

 

ଏହା ପଡ଼ିଲା କେଉଁଠୁଁ ?

 

ଆକାଶରୁ ।

 

ଆକାଶରେ ଏଡ଼େ ବଡ଼ଟାଏ ଆଉ ଏମିତି ଭାରି ହୋଇ ରହିଲା କେମିତି ? କିଏ ଏହାକୁ ଧରି ରଖିଥିଲା ସେଠାରେ ?

 

ନିଜ କଥା ସେ ନିଜେ କହିବ ତମକୁ । କିନ୍ତୁ ଦେଖ, ଶୀଘ୍ର ଶୀଘ୍ର ପଚାର ଯାହା ପଚାରିବ, ନଇଲେ ସେ ମିଳେଇଯିବଟି ! ହେଇ, ଚାହଁ ସେଇ ବୁଦାତଳକୁ ଚାହଁ । ଦେଖୁଚ ତ ସେଠିକି ଗଡ଼ିଯାଇଚି କେମିତି କେତେ କୁଆପଥର ! ସବୁଠୁ ବଳି ବଡ଼ ଯେଉଁଟି, ଗୋଟେଇଆଣ ସେଇଟିକି । ବାହାର କର ତମର ପେନ୍‍ସିଲ୍‍କଟା ଛୁରି । କୁଆପଥରଟିକୁ ଦୁଇଫାଳ କରି କାଟ ସେଥିରେ । କେମିତି ଦିଶୁଚି, କାଚ ଭଳି ସ୍ଵଚ୍ଛ ଉପରଟା, ଆଉ ଭିତରଟା ଚୀନାମାଟି ବାସନ ଭଳି ଠିକ୍ ! ତେବେ ଚୀନାମାଟି ଯେ ଏ ନୁହେଁ, ଏହା ସତ ଚୀନାମାଟି ତ ଆଉ ମିଳେଇଯାଏ ନାହିଁ ! ଏହା ହେଉଛି ତୁଷାର । ଆଉ କାଚ ଭଳି ଯାହା ଦିଶୁଚି, ତାହା ଆଦୌ କାଚ ନୁହେଁ, ତାହା ବରଫ ।

 

ଏବେ ବୁଝିଲ ତ କୁଆପଥର ମୂଳ ରହସ୍ୟଟି କ’ଣ । ଅପ୍‍ସରା କାହାଣୀର ତୁଷାରକନ୍ୟା ଭଳି ଏହା ତୁଷାରରେ ଗଢ଼ା । ଆଉ ଏହାର ପୋଷାକପତ୍ର ତିଆରି ହୋଇଚି ଖାଣ୍ଟି ବରଫରେ । ଏଇଟି ଅବଶ୍ୟ ସବୁଠୁ ବଳି ସୁନ୍ଦର କୁଆପଥର ନୁହେଁ । ଏଇ କୁଆପଥର ଭିତରୁ କେତେକ, ଝିଅମାନେ ଯେମିତି ବ୍ଲାଉଜ୍ ପିନ୍ଧନ୍ତି, ସେମିତିକା ବ୍ଲାଉଜ୍ ଗୋଟାକ ଉପରେ ଗୋଟାଏ କରି ତିନି ତିନିଟା ପିନ୍ଧିଥାନ୍ତି । ପ୍ରଥମରେ ଥାଏ ସ୍ଵଚ୍ଛ ବରଫ ବ୍ଲାଉଜ୍, ତା’ଉପରେ ଶୁଭ ତୁଷାର ବ୍ଲାଉଜ୍, ଶେଷରେ ଏହା ଉପରେ ବରଫର ଘୋଡ଼ଣି ଭଳି ବ୍ଲାଉଜ୍ । ଏଇ କୁଆପଥରସବୁ ଯେତେବେଳେ କେଉଁଠିକି କାହା ଘରକୁ ବୁଲି ଯିବାକୁ ବାହାରନ୍ତି, ସେତେବେଳେ ଏହି ବ୍ଲାଉଜ୍‍ଗୁଡ଼ିକ ପାଆନ୍ତି କେଉଁଠୁଁ ? ପାଆନ୍ତି ନିଜ ଘରୁ, ଆକାଶରୁ ।

 

କୁଆପଥର ଭିତରେ ବାଦାମ ଭଳି ଟାଣ ଗୋଟିଏ ମଞ୍ଜିଥାଏ । ଏହା ଥାଏ ଠିକ୍ ତା’ର କେନ୍ଦ୍ରସ୍ଥଳରେ । ଏଇଟି ଯେମିତି ଧଳା, ସେମିତି ଶକ୍ତ । ଏହାର ଜନ୍ମ ହୁଏ ଗୋଟିଏ ତୁଷାରମେଘ ଭିତରେ । ଜନ୍ମ ହୋଇ ଏହା ତଳକୁ, ପୃଥିବୀକୁ ଆସିବାକୁ ବାହାରେ । କିନ୍ତୁ କାହିଁ ଉପରୁ ତଳେ ପୃଥିବୀକୁ ଆସିବାପାଇଁ କେତେ ବାଟ ! ବାପ୍‍ରେ ବାପ୍ ! ତା’ଛଡ଼ା ଆକାଶରେ ମେଘ ହାଉଯାଉ । ତୁଷାରମେଘଗୁଡ଼ାକ ପୁଣି ବର୍ଷାଣ ମେଘଠୁ ଥାଆନ୍ତି ଆହୁରି ଊର୍ଦ୍ଧ୍ୱରେ । ଓହ୍ଲାଇ ଆସୁ ଆସୁ ବାଟରେ କୁଆପଥରଟି ଭେଟ ହୁଏ ଏଇ ବର୍ଷଣା ମେଘ ସାଥିରେ । ସେଇ ତାକୁ ଦିଏ ପାଣିର ବ୍ଲାଉଜ୍‍ଟି । ତାହା ପୁଣି ଜମାଟ ବାନ୍ଧିଯାଏ ବାଟରେ; ପାଲଟିଯାଏ ବରଫ ବ୍ଲାଉଜ୍ । କିନ୍ତୁ ବରଫ ବ୍ଲାଉଜ୍ ଉପରେ ସଫେଦ ତୁଷାରର ବ୍ଲାଉଜ୍‍ଟିଏ ପୁଣି ପାଏ କେମିତି ? ଏହା ଯେତେବେଳେ ବର୍ଷଣା ମେଘ ଭିତରୁ ବାହାରେ, ସେତେବେଳେ ପୃଥିବୀଆଡ଼େ ଆସେ ନାହିଁ; ତଳକୁ ଖସେ ନାହିଁ । ଓଲଟା ପୁଣି ଉପରକୁ ଉଠେ ତୁଷାରରାଜ୍ୟକୁ । ଏହା ନହେଲେ ତୁଷାର ବ୍ଲାଉଜ୍‍ଟା ପାଇବ କେଉଁଠୁଁ ଯେ । କିନ୍ତୁ ଆମର କୁଆପଥରଟି ଯୋଡ଼ିକରୁ ବେଶି ବ୍ଲାଉଜ୍ ଅଛି । ଏହାର ଅର୍ଥ, ସେ କେତେଥର ତଳ ଉପର, ଉପର ତଳ ହୋଇଥିବ । ଆଉ ପ୍ରତି ଥର ଗୋଟିଏ ଲେଖାଏଁ ନୂଆ ବ୍ଲାଉଜ୍ ପିନ୍ଧିଥିବ–ଉପରେ ତୁଷାର ବ୍ଲାଉଜ୍ ତ ତଳେ ବରଫ ବ୍ଲାଉଜ୍–ଏମିତି ।

 

ଏହା ଥରେ ତଳକୁ ଖସିଲା ପରେ ଉପରକୁ ଉଠିଥିବ କେମିତି ? ଏହାର ତ ଡେଣା ଫେଣା ନାହିଁ ।

 

ଆରେ, ତାକୁ ନଚେଇ ନଚେଇ ଉପରକୁ ଫିଙ୍ଗିଥିବ ପବନ ନିଶ୍ଚୟ । ପବନ ଛଡ଼ା ଆଉ କିଏ ଏଡ଼େ ବଳୁଆ ଯେ ତାକୁ ଟେକି ଫିଙ୍ଗି ପାରିଥାନ୍ତା ?

 

ଏବେ କୁଆପଥରର କାହାଣୀ ଜାଣିଲ । ତମେ ଏହା ବୁଝିପାରୁଥିବ, କାରଣ କୁଆପଥର କ’ଣ ପିନ୍ଧିଛି ତାହା ତମେ ଦେଖୁଚ । କିନ୍ତୁ ଧାରଣା କରିପାରିବ ଭଲା, ତାକୁ କେତେ ସମୟ ଲାଗିଥିବ ବ୍ଲାଉଜ୍‍ଗୁଡ଼ିକ ପିନ୍ଧିବାପାଇଁ, ପୁଣି ସେଗୁଡ଼ିକ ଭଲକରି ପିନ୍ଧିସାରିଲା ପରେ ବୁଲି ବାହାରିବା ପାଇଁ ? କି ଦୁଃଖର କଥା ସତେ ! ଯେଉଁଥିରେ ଏତେ ସାଜିସୁଜି ହୋଇ ବାହାରିଆସିଚି, ସେଗୁଡ଼ିକ ଯେ ଏଠି ପହଞ୍ଚୁ ପହଞ୍ଚୁ ମିଳେଇବାକୁ ବସିଲା ! ଯାହା ହେଉ, ଟିକିଏ ସମୟ ଅନ୍ତତଃ ପାଇପାରିଲା–ଦିନେ ସେ କେଉଁଠି ଥିଲା, କ’ଣ ସବୁ ଦେଖିଛି, ତାହାସବୁ ତମକୁ ଜଣାଇଦେଲା ତ !

 

ତମେ ଦେଖିଲ, ବର୍ଷଣା ମେଘ ଉପରେ ଥାଏ ତୁଷାରମେଘ । ଥରେ ତମେ ଭାବିଥିଲ ବୋଧହୁଏ ପବନଟା କେବଳ ବାଆଁରୁ ବା ଡାହାଣରୁ, ସାମନାରୁ ବା ପଛରୁ ବହେ । ଏବେ କିନ୍ତୁ ଜାଣିଲ ତ, ଆଉ ଗୋଟାଏ ପ୍ରକାର ପବନ ଅଛି, ଯାହା ଏକ ଉତ୍ସ ଭଳି ତଳୁ ଉପରକୁ ଉଠେ । କୁଆପଥରଟିଏ ଯେତେବେଳେ ବୁଲି ବାହାରିବାପାଇଁ ପୋଷାକପତ୍ର ପିନ୍ଧୁଥାଏ, ସେତିକିବେଳେ ଏଇ ପବନ ତାକୁ ତଳକୁ ଆସିବାକୁ ଛାଡ଼ିଦିଏ ନାହିଁ ।

 

ଯେଉଁମାନେ ଉଡ଼ାଜାହାଜରେ ମେଘ ଭିତରେ କିମ୍ବା ମେଘ ଉପରକୁ ଯାଆନ୍ତି, ସେମାନଙ୍କୁ ଭିନ୍ନ ଭିନ୍ନ ଧରଣର ମେଘ ଆଉ ପବନ ବିଷୟ ଜାଣିବାକୁ ହୁଏ । ତମେ ଯଦି ବିମାନଚାଳକ ହେବାକୁ ଚାହିଁବ, ତେବେ ତମକୁ ପାଣି ଆଉ ପବନର ବିଜ୍ଞାନ ଜାଣିବାକୁ ପଡ଼ିବ । ଏହା ହେଲେ ତୁମର ଉଡ଼ାଜାହାଜ ଆଉ ଝଡ଼ ସମୟରେ ପବନରେ ପିଟିହୋଇ ଦୋହଲିବ ନାହିଁ କି ହେମାଳ ମେଘ ଭିତରେ ପଡ଼ି ବରଫ ଚାଦର ଗୁଡ଼େଇହେବ ନାହିଁ । ଏହା ହେଲେ ତମେ ନିଜଠି ବିଶ୍ଵାସ ରଖି ସାହସର ସହିତ ଉଡ଼ାଜାହାଜଟିକୁ ଆକାଶମାର୍ଗରେ ନିଶ୍ଚିତ ଭାବରେ ଚଳେଇପାରିବ-

Image

 

ଯାତ୍ରାର ଶେଷ

 

ଆଉଥରେ ବର୍ଷାପାଣି ଟୋପାଏ ପଡ଼ିଲା ଭୂଇଁ ଉପରେ; ସୁର୍‍କିନି ଭେଦିଗଲା ମାଟି ଭିତରକୁ । ସେଠି ତାକୁ ଧରିପକେଇଲା ଗୋଟାଏ ଡେଙ୍ଗା ବାର୍ଚ୍ଚ ଗଛର ଚେର । ଗଛର ଗଣ୍ଡିବାଟେ ଯାଇ ସେଇ ପାଣିଟୋପାକ ପହଞ୍ଚିଲା ପତ୍ରରେ । ଗଛଟିର ଚେର ମାଟିରୁ ଯେଉଁ ଧାତବରସ ସଂଗ୍ରହ କରିଥିଲା ତାକୁ ନେଇ ପତ୍ରପାଖରେ ପହଞ୍ଚାଇଦେଲା । ସେହି ଧାତବ ପଦାର୍ଥ ଛଡ଼ା କୌଣସି ଉଦ୍ଭିଦ ବଞ୍ଚିପାରିବ ନାହିଁ । ପାଣିଟୋପାକ ପତ୍ରରେ ପହଞ୍ଚିଲା ପରେ ପୁଣି ବାଷ୍ପ ପାଲଟି ମିଶିଗଲା ପବନରେ । ସେଠି ପୁଣି ସେ ଦେଖିଲା, କେତେବେଳେ ଯାଇ ପଶିଗଲାଣି ଗୋଟିଏ ମେଘ ଭିତରେ । ଏମିତି ଆକାଶ ଆଉ ପୃଥିବୀ ଭିତରେ ଆଗକୁ ପଛକୁ, ପଛକୁ ଆଗକୁ ଯା-ଆସ କଲା ପାଣିଟୋପିକ । ବାଟରେ ପାଣି ଯୋଗେଇଲା ବିଲରେ ଗହମ ଆଉ ଧାନକୁ, ପଡ଼ିଆରେ ଘାସକୁ; ପାଣିରେ ଭରପୂର କରିଦେଲା କୁଅପୋଖରୀ, ନଈନାଳ ସବୁ । ନଈ ନାଳ ଗାଡ଼ିଆରେ ପିଲାଏ ଖସିରେ ପହଁରିଲେ । ବଡ଼ମାନେ ନାଆଖେଳରେ ମାତିଲେ । ପ୍ରକୃତରେ ପାଣିଟୋପିକ ଜୀବନରେ ଯାହା ସବୁ ଭେଟେ, ଯେଉଁ ଅସାଧ୍ୟ ସାଧନ କରେ, ଯେଉଁ ସାହସିକତା ଦେଖାଏ, ତାହା ସବୁ ଟିକିନିଖି କରିହେବ ନାହିଁ ।

 

ପାଣି ଅତି ଛୋଟ ଛୋଟ ବୁନ୍ଦାରେ ଝିରି ଝିରି ହୋଇ ମାଟି ଭିତରେ ପଶେ । ଏହା ମାଟିତଳର ଘନ ଘୋର ଅନ୍ଧକାର ଭିତରକୁ ଚାଲିଯାଏ । ପୁଣି ଥରେ ବରଫ ଭଳି ଥଣ୍ଡା ଆଉ ସ୍ଫଟିକ ଭଳି ନିର୍ମଳ ଝର ହୋଇ ମାଟିତଳୁ ବାହାରକୁ ବାହାରିବାଯାଏ ସେଇ ଅନ୍ଧକାରରେ ଥାଏ ସେ । ଝର ହୋଇ ବାହାରକୁ ଆସିଲା ପରେ ପାହାଡ଼ିଆ ନଈ ବା ଛୋଟ ଧାରଗୁଡ଼ିକୁ ସୃଷ୍ଟି କରେ । ଛୋଟ ପାହାଡ଼ିଆ ନଈଗୁଡ଼ିକ ବହିଯାଏ ବଡ଼ ନଈକୁ; ନଈ ବହେ ସମୁଦ୍ର ଆଡ଼କୁ । ତା’ପରେ ପାଣିକୁ ପୁଣି ଭେଟେ ପବନ; ପୁଣି ଘେନି ଆସେ କୂଳ ଆଡ଼କୁ......

 

ଏ ଗପର ଶେଷ କେଉଁଠି ଯେ ?

 

ହଁ, ସତେ ତ ? ଏଇତ ଅସଲ କଥା । ଏ ଗପର ତ ଜମା ଶେଷ ନାହିଁ । ବର୍ଷ ପରେ ବର୍ଷ ଆସେ, ବର୍ଷ ପରେ ବର୍ଷ ଯାଏଁ; ଶତାବ୍ଦୀ ପରେ ଶତାବ୍ଦୀ ଆସେ, ଶତାବ୍ଦୀ ପରେ ଶତାବ୍ଦୀ ଯାଏଁ–ପାଣି ଚକ୍ରାକାରରେ ବୁଲୁଥାଏ–ସମୁଦ୍ରରୁ ସ୍ଥଳଭାଗକୁ, ସ୍ଥଳଭାଗରୁ ସମୁଦ୍ରକୁ । ପାଣି ଯେଉଁ ଯେଉଁ ବାଟରେ ଗତି କରେ ତାହା ଜାଣିପାରିଲେ ଆମେ ତାକୁ ଆୟତ୍ତ କରୁ; ତାକୁ ଆମର ଶତ୍ରୁ ନ କରି ମିତ୍ର କରୁ । ପାଣିକୁ ଯଦି ଆୟତ୍ତରେ ରଖା ନ ଯାଇ ଛାଡ଼ିଦିଆହୁଏ, ତେବେ ଏହା ପ୍ରଳୟ ଘଟେଇଦେବ । ରୁଷର ବସନ୍ତକାଳର ବଢ଼ି ସମୟରେ ଅନ୍ତତଃ ମାଟିବନ୍ଧଦ୍ଵାରା ଏହାକୁ ରୋକା ନ ଗଲେ ଏହା ସହର, ଗାଁ ଗଣ୍ଡା କେତେ ଜାଗା ଭସାଇନେବ । ଏହା ଧସେଇ ବନ୍ଧକୁ ଓଲଟେଇ ଦେଇପାରେ । ତେଣୁ ଯେଉଁମାନେ ବନ୍ଧ ଗଢ଼ନ୍ତି, ସେମାନେ ପାଣିର ବଳ ପ୍ରତି ସବୁବେଳେ ଦୃଷ୍ଟି ରଖନ୍ତି । ଏହା ନହେଲେ ପାଣି କେବେ ସମ୍ଭଳା ପଡ଼ିବ ନାହିଁ । ତେଣୁ ବୁଝ ଏଥର ! ଇଞ୍ଜିନିଅର୍‍ମାନେ ପ୍ରକୃତରେ ବର୍ଣ୍ଣମାଳାକୁ ଭଲକରି ପଢ଼ି ପ୍ରତ୍ୟେକଟି ଅକ୍ଷର ଚିହ୍ନିରଖିବା ଦରକାର-

Image

 

 

 

 

 

 

 

 

 

 

 

 

 

ଜଙ୍ଗଲ ଓ ନଈ ମରୁଭୂମି ଓ ତୃଣଭୂମି

 

ନଈ ନିଜର ରୂପ ବଦଳେଇଲା

 

ଅନେକ ଦିନ ହେଲାଣି, ଗୋଟିଏ ଛୋଟ ନଈକୂଳରେ ଛୋଟ ସହରଟିଏ ଥାଏ । ସହର ପାଖରେ ଠିକ୍ ଘାଟଟି । ସେଠି ଆସି ଭିଡ଼ା ହେଉଥାଏ ଜିନିଷପତ୍ର ବୋଝେଇ ନାହା ଆଉ ପଟତନ ସବୁ । ଘାସବୁଦାରେ ଶାଗୁଆ ତୀଖ ନଈକୂଳ । ସ୍ତ୍ରୀଲୋକମାନେ ନଈକୁ ଯାଇ ଭାର କରି ପାଣି ଆଣୁଥାନ୍ତି । ଗୋଟିଏ ଗୋଟିଏ ବାହୁଙ୍ଗିର ଦୁଇମୁଣ୍ଡରେ ବଡ଼ବଡ଼ ମାଠିଆମାନ ଶିକାରେ ଓହଲେଇ ପାଣି ଆଣିବାକୁ କଷ୍ଟ ହେଉଥାଏ ସେମାନଙ୍କୁ ।

 

ସମୟ ଗଡ଼ିବା ସଙ୍ଗେ ସଙ୍ଗେ ସହରଟି ବଢ଼ିଲା । ଆଖପାଖରେ ଗାଁ ଗଣ୍ଡାସବୁ ସେଥିରେ ସାମିଲ ହେଲା । ସହରକୁ ଯିବା ବାଟରେ, ସହରର ମଝିରେବି ଘରସବୁ ତୋଳା ହେଲା-। କ୍ରମେ ସାଧାରଣ ରାସ୍ତାଗୁଡ଼ିକ ହେଲା ସହରର ରାସ୍ତା, ଗଳି । କାଠଘର ପାଖେପାଖେ ଅଳ୍ପ କେତୋଟି ପଥରଘରବି ମୁଣ୍ଡ ଟେକିଲା ।

 

ଶହ ଶହ ବର୍ଷ ବିତିଲା; ସହରଟି ଆହୁରି ସୁନ୍ଦର, ଆହୁରି ବିଭବଶାଳୀ ହେଲା । ଘରଗୁଡ଼ିକ ଆହୁରି ଉଚ୍ଚ ଆଉ ପ୍ରଶସ୍ତ ହେଲା । ସେଥିରେ ଅଧିକରୁ ଅଧିକ ଲୋକ ବସବାସ କରିବାକୁ ଲାଗିଲେ ।

 

ସହରଟି ବଢ଼ିଲା ସତ, କିନ୍ତୁ ନଈଟି ଆଦୌ ବଢ଼ୁ ନଥାଏ । ଶେଷରେ ଏମିତି ଅବସ୍ଥା ହେଲା ଯେ, ସହର ତୁଳନାରେ ନଈଟି ନିତାନ୍ତ ଛୋଟ ଦେଖାଗଲା; ସହରର ପାଣି ଆବଶ୍ୟକତାଟିକ ମେଣ୍ଟେଇ ପାରିଲା ନାହିଁ । ତମର ଗଲାବର୍ଷର କାମିଜ ଏବର୍ଷ ତମ ଦେହକୁ ନ ଅଣ୍ଟିଲାଭଳି କଥାଟି ହେଲା । ବଡ଼ବଡ଼ ଜାହାଜସବୁ କେବେ ତ ସହର ପାଖକୁ ଆସିପାରେ ନାହିଁ; କାରଣ, ଛୋଟ ନଈଟି ଯେମିତି ଅଣଓସାରିଆ, ସେମିତି ଅଗହିରିଆ ହୋଇଥାଏ । ତମେ ଜାଣ, ବଡ଼ ସହର ଲାଗି ମଝିଲାଧରଣ ଡଙ୍ଗାରେ ପ୍ରାୟ ବିଶେଷ କିଛି ଜିନିଷ ଅଣାଯାଇପାରେନା । ଏଣୁ ପାଣି-ନଅଣ୍ଟ ସହରଟିକୁ ବାଧିଲା । ଲୋକଙ୍କୁ ଜିନିଷପତ୍ର ମିଳିବାରେ ଅସୁବିଧା ହେଲା ।

 

ଲୋକେ ଚିନ୍ତିତ ହୋଇପଡ଼ିଲେ । ସେମାନେ ଭାବିଲେ–ସହରଟି ଏତେ ବଡ଼, ଏତେ ବିଭବଶାଳୀ ହେଲାଣି, ଦିନକୁଦିନବି ବଢ଼ିବାରେ ଲାଗିଛି, ସମୁଦାୟ ଦେଶରେ ଏହା ଗୁରୁତ୍ଵପୂର୍ଣ୍ଣ ସହର ଭାବରେ ଦେଖାଦେଲାଣି । ଏହା ଗୋଟାଏ ଖୁବ୍ ଶକ୍ତିଶାଳୀ ପ୍ରଶସ୍ତ ଆଉ ଗହିରିଆ ବଡ଼ ନଈକୂଳରେ ରହିବା ଉଚିତ । ପୃଥିବୀର ଚାରିଆଡ଼ୁ ଜାହାଜମାନ ଆସି ସହରଟିର ପାଖରେ ଯେମିତି ପହଞ୍ଚେ, ସେଥିପାଇଁ ବ୍ୟବସ୍ଥା ହେବା ଦରକାର । ଏଣୁ ସହରଟି ଗୋଟିଏ ବଡ଼ ନଈକୂଳରେ ରହିବ କ’ଣ, ଓଲଟି ଏହା ରହିଚି ଅତି ଛୋଟ ନଈକୂଳରେ । ଲୋକେ ତ ଏହାକୁ ଯେକୌଣସି ଦିନ ଗୋଟିଏ ସୁଡ଼ୁକାରେ ପିଇ ଶୁଖାଇଦେବେ ।

 

କିନ୍ତୁ ସହରଟିର ପାଖରେ ନହେଲେ କ’ଣ ହେଲା, ଦେଶଟାରେ ଯେ ଗୋଟାଏ ମସ୍ତବଡ଼ ନଈ ନଥିଲା, ଏହା ନୁହେଁ । ସେ ନଈଟି ଏଡ଼େ ପ୍ରଶସ୍ତ, ଏଡ଼େ ଗଭୀର ଥିଲା ଯେ, ବଡ଼ବଡ଼ ଜାହାଜସବୁ ଅକ୍ଳେଶରେ ପାଲ ଉଡ଼ାଇ ଯା-ଆସ କରିପାରିବା ପୂରାପୂରି ସମ୍ଭବପର ଥିଲା-। ତେବେ, ଗୋଟିଏ ମାତ୍ର ଅସୁବିଧା ଥିଲା–ଏହି ମସ୍ତବଡ଼ ନଈଟି ଥିଲା ରାଜଧାନୀ ସହରଠାରୁ ଅନେକ ଦୂରରେ ।

 

ଲୋକେ ତେଣୁ ଭାବିଲେ, ଏହି ବଡ଼ ନଈଟିକୁ କେମିତି ହେଲେ ସହର ପାଖକୁ ଆଣିବାକୁ ହେବ । ସହରଟି ତ ଦେଶର ରାଜଧାନୀ, ପୁଣି ବେଶ୍ ବିଶାଳ ଆକାର ଧରିଲାଣି । ତାକୁ ବଡ଼ ନଈକୂଳକୁ ଉଠାଇନେବା କଥା ଉପରେ ସେମାନେ ଆଦୌ ଜୋର ଦେଲେ ନାହିଁ । ତା’ଛଡ଼ା ନିଜର ଘରଦ୍ଵାର ବା କିଏ ଛାଡ଼େ ? ବରଂ ନଈଟିକୁ ସହର ନିକଟକୁ ଆଣିବାକୁ, ଏ କଥା କଳ୍ପନା କରିବା ସହଜ । କିନ୍ତୁ କଳ୍ପନାକୁ ସତରେ ବା ବାସ୍ତବରେ ପରିଣତ କରିବା ତ କାଠିକର ପାଠ । ରାଜଧାନୀ ସହର ଆଉ ବଡ଼ ନଈଟି ମଝିରେ ଘୋର ଜଙ୍ଗଲ, ବିରାଟ ବିରାଟ, ପାହାଡ଼, ପାହାଡ଼ ତ ନୁହେଁ, ଅତି ଉଚ୍ଚ ଉଚ୍ଚ ପର୍ବତ । ନଈକୁ ସିନା ଉଚ୍ଚାରୁ ନୀଚାକୁ ଅଣାଯାଇପାରେ, ଉପରକୁ ମୁହାଁଇ ହେବ କେମିତି ? କିନ୍ତୁ ଲୋକେ ଏଇ ସମସ୍ୟା ବିଷୟ ବିଚାର କରିବାକୁ ବସି ଦବିଗଲେ ନାହିଁ, ଉତ୍ସାହ ହରେଇଲେ ନାହିଁ । କାରଣ, ସେତେବେଳକୁ ସେମାନେ ଅନେକ ଅନେକ ଜଟିଳ ସମସ୍ୟା ତୁଟେଇ ସାରିଥାନ୍ତି, ପ୍ରକୃତରେ କହିଲେ, ଅଦ୍ଭୁତ ଅଲୌକିକ କାମମାନ ହାସଲ କରିଥାନ୍ତି । ସେମାନେ ଦୃଢ଼ସଂକଳ୍ପ କରି ଲାଗିପଡ଼ିଲେ । କିଛିଦିନ ଭିତରେ ସହର ଆଉ ବଡ଼ ନଈଟି ମଝିରେ ଗୋଟାଏ ବିରାଟ ମାହାରା ବା ନାଳ ଖୋଳିଦେଲେ । ଅସଲରେ ଏହା ଗୋଟିଏ ନଈ ଭଳି ହେଲା-। ତା’ର ଗର୍ଭଟି ଯେମିତି ଗଭୀର, ଦେହଟି ସେମିତି ଦୀର୍ଘ ହେଲା । ଯେଉଁଠି ପାହାଡ଼ ପର୍ବତ ସବୁ ସ୍ତରକୁ ସ୍ତର ବାଧା ଦେଇ ଛିଡ଼ା ହୋଇଥିଲା, ସେଠି ବିରାଟ ପାହାଚଶ୍ରେଣୀ ଗଢ଼ା ହେଲା । ପାଣି ସେହି ପାହାଚଶ୍ରେଣୀ ଡେଇଁ ଡେଇଁ ଉପରକୁ ଉପରକୁ ଉଠିଲା । ସେଇ ପାହାଚଶ୍ରେଣୀ ଉପରେ ଏତେ ବିପୁଳ ପରିମାଣରେ, ଆଉ ଗଭୀର ଗର୍ଭରେ ପାଣି ରହିଲା ଯେ, ବଡ଼ବଡ଼ ଜାହାଜ ସେଥିରେ ଯା-ଆସ କରିପାରିଲେ, ସହଜରେ ସେସବୁ ଆସି ରାଜଧାନୀ ସହର ପାଖରେ ପହଞ୍ଚିଲେ । ଏହି ସହରଠୁ ସମୁଦ୍ରକୂଳ ଅନେକ ଦୂରରେ । ହେଲେବି, ବଡ଼ ନଈଟିକୁ ବାଟ ଫିଟିବା ପରେ ସମୁଦ୍ରରୁ ଜାହାଜମାନ ଆସି ସହର ପାଖ ଘାଟରେ ଲାଗିଲା । ଏବେ ପାଞ୍ଚୋଟି ସମୁଦ୍ରର ଜାହାଜ ଏହି ଘାଟରେ ଦେଖିବାକୁ ମିଳିବ ।

 

କିନ୍ତୁ ଏ ଅଦ୍ଭୁତ ଘଟଣା ଘଟିଚି କେଉଁଠି, କେଉଁ ଦେଶରେ ? ସେ ଦେଶଟି ହେଉଚି ସୋଭିଏତ ରୁଷ ।

 

ସେଇ ସୁବିଶାଳ ନଈ ଭଲଗାର ପାଣି ଆସି କେମିତି ରାଜଧାନୀ ସହିତ ମସ୍କୋ ପାଖରେ ହାବୁକା ମାରୁଚି, ଏହା ଯଦି ତମେ ଦେଖିବାକୁ ଚାହଁ, ତାହାହେଲେ ଗୋଟିଏ ଟ୍ରଲିବସ୍ ବା ଟ୍ରମ ଚଢ଼ି ତମକୁ ମସ୍କୋଠାରୁ ଝିମ୍‍କି ବୋଲି ଗୋଟିଏ ନଈଘାଟକୁ ଯିବାକୁ ହେବ । ମସ୍କୋର ଗର୍କିଷ୍ଟ୍ରୀଟ୍‍ର ଦି’କରରେ ଛିଡ଼ା ହୋଇଛି ଦି’ଧାଡ଼ି ଲିଣ୍ଡେନ୍ ଗଛ । କିନ୍ତୁ ମସ୍କୋ ଉପକଣ୍ଠରେ ଲେନିନ୍‍ଗ୍ରାଦ୍ ହାଇୱେ ବା ଲେନିନ୍‍ଗ୍ରାଦ୍ ଜନପଥ ଧରିଲାବେଳକୁ ଦେଖିବ, ସେହି ରାସ୍ତା ବା ଜନପଥର ଦି’କରରେ ତାହା ଛିଡ଼ା ହୋଇଛି ଅନେକ ସମାନ୍ତରାଳ ଧାଡ଼ିରେ ଚମତ୍କାର ଭାବରେ ଗହଳିଆ ହୋଇ । ସେତିକିବେଳେ ଶୁଣିବ, ଟ୍ରଲିବସ୍ କଣ୍ଡକ୍ଟର୍ ବା ବାଟକଢ଼ାଳି ପାଟିକରି ଜଣେଇଦେବ ଶେଷମୁଣ୍ଡ ହୋଇଗଲା । ସେଠି ନଈ ତମ ଆଖିରେ ପଡ଼ିବ ନାହିଁ । କିନ୍ତୁ ପ୍ରତ୍ୟେକ ଜିନିଷ, ପ୍ରତ୍ୟେକ କଥା ସେଠି ତମକୁ ପାଣିର ସୂଚନା ଆଣିଦେବ, ପାଣିକୁହିଁ ମନେପକାଇଦେବ ।

 

ଆଗ ଦେଖିବ, ଗୋଟିଏ ପାର୍କ୍ ଅଛି । ପାର୍କ୍‍ର ଚାରିପଟେ ଯେଉଁ ବାଡ଼ ଦିଆହୋଇଚି, ସେଥିରେ ଲଙ୍ଗର ଆଉ ଲଙ୍ଗର-ଶିକୁଳି ବା ଲୁହା ଚେନ୍ ସବୁ ଖଞ୍ଜା ହୋଇ ସଜାହୋଇ ରହିଚି ସୁନ୍ଦର ଭାସ୍କର୍ଯ୍ୟ ରାତିରେ । ପାର୍କ୍‍ର ଫାଟକ ମୁହଁରେ ଅତି ଉଚ୍ଚ ମଞ୍ଚଟିଏ । ତାହା ଉପରେ ପଥରର ଗଢ଼ା ଝିଅ ମୂର୍ତ୍ତି ଗୋଟିଏ, ମୁଣ୍ଡରେ, ତା’ର ଟେକି ଧରିଚି ପାଲ-ଟଣା ବୋଇତ ବା ନାହା-। ତା’ପରେ ଦେଖିବ ପଟାଳିକୁ ପଟାଳି ନାନା ଜାତିର ଫୁଲ କିଆରି ମଝିରେ । ସେଗୁଡ଼ିକ ପାର ହୋଇଯାଇ ଲମ୍ବିଚି ଗୋଟିଏ ପ୍ରଶସ୍ତ ଆଭେନ୍ୟୁ ବା ଛାୟାମୟ ରାସ୍ତା । ସେଇଟି ପଡ଼ିଛି ଗୋଟିଏ ବିଶାଳ ଭବନ ଆଡ଼କୁ । ସେଇ ଭବନଟି ପୁଣି ତମକୁ ଦିଶିବ ତମକୁ ମସ୍ତବଡ଼ ଶୁଭ୍ର, ନୌକା ଭଳି । ସେଇ ଭବନଟିର ଚାରିପାଖରେ ବସିବାପାଇଁ ଗାଲେରି ବା ପାହାଚ ଭଳି ଉପରକୁ ଉପର ବେଞ୍ଚ୍‍ସବୁ ଅଛି । ସେଇ ଗାଲେରିସବୁ ମନେହେବ ଡକ୍ ବା ଜାହାଜବନ୍ଧାଘାଟ ଭଳି । ଆଉ ତା’ ମଝିରେ ଦେଖିବ, ଚାରିକୋଣିଆ ମିନାର ଗୋଟିଏ । ତା’ର ଚାରିପାଖରେ ବାଲ୍‍କନି ବା ଅଳନ୍ଦି-। ସେଇ ମିନାର ଦିଶିବ ଜାହାଜ ଉପରେ ଥିବା ନାକଦଣ୍ଡା ଆକୃତିର ଗଢ଼ଣଟିଏ ଭଳି-। ଶେଷରେ ତୁମେ ଦେଖିବ ମାସ୍ତୁଲଖୁଣ୍ଟି ଭଳି ଗୋଟିଏ ମୋଡ଼ିମୋଡ଼ିକିଆ ଏକଶୂଳିଆ ଚୂଡ଼ା । ସେଇ ଚୂଡ଼ା ଉପରେ ସବୁବେଳେ ଝକଝକ କରୁଚି ପାଞ୍ଚ କୋଣିଆ ସୁନାରଙ୍ଗର ତାରାଟିଏ ।

 

ତମେ ଅନେକ ଥର ରେଳଷ୍ଟେସନ୍ ଦେଖିଥିବ । କିନ୍ତୁ ନଈଷ୍ଟେସନ୍ କେବେ ଦେଖି ନଥିବ । ରେଳଷ୍ଟେସନ୍‍ରେ ଥାଏ ପ୍ଲାଟ୍‍ଫର୍ମ୍–ପ୍ରଶସ୍ତ ପଥରର ବା ସିମେଣ୍ଟର ଉଚ୍ଚ ଚଟାଣ । ତାହା ପାଖରେ କି ମଝିରେ ରେଳଲାଇନ୍‍ରେ ଆସି ଟ୍ରେନ୍‍ସବୁ ଲାଗେ । ନଈ ଷ୍ଟେସନ୍‍ରେ କିନ୍ତୁ ଗ୍ରାନାଇଟ୍ ପଥରର ବିସ୍ତୃତ ଆଉ ପ୍ରଶସ୍ତ ବନ୍ଧଥାଏ । ଏହିଠାରେ ଜାହାଜଗୁଡ଼ିକର ଲଙ୍ଗଳ ପଡ଼େ । ଏଣୁ, ଏହା ଲଙ୍ଗର ସ୍ଥାନ । ଏଠି ଦେଖାଯାଏ ରେଳଷ୍ଟେସନ୍‍ର ରେଳଲାଇନ୍ ଓ ଲୋକଙ୍କ ବେକରେ ଉଡ଼ୁଥିବା ଗଣ୍ଠିପକା ନେକ୍‍ଟାଇ ପରିବର୍ତ୍ତେ ପାଣି ଆଉ ସି-ଗଲ ବା ଶଙ୍ଖଚିଲ ଚଢ଼େଇ, ରେଳଇଞ୍ଜିନ୍ ଆଉ ଡବାଗୁଡ଼ିକ ସ୍ଥାନରେ ବାଷ୍ପୀୟ ନୌକା ବା ଜାହାଜ ଆଉ ଡିଜେଲ ଜାହାଜ ।

 

ନାହା ବା ବୋଟ୍‍ପାଇଁ ଅପେକ୍ଷା କରି ରହିବା ଅପେକ୍ଷା ନଈଷ୍ଟେସନ୍‍ଠାରୁ ଅତି ଅଳ୍ପ ବାଟ ଯାଇ ଜିନିଷପତ୍ର ଲଦାଲଦି ଓହ୍ଲାଓହ୍ଲି ହେଉଥିବା ବନ୍ଦରଟିକୁ ଦେଖିଆସିବା ଉଚିତ ହେବ । ସେଠିକି ଯାଉଁ ଯାଉଁ ତମେ ନିଶ୍ଚୟ ପଚାରିବ, ଆରେ, ସେଠି ସେଇ ଚାରିକୋଣିଆ ହତାର ପିଚୁଢ଼ଳା ଚଟାଣରେ କ’ଣ ସେଗୁଡ଼ାକ ? ନା ସେଗୁଡ଼ାକ, ମୋଟରଗାଡ଼ିଗୁଡ଼ାକ ଯେ ଚକ୍‍ଚକ୍ କରୁଚି ନୂଆସବୁ । ଆଉ ସେଠି ଗଦାକୁ ଗଦା ମୋଟର ଟାୟାର, ଆଉ ହେଇ, ଜମା ହେଇଚି ଗହମ ଭର୍ତ୍ତି ବସ୍ତାସବୁ, ଚିକ୍‍ଚିକ୍ କରୁଚି ଧଳା ଧଳା ଲୁଣର ପାହାଡ଼ । ଏଇ ବିଭିନ୍ନ କିସମର ଜିନିଷକୁ ସବୁ ଇଂରେଜୀରେ କୁହାଯାଏ ‘କାର୍‍ଗୋ’ ବା ଜାହାଜୀମାଲ ।

 

ଆଗେ ନାହାର ପଟତନରେ ମାଲସବୁ ବୋହିନେଇ ଲଦୁଥିଲେ, ଆଉ ସେଥିରୁ ଉତ୍ତାରୁଥିଲେ ଷ୍ଟିଭଡ଼େର୍ ବା ଖଲାସିମାନେ । ସେମାନେ ଥିଲେ ବେଶ୍ ଉଞ୍ଚା ଉଞ୍ଚା, ବଳୁଆ ଆଉ ପଥର ଭଳି ଟାଣ । ଓସାରିଆ ଓସାରିଆ କାନ୍ଧରେ ତାଙ୍କର ନାଚୁଥିଲା ମାଂସପେଶୀଗୁଡ଼ିକ । ସେମାନଙ୍କ ଭିତରୁ ଜଣେ ବଡ଼ ବସ୍ତା କି ଜିନିଷ ଭର୍ତ୍ତି ଢାବଲ ବା ବାକ୍ସ ଜାହାଜରୁ ଉତ୍ତାରି କୂଳକୁ ନେଲାବେଳେ ନଇଁପଡ଼ୁଥିଲେ ଆଗକୁ । ଅନ୍ୟମାନେ ବସ୍ତା କି ଢାବଲକୁ ଟେକି ଲଦିଦେଉଥିଲେ ପିଠିରେ । ଏହି ଜିନିଷବୁହାଳି ଖଲାସି ଖାଲି ବଳୁଆ ହେଲେ ଚଳୁ ନଥିଲା । ତାଙ୍କୁ କିଛି କଳକୌଶଳବି ଜାଣିବାକୁ ହେଉଥିଲା । ଦକ୍ଷତା ନଥିଲେ ଏଭଳି ଖଲାସି ଏତେ ବଡ଼ ଭାରୀ ଜିନିଷ ଯେତେ ବଳୁଆ ହେଲେବି ବୋହି ପାରୁ ନଥାନ୍ତା । ତା’ର ଅଣ୍ଟାପିଠି ଭାଙ୍ଗିଯାଆନ୍ତା ! ସେ ଆଖିପିଛୁଳାକେ ତଳେ ପଡ଼ି ମରିଯାଆନ୍ତା ସେଇ ବୋଝ ବୁହାଳି ଖଲାସି ଧୀରେ ଜାହାଜଠୁ କଳକୁ ଲାଗିଥିବା ପଟାପକା ବାଟରେ ଧୀରେ ଧୀରେ ମାଲ ନେଇ କୂଳକୁ ଯାଉଥିଲା । ସେଠି ସେ ମାଲ ଓହ୍ଲାଉଥିଲା । ଚାଳିଶବର୍ଷରୁ ବେଶୀ ବର୍ଷ ବୟସର ଲୋକ ଖଲାସି କାମରେ ପଶୁ ନଥିଲେ । ଏତେ ଶକ୍ତ ଥିଲା ସେ କାମ । ବେଶି ଦିନବି କେହି ସେ କାମରେ ଲାଗିରହି ଖଟିପାରୁ ନଥିଲେ ।

 

ଏବେ କିନ୍ତୁ ବନ୍ଦର ଶ୍ରମିକମାନଙ୍କୁ ମାଲ ଲଦାଲଦି, ମାଲ ଉତ୍ତରାଉତ୍ତରି କାମରେ ସାହାଯ୍ୟ କରୁଛନ୍ତି ଲୁହାର ଖଲାସି । କ୍ଳାନ୍ତ ହୋଇପଡ଼ିବା କ’ଣ ଏହି ଖଲାସି ଜାଣନ୍ତି ନାହିଁ । ଏଗୁଡ଼ିକର ରାକ୍ଷସ ଭଳି ବଳ । ଏଗୁଡ଼ିକ ଭିତରୁ ଗୋଟାଏ ଗୋଟାଏ ମୋଟରଗାଡ଼ିକୁ ଜାହାଜ ଡେକ୍ ଉପରୁ ଆଣନ୍ତି, ତୁଳା ମେଞ୍ଚାଏ ନେଲାଭଳି ଉଠାଇନେଇ ଥୋଇଦିଅନ୍ତି କୂଳରେ । ନା, ଟିକିଏ ହେଲେ ଥକିପଡ଼ନ୍ତି ନାହିଁ । କୂଳରେ ଧାଡ଼ି ଧାଡ଼ି ହୋଇ ରହନ୍ତି । ଦୂରରୁ ଦେଖିଲେ ମନେହେବ, ଲମ୍ବା ଲମ୍ବା ପାଉଁଶିଆ ଦେହ, ଏହି ଅଦ୍ଭୁତ ଭୟଙ୍କର ଖଲାସିଗୁଡ଼ିକ ସତେଅବା ଛିଡ଼ା ହୋଇଚନ୍ତି ପଛରେ ତାଙ୍କର । ଏହି ଦୈତ୍ୟଗୁଡ଼ାକ ପ୍ରକୃତରେ ଲୁହାର କ୍ରେନ୍ । ତମେ ଚାହିଁଥିବ, ସେଥିରୁ ଗୋଟିଏ ଯିବାକୁ ବାହାରିବ । ଧୀରେ ଧୀରେ ଗତି କରିବ ଧରାବନ୍ଧା ରାସ୍ତାରେ । କ୍ରେନ୍‍ଚାଳକ ବସିଥିବ କାଚର ବଡ଼ ବାକ୍ସ ଭଳି ଗୋଟିଏ ଘର ଭିତରେ । କ୍ରେନ୍‍ଟା ଗଡ଼ି ଗଡ଼ି ଯାଇ ପହଞ୍ଚିଯିବ ଜିନିଷବୁହା ବୋଝେଇ ଜାହାଜ ପାଖରେ । ସେଇଠି ଯାଇ ନିଃଶ୍ଵାସ ମାରିବ । ତା’ପରେ ତା’ର ଲମ୍ବା ତିନିକୋଣିଆ ପାପୁଲିର ଭାଙ୍ଗଭାଙ୍ଗ ହାତଟା ବଢ଼େଇଦେବ ଜାହାଜ ଆଡ଼କୁ । ଦେଖିବ ତମେ, ସେକେଣ୍ଡକ ଭିତରେ ଗୋଟାଏ ହାଲୁକା ପାଉଁଶିଆ ରଙ୍ଗର ‘ପୋବେବା’ ନାମର ମୋଟରଗାଡ଼ି ଝଲିଲାଣି ଯାଇ ପାଣି ଉପରେ । ଏଇ ଗାଡ଼ିଟି ସେତେବେଳ ଯାଏଁ କେଉଁଠି ହେଲେ ରାସ୍ତା ଟିକିଏ ଛୁଇଁ ନଥିବ । ସିଧା ସିଧା ଜାହାଜରେ ଗର୍କିରୁ ଆସିଥିବ ମସ୍କୋକୁ । ଆଉ ତା’ପରେ ଉଡ଼ାହୋଇ ଯିବ ମସ୍କୋର ଘାଟ ଉପରକୁ ।

 

ଶ୍ରମିକମାନଙ୍କର ଆଉ କେତେକେତେ କିସମର ସାହାଯ୍ୟକାରୀ ଅଛନ୍ତି । ଏମାନଙ୍କ ଭିତରୁ ଛୋଟ ଛୋଟ ବାମନ ଭଳି କ୍ରେନ୍‍ଗୁଡ଼ିକ ଜାହାଜରୁ ଡେକ୍ ବା ଛାତ ଉପରେ ଥାଇ ମାଲ ଭର୍ତ୍ତି କ୍ରେନ୍‍ ବା ବଡ଼ ଢାବଲକୁ ସବୁ ଟେକାଟେକି ଉଠାଉଠି କରନ୍ତି । ଲୁହାର ଲମ୍ବା ଡାଲାଭଳି ପଟାସବୁ ବସ୍ତାଗୁଡ଼ାକୁ ଗଡ଼େଇନେଇ ପହଞ୍ଚାଇଦିଏ କୂଳରେ । ଲାଲ ରଙ୍ଗର ଟ୍ରାକ୍‍ଟର୍ ଭଳି ଆଉ ଗୋଟିଏ ପ୍ରକାର ଗାଡ଼ି, ସାମନାରେ ତା’ର ଦୁଇଟି ହାତ ବନ୍ଧପାଖରେ ତଳୁ ଉପରୁ, ଉପରୁ ତଳକୁ ଖସୁଥାଏ, ଉଠୁଥାଏ–ସଦାବେଳେ ଚାଲିଥାଏ । ଟାୟାର ଗଦା ପାଖକୁ ଯାଇ ଗୁଡ଼ିଏ ଗୁଡ଼ିଏ ଟାୟାର ଲଦା ହୋଇଥିବା ପଟାକୁ ଧରିପକାଏ ଲୁହା, ହାତରେ, ଆଉ ତାକୁ ବୋହିନେଇଯାଏ ଗୋଦାମକୁ । ସେଠି ହୁଏତ କେତେକେତେ ଟାୟାର ଜାହାଜରୁ ଖଲାସ ହୋଇ ଆଗରୁ ଜମା ହୋଇସାରିଥିବ । କିନ୍ତୁ ସେଇ ହାତ ଦୁଇଟା ଟାୟାର ଗଦା ଉପରକୁ ଉଠିଯାଇ ବୋହିନେଇଥିବା ଟାୟାରକୁ ରଖିଦିଏ ।      

 

ଏଥର ତମକୁ ନଈଷ୍ଟେସନ୍‍କୁ ଫେରିବାକୁ ହେବ, ନହେଲେ ତମେ ଜାହାଜ ଧରିପାରିବ ନାହିଁ । ତେବେ, ଯେତେ ଅନ୍ୟମନସ୍କ ଲୋକ ହେଲେବି ସେ ଷ୍ଟେସନ୍‍ରେ ଜାହାଜ ଫେଲ୍ ହେବା ଭୟ ନଥାଏ । କାରଣ ଡାକବାଜି ଯନ୍ତ୍ରରେ ଗୋଟାଏ ସ୍ଵର ବାରମ୍ବାର ଡାକି ଚେତାଉଥିବ–ହେଇ !ଶୁଣ, କାନ ଦିଅ ! ଲେଭାନେଭିସ୍କ ଜାହାଜରେ ଯେଉଁମାନେ ଯିବେ, ସେମାନଙ୍କୁ ଅନୁରୋଧ, ତୁରନ୍ତ ଚାଲିଆସନ୍ତୁ ଜାହାଜ ଉପରକୁ ।

 

ଯାତ୍ରୀମାନଙ୍କୁ କୂଳରୁ ଜାହାଜ ଉପରକୁ ଗୋଟାଏ କାଠପୋଲରେ ତିଆରି ଭସାପୋଲ ଉପରେ ଯିବାକୁ ହୁଏ । (ସେଇଟିକୁ ଇଂରେଜୀରେ କୁହାଯାଏ ଗ୍ୟାଙ୍ଗ୍‍ୱେ) । ଏଇ ଜାହାଜଚଢ଼ା ବାଟରେ ଯାଇ ଯାତ୍ରୀମାନେ ଆଗ ବସିପଡ଼ନ୍ତି, ଡେକ୍ ଚେୟାର ବା ଜାହାଜୀ ଚୌକି ଉପରେ । ଗୋଟାଏ ସିଟି ବାଜିଉଠେ । ସେତେବେଳକୁ ଯାତ୍ରୀମାନେ ହୁଏତ ଗପ ଆରମ୍ଭ କରିଦେଇଥାନ୍ତି, ନିଜ ନିଜ ଲୋକଙ୍କଠୁ ବିଦାୟ ନେଉଥାନ୍ତି । ଜାହାଜରେ ଚାରିଆଡ଼େ ପାଟିତୁଣ୍ଡ ଶୁଭୁଥାଏ । ଜାହାଜର ସିଟି ଯେମିତି କହେ–‘‘ବିଦାୟ, ମସ୍କୋ’’ ଧୀରେ ଧୀରେ କୂଳଟା ଘୁଞ୍ଚି ଘୁଞ୍ଚି ଯାଏଁ ଯେମିତି-। ପାଣି ଆଉ ଓହ୍ଲାଓହ୍ଲି ଜାଗା ମଝିରେ ଥିବା ପାଣିସୋରାକ ଓସାରିଆ ହୋଇ ଆସେ ପ୍ରତି ସେକେଣ୍ଡରେ । ଜାହାଜର ମଙ୍ଗଟା ପାଣିକୁ କାଟି ଦି’ଭାଗ କରିବାକ୍ଷଣି ଯୋଡ଼ିଏ ଢେଉ ଉଠି ବିପରୀତ ଦିଗକୁ ଯାଇ ଭାଜିପଡ଼େ କୂଳରେ ।

 

ତମେ ଜାଣିଥିବ, ମୋଟରଚାଳକମାନଙ୍କୁ ବାଟ ଦେଖାଇବା, ସାହାଯ୍ୟ କରିବା ସକାଶେ ରାସ୍ତାରେ ସଙ୍କେତଖୁଣ୍ଟି ସବୁ ଥାଏ । ପାଣିରେ ବାଟ ଦେଖାଇବା ପାଇଁ ସେମିତି ଦି’ଧାଡ଼ି ଲାଲ ଓ ଧଳା ରଙ୍ଗର ଟିପେଇ ବା ବୟସବୁ ଭାସୁଥାଏ–ଗୋଟିଏ ଧାଡ଼ି ବାଆଁରେ, ଗୋଟିଏ ଡାହାଣରେ । ଏହି ଟିପେଇ ବା ବୟ ଲୁହାର ଫମ୍ପା ପିମ୍ପାଗୁଡ଼ିଏ । ପ୍ରତ୍ୟେକଟିରେ ଗୋଟିଏ ଇଲେକ୍‍ଟ୍ରିକ ବଲ୍‍ବ ଥାଏ । ସଞ୍ଜହେଲେ ସେଗୁଡ଼ିକ ଜଳିଉଠେ । ପାଣିରେ ଆଲୁଅର ଶ୍ରେଣୀ ଝଲସି ଉଠେ । ଏହି ଟିପେଇ ଆଲୁଅଗୁଡ଼ିକ ବତୀଘର କାମ କରନ୍ତି । ବାଟ ଭୁଲିବାର ଭୟ ରହେ ନାହିଁ ।

 

ଭଲ୍‍ଗାଠି ମସ୍କୋକୁ ଆସିଥିବା ମଣିଷ ତିଆରି ନଈ ବା କେନାଲଟି ଆଠମାଇଲ ଲମ୍ବା-

 

ନଈର ସ୍ଵଭାବ ହେଉଚି, ଏହା ଢାଲୁ ଅଞ୍ଚଳକୁ ବହିଆସେ । ଢିପକୁ, ପାହାଡ଼ ଉପରକୁ କେମିତି ଉଠିବାକୁ ହେବ, ସେ ଜାଣେନା । କିନ୍ତୁ କୃତ୍ରିମ ନଈଟି ଭଲ୍‍ଗାରୁ ମସ୍କୋକୁ ଆସିଲାବେଳେ ୧୧୭ ଫୁଟ୍ ଉପରକୁ ଉଠି ଉଠି ଆସେ । ଏହା ଯେମିତି ସହଜରେ ଆସିପାରିବ, ସେଥିପାଇଁ ପାହାଚଶ୍ରେଣୀ ତିଆରି ହୋଇଚି । ଭଲ୍‍ଗାକୂଳରେ ଥିବା ଗୋଟିଏ ସହରରୁ ଯେତେବେଳେ ଜାହାଜଟିଏ ମସ୍କୋ ଆସିବାକୁ ବାହାରେ, ଆଗ ତାହା ପାହାଚଶ୍ରେଣୀର ପ୍ରଥମ ପାହାଚ ପାଖରେ ପହଞ୍ଚେ । ସେଠି ଦେଖେ, ବିରାଟ ଲୁହା ଫାଟକରେ କେନାଲ ବାଟ ବନ୍ଦ । କିନ୍ତୁ ବିରାଟ ଓଜନିଆ ଫାଟକ ମୁହୂର୍ତ୍ତକରେ ସତେ ଯେମିତି କାଉଁରୀ କାଠି ଲାଗି ଫିଟିଯାଏ, ଆଉ ଜାହାଜଟି ପଶେ ଲମ୍ବା ଆଉ ଓସାରିଆ କରିଡ଼ର ବା ଗଳିରାସ୍ତାରେ । ସେଇ କରିଡ଼ରକୁ କୁହାଯାଏ ଲକ୍ । ଏହାର ଆରମୁଣ୍ଡରେ ଆଉ ଗୋଟିଏ ବିରାଟ ଫାଟକ ଥାଏ । ଏହି ଲକ୍‍ର ଦୁଇପଟେ ଥିବା କାନ୍ଥ ଖୁବ୍ ଉଚ୍ଚ; ଏତେ ଉଚ୍ଚ ଯେ, ଜାହାଜଟିଏ ଲକ୍ ଭିତରେ ଥିଲେ କାହିଁ କେଉଁ ତଳେ ରହେ ସେଇ କାନ୍ଥ ପାଖରେ-। ତା'ପରେ ଯେଉଁ ଫାଟକ ଖୋଲିଯାଇଥାଏ, ତା' ବନ୍ଦ ହୋଇଯାଏ । ଲକ୍ ଭିତରେ ପାଣି ଶୀଘ୍ର ଶୀଘ୍ର ଉପରକୁ ଉଠେ । ପାଣି ଉଠିବା ସଙ୍ଗେ ସଙ୍ଗେ ଜାହାଜଟି ମଧ୍ୟ ଉଠୁଥାଏ । ଜାହାଜଟି ପାଣି ଆଉ ଭୂଇଁରେ ସ୍ଥିତି ଅନୁସାରେ ସ୍ଥିର ହୋଇଥିବା ଗୋଟିଏ ସ୍ତରକୁ ଉଠିଲା ପରେ ଲକ୍‍ର ଆରମୁଣ୍ଡରେ ଥିବା ଫାଟକ ଖୋଲିଯାଏ । ଜାହାଜଟି ପୁଣି ଯାଇ ପଶେ କେନାଲରେ । ସେଠୁ ଭାସି ଭାସିକା ଚାଲେ ଆଗକୁ ।

 

ଏମିତି ଭାବରେ ଠାଆକୁ ଠାଆ ଉପରକୁ ଉପରକୁ ପ୍ରତି ପାହାଚ ଡେଇଁ ପାଣି ଉଠେ । ପାହାଚଗୁଡ଼ାକ କିନ୍ତୁ ମସ୍ତ ବଡ଼ବଡ଼–ପ୍ରତ୍ୟେକଟି ଉଚ୍ଚତାରେ ୨୬ ଫୁଟ୍ ।

 

ପ୍ରକୃତିର ନିୟମ ବିରୁଦ୍ଧରେ ଯାଇ ସେମାନେ ପାଣିକୁ ଉପରକୁ ଉଠେଇପାରୁଛନ୍ତି କେମିତି ? ଲକ୍‍ଗୁଡ଼ିକର ପାଖେପାଖେ ପାଣି ପମ୍ପ୍ କରି ଉଠେଇବାରେ କେନ୍ଦ୍ରସବୁ ଅଛି । ଅତି ଶକ୍ତିଶାଳୀ ପମ୍ପ୍ ଯୋଗେ କେନାଲପାଣିକୁ ବଡ଼ବଡ଼ ପାଇପ୍ ଭିତରେ ନିଆଯାଇ ଲକ୍‍ରେ ସବୁ ଭର୍ତ୍ତି କରାଯାଉଚି । ତାକୁ ଆବଶ୍ୟକ ଅନୁସାରେ ରୋକି ଲକ୍‍ରେ ପାଣି କମ୍ କରାଯାଉଚି, ପୁଣି ବଢ଼େଇ ଦିଆଯାଇପାରୁଚି ।

 

କିନ୍ତୁ ମସ୍କୋରୁ ଭଲ୍‍ଗାଆଡ଼କୁ ଯାଉଥିବା ଜାହାଜଗୁଡ଼ିକ ଯାଏଁ କେମିତି ? ସେଗୁଡ଼ିକ ପାଣି ପାହାଚରେ ତଳକୁ ଖସେ କି ଉପାୟରେ ? ଜାହାଜଟି ଲକ୍‍ରେ ପଶିଲାବେଳେ ପାଣି ଉଚ୍ଚରେ ଥାଏ । ଏହାକୁ ଆସ୍ତେ ଆସ୍ତେ କାଢ଼ିନିଆଯାଏ କେନାଲକୁ । ପାଣିର ସ୍ତର ତଳକୁ ତଳ ଖସେ । ତମେ ଯଦି ଜାହାଜର ଡେକ୍ ଉପରେ ଛିଡ଼ା ହୋଇଥାଅ, ଦେଖିବ, ଲକ୍‍ର ଦୁଇପଟ କାନ୍ଥ ଉପରକୁ ଉପରକୁ ଉଠୁଚି, ବଢ଼ି ବଢ଼ି ଯାଉଚି । ପ୍ରକୃତରେ କିନ୍ତୁ ସେତେବେଳେ ତମ ଜାହାଜଟି ପାଣି ଖସିବା ସଙ୍ଗେ ସଙ୍ଗେ ତଳକୁ ଖସୁଥିବ ।

 

ପ୍ରକାଣ୍ଡ ପ୍ରକାଣ୍ଡ ଭାରୀ ଫାଟକଗୁଡ଼ାକୁ ଖୋଲେ କିଏ, ବନ୍ଦ କରେ କିଏ ! ଲକ୍ ଭିତରେ ପାଣିକୁ ଖସିବାପାଇଁ, ଉଠିବାପାଇଁ ଆଦେଶ ଦିଏ କିଏ ?

 

ଏସବୁ କରେ ସେଇ ଲୋକଟି ଯିଏ ବସିଥାଏ ଲକ୍ ଉପରେ ଥିବା ଉଚ୍ଚ ମିନାରଟିରେ । ତା’ ସାମନାରେ ଶଙ୍ଖ ମଲମଲ ପଥରର କାନ୍ଥରେ ଥାଏ ବଡ଼ବଡ଼ କାନ୍ଥ ଘଣ୍ଟା ଭଳି ବଡ଼ବଡ଼ କଣ୍ଟାଲଗା ଯନ୍ତ୍ର କେତୋଟି । ସମୁଦାୟ ମାର୍ବଲ କାନ୍ଥଟିକୁ ଲାଗି ଢାଲୁହୋଇ ବା ଅଣେଇହୋଇ ରହିଥାଏ ଟେବୁଲଟିଏ । ସେଥିରେ ଥାଏ ଗୁଡ଼ିଏ ଲିଭର (ଚାବି), ଆଉ ନବ୍ (knob) ବା ଗୋଲେଇ କୁହୁଣ୍ଡା । ଗୋଟିଏ ଲିଭର ମୋଡ଼ିଲେ ଲକ୍‍ର ଫାଟକ ଖୋଲିଯାଏ, ଆଉ ଗୋଟିଏ ମୋଡ଼ିଲେ ପାଣିପମ୍ପ୍ ତେଣେ ତା’ କାମ ଆରମ୍ଭ କରେ । ମିନାର ଭିତରେ ବସିଥିବା ଲୋକଟି ଯାଦୁକର ଯେମିତି । ଲକ୍‍ର ଜୀବନ ନାଟିକା ତା’ ହାତରେ । ଲିଭର ଆଉ ନବ୍‍ଗୁଡ଼ିକ ଟିକିଏ ଟିକିଏ ମୋଡ଼ିଦେଇ ସେ ଭିନ୍ନ ଭିନ୍ନ ଧରଣର ଆଠଶହ ପଚାଶଟି ହୁକୁମ ଦେଇପାରେ ସେଠିଥିବା ମେସିନ୍‍ଗୁଡ଼ିକ ।

 

ଏହି ମସ୍କୋ କେନାଲ ତିଆରି ହେବା ପୂର୍ବରୁ ପୃଥିବୀରେ ଆଉ କେଉଁଠି ସେମିତି କେନାଲ ନଥିଲା । ମଜାର ବିଷୟ ହେଉଚି, ଏହି କେନାଲର ତଳେ ତଳେ ସୁଡ଼ଙ୍ଗ ଅଛି । ସେଇ ସୁଡ଼ଙ୍ଗରେ ମୋଟରଗାଡ଼ି ଓ ଟ୍ରାମ୍ ଯା-ଆସ କରୁଛି । ଟ୍ରେନ୍‍ସବୁ ଏହି କେନାଲ ଉପରେ ଝୁଲୁଥିବା ପୋଲ ଉପରେ ଛୁଟୁଛି । ଭଲ୍‍ଗାଠୁ ଅଳ୍ପ ଦୂରରେ ଏହି କେନାଲକୁ ‘ସେସ୍ତା’ ନଈଟିକୁ ଆଡ଼ବାଗରେ କାଟି ଯିବାକୁ ପଡ଼ିଚି । କେନାଲକୁ ବାଟ ଛାଡ଼ିବାପାଇଁ ଗୋଟାଏ ବିରାଟ ପାଇପ୍‍ରେ ଏଇ ସେସ୍ତା ନଈକୁ ବନ୍ଦିନୀ ହେବାକୁ ପଡ଼ିଥିଲା । ଯାତ୍ରୀମାନେ ଜାହାଜରେ ଗଲାବେଳେ ଏହି ଜାଗାରେ ଦେଖିପାରନ୍ତି–କେନାଲ ତଳୁ କେମିତି ଚିପି ହୋଇ ଭୁସ୍ ଭୁସ୍ ହୋଇ ସେସ୍ତା ନଈ ପଡ଼ୁଚି ଯାଇ ନିଜର ପ୍ରାକୃତିକ ଶଯ୍ୟାରେ ।

 

ତମେ ଯେତେବେଳେ ଏସବୁ ଦେଖିବ, ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚୟ । କି କଠିନ ପରିଶ୍ରମରେ ଏ କେନାଲ ଖୋଳା ହୋଇ ନଥିବ ! ଡ୍ୟାମ, ପାଣିଭଣ୍ଡାର, ଲକ୍, ପମ୍ପ୍‍କେନ୍ଦ୍ର, ବତୀଘର, ଖିଲାଣଖମ୍ବ, ଯାତ୍ରୀଷ୍ଟେସନ୍ ପ୍ରଭୃତି ଗଢ଼ା ହୋଇ ନଥିବ । କ୍ରେମଲିନ୍ କାନ୍ଥ ପାଖରେ ଯାଇ କେମିତି ଭଲ୍‍ଗା ପାଣି ପହଞ୍ଚିପାରିବ, ସେଥିସକାଶେ ମସ୍କୋ ପାଖରେ ଗୋଟିଏ ଡ୍ୟାମ ଗଢ଼ାହୋଇଥିଲା । ସେଇ ବିଶାଳ ନଈ ଭଲ୍‍ଗା ଏହା ଫଳରେ ଏମିତି କୂଳ ଉଛୁଳେଇ ଉଠିଥିଲା ଯେ, ସେଥିରେ ଗୋଟିଏ ହ୍ରଦ ସୃଷ୍ଟି ହୋଇଯାଇଥିଲା । ଏହି ହ୍ରଦ ଏଡ଼େ ବିରାଟ ଯେ, ଏହାକୁ କୁହାଯାଉଚି “ମସ୍କୋ ସାଗର” । ଏବେ ସେଠି ବୁଡ଼ିଯାଇଥିବା ବିରାଟ ବିରାଟ ଗଛଗୁଡ଼ିକର ଶିଖ ଉପରେ ଜାହାଜସବୁ ଭାସି ଭାସି ଚାଲୁଚି ।

 

ମସ୍କୱା ନଈ ମସ୍କୋକୁ ଯେତେ ପାଣି ଯୋଗଉଥିଲା, ତାହାର ବାରଗୁଣ ପରିମାଣର ପାଣି ଏବେ ମସ୍କୋ କେନାଲଟିରୁ ପାଉଚି । ଏହି କେନାଲ ବିଖ୍ୟାତ ପାନାମା କେନାଲ ଅଧିକା ୩୦ ମାଇଲ ଲମ୍ବ । ଏହା ହେଲେବି ଏହି କେନାଲ ଖୋଳା ଆଦି କାମ ଶେଷ ହୋଇଥିଲା ମାତ୍ର ୪ ବର୍ଷ ୮ ମାସ ମଧ୍ୟରେ ।

 

କେନାଲଟିରେ ଜାହାଜରେ ବସି ତମେ ଯଦି ପାଣିର ଚିକ୍କଣ ସମତଳ ଉପର ସ୍ତରଟିକୁ ଅନାଅ, ସେଥିରେ ପ୍ରତିଫଳିତ ହୋଇଥିବା ସବୁଜ କୂଳର ଛାୟା ଦେଖ, ତୁମେ କଳ୍ପନା କରିପାରିବ ନାହିଁ, ଏହି କେନାଲ ତିଆରି ହେଲାବେଳେ କ’ଣ କ’ଣ ଥିଲା ସେଠି ! ସକାଳୁ ସଞ୍ଜଯାଏ ସେତେବେଳେ କେନାଲ ଖୋଳାରେ ଲାଗିଥାଏ ‘ମାଟିଖୋଳା’ ଦୈତ୍ୟକାୟ ଯନ୍ତ୍ର ବା ଏକ୍‍ସକାଭେଟରଗୁଡ଼ିକ । ଇଞ୍ଜିନ୍‍ସବୁ ଗର୍ଜନ କରି ଟାଣିନେଉଥିଲା ଗୋଟାଏ ଗୋଟାଏ ରେଳଗାଡ଼ି ବୋଝେଇ ମାଟି । ଟ୍ରକ୍ ଆଉ ଲୋକେ ସାଲୁ ସାଲୁ ହେଉଥିଲେ ସବୁଠି ସେତେବେଳର ସେଇ ଶୁଖିଲା କେନାଲ ଗର୍ଭରେ ।

 

ଦିନ ପରେ ଦିନ, କି ଖରା କି ଶୀତ, ସମସ୍ତ ବାଧାବିଘ୍ନକୁ ଦୃଢ଼ଭାବରେ ସାମନା କରି କାମରେ ଦୃଢ଼ସଂକଳ୍ପ ହୋଇ ଆଗଉଥିଲେ କେନାଲ–ଖୋଳାଳି ବିନ୍ଧାଣିମାନେ । ତାଙ୍କ ପାଖରେ ପରାଜୟ ମାନୁଥିଲା ପାହାଡ଼ ପର୍ବତ, ଉପତ୍ୟକା ଆଉ ଜଳଭୂମି ସବୁ ।

 

ମସ୍କୋଠୁ ବେଶିଦୂରରେ ନୁହେଁ, ଗୋଟିଏ ଗିରିଶ୍ରେଣୀ ପ୍ରତିବନ୍ଧକ ହୋଇଥିଲା ସେମାନଙ୍କର । ବିନ୍ଧାଣିମାନେ ତା’ ଆଗରେ ପଛଘୁଞ୍ଚା ଦେଇ ନଥିଲ, କି ତାକୁ ଆଡ଼େଇ ଯାଇ ଅନ୍ୟ ବାଟ ଧରି ନଥିଲେ । ସେମାନେ ଦି’ଭାଗ କରିଦେଇଥିଲେ ଗିରିଶ୍ରେଣୀକୁ । ମଝିରେ ଏମିତି ଏମିତି ‘ଗହିରିଆ’ କରିଥିଲେ ଖାତଟିକୁ ଯେ, ସେଥିରେ ପାଞ୍ଚମହଲା କୋଠାଟିଏ ଖଞ୍ଜା ହୋଇଥାନ୍ତା ଅକ୍ଳେଶରେ ।

 

ସୋଭିଏତ୍ ରୁଷର ଲୋକେ ଯେତେଯେତେ ଯୋଜନାମୂଳକ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି, ସେଥିଭିତରୁ ମସ୍କୋ କେନାଲ ଗୋଟିଏ ମାତ୍ର ।

 

ନୂଆ ନୂଆ ଡ୍ୟାମ, ଆଉ ଜଳବିଦ୍ୟୁତ୍ କେନ୍ଦ୍ରମାନ ଭଲ୍‍ଗାରେ କୂଳେ କୂଳେ ଗଢ଼ାଗଲାଣି, ଆହୁରିବି ଗଢ଼ାହେଉଛି । କୁଇବିଶେଭ ଓ ଷ୍ଟାଲିନ୍‍ଗାଦ୍‍ରେ ବଡ଼ବଡ଼ ଜଳବିଦ୍ୟୁତ୍ କେନ୍ଦ୍ର ବସିଲାଣି । ସେଥିରୁ ସବୁ ମସ୍କୋକୁ, ଭଲ୍‍ଗା କୂଳର କେତେକେତେ ସହରକୁ ଆଉ ଶହ ଶହ ମାଇଲ ଦୂରରେ ଥିବା କୋଠ–ଚାଷ ଫାର୍ମକୁ ବିଦ୍ୟୁତ୍‍ଶକ୍ତି ଯୋଗାଯାଇପାରୁଛି ।

 

ଭଲ୍‍ଗା ଜଳର ଶକ୍ତି, ଚାଳନା-ଶକ୍ତି ଯୋଗାଇବ ଇଲେକ୍‍ଟ୍ରିକ୍ ଟ୍ରେନ୍, କଳକାରଖାନାର ମେସିନ୍ ଆଉ ଗହୀର ବିଲର ଟ୍ରାକ୍‍ଟର୍‍ଗୁଡ଼ିକୁ ।

 

ଡ୍ୟାମଯୋଗେ ଭଲ୍‍ଗାର ପାଣି ଅତି ଉଚ୍ଚକୁ ଉଠିବ, ନଈଟିକୁ ହ୍ରଦମୟ କରିଦେବ, ଆଉ ଜାହାଜର କ୍ୟାପ୍‍ଟେନ୍‍ମାନଙ୍କର ବାଲିଚଡ଼ା ଓ ବାଲିକୁଦରେ ଜାହାଜ ଲାଗିଯିବାର ଭୟ ରହିବ ନାହିଁ । ଭଲ୍‍ଗାରେ ନଈ-ଜାହାଜରେ ଯାଉଁ ଯାଉଁ ଯାତ୍ରୀମାନେ ମନେକରିବେ, ସେମାନେ ଯାଉଛନ୍ତି ସମୁଦ୍ରରେ ! ପ୍ରବଳ ଝଡ଼ବତାସ ଦିନରେ ଧାଡ଼ିକୁ ଧାଡ଼ି ବିରାଟ ବିରାଟ ଲହଡ଼ି ଉଠି ଘୋଡ଼େଇ ପକେଇବ ପାଣି–ଭଣ୍ଡାରରୂପେ ଥିବା ହ୍ରଦଗୁଡ଼ିକ । ତେଣୁ, ସେଥିରେ ଯାଉଥିବା ନାହା ବା ଜାହାଜସବୁ ରକ୍ଷାପାଇପାରିବେ ଝଡ଼ର ଦାଉରୁ । ରାତିରେ ଜାହାଜ ପଥ ଉଜ୍ଜ୍ୱଳ ହୋଇଉଠିବ ବତୀଘରର ଆଲୁଅରେ । ଶୀତକାଳରେ ବରଫ–ଭଙ୍ଗାଳି ଜାହାଜସବୁ ଗରମ ଖେଳାଇ ବୁଲିବ ଜଳଭଣ୍ଡାରଗୁଡ଼ିକରେ । ତା’ର ଆଗରେ ଥିବା ଆହୁଲାଭଳି ଯନ୍ତ୍ର ସାହାଯ୍ୟରେ ଉଠିବ ବରଫ ଉପରେ–ନିଜର ଓଜନରେ ବରଫ ଫଟେଇ ଆଗେଇଯିବ ଅନ୍ୟ ଜାହାଜପାଇଁ ବାଟ ସଫା କରି କରି । ଗ୍ରୀଷ୍ମକାଳରେ ହ୍ରଦଗୁଡ଼ିକର ଜଳଭଣ୍ଡାରରୁ ପାଣି ଯାଇ ଜଳସେଚନ କେନାଲ ବାଟରେ ବହିଯିବ କ୍ଷେତକୁ ସବୁ ।      

 

୧୯୫୨ ମସିହା ଜୁଲାଇ ୨୭ରେ ଲେନିନ୍ ଭଲ୍‍ଗା–ଡନ କେନାଲ ଉଦ୍‍ଘାଟିତ ହୋଇଥିଲା । ସେତେବେଳେ ସୋଭିଏତ ରୁଷରେ ଉତ୍ସବ ଆନନ୍ଦ ଖେଳିଯାଇଥିଲା । ଏହି କେନାଲ ଭଲ୍‍ଗା ଆଉ ଡନ୍ ଏହି ପରାକ୍ରମୀ ନଈ ଦୁଇଟିକୁ ସଂଯୁକ୍ତ କରିଥିଲା । ଏଣୁ ମସ୍କୋରୁ ଡନ୍ ଉପରେ ଅବସ୍ଥିତ ରୋସ୍ତଭକୁ ଏବେ ୨୦୦୦ ମାଇଲ ଜଳପଥରେ ଜାହାଜ ସବୁ ଯାତାୟାତ କରୁଚି ।

 

ଜାହାଜ ମସ୍କୋ କେନାଲ ବାଟେ ଯାଇ ଭଲ୍‍ଗାରେ ପହଞ୍ଚୁଚି, ସେଥିରେ ଗର୍କି ସହରକୁ ଯାଉଚି । କ୍ୟୁବିଶେଭ ଓ ଷ୍ଟାଲିନଗ୍ରାଦ୍ ଜଳବିଦ୍ୟୁତ୍ କେନ୍ଦ୍ର ଦୁଇଟି ଟପି ପଶ୍ଚିମମୁହାଁ ହେଉଚି । ତା’ପରେ ଭଲ୍‍ଗା ଡନ୍ କେନାଲରେ ଆଗଉଛି । ଭଲ୍‍ଗା ଓ ଡନ୍ ମଝିରେ ଥିବା ଜଳବିଭାଜକ ଅବବାହିକା ଅଞ୍ଚଳରେ ପହଞ୍ଚିବା ଯାଏଁ ଏହାକୁ କେତେ ଲକ୍ ବାଟେ ପାହାଚଶ୍ରେଣୀ ଚଢ଼ିବାକୁ ହେଉଚି । ସେଇ ଅବବାହିକା ଅଞ୍ଚଳରେ ପହଞ୍ଚିଲାପରେ ଏହାକୁ ଖସିବାକୁ ପଡ଼ୁଚି ତ୍‍ସିମ୍ଳିୟାନ୍‍ସ୍କାୟା ସମୁଦ୍ର ଯାଏଁ । ଏହି ନାଆଁରେ ଗାଁ ପାଖରେ ଡ୍ୟାମଟିଏ ତିଆରି ହେଲା ଫଳରେ ହ୍ରଦଟିଏ ସୃଷ୍ଟି ହୋଇଚି । ଏଠାରୁ ରୋସ୍ତଭ ବେଶି ଦୂର ନୁହେଁ ।

 

ରୋସ୍ତଭ ଧରିଲା ପରେ ଜାହାଜ କୃଷ୍ଣସାଗର ଉପକୂଳରେ ଥିବା ବାତୁମି, ସୋଚି ଓ ଓଡ଼ିଶାକୁ ସହଜରେ ଯାଇପାରୁଚି ।

 

ଏହିଭଳି ଭାବରେ ମସ୍କୋ ଆଜି ଗୋଟିଏ ବନ୍ଦର ହୋଇଚି–ବନ୍ଦର ହୋଇଚି, ପାଞ୍ଚୋଟି ସାଗର ବା ସମୁଦ୍ରପାଇଁ ! ପ୍ରଥମେ ସୋଭିଏତରୁ ରାଜଧାନୀରୁ ବାହାରି ବଲ୍‍ଟିକୁ ସାଗର, ଶ୍ଵେତସାଗର ଓ କ୍ୟାସ୍ପିୟାନ ସମୁଦ୍ରକୁ ଜଳପଥରେ ଯାଇହେଉଥିଲା । ଭଲ୍‍ଗା-ଡନ୍ କେନାଲ ପିଟିବା ଦିନରୁ ଏହି ମସ୍କୋ ଜଳପଥରେ କୃଷ୍ଣସାଗର ଓ ଆଜଭ ସାଗର ସହିତ ସଂଯୁକ୍ତ ହୋଇଛି ।

 

ପ୍ରଶସ୍ତ ନଈରେ ବନ୍ଧ ବା ଡ୍ୟାମ ପକେଇବା, ଗୋଟିଏ ଉପସାଗର ଭଳି କୃତ୍ରିମ ଜଳଭଣ୍ଡାର ଖୋଳିବା, ଭଲ୍‍ଗା–ଡନ୍ କେନାଲ ଭଳି କୃତ୍ରିମ ନଈ ସୃଷ୍ଟି କରିବା ସହଜ କଥା ନୁହେଁ । କିନ୍ତୁ ଏହି ବିରାଟ ଯୋଜନା ସବୁ ସାର୍ଥକ କରିବାପାଇଁ ସୋଭିଏତ ନିର୍ମାତା ବିନ୍ଧାଣିମାନଙ୍କର ଦରକାରୀ ଶିକ୍ଷା, ଜ୍ଞାନ, ଅଭିଜ୍ଞତା ଓ ଦକ୍ଷତାର ଅଭାବ ରହିବ ନାହିଁ । ସେମାନଙ୍କୁ ସାହାଯ୍ୟ କରିବାପାଇଁ ଶକ୍ତିଶାଳୀ ଯନ୍ତ୍ର ବା ମେସିନ୍ ସବୁ ଅଛି ।

 

ଗୋଟିଏ ମାଟିଖୋଳା ଯନ୍ତ୍ର ବା ଏକ୍‍ସକ୍ୟାଭେଟର ପ୍ରତି ଦୃଷ୍ଟି ଦିଆଯାଉ । ଏହା ଉଚ୍ଚତାରେ ପାଞ୍ଚମହଲା କୋଠାକୁବି ଟପିବ । ଏଥିରେ ଯେଉଁ କୋଦାଳ ଅଛି, ସେଇଟି ଏତେ ବଡ଼ ଯେ, ସିଧାସଳଖ ଗୋଟାଏ ମଟରଗାଡ଼ି ତା’ ଭିତରେ ପଶିଯାଇପାରିବ । ଯେଉଁ ଲୁହା ହାତରେ ଯନ୍ତ୍ରଟି କୋଦାଳକୁ ଧରେ, ତାହା ହେଉଚି ୭୦ ଗଜ ଲମ୍ବ । ଆଉ କି ଲମ୍ବା ଗୋଡ଼ ରାକ୍ଷସଟାର ! ଏହା ପାଦରେ ଗୋଇଠି ବଦଳରେ ଅଛି ଲୁହାର ପୋଲା କଡ଼ିସବୁ । ଏହି ରାକ୍ଷସଟି ଶୀଘ୍ର ଶୀଘ୍ର ଗତି କରିପାରେ ନାହିଁ ସତ, କିନ୍ତୁ ଥରକେ ଏହା ଛଅଫୁଟ୍ ଛଡ଼ାରେ ପାଦ ପକାଏ । ଏହାର ପରିଚାଳନା-ଚକ ପାଖରେ ଯିଏ ବସିଚନ୍ତି ସେ ସାଧାରଣ ମୋଟରେ ଡ୍ରାଇଭର ନୁହେଁ । ସେ ଜଣେ ଇଞ୍ଜିନିୟର୍ । ତାଙ୍କ ସାମନାରେ ଗୋଟିଏ ପଟରେ ବୋତାମ ଲାଗିଛି । ଏହି ବୋତାମଗୁଡ଼ିକ ଟିପି ଟିପି ଦେଇ ସେ ଏହି ଚଳନ୍ତା ରାକ୍ଷସଟାକୁ କାମରେ ଖଟାନ୍ତି; ତା’ଦ୍ଵାରା ଥରକେ ୪୫୦ ଫୁଟ୍ ମାଟି ଖୋଳେଇ, ତାକୁ ତଳୁ ଉଠେଇ, ଅନେଇ ୧୬୪ ଗଜ ଦୂରକୁ ଫିଙ୍ଗିଦେଇପାରନ୍ତି ।

 

ଡ୍ୟାମ ତିଆରି ସ୍ଥାନରେ ସବୁ ବଡ଼ବଡ଼ ଶୋଷଣକାରୀ ମାଟିଖୋଳା କଳ ରହିଚି । ଏଥିରୁ ଗୋଟିଏ ୨୪ ଘଣ୍ଟା କାମ କରି ମାଟି ଖୋଳିବ, ସେଥିରେ ହଜାରଟି ରେଳବାଇ ମାଲଡ଼ବା ଭର୍ତ୍ତି ହୋଇପାରିବ । ସାଧାରଣ ହାତ କୋଡ଼ି କୋଦାଳ ଧରି ଯଦି ଲୋକେ ଏଠି କାମ କରନ୍ତି ଓ ଗାଡ଼ିରେ ସବୁ ମାଟି ବୁହାହୁଏ, ତେବେ ଗୋଟିଏ ଶୋଷଣକାରୀ ଖୋଳାଯନ୍ତ୍ର ଯାହା କରିପାରୁଚି, ତାହାହିଁ କରିବାପାଇଁ ପଇଁତ୍ରିଶ ହଜାର ଶ୍ରମିକ ଓ ପନ୍ଦର ହଜାର ଘୋଡ଼ା ଲୋଡ଼ା ହେବେ ।

 

ଏମିତି ମେସିନ୍ ଆଗେ ନଥିଲା କି ଆଗେ କେବେ ଲୋକ ଏମିତି ଯୋଜନା ଓ ପରିକଳ୍ପନାମାନ ପ୍ରସ୍ତୁତ କରି ନଥିଲେ, କି ଏତେ ଚଞ୍ଚଳ ନିଜ ଦେଶର ରୂପ ବଦଳାଇ ପାରି ନଥିଲେ ।

Image

 

Unknown

ତୃଣଭୂମିର ମାଲିକ କିଏ, ଶାସକ କିଏ?

 

ଥରେ ଭୂମି, ଜଳ ଆଉ ପବନ ମଧ୍ୟରେ ଭାରି କଳି ଲାଗିଲା, ଖୁବ୍ ଯୁକ୍ତିତର୍କ ଚାଲିଲା । ଷ୍ଟେପି ବା ତୃଣାଞ୍ଚଳର ମାଲିକ କିଏ–ଏ ବିଷୟରେ ସେମାନେ ଏକମତ ହୋଇପାରିଲେ ନାହିଁ । ଭୂମି କହିଲା–“ଦେଖ ! ମୁଁ ହେଉଚି ଅସଲ ମାଲିକ ଏଠି । ମୁଁ ନଥିଲେ ଷ୍ଟେପିରେ ଘାସପତ୍ରଟିଏ ନଥାନ୍ତା । କି ଘାସଗଛଟିଏ କଅଁଳୁ ନଥାନ୍ତା । ଲୋକେ ମୋତେହିଁ ଡାକନ୍ତି ମାଆ, ଆଉ ମୋତେ କହନ୍ତି ‘ପାଳନକାରିଣୀ’, ସୁଖଦାୟିନୀ; ବୁଝିଲ ! ଅନାଥ ଟିକେ ଚାରିଆଡ଼କୁ ଅନାଅ ! ଯେଉଁ ଯାଏଁ ଆଖି ଯିବ ତମର, ଏମିତିକି ଆକାଶର ଧାରଯାଏ, ଦିଗ୍‍ବଳୟ ଯାଏଁ, ମୋ ଛଡ଼ା ଆଉ ଦେଖିବ ନାହିଁ ତମେ । ଦେଖିବ, ମୁଁ ଅଛି ମୋ ଛଡ଼ା ଆଉ କିଛି ନାହିଁ–ତମେ ନାହଁ ।’’

 

ଜଳ ଏହା ଶୁଣିବାମାତ୍ରେ ଘୋର ଆପତ୍ତି ଉଠାଇଲା । ଅସରାକୁ ଅସରା ଅନବରତ ବର୍ଷା ଆରମ୍ଭ କରିଦେଲା । ଅଛାଡ଼ି ବର୍ଷା ଭିତରେ କହିଲା, ‘‘ନା ! ମୁଁ ହେଉଚି ଷ୍ଟେପିର ମାଲିକ । ହଇଲୋହେ ଭୂମି ! ମୁଁ ସାହାଯ୍ୟ ନ ଦେଲେ ଗୋଟିଏ ଭଲା ଘାସଗଛକୁ ପାଳିପୋଷି ବଢ଼େଇପାରିବୁ ତୁ ? ହଇଲୋ କିଏ ମତେ ଲୋଡ଼େ ନାହିଁ–ଘାସ ହେଉ, ଜୀବଜନ୍ତୁ ହୁଅନ୍ତୁ, ଲୋକେ ହୁଅନ୍ତୁ, କିଏ ମୋତେ ଚାହେଁ ନାହିଁ ? କିଏ ଭଲା ମୁହୂର୍ତ୍ତେ ବଞ୍ଚିପାରିବ ମୋ ବିନା ? ଆଲୋ ! ଯାହା ଇଚ୍ଛା ତାହା କରିପାରେ ମୁଁ । ମୁଁ ଯଦି ତୋ ଉପରେ ରାଗିଯାଏ, ବୁଝିଲୁ, ତତେ ବାନ୍ଧିବୁନ୍ଧି ପୁଟୁଳାଟିଏ କରିନେଇ ଫିଙ୍ଗିଦେଇପାରେ ସମୁଦ୍ର ଭିତରକୁ !’’ –ଜଳ ଏତିକି କହିସାରିବା ସଙ୍ଗେ ସଙ୍ଗେ ଛୋଟ ଛୋଟ ଧାରଟିମାନ ହୋଇ ପ୍ରବଳ ବେଗରେ ଛୁଟିଲା ପ୍ରାନ୍ତରଗୁଡ଼ିକରେ ।

 

ତୃଣଅଞ୍ଚଳରେ କେଉଁଠି ନାଳିଗୁଡ଼ିଏ, ଗାତଗୁଡ଼ିଏ, ଖମାଗୁଡ଼ିଏ କରିଦେଲା ତ କେଉଁଠି ଏକାବେଳକେ ଧୋଇନେଇଗଲା ଉପର ମାଟି ପରସ୍ତକୁ । ତା’ପରେ ବଡ଼ବଡ଼ ଧାରରେ ଯାଇଁ ଭୁସ୍ ଭୁସ୍ ହୋଇ ମାଟିସବୁ ଭସେଇନେଇ ପକେଇଲା ନଈ ଭିତରେ । ନଈରୁ ପୁଣି ତାକୁ ବହିନେଇ ଚାଲିଲା ସମୁଦ୍ରକୁ । ଆଗେ ଯେଉଁଠି ଥିଲା ଉର୍ବର କଳା ମାଟି, ସେଠି ଦେଖାଦେଲା ଦିଗନ୍ତବିସ୍ତାରୀ ଅନୁର୍ବର ବାଲିପନ୍ତାଗୁଡ଼ିକ, ଭୁସା ପଙ୍କୁଆ ବାଲିମାଟି ସବୁ ।”

 

ଦେଖ, କେଡ଼େ ପରାକ୍ରମୀ ମୁଁ, ଦେଖ !’’ ଗର୍ବରେ ଡାକି ବଜେଇ କହିଲା, ଜଳ । “ଚାହିଁବି ଯଦି, ପ୍ରାନ୍ତରରେ ଟିକିଏ ହେଲେ ମାଟି ରଖିଦେବିନି ମୁଁ, ସବୁ ଧୋଇଦେବି ବୁଝିଲୁ ! ତୃଣଭୂମିର ମୁଁ ହେଉଚି ଶାସକ, ରାଜୁତି ମୋର !’’

 

ପବନର କାନରେ ଏମିତି ବାଜିଲାକ୍ଷଣି ସେ କି ଆଉ ସମ୍ଭାଳି ହୁଏ ? ତା’ର ସମସ୍ତ ଶକ୍ତି ଲଗେଇ ବହିବାକୁ ଆରମ୍ଭ କରିଦେଲା ।

 

“ରହ ! କିଏ ମାଲିକ, ଦେଖେଇ ଦେଉଚି ମୁଁ । ରହ !’’ ଗର୍ଜିଉଠି ଡାକ ଛାଡ଼ିଲା ପବନ-।” କି ଦିନ କି ରାତି ସବୁବେଳେ ବହୁଚି ମୁଁ, ଧାଇଁ ଧାଇଁ ଛୁଟିଚି ଷ୍ଟେପି ଉପରେ । ବହୁଚି ମୁଁ ଦକ୍ଷିଣରୁ ଉତ୍ତରକୁ, ପୂର୍ବରୁ ପଶ୍ଚିମକୁ । ଯଥେଷ୍ଟ, ଯଥେଷ୍ଟ ବଳ ଅଛି ମୋର । ଭୂମି ଆଉ ଜଳ ଦିହିଁଙ୍କୁ ଏକାଥରକେ ଆକାଶକୁ ଟେକିନେଇ ବହିନେଇପାରିବି ମୁଁ–କାହିଁ ବୋଲି କେଉଁଠିକି, କେଉଁ ଦୂରଦୂରାନ୍ତକୁ ନେଇଯାଇପାରିବି ମୁଁ ।”

 

ଏତିକି କହିସାରିଥାଏ କି ନାହିଁ, ସୁଉ ସୁଉ ହୋଇ ଚିତ୍କାର କରିଉଠିଲା ପବନ–ବର୍ଷାମାଡ଼ରେ ସେପର୍ଯ୍ୟନ୍ତ ବେଶ୍ ଓଦା ପାଣି ଜୁଡ଼ୁବୁଡ଼ୁ ଭୂମି ଉପରେ । ମନ୍ଦାକୁ ମନ୍ଦା, ତଳକୁ ତଳ କି ଖାଲଖମାରେ ଯେଉଁଠି ଯେତେ ପାଣି ଥିଲା, ଶୁଖେଇଦେଲା, ଶୋଷିନେଲା ମୁହୂର୍ତ୍ତକରେ ଯେମିତି, ଉଡ଼େଇ ନେଇଗଲା କୁଆଡ଼େ ବୋଲି କୁଆଡ଼େ । ଜଳତକ ଯାଇଁ ଜମାହେଲା, ଆକାଶରେ, ବିରାଟ ବିରାଟ ମେଘଖଣ୍ଡ ହୋଇ ଝୁଲିରହିଲା ସେଠି, ତାକୁ ସବୁ ଉଡ଼େଇନେଲା ପବନ । ଏମିତିକି ସେଇ ମେଘର ଚିହ୍ନବର୍ଣ୍ଣର ଛାଇ ରଖିଦେଲା ନାହିଁ ଷ୍ଟେପି ଉପରେ କେଉଁଠି । ଶୁଖି ଠାଉ ଠାଉ ହେଲା ଭୂମି, ଫାଟି ଫାଟିଗଲା ତା’ର ଦେହଟି ଠାଆକୁ ଠାଆ । ତା’ର ଛୋଟ ଛୋଟ କଅଁଳିଆ ଗହମ ଆଉ ‘ରାଇ’ଘାସର ଚାରାଗୁଡ଼ିକ ଶୋଷେଇଉଠି ଛଟପଟ ହେଲେ ପାଣି ଟୋପାଏପାଇଁ । କିନ୍ତୁ ପାଣି ଆଉ ଥିଲା କେଉଁଠି ? ସବୁତକ ଉଡ଼େଇନେଇଯାଇଥିଲା ପବନ ।

 

ବେଳକୁ ବେଳ ଆହୁରି ଗର୍ଜନ ତର୍ଜନ କରି କ୍ରୋଧରେ ବହିବାକୁ ବାହାରିଲା ପବନ । ଏମିତିକି ସମୁଦାୟ ମାଟିକୁ ଖୋଳିତାଡ଼ି ଉଠେଇନେବାକୁ ବାହାରିଲା ବଳବିକ୍ରମ ଦେଖାଇ । ଗହମ ଆଉ ରାଇର ଚେରଗୁଡ଼ିକ ମାଟିକୁ ପାରୁପର୍ଯ୍ୟନ୍ତ, କାମୁଡ଼ିଧରି ପଡ଼ିରହିଲେ ସତ, କିନ୍ତୁ ମାଟି ଯେ ଶୁଖି ଧୂଳି ହୋଇଯାଇଥିଲା ପୂରାପୂରି । ତାକୁ ରକ୍ଷା କରିପାରିଲା ନାହିଁ ଉଡ଼ିଯିବାରୁ । ଚେରତଳରୁ ସେଇ ଧୂଳିମାଟିକୁ ଖସାଇନେଇ ଶୂନ୍ୟେ ଶୂନ୍ୟେ ଟେକିନେଇ ଆକାଶରେ ଖେଳେଇଦେଲା ପବନ, ସୃଷ୍ଟି କରିଦେଲା କଳା କଳା ଧୂଳିର ପଟଳ । ଏମିତି ଅନ୍ଧାର ହୋଇଗଲା ଚାରିଆଡ଼ ଯେ, ଧୂଳିଝଡ଼ରେ ଘୋଡ଼େଇ ହୋଇପଡ଼ିଲା ସୂର୍ଯ୍ୟ । ପବନ କିଛି ସମୟ ଏମିତି ମାଟିକୁ ବହେ ଖେଳେଇସାରି ଖୁସିରେ ମାତି ଦୂରକୁ ନେଇ ଛାଟିଦେଲା । କିନ୍ତୁ ଯେଉଁଠୁ ଉଠେଇନେଇଥିଲା, ସେଠି ଆଉ ପକେଇଲା ନାହିଁ । ତେଣୁ ଯେତେବେଳେ ସେଇ ଧୂଳିମାଟି ଖସିପଡ଼ିଲା, ପଡ଼ିଲା ଯାଇଁ ଶାଗୁଆ ଶାଗୁଆ ଗହମ କିଆରିରେ, ଘାସ ପଡ଼ିଆରେ । ସେଇ ଛୋଟ ଛୋଟ ବୁଆଗୁଡ଼ିକ ଉପରେ ପଡ଼ି ତାକୁ ସବୁ ଶେଷ କରିଦେଲା ଅଣନିଃଶ୍ଵାସୀ କରି ।

 

କି ଗଣ୍ଡଗୋଳ ଭିଆଇଲା ନାହିଁ, କି ଦୁରବସ୍ଥା ଆଣିଲା ନାହିଁ ପବନଟା ସତେ ! ଗହମ ଆଉ ଘାସଗଛ ମୂଳରୁ କେଉଁଠି ମାଟିକୁ ବଳାତ୍କାରରେ ଛଡ଼େଇନେଲା ତ ଆଉ କେଉଁଠି ସେଇ ମାଟିକୁ ଧୂଳି ଆକାରରେ ଅଜାଡ଼ିଦେଇ ସେଇଗୁଡ଼ିକୁ ଚିପି ଜୀବନରେ ମାରିଦେଲା ଅତି ନିର୍ମମ ଭାବରେ । ଅମଳ ସମୟ ନିକଟେଇ ଆସିଲା । କିନ୍ତୁ କ୍ଷେତରେ କ’ଣ ଥାଏ ଯେ ଅମଳ ହେବ ? ଶସ୍ୟତକ ପୂରାପୂରି ନଷ୍ଟ ହୋଇଯାଇଥାଏ, କଳା କଳା ମସ୍ତ ଧୂଳିଝଡ଼ରେ ।

 

ଲୋକେ କିନ୍ତୁ ସହଜରେ ଦବିଗଲେ ନାହିଁ । ସେମାନେ ଆହୁରି ଥରେ ବିହନ ବୁଣିଲେ । ଶରତ୍‍କାଳକୁ ସେଗୁଡ଼ିକ ଗଜୁରି ଦି’ ଦି’ ପତ୍ର ଛନଛନେଇ ଉଠିଲା । କିଆରିଗୁଡ଼ିକ ସବୁଜ ହୋଇ ଚକ୍‍ଚକ୍ କଲା ଆଲୁଅରେ । ଶୀତ ଆସିଲା । ପାଣି ଏଥର ପରିଣତ ହେଲା ବରଫରେ, ବିଲକୁ ଆଉ ପଡ଼ିଆକୁ ଘୋଡ଼େଇଦେଲା ଧଳା ଶେଯଟିରେ ଯେମିତି ।”

 

‘‘ଗହମ ଗଛଗୁଡ଼ିକୁ ରକ୍ଷାକରିବି ମୁଁ !’’ ଜଣେଇଦେଲା ଜଳ । ମୋର ତୁଷାରମେଘଟି ଗହମ ଗଛଗୁଡ଼ିକୁ ଘୋଡ଼େଇ ରଖି ଉଷୁମ ଦେବ ନିଶ୍ଚୟ । ସମୁଦାୟ ଶୀତଟି ସୁଖରେ କଟିବ ସେଗୁଡ଼ିକର । ବସନ୍ତବେଳକୁ ପୁଣି ମୁଁ ତରଳି ଜଳ ପାଲଟିବି । ଗହମ ଶିଷାଗୁଡ଼ିକ ମନଇଚ୍ଛା ମତେ ପିଇବେ, ତୁଷ୍ଟ ହେବେ ।

 

ପବନ ଏହା ଶୁଣିଲାକ୍ଷଣି ସାଇଁସାଇଁ ହେଲା ରାଗରେ । ଏମିତି ଗୁମ୍‍ମାରି ବହିଲା ଯେ, ଛିନ୍‍ଛତର କରିଦେଲା ତୁଷାର ଶେଯଟାକୁ–ଚିରିଚାରି କୁତୁକୁତା କରିବାରେ ଲାଗିଗଲା ଅହନ୍ତାରେ-। ତୁଳା ପରି ଧଳା ନରମ ନରମ ତୁଷାର ଖୋଷାଟିମାନଙ୍କୁ ତୁଷାର-ଶେଯ ଉପରୁ ଭିଣିଭିଣା କରି ବାହାର କରିନେଇ ଉଡ଼ାଇବାରେ ଲାଗିଲା–ସେଗୁଡ଼ିକ ଯେମିତି କେଉଁଠି ବସି ନ ପଡ଼େ, ସେଥିଲାଗି ପଛରୁ ସେଗୁଡ଼ିକ ଗୋଡ଼ଉଥାଏ । ଚାରିଆଡ଼େ ଖାଲି ‘ଧଳା’ମୟ ହୋଇଗଲା-

 

ଉଡ଼ନ୍ତା ତୁଷାରକଣାରେ ଟିକକ ପରେ ଦୌଡ଼ି ଦୌଡ଼ି, ଖେଳି ଖେଳି କ୍ଳାନ୍ତ ହୋଇପଡ଼ିଲା ପବନ–ସେଇ ତୁଷାରକଣିକାଗୁଡ଼ିକୁ ଠେଲିନେଇ ଜମାକଲା ଖାଲ ଓ ଖମାରେ । ନାଳିରେ, ଗୋହିରିରେ । ତୁଷାରଶେଯଟି ଦେହ ଉପରୁ ଖସିଯିବାରୁ ଥଣ୍ଡାରେ ଦେହ ଥୁରୁଥୁରୁ ହେଲେ ଶସ୍ୟର କଅଁଳ କଅଁଳ ବୁଆଗୁଡ଼ିକ । ଏ ଅବସ୍ଥାକୁ ଆହୁରି ସଙ୍ଗୀନ କରିବାପାଇଁ ପବନ ଉତ୍ତରାଞ୍ଚଳରୁ ଘେନିଆସିଲା ବହଳିଆ କୁହୁଡ଼ି, ଆଉ ସେଇଥିରେ ପ୍ରାୟ ଶେଷ ପାଇଗଲା ଶୀତଦିନିଆ ଗହମ । ଭାଗ୍ୟକୁ ସେତେବେଳେ ବସନ୍ତ ଆସି ଉଙ୍କି ମାରିଥାଏ ।

 

ତେଣୁ, ସୂର୍ଯ୍ୟ ଉତ୍ତାପ ପାଇବାରୁ ବିଲଗୁଡ଼ିକରେ ଧୀରେ ଧୀରେ ଗହମ ଆଉ ରାଇଘାସ ପୁଣି ମୁଣ୍ଡ ଟେକି ଚେଙ୍ଗା ହୋଇ ଜିଇ ଉଠିଲେ । କିନ୍ତୁ କୁଆଁ ଦେଇ ପତ୍ର ମେଲି ପାଣି ଢୋକେ ଲେଖାଏଁ ଭଲକରି ପିଇବାକୁ ବାହାରିଥାନ୍ତି କି ନାହିଁ, ପୁଣି ହତାଶ ହୋଇଗଲେ, ଠକେଇରେ ପଡ଼ିଲେ ସେମାନେ । ମନେଥିବ ତମର, ଶୀତଦିନରେ କେମିତି ତୁଷାରଗୁଡ଼ିକ ଉଡ଼େଇନେଇ ଗୋହିରିରେ, ଖାଲଖମାରେ ଜମା କରିଦେଇଥିଲା ପବନ । ସେଇ ତୁଷାର ତରଳିଯାଇ ଏବେ ନଇଆଡ଼କୁ ମୋହିଁଲା, କ୍ଷେତରୁ ପଡ଼ିଆରୁ, ଯାହା ଯେଉଁଠି ପାଣିଥିଲା, ସବୁ ନିଗିଡ଼ିଗଲା ।

 

ନଈଗୁଡ଼ାକ ପାଗଳିନୀଙ୍କ ପରି ଜଳରେ ଭରପୂର ହୋଇ କମ୍ପିଉଠିଲେ, ବନ୍ଧବାଡ଼ ଭାଙ୍ଗିଲେ, ‘ଡ୍ୟାମ’କୁ ଟପି ବା କୋରି କୋରି ଖାଇଦେଇ ପ୍ରବଳ ବେଗରେ ଗାଁ ଗଣ୍ଡାରେ ମାଡ଼ିଗଲେ । ଖାଲଭୂମିସବୁ ଜଳମୟ ହେଲା । କେତେ ସହର ମଧ୍ୟରେ ବନ୍ୟାରେ ଏମିତି ଉବେଇ ଟୁବେଇ ହେଲା ଯେ ତଳମହଲା ଝରକାବାଟେ ପାଣି ପଶି ଘରଦ୍ଵାର ଉଜାଡ଼ିଲା । ବିରାଟ ବିରାଟ ଗଛସବୁ ସିଧା ସିଧା ପାଣି ଭିତରେ ଜନ୍ମି ଛିଡ଼ାହୋଇ ରହିଛନ୍ତି ଯେମିତି, ଏମିତି ମନେହେଲା ।

 

ତେଣେ, ଢିପାଣିଆ ଆଉ ଉଚ୍ଚ ସ୍ଥାନଗୁଡ଼ିକରେ ନିର୍ଧୂମ ଧୂଳି ଉଡ଼ୁଥାଏ । ମରୁଭୂମିଆଡ଼ୁ ଝାଞ୍ଜିପବନ ବହିଆସି ଶସ୍ୟଗଛକୁ ଜାଳି ଦେଉଥାଏ । ଶସ୍ୟଗଛଗୁଡ଼ିକ ମୁରୁକୁଟେଇ ହଳଦିଆ ପଡ଼ିଗଲେ । ବିଲଯାକ ଖାଲି ଶୁଖିଲା ପାଳମୟ ଦିଶିଲା । କେଉଁଠି ବା ଗୋଟାଏ ଦୁଇଟା କି ପୁଳାଏ, ଦି’ପୁଳା ଜିଅନ୍ତା ଶସ୍ୟଶିଂଷା ଆଖିରେ ପଡ଼ୁଥାଏ । ଏତେ ଦୁରବସ୍ଥା ଆଣିବି ପବନର ମନ ମାନି ନଥାଏ, ସନ୍ତୋଷ ଆସି ନଥାଏ । ଏହା ରହି ରହି ଆସି ଶସ୍ୟଶିଂଷାଗୁଡ଼ିକୁ ଦୋହଲେଇଦେଇ ଶସ୍ୟଗୁଡ଼ିକୁ ଝାଡ଼ିଦେଇଯାଉଥାଏ । ଅମଳ ସମୟ ଆସିଗଲା । କିନ୍ତୁ ହାୟରେ ! କେଣ୍ଡାଏ ହେଲେ ଶସ୍ୟ ନଥିଲା କେଉଁଠି, ଅମଳ ହେବାପାଇଁ ।

 

ଲୋକେ ଏ ଅବସ୍ଥାକୁ ଆୟତ୍ତରେ ଆଣିବାକୁ ବାହାରିଲେ । ଗଭୀର ଭାବରେ ଚିନ୍ତା କଲେ–ଥରକୁଥର ସେମାନେ ଚାଷ କରୁଛନ୍ତି, ଶସ୍ୟ ବୁଣୁଛନ୍ତି, କିନ୍ତୁ ପବନ ସେମାନଙ୍କୁ ରଖେଇଥୋଇ ଦେଉନାହିଁ । ମାଟି ଆଉ ପାଣିକୁ ଅସ୍ତବ୍ୟସ୍ତ କରି ହଇରାଣ କରିଦେଉଛି । ଏହା ଆଉ ସହ୍ୟ କରିହେବ ନାହିଁ । ଏଣୁ ସେମାନେ ଏଥର ସଂକଳ୍ପ କରି ଲାଗିପଡ଼ିଲେ । ଅବସ୍ଥାର ପରିବର୍ତ୍ତନ ଆଣିବାପାଇଁ ଆଗ ଜଙ୍ଗଲର ସାହାଯ୍ୟ ଲୋଡ଼ିଲେ ।

 

ଜଙ୍ଗଲ ଲୋକଙ୍କର ବନ୍ଧ, ପୁରୁଣା ବନ୍ଧ । ଏହା ଘରତୋଳା ପାଇଁ ସେମାନଙ୍କୁ କାଠ ଯୋଗାଉଥାଏ, ଚୁଲିକୁ ଜାଳେଣି ଦେଉଥାଏ । ତାହାରିଠୁଁ କାଠ ଆଣି ପ୍ରତିବର୍ଷ ସେମାନେ ଡଙ୍ଗା ତିଆରି କରୁଥାନ୍ତି, ପିଲାଙ୍କପାଇଁ ଦୋଳି ବା ଝୁଲଣା ଗଢ଼ାଉଥାନ୍ତି । ଆଉ ତାଙ୍କ ପିଲାଏ ବଡ଼ ହୋଇଯିବାମାତ୍ରେ ସେଇ ଜଙ୍ଗଲକୁ ଯାଇ ତାହାରିଠୁଁ କୋଳି, କେତେ ଫଳମୂଳ, ଆଉ ଛତୁ ପ୍ରଭୃତି ଆଣିଥାନ୍ତି । ଜଙ୍ଗଲ ଭଳି ବାସ୍ତବିକ ସେମାନଙ୍କର ଏତେ ବଡ଼ ବିଶ୍ଵସ୍ତ ବନ୍ଧୁ ଆଉ କେହି ନଥାଏ । ସବୁଠୁଁ ଗୁରୁତ୍ଵପୂର୍ଣ୍ଣ କଥା ଥାଏ–ଏହି ବନ୍ଧୁଟିକୁ ଭଲରୂପେ ମାଲୁମଥାଏ କେମିତି ପାଣି ଆଉ ପବନକୁ ମନ ମନେଇ ଚଳେଇବାକୁ ହେବ, ଅକ୍ତିଆରରେ ରଖିବାକୁ ହେବ । ପବନ ଯେତେ କ୍ରୋଧରେ, ଯେତେ ପ୍ରବଳବେଗରେ ଜଙ୍ଗଲ ମାଡ଼ି ପଡ଼ିଲେବି କେତୋଟି ଗଛର ଡାଳପତ୍ର କିଛି ଛିଣ୍ଡେଇ ଉଡ଼େଇନେବା ଛଡ଼ା ଅଧିକ କ୍ଷୟକ୍ଷତି କରିପାରୁ ନଥାଏ । ତା’ର ସବୁ ଦୌରାତ୍ମ୍ୟ ଫସର ଫାଟି ଯାଉଥାଏ । ଶେଷରେ ସେ ଜଙ୍ଗଲର ପୋଷା ମାନୁଥାଏ ।

 

ତୃଣାଞ୍ଚଳର ପ୍ରାନ୍ତରରେ ପବନଟିକେ ଜୋରରେ ବହିଲେ ତମକୁ ଉଡ଼େଇନେବ; କିନ୍ତୁ ଜଙ୍ଗଲରେ ତମର କିଛି କରିପାରିବ ନାହିଁ । ଷ୍ଟେପିରେ ପବନ ବହୁଥିଲାବେଳେ ସେଠାରେ ବେଶ୍ ଶାନ୍ତ ଆଉ ନିସ୍ତବ୍ଧ ଥିବାର ଦେଖିପାରିବ । ଖୁବ୍ ହେଲେ ଏହା ଅତି ଉଚ୍ଚ ଗଛର ଶିଖଗୁଡ଼ାକୁ ଛୁଇଁ ଛୁଇଁ ଯାଉଥିବ । ସେଗୁଡ଼ିକ ଧୀରେ ଧୀରେ ହଲେଇଦେଉଥିବ ।

 

ପାଣିକୁବି ଜବତ କରୁଥିଲା ଜଙ୍ଗଲ । ବରଫକୁ ଶୀଘ୍ର ତରଳିବା ପାଇଁ ଛାଡ଼ୁ ନଥିଲା, କି ତରଳିଗଲା ପରେ ଧାର ହୋଇ ବୋହିଯିବାପାଇଁ ସୁବିଧା ଦେଉ ନଥିଲା କେଉଁଠି । ବସନ୍ତକାଳରେ ବଡ଼ବଡ଼ ଗଛଗୁଡ଼ିକ ସୂର୍ଯ୍ୟକୁ ଆଢ଼ୁଆଳ କରି ତୁଷାରକୁ ରକ୍ଷା କରୁଥିଲେ । ପରେ ସେମାନେ ନିଜେ ଗରମ ହୋଇ ଧୀରେ ଧୀରେ ଆଖପାଖର ତୁଷାରକୁ ତରଳାଉଥିଲେ । ତୁଷାର ତରଳିଯାଇ ଜଳ ଆକାରରେ ଛୋଟ ଛୋଟ ଧାରରେ ବହିବାକୁ ଆରମ୍ଭ କରୁଥିଲା । କିନ୍ତୁ ସେତିକିବେଳେ ଜଙ୍ଗଲ କହିଉଠୁଥିଲା–“ବାସ୍, ଖୁବ୍ ହେଲା ଯାଇପାରିବୁ ନାହିଁ କୁଆଡ଼େ ।’’

 

ଘର ଦ୍ଵାରମୁହଁରେ ରୁଖରୁଖିଆ ପାପୋଛ ଭଳି ଜଙ୍ଗଲଯାକ ଗଛତଳେ ସବୁ ଶୁଖିଲା ପତ୍ରଗୁଡ଼ାକର, ପାଇନ୍‍ଗଛର କଣ୍ଟାଗୁଡ଼ିକର ଆଉ କେତେ ଝାଟିଲଟିର ଗୋଟାଏ ବହଳିଆ ଗାଲିଚା ବିଛା ହୋଇଥାଏ । ଏହି ଗାଲିଚାଟି ସ୍ପଞ୍ଜ୍ ଭଳି ଶୋଷିନେଉଥାଏ । ତାକୁ ଆଉ ନଈଆଡ଼େ ଯିବାକୁ ବାଟ ଛାଡ଼ୁ ନଥାଏ । ତେଣୁ ପାଣି ଆଉ ଢାଲୁଜାଗା ଦେଖି ତଳକୁ କୁଆଡ଼େ ମୋହିଁବ କ’ଣ ସୁର୍‍ ସୁର୍ ହୋଇ ସେଇ ଗାଲିଚା ଭିତରେ ପଶି ଗଛଗୁଡ଼ାକର ଚେର ପାଖରେ ଯାଇ ହାଜର ହେଉଥାଏ-। ଏଥିରେ ଗଛଗୁଡ଼ିକର ତୃଷ୍ଣା ମେଣ୍ଟୁଥାଏ । ତା’ ଛଡ଼ା ଜଙ୍ଗଲରୁ ଝରଣାମାନ ବହିଯାଇ ଧୀରେ ଧୀରେ ନଈରେ ପଡ଼ୁଥାଏ । ସେଥିପାଇଁ ଜଙ୍ଗଲ ଅଞ୍ଚଳର ନଈଗୁଡ଼ିକ କେବେ ଶୁଖୁ ନଥାଏ-। ଏମିତିକି ନିରାଟିଆ ଗ୍ରୀଷ୍ମକାଳରେବି ସେଥିରେ ପାଣି ରହୁଥାଏ ।

 

ଲୋକେ ଏହାସବୁ ଜାଣିଥାନ୍ତି ବୋଲି ସେମାନେ ଜଙ୍ଗଲ ପାଖରେ ପହଞ୍ଚିଲେ । ସେମାନେ ବର, ଅଶ୍ଵତ୍‍ଥ, ଶାଳ, ପିଆଶାଳ ଆଉ ଦେବଦାରୁ ପ୍ରଭୃତି ଗଛଗୁଡ଼ିକୁ ସୈନ୍ୟବାହିନୀ ଭଳି ସଜାଇ ତୃଣଭୂମିର ପବନକୁ ରୋକିବାକୁ ବାହାରିଲେ । ନଈକୂଳରେ ଉପତ୍ୟକାରେ ଖାଲଖମା ଜାଗାରେ ନାନାପ୍ରକାରର ଛୋଟବଡ଼ ଗଛର ବୁଦାମାନ ସୃଷ୍ଟି କରି ପବନକୁ ସେଠି ମଧ୍ୟ ରୋକିବାକୁ ସ୍ଥିର କଲେ । ବଡ଼ବଡ଼ ଉପତ୍ୟକା ଓ ପାଣି ଗୋହିରିକୁ ବନ୍ଧେଇଦେଇ ତୁଷାରଜଳ ଯେମିତି ସମୁଦ୍ରମୁହାଁ ନହୁଏ, ସେଥିପ୍ରତି ଦୃଷ୍ଟିଦେଲେ । ସେମାନେ ପ୍ରାଣପଣେ ଏହି କାମରେ ଲାଗିପଡ଼ିଲେ, ଉଦ୍ୟମ କଲେ ।

 

ଦିନେ ପବନ ତା’ର ପୁରୁଣା କାରସାଦି ଦେଖାଇବାକୁ ବାହାରିଲା । ମନେମନେ ସ୍ଥିର କଲା–ଶସ୍ୟର ଚେରଗୁଡ଼ାକ ପାଖରୁ ମାଟିକୁ ଉଡ଼େଇନେବ, ଝାଞ୍ଜି ରୂପରେ ବହି ଶିଂଷାଗୁଡ଼ିକୁ ଜାଳିଦେବ, ଶସ୍ୟଗୁଡ଼ିକୁ ଦୋହଲେଇ ଝଡ଼େଇଦେବ ।

 

ପ୍ରଚଣ୍ଡ ବେଗରେ ଏହା ବହିବାକୁ ଆରମ୍ଭ କରିଥାଏ କି ନାହିଁ; ମୁହାଁମୁହିଁ ହାବୁଡ଼ିଗଲା ସୈନ୍ୟଶ୍ରେଣୀ ଭଳି ଧାଡ଼ିକି ଧାଡ଼ି ଠିଆ ହୋଇଥିବା ବିରାଟ ଶାଳଗଛଗୁଡ଼ାକୁ । କୌଣସିମତେ ବା ଗଳିଗୁଞ୍ଜି ପଶିଗଲା ପ୍ରଥମ ଧାଡ଼ିଟିରେ । ତା’ପରେ ଦ୍ଵିତୀୟ, ତୃତୀୟ, ଚତୁର୍ଥ ଧାଡ଼ି । ଏକାବେଳକେ କ୍ଳାନ୍ତ ହୋଇ ଭାଙ୍ଗିପଡ଼ିଲା ଯେମିତି । ଆଉ ବହିପାରିଲା ନାହିଁ । ଏହା ସତ୍ତ୍ୱେ ପରାଜୟ ମାନୁ ନଥାଏ । ଓଲଟି ଧମକ ଦେଲା–ଆରେ, ରହ ! ମୋ ଶେଷ ରୂପଟା କାଢ଼େ ମୁଁ ରହ । ତା’ ତ ଦେଖିନ । ଝାଞ୍ଜିରେ ଫସଲ ସିନା ନଷ୍ଟ କରିପାରିଲି ନାହିଁ, ତା’ ବୋଲି କୁହୁଡ଼ି କୁଆଡ଼େ ଗଲା କି ? ସେଇ କୁହୁଡ଼ିରେ ଖତମ୍ କରିବି ରହ ?

 

ଶୀତ ପଡ଼ିଲା । ପୁଣି ଆକ୍ରମଣ କରିବାକୁ ବାହାରିଆସିଲା ପବନ । ଆଗ ପରି ଏଥର ଆଉ ପୂର୍ବପଟରୁ ଆସିଲା ନାହିଁ; ଆସିଲା ଚୋରଙ୍କ ଭଳି ଲୁଚି ଲୁଚି ସୁଉ ସୁଉ ହୋଇ ଦକ୍ଷିଣରୁ । ବିଲଗୁଡ଼ିକ ଉପରୁ ତୁଷାର ଶେଯଟିକୁ ଓଲଟେଇ ଛିନ୍‍ଛତର କରିବାକୁ ଚେଷ୍ଟାକଲା ସତ, କିନ୍ତୁ ପାଚେରି ଭଳି ଛିଡ଼ା ହୋଇଥିବା ଗଛଗୁଡ଼ାକଠୁ ପ୍ରବଳ ଧକ୍କା ପାଇଲା । ମାଡ଼ ଖାଇ ବ୍ୟତିବ୍ୟସ୍ତ ହୋଇ କାନ୍ଦିପକେଇଲା ସତକୁସତ । କି କରୁଣ ସେଇ ବାହୁନା ତା’ର ସେତେବେଳେ–ଶେଷରେ ମତେ ଚିତାକାଟିଦେଲାରେ, ଭଣ୍ଡେଇଦେଲେ, ହଟେଇଦେଲେରେ ।

 

ଲୋକେ ପାଣିକୁବି ହଟେଇଲେ, ଆୟତ୍ତରେ ଆଣିଲେ । ଏହା ଯେତେବେଳେ ବିଲ ଛାଡ଼ି ପଳେଇବ, ଆଉ ଉପରର ମାଟି ପରସ୍ତକୁ ସାଙ୍ଗରେ ଭସେଇ ନେଇଯିବ ବୋଲି ବାହାରିଲା, ହଠାତ୍ ଦେଖିଲା, ନିଜ ଯୋଜନା ନ ବଦଳେଇଲେ ଚଳେ । କାରଣ, ତା’ର ବାଟରେ ଠିକ୍ ଛିଡ଼ା ହୋଇଚି ଜଙ୍ଗଲଟା । ଆଉ ଜଙ୍ଗଲର ସେଇ ଗାଲିଚାଟା ତାକୁ ଶୋଷିବାରେ ଲାଗିଚି, ତାକୁ ପାଦେ ବଢ଼ିବାକୁ ସୁବିଧା ଦେଉନାହିଁ ଆଦୌ । ତା’ପରେ ପାଣି ଗହିରିଆ ଭାବରେ ଗତି କରି ମୁହାଁଇଲା ଉପତ୍ୟକା ବା ଗୋହିରି କି ନାଳଆଡ଼କୁ । କିନ୍ତୁ ସେଠିବି ଦେଖିଲା, ତାକୁ ଅଟକେଇ ଦିଆଗଲା ହଠାତ୍ । କାରଣ, ସେଠି ଲୋକେ ଝାଟିଲଟି, ଛୋଟବଡ଼ ବୁଦିବୁଦିକିଆ ଗଛ ଲଗେଇ ସାରିଥାନ୍ତି । ସେଗୁଡ଼ାକ ଚେରରେ ମାଟିକୁ କାମୁଡ଼ି ଧରିଲେ । ପାଣିକୁ ସୁବିଧା ଦେଲେ ନାହିଁ, ମାଟି ଭସେଇବା ପାଇଁ । ପାଣି ଦେଖିଲା, ଆଉ ଗୋହିରି କି ଉପତ୍ୟକାରେ ତା’ର ସ୍ଥାନ ନାହିଁ । ଏହା ଖସି ପଳେଇବାକୁ ଇଚ୍ଛା କଲା ନଈକୁ, ନଈରୁ ପାଣି ସମୁଦ୍ରକୁ । କିନ୍ତୁ ଲୋକେ ବନ୍ଧ ପକେଇଥାନ୍ତି । ଉପତ୍ୟକାରେ, ଗୋହିରିରେ । ତେଣୁ, ଶେଷରେ ନିରସ୍ତ ହୋଇ ଉପତ୍ୟକା ଅଞ୍ଚଳରେ ଗୋଟିଏ ଗୋଟିଏ ପୋଖରୀ ତିଆରି କଲା, ଚୁପ୍‍ଚାପ୍ ପଡ଼ିରହିଲା । ସେଥିରେବି ରକ୍ଷା ମିଳିଲା ନାହିଁ । ଲୋକେ କହିଲେ–ଏମିତି ଅଳସୁଆ ହେଲେ ଚଳିବ ନାହିଁ । ଏଠି ଥିଲାବେଳେ କିଛିହେଲେ କିଛି କାମ କର । ଯାଆ, ଏଇ ସିଆରରେ, ଏଇ ମାହାରରେ ବାରିକ ଯାଆ, ବଗିଚାକୁ ଯାଆ, କୋବି, କାକୁଡ଼ି ଆଦି ପନିପରିବା କିଆରିରେ ମାଡ଼୍ ।

 

ଲୋକେ ପବନପାଇଁ ମଧ୍ୟ କିଛି କାମ ଯୋଗାଡ଼ କଲେ । ତାକୁ ଟର୍ବାଇନ୍ ଘୂରେଇବା, ଆଉ ପାଣି ପମ୍ପ୍ କରିବାରେ ଖଟେଇଲେ ।

 

ସେମାନେ ଭୂମିକୁ ସବୁ ପ୍ରକାର ଉପାୟରେ ତା’ର ସବୁ ଶତ୍ରୁଙ୍କଠୁ ରକ୍ଷା କଲେ । ଭୂମି କାହିଁକି ଧାରୋଇ ହୋଇ ରହିଥାନ୍ତା ? ସେ ସେମାନଙ୍କୁ ଅତି ଭଲ କାଳରେ ଯେତେ ଶସ୍ୟ ଯୋଗାଉଥିଲା, ତାହାର ଦି’ଗୁଣ ପରିମାଣ ଶସ୍ୟ ଦେଲା । ଶେଷରେ, ଦିନେ ଭୂମି, ଜଳ ଆଉ ପବନ ଏକାଠି ସ୍ଵୀକାର କଲେ ଯେ, ପ୍ରକୃତରେ ଷ୍ଟେପିର ମାଲିକ ହେଉଚି ମଣିଷ । ସେ ଯେତେବେଳେ ମାଲିକ, ସେତେବେଳେ ତା’ କଥା ମାନିବାକୁ ହେବ, ନିଷ୍ଠାର ସହିତ ବିଶ୍ଵାସ ରଖି ତା’ର ସେବା କରିବାକୁ ହେବ ।      

 

ତମେ ପଚାରିପାର, କେଉଁ ତୃଣଭୂମି ସେଇଠି, ଯେଉଁଠି ଲୋକେ ତିଆରି କରିଛନ୍ତି ଜଙ୍ଗଲ, ବାଡ଼ ପକେଇ ବିଭାଗ କରିଛନ୍ତି ଉପତ୍ୟକା, ପୋଷା ମନେଇଛନ୍ତି ନଈନାଳ, ଆଉ ଦିଗଅନ୍ଧାରି ଧୂଳିଝଡ଼କୁ । ଆଉ କିଏ ସେଇ ଶକ୍ତିଶାଳୀ ଲୋକ, ଯେଉଁମାନେ ଜୟ କରିଛନ୍ତି ପବନକୁ, ତୁଷାର ଝଡ଼କୁ ଆଉ ଜଳସ୍ରୋତକୁ । ଷ୍ଟେପିଟି ଅଛି ସୋଭିଏତ ରୁଷରେ । ସେଇ ଶକ୍ତିଶାଳୀ ଲୋକେ ହେଉଛନ୍ତି ସୋଭିଏତର ସାଧାରଣ ଅଧିବାସୀ–ଶ୍ରମିକ, କୋଠଚାଷୀ, ଇଞ୍ଜିନିୟର୍, ଆଉ ବିଜ୍ଞାନୀ ।

 

ବିଜ୍ଞାନର ନିୟମ ଅନୁସାରେ ସେମାନେ ଯେ କେବଳ ରୁଷର ଦକ୍ଷିଣାଞ୍ଚଳର ‘ଷ୍ଟେପି’ ଭୂମିକୁ ବଦଳାଇଦେଉଛନ୍ତି, ତା’ ନୁହେଁ, ଉତ୍ତରାଞ୍ଚଳର ଜଙ୍ଗଲଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ଆଣୁଛନ୍ତି-

 

ଦକ୍ଷିଣରେ ପ୍ରଚୁର ପରିମାଣରେ ପାଣି ମିଳେ ନାହିଁ । ଥରେ ବିଲବାଡ଼ିଗୁଡ଼ିକରେ ଜଳସେଚନ ନିହାତି ଦରକାର । ଉତ୍ତରରେ କିନ୍ତୁ ପ୍ରାୟ ସମୟରେ ବର୍ଷା ହୁଏ । ତେଣୁ ପ୍ରଚୁର ପାଣି ନଷ୍ଟ ହୁଏ । ବିଶେଷରେ ପାଣି ସେଠି ଅନେକ ଜାଗାରେ ଜମା ହୋଇ ରହେ । ସେଇ ଜାଗାଗୁଡ଼ିକ ସନ୍ତସନ୍ତିଆ, କାଦୁଆ, କିମ୍ବା ପାଣିପାଟ ପାଲଟେ । ଏହି ପାଣିପାଟ, ଆଉ ସନ୍ତସନ୍ତିଆ ସ୍ଥାନରୁ ପାଣି ନିଷ୍କାସନ କଲାପରେ ସେଠାରେ ଏବେ ନାନା ଜାତିର ଫସଲ ହେଉଚି, ଛଣପଟ ହେଉଚି । ସେଇ ସ୍ଥାନଗୁଡ଼ିକ ଆବାଦ ହେଉଚି । ଦକ୍ଷିଣରେ ମାଟି କିନ୍ତୁ ବଳୁଆ ଓ ଉର୍ବର । ତାକୁ କଳାମାଟି କୁହାଯାଏ । ଉତ୍ତରରେ ବିଭିନ୍ନ ସ୍ଥାନ ଅଛି, ଯେଉଁଠି ଶସ୍ୟଗୁଡ଼ିକୁ ମାଟିରୁ ପୃଷ୍ଟିକର ଖାଦ୍ୟ ବା ସାର ମିଳେ ନାହିଁ । ସେଥିପାଇଁ ଗହମ, ରାଇ ଗୋଖାଦ୍ୟ ଘାସ ପ୍ରଭୃତି ଗିଣିଗିଣିଆ ହୁଏ, ବଢ଼ିପାରେ ନାହିଁ । ଦୁର୍ବଳିଆ ଅନୁର୍ବର ମାଟିକୁ ବଳୁଆ କରିବା ସକାଶେ, କୋଠଚାଷୀମାନେ ସେଥିରେ ରାସାୟନିକ ସାର ଖତ ପ୍ରଭୃତି ଦିଅନ୍ତି କିମ୍ବା ସିଆରମାନ କାଟି ସେଥିରେ ସାର ପକାନ୍ତି । ଏ କାମ ଖୁବ୍ ଚଞ୍ଚଳ ଚଞ୍ଚଳ ହୁଏ ମେସିନ୍‍ରେ । ଯେଉଁ ମାଟିପାଇଁ ଯେଉଁ ସାର ଉପଯୋଗୀ, ସେହି ସାର ସେଥିରେ ମିଶାଯାଏ । କେତେକ ଧରଣର ମାଟିପାଇଁ ଆବଶ୍ୟକ ହୁଏ ଚନ କିନ୍ତୁ ଅନ୍ୟ ଧରଣର ମାଟିରେ ଚନ ଦେଲେ ତାହା ଏକାବେଳକେ ନଷ୍ଟ ହୋଇଯିବ ।

 

ରାସାୟନିକ ଫ୍ୟାକ୍‍ଟରିଗୁଡ଼ିକ କୋଠଚାଷୀମାନଙ୍କୁ ଚମତ୍କାର ସାର ଯୋଗାଏ । ଫ୍ୟାକ୍‍ଟରିରୁ ସବୁବେଳେ ରେଳଗାଡ଼ିର ସୁଅ ଛୁଟିଥାଏ । ସେଥିରେ ସବୁ ଭର୍ତ୍ତି ହୋଇଥାଏ ବିଶେଷ ରକମର ‘ମଇଦା’ ଆଉ କୁହୁକ ‘ଶସ୍ୟ’ ! କେହି କେବେ ତାକୁ ଖାଆନ୍ତି ନାହିଁ । କାରଣ ତାହା ନାନାପ୍ରକାରର ଶସ୍ୟଗଛର ଖାଦ୍ୟ । ଗହମ, ଆଳୁ, ଗୋଖାଦ୍ୟ ଘାସ ପ୍ରଭୃତିପାଇଁ ପୃଷ୍ଟିକାରକ । ଏହି ଚମତ୍କାର ମଇଦା ଆଉ କୁହୁକ ଶସ୍ୟ ଏବେ ଆଗ ଅପେକ୍ଷା ଦୁଇ ତିନିଗୁଣ ଅଧିକା ଫଳ ଫସଲ ଉତ୍ପନ୍ନ ହେଉଛି–ଆଉ ଏମିତି ଭାବରେ ମଣିଷ ମାଲିକ ହୋଇଚି ଆମ ଦେଶରେ । ଯେତେବେଳେ ଜାହାଜଟିଏ ମସ୍କୋ ଆସିବାକୁ ବାହାରେ, ଆଗ ତାହା ପ୍ରଥମ ଶ୍ରେଣୀର ପ୍ରଥମ ପାହାଚ ପାଖରେ ପହଞ୍ଚେ । ସେଠି ଦେଖେ, ବିରାଟ ଲୁହାଫାଟକରେ କେନାଲ ବନ୍ଦ । କିନ୍ତୁ ବିରାଟ ଓଜନିଆ ଫାଟକ ମୁହୂର୍ତ୍ତକରେ ସତେ ଯେମିତି କାଉଁରୀ କଥା ଲାଗି ଫିଟିଯାଏ, ଆଉ ଜାହାଜଟି ପଶେ ଆଉ ଓସାରିଆ କରିଡର ବା ଗାଳି ରାସ୍ତାରେ । ସେଇ କରିଡରକୁ କୁହାଯାଏ ଲକ୍ । ଏହାର ଆର ମୁଣ୍ଡରେ ଆଉ ଗୋଟିଏ ବିରାଟ ଫାଟକ ଥାଏ । ଏହି ଲକ୍ ର ଦୁଇପଟେ ଥିବା କାଠ ଖୁବ୍ ଉଚ୍ଚ; ଏତେ ଉଚ୍ଚ ଯେ, ଜାହାଜଟିଏ ଲକ୍ ଭିତରେ ଥିଲେ କାହିଁ କେଉଁ ତଳେ ରହେ ସେଇ କାନ୍ଥ ପାଖରେ । ତା’ ପରେ ଯେଉଁ ଫାଟକ ଖୋଲାଯାଇଥାଏ, ତାହା ବନ୍ଦ ହୋଇଯାଏ । ଲକ୍ ଭିତରେ ଥିବା ପାଣି ଶୀଘ୍ର ଉପରକୁ ଉଠେ ।ପାଣି ଉଠିବା ସଙ୍ଗେ ସଙ୍ଗେ ଜାହାଜଟି ମଧ୍ୟ ଉଠୁଥାଏ । ଜାହାଜଟି ପାଣି ଆଉ ଭୁଇଁର ସ୍ଥିତି ଅନୁସାରେ ସ୍ଥିତି ହୋଇଥିବା ଗୋଟିଏ ସ୍ତରକୁ ଉଠିଲା ପରେ ଲକ୍ ର ଆରମୁଣ୍ଡରେ ଫାଟକ ଖୋଲିଯାଏ । ଜାହାଜଟି ପୁଣି ଯାଇ ପଶେ କେନାଲରେ । ସେଠି ଭାସିଭାସିକା ଚାଲେ ଆଗକୁ ।

Image

 

ବୁଢ଼ା ବୈଜ୍ଞାନିକ ଆଉ ଝାଞ୍ଜି ପବନ

 

ଅନେକ ବର୍ଷ ତଳେ, ତମ ଜେଜେ ଯେତେବେଳେ ତମରି ଭଳି ଛୋଟ କି ତାହାଠୁବି ସାନ ହୋଇଥିଲେ, ସେତେବେଳେ ରୁଷରେ ଜଣେ ବଡ଼ ବୈଜ୍ଞାନିକ ଥାଆନ୍ତି । ସେତେବେଳେ ସେ ବୁଢ଼ା ଦିଶୁଥାନ୍ତି, କାରଣ ତାଙ୍କର ଦାଢ଼ି ପାଚିଯାଇଥାଏ; କେମିତି ପାଉଁଶିଆ ଧରିଥାଏ । କିନ୍ତୁ ତାଙ୍କ ଚାଲିଚଳନ ବେଶ୍ ଟାଣଥାଏ । ଆଖିଯୋଡ଼ିକ ସତେ ଯେମିତି ଯୌବନରେ ଚକ୍‍ଚକ୍ କରୁଥାଏ ଆଉ ସବୁ କଥାପାଇଁ ଜାଗତିଆର ବା ସତର୍କ ରହିଥାଏ । ଯାହାସବୁ ଅନ୍ୟ କାହାରି ବୋଲି କାହାର ଆଖିରେ ପଡ଼ୁ ନଥାଏ, ତାଙ୍କ ଆଖିରେ ତାହାହିଁ ସବୁ ପଡ଼ୁଥାଏ ।

 

କେତେବେଳେ ପାଦରେ ଚାଲି ଚାଲି, କେତେବେଳେ ବା ଘୋଡ଼ାରେ ଚଢ଼ି ସେ ଦେଶ ତମାତ୍ ବୁଲି ବୁଲି କେଉଁଠି ଜଙ୍ଗଲ ବିଷୟ ଅନୁଧାନ କରୁଥାନ୍ତି ତ କେବେ ଷ୍ଟେପି କି ପାହାଡ଼ ପର୍ବତ ସମ୍ପର୍କରେ ସନ୍ଧାନ ନେଉଥାନ୍ତି । କିନ୍ତୁ ଚାରିଆଡ଼ ବୁଲି ବୁଲି ଆସି ସେ ପ୍ରାୟ ବାରମ୍ବାର ଯାଉଥାନ୍ତି ତରୁହୀନ, ବୃକ୍ଷହୀନ ଷ୍ଟେପି ଅଞ୍ଚଳକୁ । ଦୃଷ୍ଟି ଯେତେଦୂର ଯାଉଥାଏ, ସେତେଦୂର ଯାଏଁ ସେ ଦେଖିବାକୁ ପାଉଥାନ୍ତି ଲମ୍ବ ଲମ୍ବ ଘାସ ଆଉ ପବନରେ ଦୋଳି ଦୋଳି ସତେ ଅବା ଲହଡ଼ି ମାରୁଥିବା ଗହମ କିଆରି ସବୁ । ସତେ ଯେମିତି ସେସବୁ ବିସ୍ତୃତ ହୋଇ ଲାଗି ରହିଥାନ୍ତି ଦିଗ୍‍ବଳୟକୁ । ଖରାଦିନେ ପ୍ରାୟ ଶୁଖିଲା ଘାସପଡ଼ିଆରେ, ଗହମକ୍ଷେତରେ ପହଞ୍ଚୁଥାନ୍ତି । ସେଠି ଲକ୍ଷ୍ୟ କରୁଥାନ୍ତି–ଘାସ କି ଗହମ ଗଛ ଜଳିଯାଇଛି । ଭାବୁଥାନ୍ତି, “ଏ କେମିତି କଥା ! ବସନ୍ତକାଳରେ ଏଠି ପ୍ରଚୁର ପାଣି, ଯେତେ ରହିଲେ ଚଳିବ, ତା’ଠୁଁ ବେଶି । କିନ୍ତୁ ଏବେ ଶୀତଦିନରେ ଯେତେବେଳେ ଏହା ବିଶେଷ ଭାବରେ ଲୋଡ଼ା, ସେତିକିବେଳେ କେଉଁଠି ହେଲେ ଚଳେ କି ମନ୍ଦାଏ ନାହିଁ !

 

“ପ୍ରତ୍ୟେକ ବସନ୍ତରେ ଷ୍ଟେପିଟିର ଚାରିଆଡ଼େ ଝର ପଡ଼ୁଛି, ଛୋଟ ଛୋଟ ପାଣିଧାରମାନ ଛୁଟୁଚି, ଶେଷ ତୁଷାରତକ ତରଳିଯିବା ସାଙ୍ଗେ ସାଙ୍ଗେ ସମୁଦାୟ ଅଞ୍ଚଳଟି ଫୁଲରେ ଘୋଡ଼େଇ ହୋଇଯାଉଛି । ଗୋଟିଏ କିସମର ଫୁଲ ପରେ ଆଉ ଗୋଟିଏ କିସମ ଫୁଲର ବିଛଣା ଯେମିତି ପାରିହୋଇଯାଉଛି । ବାଇଗଣି ରଙ୍ଗର ଗାଲିଚାଟି ବଦଳି ଫିକା ନେଳିରେ, ପୁଣି ନେଳିଟା ବଦଳି ଗାଢ଼ ନାଲି ପାଲଟୁଛି ।

 

“ଆଉ ଖରାଦିନେ କି ରୁଖା, କି ଧୂଳିଧୂସରିଆ ହୋଇଉଠୁନି ସତେ ! ତୃଣ ଆଉ ଶସ୍ୟ ଗଛକୁ ପୋଡ଼ିଜାଳି ଦେଉଛି ପ୍ରବଳ ଉତ୍ତାପ । ପାଣି ନ ପାଇ ମୁରୁକୁଟି ମଉଳି ଯାଉଛି ଶିଂଷାଗୁଡ଼ିକ, ସମୁଦାୟ ଷ୍ଟେପିଟା ଦିଶୁଚି ପୋଡ଼ାଭୂଇଁପରି ବାଦାମୀ । ଏତିକିବେଳେ ପୁଣି ହାଜର ହୋଇଯାଉଛି ନିର୍ଜନ ମରୁଭୂଇଁର ଶୁଖିଲା ବଦମାସ ପବନ । ନିଆଁ ଭଳି ତା’ର ଝାଞ୍ଜି ନିଃଶ୍ଵାସରେ ଗହମକୁ ଜାଳି ଦେଉଚି । ମୋଡ଼ିମାଡ଼ି ସୁକୁଟେଇ ଦେଉଚି କୁଦାଗୁଡ଼ିକରେ ଗଛଲଟିର ପତ୍ରକୁ ସବୁ । ଷ୍ଟେପିଟିଯାକ ହାହା ହୋଇ ବୁଲୁଛି ବିରାଟ ବୁଭୁକ୍ଷା । ଷ୍ଟେପି ଉପରେ ଏତେ ଲୋକଙ୍କର ନିର୍ଭର, ସେଇ ତ ତାଙ୍କୁ ଖାଦ୍ୟପାଇଁ ଯୋଗାଏ ଶସ୍ୟ ।’’

 

ଷ୍ଟେପିରେ ବୁଲିଲାବେଳେ ଏହି ଭାବନା ଖେଳୁଥାଏ ବୈଜ୍ଞାନିକଙ୍କ ମନରେ । ଅତି ଗଭୀର ଭାବରେ ସେ ଭଲ ପାଉଥାନ୍ତି ନିଜର ଜନ୍ମଭୂମିକୁ । ସେଥିପାଇଁ ବ୍ୟାକୁଳ ହୋଇ ଚାହୁଁଥାନ୍ତି କେମିତି ସେଥିରୁ ଦୁର୍ଭିକ୍ଷ ଆଉ ମରୁଡ଼ି ଲୋପ ପାଆନ୍ତା କି ! କିନ୍ତୁ ଏହାକୁ ନିର୍ମୂଳ କରିବା ପୂର୍ବରୁ ସେ ବୁଝିଥାନ୍ତି, ଯେପରି ହେଉ, ଆଗ ମରୁଡ଼ିର କାରଣଟି ବାହାର କରିବାକୁ ହେବ !

 

ବୈଜ୍ଞାନିକ ଏହା ଭାବି ଅନେକ ଥର ସେକାଳରେ ବୁଢ଼ାବୁଢ଼ାମାନଙ୍କୁ ପଚାରିଲେ, “ଷ୍ଟେପିରେ ସବୁବେଳେ ଏମିତି ଅବସ୍ଥା ଦେଖାଯାଉଥିଲା ନା ନାହିଁ ।” ଏ ପ୍ରଶ୍ନର ଗୋଟିଏ ମାତ୍ର ଉତ୍ତର ସେ ପାଇଲେ !

 

“ହଁ, ସବୁବେଳେ, ଆମ ଜେଜେଙ୍କ ଅମଳରେ, ଆମର ଅଣଜେଜେ, ପଣଜେଜେଙ୍କ ଅମଳରେବି ଏଇ ଅବସ୍ଥା ଉପୁଜୁଥିଲା ।’’

 

ବୁଢ଼ା ବୈଜ୍ଞାନିକ ଏହା ଶୁଣି ଶୁଣି କେବଳ ମୁଣ୍ଡ ଟୁଙ୍ଗାରୁଥାନ୍ତି । କାରଣ ସେ ବୁଝିଥାନ୍ତି, କେଉଁଠି କ’ଣ ଭୁଲଭ୍ରାନ୍ତି ରହିଯାଇଛି ଯେମିତି । ପୃଥିବୀରେ କେଉଁ କଥା ବା ନ ବଦଳେ ! ନିଶ୍ଚୟ ସେମିତି ଗୋଟାଏ ବେଳ ଥିବ, ଯେତେବେଳେ ଷ୍ଟେପିର ରୂପ ଥିବ ଅଲଗା । କିନ୍ତୁ ଥିବ କେମିତି ? ଏହି ପ୍ରଶ୍ନଟିର ଉତ୍ତର ପାଇବାପାଇଁ ବିଭିନ୍ନ ସ୍ଥାନ ବୁଲିବୁଲି ଦେଖିଲା ପରି ତାଙ୍କୁ ଅତୀତର ଅନେକ ବର୍ଷ, ଅନେକ ଶତାବ୍ଦୀ ଟପିଯିବାକୁ ପଡ଼ିବ । ସେଇ ଶତାବ୍ଦୀଗୁଡ଼ିକ ମଧ୍ୟରେ ବୁଲିବାକୁ ହେବ ଏବଂ ଏହି ବୁଲିବାର ପନ୍ଥାଟି ମଧ୍ୟ ଶିଖିବାକୁ ହେବ–ଏହା ସେ ପ୍ରଥମେ ବୁଝିପାରିଲେ । ବୈଜ୍ଞାନିକ ତ କିଛି କେଉଁ ପରୀ-କାହାଣୀର ମ୍ୟାଜିକ୍‍ବାଲା ବା ଯାଦୁକର ନୁହନ୍ତି । ଏଣୁ ବୈଜ୍ଞାନିକ ଭାବରେ ସେ ଅନୁମାନ କରିପାରିଲେ–ସମୟର ରାସ୍ତାରେ ପଛକୁ ଗତି କରିବା ସହଜ ନୁହେଁ । ବିଶେଷରେ ହଜାର ହଜାର ବର୍ଷ ଆଡ଼କୁ ପଛମୁହାଁ ହୋଇଯିବା ଅତି କଷ୍ଟକର । ଏହାତ ଆଉ ସ୍ଥଳଭାଗରେ କେଉଁଠି ପୁଣି ପଛକୁ ହଜାର ମାଇଲ ହଟିଯିବା ବା ଗତି କରିବା ନୁହେଁ ! କିନ୍ତୁ ସମୟର ପଛକୁ ଗତି କରିବା ଛଡ଼ା ବୈଜ୍ଞାନିକଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା । ବିଜ୍ଞାନ ତାହାହିଁ ଦାବିକଲା ତାଙ୍କଠୁଁ । ସେ ତାହାହିଁ କଲେ ।

 

ଷ୍ଟେପିର ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ଘଟଣାକୁ ସେ ତନ୍ନତନ୍ନ କରି ମନୋଯୋଗ ସହକାରେ ଦେଖିଲେ । ପଶୁପକ୍ଷୀ, ନଈନାଳ, ଗିରିଦାରୀ, ଉପତ୍ୟକା, ଫୁଲପତ୍ରଗୁଡ଼ିକୁ ପରୀକ୍ଷା କଲେ । ଟିକିଟିକି ‘ମାରମଟ’ ଜାତୀୟ ପାହାଡ଼ିଆ ମୂଷା କେମିତି ଗାତ ଖୋଳେ, ତାକୁ ପୁଣି ମାଟିରେ ଭର୍ତ୍ତି କରିଦେଇଯାଏ ଏବଂ ଏହା କେମିତି ଅନେକ ଦିନରୁ ହୋଇଆସୁଚି–ଏହା ସେ ଲକ୍ଷ୍ୟ କଲେ । ଯେତେ ଜାଗାରେ କବରସ୍ତୂପ ବା ସମାଧିସବୁ ଥିଲା, ତାକୁ ଦେଖିଲେ । ସେ ସ୍ଥିର କଲେ ଯେ, ଯଦି ଖୋଲା ଷ୍ଟେପିରେ କେଉଁଠି ଶିଉଳିଲଗା ‘ଶାଗୁଆ’ ସମାଧିସ୍ତୂପଟିଏ ଥିବ, ତାହା ନିଶ୍ଚୟ ହଜାର ବର୍ଷ ତଳେ ତିଆରି ହୋଇଥିବ । ଷ୍ଟେପିର ଆଦିବାସୀମାନେ ସେତେବେଳେ ତାଙ୍କର ସର୍ଦାର ବା ନେତାମାନଙ୍କ ଶବକୁ ସବୁ କବର ଦେଲାବେଳେ ବଡ଼ବଡ଼ ସ୍ତୂପଟିମାନ ନିର୍ମାଣ କରିଥିବେ । ସେମାନେ ଚାହିଁଥିବେ–ଦୂରରୁ ସେହି ସ୍ତୂପସବୁ ବାଟୋଇମାନଙ୍କ ଦୃଷ୍ଟିରେ ପଡ଼ୁ । ଏପରି ସ୍ତୂପସବୁ ଜଙ୍ଗଲରେ ନଥିବ । କାରଣ ସେଠି ଗଛଗହଳିରେ ସେଗୁଡ଼ିକ କେବେହେଲେ କାହା ଆଖିରେ ପଡ଼ିପାରି ନଥାନ୍ତି ।

 

ପାହାଡ଼ିଆ ମୂଷାଗୁଡ଼ିକର ଗାତସବୁ ପ୍ରମାଣ କରିଦେଲା ଯେ, ‘ଷ୍ଟେପି’ ବହୁକାଳର ।

 

“ଏହା ସତ୍ତ୍ୱେ ମୁଁ ବିଶ୍ୱାସ କରିପାରୁନାହିଁ ଯେ, ଷ୍ଟେପିଟି ସବୁବେଳେ ଏମିତି ତୃଣହୀନ, ତରୁହୀନ ରୁକ୍ଷ ପ୍ରାନ୍ତର ହୋଇପଡ଼ିଥିଲା ।” ବୈଜ୍ଞାନିକ ମନେମନେ ଏହିପରି ଭାବିଲେ–“ଝାଟିହରିଣମାନଙ୍କର ବହୁତ କେନା ଥିବା ଶିଙ୍ଗ ଆଉ ଅତିକାୟ ହାତୀର ଦାନ୍ତଠୁ ବଳି ବଡ଼ ଦାନ୍ତ ସବୁ ଖୁବ୍ ଗଭୀରରେ ମାଟି ଭିତରୁ ମିଳୁଛି । କିନ୍ତୁ ଝାଟିହରିଣ ରହେ ଜଙ୍ଗଲରେ । ସେକାଳର ଅତିକାୟ ଲୋମଶ ହାତୀଗୁଡ଼ାକ ମଧ୍ୟ କେବେହେଲେ ଖୋଲା ଷ୍ଟେପିରେ ରହି ନଥିବେ-। ଏହାର ଅର୍ଥ, କବରସ୍ତୂପଗୁଡ଼ିକ ଗଢ଼ାହେବାର ବହୁଆଗରୁ ନିଶ୍ଚୟ ଷ୍ଟେପି ଅଞ୍ଚଳଟି ଜଙ୍ଗଲମୟ ଥିବ । ପ୍ରାଗ୍‍ଐତିହାସିକ ଯୁଗର ଜଙ୍ଗଲରୁ କେତେକ ଅଂଶ ଏବେ ମଧ୍ୟ ବୃକ୍ଷମୟ ଟାପୁ ଭଳି ଦେଖାଯାଉଚି ତୃଣ ବା ଘାସର ସମୁଦ୍ର ଭିତରେ ।’’

 

‘ନିର୍ଜଳା’ ବୋଲି ଗୋଟିଏ ନଈର ଉଞ୍ଚା ଆଉ ତୀଖ କୂଳେ କୂଳେ ଅନେକ ବୁଲାବୁଲି କଲେ ବୈଜ୍ଞାନିକ । ଯାହା ଦେଖିଲେ, ସେଥିରେ ତାଙ୍କର ବିସ୍ମୟ ବଢ଼ିଗଲା । କୂଳଠୁଁ କାହିଁ କେତେ ଦୂରରେ ଗୋଟାଏ ଅତି ଗହିରିଆ ଗାତରେ ସରୁ ଧାରଟିଏ ଭଳି ବହୁଥାଏ ‘ନିର୍ଜଳା’ । ଷ୍ଟେପିକୁ ବେଶ୍ ପ୍ରଶସ୍ତଭାବରେ ଗହିରିଆ କରି ଦି’ଭାଗ କରିଦେଇଥାଏବି । ତା’ର ଗୋଟିଏ କୂଳରୁ ଆଉ ଗୋଟିଏ କୂଳର ଦୂରତ୍ଵ ଥାଏ ବହୁତ । ଏଡ଼େବଡ଼ ପ୍ରଶସ୍ତ ନଈର ଶଯ୍ୟା ଷ୍ଟେପି-ଅଞ୍ଚଳରେ ବିଷଦୃଶ୍ୟ ଦିଶୁଥାଏ ‘ନିର୍ଜଳା’ ସେଇ ଅଞ୍ଚଳର ପରିବେଶରେ ଆଦୌ ଖାପ ଖାଉ ନଥାଏ । ବୈଜ୍ଞାନିକ ବାଲିଗରଡ଼ାଗୁଡ଼ିଏ ଗୋଟେଇଲେ । ସେଗୁଡ଼ିକ ଚିକ୍କଣ ଆଉ ଗୋଲ ହୋଇଥାଏ ଠିକ୍ ସାବୁନ ଗୋଲି ଭଳି । କିଏ ସେଗୁଡ଼ିକୁ ସେମିତି ଚିକ୍କଣ କରିଥାଏ ? ନିଶ୍ଚୟ ନଈ । ନଇଲେ, ସେତେ ସୁନ୍ଦର କରି ଆଉ କେହି କେବେ ବାଲିଗରଡ଼ାଗୁଡ଼ିକୁ ସମତୁଲିଆ ଗୋଲ ଆକାରରେ ଗଢ଼ିପାରି ନଥାନ୍ତା । କିନ୍ତୁ ନଈଟା ଯେ ଯାଇ ରହିଥାଏ କାହିଁ କେଉଁ ଅତଳରେ, ଗାତ ଭିତରେ ! ଏତେ ଉଚ୍ଚକୁ ବାଲିଗରଡ଼ାଗୁଡ଼ିକ କୂଳ ପାଖକୁ ଆସିଥିଲା କେମିତି ? ଏଥିରୁ ସେ ସ୍ପଷ୍ଟ ଧାରଣା କରିପାରିଲେ–ଦିନେ ନଈଟି ନିଶ୍ଚୟ କୂଳ ପୂରେଇ ବୋହୁଥିଲା; ଥିଲା ଅତି ଉଚ୍ଚରେ । ସେତେବେଳକୁ ଅବଶ୍ୟ ତା’ର ନୂଆ ‘ନିର୍ଜଳା’ ହୋଇ ନଥିବ ! କାରଣ, ଲୋକେ କ’ଣ ଗୋଟାଏ ଗଭୀର ଆଉ ପ୍ରଶସ୍ତ ଜଳପୂର୍ଣ୍ଣ ନଈକୁ କେବେ ‘ନିର୍ଜଳା’ ନାଁ ଦେଇଥାନ୍ତେ ?’’

 

‘ନିର୍ଜଳା’ ନଈଟିର ବହୁତ ଭଉଣୀ ଷ୍ଟେପିରେ । ସମସ୍ତେ ଦେଖିବାକୁ ସମାନ । କାହା ନାଆଁ ‘ଶୁଖିଲାମୁହୀଁ ଓରଝିତ୍‍ସା’, ଶୁଖିଲାମୁହୀଁ ଲପ୍ୟାନ୍‍କା’, “ଶୁଖିଲାମୁହୀଁ ଗୋଲତ୍‍ଭା ତ କାହାର ନାଆଁ ‘ଅସ୍ରୋତା’ ‘ଅଣଓଟରୀ’ ଏମିତି କେତେକଅଣ । ସେଗୁଡ଼ିକ ଶୁଖିଲାମୁହୀଁ, କାରଣ ଖରାରେ ଶୁଖି ଠାଉ ଠାଉ ହୁଅନ୍ତି ସବୁ । ସେଗୁଡ଼ିକ ‘ଅସ୍ରୋତା’, କାରଣ, ସେଥିରେ ଏତେ ପାଣି ନଥାଏ, ଯାହାଦ୍ୱାରା ନଈଟିକୁ ସଚଳା ବା ଗତିଶୀଳା କରି ରଖିବେ । ସେଗୁଡ଼ିକ ‘ଅଣଓଟରୀ’ ବା ‘ଅନାକର୍ଷିକା’, କାରଣ ଏମିତି ସେଥିରେ ସ୍ରୋତ ନଥାଏ, ଯାହା କାଠଖଣ୍ଡକୁ ଭସେଇନେଇପାରିବେ-

 

ନଈର ନାଆଁ, କବରର ସ୍ତୂପ ପରିତ୍ୟକ୍ତ ପୁଣି ପରିପୂର୍ଣ୍ଣ ପାହାଡ଼ିଆ ମୂଷାଗାତ, ଅତିକାୟ ହାତୀର ଦାନ୍ତ, ନଈକୂଳରେ ବାଲିଗରଡ଼ା ଆଉ ଏହିଭଳି ଅନେକ ଚିହ୍ନଟରୁ ବୈଜ୍ଞାନିକ ବହୁତ ସାହାଯ୍ୟ ପାଇଲେ । ସେହିଗୁଡ଼ିକ ଜରିଆରେ ସେ ଜାଣିପାରିଲେ ଆଗେ ଷ୍ଟେପିଟି ଥିଲା କେମିତି । ପ୍ରକୃତରେ ସେ ଦେଖିପାରିଲେ ଯାହା ଅନ୍ୟ ଲୋକେ କେବେ ଦେଖିପାରୁ ନଥିଲେ ।

 

କିନ୍ତୁ ସେ ଯେତେବେଳେ ଅତୀତ ଆଡ଼କୁ ଫେରିଲେ, ବହୁତ ବିଗତ ଶତାବ୍ଦୀ ବାଟରେ ଚାଲିଲେ, ସେତେବେଳେ ଦେଖିଲେ ସବୁ କ’ଣ ? ଦେଖିଲେ, ଦିନେ ପୂରାପୂରି ଅଲଗା ଥିଲା ଷ୍ଟେପି । ତା’ର ଷ୍ଟେପିର ରୂପ କି ଗୁଣ ନଥିଲା । ଯେଉଁଠି ଗୋଟିଏ ଦିଓଟି ଗଛ କେବେ କେମିତି ବୈଜ୍ଞାନିକଙ୍କର ଆଖିରେ ପଡ଼ିଥିଲା, ସେଠି ବିସ୍ତୃତ ଆକାରରେ ଥିଲା ନିବିଡ଼ ଜଙ୍ଗଲ ସବୁ । ନଈଗୁଡ଼ିକ ଗଭୀର ଥିଲେ, ଜଳମୟୀ ଥିଲେ ଖୁବ୍ । ଅନାବାଦୀ ତୃଣଭୂମି ଅଞ୍ଚଳକୁ ସେତେବେଳେ ଘୋଡ଼େଇ ରଖିଥିଲା ପଚାଶଢ଼ା ଶୁଖିଲା ଶୁଖିଲା ଘାସର ବହଳିଆ ବିଛଣା । ପ୍ରତି ବସନ୍ତରେ ସେହି ବିଛଣା ଭେଦ କରି ମୁହଁ କାଢ଼ୁଥିଲା ନୂଆ ନୂଆ ତୃଣାଙ୍କୁରଗୁଡ଼ିକ । ସେତେବେଳେ ଅନାବୃଷ୍ଟି ବା ମରୁଡ଼ି ନଥିଲା ସେଠି । ନଈ ନଈ ମଝିରେ ଉଚ୍ଚ ସ୍ଥାନଗୁଡ଼ିକ ଥିଲା ଜଙ୍ଗଲମୟ । ସେହି ଜଙ୍ଗଲସବୁ ବାଧାଦେଇ ରୋକୁଥିଲେ ବରଫକୁ, ତାହା ଯେମିତି ଶୀଘ୍ର ତରଳିଯାଇ ନଈନାଳକୁ ବୋହି ନ ଯାଏଁ ଏହା ବନ୍ଦ କରିବାପାଇଁ । ବରଫ ପାଣି ସୁର୍ ସୁର୍ ହୋଇ ଭେଦୁଥିଲା ମାଟିରେ । ବହଳିଆ ତୃଣଶସ୍ୟ ସେହି ପାଣିକୁ ଶୋଷିନେଇ ସଂଚୟ କରୁଥିଲା ଖରାଦିନ ଯାଏଁ । ସେଥିପାଇଁ ଷ୍ଟେପିରେ ତୃଣ ବା ଘାସସବୁ ବଢ଼ିଥିଲା ଚାରି ଚାରି ଫୁଟ୍ ଉଞ୍ଚରେ ।

 

କିନ୍ତୁ ଲୋକେ ହାଣିପକେଇଲେ ଗଛଗୁଡ଼ିକୁ । ସୂର୍ଯ୍ୟର ଉତ୍ତପ୍ତ କିରଣରୁ ରକ୍ଷା କରିବାପାଇଁ ଆଉ କିଛି କବଚ ଭଳି ରହିଲା ନାହିଁ । ତେଣେ ପୁଣି ସେମାନେ ଚାଷ କଲେ, ଆବାଦ କଲେ ଅନେକ ଜମି । ସେଥିରେ ଧ୍ଵଂସ ପାଇଗଲା ବିସ୍ତୃତ ଆଉ ବହଳ ଘାସବିଛଣାଟି । ତୁଷାର ବିଗଳିତ ହେବାକୁ ଲାଗିଲା ଶୀଘ୍ର ଶୀଘ୍ର । ପାଣି ଛୁଟି ଚାଲିଲା ଅଜସ୍ର ଧାରାରେ ନଈଗୁଡ଼ିକର ଗର୍ଭକୁ । ସେଠୁ ବାହାରିଲା ସମୁଦ୍ରକୁ । କିନ୍ତୁ ସମୁଦ୍ରରେ କେବେ ପାଣିର ଅଭାବ ଥାଏ ବା ଥିଲା ? ନଈଗୁଡ଼ିକ ବେଶ୍ କଳକଳମୟୀ, କ୍ରୀଡ଼ାମୟୀ ହୋଇଉଠିଲେ । ଲୋକେ କିନ୍ତୁ ଗମ୍ଭୀର ହେଲେ, ବିଷଣ୍ଣ ହେଲେ । କାରଣ, ପାଣିଧାର ଆଉ ନଈଗୁଡ଼ିକ ମାଟି ଧୋଇନେବାରେ ଲାଗିପଡ଼ିଲେ । ସେମାନେ ନିର୍ଲଜ୍ଜୀଭାବରେ ଦିନ ଦିପହରେ ପୁଳାକୁ ପୁଳା, ଛେଲାକୁ ଛେଲା ମାଟି ନେଇ ବହିବାକୁ ଲାଗିଲେ । ନିଜକୁବି ପଙ୍କିଳ, ଆବିଳ କଲେ । ନଈଗୁଡ଼ିକ ପାରୁପର୍ଯ୍ୟନ୍ତ ଖଟି ଯେତେ ପାରିଲେ ସେତେ ମାଟି ନେଇ ଅଜାଡ଼ିଲେ ସମୁଦ୍ରରେ । ସମୁଦ୍ରକୂଳିଆ ଲୁଣିପାଣି ଅଞ୍ଚଳ ଘାସକୁ ଏହା ହିତ କଲା । କିନ୍ତୁ ଦିନକୁଦିନ ନିର୍ଜୀବ ହୋଇଉଠିଲେ ତୃଣ ଆଉ ଗହମ ପ୍ରଭୃତି ଶସ୍ୟ ଗଛଗୁଡ଼ିକ । ଜୀବନଧାରଣ ପାଇଁ ସେମାନେ ଯେତେ ସଂଗ୍ରାମ କଲେବି ସଫଳ ହେଲେ ନାହିଁ । ନିଜର ଖାଦ୍ୟରୁ ବଞ୍ଚିତ ହେଲେ ସେମାନେ ।

 

ପାଣିଧାର ଆଉ ନଈଗୁଡ଼ିକ ବୋହି ଚାଲିଲେ ନାଳିରେ, ସିଆରରେ, ମାହାରା ଓ ଗୋହିରିରେ । ଯାଉଁ ଯାଉଁ ସେଗୁଡ଼ିକୁ ଓସାରିଆ ଆଉ ଗୋହିରିଆ କରିଦେଲେ । ଶେଷରେ, ଲମ୍ବା ସରୁ ସିଆରଟାଏ ହେଲା ବଡ଼ ନାଳି, ନାଳି ହେଲା ଉପତ୍ୟକା । ବଢ଼ି ବଢ଼ି ଆହୁରି ବିସ୍ତୃତ ହେଲା ଏହି ଉପତ୍ୟକାସବୁ । ତା’ର ଦୁଇପଟ କାନ୍ଥି ହେଲା ଅତି ତିଖ ଆଉ ଉଞ୍ଚ । ଗ୍ରୀଷ୍ମକାଳରେ ସବୁ ପାଣି ନିଗିଡ଼ିଯାଇ ଜମା ହେଲା ଏଇଥିରେ । କେଉଁଠି ବିଲବାଡ଼ିରେ ଟୋପାଏ ପାଣି ଦେଖିବାକୁ ମିଳିଲା ନାହିଁ । ଶୋଷରେ ଝାଉଁଳି ଝାଉଁଳି ଯୁଗଯୁଗ ଧରି ମରିବାକୁ ଲାଗିଲେ ଗହମ ଆଉ ତୃଣର ଅଙ୍କୁରସବୁ ।

 

ସମୟର ରାସ୍ତାରେ ପଛମୁହାଁ ହୋଇ ଗତି କରି ଏହାହିଁ ସବୁ ଦେଖିଲେ ବୈଜ୍ଞାନିକ ।

 

କିନ୍ତୁ ବୈଜ୍ଞାନିକ ଜାଣିଥିଲେ, ଭବିଷ୍ୟତକୁ ମଧ୍ୟ ଚାହିଁବାକୁ ହେବ, ଏବଂ ତାହା ମଧ୍ୟ କିପରି ରୀତିରେ ! ସେ କଳ୍ପନା କରିଥିଲେ, ସମୟ ଆସିବ, ଯେତେବେଳେ ତାଙ୍କ ଦେଶର ଲୋକେହିଁ ସୁବିଜ୍ଞ ମାଲିକ ହେବେ ସମସ୍ତ ଅଞ୍ଚଳର । ବୁଝିବେ ସେମାନେ, ତୃଣଭୂମି ଅଞ୍ଚଳରେ ସେମାନଙ୍କର ପ୍ରକୃତ ମିତ୍ର ହେଉଛି ଜଙ୍ଗଲ, ଆଉ ପରମ ଶତ୍ରୁ ହେଉଚି ଶୁଷ୍କ ବାୟୁ । ସେହି ଶୁଷ୍କ ଆର୍ଦ୍ରତାହିଁ ପବନ ଯେପରି କ୍ଷେତବାରିରେ ହାଜର ହୋଇ ନ ପାରେ, ସେଥିପାଇଁ ଜଙ୍ଗଲର ପ୍ରାଚୀନ ବା ‘ଜଙ୍ଗଲ-ବଳୟ’ ଛିଡ଼ା କରାଇବେ, ରୋଧ କରିବେ ତା’ର ଗତିକୁ । ଷ୍ଟେପିରେ ଅବଶିଷ୍ଟ ଥିବା ଗଛଗୁଡ଼ିକୁ କାଟିବା ପରିବର୍ତ୍ତେ ଯେଉଁଠାରେ ଗଛବୃକ୍ଷ ନାହିଁ, ସେଠାରେ ନୂଆ ନୂଆ ଗଛ ଲଗାଇ ସେଗୁଡ଼ିକୁ ପାଳନ କରିବେ ଯତ୍ନରେ । ଏହି ଗଛସବୁ ବଡ଼ ହେଲାପରେ ଶୁଖିଲା ଅନାର୍ଦ୍ର ବାୟୁ ଯେତେବେଳେ ବହିଆସିବ, ସେତେବେଳେ ଓକ୍, ମାପ୍ଲ, ଦେବବାରୁ, ପାଇନ୍ ଗଛଗୁଡ଼ିକଠାରୁ ବାଧା ପାଇବା ପ୍ରଚଣ୍ଡ ଭାବରେ । ସେ ଗଛର ପ୍ରାଚୀର ଭେଦି ଯେତେବେଳେ ଏହା ଭିତରକୁ ଭିତରକୁ ପଶିବାପାଇଁ ବ୍ୟଗ୍ର ହେବ, ଆକ୍ରମଣ କରିବ, ସେତେବେଳେ ଗଛଗୁଡ଼ିକର ଡାଳସବୁ ତାକୁ ଅନାୟାସରେ ଛୋଟ ଛୋଟ ସୋରାଏ ସୋରାଏ ପବନରେ ବିଭକ୍ତ କରିଦେବେ ।

 

ଜଙ୍ଗଲ ଭିତରେ ସବୁବେଳେ ଥଣ୍ଡା ଥାଏ, ଓଦାଳିଆ ବା ଆର୍ଦ୍ର ଥାଏ । ଉତ୍ତପ୍ତ ପବନ ସେଠି ପହଞ୍ଚିଲେ ଥଣ୍ଡା ପଡ଼େ । ତା’ର ଗରମ ମିଞ୍ଜାସ ରହେ ନାହିଁ । ଶେଷରେ ତାହା ଓଦାଳିଆ ବା ଆର୍ଦ୍ର ହୋଇଯାଏ । ଏହିଭଳି ଜଙ୍ଗଲର ପାଚିରିସବୁ ଷ୍ଟେପିକୁ ଶୁଖିଲା ଅନାର୍ଦ୍ର ବାୟୁର ଆକ୍ରମଣରୁ ରକ୍ଷା କରିବ । କିନ୍ତୁ ଏତିକି ତ ଷ୍ଟେପିକୁ ରକ୍ଷା କରିବା ଦିଗରେ ଯଥେଷ୍ଟ ହେବ ନାହିଁ । ପାଣି ଯେମିତି ଉପତ୍ୟକାରେ ପଡ଼ି ଷ୍ଟେପିରୁ ନିବିଡ଼ି ବାହାରି ନ ଯାଏଁ, ସେଥିଲାଗି ଉପତ୍ୟକାଗୁଡ଼ିକୁ ବନ୍ଧେଇବାକୁ ହେବ । ଏହା ଫଳରେ ଉପତ୍ୟକାରେ ସ୍ଥାନେ ସ୍ଥାନେ ସୃଷ୍ଟି ହୋଇଯିବ ସୁନ୍ଦର ସୁନ୍ଦର ପୋଖରୀସବୁ । ସେଥିରୁ ସହଜରେ ଜଳ ଯୋଗାଇହେବ ବିଲବାରିକୁ, ପନିପରିବା କିଆରିକୁ, ବଗିଚାକୁ ସବୁ । ତୃଣଭୂମି ଅଞ୍ଚଳରେ ବୁଲିଲାବେଳେ ଏମିତି ଭାବୁଥିଲେ ବୈଜ୍ଞାନିକ ।

 

ଏହା କିନ୍ତୁ ଷାଠିଏବର୍ଷ ଉପରର ଘଟଣା । ଠିକ୍ ସେହି ସମୟରେ ସମୁଦାୟ ରୁଷ ଦେଶରେ ଘୋର ମରୁଡ଼ି ପଡ଼ିଲା । ଶସ୍ୟଗଛ ଜଳିପୋଡ଼ିଗଲା, ଚାଷୀମାନେ ହାଁ ହାଁ ହୋଇ ଆକାଶକୁ ଚାହିଁରହିଲେ ।

 

ବଣୁଆ ଚେରମୂଳ ଆଣି ତାକୁ ଚୂନା କରି ସେଥିରେ ରୁଟି ତିଆରି କଲେ ସେମାନେ । ସେଇଥିରେ କୌଣସିମତେ ଜୀବନ ରହିଲା ସେମାନଙ୍କର । ଏହା ଛଡ଼ା ଟିକେ ଟିକେ ପାଣି ଆଣି ଫୁଟେଇଲେ, ସେଥିରେ ଅଳ୍ପ ଅଳ୍ପ ମଇଦା ସାଙ୍ଗରେ ସେଇ ବଣୁଆ ଶୁଖିଲା ଘାସଚେରମୂଳି ଚୂନା ମିଶାଇ ଖଳି ପରି କଲେ । ମୁଠିଏ ଗହମ କି ଅଟା ଅମୂଲ୍ୟନିଧି ହୋଇଉଠିଲା । ତାକୁ ଟିକିଏ ବେଶି କରିବା ସକାଶେ ମାଟି ଆଉ ପାଉଁଶ ଆଣି ସେଥିରେ ଗୋଳେଇଲେ । ତାହାହିଁ ରୁଟିର ଜନ୍ତଣି ହେଲା । ତାକୁହିଁ ରୁଟି କରି ସେକି ଖାଇଲେ । ତାକୁ ଖାଇ ଏମିତିକି କୁକୁଡ଼ାଛୁଆବି ସମ୍ଭାଳିପାରିଲେ ନାହିଁ, ମଲେ । ଏହି ରୁଟି ଯେଉଁମାନେ ଖାଇଲେ, ସେମାନଙ୍କ ଭିତରୁ ଅନେକଙ୍କର ପ୍ରାଣବାୟୁ ଉଡ଼ିଗଲା ।

 

ଦଳକୁ ଦଳ କଙ୍କାଳସାର, ବୁଭୁକ୍ଷୁ ଲୋକ ରୁଟି ଖଣ୍ଡେ ଖଣ୍ଡେ, ପାଣି ପୋଷେ ପୋଷେ ମାଗି ବିକଳରେ ବୁଲିଲେ ସହରରେ ସବୁ । କେତେ କେଉଁଠି ବାଟଘାଟରେ ଟଳିପଡ଼ିଲେ । ଏସବୁ ଦେଖି ବୈଜ୍ଞାନିକ କି ଧୈର୍ଯ୍ୟ ରଖିପାରିଥାନ୍ତେ ! ତାଙ୍କ ହୃଦୟ କାନ୍ଦି ଉଠୁଥାଏ । କାରଣ, ସେତେବେଳେ ସେହି କେବଳ ଜାଣିପାରିଥାନ୍ତି ସେଭଳି ଦାରୁଣ ବିପତ୍ତିକୁ–ସେଇ ଦୁର୍ଭିକ୍ଷକୁ କେମିତି ରୋକାଯାଇପାରିବ; ତାହା ଆଉ ଯେପରି ନ ଘଟେ, ସେଥିଲାଗି ବ୍ୟବସ୍ଥା କରାଯାଇପାରିବ ।

 

ସେ ଗୋଟିଏ ବହି ଲେଖି କହିଲେ–‘‘ଆମର ଷ୍ଟେପି, ପୂର୍ବରୁ ଓ ଏବେ ।” ସେଥିରେ ସେ ବର୍ଣ୍ଣନା କଲେ–‘ଆଗେ ଷ୍ଟେପି ଥିଲା କ’ଣ’ ‘ବର୍ତ୍ତମାନ ଅଛି କେମିତି’ ଆଉ ‘ଭବିଷ୍ୟତରେ କ’ଣ ହେବା ଉଚିତ ?’ ସେତେବେଳ ଯାଏଁ ରୁଷରେ ଜାର୍‍ର ରାଜପଣ ଥାଏ । ତେଣୁ ଅଧିକାଂଶ ଜମିବାଡ଼ିର ମାଲିକ ଥାଆନ୍ତି ବଡ଼ବଡ଼ ଜମିଦାର ଆଉ ବଡ଼ବଡ଼ ଚାଷୀ । ଜମିଦାରମାନଙ୍କ ଜମିବାଡ଼ି ପ୍ରତି ଦୃଷ୍ଟି ନଥାଏ । ତାଙ୍କର ଟଙ୍କାପଇସା ଆବଶ୍ୟକ ହେଲାମାତ୍ରେ ସେମାନେ ଗଛଗୁଡ଼ିକ କଟେଇ ବିକିଦେଉଥାନ୍ତି । ତାଙ୍କୁ ସେଥିରୁ ନିବର୍ତ୍ତେଇବା ପାଇଁ କେହି ନଥାଏ ।

 

ବର୍ଷକୁ ବର୍ଷ ଜମିଚାଷ ହେବାରେ ହେଳା ହେଉ ନଥାଏ କି ସେଥିରେ ଗହମ ଯେ ବୁଣା ହେଉ ନଥାଏ, ତା’ ନୁହେଁ । କାରଣ, ତାହା ସାଧାରଣ ଚାଷୀମାନଙ୍କ କାମ ଥାଏ । କିନ୍ତୁ ଜମି ପ୍ରତି ଦୃଷ୍ଟି ନଥିବା ହେତୁରୁ ତାକୁ ଯେ ମଝିରେ ମଝିରେ ବିଶ୍ରାମ ମିଳିବା ଆବଶ୍ୟକ, ଏହା କେହି ବୁଝି ନଥାନ୍ତି । ବାରମ୍ବାର ଚାରିପାଞ୍ଚ ଓଡ଼ ଲେଖାଏଁ ହଳ ହେବା ଫଳରେ ‘ଜମିର’ ଟେଳାମାନ ଭାଙ୍ଗି ଧୂଳି ହୋଇଯାଉଥାଏ । କିନ୍ତୁ ଚାଷଜମିରେ ଟେଳାମାନ ରହିବା ଦରକାର । କାରଣ, ସେଥିରେ ଆର୍ଦ୍ରତା ରହେ, ପାଣିଅଂଶ ସେଥିରୁ ସହଜରେ ଯାଏଁ ନାହିଁ । ସେଇ ଟେଳାରେ ସବୁ ଅତି ଛୋଟ ଛୋଟ ଜୀବାଣୁ ଥାଆନ୍ତି । ସେମାନେ ମଲାଗଛର ଚେରମୂଳକୁ ସବୁ ଚଞ୍ଚଳ ଚଞ୍ଚଳ ପୁଣି ଗଛର ଖାଦ୍ୟ ବା ସାରରେ ପରିଣତ କରିଦିଅନ୍ତି । ମାଟିକୁ ଓଦା ବା ଟିକିଏ କାଦୁଅ ରଖିବା ଲାଗି ଆଗ ଏଇ ଟେଳାଗୁଡ଼ିକ ପ୍ରତି ନଜର ଦିଆହେବା ଉଚିତ, ଏବଂ ଏହି ଟେଳାକୁ ସବୁ ରଖିବାକୁ ହେଲେ ବେଳେବେଳେ ଜମିରେ ବର୍ଷିକିଆ ଘାସ ରୁଆଯିବା ଦରକାର । ଏହା ହେଲେ ବିଲବାରି ସାମୟିକଭାବରେ ଘାସରେ ଭରିଯାଏ, ମାଟିକୁ ପୁଣି ସଜୀବ ହେବାଲାଗି ଟିକିଏ ଫୁରୁସତ୍ ମିଳେ, ତା’ପରେ ସେଥିରେ ଶସ୍ୟ ବୁଣିଲେ, ତାହା ପୃଷ୍ଟ ହୋଇ ବଢ଼େ । ଜମିଦାରମାନେ କିନ୍ତୁ ଏ ପ୍ରଣାଳୀ ପ୍ରତି ଆଦୌ ଗୁରୁତ୍ଵ ଦେଉ ନଥାନ୍ତି । ସେମାନଙ୍କ ପାଇଁ ଏହା ଲାଭଜନକ ନଥାଏ । ସେମାନେ ନିଜ ନିଜର ଲାଭ ଦୃଷ୍ଟିରୁ ସବୁବେଳେ ଚାହୁଁଥାନ୍ତି ପ୍ରତିବର୍ଷ ଜମି ଚାଷ ହେଉ, ଯାହା ସେଥିରୁ ଫସଲ ମିଳୁଚି, ମିଳୁ; ତାକୁହିଁ ବଜାରରେ ବିକି ସେମାନେ ଲାଭବାନ୍ ହେବେ ।

 

ଚାଷୀମାନେ ନିରକ୍ଷରତାରେ, ଅଜ୍ଞତାରେ ଶଢ଼ୁଥାନ୍ତି । ମାଟି ଘେନି ସେ ଗୋଟିଏ ବିଜ୍ଞାନ ଥାଇପାରେ, ଏହା ସେମାନଙ୍କୁ ଜଣା ନଥାଏ । ସେମାନଙ୍କ ଭିତରୁ କେହି କେହି କିଛି ଜାଣିଥିଲେବି କିଛି କରିପାରୁ ନଥାନ୍ତି । କାରଣ, ଜମିଗୁଡ଼ିକ ଏମିତି ଖଣ୍ଡଖଣ୍ଡ ହୋଇଥାଏ ଯେ, ତାଙ୍କର ଛୋଟ ଛୋଟ କିଆରିରେ ସେମାନେ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିପାରି ନଥାନ୍ତେ । ସେମାନଙ୍କର ଏକମାତ୍ର ଚିନ୍ତା ଥାଏ–କୌଣସିମତେ ବଞ୍ଚିରହିବେ କେମିତି, ଭୋକଉପାସରେ ଅକାଳରେ ମରିଯିବେ ନାହିଁ କେମିତି ।

 

ବୃଦ୍ଧ ବୈଜ୍ଞାନିକ ତାଙ୍କ ବହିଟିରେ ଲେଖିଲେ–ଜମି ମାଲିକମାନେ ଜମିକୁ ଅବହେଳା କରୁଛନ୍ତି । ଏହାଦ୍ଵାରା ସେମାନେ ଦେଶର କ୍ଷତି କରୁଛନ୍ତି । ବିଜ୍ଞାନକୁ ଯଦି ଗୁରୁତ୍ଵ ଦିଆ ନ ଯାଏଁ, ବୈଜ୍ଞାନିକ ପ୍ରଣାଳୀରେ ଚାଷ କରା ନ ଯାଏଁ, ତେବେ ଆଉ ଗୋଟିଏ ଦୁର୍ଭିକ୍ଷକୁ ରୋକିହେବ ନାହିଁ-। ସେ ଜମିଦାରମାନଙ୍କୁ ଏଥିଲାଗି ଶୁଣାଇଦେଲେ ଯେ, ନିଜ ନିଜର ଲାଭକଥା ଭାବିବା, ବୈଜ୍ଞାନିକଙ୍କ ପ୍ରତି ଦୃଷ୍ଟି ନ ଦେବା ବଡ଼ ଅପରାଧ । ଏହାଦ୍ଵାରା ସେମାନେ ଲୋକଙ୍କ ସ୍ଵାର୍ଥ ବିରୁଦ୍ଧରେ ଯାଉଛନ୍ତି, ତାଙ୍କୁ ଘୋର କ୍ଷତିରେ ପକାଉଛନ୍ତି ।

 

ଏହି କଥା ଯଦି ବୈଜ୍ଞାନିକ ଆଉ କେତେବେଳେ କହିଥାନ୍ତେ, କେହି ସେଥିକି କାନ ଦେଇ ନଥାନ୍ତେ ତାଙ୍କ ଲେଖାପଢ଼ି ନଥାନ୍ତେ । କିନ୍ତୁ ଦେଶରେ ଚାରିଆଡ଼େ ଦୁର୍ଭିକ୍ଷ । ଜାର୍‍ର ମନ୍ତ୍ରୀମାନେ ବିଚଳିତ, ବିବ୍ରତ ହୋଇପଡ଼ିଥାନ୍ତି । ତେଣୁ ସେମାନେ ବୈଜ୍ଞାନିକଙ୍କୁ ପରୀକ୍ଷା ଚଳାଇବା ପାଇଁ କିଛି ଜମି ଦେଲେ । ଏହି ଜମିଟି ନିର୍ଦ୍ଦିଷ୍ଟ ହେଲା ତୃଣ ଅଞ୍ଚଳରେ–ଭଲ୍‍ଗା ଆଉ ଡନ୍, ଏଇ ବଡ଼ବଡ଼ ନଈ ଦୁଇଟି ମଝିରେ । ଏହି ସ୍ଥାନଟିକୁ କୁହାଯାଉଥାଏ ଷ୍ଟୋନ ଷ୍ଟେପି ବା ପଥୁରିଆ ଟାଙ୍ଗି ଷ୍ଟେପି ? ଆଉ ଏହିଠି ପ୍ରାୟ ଅଧିକାଂଶ ସମୟରେ ଆସି ନିଜର ନୃତ୍ୟ ଚଳାଉଥାଏ ଅନାର୍ଦ୍ର ଶୁଖିଲା ପବନଟା । ବୁଦ୍ଧ ବୈଜ୍ଞାନିକ ରଅ ଠଅ କରି କୌଣସିମତେ ଆଗ ଚାଳ ଘର ଖଣ୍ଡିଏ ତୋଳିଲେ, ସେଇଠି ରହିଲେ–ଆଜିଯାଏ ସେଇ ଚାଳଘରଟି ଅଛି–ତାକୁ ସୁରକ୍ଷିତ କରାଯାଇଛି ।

 

ଏହାପରେ ସେ କାମ ଆରମ୍ଭ କଲେ । ତାଙ୍କର ନିର୍ଦ୍ଦେଶ ଅନୁସାରେ ଗଛସବୁ ଲଗାହେଲା । ଉପତ୍ୟକାଗୁଡ଼ିକରେ ବନ୍ଧ ପଡ଼ିଲା, ପୋଖରୀମାନ ତିଆରି ହେଲା । ଗଛସବୁ ଏମିତି ଧାଡ଼ି ଧାଡ଼ି କରି ଲଗାହେଲା ଯେ, ସେ ଧାଡ଼ିଗୁଡ଼ିକ ମଝିରେ ଚାରିକୋଣିଆ କିଆରିଟିମାନ ବାହାରି ପଡ଼ିଲା ।

 

କିନ୍ତୁ କାମ ଆରମ୍ଭ ହୋଇଗଲା ସିନା, ଆଗେଇପାରିଲା ନାହିଁ; ବନ୍ଦ ହୋଇ ରହିଲା । କାରଣ, ଜାର୍ ଅମଳରେ କେତେକ ଅଫିସରଙ୍କ ଅଧୀନରେ ଥିଲା ଜଙ୍ଗଲ ଓ ଆଉ କେତେକ ଅଫିସର ଥିଲା ଜମିବାଡ଼ି ଦାୟିତ୍ଵରେ । ଏଇ ଉଭୟ ଶ୍ରେଣୀରେ ଅଫିସର କୌଣସି ବିଷୟରେ ଏକମତ ହେଲେ ନାହିଁ ।

 

ବୈଜ୍ଞାନିକ ସେମାନଙ୍କୁ ପାରୁପର୍ଯ୍ୟନ୍ତ ବୁଝେଇଲେ । କହିଲେ–“ଦେଖ, ଶୁଖିଲା ଝାଞ୍ଜି ପବନରୁ ବିଲବାଡ଼ିକୁ ରକ୍ଷା କରିବାପାଇଁ ମୁଁ ଧାଡ଼ି ଧାଡ଼ି ଗଛ ଲଗାଉଛି । ମୋ ପରୀକ୍ଷା ସଫଳ ହେବାପାଇଁ କିଛି ଟଙ୍କାପଇସା ଦରକାର । ଏହା ହେଲେ ଜଙ୍ଗଲ ଇଲାକାରେ ମୁଁ ଜମି କରେଇପାରିବି ।”

 

କିନ୍ତୁ କେତେକ ଅଫିସର କହିଲେ–“ଆମର ବିଲବାଡ଼ି ସାଙ୍ଗରେ ସମ୍ପର୍କ ନାହିଁ । ଆମେ ଜଙ୍ଗଲ ଦାୟିତ୍ଵରେ ଅଛୁ ।”

 

ଅନ୍ୟ କେତେକ ଅଫିସରବି କାଲା ପାଲଟିଗଲେ । ସେମାନେ ଜଣାଇଦେଲେ, “ଜଙ୍ଗଲ ସହିତ ଆମର କିଛି ଯାଏଁ ଆସେ ନାହିଁ, ଆମର ଦାୟିତ୍ଵ ବିଲ ।”

 

ବର୍ଷ ପରେ ବର୍ଷ ଗଡ଼ିଲା, ସେମାନେ ଏକମତ ହୋଇପାରିଲେ ନାହିଁ । ବୈଜ୍ଞାନିକ ବୁଢ଼ା ବେମାର ପଡ଼ିଲେ । ଅଧେ ଆଗ ଦୁଃଖରେ, କ୍ଷୋଭରେ ଭାଙ୍ଗିପଡ଼ିଲେ, ଆଉ ନିଜର ଯୋଜନା ବା ପରୀକ୍ଷାକୁ ସଫଳ କରିବାଲାଗି ଯେଉଁ ଉଦ୍ୟମ ଚଳାଇଥିଲେ, ସେଇ ଉଦ୍ୟମରେ ଥକିଗଲେ । ଖଟି ଖଟି ଧାଇଁଧପଡ଼ି ତାଙ୍କର ସ୍ଵାସ୍ଥ୍ୟ ଭାଜିଗଲା । ସେ ଆଖି ବୁଜିଲା ପରଠୁଁ ଆଉ ଯୋଜନାଟିର ନାଆଁ ଗନ୍ଧ ରହିଲା ନାହିଁ । ସମସ୍ତଙ୍କ ମନରୁ ତାହା ପାସୋରଗଲା ।

 

ଏବେ କିନ୍ତୁ ପଥୁରିଆ ଟାଙ୍ଗି ଭୂମିର ଆଉ ଆଗ ଅବସ୍ଥା ନାହିଁ । ତମେ ଯଦି ଉଡ଼ାଜାହାଜରେ ଥାଇ ଅନାଅ, ଆଗ ତମ ଆଖିରେ ପଡ଼ିବ ନିବିଡ଼ ଜଙ୍ଗଲଗୁଡ଼ିକ । ଆଉ ତା’ ମଝିରେ ଠାଆକୁ ଠାଆ ସବୁଜ ଚାରିକୋଣିଆ କ୍ଷେତସବୁ । ଦେଖିବ, କେଉଁଠି ହେଲେ ଗୋଟିଏ ଉପତ୍ୟକା ନାହିଁ । ସେଗୁଡ଼ିକ ଉଭେଇଯାଇ ତା’ ସ୍ଥାନରେ ଚକ୍‍ଚକ୍ କରୁଚି ପୋଖରୀସବୁର କାଚକେନ୍ଦୁ ପରି ଜଳ । ଦଳଦଳ ହଂସ, ବତକ ପହଁରୁଛନ୍ତି ସେଥିରେ । ପୋଖରୀଗୁଡ଼ିକୁ ଘେରି ହୁଡ଼ା ଉପରେ ସଜା ହୋଇ ରହିଚି ଛାୟାଘନ ଗଛବୁଦାଗୁଡ଼ିକ । କେଉଁଠି ହେଲେ ଦେଖିବ ନାହିଁ ଦରଦର ଶୁଖିଲା ପାଚିଲା ଘାସ । ତା’ ବଦଳରେ ଦେଖିବ, ପବନରେ ଖେଳୁଚି ଗହମର ଗହଳିଆ କେଣ୍ଡାଗୁଡ଼ିକ, କିଆରିକୁ କିଆରି ହସିଉଠୁଚି ସୁନେଲି ସୂର୍ଯ୍ୟମୁଖୀ ଫୁଲରେ । ହଳଦିଆ ଶସ୍ୟକ୍ଷେତଟି ପରେ ଶାଗୁଆ ଘାସ-ବିଲ । ସେ ଦୃଶ୍ୟ ହୃଦୟ ହରିନେବ ତୁମର ।

 

ଏବେ ସେହି ଅଞ୍ଚଳରେ ସବୁ କାମ ବୈଜ୍ଞାନିକ ରୀତିରେ ହେଉଚି । ଶୁଷ୍କ ବାୟୁ ସେଠୁ ନିର୍ବାସିତ, କାହିଁ ବିତାଡ଼ିତ ହୋଇଚି ଚିରଦିନ ପାଇଁ । ବିଲବାଡ଼ିରୁ ମିଳୁଚି ପ୍ରଚୁର ପରିମାଣରେ ଗହମ, ରାଇ, ତରଭୁଜ, କାକୁଡ଼ି ପ୍ରଭୃତି ଗଦାକୁ ଗଦା, ପୁଣି ଅତି ଝାଞ୍ଜିପିଟା ନିରାଟିଆ ଗ୍ରୀଷ୍ମକାଳଟାରେ !

 

କେବେ ଯଦି ତମକୁ ସୁବିଧା ମିଳେ । ତେବେ ସିନା ତମେ ଟାଙ୍ଗି ଷ୍ଟେପି ଉପରେ ଉଡ଼ିବ, ତାକୁ ଦେଖିବ, ତା’ ସାଥିରେ ଆଉ ସେମିତି ଅଞ୍ଚଳମାନ ଦେଖିବ । ଦେଖିସାରିଲେ ଅବଶ୍ୟ ତମେ ମନପକାଇବ ଭ୍ୟାସିଲ ଦୋକୁଚାୟେଭଙ୍କୁ । କାରଣ, ଏହି ହେଉଛନ୍ତି ସେହି ବୃଦ୍ଧ ବୈଜ୍ଞାନିକ, ଯିଏ ପାଗଳଙ୍କ ପରି ବୁଲୁଥିଲେ ଷ୍ଟେପିରେ, ସବୁବେଳେ ଚିନ୍ତା କରୁଥିଲେ, କେମିତି ବଦଳେଇହେବ ଷ୍ଟେପିକୁ ।

Image

 

ବଣରେ ଗଛ ଆଉ ବୁଦା

 

ବଡ଼ବଡ଼ ଆକାଶ-ଛୁଆଁ ଗଛ ନଥାଇ ଜଙ୍ଗଲ ନାହିଁ । କିନ୍ତୁ ନାନାପ୍ରକାରର କଣ୍ଟାଝଟା ନଥିଲେ, ବୁଦିବୁଦିକିଆ ଛୋଟ ଛୋଟ ଝାମ୍ପୁଲା ଝାମ୍ପୁଲା ଗଛର ଗହଳି ନଥିଲେ କୌଣସି ଜଙ୍ଗଲର ସ୍ୱାସ୍ଥ୍ୟବି ଠିକ୍ ରହେନା । ତେବେ ବଣ ବଡ଼ବଡ଼ ଗଛ ସକାଶେ ଛୋଟ ଛୋଟ ବୁଦା ଦରକାର ? ଏଇ ଯେମିତି ରୁଷରେ ବଣୁଆ ଗୋଲାପ, ମଞ୍ଜି ନଥିବା ଛୋଟ ଛୋଟ ଅଙ୍ଗୁରର ଲଟି, ବାବୁଲ ଗଛ–ଭାରତରେ କଣ୍ଟେଇକୋଳି, ଭଇଁଚ କୋଳି, କ୍ଷୀର କୋଳି, ବେତ କୋଳି ଆଦି କେତେ ପ୍ରକାର କୋଳି ଗଛ, ସେମିତି ? ହଁ, ସେମିତି !

 

ଏ ସମ୍ପର୍କରେ ଆଗ ଗୋଟିଏ ସତ ଘଟଣା କଥା ଦେଖାଯାଉ । ଏଇଟି ଦେଖାଯାଇଥିଲା ଅନେକ ବର୍ଷ ତଳେ, କେଜାଣି କେତେବର୍ଷ କେହି ତା’ର ଗଣନା ରଖିନାହିଁ–ଦେଖାଯାଇଥିଲା ଜର୍ମାନୀରେ ।

 

ଗୋଟାଏ ମସ୍ତବଡ଼ ଜଙ୍ଗଲରେ ରକ୍ଷକ ଆଉ ତଦାରଖକାରୀ ଥରେ ଠିକ୍ କଲେ, ତାଙ୍କ ଦାୟିତ୍ଵରେ ଥିବା ଜଙ୍ଗଲକୁ ଟିକେ ସଫାସୁତୁରା କରିବେ । ଆମର ମାଆ ଭଉଣୀମାନେ ଛାଞ୍ଚୁଣିରେ କି ଝାଡ଼ୁରେ ଘର ଓଳେଇ, ଘରେ ଯାହା ଯେଉଁଠି ଅଳିଆ ଥାଏ–ଛିଣ୍ଡା କାଗଜ କି ରୁଟି ଟୁକୁରା କି ମୁଢ଼ିଫୁଢ଼ି ପଡ଼ିଥାଏ–ତାକୁସବୁ ଓଳେଇ ଫିଙ୍ଗିଦିଅନ୍ତି ବାହାରକୁ । ତା’ପରେ ଚୌକି, ଟେବୁଲ୍ ଆଦି ଆସବାବ ପତ୍ରକୁ ଝାଡ଼ିଝୁଡ଼ି ଘଷିମଜି ସଜେଇ ରଖନ୍ତି, ବେଶ୍ ଚକ୍‍ଚକ୍ କରେଇ । ଘରଟି ପୂରାପୂରି ସଫା ହୋଇସାରିବା ଯାଏଁ ସେମାନେ ଅନବରତ ଖଟୁଥାନ୍ତି । ଦେଖନ୍ତି, ଯେମିତି କେଉଁଠି ଟିକିଏ ଧୂଳି ରହି ନ ଯାଏଁ । ଜଙ୍ଗଲ ରକ୍ଷକ ଠିକ୍ ଆମର ମାଆଭଉଣୀମାନଙ୍କ ବାଟ ଧରିଲେ । ସେ ଭାବିଲେ ଯେ, ଜଙ୍ଗଲଟା ବଡ଼ ଅଳିଆ ହୋଇଗଲାଣି; ସେଥିରୁ ସବୁ ଅଦରକାରୀ ଜିନିଷଗୁଡ଼ିକ ବାହାର କରିଦେବେ । କିନ୍ତୁ ଏହା ଭାବିଲାବେଳେ ଜଙ୍ଗଲର କେଉଁ ଜିନିଷଗୁଡ଼ାକୁ ଅଦରକାରୀ ମନେକଲେ ? ଦେଖ, ତାଙ୍କୁ ବେଶ୍ ମାଲୁମ ଥିଲା ଜଙ୍ଗଲ ବୋଇଲେ ଶହ ଶହ, ହଜାର ହଜାର ଗଛ–ବଡ଼ବଡ଼ ଗଛ ! ତେଣୁ ଯେଉଁଟି ଗଛ ନୁହେଁ, ଏମିତିକି ଛୋଟ ଗଛବି ନୁହେଁ, ସେଇଟି ଅଦରକାରୀ । ଘାସଗୁଡ଼ାକ ଆଉ ଝାଟିଲଟିଗୁଡ଼ାକ ତ ଜଙ୍ଗଲରେ ନଥିବା ଭଲ । କାରଣ, ସେଗୁଡ଼ାକ ମାଟିରୁ ପାଣି ଶୋଷି ନେଉଛନ୍ତି । ତା’ ଫଳରେ ଗଛଗୁଡ଼ାକ ସେଇ ପାଣି ମୁନ୍ଦିକରୁ ବଞ୍ଚିତ ହେଉଛନ୍ତି । ଆଉ ଯେଉଁ ତାଳପତ୍ରଗୁଡ଼ାକ କୁଢ଼କୁଢ଼ ହୋଇ ଜମାହେଉଚି, ଯେଉଁ ଲଟିଝଟିସବୁ ଶୁଖିଶାଖି ଗଦା ହୋଇ ରହୁଚି, ସେସବୁ ଯେ ଖାଲି ମାଟିକୁ ଘୋଡ଼େଇରଖୁଚି, ସେଥିରେ ଆଲୁଅ ପବନ ଯିବାକୁ ବାଟ ରଖୁ ନାହିଁ ।

 

ଏମିତି ଭାବି ସେ ଦଳକୁ ଦଳ ମୂଲିଆଙ୍କୁ ଡାକି ଆଦେଶ ଦେଲେ, ଜଙ୍ଗଲକୁ ଓଳେଇ ସଫା କର । ମୂଲିଆମାନେ ଲାଗିପଡ଼ିଲେ–ପୁରୁଣା ଶୁଖିଲା ପତ୍ର ଲଟିଝାଟି, ଆଉ ଡାଳଭଙ୍ଗା ଆଣି ଜମା କଲେ । ସେଇ ଗଦାରେ ନିଆଁ ଲଗେଇ ସେଗୁଡ଼ିକ ପୋଡ଼ିଲେ । ତା’ପରେ ସେମାନେ କଞ୍ଚା ବୁଦାଗୁଡ଼ିକ ହାଣି ସେଗୁଡ଼ାକବି ଗଦା କରି ଜାଳିଦେଲେ ।

 

ବସନ୍ତକାଳରେ ଜଙ୍ଗଲଟି ଘରସବୁ ସଫାସୁତୁରା ହେଲାଭଳି ଓଳିଆ ହୋଇ ଚକ୍‍ଚକ୍ କଲା । ପବନ ଯେଉଁଠି ଜଙ୍ଗଲରେ ପଶିପାରୁ ନଥିଲା, ସେଠି ତା’ର ଯା-ଆସ, ଖେଳକୌତୁକ ଆରମ୍ଭ ହୋଇଗଲା । ପୁରୁଣା ଗଛ କଟା ହୋଇଥିବା ସ୍ଥାନରେ ଧାଡ଼ିକି ଧାଡ଼ି ନୂଆ ନୂଆ ଗଛ ଠିଆ ହେଲା । ଦେଖାଗଲା କାନ୍ଥପାଖରେ ଚୌକିସବୁ ଧାଡ଼ି ଧାଡ଼ି ହୋଇ ଥୁଆ ହେଲାଭଳି ଗଛସବୁ ସଜା ହୋଇଚି । ଜଙ୍ଗଲରେ କେଉଁଠି ଧୂଳିମଳି ନାହିଁ । ଜଙ୍ଗଲରକ୍ଷକ ଭାରି ଖୁସି ହୋଇଗଲେ, ଜଙ୍ଗଲର ଚାରିଆଡ଼େ ସୁଶୃଙ୍ଖଳ ସାଜସଜା ଦେଖି ତାଙ୍କର ଆଖି ପୂରିଉଠିଲା ।

 

ଗୋଟିକ ପରେ ଗୋଟିଏ, ତିନୋଟି ବର୍ଷ ବିତିଗଲାପରେ ସେ ଦେଖିଲେ, ଏଡ଼େ ନିର୍ମଳ ଜଙ୍ଗଲଟିରେ ନାହିଁ-ନ-ଦେଖା ଅଦ୍ଭୁତ ଘଟଣା ଘଟୁଚି । ପାଇନ୍ ବା ଦେବଦାରୁ ଗଛର ଶିଖଗୁଡ଼ାକ କେମିତି ସରୁଆ ସରୁଆ ହୋଇଯାଉଚି । ଓକ୍ ଆଉ ଲିଣ୍ଡେନ୍ ବା ବାତାପି ଗଛଗୁଡ଼ାକର ପତ୍ରଗୁଡ଼ାକ କେମିତି ଦୁର୍ବଳିଆ ହୋଇ ପତଳା ଆଉ ଜାଲଜାଲୁଆ ଦିଶୁଚି । ଜଙ୍ଗଲରେ ଏଠିସେଠି ଅନେକ ଆଡ଼େ ମଲା ଥୁଣ୍ଟା ଗଛଗୁଡ଼ାକ ଛିଡ଼ା ହୋଇଚି । କେଉଁଠି କେଉଁଠି ଝଡ଼ରେ ଉପୁଡ଼ିପଡ଼ି, ନଇଲେ ଭାଙ୍ଗିଯାଇ ବାଟରେ ସବୁ ବଡ଼ବଡ଼ ଗଛ ଶୋଇଚି । ଶରତ୍‍କାଳ ଆସି ନାହିଁ; ଡେରି ଅଛି । ଅଥଚ ଗଛଗୁଡ଼ାକ ପତ୍ରଝଡ଼ା ଦେଲାଣି । ଚାରିଆଡ଼େ ହଳଦିଆ ହଳଦିଆ, ଦରଦର ପାଚିଲା, ଆଉ ପାଚିଲା ପତ୍ରର ବିଛଣା । ଜଙ୍ଗଲଟି ସଫା ହେବାରେ ତ ଏମିତି କିଛି ବେଶି ଦିନ ବିତିନାହିଁ । ପୁଣି ଯାହା ଯେଉଁ ଅଳିଆକୁ ସେଇ ଅଳିଆରେ ଭର୍ତ୍ତି ହୋଇଗଲାଣି । ବରଂ ଆଗ ତୁଳନାରେ ଆହୁରି ବେଶି ଅଳିଆ ହେଲାଣି ।

 

ଜଙ୍ଗଲ ରକ୍ଷକଙ୍କର ବୁଦ୍ଧି ବଣା ହୋଇଗଲା । ସେ ବୁଝିପାରିଲେ ନାହିଁ, ଗଛଗୁଡ଼ାକ ଏମିତି ଶୁଖିଗଲା, ଝାଉଁଳିଗଲା କି ମରିଗଲା କାହିଁକି ? କାହିଁ କେଉଁଠି ତ ଟିକିଏ ଅଯତ୍ନ ହୋଇ ନଥାଏ, ଅଣହେଳା ହୋଇ ନଥାଏ ! ତେବେ ?

 

ତେବେ ଯାହା ଘଟିଥାଏ, ତାହା ହେଉଚି ଏଇ–କାଠୁରିଆ ମୂଲିଆମାନେ ଜଙ୍ଗଲ ସଫା କଲାବେଳେ ଯାହା ସଫା ହେବାର କଥା, ତାକୁ ତ ସଫା କଲେ, ତା’ ସଙ୍ଗେ ସଙ୍ଗେ ଯାହା ରଖିବା ଉଚିତ, ତାକୁବି ହାଣିକାଟି ଓଳେଇ ଦେଇଥିଲେ । ଶୁଖିଲା ଡାଳପତ୍ର ଅବଶ୍ୟ କାମରେ ଆସି ନଥାନ୍ତା । କିନ୍ତୁ ଅକାରଣରେ କଞ୍ଚା ବୁଦାଗୁଡ଼ାକୁ, ଝାଟିଲଟିଗୁଡ଼ାକୁ ସେମାନେ ନିକାଶ କରିଦେଲେ-। ସେମାନେ ଭାବିଥିଲେ, ଜଙ୍ଗଲରେ ‘ଗଛ’ରସିନା ଯାହା ଗୁରୁତ୍ଵ; ଝାଟିଲଟି ବୁଦାଫୁଦାଗୁଡ଼ାକ ଅକାମୀ, ଖାଲି ଜାଳେଣିର ଜିନିଷ । କିନ୍ତୁ ପରେ, ଭୁଲ କଲାପରେ, ସାଧାରଣ ଅଭିଜ୍ଞତାରୁ ଜଣାପଡ଼ିଲା ଯେ, ଝାଟିଲଟି ବିନା ବଡ଼ବଡ଼ ଗଛ ଉଧେଇବା ଦୂରେ କଥା, ବଞ୍ଚିପାରିବ ନାହିଁ-। କାରଣ, ଦେଖାଗଲା ଯେ ବୁଦାଗୁଡ଼ାକ ହଣା ହେଲାପରେ ଗଛସବୁ ଶୁଖିଗଲା, ଝାଉଁଳି ମରିଗଲା-

 

ତାହାହେଲେ ‘ବୁଦା’ସବୁ ଗୁରୁତ୍ଵପୂର୍ଣ୍ଣ ନିଶ୍ଚୟ ?

 

ହଁ, ଖୁବ୍ ଗୁରୁତ୍ଵପୂର୍ଣ୍ଣ !

 

ପ୍ରକୃତରେ ଜଙ୍ଗଲ କହିଲେ ଯାହା ବୁଝୁ, ତାହା ନୁହେଁ–ଅର୍ଥାତ୍ ଜଙ୍ଗଲ ଗୋଟାଏ ବଡ଼ ନିଘଞ୍ଚ ବସ୍ତିର ସହର ନୁହେଁ । ଏହି ସହରରେ ଘର ହେଉଚି ସବୁ ଚଢ଼େଇବସା, ଆଉ ମୂଷାଗାତ ପ୍ରଭୃତି । ଆଉ ସେ ଘରର ବାସିନ୍ଦା ହେଉଛନ୍ତି କେତେ କିସମର ଚଢ଼େଇ, କେତେ କିସମର ଜନ୍ତୁଜୁନ୍ତା । କେତେ ଚଢ଼େଇ ବଡ଼ବଡ଼ ଗଛରେ ବସା କରନ୍ତି; କିନ୍ତୁ ଅଧିକାଂଶ ଚଢ଼େଇ ଜଙ୍ଗଲରେ ଗଛଗୁଡ଼ିକ ତଳେ ଥିବା କଣ୍ଟାବୁଦାରେ ରହନ୍ତି । ତାଙ୍କୁ ସେଠି ପାଇବା ସହଜ ନୁହେଁ । କାରଣ, ଅଜଣା ଅଚିହ୍ନା ଜନ୍ତୁଜୁନ୍ତା ମଣିଷର କି କାହାରି ଗନ୍ଧ ପାଇବାମାତ୍ରେ ତୀର ବେଗରେ ସେଇ କଣ୍ଟା–ବଣବୁଦା ଭିତରେ କୁଆଡ଼େ ଯେ ପଳାନ୍ତି, କେଉଁଠି ଯେ ଚୁପ୍‍ଚାପ୍ ଛପିଯାଆନ୍ତି, କେହି ତାହାର ପତ୍ତା ପାଆନ୍ତି ନାହିଁ । ପ୍ରତ୍ୟେକ ଚଢ଼େଇର ସ୍ଵର, ବା ଡାକ ଅଲଗା । ସେଇଥିରୁ ଚଢ଼େଇଙ୍କର ଚିହ୍ନଟ ମିଳେ, ତାଙ୍କୁ ବାରି ହୁଏ । ତାଙ୍କର ସ୍ଵନରେ, ତାଙ୍କର କଳକୂଜନରେ ଜଙ୍ଗଲ ପ୍ରାୟ ସବୁବେଳେ ମୁଖରି ଉଠୁଥାଏ ।

 

ଲୋକେ ବୁଦାଗୁଡ଼ିକୁ ସଫା କରିଦେଲାକ୍ଷଣି ଚଢ଼େଇଗୁଡ଼ିକ ଜଙ୍ଗଲଟିରୁ ବସା ଭାଙ୍ଗି ପଳେଇଲେ; ଆଶ୍ରୟ ନେଲେ ଯାଇ ଅନ୍ୟ କେଉଁ ଜଙ୍ଗଲରେ । ତାଙ୍କ ବିନା ଜଙ୍ଗଲଟି ନୀରବ ହୋଇଗଲା–ଅତି ନିଛାଟିଆ, ନିକାଞ୍ଚନିଆ ହୋଇଗଲା । ଏ ତ ଜଙ୍ଗଲ ସଫା ଆରମ୍ଭବେଳର ଘଟଣା । ଏହାପରେ ଆହୁରି ଯାହା ହେଲା, ତାହା ହେଲା ବେଶି ଆତଙ୍କଜନକ । ତା’ ହେଉଚି–ଚଢ଼େଇଗୁଡ଼ିକ ଯିବା ପଛେ ପଛେ ଗଛସବୁ ହାରିଗଲେ, ଝାଉଁଳିବାକୁ ଲାଗିଲେ ।

 

ଚଢ଼େଇଗୁଡ଼ାକ ତେବେ ଏଡ଼େ ଗୁରୁତ୍ଵପୂର୍ଣ୍ଣ ?

 

ହଁ’ ଖୁବ୍ ଗୁରୁତ୍ଵପୂର୍ଣ୍ଣ ।

 

ଚଢ଼େଇ ତ ଆଉ ଗଛଡ଼ାଳରେ କେତେବେଳେ ହେଲେ ମୁହୂର୍ତ୍ତେ ଅଳସୁଆ ହୋଇ ବସନ୍ତି ନାହିଁ ! ସେମାନେ ଗଛର ଗଣ୍ଡିଗୁଡ଼ିକ, ଡାଳପତ୍ରଗୁଡ଼ିକ ସକାଳୁ ସଞ୍ଜଯାଏ ଖୁମ୍ପି ଖୁମ୍ପି ଅଣ୍ଡାଳିବାରେ ଲାଗିଥାନ୍ତି, ତାଙ୍କ ନିଜ ବାଟରେ ଜଙ୍ଗଲଟିକୁ ଓଳେଇ ନିର୍ମଳ ରଖନ୍ତି । ପୋକଟିଏ କି ସଁବାଳୁଆଟିଏ ଠଉରେଇ ଦେଖିଲାକ୍ଷଣି ତାକୁ ଖୁମ୍ପି ନିଜ ନିଜର ଶାବକଗୁଡ଼ିକ ପାଇଁ ନେଇଯାନ୍ତି । ଛୋଟ ଶାବକଗୁଡ଼ିକ ବାସ୍ତବିକ ଭାରି ଗିଳା ପ୍ରକୃତିର । ସେମାନେ ଭାରି ଚଞ୍ଚଳ ବଢ଼ନ୍ତି, ଆଉ ଅସଂଖ୍ୟ ପୋକମାଛି ଖାଆନ୍ତି । ତେଣୁ ଚଢ଼େଇ ସବୁ ପ୍ରତିଦିନ ହଜାର ହଜାର ପୋକଯୋକ, ସଁବାଳୁଆ ପ୍ରଭୃତିକୁ ଶେଷ କରନ୍ତି । ଚଢ଼େଇଗୁଡ଼ିକ ଜଙ୍ଗଲ ଛାଡ଼ି ଉଡ଼ିଗଲାପରେ ଏହି ପୋକ, କୀଟପତଙ୍ଗଙ୍କର ଭାଗ୍ୟ ଖୋଲିଗଲା–ହୁଉ ହୁଉ ହୋଇ ସେମାନଙ୍କ ବଂଶ ବଢ଼ିଲା–ଶହ ଶହ ଗୁଣ ହେଲା ।

 

କୀଟପତଙ୍ଗ ପ୍ରବଳ ହେଲାରୁ ଗଛଗୁଡ଼ିକର ରସ ଶୋଷିନେଲେ । ଗଛସବୁ ମୁରୁକୁଟିଆ ପଡ଼ିଲା । କେତେକ କୀଟ ପତ୍ରଗୁଡ଼ିକୁ ଖାଇଗଲେ, ଆଉ କେତେକ ଚେରକୁ ସବୁ ଚୋବେଇଦେଇଗଲେ । ଗଛ ତାଙ୍କର ଭୋଜିଭାତ ଘର ହେଲା–ପଙ୍ଗତପତ୍ର ହେଲା । ଏହି ଅବାଞ୍ଛିତ ଅତିଥିଗୁଡ଼ିଙ୍କୁ ଯଦି ଆଦ୍ୟରୁ ଘଉଡ଼ି ଦିଆ ନ ଯାଏଁ, ସେମାନେ ପଙ୍ଗତପତ୍ର ବା ଭୋଜି ଟେବୁଲକୁବି ଗିଳି ଦିଅନ୍ତି । ଚଢ଼େଇସବୁ ଚାଲି ଗଲାପରେ ସେମାନେ ସଂଖ୍ୟାରେ ଏତେ ବେଶି ହେଲେ ଯେ, ସୈନ୍ୟଫୌଜ ଭଳି ଗଛଗୁଡ଼ାକ ଉପରେ ଚଢ଼ାଉ କଲେ । ସଁବାଳୁଆଜାତୀୟ କୀଟଗୁଡ଼ାକ ହେଲେ ପହିଲି ଆକ୍ରମଣକାରୀ । ସେମାନେ ଚେରପତ୍ରକୁ ଆଗ ଖାଇ ଖତମ୍ କରିଦେଲେ । ଚେର ଆଉ ପତ୍ର ବିନା କେବେ କେଉଁ ଗଛ ବଞ୍ଚିଲାଣି ଭଲା ? ଗଛ ତ ପତ୍ର ଜରିଆରେ ଆଲୁଅ ଆଉ ପବନ ପାଏ, ପାଣି ପାଏ ଚେରବାଟରେ । ଏବେ ଖରା ନ ପାଇ, ପବନ ନ ପାଇ ଗଛଗୁଡ଼ିକ ଭୋକରେ ଆଉ ଶୋଷରେ ଆଉଟୁପାଉଟୁ ହେଲେ । ବଳୁଆ ଗଛ ତୁଳନାରେ ଦୁର୍ବଳିଆ ଗଛର ଶତ୍ରୁ ଅନେକ–ଆଉ ଗଛଟିଏ ଦୁର୍ବଳ ହେବାକୁ ଆରମ୍ଭ କଲାମାତ୍ରେ ନୂଆ ନୂଆ ଶତ୍ରୁ ଦେଖାଦେଲେ । ସେମାନେ ହେଉଛନ୍ତି କାଳିଆ, କାଳିଆ ଭଅଁରଜାତୀୟ କୀଟ; ଗଛ ବକାଳରେ ରହନ୍ତି । ସେମାନେ ବକଳା ଭିତରେ କଣା କରି ପଶିଯାଆନ୍ତି, ତାକୁ କୋରି କୋରି ଖାଇଯାଆନ୍ତି, ସେଥିରେ ଅଙ୍କାବଙ୍କା ସୁଡ଼ଙ୍ଗ ତିଆରି କରନ୍ତି । ଏମିତି ସୁଡ଼ଙ୍ଗ ତିଆରି କଲାବେଳେ ସେମାନେ କାଠକୁ କାଟି କାଟି ଖାଉଥାନ୍ତି, ଆଉ କାଠଗୁଣ୍ଡାକୁ ସବୁ ପିଠିରେ ବୋହି ଆଣି ପଦାରେ ପକାନ୍ତି ।

 

ଗଛଟି ଯଦି ସବଳ, ସୁସ୍ପଷ୍ଟ ଓ ସୁସ୍ଥ ହୋଇଥାଏ, ତେବେ ତାହା ନିଜର ବକଳାରୁ ବହଳିଆ ଆଉ ଅଠାଳିଆ ରସ ବାହାର କରି, ବଳକା କୀଟକୁ ସେଥିରେ ବୁଡ଼େଇ ମାରିଦିଏ । କିନ୍ତୁ ଜଙ୍ଗଲଟିରେ ସବଳ ଆଉ ସୁସ୍ଥ ହୋଇ କୌଣସି ଗଛ ନଥିଲା । କାରଣ ସେଗୁଡ଼ିକୁ ଆଗ ସଁବାଳୁଆଜାତୀୟ କୀଟ ଆକ୍ରମଣ କରିସାରିଥିଲେ । ଖାଦ୍ୟ ଆଉ ପାଣି ଅଭାବରେ ତାହାସବୁବି ଶୁଖିଶୁଖି ଆସୁଥିଲା । କେଉଁଟିରେ ଆଉ ବିଶେଷ କିଛି ରସ ନଥିଲା । ଗଛଗୁଡ଼ିକୁ ରକ୍ଷା କରିବାପାଇଁ ମଧ୍ୟ ଆଉ କେହି ନଥିଲେ, ଅନେକ ଦିନରୁ ଚଢ଼େଇସବୁ ଉଡ଼ିଯାଇଥିଲେ ।

 

ବକଳା କୀଟଗୁଡ଼ିକ ଗଛରେ ସବୁ ସୁଡ଼ଙ୍ଗ ଫିଟେଇ ଗଣ୍ଡିଗୁଡ଼ିକୁ କେବଳ ଯେ ପୋଲ କରିଦେଲେ, ସେତିକି ନୁହେଁ, ଗଣ୍ଡିର ଗୋଲେଇ ଅନୁସାରେ ତାକୁ କରତରେ କଟାହେଲା ଭଳି କରି ଭାଙ୍ଗିପଡ଼ିବା ଅବସ୍ଥାକୁ ଘେନିଆସିଲେ । ଚେର ଆଉ ପତ୍ର ଭିତରେ ଥିବା ରାସ୍ତାଗୁଡ଼ିକୁ କାଟିଦେଲେ । ସେଥିପାଇଁ ଆଉ ବକଳାତଳେ ସ୍ୱାସ୍ଥ୍ୟକାରୀ ଅଠାଳିଆ ରସ ବହିପାରିଲା ନାହିଁ ।

 

ଗଛଗୁଡ଼ିକର ଶେଷ ପତ୍ରସବୁ ଝଡ଼ିପଡ଼ିଲା । ସେଗୁଡ଼ିକ ଥୁଣ୍ଟା ହୋଇ ଛିଡ଼ା ହୋଇ ରହିଲେ, ଆଉ ସେଥିରେ କେଉଁଥିରେ ଜୀବନ ନଥିଲା ।

 

ସେତିକିରେବି ଶତ୍ରୁମାନେ ଗଛସବୁକୁ ଶାନ୍ତିରେ ରଖେଇଦେଲେ ନାହିଁ । ନୂଆ ନୂଆ କୀଟ ଆସି ପହଞ୍ଚିଲେ । ତାଙ୍କୁ କୁହାଯାଏ ‘ହରିଣିଆ’ ବା ହରିଣ-ପୋକ । ତାଙ୍କର ଶୁଣ୍ଢ ବା ନାହୁଡ଼ଟିମାନ ତାଙ୍କ ଦେହଠାରୁ ଲମ୍ବା । ସେମାନେ ସିଧାସଳଖ ଗଛ ଭିତରକୁ ଶୁଣ୍ଢ ଗଳେଇ ସେଥିରେ ଭଅଁର କରିଦେଲେ; ସୁଡ଼ଙ୍ଗମାନ ଫିଟେଇଲେ ।

 

ଏହିଭଳି ଭାବରେ ସଁବାଳୁଆ ଧରଣର ଆଉ ନାନାପ୍ରକାରର ଭଉଁରିଆପୋକ ଗଛକୁ ସବୁ ନଷ୍ଟ କଲେ । ଅଳ୍ପ କେଇଟା ବର୍ଷ ଭିତରେ ଜଙ୍ଗଲରୁ ଅଧେ ଗଛ ଧ୍ଵଂସ ପାଇଗଲା–ଏହି ପୋକଗୁଡ଼ାଙ୍କ ଦାଉରେ ।

 

ଜଙ୍ଗଲରୁ ବୁଦା ଆଉ ଝାଟିଲଟି ସାଫ ହୋଇଯିବା ଫଳରେ ଏହା ଘଟିଲା । ଲୋକେ ଝାଟିଲଟି କାଟି ନଥିଲେ ଏହା ହୋଇ ନଥାନ୍ତା ।

 

ଲୋକେ ଏ କାମ କଲେ କାହିଁକି ?

 

କାରଣ, ସେମାନେ ଗଛଗୁଡ଼ିକର ସ୍ଵାର୍ଥଦୃଷ୍ଟିରୁ ଜଙ୍ଗଲର ସୁରକ୍ଷା ପ୍ରତି ଗୁରୁତ୍ଵ ଦେଇ ନଥିଲେ; ସେ କଥାର ମର୍ମବି ବୁଝି ନଥିଲେ ।

 

ଜଙ୍ଗଲରକ୍ଷକ ଭାବିଥିଲେ, ଜଙ୍ଗଲର ଆଦି ଆଉ ଅନ୍ତ ହେଉଛି ଗଛ । ସେ ଭୁଲ କରିଥିଲେ, କାରଣ ଜଙ୍ଗଲ କହିଲେ ଆମକୁ ବୁଝିବାକୁ ହେବ–ଗଛ, ଝାଟିଲଟି, କଣ୍ଟାଝଟା, ବୁଦାଫୁଦାସବୁ ଓ ଯାବତୀୟ ଚଢ଼େଇ, ଜନ୍ତୁଜୁନ୍ତା, କୀଟପତଙ୍ଗ ପ୍ରଭୃତିଙ୍କ ଏକାଠି ବସବାସ ।

 

ସତେ ଯେମିତି ଗଛବୃଛଗୁଡ଼ିକ, ଜନ୍ତୁଜୁନ୍ତା ସବୁ ଜଙ୍ଗଲରେ ଗୋଟାଏ ଖେଳରେ ମାତିଥାନ୍ତି । ସେହି ଖେଳର ନିୟମଗୁଡ଼ିକ ଜଙ୍ଗଲର ରକ୍ଷକ ବୁଝିବା ଉଚିତ ଥିଲା । ଏହା ଜାଣିଥିଲେ ସେ କେବେ ବସନ୍ତକାଳରେ ଜଙ୍ଗଲ–ଝଡ଼ା ଆରମ୍ଭ କରି ନଥାନ୍ତେ ।

 

ତା’ପରେ ଲୋକେ କୀଟପତଙ୍ଗଗୁଡ଼ାକୁ ନଷ୍ଟ କରିବାପାଇଁ କମର ଭିଡ଼ିଲେ । ସେମାନେ ଗଛଗଣ୍ଡିଗୁଡ଼ିକରେ ଗୋଟାଏ ଧରଣର ଅଠାଳିଆ ଔଷଧ ବୋଳିଲେ । ଭାବିଲେ, ସଁବାଳୁଆଜାତୀୟ ପୋକସବୁ ସେଥିରେ ଲାଗିଯିବେ । ଗଛପତ୍ର ଉପରେ ବିଷାକ୍ତ ଦ୍ରବ୍ୟକୁ ପାଣିରେ ଗୋଳି ଛିଞ୍ଚିଲେ ।

 

କିନ୍ତୁ କିଛି ଫଳ ହେଲା ନାହିଁ । ସେତେବେଳକୁ କୀଟଗୁଡ଼ାକ ଏତେ ପ୍ରବଳ ହୋଇଥିଲେ ଯେ, ତାଙ୍କୁ ଏହି ରୀତିରେ ଜବତ କରିବା ଅସମ୍ଭବ ହେଲା ।

 

ଦିନେ ଜଙ୍ଗଲରକ୍ଷକ ନିଜ ଭୁଲ ବୁଝିପାରିଲେ । ସେ ଜାଣିପାରିଲେ ଯେ, ବୁଦାଗୁଡ଼ିକ କଟା ହୋଇ ନଥିଲେ ଚଢ଼େଇସବୁ ଉଡ଼ି ପଳାଇ ନଥାନ୍ତେ ।

 

ଏବେ ଆମେ ଆଉ ତାଙ୍କ ଭଳି ଭୁଲ୍‍ଭଟକାରେ ପଡ଼ୁନାହୁଁ । ଆମେ ବିଜ୍ଞାନର ସୂତ୍ର ମାନି ଚଳୁଛୁ । ଆମେ ଜାଣୁ, ପ୍ରକୃତିରେ ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ଘଟଣା, ପ୍ରତ୍ୟେକ କଥା, ଅନ୍ୟ ବସ୍ତୁ, ଅନ୍ୟ ଘଟଣା ଓ ଅନ୍ୟ କଥା ସହିତ ସଂପୃକ୍ତ । ପ୍ରକୃତିକୁ ବଦଳାଇବାକୁ ଗଲାବେଳେ ଏକଥା ଭୁଲିଗଲେ ଚଳିବ ନାହିଁ । କାଠହଣା ଚଢ଼େଇଟି ଗୋଟିଏ ସାଧାରଣିଆ ଚଢ଼େଇ ନୁହେଁ–ସେ ଜଙ୍ଗଲ ଜଗୁଆଳି, ଗଛରଖାଳି ‘କାଠୁରିଆ’ ସେ । ସେ ଗଛର ତଳୁ ଉପରକୁ, ଉପରୁ ତଳୁକୁ ଦଉଡ଼ିଲାବେଳେ ଗଛରେ ସତେ ଅବା ଟିପ ମାରି ମାରି ଯାଏଁ । ଅବଶ୍ୟ ସେ ଖୁମ୍ପି ଖୁମ୍ପି ଧାଏଁ; ସେହି ରୀତିରେ ପଚାରିହେଉଥାଏ–

 

“ଏଠି ପୋକଯୋକ ଅଛନ୍ତି କି ? ତାଙ୍କୁ ସବୁ ଖାଇ ନିପାତ କରିବି ।’’

 

ଏମିତିକି ଜଙ୍ଗଲରେ ପିମ୍ପୁଡ଼ି, ଉଇବି ରହିବା ଦରକାର । କାରଣ ସେମାନେ କ୍ଷତିକାରକ ପୋକଙ୍କୁ ମାରିଦିଅନ୍ତି; ଜଙ୍ଗଲକୁ ଭଲ ଅବସ୍ଥାରେ ରଖନ୍ତି ।

 

ଜଙ୍ଗଲଟିଏ ରକ୍ଷା କରିବାକୁ ଚାହିଁଲେ ତମକୁ ବଡ଼ ଗଛ, ଛୋଟ ଛୋଟ ବୁଦା, ଚଢ଼େଇ ପ୍ରଭୃତି ସମସ୍ତଙ୍କୁ ରକ୍ଷା କରିବାକୁ ହେବ । ଦେଖିବାକୁ ହେବ, କେହି ଯେମିତି ଡାଳପତ୍ର ନ ଭାଙ୍ଗେ କି ଉଞ୍ଛି ନ ଦିଏ; ବୁଦାଗୁଡ଼ିକୁ କାଟି ନ ପକାଏ କି ଉଇହୁଙ୍କା ବା ଚଢ଼େଇବସାକୁ ସବୁ ଭାଙ୍ଗି ନ ଦିଏ-

Image

 

ଜଙ୍ଗଲରେ ଲଢ଼େଇ

 

ବଣରେ ଗଲାବେଳେ ଲାଗେ, ସତେ ଯେମିତି ଗଛଗୁଡ଼ିକ ଅଲଗାଅଲଗା; କାହାରି ସହିତ କାହାରି କିଛି ସମ୍ପର୍କ ନାହିଁ । ପ୍ରକୃତରେ କିନ୍ତୁ ଗଛଗୁଡ଼ିକ ନିଜ ନିଜ ଭିତରେ କଳିକଜିଆ ଲଗାନ୍ତି, ନଇଲେ ଭଲ ସମ୍ପର୍କ ରଖି ଶାନ୍ତିରେ ରହନ୍ତି ।

 

ଥରେ ବସନ୍ତ ଆସିଲାମାତ୍ରେ ଲୋକେ କଟୁରି କୁରାଢ଼ି ଘେନି ଜଙ୍ଗଲକୁ ଧାଇଁଲେ । ଫର୍ ଗଛଗୁଡ଼ାକୁ ଓ ଆଉ କେତୋଟି ବଡ଼ବଡ଼ ଗଛ କାଟିପକେଇଲେ । ଖାଲି ଗଜା ଗଛଗୁଡ଼ିକରେ ହାତ ଦେଲେ ନାହିଁ । ଏହି ଛୋଟ ଛୋଟ ଗଜା ଗଛଗୁଡ଼ିକ ବଢ଼ିଭୋରରୁ କୁହୁଡ଼ି କାକରକୁ ସେତିକି ଦିନଯାଏ ପ୍ରତିରୋଧ କରି ରହିପାରିଥିଲେ, ଯେତିକି ଦିନଯାଏ ମାଆଗଛସବୁ ସେଗୁଡ଼ିକର ପାଖେପାଖେ ଥିଲେ । କାରଣ, ମାଆଗଛ ଶାଗୁଆ ଶାଗୁଆ ଗହଳିଆ ଡାଳପତ୍ର ମେଲାଇ ଗଜା ଗଛଗୁଡ଼ିକୁ ଉପରୁ ଆଢ଼ୁଆଳ କରି ସତେ ଅବା ଚାନ୍ଦୁଆ ଟାଣି ଦେଇଥିଲେ । ଏହା ଫଳରେ ଗଛତକ ସବୁ ହେମାଳ ହୋଇ ଯାଉ ନଥିଲା । ମାଆ ଗଛଗୁଡ଼ିକ ହଣା ହୋଇଗଲାପରେ ଗଜାଗୁଡ଼ିକ ଛେଉଣ୍ଡ ହୋଇଗଲେ । ଦୁନିଆରେ ଏକୁଟିଆ ହୋଇ ତାଙ୍କୁ ଛିଡ଼ା ହେବାକୁ ପଡ଼ିଲା । ସକାଳୁଆ କୁହୁଡ଼ି କାକରରେ ତାଙ୍କର କୁଆଁସବୁ ଶୁକୁଟି ଶେଷ ପାଇଲା; ପତ୍ର କଢ଼ିଗୁଡ଼ିକ ପୋଡ଼ିଗଲା । ଚାରିଆଡ଼େ ଅନାବନା ଘାସ ଉଠିଲା । ଆଗରୁ ଛାଇତଳେ ସେଗୁଡ଼ିକ ଜନ୍ମିପାରୁ ନଥିଲେ କି ଉଧେଇ ପାରୁଥିଲେ । ଏବେ ଖୋଲାରେ ଖରା ପାଇ ସେଗୁଡ଼ାକ ମାତିଉଠିଲେ । ନୂଆ ନୂଆ ବାସିନ୍ଦାବି ଆସି ପହଞ୍ଚିଗଲେ । ସେମାନେ ହେଉଛନ୍ତି ଚଢ଼େଇ ଭଳି ପରଲଗା ବାର୍ଚ୍ଚ ଆଉ ଆସପେନ୍ (ଦେବଦାରୁଜାତୀୟ ଗଛର) ମଞ୍ଜି । ସେମାନେ ପବନରେ ଉଡ଼ି ଉଡ଼ି ଆସିଲେ । ସେମାନେ ଜାଗା ମାଡ଼ିବସି ଶୀଘ୍ର ଶୀଘ୍ର ଗଜୁରି ବଢ଼ିବାକୁ ଲାଗିଲେ । ତାଙ୍କର କୁହୁଡ଼ି କାକରକୁ ଡର ନଥାଏ, କାରଣ ସେତେବେଳକୁ ମାଟି ଉପରେ ଘାସର ଶେଯ ପରାହୋଇ ସାରିଥାଏ । ଏଇ ଶେଯ ତାଙ୍କୁ କୁହୁଡ଼ି କାକରରୁ ରକ୍ଷା କଲା ।

 

ଦିନକୁଦିନ ଏଇ ବାର୍ଚ୍ଚ ଆଉ ଆସ୍‍ପେନ୍ ଗଛର ଗଜାଗୁଡ଼ିକ ଡେଙ୍ଗା ଡେଙ୍ଗା ହୋଇ ବଢ଼ିଲେ । ଶେଷରେ, ସେମାନଙ୍କର ଡାଳପତ୍ରଗୁଡ଼ିକ ପରସ୍ପରକୁ ଭେଟି ଛନ୍ଦାଛନ୍ଦି ହୋଇଗଲେ, ଆଉ ଠାଆକୁ ଠାଆ ଚାରିଆଡ଼େ ପ୍ରାୟ ତୋରଣଟିମାନ ରଚନା କରିଦେଲେ । ଏହି ନୂଆ ତୋରଣ ବା ଖିଲାଣର ଛାତତଳ ଅନ୍ଧାରିଆ ଗହ୍ମୀରି ଘର ଭଳି ଦିଶିଲା । ଦିନତମାମ କେତେବେଳେ ହେଲେ ସେଠି ସୂର୍ଯ୍ୟକିରଣ ପଡ଼ିଲା ନାହିଁ । ଛୋଟ ଛୋଟ ଗଜା ଫର୍ ଗଛଗୁଡ଼ିକ କାହିଁ ଯାଇଁ କେଉଁ ତଳରେ, ସେଇ ଅନ୍ଧାରିଆ ଗହ୍ମୀରି ଘର ଭିତରେ ରହିଲେ । ସେଥିପାଇଁ ଅବଶ୍ୟ ତାଙ୍କର ମନ କଷ୍ଟ ନଥିଲା । ଘାସଗୁଡ଼ାକ ଅବଶ୍ୟ ଆଲୁଅ ନ ପାଇ ମୁରୁକୁଟେଇ ଯାଇ ମରିବାକୁ ବସିଲେ । ସେଗୁଡ଼ିକର ମଲାମୁରୁକୁଟିଆ ଶିଷା ଝରାପତ୍ରଗୁଡ଼ାକ ସାଙ୍ଗରେ ମିଶି ମାଟି ଉପର ବିଛଣାଟିକୁ କେମିତି ଝୁରୁଝୁରିଆ ଗରମ କମ୍ବଳ ଭଳି କରିଦେଲେ ।

 

ଉଷ୍ଣ ଗୋଧୂଳିରେ ଗଜା ଫର୍‍ଗୁଡ଼ିକ କୁଆଁ ମେଲୁଥାନ୍ତି, କିନ୍ତୁ ଏଣିକି ବାର୍ଚ୍ଚ ଆଉ ଆସ୍‍ପେନ୍ ବର୍ଷକୁ ବର୍ଷ ଧୀରେ ଧୀରେ ବଡ଼ ହେଲେ । ଫର୍‍ଗୁଡ଼ିକ ଚଞ୍ଚଳ ଚଞ୍ଚଳ ବଢ଼ି ସେମାନଙ୍କୁ ଉଚ୍ଚରେ ଟପିବାକୁ ବାହାରିଲେ ।

 

ବାର୍ଚ୍ଚ ଗଛଗୁଡ଼ିକ ବାଟ ଛାଡ଼ନ୍ତେ କାହିଁକି ? ଲଢ଼େଇ ଆରମ୍ଭ କରିଦେଲେ । ବତାସିଆ ପାଗ ଦେଖି ଗଜା ଫର୍‍ଗୁଡ଼ାକୁ ଆଚ୍ଛା କରି ନିଜ ନିଜ ଡାହିରେ, ଡାଳରେ ଚାପୁଡ଼ା ବସେଇଲେ । ଗଜା ଫର୍‍ଗୁଡ଼ିକର ଶାଗୁଆ ଶାଗୁଆ ମୁନିଆ ପତ୍ରଗୁଡ଼ିକ ସେଇ ଚାପୁଡ଼ା ମାଡ଼ରେ ଚିତ୍ରିଚିତ୍ରିଆ ହଳଦିଆ ପଡ଼ିଲା । ଶେଷରେ ଝଡ଼ିବାକୁ ଲାଗିଲା । ଗଜା ଫର୍‍ଗୁଡ଼ାକ ଏଥିରେ ଚୁପ୍ ରହନ୍ତେ ବା କେମିତି ? ସେଗୁଡ଼ିକ ନିଜ ନିଜର ଡାଳ ମେଲେଇ ବାର୍ଚ୍ଚ ଆଉ ଆସ୍‍ପେନ୍‍କୁ ଆକ୍ରମଣ କଲେ, ତାଙ୍କ ଉପରେ ମାଡ଼ିବସି ଚାପିବାକୁ ଲାଗିଲେ । କାରଣ, ଫର୍‍ଗଛ ତ ଆଉ ଖରା ଓ ଆଲୁଅ ବିନା ରହିପାରନ୍ତା ନାହିଁ !

 

ତେଣୁ ଫର୍‍ଗଛଗୁଡ଼ିକ ଜଙ୍ଗଲର ରକ୍ଷାକାରୀ ହୋଇଉଠିଲା । ଏହା ଛଡ଼ା ଜଙ୍ଗଲରେ ଆଉ ଗୋଟିଏ ପ୍ରକାରର ଯୁଦ୍ଧ ଚାଲିଲା । ଓକ୍ ଆଉ ଆଶ୍ ଗଛଗୁଡ଼ିକ ଗୋଟିକ ପରେ ଗୋଟିଏ ଧାଡ଼ିରେ ଲଗା ହୋଇଥାନ୍ତି । ଏ ଦୁଇ କିସମର ଗଛଗୁଡ଼ିକ ଭିତରେ ସାମଞ୍ଜସ୍ୟ କିଛି ନାହିଁ । ଏମାନେ କେହି କାହା ସଙ୍ଗେ ମିଶନ୍ତି ନାହିଁ । ଗଜା ଓକ୍ ଅତି ଆସ୍ତେ ଆସ୍ତେ ବଢ଼େ କିନ୍ତୁ ଗଜା ଆଶ୍ ଗଛ ଡେଇଁ ଡେଇଁ ବଢ଼େ । ଏକା ସମୟରେ ଦି’ କିସମର ଏଇ ଗଛଗୁଡ଼ିକ ଲଗା ହୋଇଥିଲେବି ଆଶ୍‍ଗୁଡ଼ିକ ଶୀଘ୍ର ଡେଙ୍ଗା ହୋଇ ଓକ୍‍ଗୁଡ଼ିକ ଟପିଗଲେ, ଆଉ ନିଜର ଡାଳପତ୍ରରେ ସୂର୍ଯ୍ୟକିରଣକୁ ରୋକିଦେଲେ ।

 

ଓକ୍‍ଗଛର ଲୋଡ଼ା–ସୂର୍ଯ୍ୟକିରଣ ସିଧାସଳଖ ତା’ର ଶିଖା ଉପରେ ପଡ଼ୁ । ଏଣୁ ସେଗୁଡ଼ିକ ଯେଉଁଆଡ଼େ ଟିକିଏ ସୂର୍ଯ୍ୟ କିରଣ ପାଇଲେ, ସେ ଆଡ଼କୁ ଢଳିଲେ । ଏହା ଫଳରେ ବଙ୍କେଇଗଲେ, ବଙ୍କାଢ଼ଙ୍କା ରୂପ ଧରିଲେ । ତଥାପି ଆଶ୍ ଡାଳଭିତରୁ କଷ୍ଟେମଷ୍ଟେବି ମୁହଁ କାଢ଼ି ଆଲୁଅ ଦେଖିପାରିଲେ ନାହିଁ ।

 

ଏଣୁ ଓକ୍‍ଗୁଡ଼ିକ ରୋଗଣା ହୋଇଗଲେ; ସେଗୁଡ଼ିକର ଦେହଯାକ ଶିଉଳି ମାଡ଼ିଗଲା । ନିହାତି ପିଲା ଅବସ୍ଥାରେ ଥିଲେବି ବୁଢ଼ାଳିଆ ଦିଶିଲେ । ସୂର୍ଯ୍ୟ ଆଲୁଅ କି ପାଣି ଟିକିଏ ପାଇଲେ ନାହିଁ । ଆଶ୍‍ଗଛର ଚେରଗୁଡ଼ାକ ବଡ଼ବଡ଼ । ସେସବୁ ଓକ୍ ଗଛଗୁଡ଼ିକୁ ଚିପି ଧରିଲେ । ଏ ଅବସ୍ଥାରେ ଯାହା ଘଟିବାର କଥା ତାହାହିଁ ଘଟିଲା । ଓକ୍ ଗଛଗୁଡ଼ିକ ଶୁଖି ଶୁଖି ଝାଉଁଳିପଡ଼ିଲେ । କିନ୍ତୁ ଏହା ବୋଲି ଆଶ୍‍ଗଛସବୁ ଯେ ବେଶିଦିନ ଜିତାପଟ ନେଇ ବର୍ତ୍ତି ଯାଇପାରିଲେ, ତା’ବି ନୁହେଁ-। କାରଣ, ସେଗୁଡ଼ିକବି ଗୋଟାଏ ଛୋଟ ଅଥଚ ବିଶ୍ୱାସଘାତକ ଶତ୍ରୁ ଆକ୍ରମଣ କଲା-। ଏ ଶତ୍ରୁ ଅବଶ୍ୟ ଓକ୍ ଗଛଗୁଡ଼ିକରେ ଯେ ଶତ୍ରୁ ନଥିଲା, ଏମିତି ନୁହେଁ । ଏ ଶତ୍ରୁ ହେଉଛି ଘାସ-। ଛୋଟ ଛୋଟ ଚାରା ବା ଗଜା ଗଛଗୁଡ଼ିକୁ ପ୍ରାୟ ସବୁବେଳେ ଏହି ଶତ୍ରୁ ସାଙ୍ଗରେ ଲଢ଼ିବାକୁ ପଡ଼େ-। କାରଣ, ଏହି ଶତ୍ରୁ ଆଗ ପାଣିମୁନ୍ଦିକ ପିଇଯାଏ । ଓକ୍ ଗଛଗୁଡ଼ିକ ବଞ୍ଚିଥିବାବେଳେ ଘାସ ବିରୁଦ୍ଧରେ ଲଢ଼େଇ ଚଳେଇବାରେ ଆଶ୍‍ଗଛକୁ ସାହାଯ୍ୟ କରୁଥିଲେ । ଏବେ ସେଗୁଡ଼ିକ ଲୋପ ପାଇବା ଫଳରେ ଆଶ୍‍ଚାରାଗୁଡ଼ିକୁ ଏକୁଟିଆ ଏହି ଲଢ଼େଇ ଚଳେଇବାକୁ ହେଲା । ଏକୁଟିଆ ଲଢ଼େଇ କରି ସେଗୁଡ଼ିକ ହାରିବାକୁ ଲାଗିଲେ । ଆଶ୍‍ଗଛଟିର ଚୂଳ ବା ମଥା ଉପରଟି ନିଘଞ୍ଚ ନୁହେଁ; ବଡ଼ ପତଳା । ତଳେ ତା’ର ଛାଇ ଗହଳିଆ ଓ ଟାଣୁଆ ହୁଏ ନାହିଁ । ତେଣୁ ଖରା ପାଇ ଘାସସବୁ ମୁଣ୍ଡ ଟେକିଲେ, ଚମତ୍କାର ଭାବରେ ବଢ଼ିଲେ । ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ମାଟିରୁ ରସ ଶୋଷୁଥାନ୍ତି, ଆଉ ଆଶ୍‍ଗଛଗୁଡ଼ିକୁ ସେଥିରୁ ବଞ୍ଚିତ କରୁଥାନ୍ତି । ଆଶ୍‍ଚାରାଗୁଡ଼ିକ ଦୁର୍ବଳିଆ ହୋଇଗଲେ, ଆଉ କୀଟ ପତଙ୍ଗଙ୍କ ଶିକାର ହେଲେ । ସେଗୁଡ଼ିକ କୀଟପତଙ୍ଗଙ୍କ ମୁହଁରେ ଶେଷ ପାଇଯାଇଥାନ୍ତେ; କିନ୍ତୁ ଚଢ଼େଇଗୁଡ଼ିକ ଥିଲେ ବୋଲି ଉଡ଼ିଆସି କେତେକ ପରିମାଣରେ ତାଙ୍କୁ ରକ୍ଷା କଲେ । ସେମାନେ କୀଟପତଙ୍ଗଗୁଡ଼ିକୁ ଗିଳି ଶେଷ କରିବାରେ ଲାଗିଲେ ।

 

ଚଢ଼େଇସବୁ ଆଉ ଗୋଟିଏ ବାଗରେବି ଆଶ୍‍ଗଛଗୁଡ଼ିକୁ ସାହାଯ୍ୟ କଲେ । ନିଜ ନିଜର ଅଜାଣତରେ ସେମାନେ ଝାଟିଲଟି ବଣବୁଦାର ମଞ୍ଜି ଆଣି ପକେଇଲେ । ସେମାନେ କୋଳି କି କେତେପ୍ରକାର ଗଛର ଫଳ ଆଣି ଖାଇଲାବେଳେ ସେଥିରୁ କେତେକ ତଳେ ପଡ଼ିଲା । ସେଇଗୁଡ଼ିକ ଗଛ ହେଲା । ଛୋଟ ଛୋଟ ବୁଦାଗୁଡ଼ିକ ଛାଇ କରି କରି ଘାସକୁ ସବୁ ଚପେଇ ଦେଲେ । ଏଣୁ ଆଶ୍-ଗଛଗୁଡ଼ିକର ନୂଆ ମିତ୍ରମାନେ ଦେଖିବାକୁ ବଡ଼ ନଥିଲେ କ’ଣ ହେଲା, ବେଶ୍ ଶକ୍ତିଶାଳୀ ଭାବରେ ପ୍ରକାଶ ପାଇଲେ । ଫଳରେ, ଆଶ୍‍ଗଛ ଆଉ ବୁଦାଗୁଡ଼ିକ ସୁଖଶାନ୍ତିରେ ରହିଲେ ।

 

ଲୋକେ ଏ ସବୁ ଲକ୍ଷ୍ୟ କରୁଥାନ୍ତି । ସେମାନେ ଏଥର ବୁଝିଲେ ଯେ, ଚଢ଼େଇ ଆସିବେ, ତାଙ୍କପାଇଁ କଣ୍ଟାଝଣ୍ଟାର ମଞ୍ଜି ପକେଇବେ, ସେଥିପାଇଁ ଅନେଇବସିବା ବୋକାମି ହେବ-। ତେଣୁ ଲୋକେ ନିଜେ ନିଜେ ଏ ବଡ଼ କାମଟି ହାତକୁ ନେଲେ । ଆହୁରିବି ସେମାନେ ଜାଣିପାରିଲେ ଯେ, ଓକ୍ ଆଉ ଆଶ୍‍ଗଛକୁ ପାଖାପାଖି ଲଗେଇବା ଠିକ୍ ହେବ ନାହିଁ । କାରଣ, ଦୁହେଁ ଦୁହିଁଙ୍କର ଶତ୍ରୁ । ତେଣୁ ଯେତେ ଦୂର ସମ୍ଭବ, ବେଶ୍ ଛଡ଼ା ଛଡ଼ା କରି ଦୂରରେ ଦୂରରେ ଏ ଜାତୀୟ ଗଛ ଦୁଇଟିକୁ ଲଗେଇବାକୁ ହେବ ।

 

ଜଙ୍ଗଲ ଭିତରେ, ଅଗନାଅଗନି ବନସ୍ତରେ ଗଛ ଗଛ ଭିତରେ କେମିତି ଲଢ଼େଇ ହୁଏ, ଏହା ଲୋକେ ଜାଣିବା ପରେ ସାବଧାନ ହେଲେ । ଏବେ ସୋଭିଏତ୍ ରୁଷରେ ଷ୍ଟେପିରେ ଜଙ୍ଗଲ ତିଆରି ହେଲାବେଳେ ନଜର ରଖାଯାଉଛି, ଗଛଗୁଡ଼ିକର ବନ୍ଧୁ ସବୁ ଯେମିତି ପାଖରେ ପାଖରେ ରହନ୍ତି, ଆଉ ଶତ୍ରୁଗୁଡ଼ିକ ଦୂରରେ ରୁଆଯାନ୍ତି ।

 

ଗଛଗୁଡ଼ିକର ଗୋଟିଏ ବନ୍ଧ ଚଢ଼େଇ କଥା ଦେଖାଯାଉ । ଏଇଟିରୁ ଇଂରାଜୀରେ କୁହାଯାଏ ଷ୍ଟରଲିଙ୍ଗ । ଏହା କୀଟପତଙ୍ଗ କାହିଁକି, ଆଉ କେତେକ ଜୀବର ସ୍ଵରକୁ ଅନୁକରଣ କରି ଡାକେ । ସଁବାଳୁଆ ବା ଗୋଟିପୋକ ଭଳି ଡାକି ତାକୁ ଭଳେଇ ଆଣି ଖାପଚରେ ପକାଏ । ତମେ କଳ୍ପନା କରିପାରିବ ନାହିଁ, ପ୍ରତିବର୍ଷ ଖରାଦିନେ ଏହା ଏତେ ସଂଖ୍ୟାରେ ପୋକ ଏମିତି ଧରି ଖାଏ-। କିନ୍ତୁ ଏ ଚଢ଼େଇଟିର ବସା ଦରକାର । ଭଲ ବସାଟିଏ ନହେଲେ, ଏହା ଜଙ୍ଗଲରେ ରହିବ ନାହିଁ-

 

ଧର, ଏଇ ଚଢ଼େଇରୁ ଗୋଟିଏ ଏବେ ଆସି ତା’ ଖରାଦିନିଆ ବସାର ପା’ଭାଗରେ ବସିଛି । ସେ ତା’ର ମୁଣ୍ଡଟିକୁ ଛୋଟ ଖୋଲ ଖାତ ବା ଦୁଆରମୁହଁରେ ଗଳେଇଲା । ଲକ୍ଷ୍ୟ କଲା, ବସାଟିରେ ଆଉ କେହି ଆଗରୁ ଆସି ଅଛନ୍ତି କି ନାହିଁ । କେହି ଦଖଲକାର ଭାବରେ ସେଠି ନାହାନ୍ତି ଜାଣିଲାକ୍ଷଣି ଭିତରକୁ ପଶିଲା । ମୁହୂର୍ତ୍ତକରେ ପୁଣି ବାହାରିଆସିଲା, ଡାଳରେ ବସିଲା । ବସାଟି ମନକୁ ପାଇଲା ନିଶ୍ଚୟ ! ଦେଖିଲା, ବସାଟିର ଦୁଆରମୁହଁ ଉପରେ ଛାତଟିଏ ଅଛି । ଏହା ହେଲେ ବର୍ଷା ପାଣି ଆଉ ବସାରେ ପଶିପାରିବ ନାହିଁ । ବସାଟି ଖୁବ୍ ଉଚ୍ଚରେ । ଏହାର ଅର୍ଥ, ବିଲେଇ ଆସି ଆଉ ହାତ ପୂରେଇ ଛୁଆଗୁଡ଼ିକୁ ଟାଣି ନେଇପାରିବ ନାହିଁ ।

 

ଆଖପାଖ ଜାଗା କି ଚମତ୍କାର ! ହେଇ, ନିକଟରେ ଗାଡ଼ିଆଟିଏ ଅଛି; ପାଣି ମିଳିବ । ଆଉ ଅନେକ ସାଇପଡ଼ିଶାବି ଅଛନ୍ତି । କାରଣ ପାଖରେ କେତେ ବସା ଯେ । ଗୋଟାଏ ଚଢ଼େଇସହର ଗଢ଼ିହୋଇଯାଇଛି । ମ୍ୟାଗ୍‍ପାଇ ଆସି ଯଦି ଷ୍ଟାର୍ଲିଙ୍ଗ୍ ଛୁଆ ଖାଇବାକୁ ବସେ, ତେବେ ସାଇପଡ଼ିଶା ସମସ୍ତେ ତାକୁ ଘେରିଯିବେ । ତାକୁ ଘଉଡ଼େଇ ସହର ପାରି କରିଦେବେ ।

 

ବସାଟି ପାଇ ଷ୍ଟାର୍ଲିଙ୍ଗ୍ ଚଢ଼େଇଟି ଆଗ ସଫାସୁତୁରା କରିବାରେ ଲାଗିପଡ଼ିଲା । ଭିତରେ ଘାସକୁଟା ଯାହା, ଥିଲା ଓଳେଇ ବାହାରକୁ ଫିଙ୍ଗିଦେଲା । ଘର ଓଳେଇସାରି ଚାଲିଲା ବାର୍ଚ୍ଚଗଛର ଉପରକୁ । ଡେଣା ଝାଡ଼ି, ବେକଟି ଟିକେ ଢଳେଇ ବଙ୍କେଇ ଦେଲା । ସବୁଠୁଁ ବଳି ଯେଉଁ ସରସ ମଧୁରିଆ ଗୀତଟି ତାକୁ ମାଲୁମ, ସେଇଟି ଗାଇବାକୁ ଆରମ୍ଭ କରିଦେଲା । ସତେ ଯେମିତି ସେ ତା’ର ଭାରିଯାକୁ ଡାକିଲା–“ସବୁ ବେଶ୍ ଶାନ୍ତିରେ ଶୃଙ୍ଖଳାରେ ଅଛି । କେଉଁଠି କିଛି ମଳିଧୂଳି ନାହିଁ, ବିପଦଆପଦ ନାହିଁ । ଏବେ ତୁମେ ଘର ଭିତରୁ ଆସିପାର ।”

 

କିଛି ସପ୍ତାହ ପରେ ଦେଖାଯିବ, ମାଆ ଷ୍ଟାର୍ଲିଙ୍ଗ୍‍ଟି ଡିମ୍ବ ଉଷୁମେଇ ଛୁଆ ଫୁଟେଇବାରେ ଲାଗିଚି । ବାପାକୁ ଆଉ ଗୀତ ଗାଇବାପାଇଁ ଫୁରୁସତ୍ ମିଳୁ ନାହିଁ । ଏହିକ୍ଷଣି ବାପାମାଆଙ୍କର ଦାୟିତ୍ୱ ବଢ଼ିଯାଇଚି–ଛୁଆଗୁଡ଼ିକୁ ପାଳିବାକୁ ହେବ ଯେ ! ବେଳେବେଳେ ଆଖିରେ ପଡ଼ିବ, ଛୁଆଗୁଡ଼ିକ ପାଇଁ ଆଧାର ନିଆ–ଆଣା କରି କରି ଖାଲି ବସାରୁ ବାହାରକୁ, ବାହାରୁ ପଦାକୁ ଭିଡ଼ି ଭିଡ଼ି ଯାଇଆସି ବାପ ମାଆ ଥକି ପଡ଼ୁଛନ୍ତି । ହୁଏତ ଗୋଟିଏ ଥକିଯାଇ ତଳେ ଖସିପଡ଼ୁଚି । ଏଥିରେ ଆଶ୍ଚର୍ଯ୍ୟ ହେବାର କଥା କିଛି ନାହିଁ ଯେ, ଛୁଆଗୁଡ଼ିକ ଯେମିତି ଚାହୁଁଚାହୁଁ ବଢ଼ନ୍ତି । ତାଙ୍କର ଟିକି ପେଟଟିମାନ ବଢ଼ୁଥାଏ । ଷ୍ଟାର୍ଲିଙ୍ଗ୍‍ଗୁଡ଼ିକ କେବେ ଭଲା ଜାଣୁଥାନ୍ତେ-ତାଙ୍କ ଛୁଆଗୁଡ଼ିକୁ ଖୋଇବାପାଇଁ ଯାଇ ସେମାନେ ଲୋକଙ୍କୁ ସାହାଯ୍ୟ କରନ୍ତି, ଲୋକଙ୍କର ବାରିବଗିଚା, ତୋଟା ଜଙ୍ଗଲକୁ ପୋକଙ୍କ ଦାଉରୁ ରକ୍ଷା କରନ୍ତି । ପ୍ରକୃତରେ କହିଲେ ଷ୍ଟାର୍ଲିଙ୍ଗ୍‍ଗୁଡ଼ିକ ଏଇ ସୂତ୍ରରେ କଠିନ ହାଡ଼ଭଙ୍ଗା ପରିଶ୍ରମ କରି, ନିଜ ନିଜର ବସାଟିମାନ ପାଇଁ ଯେମିତି ଭଡ଼ା ଦିଅନ୍ତି ।

 

ଜଙ୍ଗଲରେ ଆଉ କେତେକ ବାସିନ୍ଦାବି ଏମିତିକା କେତେ କାମ କରନ୍ତି । ଟିଟ୍, ସୁନା ଚୂଳିଆ ରେନ୍, ଫିଞ୍ଚ୍ ପ୍ରଭୃତି ଏଇ ଷ୍ଟାର୍ଲିଙ୍ଗ୍ ଦଳର । ଜଙ୍ଗଲରେ ଗଛ ଲଗାଗଲାବେଳେ ନାନା ଉପାୟରେ ଏହି ଚଢ଼େଇଗୁଡ଼ିକୁ ଭୁଲେଇଭାଲେଇ ଖୋସାମତ କରି ସେଠି ବସା ଗଢ଼ିବାକୁ ଡକାଯାଏ ।

 

କିନ୍ତୁ ଏଇଟି ଭାରି ଅଡ଼ୁଆ, ଭାରି କଠିଣ କାମ । କାରଣ, ଚଢ଼େଇମାନେ କେବେ ନିଜର ଜନ୍ମସ୍ଥାନ ଛାଡ଼ିବାକୁ ରାଜି ହୁଅନ୍ତି ନାହିଁ । ବାପଅଜା ଯେଉଁଠି ବସା କରିଥାନ୍ତି, ସେମାନେ ସେଇଠି ସବୁବେଳେ ବସା ତିଆରି କରନ୍ତି । ନିଜର ଜନ୍ମଭୂଇଁରେ ଏହି ବସା ବାନ୍ଧିବାପାଇଁ ସେମାନେ ହଜାର ହଜାର କୋଶ ଦୂରରେ ଥିଲେବି ନଈନାଳ, ସମୁଦ୍ର, ପାହାଡ଼ ଡେଇଁ ପଳାଇଆସନ୍ତି । ବସନ୍ତବେଳକୁ ଆସି ବସା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଏମାନଙ୍କୁ କ’ଣ କରାଯାଇ ନିଜ ଜନ୍ମଭୂଇଁରୁ ଛଡ଼େଇ ଅଣାଯାଏ, ଜଙ୍ଗଲରେ ବସା ବାନ୍ଧିବାକୁ ମଙ୍ଗାଯାଏ ?

 

ଘରଚଟିଆ ସବୁ ଛାଏଁ ଛାଏଁ ଆସନ୍ତି । ଘରେ ହାଜର ହୋଇଯାନ୍ତି । ତାଙ୍କୁ କେହି ଡାକିଯାଏ ନାହିଁ; ପାଛୋଟି ବସେ ନାହିଁ । କିନ୍ତୁ ଫିଞ୍ଚ୍ ପକ୍ଷୀଟି ନିଜ ଇଚ୍ଛା ଅନୁସାରେ କେବେ ତା’ର ପୈତୃକ ବାସସ୍ଥଳୀ–ନିଜର ବସା ଛାଡ଼ି ଆସିବ ନାହିଁ । ସେ ବସା କି ସ୍ଥାନ ବଦଳାଏ ନାହିଁ । ସେଥିପାଇଁ ଟିକେ କୌଶଳ କରିବାକୁ ହୁଏ; ତାକୁ ଟିକେ ଫାନ୍ଦରେ ପକାଇବାକୁ ହୁଏ । ଫିଞ୍ଚ୍ ଡିମ୍ବକୁ ନିଆଯାଏ; ସେଗୁଡ଼ିକୁ ଘରଚଟିଆ ବସାରେ ରଖିଦିଆହୁଏ । ଘରଚଟିଆ ସେଗୁଡ଼ିକ ନିଜର ଡିମ୍ବ ଭାବି ଉଷୁମାଏ, ଫୁଟାଏ । ଖରାଦିନେ ସେଇ ଫିଞ୍ଚ୍ ଛୁଆଗୁଡ଼ିକ ବଢ଼ିବାରେ ଲାଗନ୍ତି । ତାଙ୍କର ପାଳକ ବାପାମାଆ କେବେହେଲେ ଭାବିପାରନ୍ତି ନାହିଁ ଯେ ସେଇ ଛୁଆଗୁଡ଼ିକ ଆଦୌ ତାଙ୍କ ଭଳି ଦିଶନ୍ତି ନାହିଁ ।

 

ଶରତ୍‍କାଳ ଆରମ୍ଭ ହୋଇଯାଏ । ଛୁଆ ଫିଞ୍ଚ୍‍ଗୁଡ଼ିକ ଫୁର୍‍ଫାର୍ ହୋଇ ଦକ୍ଷିଣମୁହାଁ ହୋଇ ଉଡ଼ିପଳାନ୍ତି । ଶୀତ ଆସିବାର ଖବରଟା ସେମାନଙ୍କୁ ମିଳିଯାଏ । ତା’ପରେ ଦକ୍ଷିଣରେ ଶୀତ କଟେଇ ପୁଣି ବସନ୍ତବେଳକୁ ଜନ୍ମସ୍ଥାନକୁ ଫେରିଆସନ୍ତି–ଫେରିଆସନ୍ତି ଯେଉଁ ଜଙ୍ଗଲରେ ସେମାନେ ଘରଚଟିଆ ବସାରେ ଡିମ୍ବରୁ ଫୁଟି ବାହାରିଥାନ୍ତି, ସେହି ଜଙ୍ଗଲକୁ ।

 

ଟିଟ୍ ଚଢ଼େଇଟି ବସା କରେ ଗଛ କୋରଡ଼ରେ । ନୂଆ ଜଙ୍ଗଲରେ ତ ପୁରୁଣା ଗଛ ନଥାଏ; ସବୁ ଗଛ ଗଜରା, ସୁସ୍ଥ ଆଉ ସତେଜ । ଟିଟ୍ ବସା କରିବ ବୋଲି ସେଇ ଗଛକୁ ତ ଆଉ କେହି ଖୋଳିବ ନାହିଁ, ସେଥିରେ ଖୋଲ କରିବ ନାହିଁ ! କିନ୍ତୁ ଏ ସମସ୍ୟାର ସମାଧାନ ଆଉ ଗୋଟିଏ ଉପାୟରେ ହୁଏ । ଛୋଟ କାଠଗରଟିରେ ଗାତ ବା ଖୋଲ କରାଯାଇ ତାକୁ ଗଛର ଗଣ୍ଡିପାଖରେ ଟାଙ୍ଗିଦିଆଯାଏ । ସେଇ ଖୋଲ ଚଢ଼େଇବସା ପରି ଦିଶେ । ସେଇଥିରେ ଟିଟ୍ ଆସି ରହେ ।

 

ଏମିତି ଭାବରେ ଲୋକେ ମଧ୍ୟ, ଜଙ୍ଗଲରେ ଯେଉଁ ଯୁଦ୍ଧ ସ୍ଵାଭାବିକ ରୀତିରେ ଚାଲେ, ସେଥିରେ ଭାଗ ନିଅନ୍ତି । ସେମାନେ ଗଛଗୁଡ଼ିକୁ ସାହାଯ୍ୟ କରନ୍ତି, ସଁବାଳୁଆଜାତୀୟ ନାନାପ୍ରକାରର ପୋକ ଆଉ ଘାସର ଆକ୍ରମଣରୁ ସେଗୁଡ଼ିକ ରକ୍ଷା କରନ୍ତି ଏବଂ ସେଗୁଡ଼ିକ ସାଙ୍ଗରେ ବା ଗଛରେ ରହି ସେହି ପୋକଯୋକ ଘାସ ପ୍ରଭୃତି ବିରୁଦ୍ଧରେ ଲଢ଼େଇ ଚଳାନ୍ତି ।

Image

 

ଷ୍ଟେପି ଗୁଳ୍ମର ସାହସିକତା

 

ସୋଭିଏତ୍ ରୁଷରେ ଗୋଟିଏ ମରୁଭୂମି ଅଛି, ତା’ ନାଆଁ କାରା–କୁମ୍ । ସେଇ ମରୁଭୂମିରେ ବିରାଟ ବିରାଟ ବାଲିର ପାହାଡ଼ମାନ ଯା-ଆସ କରେ, ଆଉ ସେଇ ସଚଳ ବାଲିପାହାଡ଼ ସବୁ ଗତି କଲାବେଳେ ସାମନାରେ ଯାହା ପାଏ, ତାକୁ ମୁହୂର୍ତ୍ତକରେ ପୋତିପକାଏ, କବର ଦେଇଦିଏ । ଏହି ସଚଳ ବାଲିପାହାଡ଼ ଆଗରେ ଯଦି ଘରଟିଏ କି ଗଛଟିଏ ହାବୁଡ଼େ, ତାହା ମଧ୍ୟ ରକ୍ଷା ପାଏ ନାହିଁ । ସେଇ ବାଲିପାହାଡ଼ତଳେ ପୋତି ହୋଇଯାଏ ଚିରଦିନ ପାଇଁ ।

 

ଲୋକେ ବାଲି ଆଉ ପବନର ଖିଆଲକୁ ଡରି ସେଇ ବାଲି ଆଉ ପବନର କୃପା ଉପରେ ନିର୍ଭର କରି ନିଜ ନିଜର ଘରଦ୍ଵାର, ବାରିବଗିଚା ଛାଡ଼ି ବାଲିପାହାଡ଼ ଆସିବାର ସୂଚନା ପାଇବାମାତ୍ରେ, ଯିଏ ଯୁଆଡ଼େ ଛାଟିପିଟି ହୋଇ ପଳାନ୍ତି ।

Image

 

Unknown

କୁହୁକ ଉଦ୍ୟାନ

 

ଏଇ ବାଲିପାହାଡ଼ତଳେ ଆଗ ଧ୍ଵଂସ ପାଏ ପିଚ୍ ଆଉ ଆପ୍ରିକଟ୍ ଗଛ । ବାଲି ଆସି ଏଇ ଫଳଗଛ ଦୁଇଟିର ମଝାମଝି ଯାଏଁ ଉପରକୁ ଉଠିବା ଆଗରୁ ପ୍ରାୟ ଏ ଗଛ ଦୁଇଟିର ଜୀବନ ଚାଲିଯାଏ । ମରୁଭୂଇଁର ଏଲମ୍ ଗଛ ସବୁଠୁ ଶକ୍ତ, ତଥାପି ବାଲିପାହାଡ଼ ଏହାକୁ ଟପି ଆଗେଇ ଗଲାପରେ ଏହାର ଯାହା ଅବଶେଷ ରହିଯାଏ, ତାହା ହେଉଚି ତା’ର ଶୁଖିଲା ଗଣ୍ଡି; ସତେ ଯେମିତି ଗଣ୍ଡିରୁ ତାହା ହଣା ହୋଇଯାଇଥାଏ ।

 

ବାଲି ଯେତିକି ଯେତିକି ମଡ଼ିଆସେ, ଲୋକେ ସେତିକି ଘୁଞ୍ଚି ଘୁଞ୍ଚି ଯାଆନ୍ତି; ସେଠି ଘର କରି ରହନ୍ତି । ତଥାପି, ତାଙ୍କୁ ରକ୍ଷା ମିଳେ ନାହିଁ । ଘର ଚାରିପଟେ ସେମାନେ ଉଞ୍ଚ ଉଞ୍ଚ ମେଘନାଦ ପାଚିରିମାନ ଗାଢ଼ନ୍ତି ମାଟିରେ । ତାହା କିଛି ବାଲି ଅଟକାଇ ରଖେ । କିନ୍ତୁ ବାଲି ସେହି ବାଧାବି ମାନେ ନାହିଁ । ସୁରୁସୁରୁ ହୋଇ ଆଗକୁ ମାଡ଼େ । ପବନ ତାକୁ ଉଚ୍ଚରୁ ଉଚ୍ଚ କରୁଥାଏ, କୁଢ଼କୁ କୁଢ଼ ଜମାଇ ରଖିଥାଏ । ଦିନେ ଦେଖାଯାଏ, ସେଇ ବାଲିକୁଦ ପାଚିରି ଯାଏଁ ଉପରକୁ ଉଠି, ପାଚିରି ଡେଇଁ ଲୋକଙ୍କ ଦୁର୍ଗ ଭଳି ଘରେ ଆସି ପଶିଲା । ସେଇ ଘରଗୁଡ଼ିକରେ ଅବରୁଦ୍ଧ ହୋଇ ରହିଥିବା ଆତ୍ମରକ୍ଷାକାରୀ ଲୋକେ ପୁରୁଣା ପାଚିରି ଉପରେ ନୂଆ ପାଚେରି ଉଠାନ୍ତି । ପାଚିରି ଏମିତି ଉପରକୁ ଉପରକୁ ଉଠୁଥାଏ, ବାଲିପାହାଡ଼ବି ଉଚ୍ଚରୁ ଉଚ୍ଚ ହେଉଥାଏ; ମାଟି ଗାନ୍ଥିନିକୁ ଧକ୍କା ଦେଉଥାଏ । ବାଲିରେଣୁଟି ଉଶ୍ଵାସିଆ; କିନ୍ତୁ ବାଲିପାହାଡ଼ର ଓଜନ କେଜାଣି କେତେ ଟନ୍ ହେବ ! ଶେଷରେ ପାଚିରି ଟଳିପଡ଼େ ବା ପୋତି ହୋଇଯାଏ । ତା’ପରେ ନିଧଡ଼କ ମନରେ ବାରି ଦୁର୍ଗଭଳି ଘର ଭିତରେ ହାଜର ହୁଏ; ଆଉ ବାଲିକୁ ଅଟକାଇ ହୁଏ ନାହିଁ ।

 

ଏମିତି ଅବସ୍ଥା ଥିଲା ମରୁଭୂଇଁରେ । ସେଠି ଶାସକହୋଇଥିଲେ କେବଳ ବାଲି ଆଉ ପବନ । ଘାସଗଛଟିଏ, କଣ୍ଟାବୁଦାଟିଏ କି ଜଣେ ଅଧେ ଲୋକ ପକ୍ଷରେ ଜିଇଁ ରହିବା ଅସମ୍ଭବ ଥିଲା କାରାକୁମ୍‍ରେ । କୌଣସି ଗୋଟିଏ ଚେର ସେଠି ଲାଗୁ ନଥିଲା, କାରଣ ତା’ ତଳରୁ ସହଜରେ ବାଲି ଖସି ଖସି ଯାଉଥିଲା । ମରୁଭୂଇଁର ପ୍ରବଳ ପବନ ବାଲି ଉଡ଼ାଇ ଚେରକୁ ଉପାଡ଼ି ପକାଇ ଗଛ କି ବୁଦାକୁ ଘୂରେଇ ଘୂରେଇ ପିଟି ଦେଉଥିଲା, ମାରି ଶୁଆଇ ଦେଉଥିଲା ଧୁଉ ଧୁଉ ବାଲିରେ । ବେଳେବେଳେ ଅବଶ୍ୟ ଖେଳିବା ମତଲବରେ କି କ’ଣ, ପବନ ବହିଆଣୁଥିଲା ଏଣୁତେଣୁ କେତେଟା ମଞ୍ଜି । ସେଗୁଡ଼ିକ ବିଞ୍ଚିଦେଇ କହୁଥିଲା–ବେଶ୍, ବେଶ୍ ଯାଆ ବଢ଼ିଯାଆ !” ଆଉ ଗୋଟିଏ ସେକେଣ୍ଡ ପରେ ତାକୁ ସବୁ ଘୋଡ଼େଇ ପକାଉଥିଲା ବାଲିରେ । ଭାଗ୍ୟରେ ଥିଲେ କେବେ କେଉଁଠି ସେଇ ଛୋଟ ଛୋଟ ମଞ୍ଜିରୁ ପହିଲି କଅଁଳ କୁଆଁ ମୁହଁ କାଢ଼ୁଥିଲା । କିନ୍ତୁ ବଡ଼ ହେବା ତା’ ଭାଗ୍ୟରେ ଜୁଟୁ ନଥିଲା । କେଉଁଠୁଁ ହେଲେ କେତେବେଳେ ବାଲିର ସୁଅ ମାଡ଼ିଆସି ତାକୁ ଚିରଦିନ ପାଇଁ କବର ଦେଉଥିଲା ।

 

କାରାକୁମ୍‍ରେ ଗୋଟିଏ ପ୍ରକାରର ବୁଦା ଅଛି । ପବନ ଆଉ ବାଲି ସାଙ୍ଗରେ କେମିତି ଲଢ଼ିବାକୁ ହେବ, ଏହାକୁ ଭଲରୂପେ ଜଣା । ଏହି ବୁଦାକୁ କୁହାଯାଏ ‘ଷ୍ଟେପି’ ଗୁଳ୍ମ । ଏହା ସୁରୁସୁରୁ ହୋଇ ପେଟେଇ ପେଟେଇ ଲତା ଭଳି ମରୁଭୂଇଁକୁ ଯାଏଁ ନାହିଁ । ସିଧାସଳଖ ଡେଇଁ ଡେଇଁ ଆସେ-। ଗୋଲ ଖୋଳପା ଭିତରେ ଏହାର ମଞ୍ଜି ଥାଏ, ଦେଖିବାକୁ ବାଦାମ ପରି ଛୋଟ । ଅବଶ୍ୟ ପବନ ବହିବାକ୍ଷଣି ଏହି ମଞ୍ଜି ପେଣ୍ଡୁଟାଏ ପରି ଏଠୁ ସେଠିକି, ସେଠୁ ଏଠିକି ଡେଇଁ ଡେଇଁ ଯାଏଁ-। ବାଲି ଏହାକୁ ଧରିପାରେ ନାହିଁ କି ଏହାକୁ ମାଡ଼ିବସି ଅଣନିଃଶ୍ଵାସୀ କରିଦେଇ ମାରିପାରେ ନାହିଁ-। କାରଣ ଏହାଠାରୁ ଭାରୀ ବା ଓଜନିଆ ହେଉଚି ବାଲି । ତେଣୁ, ଜନ୍ମବେଳରୁ ଷ୍ଟେପି ଗୁଳ୍ମ ବାଲିକି ହଟାଇ ଦିଏ ।

 

କୌଣସି ଗୋଟିଏ ମରୁଭୂଇଁରେ ପହଞ୍ଚିଯିବା ଏମିତି କିଛି କଠିନ ନୁହେଁ । କିନ୍ତୁ ସେଠି ଜୀବନ ଧରି ରହିବା କଷ୍ଟକର । ଏଣୁ ଛୋଟ ମଞ୍ଜିଟିଏ ମରୁଭୂଇଁରେ ସିନା ଅଙ୍କୁରେ, ବଡ଼ ଗୁଳ୍ମଟିଏ ବା ବୁଦାଟିଏ ହେଲାପରେ ଏହା ଚଳନ୍ତା ବଳିପାହାଡ଼ ଆଗରୁ ରକ୍ଷା ପାଇବ କେମିତି ? ଗୁଳ୍ମଟାଏ ଆଉ କୁଦା ମରିପାରିବ ନାହିଁ କି ଡେଇଁ ଡେଇଁ ଯାଇପାରିବ ନାହିଁ । ପିଚ୍ ଆଉ ଆପ୍ରିକଟ୍ ଗଛଭଳି ଏହା ବାଲିରେ ପୋତି ହୋଇ ପଡ଼ିବା ନିଶ୍ଚିନ୍ତ ।

 

କିନ୍ତୁ ଷ୍ଟେପି ଗୁଳ୍ମ ଏତେ ସହଜରେ ହଟିଯିବା ପାତ୍ର ନୁହେଁ । ଏହାର ଡାଳଗୁଡ଼ିକ ଫଳଗଛର ଡାଳ ପରି ନୁହେଁ । ସେହି ଡାଳରେ ପୁଣି ପତ୍ର ନଥାଏ । ଷ୍ଟେପି ଗୁଳ୍ମର ଚାରିପଟେ ଯେତେବେଳେ ପବନ ଘାଉଁରେଇ ହୁଏ, ଖଣ୍ଡିଆଭୂତ ଭଳି ବୁଲେ, ସେତେବେଳେ ଏହି ଗୁଳ୍ମ ତା’ ସାଙ୍ଗରେ ଯୁଦ୍ଧ କରିବାକୁ ବାହାରେ ନାହିଁ । ଏହା ଠିକ୍ ଓଲଟା ବାଟ ଧରେ–ନିଜର ଡାଳ ମଝିରେ ଓ ତଳେ ପବନ ପଶି ଯେମିତି ଅକ୍ଳେଶରେ ଚାଲିଯାଇପାରେ, ସେଥିଲାଗି ସୁବିଧା କରିଦିଏ, ଆଉ ପବନ ଡାଳ ମଝିରେ ଖସି ପଳାଇବାକୁ ବାଧ୍ୟ ହୁଏ, ଗୁଳ୍ମଟି ଦେହରେ କୌଣସି ଆଞ୍ଚ ଲାଗେ ନାହିଁ-। ଅବଶ୍ୟ ପବନକୁ ଯେ ଅପମାନିଆ ନା ଲାଗେ, କି ତା’ ମନରେ ଅସନ୍ତୋଷ ନ ଆସେ, ଏହା ନୁହେଁ । କାରଣ, ସେ ତ ପୁଣି ରାଗରେ ପ୍ରବଳରୁ ପ୍ରବଳ ବେଗରେ ବହି ଘାଉଁରିହୁଏ, ଆଉ ଗୁଳ୍ମଟିର ତଳୁ ବାଲିତକ ଖସେଇ ଉଡ଼େଇନିଏ ।

 

ତେବେ, ଥରେ ଯଦି ଷ୍ଟେପି ଗୁଳ୍ମର ଚେର ବାଲି ଭିତରେ ଟିକେ ଗଭୀରକୁ ଚାଲିଯାଏ, ପବନର ଆଉ ବଳ ଖଟେ ନାହିଁ । ସେ ଅସହାୟ ହୋଇପଡ଼େ । କିନ୍ତୁ ଗୁଳ୍ମଟି ଅଳ୍ପଦିନର ହୋଇଥିଲେ, ଆଉ ବାଲି ଭିତରେ ଦୃଢ଼ ହୋଇ ରହି ନଥିଲେ, ତା’ର ଭାଗ୍ୟ ବଡ଼ ଦୁଃଖର ହୁଏ । ପବନ ତାକୁ ଉପାଡ଼ି ଛେଚିକୁଟି, ଚିରିଚାରି ଭିଡ଼ିଓଟାରି ବାଲି ଉପରେ ଫିଙ୍ଗିଦିଏ । ଗୁଳ୍ମ ଆଉ ସମ୍ଭାଳି ପାରେନାହିଁ । ଏହା ସତ୍ତ୍ୱେ ଷ୍ଟେପି ଗୁଳ୍ମ ପରାଜୟ ମାନେ ନାହିଁ । ପବନ ତାକୁ ବାଲିଉପରେ ଫିଙ୍ଗିଦେଲା ପରେବି ସେଥିରେ ନୂଆ ଚେର ବାହାରେ, ଆଉ ତାହା ଜୀବନ ପାଇ ଖସି ଖସି ଯାଉଥିବା ବାଲିକୁ କାମୁଡ଼ି ପଡ଼ିରହେ ବା ବାଲିରେ ଲାଖି ନ ଲାଖି ଝୁଲୁଥାଏ । ସେତେବେଳେ ତାହା ପବନରେ ଖସି ଖସି ଯାଉଁ ଯାଉଁ କେଉଁଠି ଟିକେ ଅଟକୁଥାଏ ତ କେଉଁଠି ନିଃଶ୍ଵାସ ମାରି ଚେରଗୁଡ଼ିକୁ ଏକାଠି କରୁଥାଏ, ଆଉ ନିଜର ବାଲୁକାମୟ ମୂଳଦୁଆ ସୃଷ୍ଟି କରୁଥାଏ ।

 

ପବନ ରାଗି ଏକାବେଳକେ ଅନ୍ଧ ହୋଇଯାଏ–ବାଲିପାହାଡ଼ଟାଏ ନେଇ ସେ ଗୁଳ୍ମ ଉପରେ ଅଜାଡ଼ିଦିଏ । ଏହା ସତ୍ତ୍ୱେବି ଗୁଳ୍ମଟି ବାଲିଗଦାର ତଳରେ ଥାଇ ବଢ଼ିବାକୁ ଲାଗେ । ପବନ ବାଲିକୁଦ ଉପରେ ଅଧିକରୁ ଅଧିକ ବାଲି ନେଇ ଜମା କରେ–ବାଲିକୁଦ ଗଢ଼େ । ଆଉ ତା’ ସଙ୍ଗେ ସଙ୍ଗେ ଗୁଳ୍ମଟିବି ବଢ଼ୁଥାଏ । ଦିନେ ତାହା ବାଲିପାହାଡ଼ ଉପରେ ଦେଖାଦିଏ, ଆଖପାଖର ଚାରିଆଡ଼ ଦୁନିଆକୁ ଅନାଏ । ତା’ପରେ ପବନ ପୁଣି ବହେ । ସେଠୁ ବାଲିପାହାଡ଼କୁ ଆଗେଇ ନିଏ, ଅଟକାଇ ରଖେ ନାହିଁ । କିନ୍ତୁ ଏଥର ଆଉ ବାଲିପାହାଡ଼ ଚଙ୍କେ ନାହିଁ । କାରଣ, ଚେର ଆଉ ଡାଳରେ ଗୁଳ୍ମଟି ବାଲିପାହାଡ଼କୁ ଜୋରରେ କାମୁଡ଼ି ଧରିଥାଏ । ଶେଷରେ, ବାଲିପାହାଡ଼ ଭିଡ଼ିଓଟାରି ହୋଇ ଗତିକରେ, ନିଜ ଦେହରୁ ଅଧେ ଅନ୍ତତଃ ଷ୍ଟେପି-ଗୁଳ୍ମର ଚାରିପାଖରେ ଛାଡ଼ିଯିବାକୁ ବାଧ୍ୟ ହୁଏ ।

 

ଏମିତି ଷ୍ଟେପି-ଗୁଳ୍ମ ଲଢ଼େଇ କରେ ପବନ ଆଉ ବାଲି ସାଙ୍ଗରେ । ଲୋକେ ଷ୍ଟେପି-ଗୁଳ୍ମର ଏ ଗତିବିଧି ଦେଖିଲା ପରେ ସେଇ ଗୁଳ୍ମର ମଞ୍ଜି ନେଇ ବୁଣିଲେ, ଆଉ ତାହାଭଳି ଅନ୍ୟ ଗୁଳ୍ମ ମଞ୍ଜିବି ମରୁଭୂଇଁରେ ପକାଇଲେ । ଗୁଳ୍ମଗୁଡ଼ିକ ବାଲିକୁ ବାନ୍ଧି ରଖିଲା । ତା’ପରେ ଲୋକେ ଆସିଲେ–ସେଠି ଘର ତୋଳିଲେ; ଆଉ ପରାସ୍ତ ମରୁଭୂଇଁରେ ଗଛସବୁ ରୋଇଲାଗିଲେ ।

Image

 

ଯାଦୁକର

 

ଫଳ ବଗିଚାଟିଏ ସୋଭିଏତ୍ ରୁଷର ମିଚୁରିନ୍‍ସ୍କ ସହରରେ ଅଛି । ସେଇଟି ଦେଖିବାକୁ ଗୋଟିଏ ଜଙ୍ଗଲ ଭଳି ବଡ଼ ।

 

ବସନ୍ତଋତୁରେ ଯେତେବେଳେ ଫଳଗଛଗୁଡ଼ିକ ଫୁଲରେ ଭରିଯାଏ, ମନେ ହୁଏ ସତେ ଯେମିତି ଫିକା ଲାଲ ଆଉ ଧଳା ରଙ୍ଗର ମେଘଟିଏ ବେଶ୍ ଆରାମରେ ନଇଁଆସିଚି ପୃଥିବୀ ଉପରକୁ; ଖୁସିରେ ଯାକିଯୁକି ହୋଇ ନୀଡ଼ଟିଏ ତିଆରି କରି ରହିବ ସେଇଠି । ଏହାପରେ ଯେତେବେଳେ ଶରତ୍‍କାଳ ପହଞ୍ଚିଯାଏ, ଗଛଗୁଡ଼ିକ ଚକ୍‍ଚକ୍ ଫଳ ଭାରରେ ଏମିତି ଭାଙ୍ଗିପଡ଼େ ଯେ, ନିରିଖି କରି ଅନାଇଲେବି ଶାଗୁଆ ପତ୍ରଟିଏ ଦିଶେ ନାହିଁ ।

 

ପୃଥିବୀରେ ବଡ଼ବଡ଼ ଫଳ ବଗିଚାର ଅଭାବ ନାହିଁ । କିନ୍ତୁ ମିଚୁରିନ୍‍ସ୍କର ଫଳବଗିଚାଟି ଭଳି ଆଉ ଗୋଟିଏ କେଉଁଠି ଦେଖିବାକୁ ମିଳିବା ସହଜ ନୁହେଁ । କାରଣ ସେଇଟି ହେଉଚି ଗୋଟିଏ କୁହୁକ-ଫଳବଗିଚା । କେଉଁଠି କେବେ ଦେଖାଯାଇ ନଥିବା ଅତି ଅଦ୍ଭୁତ ଫଳ, ଫୁଲ କୋଳିରେ ସବୁବେଳେ ଭରପୂର ଥାଏ ସେଇଟି । ସେଠି ନାସପାତି ମିଳେ–ମହୁଠୁ ବଳି ମିଠା । ତମେ ଯଦି ଚିନି-ନ-ଦିଆ ଖାଲି ଚାହା ଢୋକେ ପିଇ ତା’ପରେ ସେଇ ନାସପାତିରୁ ଟିକିଏ ଖାଅ, ତେବେ ତମର ଚିନି ଆଦୌ ଦରକାର ହେବନାହିଁ । ସେଠି ଲିଲି (ସ୍ଥଳକଇଁ) ଫୁଲଗୁଡ଼ିକ ବାସେ ଭାୟୋଲେଟ୍ ଫୁଲ ଭଳି, ଗୋଲାପ ବାସେ କାନେଶନ୍ ଭଳି, ଆଉ ଜାସ୍‍ମିନ୍ ବାସେ ବଣୁଆ ଷ୍ଟ୍ରବେରି (କାଠୁଆ କୋଳି) ପରି ।

 

ଗପରେ ପରୀରାଇଜର ଗଛ ଭଳି ଗଛବି ଅଛି ସେଠି । ସେଥିରୁ ଗୋଟିଏ ଚେରି ଗଛରୁ ଅଧେ ମିଠା ଚେରିଫଳର ଆଉ ଅଧେ ଚଢ଼େଇଖିଆ ଚେରିଫଳର । ଆଉ ଏକପ୍ରକାର ଗଛ ଅଛି, ତାହା ଅଧେ କୋଳି ଆଉ ଅଧେ ଆପ୍ରିକଟ୍ ଫଳର । ଅର୍ଥାତ୍, ଦୁଇ କିସମ ଫଳର ମିଶ୍ରଗଛ ସେଗୁଡ଼ିକ । ସେଠି ପାହାଡ଼ିଆ ଆଶ୍ ଗଛଟିଏ ଅଛି; ସାଧାରଣ ଆଶ୍ ଗଛ ନୁହେଁ, ଗୋଟିଏ ବିଶେଷ ଧରଣର କେମିତି ।

 

ତମେ ପାହାଡ଼ିଆ ଆଶ୍ ଦେଖିଥିବ ନିଶ୍ଚୟ । ଶରତ୍‍କାଳର ଅତି ହେମାଳିଆ, କୋହ୍ଲମରା ଭୟଙ୍କର ଦିନରେ ତା’ର କୋଳିଗୁଡ଼ିକ ନିଆଁଭଳି ଦାଉଦାଉ ଦିଶେ । ଛୋଟ ଛୋଟ ଝିଅସବୁ ସେଥିରେ ସୁନ୍ଦର ସୁନ୍ଦର ମାଳି ତିଆରି କରନ୍ତି । ଆଉ ପୁଅପିଲାମାନେ ସାନ ସାନ ଖେଳଣା ବନ୍ଧୁକରେ ସେଗୁଡ଼ିକୁ ଗୁଳିରୂପେ ବ୍ୟବହାର କରନ୍ତି । କିନ୍ତୁ ସେଗୁଡ଼ିକ ଏତେ ପିତା ଯେ, ତମେ କେବେହେଲେ ତାକୁ ପାଟିରେ ଦେଇପାରିବ ନାହିଁ; ପୁଣି ଏମିତି ବିରିକାଟିଆ ଆମ୍ବିଳା ଯେ, ତାକୁ ଜିଭ ଆଗରେ ଛୁଆଁଇଲେ ମୁହଁ ତମର ଆପେଆପେ ବଙ୍କା ହୋଇଯିବ ।

 

କିନ୍ତୁ ହଠାତ୍ ଯଦି ଏହି କୋଳିଗୁଡ଼ିକ ମିଠା ପାଲଟିଯାଏ, ତେବେ କେଡ଼େ ଅଲୌକିକ କଥାଟାଏ ନ ହେବ, କହିଲ ! ଏମିତି ଅଦ୍ଭୁତ ଘଟଣା ଘଟିଛି ଏହି କୁହୁକ ଉଦ୍ୟାନରେ । ସେଠି ପାହାଡ଼ିଆ ଆଶ୍‍ର ଡାଳରେ ଭର୍ତ୍ତି ହୋଇଯାଏ ପେନ୍ଥାକୁ ପେନ୍ଥା ଗାଢ଼ ଲାଲ ରଙ୍ଗର ମିଠା ମିଠା କୋଳି । ତାକୁ ତୋଳିବାପାଇଁ ତମକୁ ଉପରକୁ ଚଢ଼ିବାକୁ ପଡ଼େ ନାହିଁ । କାରଣ, ସେଇ ଗଛଗୁଡ଼ିକ ଖୁବ୍ ଛୋଟ ଛୋଟ । ତମକୁ ଯେମିତି ସଦାବେଳେ ଡାକନ୍ତି, “ଆସ, ମନଇଚ୍ଛା ପେଟପୂରାଇ ଆମକୁ ଖାଅ ଖୁସି ହୁଅ ।”

 

ଏମିତିକା ଅଲୌକିକ ପରିବର୍ତ୍ତନବି ଆସିଚି ସେଠି ଆମ୍ବିଳିଆ ବ୍ଲାକ୍‍ଥର୍ଣ୍ଣ କୋଳି ଗଛର (କଣ୍ଟେଇକୋଳି) । ଏହି ବ୍ଲାକ୍‍ଥର୍ଣ୍ଣ ଗଛର କଣ୍ଟାଗୁଡ଼ିକ ଏମିତି ଦୁନିଆ ଯେ, ମନେ ହେବ, ସତେ ଯେମିତି ଚୋରଙ୍କଠୁ କେଉଁ ନିଧିସମ୍ପତିକି ଜଗି ରହିଛନ୍ତି । ପ୍ରକୃତରେ ତହିଁରେ ସେମିତି କିଛି ନିଧିସମ୍ପତି ନାହିଁ । କାରଣ, ସେ କୋଳିଗୁଡ଼ାକ ଯେମିତି ଛୋଟ, ସେମିତି ଖଟା ଆଉ ପିତୁଳିଆବି ।

 

କିନ୍ତୁ କୁହୁକ ଉଦ୍ୟାନରେ ଏହି ବ୍ଲାକ୍‍ଥର୍ଣ୍ଣ କୋଳିଗୁଡ଼ାକ ଗୋଟିଏ ଗୋଟିଏ କୁହୁକ । କାରଣ, ସେଗୁଡ଼ିକ ଯେମିତି ବଡ଼, ସେମିତି ମିଠା; ଦେଖିବାକୁ ଗାଢ଼ ନୀଳରଙ୍ଗର । ଏହି ନୂଆ ଧରଣର କୋଳି ଫଳୁଥିବା ବ୍ଲାକ୍‍ଥର୍ଣ୍ଣ ଗଛକୁ ମିଠା ବ୍ଲାକ୍‍ଥର୍ଣ୍ଣ କୋଳିଗଛ ବୋଲି କୁହାଯାଉଛି ।

 

କୁହୁକ ଉଦ୍ୟାନରେ କେତେଗୁଡ଼ିଏ ଗଛ ଅଛି, ଯେଉଁଥିରେ କି ବଡ଼ବଡ଼ ହଳଦିଆସିଆ ଶାଗୁଆ ରଙ୍ଗର ଫଳ ଧରେ । ଦିନେ ଯୋଡ଼ିଏ ପିଲା ଏହି ଫଳଗୁଡ଼ିକ ଦେଖିଲେ । ଜଣେ କହିଲା–“ଦେଖିଲୁଣିରେ ସେଓଗୁଡ଼ାକୁ !”

 

ଆରଟି କହିଲା–‘‘ନା, ସେଗୁଡ଼ାକ ସେଓ ନୁହେଁରେ ନାସପାତି        । ସେଓର ଡେମ୍ଫଟା ତ ଗୋଟିଏ ଗାତ ଭିତରେ ପଶିଥାଏ । ଏଗୁଡ଼ାକର ତ ଗେଣ୍ଡୁ ଉପରେ ଡେମ୍ଫ ଲାଗିଚି ।”

 

ଦୁହିଁଙ୍କ ଭିତରେ ଯୁକ୍ତି ଚାଲିଲା । ଶେଷରେ ଦୁହେଁ ଠିକ୍ କଲେ, ସେଥିରୁ ଗୋଟାଏ ଫଳ ଚାଖିବେ । ଦୁହେଁ ପୁଳାଏ ଲେଖାଏଁ ଖାଇଲେ ।

 

ପ୍ରଥମ ପିଲାଟି କହିଲା–“ମୁଁ ଯାହା କହିଚି ଠିକ୍ । ଏହା ସେଓ ପରି ଲାଗୁଚି ।”

 

“ଆରେ, ନା ମଃ !” ଦ୍ୱିତୀୟ ପିଲାଟି ମାଡ଼ିବସିଲା କଥାରେ–‘‘ଠିକ୍ ନାସପାତି ଏହା ଲାଗୁଚି ।”

 

ଦୁହେଁଯାକ ଯାଇ ଗୋଟିଏ ମାଳୀକୁ ପଚାରିଲେ–“ଏ ଫଳଟିର ନା କ’ଣ ?

 

ମାଳୀଟି କହିଲା–“ରେଇନେଟ୍ ବର୍ଗାମୋଟ୍ ।”

 

“ଦେଖ୍, ମୁଁ କିଛି ଭୁଲ କହିନାହିଁ” ପ୍ରଥମ ପିଲାଟି କହିଲା, ‘‘କାରଣ, ମୁଁ ଜାଣେ ରେଇନେଟ୍ ଗୋଟାଏ ଜାତିର ସେଓ ।” “ନା, ତୁ ଭୁଲ କହିଚୁ,” ସଙ୍ଗେ ସଙ୍ଗେ ଉତ୍ତର ଦେଲା ଦ୍ୱିତୀୟଟି, “ତୁ ଜାଣିଚୁ ଭଲା ବର୍ଗାମୋଟ୍ ଗୋଟାଏ କିସମର ନାସପାତି ?”

 

ଦୁହେଁ ପୁଣି ଯାଇ ପହଞ୍ଚିଲେ ମାଳୀ ପାଖରେ । ପଚାରିଲେ–“ଏ ରେଇନେଟ୍ ବର୍ଗାମୋଟ୍ କ’ଣ ସେଓ ନା ନାସପାତି ?”

 

ମାଳୀ କହିଲା–“ଗୋଟାଏ ଜାତିର ସେଓ ଏ । ଏହା ଫଳୁଚି ନାସପାତି ଗଛରେ !”

 

ଏମିତି ଆହୁରି ଅନେକ ଅଦ୍ଭୁତ ଫଳଗଛ ଅଛି କୁହୁକ ଉଦ୍ୟାନରେ । କେବେ ଭଲା ଦେଢ଼ ପାଉଣ୍ଡିଆ ଆନ୍ତୋନଭକା ନାଆଁ ଶୁଣିଛ ? ଏହାର ନାଆଁ କହୁଚି, ଏଇଟି ଓଜନରେ ଦେଢ଼ ପାଉଣ୍ଡ । ତରଭୁଜଟିଏ ପରି ତମକୁ ଏହା ଦି’ହାତରେ ଧରିବାକୁ ହେବ; ନୋହିଲେ ତଳେ ଖସିପଡ଼ିବ । ଏହା ଆଗରେ ସାଧାରଣ ସେଓ ଗୋଟିଏ ବାମନ ଭଳି ।

 

ଏହି ବଗିଚାରେ ଦକ୍ଷିଣିଆ ଫଳବି ଭର୍ତ୍ତି ହୋଇଚି । ଏଠି ଅଛି ଆପ୍ରିକଟ୍, ରସୁଆଳିଆ ବଡ଼ବଡ଼ ନାସପାତି ଆଉ ଅଙ୍ଗୁର । କିନ୍ତୁ ଏ ଫଳ ଉଦ୍ୟାନଟି ଦକ୍ଷିଣାଞ୍ଚଳରେ ନାହିଁ, ଅଛି ଉତରାଞ୍ଚଳରେ । ଏହି ଅଞ୍ଚଳରେ ପ୍ରବଳ ଶୀତ, ବହୁତ ବରଫ ପଡ଼େ । ଆଉ ବସନ୍ତକାଳ ଯାଏଁବି ପ୍ରତ୍ୟେକ ଦିନ ସକାଳେ ଏଠି କୁହୁଡ଼ି ବର୍ଷୁଥାଏ ।

 

ଦକ୍ଷିଣିଆ ଫଳଗଛଗୁଡ଼ିକର ଥଣ୍ଡାକୁ ଭାରି ଡର । ସେଗୁଡ଼ିକ ଏଡ଼େ ସୁକୁମାର ଯେ, ଟିକିଏ ହେଲେ ଥଣ୍ଡା ସହିପାରନ୍ତି ନାହିଁ; ଉଷ୍ମ ଜଳବାୟୁରେ ଏଡ଼େ ଗେହ୍ଲା ହୋଇ ବଢ଼ିଥାନ୍ତି । କୁହୁକ ଉଦ୍ୟାନରେ କିନ୍ତୁ ଯେଉଁ ଅଙ୍ଗୁର, ଆପ୍ରିକଟ୍, ନାସପାତି ଆଉ ଚେରିଫଳ ହୁଏ, ସେସବୁ ଥଣ୍ଡାକୁ ଖାତିର କରନ୍ତି ନାହିଁ । କୁହୁଡ଼ିକାକର, ବରଫବର୍ଷା, କି ହେମାଳିଆ ପବନରେ ଥୁରୁଥୁରୁ ହୁଅନ୍ତି ନାହିଁ-। ସେଗୁଡ଼ିକର ନାଆଁ କହିଦିଏ, କେଡ଼େ ଶକ୍ତ ଆଉ କେଡ଼େ ବେପରୁଆ ସେସବୁ ! ଉତ୍ତର ଆପ୍ରିକଟ୍, ସାଇବେରିଆ ଅଙ୍ଗୁର, ଶୀତଦିନିଆ ନାସପାତି, ଉତ୍ତର ଦେଶର ଗର୍ବ ଚେରି, ତାଏଗା ସେଓ ।”

 

ଏଇ କୁହୁକ ଫଳ ବଗିଚାର ଗୋଟାଏ ଚେରି ଏକାବେଳକେ ବିଶ୍ୱବିଖ୍ୟାତ ହୋଇ ଉଠିଚି । ଏହାର ନାଆଁ ହେଉଚି ‘ପ୍ଲୋଦୋରୋଦ୍‍ନାୟା’ ଅର୍ଥାତ୍ “ସଫଳା” । କାରଣ ଏଥିରେ ବହୁତ ଫଳ ଧରେ । ଏହାର ଡାଳଗୁଡ଼ିକ ଗାଢ଼ ଲାଲ ରଙ୍ଗର ଚକ୍‍ଚକ୍ ପେନ୍ଥାକୁ ପେନ୍ଥା ଫଳରେ ନଇଁପଡ଼େ । ଏଇ ଧରଣର ଛୋଟ ଚେରି ଗଛଟିରେ ଅନ୍ତତଃ ୮୦ ପାଉଣ୍ଡ ଓଜନର ଚେରି ଥାଏ । ଏତେ ଓଜନ ସହି ଗଛଟି ଯେ କେମିତି ରହେ, ଭାଙ୍ଗିପଡ଼େ ନାହିଁ, ଏହାହିଁ ଆଶ୍ଚର୍ଯ୍ୟ କଥା । ଏହାର ସବୁଠୁ ବଳି ଖ୍ୟାତିର କାରଣ ହେଉଚି, ଏହା ଖୁବ୍ ଥଣ୍ଡା ସହିପାରେ ।

 

ଅନେକ ବର୍ଷ ତଳେ ଏହି ଅଦ୍ଭୁତ ଗଛଟି ବିଷୟ ଶୁଣିବାକୁ ପାଇ କାନାଡ଼ାର ଉଦ୍ୟାନ–ବିଜ୍ଞାନୀମାନେ ଏହାକୁ ତାଙ୍କ ଦେଶକୁ ନେଲେ । କାରଣ, ତାଙ୍କ ଦେଶରେ ଭୟଙ୍କର ଶୀତହୁଏ । ବର୍ଷେ ଶୀତକାଳରେ ଏତେ ଥଣ୍ଡା ହେଲା ଯେ, ଫଳବଗିଚାମାନଙ୍କରେ ସବୁ ଗଛ ମରିଗଲା ।

 

ବସନ୍ତଋତୁରେ କାନାଡ଼ାର ଉଦ୍ୟାନ–ବିଜ୍ଞାନୀମାନେ ଏକାଠି ବସି ନିଜର ଫଳବଗିଚାମାନଙ୍କ ବିଷୟ ଆଲୋଚନା କଲେ । ସେମାନେ ଦେଖିଲେ ଯେ, ସବୁ ପ୍ରକାରର ଚେରି ଭିତରେ ଏକମାତ୍ର ରୁଷର ପ୍ଲୋଦୋରୋଦ୍‍ନାୟାହିଁ ଏ ଘୋର ଶୀତରେ ବଞ୍ଚି ରହିପାରିଲା । ସେହିଦିନଠାରୁ ହଜାର ହଜାର ମାଇଲ ଦୂରରୁ ସମୁଦ୍ର ପାରହୋଇ ଯାଇଥିବା ଏହି ରୁଷୀୟ ଗଛଟି ଆମେରିକାରେ ଭାରି ବିଖ୍ୟାତ ଆଉ ଲୋକପ୍ରିୟ ହୋଇଛି ।

 

ଏହି ପ୍ଲୋଦୋରୋଦ୍‍ନାୟା ଚେରି ଗଛକୁ ସୃଷ୍ଟି କଲା କିଏ ? କିଏ ଦକ୍ଷିଣକୁ ମୁହାଁଇଦେଲା ଉତ୍ତରଆଡ଼କୁ, ଆଉ ବାହାର କଲା ‘ଉତ୍ତରା ଆପ୍ରିକଟ୍’, ‘ସାଇବେରିଆ ଅଙ୍ଗୁର’, ‘ଉତ୍ତର ଚେରିର ଗରିମା’ ? ଅତି କଟୁ ପାହାଡ଼ିଆ ଆଶ୍‍କୁ ମିଠା କଲା କିଏ ? ଆମ୍ବିଳା ‘ସ୍ଲୋ’ କୋଳିକୁ (ଭଇଁଚି କୋଳି) ଏଡ଼େ ସୁଆଦିଆ କଲା କିଏ ? ‘ଚେରି-ଚଢ଼େଇ ଚେରି’, ‘କୋଳି ଆପ୍ରିକଟ୍’, ‘ସେଓ ନାସପାତି’–ଏଇ ମିଶ୍ର କୁହୁକ ଗଛଗୁଡ଼ିକୁ କି କାଉଁରୀକାଠି ଛୁଆଁଇ ଭେଳିକିରେ ଉପୁଜାଇଲା କିଏ ?

 

ଫଳ ବଗିଚାଟିର ବିଭିନ୍ନ ସ୍ଥାନରେ କି ନାଆଁସବୁ ଲେଖାହୋଇଚି, ଦେଖାଯାଉ–

 

ମିଚୁରିନ୍‍ଙ୍କ ପ୍ଲୋଦୋରୋଦ୍‍ନାୟା ଚେରି,

ମିଚୁରିନ୍‍ଙ୍କ ଶୀତଦିନିଆ ନାସପାତି,

ମିଚୁରିନ୍‍ଙ୍କ ସରସ ପାହାଡ଼ିଆ ଆଶ୍,

ମିଚୁରିନ୍‍ଙ୍କ ବଢ଼ିଆ ଆପ୍ରିକଟ୍ !

 

ଏହି କୁହୁକ ଉଦ୍ୟାନକୁ ବସେଇଥିଲେ ମହାନ ଯାଦୁକର ଇଭାନ ମିଚୁରିନ୍ । ତାଙ୍କୁ ସମ୍ମାନ ଦେଖାଇବା ଉଦ୍ଦେଶ୍ୟରେ ତାଙ୍କର ଜନ୍ମସ୍ଥାନ କୋଜଲଭ ସହରଟିକୁ ଏବେ ମିଚୁରିନ୍‍ସ୍କ ନାଆଁ ଦିଆଯାଇଛି । ସେ ନିଜର ଦୀର୍ଘ ଜୀବନଟି ପ୍ରକୃତି ପର୍ଯ୍ୟବେକ୍ଷଣରେ କାଟିଥିଲେ । ପ୍ରକୃତିକୁ କେମିତି ପରିବର୍ତ୍ତନ କରିହେବ, ସେ ସବୁବେଳେ ଭାବୁଥିଲେ । ସେହି ଦିଗରେ ନିଜକୁ ଉତ୍ସର୍ଗ କରିଥିଲେ । ଜଣେ ମୂର୍ତ୍ତିଗଢ଼ାଳି କାଦୁଅମାଟି ପୁଳାକୁ ଯେଉଁ ଦୃଷ୍ଟିରେ ଦେଖେ, ସେ ଗୋଟିଏ ଗଛ ବା ଚାରାକୁ ସେହି ଦୃଷ୍ଟିରେ ଦେଖୁଥିଲେ । ଗଛଟି ଥିଲା ତାଙ୍କ ପାଖରେ ଯେମିତି ‘ଜୀବନ୍ତ’ ମାଟି । ସେଇଥିରୁ ସେ ନୂଆ ଆଉ ଚମତ୍କାର ଫଳମାନ ସତେ ଅବା କାରିଗର ଭଳି ଗଢ଼ି ବାହାର କରୁଥିଲେ । ସେ କହିଥିଲେ–“ପ୍ରକୃତିଠୁ ବଳି ଅନେକ ନୂଆ ନୂଆ ଆଉ ଉନ୍ନତ ଧରଣର ଫଳଫୁଲ ସୃଷ୍ଟି କରିପାରେ ମଣିଷ । ଆଉ ଏହାସବୁ ସୃଷ୍ଟି କରିବାବି ଉଚିତ ତାହାର ।”

 

ଅତି ପିଲାଦିନରୁ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ମିଚୁରିନ୍ ନିଜର ସମସ୍ତ ସମୟ ବଗିଚାଗୁଡ଼ିକରେ, ଆଉ ଫଳତୋଟାରେ କଟାଉଥିଲେ । ଆମେ ଦେଖୁଁ, ପିଲାଟିଏ ଗୋଟିଏ ପେନ୍‍ସିଲ୍‍କଟା ଛୁରି ପାଇବାମାତ୍ରେ ସାମନାରେ ଯେଉଁ ଜିନିଷ ପାଏ, ତାହାକୁ କାଟିବାକୁ ବାହାରେ, ନଇଲେ କାଠି ଆଣି ସେଥିରେ ଛିଟ୍‍କିନି କି ଧନୁଶର ତିଆରି କରେ । କିନ୍ତୁ ମିଚୁରିନ୍ ପିଲା ହୋଇଥିଲାବେଳେ ଛୁରିଟିଏ ପାଇଲେ ତାକୁ ନୂଆ କାମରେ ଲଗାଉଥିଲେ । ସେଥିରେ ଗଛର କୁଆଁଗୁଡ଼ିକୁ ବା ଫୁଲକଢ଼ିଗୁଡ଼ିକୁ କାଟି ତାହାସବୁ ଅନ୍ୟ ଗଛରେ ନେଇ ଯୋଡ଼ୁଥିଲେ । ଗୋଟିଏ ଗଛର ବଂଶଧରମାନଙ୍କୁ ନେଇ ଆଉ ଗୋଟିଏ ଗଛର ବଂଶଧରମାନଙ୍କ ସହିତ ମିଶାଉଥିଲେ ।

 

ଆମେ ଜାଣୁ ଗୋଟିଏ ରୋଗୀକୁ ଅପରେସନ୍ କରିବାପାଇଁ ଡାକ୍ତରକୁ ଅନେକ କଥା ପଢ଼ି ଶିଖିବାକୁ ପଡ଼େ, ଅନେକ ଜ୍ଞାନ ଆହରଣ କରିବାକୁ ହୁଏ, ଆଉ ହାତର ଦକ୍ଷତା ହାସଲ କରିବାକୁ ହୁଏ । ବହୁତ ନ ପଢ଼ିଲେ ଓ ନ ଜାଣିଲେ କେହି ଡାକ୍ତର ହୋଇପାରେ ନାହିଁ । ସେମିତି ଅନେକ ଜ୍ଞାନ ଆହରଣ ନ କଲେ କେହି ଗଛ-ଡାକ୍ତର ହୋଇପାରେ ନାହିଁ ।

 

ଉଦ୍ଭିଦ–ବିଜ୍ଞାନୀଟିଏ ହେବାପାଇଁ ମିଚୁରିନ୍‍ଙ୍କୁ କମ୍ ପରିଶ୍ରମ କରିବାକୁ ପଡ଼ି ନଥିଲା । ପିଲାଦିନରୁ ଦକ୍ଷତା ହାସଲ କରିବାପାଇଁ ଚେଷ୍ଟା କଲାବେଳେ ବହୁତ ଡାଳ, ବହୁତ ଗଛବି ସେ ନଷ୍ଟ କରିଥିଲେ । ଏହାପରେ ସେ ଶିଖିପାରିଥିଲେ ଗୋଟିଏ ଡାଳରୁ କୁଆଁଟିଏ କି ଅଗିଟିଏ କେମିତି ଚଞ୍ଚଳ ଆଉ କୌଶଳର ସହିତ କାଟିବାକୁ ହୁଏ, ଗୋଟିଏ ଗଛର ବକଳାକୁ କେମିତି ଚିରିବାକୁ ହୁଏ, ସେଥିରେ କଣାଟିଏ କରିବାକୁ ପଡ଼େ ଆଉ, ଗୋଟିଏ ଗଛର ଡାଳ କି କୁଆଁକୁ ନେଇ ଆଉ ଗୋଟିଏ ଗଛର ବକଳା ତଳେ କେମିତି ଯୋଡ଼ିବାକୁ ହୁଏ । ପୁଣି, ସେହି କଟା ଆଉ ଯୋଡ଼ା ସ୍ଥାନର କ୍ଷତଟି ଉପରେ ବ୍ୟାଣ୍ଡେଜ୍ ଦେବାକୁ ହୁଏ–ସରୁ ଆଉ ପତଳା ଛେଲିରେ । ଏହି ଅପରେସନ୍ କାମରେ ଦକ୍ଷତା ହାସଲ କରିବା ପୂର୍ବରୁ ଓ ପରେ ମଧ୍ୟ ସେ ବଡ଼ ଉଦ୍‍ବେଗରେ ଅପେକ୍ଷା କରି ରହୁଥିଲେ, ଗୋଟିଏ ଗଛର କୁଆଁ ଆଉ ଗୋଟିଏ ଗଛରେ କେଉଁଦିନ ଯୋଡ଼ିହୋଇଯିବ, ତାହା ପୁଣି କଅଁଳି ଉଠିବ–ଏହା ଦେଖିବାପାଇଁ । ଯେଉଁଦିନ ଏମିତି କଲମି କାମ ତାଙ୍କର ସଫଳ ହେଉଥିଲା, ସେଦିନ ସେ ଆନନ୍ଦରେ ବିହ୍ଵଳ ହୋଇଯାଉଥିଲେ ।

 

କେତେବେଳେ ଯଦି ସେ ଗୋଟିଏ ବିଶେଷ ଧରଣର ରୁଚିକର ସେଓ ବା ନାସପାତି ଚାଖିବାକୁ ପାଉଥିଲେ, ତେବେ ସେ ତା’ର ମଞ୍ଜିଗୁଡ଼ିକୁ ଫିଙ୍ଗିଦେଉ ନଥିଲେ କି ତାକୁ ଭାଙ୍ଗି ତା’ଭିତର ଶସ୍ୟକୁ ଖାଇଦେଉ ନଥିଲେ । ସେ ସେଇ ମଞ୍ଜିଗୁଡ଼ିକୁ ସାଇତି ରଖୁଥିଲେ; ପରେ ନିଜର ଛୋଟ ବଗିଚାଟିରେ ନେଇ ଲଗାଉଥିଲେ ।

 

ସେତେବେଳେ ସେ ପିଲା ହୋଇଥାନ୍ତି । ଥରେ ସେ, ଚାଖିକରି ଜାଣିଲେ ଯେ, ଉତ୍ତର ଆଡର ସେଓ ନାସପାତି ସବୁ ଦକ୍ଷିଣ ଆଡର ସେଓ ନାସପାତି ପରି ମିଠା କି ରସୁଆଳ ନୁହେଁ । ତାଙ୍କ ମନରେ ଭାରି ଦୁଃଖ ହେଲା । ସେହିଦିନୁ ସେ ଭାବୁଥାନ୍ତି, କେମିତି ଉତ୍ତର ଅଞ୍ଚଳରେବି ରସୁଆଳ ମିଠା ସେଓ, ନାସପାତି ଫଳିବ । ଆଉ କଳ୍ପନା କରୁଥାନ୍ତି–ଦିନେ ହେଲେ ଦିନେ କୋଜ୍‍ଲଭରେ ଥିବା ତାଙ୍କ ନିଜ ଫଳବଗିଚାରେ ଦକ୍ଷିଣାଞ୍ଚଳ ପରି ଅଙ୍ଗୁର ଆଉ ଆପ୍ରକଟ୍ ଫଳେଇହେବ । ବଡ଼ ହେଲାପରେ ସେ ଅନେକ ଦିନ ସଞ୍ଜରେ ଗୋଟିଏ ମାନଚିତ୍ରକୁ କେବଳ ଅନାଇ ରହୁଥାନ୍ତି । ସେଇ ମାନଚିତ୍ରର ବେଳେବେଳେ ଗୋଟିଏ ଗାର ଟାଣି ଯେଉଁ ଉତ୍ତରାଞ୍ଚଳରେ କେଉଁଠି କେମିତି ପିଚ୍ ଓ ଆପ୍ରିକଟ୍ ଫଳୁଥାଏ, ସେଇ ଅଞ୍ଚଳଟିକୁ ଚିହ୍ନଟ କରନ୍ତି । କିନ୍ତୁ ଏହି ଗାରର ଆହୁରି ଶହ ଶହ ମାଇଲ ଉତ୍ତରରେ ଥାଏ ତାଙ୍କ ଜନ୍ମ–ନଗରୀ କୋଜ୍‍ଲଭ । ଏଣୁ ସେଠି ଯେ କେବେ ଉକ୍ତ ଫଳସବୁ ଫଳିପାରେ, ଏହା କଳ୍ପନା କରିବା ଅସମ୍ଭବ ଥାଏ । ତେଣୁ ସେ ବେଳେବେଳେ ଯେ ନିରୁତ୍ସାହିତ ହୋଇ ନଥାନ୍ତି, ଏପରି ନୁହେଁ । ତେବେ ସେ ମନେମନେ ସଂକଳ୍ପ କରିଥାନ୍ତି, ଯେପରି ହେଉ, ମାନଚିତ୍ରର ଚିହ୍ନଟ ଗାରକୁ ଆହୁରି ଉତ୍ତରକୁ ଦିନେହେଲେ ଟାଣିନେବେ, ଅର୍ଥାତ୍ ଅତି ଉତ୍ତରରେ ମଧ୍ୟ ଦକ୍ଷିଣଆଡ଼ର ଫଳଫୁଲ ଉପୁଜେଇବେ; ଦକ୍ଷିଣ ଅଞ୍ଚଳ ପରି ଉତ୍ତରାଞ୍ଚଳର ବଗିଚାଗୁଡ଼ିକୁ ସୁନ୍ଦର ଫଳଫୁଲମୟ କରିବେ ।

 

ସବୁ ସ୍ଵପ୍ନ, ସବୁ କଳ୍ପନା ବାସ୍ତବ ରୂପ ଧରେ ନାହିଁ । କିନ୍ତୁ ସେ ବଞ୍ଚିଥିବା ସମୟରେ ତାଙ୍କର ସ୍ଵପ୍ନ ସତ୍ୟ ହୋଇଥିଲା । କାରଣ, ସ୍ଵପ୍ନ ଦେଖିବା ବା କଳ୍ପନା କରିବା ସଙ୍ଗେ ସଙ୍ଗେ ଦିନ ନାହିଁ, ରାତି ନାହିଁ, ମାସ ମାସ, ବର୍ଷ ବର୍ଷ ଧରି, ଦଶ ଦଶ ବର୍ଷ ବର୍ଷବି ଧରି ନିଷ୍ଠାର ସହିତ, ଆଗ୍ରହ ଆଉ; ଧୈର୍ଯ୍ୟର ସହିତ ସେ କାମ କରୁଥିଲେ ।

Image

 

ପାଞ୍ଚ ଭଉଣୀ

 

ଥରେ ଜଣେ ମାଳୀ ସହିତ ମିଚୁରିନ୍‍ଙ୍କର ଭେଟ ହେଲା । ମାଳୀଟି ଗୋଟିଏ ବଡ଼ ଫୁଲ କୁଣ୍ଡରେ ‘ବ୍ୟୁରେ ରୟାଲ’ ନାଆଁର ଏକପ୍ରକାରର ନାସପାତି ଗଛ ଲଗାଇଥାଏ । ଗଛଟି ଭାରି ଛନଛନିଆ ହୋଇଥାଏ । ତା’ ଫଳବି ଏମିତି ରସୁଆଳ, ଏମିତି ମିଠା ହୋଇଥାଏ ଯେ, ପାଟିରେ ଖଣ୍ଡେ ସେଥିରୁ ପକେଇବାକ୍ଷଣି ମିଳେଇଯାଉଥାଏ । କିନ୍ତୁ ଗଛଟାଏ ଥାଏ ଗୋଟିଏ ଉଷୁମ ଘର ଭିତରେ । ଏହା ଯଦି ଥରକପାଇଁ କେବେ ଶୀତଦିନେ ଖୋଲାରେ ରହିଥାନ୍ତା, ନିଶ୍ଚୟ ମରିଯାଇଥାନ୍ତା ହେମାଳରେ । ଏମିତି ନାସପାତି ଉତ୍ତରାଞ୍ଚଳରେ ଫଳେଇବା ପାଇଁ ମିଚୁରିନ୍ ମନେମନେ ସ୍ଥିର କଲେ । କିନ୍ତୁ ସଙ୍ଗେ ସଙ୍ଗେ ସେ ଭାବିଲେ, ଫଳ ଉଷୁମଘର ଭିତରେ ନ ଫଳି, ଖୋଲା ଫଳବଗିଚାରେ ଫଳିଲେ ସିନା ଠିକ୍ ହେବ !

 

ଏହା କରିବାପାଇଁ ଦକ୍ଷିଣଆଡ଼ର ବ୍ୟୁରେ ରୟାଲ ଜାତୀୟ ନାସପାତି ସାଙ୍ଗରେ ଉତ୍ତରଆଡ଼ର ଟାଣୁଆ ନାସପାତିକୁ ମିଶାଇ ଗୋଟିଏ ବର୍ଣ୍ଣସଙ୍କର ନାସପାତି ଫଳେଇବାକୁ ସେ ବାହାରିଲେ । ସେ ଜାଣିଥାନ୍ତି, ପିଲାଏ ନିଜ ବାପମାଆଙ୍କ ଭଳି ଦିଶନ୍ତି, ବାପମାଆଙ୍କର ଅନେକ ରୂପଗୁଣବି ପିଲାଙ୍କଠି ଥାଏ । ତେଣୁ ସେ ଭାବିଲେ, ‘ଦୋମିଶା’ ନୂଆ ଫଳଗୁଡ଼ିକ ଭିତରୁ କେତୋଟି ଉତ୍ତର ଆଡ଼ର ଟାଣୁଆ, ହେମାଳସହା ହେବ, ଆଉ ସଙ୍ଗେ ସଙ୍ଗେ ସେଥିରେ ଦକ୍ଷିଣ ଅଞ୍ଚଳ ଫଳର ରସୁଆଳିଆ ମିଠାପଣ ହୁଏତ ରହିବ । ଅର୍ଥାତ୍ ଉତ୍ତର ଫଳଟି ମାଆ ଆଉ ଦକ୍ଷିଣ ଫଳଟି ବାପା ହେଲେ ନୂଆ ପିଲା ଫଳଟିରେ ନିଶ୍ଚୟ ବାପମାଆ ଦୁହିଁଙ୍କର ରୂପ ଆଉ ଗୁଣ ମିଳିମିଶି ଥିବା ଦେଖାଯିବ ।

 

ଏଣୁ ନୂଆ ଫଳ ସୃଷ୍ଟିପାଇଁ ସେ ଲାଗିପଡ଼ିଲେ । ମାଆଫଳ ଉତ୍ତରଆଡ଼ ଫଳ ଭିତରୁ ବାଛିଲେ । ନିଜ ବଗିଚାରେ ଉସୁରି ଜାତୀୟ ବଣୁଆ ନାସପାତି ଗଛ ଥାଏ । ତା’ର ଫଳଗୁଡ଼ିକ ଛୋଟ ଆଉ ଖଟା । କିନ୍ତୁ କୁହୁଡ଼ିକାକରକୁ ତା’ର ଖାତିର ନଥାଏ । ଭୟଙ୍କର ହେମାଳକୁବି ଦେହରେ ନିଭେଇ ରହିପାରୁଥାଏ । ସେଇ ଗଛ ଆସିଥାଏ । ବହୁତ ଦୂର ଉତ୍ତରାଞ୍ଚଳର ଉସୁରି ନଈକୂଳରୁ । ସେଠି ଶୀତ ଅତି କଠୋର, ଆଉ ପ୍ରଚଣ୍ଡ ହୁଏ । ଉସୁରି ଅଞ୍ଚଳର ନିଘଞ୍ଚ ଜଙ୍ଗଲରେ ହଜାର ହଜାର ବର୍ଷ ଆଗରୁ ଯେଉଁ ଗଛସବୁ ଥିଲା, ତାହା ଥଣ୍ଡା କାକରସବୁ ସହିବାରେ ଅଭ୍ୟସ୍ତ ହୋଇଯାଇଥାଏ । ଏଇ ବଣୁଆ ଉସୁରି ନାସପାତି ଗଛ ସେହି ଗଛଗୁଡ଼ିକ ମଧ୍ୟରୁ ଗୋଟିଏ ।

 

ମିଚୁରିନ୍ ଚାହିଁ ରହିଲେ–କେଉଁଦିନ ଛୋଟ ବଣୁଆ ଉସୁରି ନାସପାତି ଗଛ ଆଉ ଉଷ୍ଣ ଆଳୟରେ ଥିବା ବ୍ୟୁରେ ରୟାଲ ଜାତୀୟ ଦକ୍ଷିଣିଆ ନାସପାତି ଗଛ ବସନ୍ତଋତୁରେ ଫୁଲ ଧରିବ ! ଦିନ ଆସିଲା, ଯେତେବେଳେ ଗଛ ଦୁଇଟି ବଉଳରେ ଭର୍ତ୍ତି ହୋଇଗଲା । ମିଚୁରିନ୍ ଯାଇ ବ୍ୟୁରେ ରୟାଲ ନାସପାତି ବଉଳଗୁଡ଼ିକ ଆଙ୍ଗୁଠି ଅଗରେ ଥିର୍‍କିନି ଛୁଇଁଲେ । ସେଥିରୁ ପରାଗ ତାଙ୍କ ଟିପରେ ଲାଗିଲା । ତାକୁ ନେଇ ପୁଣି ଥିର୍‍କିନି ଉସୁରି ନାସପାତି ବଉଳ ଉପରେ ଝାଡ଼ିଦେଲେ । କେତୋଟି ଦିନ ଗଲା, ବଉଳଗୁଡ଼ିକ ଝଡ଼ିପଡ଼ିଲା ପରେ ଚଣା ପରି ଯେଉଁ କଷିଟିମାନ ଉସୁରି ଗଛରେ ଦେଖାଗଲା, ତାହା ଆଦୌ ସୁନ୍ଦରିଆ ହେଲା ନାହିଁ । କିନ୍ତୁ ମିଚୁରିନ୍‍ଙ୍କ ସେ କଷି ଉପରେ ଦୃଷ୍ଟି ନଥାଏ । ତାଙ୍କର ଦରକାର ଥାଏ, ସେଗୁଡ଼ିକ କେମିତି ଭଲରୂପେ ଫଳ ହେଲେ ସେଥିରୁ ସେ ମଞ୍ଜିତକ ନେବେ । ସେ ଧୈର୍ଯ୍ୟ ଧରି ଅପେକ୍ଷା କରିଥାନ୍ତି । ଫଳସବୁ ପାଚିଲାମାତ୍ରେ ସେଗୁଡ଼ିକ ତୋଳିଆଣିଲେ । ଦି’ ଦି’ ଫାଳ କଲେ । ସେଥିରୁ ମଞ୍ଜିଗୁଡ଼ିକ ନେଇ ପୋତିଲେ, ଆଉ ଉଦ୍‍ବେଗର ସହିତ ଅପେକ୍ଷା କରି ରହିଲେ । ଓଃ, ସେ କି ଅପେକ୍ଷା ! କେତେଦିନ ଯାଏଁ ପୁଣି !

 

ପାଞ୍ଚୋଟି ମଞ୍ଜିରୁ ପାଞ୍ଚୋଟି ନାସପାତି ଗଛ ଉଠିଲା ।

 

ପାଞ୍ଚୋଟିଯାକ ପ୍ରକୃତରେ ଏକ ମାଆପେଟର ପାଞ୍ଚ ଭଉଣୀ । କିନ୍ତୁ ଆକୃତିରେ କେହି କାହା ସହିତ ମିଶି ନଥାନ୍ତି ।

 

–ସେଗୁଡ଼ିକ ବଡ଼ ହେଲେ, ବଉଳିଲେ, ଫଳ ଧରିଲେ ।

 

–ଗୋଟିକର ନାସପାତିଗୁଡ଼ିକ ଉପରେ ଦେଖାଗଲା, ନାଲି ନାଲି ଛିଟ ଦାଗ, ଟୋପିଟୋପିକିଆ ନାଲି ଛିଟ ଚିହ୍ନ ସବୁ ।

 

ଗୋଟିକର ନାସପାତିଗୁଡ଼ିକ ଉପରେ ଦେଖାଗଲା ପାଉଁଶିଆ ଟୋପିଟୋପିକିଆ ଦାଗ-

 

ଗୋଟିକର ନାସପାତିଗୁଡ଼ିକ ଉପରେ ଦେଖାଗଲା ଟୋପିଟୋପିକିଆ ଶାଗୁଆ ଛିଟ ଚିହ୍ନସବୁ ।

 

ଆର ଦୁଇଟି ଗଛ ଫେଲ୍ ମାରିଲେ । କାରଣ, ସେ ଦୁଇଟିର ଫଳଗୁଡ଼ିକ ଛୋଟ ଆଉ ଆମ୍ବିଳା ହେଲା ।

 

ନାସପାତିଗୁଡ଼ିକର ରଙ୍ଗଟି ଏମିତି କିଛି ଗୁରୁତ୍ଵପୂର୍ଣ୍ଣ କଥା ନଥିଲା । ଗୁରୁତ୍ଵପୂର୍ଣ୍ଣ ହେଲା ସେଗୁଡ଼ିକର ଆକୃତି ଆଉ ସ୍ଵାଦୁ ।

 

ଶାଗୁଆ ଛିଟର ନାସପାତିଗୁଡ଼ିକୁ ମିଚୁରିନ୍ ନାଆଁ ଦେଲେ “ବ୍ୟୁରେ ଲେସ୍ତୋବେଝକା ।’’ ଏହାର ଡାଳଗୁଡ଼ିକ ହୋଇଥାଏ ବେଶ୍ ଶକ୍ତ ଆଉ ମୋଟା । ଏହା ଠିକ୍ ନିଜର ମାଆ ଉସୁରି ନାସପାତି ଗଛ ପରି ହୋଇଥାଏ । କିନ୍ତୁ ଏହାର ଫଳଗୁଡ଼ିକ ହେଲା ମିଠା ଆଉ ଆକୃତିରେ ବଡ଼ ।

 

ନାଲିଛିଟର ନାସପାତିଗୁଡ଼ିକ ସେ ନାଆଁ ଦେଲେ “ରାକୋଭାକ” । ଏହାର ଫଳଗୁଡ଼ିକ ‘ତୋଳ୍‍ସ୍ତୋବେଝକା’ ପରି ହେଲା ବଡ଼, ଆଉ ମିଠା ।

 

ପାଉଁଶିଆ ଛିଟର ନାସପାତିଗୁଡ଼ିକ କିନ୍ତୁ ଖ୍ୟାତି ଅର୍ଜିଲା, ସବୁଗୁଡ଼ିକ ମଧ୍ୟରେ ବେଶି ! ଏହାର ନାଆଁ ରହିଲା” ମିଚୁରିନ୍‍ଙ୍କର ଶୀତଦିନିଆ ନାସପାତି” । ବସନ୍ତଋତୁରେ ଏହା ଯେତେବେଳେ ବଉଳ ଧରିଲା, ସେତେବେଳେ ବଡ଼ବଡ଼ ଧଳା ଧଳା ବଉଳ ଗହଳରେ ଏହାର ଡାଳପତ୍ର କୁଆଡ଼େ ଲୁଚିଗଲା । ଏଥିରେ ଯେତେ ଫଳ ଫଳିଲା ଯେ ଡାଳଗୁଡ଼ିକ ନଇଁଯାଇ ତଳେ ଲୋଟିଲା । ଏମିତିକା ପ୍ରତ୍ୟେକ ଗଛରୁ ଶହ ଶହ ଫଳ ମିଳିଲା, ଆଉ ସେଗୁଡ଼ିକ କି ଚମତ୍କାର ହେଲା ସତେ–ଯେମିତି ରସୁଆଳିଆ ଆଉ ମିଠା, ଆକୃତିରେ ସେମିତି ବେଶି ବଡ଼ ।

 

ମିଚୁରିନ୍‍ଙ୍କ ଖୁସିର ସୀମା ରହିଲା ନାହିଁ, ଯେତେବେଳେ ସେ ପୁଣି ଦେଖିଲେ, ଏହି ସରସ, ସୁକୁମାର, ସୁମଧୁର ଫଳଟି ଯେଉଁ ଛୋଟ ଗଛଟିରେ ଫଳିଲା, ସେ ଗଛଟି ଆଦୌ ଲହଲହକା ହୋଇନାହିଁ । ଶୀତଦିନିଆ ନାସପାତିଟି ତା’ର ମାଆଠୁଁ ବଂଶାନୁକ୍ରମିକ ଉତ୍ତରାଧିକାରୀ ସୂତ୍ରରେ ପାଇଚି, ନିଜର ଶକ୍ତପଣଟିକ, କୁହୁଡ଼ିକାକର, ହେମାଳପବନ, ତୁଷାର ଆଉ ଯେତେ ଇଚ୍ଛା ସେତେ ଥଣ୍ଡା ପ୍ରତି ଘୃଣା ଆଉ ବେଖାତିର ଭାବ । ଏମିତିକି ଅତି କଠୋର ଆଉ ପ୍ରଚଣ୍ଡ, ଶୀତରେ, ଭୟଙ୍କର କୁହୁଡ଼ିକାକରରେ ଗୋଟିଏ ବୋଲି ଡାଳ ସୁଦ୍ଧା ଏହାର ମୁରୁକୁଟି ଗଲା ନାହିଁ–ମରିଗଲା ନାହିଁ । କିନ୍ତୁ ସବୁ ଫଳ ଗଛରେ ଶୀତଦିନିଆ କୁହୁଡ଼ିକାକରଠୁଁ ବଳି ଅତି ସାଂଘାତିକ ଶତ୍ରୁ ହେଉଚି, ସେଇ କୁହୁଡ଼ିକାକରର ଛୋଟ ଭାଇ ଭଳି, ବସନ୍ତ ସମୟର କୁହୁଡ଼ି ।

 

ବସନ୍ତଋତୁରେ ଦିନଗୁଡ଼ିକ ଉଷୁମୁଳିଆ ହୁଏ, ଫଳଗଛଗୁଡ଼ିକ ବଉଳେ । କିନ୍ତୁ ବଡ଼ିସକାଳୁ ସୂର୍ଯ୍ୟ ଉଇଁ ଉତ୍ତାପ ଦେବା ଆଗରୁ କୁହୁଡ଼ି ଆସି ପହଞ୍ଚି ନାଟ ଲଗାଏ । ରାସ୍ତାଘାଟରେ ଖାଲଖମା ଉପରେ ଠାଆକୁ ଠାଆ ବରଫର ସର ପକାଇଦିଏ । ଫଳଗଛର ବଉଳଗୁଡ଼ିକୁ ହେମାଳ କରି ଜମାଟ ବନ୍ଧେଇଦିଏ ।

 

କିନ୍ତୁ ଶୀତଦିନିଆ ନାସପାତି ଅନ୍ୟାନ୍ୟ ଫଳରୁ ଯଥେଷ୍ଟ ଶକ୍ତି ହେଲା । ଭୋରରୁ ଏହାର ଫୁଲଗୁଡ଼ିକର ପାଖୁଡ଼ାଗୁଡ଼ିକ କୁହୁଡ଼ି ଜମାଟ ବନ୍ଧେଇଦେଲା ସତ, ତଥାପି ଏହା ଦବିଲା ନାହିଁ । କୁହୁଡ଼ି ତା’ର ବଉଳଗୁଡ଼ିକ ଅକାମୀ କରିପାରିଲା ନାହିଁ । ଏହା ଛଡ଼ା ବେଳେବେଳେ ଏହି ବସନ୍ତରେ ପୋକସବୁ ଆସି ଫଳଗଛଗୁଡ଼ିକ ଆକ୍ରମଣ କରନ୍ତି । ସେଥିରେ ଅନେକ କଢ଼ି ଆଉ କଷି ନଷ୍ଟ ହୋଇଯାଏ । କିନ୍ତୁ ଶୀତଦିନିଆ ନାସପାତିର ମନର ଜୋର କମ୍ ନୁହେଁ । ସେ ଯୁଦ୍ଧରେ ଜିଣିବହିଁ ଜିଣିବ । ଏହି ସଂକଳ୍ପରେ ଯେମିତି ଅଟଳ ରହିଲା । ଏଣୁ ପୋକ ଆସି କଢ଼ିଗୁଡ଼ିକର କ୍ଷତି ଘଟେଇଲେବି ବଉଳସବୁ ଫଳ ଧରିଲା ।

 

ବସନ୍ତରେ ପବନ ଯେ ସବୁବେଳେ ଧୀରେ ସୁସ୍ଥେ ବହେ; ଏହା ନୁହେଁ । ଅନେକ ସମୟରେ ଏହା ତୋଟାରେ, ବଗିଚାରେ ଆନନ୍ଦରେ ନାଚେ; ସେଗୁଡ଼ିକ ଓଳେଇ ଓଳେଇ ଖେଳେ-। ତେଣୁ ପାଚିଲା ପାଚିଲା ଫଳରେ ଭର୍ତ୍ତି ହୋଇ ଭାରୀ ଭାରୀ ଡାଳଗୁଡ଼ିକ ଦୋହଲେ । ତୋଟା ବଗିଚା ଖସ୍‍ଖସ୍, ଧୂମ୍‍ଧାମ ଶବ୍ଦରେ ପୂରିଯାଏ । ଫଳଗୁଡ଼ାକ ଗଛରୁ ସବୁ ଅସମ୍ଭାଳ ହୋଇ ଝଡ଼େ-। କିନ୍ତୁ ବସନ୍ତ ପବନର ଏଇ ସ୍ନେହର ମଧୁରିଆ ଦୌରାତ୍ମ୍ୟରେ ଶୀତଦିନିଆ ନାସପାତି ଗଛ ବୁଦ୍ଧି ହରେଇଲା ନାହିଁ । ବସନ୍ତ ତା’ର ଫଳ ଚୋରାଇନେବ, ଏହା କେମିତି ଶକ୍ତ ଧରି ରଖନ୍ତା ଯେ-! ତେଣୁ ତା’ର ଫଳଗୁଡ଼ିକୁ ଡାଳରେ ସବୁ ଆଣ୍ଟ କରି ଭିଡ଼ି ରଖିଲା । ବସନ୍ତରେ ପାଚିଲା ଫଳଯାକ ତା’ର ତଳେ ପଡ଼ି ଛେଚି ହୋଇ ନଷ୍ଟ ହେଲା ନାହିଁ ।

 

ସବୁଠୁ ମଜାର କଥା ହେଉଛି, ଏହି ନାସପାତିଗୁଡ଼ିକ ତୋଳା ହେଲାପରେବି ଟାଣ ରହୁଥାଏ । ସାଧାରଣରେ ଦେଖାଯାଏ, ନାସପାତିଟି ମିଠା ଓ ସୁକୁମାରିଆ ହେଲେ ଶୀଘ୍ର ନଷ୍ଟ ହୋଇଯାଏ । ଶଢ଼ିଯାଏ । ଜାହାଜରେ ଯାଉଁ ଯାଉଁ ଟିକିଏ ଆଞ୍ଚୁଡ଼ି ହୋଇଗଲେ ସେଇ ଆଞ୍ଚୁଡ଼ା ଜାଗାରେ ଶଢ଼ିବାକୁ ଆରମ୍ଭ କରେ । କିନ୍ତୁ ଶୀତଦିନିଆ ନାସପାତିରେ ଓଲଟା ରୀତି ଦେଖାଗଲା । ଏହା ଦେହରେ ସେମିତି ଆଞ୍ଚୁଡ଼ା ଆଞ୍ଚୁଡ଼ି ଜାଗାର କ୍ଷତ ସବୁ ଆପେଆପେ କେମିତି ଭଲ ହୋଇଗଲା । ତେଣୁ ଏହାକୁ ଯେକୌଣସି ଦୂର ଜାଗାକୁ ଜାହାଜରେ କି ଗାଡ଼ିରେ ପଠାଇବାରେ ଆଉ ବିପଦ କିଛି ରହିଲା ନାହିଁ । ଆହୁରିବି ସାଧାରଣରେ ନାସପାତି ସବୁ ସମୁଦାୟ ଶୀତଦିନଟାଯାକ ସତେଜ ହୋଇ ରହେ ନାହିଁ । ତୋଳା ହେବା ସଙ୍ଗେ ସଙ୍ଗେ ସେଗୁଡ଼ିକ ତୁରନ୍ତ ଖିଆହେବା ଆବଶ୍ୟକ ହୁଏ । କିନ୍ତୁ ଶୀତଦିନିଆ ନାସପାତି ମାର୍ଚ୍ଚ, ଏମିତିକି କି ଏପ୍ରିଲ ମାସ ଯାଏଁ ସତେଜ ରହିଲା । ସେଇଥିପାଇଁ ତ ତାହା ‘ଶୀତଦିନିଆ’ ବିଶେଷଣଟି ଅର୍ଜନ କଲା ।

 

ନୂଆ ନୂଆ ଫଳର ଫସଲ ଉଠିବାକୁ ଡେରି ଅଛି । ହୁଏତ ଆଉ କେତୋଟି ମାସ ପରେ ତୋଳା ହେବ । କିନ୍ତୁ ଶୀତଦିନିଆ ନାସପାତି ସରସ ଆଉ ସୁସ୍ଵାଦୁ ହୋଇ ଆସି ଦେଖାଦିଏ । ଶୀତଦିନଟିରେ ସୁନେଲି ସୁନେଲି ଦିଶେ । ତମେ ଏହା ଲକ୍ଷ୍ୟ କରିଥିବ ନିଶ୍ଚୟ । ସତେ ଯେମିତି ଏହା ଚୁପ୍‍ଚାପ୍ ଡାକ ଛାଡ଼େ–ନିଅ ମତେ ନିଅ, ଖାଅ; ଆଗ, ଖାଅ ।

 

ଦକ୍ଷିଣିଆ ନାସପାତି ଗଛକୁ ଉତ୍ତରିଆ ନାସପାତି ଗଛ ସଙ୍ଗରେ ଯୋଡ଼ି ଖୁଆଇ କଲମି କରି ଏହି ଚମତ୍କାର ଫଳ ପ୍ରଥମେ ସଫଳ ଭାବରେ ଜନ୍ମେଇଥିଲେ ମିଚୁରିନ୍ । ସେ ଜାଣିଥିଲେ ଯେ, ନୂଆ କିସମର ସେଓ କି ନାସପାତି ଫଳେଇବାକୁ ହେଲେ ଆଗ ଆଗ ଗୁଣର ବାପାମାଆ ବାଛିବାକୁ ହେବ । ତା’ପରେ ସେମାନଙ୍କ ଛୁଆଗୁଡ଼ିକ ମଧ୍ୟରୁ ଭଲଗୁଡ଼ିକୁ ଦେଖିବା କଷ୍ଟକର ହେବ ନାହିଁ । ଏଇ ଅସଲ କାମଟି ସରିଗଲେ କାମ ନିଶ୍ଚୟ ସାର୍ଥକ ହେବ । ତେବେ, ଛୁଆଗୁଡ଼ିକୁ ଠିକ୍‍ମତେ ବଢ଼େଇକୁଢ଼େଇ ତତ୍ତ୍ଵନେଇ ରଖିବାକୁ ହେବ । ଏଇଟି ପ୍ରକୃତରେ କଷ୍ଟକର । ମିଚୁରିନ୍ ଛୁଆଗୁଡ଼ିଙ୍କୁ କେବେ କେମିତି କି ବାଟ ଦେଖାଇଥିଲେ ଯେ ଏକଥା ଆର ଅଧ୍ୟାୟ କୁହାଯିବ ।

Image

 

ସେଓ ଗଛ ଦୁଇଟି

 

ଅନେକ ଦିନ ତଳର କଥା ହେଲାଣି । ଯୋଡ଼ିଏ ସେଓ ଗଛ ଥାଏ । ଗୋଟିଏ ଥାଏ ଦକ୍ଷିଣରେ, ଆଉ ଗୋଟିଏ ଥାଏ ଉତ୍ତରରେ । ଉତ୍ତରିଆ ଗଛଟିକୁ କୁହାଯାଉଥାଏ ‘କିତାଏକା’ । ଏଥିରେ ଫଳୁଥାଏ ଲାଲ ରଙ୍ଗର ଛୋଟ ଛୋଟ ସେଓ । ଟିକିଏ ପିତୁଳିଆ ଲାଗେ ସେଗୁଡ଼ିକ । ତେବେ ଏହାର ଏତେ ଯେ ଗର୍ବ କରିବାପାଇଁ କିଛି ଗୁଣ ନଥାଏ, ଏମିତି ନୁହେଁ ।” ‘ଉସୁରି ନାସପାତି’ ପରି ଏହା ଭାରି କଡ଼କା ଓ ଟାଣ । କୁହୁଡ଼ିକାକରବି ହେମାଳିଆ ବରଫଝଡ଼ବି ଏହାର କିଛି କ୍ଷତି କରିପାରୁ ନଥାଏ ।

 

ଦକ୍ଷିଣିଆ ସେଓଗଛଟିର ଘର କ୍ରିମିଆରେ । ସେଠି ସେ ଥାଏ ଗୋଟିଏ ପାହାଡ଼ିଆ ଉପତ୍ୟକାରେ ! ତା’ ନାଆଁ ‘କ୍ୟାଣ୍ଡିଲେସିନପ୍’ । ପାହାଡ଼ ପର୍ବତସବୁ ତାକୁ ପବନ ଦାଉରୁ ରକ୍ଷା କରୁଥାନ୍ତି । ଦକ୍ଷିଣରେ ସୂର୍ଯ୍ୟ ଏହାର ପ୍ରତ୍ୟେକଟି ଫଳକୁ ରଙ୍ଗେଇ ଦେଉଥାଏ ସୁନେଲି କରି । ଏହାର ଗୋଟିଏ ଗାଲରେ ଆଣିଦେଉଥାଏ ଟିକିଏ ଲାଲ ରଙ୍ଗର ତେଜ । ସେଠି ଗ୍ରୀଷ୍ମକାଳଟି ରହେ ବହୁତ ଦିନ, ତେଣୁ ସେଓଗୁଡ଼ିକ ଧୀରେସୁସ୍ଥେ ପାରୁଥାଏ, ଓ ବଡ଼ ଆଉ ରସୁଆଳିଆ ହେବାପାଇଁ ସମୟ ପାଉଥାଏ । ତେବେ ଏହି ଦକ୍ଷିଣିଆ ଗଛଗୁଡ଼ିକର ଗୋଟିଏ ଦୋଷ ଥାଏ–ସେଗୁଡ଼ିକ ତୁଷାରକୁ, ବରଫକୁ, ହେମାଳକୁ ଘୃଣା କରୁଥାନ୍ତି । ଦକ୍ଷିଣରେ ନିଜ ଜନ୍ମଭୂଇଁର ଉଷ୍ଣ ଜଳବାୟୁ ଛଡ଼ା ଆଉ କେଉଁ ଜଳବାୟୁରେ ରହିପାରୁ ନଥାନ୍ତି । ନିଜ ଭୂଇଁ ନିଜ ପାଣିପବନର ମୋହ ଖୁବ୍ ଘାରିଥାଏ ସେମାନଙ୍କୁ ।

 

ଥରେ ଶରତ୍‍କାଳ ଆସିଲା । ଲମ୍ବା ଲମ୍ବା ଆକୃତିର ସେଓଗୁଡ଼ିକ ପାଚି ଉଜ୍ଜ୍ୱଳ ହୋଇ ଉଠିଲା । ଲୋକେ, ନିଶୁଣି, ଟୋକେଇ ଘେନି ପହଞ୍ଚିଗଲେ । ସେଇ ଦକ୍ଷିଣିଆ ସେଓଗଛରୁ ସେଓଗୁଡ଼ିକ ତୋଳିନେଲେ । ବଡ଼ବଡ଼ କାଠବାକ୍ସରେ ସେଗୁଡ଼ିକ ନେଇ ସାବଧାନରେ ରହିଲେ । ବାଟରେ ଯାଉଁ ଯାଉଁ ଗୋଟିଏ ଯେମିତି ଆଉ ଗୋଟିକ ଦେହରେ ଘଷି ନହୁଏ, ସେଥିପ୍ରତି ନଜର ଦେଲେ । ତା’ପରେ ସେଇ କାଠବାକ୍ସଗୁଡ଼ିକୁ ରେଳବାଇ ଷ୍ଟେସନ୍‍କୁ ନେଇଗଲେ । ସେଠିଯାଇ ‘କ୍ୟାଣ୍ଡିଲେ-ସିନାପ୍’ ରେଳବାଇ ଡବା ଭିତରେ ପଶିଲେ । ଦେଖିଲେ, ସେଗୁଡ଼ିକ ଭଳି ଆହୁରି ଅନେକ କିସମର ସେଓ ଆଗରୁ ଯାଇ ଜମା ହୋଇଛନ୍ତି । କେତୋଟି କିସମର ପରେବି ଆସି ଆସ୍ଥାନ ମାଡ଼ି ବସିଲେ ।

 

ମାଲଡ଼ବାଗୁଡ଼ିକ ମହମହ ହୋଇ ବାସିଲା । ଏମିତିକି ଯେଉଁଠି ଯାଇ ଯେଉଁ ଷ୍ଟେସନ୍‍ରେ ଅଟକିଲା, ସେଠି ଲୋକେ ପାଖରେ କି ଦୂରରେ ଥାଇ ବା ଯା-ଆସ କରୁ କରୁ ସେ ବାସନାପାଇଁ ମୁଗ୍ଧ ହେଉଥାନ୍ତି । ନିଜ ନିଜ ମଧ୍ୟରେ କୁହାକୁହି ହେଉଥାନ୍ତି–‘‘ଅଃ ବଢ଼ିଆ ମହକ ତ-!” ନିଶ୍ଚୟ ଜାହାଜରେ ବୋଝେଇ ହେବାପାଇଁ ସେଓସବୁ ଯାଉଚି !’’ ଗୋଟିଏ ବାକ୍ସ ‘କ୍ୟାଣ୍ଡିଲେ-ସିନାଲ୍’ର ଜାହାଜରେ ଗଲା ତାମ୍ବୋଭସହରକୁ । ସେଠୁ ପଠାହେଲା କୋଜଲଭକୁ । ସେଠି ପହଞ୍ଚି ଦେଖାଦେଲା ଗୋଟିଏ ଫଳଦୋକାନରେ । ଲୋକେ କାଚ ଆଲମାରି ଭିତରୁ ସେଇ ରସୁଆଳିଆ ସେଓଗୁଡ଼ିକ ଦେଖି ଲୋଭେଇଲେ, କିନ୍ତୁ ଏତେ ଦାମ୍ ! ଚଢ଼ା ଦାମ୍ ଦେଇ କେଉଁ ‘ସୁନ୍ଦର’କୁ ବା କେତେଜଣ କିଣି ପାରନ୍ତେ ? ଶେଷରେ, ଦିନେ ଏଥିରୁ ଗୋଟିଏ କୌଣସି ବାଟରେ ଯାଇ ପହଞ୍ଚିଲା ମିଚୁରିନ୍‍ଙ୍କ ‘ଟେବୁଲ୍‍ରେ’ ଖାଇବା ପାଖରେ ।

 

ତମେ ଯଦି ଗୋଟିଏ ଭାରି ମିଠା ଓ ରସୁଆଳିଆ ସେଓ କେବେ ଖାଉଥାଅ, ତାକୁ ଖାଇସାରିବା ଯାଏଁ ଉପଭୋଗ କରୁଥାଅ, ଖୁସି ହେଉଥାଅ, ତା’ପରେ ଖାଇସାରିଲେ ତା’ କଥା ଏକାବେଳକେ ତମ ମନରୁ ପାସୋରିଯାଏ । କିନ୍ତୁ ମିଚୁରିନ୍ ତାକୁ ଦେଖିଲାକ୍ଷଣି ଆଗ ମୁଗ୍ଧ ହୋଇଗଲେ । ତାକୁ ଟିକିଏ ଚାଖିଲେ, ତା’ ସମ୍ପର୍କରେ ଯାବତୀୟ କଥା ଟିପି ରଖିଲେ ।”

 

‘‘କି ସୁନ୍ଦର ହୋଇଚି ସତେ ! କି ଚମତ୍କାର, ମନକୁ ମନ ଆନନ୍ଦରେ କହିହେଲେ–‘‘ଏହାର ଆକାର, ଏହାର ରଙ୍ଗ, ଏହାର ସ୍ଵାଦୁ ସାଙ୍ଗରେ ତ ଆଉ କେଉଁ ସେଓର ଆକାର ରଙ୍ଗ କି ସ୍ଵାଦୁ ତ ତୁଳନା କରି ହେବନାହିଁ ! ଏହା କେମିତି ଆମ ଉତ୍ତରାଞ୍ଚଳରେ ଫଳନ୍ତା କି-!”

 

ନିଜ ବଗିଚାରେ ସେତେବେଳକୁ ସେ ଅନେକ ଦିନ ଆଗରୁ ଦକ୍ଷିଣଆଡ଼ ଫଳଗଛ ଆଣି ଗବେଷଣା କରିସାରିଥାନ୍ତି । ତାଙ୍କର ସେ ଦିଗରେ ଅଭିଜ୍ଞତା ହୋଇଥାଏ । ସେ ସେହି ଅଭିଜ୍ଞତା ବିଷୟ ମନେପକେଇଲେ । ତାଙ୍କର ଯୁବାବୟସ ଯେତେବେଳେ । ଦକ୍ଷିଣଆଡ଼ ସେଓଗଛର କଅଁଳ କଅଁଳ ସୁକୁମାରିଆ ଡାଳ ଆଣି ସେ ସେଗୁଡ଼ିକ ଉତ୍ତରଆଡ଼ର ଟାଣୁଆ ସେଓଗଛ ଡାଳରେ ଯୋଡ଼ି କଲମି କରିବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ । କିନ୍ତୁ ଉତ୍ତରାଞ୍ଚଳର ଫଳ ବଗିଚାରେ ଗୋଟିଏ ହେଲେ ଦକ୍ଷିଣିଆ ସେଓ ଫଳ ପାଚି ନଥିଲା । ପ୍ରଥମ ଶୀତଟିର ଧକ୍କାରେହିଁ ତାଙ୍କର ସେହି କଲମି ଦକ୍ଷିଆ ଗଛ କୋହ୍ଲମାରି ମରିଯାଇଥିଲା । କିନ୍ତୁ ମେଚୁରିନ୍ ତ ହଟିଯିବା ଲୋକ ନଥିଲେ । ସେ ଅନବରତ ନିଜର ସାଧନାରେ ଦୃଢ଼ ରହିଥାନ୍ତି । କେତେ ଉପରେ ପରୀକ୍ଷା କରି ଦେଖୁଥାନ୍ତି, କେମିତି ଦକ୍ଷିଣର ଗଛ ଉତ୍ତରାଞ୍ଚଳରେ ବଞ୍ଚି ପାରିବ । ଦିନେ ହେଲେ କ୍ରିମିୟାରେ ସେଓ ସେ ଉତ୍ତରାଞ୍ଚଳରେ ଫଳେଇବେ, ଏହି ଭାବ ତାଙ୍କ ମନରୁ କେବେହେଲେ ଦୂର ହେଉ ନଥାଏ । ସେ ଭାବିଲେ, ‘‘ଯେଉଁ ପୋଖତ ଗଛଟି ଉଷ୍ଣ ଜଳବାୟୁରେ ଅତି ଗେହ୍ଲାରେ ବଢ଼ିଛି, ତାହା କେବେ ଥଣ୍ଡା ସହିପାରିବ ନାହିଁ । କିନ୍ତୁ କୁଆଁ ଦେବା ଦିନୁ ସେଇଟି ହେମାଳ ଆଉ ତୁଷାରଝଡ଼ ହେଲେ ଅଭ୍ୟସ୍ତ ହୋଇଯାଏ ତେବେ, ବୋଧହୁଏ ସମ୍ଭାଳିଯିବ ।’’

 

କିନ୍ତୁ ଏହା ପରୀକ୍ଷା କରି ଦେଖିବାକୁ ହେଲେ ମଞ୍ଜିରୁ ଗଛ ଉତାରିବା ଠିକ୍ ହେବ । ଡାଳ ଆଣି ଆଗପରି କଲମି କଲେ ଚଳିବ ନାହିଁ । ସେ ଏହି ଉପାୟଟି ଧରିଲେ । କେତେଗୁଡ଼ିଏ ‘କ୍ୟାଣ୍ଡିଲେ–ସିନାପ୍’ ସଂଗ୍ରହ କରି ସେଥିରୁ ଅଧେ ଖୋଲା ବଗିଚାରେ ପୋତିଲେ, ଆଉ ଅଧେ ନିଜ ପଢ଼ାଘରେ ଥିବା ଫୁଲକୁଣ୍ଡରେ ଲଗାଇଲେ । କୁଆଁ ଦେଇ ଗଛଗୁଡ଼ିଏ ଛନଛନ ହୋଇ ଦେଖାଦେଲା । ହରିତପତ୍ରରେ ଭାରି ସୁନ୍ଦର ଦିଶିଲା । ଦିନକୁଦିନ ବଢ଼ିବାକୁ ଲାଗିଲା ସେଇ ଚାରାଗଛଗୁଡ଼ିକ । ମନ ତାଙ୍କର ଆନନ୍ଦରେ ନାଚି ଉଠିଲା, କିନ୍ତୁ ଏହି ଆନନ୍ଦ ବେଶିଦିନ ରହିଲା ନାହିଁ । କାରଣ ଶୀତର ପହିଲି ମାଡ଼ରେ, ପହିଲି ବରଫ ଝଡ଼ରେ ଖୋଲା ବଗିଚାରେ ଥିବା ଚାରାଗଛଗୁଡ଼ିକ ପୂରାପୂରି ଖତମ୍ ପାଇଗଲା । ଫୁଲକୁଣ୍ଡରେ ଥିବା ଗଛଗୁଡ଼ିକ ଜିଇଁ ରହିଲା । କାରଣ, ସେଗୁଡ଼ିକ ତାଙ୍କ ପଢ଼ାଘରର ଉଷ୍ମ ପରିବେଶରେ ବେଶ୍ ଆରାମରେ ବଢ଼ୁଥିଲା । ଏହା ସ୍ପଷ୍ଟ ଦେଖାଇଦେଲା, ‘କ୍ୟାଣ୍ଡେଲ-ସିନାପ୍’ ସେଓଗଛର ଛୁଆଗୁଡ଼ିକ ଠିକ୍ ନିଜ ନିଜର ବାପାମାଆଙ୍କ ଭଳି ସୁକୁମାରିଆହିଁ ହେଲେ ।

 

କ’ଣ କରାଯାଇପାରେ ଏ ଅବସ୍ଥାରେ–ମିଚୁରିନ୍‍ଙ୍କ ମୁଣ୍ଡ ଘାରିଲା । ଉତ୍ତରାଞ୍ଚଳର କିତାଏକା ଗଛ ପ୍ରତି ଦୃଷ୍ଟି ରଖି ସେ ଭାବିଲେ, ଏହି ଟାଣୁଆ ଗଛକୁ ଘେନି କେମିତି କିଛି କରିବାକୁ ପଡ଼ିବ । ବସନ୍ତରେ ଯେତେବେଳେ ସେଓଗଛଗୁଡ଼ିକ ବଉଳ ଧରିବ, ସେତେବେଳେ କିତାଏକା ସାଥିରେ କ୍ରିମିୟାର ଗଛକୁ ଯୋଡ଼ ଖୁଆଇବାକୁ ହେବ । ଏହା ସ୍ଥିର କଲାପରେ, ବସନ୍ତ ପଡ଼ିଲାକ୍ଷଣି ‘କ୍ୟାଣ୍ଡିଲେ-ସିନାପ୍’ ଗଛରୁ ପରାଗଗୁଡ଼ିଏ ନେଇ କିତାଏକା ବଉଳରେ ଛିଞ୍ଚିଦେଲେ ଓ ବୋଳିଲେ । କିତାଏକା ଗଛରେ ଯେମିତି ଯେଉଁ ଫଳ ହୁଏ, ସେହି ଫଳ ହେଲା । କିନ୍ତୁ ଏହି ଫଳଗୁଡ଼ିକର ମଞ୍ଜିରୁ ନୂଆ ନୂଆ କ୍ୟାଣ୍ଡିଲେ–ସିନାପ୍ ଓ କିତାଏକା ଜାତୀୟ ‘ଗଛଦୁଇଟି’ର ନୂଆ ନୂଆ ଛୁଆ ଉତୁରିଲେ ।

 

ମିଚୁରିନ୍‍ଙ୍କ ମନ ବଡ଼ ଅଥୟ ହେଉଥାଏ । ସେ ଉଦ୍‍ବେଗରେ ଶୀତଦିନକୁ ଅନେଇଥାନ୍ତି–ତାଙ୍କ ଗବେଷଣାର ଫଳାଫଳ କ’ଣ ହେବ, ଭାବି ହେଉଥାନ୍ତି । ଛୋଟ ଛୋଟ ଗଛଗୁଡ଼ିକ ଯଦି ମାଆ କିତାଏକା ପରି ହୁଅନ୍ତି, ନିଶ୍ଚୟ ଥଣ୍ଡା ସମ୍ଭାଳିବେ କିନ୍ତୁ ସେଗୁଡ଼ିକ ଯଦି ଦକ୍ଷିଣିଆ ବାପ କ୍ୟାଣ୍ଡିଲେ–ସିନାପ୍ ପରି ହୁଅନ୍ତି, ତେବେ ବରଫରେ ମରିଯିବେ ।

 

ପହିଲି ଶୀତଟି ଆସି ଖାଲି ଟିକେ ଥରଥରେଇ ଦେଇ ଚାଲିଗଲା ନୂଆ ଗଛଗୁଡ଼ିକୁ । ତା’ପରେ ଦ୍ଵିତୀୟ ଆଉ ତୃତୀୟ ବର୍ଷର ଶୀତଦିନ ଆସିଲା, ଗଲା । ମେଚୁରିନ୍ ଲକ୍ଷ୍ୟ କଲେ, ଛୋଟ ଛୋଟ ଗଛଗୁଡ଼ିକ ଥଣ୍ଡା ବାଧୁଚି–ରୂପ ବଦଳୁଚି । ଯେତେବେଳେ ସେଗୁଡ଼ିକ ବାପ କ୍ୟାଣ୍ଡିଲେ–ସିନାପ୍ ପରି ହୋଇ ରହୁଛନ୍ତି, ସେତେବେଳେ କଷ୍ଟ ପାଉଛନ୍ତି ! ତେଣୁ ସେ ଠିକ୍ କଲେ, ଯତ୍ନନେଇ ସେଗୁଡ଼ିକ ମାଆ କିତାଏକା ପରି ‘ଟାଣୁଆ’ କରିବେ । ତେଣୁ ସେ ଆଗ ସବୁଠୁଁ ବଳୁଆ ସତେଜ ନୂଆ ଗଛ ଭିତରୁ କେତୋଟିର କୁଆଁଗୁଡ଼ିଏ କାଟିଲେ, ତାକୁ ସବୁ ମାତୃଜାତିର କିତାଏକା ଗଛରେ ଯୋଡ଼ି କଲମି କଲେ । କିତାଏକା ନିଜ ନିଜର ଛୁଆଗୁଡ଼ିକୁ ପାଳି, ବଢ଼େଇକୁଢ଼େଇ ରଖି–ଏହା ମନକୁ ମନ ପାଞ୍ଚିଥାନ୍ତି ।

 

କଲମି କୁଆଁଗୁଡ଼ିକରୁ ଶୀଘ୍ର ହରିତପତ୍ର ବାହାରିଲା । ଛୋଟ ଛୋଟ ଶାଖା ଦିଶିଲା । ଶୀତଦିନ ପରେ, ଶୀତଦିନ ଆସିଲା, ଛୋଟ ଗଛଗୁଡ଼ିକି କିନ୍ତୁ ହେମାଳକୁ ଖାତିର କଲେ ନାହିଁ । ଶୀତଦିନରେବି ଶାଖାପ୍ରଶାଖା ମେଲି ବଢ଼ିବାରେ ଲାଗିଲେ । ଶୀତ ସେଗୁଡ଼ିକର କିଛି କ୍ଷତି କରିପାରିଲା ନାହିଁ ।

 

ପରେ ଯେତେବେଳେ ଏହି ଗଛଗୁଡ଼ିକରେ ଫୁଲଫଳ ଧରିଲା, ମିଚୁରିନ୍‍ଙ୍କ ମନ ମରିଗଲା । କାରଣ, ତାଙ୍କର ଏହି ଦ୍ଵିତୀୟ ଗବେଷଣାରେବି କିଛି ସୁଫଳ ମିଳିଲା ନାହିଁ । ସେଓଗୁଡ଼ିକ ସେମିତି ସାନ ସାନ, ସେମିତି ଅସୁନ୍ଦର ଆଉ ସେମିତି ଖଟା ହେଲା–କିତାଏକା ସେଓଗୁଡ଼ିକ ପରି ।

 

ଆଉ କିଏ ହୋଇଥିଲେ ନିଶ୍ଚୟ ରାଗିଯାଇଥାନ୍ତା, ଚିଡ଼ିମିଡ଼ି ହୋଇ ଅଦରକାରୀ ଗଛଗୁଡ଼ାକୁ ଉପାଡ଼ି ତାହା ବଦଳରେ ଅନ୍ୟ କିଛି ଗଛ ଲଗାଇଥାନ୍ତା । କିନ୍ତୁ ମେରୁରିନ୍ ଥିଲେ, ମହାନ ବିଜ୍ଞାନୀ । ସେ ଭଲରୂପେ ଜାଣିଥାନ୍ତି, ପହିଲି ଫଳରୁ କେବେ ଗଛକୁ ବିଚାର କରି ବସିବ ନାହିଁ । ସେ ଧୈର୍ଯ୍ୟର ସହିତ କେଡ଼େ ସ୍ନେହରେ ଗଛଗୁଡ଼ିକ ପାଳିଲେ । ଅନେକ ସମୟରେ ତାଙ୍କର ମନେପଡ଼ୁଥାଏ, ସେଇ କୁତ୍ସିତ କଦାକାର ବତକ ଛୁଆଟିର କଥା; ଯେଉଁଟି ଦିନେ ବଢ଼ିଯାଇ ହେବ ସୁନ୍ଦର ହଂସଟିଏ ।

 

ସବୁଜ ଗଛଗୁଡ଼ିକ ଦିନେ ତାଙ୍କର ସବୁ ସାଧନାକୁ ଜୟଯୁକ୍ତ କଲେ; ସତେ ଯେପରି ପରିଶ୍ରମ ପାଇଁ ତାଙ୍କୁ ପୁରସ୍କାର ଦେଲେ । ବର୍ଷକୁ ବର୍ଷ ଫଳଗୁଡ଼ିକ ଅଧିକରୁ ଅଧିକ ସୁଆଦିଆ ହେଲା, ଆଉ ଅଧିକରୁ ଅଧିକ ସୁନ୍ଦର ଦିଶିଲା । ଆକୃତିରେ, ରଙ୍ଗରେ ଆଉ ସ୍ଵାଦୁରେ ନୂଆଫଳଗୁଡ଼ିକ କ୍ରିମିୟାର କ୍ୟାଣ୍ଡେଲ–ସିନାପ୍ ପରି ହେଲା ଏବଂ ମାଆ କିତାଏକାର ସହିବା ଶକ୍ତି ଓ ଟାଣପଣଟିକ ପୂରାପୂରି ସେଥିରେ ରହିଲା । ଏହିଭଳି ଭାବରେ ମେରୁରିନ୍‍ରେ ଶେଷରେ ଗୋଟିଏ ନୂଆ କିସମର ସେଓ ସୃଷ୍ଟି କରିପାରିଲେ । ଏଇଟିର ନାଆଁ ହେଲା ‘‘କ୍ୟାଣ୍ଡିଲେ-କିତାଏକା’’ । ନିଜର ଉଦ୍ୟମରେ କେବେହେଲେ ସେ ଶିଥିଳ ହୋଇ ନଥିଲେ । ଅଧ୍ୟବସାୟରେ ଲାଗି ରହିଥିଲେ, ଆଉ ସାଧନା ପ୍ରତି ଅନୁରକ୍ତି ଛାଡ଼ି ନଥିଲେ । ଛାଏଁ ଛାଏଁ ଯେଉଁ ଦାୟିତ୍ଵଟି ନେଇଥିଲେ, ତାକୁ ତୁଲେଇବା ଦିଗରେ କେବେ ବିଶ୍ଵାସ ଓ ଦମ୍ଭ ହରାଇ ନଥିଲେ, ଏପରିକି ଥରକୁଥର ଅକୃତକାର୍ଯ୍ୟ ହୋଇ ସୁଦ୍ଧା ହତାଶରେ ଭାଙ୍ଗିପଡ଼ି ନଥିଲେ । ଶୁଣି ଆଶ୍ଚର୍ଯ୍ୟ ହେବ, ଏହି କ୍ୟାଣ୍ଡିଲେ-କିତାଏକା ଜାତୀୟ ସେଓଟି ଫଳାଇବା ପାଇଁ ଚଉଦବର୍ଷ ଲାଗିଥିଲା । ଭାବିଲ ଦେଖି, କେତେ ପିଲା ବା ଏହାରି ଭିତରେ ଖଡ଼ି ଧରି ନଥିବେ, ସ୍କୁଲ୍‍କୁ ଯିବା ଆରମ୍ଭ କରି ନଥିବେ କେତେ ବା ପୁଣି ଗ୍ରାଜୁଏଟ୍ ହୋଇ ନଥିବେ ! କିନ୍ତୁ ମେରୁରିନ୍ ସ୍କୁଲ୍‍ରେ କିତାଏକା ସେଓଟି ଆଉ ଉପର କ୍ଲାସ୍ ଉଠି ପାରିଲା ନାହିଁ, ଚିରଦିନ ପାଇଁ ତାଙ୍କ ସ୍କୁଲ୍‍ରେହିଁ ରହିଗଲା ।

 

ଏହି ଫଳଟିର ଜଣେ ବୋଲି ଧାଈ ଥିଲା । ସେ ହେଉଚି ତା’ର ନିଜ ମାଆ ! କିନ୍ତୁ ଏହାର ଗୋଟିଏ ଅତି ନିକଟ କୁଟୁମ୍ବ ବା ଜ୍ଞାତି “ବେଲେଫ୍ଳ୍ୟୁ”ର କିତାଏକା’’ର ଥିଲା ଆଠୋଟି ଧାଈ-। ପ୍ରଥମଟି ହେଲା, ତା’ର ମାଆ ‘‘ବେଲେଫ୍ଳ୍ୟୁର’’ ସେଓଗଛ, ଆଉ ଶେଷଟି ଥିଲା “ଦେଢ଼ ଫାଉଣ୍ଡିଆ” ଆନ୍ତୋନେଭକ୍” । ଆଠୋଟି ଧାଈ ଭିତରୁ ପ୍ରତ୍ୟେକଟି ତାହାକୁ ନିଜ ନିଜର ରସ ଖୁଆଇଥିଲେ; ଏଣୁ ନିଜ ନିଜର ରୂପ ଆଉ ଗୁଣରୁ କିଛି କିଛି ଦେଇଥିଲେ । ଗୋଟିଏ ରସ ଦେଇ ତାକୁ ଶିଖେଇଥିଲା–କେମିତି ଶୀତ ବିରୁଦ୍ଧରେ ଛିଡ଼ାହୋଇ ଲଢ଼ିବାକୁ ହେବ । ଆଉ ଗୋଟିଏ ତାକୁ ସାହାଯ୍ୟ କରିଥିଲା–କେମିତି ବଡ଼ବଡ଼ ଫଳ ଧରିବାକୁ ହେବ, ତୃତୀୟଟି ବତେଇଥିଲା, କେମିତି ପଚିଶଢ଼ି ସହଜରେ ନଷ୍ଟ ହେବାକୁ ପଡ଼ିବ ନାହିଁ; କେମିତି ଫଳ ଗୋଦାମରେ ସମୁଦାୟ ଦୀର୍ଘ ଶୀତକାଳଟି ବେଶ୍ ସତେଜ ରହି ବିତେଇହେବ । ତେବେ ଆମକୁ ଧନ୍ୟବାଦ ଦେବାକୁ ହେବ ଏହି ଧାଈମାନଙ୍କୁ ନୁହେଁ, ଯିଏ ସେମାନଙ୍କ କାମର ନିର୍ଦ୍ଦେଶ ଦେଉଥିଲେ, ତାଙ୍କୁ ପରିଚାଳିତ କରୁଥିଲେ, ତାଙ୍କୁ । କାରଣ, ସେ ସିନା ବିଭିନ୍ନ ଜାତିର ଗଛରୁ ଡାଳ ଆଣି ଛୋଟ ଗଜା ଗଛରେ ଲଗାଉଥିଲେ, ଯୋଡ଼ିଯାଡ଼ି ଖଞ୍ଜୁଥିଲେ ।

 

ନୂଆ ଗଛ ଉତାରିବା ଦିଗରେ ମିଚୁରିନ୍ ଅନ୍ୟାନ୍ୟ କୌଶଳବି ଧରୁଥିଲେ । ଗୋଟିଏ ଅତି ସୁକୁମାରିଆ ଚାରାଗଛକୁ ଉତ୍ତରାଞ୍ଚଳର କଠୋର ଜୀବନ ଓ ଜଳବାୟୁରେ ଅଭ୍ୟସ୍ତ କରେଇବା ପାଇଁ ସେ ତାକୁ ନେଇ ନିକୃଷ୍ଟ ଧରଣର ମାଟିରେ ଲଗାଉଥିଲେ, ଦେଖୁଥିଲେ, ଯେମିତି ତାହା ଅତି ଆଦର ପାଇ ନଷ୍ଟ ହୋଇ ନ ଯାଏଁ । ଏମିତିକି ସେ ପୂରାପୂରି ନିଜର ଫଳବଗିଚାକୁ ନିକୃଷ୍ଟ ମାଟିଥିବା ଜାଗାକୁ ଉଠାଇ ନେଇଥିଲେ । ତାଙ୍କର ପାଖ ପଡ଼ୋଶୀମାନେ କହୁଥାନ୍ତି–‘‘ଲୋକଟା ପାଗଳ ହୋଇଗଲାଣି । କିନ୍ତୁ ସେ ଜାଣିଥାନ୍ତି, ସେ କ’ଣ କରୁଛନ୍ତି ଓ କାହିଁକି । କାରଣ ସେ ଚାହୁଁଥାନ୍ତି, ସୁକୁମାରିଆ ଗଛଗୁଡ଼ିକ ସବୁ ପ୍ରକାର ଦୁଃଖଦୁର୍ଦ୍ଦଶା ଭିତରେ ବଢ଼ୁ, ସବୁ ଉତ୍ଥାନ ପତନ ସହିତ ପରିଚିତ ହେଉ, ସେଥିରେ ଅଭ୍ୟସ୍ତ ହୋଇଉଠୁ ।

 

ସେ ଏହା ଚାହୁଁଥାନ୍ତି ବୋଲି ବେଳେବେଳେ ସେ ସମ୍ପୂର୍ଣ୍ଣ ଓଲଟା ବାଟ ଧରୁଥିଲେ । ଛୋଟ ଛୋଟ ଗଛ କେତୋଟିକୁ ନେଇ ଉତ୍କୃଷ୍ଟ ଧରଣର ମାଟିରେ ପୋତୁଥିଲେ । ଏହା ଯୋଗୁଁ ଗଛକୁ ପ୍ରଚୁର ଖାଦ୍ୟ ମିଳୁଥିଲା । କେବଳ ସେତିକି କରି ଥୟଧରୁ ନଥିଲେ । ଚିନି ଖୁଆଇ ଗଛଟିକୁ ଆହୁରି ମୋଟା କରାଉଥିଲେ । ଚିନିକୁ ଅତି ପତଳା ସିରା କରି ଇଞ୍ଜେକ୍‍ସନ୍ ଗଛ ବକଳାତଳେ ଭର୍ତ୍ତି କରୁଥିଲେ । ସେଥିରେ ଗଛଗୁଡ଼ିକ ଆହୁରି ହୃଷ୍ଟପୁଷ୍ଟ ହେଉଥିଲା । ଏହିଭଳି ପରୀକ୍ଷା ଚଳାଇ ସେ ଗୋଟିଏ ନୂଆ ପ୍ରକାରର ନାସପାତି ଫଳାଇଥିଲେ । ଏହି ନାସପାତି ମହୁଠୁ ବଳି ମିଠା ହୋଇଥିଲା ।

 

ମିଚୁରିନ୍ କ୍ରିମିୟାର କ୍ୟାଣ୍ଡେଲ–ସିନାପ୍ ସେଓକୁ ତା’ର ଉଷ୍ଣ ଉପତ୍ୟକାରୁ ହଜାର ମାଇଲ ଦୂରରେ ଥିବା ଉତ୍ତରାଞ୍ଚଳ କୋଭଲୋଭକୁ ଘେନି ଆସିଲେ ସତ, କିନ୍ତୁ ସେତିକିରେ ତାଙ୍କ ମନ ତୃପ୍ତି ଆସିଲା ନାହିଁ । ତାଙ୍କୁ ଆହୁରି ଉତ୍ତରକୁ ନେଇ କେମିତି ଫଳେଇବେ, ସବୁବେଳେ ଏହା ଚିନ୍ତା କରୁଥାନ୍ତି । ସୋଭିଏତ ରୁଷରୁ ଏମିତି ସବୁ ଉତ୍ତରାଞ୍ଚଳ ଅଛି, ଯେଉଁଠିକି ଖାଲି ବଣୁଆ ସେଓ ଫଳେ । ପିଲାଏ ସେଓ ମିଠା ସେଓଟିଏ ଚାଖିବାକୁ ପାଉ ନଥାନ୍ତି । ତାଙ୍କପାଇଁ ତ ପୁଣି ମିଠା ସେଓ ଲୋଡ଼ା ! ସେ ଭାବୁଥାନ୍ତି, କେମିତି ସେ ପିଲାଗୁଡ଼ିଙ୍କ ଲାଗି ମିଠା ସେଓ ଅତି ଦୂରରେ ଉତ୍ତରମୁଣ୍ଡରେ ଆଉ ସାଇବେରିଆର ତାଏଗା ଅଞ୍ଚଳରେ ଫଳେଇବେ ।

 

ମିଚୁରିନ୍‍ଙ୍କର ମନେପଡ଼ିଲା, ସାଇବେରିଆରେ ଗୋଟିଏ ପ୍ରକାରର ଅତି ଖଟାଳିଆ ସେଓ ହୁଏ, ସେଇ ସେଓ ପୁଣି କୋଳି ପରି ସାନ । ମେରୁରିନ୍ କ୍ୟାଣ୍ଡିଲେ–କିତାଏକା ଗଛର ଫୁଲରୁ ପରାଗ ନେଇ ଏହି ବଣୁଆ କୋଳି ପରି ଖଟା ସେଓଗଛ ଫୁଲରେ ଝାଡ଼ିଦେଲେ । ତାହାର ଫଳ ପାଚିଲା ପରେ ସେଥିରୁ ମଞ୍ଜି ନେଇ ପୋତିଲେ । ଏଣୁ କ୍ରିମିୟାର କ୍ୟାଣ୍ଡିଲେ–ସିନାପ୍ ହେଲା ଏହି ନୂଆଗଛର ଜେଜେ, ଆଉ କ୍ୟାଣ୍ଡିଲେ-କିତାଏକା ହେଲା ଏହାର ମାଆ । ମେରୁରିନ୍ ଏହାର ନାଆଁ ଦେଲେ ‘ତାଏଗା ସେଓ” ! କାରଣ ଏହାକୁ ସେ ଫଳେଇଥାନ୍ତି ତାଏଗାର ଲୋକଙ୍କପାଇଁ । ଏହି ଗଛଟି ହେଲା ଠିକ୍ ଗୋଟିଏ ଛୋଟ ବୁଦାଭଳି, ଆଣ୍ଠୁଏ ଉଚ୍ଚ ! ଏହାର ଫୁଲଗୁଡ଼ିକ ଭୂଇଁରେ ଲୋଟୁଥାଏ । ଉଞ୍ଚରେ ଅତି ସାନ ହେବାରୁ ମେରୁରିନ୍‍ଙ୍କ ମନରେ ଦୁଃଖ ହେଲାନାହିଁ ବରଂ ସେ ଭାରି ଖୁସି ହେଲେ, କାରଣ ସେ କଳ୍ପନା କଲେ, ବହଳିଆ ବରଫ–ଶେଯ ତଳେ ଛୋଟ ଗଛଟିଏ ଶୀତଦିନରେ ଆଶ୍ରୟ ପାଇ କୁହୁଡ଼ିକାକର ଦାଉରୁ ନିଜକୁ ସହଜରେ ରକ୍ଷା କରିପାରିବ । ତାଙ୍କର ଗବେଷଣା ସଫଳ ହେଲା । ତାଏଗା ସେଓଗଛରୁ ଯେଉଁ ଫଳ ମିଳିଲା, ତାହା ଛୋଟ ହେଲେ କ’ଣ ହେବ ବେଶ୍ ମିଠା ଲାଗିଲା ।

 

ଏମିତି ମିଚୁରିନ୍ ନାମକ ଜଣେ ଯାଦୁକର କ୍ରିମିଆର ସେଓଗଛକୁ ନେଇଥିଲେ କୋଜଲଭକୁ, ଆଉ ସାଇବେରିଆକୁ । ବାଟରେ ଅବଶ୍ୟ ଏହି ଗଛର ରୂପଭେକ ବଦଳି ଯାଇଥିଲା-। କ୍ରିମିୟାରେ ଏହା ଥିଲା ଡେଙ୍ଗା । ଏହାର ଶାଖା ପତ୍ରଗୁଡ଼ିକ ଥିଲା ସୁନ୍ଦର । ସାଇବେରିଆରେ ପହଞ୍ଚିଲାବେଳକୁ ଏହା ହୋଇଥିଲା ବାମନଟିଏ । ଛୋଟ ଗଛଟି ନିଜର ଲକ୍ଷ୍ୟ ସାଧନ କରିଥିଲା–ସାଇବେରିଆକୁ ଦେଇଥିଲା ମିଠା ମିଠା ସେଓ ।

Image

 

ନାସପାତି ଭଳି ସେଓ ମଚରିନ୍ ସୃଷ୍ଟି କଲେ କିପରି

 

ହଜାର ହଜାର ବର୍ଷ ଧରି ସେଓ ଆଉ ନାସପାତି ଗଛସବୁ ବଗିଚାମାନଙ୍କରେ ରହି ଆସିଛନ୍ତି । ସେଓଗଛରେ ସବୁବେଳେ ଫଳିଚି ସେଓ ଆଉ ନାସପାତି ଗଛରେ ଫଳିଛି ନାସପାତି ? ଏହାହିଁ ତ ହେବାର କଥା । ସେଓଗଛରେ ନାସପାତି ଆଉ ନାସପାତି ଗଛରେ ସେଓ କ’ଣ ଫଳନ୍ତା-? କିନ୍ତୁ ମିଚୁରିନ୍ ଚାହୁଁଥିଲେ, ଠିକ୍ ଏହାହିଁ ହେବ କେମିତି ! ସେ ଚାହୁଁଥିଲେ, ଏମିତି କିଛି ସୃଷ୍ଟି କରିବେ–ଯାହା କେବେ ଆଗରୁ ଦେଖାଯାଇ ନାହିଁ । ତାଙ୍କର ଦୃଢ଼ବିଶ୍ଵାସ ଥିଲା, ନିଜ କାମକୁ ପାଇଲା ଭଳି ମଣିଷ ପ୍ରକୃତିକୁ ବଦଳାଇ ପାରିବ । ସେଥିପାଇଁ ସେ ସ୍ଥିରକଲେ, ସେଓ ଓ ନାସପାତିକୁ ମିଶାଇ ଗୋଟିଏ ଫଳ ବାହାର କରିବେ । ତାଙ୍କ ବଗିଚାରେ ‘ଆନ୍ତୋନୋଭକା’ ସେଓଗଛ ଥାଏ । ସେଥିରୁ ମିଳୁଥାଏ ସେଇ ବଡ଼ବଡ଼ ଦେଢ଼ ଫାଉଣ୍ଡିଆ ସେଓ । ଏହାକୁ ସେ ନିଜର ଗବେଷଣାରେ ଆଗରୁ ଲଗେଇଥିଲେ । ଇଚ୍ଛା କରିଥିଲେ ସେ ସେଥିରୁ ଡାଳୁଟିଏ କି କଢ଼ଟିଏ କାଟି ଗୋଟିଏ ନାସପାତି ଗଛରେ ଯୋଡ଼ି କଲମି କରିପାରିଥାନ୍ତେ । କିନ୍ତୁ ସେ ଠିକ୍ ଜାଣିଥିଲେ, ପୁରୁଣା ପୋଖତ ସେଓଗଛର ଚଳଣି ଗୋଟିଏ ଧାରାରେ ପଡ଼ିଯାଇଥିବ । ତା’ର ଧରଣ, ତା’ର ସ୍ଵଭାବ ପ୍ରଭୃତି ବଦଳିବା କଷ୍ଟକର । ଅଳ୍ପ ବୟସର ଗଛକୁ ପ୍ରଭାବିତ କରିବା, ସେଥିରେ ପରିବର୍ତ୍ତନ ଆଣିବା ବରଂ ସହଜ ।

 

ଏହା ଭାବି ଥରେ ସେ ଗୋଟିଏ ମସ୍ତବଡ଼ ଆନ୍ତୋନୋଭକା ସେଓରୁ ଗୋଟିଏ ଗୋଲ କଳା ମଞ୍ଜି ବାହାର କଲେ, ତାକୁ ନେଇ ପୋତିଦେଲେ । ଏଥିରୁ ଛୋଟ ସୁନ୍ଦରିଆ ଶାଗୁଆ ଗଛଟିଏ ଦିନେ ମୁହଁ କାଢ଼ିଲା ।

 

ଏଇ ଗଛଟିକୁ ସେମିତି ଛାଡ଼ିଦେଇଥିଲେ, ତାହା ଛାଏଁ ଛାଏଁ ବଢ଼ି ସାଧାରଣିଆ ସେଓଗଛଟିଏ ହୋଇଥାନ୍ତା । କିନ୍ତୁ ମିଚୁରିନ୍ ତ ଠିକ୍ କରିଥାନ୍ତି ଏହାକୁ ନାସପାତି ସାଙ୍ଗରେ ଯୋଡ଼ି ଖୁଆଇବେ, ତେଣୁ ଛୋଟ ଗଛଟିରୁ ସେ କେତୋଟି କୁଆଁ କାଟିନେଇ ଗୋଟିଏ ଅଳ୍ପଦିନର କଅଁଳ ନାସପାତି ଗଛରେ ଲଗେଇଲେ । ଧୀରେ ଧୀରେ ଏହି କୁଆଁର ପୁଣି କୁଆଁ ବାହାରିଲା, ଗଛଟିରେ ଡାଳପତ୍ର ଦେଖାଦେଲା । ଦିନେ ଡାଳଗୁଡ଼ିକ ପତ୍ର ଗହଳିରେ ଲୁଚିଗଲେ । ଟିକେ ଟିକେ କରି ନାସପାତି ଗଛଟିର ଡାଳଗୁଡ଼ିକ ମିଚୁରିନ୍ କାଟିପକାଉଥାନ୍ତି । ଦିନେ ଏହା ଦେଖାଦେଲା ଗୋଟିଏ ଅଦ୍ଭୁତ କୁହୁକ ଗଛ ହୋଇ–କାରଣ ଏହାର ଶିଖ ଭାଗଟି ହେଲା ସେଓଗଛ, ଆଉ ମୂଳ ଭାଗଟି ହେଲା ନାସପାତି ଗଛ । ଧାଈମା’ଟିଏ କଅଁଳ ପିଲାଟିକୁ ଛାତିରେ ଜାକି ଧରିଲାପରି ନାସପାତି ଗଛଟି ଆଦରରେ ଧରି ରଖିଲା ସେଓଗଛଟିକୁ, ଆଉ ତାକୁ ବଢ଼େଇବାରେ ଲାଗିଲା ଖୁଆଇପିଆଇ-। ନାସପାତି ଗଛଟି ରସ ଦେଇ ତାକୁ ଖୁଆଉଥିବା ହେତୁରୁ ଡାଳପତ୍ରଗୁଡ଼ିକ ଧାଈମା’ ନାସପାତି ଗଛର ଡାଳପତ୍ର ଭଳି ଦିଶିଲା ଦିନକୁଦିନ ।

 

ହଠାତ୍ ଦିନେ ଘୋର ବିପଦ ଦେଖାଦେଲା । ସାଂଘାତିକ ଭାବରେ ବେମାର ହେଲା ନାସପାତି ଗଛଟି, କ’ଣ କରିବାକୁ ହେବ ? ନୂଆପିଲା ଗଛଟିପାଇଁ ତେବେ କ’ଣ ନୂଆ ଧାଈ ଖୋଜିବାକୁ ହେବ ? ସେମିତି କିଛି ବାଟ ଧରିବାପାଇଁ ମିଚୁରିନ୍‍ଙ୍କ ଇଚ୍ଛା ହେଉ ନଥାଏ । କାରଣ, ସେ ଡରୁଥାନ୍ତି, ନୂଆ ଧାଈମା’ର ପିଲା ପାଳିବା ଧରଣବି ଅଲଗା ହେବ, ସେ ନିଜର ଚାଲିଚଲଣ ଅନୁସାରେ ପିଲାଟିକୁ ବଦଳେଇବାକୁ ଚେଷ୍ଟା କରିବ । ସେ ଦେଖିଲେ ଯେ ପିଲା ଗଛଟି ଯଥେଷ୍ଟ ବଢ଼ିଲାଣି । ଏଣିକି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବ । ରୋଗଣା ନାସପାତି ଗଛର ଗଣ୍ଡିକୁ ସେ ଏମିତି ଭାବରେ ନୁଆଁଇଦେଲେ ଯେ, ତାହାର ସେଇ ଜାଗାଟି ଯାଇ ମାଟିରେ ଲାଗିଲା ଠିକ୍, ଯେଉଁ ଜାଗାରେ ସେଓଗଛ କଲମି ହୋଇଥିଲା । ତେଣିକି ସେଓଗଛଟି ନୂଆ ଚେର ପକେଇଲା, ନିଜ ସୁଖରେ ନିଜେ ରହିଲା । କିନ୍ତୁ ସେଇ ସେଓଗଛଟି ଯେ ନାସପାତିଦ୍ଵାରା ଲାଳିତପାଳିତ ହୋଇଥାଏ ! ତେଣୁ, ନାସପାତି ଗଛର ନିଶ୍ଚିତ ପ୍ରଭାବ ପଡ଼ିଲା ସେଓଗଛ ଉପରେ-

 

ସେଇ ସେଓଗଛଟି ଯେତେବେଳେ ଫଳ ଧରିଲା, ଦେଖାଗଲା ଫଳଗୁଡ଼ିକ ଗୋଟିଏ ଅଲଗା ପ୍ରକାରର ହୋଇଚି । ସେଗୁଡ଼ିକ ସହିତ ନାସପାତିର ବହୁତ ସାମଞ୍ଜସ୍ୟ ଅଛି । ଏଣୁ ଯିଏ ସେଗୁଡ଼ିକ ଦେଖିଲା, ହଠାତ୍ କହିଉଠିଲା–‘‘ଆରେ ସେଗୁଡ଼ିକ କ’ଣ ମ ? ସେଓ ନା ନାସପାତି ?”

 

ଏମିତି ଭାବରେ ଉଭୟ ଘଟିଲା ଗୋଟିଏ ଅଦ୍ଭୁତ ଗଛର । ସମସ୍ତେ ଅପେକ୍ଷା କରିଥାନ୍ତି ସେହି ଗଛଟିର ପିଲାକବିଲାର ଫଳଗୁଡ଼ିକ ସେମିତି ହେବ ନା ଆଉ କେମିତି ହେବ ଏହା ଯଦି ହୁଏ ସମସ୍ତେ କୁହାକୁହି ହେଲେ ତେବେ ଜାଣିବାକୁ ହେବ ଯେ, ମିଚୁରିନ୍ ଗୋଟାଏ ନୂଆ ଫଳ ବାହାର କଲେ ।" ଏହାହିଁ ସତ୍ୟ ହେଲା । ଅଦ୍ଭୁତ ଗଛର ଫଳରୁ–ମଞ୍ଜିରୁ ଯେଉଁ ନୂଆ ଗଛ ଉତୁରିଲା, ସେହି ଗଛର ଯେଉଁ ଫଳ ହେଲା, ତା'ହେଲା ସେଓ ଆଉ ନାସପାତି ମିଶା ଫଳ । ନୂଆଫଳଟି ଗୋଟିଏ କୁହୁକବିଦ୍ୟାର ଭେଳିକି ବୋଲି ଯାହା କୁହା ହେଉଥିଲା ବା ପ୍ରକୃତିର ଖାମ୍‍ଖିଆଲିପଣର ଚିହ୍ନ ବୋଲି ମନେକରାଯାଉଥିଲା, ଅର୍ଥାତ୍ ଯେତେ ଯାହା ସନ୍ଦେହ କରାଯାଉଥିଲା, ତାହା ସବୁ ଉଭେଇଗଲା ।

 

ଏମିତି ଆଉ କେତେକେତେ ନୂଆ ଗଛ ଉପୁଜେଇଲେ ମିଚୁରିନ୍ । ତାଙ୍କ ଭଳି ବ୍ୟକ୍ତିଟିଏ ଯଦି ଜନ୍ମହୋଇ ନଥାନ୍ତେ, ତେବେ ଆଜି ଉତ୍ତରା ଆପ୍ରିକଟ୍ ‘ଉତ୍ତରା ଅଙ୍ଗର’ କି ‘ମିଠା ପାହାଡ଼ିଆ ଆଶ୍ ଓ ଆଉ କେତେ ପ୍ରକାର ଫଳ କି କୋଳି ଦେଖିବାକୁ ଆମେ ପାଇ ନଥାନ୍ତୁ । ନଇଲେ କେବେ ଯଦି ଘଟିଥାନ୍ତା–ଏହାସବୁ ଦେଖିବାକୁ ମିଳିଥାନ୍ତା, ତେବେ ତାହା ଘଟିଥାନ୍ତା ଅନେକ ଅନେକ ଶତାବ୍ଦୀ ପରେ, ଶହ ଶହ ବର୍ଷ ପରେ–ପ୍ରାକୃତିକ ବିବର୍ତ୍ତନ ସୂତ୍ରରେ । ମିଚୁରିନ୍ ଥରେ କହିଥିଲେ, ଆମକୁ ପୋଛିପାଛି ନିଭେଇଦେବାକୁ ହେବ ସମୟକୁ, ଆଉ ଭବିଷ୍ୟତର ‘ଜୀବ’ଗୁଡ଼ିକୁ ଏବେହିଁ ‘ଜୀବନ୍ତ’ କରି ଆଣିବାକୁ ହେବ ଆମ ପାଖକୁ । ଏହା ନହେଲେ ସେଗୁଡ଼ିକର ଆବିର୍ଭାବ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ଶହ ଶହ ଶତାବ୍ଦୀ ।’’

 

ପ୍ରକୃତରେ ସେଇହିଁ ଏକା ଜିଣି ପାରିଥିଲେ ସମୟକୁ, ଜୀବନ୍ତ କରିପାରୁଥିଲେ ଭବିଷ୍ୟତକୁ । ସେ ଯେ କେବଳ ସୁକୁମାର ଦକ୍ଷିଣାଞ୍ଚଳର ଉଦ୍ଭିଦଗୁଡ଼ିକୁ ଶକ୍ତ ଆଉ ସହିଷ୍ଣୁ ଉତ୍ତରାଞ୍ଚଳର ଉଦ୍ଭିଦ ସହିତ ମିଶାଇଥିଲେ, ତାହା ନୁହେଁ । ଏକାବେଳକେ ଭିନ୍ନ ଗୋଷ୍ଠୀର, ଭିନ୍ନ ଜାତିର ଉଦ୍ଭିଦଗୁଡ଼ିକୁ ଘେନି ଗବେଷଣା ଚଳାଇଥିଲେ ପ୍ରଗାଢ଼ ଅଧ୍ୟବସାୟ ସହିତ । ସେ ଯୋଡ଼ି ଖୁଆଇଥିଲେ ଗୋଟିଏ କୋଳିକୁ ଅପ୍ରକଟ ସାଥିରେ, ମିଠା ଚେରିକୁ ଖଟା ଚଢ଼େଇଖିଆ ଚେରି ସହିତ କଣ୍ଟା ଗଛର ଅଖିଆ ଫଳ କୋଳି ସାଥିରେ, ପାହାଡ଼ିଆ ଆଶ୍‍କୁ "ହଥର୍ଣ୍ଣ" ଆଉ ମେଡ଼ଲର ସହିତ ।

 

ବଡ଼ କଠିନ, ବଡ଼ ଦୁସାଧ୍ୟ ଥିଲା ତାଙ୍କର କାମ । ତଥାପି, ଟିକିଏ ବିଚଳିତ ହୋଇ ସେ କାମ ସେ ଛାଡ଼ି ଦେଇ ବସି ପଡ଼ି ନଥିଲେ କେବେହେଲେ । ଥରେ ତାଙ୍କର ଫଳ ବଗିଚାଟି ବଢ଼ିପାଣିରେ ବୁଡ଼ିଯାଉଥିଲା, ଆଉ ସେଇ ବଢ଼ି ପଛେ ପଛେ ଠିକ୍ ମାଡ଼ି ଆସିଥିଲା ଭୟଙ୍କର କୁହୁଡ଼ି । ଛୋଟ ଛୋଟ ଗଛଗୁଡ଼ିକୁ ଏକାବେଳକେ ପୋତିପକେଇଥିଲା ବରଫରେ । ମୂଲ୍ୟବାନ ଗଛସବୁ ନଷ୍ଟ ହୋଇ ମୂଳପୋଛ ହୋଇଯାଇଥିଲା ପୂରାପୂରି । କେଡ଼େ ଧୈର୍ଯ୍ୟର ସହିତ କି ଯତ୍ନରେ, କେତେ ପରିଶ୍ରମରେ ସେ ସେଗୁଡ଼ିକ ବଢ଼ାଉ ନଥିଲେ ! କିନ୍ତୁ ଏମିତି ବିପଦ ପଡ଼ିଲେବି ସେ ଉତ୍ସାହ ହରେଇ ନଥିଲେ, ମୁଣ୍ଡ କୋଡ଼ି ନଥିଲେ । ବିପତ୍ତିରେ ଦବି ନଯାଇ ଆହୁରି ଅଧିକ ଜୋରରେ ଲାଗିପଡ଼ିଥିଲେ ନିଜ ସାଧନାରେ–ଆହୁରି ଅଧିକ ଦୃଢ଼ତାର ସହିତ ଖଟିଥିଲେ । ତାଙ୍କର ପ୍ରତ୍ୟେକଟି ଗବେଷଣାର ଫଳାଫଳ ଜଣାପଡ଼ିବାକୁ ଅନେକ ବର୍ଷ ଲାଗୁଥିଲା । କାରଣ, ଗଛଟିଏ ବଢ଼ିବାକୁ ଆଉ ଫଳିବାକୁ ତ ବର୍ଷ ବର୍ଷ ବିତିଯାଏ ! ସେଥିପାଇଁବି ତାଙ୍କୁ ଅପେକ୍ଷା କରି ରହିବାକୁ ହେଉଥିଲା ।

 

ତାଙ୍କ ସମୟରେ ଉଦ୍ୟାନପାଳକ ବା ମାଳୀମାନେ ବିଶ୍ୱାସ କରୁଥାନ୍ତି ଯେ, ଭାଗ୍ୟରେ ଥିଲେ ଭଲ ଜାତିର ସେଓ କି ନାସପାତି ଫଳେ । ମିଚୁରିନ୍ କିନ୍ତୁ ଜାଣିଥିଲେ, ଭାଗ୍ୟକୁ ଧରି ବସିବା ଗୋଟାଏ ଫାଙ୍କା କଥା । ତା’ର କିଛି ଅର୍ଥ ନାହିଁ । ସେ ସେଥିପାଇଁ ଅନେକ ସମୟରେ କହୁଥିଲେ, "ପ୍ରକୃତି ଆମକୁ ହାତ ଟେକି କିଛି ଦେବ, ଆମ ପ୍ରତି ଅନୁକୂଳ ହେବ, ଏମିତି ବିଚାରିବା ଭୁଲ । ଆମକୁ ପ୍ରକୃତି ହାତରୁହିଁ ସବୁ ଛଡ଼େଇ ଆଣିବାକୁ ହେବ ।’’

 

ସେତେବେଳେ ମିଚୁରିନ୍‍ଙ୍କୁ ମାନଚିତ୍ର ପାଖରେ ବସି, ତାକୁ ଅନେଇ ଅନେଇ ଭାବିବାକୁ ପଡ଼ୁଥିଲା–ଉତ୍ତରାଞ୍ଚଳରେ ଭଲ ଫଳଗଛ ଲଗେଇ ସେଥିରୁ ଫଳ ଆଦାୟ କରିବାକୁ ହେବ କେମିତି । ଦିନେ ହେଲେ ଦିନେ ଏହା ସମ୍ଭବ କରିବାକୁ ପଡ଼ିବ । କିନ୍ତୁ ଏବେ ଆଉ ଏହା ଗୋଟିଏ ଛୋଟପିଲାର ସ୍ଵପ୍ନ ହୋଇ ରହିନାହିଁ । କାରଣ, ନିଜ ଉଦ୍ୟମରେ, ଶ୍ରମରେ ସେ ଏହାକୁ ସତ କରିଯାଇଛନ୍ତି, ବାସ୍ତବ କରିଯାଇଛନ୍ତି ।

 

ନିଜ ଫଳବଗିଚାରେ ସେ ତିନିଶହ ପ୍ରକାରର ନୂଆ ନୂଆ ଫଳ ଓ ଅନ୍ୟାନ୍ୟ ଗଛ ଉତାରିଥିଲେ । ଆଉ ଏହାଠୁ ବଳି ବଡ଼କଥା ହେଉଛି, ନୂଆ ନୂଆ ଗଛ କେମିତି ସୃଷ୍ଟି କରିବାକୁ ହେବ, ଏହି ବିଷୟରେ ଯେଉଁ ବିଜ୍ଞାନ ଶିକ୍ଷାଦିଏ, ସେହି ବିଜ୍ଞାନର ମୂଳଦୁଆ ପକାଇଥିଲେ, ତା’ର ପ୍ରତିଷ୍ଠା ଆଣିଥିଲେ । ନମସ୍ୟ, ସେ ଆମର ଆଦର୍ଶ । ସମୁଦାୟ ଜୀବନଟି ସେ ନୂଆ ନୂଆ ଦରକାରୀ ଯୋଜନାରେ ନିୟୋଗ କରିଥିଲେ । ଯେତେବେଳେ ଆଗେଇବା ବିପଦସଙ୍କୁଳ ହେଉଥିଲା, ସେତେବେଳେ ସେ ତିଳେହେଲେ ହତାଶାରେ ତାହା ଛାଡ଼ି ବସିପଡ଼ି ନଥିଲେ ।

 

ଜୀବନର ଏହି କଠୋର ସାଧନା ଆରମ୍ଭ କଲାବେଳେ ତାଙ୍କର ନିଜର ବୋଲି ବାରି ଖଣ୍ଡିଏ କି ବଗିଚାଟିଏ ନଥିଲା । ସହରର ‘ଅଳିଆ’ଯାକ ଯେଉଁଠି ଜମା ହେଉଥିଲା, ତାହାରି ପାଖରେ ଚେନାଏ ଅନାବାଦି ପଡ଼ିଆ ଉପରେ ସେ ପ୍ରଥମେ ସେଓ ଆଉ ନାସପାତି ଗଛ ଲଗେଇଥିଲେ । ସେଇ ଚେନାକ ଜମି ଏଡ଼େ ଛୋଟ ଥିଲା ଯେ ପ୍ରତ୍ୟେକ ଇଞ୍ଚ୍ ଜାଗାପାଇଁ ତାଙ୍କୁ ପ୍ଲାନ୍ ବା ଯୋଜନା କରିବାକୁ ପଡ଼ିଥିଲା । ନୂଆ ନୂଆ ମଞ୍ଜି, ନୂଆ ନୂଆ ଗଛର ଚାରା ଆଉ ତଳି କିଣି ଗବେଷଣା ବା ପରୀକ୍ଷା ଚଳାଇବା ପାଇଁ ପଇସାପତ୍ର ଦରକାର ହେଉଥିଲା । ସେଥିପାଇଁ ବହୁତ ସମୟ ଧରି ସେ ଘଡ଼ି ମରାମତି କରୁଥିଲେ । ଥରେ ବଗିଚାଟିକୁ ଆଉ ଗୋଟିଏ ନୂଆ ଜାଗାକୁ ନେବାକୁ ପଡ଼ିଲା । ସେତେବେଳେ ଗାଡ଼ିଟିଏ ଭଡ଼ା କରିବାକୁ ତାଙ୍କ ପାଖରେ ପଇସାଟିଏ ନଥାଏ । ସେ ସେଓ, ନାସପାତି, ଚେରି ପ୍ରଭୃତି ଗଛର ଚାରାଗୁଡ଼ିକ ନିଜେ ପିଠିରେ ମୁଣ୍ଡରେ ଚାରି ମାଇଲ ବାଟ ବୋହି ନୂଆ ଜାଗାକୁ ନେଇଥିଲେ । କେତେ ଜଣ ବା ସେତେବେଳେ ଜାଣିଥିଲେ କି ଅଦ୍ଭୁତ ଆବିଷ୍କାରମାନ କରୁଥାନ୍ତି ମିଚୁରିନ୍ ! ମହାନ୍ ବିଜ୍ଞାନୀ ଥିଲେ ସେ । କିନ୍ତୁ ତାଙ୍କୁ ସମସ୍ତେ ମନେକରୁଥାନ୍ତି ନିରୀହ, ସରଳ, ନିଜ ହାତରେ ନିଜେ ମଣିଷ ହୋଇଥିବା ମାଳୀଟିଏ । କାରଣ, ସେ ତ ଆଉ ‘ଅଧ୍ୟାପକ’ ନଥିଲେ ।

 

ଜାର୍–ସରକାର ସେତେବେଳେ ତାଙ୍କୁ କୌଣସି ସାହାଯ୍ୟ ତ କରି ନଥିଲା, ବରଂ ଜାର୍-। ସରକାର ଅଫିସରମାନେ ତାଙ୍କ କାମରେ ବାଧା ସୃଷ୍ଟି କରୁଥିଲେ ।

 

ସୋଭିଏତ ସରକାର ଶାସନ କ୍ଷମତାକୁ ଆସିଲା ପରେ ସବୁ ବଦଳିଯାଇଥିଲା–ସମଗ୍ର ଦେଶ ସେତେବେଳେ ତାଙ୍କୁ ସାହାଯ୍ୟ କରିବାପାଇଁ ଆଗଭର ହୋଇ ଆସିଥିଲା ।

 

ସୋଭିଏତରେ ଏବେ ବହୁତ ଫଳ-ଉଦ୍ୟାନ ଅଛି, ଯେଉଁଠି ମିଚୁରିନ୍‍ଙ୍କର ଅଦ୍ଭୁତ ଫଳମାନ ଫଳୁଚି । ତାଙ୍କର ହଜାର ହଜାର ଅନୁଗାମୀ ତାଙ୍କର ଗବେଷଣା କାର୍ଯ୍ୟ ଚଳେଇଛନ୍ତି, ଆଉ ଭବିଷ୍ୟତ ପାଇଁ ନୂଆ ଗଛମାନ ସୃଷ୍ଟି କରିବାରେ ଲାଗିଛନ୍ତି ।

 

 

 

 

 

 

 

 

 

 

 

 

 

ଆମର ଉତ୍ସବ

 

ଆଜି ଗୋଟିଏ ଛୁଟିର ଦିନ । ତମକୁ ପଚାରିଲେ, ତମେ ସଙ୍ଗେ ସଙ୍ଗେ ଏକଥା କହିବ । କାରଣ, ଘରଗୁଡ଼ିକ ଆଜି ବେଶ୍ ସଫାସୁତୁରା ହୋଇଚି; ଝଡ଼ାଝଡ଼ି ହୋଇ ଝକ୍‍ଝକ୍ କରୁଚି, ଚୌକିଟେବୁଲ ସଜାସାଜି ହୋଇଛି, ବରଫ ପରି ଧଳା ଚାଦର ବିଛା ହୋଇଛି ଟେବୁଲ ଉପରେ । ଆଉ ସବୁଠୁ ମଜାର କଥା ହେଉଚି, ରୋଷେଇଘରୁ ଆସୁଚି କେମିତିକା ଚମତ୍କାର ବାସନା । ସମସ୍ତେ ପୁଣି ଭଲ ପୋଷାକପତ୍ର ପିନ୍ଧି କେମିତି ‘ତନଛନ’ ! ତମର ହାତଯୋଡ଼ିକ ପୁଣି ଏତେ ପରିଷ୍କାର ହୋଇଚି, ବେଳେବେଳେ ତମକୁ ଆଶ୍ଚର୍ଯ୍ୟ ଲାଗୁଚି–ଏହା କେମିତି ହେଲା । ତମ ଦେହରେ ନୂଆ ପୋଷାକ, ବଡ଼ ଅପୂର୍ବ ଲାଗୁଚି । ଗୋଟାଏ ବିଶେଷ କ’ଣ ପର୍ବ । ସେଇ ପର୍ବକୁ ସମ୍ମାନ ଦେଖେଇବା ଲାଗି ଟିକିଏ କିଛି ତ୍ୟାଗ କରିବାକୁ ତୁମେ କୌଣସିମତେ ରାଜି ହୋଇଯାଇଚ ପରା !

 

ଦିନ ସରୁନାହିଁ କି ବେଳ ଗଡ଼ୁ ନାହିଁ । ତୁମେ ଆଜି ଜମା ଖେଳି ପାରୁନାହିଁ । ମନା ହୋଇଚି ଚୌକିଟେବୁଲ୍ ଘୋଷରାଘୋଷରି ଟଣାଓଟରା କରିବାପାଇଁ, ଖେଳଣାଗୁଡ଼ାକ ବାହାର କରିଆଣି ଘରଯାକ ଏଣେତେଣେ ଫିଙ୍ଗାଫୋପଡ଼ା କରିବାପାଇଁ । ତମ କଟୁରିଟା ଆଉ ସେଇ ଦରଦର କଟା କାଗଜଗୁଡ଼ିକୁବି ଆଜି ଛୁଟି ମିଳିଯାଇଚି ।

 

ଘରକୁ କୁଣିଆମଇତ୍ର ଆସିବେ । ସେମାନେ ନ ଆସିବା ଯାଏଁ କିଛି କାମ ନାହିଁ ତମ ହାତରେ । ଖାଲି କାଉଚରେ ‘ତନଛନ୍’ ହୋଇ ବସିଥା’, ବହି ପଢ଼ିଥା’ କି ରେଡ଼ିଓ ଶୁଣୁଥା’ । ନକଲେ ଝରକାରେ ମୁହଁ କାଢ଼ି ବାହାରକୁ ଅନାଉଥା’ । ଏଃ, ଏଇ ହେଉଚି କାମ ! ଏଥିରେ କି ମନ ମାନେ । ହେଇ ମାଆ ଡାକିଲେ–“ଗଲୁ ଗଲୁ, ଦୋକାନକୁ ଗଲୁ ଟିକିଏ । ହେଇ ପୁଣି କହିଲେ, “ଯା’ ତ ଆମର ପଡ଼ୋଶୀଙ୍କ ଘରୁ ଅମୁକ ଜିନିଷଟା ମାଗିଆଣିବୁ ।” ଏଥର ଭାରି ଭଲ ଲାଗିଲା । ଯାହା ହେଉ, କିଛି ତ ହେଲେ କାମ ମିଳିଲା ।

 

ଆରେ, କୁଣିଆମଇତ୍ର ସବୁ ପହଞ୍ଚିଗଲେ ଯେ ! କେଡ଼େ ମଜା ସତେ ! ମଉଜଟା ଆରମ୍ଭ ହୋଇଗଲା–ଗପ୍‍ସପ୍, ଖିଆପିଆ, ନାଚଗୀତ କେତେକଅଣ !

 

ଏମିତି ଆମେ ସବୁ ଆମ ଘରେ ପର୍ବପର୍ବାଣି, ଜନ୍ମଦିନ, କି ବର୍ଷିକିଆ ଉତ୍ସବ ପାଳୁ । କିନ୍ତୁ ଏମିତି କେତୋଟି ବାର୍ଷିକ ଉତ୍ସାବ ପଡ଼େ, ଯାହାକୁ ପାଖପଡ଼ୋଶୀ କିଏ ଯେ ନ ପାଳେ, ଏମିତି ନୁହେଁ । ଘରେ ଘରେ ସମସ୍ତେ ଏ ଉତ୍ସବରେ ମାତିଯା’ନ୍ତି । ଆମ ସାହିରେ ଆମ ସହରରେ, ଆମର ସମୁଦାୟ ଦେଶରେ ସମସ୍ତେ ଭୋଳ ହୋଇଯାଆନ୍ତି ଏଇ ଉତ୍ସବରେ ।

 

ତମେ ତ ଦେଖିଥିବ–

 

ମଇ ପହିଲାରେ କେଇଟି ଦିନ ଆଗରୁ, ଆଉ ସୋଭିଏତ୍ ରାଷ୍ଟ୍ରର ଜନ୍ମଦିନ ନଭେମ୍ବର ସାତରେ ଆମ ସହରର ଚେହେରା କେମିତି ବଦଳିଯାଏ । କେଡ଼େ ସୁନ୍ଦର, କେଡ଼େ ଜାକଜମକିଆ ହୋଇଉଠେ । ଝରକାରୁ ସବୁ ବାହାରକୁ ଝୁଲେ ମାଳକୁ ମାଳ ପତକା । ଲାଲ ଲାଲ ଲମ୍ବା ନେତ ସବୁରେ କେତେ ‘ସ୍ଲୋଗାନ’ ଲେଖାଯାଇ ଟଙ୍ଗା ହୁଏ ମସ୍ତ ମସ୍ତ ବଡ଼ କୋଠାରେ ସବୁ । ସବୁଜ ରଙ୍ଗର ଫ୍ରେମ୍‍ରେ ସଜାହୋଇ କାନ୍ଥରେ ସୋଭାପାଏ ବଡ଼ବଡ଼ ଲୋକଙ୍କର ଛବିସବୁ । ଇଲେକ୍‍ଟ୍ରିକ୍ କାରିଗରମାନେ ‘ବଲବ୍’ ଜଳେଇ ସେଥିରେ ସଜେଇ ଦେଇଥାନ୍ତି ‘ସ୍ଲୋଗାନ୍‍ର ଶବ୍ଦଗୁଡ଼ିକ । ସେଦିନ ରାତିରେ ହଜାର ହଜାର ହରରଙ୍ଗୀ ଆଲୁଅ ଜଳିଉଠେ–ବିରାଟ ବିରାଟ କୋଠା ଉପରେ, ଛାତରେ । ଆଲୁଅ-ଚକ୍ରି ସବୁ ଅନବରତ ଘୂରିବାକୁ ଲାଗେ ସେଇ ଛାତଗୁଡ଼ିକରେ-। ସାପ ଭଳି ଆଲୁଅର ଧାରସବୁ ତଳୁ ଉପର, ଉପରତଳ ହୁଏ କୋଠାଘରର କାନ୍ଥରେ-। ଆଉ ଯେଉଁଆଡ଼େ ଚାହିଁବ, ସେଇଆଡ଼େ ଝଲସେ ସ୍ଲୋଗାନ୍ ।

 

‘ମଇ ଦିବସରେ’ ଗୋଟିକ ପରେ ଗୋଟିଏ ଅକ୍ଷର ଆଲୁଅରେ ଝଲସିଯାଇ ଜଣାଉଥାଏ ‘ମଇ ଦିବସ’; ନଭେମ୍ବର ସତରେ ଉଜ୍ଜ୍ୱଳିଉଠେ ସଂଖ୍ୟାଗୁଡ଼ିଏ, ଗୋଟିକ ପରେ ଗୋଟିଏ । ସେଇଥିରୁ ଜଣାଯାଏ, କେତେ ବର୍ଷ ବୟସ ହେଲା ସୋଭିଏତ୍ ରାଷ୍ଟ୍ରର ।

 

ତମେ ଅଧୀର ହୋଇ ‘କ୍ୟାଲେଣ୍ଡର’ର ପୃଷ୍ଠା ଓଲଟାଅ କେତେ ଆଗରୁ । ମନେମନେ ଭାବୁଥାଅ, ଆଉ କେତେ ଦିନ ରହିଲା ସେ ବଡ଼ ପର୍ବଟା ।

 

ସେଇ ପର୍ବର ପୂର୍ବଦିନ ତମେ ଖାଲି ଉତ୍କଣ୍ଠାରେ ଅନେଇଥାଅ ଆକାଶକୁ–ବିମାନଚାଳକ ଯେମିତି ଦୂରକୁ ବିମାନ ଉଡ଼େଇ ଯିବା ଆଗରୁ ବାରମ୍ବାର ଆକାଶକୁ ଅନାଏ, ସେମିତି । ଆସନ୍ତାକାଲି ପାଗଟା କେମିତି ହେବ ଯେ ? ଯଦି ଝଡ଼ବତାସ ନହୁଏ, ବରଫ ନ ପଡ଼େ, ତେବେ ବାପା ତମର ନିଶ୍ଚୟ ନେବେ ତମକୁ ଶୋଭାଯାତ୍ରା ଦେଖିବାକୁ ।

 

ଶେଷରେ “ଆସନ୍ତାକାଲିଟା” କେତେବେଳେ ବଦଳିଯାଇ ହୋଇଯାଏ “ଆଜି ।”

 

କାଳି ଅନ୍ଧାରରୁ ବିଛଣାରୁ ଉଠିପଡ଼ି ଆଗ ତମେ ଅନାଅ ଝରକାବାଟେ । ଆରେ କି ଭାଗ୍ୟରେ ! କାଇଁ କେଉଁଠି ମେଘ ଖଣ୍ଡେ ନାହିଁ ଆକାଶରେ, ରାସ୍ତାରେବି ଯାନବାହନର ଯା-ଆସ ନାହିଁ–ଚାରିଆଡ଼େ କେମିତି ଶାନ୍ତ, ନିରବ ! ଦୂରକୁ କେଉଁଠୁଁ ଭାସିଆସୁଚି ସୁମଧୁର ବାଦ୍ୟଲହରୀ । ରାସ୍ତା ମଝିରେ ଯା-ଆସ କରୁଛନ୍ତି ଲୋକେ । ଛୋଟ ଛୋଟ ଦୋକାନସବୁ ବସିଯାଇଚି ଠାଆକୁ ଠାଆ । ଧଳା ଧଳା ପୋଷାକ ପିନ୍ଧି ଦୋକାନୀମାନେ ବଡ଼ବଡ଼ କାଠ–ବାକ୍ସ ଆଉ ଝଡ଼ିମାନ ଫିଟେଇ ବାହାର କରୁଛନ୍ତି କେତେ ଜାତିର ଲୋଭନୀୟ ମିଠେଇ, ସୁନ୍ଦର ସୁନ୍ଦର ସେଓ, ନାସପାତି ଆଉ ବିସ୍କୁଟ୍ ।

 

ଧଡ଼ପଡ଼ ହୋଇ ଧାଇଁଯାଇ ସଫାସୁତୁରା ହୋଇ ପୋଷାକପତ୍ର ପିନ୍ଧି ପକାଅ ତମେ ! ଆଖି ପିଞ୍ଚୁଡ଼ାକେ ବାହାରି ଛିଡ଼ା ହୋଇଯାଅ ରାସ୍ତାକଡ଼ରେ ଗଲାବାଟରେ ।

 

ଶେଷରେ ରାସ୍ତାରେ ଗୋଟିଏ ମୁଣ୍ଡରେ କେତେ ଦୂରରେ ସତେ ଦେଖାଯାଏ ପ୍ରଥମ ଦଳଟି । ଆଗରେ ତା’ର ବ୍ୟାଣ୍ଡ୍‍ବାଜା ଦଳ । ତାଙ୍କର ପିତ୍ତଳ ତିଆରି ବାଇଦସବୁ ଚକ୍‍ଚକ୍ କରୁଥାଏ ଖରାରେ । ସେଥିରୁ କେତେଗୁଡ଼ିକର ସ୍ଵର ଗମ୍ଭୀର, ଆଉ କେତୋଟିର ତୀକ୍ଷ୍ଣ; କେତୋଟିର ପୁଣି ବଇଁଶୀର ସ୍ଵର ଭଳି । ବିରାଟ ପିତ୍ତଳ ଡ୍ରମ୍‍ଟାର ଧ୍ୱନି କିନ୍ତୁ ସବୁ ସ୍ଵରକୁ ବୁଡ଼ାଇ ପକାଏ । ଅଥଚ ତା’ର ସ୍ଵରଟି କେଡ଼େ ନୀଚା । ଏଇଟି ଗୁରୁତ୍ଵପୂର୍ଣ୍ଣ ସବୁ ବାଜା ଭିତରେ, ରୂପରେ ଆଉ ଗୁଣରେ ନିଜକୁ ଖୁବ୍ ବଡ଼ ବିଚାରେ ନିଶ୍ଚୟ !

 

ପ୍ରତି ଦଳର ଆଗରେ ବଡ଼ବଡ଼ ପତାକା ଧରି ଚାଲିଛନ୍ତି ଜଣେ ଜଣେ । ହେଇ ଆସିଲେ ଜୋତା କାରଖାନାର ଶ୍ରମିକମାନେ । ତାଙ୍କ ପଛେ ପଛେ ଆସିଲେ ପ୍ରେସ୍‍ର ଲୋକେ । ତା’ପରେ ଟ୍ରାମ୍-ଚାଳକ, ଟ୍ରାମ୍ କଣ୍ଡକ୍ଟର୍ ଦଳ ।

 

ଏହା ଭିତରେ ଆମର ଅନେକ ସନ୍ଧ୍ୟା ବିତିଗଲାଣି, ଯେତେବେଳେ ଆମେ ଆମର ଚାରିଆଡ଼େ ଥିବା ଲୋକଙ୍କ ବିଷୟରେ ବହୁତ କଥାବାର୍ତ୍ତା ହୋଇଛୁ । ଆମେ କାଠ–କଟାଳି, ଖଣିଶ୍ରମିକ, ଇଟାଗଢ଼ାଳି, ଲୁହାଢ଼ଳେଇ ଶ୍ରମିକ, ରୁଟିସେକାଳି, ପାଣିକଳ ଶ୍ରମିକ, କଳମିସ୍ତ୍ରି, ଚମଡ଼ାକଳ ଶ୍ରମିକ ଆଉ ବୁଣାକାରମାନଙ୍କ କଥା ପକେଇଛୁ ।

 

ତମର ପେନ୍‍ସିଲ୍ ଆଉ ଖାତାଠୁଁ ଆରମ୍ଭ କରି ଘରେ ତମେ ରହୁଛ, ତା’ର ଛାତ ପର୍ଯ୍ୟନ୍ତ ତମର ଯାବତୀୟ ଜିନିଷ ଆଉ ସୁଖସୁବିଧା ପାଇଁ ଯେଉଁମାନେ ଜିନିଷ ଯୋଗାଉଛନ୍ତି, ସେମାନେ ହେଉଛନ୍ତି ସେହି ଲୋକେ ସବୁ ।

 

ସୋଭିଏତ୍ ରୁଷରେ ପିଲାଙ୍କପାଇଁ ଯେମିତି ସ୍କୁଲ୍‍ସବୁ ଅଛି, ସେମିତି ଥିଏଟର, ଲାଇବ୍ରେରି ଓ ଖେଳିବା ସକାଶେ ଷ୍ଟାଡ଼ିୟମ୍‍ମାନ ଅଛି । ଏମିତିକି ପିଲାଙ୍କପାଇଁ ରେଳରାସ୍ତା, ରେଳଇଞ୍ଜିନ୍ ଓ ରେଳଡ଼ବାମାନ ଅଛି । ସେଗୁଡ଼ିକ ପ୍ରକୃତ ରେଳଗାଡ଼ି, ପ୍ରକୃତ ରେଳରାସ୍ତା ଷ୍ଟେସନ୍‍ସବୁ ଅଛି । ଲାଲଟୋପି ଆଉ ପାୟୋନିୟର ନେକ୍‍ଟାଇ ଲଗେଇଥିବା ଷ୍ଟେସନ୍‍ମାଷ୍ଟର ଅଛନ୍ତି ।

 

ପୃଥିବୀରେ କୌଣସି ଦେଶ ସୋଭିଏତ୍ ରୁଷ୍ ଭଳି ପିଲାଙ୍କ ବିଷୟରେ ଏତେ ତତ୍ତ୍ଵ ନିଏନାହିଁ । ପିଲାଏ ତେଣୁ ଭଲ ହେବା ଉଚିତ । ଏହା ହେଲେ ସେମାନେ ସୁଖସୁବିଧାଗୁଡ଼ିକ ପାଇବାପାଇଁ ହକ୍‍ଦାର ହେବେ । ସୋଭିଏତ୍ ରୁଷ୍‍ରେ ସମସ୍ତେ କାମ କରନ୍ତି; ପିଲାଏ ମଧ୍ୟ କିଛି କାମ କରିବା ଉଚିତ । କିନ୍ତୁ ପିଲାଙ୍କର ପ୍ରଧାନ କାମ କ’ଣ ? ସେଇଟି ହେଉଚି, ଭଲଭାବେ ସ୍କୁଲ୍‍ରେ ପଢ଼ାପଢ଼ି କରିବା ।

 

ଆଜିର ଛୁଟିଦିନଟି ହେଉଚି ଶ୍ରମିକମାନଙ୍କର । ହେଇ ଦେଖ, ତୁମର କୋଟ୍‍ଟି ଯେଉଁ କାରଖାନାରେ ତିଆରି ହୋଇଚି, ସେଇ କାରଖାନାର ଶ୍ରମିକମାନେ ଆସୁଛନ୍ତି । ତାଙ୍କ ପଛରେ ହେଇ ରୁଟିସେକାଳି ଶ୍ରମିକସବୁ । ସେମାନେ ଯେଉଁ ରୁଟି ଓ ‘ବନ୍’ ତିଆରି କରନ୍ତି, ତୁମେ ତାକୁ ପ୍ରତିଦିନ ଖାଅ ।

 

ସୋଭିଏତ୍ ରୁଷରେ କେତେ କାରଖାନା, କେତେ ଖଣି, କେତେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, କେତେ ରେଳରାସ୍ତା ! ଆଉ ଏହିସବୁ ଶିଳ୍ପସଂସ୍ଥାରେ କାମ କରୁଛନ୍ତି କେତେକେତେ ଶ୍ରମିକ-! ପ୍ରତ୍ୟେକ ଜଣଙ୍କର କାମ ଅଲଗା, ଦାୟିତ୍ଵ ଅଲଗା କିନ୍ତୁ ସମସ୍ତେ କାମ କରୁଛନ୍ତି ଗୋଟିଏ ମାତ୍ର ଲକ୍ଷ୍ୟ ସାଧନପାଇଁ ।

 

ଏଡ଼େ ବଡ଼ ଦେଶ ଏଇ ସୋଭିଏତ୍ ରୁଷ୍ । ଏହାର ଏତେ ଲୋକ ଏକାଠି ମିଳିମିଶି ନିଜ ନିଜ ମଧ୍ୟରେ ତାଳ ରଖି କେମିତି କାମ କରୁଛନ୍ତି ଯେ ? ଗୋଟିଏ ଗାଁରେ ଅଳ୍ପ ଲୋକ ଥାଆନ୍ତି, ସେମାନଙ୍କ ପକ୍ଷରେ ଏକାଠି ମିଳିମିଶି କାମ କରିବା ସହଜ । ସେଥିପାଇଁ ଖୁବ୍‍ହେଲେ ସେମାନଙ୍କୁ ସଭାଟିଏ ଡାକିବାବୁ ପଡ଼େ–‘‘ଗାଁ ସୋଭିଏତ’କୁ (ଭାରତ ଗ୍ରାମପଞ୍ଚାଏତ ଭଳି) ଭଲ ଭଲ କେତେ ଜଣ ଶ୍ରମିକମାନଙ୍କୁ ସଭ୍ୟରୂପେ ବାଛିବାକୁ ହୁଏ । ଏହି ‘ଗାଁ ସୋଭିଏତ୍’ ଗାଁଟିର ସ୍ଥାନୀୟ ବ୍ୟବସ୍ଥା ପ୍ରତି ଦୃଷ୍ଟିଦିଏ, ସମସ୍ତଙ୍କୁ ନିର୍ଦ୍ଦେଶ ଦେଇ ଏକାଠି ଚଳାଏ ।

 

ସହରଗୁଡ଼ିକରେ ଶୃଙ୍ଗଳା ଯେମିତି ରହିବ, ସେଥିଲାଗି ସେଠା ବାସିନ୍ଦାମାନେ ଜିଲା ସୋଭିଏତ୍ ଓ ସହର ବା ନଗର ସୋଭିଏତମାନ ନିର୍ବାଚନ ସତ୍ରରେ ଗଢ଼ନ୍ତି । ଗାଁ ଆଉ ସହର ଲୋକେ ନିର୍ବାଚନ କରି ନିଜ ନିଜ ଭିତରୁ ସଭ୍ୟ ବାଛି ସର୍ବୋଚ୍ଚ ସୋଭିଏତକୁ ପଠାନ୍ତି । ଏହି ସର୍ବୋଚ୍ଚ ସୋଭିଏତ୍ ହେଉଚି ରୁଷରେ ଭାରତର ପାର୍ଲିଆମେଣ୍ଟ୍ ଭଳି ସବୁଠାରୁ ବଳି ବଡ଼ ଶାସନ-ସଭା ।

 

କିଏସବୁ ନିର୍ବାଚିତ ହୁଅନ୍ତି ? ଯେଉଁ ଶ୍ରମିକମାନେ ତାଙ୍କ କାରଖାନାରେ ବା କୋଠଫାର୍ମରେ ଖୁବ୍ ଦାୟିତ୍ଵପୂର୍ଣ୍ଣଭାବରେ ସବୁଠାରୁ ଭଲ କାମ କରନ୍ତି ଏବଂ ସବୁବେଳେ ଲୋକଙ୍କର ଭଲପାଇଁ ଭାବୁଥାଆନ୍ତି, ସେଇମାନଙ୍କୁ ପ୍ରତିନିଧି ନିର୍ବାଚନ କରାଯାଏ । ଏଇ ପ୍ରତିନିଧିମାନେ ସମଗ୍ର ଜାତିର ମଙ୍ଗଳପାଇଁ ଯତ୍ନ କରିପାରିବେ ।

 

ସର୍ବୋଚ୍ଚ ସୋଭିଏତର ବୈଠକ ବସେ ମସ୍କୋରେ । ସେଠାରେ ସବୁ ନିର୍ବାଚିତ ପ୍ରତିନିଧି ଏକାଠି ହୁଅନ୍ତି । କିଏ ରେଳରେ, କିଏ ନଈ ବାଟେ ବୋଟ୍‍ରେ, କିଏ ବା ଉଡ଼ାଜାହାଜରେ ଆସି ପହଞ୍ଚନ୍ତି ଦେଶର ଅତି ଦୂରଦୂରାନ୍ତ ସ୍ଥାନରୁ । ଏହି ପ୍ରତିନିଧିମାନେ ଏକାଠି ବସନ୍ତି କ୍ରେମଲିନରେ, ଗୋଟିଏ ଅତି ସୁନ୍ଦର ସୁରମ୍ୟ ଭବନରେ ।

 

ସୋଭିଏତରେ ଅନେକ ଉପଜାତିର ଲୋକ ଅଛନ୍ତି । କେତେକ ଥାଆନ୍ତି ଉତ୍ତରାଞ୍ଚଳରେ । ବର୍ଷକରେ ଅଧିକାଂଶ ସମୟ ସେମାନଙ୍କ ଦେହରେ ‘ଲୋମ’ର କୋଟ୍, ଟୋପି ଥାଏ, ଗୋଡ଼ରୁ ବୁଟ୍ ଜୋତା କଢ଼ା ହୁଏନାହିଁ । ଅନ୍ୟ ଦିଗରେ କେତେକ ଜାତିର ଲୋକ ଅଛନ୍ତି, ଯେଉଁମାନେ ବର୍ଷକଯାକ ସିଲ୍କରେ ତିଆରି ଲମ୍ବା ପୋଷାକପତ୍ର ପିନ୍ଧନ୍ତି । କାରଣ, ସେମାନଙ୍କ ବସବାସ ଅଞ୍ଚଳଗୁଡ଼ିକ ଅପେକ୍ଷାକୃତ ଗରମ ଅଞ୍ଚଳ ।

 

ପ୍ରତ୍ୟେକ ଉପଜାତିର ଲୋକେ ନିଜ ନିଜର ପ୍ରତିନିଧି ସର୍ବୋଚ୍ଚ ସୋଭିଏତ୍ ପଠାନ୍ତି । ସେଠି ସେମାନେ ଦେଶର ଭଲମନ୍ଦ କଥା ବିଚାର କରନ୍ତି । ସେମାନେ ଦେଖନ୍ତି–ଦେଶର ସବୁଠି ଯୋଜନା ମୁତାବକ ଠିକ୍‍ରୂପେ କାମ ଚାଲିଚି କି ନାହିଁ । କେତେ ନୂଆ କାରଖାନା, ଇଲେକ୍‍ଟ୍ରିକ୍ କେନ୍ଦ୍ର ରେଳବାଇ, ବଡ଼ବଡ଼ ‘ନିବାସ’-ଘର, ସ୍କୁଲ୍‍, ଲାଇବ୍ରେରି ଆଗାମୀ ବର୍ଷରେ ବସିବ କି ନାହିଁ । ସେମାନେ ତମ ଭଳି ପିଲାଙ୍କ କଥାବି ଆଲୋଚନା କରନ୍ତି । ସେମାନେ ଜାଣିବାକୁ ଚାହାନ୍ତି, ପିଲାଏ ଗୋଟିଏ ବର୍ଷରେ କେମିତି ପଢ଼ାପଢ଼ି କରିଛନ୍ତି, କେତେ ବହି ଛପା ହୋଇଛି, କେତେ ଖାତା ପେନ୍‍ସିଲ୍ ଓ କଲମ ତିଆରିହୋଇଛି । ଏସବୁ ଆଲୋଚନା କଲାପରେ ପ୍ରତିନିଧିମାନେ ବିଚାର କରନ୍ତି, ଭବିଷ୍ୟତ ପାଇଁ କେମିତି ଯୋଜନା ପ୍ରସ୍ତୁତ କରିବେ । ସେମାନେ ସ୍ଥିର କରନ୍ତି କେତେ ଘର ତିଆରି କରିବାକୁ ହେବ, କେଉଁ ନଈଗୁଡ଼ିକ କେନାଲଦ୍ଵାରା ସଂଯୁକ୍ତ କରିବାକୁ ହେବ, କେଉଁଠି ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ହେବ ଏବଂ ମରୁଭୂଇଁରେ କେମିତି କେଉଁଠି ଜଳସେଚନର ବ୍ୟବସ୍ଥା କରିବାକୁ ହେବ । ଏମିତି କୌଣସି କଥା ନାହିଁ, ଯାହା ସର୍ବୋଚ୍ଚ ସୋଭିଏତରେ ବିଚାର କରା ନ ଯାଏଁ, କି ଯାହା ବିଷୟରେ ନିଷ୍ପତ୍ତି ନିଆ ନ ଯାଏଁ । ପ୍ରକୃତରେ ଅତି ବିଜ୍ଞତାର ସହିତ ସବୁ କଥା ଠିକ୍ ହୁଏ । ଦେଶର ସବୁ ବ୍ୟବସ୍ଥା ସୁରୁଖୁରୁରେ ଶୃଙ୍ଗଳାର ସହିତ ଚାଲିଛି କି ନାହିଁ ଦେଖାଯାଏ । ଲୋକଙ୍କର ଚଳାଚଳ, ବସବାସ ଓ କାମଦାମର ଉନ୍ନତି ଘଟୁଚି କି ନାହିଁ, ଘଟୁଥିଲେ କେତେ ଦୂର ଘଟୁଚି–ଏଥିପ୍ରତି ଲକ୍ଷ୍ୟ ରଖାଯାଏ ।

 

ଯୋଜନା ସବୁ ଆଗତୁରା ପାଞ୍ଚବର୍ଷ ପାଇଁ ତିଆରି ହୁଏ । କାରଣ, ଅନେକ କାମ ଅଛି, ସେଗୁଡ଼ିକ ଗୋଟିଏ ବର୍ଷରେ ପୂରଣ ହୋଇପାରିବ ନାହିଁ । ତେବେ ବର୍ଷକିଆ ଯୋଜନା ମଧ୍ୟ ପ୍ରସ୍ତୁତ ହୁଏ ।

 

ଗୋଟିଏ ସାଧାରଣ ଯୋଜନା ଅନୁସାରେ ସୋଭିଏତ୍ ଲୋକେ ନୂଆ ନୂଆ ଘର ତିଆରି କରୁଛନ୍ତି, କଳକାରଖାନାମାନ ବସାଉଛନ୍ତି; ତା’ ସଙ୍ଗେ ସଙ୍ଗେ ସେମାନେ ମଣିଷପାଇଁ ଗଢ଼ୁଛନ୍ତି ଏକ ନୂତନ ଜୀବନ, ଏକ ଉନ୍ନତ ଜୀବନ ।

Image